କିଛି ଝିଅ ରାତିକୁ ଲେଖିଲେଖି ପାଲଟୁଥାନ୍ତି ସକାଲ
ସମୟ ତାଙ୍କୁ ଉଚ୍ଚାରୁଥାଏ କେବେ କୁନ୍ତଳା ତ କେବେ କମଳା
କିଛି ଝିଅ ସୋମା ସେନ୍ ହେଇ ସୁଧା ଭରଦ୍ୱାଜ ହେଇ
ଯାଉଥାନ୍ତି ଜେଲ
କିଛି ଗୁଳି ଖାଉଥାନ୍ତି ହେଇ ଗୌରୀ ଲଙ୍କେଶ
ତଥାପି କିଛି ଝିଅଙ୍କୁ ଘାରିଥାଏ ଘରକୁ ଫେରି ନପାରିବାର ଭୟ
ଅବଶ୍ୟ ଘର ବାହାରକୁ ଯାଇ ନିର୍ଭୟା ପାଲଟୁଥାନ୍ତି କିଛି ଝିଅ
ସବୁ ନିର୍ଭୟା ଲାଗି କ’ଣ ଥାଏ ମହମବତୀର ଆଲୁଅ?
କିଛି ଝିଅ ମରିଯାଆନ୍ତି ଜନ୍ମ ନେବା ଆଗରୁ
ଅନେକ ଝିଅ ମରିମରି ଜିଅଁନ୍ତି ଜନ୍ମ ନେଲା ପରେ ।
( କବିତା:’ ଝିଅ’ ର କିଛି ଧାଡ଼ି, ସରୋଜ)
ତିନିଟି ମୂଳ ସୂତ୍ର
୧-ମହିଳା ନେତୃତ୍ୱର ବିକାଶ ପାଇଁ ଆମ ସମାଜ ଓ ଦେଶରେ ଥିବା ସଂସ୍ଥାଗୁଡ଼ିକର ଚରିତ୍ରରେ ପରିବର୍ତ୍ତନ
୨- ପୁରୁଷପ୍ରାଧାନ୍ୟ ବ୍ୟବସ୍ଥା ଓ ମାନସିକତାରେ ପରିବର୍ତ୍ତନ
୩- ମହିଳାଙ୍କ ବ୍ୟକ୍ତିତ୍ୱର ବିକାଶ
ନେତୃତ୍ୱ ନିର୍ମାଣ ଏକ ଲମ୍ବା ପ୍ରକ୍ରିୟା । କେବଳ କିଛି ତାଲିମ ନେଇଗଲେ ନେତୃତ୍ୱ ତିଆରି ହେଉଥିଲେ କେତେ ସହଜରେ ହଜାର ହଜାର ନାରୀ ସମାଜର ପ୍ରତିଟି କ୍ଷେତ୍ରରେ ଏକ ବଡ଼ ସଂଖ୍ୟାରେ ନେତୃତ୍ୱ ନେଉଥାନ୍ତେ । ସେପାଇଁ ଆମକୁ ପରିବାର, ସମାଜ, ଧର୍ମ, ସଂସ୍କୃତି ଓ ରାଜନୈତିକ ବିଧି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାକୁ ହେବ । ଏହାର ନେତୃତ୍ୱରେ ଥିବା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।
ଆମେ ଝିଅ ଓ ମହିଳା କ୍ଷେତ୍ରରେ ଅନେକ ଆକଟ ଓ କଟକଣା ଲଗଉ । ସନ୍ତାନ ଗଢ଼ାରେ ଆମେ ତାଙ୍କ ଭିତରେ ଅନେକ ଭେଦଭାବ କରୁ । ସେଇ ସମୟର ପୁଅଜଣକ ଆତ୍ମବିଶ୍ୱାସୀ ଓ ଅହଂକାରୀ ଓ କିଛିଟା ନିଷ୍ଠୁର ତଥା ବିଶେଷ କରି ମହିଳାଙ୍କ ପ୍ରତି କମ୍ ସମ୍ବେଦନଶୀଳ ହୁଏ । ତା ମନ ଭିତରେ ମହିଳା ପ୍ରତି ଏକ ଉପେକ୍ଷା କରିବାର ମନୋବୃତ୍ତି ଜନ୍ମ ନିଏ । ସେ ନିଜଠୁ ତାକୁ ଗୌଣ ଓ ଦୁର୍ବଳା ମନେକରେ । ପୁଅ ବା ପୁରୁଷ ଭାବେ ଜନ୍ମ ନେବାର ଅହଂ ତା ଭିତରେ ଜୀବନ ତମାମ ଘର କରି ରହିଯାଏ ।
ଅନ୍ୟପଟେ ଝିଅଟି ଆରମ୍ଭରୁ ନିଜକୁ ପୁଅପିଲା ଓ ଏପରିକି ନିଜ ଭାଇ ତୁଳନାରେ ନିଜକୁ ଦୁର୍ବଳ ଓ ଗୌଣ ମନେ କରେ । ଗୋଟେ ରକମର ହୀନମନ୍ୟତା ତାକୁ ଆବୋରି ବସେ । ସେଇ ହୀନମନ୍ୟତାକୁ ନେଇ ସେ ଆଗକୁ ବଢେ । ସେ ହୀନମନ୍ୟତା ଆଗକୁ ଆହୁରି ମଜବୁତ ହୁଏ ଯେତେବେଳେ ତାର ବୁଲିବା, ଖେଲିବା ଉପରେ ନିୟନ୍ତ୍ରଣ ଲଗେଇବା ଆରମ୍ଭ ହେଇଯାଏ । ତାକୁ କେତେବେଳେ ଶିକ୍ଷାଦାନରେ ଉପେକ୍ଷା କରାଯାଏ ଓ କେତେବେଳେ ଉଚ୍ଚଶିକ୍ଷା ପାଇଁ ତାକୁ ସୁଯୋଗ କମ୍ ମିଳେ । ସେ ପ୍ରକାର ଉପେକ୍ଷା ତା ମନକୁ ଆହୁରି ମାରିଦିଏ । ତାର ଖାଇବା, ପିନ୍ଧିବା, ଚାଲିଚଳନ, କଥା କହିବା, ହସିବା, ବସିବା ଉପରେ କଟକଣା ଆରମ୍ଭ ହେଇଯାଏ ।
ଟିକେ ବଡ଼ ହେଲା ପରେ ତା ବାହାଘର କଥା, ପର ଘର ଯିବା କଥା ଆରମ୍ଭ ହେଇଯାଏ । ଶଣ୍ଠଣା ଶିଖାଇବା ଆରମ୍ଭ ହେଇଯାଏ । ତାକୁ ବାହାଘର ଯୋଗ୍ୟା କରି ଗଢ଼ିବା ନାଁରେ ତାର ପର ସବୁ କତୁରି ଦିଆଯାଏ । ଭଲ ସ୍ୱାମୀଟିଏ ପାଇବା ହିଁ ଏକମାତ୍ର ଲକ୍ଷ୍ୟଟିକୁ ତା ସାମ୍ନାରେ ରଖାଯାଏ । ଅନେକ ଝିଅ ରାଜପୁତ୍ର ବା ଏକ ସମ୍ପନ୍ନ ବର ପିଲାର ସ୍ୱପ୍ନ ଦେଖି ବଡ଼ ହୁଅନ୍ତି । ପରୀ କାହାଣୀ, ରାଜକୁମାରୀଙ୍କ କାହାଣୀ, ପକ୍ଷୀରାଜ ଘୋଡ଼ାରେ ବସି ରାଜକୁମାର ଆସିବା କାହାଣୀ ତାକୁ ସ୍ୱପ୍ନାତୁର କରି ରଖେ । ଏପରିକି ଭଲ ବରଟିଏ ପାଇବା ଲାଗି ତାକୁ ବ୍ରତ ଓ ଉପବାସ କରିବାକୁ କୁହାଯାଏ । ଝିଅଟିଏ ନିଜ ଗୋଡ଼ରେ ଛିଡ଼ାହେବା ଜରୁରୀ ଏକଥାଟି ଗୌଣ ହେଇ ରହେ । ତାର ଶିକ୍ଷାଦୀକ୍ଷା ଓ ଚାକିରୀ କଥାଟି ସ୍ୱଳ୍ପ ଆଲୋଚିତ ହେଇ ରହେ । ଏପରିକି ଅତି କମ୍ ବୟସରେ ତାକୁ ଭଲ ପିଲା ମିଳୁଛି କହି ହାତକୁ ଦି ହାତ କରି ଦିଆଯାଏ । ଜଣେ ଝିଅ ଭିତରେ କେତେ ଯେ ସମ୍ଭାବନା ଅଛି, ସେ ବି ସବୁକିଛି କହିପାରେ, ସେକଥା ସେ ଭାବିବାର ସୁଯୋଗ ଓ ପରିବେଶ ପାଏନା । ଲକ୍ଷ ଲକ୍ଷ ଝିଅ କିଶୋରୀ ଅବସ୍ଥାରେ ବାହା ହେଇଯାଆନ୍ତି ।
ଶଣ୍ଠଣା ଶିଖାରେ କୁହାଯାଇଥାଏ- “ପଥର ପଡ଼ିଲେ ସହିଯିବୁ ମାଁ ପାଟି ଖୋଲିବୁନି । ଯେତେଯା ହେଉ ସେଠି ମରିଯିବୁ ସିନା ବାପ ଘରକୁ ଫେରିଆସିବା କଥା ମନକୁ ଆଣିବୁ ନାହିଁ ।” କେଉଁ କବି କହେ ମାଟିକୁ ଫାଟିଯା ବୋଲି କହିବୁନି ବରଂ ଈଶ୍ୱରଙ୍କ ପାଇଁ ଦ୍ୱାର ଖୋଲିଦେବୁ । ବିନା ପ୍ରଶ୍ନରେ ସେ କେମିତି ସବୁ ମୁଣ୍ଡପାତି ସହିନେବ ସେ ନେଇ ବାପ ମା ସହ ବୃହତ୍ତର ପରିବାରର ସଭିଏଁ ଶିଖେଇବା ଜାରି ରଖିଥାନ୍ତି । ସମାଜ, ସାହିତ୍ୟ, ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ର ଏ ଭାବନାକୁ ମଜବୁତ୍ କରିଚାଲିଥାଏ । ଅନେକ ସମୟରେ ଏମିତି ହୁଏ ଯେ ସେ ଶଶୁର ଘରେ ଅତ୍ୟାଚାରିତ ହେଉଥିଲେ ବି ଚୁପ୍ ରୁହେ । ଯଦି କେବେ କୁହେ ତେବେ ଘର ପଡ଼ିଶା ସାଂଗସାଥୀ କୁହନ୍ତି-ଏଇମିତି ହୁଏ ଆରମ୍ଭରେ । ପରେ ଠିକ୍ ହେଇଯିବ । ଆଉ କିଏ କୁହେ, ରହିଯା ଛୁଆଟିଏ ହେଇଯାଉ ଦେଖିବୁ ସବୁ ଠିକ୍ ହେଇଯିବ । ବହୁ ଝିଅ ବା ମହିଳାଙ୍କ ଜୀବନରେ ଏ ଇପ୍ସିତ ଭଲ ସମୟଟି କେବେ ଆସେନା । କିଏ ମାଡ଼ ଖାଇଖାଇ ମରିଯାଏ । କିଏ ଯୌତୁକ ଜୁଈରେ ଜଳିଯାଏ, ଆଉ କିଏ ଆତ୍ମହତ୍ୟା କରେ । ଅନେକେ ଉପେକ୍ଷା ଓ ଅବହେଳା ତଥା ଅତ୍ୟାଚାରକୁ ଭାଗ୍ୟ ମନେ କରି ଆୟୁଷ ବିତାଇଦିଅନ୍ତି ।
