121ମୁଁ ଏହି ପ୍ରବନ୍ଧରେ ଆପଣଙ୍କୁ ୧୯୪୮ ମସିହାରେ ଇସ୍ରାଏଲର ଗଠନ ଠାରୁ ଆରମ୍ଭକରି ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଦୀର୍ଘସମୟ ଧରି ଚାଲିଥିବା ବିବାଦ, ଆତଙ୍କବାଦ, ଦ୍ୱନ୍ଦ୍ୱ ଓ ଯୁଦ୍ଧର ରୂପ ଦେଇଥିବା ପ୍ରମୁଖ ଘଟଣା ପ୍ରବାହକୁ ମନେ ପକାଇଦେଇ, ସେଦିନର ଅତୀତରୁ ନେଇ ଆଜିର ବର୍ତ୍ତମାନକୁ ନେଇଯିବି । ଜାତୀୟତା ଏବଂ କ୍ଷେତ୍ରୀୟ ଦାବି, ଏକାଧିକ ଯୁଦ୍ଧ, ଶାନ୍ତି, ଅଧିକାର ଏବଂ ପ୍ରତିରୋଧର ପ୍ରୟାସ ଏବଂ ସର୍ବୋପରି ମଣିଷର କଷ୍ଟ; ଏହିସବୁ ମାଧ୍ୟମରେ ନିରନ୍ତର ଭାବରେ ରହିଆସିଛି ତାହା ଉପରେ ଧ୍ୟାନକେନ୍ଦ୍ରିତ କରିଥାଏ ।
୨୦୨୩ ମସିହାର ସକାଳ, ଶନିବାର, ଅକ୍ଟୋବର ୭, କିବୁତଜେମ (ଏହା ଦକ୍ଷିଣ ଇସ୍ରାଏଲର ଗାଜାସୀମାକୁ ଲାଗିରହିଛି) ନିକଟରେ ଏକ ସର୍ବରାତ୍ର ସଂଗୀତଉତ୍ସବ (ରେଭ ଫେଷ୍ଟିଭାଲସ) ପରିବେଷଣ ହେଉଥିବା ବେଳେ ସେଠାରେ ଉପସ୍ଥିତ ଇସ୍ରାଏଲ ଜନସାଧାରଣଙ୍କ ଉପରେ ଅତର୍କିତ ଭାବରେ ଘନଘନ ରକେଟ ଆକ୍ରମଣ କରାଯାଇଥିଲା । କିଛି ବୁଝିବା ପୂର୍ବରୁ ରକେଟ ମାଡ଼ରେ ହୋଇଥିବା ବିସ୍ଫୋରଣର ଭୟ ଓ ଆତଙ୍କ ପରିବେଶ ମଧ୍ୟରେ ଜାଗିଉଠିଥିଲେ ଆନନ୍ଦ ଉଲ୍ଲାସରେ ମାତିଥିବା ଜନସାଧାରଣ । ନିଜ ନିଜର ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା କ୍ଷୀପ୍ରବେଗରେ ଧାଁଦୌଡ । ରକେଟ ଆକ୍ରମଣର ବିସ୍ଫୋରଣରେ ଥରି ଉଠିଥିଲା ସଂଗୀତ ଉତ୍ସବର ଆୟୋଜନ ସ୍ଥାନ ଏବଂ ନୃତ୍ୟସଂଗୀତର ସ୍ୱର ସବୁକିଛି କ୍ଷଣକ ମଧ୍ୟରେ ନିସ୍ତବ୍ଦ ପାଲଟି ଯାଇଥିଲା ।
ମାତ୍ର କିଛିସମୟ ମଧ୍ୟରେ ଇସ୍ରାଏଲ ବୁଝି ପାରିଥିଲା, ନିଜଦେଶର ଗୁଇନ୍ଦା ସଂସ୍ଥା ବିଫଳ ହୋଇଥିବା କାରଣରୁ ପାଲେଷ୍ଟାଇନ ଆତଙ୍କବାଦୀ ହମାସ ଗୋଷ୍ଠୀ ଏହି ନରସଂହାର କାର୍ଯ୍ୟ କରିଛି । ହମାସ ଆତଙ୍କବାଦୀମାନେ ଇତିମଧ୍ୟରେ ଇସ୍ରାଏଲରେ ପ୍ରବେଶ କରି ଗାଜା ସହ ଲାଗିଥିବା ଇସ୍ରାଏଲ ଦେଶର ବହୁ ସୁରକ୍ଷିତ ସୀମାକୁ ଭେଦ କରିସାରିଥିଲେ । ଇସ୍ରାଏଲ ଲୋକଙ୍କ ଉପରେ ଅନ୍ଧାଧୁନି ଗୁଳିମାଡ଼ କରି ଅତିକମରେ ୨୬୦ ଲୋକଙ୍କ ଜୀବନ ନେଇଥିଲେ, ଯାହା ଏହି ଆକ୍ରମଣକୁ ଇସ୍ରାଏଲ ଇତିହାସର ସବୁଠାରୁ ଭୟଙ୍କର ହତ୍ୟାକାଣ୍ଡରେ ପରିଣତ କରିଥିଲା । ଏହି ରିପୋର୍ଟ ଲେଖାଯିବା ବେଳକୁ ହମାସ ଆତଙ୍କବାଦୀମାନେ ଅତିକମ୍ରେ ୧୫୦ଲୋକଙ୍କୁ, ମୁଖ୍ୟତଃ ସାଧାରଣ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିଥିଲେ । ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧଘୋଷଣା କରି କହିଥିଲେ, “ଆମଉପରେ ଏକ ଅଘୋଷିତ ଯୁଦ୍ଧ ଲଦି ଦିଆଗଲା । ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଏହିଯୁଦ୍ଧକୁ ଇସ୍ରାଏଲ ଶେଷ କରିବ । ହମାସ ଭଳି ଅନ୍ୟ କେହି ଇସ୍ରାଏଲ ଉପରେ ଏଭଳି ଆକ୍ରମଣ କରିବାପୂର୍ବରୁ ହଜାର ଥର ଚିନ୍ତା କରିବ” । ଏହାପରେ ଇସ୍ରାଏଲ ସମଗ୍ର ଗାଜା ଅଂଚଳ ଉପରେ ପ୍ରତିଶୋଧ ନେବାକୁ ବୀଭତ୍ସ ଆକ୍ରମଣ କରି ଧ୍ୱଂସର ବିଭୀଷିକା ରଚାଇ ଦେଇଛି । ଇତିମଧ୍ୟରେ ବିଶ୍ୱର କୋଣଅନୁକୋଣରେ ରହୁଥିବା ଇସ୍ରାଏଲ ଜନସାଧାରଣ ସ୍ୱତଃପ୍ରବୃତ୍ତହୋଇ ନିଜ ମାତୃଭୂମିର ସୁରକ୍ଷାପାଇଁ ନିଜଦେଶକୁ ଛୁଟି ଆସୁଛନ୍ତି । ଇସ୍ରାଏଲବାସୀଙ୍କ ଏହି ଦେଶପ୍ରେମ ଓ ଦେଶଭକ୍ତି ପୃଥିବୀର ଅନ୍ୟଦେଶର ନାଗରିକମାନଙ୍କ ତୁଳନାରେ ଅତୁଳନୀୟ ।
କିନ୍ତୁ ମନରେ ପ୍ରଶ୍ନଉଠୁଛି, ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କାହିଁକି ଦୀର୍ଘ ଦଶନ୍ଧିର ଏହି ରକ୍ତାକ୍ତ ସଂଘର୍ଷ? କିଏ ଏହି ହମାସ? ଗାଜା ଆକ୍ରମଣର ଐତିହାସିକ ପୃଷ୍ଠଭୂମି କ’ଣ? ପାଲେଷ୍ଟାଇନବାସୀଙ୍କ ନିଜ ସ୍ୱରାଜ୍ୟ କାହିଁକି ନାହିଁ? କେଉଁଥି ପାଇଁ ଏ ଯୁଦ୍ଧ ଓ କ’ଣ ଏହାର ଇତିହାସ?
