ମାଟି ସୁସ୍ଥ ତ ମଣିଷ ସୁସ୍ଥ

8 Min Read

ଜର୍ମାନରେ କୁହନ୍ତି “man is what man eats” । ସୁସ୍ଥ ମଣିଷ ଟିଏ ତା ଖାଦ୍ୟରୁ ତିଆରି ହୁଏ । ଉଦ୍ଭିଦ ଓ ପ୍ରାଣୀ ଜଗତ ମାଟିରୁ ଖାଦ୍ୟ ସଂଗ୍ରହ କରିଥାନ୍ତି । ଆମ ସ୍ୱାସ୍ଥ୍ୟ ମାଟିର ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ । ବିଲାତରେ ଜଣେ ପ୍ରତିଷ୍ଠିତ ଡାକ୍ତର ରବର୍ଟ ମ୍ୟାକ କାରିସନ କୁହନ୍ତି “ଦି ଗ୍ରେଟେଷ୍ଟ ସିଙ୍ଗଲ ଫ୍ୟାକ୍ଟର ଇନ ଦି ପ୍ରଡକ୍ଶନ ଅଫ ଗୁଡ ହେଲଥ ଇଜ ଦି ରାଇଟ କାଇଣ୍ଡ ଅଫ ଫୁଡ । ଆଣ୍ଡ ଦି ଗ୍ରେଟେଷ୍ଟ ସିଂଗଲ ଫ୍ୟାକ୍ଟର ଇନ ଦି ପ୍ରଡ଼କସନ ଅଫ ଇଲ୍ ହେଲଥ ଇଜ ଦି ରଂଗ କାଇଣ୍ଡ ଅଫ ଫୁଡ । ଦି ରୁଟ ଅଫ ହେଲଥ ଲାଇଜ ଇନ ଦି ସଏଲ” (ଫ୍ୟାମିନ ଇନ ଇଂଲଣ୍ଡ –ଭିସକାଣ୍ଟ ଲେମିଙ୍ଗ ଟନ -1938)। ମାଟି ଦୁର୍ବଳ ଓ ବିଷାକ୍ତ ହେଲେ ଆମ ଶରୀର ରୋଗ ଗ୍ରସ୍ତ ହେବ ଏବଂ ଡାକ୍ତରୀ ଖର୍ଚ୍ଚ ବଢିବ । ସୁସ୍ଥ ମାଟି ଆମ ସ୍ଵାସ୍ଥ ର ଯତ୍ନ ନେଇପାରିବ ଯଦି ଆମେ ମାଟିକୁ ମା ଭଳି ଭଲ ପାଇବା ଓ ହେପାଜତ କରିବା ।

ମାଟି କୁ ଆମେ “ମା” ବୋଲି କହୁ । ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ମୂର୍ତିକା ଦିବସ ଭାବେ ପାଳନ କରୁ । କିନ୍ତୁ ସତରେ କଣ ଆମେ ମାଟି “ମା”ର ମହାତ୍ମ୍ୟ ବୁଝିଛେ ? ଉଦ୍ଭିଦ ମାଟି ରୁ ଖାଦ୍ୟ ସଂଗ୍ରହ କରେ ପ୍ରାୟ ଜାଣନ୍ତି । ପଶୁ ,ପକ୍ଷୀ ,ଅଣୁଜୀବ, ବ୍ୟାକ୍ତ୍ରିୟା ,ମାଇକ୍ରୋବ, ଜିଆ ,ଗେଣ୍ଡା ,କଙ୍କଡା ମାନେ ମଧ୍ୟ ମାଟିରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ମଣିଷ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଖାଦ୍ୟ ପାଇଁ ମାଟି କୁ ଆଶ୍ରା କରିଥାଏ । ମାଟି ଜୀବଜଗତର ଆଧାର । ଭୌଗଳିକ ମାନେ କୁହନ୍ତି ଅଶ୍ମମଣ୍ଡଳ ଉପରକୁ ପୃଥିବୀର ଚାରିପାଟକୁ କମଳାର ଚୋପା ଭଳି ଲାଗିରହିଥିବା ମାତ୍ର ୩୦-୩୨ ଇଞ୍ଚ ବହଳର ମାଟି ଜୀବଜଗତର ଜୀବନ ନାଟିକା । ଏହାକୁ ଉପର ମାଟି ବା ଟପ ସଏଲ କୁହାଯାଏ । ଗୋଟିଏ ଇଞ୍ଚ ଉପର ମାଟି ତିଆରି ହେବାକୁ ହଜାର ହଜାର ବର୍ଷ ଲାଗିଥାଏ । (ସଏଲ ଆଣ୍ଡ ସିଭିଲାଇଜେସନ –ଭରନନ ଗିଲ କାର୍ଟର ଆଣ୍ଡ ଟମ ଡେଲ )। ଏହି ଉପର ମାଟି ସୁସ୍ଥ ରହିଲେ ଜୀବ ଜଗତ ସୁସ୍ଥ ରହିବ । ମାତ୍ର ମାଟିର ସ୍ଵାସ୍ଥ ଆଜି ବିପନ୍ନ । ମାଟିରେ ରାସାୟନିକ ସାର ଓ କୀଟନାଶକ ବିଷ ଜରିଗଲାଣି । ଭେଷଜ ବିଜ୍ଞାନରେ ନୋବେଲ ପ୍ରାଇଜ ପାଇଥିବା ଫ୍ରାନ୍ସ ର ବୈଜ୍ଞାନିକ ଡାଃ ଆଲେକସିସ କ୍ୟାରେଲ ୧୯୧୨ ରେ ଲେଖିଥିବା ବହି “ମ୍ୟାନ ଦି ଅନନୋନ” ରେ ଉଲ୍ଲେଖ ଅଛି “ଦ୍ୟାଟ ଦି ଆର୍ଥ ଇଜ ଏଲିଙ୍ଗ –ଅଲମୋଷ୍ଟ ବିୟଣ୍ଡ ରିପାୟାର”। ମାଟି କୋମାରେ ଅଛି ।

