୧୨୪-ଏ ଭାରତୀୟ ଦଣ୍ଡ ସଂହିତା ୧୮୬୦ର ଏକ ଧାରା ଯାହାର ଶିରୋନାମା ହେଉଛି ‘sedition’ ଅର୍ଥାତ୍ ରାଜଦ୍ରୋହ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଏହି ଧାରା ବାଦ୍ ପଡିଛି । ଅର୍ଥାତ୍ ରାଜଦ୍ରୋହ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁସାରେ ଏକ ଅପରାଧ ନୁହେଁ । ଗୃହମନ୍ତ୍ରୀ ଅମିତ ଶାହା, ଏହି ପ୍ରସଙ୍ଗରେ, ଏକ ସାକ୍ଷାତକାରରେ୧, କୁହନ୍ତି, ‘ରାଜଦ୍ରୋହ’ ଏବଂ ‘ଦେଶଦ୍ରୋହ’ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି । ପୂର୍ବେ ରାଷ୍ଟ୍ର ବିରୋଧରେ କହିବା ଯଥେଷ୍ଟ ଥିଲା ‘ରାଜଦ୍ରୋହ’ଭାବେ ବିଚାର କରାଯିବା, ଯାହା ଅନ୍ତର୍ଗତ ଅନେକଙ୍କୁ ଯେଉଁମାନଙ୍କ ଭିତରେ ଥିଲେ ସାବରକର ଓ ଗାନ୍ଧୀ, ସେମାନଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇ ଥିଲା । ଆମେ ଏଥିରୁ ‘ରାଜ’ ଧାରଣାକୁ ବାଦ୍ ଦେଇଛୁ ଏବଂ ଅପରାଧକୁ କେବଳ ‘ଦେଶଦ୍ରୋହ’ରେ ସୀମିତ ରଖାଯାଇଛି । ଯେ କେହି ଭାରତର ଏକତା ଓ ସାର୍ବଭୌମତ୍ୱ ବିରୁଦ୍ଧରେ କାର୍ଯ୍ୟ କରିବ, ତାଙ୍କୁ ସାତବର୍ଷ କାରାବାସରେ ଦଣ୍ଡିତ କରାଯିବ । ଆମେ ଏହି ଆଇନର ଅପବ୍ୟବହାର କରିବା ପାଇଁ କୌଣସି ବାଟ ରଖିନାହୁଁ । କିନ୍ତୁ ଯଦି କେହି କୁହେ ଯେ ଦେଶ ବିରୋଧରେ କାର୍ଯ୍ୟ କରିବାକୁ ଅପରାଧ ବୋଲି ବିଚାର କରାଯିବା ଉଚିତ ନୁହେଁ, ଆମେ ଏହାର ବିରୋଧୀ । ଆମେ ସେମାନଙ୍କୁ ଛାଡିବୁ ନାହିଁ ଯେଉଁମାନେ ଦେଶ ବିରୋଧରେ ଯିବେ ।”
ଗାନ୍ଧୀ ଓ ସାବରକର
ଲକ୍ଷ୍ୟ କରିବାର କଥା ଯେ ଶାହା ମହାଶୟ ରାଜଦ୍ରୋହ ଧାରାରେ ଦଣ୍ଡିତ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶେଷ ଭାବରେ ସାବରକର ଓ ଗାନ୍ଧୀଙ୍କର ଉଦାହରଣ ଦେଇଛନ୍ତି । କିନ୍ତୁ ଏଠାରେ ଉଲ୍ଲେଖ କରିଦେବା ଉଚିତ ହେବ ଯେ ଗାନ୍ଧୀ ଯେତେବେଳେ ଭାରତୀୟ ଦଣ୍ଡ ସଂହିତା ୧୮୬୦ର ରାଜଦ୍ରୋହ (sedition)୧୨୪-ଏ ଧାରା ଅନୁସାରେ ଦଣ୍ଡିତ ହୋଇଥିଲେ, ସାବରକର ଦଣ୍ଡିତ ହୋଇଥିଲେ ଦୁଇଟି ମାମଲାରେ, ଗୋଟିଏ ଭାରତୀୟ ଦଣ୍ଡ ସଂହିତା ୧୮୬୦ର ଧାରା, ୧୨୧ (Waging, or attempting to wage war, or abetting waging of war, against the Government of India) ଓ ୧୨୧-ଏ (Conspiracy to commit offences punishable by section 121), ଅନୁସାରେ ଓ ଅନ୍ୟଟି ଧାରା ୧୦୯ (Punishment of abetment -if the act abetted is committed in consequence and where no express provision is made for its punishment) ଓ ୩୦୨(Punishment for murder) ଅନୁସାରେ । ଏହି ଦୁଇଟି ମାମଲାରେ ୨୫-୨୫ ବର୍ଷ, ମୋଟ ୫୦ବର୍ଷର ଆଜୀବନ ନିର୍ବାସନ (transportation for life) ଦଣ୍ଡ ସାବରକରଙ୍କୁ ହୋଇଥିଲା୨ା ଅର୍ଥାତ୍ ଆକ୍ଷରିକ ରାଜଦ୍ରୋହ (sedition: 124-A) ଅପରାଧରେ ସାବରକର ଦଣ୍ଡିତ ହୋଇ ନଥିଲେ, ସେ ଦଣ୍ଡିତ ହୋଇଥିଲେ ବ୍ରିଟିଶ ଭାରତ ବିରୋଧରେ ଯୁଦ୍ଧ କରିବାପାଇଁ ଉଦ୍ୟମ କରିବା (ଧାରା ୧୨୧) ଏବଂ ଏଥିପାଇଁ ଷଡ଼ଯନ୍ତ୍ର କରିଥିବା(ଧାରା ୧୨୧-ଏ) ଅପରାଧରେ । ଏହା ଭିନ୍ନ କଥା ଯେ ଭାରତୀୟ ଦଣ୍ଡ ସଂହିତାର ଉପରୋକ୍ତ ଧାରାଗୁଡିକ, ୧୨୧, ୧୨୧-ଏ ଓ ୧୨୪-ଏ, ସଂହିତାର “ରାଷ୍ଟ୍ର ବିରୋଧରେ ଅପରାଧ” (“OF OFFENCES AGAINST THE STATE”) ଅଧ୍ୟାୟ (୬ଷ୍ଠ) ରେ ଅନ୍ତର୍ଭୁକ୍ତ । ତେବେ ସାବରକରଙ୍କ ପ୍ରତି ଦଣ୍ଡାଦେଶ ନିଃସନେ୍ଦହ ବେଶ୍ କଠୋର ଥିଲା । କିନ୍ତୁ ରାଷ୍ଟ୍ର ବିରୋଧରେ ଅପରାଧରେ ଦଣ୍ଡିତ ଗାନ୍ଧୀ ଓ ସାବରକର ସେମାନଙ୍କ ପ୍ରତି ଦଣ୍ଡକୁ ନେଇ କିପରି ପ୍ରତିକ୍ରିୟା କରିଥିଲେ, ତାହା ସ୍ମରଣ କରିବା ରୋଚକ ହୋଇପାରେ ।
ଧାରା୧୨୪-ଏ ଅନୁସାରେ,୧୯୨୨ ମସିହାରେ,ଗାନ୍ଧୀଙ୍କ ବିରୋଧରେ, ଆଗତ ରାଜଦ୍ରୋହ ଅପରାଧକୁ ଗାନ୍ଧୀ ସ୍ୱୀକାର କରିଥିଲେ, ୬ବର୍ଷର କାରାଦଣ୍ଡକୁ ସ୍ୱୀକାର କରିଥିଲେ ଏବଂ ଅହମ୍ମଦାବାଦର ଜିଲ୍ଲା ଓ ଦୌରାଜଜ୍ ଙ୍କ ଅଦାଲତରେ ମୌଖିକ ବୟାନ ଦେଇ କହିଥିଲେ୩(ପୃ୧୧୭), “ମୋର କୌଣସି ଆଗ୍ରହ ନାହିଁ ଏହା ଅଦାଲତଠାରୁ ଲୁଚାଇବାକୁ ଯେ ବର୍ତ୍ତମାନ ସରକାରୀ ବ୍ୟବସ୍ଥା ପ୍ରତି ଅନନୁରାଗ/ଅସନ୍ତୋଷ (disaffection) ପ୍ରଚାର କରିବା ଯେପରି ମୋ ପାଇଁ ପ୍ରାୟ ଏକ ଆବେଗ (passion) ହୋଇଛି ।” ଓ ଲିଖିତ ବୟାନରେ ପଢିଥିଲେ୩(ପୃ ୧୨୨-୩), “ଖୁସିର କଥା, ଯେଉଁ ଧାରା ୧୨୪-ଏ ମୋତେ ଅଭିଯୁକ୍ତ କରାଯାଇଛି ତାହା ବୋଧହୁଏ ଭାରତୀୟ ଦଣ୍ଡ ସଂହିତାର ରାଜନୈତିକ ଧାରାମାନଙ୍କ ମଧ୍ୟରେ ରାଜକୁମାର ଅଟେ, ଯାହାକୁ ଗଢ଼ାଯାଇଛି ନାଗରିକର ସ୍ୱାଧୀନତାକୁ ଦବାଇଦେବା ପାଇଁ । ଅନୁରାଗ ସୃଷ୍ଟି ବା ନିୟନ୍ତ୍ରଣ ଆଇନ ଦ୍ୱାରା କରାଯାଇପାରେ ନା । ଯଦି କୌଣସି ବ୍ୟକ୍ତି ବା ବ୍ୟବସ୍ଥା ପ୍ରତି କାହାର ଅନୁରାଗ ନାହିଁ ତାହାହେଲେ ସେ ତାର ଅନନୁରାଗ/ଅସନ୍ତୋଷକୁ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତ କରିବା ପାଇଁ ସ୍ୱାଧୀନ ହେବା ଉଚିତ ଯେତେବେଳେ ଯାଏ ସେ ଏହାଦ୍ୱାରା ହିଂସାକୁ ପ୍ରୋତ୍ସାହିତ କରୁନାହାନ୍ତି । କିନ୍ତୁ ଯେଉଁ ଧାରାରେ ଶ୍ରୀଯୁକ୍ତ ବାଙ୍କର ଓ ମୋତେ ଅଭିଯୁକ୍ତ କରାଯାଇଛି, ସେ ଧାରାରେ ଅନନୁରାଗ ବା ଅସନ୍ତୋଷ ମାତ୍ରକୁ ପ୍ରୋତ୍ସାହିତ କରିବା ହିଁ ଅପରାଧ ।