ସ୍ୱାଧୀନ ଇସ୍ରାଏଲ, ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧ ଓ ନକ୍ବା ଆବିର୍ଭାବ
ଊନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇହୁଦୀ ବିରୋଧୀ ଅତ୍ୟାଚାର ଇନ୍ଧନ ପାଇଥିବା ଜାୟୋନିଷ୍ଟ ଆନ୍ଦୋଳନ ୟୁରୋପୀୟ ଇହୁଦୀମାନଙ୍କୁ ପାଲେଷ୍ଟାଇନକୁ ଚାଲି ଯାଇ ନିଜର ପୂର୍ବପୁରୁଷ ରହିଆସିଥିବା ସ୍ଥାନରେ ଏକ ସ୍ୱତନ୍ତ୍ର ଇହୁଦୀ ରାଷ୍ଟ୍ରଗଠନର ପ୍ରେରଣା ଯୋଗାଇ ଦୃଢ଼ ମନା କରିଥିଲା । ସେମାନେ ଯେଉଁ ଭୂମିକୁ ନିଜର ଐତିହାସିକ ଅଞ୍ଚଳଭାବେ ଦେଖୁଥିଲେ, ସେଠାରେ ଏକ ଇହୁଦୀ ରାଷ୍ଟ୍ରପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ବିଶେଷକରି ‘ହୋଲୋକଷ୍ଟ’ ବିଭୀଷିକା ପରେ, ୟୁରୋପୀୟ ଇହୁଦୀମାନେ ବହୁସଂଖ୍ୟାରେ ପାଲେଷ୍ଟାଇନକୁ ସ୍ଥାନାନ୍ତରିତ ହୋଇଥିଲେ ।
୧୯୪୭ ମସିହାରେ ଜାତିସଙ୍ଘ ପାଲେଷ୍ଟାଇନକୁ ଇହୁଦୀ ଓ ଆରବ ରାଷ୍ଟ୍ରରେ ବିଭକ୍ତ କରିବାପାଇଁ ଅନୁମୋଦନ ଦେଲା ଓ ତିନୋଟି ଆବ୍ରାହମିକ ଧର୍ମ (ଇହୁଦୀ, ଖ୍ରୀଷ୍ଟିଆନ ଓ ଇସଲାମ)ର ଜନ୍ମସ୍ଥାନ ଜେରୁଜେଲମକୁ “ସ୍ୱତନ୍ତ୍ର ଅନ୍ତର୍ଜାତୀୟ ଶାସନ’ ଅଧୀନରେ ରଖିବାପାଇଁ ପ୍ରସ୍ତାବ ଦେଲା । ବର୍ତ୍ତମାନର ସଙ୍ଘର୍ଷର ମୂଳଉତ୍ସକୁ ସେହି ପ୍ରବାସର ଚରମ ମୁହୂର୍ତ୍ତରୁ ଚିହ୍ନଟ କରାଯାଇ ପାରେ ୧୯୪୮ ମସିହା ମେ ୧୪ତାରିଖରେ ଇସ୍ରାଏଲ ରାଷ୍ଟ୍ରର ପ୍ରତିଷ୍ଠା, ଯେଉଁଦିନ ପାଲେଷ୍ଟାଇନ ପାଇଁ ବ୍ରିଟିଶ୍ ଆଦେଶର ଅବସାନ ହେବାର ଥିଲା । ଇସ୍ରାଏଲର ସ୍ୱାଧୀନତା ଘୋଷଣା ପରେ ଆରବ ଦେଶମାନେ ପାଲେଷ୍ଟାଇନ ସହ ମିଶି ଇହୁଦୀଙ୍କ ବିରୋଧରେ ବର୍ବର ଆକ୍ରମଣ କରିଥିଲେ, ଯାହାଫଳରେ ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହୋଇଥିଲା ।
ପରବର୍ତ୍ତୀ ବର୍ଷ ଇସ୍ରାଏଲର ବିଜୟ ସହିତ ସେହିଯୁଦ୍ଧ ଶେଷହେଲା – ଯାହାଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ତିନୋଟି ଅଞ୍ଚଳରେ ବିଭକ୍ତ ହୋଇଗଲା: ଇସ୍ରାଏଲ ରାଷ୍ଟ୍ର(ଜାତିସଙ୍ଘର ଯୋଜନା ଅନୁଯାୟୀ ପାଲେଷ୍ଟାଇନ୍ ରାଷ୍ଟ୍ର ହେବା ପାଇଁ ଯେଉଁପ୍ରସ୍ତାବ ଦିଆଯାଇ ଥିଲା, ଯୁଦ୍ଧପରେ ତାହାର ୬୦ପ୍ରତିଶତ ଅଞ୍ଚଳ ଇସ୍ରାଏଲ ଦଖଲ କରିନେଲେ), ଜୋର୍ଡାନନଦୀ (ଜୋର୍ଡାନ ଦ୍ୱାରା ନିୟନ୍ତ୍ରିତ) ପଶ୍ଚିମକୂଳ, ଏବଂ ଗାଜାଷ୍ଟ୍ରିପ୍ (ଇଜିପ୍ଟ ଦ୍ୱାରା ନିୟନ୍ତ୍ରିତ) ।
୭,୫୦,୦୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନବାସୀ, ଯେଉଁମାନଙ୍କ ମଧ୍ୟରୁ ବିସ୍ଥାପିତ ହୋଇଥିଲେ, ଏହିଘଟଣାକୁ ‘ନକବା’ (ଆରବୀୟ ଭାଷାରେ ଏହାର ଅର୍ଥ ‘ବିପର୍ଯ୍ୟୟ’) ବୋଲି ଉଲ୍ଲେଖ କରନ୍ତି । ଯୁଦ୍ଧପରେ, ଯେତେବେଳେ ଇସ୍ରାଏଲ ପାଲେଷ୍ଟାଇନର ପ୍ରତ୍ୟାବର୍ତ୍ତନ ଅଧିକାରକୁ ସ୍ୱୀକାର କରିବାକୁ ମନା କରିଦେଲା, ନକବା ପାଲେଷ୍ଟାଇନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁଗାନ୍ତକାରୀ ମୁହୂର୍ତ୍ତ ଭାବରେ ଉଭାହେଲା । ଏହି ଜନବିଚ୍ଛିନ୍ନତା, ଅନେକ ପାଲେଷ୍ଟାଇନବାସୀଙ୍କ ସ୍ଥାୟୀ ରାଷ୍ଟ୍ରହୀନତା ଏବଂ ସ୍ଥାୟୀ ଶରଣାର୍ଥୀଙ୍କ ଜନସଂଖ୍ୟା ସୃଷ୍ଟି ସେମାନଙ୍କ ଜାତୀୟ ପରିଚୟକୁ ସୁଦୃଢ଼ କରିବାରେ ଉଲ୍ଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ଏବଂ ଆତ୍ମନିୟନ୍ତ୍ରଣ ପାଇଁ ସେମାନଙ୍କ ଅଭିଳାଷକୁ ଆହୁରି ଇନ୍ଧନ ଯୋଗାଇଥିଲା ।
ଛଅଦିନିଆ ଯୁଦ୍ଧ, ମ୍ୟୁନିକ ଗଣହତ୍ୟା ଓ ୟୋମକିପ୍ପୁର ଯୁଦ୍ଧ
ଏହିବର୍ଷ ଗୁଡ଼ିକରେ ଇସ୍ରାଏଲ୍ ଏବଂ ଏହାର ଆରବ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଏକାଧିକ ସଙ୍ଘର୍ଷ ଦେଖିବାକୁ ମିଳିଥିଲା । ଇଜିପ୍ଟ ସୁଏଜ କେନାଲକୁ ଜାତୀୟକରଣ ଘୋଷଣା କରିବାପରେ, ୧୯୫୬ ମସିହାରେ ସୁଏଜ ସଙ୍କଟରୁ ଆରମ୍ଭ ହୋଇଥିବା ବିବାଦ ପରବର୍ତ୍ତୀବର୍ଷ ଗୁଡିକରେ ଇସ୍ରାଏଲ ଓ ଆରବ ରାଷ୍ଟ୍ରର ପଡ଼ୋଶୀ ଦେଶ ମଧ୍ୟରେ ଏକାଧିକ ସଂଘର୍ଷ ସୃଷ୍ଟି କରିଥିଲା । ଏହି ବିବାଦପୂର୍ଣ୍ଣ ପରିସ୍ଥିତିର ସଂଘର୍ଷରେ ଇଜିପ୍ଟ, ଇସ୍ରାଏଲ, ଇଂଲଣ୍ଡ, ଓ ଫ୍ରାନ୍ସ ମଧ୍ୟ ସାମିଲ ହୋଇଗଲେ । ଜାତୀୟ ଆତ୍ମନିୟନ୍ତ୍ରଣ ତଥା ସ୍ଥାୟୀ ସୀମାରେଖା କାରଣକୁ ନେଇ ପାଲେଷ୍ଟାଇନବାସୀ ମଧ୍ୟପ୍ରାଚ୍ୟରେ ବ୍ୟାପକ ସଙ୍ଘର୍ଷ ସହିତ ଜଡ଼ିତ ହୋଇଯାଇଥିବାରୁ ସେମାନେ ପରୋକ୍ଷରେ ପ୍ରଭାବିତ ହୋଇଥିଲେ । ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ସୀମାରେଖା ଓ ଅନ୍ୟସମସ୍ୟାର ସମାଧାନ ଉପଲବ୍ଧି ପ୍ରକ୍ରିୟାକୁ ଅଧିକରୁ ଅଧିକ ଜଟିଳ କରିଦେଇଥିଲେ । ଏହାପରେ ଭବିଷ୍ୟତ ଯୁଦ୍ଧର ଏକ ସତ୍ୟବାଦ ସମୟ ସହିତ ତାଳଦେଇ ଅଧିକରୁ ଅଧିକ ସ୍ପଷ୍ଟ ପ୍ରତୀୟମାନ ହେଲା ।