ତାର ଜନ୍ମ ଦେଲା ବାପା ମା ଚାହାଁନ୍ତି ନାହିଁ ସେ ଅସୁବିଧାରେ ଥିଲେ ବି ଘରକୁ ଫେରୁ । ନିଜ ଭାଇମାନେ ଚାହାଁନ୍ତି ନାହିଁ ଯେ ସେ ଫେରୁ । ଅସଲକଥା ହେଲା ବାପର ସମ୍ପତ୍ତିରେ ଝିଅର ଅଧିକାର ପାଇଁ ଆଇନ ସିନା ହେଇଛି କିନ୍ତୁ ଆମ ସମାଜ ତାକୁ ଗ୍ରହଣ କରି ପାରୁନାହିଁ । ନିଜ ବାପ ମା ଓ ଭାଇ, ନିଜ ଝିଅ ଓ ଭଉଣୀକୁ ତା’ର ଅଧିକାର ଦେବାକୁ ନାରାଜ । ଝିଅଟି ସେ ଦୃଷ୍ଟିରୁ ଘର ପାଇଁ ବୋଝ । ଝିଅଟି ଜାଣେ ଯେ ତା ନାଁରେ ଜମି ନାହିଁ, ସମ୍ପତ୍ତିର ଅଧିକାର ନାହିଁ । ସେ ସ୍ଥିତିରେ ସେ ତା ପ୍ରତି ହେଉଥିବା ଉପେକ୍ଷା, ଅବହେଳା, ଅନ୍ୟାୟ ଓ ହିଂସାର ପ୍ରତିବାଦ କରିବାକୁ ସାହସ କରିପାରେ ନାହିଁ । ନିଜକୁ ଅସହାୟ ମନେକରେ । ମହିଳାର ଜମି ଓ ସମ୍ପତ୍ତି ଅଧିକାର ସପକ୍ଷରେ ପରିବାର ଓ ସମାଜ ଭିତରେ ଗ୍ରହଣଶୀଳତା ତିଆରିବାକୁ ହେବ ।
ଅନ୍ୟପଟେ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ନିଜ ଗୋଡ଼ରେ ଛିଡ଼ା ହେବା ଜରୁରୀ । ଆର୍ଥିକ ସ୍ୱାଧୀନତା ହାସଲ କଲେ ସେ ନିଜ ପ୍ରତି ହେଉଥିବା ଭେଦଭାବ ବିରୋଧରେ ଅପେକ୍ଷାକୃତ ସହଜରେ ଲଢ଼ିପାରିବ । କିନ୍ତୁ ସେତିକି ଯଥେଷ୍ଟ ନୁହଁ । ମହିଳାର ସମ୍ପତ୍ତିଗତ ଅଧିକାରର ସମର୍ଥନରେ ସାମାଜିକ-ସାଂସ୍କୃତିକ ଗ୍ରହଣଶୀଳତା ତିଆରି ବିନା କେବଳ ଆର୍ଥିକ ସ୍ୱାଧୀନତା କାମ ଦେବ ନାହିଁ । ମାନସିକତା ଓ ସାମାଜିକ-ସାଂସ୍କୃତିକ ମାନ୍ୟତାରେ ଅନୁକୂଳ ପରିବର୍ତ୍ତନ ବିନା ଘରେ ଘରେ ବିବାଦ ଓ ହିଂସା ହେବ ଯାହା ଆମେ ବର୍ତ୍ତମାନ ଦେଖୁଛୁ ।
ଆମ ଧର୍ମଶାସ୍ତ୍ର, ପୌରାଣିକ କାହାଣୀମାନେ ଆମ ସାମ୍ନାରେ ଏକ ଆଦର୍ଶ ନାରୀର ଚିତ୍ର ପରସି ଆସିଛନ୍ତି । ସେ ନିର୍ମାଣର ଢାଂଚାଟି ହିଁ ଅନେକ ଆକଟ ଓ କଟକଣାରେ ଭର୍ତ୍ତି । ସେଇସବୁ ନୀତି ନିୟମ କଥା କହି ନାରୀକୁ ବାନ୍ଧି ଦିଆଯାଏ ପରମ୍ପରା ନାଁରେ । ବାପ ଘରୁ ସ୍ୱାମୀ ଶଶୁର ଘରକୁ ଯିବା ପରେ ବି ନିଜ ଘରେ, ଗାଁରେ ଅନୁଭବି ଥିବା ଆଗର ଆକଟ କଟକଣା ଭରା ପରମ୍ପରାର ଅଭ୍ୟାସ ସେଠି ବି ଜାରି ରୁହେ । ଆଦର୍ଶ ବୋହୂ ହେବାର ଚାପରେ ସମୟ ଓ ଆୟୁଷ ବିତୁଥାଏ । ପାରିବାରିକ ଉତ୍ସବ ଭିତରେ ତାର ବୁଲାବୁଲିଟି ସୀମିତ ରୁହେ । ବେଶିହେଲେ ପୂଜାସ୍ଥଳୀ ଓ ଧାର୍ମିକ ପର୍ବପର୍ବାଣୀ । ତା ସହ ସନ୍ତାନ, ସ୍ୱାମୀ ଓ ଭାଇର ମଙ୍ଗଳ ଲାଗି ବ୍ରତ ଓ ଉପବାସର ବର୍ଷତମାମ ଶୃଙ୍ଖଳା । ଧାର୍ମିକ ଗତିବିଧିରେ ହିଁ ସେ ଘରୁ ବାହାରେ । ସେଇଥିରୁ ମିଳୁଥିବା ବିଚାରଟି ତାକୁ ଆହୁରି ବନ୍ଧନ ଭିତରକୁ ନେଉଥାଏ । କିନ୍ତୁ କେବଳ ସେଇ ଗତିବିଧି କାରଣରୁ ସେ ଘର ବାହାରକୁ ଯାଇପାରୁଥିବାରୁ ସେ ସେଥିରେ ବଡ଼ ଆଗ୍ରହର ସହ ଭାଗ ନେଉଥାଏ ।
