ଏକଥା ହୁଏତ ବୁଝାଇବାକୁ ପଡ଼ିବନାହିଁ ଯେ ଜଳବାୟୁ ଆଜି ଜଳୁଛି । ବିଭିନ୍ନ ସହରର ତାପମାତ୍ରା ୪୦ ଡ଼ିଗ୍ରି ସେଲସିୟସ ଉପରେ ଏବଂ କେତେକ ଜାଗାରେ ୪୬ଡ଼ିଗ୍ରି ସେଲସିୟସ ଉପରେ ପହଞ୍ଚିଗଲାଣି । ଦିନସାରା ଜଳବାୟୁ ଏତେ ଅସହ୍ୟ ହେଉଛି ଯେ କାମ କରି ବଞ୍ଚୁଥିବା ଲୋକମାନେ ଭୀଷଣ ଜୀବିକା ଯନ୍ତ୍ରଣାରେ ସଢ଼ୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଦେଶ ଭିତରେ ବା ଦେଶ ବାହାରେ ଶୀତଳ ଅନୁଭବ କରାଯାଉଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଯିବାରେ ଧାଡ଼ି ଲଗାଇଛନ୍ତି । ଯେଉଁମାନଙ୍କ ପକ୍ଷରେ ଶୀତତାପ ନିୟନ୍ତ୍ରିତ କୋଠରୀ ଓ ଗାଡ଼ି ଅଛି, ସେମାନଙ୍କୁ କଷ୍ଟଟା ସେତିକି ବାଧୁନାହିଁ । ବରଂ ପରୋକ୍ଷଭାବେ ସେମାନେ ଅନ୍ୟମାନଙ୍କ କଷ୍ଟ ବଢ଼ାଉଛନ୍ତି । କାହାର କଷ୍ଟ ବୁଝିବାପାଇଁ ମନ ନାହିଁ ଏବଂ ଅବସର ମଧ୍ୟ ନାହିଁ । ଯେତେ ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭିତରେ ରହିଲେ ବି ଉତ୍ତପ୍ତ ଜଳବାୟୁର ସ୍ପର୍ଶ ସମସ୍ତଙ୍କ ପାଖରେ ଅଳ୍ପବହୁତ ପହଞ୍ଚୁଛି । ବିଡ଼ମ୍ବନାର କଥା ଯେ ଠିକ୍ ଏହି ସମୟରେ ଦେଶବ୍ୟାପି ଏକ ଅତ୍ୟନ୍ତ ବ୍ୟୟବହୁଳ ନିର୍ବାଚନ ପ୍ରଚାର ଚାଲିଛି । କିନ୍ତୁ କୌଣସି ଶାସକ ଦଳ ବା ଶାସନକୁ ଆସିବା ପାଇଁ ଆଶା ବାନ୍ଧି ବସିଥିବା ରାଜନୈତିକ ଦଳର ନିର୍ବାଚନୀ କାର୍ଯ୍ୟସୂଚୀରେ ‘ଜଳବାୟୁ’, ‘ଜଳବାୟୁ ପରିବର୍ତ୍ତନ’ ବା ଏମିତିକି ଆଜିର ଉତ୍ତପ୍ତ ଜଳବାୟୁରୁ କେମିତି ମୁକ୍ତି ପାଇବା ଏକ ପ୍ରସଙ୍ଗ ହୋଇପାରିନାହିଁ ।
ଆମେ ଯେଉଁମାନେ ବି ନିଜକୁ ଗଣତନ୍ତ୍ରର ଜନନୀ କୁହାଯାଉଥିବା ଦେଶଟିର ଗୌରବମୟ ନାଗରିକ ହିସାବରେ ବିଚାର କରୁଛେ, କୌଣସି ପ୍ରାର୍ଥୀଙ୍କୁ କେବେ ପ୍ରଶ୍ନକରିବାର ଦୃଷ୍ଟାନ୍ତ ଦେଖାଯାଉ ନାହିଁ ଯେ ଆଜି ବାୟୁମଣ୍ଡଳ ଜଳୁଛି କାହିଁକି, ଏଥିପାଇଁ ଦାୟୀ କିଏ ଏବଂ ଏହାର ନିରାକରଣ କିପରି କରାଯାଇ ପାରିବ ! ଯେଉଁମାନେ ସାମାଜିକ ନ୍ୟାୟର ନାରା ଦଶନ୍ଧି ଦଶନ୍ଧି ଧରି ଦେଇଆସିଛନ୍ତି ଏବଂ ଅର୍ଥନୈତିକ ବିଷମତାକୁ ମୁଖ୍ୟ ପ୍ରସଙ୍ଗକରି କାର୍ଯ୍ୟକରି ଆସିଛନ୍ତି ସେମାନଙ୍କର ସୂଚୀରେ ମଧ୍ୟ ‘ଜଳବାୟୁ’ ବା ‘ଜଳବାୟୁ ନ୍ୟାୟ’ ସ୍ଥାନ ପାଇପାରି ନାହିଁ । ସେମାନେ ଏବେ ବି ଏହି କଥାଟିକୁ ବୁଝିପାରୁନାହାଁନ୍ତି ଯେ ଜଳବାୟୁଜନିତ ଅନ୍ୟାୟ ଓ ବିପର୍ଯ୍ୟୟ ସବୁପ୍ରକାର ଆର୍ଥିକ ଓ ସାମାଜିକ ବିଷମତାକୁ ଲୋପ କରିବାପାଇଁ କରାଯାଉଥିବା ଆନ୍ଦୋଳନ ଗୁଡ଼ିକୁ ମୂଲ୍ୟହୀନ କରିଦେବ ।
ବିଶ୍ୱ ଉତ୍ତାପନ ବୃଦ୍ଧିର ନିଷ୍ଠୁର ପରିଣାମ ଭୋଗିବେ ସେମାନେ ଯେଉଁମାନଙ୍କ ପାଖରେ ଆଜି କୌଣସି ସଂଶାଧନ ନାହିଁ, ଯେଉଁମାନେ ପ୍ରତିଦିନ ଖଟିଲେ ଖାଉଛନ୍ତି, ଯେଉଁମାନେ କିଛି ଦଶନ୍ଧି ଧରି ଚାଲିଥିବା ଉଗ୍ର ‘ବିକାଶ’ର ଧାରା ଯୋଗୁଁ ଜମି, ଜଙ୍ଗଲ ଓ ଜଳ ସମ୍ପଦରୁ ଉଦବାସ୍ତୁ ହୋଇ ଏବେ ବି ନିଜପାଇଁ ଠିକଣାଟିଏ ବା ନିରନ୍ତର ଜୀବିକାଟିଏ ଯୋଗାଡ଼ କରିବାରେ ଅସମର୍ଥ ହୋଇଆସିଛନ୍ତି । ଜଳବାୟୁର ରୂପ ଆଗାମୀ ଦିନ ଗୁଡ଼ିକରେ କ’ଣ ରହିବ ନିଷ୍ଠାର ସହ ବୁଝିପାରୁଥିବା ବିଦ୍ୱାନମାନେ ସତର୍କ କରାଇସାରିଲେଣି ଯେ ଯଦି ଏହି ଧାରାରେ ବିଶ୍ୱର ଉତ୍ତାପନ ବଢ଼ିଚାଲେ ତାହାହେଲେ ଆଦିବାସୀ, ଦଳିତ, ଦରିଦ୍ର, ନାରୀ, ଭିନ୍ନକ୍ଷମ ଏବଂ ସଂଖ୍ୟାଲଘୁ ଶ୍ରେଣୀର ଦୁର୍ବଳବର୍ଗ ଉପରେ ଏହାର ଭୟଙ୍କର ପରିଣତି ପଡ଼ିବ । ଅଦିନିଆ ବନ୍ୟା, ବାତ୍ୟା, ମରୁଡ଼ି, ଜଙ୍ଗଲ ନିଆଁ ଇତ୍ୟାଦି ଲୋକଙ୍କର ଜୀବିକାକୁ ଭୀଷଣ ଭାବରେ ପ୍ରଭାବିତ କରିବ । ଯେଉଁ ସମାଜରେ ଯେଉଁ ବର୍ଗର ଲୋକମାନେ ବଞ୍ଚିବା ପାଇଁ ସରକାର ବା ଶାସକଶ୍ରେଣୀର ଦାନ ପାତ୍ର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି ସେମାନେ ଜଳବାୟୁଜନିତ ଦୁର୍ବିପାକ ହେତୁ ସମ୍ମାନହୀନ ଏବଂ ଦାସ ସଦୃଶ୍ୟ ସ୍ଥିତିକୁ ଆସିଯିବେ ।
ଭାରତ ଭଳି ସାମାଜିକ ଏବଂ ଆର୍ଥିକ ବିଷମତାଭରା ଦେଶଟିରେ ଶେଷ ପାହାଚରେ ଥିବା ଅତି ସାଧାରଣ ଲୋକମାନେ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ କାଙ୍ଗାଳ ଅବସ୍ଥାକୁ ଚାଲିଆସିବେ ଏବଂ ଅବେଳରେ ମଧ୍ୟ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିବେ । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ପରିମାଣରେ ଜୀବନ ଓ ଜୀବିକାର ସଂଶାଧନଗୁଡ଼ିକ ବିପନ୍ନ ହେବ ତାହାର ଆର୍ଥିକ ଆକଳନ ବିଶାରଦମାନେ କରିସାରିଲେଣି । କିନ୍ତୁ ପୃଥିବୀ ଯେଉଁ ଗତିରେ ନିଜ ଜୈବ ବ୍ୟବସ୍ଥାଗୁଡ଼ିକୁ ହରାଇ ହରାଇ ଚାଲିଛି, ତାକୁ ପୁଣିଥରେ ଫେରାଇ ଆଣିବାପାଇଁ କ’ଣ କରାଯାଇ ପାରେ, ତାହାର ଜ୍ଞାନ କୌଶଳ କାହାରି ପାଖରେ ନାହିଁ । ବିଶିଷ୍ଟ ଜୈବ ଚାଷୀ ନଟବର ଷଡ଼ଙ୍ଗୀ ନିଜର ପ୍ରତିଟି ଲେଖାରେ ଏବଂ ସଙ୍କଳିତ ପୁସ୍ତକ ମାଧ୍ୟମରେ ଅନ୍ତତଃ ‘ସମଦୃଷ୍ଟି’ର ପାଠକମାନଙ୍କୁ ତାଗିଦ୍ କରିଆସିଛନ୍ତି । ଅନ୍ୟ ଖବରକାଗଜରେ ସେ ଅଧିକ ଲୋକେ ଜାଣିବାପାଇଁ ମଝିରେ ମଝିରେ ସେଭଳି କିଛି କଥା ଲେଖିଥାନ୍ତି । ପୂର୍ବରୁ ପରିବେଶବିତ୍ ପ୍ରଫେସର ରାଧାମୋହନ ବିଭିନ୍ନ ଅଞ୍ଚଳ ଗସ୍ତକଲାବେଳେ ସାଧାରଣ ଲୋକମାନଙ୍କୁ ମାଟି, ପାଣି ଓ ପବନ ବିଶୁଦ୍ଧ ରହିବା ମଣିଷ ସମାଜ ଓ ଜୀବଜଗତ ତିଷ୍ଠି ରହିବା ପାଇଁ କେତେ ଜରୁରୀ ଲୋକ ମାନଙ୍କୁ କହୁଥିଲେ । ରାଜେନ୍ଦ୍ର ଷଡ଼ଙ୍ଗୀ ଦେଶୀ ବିହନ ବଞ୍ଚିଲେ ଜୈବ ବ୍ୟବସ୍ଥା ବଞ୍ଚିରହି ପାରିବ; ଏହି ବିଶ୍ୱାସ ରଖିଥିଲେ ଏବଂ ସେଥିପାଇଁ କାମ ମଧ୍ୟ କରୁଥିଲେ । ଏବେ ଏହି ଦୁଇଜଣ ଆମ ଗହଣରେ ନାହାନ୍ତି । ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ରାଜ୍ୟବ୍ୟାପି ବୁଲିବୁଲି ମାଟି, ଜଙ୍ଗଲ, ଜଳସମ୍ପଦ ଓ ପ୍ରକୃତି ଆଧାରିତ ଜୀବନ ଜୀବିକାର ସୁରକ୍ଷାପାଇଁ ହେଉଥିବା ଜନଆନ୍ଦୋଳନ ଗୁଡ଼ିକର ସ୍ୱରକୁ ପ୍ରତିଧ୍ୱନିତ କରିବା କାମରେ ତିନି ଦଶନ୍ଧି ଧରି ସକ୍ରିୟ ରହି ଆସିଛନ୍ତି ।
ସେ ଦିନ (ଏପ୍ରିଲ୍ ୨୭,୨୦୨୪) ଲଦାଖ୍ ସତ୍ୟାଗ୍ରହୀ ସୋନମ ୱାଙ୍ଗଚୁକ୍ ଙ୍କୁ ସ୍ୱାଗତ କଲାବେଳେ ସେ କହିଥିଲେ ଯେ ଓଡ଼ିଶାରେ ୨୫ରୁ ୩୦ଯେଉଁ ଜନଆନ୍ଦୋଳନ ସକ୍ରିୟ ଭାବେ ନିଜର ସଂଗ୍ରାମ ଜାରି ରଖିଛନ୍ତି, ସେ ସବୁ ସାମଗ୍ରିକ ଭାବେ ଜଳବାୟୁ ନ୍ୟାୟପାଇଁ ଗୋଟିଏ ଗୋଟିଏ ଜନଆନ୍ଦୋଳନ । ସୋନମ୍ ବି ନିଜର ଜଳବାୟୁ ସତ୍ୟାଗ୍ରହ କେବଳ ନିଜ ଅଞ୍ଚଳପାଇଁ ନୁହଁ ବରଂ ଭାରତ ଉପମହାଦେଶର ସାଧାରଣ ମଣିଷ ଓ ଜୀବଜଗତରେ ଭବିଷ୍ୟତର ସୁରକ୍ଷା ପାଇଁ ଉଦ୍ଦିଷ୍ଟ- ଏହି କଥାଟି ଉପରେ ଗୁରୁତ୍ୱ ଦେଇଥିଲେ । ଗୋଟିଏ ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତର ଦେଲାବେଳେ ନିଜେ ଉପସ୍ଥିତ ଥିବାଯୋଗୁଁ ଆମେ ଶୁଣିଥିଲୁ ଯେ ତାଙ୍କ ବିଚାରରେ ବିକାଶ କହିଲେ କେବଳ ଆଜିପାଇଁ ନୁହଁ ଏବଂ କେତେଜଣଙ୍କ ପାଇଁ ନୁହଁ । ବିକାଶ ଆଗକୁ ଆସୁଥିବା ସବୁ ପିଢ଼ିମାନଙ୍କପାଇଁ ଏବଂ ତଳସ୍ତରରେ ଥିବା ସମସ୍ତ ମଣିଷଙ୍କ ହିତସାଧନ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ । ସୋନମ୍ ଆଜି ସଙ୍କଟରେ । ଅଗଷ୍ଟ ୫, ୨୦୧୯ ଦିନ ମୋଦୀ ସରକାର ଯେତେବେଳେ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକରି ଜାମ୍ମୁ ଓ କଶ୍ମୀର ରାଜ୍ୟକୁ ବିଭାଜିତକଲେ ଏବଂ ଲଦାଖ୍ କୁ ପୃଥକ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି କଲେ ସେତେବେଳେ ସୋନମ୍ ୱାଙ୍ଗଚୁକ୍ ଙ୍କ ଭଳି ଜଣେ ବିଦ୍ୱାନ ଏବଂ ସୃଜନଶୀଳ ବ୍ୟକ୍ତିତ୍ୱ ମୋଦୀ ସରକାରଙ୍କର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ଲଦାଖ୍ ର ଆଦିବାସୀ ଓ ଅଧିବାସୀମାନଙ୍କର ସେ ଜଣେ ନୈତିକ ପ୍ରତିନିଧି ବିଚାର କରାଯାଉଥିବା ଦୃଷ୍ଟିରୁ ମୋଦୀ ସରକାରଙ୍କର ନିଷ୍ପତ୍ତି ପ୍ରତି ସମର୍ଥନଟି ଅନେକଙ୍କୁ ନିରାଶ କରିଥିଲା । ପରେ ବସ୍ତୁ ସ୍ଥିତି ଦେଖି ସୋନମ୍ ବୁଝି ପାରିଥିଲେ ଯେ ଏଭଳି ଏକ ନିଷ୍ପତ୍ତି ଦ୍ୱାରା ଲଦାଖ୍ ବାସୀଙ୍କୁ ସ୍ୱୟଂନ୍ତ୍ରତା ଦେବା ପରିବର୍ତ୍ତେ ମୋଦୀ ନିଜର ବନ୍ଧୁ କମ୍ପାନୀମାନଙ୍କ ହାତରେ କେମିତି ଲଦାଖ୍ କୁ ସମର୍ପଣ କରିବା ପାଇଁ ବସିଛନ୍ତି । ସେ ଅନ୍ୟପଟେ ବି ଦେଖୁଥିଲେ ରାଷ୍ଟ୍ରବାଦର ଉଗ୍ର ପ୍ରଚାର କରୁଥିବା ସରକାରଟି ନିରବ ରହିଥିବାବେଳେ ପଡ଼ୋଶୀ ଚୀନରାଷ୍ଟ୍ରର ସେନା ଲଦାଖ୍ ର ଉତ୍ତରାଅଞ୍ଚଳକୁ ଧିରେଧିରେ ଅକ୍ତିଆର କରିଚାଲିଛନ୍ତି । ଅବଶ୍ୟ ମୋଦୀ ସରକାର ଏଭଳି କିଛି ହେଉଛି ଏକଥା ସ୍ୱୀକାର କରନ୍ତି ନାହିଁ । ସୋନମ୍ ଓ ତାଙ୍କସହ ଥିବା ଲଦାଖ୍ ବାସୀ ଜାଣିିସାରିଲେଣି ଯେ ଧିରେଧିରେ ଲଦାଖ୍ ସେମାନଙ୍କ ହାତରୁ ଚାଲିଯାଉଛି । ପ୍ରଚଣ୍ଡ ଉତ୍ତାପରୁ ଆଶ୍ୱସ୍ତି ପାଇବାପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଏବଂ ଯାନବାହନର ଶୋଭାଯାତ୍ରା ଯେଭଳି