ଆଦିମ ମଣିଷ ୨.୫ନିୟୁତ ବର୍ଷ ବଣ ଜଙ୍ଗଲରେ ବୁଲି ବୁଲି ଶିକାର ଓ ଫଳମୂଳ ସଂଗ୍ରହ କରି ଜୀବନ ରକ୍ଷା କରୁଥିଲା । ମଣିଷ ମାନଙ୍କର ସଂଖ୍ୟା ବଢିଲା । ଶିକାର ଫଳମୂଳ ଅଭାବ ପଡିଲା । ଖ୍ରୀ.ପୂ ୭୦୦୦ ବେଳକୁ ଜଙ୍ଗଲି ଗୋରୁ ଗାଈ ଛେଳି ମେଣ୍ଢାକୁ ପୋଷା ମନେଇଲେ। ଫ୍ଲିଣ୍ଟ(ଚକ ଚକ) ଟାଣ ପଥରକୁ ଘଷି ମୁନିଆ କଲେ ।ମାଟି ତାଡି ଗହମ ବାର୍ଲି ମଞ୍ଜି ବୁଣିଲେ । ଏହାକୁ ପ୍ରଥମ କୃଷି ବିପ୍ଲବ କୁହାଗଲା । ଖ୍ରୀ.ପୂ ୩୦୦୦ ବର୍ଷ ବେଳକୁ ଟାଇଗ୍ରୀସ ଓ ଈଊଫ୍ରେଟିସ ନଦୀ ଉପତ୍ୟକାରେ ମେସୋପୋଟାମିଆଁ ସଭ୍ୟତା ମୁଣ୍ଡଟେକିଲାଣି ।ସୁମେରିୟାନ ମାନେ ଲଙ୍ଗଳ ଉଦ୍ଭାବନ କରି ଚାଷ କଲେ । ଏହାକୁ ଦିତୀୟ କୃଷି ବିପ୍ଲବ କୁହନ୍ତି ।ଜଙ୍ଗଲରେ ହଜାର ହଜାର ବର୍ଷର ପତ୍ର ଡାଳ ଜୀବଜନ୍ତୁଙ୍କ ଅବଶେଷ ପଡି କଳା ବା ବାଦାମ ରଙ୍ଗର ଖତିରା (ହ୍ୟୁମସ )ଗଦା ହେଇଛି ।ସାମାନ୍ୟ ମାଟି ଚିରି ମଞ୍ଜି ବୁଣିଲେ ଅମାପ ଫସଲ ମିଳିଲା ।ୟୁରୋପରେ ଘୋଡା ,ଏସିଆ ମହାଦେଶରେ ବଳଦ,ଗାଈ ଯୋଚି ଚାଷୀ ହଳ କଲେ । ୟୁରୋପରେ ଘୋଡା ଖତ,ଭାରତୀୟ ଉପମହାଦେଶରେ ଗୋବର ଖତ ଓ ଚିନରେ ମଣିଷ ଖତ ତିଆରି କରି ଜମିରେ ପକାଇଲେ । (ଫାର୍ମର୍ଷସ ଅଫ ଫର୍ଟି ସେଞ୍ଚୁରିଜ ଅର ପରମାନେଣ୍ଟ ଏଗ୍ରିକଲ୍ଚର ଇନ ଚାଇନା ,କୋରିଆ ,ଆଣ୍ଡ ଜାପାନ ଏଫ.ଏଚ.କିଙ୍ଗ)। ଗହମ ବାର୍ଲି ,ମକା ,ଧାନ ,ବିରି ମୁଗ ,ପନିପରିବା ,ଧୁମ ଚାଷ ଚାଲିଲା । ନଦୀ ମାତୃକାର ଦେଶ ଭାରତ ବର୍ଷ । ଉର୍ବର ପଟୁ ମାଟି ଓ ମୌସୁମୀ ବର୍ଷା । ଚାଷୀ ମାନେ ଖଟୁ ଥିଲେ । ଭଲ ଗଣ୍ଡେ ଖାଉଥିଲେ । କୋଣାର୍କ ,ପୁରୀ ଜଗନ୍ନାଥ ମନ୍ଦିରକୁ ପଥର ଉଠାଇଥିଲେ । ଅର୍ଥନୀତି ବିଶାରଦ ମାନେ କୁହନ୍ତି ଗତ ୨ହଜାର ବର୍ଷ ଭାରତର କୃଷି ଅର୍ଥନୀତି ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

