ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱତାପନ ସମସ୍ୟା ନଥିଲା । ପ୍ରାକୃତିକ କୃଷି ମଣିଷର ପ୍ରଧାନ ଜୀବିକା ଥିଲା । ନିଜର ହଳ ଲଙ୍ଗଳ, ଖଳା ବାଡିରୁ ଖତ, ଭାଡ଼ିରୁ ବିହନ ବୁଣି ଚାଷୀ ଚାଷ କରୁଥିଲେ । ପ୍ରତ୍ୟେକ ପରିବାର ୩୦/୪୦ପ୍ରକାର ଫସଲ ଅମଳ କରୁଥିଲା । ସ୍ୱୟଂସମ୍ପନ୍ନ ଥିଲା । ଅଷ୍ଟାଦଶ ଶତାବ୍ଦୀ ଶେଷଆଡ଼କୁ ଶିଳ୍ପବିପ୍ଲବ ଆରମ୍ଭ ହୁଏ । କଳକାରଖାନା ଟ୍ରାକ୍ଟର, ହାର୍ବେଷ୍ଟର ଭଳି ରାକ୍ଷସମାନ ଠିଆହେଲେ । କୋଇଲା ଖଣିଜତୈଳ ଜଳି ଗାଡିମଟର ଟ୍ରାକ୍ଟର ଚଳାଇଲେ । ବାୟୁମଣ୍ଡଳ ଅଙ୍ଗାରକାମ୍ଳ ବାଷ୍ପରେ ଭର୍ତ୍ତି ହୋଇଗଲା । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଗୋଟିଏ ସ୍ତର ଅଛି ଯାହାକୁ ଆମେ ଓଜୋନ କହୁ । ସୂର୍ଯ୍ୟକିରଣ ସିଧା ଆମଉପରେ ପଡିଲେ ଆମେ ଜଳିଯିବା । ଏହି ଓଜୋନ ସ୍ତର ସୂର୍ଯ୍ୟତାପକୁ ନିୟନ୍ତ୍ରଣରେ ରଖେ । ବାୟୁମଣ୍ଡଳରେ ବିଷାକ୍ତ କାର୍ବନ ଡାଇଅକସାଇଡ ଏହି ଓଜୋନସ୍ତରରେ ଫାଟ ସୃଷ୍ଟି କଲା । ଫଳରେ ଅଧିକ ସୂର୍ଯ୍ୟତାପ ପୃଥିବୀକୁ ଉତ୍ତପ୍ତ କରିବା ଆରମ୍ଭହେଲା । ବିଜ୍ଞାନର ଜୟଯାତ୍ରା ଚାଲିଛି । ଊନବିଂଶ ଶତାବ୍ଦୀବେଳକୁ ଲଙ୍ଗଳକୁ ଫୋପାଡ଼ି ଟ୍ରାକ୍ଟରରେ ଚାଷ । ରାସାୟନିକ ସାର ଓ କୀଟନାଶକ ବିଷର ଆବିର୍ଭାବ ହୁଏ । ରାସାୟନିକ ଓ ଯାନ୍ତ୍ରିକ କୃଷିଜନିତ ବାୟୁମଣ୍ଡଳକୁ ମିଥେନ, ନାଇଟ୍ରସ ଅକସାଇଡ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହେଲା । ଓଜୋନ ସ୍ତରରେ ଫାଟ ବଢ଼ିଚାଲିଲା । ବିଶ୍ୱତାପନ ବଢ଼ିଲା ସାଗର, ମହାସାଗରରେ ଜଳର ଉପରି ସ୍ତର ଅହେତୁକ ତାପ ବୃଦ୍ଧିଯୋଗୁଁ ଏଲନିନୋ ଗରମ ବାଷ୍ପ ସ୍ଥଳଭାଗକୁ ବୋହିଲା । ଜଳବାୟୁର ସ୍ଥିତି ଦୋହଲିଗଲା । ମରୁଡି, ଅସମୟ ବୃଷ୍ଟି, ଅତି ବୃଷ୍ଟି, ବାତ୍ୟା, ଅସ୍ୱାଭାବିକ ବନ୍ୟା, ବନାଗ୍ନି ଜନଜୀବନକୁ ଅସ୍ତବ୍ୟସ୍ତ କଲା । ବୈଜ୍ଞାନିକମାନେ ଏହି ସ୍ଥିତିକୁ ଜଳବାୟୁ ପରିବର୍ତ୍ତନ ଆଖ୍ୟା ଦେଲେ । ଆଜି ସମୁଦାୟ ପୃଥିବୀପାଇଁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମୁଣ୍ଡବିନ୍ଧାର କାରଣ । ଆପେ ଅର୍ଜିବା କର୍ମ ମାନ ବେଳକୁ ହୋଇବ ସାବଧାନ । ବହୁଦେଶୀୟ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ସରକାର ମାନେ । ସେମାନେ ଲାଭ ଓ ଲୋଭପାଇଁ ରାଷ୍ଟ୍ରର ସହମତିରେ ପ୍ରକୃତିକୁ ଖିନ ଭିନ କରି ପ୍ରାକୃତିକ ସଂପଦ ଲୁଟିଆ ଚାଲିଛନ୍ତି । ସମୟ ଗଡି ଚାଲିଛି । ଏବେ ଆମ ପ୍ରିୟ ଗ୍ରହଟି ତତଲା ବାଲିସଦୃଶ । ବଞ୍ଚିବା ଦୁର୍ବିସହ ହେଉଛି ।
ଲେଡି ଗୁଡ କହୁଣିକୁ ବୋହି ଗଲାଣି । ବିଶ୍ୱ ପାଣିପାଗ କେନ୍ଦ୍ରମାନଙ୍କର ୧୭୪ବର୍ଷର ରେକର୍ଡ ଭାଙ୍ଗି ୨୦୨୩ରେ ସବୁଠାରୁ ଉତ୍ତପ୍ତ ବର୍ଷ ମାନ୍ୟତା ପାଇଲାଣି । (ଦି ନିୟୁ ଇଣ୍ଡିଆ ଏକ୍ସପ୍ରେସ ୦୧.୧୨ .୨୦୨୩) । ୨୦୧୫ ପ୍ୟାରିସ ରାଜିନାମାରେ ବିଶ୍ୱ ତାପମାନ ବୃଦ୍ଧି ୧.୪୦+୦.୧୨ ସେଲସିୟସରେ ପହଞ୍ଚିଥିବା ଜଣାପଡିଲାଣି ।(ଷ୍ଟେଟସମ୍ୟାନ) । ୟୁରୋପିୟାନ ୟୁନିୟନରେ କୁପରନିକସ କ୍ଲାଇମେଟ ଚେଞ୍ଚ ସର୍ଭିସ ସୂତ୍ରରୁ ଜଣାଯାଏ ୨୦୨୩ରେ ପୃଥିବୀର ତାପମାତ୍ରା ବୃଦ୍ଧି ୧.୫ଡିଗ୍ରୀ ସେଲସିୟସକୁ ଟପିଗଲାଣି । ୨୦୨୩ର ତାପବୃଦ୍ଧି ଗତ ଏକଲକ୍ଷ ବର୍ଷର ବୃଦ୍ଧିଠାରୁ ଅଧିକ । (ଦି ହିନ୍ଦୁ ୧୦.୦୧.୨୦୨୪) । ବିଶେଷଜ୍ଞମାନେ କୁହନ୍ତି ୨୦୨୪ ପୂର୍ବବର୍ଷଠାରୁ ଆହୁରି ଅଧିକ ଗରମ, ଅଧିକ ପ୍ରାକୃତିକ ବିପର୍ଯ୍ୟୟ ବର୍ଷ ହେବ । ଖବର ଏପରି ମଧ୍ୟ ଆସୁଛି ବିଶ୍ୱତାପନ ବୃଦ୍ଧିର ଧାରା ଜାରି ରହିଲେ ୨୧୦୦କୁ ଏହା ୩ଡିଗ୍ରୀ ସେଲସିୟସ ବଢିଯିବ । ଗରମ କଡେଇରେ ଜିଅନ୍ତା ମାଛ ଛଟପଟ ହେଲା ଭଳି ଆମ ନାତି, ଅଣନାତିମାନେ ଛଟପଟ ହୋଇ ମରିବା ନିଶ୍ଚିନ୍ତ ହୋଇଯିବ । ପ୍ରତିଷ୍ଠିତ ପଦାର୍ଥବିଜ୍ଞାନୀ ଷ୍ଟିଫେନସନ ହକିନ୍ସ ମୃତ୍ୟୁପୂର୍ବରୁ ଚେତାବନୀ ଦେଇ ଯାଇଛନ୍ତି ମଣିଷର ଅପକର୍ମ ପାଇଁ ୧୯୭୦ବେଳକୁ ଆମର ପ୍ରିୟ ଗ୍ରହଟି ମଙ୍ଗଳଗ୍ରହ ପରି ଜୀବଶୂନ୍ୟ ହୋଇଯିବ । ଜଣାଶୁଣା ସ୍ତମ୍ଭକାର ଭରତ ଡୋଗ୍ରା ତାଙ୍କଦ୍ୱାରା ରଚିତ A day in 2071 ପୁସ୍ତକରେ ମଧ୍ୟ ଅବିକଳ ମତ ରଖିଛନ୍ତି ।
ଭାରତୀୟ ପାଣିପାଗ କେନ୍ଦ୍ରମାନଙ୍କ ତଥ୍ୟରୁ ଜଣାଯାଏ ୨୦୨୩ ଫେବୃୟାରୀ ଓ ଅଗଷ୍ଟ ମାସ ୧୯୦୧ଠାରୁ ଆଜି ପର୍ଯ୍ୟନ୍ତ ଭାରତ ଅଧିକ ଏବଂ ନଭେମ୍ବର ମାସ ସର୍ବାଧିକ ଗରମ ଥିଲା । ୨୦୨୩ରେ ଏଲ ନିନୋ ପ୍ରଭାବରେ ଭାରତରେ ବର୍ଷା କମ୍ ଏବଂ କୃଷି ଉତ୍ପାଦନ ହ୍ରାସ ପାଇଛି । (ଦି ନିୟୁ ଇଣ୍ଡିଆ ଏକ୍ସପ୍ରେସ ୩୦.୧୨.୨୦୨୩) । ୨୦୨୩ ବର୍ଷ ବଜ୍ରପାତରେ ଆମଦେଶରୁ ୧୨୭୦ ମରିଛନ୍ତି । ବନ୍ୟା ବୀଭିଷିକାରେ ୮୬୦, ଅଂଶୁଘାତରେ ମୃତ୍ୟୁ ୧୬୦ । ପୃଥିବୀର ଅବସ୍ଥା ଏଥିରୁ ସହଜେ ଅନୁମେୟ (ଷ୍ଟେଟସମ୍ୟାନ ୦୭.୦୧.୨୦୨୪) । ୧୯ଡିସେମ୍ବର ୨୦୨୩ ସମାଜରୁ ଜଣାପଡ଼େ ୨୦୨୩ରେ ଅନିୟମିତ ଓ ସ୍ୱଳ୍ପ ବୃଷ୍ଟି ଯୋଗୁ କୃଷି ଉତ୍ପାଦନ କମିଯାଇଛି । ୨୦୨୩ରେ ଧାନ ଉତ୍ପାଦନ ୮ ପ୍ରତିଶତ ଓ ଗହମ ୧୦ପ୍ରତିଶତ ହ୍ରାସ ପାଇଛି । ୨୦୨୩ ୟୁରୋପ ମହାଦେଶରେ ମରୁଡ଼ି, ୟୁକ୍ରେନ ଓ ରୁଷିଆ ପୃଥିବୀର ଗହମ ଭଣ୍ଡାର, ମାତ୍ର ଦୁଇଦେଶରେ ଗହମ ଉତ୍ପାଦନ ପ୍ରାୟ ୯ପ୍ରତିଶତ କମିଗଲା । ଖାଦ୍ୟ ନିରାପତ୍ତା ପ୍ରତି ବିପଦ । ଚାଉଳ, ଗହମ ମୂଲ୍ୟ ବୃଦ୍ଧି । ଖାଉଟି ହନ୍ତସନ୍ତ ।