ଗାଁ ସମାଜ କାମରେ ତାର ଅଂଶଗ୍ରହଣକୁ, ତାର ମତାମତକୁ କେହି ଲୋଡ଼ନ୍ତି ନାହିଁ । ଅଧିକାଂଶ ରାଜନୈତିକ ଓ ସାମାଜିକ ଗତିବିଧିକୁ ତା ପାଇଁ ରହିଥାଏ ବାରଣ । ପୁରୁଷମାନେ ଯେମିତି ସର୍ବସାଧାରଣ ଜାଗା ଯଥା ଚା ଦୋକାନ, ପାନ ଦୋକାନ, ଜଳଖିଆ, ପତ୍ରିକା ଦୋକାନ, ଛକ ଓ ରାସ୍ତାକଡ଼ ତଥା କ୍ଳବ୍ ରେ ଜମା ହେଇ ଭାବ ଓ ବିଚାରର ଆଦାନ ପ୍ରଦାନ କରନ୍ତି, ସେ ଅବସର ମହିଳାଙ୍କ କ୍ଷେତ୍ରରେ ନଥାଏ କହିଲେ ଚଳେ । ସେଠି ପୁରୁଷମାନେ ପାରିବାରିକ କଥାଠୁ ଆରମ୍ଭ କରି ନିଜ ଗାଁ, ସହର, ବସ୍ତି, ସାହି, ରାଜ୍ୟ, ଦେଶ ଓ ଦୁନିଆ କଥା ଲାଗୁଥାନ୍ତି । ରାଜନୀତି, ସିନେମା, ଖେଳ, କଳାଠୁ ଆରମ୍ଭ କରି ଦେଶବିଦେଶ କଥା ଲମ୍ବିଥାଏ । କିନ୍ତୁ ମହିଳା କ୍ଷେତ୍ରରେ କ’ଣ ହୁଏ ସେ କଥା ନିଜ କବିତାରେ ଲେଖିଛନ୍ତି ଗାୟତ୍ରୀବାଳା ପଣ୍ଡା ।
“ଭାବୁଥିଲି ମାଆକୁ ପଚାରିବି
ତା’ ଜୀବନ କାଳରେ ଜଣେ ସ୍ତ୍ରୀ ଲୋକ
କେତେବେଳେ ନିଜ ବିଷୟରେ ଭାବେ
ମାଛ କାଟୁକାଟୁ ପନିକିରେ କଟି ଯାଇଥିବା
ଆଙ୍ଗୁଠିରୁ ଝରିପଡ଼େ ଧାରଧାର ରକ୍ତ
ସେ ଭାବୁଥାଏ ସକାଳ ଓଳି
ମନେପଡ଼ିଲାନି ସ୍ୱାମୀଙ୍କ ସାର୍ଟରୁ ଖସିପଡ଼ିଥିବା
ବୋତାମଟି ଲଗେଇବା କଥା
ସେ ଭାବୁଥାଏ ବାଡ଼ିପଟ ସଜନା ଗଛରେ
ଆସିଥିବା ନୂଆ ଫୁଲ
କାଚ ଜାରରେ ଗଂଧେଇଯାଉଥିବା
କୋଳି ଆଚାର ଖରାରେ ଶୁଖେଇବା କଥା ।
ସଂଜବୁଡ଼ିଲେ ସେ ତରବର ହେଉଥାଏ
ଛାତ ଉପରୁ ବଡ଼ିକୁଲା ଆଣି ଘରେ ରଖିବା ପାଇଁ
ସଂଜବେଳ ଗଡ଼ିଯିବା ଭୟରେ ସଳିତା ସଜାଡ଼ୁଥାଏ
ଠାକୁର ଘରେ, ତୁଳସୀ ଚଉରା ମୂଳେ
ସେ ଭାବୁଥାଏ ରାତିରେ ରାନ୍ଧିବ କ’ଣ
ବଡ଼ ଦେଢ଼ଶୁରଙ୍କ ଝିଅକୁ
କନିଆ ଖିଆ ଡାକିବାର କଥା ।”
(ଜଣେ ସ୍ତ୍ରୀ ଲୋକର ନିଜ ବିଷୟରେ ଭାବିବା: ଗାୟତ୍ରୀବାଳା ପଣ୍ଡାଙ୍କ ‘ସ୍ତ୍ରୀ ଲୋକ’ ସଙ୍କଳନ)
ଅନ୍ୟପଟେ ମହିଳା ଘରକାମ, ଛୁଆପିଲାଙ୍କ ଯତ୍ନଠୁ ସମୟ ବାହାର କରିପାରେନା । ଶ୍ରମଜୀବୀ ଓ କୃଷିଜୀବୀ ପରିବାରରେ ଏତେ ବେଶି କାମ ଉଭୟ କାର୍ଯ୍ୟକ୍ଷେତ୍ରରେ ଓ କୃଷିକ୍ଷେତ୍ରରେ ଥାଏଯେ ସେ ଅନ୍ୟ କଥା ଭାବିବାକୁ ସମୟ ପାଏନା । କିଛି ସମୟ ଥିଲେବି ନିର୍ଦ୍ଦିଷ୍ଟ ସମୟ ଭିତରେ ଯିବା ଓ ଫେରିବାର କଡ଼ା କଟକଣା, ଆସିଲେ ରୋଷେଇ କରି ପରିବାରର ସଦସ୍ୟଙ୍କୁ ଖୁଆଇବାର ଦାୟିତ୍ୱ ହେତୁ ସେ ଅଧିକାଂଶ ସମୟରେ ଯାଇପାରେନା । ମହିଳାର ସମୟକୁ ଦେଖି ସଭାସମିତି, ତାଲିମର ସମୟ ରଖିବା କଥାଟି କମ୍ ଆୟୋଜକ ଭାବନ୍ତି । ଆୟୋଜକମାନେ ମହିଳାର ଭାଗିଦାରୀକୁ କମ୍ ଗୁରୁତ୍ୱ ଦେଇଥାନ୍ତି । ଆୟୋଜକଙ୍କ ଭିତରେ ସେ ନେଇ ଯେଉଁ ସମ୍ବେଦନଶୀଳତା ରହିବା ଜରୁରୀ ତାର ଅଭାବ ରହିଛି । ସଭାସମିତିକୁ ଗଲେ ବି ଘରୋଇ ଦାୟିତ୍ୱର ବୋଝ ତାକୁ ଶାନ୍ତିରେ ଭାଗ ନେବାକୁ ଦିଏନା । ସେ ଫେରିବାକୁ ହରବର ହେଉଥାଏ ।