୧୮୪୦ । ଜର୍ମାନର ରସାୟନବିତ ଜଷ୍ଟିସ ଭନ ଲିବିଗ ଚାଷ ପାଇଁ ହ୍ୟୁମସ ବା ଖତର ଅବଶ୍ୟକତାକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ରାସାୟନିକ ସାର ଉଦ୍ଭାବନ କରନ୍ତି । ତାଙ୍କ ମତରେ ଫସଲରେ ଅମୋନିଆ ,ଫସଫରସ ଓ ପୋଟାସ ସାର ପ୍ରୟୋଗ କଲେ ଅପର୍ଯ୍ୟାପ୍ତ ଉତ୍ପାଦନ ହେବ । ବହୁଦେଶୀୟ କମ୍ପାନୀମାନେ ଲାଗିଗଲେ । ରାସାୟନିକ ସାର ତିଆରି କଲେ । ୟୁରୋପ ଓ ଆମେରିକାରେ ଚାଷୀ ମାନେ ସାରର ମାୟା ଜାଲରେ ଛନ୍ଦି ହୋଇଗଲେ ।୧୯୩୮। ସୁଇସ ରସାୟନବିତ୍ ପଲ ମୁରାଲ ଡିଡିଟି ଉଦ୍ଭାବନ କରନ୍ତି । ଫସଲରେ ରୋଗ ପୋକ ଦମନ ପାଇଁ ଡିଡିଟି ସିଂଚନ ହେଲା । ବିଷ ମାଟି କୁ ଗଲା । ଉତ୍ପନ ଶସ୍ୟରେ ବିଷ ମାତ୍ରା ବଢିଲା । ବିଷ ସାମ୍ରାଜ୍ୟ ମଣିଷର ଖାଦ୍ୟ ପାତ୍ରକୁ ଗ୍ରାସ କଲା । ମା କ୍ଷୀରରେ ଡିଡିଟି ବିଷ । ମଣିଷ ନୂଆ ନୂଆ ଅସାଧ୍ୟ ରୋଗ ଭୋଗୁଛି । ୟୁରୋପ ଓ ଆମେରିକାର ଡାକ୍ତର ମାନେ କୁହନ୍ତି ୧୯୧୦ ପୂର୍ବରୁ ହୃଦଘାତ ବୋଲି ରୋଗ ନଥିଲା । ୧୯୧୦ ପରେ ହୃଦଘାତ ଜନିତ ମୁତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୧୯୧୦ ପୂର୍ବରୁ କ୍ୟାନ୍ସର ରେ ମାତ୍ର ୧ ପ୍ରତିଶତ ମୁତ୍ୟୁ ହେଉଥିବା ବେଳେ ଏବେ କ୍ୟାନ୍ସର ରେ ମୁତ୍ୟୁ ସଂଖ୍ୟା ୩.୪ ପ୍ରତିଶତ କୁ ବୃଦ୍ଧି ପାଇଲାଣି ।ଏପରିକି ଶିଶୁ ମାନେ ମଧ୍ୟ କ୍ୟାନ୍ସର ଓ ଲ୍ୟୁକୋମିଆର ଶିକାର ହେଲେଣି । ୧୦୦ ବର୍ଷ ତଳେ ଡାଇବେଟିସ ରେ ପ୍ରତି ୫୦ ହଜାର ରେ ଜଣେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ପ୍ରତି ୨୦ ଜଣରେ ଜଣେ ଡାଇବେଟିସ ରୋଗୀ । ମାଟିକୁ ବିଷାକ୍ତ କଲେତ ରୋଗ ବଇରାଗ ମାଡିଆସିଲା ।

୧୯୬୨ ବେଳକୁ ଆମେରିକାରେ ସ୍ତନ କର୍କଟ ପ୍ରତି ଦଶ ଜଣରେ ଜଣେ । ପ୍ରତି ୧୨ ଜଣରେ ଜଣେ ପୁରୁଷ କର୍କଟ ରୋଗାକ୍ରାନ୍ତ ।ନଇ ପୋଖରୀରୁ ମାଛ ମରିଯାଉଛନ୍ତି । ପକ୍ଷୀ ମାନଙ୍କର କାକଳି ନାହିଁ ।ଏପରି ବିପରଯୟର କାରଣ ଖୋଜାହୁଏ ।୨୩ ବର୍ଷର ଝିଅ ରାସେଲ କାର୍ସନ ତାଙ୍କ ରଚିତ “ସାଇଲେଣ୍ଟ ସ୍ପ୍ରିଙ୍ଗ” ରେ କାରଣ ଦର୍ଶାନ୍ତି “ରାସାୟନିକ ସାର ଓ କୀଟନାଶକ ଯୋଗୁ ମାଟି ଓ ପାଣି ବିଷାକ୍ତ । ତେଣୁ ରୋଗ” । କମ୍ପାନୀ ମାନେ ତୀବ୍ର ବିରୋଧ କରନ୍ତି । କାର୍ସନଙ୍କୁ ଶେଷ କରିଦେବା ଷଡଯନ୍ତ୍ର ହୁଏ । ଆମେରିକାର ରାଷ୍ଟ୍ରପତି ଜନ.ଏଫ.କେନେଡି ରାସେଲ ଙ୍କୁ ବୁଝନ୍ତି । ତାଙ୍କ ମୁଣ୍ଡ ଉପରୁ ବିପଦ ଟଳିଯାଏ।

ଭାରତ ଦୁଇଶହ ବର୍ଷ ବିଲାତ ଶାସନ ଅଧୀନରେ ଥାଏ । ଆମ ଚାଷୀ ମାନେ ସାର , କୀଟନାଶକକୁ ଅଦରୁନଥାନ୍ତି। ବିଲାତ ସରକାର ସାର ଏଡଉଆଡ଼ ହାୱାର୍ଡ ,ରଏଲ ବଟାନିକାଲସୋସାଇଟିର ବଟାନୀଷ୍ଟଙ୍କୁ ଭାରତ ପଠାନ୍ତି । ଭାରତୀୟ ଚାଷୀଙ୍କୁ ସାର ଓ କୀଟନାଶକ ମଡାଇବା ପାଇଁ । ହାୱାର୍ଡ ପୁସା ଫାର୍ମରେ ନିଜେ ଚାଷ ଆରମ୍ଭ କଲେ ।୧୯୦୫ ରୁ ୧୯୩୫ । ଦେଶୀ ପ୍ରଣାଳୀରେ ଖତ, ଦେଶୀ ବିହନ ଓ ହଳ ଲଙ୍ଗଳ ମୂଳ ସାଧନ । ଦୁଇଟି ଉପଲବ୍ଧି ତାଙ୍କୁ ମିଳିଲା । ଫସଲ ଭଲ ଉତ୍ପାଦନ ହେଉଛି ।ରୋଗ ପୋକ ନାହିଁ , ଗାଈ ,ଗୋରୁ ,ବଳଦକୁ ଫାଟୁଆ ରୋଗ ନାହିଁ । ଶ୍ରମିକ ମାନେ ନିରୋଗ ।ବିଲାତ ସରକାରଙ୍କୁ ସେ ଯେଉଁ ରିପୋଟ ଦେଲେ ଭାରତର ଜୈବିକ କୃଷିର ପ୍ରଶଂସା ମୁଣି ଖୋଲିଦେଲେ । ବିଲାତରେ ସେ ପ୍ରଥମ ଜୈବିକ କୃଷି ପ୍ରବର୍ତକ । ମାଟିରେ ଖତିରା (ହ୍ୟୁମସ) ଅଛିତ ଫଳ ଆଶାନୁରୂପ ଫଳିବ।ବିଷ ମୁକ୍ତ ମାଟି ସ୍ଵାସ୍ଥକର ଖାଦ୍ୟ ଦେବ । କୃଷି ବିଶ୍ଵ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ହାୱାର୍ଡଙ୍କ ରଚିତ “An Agriculture Testament” ଏବଂ.”Soil and Health” ପଢିଲେ ମାଟିର ମହତ୍ଵ ବୁଝି ପାରିବେ ।

