ଏବେ ବଜାରରେ ପରିବା ମୂଲ୍ୟ କମିଯାଇଛି । ଏହା ଏକ ସୁଖଦ ଖବର ସେମାନଙ୍କ ପାଇଁ ଯେଉଁମାନେ ଟମାଟ କିଲୋ ଦେଢ଼ଶହ ହେଲାପରେ ମୁଖ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବେଶ ପ୍ରତିରୋଧ କରୁଥିଲେ । ଆଗକୁ ବି କରିବେ, କାରଣ ପରିବା ମୂଲ୍ୟ ବଢ଼ିବ । ବର୍ତ୍ତମାନ ମଧ୍ୟବର୍ଗକୁ ସୁହାଉଛି ବୋଲି ଚୁପ୍ ଅଛନ୍ତି । ସେମାନେ ବେଚାରେ ଜାଣନ୍ତି ନାହିଁ ଯେ ତାଙ୍କୁ କେତେ ଭ୍ରମରେ ରଖାଯାଇଛି ।
ଗୋଟିଏ ବଜାରର କାହାଣୀ ଏହିପରି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରରେ ଗୋଟିଏ ସାପ୍ତାହିକ ବଜାର ବସେ ମଙ୍ଗଳବାର ଦିନ । ଗଡ଼ଜାତ ସମୟର କନ୍ଧାନ କ୍ଷେତ୍ରର ଗୋଟିଏ ସାଧାରଣ ଗାଁଟିଏ ମୁରିବାହାଲ । ରାୟପୁର-ବିଶାଖାପାଟଣା ରେଳମାର୍ଗ ତିଆରିବେଳେ ବସତିର ଅନତି ଦୂରରେ ଷ୍ଟେସନ ଘରଟିଏ ହେଲା । ବିଶାଖାପାଟଣା, ୱାଲଟିୟର ଓ ଭାଇଜାଗ ନାମରେ ପରିଚିତ । ଏହା ଏତେ ପ୍ରସିଦ୍ଧ ଯେ ରାୟପୁର ସହରର ରେଳଲାଇନକଡ଼ର ଏକ ଜନବସତିକୁ ୱାଲଟିୟରଗେଟ୍ କହନ୍ତି । ଓଡ଼ିଶାରୁ କାମ ଅନ୍ୱେଷଣରେ ଯାଇଥିବା ଓଡ଼ିଆମାନଙ୍କ ଅନେକ ବସତି ଭଳି ଏହା ମଧ୍ୟ ଗୋଟିଏ ପ୍ରମୁଖ ଅଞ୍ଚଳ । ବିଶାଖାପାଟଣା ଓ ମୁମ୍ବାଇକୁ ଯୋଗ କରିବାରେ ଏହା ପ୍ରମୁଖ ରେଳମାର୍ଗ । ଯାହା କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିରକୁ ଛୁଇଁ ଛତିଶଗଡ଼ ଅଞ୍ଚଳକୁ ଯାଇଥାଏ । ଏହା ବଣ, ନଈ ଓ ଚାଷଜମିର ଏକ ସମ୍ପନ୍ନ ଅଞ୍ଚଳ ଉପଜର ଭୂମି । ମରାଠା ଶାସକଙ୍କ ଛତ୍ରଛାୟାରେ ଉତ୍ତର ଭାରତୀୟ ବେପାରୀମାନେ ଛତିଶଗଡ଼ ଓ ଓଡ଼ିଶାର ପଶ୍ଚିମ ଅଞ୍ଚଳକୁ ପ୍ରବେଶ କଲେ । ମରାଠାଙ୍କ ପରେ ଇଂରେଜ ଆସିଲେ । ଉପରୋକ୍ତ ଦୁଇ ଶାସକଙ୍କ ସମୟରେ ବେପାରୀମାନେ ରାଜା ସାମନ୍ତଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ଉପଜକୁ ବଜାର ସହ ଯୋଡ଼ିଲେ । ଅନେକ ବେପାରୀ ଛୋଟ ଛୋଟ ସାମନ୍ତ ବି ହେଲେ । ଗଉନ୍ତିଆ ଆଦି ପଦପଦବୀ ବି କିଣିନେଲେ । ମରାଠା କି ଇଂରେଜ ସରକାରଙ୍କୁ ଖଜଣା ବା ତକୋଲି ଦେଲାବେଳେ ମୁଦ୍ରା ଆକାରରେ ପଇଠ କରିବାକୁ ପଡୁଥିଲା । ଉପଜ ବିନିମୟରେ ମୁଦ୍ରାର ଆବଶ୍ୟକତା ରହିଲା । ଯେହେତୁ ରାଜାଙ୍କୁ ମୁଦ୍ରାରେ ତକୋଲି ଦେବାକୁ ହେଉଥିଲା, ତେଣୁ ପ୍ରଜାଠାରୁ ମଧ୍ୟ ମୁଦ୍ରାରେ ଖଜଣା ଅସୁଲ କରାଗଲା । ଅନେକ ସାମନ୍ତ ମୁଦ୍ରା ଅଥବା ଉପଜ ନିଅନ୍ତି କିନ୍ତୁ ମୁଦ୍ରାର