ତାଛଡ଼ା ଅନେକ ଜାଗାକୁ ତାକୁ ବାରଣ ଥାଏ । ରାତିରେ ଘର ବା ଗାଁ ବାହାରେ ରହିବା କଥା ଉଠିଲେ ହିଁ ମହିଳା ମନା କରିଦିଏ ଭାଗ ନେବାକୁ । ତା ଅର୍ଥ ଆମେ ପରିବାର ଓ ଘର ପରିଚାଳନାର ଚରିତ୍ରଟି ଏଇମିତି କରିଛୁ ଯେ ଛୁଆପିଲାଙ୍କ ଯତ୍ନ, ବୟସ୍କଙ୍କ ଦେଖାରେଖା, ଘର ସଫେଇ ଓ ରୋଷେଇ ଆଦି କାମ ମହିଳା ବିନା ସମ୍ଭବ ହେଉନାହିଁ । ପୁରୁଷକାମ ନାରୀକାମର ବିଭାଜନଟି ଏଯାଏଁ ବଦଳୁନାହିଁ । ତା ଅର୍ଥ କାମର ବିଭାଜନଜନିତ ପାରମ୍ପରିକ ଚିନ୍ତାରେ ପରିବର୍ତ୍ତନ ଜରୁରୀ । ପୁରୁଷ କାମ ଓ ନାରୀ କାମ ବୋଲି କିଛି ନାହିଁ । ସଭିଏଁ ସବୁ କାମ କରିପାରିବେ । ମିଳିମିଶି କାମ କଲେ ପରିବାର ପାଇଁ ଭଲ । ପୁରୁଷ ଘରକାମରେ ସମୟ ଦେଲେ ମହିଳା ସମାଜ ବା ଘର ବାହାର କାମରେ ଶାନ୍ତିର ସହ ଭାଗ ନେଇପାରିବ । ବିନା ଚାପରେ ସାମିଲ ହେଇପାରିବ ।
ଆଉ ଗୋଟିଏ କଥା ହେଲା ଘରୁ ବାହାରକୁ ଯାଉଥିବା ବା ସାର୍ବଜନୀନ ଜୀବନରେ ଭାଗ ନେଉଥିବା ମହିଳାମାନେ ଅଧିକାଂଶ ସମୟରେ ହିଂସାର ସମ୍ମୁଖୀନ ହେଇଥାନ୍ତି । ରାସ୍ତାରେ, ବସ୍ ରେ , ବସ୍ ଷ୍ଟାଣ୍ଡ , ରେଲୱେ ଷ୍ଟେସନରେ, ଟ୍ରେନ୍ ବଗିରେ, ନିଜ ଅଫିସରେ, କାମ ଜାଗାରେ, ସ୍କୁଲରେ, ହଷ୍ଟେଲରେ, ଧର୍ମାନୁଷ୍ଠାନରେ ସବୁଠି ଆମେ ଶିଶୁଠୁ ଆରମ୍ଭ କରି ବୟସ୍କା ମହିଳା ପ୍ରତି ହିଂସା ହେଉଥିବାର ଘଟଣା ଆମେ ଦେଖୁ ଓ ଶୁଣୁ । ଏପରିକି ଅନେକ ଜାଗାରେ ଝିଅଙ୍କୁ ପିଛା କରାଯାଏ, କମେଂଟ ମରାହୁଏ, ଭୟଭୀତ କରାଯାଏ । ପୁଅପିଲା ବା ପୁରୁଷର କଥାରେ ରାଜି ନହେଲେ ଏସିଡ଼ ଫିଙ୍ଗାହୁଏ, ଗାଡ଼ି ମଡ଼େଇ ଦିଆଯାଏ । ଚାକିରୀରୁ ତଡ଼ିଦିଆଯାଏ । ଏପରି ପ୍ରତିଟି ଘଟଣାର ପ୍ରଥମ ପ୍ରତିକ୍ରିୟା ହୁଏ ଯେ ଝିଅଙ୍କୁ ଘରୁ ଛାଡ଼ ନାହିଁ । ଖେଳକୁ ଛାଡ଼ ନାହିଁ । ସନ୍ଧ୍ୟା ସୁଦ୍ଧା ଫେରିଆସିବାକୁ ବାଧ୍ୟ କର । ଉଚ୍ଚ ଶିକ୍ଷା ଓ ଚାକିରୀକୁ ଛାଡ଼ ନାହିଁ । ନାଚ ଗୀତ ଓ ଅଭିନୟରେ ଭାଗ ନେବାକୁ ଦିଅ ନାହିଁ । ନିଜ ଗାଁ ଓ ସହର ବାହାରକୁ ଯିବାକୁ ଦିଅନା । କବିତା ବନିତା ଲତା ହେଇ ରହିବାକୁ ସେମାନଙ୍କୁ ବାଧ୍ୟ କରାହୁଏ ।
ଘର ଚଳାଇବାର ଆର୍ଥିକ ଚାପ ବା କେବଳ ପୁରୁଷର ଆୟରେ ପରିବାର ପ୍ରତିପୋଷଣ ସମ୍ଭବ ହେଉନଥିବା ହେତୁ କିଛି ପରିବାରରେ ମହିଳାଙ୍କୁ ଆଜି ଚାକିରୀ କରିବାକୁ ଅନୁମତି ମିଳୁଛି । ଗାଁ ଗଣ୍ଡାରେ ମହିଳା ସ୍ୱଂୟ ସହାୟକ ଦଳ ଓ ମାଇକ୍ରୋ-ଫାଇନାନ୍ସର କାମରେ ସଭାସମିତିକୁ ଯିବାକୁ ଦିଆହେଉଛି । ପଂଚାୟତିରାଜରେ ମହିଳା ସଂରକ୍ଷଣ ଅଛି ବୋଲି କିଛି ମହିଳାଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଉଛି । ଜୈବିକ ଚାଷ ନାଁରେ ବିହନ ସଂରକ୍ଷଣ, ଜୈବିକ ସାର ଓ ଔଷଧ ନିର୍ମାଣ କାମରେ ଲଗେଇ ଦିଆଯାଉଛି କିମ୍ବା ସେ ଲାଗିଯାଉଛି । ସେ ଯାହା କରୁ, ପରିବାରର ପୁରୁଷଙ୍କଠୁ ଅନୁମତି ନେବା କଥାଟି ଏବେବି ଜରୁରୀ ହେଇ ରହିଛି । ସେମାନଙ୍କ ଉପରେ ପରିବାରର ଆକଟ କଟକଣା ଉଠିଯାଉ ନାହିଁ । ଏପରିକି ବାହାର କାମ ସାରି ଫେରିଲାପରେ ତାଙ୍କୁ ଘରର ରୋଷେଇ କାମ କରିବାକୁ ହେଉଛି । ଏଇ ସୀମିତ ସ୍ତରର ସ୍ୱାଧୀନତା ପାଇବା ପାଇଁ ତାକୁ ଉଭୟ ଘର ଓ ବାହାରର ଦୋହରା ବୋଝ ଓ ଦାୟିତ୍ୱ ନେବାକୁ ହେଉଛି । ତେଣୁ ତାର କାମର ବୋଝ ବଢ଼ିଯାଉଛି । ଘରେ ଓ ପରିବାରରେ ପୁରୁଷ କାମ ଓ ନାରୀ କାମର ପାରମ୍ପରିକ ବିଭାଜନ ଜାରି ରହିଥିବା କାରଣରୁ ଘରେ ଏଇମିତି ମାହୋଲ ତିଆରି କରାଯାଉଛି ଯେ ବାହାରକୁ କାମ କରିବାକୁ ଯାଉଥିବା ମହିଳାକୁ ଲାଗିବ ଯେ ସେ ଘର ଓ ପରିବାର ପ୍ରତି ତା’ର ଦାୟିତ୍ୱ ନିର୍ବାହ କରିପାରୁ ନାହିଁ । ଛୁଆପିଲା, ସ୍ୱାମୀ ଓ ବାକି ପରିବାରର ସେବାଯତ୍ନ ଠିକ୍ରେ କରିପାରୁ ନାହିଁ । ଏକ ଅପରାଧବୋଧ ଓ ଗ୍ଳାନି ଭିତରେ ତାକୁ ଜିଇଁବାକୁ ହେଉଛି ।
ରାଜନୀତିରେ ହିଂସା ଓ ପଶୁବଳର ବ୍ୟବହାର ଏତେ ବେଶି ହେଉଛିଯେ ନାରୀର ଅଂଶୀଦାରୀତ୍ୱ ଓ ନିଷ୍ପତ୍ତିଗ୍ରହଣକାରୀ ଭୂମିକାଟି ସୀମିତ ହେଇଯାଉଛି ।
ଏସବୁ ପ୍ରତିକୂଳ ପରିସ୍ଥିତି ଭିତରେ ଆମେ ଦେଶ ଓ ସମାଜର ପ୍ରତିଟି କ୍ଷେତ୍ରରେ ନାରୀ ନେତୃତ୍ୱ ଦେଖୁଛୁ । ଅନେକ ଉଚ୍ଚକୋଟୀର ଓ ସଫଳ ନାରୀ ନେତୃତ୍ୱର ଉଦାହରଣ ଚାରିଆଡ଼େ ଦେଖିବାକୁ ପାଉଛୁ । ଏ ସଂଖ୍ୟାଟି ସୀମିତ ଓ ସବୁ ବର୍ଗର ମହିଳାଙ୍କ ଭିତରେ ସେକଥାଟି ସମ୍ଭବ ହେଉନାହିଁ । ଅନେକ କ୍ଷେତ୍ର ଅଛି ଯେଉଁଠି ଆଜିବି ମହିଳାଙ୍କ ଉପସ୍ଥିତି ଅତି ନଗଣ୍ୟ । ଏପରିକି ପ୍ରଯୁକ୍ତି ବ୍ୟବହାର କ୍ଷେତ୍ରରେ ଆମେ ନାରୀଙ୍କୁ ବହୁପଛରେ ପାଉଛୁ । କୃଷିକ୍ଷେତ୍ରକୁ ଦେଖନ୍ତୁ । କୃଷିଯନ୍ତ୍ରପାତି ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା ଖୁବ୍ କମ । ତାର ବଡ଼ କାରଣ ହେଲା ନାରୀ ପାଇଁ ବ୍ୟବହାର ଅନୁକୂଳ ଯନ୍ତ୍ରପାତିର ନିର୍ମାଣ ପ୍ରାୟ ହେଉନାହିଁ । ନାରୀର ଶକ୍ତି ଓ ଶରୀର ଗଢ଼ଣକୁ ଦେଖି ଯନ୍ତ୍ରପାତି ତିଆରି ହେଉନାହିଁ । ତେଣୁ ଯେତେବେଳେ କୃଷିକ୍ଷେତ୍ରରେ ଯନ୍ତ୍ରାୟନ ବଢୁଛି ନାରୀ ସେ କ୍ଷେତ୍ରରୁ ବିସ୍ଥାପିତ ହେଇଯାଉଛି । କେବଳ କୃଷିକ୍ଷେତ୍ର ନୁହଁ ଅନେକ କ୍ଷେତ୍ରରେ ଆମେ ଯେତେବେଳେ କୁଶଳୀ ଶ୍ରମିକ ନିର୍ମାଣର କଥା କହୁଛୁ, କୌଶଳଗତ ତାଲିମର କଥା କହୁଛୁ ନାରୀକୁ ଯେତିକି ସୁଯୋଗ ଓ ଅବସର ମିଳିବା କଥା ସେକଥା ଘଟୁନି । ଅଧିକାଂଶ ମହିଳା ଅଣକୁଶଳୀ ହେଇରହି ଯାଉଛନ୍ତି ।
ଅନେକ କ୍ଷେତ୍ରରେ ଲୋକେ ନାରୀକୁ ଏଇଥିଲାଗି ଚାକିରୀରେ ରଖୁନାହାଁନ୍ତି ଯେ ସେମାନେ ଗୋଟିଏ ସମୟରେ ଛୁଆପିଲା ଜନ୍ମ କରିବେ । ଲମ୍ବା ଛୁଟି ନେବେ । ବିଶେଷକରି ଘରୋଇ କମ୍ପାନୀମାନେ ମହିଳାଙ୍କୁ ସେ ସମୟରେ ସବୈତନିକ ଛୁଟି ଦେବାକୁ ରାଜି ହେଉନାହାଁନ୍ତି ।