ଏହି ଧାରାରେ ବିଚାର ହୋଇଥିବା କେତୋଟି ମାମଲାର ମୁଁ ଅଧ୍ୟୟନ କରିଛି, ଏବଂ ଜାଣିଛି ଯେ ସବୁଠାରୁ ବେଶୀ ଆଦୃତ କେତେଜଣ ମହାନ ଦେଶଭକ୍ତ ଭାରତୀୟ ଏହି ଧାରା ଅନୁସାରେ ଦୋଷୀ ସବ୍ୟସ୍ତ ହୋଇଛନ୍ତି । ତେଣୁ ମୁଁ ଏହି ଧାରାରେ ଅଭିଯୁକ୍ତ ହେବାକୁ ମୋର ସୌଭାଗ୍ୟ ମନେ କରେ ।” ମୌଖିକ ବୟାନରେ ଗାନ୍ଧୀ କହିଥିଲେ୩(ପୃ ୧୧୮), “ମୁଁ ଜାଣେ ଯେ ମୋ ଲୋକ ବେଳେବେଳେ ପାଗଳ ହୋଇଯାଆନ୍ତି । ମୁଁ ଏଥିପାଇଁ ଅତ୍ୟନ୍ତ ଦୁଃଖିତ, ତେଣୁ ମୁଁ କୌଣସି କୋହଳ ଦଣ୍ଡ ଚାହିଁବି ନାହିଁ ବରଂ ଚାହିଁବି ସବୁଠାରୁ ବଡ଼ ଦଣ୍ଡ । ମୁଁ ଦୟା (mercy) ମାଗିବି ନାହିଁ । ମୁଁ କୌଣସି ହାଲୁକା ନିଷ୍ପତ୍ତି ପାଇଁ ନିବେଦନ କରିବି ନାହିଁ । ବରଂ ମୁଁ ଏଠାରେ ଅତି ଉଲ୍ଲାସର ସହିତ ମୋ ପ୍ରତି ସବୁଠାରୁ ବଡ଼ ଦଣ୍ଡର ଆମନ୍ତ୍ରଣ କରିବି, କାରଣ ଯାହା ଆଇନ ଅନୁସାରେ ଅପରାଧ ତାହା ମୋ ପାଇଁ ଏକ ନାଗରିକର ସର୍ବୋଚ୍ଚ କର୍ତ୍ତବ୍ୟ ।” ଲକ୍ଷ୍ୟ କରିବାର କଥା ଯେତେବେଳେ ମାନ୍ୟବର ବିଚାରପତିଙ୍କୁ ଗାନ୍ଧୀ ପ୍ରତିଶୃତି ଦେଉଥିଲେ ଯେ ସେ ତାଙ୍କ ପ୍ରତି ୧୨୪-ଏ ଅନ୍ତର୍ଗତ ଦଣ୍ଡକୁ ସ୍ୱୀକାର କରୁଛନ୍ତି ଓ ଏହି ଦଣ୍ଡକୁ କଦାପି କୋହଳ କରିବାକୁ ଅନୁରୋଧ କରିବେ ନାହିଁ, କ୍ଷମା ମାଗିବା ତ ଦୂରର କଥା, ବରଂ ଦଣ୍ଡ ଆହୁରି କଠୋର ହେଲେ ମଧ୍ୟ ତାକୁୁ ଗ୍ରହଣ କରିବେ, ସେତେବେଳେ ସେ ମଧ୍ୟ କହୁଥିଲେ ଯେ ମୁଁ ଧାରା ୧୨୪-ଏକୁ ବାରମ୍ବାର ଉଲଂଘନ କରିବି, ସରକାରଙ୍କ ପ୍ରତି ଅନନୁରାଗ/ଅସନ୍ତୋଷ (disaffection) ପ୍ରସାର କରିବି, କାରଣ ଏପରି ଉଲଂଘନ କରିବା ପ୍ରତ୍ୟେକ ନାଗରିକର ସର୍ବୋଚ୍ଚ କର୍ତ୍ତବ୍ୟ ।
ଅପରପକ୍ଷରେ ବିନାୟକ ଦାମୋଦର ସାବରକର ବନ୍ଦୀ ହେବାର ମାତ୍ର ଅଳ୍ପ କେତେମାସ ପରଠାରୁ, ବିଶେଷତଃ ଆଣ୍ଡାମାନ ଜେଲରେ ୪ ଜୁଲାଇ ୧୯୧୧ରେ ବନ୍ଦୀ ହେବା ପରେ, ନିଜର ମୁକ୍ତି ପାଇଁ ସରକାରଙ୍କୁ ଆବେଦନ କରିବା ୩୦ଅଗଷ୍ଟ ୧୯୧୧ରୁ ଆରମ୍ଭ କରି ଦେଇଥିଲେ । ୧୪ ନଭେମ୍ବର ୧୯୧୩ ମସିହାରେ ଦାଖଲ କରି ଥିବା ଦ୍ୱିତୀୟ ନିବେଦନ ଯାଚିକାରେ ସାବରକର ଲେଖିଥିଲେ୪(ପୃ ୨୨), “ସାମ୍ବିଧାନିକ ଧାରାକୁ ମୋର ରୂପାନ୍ତରଣ ଭାରତ ଓ ବିଦେଶରେ ଥିବା ସେ ସମସ୍ତ ବିପଥଗାମୀ ଯୁବକମାନଙ୍କୁ ଫେରାଇ ଆଣିବ ଯେଉଁମାନେ ମୋତେ ସେମାନଙ୍କର ପଥପ୍ରଦର୍ଶକ ଭାବେ ମାନନ୍ତି । ସରକାର ମୋ ଠାରୁ ଯେପରି ସେବା ଚାହିଁବେ ମୁଁ ସେପରି ସେବା ଦେବାକୁ ପ୍ରସ୍ତୁତ କାରଣ ମୋର ରୂପାନ୍ତରଣ ବିବେକାନୁସାରେ ହୋଇଛି ଓ ମୋର ଆଶା ଭବିଷ୍ୟତରେ ମୋର ଆଚରଣରେ ଏହି ବିବେକ ଅବ୍ୟାହତ ରହିବ । ମୋତେ ଜେଲରେ ରଖି କିଛି ମିଳିବ ନାହିଁ ଯାହା ଅନ୍ୟଥା ମିଳିପାରିବ । ଯିଏ ଶକ୍ତିଶାଳୀ ସେ ହିଁ କେବଳ ଦୟାବାନ ହୋଇପାରେ; ତା’ହେଲେ ଯାଇ ଅବାଟରେ ଚାଲି ଯାଇଥିବା ପୁଅ ଆଉ କେଉଁଠିକି ଫେରିପାରିବ, ଯଦି ଅଭିଭାବକ ସରକାରର ଦ୍ୱାର ଦେଶକୁ ନୁହେଁ ।” କିନ୍ତୁ ଏହା ଖାରିଜ ହୋଇଗଲା ।
ଏହା ପରେ ତୃତୀୟ ନିବେଦନ ଯାଚିକା ୧୯୧୭ରେ, ଓ ୧୯୧୯ରେ ବ୍ରିଟିଶ ସରକାର ତରଫରୁ ଜାରି ହୋଇଥିବା, ସମ୍ରାଟ ପଂଚମ ଜର୍ଜଙ୍କ ଦ୍ୱାରା ରାଜକୀୟ ଉଦ୍ ଘୋଷଣା (Royal proclamation by King-Emperor George V)ର ପୃଷ୍ଠଭୂମିରେ ୪ର୍ଥ ଥର ପାଇଁ ମାର୍ଚ୍ଚ ୧୯୨୦ରେ ସାବରକରଙ୍କ ତରଫରୁ ଦାଖଲ ନିବେଦନ ଯାଚିକା ମଧ୍ୟ ଖାରଜ ହୋଇଗଲା ୧୨ ଜୁଲାଇ ୧୯୨୦ ଦିନ । ଏହି ସମୟରେ ବିନାୟକ ସାବରକରଙ୍କ ସାନଭାଇ ନାରାୟଣ ସାବରକାର ଗାନ୍ଧୀଙ୍କୁ ଅନୁରୋଧ କରୁଥିଲେ୫ ସାବରକରଙ୍କ ମୁକ୍ତି ପାଇଁ କିଛି କରିବାକୁ ଓ ତାଙ୍କର ଅନୁରୋଧ ରକ୍ଷା କରି ଗାନ୍ଧୀ ସାବରକର ଭ୍ରାତାଦ୍ୱୟ (ଗଣେଶ ଦାମୋଦର ସାବରକର ଓ ବିନାୟକ ଦାମୋଦର ସାବରକର)ଙ୍କ ମୁକ୍ତି ପାଇଁ Young India, ୨୬-୫-୧୯୨୦ ସଂଖ୍ୟାରେ ଲେଖିଥିଲେ୬,“ଉଭୟ ଭାଇ ସେମାନଙ୍କର ରାଜନୈତିକ ମତର ଘୋଷଣା କରିଛନ୍ତି । ଉଭୟେ କହିଛନ୍ତି ସେମାନେ କୌଣସି ପ୍ରକାର ବୈପ୍ଲବିକ ଧାରଣା ମନରେ ପୋଷଣ କରନ୍ତି ନାହିଁ ଏବଂ ସେମାନଙ୍କୁ ଯଦି ଖଲାସ କରି ଦିଆଯାଏ ତାହାହେଲେ ସେମାନେ Reforms Act ଅନୁସାରେ କାର୍ଯ୍ୟ କରିବେ କାରଣ ସେମାନଙ୍କ ବିଚାରରେ Reforms ଦ୍ୱାରା ଭାରତ ପାଇଁ ରାଜନୈତିକ ଦାୟିତ୍ୱବୋଧ ହାସଲ ସମ୍ଭବ ହୋଇପାରିବ । ସେମାନେ ସ୍ପଷ୍ଟ କହିଛନ୍ତି ଯେ ବ୍ରଟିଶ ସହ ସମ୍ପର୍କରୁ ସ୍ୱାଧୀନତା ସେମାନେ ଚାହାନ୍ତି ନାହିଁ । ବରଂ ସେମାନେ ଅନୁଭବ କରନ୍ତି ଯେ ଭାରତର ଭାଗ୍ୟରେ ଉନ୍ନତି ବ୍ରିଟିଶ ସହିତ ରହିଲେ ହିଁ ଭଲ ଭାବରେ ହୋଇପାରିବ । କେହି ସେମାନଙ୍କର ମର୍ଯ୍ୟାଦା ବା ସେମାନଙ୍କର ସାଧୁତା ଉପରେ ପ୍ରଶ୍ନ ଉଠାଇ ନାହିଁ । ମୋ ମତରେ ସେମାନଙ୍କର ପ୍ରକାଶିତ ବିଚାରକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରାଯିବା ଉଚିତ…..ମୁଁ ତେଣୁ କହିବି ଯେ ଯଦି ଏପରି କୌଣସି ନିଶ୍ଚିତ ପ୍ରମାଣ ନାହିଁ ଯେ ଭ୍ରାତାଦ୍ୱୟ, ଯେଉଁମାନେ ଯଥେଷ୍ଟ ସମୟ ବନ୍ଦୀ ଜୀବନ ଅତିବାହିତ କରି ସାରିଲେଣି, ସେମାନଙ୍କର ଶରୀରର ଓଜନ ହରାଇ ସାରିଲେଣି, ଏବଂ ନିଜର ରାଜନୈତିକ ବିଚାରକୁ ପ୍ରକଟିତ କରିସାରିଲେଣି, ଖଲାସ ହେଲେ ରାଷ୍ଟ୍ରପାଇଁ ବିପଦ ହେବେ, ସେତେବେଳେ ଭାଇସରାୟ ସେମାନଙ୍କୁ ମୁକ୍ତ କରିବା ପାଇଁ ବାଧ୍ୟ ।” ସାବରକରଙ୍କ ନିୟମିତ ଆବେଦନ ଓ ଗାନ୍ଧୀଙ୍କର ଉପରୋକ୍ତ ସମ୍ପାଦକୀୟର ପ୍ରଭାବ ନିଷ୍ଫଳ ହୋଇ ନ ଥିଲା ।