ଆବଶ୍ୟକତା ଏହି ଉତ୍ତର ଭାରତରୁ ଆସୁଥିବା ବେପାରୀ ଓ ବହିରାଗତମାନେ ପୁରାକଲେ । ଏମାନଙ୍କ ସମ୍ପର୍କ ପ୍ରଜାଙ୍କଠାରୁ ରାଜାଙ୍କ ପର୍ଯ୍ୟନ୍ତ ରହିଲା । ଅଞ୍ଚଳର ବେପାର ନଦୀମାର୍ଗ ବଦଳରେ ପ୍ରତିପମାର୍ଗ ସଡ଼କପଥ ଖୋଳିଗଲା । ମଧ୍ୟଭାରତ ସହ ବେପାର ବଢ଼ିଲା । ସେ ସମୟରେ ରାୟପୁର ସହ ଯେହେତୁ ଶାସକୀୟ ସମ୍ପର୍କ ରହିଥିଲା ବାଣିଜ୍ୟର ନୂଆ ଅଧ୍ୟାୟ ଆରମ୍ଭ ହେଲା । ରାୟପୁର ବିଶାଖାପାଟଣା ରେଳପଥ ତେଲନଦୀର ପରିବହନକୁ ବନ୍ଦ କରିଦେଲା ଏହାପରେ ହୀରାକୁଦ ବନ୍ଧ ମହାନଦୀର ପରିବହନକୁ ବନ୍ଦ କରିଦେଲା । ବାଣିଜ୍ୟ ସ୍ୱତଃ ପଶ୍ଚିମମୁହାଁ ହୋଇଗଲା । ଏହି ରେଳପଥର ଗୋଟିଏ ଷ୍ଟେସନ ବଲାଙ୍ଗିର ଜିଲ୍ଲାର ମୁରିବାହାଲ । ରେଳଷ୍ଟେସନକୁ ମାଲ ଆସିଲା ଏଠାରୁ ବାହାରକୁ ବି ଗଲା ।
ଦେଶ ସ୍ୱାଧୀନ ହେଲା । ନୂଆ ଲୋକ ଆସିଲେ ନୂଆ ବାବୁ ଆସିଲେ । ରାଜ କର୍ମଚାରୀଙ୍କୁ ବାଦ ଦେଇ ବେପାରୀମାନେ ସରକାରଙ୍କ କର୍ମଚାରୀଙ୍କୁ ସହଜରେ କାବୁ କରିପାରିଲେ । ସମସ୍ତ ବିନିମୟ କାରବାର ଯେହେତୁ ମୁଦ୍ରା ଦ୍ୱାରା ହେବା ଫଳରେ ସ୍ୱତଃ ଅର୍ଥନୀତି ସେହି ବେପାରୀଙ୍କ ନିୟନ୍ତ୍ରଣକୁ ଚାଲିଗଲା । ମରୁଡ଼ି ପଡ଼ିଲା ମାଲ ସହ ଲୋକ ବି ବୁହାହେଲେ ଏହି ରେଳପଥରେ । ପନିପରିବା ଖାଦ୍ୟଶସ୍ୟ ସହ ଜଙ୍ଗଲଜାତ ଦ୍ରବ୍ୟ ସବୁ ଏହି ଷ୍ଟେସନରୁ ବାହାରକୁ ଛୋଟଛୋଟ ବେପାରୀଙ୍କ ଦ୍ୱାରା । ଏହି ଷ୍ଟେସନକୁ ବାହାରୁ ବେପାରୀ ଆସନ୍ତି ଚାଷୀଠାରୁ ମାଲ କିଣିନେଇ ଫେରିଯାନ୍ତି । ଚାଷୀ ନିଜର ଉପଜକୁ ମୁରିବାହାଲ ଷ୍ଟେସନକୁ ଆଣେ । ଗୋଟିଏ ବଜାର ବସେ ଦିନରାତି ସବୁଦିନ । ଗତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଯେତେବେଳେ ଗଲେ ମୁରିବାହାଲ ବଜାରରେ ବଳଦଗାଡ଼ି ଦିଶୁଥିଲା । ଚାଷୀର ନିଜସ୍ୱ ପରିବହନ ବ୍ୟବସ୍ଥା ରହିଥିଲା । ମୁଖ୍ୟତଃ ପରିବାପତ୍ର ସବୁ ରାୟପୁର ବଜାରକୁ ଯାଉଥିଲା ।
ବିଶ୍ୱାୟନ ବେଳର କଥା । ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂ ଅର୍ଥମନ୍ତ୍ରୀ ଥିବା ସମୟରେ ବିଶ୍ୱାୟନ ଲାଗୁକଲେ । ଭାରତ ଆଇ.