ଯେଉଁ ସାମାଜିକ-ରାଜନୈତିକ ବ୍ୟବସ୍ଥାରେ ହିଂସା, ଅର୍ଥବଳ ଓ ପଶୁବଳର ଗୁୁରୁତ୍ୱ ରହିବ ସେଠି ନାରୀମାନଙ୍କ ଅଂଶଗ୍ରହଣ ଓ ଭାଗିଦାରୀତା କମ ହେଇଚାଲିବ ବା ନାମକୁ ମାତ୍ର ରହିବ । ପରିବାର, ସମାଜ, ଗାଁ, ସହର, ଦେଶ ତଥା ରାଜନୀତିକୁ ଯଥାସମ୍ଭବ ହିଂସାମୁକ୍ତ ରଖିବା ଉପରେ ହିଁ ନିର୍ଭର କରେ ନାରୀର ସକ୍ରିୟ ଓ ଅସଲ ଅର୍ଥରେ ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଭାଗିଦାରୀ । ଅନ୍ୟପଟେ ସଂପଦ ଉପରେ, ସମ୍ପତ୍ତି ଉପରେ ମହିଳାର ନିୟନ୍ତ୍ରଣ ବଢ଼ିବା ଦରକାର । ପ୍ରାକୃତିକ ସମ୍ପଦ ଉପରେ, ପରିବାରର ସମ୍ପତି ଉପରେ, ଉଭୟ ପିତା ଓ ପତିର ସମ୍ପତି ଉପରେ, ଜମି ଉପରେ ମହିଳାର ନିୟନ୍ତ୍ରଣକୁ ନେଇ କିଛି ଆଇନ ରହିଛି କିନ୍ତୁ ସମାଜ ତାକୁ ତାର ଯଥୋଚ୍ଚିତ ଭାଗଦେବାକୁ ମନ ତିଆରି କରିପାରୁନାହିଁ । କିଛି ପ୍ରଗତିଶୀଳ ଆଇନ ପଛର ବିଚାରକୁ ଧର୍ମକେନ୍ଦ୍ରିକ ସାମନ୍ତୀ ସମାଜ ଆଜିବି ଗ୍ରହଣ କରିବାକୁ କୁଣ୍ଠିତ । ବାପା, ସ୍ୱାମୀ ଓ ଭାଇମାନେ ନିଜ ଝିଅ, ସ୍ତ୍ରୀ ଓ ଭଉଣୀମାନଙ୍କୁ ଭାଗ ଦେବାକୁ ପ୍ରସ୍ତୁତ ହେଉନାହାଁନ୍ତି । ଏପରିକି ଘରର ଆର୍ଥିକ ପରିଚାଳନା ଓ ନିଷ୍ପତ୍ତିରେ ମହିଳାର ଭୂମିକା ଆଜିବି ଗୌଣ ହେଇରହିଛି । ଛୋଟରୁ ଛୋଟ ଖର୍ଚ୍ଚ ଲାଗି ତାକୁ ପୁରୁଷ ପାଖରୁ ଅନୁମତି ନେବାକୁ ପଡ଼ୁଛି । ନିଜେ ପାରିବାରିକ ଉପାର୍ଜନର ଅଂଶୀଦାର ହେବା ସତ୍ତ୍ୱେ ଖର୍ଚ୍ଚଜନିତ ନିଷ୍ପତ୍ତିରେ ମହିଳାକୁ ଗୁରୁତ୍ୱ କମ ମିଳୁଛି ।
ଅଳ୍ପବୟସ୍କ ଝିଅଙ୍କ ବିବାହ, ପରଦା ପ୍ରଥା, ଯୌତୁକପ୍ରଥା, ତ୍ରିବାର ତଲାକ୍ ପରି ଅନେକ ପ୍ରଥା ପରମ୍ପରା ଓ ବ୍ୟବସ୍ଥା ମଧ୍ୟ ନାରୀକୁ ଆଗକୁ ଯିବାକୁ ଦେଉନି ।
ମହିଳା ନେତୃତ୍ୱର କଥା କହିଲାବେଳେ ଆମେ ମନେ ରଖିବାଯେ ଆମ ସାମାଜିକ-ରାଜନୈତିକ ବ୍ୟବସ୍ଥାଟି ମହିଳାଙ୍କ ପାଇଁ ଅନୁକୂଳ ନୁହଁ । ତେଣୁ ମହିଳାର ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଓ ପ୍ରସ୍ତୁତି ଅପେକ୍ଷା ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଉପରେ ବେଶି କାମ କରିବାକୁ ହେବ । ପରିବାର, ଗାଁ, ଗାଁ ଗୁଡ଼ିକରେ ଥିବା ଅନୁଷ୍ଠାନ, କମିଟି, ସହରରେ ଥିବା ଅନୁଷ୍ଠାନ, ଚାଷୀ ଓ ଶ୍ରମିକ ସଂଗଠନ ଓ ବିଭିନ୍ନ ରକମର ପେଶାରେ ରହିଥିବା ଲୋକେ ଗଢ଼ିଥିବା ସଂଗଠନ, ଧାର୍ମିକ ସଂସ୍ଥା, ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ, ବିଭିନ୍ନ ରକମର ସାମାଜିକ ଓ ସାଂସ୍କୃତିକ ସଂସ୍ଥାର ଢାଂଚାରେ, ବିଚାରରେ, ମାନସିକତାରେ ପରିବର୍ତ୍ତନ ଉପରେ କାମ କରିବାକୁ ହେବ । ତେଣୁ ଗୋଟିଏ ହେଲା ସଂସ୍ଥା ଓ ବ୍ୟବସ୍ଥାକୁ ମହିଳା ଅନୁକୂଳ କରିବା ।