ଭ୍ରାତାଦ୍ୱୟଙ୍କୁ ଆଣ୍ଡାମାନ ଜେଲରୁ ରତ୍ନଗିରି ଜେଲକୁ ସ୍ଥାନାନ୍ତରିତ କରାଗଲା ମଇ ୨, ୧୯୨୧ ଦିନ ଓ ସେମାନଙ୍କ ମଧ୍ୟରୁ ଜଣକୁ, ବିନାୟକ ସାବରକରଙ୍କ ବଡଭାଇ ଗଣେଶ ସାବରକରଙ୍କୁ, ସେପ୍ଟେମ୍ବର ୧୯୨୨ରେ ନିଃସର୍ତ୍ତ ଖଲାସ କରି ଦିଆଗଲା । ବିନାୟକ ସାବରକର ଜାନୁଆରୀ ୧୯୨୪ରେ ଖଲାସ ହେଲେ । ସାବରକରଙ୍କୁ ଖଲାସ କରିବା ସମୟରେ ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଥିଲା୪(ପୃ ୨୩), “ସେ (ସାବରକର) ନିମ୍ନଲିଖିତ ବୟାନ ଦାଖଲ କରିଥିଲେ- ‘ମୁଁ ଏତଦ୍ଦ୍ୱାରା ସ୍ୱୀକାର କରୁଛି ଯେ ମୋର ବିଚାର ନ୍ୟାୟସଂଗତ ହୋଇଛି ଓ ଯଥାର୍ଥ ଦଣ୍ଡ ଦିଆଯାଇଛି । ମୁଁ ଗତ ଦିନମାନଙ୍କରେ ଅନୁସରଣ କରିଥିବାର ହିଂସାର ପଦ୍ଧତିକୁ ହୃଦୟରୁ ଘୃଣା କରୁଛି । ଏବଂ ମୋର ସମସ୍ତ କ୍ଷମତା ଭିତରେ ଆଇନ ଓ ସମ୍ବିଧାନକୁ ସମର୍ଥନ କରିବା ମୋର ପରମ କର୍ତ୍ତବ୍ୟ ବୋଲି ବିଚାର କରୁଛି ଏବଂ ଯେତିକି ମୋତେ ଭବିଷ୍ୟତରେ କରିବାପାଇଁ ଦିଆଯିବ ସେତିକି ସଂସ୍କାର (Reform)କୁ ମୁଁ ସଫଳ କରିବି ।’” ଯେଉଁ Young India, ୨୬-୫-୧୯୨୦ ସଂଖ୍ୟାରେ ଗାନ୍ଧୀ ସାବରକର ଭ୍ରାତାଦ୍ୱୟଙ୍କୁ ଖଲାସ କରାଯିବା ସପକ୍ଷରେ ଯୁକ୍ତି ବାଢିଥିଲେ, ସେହି Young India ୧୫ ଜୁନ ୧୯୨୧ ରୁ ୨୩ ଫେବୃଆରୀ ୧୯୨୨ ମଧ୍ୟରେ ପ୍ରକାଶିତ କେତୋଟି ନିବନ୍ଧ ପାଇଁ ଗାନ୍ଧୀଙ୍କ ବିରୋଧରେ, ୧୨୪-ଏ ଅନୁସାରେ ରାଜଦ୍ରୋହ ମକଦ୍ଦମା ହୋଇଥିଲା୩(ପୃ ୧୦୮-୧୨୬) ଯେଉଁଥିରେ ବୟାନ ଦେଇ ଗାନ୍ଧୀ କହିଥିଲେ ଯେ ବ୍ରିଟିଶ ସରକାର ବିରୋଧରେ ଅନନୁରାଗ/ଅସନ୍ତୋଷ ପ୍ରସାର କରିବା ତାଙ୍କର ସର୍ବୋଚ୍ଚ କର୍ତ୍ତବ୍ୟ । ଲକ୍ଷ୍ୟ କରିବାର କଥା ଯେ ସାବରକରଙ୍କ ମୁକ୍ତି ନିବେଦନ ଯାଚିକାରେ ବ୍ରିଟିଶ ସରକାରଙ୍କୁ ସାବରକରଙ୍କ ସମର୍ଥନ ପ୍ରତି ଗାନ୍ଧୀ ଅବଗତ ଥିଲେ ହେଁ ଏହାକୁ ନେଇ ସାବରକରଙ୍କ ପ୍ରତି କୌଣସି ଅସୂୟା ତାଙ୍କ ଠାରେ ଦେଖାଯାଏ ନାହିଁ ବରଂ ସେ ଯୁକ୍ତି କରନ୍ତି ଯେ ଯେତେବେଳେ ଭ୍ରାତାଦ୍ୱୟ ସରକାରଙ୍କୁ ସମର୍ଥନ କରୁଛନ୍ତି ଓ “ସେମାନେ ସ୍ପଷ୍ଟ କହିଛନ୍ତି ଯେ ବ୍ରଟିଶ ସହ ସମ୍ପର୍କରୁ ସ୍ୱାଧୀନତା ସେମାନେ ଚାହାନ୍ତି ନାହିଁ । ବରଂ ସେମାନେ ଅନୁଭବ କରନ୍ତି ଯେ ଭାରତର ଭାଗ୍ୟରେ ଉନ୍ନତି ବ୍ରିଟିଶ ସହିତ ରହିଲେ ହିଁ ଭଲ ଭାବରେ ହୋଇ ପାରିବ” ସେତେବେଳେ ଭ୍ରାତାଦ୍ୱୟଙ୍କୁ ଖଲାସ କରାଯିବା ଉଚିତ, ଯଦି ଖଲାସ ହେଲେ ସେମାନେ ରାଷ୍ଟ୍ର ପ୍ରତି ବିପଦ ହେବେ, ତାହାର କୌଣସି ପ୍ରମାଣ ସରକାରଙ୍କ ପାଖରେ ନାହିଁ । ଏହା ଏକ ଦୃଷ୍ଟାନ୍ତ ହୋଇପାରେ ସମ୍ପୂର୍ଣ୍ଣ ଭିନ୍ନ ମତ ରଖୁଥିବା ବ୍ୟକ୍ତିଙ୍କ ପ୍ରତି ଗାନ୍ଧୀଙ୍କ ଉଦାର ମନୋଭାବର ।
‘ରାଷ୍ଟ୍ର ବିରୋଧରେ ଅପରାଧ’(OF OFFENCES AGAINST THE STATE)
ଭାରତୀୟ ଦଣ୍ଡ ସଂହିତା ୧୮୬୦ର ୬ଷ୍ଠ ଅଧ୍ୟାୟରେ ‘ରାଷ୍ଟ୍ର ବିରୋଧରେ ଅପରାଧ’ଗୁଡିକ କେଉଁ କେଉଁ ଧାରାରେ ଅନ୍ତର୍ଭୁକ୍ତ ତାହାର ଉଲ୍ଲେଖ ହୋଇଛି । ସେଗୁଡିକ ହେଲା ଧାରା ୧୨୧(ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ, ଯୁଦ୍ଧର ପ୍ରଚେଷ୍ଟା ବା ଯୁଦ୍ଧକୁ ସହଯୋଗ ),୧୨୧-ଏ (୧୨୧ ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର), ୧୨୨, ୧୨୩, ୧୨୪, ୧୨୪-ଏ (ରାଜଦ୍ରୋହ(sedition)), ୧୨୫ରୁ୧୩୦ । ଭାରତୀୟ ନ୍ୟାୟ ସଂହିତା ୨୦୨୩ର ସପ୍ତମ ଅଧ୍ୟାୟର ଶିରୋନାମା ମଧ୍ୟ ହେଉଛି ‘ରାଷ୍ଟ୍ର ବିରୋଧରେ ଅପରାଧ’ ଓ ଧାରା ୧୪୭ରୁ ଧାରା ୧୫୮ରେ ଉଲ୍ଲେଖ ହୋଇଛି ‘ରାଷ୍ଟ୍ର ବିରୋଧରେ ଅପରାଧ’ଗୁଡିକ । ଦଣ୍ଡ ସଂହିତା ୧୮୬୦ ଓ ନ୍ୟାୟ ସଂହିତା ୨୦୨୩ରେ ଉଲ୍ଲିଖିତ ଧାରାଗୁଡ଼ିକର ତୁଳନା କଲେ ଦେଖାଯାଏ ଯେ ଦଣ୍ଡସଂହିତାର ଧାରା ୧୨୧, ୧୨୧-ଏ , ୧୨୨,୧୨୩ ଓ ୧୨୪ ଯଥାକ୍ରମେ ନ୍ୟାୟ ସଂହିତାର ୧୪୭ , ୧୪୮, ୧୪୯, ୧୫୦ ଓ ୧୫୧ ସହ ସମାନ । କିନ୍ତୁ ଦଣ୍ଡ ସଂହିତା ୧୮୬୦ର ଧାରା ୧୨୪-ଏ (ରାଜଦ୍ରୋହ)ନ୍ୟାୟ ସଂହିତା ୨୦୨୩ର ଧାରା ୧୫୨ ସହିତ ତୁଳନା କଲେ ଦେଖାଯାଏ ଯେ ୧୨୪-ଏର ବାକ୍ୟଖଣ୍ଡ “brings or attempts to bring into hatred or contempt, or excites or attempts to excite disaffection towards, the Government established by law in India,” ସ୍ଥାନରେ ଧାରା ୧୫୨ରେ ଲେଖାଯାଇଛି “excites or attempts to excite, secession or armed rebellion or subversive activities, or encourages feelings of separatist activities or endangers sovereignty or unity and integrity of India; or indulges in or commits any such act ” ୧୨୪-ଏ ଅନୁସାରେ ଅପରାଧ ହେଲେ, ସରକାରଙ୍କ ବିରୋଧରେ କେବଳ ଅନନୁରାଗ/ଅସନ୍ତୋଷ (disaffection) ପ୍ରଚାର କଲେ ଦଣ୍ଡ ଥିଲା ଜୋରିମାନା ସହ ଆଜୀବନ କାରାବାସ ବା ଜୋରିମାନା ସହ ସର୍ବାଧିକ ତିନି ବର୍ଷ କାରାବାସ ବା ଜୋରିମାନା । ନ୍ୟାୟ ସଂହିତାର ଧାରା ୧୫୨ ଅନୁସାରେ, ଭାରତର ‘ସାର୍ବଭୌମତ୍ୱ ବା ଏକ୍ୟ ଏବଂ ଅଖଣ୍ଡତା’ (sovereignty or unity and integrity) ପ୍ରତି ବିପଦ ସୃଷ୍ଟି କଲେ, ଦଣ୍ଡ ହେଲା ଆଜୀବନ କାରାବାସ ବା ସାତବର୍ଷ ଯାଏ ବଢା ଯାଉ ପାରୁଥିବା କାରାବାସ, ଜୋରିମାନା ସହ ।
‘ସାର୍ବଭୌମତ୍ୱ ବା ଏକ୍ୟ ଏବଂ ଅଖଣ୍ଡତା’ ପ୍ରସଙ୍ଗ
ଦଣ୍ଡ ସଂହିତା ୧୮୬୦ରେ, ଯଦିଓ ରାଜଦ୍ରୋହ ପାଇଁ ଧାରା ୧୨୪-ଏ ଅନୁସାରେ ଦଣ୍ଡ ବ୍ୟବସ୍ଥା ଥିଲା, କୌଣସି ଦଣ୍ଡବ୍ୟବସ୍ଥା ନ ଥିଲା ସେମାନଙ୍କ ପ୍ରତି ଯେଉଁମାନେ ଭାରତର ‘ସାର୍ବଭୌମତ୍ୱ ବା ଐକ୍ୟ ଏବଂ ଅଖଣ୍ଡତା’ ପ୍ରତି ବିପଦ ସୃଷ୍ଟି କରିବେ । ଏଥିପାଇଁ ୧୯୬୭ ମସିହାରେ ଏକ ବିଶେଷ ଆଇନ Unlawful Activities (Prevention) Act 1967 (UAPA-1967)ର ପ୍ରଣୟନ ଓ ପ୍ରଚଳନ ଆରମ୍ଭ ହେଲା । ଏହାର ପୃଷ୍ଠଭୂମିରେ ଥିଲା ୧୬ତମ ସମ୍ବିଧାନ ସଂଶୋଧନ, ବାକ୍ ସ୍ୱାଧୀନତାର ମୌଳିକ ଅଧିକାର ଧାରା ୧୯ରେ ସଂଶୋଧନ, ଯାହା ଆଗତ ହୋଇଥିଲା ସଂସଦରେ ୧୯୬୩ ମସିହା ମେ ମାସରେ(୨ ମେ ଓ ୯ ମେ) । ଏହି ସଂଶୋଧନ ଅନୁସାରେ ସେପରି ବକ୍ତବ୍ୟକୁ ଧାରା ୧୯(୧) (ଏ) ଅନୁସାରେ ସୁରକ୍ଷା ଦିଆଯାଇ ପାରିବ ନାହିଁ ଯେଉଁ ବକ୍ତବ୍ୟ ଦ୍ୱାରା ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେଉଥିବ । ତେବେ ଏହି ସଂଶୋଧନ ଉପରେ ହୋଇଥିବା ବିତର୍କରେ ଭାଗ ନେଇ ସାଂସଦ ଏଚ୍.ଏନ୍.ମୁଖାର୍ଜୀ କହିଥିଲେ୭, “‘ସାର୍ବଭୌମତ୍ୱ’ ଏବଂ ‘ଅଖଣ୍ଡତା’ ଭଳି ଶବ୍ଦ ଗୁଡିକ ଅସ୍ପଷ୍ଟ (vague) ଯାହାର ଭୁଲ ବ୍ୟାଖ୍ୟା ହୋଇପାରେ ।” ଏହି ଆଇନରେ ଅବୈଧ କାର୍ଯ୍ୟ(Unlawful Activities)କୁ ପରିଭାଷିତ କରି କୁହାଗଲା୮ ଯେକୌଣସି କାର୍ଯ୍ୟକଳାପ ଯାହାର ଉଦ୍ଦେଶ୍ୟ ହେଉଛି ଭାରତର କୌଣସି ଅଂଚଳକୁ ସମାପ୍ତ (cessation)କରିଦେବା ବା କୌଣସି ଅଂଚଳକୁ ଭାରତୀୟ ସଂଘ (Union)ରୁ ପୃଥକ କରିଦେବା ବା ଏହିପରି ଦାବିକୁ ସମର୍ଥନ କରିବା ତାହା ହେବ ଅବୈଧ କାର୍ଯ୍ୟକଳାପ । ଏହା ମଧ୍ୟ ଅବୈଧ କାର୍ଯ୍ୟକଳାପ ଯାହା ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅସ୍ୱୀକାର କରେ, ପ୍ରଶ୍ନ କରେ, ବ୍ୟାହତ କରେ ବା ବ୍ୟାହତ କରିବାର ଲକ୍ଷ୍ୟ (to disclaim , question , disrupt or intend to disrupt) ରଖେ । ଏହି ଆଇନରେ ବିଭିନ୍ନ ସମୟରେ ସଂଶୋଧନ କରାଯାଇ ଅବୈଧ କାର୍ଯ୍ୟ ଭାବେ ଆତଙ୍କବାଦୀ କାର୍ଯ୍ୟ (Terrorist Act)କୁ ପରିଭାଷିତ କରାଗଲା, UAPA-67ର ଧାରା ୧୫ରେ । ଭାରତୀୟ ଦଣ୍ଡସଂହିତା ୧୮୬୦ରେ ଆତଙ୍କବାଦୀ କାର୍ଯ୍ୟ ସମ୍ପର୍କରେ କୌଣସି ଧାରା ନଥିଲା । କିନ୍ତୁ ନ୍ୟାୟ ସଂହିତା ୨୦୨୩ରେ ଏହାର ଉଲ୍ଲେଖ ହୋଇଛି ଧାରା ୧୧୩ରେ, ଯେଉଁଥିରେ ଅନ୍ତର୍ଭୁକ୍ତ ହୋଇଛି UAPA-67 ର ଧାରା ୧୫, ୧୬, ୧୮, ୧୮-ଏ, ୧୮-ବି, ୧୯ ,୨୦ ଓ ୨୧ । ଏହିପରି ଅନ୍ତର୍ଭୁକ୍ତ ହେବା ଦର୍ଶାଏ ଯେପରି ନ୍ୟାୟସଂହିତାର ଧାରା ୧୧୩ ଓ UAPA-67 ମଧ୍ୟରେ ବେଶ ସାଦୃଶ୍ୟ ରହିଛି । ସେଇଥିପାଇଁ ବୋଧହୁଏ ଧାରା ୧୧୩ର ଶେଷରେ କୈଫିୟତ (Explanation)ଦେଇ କୁହାଯାଇଛି ଯେ ମାମଲାକୁ ଏହି ଧାରା ଅନୁସାରେ ପଂଜିକୃତ କରାଯିବ ନା UAPA-67 ଅନୁସାରେ ପଂଜିକୃତ କରାଯିବ ତାହାର ନିଷ୍ପତ୍ତି ସେହି ଅଫିସର ନେବେ ଯାହାଙ୍କର ପଦବୀ (rank)ପୁଲିସ ଅଧିକ୍ଷକ (Superintendent of Police)ଙ୍କ ଠାରୁ ଛୋଟ ହୋଇ ନଥିବ । ୧୨୪-ଏ ଅନୁସାରେ ସରକାରଙ୍କ ପ୍ରତି ଅନନୁରାଗ/ଅସନ୍ତୋଷ (disaffection) ରାଜଦ୍ରୋହ(sedition) ହେବାର ଧାରା ନ୍ୟାୟ ସଂହିତା ୨୦୨୩ରେ ନାହିଁ । ଅର୍ଥାତ୍ ଗାନ୍ଧୀ ଯେଉଁ ଧାରାରେ ଦଣ୍ଡିତ ହୋଇଥିଲେ ସେପରି ଧାରା ନ୍ୟାୟ ସଂହିତା ୨୦୨୩ରେ ନାହିଁ । କିନ୍ତୁ ସାବରକର ଯେଉଁ ଧାରାରେ ଦଣ୍ଡିତ ହୋଇଥିଲେ, ଯେପରି ୧୨୧ ଓ ୧୨୧-ଏ ତାହା ଅବିକଳ ନ୍ୟାୟ ସଂହିତା ୨୦୨୩ର ଧାରା ୧୪୭ ଓ ୧୪୮ରେ ରହିଛି ।
ବିଡ଼ମ୍ବନା
ବିଡ଼ମ୍ବନା ଯେ ଯେଉଁ ସରକାରଙ୍କ ଅମଳରେ ରାଜଦ୍ରୋହର ଧାରା ୧୨୪-ଏ ଉଚ୍ଛେଦ ହେଲା ବୋଲି ଦୃଢ଼ୋକ୍ତି କରାଯାଉଛି ସେହି ସରକାରଙ୍କ ଅମଳରେ ଏହି ଧାରାର ପ୍ରୟୋଗ ବେଶ ଦୃଷ୍ଟି ଆକର୍ଷଣକାରୀ ଥିଲା । ଯେପରି୯ —
(କ)୨୦୧୦ ପରଠାରୁ ଦାଏର ୮୧୬ ରାଜଦ୍ରୋହ ମାମଲରେ ଅଭିଯୁକ୍ତ ହୋଇଥିବା ୧୧୦୦୦ ବ୍ୟକ୍ତିଙ୍କ ମଧ୍ୟରୁ ଶତକଡ଼ା ୬୫ଭାଗ ଅଭିଯୁକ୍ତ ହୋଇଛନ୍ତି ୨୦୧୪ ପରେ ମୋଦୀ ମହାଶୟ କ୍ଷମତାକୁ ଆସିବା ପରେ । ଏମାନଙ୍କ ମଧ୍ୟରେ ଅଛନ୍ତି ବିରୋଧୀ ଦଳର ରାଜନେତା, ଛାତ୍ର, ସାମ୍ବାଦିକ, ଲେଖକ ଏବଂ ବିଦ୍ୱାନ ଶିକ୍ଷାବିତ୍ ।
(ଖ)୨୦୨୧ ପୂର୍ବ ଦଶନ୍ଧିରେ ରାଜନେତା ଓ ସରକାରଙ୍କୁ ସମାଲୋଚନା କରିଥିବା ଅଭିଯୋଗରେ ଯେଉଁ ୪୦୫ ଭାରତୀୟଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାଏର ହୋଇଛି, ସେମାନଙ୍କ ମଧ୍ୟରୁ ୯୬ ପ୍ରତିଶତଙ୍କ ବିରୋଧରେ ମାମଲା ୨୦୧୪ ପରେ ଦାଏର ହୋଇଛି । ମୋଦୀଙ୍କ ବିରୋଧରେ ମନ୍ତବ୍ୟ କରିଥିବାରୁ ୧୪୯ଙ୍କ ବିରୋଧରେ ଓ ୧୪୪ଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ କରିଥିବାରୁ ।
(ଗ)ଉପା ସରକାରଙ୍କ ସମୟରେ ୨୦୧୦ରୁ ୨୦୧୪ ମଧ୍ୟରେ ପ୍ରତି ବର୍ଷ ହାରାହାରି ଯେତେ ରାଜଦ୍ରୋହ ମାମଲା ଦାଏର ହେଉଥିଲା ସେଥିରେ ଶତକଡ଼ା ୨୮ପ୍ରତିଶତ ବୃଦ୍ଧି ଘଟିଛି ମୋଦୀଙ୍କ ସରକାର କାଳରେ, ୨୦୧୪ରୁ ୨୦୨୦ ମଧ୍ୟରେ ।
(ଘ) ଏହି ବୃଦ୍ଧି ବିଶେଷତଃ ହୋଇଛି ପ୍ରତିବାଦ ଆନେ୍ଦାଳନ ପରେ ବଢ଼ିଥିବା ରାଜଦ୍ରୋହ ମାମଲା ଯୋଗୁଁ, ଯେପରି ନାଗରିକତା ସଂଶୋଧନ ଆଇନ ୨୦୧୯, ବିରୋଧରେ ହୋଇଥିବା ଆନେ୍ଦାଳନ ଏବଂ ଉତ୍ତର ପ୍ରଦେଶର ହାଥରସଠାରେ ଏକ ଦଳିତ କିଶୋରୀର ବଳାକ୍ରାର ବିରୋଧରେ ହୋଇଥିବା ଆନେ୍ଦାଳନ ପରେ ।
(ଙ) ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନେ୍ଦାଳନ କାଳରେ ୩୭୦୦ ବ୍ୟକ୍ତିଙ୍କୁ ସମ୍ପୃକ୍ତ କରି ଦାଏର ହୋଇଥିବା ୨୫ଟି ରାଜଦ୍ରୋହ ମାମଲା ମଧ୍ୟରୁ ୨୨ଟି ମାମଲା ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରେ ଦାଏର ହୋଇଥିଲା । ପୁଲୱାମା ଘଟଣା ପରେ ୪୨ବ୍ୟକ୍ତିଙ୍କୁ ସମ୍ପୃକ୍ତ କରି ଦାଏର ୨୭ଟି ମାମଲା ମଧ୍ୟରୁ ୨୬ଟି ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରେ ଦାଏର ହୋଇଥିଲା ।
ସୁପ୍ରିମକୋର୍ଟର ଐତିହାସିକ ରାୟ
ଧାରା ୧୨୪-ଏର ପ୍ରୟୋଗ ଉପରେ ଏକ ରହିତାଦେଶ ମାନ୍ୟବର ସୁପ୍ରିମକୋର୍ଟ ଜାରି କରିଥିଲେ, ୧୧ ମେ ୨୦୨୨ ଦିନ, ଓ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଏହି ଧାରାରେ କୌଣସି ମାମଲା ଦାଏର କରିବାରୁ ବିରତ ରହିବା ପାଇଁ ନିର୍ଦେଶ ଦେଇଥିଲେ, ଯେତେବେଳ ଯାଏ ସରକାର ଏହି ଧାରାର ପୁନର୍ବିଚାର ନ କରିଛନ୍ତି୧୦ା ଇତ୍ୟବସରରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ପ୍ରଣୟନ ପରେ ୧୨୪-ଏ ଆଇନରୁ ବାଦ ପଡିଛି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରିବା ଦାୟରୁ ସରକାର ମୁକ୍ତ ହୋଇ ଯାଇଛନ୍ତି ।
ନ୍ୟାୟସଂହିତା ୨୦୨୩ରେ UAPA-67ର ପ୍ରତିଫଳନ
ନ୍ୟାୟସଂହିତାର ଧାରା ୧୫୨ ଓ ଏହାକୁ ଧାରା ୧୧୩ ସହିତ ମିଶାଇ ପଢ଼ିଲେ, ମନେହୁଏ ଦଣ୍ଡ ସଂହିତା ୧୮୬୦ର ଧାରା ୧୨୪-ଏ ସ୍ଥାନରେ UAPA-67କୁ ନୂତନ ଆଇନରେ ଅନ୍ତର୍ଭୁକ୍ତ କରି ନିଆଯାଇଛି! କାରଣ ଧାରା ୧୫୨ରେ ରାଷ୍ଟ୍ରର sovereignty and integrity ବିରୋଧରେ ଅପରାଧକୁ ଯଦି ଧାରା ୧୧୩ ଅନୁସାରେ ଦେଖାଯାଏ ଏହାକୁ ଆତଙ୍କବାଦୀ ଅପରାଧ ବୋଲି ମନେ କରାଯାଇପାରେ ଯାହା UAPA-67ର ଧାରା 2(o)(i)(ii) ଅନୁସାରେ Unlawful Activity ଭାବେ ପରିଭାଷିତ ।
ଅନେକେ ଆଇନ ବିଶାରଦ ଏହି ନ୍ୟାୟସଂହିତା ୨୦୨୩ ପ୍ରଣୟନ ହେବା ପୂର୍ବରୁ ୧୨୪-ଏର ଆବଶ୍ୟକତା ଉପରେ ପ୍ରଶ୍ନ କରୁଥିଲେ । ସେମାନଙ୍କ ଦୃଷ୍ଟିରେ, UAPA-67 କାର୍ଯ୍ୟକାରୀ ହେଉଥିବାବେଳେ ଦଣ୍ଡସଂହିତା ୧୮୬୦ରେ ୧୨୪-ଏ ରହିବାର ଆଉ କୌଣସି ଅବଶ୍ୟକତା ନାହିଁ୧୧ । ତେଣୁ ନ୍ୟାୟ ସଂହିତାରେ ଧାରା ୧୫୨ର ପ୍ରଚଳନ ପରେ ଦଣ୍ଡ ସଂହିତା ୧୮୬୦ର ରାଜଦ୍ରୋହ ଧାରା ୧୨୪-ଏ ଅନାବଶ୍ୟକ ହୋଇଛି କହିବା ବାହୁଲ୍ୟ ମାତ୍ର । ଗୃହ ମନ୍ତ୍ରାଳୟର Parliamentary Standing Committe ମତ ଯାହାଙ୍କୁ ଦାୟିତ୍ୱ ଦିଆଯାଇଥିଲା ଅପରାଧ ବିଲ୍ ଗୁଡିକର ପରୀକ୍ଷା କରି ମତ ଦେବାପାଇଁ । ସେମାନଙ୍କ ଭାଷାରେ୧୨ ରାଜଦ୍ରୋହ ଆଇନର ବ୍ୟବସ୍ଥା, “କେମିତି ହେଉ ବିଲର ଧାରା ୧୫୦ରେ ହାଲକା ଭାବରେ ରହିଛି ।” ସ୍ମରଣ କରାଇଦିଏ ଯେ ବିଲରେ ଯାହା ଥିଲା ଧାରା ୧୫୦, ତାହା ଆଇନରେ ହୋଇଛି ଧାରା ୧୫୨ । ଯେପରି ପୂର୍ବ ପରିଚ୍ଛେଦରେ ଦର୍ଶାଯାଇଛି ଯେ ନ୍ୟାୟସଂହିତାର ଧାରା ୧୧୩ ଓ UAPA-67 ମଧ୍ୟରେ ବେଶ୍ ସାଦୃଶ୍ୟ ରହିଛି ଓ ମାମଲା ଧାରା ୧୧୩ ଅନୁସାରେ ପଂଜିକୃତ କରାଯିବ ନା UAPA-67 ଅନୁସାରେ ପଂଜିକୃତ କରାଯିବ, ସେ ନିଷ୍ପତ୍ତି ନେବାର ଅଧିକାର ଜଣେ ଅଫିସରଙ୍କୁ ଦିଆଯାଇଛି ଯାହାଙ୍କର ପଦବୀ (rank) ପୁଲିସ ଅଧିକ୍ଷକ (Superintendent of Police)ଙ୍କଠାରୁ ତଳିଆ ହୋଇନଥିବ । ଅର୍ଥାତ୍ ନ୍ୟାୟସଂହିତା ୨୦୨୩ର ପ୍ରଚଳନ ଦ୍ୱାରା ଟଇଚଇ-ଆଇନ ଯେ ଅକାମୀ ହେଉ ନାହିଁ-ଏହା ହିଁ ନିଷ୍କର୍ଷ । ତେଣୁ ଦଣ୍ଡ ନ୍ୟାୟ ସଂହିତା ୨୦୨୩ ଅନୁସାରେ ହୋଇପାରେ ବା ଟଇଚଇ-୬୭ ଅନୁସାରେ ହୋଇପାରେ ।
UAPA-67ର ପ୍ରୟୋଗ: କିଛି ସୂଚନା
ରାଜ୍ୟସଭାରେ ସିପିଏମ୍ ସାଂସଦ ଏ ଏ ରହିମଙ୍କ ପ୍ରଶ୍ନର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଏ ମହୋଦୟଙ୍କର ଏକ ଲିଖିତ ଉତ୍ତରରୁ ଜଣାଯାଏ ଯେ ୨୦୧୬ରୁ ୨୦୨୦ ମଧ୍ୟରେ ଦେଶର ବିଭିନ୍ନ ଅଂଚଳରେ UAPA ଅନ୍ତର୍ଗତ ମୋଟ ୫୦୨୭ ମାମାଲା ୨୪, ୧୩୪ ଅଭିଯୁକ୍ତଙ୍କ ବିରୋଧରେ ଦାଏର ହୋଇଥିଲା । ଗୃହମନ୍ତ୍ରାଳୟ ଅନୁସାରେ, ୨୪,୧୩୪ଙ୍କ ମଧ୍ୟରୁ କେବଳ ୨୧୨ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଯେତେବେଳେ କି ୩୮୬ ଜଣ ନିର୍ଦୋଷରେ ଖଲାସ ହୋଇଥିଲେ । ଏହି ତଥ୍ୟରୁ ଜଣାପଡ଼େ ଯେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କର ଏକ ବିଶାଳ ପ୍ରତିଶତ(୯୭.୫%) ଆତଙ୍କବାଦ ବିରୋଧୀ ଆଇନରେ (anti-terror law) ଗିରଫ ହୋଇଥିବାରୁ ସେମାନଙ୍କୁ ଜାମିନ ମିଳିବା ପ୍ରାୟ ଅସମ୍ଭବ ହୋଇଛି- ଏବଂ ବର୍ଷ ବର୍ଷ ଧରି ସେମାନେ ବିଚାର ଅପେକ୍ଷାରେ ବନ୍ଦୀ ହୋଇ ରହିଛନ୍ତି; ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୧୬ରୁ ୩୦୪୭, ୨୦୧୭ରୁ ୪୦୯୮, ୨୦୧୮ରୁ ୪୮୬୨, ୨୦୧୯ରୁ ୫୬୪୫ ଓ ୨୦୨୦ରୁ ୬୪୮୨ ବିଚାର ଅପେକ୍ଷାରେ ବନ୍ଦୀ (undertrial prisoners) ଜୀବନ ଯାପନ କରୁଛନ୍ତି । ନିମ୍ନୋକ୍ତ ସାରଣୀରୁ ଏହା ସ୍ପଷ୍ଟ ହୁଏ୧୩ ।