ଟି କ୍ଷେତ୍ରରେ ନିଜକୁ ଅଗ୍ରଣୀ କରି ସାରିଥାଏ । ପୁଞ୍ଜିବଜାର ନିଜକୁ ପୁଷ୍ଟ କଲା ସମୟରେ ଭାରତରୁ ବ୍ରେନଡ୍ରେନ କଲା । ଭାରତର ପ୍ରାକୃତିକ ସମ୍ପଦା ଦୋହନ ପାଇଁ ମଧ୍ୟ ପ୍ରୟାସ ହେଲା । ଯାହା ବିଶ୍ୱବଜାରରେ ସାମିଲ ହୋଇ ଭାରତ ନିଜକୁ ବିକଶିତ ରାଷ୍ଟ୍ରର ମାନ୍ୟତା ଦେବାକୁ ଲାଗିପଡ଼ିଲା । କଂଗ୍ରେସ ସରକାର ଦଶବର୍ଷ ରାଜୁତି କଲା । ଏ ସମୟରେ ଭାଜପା ନିଜର ପ୍ରାରବ୍ଧ ସହ ନିଜକୁ ମଜବୁତ କରି ଆସୁଥିଲା । ବିଶ୍ୱାୟନ ସମୟରେ ଭାରତୀୟ ସମାଜର ଅସମାନ ବିକାଶକୁ ଆଖି ଆଗରେ ରଖି ଦଳିତ ଆଦିବାସୀ ବାଦ୍ ଅନ୍ୟ ପଛୁଆବର୍ଗଙ୍କ ଚିହ୍ନଟ ଓ ତାଙ୍କପାଇଁ ଅଧିକାରର ଆବଶ୍ୟକତା ଥିଲା । ମଣ୍ଡଳ କମିଶନ ଲାଗୁହେଲା । ପୂର୍ବ ପ୍ରସ୍ତୁତ ମଣ୍ଡଳ କମିଶନ ବିପକ୍ଷରେ ଭାଜପାର ପ୍ରମୁଖ ଭୂମିକା ରହିଲା । ଉଚ୍ଚବର୍ଗଙ୍କ ବିରୋଧ ହେଉଥିଲା ଭାଜପା ମଧ୍ୟ ଏହାର ବିରୋଧରେ ଥିଲା । ଅଯୋଧ୍ୟା ଅଭିଯାନ ଆରମ୍ଭ କଲା । ଯାହା ଗତ ୨୨ ଜାନୁୟାରୀ, ୨୦୨୪ ଦିନ ସଫଳ ହେଲା । ସରକାରମାନଙ୍କ ଯିବା ଆସିବା କ୍ରମରେ ମୁରିବାହାଲ ବଜାର ଶ୍ରୀହୀନ ହୋଇଗଲା ।
ଏଠାରୁ ପରିବା କି ବନଉପଜ ବାହାରକୁ ଗଲାନାହିଁ । ଗୋଟିଏ ଏନଜିଓ ଜଙ୍ଗଲ ଭିତରେ ଅନେକ ଗାଁ ତିଆରି କଲା । ମାନବାଧିକାର କମିଶନକୁ ବ୍ୟବହାର କରି ଏଗାରଟି ଗାଁ ଜଙ୍ଗଲ ଭିତରେ ତିଆରି କଲା । ବାହାରୁ ଲୋକ ଆଣିଲା । ମୁରିବାହାଲ ଅଞ୍ଚଳର ଜଙ୍ଗଲ ଅର୍ଥନୀତିକୁ ନିଜ କବଜାରେ ରଖିଲା । ଜଙ୍ଗଲକୁ ଆଧାର କରି ବଞ୍ଚୁଥିବା ଲୋକ ଦାଦନ ଗଲେ ଏହି ଷ୍ଟେସନରୁ । ଆଗରୁ ବଡ଼ମକାର ବେଳେ ରାୟପୁର ଯାଇଥିଲେ । ଏବେ ଛତିଶଗଡ଼ ରାଜ୍ୟରୁ ପରିବା ଆସୁଛି । ଲୋକ ଚାଷ ଛାଡ଼ି ଦେଲେଣି ।
ବିଶ୍ୱାୟନର କଥା ଏଇଥିପାଇଁ ଯେ ଅସଂଖ୍ୟ ମୁରିବହାଲ ବଜାରକୁ ବିଶ୍ୱାୟନ ନଷ୍ଟ କରିଦେଇଛି । ଚଳନ୍ତି ସମୟରେ ଗୋଟିଏ ସଫଳ ଆନ୍ଦୋଳନ ଭାଜପା ସରକାରଙ୍କ ତିନି କୃଷି ଆଇନକୁ ପ୍ରତିହତ କରିବା । କୃଷି ଆଇନ ପ୍ରତ୍ୟାହାର ହୋଇ ନଥିଲେ କୃଷିକ୍ଷେତ୍ରରେ ପୁଞ୍ଜିର ସିଧାସିଧା ଆକ୍ରମଣ ହୋଇଥାନ୍ତା । କିନ୍ତୁ କୃଷିକ୍ଷେତ୍ର ଯେ ପୁଞ୍ଜି ଆକ୍ରମଣରୁ ମୁକ୍ତ ଅଛି ଏହା ଭାବିବା ଅନୁଚିତ । କାରଣ ବିଶ୍ୱାୟନ ପରେ ପରେ ଚାଷୀ ଶୂନ୍ୟ ବଜେଟ ଚାଷରୁ ବ୍ୟୟବହୁଳ ଚାଷ ପର୍ଯ୍ୟନ୍ତ ଆସି ସାରିଲାଣି । ଚାଷ ନଷ୍ଟହେଲେ ଆତ୍ମହତ୍ୟା ପର୍ଯ୍ୟନ୍ତ କରିଦେଉଛି । ବିହନ, ସାର ଆଦି ଆନୁଷଙ୍ଗିକ ଜିନିଷ ପାଇଁ ବଜାର ଉପରେ ନିର୍ଭର କରୁଛି । ବଜାର ବିନା ଚାଷ ତା’ପାଇଁ ଅସମ୍ଭବ ହୋଇଗଲାଣି । ଶୂନ୍ୟ ବଜେଟର ଚାଷ ଚାଷୀପାଇଁ ଅସମ୍ଭବ ।
ଏବେ ପରିବା କଥାକୁ ଆସିବା । ୧୯୯୯ ମସିହାରେ ବରଗଡ଼ ଅଞ୍ଚଳରେ ଫୁଲକୋବି ଓ ପତ୍ରକୋବି ଉତ୍ପାଦନ ପ୍ରଚୁର ହୋଇଥିଲା ଯାହା ବାତ୍ୟାଯୋଗୁଁ ନଷ୍ଟ ହେଲା । ଏହାର ଚର୍ଚ୍ଚା ରାଷ୍ଟ୍ରୀୟସ୍ତରରେ ହୋଇଥିଲା । ଯାହା ଅଟଳବିହାରୀ ବାଜପେୟୀ ସରକାର ସମୟରେ ଏକ ଚିନ୍ତାର ବିଷୟ ଥିଲା । ଓଡ଼ିଶାର ଏହି ଖବରରେ ଏନଡିଏ ସରକାରଙ୍କୁ ବିଚଳିତ କରିଥିଲା । ସରକାର ଏହାର ସମାଧାନ ପାଇଁ ଘରୋଇ ବା ବ୍ୟକ୍ତିଗତ କ୍ଷେତ୍ରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୫୦ପ୍ରତିଶତ ସବସିଡି ଘୋଷଣା କଲେ । ଅନେକ ରାଜ୍ୟ ଏହାର ସୁଯୋଗ ନେଲେ, ନିଜର ମୂଳସ୍ଥିତିକୁ ସୁଦୃଢ଼ କରିପାରିଲେ କିନ୍ତୁ ଓଡ଼ିଶା ଏହାର କୌଣସି ଲାଭ ନେଇପାରିଲା ନାହିଁ । ରାଜନୀତିକ ଅସ୍ଥିରତା ଯୋଗୁଁ ଏତେବଡ଼ ସୁଯୋଗ ସତ୍ତ୍ୱେ ଓଡ଼ିଶା ଏହାର ଲାଭ ନେଇ ପାରିଲା ନାହିଁ । ଅଥଚ ଦେଶର ଅନ୍ୟ ଅନେକ ରାଜ୍ୟ ଏହାର ପୁରା ମାତ୍ରାରେ ସୁଯୋଗ ନେଲେ ।
୨୦୧୪ ନିର୍ବାଚନରେ ଓଡ଼ିଶା ସରକାର ନିଜର ନିର୍ବାଚନ ଇସ୍ତାହାରରେ କହିଥିଲେ ଯେ ଅନ୍ତତଃ ପ୍ରତିଟି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର କରିବ । ପୁନଃ ଗାଦିସୀନ ହେବାପରେ ସରକାର ୨୦୧୪-୧୫ ବେଳକୁ ଆଳୁମିଶନ ଆରମ୍ଭ କଲେ । ଏତେବେଳକୁ ରାଜ୍ୟରେ ୨୬ ଗୋଟି ଶୀତଳ ଭଣ୍ଡାର ସ୍ଥାପନ କରାଗଲା । ଯାହା ଏବେ ବନ୍ଦ ହୋଇସାରିଛି । ସରକାରଙ୍କ ଟି-ଅଭିଯାନ ପାଇଁ ଯେଉଁ ମାତ୍ରାର ଟଙ୍କା ଖର୍ଚ୍ଚ ହେଉଛି, ତାହାର କାୟାକୁ ଦେଖିଲେ ଓଡ଼ିଶାରେ ୩୧୪ଗୋଟି ବ୍ଲକରେ ୩୧୪ଟି ଶୀତଳଭଣ୍ଡାର ଇଚ୍ଛାମାତ୍ରକେ ହୋଇଯିବା କଥା ।
ରାଷ୍ଟ୍ରୀୟସ୍ତରରେ ଓଡ଼ିଶା ପରିବା ଉତ୍ପାଦନରେ ସେତକ ପଛୁଆ ବି ନୁହେଁ । ବିଭାଗୀୟ ତଥ୍ୟ ଅନୁସାରେ ୨୦୨୩ ମସିହାରେ ୬୭୬.୭୫୯ ହଜାର ହେକ୍ଟର ଜମିରେ ପରିବା ଚାଷ ହୋଇଥିଲା ଯାହା ପୂର୍ବବର୍ଷ ୬୫୮.୧୦୦ ହଜାର ହେକ୍ଟରରୁ ଅଧିକ ଅଟେ । ଏଚ୍ପିଆଇଏସ୍ ୨୦୧୯-୨୦ର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ସ୍ତରରେ ମିଠାକନ୍ଦା ବା କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ; ବାଇଗଣ ଉତ୍ପାଦନରେ ଦ୍ୱିତୀୟ; ତରଭୁଜ, ଫୁଲକୋବି, ଭେଣ୍ଡି, ଟମାଟର ଉତ୍ପାଦନରେ ପଞ୍ଚମ ଓ ଲାଉ ଉତ୍ପାଦନରେ ଷଷ୍ଠ ସ୍ଥାନରେ ରହିଅଛି । ଫଳ ଉତ୍ପାଦନରେ ଓଡ଼ିଶା ଦ୍ୱିତୀୟ, ଲେମ୍ବୁରେ ପଞ୍ଚମ, ସପେଟାରେ ସପ୍ତମ, ଆମ୍ବ ଉତ୍ପାଦନରେ ନବମସ୍ଥାନରେ ରହିଅଛି । ମସଲା ଉତ୍ପାଦନରେ ଧନିଆରେ ଷଷ୍ଠ, ଲଙ୍କାରେ ସପ୍ତମ, କଦଳୀରେ ସପ୍ତମ ଏବଂ ରସୁଣରେ ଅଷ୍ଟମ ସ୍ଥାନରେ ରହିଅଛି ।