ଚାଲିଛି ଓ ଏହି ମଧ୍ୟବିତ୍ତ ଶ୍ରେଣୀର ସୁଖ ଓ ସମ୍ଭୋଗ ପାଇଁ ଯେଉଁ ଭଳି ଘରୋଇ କମ୍ପାନୀମାନଙ୍କ ଦ୍ୱାରା ଭିତ୍ତିଭୂମି ନିର୍ମାଣର ପ୍ରସ୍ତୁତି ଚାଲିଛି; ସେଥିରେ ବିକଳ୍ପ ଶକ୍ତି ପ୍ରସ୍ତୁତ କରିବାପାଇଁ ସୋନମ୍ ଙ୍କର ଉଦ୍ୟମଗୁଡ଼ିକ (ଯେଉଁଥି ପାଇଁ ୩ ଇଡ଼ିଏଟ୍ ଭଳି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା) ଆପେଆପେ ମୂଲ୍ୟହୀନ ହୋଇଯିବ । ଲଦାଖ୍ ର ହିମସ୍ରୋତଗୁଡ଼ିକ କମିକମି ଆସିଲାଣି ଏବଂ ଯଦି ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହେବାର ପରିମାଣ ପର୍ଯ୍ୟଟନ ଓ ପରିବହନ ଯୋଗୁଁ ବଢ଼ିଚାଲେ ତେବେ ଆହୁରି ବ୍ୟାପକ ଭାବେ ବରଫସ୍ରୋତଗୁଡ଼ିକର ବିଘଟନ ଘଟିବ । କାହିଁକି ନା ଏହି ଅଞ୍ଚଳଟି ଏକ ଆବଦ୍ଧ ଉପତ୍ୟକା ହୋଇଥିବା ହେତୁ ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ ବାୟୁମଣ୍ଡଳରେ ମିଶି ବାହାରକୁ ଯାଇପାରିବ ନାହିଁ । ତେବେ କେନ୍ଦ୍ରରେ ଯଦି ସରକାର ପରିବର୍ତ୍ତନ ନହୁଏ, ଲଦାଖ୍ର ନୂଆକରି ଉପୁଜିଥିବା ଏହି ସଙ୍କଟ ଭିତରୁ ସେମାନଙ୍କୁ ଉଦ୍ଧାର କରିବା ସହଜ ହେବନାହିଁ ଏବଂ ଲଦାଖ୍ ର ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ କାର୍ଯ୍ୟକାରୀ କରାଇବା ସମ୍ଭବ ହେବନାହିଁ । ଏହାର ଏଭଳି ଅର୍ଥ ନହେଉ ଯେ ଅଣଭାଜପା ଶାସକଦଳମାନେ ଲଦାଖ୍ ଏବଂ ଜାମ୍ମୁ ଓ କାଶ୍ମୀରକୁ ନେଇ କିଛି ଭିନ୍ନ ଆଭିମୁଖ୍ୟ ରଖିବେ । ଅନ୍ତତଃ ଅତୀତର ପୃଷ୍ଠା ଦେଖିଲେ ଏଭଳି କିଛି ଅସମ୍ଭବ ଘଟିବ ଆଶା କରାଯାଉ ନାହିଁ ।
ତେବେ ସୋନମ୍ ୱାଙ୍ଗଚୁକ୍ ଆଜି ଯେଉଁ ବାର୍ତ୍ତା ସ୍ପଷ୍ଟ ଏବଂ ସରଳ ଭାଷାରେ ଦେଇଚାଲିଛନ୍ତି, ତାହା ‘ସମଦୃଷ୍ଟି’ରେ ଉପସ୍ଥାପିତ ହେଇଚାଲିଥିବା ଆମର କିଛି ସମ୍ମାନସ୍ପଦ ଲେଖକଙ୍କ ଦ୍ୱାରା ପ୍ରସ୍ତୁତ ଆଲେଖ୍ୟ ଗୁଡ଼ିକୁ ଅଧିକ ପ୍ରାସଙ୍ଗିକ କରିଦେଇଛି । ବିଡ଼ମ୍ବନାର କଥାଯେ ଆମ ରାଜନୀତି କରୁଥିବା ଲୋକମାନେ କେବଳ କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ରହି ଆମ ସଭ୍ୟତା ଏବଂ ମାନବ ସମାଜର ଭବିଷ୍ୟତକୁ ନେଇ କଣ ସବୁ ଗମ୍ଭୀରତାର ସହିତ ଚିନ୍ତା