୨୦୨୩ରେ ଇଟାଲୀରେ ଜଳବାୟୁ ପରିବର୍ତ୍ତନଜନିତ ୧୧ଟି ପ୍ରାକୃତିକ ବିପର୍ଯ୍ୟୟ । ୧୮୦୦ମସିହା ଠାରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ପ୍ରାକୃତିକ ଦୁର୍ବିପାକ ପ୍ରଥମ । ଆମେରିକାରେ କ୍ରମାଗତ ୫୪ଦିନ ତାପମାତ୍ରା ୪୦ଡିଗ୍ରୀ ସେଲସିୟସ ଉପରେ । ବନ୍ୟା, ଅତିବୃଷ୍ଟି, ଅସମୟ ବରଫପାତ, ବନାଗ୍ନି ଆମେରିକାକୁ ଅସ୍ତବ୍ୟସ୍ତ କରିପକାଇଛି । ଆମାଜନ ଜଙ୍ଗଲରେ ନିଆଁ । ବ୍ରାଜିଲର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ । ୨୦୨୪ରେ ଆମାଜନ ଦେଶଗୁଡିକ ମରୁଡ଼ିର ଶିକାର ହେବେ । ଆମାଜନ ଜଙ୍ଗଲ ବିଶ୍ୱ ଫୁସଫୁସ ମାନ୍ୟତା ରଖିପାରିବ ତ? ଆମ ରାଜ୍ୟ ଓଡ଼ିଶାରେ ୨୦୨୩ ବର୍ଷ ୨୯,୭୭୧ଟି ବନାଗ୍ନି ଘଟିଛି ।
ଲୋକେ କୁହନ୍ତି ‘ବୃକ୍ଷ ହିଁ ଜୀବନ’ । କରୁଛନ୍ତି କଣ? ଆମେରିକାର ଏଲ ବିଶ୍ୱବିଦ୍ୟାଳୟ ଗବେଷକମାନେ କୁହନ୍ତି ପୃଥିବୀରେ ବର୍ଷକୁ ୧୪୦୦ କୋଟି ଗଛ କଟାଯାଇଛି । ଗଛ ଲଗାଯାଇଛି ୨୦୦ରୁ ୩୦୦କୋଟି । ୨୦୨୩ ସୁଦ୍ଧା ପୃଥିବୀରେ ଥିବା ଗଛସଂଖ୍ୟା ୩ଲକ୍ଷ ୯୦ହଜାର କୋଟି (ସମାଜ ୨୨.୧୨.୨୦୨୩) । ବିକାଶ ରାକ୍ଷସ ଏମାନଙ୍କୁ ଗିଳିଦେବାକୁ ଆଉ କେତେ ବର୍ଷ! ବୃହତ ନିକୋବର ପ୍ରକଳ୍ପ ନାଁରେ ଭାରତ ସରକାର ୨୦୨୩ ରେ ୧୨ଲକ୍ଷ ଚିରହରିତ ବୃକ୍ଷ କାଟି ଶୁଆଇଦେଲେ । ପ୍ରବାଳ ମାନେ ମରିଗଲେ, ହେନ୍ତାଳ ବନକୁ ତାଡ଼ି ମାଟିରେ ମିଶାଇଦେଲେ । ପ୍ରକଳ୍ପର ମୁଖ୍ୟ ଆକର୍ଷଣ ବୃହତ ବଳର ତିଆରି ହେବ । ଚୀନକୁ ଜବତ କରିବା ପାଇଁ ଆମେରିକା ଏଠାରେ ନୌସେନା ଘାଟି କରିବ । ଆମେରିକାର ସପ୍ତମ ନୌଭେଳା ଭାରତ ମହାସାଗରରେ ଚୀନକୁ ଜଗିବ! ଆମ ଓଡିଶାର ଝାରସୁଗୁଡାରେ ହଜାର ହଜାର ଗଛ କଟା ହୋଇଛି । ନବ ନିର୍ବାଚିତ ଛତିଶଗଡ଼ ସରକାର ଗାଦିରେ ବସୁ ବସୁ କୋଇଲା ଶିଳ୍ପ ପାଇଁ ୨.୫ଲକ୍ଷ ଗଛ ବଳି ପକାଇଛନ୍ତି (the hindu ୦୮.୦୧.୨୦୨୪ ) ।