ଏପରି ବିନା ବିଚାରରେ ବର୍ଷ ବର୍ଷ ଧରି ବନ୍ଦୀ ଜୀବନ ଯାପନ କରିବା ହିଁ ହେଉଛି ଦଣ୍ଡ ଯାହାକୁ ‘ପ୍ରକ୍ରିୟା ହିଁ ଦଣ୍ଡ’ (‘Process Is Indeed the Punishment’) ବୋଲି କୁହାଯାଇଥାଏ । UAPA ଆଇନ ଅନୁସାରେ ବନ୍ଦୀଙ୍କ ପାଇଁ ଜାମିନ ନୁହେଁ ଜେଲ ହିଁ ନିୟମ, ଏହି ମତ, ନିକଟ ଅତୀତରେ ଏକ ମାମଲା ଉପରେ ନିଷ୍ପତ୍ତି ଦେବାକୁ ଯାଇ, ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଏମ ଏମ ସୁନେ୍ଦ୍ରଶ(M.M. Sundresh ) ଏବଂ ଅରବିନ୍ଦ କୁମାର (Aravind Kumar) ଦେଇଛନ୍ତି । UAPA ଆଇନର ଧାରା ୪୩-ଡି(୫) (Section 43D(୫))ର ବ୍ୟତ୍ପତ୍ତି କରି ସେମାନେ କୁହନ୍ତି୧୪, “ସାଧାରଣ ଦଣ୍ଡନୀୟ ଅପରାଧରେ ଜାମିନ ନ୍ୟାୟଶାସ୍ତ୍ରର ପରମ୍ପରାଗତ ଧାରଣା ହେଉଛି, ଯଦି ଅନ୍ୟଥା ପାଇଁ କୌଣସି ଯଥାର୍ଥ କାରଣ ନଥାଏ, ତାହାହେଲେ ଅଦାଲତର ନିର୍ଣ୍ଣୟ ଢଳିବ ବହୁ ଉଚ୍ଚାରିତ ବାକ୍ୟଖଣ୍ଡ ‘ଜାମିନ ନିୟମ, ଜେଲ ବ୍ୟତିକ୍ରମ’ ସପକ୍ଷରେ, ଯାହାର ଅବଶ୍ୟ ସ୍ଥାନ ନାହିଁ ଜାମିନ ଆବେଦନକୁ UAP Act ଅନୁସାରେ ବିଚାର କରିଲା ବେଳେ । ଜାମିନ ଦେବା ପାଇଁ ସାଧାରଣ କ୍ଷମତାର ପ୍ରୟୋଗ ପରିସର (scope) UAPA ଆଇନରେ ଖୁବ ସୀମିତ(restrictive) । ଯେଉଁଭଳି ଶବ୍ଦଗୁଡ଼ିକର ବ୍ୟବହାର ଧାରା ୪୩-ଡି(୫)ର ସର୍ତ୍ତ(proviso)ରେ ହୋଇଛି-‘ଛଡାଯିବ ନାହିଁ’ (‘‘shall not be released’) ଯେତେବେଳେ କି ଦଣ୍ଡ ପ୍ରକ୍ରିୟା ସଂହିତା (Code of Criminal Procedure; CrPC)ର ଧାରା ୪୩୭(୧)) ଶବ୍ଦଗୁଡ଼ିକ ହେଉଛି ‘ଛଡାଯାଇ ପାରେ’, ସେତେବେଳେ ଜଣାଯାଏ ଯେପରି ବ୍ୟବସ୍ଥାପିକାର ଉଦ୍ଦେଶ୍ୟ ହେଉଛି ଦର୍ଶାଇବା ‘ଜେଲ ନିୟମ ଓ ଜାମିନ ବ୍ୟତିକ୍ରମ’ ।” କହିବା ବାହୁଲ୍ୟ ଯେ UAPA ଆଇନରେ ଗିରଫ ବ୍ୟକ୍ତି ପାଇଁ ଜାମିନ ପ୍ରକ୍ରିୟାକୁ ଏପରି ଜଟିଳ କରାଯାଇଛି ଯେ ବହୁ ଉଚ୍ଚାରିତ, ‘ଜାମିନ ନିୟମ, ଜେଲ ବ୍ୟତିକ୍ରମ’ ଏହି କ୍ଷେତ୍ରରେ ଲାଗୁ ହେବା ସମ୍ଭବ ହେଉ ନାହିଁ । ସ୍ୱାଭାବିକ ଏହି କାରଣରୁ ଟଇଚଇ ଆଇନରେ ଗିରଫ ବ୍ୟକ୍ତି ବିଚାରାଧୀନ ବନ୍ଦୀଭାବେ ବର୍ଷ ବର୍ଷ କଟାଇବାକୁ ବାଧ୍ୟ ହେଉଛି । କିନ୍ତୁ UAPA ଆଇନର ଯେଉଁ ଧାରାକୁ ବ୍ୟୁତ୍ପତ୍ତି କରି କୁହାଯାଇଛି ଯେ ‘ ଜେଲ ନିୟମ, ଜାମିନ ବ୍ୟତିକ୍ରମ’ ଯାହାର ପରିଣତିରେ ବର୍ଷ ବର୍ଷ ଧରି ବିଚାରାଧୀନ ବନ୍ଦୀ ଜୀବନ ଭୋଗିବାର ସମ୍ଭାବନା ସୃଷ୍ଟି ହେଉଛି ସେହି ଧାରାକୁ ଭିନ୍ନ ଭାବରେ ବିଚାର କରି ନିକଟ ଅତୀତରେ, ୫ ଏପ୍ରିଲ ୨୦୨୪ ଦିନ, ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅନିରୁଦ୍ଧ ବୋଷ ଓ ମାନ୍ୟବର ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ UAPA ଆଇନରେ ଅଭିଯୁକ୍ତ ୬ ବର୍ଷ ଧରି କାରାଗାରରେ ବନ୍ଦୀ ଜୀବନ ଅତିବାହିତ କରୁଥିବା ପ୍ରଫେସର ସୋମା ସେନଙ୍କୁ ଜାମିନ ପ୍ରଦାନ କରିଛନ୍ତି୧୫ । ଭିନ୍ନ ବିଚାର ହେଉଛି UAPA ଆଇନର ଧାରା ୪୩ ଡି(୫) ଅନୁସାରେ ଜାମିନ ପାଇବାକୁ ଖୁବ ଜଟିଳ କରିଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ବନ୍ଦୀ ହୋଇ ରହିବା ଯଥାର୍ଥ କାରଣ ହୋଇପାରେ ତାଙ୍କୁ ବନ୍ଦୀ ଜୀବନରୁ ଖଲାସ କରିବା ପାଇଁ୧୫(ଅନୁଚ୍ଛେଦ ୩୮) । କାରଣ ବ୍ୟକ୍ତି ସ୍ୱାଧୀନତା ଉପରେ କୌଣସି ପ୍ରକାର କଟକଣା ଦ୍ୱାରା ସମ୍ବିଧାନର ଧାରା ୨୧ର ଉଲଂଘନ ହୁଏ । ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କହିଥିଲେ୧୫(ଅନୁଚ୍ଛେଦ ୪୧),“ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତିରେ ବିଳମ୍ବ, ତାଙ୍କୁ ଅଟକ ରଖାଯାଇଥିବା ସମୟ, ତାଙ୍କ ବିରୋଧରେ ଅଭିଯୋଗ ଓ ଏହି ଅଭିଯୋଗ ସମର୍ଥନରେ କୋର୍ଟ ସମ୍ମୁଖରେ ଏହି ସମୟରେ ରଖାଯାଇଥିବା ସାମଗ୍ରୀ, ଉପରନ୍ତୁ ତାଙ୍କର ବୟସ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ସବୁ ମିଶାଇ ବିଚାର କରାଗଲେ, ଆମେ ଭାବୁନା ଯେ ଜାମିନରେ ଖଲାସ ହେବାର ସୁଯୋଗରୁ ତାଙ୍କୁ ବଂଚିତ କରାଯିବା ଉଚିତ, ଯେତେବେଳେ କି ଅଭିଯୋଗ ଫର୍ଦ୍ଦ ଦାଖଲ ହେବାପରେ ତାଙ୍କ ବିରୋଧରେ ପ୍ରକ୍ରିୟା ବିଚାରାଧୀନ ରହିଛି ।” ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ସୋମା ସେନଙ୍କୁ ଜାମିନ ଦେବାବେଳେ କେତୋଟିି ସର୍ତ୍ତ ପାଳନ କରିବାକୁ ଆଦେଶ ଦିଆଯାଇଥିଲା୧୫(ଅନୁଚ୍ଛେଦ ୪୨ ଓ ୪୩), ଯେପରି ପ୍ରତ୍ୟେକ ୧୫ ଦିନରେ ପାଖ ଥାନାରେ ହାଜିରା ଦେବା, ନିଜର ମୋବାଇଲ ଫୋନକୁ ୨୪ ଘଂଟା ଖୋଲାରଖିବା ଯାହାଦ୍ୱାରା ତଦନ୍ତକାରୀ ଅଫିସର ତାଙ୍କର ଯିବା ଆସିବା ଉପରେ ନଜର ରଖିପାରିବେ, କେବଳ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରିବା ଓ ଏହି ନମ୍ବରକୁ ତଦନ୍ତକାରୀ ଅଫିସରଙ୍କୁ ଜଣାଇବା, କେଉଁଠି ରହୁଛନ୍ତି ସେ ଠିକଣା ତଦନ୍ତକାରୀ ଅଫିସରଙ୍କୁ ଜଣାଇବା, ତାଙ୍କର ଯଦି ପାସପୋର୍ଟ ଥାଏ, ତାହାକୁ ବିଶେଷ ଅଦାଲତରେ ଜମା କରିବା, ବିଶେଷ ଅଦାଲତର ଅନୁମତି ନ ନେଇ ମହାରାଷ୍ଟ୍ର ନ ଛାଡିବା ଆଦି । ଏହି ସର୍ତ୍ତଗୁଡିକର ବା ଏହା ବ୍ୟତୀତ ବିଶେଷ ଅଦାଲତ ଲଗାଇଥିବା କୌଣସି ସର୍ତ୍ତର ଯଦି ଖିଲାଫ ହୁଏ ତାହାହେଲେ ତାହାହେଲେ ଅଭିଯୋଜନ (Prosecution) ଦିଆଯାଇଥିବା ଜାମିନ ବାତିଲ କରିବା ପାଇଁ, ସୁପ୍ରିମକୋର୍ଟକୁ ଆଉ ନ ପଚାରିି, କେବଳ ବିଶେଷ ଅଦାଲତ ନିକଟରେ ଆବେଦନ କରିପାରିବେ । ପାଠକମାନଙ୍କ ଗୋଚରାର୍ଥେ ଜଣାଇ ଦିଏ ଯେ ଶ୍ରୀମତୀ ସୋମା ସେନ ନାଗପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର । ଏହା ଅନାବଶ୍ୟକ କହିବା ଯେ UAPA ଆଇନ ଏକ କଠୋର ଆଇନ । ଏହି ଆଇନ ଅନୁସାରେ ଗିରଫ ବ୍ୟକ୍ତିକୁ ଜାମିନ ମିଳିବା ଏତେ କଷ୍ଟ ଯେ,ଏହି ଆଇନରେ ଗିରଫ ବ୍ୟକ୍ତିଙ୍କ ପାଇଁ ଲଢୁଥିବା ସୁପ୍ରିମକୋର୍ଟର ଜଣାଶୁଣା ଅଧିବକ୍ତା ମିହିର ଦେଶାଇ କୁହନ୍ତି୧୬, “UAPA ର ପ୍ରୟୋଗ ହେଉଛି ଲୋକଙ୍କୁ କାରାଗାରରେ ଆବଦ୍ଧ ରଖିବା ପାଇଁ , ଦୋଷୀ ସାବ୍ୟସ୍ତ କରିବା ପାଇଁ ନୁହେଁ ।” ତାଙ୍କମତରେ, “‘ଏହି ପ୍ରକ୍ରିୟା ହିଁ ହେଉଛି ଦଣ୍ଡ’”
ରାଜଦ୍ରୋହ ସ୍ଥାନରେ ରାଜଦ୍ରୋହ+
ନ୍ୟାୟ ସଂହିତା ୨୦୨୩ର ଧାରା ୧୫୨ରେ UAPA ଆଇନର କେତେକ ଧାରା ଅନ୍ତର୍ଭୁକ୍ତ ହେବା ଓ ଏହା ସହିତ UAPA ଆଇନ ଅବ୍ୟାହତ ରହିବା ଦର୍ଶାଏ ଯେ ରାଜଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇ ନ୍ୟାୟ ସଂହିତା ୨୦୨୩ରେ ଧାରା ୧୫୨ କୁ ଅନ୍ତର୍ଭୁକ୍ତ କରାଯିବା ଆଇନର ପ୍ରୟୋଗରେ ସ୍ୱେଚ୍ଛାଚାରିତା (Arbitrariness)କୁ କମ କରିଦିଏ ନାହିଁ । ଭାରତର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦ ଓ ପୂର୍ବତନ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର(the National Law School of India University, Bangalore )ର କୁଳପତି, ଏବଂ ଜାତୀୟ ନ୍ୟାୟିକ ଏକାଡେମୀ, ଭୋପାଳ(The National Judicial Academy, Bhopa)ର ନିର୍ଦେଶକ ତଥା ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଜି ମୋହନ ଗୋପାଳ ଏହି ଧାରା ୧୫୨ (ବିଲରେ ଧାରା ୧୫୦)କୁ ରାଜଦ୍ରୋହ ଆଇନ ୧୨୪-ଏ ସହିତ ତୁଳନା କରି ଲେଖନ୍ତି୧୭, “ରାଜଦ୍ରୋହ ଧାରା ୧୨୪-ଏ ନ୍ୟାୟ ସଂହିତା ୨୦୨୩ରେ ଅନ୍ତର୍ଭୁକ୍ତ ହୋଇ ନାହିଁ । କେନ୍ଦ୍ର ଦାବି କରୁଛି ଯେ ଏହାଦ୍ୱାରା ଅପରାଧ ଆଇନର ଏକ ଉଦାର ପରିମାର୍ଜନ ହୋଇଛି । ଦଣ୍ଡ ସଂହିତାରେ ରାଜଦ୍ରୋହ ଅପରାଧ ହେଉଛି ସରକାରଙ୍କ ବିରୋଧରେ ଏହି ପାଂଚଟି ନିଷେଧାତ୍ମକ(negative) ମନୋଭାବ ଯେପରି “ଘୃଣା”(“hatred”), “ଅବଜ୍ଞା”(“contempt”) , “ଅନନୁରାଗ/ଅସନ୍ତୋଷ”(“disaffection”), “ବିଶ୍ୱାସଘାତକତା” (“disloyalty”), ଏବଂ “ଶତ୍ରୁତା”(“enmity”) ସୃଷ୍ଟି କରିବା ବା ସୃଷ୍ଟି କରିବାର ଉଦ୍ୟମ କରିବା । ଯେତେବେଳେ ଧାରା ୧୨୪-ଏର ଉଚ୍ଛେଦ ହେଉଛି, ଏହି ଭଳି ମନୋଭାବରୁ ସୃଷ୍ଟି ହେଉଥିବା ଅଧିକ କାର୍ଯ୍ୟକଳାପକୁ ନ୍ୟାୟ ସଂହିତା ୨୦୨୩ର ଧାରା ୧୫୨ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଧାରା ୧୫୨ , ଧାରା ୧୨୪-ଏର ନୂତନ ଅବତାର, ବରଂ ଅଧିକ କ୍ରୁର ଅବତାର- ରାଜଦ୍ରୋହ ମୃତ, ରାଜଦ୍ରୋହ+ ଅମର ରହେ!(long live sedition plus!) ।” ଧାରା ୧୫୨ରେ କେଉଁ କେଉଁ କାର୍ଯ୍ୟକଳାପକୁ ଯୋଡ଼ାଯାଇ ଅପରାଧ ତାଲିକାକୁ ବଢ଼ାଇ ଦିଆଯାଇଛି? ଏହି କାର୍ଯ୍ୟକଳାପ ଗୁଡିକୁ ଯେପରି ଧାରା ୧୫୨ରେ ଜି ମୋହନ ଗୋପାଳ ଚିହ୍ନଟ କରିଛନ୍ତି୧୭ ସେଗୁଡିକ ହେଲେ, “ ‘ଅନ୍ତର୍ଘାତୀ କାର୍ଯ୍ୟକଳାପ’ (“subversive activities”), ‘ଅପଗମନ’(“secession”), ‘ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ’ (“separatist activities”), ‘ସାର୍ବଭୌମତ୍ୱ, ଐକ୍ୟ ଏବଂ ଅଖଣ୍ଡତାକୁ ବିପନ୍ନ କରିବା’(“endangering sovereignty, unity and integrity of India..”) ଏବଂ ‘ସଶସ୍ତ୍ର୍ର ବିଦ୍ରୋହ’ (“armed rebellion”), ଯେଉଁଗୁଡିକ ବିଧିବଦ୍ଧ ଭାବେ ପରିଭାଷିତ (statutorily defined) ହୋଇ ନାହିଁ ଯେପରିକି ଏଗୁଡ଼ିକୁ ଛାଡ଼ି ଦିଆଯାଇଛି ପୁଲିସ ଓ ରାଜନୈତିକ କାର୍ଯ୍ୟପାଳିକାର ମନଇଚ୍ଛା ପ୍ରୟୋଗ ପାଇଁ ।” ଏହି ପ୍ରତିବନ୍ଧିତ କାର୍ଯ୍ୟକଳାପ ସଂଘଟିତ କରିବାପାଇଁ ଯେ ଆବଶ୍ୟକ ଲୋକଙ୍କୁ ଉସକାଇବା, ତାହାକୁ ଧାରା ୧୫୨ରେ , ଅପରାଧ ଭାବେ ଜି ମୋହନ ଗୋପାଳ ଯେପରି ଚିହ୍ନଟ କରନ୍ତି ସେଗୁଡିକ ହେଉଛି (୧) ଏପରିି କାର୍ଯ୍ୟକଳାପ ସପକ୍ଷରେ ଲୋକଙ୍କୁ ଉତ୍ତେଜିତ କରିବା (“exciting” people in support of these prohibited activities),(୨) ଜନଗଣଙ୍କ ମଧ୍ୟରେ ଏପରି ପ୍ରତିବନ୍ଧିତ କାର୍ଯ୍ୟକଳାପ ସପକ୍ଷରେ ଉତ୍ତେଜନା ସୃଷ୍ଟି କରିବା (“creation of excitement amongst people” in a positive way towards these activities) ଏବଂ (୩) ଏପରି କାର୍ଯ୍ୟକଳାପ ସପକ୍ଷରେ ଜନଗଣଙ୍କୁ ଉତ୍ସାହିତ କରିବା (encouragement of feelings amongst people” in favour of these activities..) । ଉସକାଇବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯିବ, ଯାହା ଧାରା ୧୫୨ ଅନୁସାରେ ଅପରାଧ ହେବ, ତାହାକୁ ଜି ମୋହନ ଗୋପାଳ ଚିହ୍ନଟ କରିଛନ୍ତି୧୭, (୧) ‘ଶବ୍ଦ -କଥିତ ବା ଲିଖିତ’(“words, either spoken or