କରାଯାଇ ପାରେ; ସେ ବାବଦରେ ସମ୍ପୂର୍ଣ୍ଣ ଉଦାସୀନ ରହିଆସିଛନ୍ତି । ଆମ ଶିକ୍ଷିତସମାଜ ବି କିଛି କମ୍ ଉଦାସୀନ ନୁହଁନ୍ତି । କେତେକ ତଥ୍ୟ ଦେଖିଲେ ଏହି ଉଦାସୀନତା ଆପେଆପେ ଉନ୍ମୋଚିତ ହୋଇଯିବ । ୨୦୧୯ର ଗୋଟିଏ ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଥିବା ପ୍ରମୁଖ ଜଳଭଣ୍ଡାରଗୁଡ଼ିକରୁ ଶତକଡ଼ା ୬୫ଭାଗ ଜଳଭଣ୍ଡାରରେ ପାଣିର ସ୍ତର ସ୍ୱାଭାବିକ ସ୍ତରଠାରୁ ବହୁତ ତଳେ ରହୁଥିଲା । ଏମିତିକି ଅନେକ ଅର୍ଥଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଜଳଭଣ୍ଡାରଗୁଡ଼ିକ ଭିତରୁ ଶତକଡ଼ା ୧୨ଭାଗ ଜଳଭଣ୍ଡାର ପୁରା ଶୁଖିଯାଉଥିଲା । କିନ୍ତୁ ଯେତେବେଳେ ବଞ୍ଚିରହିଥିବା ଜଳଭଣ୍ଡାରଗୁଡ଼ିକର ପାଣି ଚାଷପାଇଁ ନୁହଁ ଶିଳ୍ପପାଇଁ ଯାଉଛି ଏବଂ କେଉଁଠି କେଉଁଠି ଜଳଭଣ୍ଡାରଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯାଉଛି, ସୁଖରେ ଥିବା ଆମ ଶିକ୍ଷିତବର୍ଗଙ୍କର କୌଣସି ପ୍ରତିକ୍ରିୟା ନାହିଁ । ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସରକାରୀ ଅଧ୍ୟୟନ (ଯାହାକୁ ନେଇ ଆମ ମନରେ ପ୍ରଶ୍ନବି ଅଛି) ଭାରତରେ ସମୁଦାୟ ୨୪ଲକ୍ଷ ୨୪ହଜାର ପୋଖରୀ ବା ଗାଡ଼ିଆ ଅଛି, ସେହିଭିତରୁ ସର୍ବାଧିକ ୨୩ଲକ୍ଷ ୫୫ହଜାର ୫୫ଟି ଜଳ ଧାରଣ କ୍ଷେତ୍ର ଗ୍ରାମାଞ୍ଚଳରେ ରହିଛି । ସେହି ମନ୍ତ୍ରଣାଳୟର ଗୋଟିଏ ତଥ୍ୟ ଅନୁଯାୟୀ ଏକ ଅଖିଦୃଷ୍ଟିଆ ସଂଖ୍ୟାର ଗାଡ଼ିଆ ବା ପୋଖରୀର ଜଳ କୌଣସି କାମରେ ବ୍ୟବହାର କରାଯାଇ ପାରୁନାହିଁ । ସେହି ପୋଖରୀର ସଂଖ୍ୟା ୪ଲକ୍ଷ ଉପରେ । ଏମିତିବି ଦେଖାଯାଉଛି ପୋଖରୀଗୁଡ଼ିକୁ ପୋତି ସେଠି କୋଠାବାଡ଼ି ବା ଶିଳ୍ପର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟଚାଲିଛି । ଏହି ପୋଖରୀଗୁଡ଼ିକ କେବଳ ଜଳ ଧାରଣ କରେନାହିଁ ବରଂ ଚାରିପଟେ ଥିବା ଅଞ୍ଚଳର ଭୂତଳ ଜଳସ୍ତରକୁ ସ୍ଥିର ରଖାଇବାରେ ପ୍ରମୁଖ ଭୂମିକା ନେଇଥାଏ । ତଥ୍ୟ କହୁଛିଯେ ଭାରତ ବିଶ୍ୱରେ ଭୂତଳ ଜଳ ବ୍ୟବହାର କରିବା କ୍ଷେତ୍ରରେ ସବୁଠାରୁ ବଡ଼ଦେଶ । ଦେଢ଼ ଦଶନ୍ଧି ପୂର୍ବେ ଆମେ ପ୍ରାୟ ୨୫ହଜାର ୧ଶହ କୋଟି ଘନଫୁଟ ଜଳ ବ୍ୟବହାର କରୁଥିଲୁ । କେନ୍ଦ୍ର ଭୂତଳ ଜଳ ବୋର୍ଡ଼ କହିସାରିଲେଣି ଯେ ଆମର ଭୂତଳ ଜଳସ୍ତର ୬୧ପ୍ରତିଶତ ଖସିଆସିଲାଣି ।
ସେହିଭଳି ଜଙ୍ଗଲ କ୍ଷେତ୍ରରେ ଯଦିଓ ସରକାର ଦାବି କରୁଛନ୍ତି ଯେ ୨୦୧୭ରୁ ୨୦୧୯ଭିତରେ ଦେଶରେ ୨ହଜାର ୨ଶହ ୬୧ ବର୍ଗକିଲୋମିଟରର ଜଙ୍ଗଲ ଓ ବୃକ୍ଷର ଆବରଣ ବଢ଼ିଛି କିନ୍ତୁ ଖବରକାଗଜ ତଥ୍ୟ ଅନୁଯାୟୀ (ଦି ହିନ୍ଦୁ ମାର୍ଚ୍ଚ ୨୧,୨୦୨୩) ଭାରତ ଗତ ୩୦ ବର୍ଷ ଭିତରେ ୬ଲକ୍ଷ ୬୮ହଜାର ୪ଶହ ହେକ୍ଟରର ଜଙ୍ଗଲ ହରାଇ ବିଶ୍ୱରେ ଜଙ୍ଗଲ ନଷ୍ଟ କରୁଥିବା ଦେଶମାନଙ୍କ ଭିତରେ ଦ୍ୱିତୀୟ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଅଛି ବ୍ରାଜିଲ୍ ଯେଉଁଠି ସେ ଏକା ସମୟକାଳ ଭିତରେ ୧୬ଲକ୍ଷ ୯୫ହଜାର ୭ଶହ ହେକ୍ଟରର ଜଙ୍ଗଲ ହାନି ଘଟିଛି । ତେବେ ଭାରତରେ ଗତ ୩୦ବର୍ଷରେ ଜଙ୍ଗଲହାନିର ଅନୁପାତଟି ଅପେକ୍ଷାକୃତ ଉଗ୍ରଗତିରେ ବଢ଼ିଛି । ଜଙ୍ଗଲର ସଂଜ୍ଞା ଯଦି ସରକାର ତୁହାକୁ ତୁହା ନିରୂପଣ କରନ୍ତି, ତେବେ ଘଞ୍ଚ ଜଙ୍ଗଲ ସ୍ଥାନରେ ବ୍ୟବସାୟିକ ବୃକ୍ଷରୋପଣ ଜଙ୍ଗଲର ସ୍ଥାନ ନେଇଯିବ । ଏବେତ ୧୯୮୦ ମସିହାରେ ଜଙ୍ଗଲ ସଂରକ୍ଷଣ ଆଇନକୁ ସଂଶୋଧନ କରି ସରକାର ଏମିତି କୋହଳ କରିସାରିଲେଣି ଯେ ଅଣଜଙ୍ଗଲ କାମପାଇଁ ସହଜରେ ଜଙ୍ଗଲ ଜମିକୁ ହସ୍ତାନ୍ତର କରାଯାଇପାରିବ ।
ସବୁଠାରୁ ଅଧିକ ଚିନ୍ତା କରିବାର କଥା ଯେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱଉତ୍ତାପନ ବୃଦ୍ଧି ଏକ ଆପଣାଛାଏଁ ଘଟୁଥିବା ସ୍ୱୟଂସମ୍ପୂର୍ଣ୍ଣ ଘଟଣା ନୁହେଁ । ବିଶ୍ୱ ପୁଞ୍ଜିବ୍ୟବସ୍ଥା ଦ୍ୱାରା ବା ବିଶ୍ୱର ହାତଗଣତି କେତୋଟି ଲାଭଖୋର କମ୍ପାନୀମାନଙ୍କ ଦ୍ୱାରା ସମଗ୍ର ବିଶ୍ୱର ପ୍ରାକୃତିକ ସମ୍ପଦ ବ୍ୟବହାର କରି ଏବଂ ବିଶ୍ୱକୁ ଏକ ବଜାରରେ ରୂପାନ୍ତରିତ କରି ଓ ସେହି ବଜାରକୁ ବ୍ୟାପକ କରାଇ ସବୁଥିରେ ନିଜର ପତିଆରା ପ୍ରତିଷ୍ଠା କରିବାପାଇଁ ଉଦ୍ୟମ ଜାରି ରହିଛି । ଜଳବାୟୁ ପରିବର୍ତ୍ତନ ତାହାର ଏକ ସ୍ୱାଭାବିକ ପରିଣାମ । ପ୍ରାକୃତିକ ସମ୍ପଦ ଲୁଣ୍ଠନ କଲାବେଳେ ଜଙ୍ଗଲ, ଜଳସମ୍ପଦ, ଚାଷଜମି ଓ ଜୈବ ବ୍ୟବସ୍ଥା ବିପନ୍ନ ହେବା ସ୍ୱାଭାବିକ । ସେହିଭଳି ଜଳର ଉତ୍ସ ଓ ବାୟୁମଣ୍ଡଳ ପ୍ରଦୂଷିତ ହେବା ମଧ୍ୟ ସ୍ୱଭାବିକ । ଏହି ନଗ୍ନ ଲୁଣ୍ଠନ ପ୍ରକ୍ରିୟାକୁ କେଉଁଠି ନା କେଉଁଠି ଏକ ବିକାଶର ଆବରଣ ଭିତରେ ଲୁଚାଇ ରଖାଯାଇଥାଏ । ଆମ ତଥାକଥିତ ଶିକ୍ଷିତ ବର୍ଗ ସେହି ବିକାଶର ଆବରଣକୁ ଜାବୁଡିଧରି ନିଜର ବା ନିଜ ପିଲାଙ୍କ ସୁନ୍ଦର ଚାକିରୀର ସ୍ୱପ୍ନ ଦେଖିଥାନ୍ତି । ଆଉ କିଏ ଜୀବନ ଜୀବିକାରୁ କେଉଁଠି ବିପନ୍ନ ହୋଇଚାଲିଛି ଜାଣିବା ପାଇଁ ଆମମାନଙ୍କର କୌଣସି ଆଗ୍ରହ ନଥାଏ । ସିଧା ସିଧା କହିବାକୁ ଗଲେ ଆମର ବଣ, ପାହାଡ଼, ପ୍ରାକୃତିକ ସମ୍ପଦ, ଜୀବଜଗତ, ଜୀବନ ଜୀବିକା ବିପନ୍ନ ହେବ ତାହା ବି ଆମ ଲୋକମାନଙ୍କୁ ହାତବାରିସୀ କରି ବା ଅସ୍ତ୍ରକରି ବା ବ୍ୟବହାର କରି ବା ପ୍ରଲୋଭନ ଦେଖାଇ । ଯାହା ବି ସେମାନେ ଲୁଣ୍ଠିତ ହୋଇଥିବା ସମ୍ପଦକୁ ନେଇ ପ୍ରସ୍ତୁତ କରିବେ; ତାହାର ବିକ୍ରିବଟା ବି ଆମ ନିଜ ଅଞ୍ଚଳରେ ହେବ, ନିଜ ରାଜ୍ୟରେ ହେବ, ନିଜ ଦେଶରେ ହେବ ଏବଂ ଆମର ମଧ୍ୟବିତ୍ତ ଶ୍ରେଣୀ ସେହିସବୁ ଜିନିଷକୁ କିଣି ସେମାନଙ୍କ ପାଖରେ ଲାଭ ପହଞ୍ଚାଇବେ । କ୍ରୟଶକ୍ତି ଯଦି ଅଧିକ ଲୋକଙ୍କର ନାହିଁ ସହଜ ଋଣ ଦେଇ କ୍ରୟଶକ୍ତି ମଧ୍ୟ ବଢ଼ାଯାଇ ପାରିବ । ଏକାଠି ରହୁଥିବା ଲୋକମାନଙ୍କୁ ଏକୁଟିଆ କରାଇଦେଲେ ଅଧିକ ଜିନିଷ ବିକ୍ରି ହେବ ଏବଂ ଏକୁଟିଆ ହୋଇଯାଇଥିବା ମଣିଷଟିର ମାନସିକ ସ୍ଥିତି ଅଧିକ ଦୁର୍ବଳ ହୋଇ ସେ ଗ୍ରହଣ କରିବାଟି ଶିଖିଯିବ, ପ୍ରତ୍ୟାଖ୍ୟାନ କରିବା ନୁହଁ । ସେ ସମର୍ପଣ କରିବା ସହଜ ହେବ ଏବଂ ପ୍ରତିବାଦ ପ୍ରତି ବିମୁଖ ହେବ ।
ଆମ ଶିକ୍ଷା ବ୍ୟବସ୍ଥା ଏଭଳି ଏକ ଦାସତ୍ୱ ମାନସିକତା ତିଆରି କରିବାରେ ଫଳପ୍ରଦ ଭାବେ କାମ କରିଆସିଛି । ଏବେ ନୂତନ ଶିକ୍ଷାନୀତି ଏଭଳି ଦାସତ୍ୱ ମାନସିକତାକୁ ଦୃଢ଼ କରିବ ମିଛ ରାଷ୍ଟ୍ରବାଦ ନାଆଁରେ । ସେଥିପାଇଁ ଜଳବାୟୁ ଜଳିଲେ ବି ଆମ ରାଜନେତାମାନଙ୍କ ସମ୍ବେଦନହୀନତା ରହୁନାହିଁ । ସମାଜରେ ଯଦି କେହିି ଚିନ୍ତିତ ହେଲାଭଳି ଦେଖାଯାଉନାହିଁ ବା ଚିନ୍ତା କଲାଭଳି ଅବସର ନାହିଁ, ସୁଯୋଗ ନାହିଁ ତାହାର ପ୍ରତିଫଳନ ତ ରାଜନେତାମାନଙ୍କ ଉପରେ ପଡିବା ସ୍ୱାଭାବିକ ।
Comments
0 comments