କୁହ ‘ସମଦୃଷ୍ଟି’

1 Min Read

କୁହ ‘ସମଦୃଷ୍ଟି’ ନିରବିଚ୍ଛିନ୍ନ ସେ
ଯାତ୍ରାର ଇତିହାସ,
ଓଡ଼ିଶା ପ୍ରାନ୍ତେ ଦେଖିଲ କି କାହିଁ
ଅସହାୟ ମୁହେଁ ହସ!୧
ଦେଖିଲ କି କାହିଁ ଗରିବ କୁଟୀରେ
ଉଛୁଳେ ଖାଦ୍ୟ ଥାଳି,
ଦାଦନ କରିନି ବେକାରୀ ଯନ୍ତା
ଗାଁ’ ଗାଁ’ ହତଶିରୀ!୨
ଅବା ଦେଖିଲ କି ମଶାଣୀର ମଡ଼ା
ଚିତାକୁ ନମିଳେ କାଠ,
କାଠ ନୁହେଁ ସାରା ଜଙ୍ଗଲଟାକୁ
ଲୁଟିଛି କେ ଡକାୟତ!୩
ବକ୍ସାଇଟ ଗଲା, ଅଭ୍ର ସରିଲା,
ସରୁଛି ଲୁହାପଥର,
ଛଟାଙ୍କି ଓଜନେ କୋଇଲା ବିକିବେ
ଓଡ଼ିଶାର ବୀରବର ।୪
ଦେଖିଲ କି କେତେ ଶସ୍ୟଶ୍ୟାମଳା
ଜମି ପାଲଟିଛି ମରୁ,
କେମିକାଲ ଦିଆ ମାଟିରେ ତାହାର
ଫଳୁନାହିଁ ବଣ ସାରୁ!୫
ଚଷା ବୋଲୁଛି କି ବିଲରେ ସଙ୍ଗୀତ
ଚାଷୁଣୀ ପାରୁଛି ଘଷି,
ବିଲ ନୁହେଁ ଏବେ ବିଲଡର ଖୋଜେ
କିଆଁ ଓଡ଼ିଶାର ଚାଷୀ?୬
କହ ସମଦୃଷ୍ଟି ଭେଟିଲ କି କାହିଁ
ଶୁଦ୍ଧ ଉତ୍ତରା ପବନ,
ପବନରେ ନାର୍ହିଁ ବିଷ ଏମିତିକା
ମିଳିଲାକି କାହିଁ ସ୍ଥ୍ଥାନ?୭
ମିଳିଲାକି କାହିଁ ନଦୀଟିଏ
ଯା’ର ଜଳ ଶୁଦ୍ଧ ସୁଶୀତଳ,
ବିଷ ପାଲଟିନିି ଶରୀର ଯା ବୋହି
ସହରୀ-ବିକାଶ ମଳ?୮
ଫସିଲ କି କାହିଁ କାରଖାନା ଗୋଳେ
ବିକାଶ ପାହାରେ ଦେଲା?
ଖଣି ଥିବାଯାକେ କାରଖାନା ଖେଳ
ଖଣି ସରିଗଲେ ଗଲା ।୯
ବଢ଼ି ଆସୁଥାଉ, ଝଡ଼ ଆସୁଥାଉ
ଥାଉ ଅବା ଯାଉ ପ୍ରାଣ,
ପତାକା ସମାନ ଫରଫର ଉଡୁଥାଉ
ସମଦୃଷ୍ଟି ଟାଣ ।

Total Views: 320

Comments

0 comments

Share This Article