୧୯୬୭ ମସିହାରେ ଇସ୍ରାଏଲ ନିଜର ଭବିଷ୍ୟତ ରଣନୀତିର ସୁରକ୍ଷା ପାଇଁ ଅଚାନକ ସିରିୟା, ଇଜିପ୍ଟ, ଓ ଜୋର୍ଡାନ ଉପରେ ଆକ୍ରମଣ କରିଦେଲା । ଏହି ଆକ୍ରମଣରେ ଇସ୍ରାଏଲ ମାତ୍ର ଛଅ ଦିନମଧ୍ୟରେ ଏକ ସହଜ ବିଜୟ ହାସଲ କରି ଜୋର୍ଡାନ ନଦୀର ପଶ୍ଚିମକୂଳ, ପୂର୍ବଜେରୁଜେଲମ, ଗାଜା ଅଂଚଳ, ଇଜିପ୍ଟର ସିନାଇଁ ଉପଦ୍ୱୀପ ଏବଂ ସିରିୟାର ଗୋଲୱାନ ହାଇଟିସ ଅଂଚଳରେ ନିଜର ଆଧିପତ୍ୟ ଓ ଅଧିକାର ସାବ୍ୟସ୍ତ କରିନେଲା । ସେଥିପାଇଁ ଛଅଦିନିଆ ଯୁଦ୍ଧନାମରେ ପରିଚିତ ଏହି ଯୁଦ୍ଧ ସଙ୍ଘର୍ଷର ଏକ ସନ୍ଧିକ୍ଷଣକୁ ଚିହ୍ନିତ କରିଥିଲା, କାରଣ ଇସ୍ରାଏଲ ଏହାର ମୂଳ ଆକାରର ଚାରିଗୁଣା ଅଞ୍ଚଳ ହାସଲ କରିଥିଲା ଏବଂ ଏକ ନିୟୁତରୁ ଅଧିକ ପାଲେଷ୍ଟାଇନ୍ ଅଧିକୃତ ଅଞ୍ଚଳ ଇସ୍ରାଏଲ ଶାସନ ଅଧୀନକୁ ଆସିଥିଲା ।
ଏହାର ପାଞ୍ଚବର୍ଷ ପରେ ୧୯୭୨ ମସିହାରେ ‘ବ୍ଲାକସେପ୍ଟେମ୍ବର’ ନାମରେ ପରିଚିତ ପାଲେଷ୍ଟାଇନ ଆତଙ୍କବାଦୀମାନେ ମ୍ୟୁନିକ୍ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ନିଜଦେଶର ପ୍ରତିନିଧିତ୍ୱ କରୁଥିବା ଇସ୍ରାଏଲ୍ ଅଲିମ୍ପିକ୍ ଦଳର ୧୧ଜଣ ସଦସ୍ୟଙ୍କୁ ଅପହରଣ କରି ଶେଷରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ପାଲେଷ୍ଟାଇନକୁ କିଛି ନିର୍ଦ୍ଦିଷ୍ଟ ଦେଶ କେତାକାଂଶରେ ଅନ୍ତର୍ଜାତୀୟ ସମର୍ଥନ ଦେବାପରେ ପାଲେଷ୍ଟାଇନ ଗୋଷ୍ଠୀ ସେମାନଙ୍କ ରଣକୌଶଳକୁ ପୁନଃମୂଲ୍ୟାୟନ କରିଥିଲେ ଏବଂ ସେମାନଙ୍କ ରାଜତ୍ୱ ଅନ୍ୱେଷଣରେ ଅଧିକ କୂଟନୈତିକ ମାର୍ଗଆଡ଼କୁ ଅଗ୍ରସର ହୋଇଥିଲେ ।
୧୯୭୩ ମସିହାରେ ଇଜିପ୍ଟ ଓ ସିରିଆ ମିଳିତଭାବେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ, ଯାହାଫଳରେ ୧୯ଦିନ ଧରି ଯୁଦ୍ଧ ଚାଲିଥିଲା ଏବଂ ଶେଷରେ ଇସ୍ରାଏଲର ବିଜୟ ହୋଇଥିଲା । ଏହି ଯୁଦ୍ଧ ‘ୟୋମକିପ୍ପୁର’ ଯୁଦ୍ଧନାମରେ ପରିଚିତ । ଇହୁଦୀ ଧର୍ମରେ ସବୁଠାରୁ ପବିତ୍ର ଦିନ ‘ୟୋମକିପ୍ପୁର’, ଏହିଦିନ ଯୁଦ୍ଧ ଆରମ୍ଭ ହୋଇଥିଲା । ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ କରିବା ଏବଂ ପରାଜୟ ବରଣ କରିବା ଆରବ ଦୁନିଆରେ ଅପମାନର କାରଣ ହୋଇଛି । ପରିଶେଷରେ୧୯୭୮ ମସିହାରେ ଆମେରିକାର ମଧ୍ୟସ୍ଥି ମାଧ୍ୟମରେ କ୍ୟାମ୍ପଡେଭିଡ଼୍ ବୁଝାମଣାର ନେତୃତ୍ୱ ନେଇ ଏଥିରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇଥିଲେ ।
ପ୍ରଥମ ଚୁକ୍ତି ଏବଂ ଲେବାନନ ଯୁଦ୍ଧ
କ୍ୟାମ୍ପଡେଭିଡ଼୍ ବୁଝାମଣା ଫଳରେ ଇସ୍ରାଏଲ୍ ଓ ଇଜିପ୍ଟ ମଧ୍ୟରେ ଶାନ୍ତିଚୁକ୍ତି ହୋଇଥିଲା । ଏହା ଇସ୍ରାଏଲ୍ ଓ ଆରବ ରାଷ୍ଟ୍ରମଧ୍ୟରେ ପ୍ରଥମ ଚୁକ୍ତି ଥିଲା । ଏହି ଚୁକ୍ତି ମୁତାବକ, ଇଜିପ୍ଟକୁ ଇସ୍ରାଏଲ ସିନାଇଁ ଉପଦ୍ୱୀପ ଫେରାଇ ଦେବାକୁ ରାଜି ହେଲା, ମାତ୍ର ପ୍ରତିବଦଳରେ ଇସ୍ରାଏଲ କାଇରୋ ଅଂଚଳର ଆନୁଷ୍ଠାନିକ ସ୍ୱୀକୃତି ଫେରାଇବା ସହିତ ତେଲ ଆଭିଭ୍ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଦାବୀ କଲା । ଏହି ଚୁକ୍ତିନାମାରେ ଗାଜା ଓ ପଶ୍ଚିମକୂଳରେ ପାଲେଷ୍ଟାଇନ୍ ସ୍ୱାୟତ୍ତ ଶାସନ ପାଇଁ ଏକ ଢାଞ୍ଚା ଅନ୍ତର୍ଭୁକ୍ତ ଥିବାବେଳେ ଏହାର କାର୍ଯ୍ୟକାରିତା ଅସ୍ପଷ୍ଟ ହୋଇରହିଗଲା, ଫଳରେ ଯୁଦ୍ଧର କଳାବାଦଲ ସବୁବେଳେ ଇସ୍ରାଏଲ ଓ ପାଲେଷ୍ଟାଇନ ଆକାଶକୁ ଆଚ୍ଛାଦିତ କରି ରଖିବାଦ୍ୱାରା ଧନଜୀବନ ହାନିହେବା ସହିତ ରକ୍ତପାତ ସବୁବେଳେ ଲାଗିରହିଲା ।
ଏହାର ଚାରିବର୍ଷ ପରେ ଇସ୍ରାଏଲ ପୁନର୍ବାର ଆତଙ୍କୀ ସଂଗଠନ ଭାବେ ପରିଚିତ ପାଲେଷ୍ଟିନୀୟ ଲିବରେସନ ଅର୍ଗାନାଇଜେସନ (ପିଏଲଓ)ର ଦୁର୍ଗଗୁଡିକୁ ଧ୍ୱଂସ କରିବାପାଇଁ ଲେବାନନ ଉପରେ ଆକ୍ରମଣ କରିଥିଲା । ଏହି ସଙ୍ଘର୍ଷ ପ୍ରଥମ ଲେବାନନ ଯୁଦ୍ଧଅଟେ । ଏହି ଯୁଦ୍ଧ ପିଏଲଓ ଯୋଦ୍ଧା ଏବଂ ସେମାନଙ୍କର ନେତୃତ୍ୱକୁ ସମଗ୍ର ଅଞ୍ଚଳରେ ବିକ୍ଷିପ୍ତ କରିଦେଇ ଥିଲା ଏବଂ ପାଲେଷ୍ଟାଇନ ପ୍ରତିରୋଧ ଆନ୍ଦୋଳନକୁ ଦୁର୍ବଳ କରିଦେଇଥିଲା ।
ଓସ୍ଲୋ ଚୁକ୍ତି ଓ ଇନ୍ତିଫାଦ