ଜ୍ଞାନ ପାଲୋ ପାଲ୍ଲାଡିନ ଇଟାଲୀର ଗ୍ରୀନ ପାରାଡିସେ ଜାତୀୟ ଉଦ୍ୟାନରେ ଗ୍ଲାସିୟର ଉପରେ ବିଶ୍ୱତାପର ପ୍ରଭାବ ସମ୍ପର୍କରେ ୩୦ବର୍ଷ ଧରି ଗବେଷଣା କରୁଛନ୍ତି । ୨୦୨୩ ସେପ୍ଟେମ୍ବରରେ ସେ କୁହନ୍ତି , ‘ବିଗତ ୩୦ ବର୍ଷ ହେଲା ମୁଁ ବରଫ ଉପରେ ଠିଆ ହୋଇ କାମ କରୁଥିଲି । ୨୦୨୩ ପ୍ରଥମ ବର୍ଷ ମୁଁ ପଥର ଉପରେ ଠିଆ ହୋଇଛି । ବରଫ ତରଳି ଯାଇଛି । ଶୀତ ମାସରେ ବି ବରଫ ନାହିଁ ।’ ଗ୍ରୀନ ଲ୍ୟାଣ୍ଡରେ ୨୦,୦୦୦ ଗ୍ଲାସିୟର ଥିଲା । ଏକ ବିଂଶ ଶତାବ୍ଦୀରେ ଏଗୁଡ଼ିକ ବଂଶ ଶତାବ୍ଦୀଠାରୁ ୨ ଗୁଣ ବେଗରେ ତରଳି ଯାଉଛନ୍ତି । ପୃଥିବୀର କ୍ରାନ୍ତି ବଳୟ ଗ୍ଲାସିୟରର ଦୁଇ ତୃତୀୟାଂଶ ପେରୁରେ ଥିଲା । ଗତ ୬୦ବର୍ଷ ଭିତରେ ଏଥିରୁ ଅଧାଅଧି ତରଳି ଗଲାଣି । ଉତ୍ତର ମେରୁ (ଆର୍ଟିକ ସର୍କଲ)ର ୧.୯୯ ନିୟୁତ ବର୍ଗ କିଲୋମିଟରରୁ ବରଫ ତରଳିଯାଉଛି । ୨୦୨୩ ଜୁଲାଇରେ ଆଣ୍ଟାର୍କଟିକାରେ୨.୬ ନିୟୁତ ବର୍ଗ କିଲୋମିଟରରୁ ବରଫ ତରଳିଯାଉଛି । ସେଠାରେ ପେଙ୍ଗୁଇନମାନେ ବିପଦରେ । ଗ୍ଲାସିୟର ତରଳିବା ଦ୍ୱାରା ସମୁଦ୍ର ପତନ ଉପରକୁ ଉଠୁଛି । ସ୍ୱାଭାବିକ । ଫଳତଃ ହଜାର ହଜାର ଦ୍ୱୀପ ସମୁଦ୍ରରେ ବୁଡ଼ି ଯାଉଛନ୍ତି । ଜାକର୍ତ୍ତା, ଇଣ୍ଡୋନେସିଆର ରାଜଧାନୀ କେତେ ହଜାର ବର୍ଷର ସହର । ଏକ ସମୟରେ ଆମ ଓଡିଆ ବଣିକଙ୍କର ଆଡ୍ଡାସ୍ଥଳି ଥିଲା । ଏବେ ଏହା ଭାରତ ମହାସାଗରରେ ଲୀନ ହେବାପ୍ରକ୍ରିୟାରେ । ଇଣ୍ଡୋନେସିଆର ଏକ ନୂଆ ରାଜଧାନୀ ତିଆରି ଚାଲିଛି । ମିଳିତ ଜାତି ସଂଘ ରିପୋର୍ଟ କୁହେ ସମୁଦ୍ର ପତ୍ତନ ବୃଦ୍ଧିଯୋଗୁଁ ୧୦ଟି ବଡ଼ ସହର ୧୦ ବର୍ଷ ଭିତରେ ବୁଡିଯିବ । ଭାରତର ମୁମ୍ବାଇ, ଚେନ୍ନାଇ ଓ କଲିକତା , ବଙ୍ଗଳାଦେଶର ଢାକା ଓ ଆମେରିକାର ୨ଟି ସହର ଏହି ୧୦ ଭିତରେ । ପୁରୀରେ ଜଗନ୍ନାଥ ଧାମ ବିପଦରେ!