ସମସ୍ତ ପ୍ରକାର ପନିପରିବା ଉତ୍ପାଦନରେ ଓଡ଼ିଶା ସପ୍ତମ ଏବଂ ସମସ୍ତ ପ୍ରକାର ଫଳ ଉତ୍ପାଦନରେ ଏକାଦଶ ସ୍ଥାନରେ ରହିଛି । ମୋଟ ଫଳ ଉତ୍ପାଦନ ୨୪୮୨ ହଜାର ମେଟ୍ରିକଟନ, ପନିପରିବା ଉତ୍ପାଦନରେ ୯୭୯୮ହଜାର ମେଟ୍ରିକଟନ ଓ ମସଲା ଉତ୍ପାଦନରେ ୨୦୨ ହଜାର ମେଟି୍ରିକ ଟନ ରହିଥିବା ବିଭାଗୀୟ ତଥ୍ୟ କହିଥାଏ ।
ସଂଖ୍ୟା ଓ ଗଣନା ତଳ ଉପର ହୋଇପାରେ କିନ୍ତୁ ଆମରାଜ୍ୟ ପରିବା ଉତ୍ପାଦନରେ ଗୋଟିଏ ପ୍ରମୁଖ ରାଜ୍ୟ ଅଟେ । ଆମ ଖାଦ୍ୟ ଶୃଙ୍ଖଳାରେ ପରିବା ମୁଖ୍ୟ ଭୂମିକା ନେଇଥାଏ । ପରିବା ଉତ୍ପାଦନ ପାଇଁ ଗୋଟିଏ ପ୍ରମୁଖ ଜାତି ରହିଛନ୍ତି ମାଳି ଜାତି । ଏମାନଙ୍କ କାମହେଲା ପରିବା ଉତ୍ପାଦ । କୋଶଲୀଆ ମାଳି, ଫୁଲ ମାଳି ଆଦି ଜାତିଗତ ବିଭାଗୀକରଣରେ ଦେଖାଯାଏ ମାଳି ସମ୍ପ୍ରଦାୟଙ୍କ ବଗିଚା ଉପରେ ତାଙ୍କର ଏକଚାଟିଆ ଅଧିକାର ଥିଲା । ଯେମିତି କୁମ୍ଭାର ଜାତି ମାଟିପାତ୍ର ତିଆରି ଉପରେ ନିଜର ଅଧିକାର ରଖିଥିଲା । ମାଳି ଜାତି ଦେବାଦେବୀ ତଥା ସାମନ୍ତଙ୍କୁ ଫୁଲ ଯୋଗାଉଥିଲେ । ସାଧାରଣଙ୍କ ପାଇଁ ପରିବା ଏମିତି ବିଭାଗୀକରଣ ରହିଥିଲା । ଉତ୍ତର ଭାରତର ଆକ୍ରମଣ ସମୟରେ ମାଳି ସମ୍ପ୍ରଦାୟର ଲୋକ ଆସି ଓଡ଼ିଶାରେ ବସବାସ କରିଥିଲେ । କିନ୍ତୁ ସ୍ଥାନୀୟ ମାଳି ଜାତିର ଲୋକ କୋଶଲିଆ ମାଳି ଭାବରେ ପରିଚୟ ପାଇଥାନ୍ତି । ଦକ୍ଷିଣକୋଶଲର ପାଟଣା ରାଜ୍ୟର ସାତ ବିଦୂଷୀ ସାଧିକାଙ୍କ ମଧ୍ୟରେ ଜ୍ଞାନଦେଈ ମାଲୁଣୀ ମଧ୍ୟ ଦକ୍ଷିଣର କେତେକ ରାଜ୍ୟ ସମେତ ତିବ୍ବତ ପର୍ଯ୍ୟନ୍ତ ନିଜର ଖ୍ୟାତି ବିସ୍ତାର କରିଥିଲେ । ତତ୍କାଳୀନ ରାଜନୀତିକ ପରିବର୍ତ୍ତନ ମଧ୍ୟ ତାଙ୍କର ଖ୍ୟାତିକୁ ପ୍ରତିହତ କରି ପାରିନଥିଲା । ଯେଉଁମାନେ ଆଜି ମଧ୍ୟ ପରାବିଦ୍ୟାରେ ପୂଜ୍ୟ ଅଟନ୍ତି । ମହାତ୍ମା ଜ୍ୟୋତିବା ଫୁଲେ ଓ ସାବିତ୍ରୀ ବାଈ ଫୂଲେ ମଧ୍ୟ ମାଲି ଜାତିର ଅଟନ୍ତି । ଏହାଙ୍କ ପରିବା ଚାଷ ଉପରେ ଆଧିପତ୍ୟ ରହିଥିଲା । ମାଳି ଜାତି ବ୍ୟତୀତ ଚାଷୀକୂଳରୁ ଅନ୍ୟ ଜାତିର ଲୋକ ମଧ୍ୟ ପରିବା ଉତ୍ପାଦନ କରି ଆସୁଛନ୍ତି ।
ଚାଷ ପାଇଁ ନିୟମିତ ଜଳ ଉପଲବ୍ଧତାର ଆବଶ୍ୟକ ରହିଥାଏ । ଝରଣା ତଥା ଅନ୍ୟ ପ୍ରାକୃତିକ ସ୍ରୋତ ଅଥବା ନିଜ ଜମିରେ କୂଅ ଖୋଳି ପରିବା ଚାଷ କରା ଯାଇଥାଏ । ଋତୁ ଅନୁସାରେ ପରିବା ଚାଷ କରା ଯାଇଥାଏ । ନିଜର ବିହନ ନିଜେ ସଂଗ୍ରହ କରି ଅବା ବନ୍ଧୁବାନ୍ଧବଙ୍କ ନିକଟରୁ ବିହନ ଆଣି ଚାଷ କରି ଆସୁଥିଲେ । ଋତୁ ଅନୁସାରେ ପରିବାଚାଷ ଲୋକଙ୍କ ଖାଦ୍ୟ ଶୃଙ୍ଖଳାକୁ ନୂତନ ଓ ରୁଚିକର କରୁଥିଲା । ଗୋଟିଏ କଥା ଏଠାରେ ଉଲ୍ଲେଖ କରାଯାଇପାରେ । ପରିବା ଚାଷରେ ପିଆଜଚାଷ ଲୋକଙ୍କ ଆବଶ୍ୟକତା ପାଇଁ କରା ଯାଉଥିଲା । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳର ମାଳି ସମ୍ପ୍ରଦାୟର କେତେକ ଚାଷୀ ସତୁରୀ ଦଶକ ଶେଷବେଳକୁ ପିଆଜ ଚାଷ ଆରମ୍ଭ କଲେ । ବଜାର ଜାଣିଲା ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମା ଅଞ୍ଚଳରେ ଉନ୍ନତମାନର ପିଆଜ ଉପଜ କରାଯାଇପାରେ । ବେପାରୀମାନେ ପିଆଜର ଉନ୍ନତମାନର ବିହନ ସହ ଶଙ୍କର ବିହନ (ବଗରି ପିଆଜ) ଚାଷୀଙ୍କୁ ଯୋଗାଇଲେ । କେବଳ ମାଳି ସମ୍ପ୍ରଦାୟ ନୁହେଁ ଅନେକ ପିଆଜ ଚାଷ କଲେ । ଧାନ ପରେ ପରେ ପିଆଜ ଚାଷର ଏକ ବଡ଼ କ୍ଷେତ୍ର ହୋଇଗଲା । ଥୋକେ ଲୋକ ପିଆଜ ବେପାରକୁ ନିଜ ଅକ୍ତିଆରରେ ରଖିଲେ । ସମସ୍ତ କିସମର ଜମିରେ ହେଇ ପାରୁଥିବା ପିଆଜ ବେପାରୀଙ୍କୁ ଲାଭ ଦେଲା କିନ୍ତୁ ସେତେବେଳେ ଦେଖାଗଲା ଯେ ବଜାର ଦରକୁ ଏପରି ନିୟନ୍ତ୍ରଣରେ ରଖାଗଲା ଚାଷୀ ପିଆଜକୁ ସର୍ବନିମ୍ନ କୋଡିଏ ପଇସା କିଲୋରେ ବେପାରୀକୁ ଦେଲା । ଥରେ ଦେଶରେ ପିଆଜର ମୂଲ୍ୟ ବଢ଼ିଗଲା । ତିନୋଟି ରାଜ୍ୟର ଲୋକେ କେବଳ ପିଆଜ ମୂଲ୍ୟ ବୃଦ୍ଧି ପାଇଁ ସରକାରଙ୍କୁ ବରଖାସ୍ତ କଲେ । ଏତେବେଳକୁ ଓଡ଼ିଶା ସରକାର ଚାଷୀଙ୍କୁ କହିଲେ ଓଡ଼ିଶାକୁ ପିଆଜ ଚାଷରେ ଏକ ଅଗ୍ରଣୀ ରାଜ୍ୟ କରାଯିବ । ଚାଷୀ କ୍ରମବର୍ଦ୍ଧିଷ୍ଣ ହାରରେ ପିଆଜ ଚାଷକଲେ । ବଜାରରେ ପିଆଜର ଅବମୂଲ୍ୟାୟନ ହୋଇ ଆସିଲା । କିଛି ନାସିକ ସହ ଚାଷୀଙ୍କୁ ସମକକ୍ଷ କରିବାର ପ୍ରୟାସ କଲେ ଓ ବିଫଳ ହେଲେ । ସରକାର ଚିନ୍ତା କଲେ ପିଆଜକୁ କିଛିଦିନ ଭଣ୍ଡାର କରି ରଖିପାରିଲେ ଚାଷୀ ପିଆଜର ସଠିକ ମୂଲ୍ୟ ପାଇପାରିବ । ରିହାତି ମୂଲ୍ୟରେ ପିଆଜ ଭଣ୍ଡାର ଚାଷୀଙ୍କୁ ଦେଲେ । ଚାଷୀ ସେହି ଭଣ୍ଡାରରେ ଛେଳି କୁକୁଡ଼ା ରଖିଲା । ପିଆଜକୁ ବେପାରୀକୁ ଦେଲା ବେପାରୀ ଧାର୍ଯ୍ୟ କରିଥିବା ମୂଲ୍ୟରେ । ଯାହା ଏବେ ବି ଚାଲେ । ସରକାର ବଜାରରେ କୌଣସି ଦାୟ ରଖନ୍ତି ନାହିଁ । ତଦୃପ କପାଚାଷ । ସରକାରଙ୍କୁ ଚାପ ପକାନ୍ତି ଲୋକ ସୂତାକଳର ପୁନରୁଦ୍ଧାର ପାଇଁ । ଏଠାକାର ସମ୍ବଲପୁରୀ କପଡ଼ା ବିଶ୍ୱବିଖ୍ୟାତ କିନ୍ତୁ ବସ୍ତ୍ର କାରିଗର କିମ୍ବା ତାଙ୍କ ସମ୍ପ୍ରଦାୟରୁ କେହି ସ୍ଥାନୀୟ ଉତ୍ପାଦରୁ ସୂତା ତିଆରି ପାଇଁ ପ୍ରୟାସ କରନ୍ତି ନାହିଁ ।