“ଦି ହୁଇଲ ଓଫ ହେଲଥ” ରେ ଡାଃ ଗଏ ରେଞ୍ଚ ହୁଞ୍ଜା ଲୋକଙ୍କର ଚମତ୍କାର ସ୍ଵସ୍ଥାର ରହସ୍ୟ ଉନ୍ମୋଚନ କରନ୍ତି । ହିମାଳୟ ଓ ହିନ୍ଦୁକୁଶ ପର୍ବତ ମାଳା ମଧ୍ୟରେ ଗିଲଗିଟ ରେଞ୍ଜର ସମୁଦ୍ର ପତନଠାରୁ ୨୪-୨୫ ହଜାର ଫୁଟ ଉଚରେ ହୁଂଜା । ରାସ୍ତା ଘାଟ ନାହିଁ । ସାର କୀଟନାଶକର ପହଞ୍ଚ ନାହିଁ। ଖତ ମାଟି କରି ଉପତ୍ୟକାରେ ସୁନା ଫଳାନ୍ତି। ସୁସ୍ଥ ମାଟିରୁ ସୁସ୍ଥ ଖାଦ୍ୟ ।ସୁସ୍ଥ ହୁଂଜା ମଣିଷ । ୮୦/୯୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି । ଦାନ୍ତ ରୋଗ ନାହିଁ ,କାସ ଶର୍ଦ୍ଦି ଛଡା କିଛି ବଡ ରୋଗ ନାହିଁ। ହୁଂଜା ଲୋକଟିଏ ଚାଲିଲେ ତୁମେ ତା ପଛରେ ଦୌଡିବା ସମ୍ଭବ ନୁହେଁ । ଶିଶୁ ମାନେ ତିନି ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ଖାଇଥାନ୍ତି । ଡେଙ୍ଗା ବଳିଲା ଭଳି ଦେହ । ହାତୀ ଗୋଡ଼ ଧରିଲେ ହାତୀ ରହିବ । ବିଲାତର ଡାକ୍ତର ମ୍ୟାକ୍ କ୍ୟାରିସନ ହୁଂଜାଙ୍କ ଜୀବନ ଚର୍ଚ୍ଚା ଅନୁଧ୍ୟାନ କରି ବିଲାତରେ ଡାକ୍ତରୀ ଛାତ୍ର ମାନଙ୍କୁ ବକୃତା ଦେଇ ଚକିତ କରିଦେଇଛନ୍ତି । ରୋଗ ହେଲେତ ଔଷଧ ଦବା। ଚିକିଶ୍ଚା କରିବା । କାରଣକୁ ଡାକ୍ତର ମାନେ ଯାଆନ୍ତି ନାହିଁ ।

୧୯୬୭ । ସବୁଜ ବିପ୍ଳବର ଯୁଗ ଆରମ୍ଭ । ସାର ଓ କୀଟନାଶକର ବହୁଳ ବ୍ୟବହାର । ମାଟି ଖପରା । ମରୁଭୁମି କାୟା ବିସ୍ତାର କରୁଛି । କୃଷକ ଆତ୍ମହତ୍ୟା ବଢି ଚାଲୁଛି ।ମଣିଷ ରୋଗ ବାଇରାଗରେ ଶଢୁଛି । ଦେଶୀ ଚାଷ ହିଁ ମାଟି ଓ ମଣିଷ ସ୍ୱାସ୍ଥ୍ୟର ସୁରକ୍ଷା କବଚ ।

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone