‘ଜଳବାୟୁ ଉପବାସ’!

ସମଦୃଷ୍ଟି ବ୍ୟୁରୋ

ଗତ ମାର୍ଚ୍ଚ ୬ ତାରିଖରୁ ହିମାଳୟ ହିମବାହାର ଅତ୍ୟନ୍ତ ଭଙ୍ଗୁର ପରିସଂସ୍ଥାନ ତଥା ହିମମରୁ ଭାବେ ପରିଚିତ କେନ୍ଦ୍ର ଶାସିତ ରାଜ୍ୟ ଲଦାଖ ସମଗ୍ର ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସମୁଦ୍ର ପତ୍ତନରୁ ପ୍ରାୟ ୩୦୦୦ ମିଟରରୁ ୪୫୦୦ ମିଟର ଉଚ୍ଚାଟତାରେ ଥିବା ଲଦାଖ ‘ଲ୍ୟାଣ୍ଡ ଅଫ ହାଇ ପାଶ’ ନାମରେ ପରିଚିତ । ଦିନ ଦ୍ୱିପ୍ରହରରେ ପାଣି ରଖିଦେଲେ ଯେଉଁଠାରେ ବରଫ ପାଲଟି ଯାଉଛି ସେଠାରେ ଖୋଲା ଆକାଶର ରାତିରେ ଶହଶହ ଲଦାଖି ଜନସାଧାରଣ ଲଦାଖର ପରିବେଶ ଓ ଜୀବନଜୀବିକାର ସୁରକ୍ଷା ପାଇଁ ଚଳାଇଛନ୍ତି ଅନଶନ । ପ୍ରାୟ ୩୦୦୦୦୦ ଜନସଂଖ୍ୟା ବାସ କରୁଥିବା ଲଦାଖର ଶହ ଶହ ଜନସାଧାରଣ ସେମାନଙ୍କର ହିମବାହ ପ୍ରର୍ବତ, ଚାରଣ ଭୂମୀ, ଜମି ଓ ଜଳ ତଥା ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ସେମାନଙ୍କୁ ସମ୍ବିଧାନର ଷଷ୍ଠ ଅନୁସୂଚୀ (୨୪୪ ଧାରା)ରେ ସାମିଲ କରିବାକୁ ଅନଶନ ଓ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଭାରତର ପ୍ରସିଦ୍ଧ ଲଦାଖି ପରିବେଶବିଦ ସୋନମ ୱାଙ୍ଗଚୁକ । ସୋନମ ୱାଙ୍ଗଚୁକ ୨୧ ଦିନିଆ ଉପବାସ ଅନଶନ ଆରମ୍ଭ କରିଛନ୍ତି । ଏହି ଉପବାସ ଅନଶନକୁ ‘କ୍ଳାଇମେଟ୍ ଫାଷ୍ଟ’ (ଜଳବାୟୁ ଉପବାସ) ନାଁ ଦିଆଯାଇଛି । ସୋନମ ହିମମରୁର ତୁଷାରପାତ ଖୋଲା ଆକାଶତଳେ ପ୍ରାୟ ବିଯୁକ୍ତାତ୍ମକ ୪ ଡିଗ୍ରୀ- ୧୮ ଡିଗ୍ରୀ ତାପମାତ୍ରାରେ ନିଜର ଅନଶନ ଆରମ୍ଭ କରିଛନ୍ତି । ଆଜିର ଦିନରେ ବିଶ୍ୱର ଏହି ସର୍ବାଧିକ ଚର୍ଚ୍ଚିତ ସୋନାମଙ୍କ ଜଳବାୟୁ ଉପବାସ , ଲଦାଖର ଭଙ୍ଗୁର ବିପର୍ଣ୍ଣ ପରିବେଶ, କାହିଁକି ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାର ଦାବୀ ଏବଂ କ’ଣ ଏହି ଷଷ୍ଠ ଅନୁସୂଚୀ? ଏହି ପ୍ରସଙ୍ଗକୁ ନେଇ ବିସ୍ତୃତ ଉପସ୍ଥାପନା ।

ଲଦାଖର ବିପନ୍ନ ପରିବେଶ

ଲଦାଖ ପରିସଂସ୍ଥାନ ହେଉଛି ସମଗ୍ର ଏସିଆ ମହାଦେଶର ‘ଥର୍ମୋମିଟର’ । ଯଦି ଏହି ପରିସଂସ୍ଥାନରେ ଆଘାତ ଲାଗିବ ତେବେ ଭୟଙ୍କର ବିପର୍ଯୟ ମାନବ ସମାଜରେ ସୃଷ୍ଟି ହେବ । ବର୍ତ୍ତମାନ ଲଦାଖର ହିମାବାହ ଉପରେ ସ୍ପଷ୍ଟ କଳା ଅଙ୍ଗାରକ (ବ୍ଲାକ କାର୍ବନ) ଆସ୍ତରଣ ଦେଖିବାକୁ ମିଳୁଛି । ଅନିୟନ୍ତ୍ରିତ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ପରିବେଶ ଉପଯୋଗୀ କଠୋର ପର୍ଯ୍ୟଟନ ଓ ପରିବହନ ନୀତି ନଥିବାରୁ ଏହି ବିପଦ ହିମବାହ ଉପରକୁ ମାଡି ଆସିଲାଣି । ଦ୍ର।ସ୍ ଅଂଚଳରେ ରହିଥିବା ୧୭ଟି ହିମବାହ ଉପରେ ଗବେଷଣା କରି ଦେଖାଯାଇଛି ଜାତୀୟ ରାଜପଥ ନିକଟରେ ରହିଥିବା ହିମବାହ ପର୍ବତରୁ ଶୀଘ୍ର ଓ ଅଧିକ ମାତ୍ରାରେ ବରଫ ତରଳୁଛି ଏବଂ ଅଧିକ କଳା ଅଙ୍ଗାରକ ଆସ୍ତରଣ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ପରିବେଶକର୍ମୀ ତେନଜିନ୍ ଦୋରେଜ କୁହନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏହି କଳା ଅଙ୍ଗାରକ ସୂର୍ଯ୍ୟ ରଶ୍ମୀକୁ ଯଥେଷ୍ଟ ଅଧିକ ପରିମାଣରେ ଶୋଷଣ କରିଥାଏ ଫଳରେ ଏହା ହିମବାହକୁ ଶୀଘ୍ର ତରଳାଇବାରେ ସହାୟକ ହୁଏ ।

ଲଦାଖର ବାୟୁମଣ୍ଡଳରେ ଅମ୍ଳଜାନ କମ ପରିମାଣ ରହିଥିବାରୁ ଯାନବାହନରୁ ନିର୍ଗତ ହେଉଥିବା ପ୍ରାୟ ୬୦ ରୁ ୭୦ ପ୍ରତିଶତ ଧୂଆଁ ସମ୍ପୂର୍ଣ୍ଣ ବାୟୁରେ ମିଶିପାରେନି । ଏହି କାରଣରୁ ଯେଉଁ ମୋଟର କାର ଅନ୍ୟ ଜାଗାରେ ୧୫ କିଲୋମିଟର ଲିଟର ପିଛା ଚାଲିଥାଏ ସେହି ଗାଡି ଏଠାରେ ୭ରୁ ୯ କିଲୋମିଟର ଚାଲେ । ଲଦାଖ ହେଉଛି ମାନବଜାତିକୁ ହିମାଳୟର ମହାନ ଦାନ । ପୃଥିବୀର ଏକ ଚତୁର୍ଥାଂଶ ଜନସାଧାରଙ୍କ ଜୀବନ ଧାରଣର କ୍ଷମତା ଏହିଠାରେ ରହିଛି । ଅନଶନ ଚଳାଇଥିବା ଭିକି ନିୟାଜ କୁହନ୍ତି ଲଦାଖର ପାଣିପାଗରେ ଅନେକ ପରିବର୍ତ୍ତନ ଆସିଗଲାଣି । ଜଳାଭାବ ଏଠାରେ ସ୍ପଷ୍ଟ ପରିଲକ୍ଷିତ ହେଉଛି ଏବଂ ଶୀତ ଋତୁର ପାଣି ବରଫ ପାଲଟି ରହିବାର ଅବଧି ହ୍ରାସ ପାଉଛି । ହିମବାହ ହେଉଛି ହିମାଳୟର ଜୀବନ ଜୀବିକାକୁ ସୁରକ୍ଷିତ ରଖିଥାଏ । ଏହାର ସ୍ଥିତି ବିପନ୍ନ ହେଲାଣି । ଏହାଦ୍ୱାରା ୨୪୦ ନିୟୁତ ଲୋକମାନଙ୍କ ସ୍ଥିତି ଭୁଶୁଡି ଯିବ ବୋଲି କାଶ୍ମୀର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ଗବେଷକ ମତ ଦେଇଛନ୍ତି ।