୧୯୮୭ ମସିହା ଡିସେମ୍ବର ମାସରେ ପ୍ରଥମ ଇନ୍ତିଫାଦ (ଆରବୀୟ ଭାଷାରେ ଇନ୍ତିଫାଦ ଅର୍ଥ ହେଉଛି, ନିଜର ସ୍ୱାଧୀନତା ଅଧିକାର ପାଇବାକୁ ଦାସତ୍ୱର ଜଞ୍ଜିରରୁ ମୁକ୍ତିପାଇବାକୁ କରାଯାଉଥିବା ବିଦ୍ରୋହ) ଆରମ୍ଭ ହୋଇଥିଲା । ପାଲେଷ୍ଟାଇନ ଇନ୍ତିଫାଦର ବୈଶିଷ୍ଟ୍ୟଥିଲା ଗଣବିକ୍ଷୋଭ, ପଥର ଫିଙ୍ଗାଳିଙ୍କ ବିକ୍ଷୋଭ ଏବଂ ପଶ୍ଚିମତଟ ଏବଂ ଗାଜାଷ୍ଟ୍ରିପରେ ଇସ୍ରାଏଲର ଦଖଲ ବିରୋଧରେ ଆଇନ ଅମାନ୍ୟ ଗଣଆନ୍ଦୋଳନ । ଇନ୍ତିଫାଦ ମୁଖ୍ୟତଃ ହିଂସାତ୍ମକ ମାର୍ଗରେ ପରିଚାଳିତ ।
ପ୍ରଥମ ଇନ୍ତିଫାଦ ୧୯୯୩ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପାଲେଷ୍ଟାଇନ୍ ଆତ୍ମ-ନିୟନ୍ତ୍ରଣ ପାଇଁ ସଂଗ୍ରାମ ଏବଂ ଓସ୍ଲୋ ଶାନ୍ତିପ୍ରକ୍ରିୟାର ଶେଷରେ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ସଚେତନତାକୁ ନୂତନ ରୂପ ଦେଇଥିଲା ।
୧୯୯୩ରେ ତତ୍କାଳୀନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଇତ୍ଝାକରା ବିନ୍ ଓ ପିଏଲଓ ଅଧ୍ୟକ୍ଷ ୟାସିର ଆରାଫତଙ୍କ ମଧ୍ୟ(ଲନ)ରେ ସ୍ୱାକ୍ଷରିତ ଐତିହାସିକ ‘ଓସ୍ଲୋ ଚୁକ୍ତିନାମା’ ମାଧ୍ୟମରେ “ପାଲେଷ୍ଟାଇନବାସୀଙ୍କ ଆତ୍ମନିୟନ୍ତ୍ରଣ ଅଧିକାର’କୁ ପୂରଣ କରିବା ଲକ୍ଷ୍ୟରେ ଏକ ଶାନ୍ତିପ୍ରକ୍ରିୟା ଆରମ୍ଭ ହୋଇଥିଲା । ପଶ୍ଚିମକୂଳ ଓ ଗାଜାର କିଛି ଅଂଶରେ ପାଲେଷ୍ଟାଇନ ଅଥରିଟି (ପିଏ) ପ୍ରତିଷ୍ଠା କରି ପାଲେଷ୍ଟାଇନବାସୀଙ୍କୁ କିଛିମାତ୍ରାରେ ରାଜନୈତିକ ସ୍ୱାଧୀନ ଶାସନ ପରିଚାଳନା ପ୍ରଦାନ କରିଥିଲା ।
ପାଲେଷ୍ଟାଇନଙ୍କ ମଧ୍ୟରେ ରାଜନୈତିକ ବିଭାଜନ ଥିଲା । ଯେଉଁମାନେ ବିଶ୍ୱାସ କରୁଥିଲେ ଯେ, କେବଳ ସଶସ୍ତ୍ର ପ୍ରତିରୋଧ ସେମାନଙ୍କ ଜମିକୁ ଇସ୍ରାଏଲର ଦଖଲରୁ ମୁକ୍ତକରିବ, ଏହି ଚୁକ୍ତିନାମାକୁ ସେମାନଙ୍କର ଉଦ୍ଦେଶ୍ୟ ପ୍ରତି ବିଶ୍ୱାସଘାତକତା ବୋଲି ବିବେଚନା କରୁଥିଲୋ । ଶେଷରେ, ଏହା ସ୍ପଷ୍ଟ ହୋଇଗଲା ଯେ ଚୁକ୍ତିଗୁଡ଼ିକ ସ୍ଥାୟୀ ଶାନ୍ତିଆଣିବ ନାହିଁ । ଉଗ୍ର ଦକ୍ଷିଣପନ୍ଥୀ ଇସ୍ରାଏଲ ତତ୍କାଳୀନ ବିରୋଧୀଦଳ ନେତା ଏରିଏଲ୍ ଶାରୋନ୍ ଇସଲାମର ତୃତୀୟ ପବିତ୍ର ସ୍ଥାନରୂପେ ପରିଚିତ ମାଉଣ୍ଟ / ହାରାମ୍ଅଲ୍ସରିଫର ବିବାଦୀୟ ପବିତ୍ର ପରିସରକୁ ଏକ ଉତ୍ତେଜନାମୂଳକ ପରିଦର୍ଶନ କରିବାର ପ୍ରତିକ୍ରିୟାରେ ୨୦୦୦ ମସିହାରେ ଦ୍ୱିତୀୟ ଇନ୍ତିଫାଦ ଉଦ୍ଗୀରଣ ହୋଇଥିଲା । ପରେ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଦ୍ୱିତୀୟ ଇନ୍ତିଫାଦ ଆତ୍ମଘାତୀ ବୋମା ବିସ୍ଫୋରଣ, ସଶସ୍ତ୍ର ମୁହାଁମୁହିଁ ଲଢ଼େଇ ଏବଂ ଉଗ୍ର ହିଂସାତ୍ମକ ଆକ୍ରମଣ ଆରମ୍ଭ ହେବାପରେ ପଶ୍ଚିମ ଉପକୂଳ ଏବଂ ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନାର ଉପସ୍ଥିତି ବୃଦ୍ଧି ପାଇଥିଲା । ଦୀର୍ଘ ପାଞ୍ଚବର୍ଷ ଧରି ହିଂସା, ଧ୍ୱଂସ ଏବଂ ଜୀବନହାନୀ ରକ୍ତପାତର ବର୍ବରତା ଚକ୍ର ଜାରି ରହିଥିଲା, ଯାହା ଯେକୌଣସି ଶାନ୍ତି କଥାବାର୍ତ୍ତାର ସମ୍ଭାବନା ଉପରେ ଛାୟା ପକାଇଥିଲା ।
ହମାସ ଶକ୍ତିବୃଦ୍ଧି ଏବଂ ଆବ୍ରାହମ ବୁଝାମଣା
୨୦୦୫ ମସିହାପରେ ଇସ୍ରାଏଲ ଏକପାଖିଆ ଭାବେ ଗାଜାଷ୍ଟ୍ରିପରୁ ଓହରି ଯାଇଥିଲା, ଜନବସତିକୁ ଉଚ୍ଛେଦ କରିଥିଲା ଏବଂ ୨୦ଲକ୍ଷ ପାଲେଷ୍ଟାଇନବାସୀଙ୍କ ଗହଳିପୂର୍ଣ୍ଣ ରଣକୌଶଳ ନିବାସସ୍ଥାନ (ଏନକ୍ଳେଭ) ରେ ନିଜର ସାମରିକ ଉପସ୍ଥିତିକୁ ସମାପ୍ତ କରିଥିଲା । ପାଲେଷ୍ଟାଇନ ସହ ଶାନ୍ତି ଆଲୋଚନା ଅଭାବରୁ ଇସ୍ରାଏଲ ବିଶ୍ୱସ୍ତରରେ ନିଜ ଭାବମୂର୍ତ୍ତିରେ ସୁଧାର ଆଣିବା ସହିତ ନିଜର ଶାନ୍ତିପ୍ରତିଷ୍ଠା ପ୍ରକ୍ରିୟା ସ୍ଥିତି ଜାହିର କରିବାକୁ ଗାଜାଷ୍ଟ୍ରିପ ସୈନ୍ୟଅପସାରଣ କରିଥିଲା । ଇସ୍ରାଏଲର ଉଦ୍ଦେଶ୍ୟ ମଧ୍ୟ ଯୁଦ୍ଧ ଓ ଦ୍ୱନ୍ଦ୍ୱର ଏକ ଜଟିଳ ମୋଡ଼ଭାବେ ଚିହ୍ନିତ ହୋଇଛି କାରଣ ଏହା ଉଭୟ ପକ୍ଷମଧ୍ୟରେ ବ୍ୟାପକ କ୍ଷେତ୍ରୀୟ ଏବଂ ରାଜନୈତିକ ବିବାଦର ସମାଧାନରେ ଏକପାଖିଆ କାର୍ଯ୍ୟାନୁଷ୍ଠାନର ସମ୍ଭାବ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୦୦୬ ମସିହାରେ ଗଣତାନ୍ତ୍ରିକ ନିର୍ବାଚନରେ ଉଗ୍ରବାଦୀ ଗୋଷ୍ଠୀ ହମାସ ପାଲେଷ୍ଟାଇନ୍ ବିଧାନପରିଷଦରେ ସଂଖ୍ୟାଗରିଷ୍ଠତା ହାସଲ କରି ଧର୍ମନିରପେକ୍ଷ ରାଜନୈତିକ ‘ଫତାହ’ ଦଳକୁ ପରାସ୍ତ କରି ସମସ୍ତ ଅଧିକୃତ ଅଞ୍ଚଳ-ଗାଜା, ପଶ୍ଚିମକୂଳ ଓ ପୂର୍ବ ଜେରୁଜେଲମକୁ ପ୍ରଶାସନ ଦେବାକୁ ପ୍ରସ୍ତୁତ ହୋଇଥିଲା । ତେବେ ପୂର୍ବରୁ ହମାସ ଏକ ଆତଙ୍କବାଦୀ ଗୋଷ୍ଠୀ ଘୋଷିତ ହୋଇଥିବାରୁ ଅଧିକାଂଶ ଅନ୍ତର୍ଜାତୀୟ ସମୁଦାୟ ହମାସ୍ ଶାସନକୁ ସ୍ୱୀକୃତି ଦେବାକୁ ମନା କରିଦେଇଥିଲେ । ହମାସ ଏବଂ ଫତାହ ମଧ୍ୟରେ ଏକ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।