ୟୁକ୍ରେନ-ରୁଷିଆ ଯୁଦ୍ଧ, ଇସ୍ରାଏଲ–ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ତାପନରେ ନିଆଁରେ ଘିଅ ଢାଳିଲା ଭଳି । ବହୁଦେଶୀୟ କମ୍ପାନୀମାନଙ୍କର ଅସ୍ତ୍ର ଶିଳ୍ପ , ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଅପର୍ଯ୍ୟାପ୍ତ ଜୀବାଶ୍ମ ଜାଳେଣିର ଅପଚୟ ହେଉଛି । ଏହାଦ୍ୱାରା ବାୟୁମଣ୍ଡଳକୁ ଅକଳନ୍ତା ସବୁଜ ଗ୍ୟାସ ନିର୍ଗତ ହେଉଛି । ମାତ୍ର ସି.ଓପି ୨୮ରେ ଯୁଦ୍ଧଜନିତ ବିଶ୍ୱତାପନ ବୃଦ୍ଧି ଆଲୋଚନା ପରିସରକୁ ଆସିପାରିଲା ନାହିଁ । ଅକ୍ସଫାମ ବାର୍ଷିକ ରିପୋର୍ଟ ଉଲ୍ଲେଖ କରେ “ପୃଥିବୀର ଧନୀକ ଦେଶ ବାର୍ଷିକ ୯୦ପ୍ରତିଶତ କାର୍ବନ ନିର୍ଗତ କରୁଛନ୍ତି । ମାତ୍ର ଗରିବ ଦେଶ ଓ ଗରିବମାନେ ଜଳବାୟୁ ପରିବର୍ତ୍ତନର କ୍ଷୟକ୍ଷତି ମୁଣ୍ଡାଇଛନ୍ତି । (ଷ୍ଟେଟସମ୍ୟାନ -୦୧.୧୨.୨୦୨୩) ( ସାରଣୀ-୧)
ଗ୍ୟାସ କାର୍ବନ ନାଇଟ୍ରେସ ମିଥେନ ସଲଫର ହାଇଡ୍ରୋ
ଡାଇଅକସାଇଡ ଅକସାଇଡ ହେକ୍ସାଫ୍ଲୋରାଇଡ ଫ୍ଲୋର କାର୍ବନ ପରଫ୍ଲୋର କାର୍ବନ
ପ୍ରତିଶତ ୭୬.୭ ୭.୯ ୧୪.୩ >୧ >୧ >୧
(ଗ୍ଲୋବାଲ ୱାର୍ମିଂ ପୋଟେନସିୟାଲ ଫ୍ରମ ଆଇ.ବି.ସି -୨୦୦୭)
ମିଳିତ ଜାତିସଂଘ ଉଦ୍ୟମରେ ୧୯୯୫ ମସିହାରେ ଜର୍ମାନର ବର୍ଲିନ ସହରରେ ପ୍ରଥମ ବିଶ୍ୱ ଜଳବାୟୁ ସମ୍ମିଳନୀ (ସିଓପି-୧)ଚାଲିଥିଲା । ୨୦୨୩ ନଭେମ୍ବର ୩୦ଠାରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସାଉଦି ଆରବର ଦୁବାଇ ସହରରେ ଖୁବ ଜାକଜକମରେ ଚାଲିଲା । ୧୯୮ଟି ଦେଶର ରାଷ୍ଟ୍ର ମୁଖ୍ୟ ଏବଂ ସେମାନଙ୍କର ପ୍ରତିନିଧି, ପରିବେଶବିତ୍ ମୋଟ ୮୫,୦୦୦ , ତୈଳ କମ୍ପାନୀମାନଙ୍କର ୨,୪୫୬ ଜଣ ଦଲାଲ ଦୁଇସପ୍ତାହ ବିଚାର ବିମର୍ଶ କଲେ । ୨୦୩୦ସୁଦ୍ଧା କୋଇଲା ଖଣିଜ ତୈଳ ଓ ପ୍ରାକୃତିକ ବାଷ୍ପ ଜାଳେଣି ୩୦ରୁ ୪୦ ପ୍ରତିଶତ କମାଇବା ପାଇଁ ଆଲୋଚନା ହେଲା । ସି.