ତେଣୁ ଯାନବାହାନ ଓ ପର୍ଯ୍ୟଟନ ଉପରେ କଠୋର ନୀତି ପ୍ରଣୟନ ନହେଲେ ଖୁବ କମ ସମୟ ବ୍ୟବଧାନରେ ଲଦାଖ ବାୟୁମଣ୍ଡଳ ବିଷ ବଳୟରେ ପରିଣତ ହେବ ଓ ହିମବାହ ଗୁଡିକ ବିପନ୍ନ ହେଲେ ଏହା ବିପଦ ପ୍ରବଣ ବନ୍ୟା ଓ ମରୁଡି ରଚାଇବ । ଚଳିତ ଶତାବ୍ଦୀର ଶେଷଭାଗ ବେଳକୁ ହିନ୍ଦୁକୁଶ ଅଞ୍ଚଳର ୭୫ ପ୍ରତିଶତ ହିମବାହ ତରିଳିଯିବାର ସତର୍କ ସୂଚନା ଦିଆଯାଇଛି । ଲଦାଖର ପରିସଂସ୍ଥାନ ସୁରକ୍ଷା ଏଭଳି ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନଶନରତ ଲଦାଖି ଜନସାଧାରଣ ମତ ଦିଅନ୍ତି ।

ଲଦାଖ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମତାମତକୁ ବିଚାରକୁ ନନେଇ ନିକଟରେ କେନ୍ଦ୍ର ସରକାର ଲଦାଖର ଚାରଣଭୂମୀ ଉପରେ ଯେପରି ବଳପୂର୍ବକ ୧୩ ଗିଗାୱାଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିଛନ୍ତି ତାହାକୁ ନେଇ ମଧ୍ୟ ଆନ୍ଦୋଳନ ସ୍ଥଳୀରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ଲଦାଖର ଚାରଣ ଭୂମି ସମୂହ ହେଉଛି ସ୍ଥାନୀୟ ଅଞ୍ଚଳର ଜୀବନରେଖା । ଯାଯାବର ପଶୁପାଳନ ଲଦାଖରେ ଅନ୍ୟତମ ପରିପୁଷ୍ଟ ଅର୍ଥନୀତି । ବିଭିନ୍ନ ଚାରଣଭୂମୀର ପାର୍ଶ୍ୱରେ ଜଳଧାର ପ୍ରବାହିତ ହୁଏ । ଗୋଟିଏ ପଟେ ଲଦାଖ ସୀମାକୁ ଲାଗିରହିଥିବା ତିବତ ଅଞ୍ଚଳକୁ ଜୋରକରି ଚୀନ ଦଖଲ କରି ସେଠାକାର ଚାରଣଭୂମୀ ଉପରେ ସେନା ଛାଉଣୀ ପାଇଁ ନିର୍ମାଣ ଚଳାଇଛି । ଏହା ଲଦାଖର ଚାରଣଭୂମୀର ପାରିବେଶିକ ପ୍ରକ୍ରିୟାକୁ ବିପଦ ମୁହଁକୁ ଠେଲିଦେଉଛି । ଏହାର ପ୍ରତିବାଦରେ ୨୦୨୩ ଏପ୍ରିଲ ମାସରେ ଲଦାଖ ଜନସାଧାରଣ ଚୀନ ବିରୋଧରେ ସୀମାରେଖାରେ ମାର୍ଚ୍ଚ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କାହିଁକି ଷଷ୍ଠ ଅନୁସୂଚୀରେ ସାମିଲ ହେବାର ଦାବୀ?