ସୁରକ୍ଷା ଚିନ୍ତାକୁ ଦର୍ଶାଇ ଇସ୍ରାଏଲ ଓ ଇଜିପ୍ଟ ଗାଜାଉପରେ ମିଳିତ ଅବରୋଧ ଲଗାଇବା ସହ ଗାଜାଷ୍ଟ୍ରିପ ଭିତରକୁ ଓ ବାହାରକୁ ଲୋକଙ୍କ ଓ ସାମଗ୍ରୀର ଯାତାୟାତ ଉପରେ କଟକଣା ଲଗାଇବା ଫଳରେ ଜନସଂଖ୍ୟା ପଇଁ ସାଙ୍ଘାତିକ ଅର୍ଥନୈତିକ ଓ ମାନବୀୟ ଆହ୍ୱାନ ସୃଷ୍ଟି ହୋଇଛି । ରଣକୌଶଳ ନିବାସସ୍ଥାନ (ଏନକ୍ଳେଭ)ସ୍ଥିତିକୁ ମାନବାଧିକାର ସଙ୍ଗଠନ ଗୁଡ଼ିକ ‘ଓପେନ-ଏୟାରଜେଲ୍’ ସହିତ ତୁଳନା କରିଛନ୍ତି ।
ପରବର୍ତ୍ତୀ ବର୍ଷଗୁଡ଼ିକରେ ଇସ୍ରାଏଲ ଓ ହମାସ ମଧ୍ୟରେ ଏକାଧିକ ଗାଜାଯୁଦ୍ଧ (୨୦୦୮, ୨୦୧୨, ୨୦୧୪, ୨୦୨୧)ରେ ଉଲ୍ଲେଖନୀୟ ଧନଜୀବନ କ୍ଷୟକ୍ଷତି ହେବାସହିତ ରକ୍ତପାତ ହୋଇଥିଲା ଏବଂ ଏକ ସ୍ଥାୟୀ ଅସ୍ତ୍ରବିରତି ହାସଲ କରିବାର ଆହ୍ୱାନ ଉପରେ ଆଲୋକପାତ କରାଯାଇଥିଲା ।
୨୦୧୧ ମସିହାରେ ମୁତୟନ ହୋଇଥିବା ଇସ୍ରାଏଲର ଆଇରନ ଡୋମମିସାଇଲ ଡିଫେନ୍ସ ସିଷ୍ଟମ ଏହିଯୁଦ୍ଧରେ ପାଲେଷ୍ଟାଇନରୁ ଆସୁଥିବା ରକେଟ ଆକ୍ରମଣରୁ ଇସ୍ରାଏଲର ସହରଗୁଡ଼ିକୁ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସ୍ଥା ଯୁକ୍ତରାଷ୍ଟ୍ର ଆମେରିକାର ସହାୟତାରେ ବିକଶିତ ହୋଇଥିଲା । ପାଲେଷ୍ଟାଇନରୁ ଆସୁଥିବା ଏହି ରକେଟ ଆକ୍ରମଣକୁ ନେଇ ଇସ୍ରାଏଲ ସବୁବେଳେ ରଣକୌଶଳ ନିବାସସ୍ଥାନ (ଏନକ୍ଳେଭ) ଅଂଚଳର ଜନବସତିକୁ ଦୋଷଦେଇଛି । ଏପରିକି ଚଳିତ ଅକ୍ଟୋବର ୭ତାରିଖ ଆକ୍ରମଣର ମୁଖ୍ୟସ୍ଥାନ ଭାବେ ଏହାକୁ ଦର୍ଶାଇ ଜୋରଦାର ରକେଟ ଓ ବୋମାବର୍ଷଣ କରିଛି ।
୨୦୧୭ ମସିହାରେ ଟ୍ରମ୍ପପ୍ରଶାସନ ଅଧୀନରେ ଆମେରିକା ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ମାନ୍ୟତା ଦେବା ସହ ତେଲଆଭିଭରୁ ଜେରୁଜେଲମକୁ ନିଜର ଦୂତାବାସ ସ୍ଥାନାନ୍ତର ଥିଲା । ଏହି ପଦକ୍ଷେପ ଭବିଷ୍ୟତର ଏକ ରାଷ୍ଟ୍ର ପାଇଁ ପାଲେଷ୍ଟାଇନର ଆଶାଆକାଂକ୍ଷା କ୍ଷୁଣ୍ଣ କରିଛି, ଯାହାର ରାଜଧାନୀ ପୂର୍ବ ଜେରୁଜେଲମ ବୋଲି ଅନୁମାନ କରାଯାଉଛି ।
ଏଠାରେ ସ୍ମରଣଯୋଗ୍ୟ, ୧୯୪୮ ଆରବ-ଇସ୍ରାଏଲୀ ଯୁଦ୍ଧରେ ଜେରୁଜେଲମର ପଶ୍ଚିମାର୍ଦ୍ଧକୁ ଇସ୍ରାଏଲ ଦଖଲ କରିଥିବା ବେଳେ ୧୯୬୭ ଯୁଦ୍ଧ ଶେଷରେ ପୂର୍ବଜେରୁଜେଲମକୁ ନିଜ ଦଖଲକୁ ନେଇଥିଲା । ଅନ୍ତର୍ଜାତୀୟ ସମୁଦାୟର ଅଧିକାଂଶ ଲୋକ ଏବେ ମଧ୍ୟ ପବିତ୍ର ସହରକୁ ଅଧିକୃତ ଅଞ୍ଚଳ ବୋଲି ଭାବୁଛନ୍ତି । ଅଧିକୃତ ଜମିରେ ଇସ୍ରାଏଲର ଅଧିବାସୀ ସମ୍ପ୍ରଦାୟ ମଧ୍ୟ ଏକ ଗଭୀର ବିଭାଜନକାରୀ ପ୍ରସଙ୍ଗ ହୋଇ ରହିଛନ୍ତି ।
୨୦୨୦ ମସିହାରେ ତେଲଆଭିଭ ଆବ୍ରାହମ ଚୁକ୍ତିକରି ୟୁଏଇ, ବାହାରିନ, ସୁଦାନ ଏବଂ ମରକ୍କୋ ସହିତ ସମ୍ପର୍କକୁ ସ୍ୱାଭାବିକ କରିଥିଲା । ଆମେରିକା ଇସ୍ରାଏଲ୍ ଏବଂ ସାଉଦିଆରବ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱଦେଇ କାର୍ଯ୍ୟ କରୁଛି ଏବଂ ଏଥିରେ ସାଉଦି ଆରବ ନିରନ୍ତର ସହଯୋଗ କରୁଛି । ଏହାକୁ ପାଲେଷ୍ଟାଇନବାସୀ ଆପତ୍ତି ଜଣାଇ ଅଭିଯୋଗ କରିକହୁଛନ୍ତି, ଇସ୍ରାଏଲକୁ ସ୍ୱୀକୃତି ଦେବାର ଅର୍ଥ ହେଉଛି, ‘ପାଲେଷ୍ଟାଇନ ପିଠିରେ ଛୁରୀ ମାରିବା’ ସହିତ ସମାନ । ଏଥିପାଇଁ ପାଲେଷ୍ଟାଇନ ଆରବ ଦେଶଗୁଡ଼ିକୁ ବ୍ୟାପକଭାବେ ନିନ୍ଦା କରିଛନ୍ତି ।
ଏହି ସଙ୍ଘର୍ଷର ସଦ୍ୟତମ ଝଲକ ୨୦୨୧ମସିହା ମେ ମାସରେ ଘଟିଥିଲା, ଯେତେବେଳେ ପାଲେଷ୍ଟାଇନ ଓ ଇସ୍ରାଏଲ କ୍ଷେପଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଆରମ୍ଭ କରିଦେଇଥିଲେ । ସେତେବେଳେ ନିରୀହ ସାଧାରଣ ଜନତାଙ୍କୁ ମଧ୍ୟ ଉଭୟ ନିଜ ଆକ୍ରମଣରେ ନିସ୍ତାର ଦେଇନଥିଲେ । ୨୫୬ ପାଲେଷ୍ଟାଇନ ଏବଂ ୧୩ ଇସ୍ରାଏଲ ସାଧାରଣ ଜନତାଙ୍କର ମୃତ୍ୟୁପରେ ଏହି ଯୁଦ୍ଧ ଶେଷ ହୋଇଥିଲା ।
୨୦୨୩ ମସିହା ଅକ୍ଟୋବର ୭ତାରିଖ ଦିନ ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଯାଇ ହମାସ ଆତଙ୍କବାଦୀମାନେ ଯେଉଁ ଭୟଙ୍କର ଓ ହୃଦୟ ବିଦାରକ ପାଶବିକ ଅତ୍ୟାଚାର ଓ ନରସଂହାର ରଚାଇଥିଲେ, ତାହା ନିଶ୍ଚିତଭାବେ ଇସ୍ରାଏଲର ଇତିହାସ ପୃଷ୍ଠାରେ ଭିନ୍ନ ଏକ ଦୁର୍ଦ୍ଦିନର ଦିନରୂପେ ଲିପିବଦ୍ଧ ହୋଇରହିବ ।
ଗପଟିଏ କୁହେ ତେଲଆଭିଭ
ସମାଜବାଦୀ ଜାୟନିଷ୍ଟ ନାମରେ ପରିଚିତ ସ୍ୱର୍ଗତ ଆମି ଇଶରଫ ଉକ୍ତିକୁ ଉଦ୍ଧୃତ କରି ଇସ୍ରାଏଲର ପରବର୍ତ୍ତୀ ସରକାରମାନେ ଏହି ମୌଳବାଦୀମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ, ଯେଉଁମାନେ ପରବର୍ତ୍ତୀ ସମୟରେ ‘ହମାସ’ ହୋଇଗଲେ ।
କେମିତି ସୃଷ୍ଟିହୁଏ ଆତଙ୍କବାଦ?