ପରିବା ଚାଷୀ ନିଜର ଉତ୍ପାଦକୁ ନିଜର ବଳଦଗାଡ଼ିରେ ନେଇ ନିକଟସ୍ଥ ବଜାରରେ ବିକିଥାଏ । ପରବର୍ତ୍ତୀ ସମୟରେ ବେପାରୀ ଚାଷୀ ପାଖକୁ ଆସି ଫସଲ କିଣିନେଲା । ଯେତେବେଳେ ବଳଦ ଗାଡ଼ିର ଯୁଗ ସରିଯାଇ ମୋଟର ଗାଡିର ଯୁଗ ଆରମ୍ଭ ହେଲା । ଏତେବେଳକୁ ସରକାର ମଧ୍ୟ ବିହନ ରଖିବା ଅଧିକାର ଚାଷୀ ନିକଟରୁ ଛଡ଼େଇ ନେଇ ସାରିଥିଲେ । ଚାଷୀ ବିହନ ପାଇଁ ବଜାର ଉପରେ ନିର୍ଭର କଲା । ଯେକୌଣସି ଋତୁରେ ଯେକୌଣସି ପରିବା ଚାଷ ହେବାରେ କୌଣସି ବାଧା ରହିଲା ନାହିଁ ।
ଏହା ସେହି ସମୟ ଯେତେବେଳେ ଛତିଶଗଡ଼ କ୍ଷେତ୍ରରେ ଜଳସେଚନର ସୁବିଧା କରାଗଲା । ଶହଶହ ହେକ୍ଟର ଜମିରେ ପରିବା ଚାଷ କରାଗଲା । ସେହି ପରିବା ବଗିଚାକୁ ଓଡ଼ିଶାରୁ ଲୋକେ କାମ କରିବାକୁ ଗଲେ । ସେହି ଅଞ୍ଚଳରୁ ଯେଉଁଠାରୁ ବଡ଼ମକାର ବେଳେ ଲୋକେ ରାୟପୁର ଓ ଦୁର୍ଗକୁ ଯାଇଥିଲେ । ଛତିଶଗଡ଼ର ବ୍ୟବସ୍ଥିତ ପରିବା ବଜାର ଓ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଉତ୍ପାଦ ବୃଦ୍ଧି କଲା । ସେହି ଉପଜ ଓଡ଼ିଶା ବଜାରକୁ ପ୍ରବେଶ କଲା । ଏହାର ବ୍ୟାପ୍ତି ଏତେ ଯେ ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ କ୍ଷେତ୍ରର ଅନେକ ବଜାରକୁ ଛଅରୁ ଦଶମାସ ଛତିଶଗଡ଼ର ପରିବା କବଳିତ କରିଥାଏ ।
ଶୀତ ଆରମ୍ଭ ପରିବା ଉତ୍ପାଦର ପାରମ୍ପରିକ ସମୟ ଥିଲା । ଏହି ସମୟରେ ଚାଷୀ କିସମ କିସମର ପରିବା ବଜାରକୁ ଆଣିଥାଏ । ଫଳରେ ଛତିଶଗଡ଼ରୁ ଆସୁଥିବା ପରିବା ପ୍ରଭାବିତ ହୁଏ । ସ୍ଥାନୀୟ ଚାଷୀଙ୍କୁ ହତୋତ୍ସାହିତ କରିବା ପାଇଁ ବାହାରୁ ଆସୁଥିବା ପରିବା ମୂଲ୍ୟକୁ କମ କରି ଦିଆଯାଏ । ଫଳରେ ଛତିଶଗଡ଼ ଟମାଟରକୁ ୧୬୦ ଟଙ୍କାରୁ ଅଧିକ ଦେଇ କିଣି ଖାଇଥିବା ଲୋକ ନିଜ ଗାଁର ଉପଜ ଟମାଟରକୁ ଦଶଟଙ୍କାରେ କିଣେ । ଚାଷୀର ମନ ଭାଙ୍ଗିଯାଏ । ସେ ଚାଷ ଛାଡିଦିଏ, ଦାଦନ ଯାଏ ଅବା ଝାଲମୁଢି ବିକେ । ନହେଲେ ନିଜର କୋବି ବଗିଚାରେ ଟ୍ରାକ୍ଟର ଚଳେଇଦିଏ ।
ଏମିତି କୋରାପୁଟ ମାଳି ପାହାଡ଼ ଅଞ୍ଚଳର କଥା । ଏଠାରେ ଶତାଧିକ ଗାଁ ଅନେକ ପାହାଡ଼ି ଝରଣାକୁ ବ୍ୟବସ୍ଥିତ କରି ପରିବାଚାଷ କରନ୍ତି । ଏଠାକାର ଲୋକେ ପରିବା ଚାଷରେ ଏତେ ପାରଙ୍ଗମ ହୋଇ ସାରିଛନ୍ତି ଯେ ପ୍ରତିଦିନ ପଡ଼ୋଶୀ ରାଜ୍ୟରୁ ପିକଅପ୍ଠୁ ଟ୍ରକ ପର୍ଯ୍ୟନ୍ତ ଆସି ପରିବା ନିଅନ୍ତି । ସରକାର ହିଣ୍ଡାଲ୍କୋ କମ୍ପାନୀକୁ ପାଡ୍ଡ ଦେଇଦେବାକୁ ମନସ୍ଥ କରନ୍ତି । ଲୋକେ ବିରୋଧ କରନ୍ତି । କିନ୍ତୁ ସରକାରୀ ରିପୋର୍ଟରେ ଗୋଟିଏ ବି ଝରଣା ନଥାଏ ପାହାଡ଼ରେ । ପ୍ରତିଦିନ ଶହଶହ ଗାଡିରେ ବୁହା ହେଉଥିବା ପରିବା ଲିଭିଯାଏ ସମସ୍ତ ସରକାରୀ ଦସ୍ତାବେଜରୁ । ସରକାର ଯଦି ନିଜ ଜିଦରେ ଅଟଳ ରହିଲେ ଏତକ ଲୋକ କ୍ଷତିପୂରଣ ପାଇଲେ ବି ସେ ସମ୍ପନ୍ନତା ଫେରିବ ନାହିଁ । ପରିବା ଉପଜ ହେବ ନାହିଁ ।