ଅନ୍ୟଟି ହେଲା ମହିଳାର ବ୍ୟକ୍ତିସତ୍ତା ଓ ମାନସିକତାରେ ପରିବର୍ତ୍ତନ ଆଣିବା । ପ୍ରଥମକଥା ହେଲା ଅନେକ ସଂସ୍ଥାରେ ମହିଳାଙ୍କ ଉପସ୍ଥିତି କମ୍ । ବହୁ ସଂସ୍ଥା ଅଛି ମହିଳା ହିଁ ନାହାଁନ୍ତି । ଯେଉଁଠି କମ ସଂଖ୍ୟାରେ ଅଛନ୍ତି ସେଠି ସେମାନଙ୍କ ଭାଗିଦାରୀ କେତେ, ସେମାନେ ସେଠି କେତେ କଥା କହିପାରୁଛନ୍ତି? ତାଙ୍କ ମତର କେତେ ଗୁରୁତ୍ୱ ରହିଛି? ନିଷ୍ପତ୍ତି ଗ୍ରହଣରେ ସେମାନେ କେତେ ଅଛନ୍ତି? ଯେଉଁମାନେ ଅଛନ୍ତି ସେମାନେ ନିଜକୁ ନିଜେ ସେ କାମ ବାଛିଛନ୍ତି ନା କେବଳ ନାଁକୁ ମାତ୍ର ସେମାନେ ଅଛନ୍ତି । ସେମାନେ ସେମାନଙ୍କ ଦାୟିତ୍ୱ ବାବଦରେ ଅବଗତ ତ? ଏଭଳି ଅନେକ ପ୍ରଶ୍ନ ଉଠିବ ହିଁ ଉଠିବ । ଏପରିକି କଥା ଅନେକ ପୁରୁଷ ପ୍ରତିନିଧିଙ୍କୁ ନେଇବି ଉଠିପାରେ । ଅନେକ ପୁରୁଷ ପ୍ରତିନିଧି ଥାଆନ୍ତି ଯେଉଁମାନେ ନାଁକୁ ମାତ୍ର ଥାଆନ୍ତି । ସେମାନେ ବି ନିଜ ଦାୟିତ୍ୱ କଥା ଜାଣିନଥାନ୍ତି । ତା ଅର୍ଥ କେବଳ କେତେ ସଂଖ୍ୟାରେ ମହିଳା ସାମିଲ ଅଛନ୍ତି ସେ କଥାର ତ ଗୁରୁତ୍ୱ ନିଶ୍ଚେ ଅଛି କିନ୍ତୁ ସେମାନଙ୍କ ଭାଗିଦାରୀର ଚରିତ୍ର ହେଲା ବଡ଼ କଥା । ସେମାନେ ସକ୍ରିୟ ହେବା ଓ ସେମାନେ ନିଷ୍ପତ୍ତିଗ୍ରହଣ ବେଳେ ଭୂମିକା ନେବା ବଡ଼ କଥା ।
ବଡ଼ ସଂଖ୍ୟାରେ ଉପସ୍ଥିତି ଭଲ କଥା । ସେ ହେଲା ପ୍ରଥମ ଉପଲବ୍ଧି । ଦ୍ୱିତୀୟହେଲା ସେମାନେ ନିଜ ଇଛାରେ ସାମିଲ ହେବା ବଡ଼ କଥା । ସାମିଲ ହେବା ଜରୁରୀ ବୋଲି ନିଜେ ବୁଝିବା ଓ ନିଜ ଦାୟିତ୍ୱ ବୁଝି ସାମିଲ ହେବା ଆହୁରି ବଡ଼ କଥା । ଶେଷ କଥାଟି ହେଲା ନିଷ୍ପତ୍ତି ଗ୍ରହଣରେ ତାଙ୍କ ଭୂମିକା ରହିବା । ସଂସ୍ଥା ଗୁଡ଼ିକରେ ନେତୃତ୍ୱ ନେଉଥିବା ଲୋକେ ମହିଳାଙ୍କ ଉପସ୍ଥିତି ଓ ଭୂମିକାକୁ ନେଇ କ’ଣ ମାନସିକତା ରଖନ୍ତି, ସେ ହେଲା ବଡ଼ ପ୍ରଶ୍ନ । ସେମାନେ ସଂଗଠନରେ ମହିଳାଙ୍କ ଆବଶ୍ୟକତା, ସେମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ନେଇ କ’ଣ ଚିନ୍ତା କରନ୍ତି ସେ ହେଲା ବଡ଼ କଥା । ସେ ସ୍ତରରେ ଥିବା ପୁରୁଷ ନେତୃତ୍ୱର ମାନସିକତା ପରିବର୍ତ୍ତନ ଉପରେ କାମ ହେବା ଜରୁରୀ । ସେମାନେ ଯଦି ମହିଳାଙ୍କ ଉପସ୍ଥିତି ସଂଗଠନ ପାଇଁ ଭଲ ବୋଲି ଭାବୁଥାନ୍ତି ଓ ସେମାନଙ୍କ ଉପସ୍ଥିତି ସଂଗଠନକୁ ସମୃଦ୍ଧ କରିବ ବୋଲି ବୁଝୁଥାନ୍ତି ତେବେ ତ ଭଲ କଥା । ଓଲଟାହେଲେ ବିପଦ । ସେଥିଲାଗି ପ୍ରତିଟି ନାରୀ ଓ ସମ୍ବେଦନଶୀଳ ପୁରୁଷକୁ ପଚାରିବାକୁ ହେବ-
“କାହିଁକି ଧାନ କ୍ଷେତର ମାଲିକ ହୁଏ ପୁରୁଷ
ଭାତ ଖାଇସାରି ଧୋବ ଲୁଗା ପିନ୍ଧି ଦାଣ୍ଡରେ ବୁଲେ ମରଦ
ଶିଶୁମାନଙ୍କ ପରିଚୟ ହୁଏ ପିତୃତ୍ୱରେ
କାଇଁ ପୁରୁଷ ଝିଙ୍କିନିଏ ନାରୀ ହାତରୁ ମଜୁରୀ
ବରାଦିଆ ଶାଢ଼ୀ ଗହଣାରେ କାହିଁକି କଣ୍ଢେଇ ପାଲଟିଯାଏ
ନାରୀର ଜୀବନ, ପଚାର ।”
(ପଚାର କବିତା କିଛି ଧାଡ଼ି- ଚିରଶ୍ରୀ ଇନ୍ଦ୍ରସିଂ)
Comments
0 comments