ଥରେ ମୁଁ ଏକ ପ୍ରତିଷ୍ଠିତ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସାମ୍ବାଦିକତାର ଛାତ୍ରଛାତ୍ରୀମାନଙ୍କୁ ଆତଙ୍କବାଦ ପ୍ରଶ୍ନ ଉତ୍ତର ଓ ଆଲୋଚନା କାର୍ଯ୍ୟକ୍ରମରେ ଭାଗନେଇ ମୋର ମତ ଉପସ୍ଥାପନ କରିଥିଲି । ଏହି ବିଷୟର ସବୁଠାରୁ କଷ୍ଟସାଧ୍ୟ କଥାହେଉଛି ଏହାର ଇତିହାସରେ ଥିବା ବିରୋଧାଭାସକୁ ବୁଝାଇଦେବା, ଯାହା ଅନେକ ସମୟରେ ତର୍କକୁ ଖଣ୍ଡନ କରିଥାଏ । ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲଡ ରେଗାନ ୧୯୮୬ ମସିହା ମେ ମାସରେ ଏକ ରେଡ଼ିଓ ବାର୍ତ୍ତା ଦେଇ ଆମେରିକୀୟମାନଙ୍କୁ କହିଥିଲେ, “ଆତଙ୍କବାଦୀବିରୋଧୀ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗୋଟିଏ ଯୁକ୍ତିଦ୍ୱାରା ବିଫଳ ହୋଇଗଲା । ସେହି ଦାବୀଟି ଥିଲା ଗୋଟିଏ ଲୋକର ଅଦରକାରୀ କାର୍ଯ୍ୟ ଅନ୍ୟ ଜଣେ ଲୋକପାଇଁ ସ୍ୱାଧୀନତାସଂଗ୍ରାମ ଅଟେ । ରେଗାନ କହିଥିଲେ ସ୍ୱାଧୀନତାସଂଗ୍ରାମୀମାନେ କୌଣସି ଜନସଂଖ୍ୟାକୁ ଭୟଭୀତ କରାଇ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବାର ଆବଶ୍ୟକତା ନାହିଁ । ଯଦିଓ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ବିନା ହିଂସାରେ ସ୍ୱାଧୀନତା ହାସଲ କରିଥିବା ଭାରତପାଇଁ ରେଗାନଙ୍କ ଉକ୍ତି ପ୍ରଯୁଜ୍ୟ ଥିଲା । କିନ୍ତୁ ରେଗାନଙ୍କ ଦୋମୁହାଁ ନୀତି ସେଦିନ ଆତଙ୍କବାଦୀ ନେତୃତ୍ୱକୁ ବେଶ୍ ସୁହାଇଥିଲା ।
ଯଦି ରୋନାଲଡ ରେଗାନ ଠିକ କହିଥିଲେ, ଏକ ଆମେରିକୀୟ ଲାଇବ୍ରେରୀ ଅଫ୍ କଂଗ୍ରେସ ଦସ୍ତାବିଜ ରେକର୍ଡିଂରେ ସ୍ୱାଧୀନତା ପୂର୍ବର ଦିନଗୁଡ଼ିକ ଥିବାସତ୍ତ୍ୱେ ଯୁକ୍ତରାଷ୍ଟ୍ର ଆମେରିକା କାହିଁକି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମେନାଚେମ୍ବେଗିନ୍ସଙ୍କୁ ଏକ ଗ୍ରହଣୀୟ ଏବଂ ରଣନୈତିକ ଅଂଶୀଦାର ଭାବେ ବିବେଚନା କଲା? ଦୁଇଟି ବ୍ରିଟିଶ ସ୍ଥାନ ତଥା କିଙ୍ଗଡେଭିଡ୍ ହୋଟେଲରେ ଥିବା ବ୍ରିଟିଶ ସାମରିକ ମୁଖ୍ୟାଳୟକୁ ଉଡ଼ାଇ ଧ୍ୱଂସକରିବା, ତିନିଜଣ ଇହୁଦୀ ପ୍ରତିରୋଧକାରୀଙ୍କୁ ଫାଶୀଦେବା ହେତୁ ପ୍ରତିଶୋଧ ନେବା ପାଇଁ ଦୁଇଜଣ ବ୍ରିଟିଶ ସର୍ଜେଣ୍ଟଙ୍କୁ ହତ୍ୟାକରିବା, ଏବଂ ଡେରୟାସିର ଆରବ ଗ୍ରାମରେ ହୋଇଥିବା ନରସଂହାର ଯାହା ୨୫୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଭଳି ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଥିଲା । ଉପରୋକ୍ତ କାର୍ଯ୍ୟକଳାପ ପାଇଁ ବେଗିନ୍ସ ଦାୟୀ ଥିଲେ ।
ରେଗାନଙ୍କ ରେଡ଼ିଓବାର୍ତ୍ତା ଦେବାର ଏକବର୍ଷପୂର୍ବରୁ, ନ୍ୟୁୟର୍କ ଟାଇମ୍ସର ସ୍ତମ୍ଭକାର ୱିଲିୟମ୍ ସାଫାୟର ୧୯୮୫ ମସିହା ଅକ୍ଟୋବର ମାସରେ ଇସ୍ରାଏଲ ସହ ଛିଡ଼ା ନ ହୋଇଥିବାରୁ ରେଗାନ ପ୍ରଶାସନକୁ ସମାଲୋଚନା କରିଥିଲେ । ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ (ପିଏଲଓ) ସାଇପ୍ରସର ଜଳସୀମା ମଧ୍ୟରେ ଥିବା ଏକ ଡଙ୍ଗାଉପରେ ଆକ୍ରମଣ କରିଥିଲା, ସେତେବେଳେ ଇସ୍ରାଏଲର ଗୁଇନ୍ଦା ସୂଚନା ପାଇଥିଲା ଯେ ଏହା ଇସ୍ରାଏଲ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଆମେରିକାର ସହଯୋଗୀ ରାଷ୍ଟ୍ର ଇସ୍ରାଏଲକୁ ନିନ୍ଦା କରିବା ଏବଂ କ୍ଷତିପୂରଣ ପାଇଁ ଆହ୍ୱାନ କରିବାପାଇଁ ଅନୁମତି ଦେଇଥିବାରୁ ୱିଲିୟମ ସାଫାୟର ରେଗାନ ସରକାରଙ୍କ ନୀରବତା ରହିବା କାରଣକୁ ନେଇ ସମାଲୋଚନା କରିଥିଲେ ।
ଫେବୃୟାରୀ ମାସ୨୦୦୧ ମସିହାରେ ୟୁପିଆଇ ସମ୍ବାଦଦାତା ରିଚାର୍ଡ ସେଲ୍ ଆମେରିକାର କେତେକ ଗୁଇନ୍ଦା ଅଧିକାରୀ ଦେଇଥିବା ମନ୍ତବ୍ୟକୁ ଉଦ୍ଧାର କରି ଦର୍ଶାଇଥିଲେ, ତେଲଆଭିଭ ୧୯୭୦ ଦଶକର ଶେଷଭାଗରୁ ଆରମ୍ଭକରି ବର୍ଷବର୍ଷ ଧରି ହମାସକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ସେଣ୍ଟରଫର ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଅନୁଷ୍ଠାନର ମଧ୍ୟପ୍ରାଚ୍ୟ ବିଶେଷଜ୍ଞ ଆନ୍ଥୋନି କୋର୍ଡସମ୍ୟାନ ଦେଇଥିବା ମତକୁ ଉଲ୍ଲେଖକରି କୁହନ୍ତି-ଇସ୍ରାଏଲ୍ ହମାସକୁ ପିଏଲଓ ପ୍ରତି ସନ୍ତୁଳନ ଭାବେ ବ୍ୟବହାର କରିବାକୁ ଚାହିଁଥିଲା, ଏଥିପାଇଁ ଇସ୍ରାଏଲ ହାମାସକୁ ସିଧାସଳଖ ସହାୟତା ଦେଉଥିଲା ।
ଏହା ୨୦୦୯ ମସିହା ଜାନୁଆରୀ ମାସରେ ଇସ୍ରାଏଲର ପ୍ରସିଦ୍ଧ ପିଆନୋବାଦକ ଡାନିଏଲ ବାରେନ ବୋଇମଙ୍କ ଦ୍ୱାରା ପ୍ରମାଣିତ ହୋଇଥିଲା । ଦି ଗାର୍ଡିଆନରେ ‘ବିଜୟର ଭ୍ରମ’ ନାମକ ନିଜ ପ୍ରକାଶିତ ଆର୍ଟିକିଲରେ ଡାନିଏଲ ବାରେନ ବୋଇମ ଦର୍ଶାଇଥିଲେ,“ଆମକୁ ଭୁଲିବା ଉଚିତ ନୁହେଁ ଯେ ପାଲେଷ୍ଟାଇନ ପକ୍ଷରୁ ହମାସକୁ ନିର୍ବାଚିତ କରାଯିବା ପୂର୍ବରୁ, ଏହାକୁ ଇସ୍ରାଏଲ ପ୍ରୋତ୍ସାହିତ କରିଥିଲା । ୟାସିର ଆରାଫତଙ୍କୁ ଦୁର୍ବଳ କରିବାପାଇଁ ଇସ୍ରାଏଲ ଏହା ଏକ କୌଶଳ ଭାବେ ବ୍ୟବହାର କରୁଥିଲା । ଇସ୍ରାଏଲର ସାମ୍ପ୍ରତିକ ଇତିହାସ ମୋତେ ବିଶ୍ୱାସ କରିବାକୁ ପ୍ରେରଣା ଦେଉଛି ଯେ ଯଦି ହାମାସ ଅସ୍ତିତ୍ୱରୁ ବୋମାମାଡ଼ ହୁଏ, ତେବେ ଅନ୍ୟ ଏକ ଗୋଷ୍ଠୀ ନିଶ୍ଚିତଭାବରେ ଏହାର ସ୍ଥାନ ନେବ ଯାହା ଇସ୍ରାଏଲ ପ୍ରତି ଅଧିକ ଉଗ୍ରବାଦୀ, ଅଧିକ ହିଂସାତ୍ମକ ଏବଂ ଅଧିକ ଘୃଣାରେ ପରିପୂର୍ଣ୍ଣ ହେବ” ।