written”), (୨) ‘ଠାର/ଚିହ୍ନ’(“signs”) ବା (୩) ‘ଦୃଶ୍ୟମାନ ଚିତ୍ରଣ’(“visible representation”) ଯାହା ରାଜଦ୍ରୋହ ଧାରା ୧୨୪-ଏରୁ ନିଆଯାଇଛି ଓ ଏହା ସହିତ ନୂତନ ଭାବେ ଯୋଡା ଯାଇଛି (୪)‘ବୈଦୁତିକ ଯୋଗାଯୋଗ’(“electronic communication”) ଏବଂ (୫) ‘ବିତ୍ତୀୟ ମାଧ୍ୟମ’(“financial means”) । ଜି ମୋହନ ଗୋପାଳଙ୍କ ମତରେ ପ୍ରତିବନ୍ଧିତ କାର୍ଯ୍ୟକଳାପ, ଏହାକୁ ସଂଘଟିତ କରିବାର ପଦ୍ଧତି ଓ ଉପାୟଗୁଡିକ ଯେପରି ଅସ୍ପଷ୍ଟ ଓ ସେପରି ବ୍ୟାପକ ଅର୍ଥରେ ପରିଭାଷିତ, ଯାହାଦ୍ୱାରା ଯେକୌଣସି ସରକାର ଯେ କୌଣସି ବ୍ୟକ୍ତିକୁ, ଚାହିଁଲେ, ପ୍ରଭାବହୀନ ବା ନୀରବ କରି ଦେଇପାରିବ ଏବଂ ସଚ୍ଚୋଟ, ଗଣତାନ୍ତ୍ରିକ ଏବଂ ଅହିଂସକ ଅସହମତି ଏବଂ ବିରୋଧକୁ ଦବାଇ ଦେଇପାରିବ ଯେପରିକି ରାଜଦ୍ରୋହର ଧାରା ୧୨୪-ଏ ଅନୁସାରେ ଔପନିବେଶିକ କାଳରୁ ଆଜି ପର୍ଯ୍ୟନ୍ତ ହୋଇ ଆସୁଅଛି ।
ତାହାହେଲେ କଣ ଦଣ୍ଡସଂହିତା ୧୮୬୦ର ରାଜଦ୍ରୋହ ଧାରା ୧୨୪-ଏର ପ୍ରୟୋଗ ଯେପରି ମନମୁଖୀ ହେଉଥିଲା ତାହାଠାରୁ ଅଧିକ ମନମୁଖୀ ପ୍ରୟୋଗ ହେବ ଏହା ସ୍ଥାନରେ ପ୍ରଣୀତ ନ୍ୟାୟ ସଂହିତା ୨୦୨୩ର ଧାରା ୧୫୨ର, ଓ ପରିଣତି ଅଧିକ ଯନ୍ତ୍ରଣାଦାୟକ ହେବ?
ବ୍ୟବହୃତ ଉପାଦାନ ସୂଚୀ
1. INTERVIEW | Victim-centric laws to ensure swift and timely justice: Amit Shah , Express News Service , Updated on: 17 Jan 2024 ,https://www.newindianexpress.com/nation/2024/Jan/17/victim-centric-laws-to-ensure-swift-and-timely-justice-amit-shah
2..http://anurupacinar.net/wp-content/uploads/2013/09/British-Secret-Files-on-Savarkar-1911-21.pdf
3.. The Law And Lawyers, M.K.Gandhi, compiled and edited by S B Kher, Navajivan Publishing House, New Revised Edition,May 2004, Eleventh Reprint 2021
4..Gandhi’s Assasin: The Making of Nathuram Godse And His Idea of India, Dhirendra K. Jha, Vintage by Penguin Random House India, 2021
5..The Collected Works of Mahatma Gandhi (Electronic Book),Vol 19, Publications Division Government of India, 1999, p.348
- The Collected Works of Mahatma Gandhi (Electronic Book),Vol 20, Publications Division Government of India, 1999, pp.368-71
- Republic of Rhetoric, Abhinav Chandruchud, Penguin Random House, India, 2017, p.105
- Section 2 of UAPA-67:definitions (o)(i)(ii)(iii)
9.Our New Database Reveals Rise In Sedition Cases In The Modi Era ,Kunal Purohit ,Tuesday, 2 Feb, 2021,https://www.article-14.com/post/our-new-database-reveals-rise-in-sedition-cases-in-the-modi-era
10.https://www.livelaw.in/top-stories/breaking-supreme-court-urges-centre-states-to-refrain-from-registering-firs-invoking-section-124a-ipc-198810
11.The Great Repression: The Story of Sedition in India, Chitranshul Sinha, Penguin Random House, India, 2019, p.216
12.Reforming (or deforming?) the criminal justice system: A digital rights overview of the three new criminal law Bills, 18 October 2022, ,https://internetfreedom.in/three-new-criminal-law-bills/
- UAPA Case Data Suggests That Process Is Indeed the Punishment , 20/Jul/2022 , https://thewire.in/government/uapa-case-data-process-punishment-home-ministry-rajya-
- Paragraph 18 of Criminal Appeal No. 704 of 2024 in The Supreme Court of India; ‘Bail an Exception, Jail Is Rule in UAPA Cases’: How the SC Went Against Its Own Dictum ,09/Feb/2024, https://thewire.in/law/bail-an-exception-jail-is-rule-in-uapa-cases-how-the-sc-went-against-its-own-dictum
- Criminal Appeal No. 2595 of 2023 in The Supreme Court of India
- The Incarcerations, Alpa Shah, HarperCollins Publishers India, 2024,p. 435
- The Three Criminal Law Bills: Using Criminal Law to Establish Permanent Extra-Constitutional Emergency Powers , G. Mohan Gopal , 01/Nov/2023 , https://thewire.in/law/the-three-criminal-law-bills-using-criminal-law-to-establish-permanent-extra-constitutional-emergency-powers
Comments
0 comments