ଏମିତି ତେଲନଦୀ ଉପତ୍ୟକା । ପରିବା ଚାଷପାଇଁ ସୁବିସ୍ତୀର୍ଣ୍ଣ କ୍ଷେତ୍ର । ସାହାରା ବିଦୁ୍ୟତ ଉତ୍ପାଦନ ପାଇଁ ଟିଟିଲାଗଡ଼ ନିକଟରେ ଯୋଜନା କଲା । ହଜାର ହଜାର ପରିବାଚାଷୀ ପରିବାର ଉଦବାସ୍ତୁ ହୋଇଥାନ୍ତେ । କିନ୍ତୁ ସେମାନେ ଉଦବାସ୍ତୁ ହେବେ ନାହିଁ, ଏହା କହି ହେବ ନାହିଁ ।
ପରିବା ଉତ୍ପାଦନ ହେଉଛି ସତ କିନ୍ତୁ ଚାଷୀ ତାର ଉପଯୁକ୍ତ ପାରିଶ୍ରମିକ ପାଇ ପାରୁନାହିଁ । ଏହାର ମୁଖ୍ୟ କାରଣ ହେଲା ପରିବାକୁ ସଂରକ୍ଷିତ ରଖାଯାଇ ପାରୁନାହିଁ । ଚାଷୀ ନିକଟରେ କମ୍ ସମୟ ରହେ ପରିବାକୁ ବିକିବା ପାଇଁ । ଜମିରୁ ନେଇ ବଜାରରେ ଯଦି ନ ବିକିଲା, ତାହେଲେ ତାହା ନଷ୍ଟ ହୋଇଯାଏ । ଏହାର ସଂରକ୍ଷଣ କରାଯାଇ ଉଚିତ ବଜାର ପ୍ରସ୍ତୁତ କରାନଯିବା ପର୍ଯ୍ୟନ୍ତ ଚାଷୀ ଏହି କ୍ଷତିରେ ହିଁ ପଡୁଥିବ । ଅନେକ ପରିବା ଏପରି ରହେ ଯାହାକୁ ଅଧିକ ଦିନ ସଂରକ୍ଷିତ କରାଯାଇପାରେ ନାହିଁ । ଏହାର ଶୀଘ୍ର ବିପଣନ ଆବଶ୍ୟକ ।
ଖାଦ୍ୟ ଅଧିକାର ଆଇନ ପରିଧିରେ ପରିବାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏଥିପାଇଁ ଯୋଗାଯୋଗ ପରିବହନ ଓ ବଜାରର ସୁବ୍ୟବସ୍ଥା ଆବଶ୍ୟକ । ଚାଷୀର ପରିଶ୍ରମ ଅନୁରୂପ ମୂଲ୍ୟ ଧାର୍ଯ୍ୟର ମଧ୍ୟ ଆବଶ୍ୟକତା ରହିଅଛି ।
ବର୍ତ୍ତମାନ ଗୋଟିଏ ବିଷୟ ପ୍ରତି ସମସ୍ତେ ଉଦାସୀନ ରହିଛନ୍ତି । ବିଭାଗ ଦ୍ୱାରା ବଡ଼ବଡ଼ ଚାଷୀଙ୍କୁ ପରିବା ଚାଷପାଇଁ ପ୍ରୋତ୍ସାହିତ କରାଯାଉଅଛି । ସ୍ୱଳ୍ପ ଜମିରେ ପରିବା ଚାଷକରି ଜଣେ ନିଜ ପରିବାରକୁ ପ୍ରତିପାଳିତ କରି ପାରିବ । ଅନେକ ଲୋକଙ୍କୁ କର୍ମନିଯୁକ୍ତିର ଅବସର ଦେଉଥିବା ପରିବା ଚାଷ ଯଦି ବଡ଼ ଚାଷୀଙ୍କ ହାତକୁ ଚାଲିଯାଏ, ତାହା କର୍ପୋରେଟ ହାତକୁ ଯିବା ପାଇଁ ସମୟ ଲାଗିବ ନାହିଁ । ପରିବା ଚାଷୀ ପଡ଼ୋଶୀ ରାଜ୍ୟ ଚାଷୀଙ୍କ ଚାପରେ ଯଦି ଚାଷ ଛାଡ଼ି ଦେଇପାରୁଛି, ତାହେଲେ କର୍ପୋରେଟ ବଡ଼ ଚାଷୀଙ୍କୁ ବି ନଷ୍ଟ କରିଦେବ ଏହା ସ୍ଥିର ନିଶ୍ଚିତ କଥା । ତେଣୁ ଅଧିକ କର୍ମନିଯୁକ୍ତି ଦେଉଥିବା ପରିବା ଚାଷପ୍ରତି ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଆବଶ୍ୟକର ସମୟ ଏହା ଅଟେ ।
Comments
0 comments