ଆଦିବାସୀ ଜାନଜାତିଙ୍କୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଧାରା ୨୪୪ ଅନୁଯାୟୀ ସୁରକ୍ଷାଦେବା ସହିତ ସେମାନଙ୍କୁ ଏକ ସ୍ୱୟଂଶାସିତ ବିକାଶ ପରିଷଦ ଗଠନ ପାଇଁ ଅନୁମତି ଓ ଅଧିକାର ଦେଇଛି । ଏହା ମାଧ୍ୟମରେ ସେମାନେ ନିଜର ସ୍ୱୟଂଶାସିତ ଜିଲ୍ଲା ପରିଷଦ (ଏ.ଡି.ସି.) ଗଠନ କରିପାରିବେ । ଏହାଦ୍ୱାରା ଏହି ପରିଷଦ ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ପରମ୍ପରା, କୃଷି ଓ ଜମି ପରିଚାଳନା, ସ୍ୱାସ୍ଥ୍ୟସେବା ତଥା ନିଜର ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କିତ ଆଇନ ପ୍ରଣୟନ କରିପାରିବେ । ଏ.ଡି.ସି. ହାତରେ ବିଧାନସଭା ଓ ନ୍ୟାୟିକ କ୍ଷମତା ରହିଥାଏ । ଆଦିବାସୀ ଜନଜାତି ବହୁଳ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ରାଜ୍ୟକୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନୁଯାୟୀ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଛି । ଲଦାଖର ୯୭ ପ୍ରତିଶତ ଜନସାଧାରଣ ଆଦିବାସୀ ଜନଜାତି ଅଟନ୍ତି । ତେଣୁ ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରାଯାଇ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବାକୁ ସୋନମ ୱାଙ୍ଗଚୁକ ଓ ତାଙ୍କର ସମର୍ଥକ ଦାବୀ କରୁଛନ୍ତି ।

୫ ଅଗଷ୍ଟ, ୨୦୧୯, ଜାମୁ କାଶ୍ମୀରଠାରୁ ଲଦାଖ ସ୍ୱତନ୍ତ୍ର ହୋଇ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇଥିଲା । ଦୁଇ ଦୁଇଟି ଲୋକସଭା ନିର୍ବାଚନରେ ଲଦାଖ ଅଞ୍ଚଳକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ମାନ୍ୟତା ଦେବାକୁ ବିଜେପି ନିଜ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶୃତିର ଆଶା ଓ ବିଶ୍ୱାସକୁ ପ୍ରତାରଣା କରି ଦିଆଗଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଡିସେମ୍ବର ୪, ୨୦୨୩ରେ ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ, ଲଦାଖ ସର୍ବୋଚ୍ଚ ପ୍ରତିନିଧି ମଣ୍ଡଳୀ ଏବଂ କାର୍ଗିଲ ଗଣତାନ୍ତ୍ରିକ ସହଯୋଗୀ ଦଳ ମଧ୍ୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଲଦାଖକୁ ଷଷ୍ଠ ଅନୁସୂଚୀ ଆଧାରରେ ସ୍ୱତନ୍ତ୍ର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ଏହି ରିପୋର୍ଟରେ ଦର୍ଶାଯାଇଥିଲା, ଲାଦଖ ଅଞ୍ଚଳର ସ୍ୱତନ୍ତ୍ର ଜନଜାତିର ପରମ୍ପରା, ସଂସ୍କୃତି, ଓ ପରିସଂସ୍ଥାନର କୃଷି, ସ୍ୱାସ୍ଥ୍ୟ, ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବିକାଶ ପାଇଁ ଏହାକୁ ଷଷ୍ଠ ଅନୁସୂଚୀ ଅନୁଯାୟୀ ସାମିଲ କରି ମାନ୍ୟତା ପ୍ରଦାନ ଯଥେଷ୍ଟ ଜରୁରୀ । ଏପରିକି ସେପ୍ଟେମ୍ବର ୨୦୧୯ରେ ମଧ୍ୟ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଲଦାଖକୁ ଷଷ୍ଠ ଅନୁସୂଚୀ ଆଧାରରେ ସ୍ୱତନ୍ତ୍ର ଅଧିକାର ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହା ଜନଜାତିକୁ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରୁଥିବାରୁ ଲଦାଖ ପାଇଁ ଏହା ଯଥେଷ୍ଟ ଆବଶ୍ୟକ ଅଟେ ।