‘ଟାଇମ୍ସ ଅଫ୍ ଇସ୍ରାଏଲ୍’ ରିପୋର୍ଟ ପ୍ରକାଶ କରିଥିଲା, ହମାସ ଏକବର୍ଷର ଅଭିଯାନ ଅତ୍ୟନ୍ତ ଚତୁରତାର ସହ ଧୋକାଦେଇ ଇସ୍ରାଏଲକୁ ମୂର୍ଖ ବନାଇଥିଲା । ହମାସଗୋଷ୍ଠୀ ସଶସ୍ତ୍ର ସଙ୍ଘର୍ଷ ଚାହୁଁନାହିଁ ଏବଂ ଆପେକ୍ଷିକ ଶାନ୍ତି ବଜାୟ ରଖିବାପାଇଁ ଆର୍ଥôକ ପ୍ରୋତ୍ସାହନର ସହାୟତା ଯୋଗାଇ ଦିଆଗଲେ ଶାନ୍ତିପ୍ରକ୍ରିୟା ପ୍ରତିଷ୍ଠା କରାଯାଇ ପାରିବ ବୋଲି ଇସ୍ରାଏଲକୁ ଅନ୍ଧାରରେ ରଖି ହମାସ ଏହି ବିଶ୍ୱାସ ସୃଷ୍ଟିକରିବାରେ ସଫଳ ହୋଇଥିଲା ।
ହମାସ ସଂଗଠନର ସୃଷ୍ଟି ଖୁବଶୀଘ୍ର ହୋଇନଥିଲା ବରଂ ଏହାର ସୃଷ୍ଟି ଓ କାର୍ଯ୍ୟକଳାପକୁ ବୁଝିବାରେ ଇସ୍ରାଏଲ ବିଫଳ ହୋଇଥିଲା ବେଳେ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲା । ସମାଜବାଦୀ ଜାୟୋନିଷ୍ଟ ଭାବେ ପରିଚିତ ସ୍ୱର୍ଗତ ଆମିଇସେରୋଫ୍ ଏକଦା କହିଥିଲେ, ଇସ୍ରାଏଲ ସରକାରମାନେ ଏହି ମୌଳବାଦୀମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ, ଯେଉଁମାନେ ପରବର୍ତ୍ତୀ ସମୟରେ ‘ହମାସ’ ପାଲଟି ଯାଇଥିଲେ । ମେନାଚେମବେଗିନ ସରକାର ୧୯୭୩ମସିହାରେ ସେକ୍ ଅହମ୍ମଦ ୟାସିନଙ୍କ ସଙ୍ଗଠନ ‘ଅଲ୍-ମୁଜାମା’କୁ ମାନ୍ୟତା ଦେବାପାଇଁ କରିଥିବା ଆବେଦନକୁ ଅନୁମୋଦନ କରିଥିବାର ପ୍ରମାଣ ମିଳିଥିଲା । ଏପରିକି ଏହା ମୁସଲିମ୍ ବ୍ରଦରହୁଡର ଏକ ଶାଖା ବୋଲି ଜଣାପଡ଼ିଥିଲା । ୟାସିନ ଏହାର ଗାଜାରେ ରହିଥିବା ଆତଙ୍କୀ ସଙ୍ଗଠନର ନେତୃତ୍ୱ ନେଉଥିଲା ।
ବାସ୍ତବରେ, ମେନାଚେମବେଗିନ ଏବଂ ତାଙ୍କ ଉତ୍ତରାଧିକାରୀ ୟିତଜାକଶମୀର ‘ଗ୍ରାମଲିଗ’ ଭଳି ଚରମପନ୍ଥୀମାନଙ୍କୁ ସୃଷ୍ଟି କରିଥିଲେ, ଯାହା ୟାସିର ଆରାଫତଙ୍କ ଧର୍ମନିରପେକ୍ଷ ଏବଂ ବାମପନ୍ଥୀ ପିଏଲଓକୁ ଯାଞ୍ଚ କରିବାପାଇଁ ସହାୟକ ବୋଲି ବିବେଚନା କରାଯାଉଥିଲା । ସେମାନେ ସେକ୍ଅହମ୍ମଦୟାସିନକୁ ଖବରକାଗଜ ପ୍ରକାଶ କରିବାକୁ ଅନୁମତି ଦେଇଥିଲେ, କେବଳ ଇସ୍ରାଏଲବାସୀଙ୍କଠାରୁ ନୁହେଁ, ରୁଢ଼ିବାଦୀ ଇସଲାମିକ୍ ଶାସନରୁ ମଧ୍ୟ ପାଣ୍ଠିସଂଗ୍ରହ କରିଥିଲେ ଏବଂ ଗାଜାର ଇସଲାମିକ୍ ୟୁନିଭର୍ସିଟି (ଆଇୟୁଜି)କୁ ମୂଳପୋଛ କରିବାରେ ସାହାଯ୍ୟ କରିଥିଲେ । ସମୟକ୍ରମେ, ଆଇୟୁଜି ୟାସିନ ଆତଙ୍କୀ ସଂଗଠନର ଅସ୍ତ୍ରଶସ୍ତ୍ର ରଖିବାରୁ ନେଇ ଆତଙ୍କବାଦୀମାନଙ୍କ ଆଡ୍ଡା ପାଲଟି ଯାଇଥିଲା । ଗାଜାଷ୍ଟ୍ରିପରେ ଏକମାତ୍ର ଉଚ୍ଚଶିକ୍ଷା ସୁବିଧା ଭାବରେ ଆଇୟୁଜି ବିକଶିତ ହୋଇଥିଲା – ସରକାରୀ ଇସ୍ରାଏଲ ସହାୟତା ଏବଂ ଇଜିପ୍ଟ କଲେଜରେ ନାମଲେଖା ପାଇଁ ଚାହୁଁଥିବା ପାଲେଷ୍ଟାଇନ ଛାତ୍ରମାନଙ୍କ ଉପରେ ଅନ୍ବର ସାଦତ୍ ପ୍ରତିବନ୍ଧକ ଲଗାଇବା କାରଣରୁ ଆଇୟୁଜି ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା ।
୧୯୮୦ ମସିହା ବେଳକୁ ଆଇୟୁଜି ୪୫୦୦ ଛାତ୍ରଛାତ୍ରୀଙ୍କୁ ନେଇ ଅଧିକୃତ ଅଞ୍ଚଳରେ ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା । ଏପରିକି ଧର୍ମନିରପେକ୍ଷ ଛାତ୍ରମାନଙ୍କୁ ଭୟଭୀତ କରିବାପାଇଁ ମୁଜାମାକ୍ୟାଡରମାନଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ଅନୁମତି ଦିଆଯାଇ ଥିଲାବୋଲି ଇସେରଫ୍ କହିଥିଲେ । ୨୦୦୪ ମାର୍ଚ୍ଚରେ ଦି ଟେଲିଗ୍ରାଫ୍ (ୟୁକେ) ପ୍ରକାଶିତ ରିପୋର୍ଟରେ ଲେଖିଥିଲା, ସେକ୍ ଅହମ୍ମଦ ୟାସିନ ବିପଦଜନକ ରାଜନୈତିକ କାର୍ଯ୍ୟକଳାପ ପ୍ରତି ଇସ୍ରାଏଲର ଅବହେଳା ଏକ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା । ଯାହା ଇସ୍ରାଏଲର ‘ଆତଙ୍କବାଦ’ ଶବ୍ଦର ଅର୍ଥକୁ ସୂଚାଇଥାଏ ।
୧୯୮୩ ମସିହାରେ ସେକ୍ ଅହମ୍ମଦୟାସିନ ଦୁଇଟି ସିକ୍ରେଟ ପାରାମିଲିଟାରୀ କମାଣ୍ଡୋ ଗୋଷ୍ଠୀ ଗଠନ କରିଥିଲେ: ସେଥିମଧ୍ୟରୁ ପ୍ରଥମ କମାଣ୍ଡୋ ଗୋଷ୍ଠୀ ନିଶାବ୍ୟବସାୟୀ(ଡ୍ରଗ୍ ଡିଲର), ବେଶ୍ୟାବୃତ୍ତି ଏବଂ ଇସ୍ରାଏଲର ସହଯୋଗୀଙ୍କ ଉପରେ ଅନୁସନ୍ଧାନ କରିବା ସହିତ ଏଥିରେ ଲିପ୍ତ ରହିଥିବା ବ୍ୟକ୍ତିମାନଙ୍କୁ ଦଣ୍ଡପ୍ରଦାନ କରିବାକୁ ଉଦ୍ଦିଷ୍ଟ ଥିଲା ଏବଂ ଅନ୍ୟଗୋଷ୍ଠୀ ଇସ୍ରାଏଲ ଲକ୍ଷ୍ୟଉପରେ ନିରୀକ୍ଷଣ କରି ସେହି ଲକ୍ଷ୍ୟ ଓ କାର୍ଯ୍ୟକଳାପକୁ ଆକ୍ରମଣ କରିବା ସହିତ ଭଣ୍ଡୁର କରିବାପାଇଁ କାର୍ଯ୍ୟ କରୁଥିଲା । ଇସ୍ରାଏଲ ଏହାର ନିର୍ଦ୍ଦିଷ୍ଟ ପ୍ରମାଣ ପାଇବାପରେ, ୨୦୦୪ ମସିହା ମାର୍ଚ୍ଚମାସରେ ଇସ୍ରାଏଲର ପ୍ରତ୍ୟକ୍ଷ ଆକ୍ରମଣରେ ୟାସିନ ନିହତ ହେଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଗାଜାଠାରେ ସେକ୍ଅହମ୍ମଦ ୟାସିନ ନାମରେ ରହିଥିବା ଏକ ମସଜିଦକୁ (ଇସ୍ରାଏଲ ଉପରେ ହମାସ ୨୦୧୩ ମସିହା ଅକ୍ଟୋବର ୭ତାରିଖରେ ରକେଟ ଆକ୍ରମଣ ଓ ଆତଙ୍କବାଦୀମାନଙ୍କ ଦ୍ୱାରା ବନ୍ଧକ ଏବଂ ହତ୍ୟାକରିବା ପରେ ପ୍ରତି-ଆକ୍ରମଣ କରିଥିଲା) ଇସ୍ରାଏଲ ଧ୍ୱଂସ କରି ଇସ୍ରାଏଲ ବାୟୁସେନା ଅନ୍ୟ ଏକ ଚରମସୀମାକୁ ଚାଲି ଯାଇଥିଲା । ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ୧୦ଟି ମସଜିଦ୍ ଭାଙ୍ଗି ଯାଇଥିବା ମିଡିଲ୍ଇଷ୍ଟ୍ ଆଇ ରିପୋର୍ଟ କରିଛି ।