ଓ.ପି ୨୮ର ପ୍ରେସିଡେଣ୍ଟ ମଧ୍ୟ ନ୍ୟାସନାଲ ଅଏଲ କମ୍ପାନୀର ମୁଖ୍ୟ । ସେ ମହାଶୟ ପ୍ରଥମରୁ ମତ ରଖିଲେ “ଖଣିଜ ତୈଳ ଦହନ କମାଇବା ଦ୍ୱାରା ବିଶ୍ୱତାପନକୁ ୧୫ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖାଯାଇ ପାରିବ । ଏପରି କୌଣସି ବିଜ୍ଞାନସମ୍ମତ କାରଣ ନାହିଁ” । ଅନ୍ତିମ ଘୋଷଣାନାମାରେ ଉଲ୍ଲେଖ ରହିଲା “ଦେଶମାନେ ଖଣିଜ ତୈଳ ଉପଯୋଗ କମାଇବା ଦିଗରେ ଉଦ୍ୟମ କରିବେ” । ଅଗିହରାକୁ ବାଇଗଣ ଫୋପଡା (ତଥ୍ୟ- ଦ ଉଇକି ଡିସେମ୍ବର ୨୪ ,୨୦୨୩ ) ।
ମିଳିତ ଜାତିସଂଘର ଦାନ୍ତ ନାହିଁ । ଦୋଷୀକୁ ଦଣ୍ଡ ଦେଇପାରିବ ନାହିଁ । ଆମେରିକା ତ ଜର୍ଜ ଓରୱେଲ (George Orwell) ଲିଖିତ ୧୯୮୪ର ବଡ ଭାଇ (ବିଗ ବ୍ରଦର) । କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ । ମିଳିତ ଜାତିସଂଘ, ବିଶ୍ୱବ୍ୟାଙ୍କ, ବିଶ୍ୱ ବାଣିଜ୍ୟ ସଂସ୍ଥା, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସମସ୍ତେ ବଡ଼ଭାଇଙ୍କ ପକେଟରେ । ଭାରତ ଓ ଆମେରିକା ତ ବର୍ତ୍ତମାନ ବନ୍ଧୁ । ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ଜୀବଜଗତକୁ ଧ୍ୱଂସ କରିବା ଆସନ୍ନ । ବହୁଦେଶୀୟ କମ୍ପାନୀମାନଙ୍କର ଚକ୍ରବ୍ୟୁହରୁ ଉଦ୍ଧାରର ଗୋଟିଏ ବାଟ । ପୁଞ୍ଜିବାଦୀ ଅର୍ଥନୀତି ବଦଳରେ ସାଧାରଣ ମଣିଷଟିକୁ କେନ୍ଦ୍ରବିନ୍ଦୁ କରି ବୁଦ୍ଧ, ଗାନ୍ଧୀ ଓ “small is beautiful”ର ରଚୟିତା ଇ .ଏଫ୍ ସୁମାକରଙ୍କ ଲୋକାଭିମୁଖୀ ଅର୍ଥନୀତି ଆପଣେଇ ପାରିଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ସୁଧୁରି ପାରିବ ।
Comments
0 comments