ଏସବୁପରେ ଲଦାଖ କେନ୍ଦ୍ର ଶାସିତ ରାଜ୍ୟକୁ ଷଷ୍ଠ ଅନୁସୂଚୀ ଆଧାରରେ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ପ୍ରଦାନ ନକରିବା ନିତାନ୍ତ ଦୁଃଖଦାୟକ ବୋଲି କୁହନ୍ତି ୱଙ୍ଗଚୁକ ଜେନ । ଲଦାଖର ଗଣତନ୍ତ୍ର ଓ ସ୍ୱାଧୀନତାକୁ ଏହା ଉପେକ୍ଷା କରୁଛି ବୋଲି ୱଙ୍ଗଚୁକ ଅଭିଯୋଗ କରି କୁହନ୍ତି, “ଆମର ମାଟି,ପାଣି, ପବନ ଏବଂ ଆମର ଜାତି ସ୍ୱତନ୍ତ୍ର । ଲଦାଖୀ ଜନଜାତି ସଂସ୍କୃତିର ସୁରକ୍ଷା କରିବା ଅତ୍ୟନ୍ତ ଜରୁରୀ । ଏହି ଜାତି ସହସ୍ର ବର୍ଷ ଧରି ଏହି ଅଞ୍ଚଳର କଠିନ ଜଳବାୟୁ ସହିତ ଖାପ ଖୁଆଇ ବଞ୍ଚିବା ପାଇଁ ସୂକ୍ଷ୍ମ ଭାବରେ ନିଜକୁ ପ୍ରସ୍ତୁତ କରିଛି । ଆମେ ହିଁ ହିମାଳୟର ଏହି ହିମବାହ ଅଞ୍ଚଳସବୁର ସୁରକ୍ଷା କବଚ ସୃଷ୍ଟିକରି ବାହ୍ୟ ଶତ୍ରୁ କବଳରୁ ଦେଶକୁ ସୁରକ୍ଷିତ ରଖିଛୁ । ହେଲେ ଆଜି ଆମକୁ ଅଣଦେଖା କରାଯାଉଛି” ।

“ଆଦିବାସୀ ଜନଜାତିର ସୁରକ୍ଷା ପାଇଁ ଷଷ୍ଠ ଅନୁସୂଚୀ ଆମ ସମ୍ବିଧାନରେ ଅଛି । ଭାରତୀୟ ସଂସ୍କୃତିର ବିବିଧତାରେ ଆମର ଏକତାକୁ ପ୍ରୋତ୍ସାହିତ କରିବାର ମହାନତା ହେଉଛି ଏହି ଷଷ୍ଠ ଅନୁସୂଚି । ତେବେ ଲଦାଖରେ ପ୍ରତିଶୃତି ଦିଆଯାଇ କାହିଁକି ଷଷ୍ଠ କାର୍ଯ୍ୟସୂଚୀ କାର୍ଯ୍ୟକାରୀ ହେଉନାହିଁ? ଏହି ରହସ୍ୟମୟ କାରଣ ହେଉଛି କେତେକ ଶକ୍ତିଶାଳୀ ଶିଳ୍ପପତିଙ୍କ ସାମ୍ରାଜ୍ୟ ଆମର ସମ୍ବଳକୁ ନିଜ ଶୋଷଣ କରିବାକୁ ଚାହୁଁଛନ୍ତି ଏବଂ ସରକାରୀ ସ୍ତରରେ ଲଦାଖକୁ ଷଷ୍ଠ ଅନୁସୂଚୀ ଅନୁଯାୟୀ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ନକରିବାକୁ ରାଜନୈତିକ ନେତୃତ୍ୱଙ୍କୁ ପ୍ରଭାବିତ କରୁଛନ୍ତି” ବୋଲି ଅଭିଯୋଗ କରନ୍ତି ଲଦାଖ ଜଳବାୟୁ-ଉପବାସ ଅନଶନର ନାୟକ ସୋନମ ୱାଙ୍ଗଚୁକ ।

ଅନଶନର ୧୯ତମ ଦିନରେ ସୋନମଙ୍କୁ ଭେଟିବାବେଳକୁ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ । କଥା କହିବାକୁ ଶକ୍ତି ନଥିଲା । ବହୁ କଷ୍ଟରେ ସେ କହିଲେ, ଭାରତୀୟ ମିଲିଟାରୀ, ସ୍ଥାନୀୟ ପ୍ରଶାସନିକ ବିଶେଷ କରି ପର୍ଯ୍ୟଟନ ଅଧିକାରୀ ଏବଂ ଲଦାଖର ଲୋକମାନଙ୍କ ମଧ୍ୟରେ କେବଳ ଅନୌପଚାରିକ କଥାବାର୍ତ୍ତା ହେଉଛି । ଅଧିକ ଆନୁଷ୍ଠାନିକ କଥାବାର୍ତ୍ତା ନ ହେବାରୁ ପରିବେଶ ସୁରକ୍ଷାର ନିଷ୍କର୍ଷ ମିଳୁନାହିଁ । ମୁଁ ବହୁତ ଖୁସି ଯେ ପ୍ରଧାନମନ୍ତ୍ରୀ ଲଦାଖକୁ ଅଙ୍ଗାରକ ଶୂନ୍ୟ ଅଞ୍ଚଳ କରିବାର ଘୋଷଣା କରିଛନ୍ତି, କିନ୍ତୁ ଘୋଷଣାକୁ ପୂରଣକରି ଏହାକୁ ସଫଳ ଭାବେ ସୁଫଳ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇନାହିଁ ।

ଭାରତୀୟ ସେନା ବାହିନୀ, ସରକାର ଏବଂ ପ୍ରଶାସନିକ ଓ ପର୍ଯ୍ୟଟନ ଶିଳ୍ପ ଅଧିକାରୀ ସମସ୍ତେ ଲଦାଖରେ କିପରି ଅଙ୍ଗାରକ ଶୂନ୍ୟ ପରିବେଶ ତିଆରି କରାଯିବ ସେଥିପ୍ରତି ଯତ୍ନବାନ ହେବା ଜରୁରୀ । ସେନା ବାହିନୀ ପାଇଁ ମୁଁ ଶୂନ-ଜୀବାଶ୍ମ ଇନ୍ଧନ ଆଶ୍ରୟସ୍ଥଳ ନିର୍ମାଣ କରିବାର ପ୍ରସ୍ତୁତ ପ୍ରାୟତଃ କରିସାରିଛି । ଏହା ଭାରତୀୟ ସେନା ପାଇଁ ଇନ୍ଧନ ସଂରକ୍ଷଣ କରିବାରେ ସାହାଯ୍ୟ କରିବ । ମୁଁ ମୋର ଦାୟିତ୍ୱ କରୁଛି କିନ୍ତୁ ଆମେ ସମସ୍ତେ ଅଧିକ କିଛି କରିବା ଆବଶ୍ୟକ । ସେନା ବାହିନୀ ଅତିରିକ୍ତ ପାଣ୍ଠି ପାଇବା ଆବଶ୍ୟକ । ମୁଁ ଆଶା କରୁଛି ଲଦାଖରେ ଭାରତୀୟ ସେନା ବାହିନୀ ସର୍ବ ପ୍ରଥମେ ଅଙ୍ଗାରକ ଶୂନ୍ୟ ପରିବେଶ ସୃଷ୍ଟି କରିବାର ସୌଭାଗ୍ୟ ଲାଭ କରିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.