ପୂର୍ବତନ ଶିନେବ୍ଥ୍ (ଇସ୍ରାଏଲର ଆଭ୍ୟନ୍ତରୀଣ ଗୁଇନ୍ଦା ସଂସ୍ଥା) ମୁଖ୍ୟ ଆମି ଆୟାଲୋନ୍, ନିକଟରେ ଫ୍ରାନ୍ସର ଖବରକାଗଜ ‘ଲେଫିଗାରୋ’ ସହ କଥାହେବା ସମୟରେ.., ବିଚାର ସଂସ୍କାରଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟର ଚତୁଃପାର୍ଶ୍ୱରେ ଦେଶର ମହାନ ବିଭାଜନକୁ ଅନୁଭବ କରିବାପାଇଁ ସୁରକ୍ଷା ମୁଖ୍ୟଙ୍କ କଥା ଶୁଣୁନଥିବାରୁ ଇସ୍ରାଏଲର ରାଜନେତାଙ୍କୁ ଦାୟୀ କରିଥିଲେ । ଉଲ୍ଲେଖଯୋଗ୍ୟ, ସେ ଆହୁରିମଧ୍ୟ କହିଥିଲେ: ଫତାହ ଓ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଯେପରି ଆଉ ସହଯୋଗୀ ଅଂଶୀଦାର ନ ରହିବେ, ସେଥିପ୍ରତି ଇସ୍ରାଏଲ ସରକାର ଆଖିବୁଜି ଦେଇଥିଲେ ଏବଂ ହମାସକୁ ଶକ୍ତିଶାଳୀ କରି କ୍ଷମତାଦେବା ପାଇଁ ନିଜେ ଇସ୍ରାଏଲ ସରକାର ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବାର ବାଟ ତିଆରି କରିଥିଲେ । ପଶ୍ଚିମକୂଳରେ ବୈଧ ପାଲେଷ୍ଟାଇନ ସରକାରକୁ ବର୍ଜନ କରିବାର ମହା ଭୁଲକାର୍ଯ୍ୟକୁ ଆମେ ସହ୍ୟ କରିଛୁ ଏବଂ ୨୦୦୬ ମସିହାରୁ ହମାସକୁ ଆମ ଦୁଆର ମୁହଁରେ ଅସ୍ତ୍ର ରଖିବାକୁ ଅନୁମତି ଦେଇଛୁ ।
ଶିନେବ୍ଥା ପାଲେଷ୍ଟାଇନବାସୀଙ୍କୁ ‘ଆମଯୁଦ୍ଧ ସେମାନଙ୍କ ବିରୋଧରେ ନୁହେଁ’ ବୋଲି ଆଶ୍ୱାସନା ଦେବା ପରେ ‘ଏଜେଦିନ ଅଲ୍-କାସାମବ୍ରିଗେଡ୍ସ’ (ହମାସର ସଶସ୍ତ୍ରଶାଖା)କୁ ନିପାତ କରିବାପାଇଁ ଗ୍ରାଉଣ୍ଡ ଅପରେସନକୁ ସମର୍ଥନ କରିଥିଲେ । ତେବେ ସେହି ପ୍ରକ୍ରିୟାରେ କିଭଳି ନିରୀହ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟାକୁ ଏଡ଼ାଇ ହେବ, ସେ ନେଇ ତାଙ୍କପାଖରେ କୌଣସି ପ୍ରସ୍ତାବ ନଥିଲା ।
ଏସୁବୁକୁ ଦେଖିବାପରେ ସ୍ପଷ୍ଟ ବୁଝାପଡୁଛି, ଆଜି ପୃଥିବୀର କୋଣଅନୁକୋଣରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ, ଧର୍ମାନ୍ଧ ଅନୁଷ୍ଠାନ ତଥା ସ୍ୱାର୍ଥପର ରାଷ୍ଟ୍ରର ପ୍ରତିନିଧି ମାନଙ୍କ ସ୍ୱାର୍ଥପୂର୍ଣ୍ଣ ଆଶା ଚରିତାର୍ଥ ନହେବା କାରଣରୁ ସାଧାରଣ ମଣିଷର ଜୀବନଜୀବିକା ଓ ଧାର୍ମିକ ଭାବନାର ବିଶ୍ୱାସ ଟିକକ ଅତି ନିଷ୍ଠୁର-ଅମାନବୀୟ-ପାଶବିକ-ବର୍ବରତାର ସହିତ ଲୁଣ୍ଠନ ଓ ହତ୍ୟା ହେଉଛି ।
ଯେତେବେଳେ ବିଶ୍ୱ ସମୁଦାୟ ପ୍ରତିନିଧି ମାନବବାଦର ସଂଜ୍ଞା ବୁଝାଇ ବାର୍ତା ବାଂଟୁଛନ୍ତି, ଠିକ୍ ସେତିକିବେଳେ ନିଜନିଜର ସ୍ୱାର୍ଥସାଧନ ପାଇଁ ସେହିମାନଙ୍କ ମଧ୍ୟରୁ ଅଧିକାଂଶ ଅତ୍ୟନ୍ତ ନିର୍ଲଜତାର ସହିତ ଏଭଳି ଆତଙ୍କବାଦ ସଂଗଠନର ଉତ୍ପତ୍ତି ପଛରେ ଲିପ୍ତ ରହୁଛନ୍ତି । ଏହାରି ଭିତରେ ଧର୍ମ, ଜାତି, ବର୍ଣ୍ଣ, ଦେଶ ଓ ସୀମାରେଖାର ସମ୍ପର୍କ ତଥା ଏହାର ସଂଜ୍ଞା ବୁଝିବାକୁ ଅସମର୍ଥ ଶିଶୁ କିମ୍ବା ଆସନ୍ତାକାଲିର ନାଗରିକ ନିଜର ପ୍ରାଣବଳି ଦେଇ ଦେଉଛି । ଯଦି ଆଜିର ପୃଥିବୀରେ ପରିବ୍ୟାପ୍ତ ହୋଇ ଧ୍ୱଂସ ରଚାଉଥିବା ଯେକୌଣସି ଆତଙ୍କବାଦ ଗୋଷ୍ଠୀ ଓ ସଂଗଠନର ସୃଷ୍ଟି ଉପରେ ଗଭୀର ଅନୁଧ୍ୟାନ କରାଯିବ, ତେବେ ମୁଁ କହୁଥିବା ମୋର ଉପରୋକ୍ତ ଉକ୍ତି ନିଶ୍ଚିତ ବାସ୍ତବ ବୋଲି ବୁଝିହେବ । ଏହା ହିଁ ସେଦିନ ମୁଁ ସେଦିନର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆତଙ୍କବାଦର ପରିଭାଷାରେ ବୁଝାଇବାକୁ ଚେଷ୍ଟା କରିଥିଲି ।
ଇସ୍ରାଏଲ ଓ ପାଲେଷ୍ଟାଇନ୍ ହମାସ ଯୁଦ୍ଧ ପରିପ୍ରେକ୍ଷୀରେ କେବଳ ଏତିକି କୁହାଯାଇପାରେ, ଅନେକ ରାଷ୍ଟ୍ରର ଦୋମୁହାଁ ନୀତି କାରଣରୁ ଏଭଳିଯୁଦ୍ଧ ସୃଷ୍ଟି ହୋଇ ଧ୍ୱଂସସାଧନ ହାହାକାରର ବିଭୀଷିକା ରଚା ଯାଉଛି । ଆଜିର ଯୁଦ୍ଧମୁହାଁ ପରିସ୍ଥିତିର ପୃଥିବୀରେ ସହଜରେ ବୁଝିହେଉଥିବା ଆତଙ୍କବାଦ ଦ୍ୱନ୍ଦ୍ୱର ଏହି ଗୁଢ଼ ରହସ୍ୟ କିନ୍ତୁ ଆଜି ବି ବିଶ୍ୱର ପ୍ରତିଟି ସାଧାରଣ ମଣିଷପାଇଁ ଅତ୍ୟନ୍ତ ଅବୁଝା ଅଛିଣ୍ଡା କଷ୍ଟସାଧ୍ୟ ମାନସାଙ୍କହୋଇ ସବୁସମୟରେ ରହିଯାଉଛି । ଯାହାକୁ ବୁଝିବା କିମ୍ବା ବୁଝାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ପାଲଟି ଯାଇଛି ।
ମୋର ଏହି ଉପସ୍ଥାପନକୁ ଏଠାରେ ରଖିବା ପୂର୍ବରୁ ମୁଁ, ଇସ୍ରାଏଲ ଓ ପାଲେଷ୍ଟାଇନ ନେତୃବୃନ୍ଦଙ୍କ ସମେତ ଜନସାଧାରଣ ଏବଂ ଆମ ସମସ୍ତଙ୍କୁ ରାଜା ସୋଲୋମନଙ୍କ ମହାନ ଜ୍ଞାନ ଓ ଚିନ୍ତାଧାରା ମନେ ପକାଇ ଦେବାକୁ ଉଚିତ ମନେକରୁଛି, “ଆମେ ନିଶ୍ଚିତ ହୃଦବୋଧ କରିବା ଆବଶ୍ୟକ ଯେ, ପାଲେଷ୍ଟାଇନ ଓ ଇସ୍ରାଏଲ ନାଗରିକମାନଙ୍କର ସମାନ ମାନବିକ ଅଧିକାର ରହିଛି” । ଆଜିର ସାମ୍ପ୍ରତିକ ଆତଙ୍କବାଦ ଓ ଯୁଦ୍ଧ ପରିସ୍ଥିତିରେ ବିଶ୍ୱ ପ୍ରତିନିଧିମାନେ ସୋଲୋମନଙ୍କ ତତ୍ତ୍ୱଜ୍ଞାନକୁ ବୁଝିପାରି କାର୍ଯ୍ୟ କରିବାର ସମୟ ଉପସ୍ଥିତି ହୋଇଛି । ଏହା ହୋଇନପାରିଲେ ଆମେମାନେ କେବଳ ଶାନ୍ତି-ମୈତ୍ରୀ-ପ୍ରୀତିର କଥା କହିକହି କାର୍ଯ୍ୟରେ ଧ୍ୱଂସସାଧନର ବୀଜ ବୁଣିଚାଲିବା ସାର ହେବ ।
Comments
0 comments