ସୁସ୍ଥ ସ୍ୱାସ୍ଥ୍ୟର ଅସଲ ରହସ୍ୟ ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ କୃଷି

ସରୋଜ ମହାନ୍ତି
ସରୋଜ ମହାନ୍ତି153 Views
13 Min Read

ଆମ ସମୟେର ସୁସ୍ଥ ଓ ନିରୋଗୀ ଜୀବନ ଜିଇଁବା ହେଲା ବଡ଼ କଥା । ଯୁଆଡ଼େ ଦେଖିବା ବିଭିନ୍ନ ରକମର ରୋଗର ରାଜୁତି । ଆଜି ଯାହାକୁ ଦେଖିବା ମଧୁମେହ, ରକ୍ତଚାପ, ଅସ୍ୱାଭାବିକ ମୋଟାପଣ । ଯାହାକୁ ଦେଖିବା କୋଲଷ୍ଟଲର ସମସ୍ୟା । ଗାଁ ହେଉକି ସହର; ଘରେଘରେ ବୟସ ନିର୍ବିଶେଷରେ କକର୍ଟ ଓ ହୃଦ ରୋଗ । କିଡ଼୍ନୀ, ଯକୃତ ଓ ଫୁସ୍ଫୁସ୍କୁ ନେଇ ଅନେକ ରକମର ରୋଗ । ଶ୍ୱାସରୋଗ, ଚମର୍ଜନିତ ରୋଗ, ଆଲର୍ଜିଜନିତ ସମସ୍ୟା ଚାରିଆଡ଼େ । ତା ସହିତ ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ପୁଷ୍ଟିହୀନତା, ରକ୍ତହୀନତା ଖୁବ୍ ବ୍ୟାପକ । ଲୌହ, କ୍ୟାଲସିୟମର ଘୋର ଅଭାବ କାରଣରୁ କେତେ ରକମର ସ୍ୱାସ୍ଥ୍ୟ ସମସ୍ୟା । ରୋଗପ୍ରତିରୋଧକ ଶକ୍ତିର ଅଭାବ । ଦିନକୁ ଦିନ ଖଚ୍ଚର୍ବହୁଳ ହେଇ ଚାଲିଛି ସ୍ୱାସ୍ଥ୍ୟସେବା । ଯାହାକୁ ଦେଖିବା ଖାଦ୍ୟ ପରି ଖାଇ ଚାଲିଛନ୍ତି ଔଷଧ । ଔଷଧ ନିଜେ ଏକ ଖାଦ୍ୟରେ ପରିଣତ ହେଇଯାଇଛି । ଅନ୍ୟ ଦିଗରେ ଏ ପରିସ୍ଥିତିର ଫାଇଦା ଉଠେଇ ନୀତିବିହୀନ ଲାଭଖୋର କମ୍ପାନୀମାନେ ବିଭିନ୍ନ ରକମର ଔଷଧ, ଭିଟାମିନ, ହେଲଥ ଡ୍ରିଂକ୍ସ ନାଁରେ ଭଳିକିଭଳି ଦାମିକା ଜିନିଷ ବଜାରକୁ ଛାଡ଼ି ଆମକୁ ଶୋଷଣ କରିଚାଲିଛନ୍ତି ।

ଏଭଳି ପରିସ୍ଥିତିର ଅସଲ କାରଣ ନଖୋଜି ଆମେ ପ୍ରଚୁର ଅର୍ଥ ଖର୍ଚ୍ଚକରି ପ୍ରତିଦିନ ଜୀବନ ନାଁରେ ପାଶ୍ୱର୍ପ୍ରତିକ୍ରିୟା ପୀଡ଼ିତ ଏକ ଆୟୁଷ କିଣୁଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିସ୍ଥିତି ପଛରେ ଆମେ ଖାଉଥିବା ଖାଦ୍ୟର କେତେ ହାତ ଅଛି ଆମେ ଚିନ୍ତା କରୁଛୁ କି? ରାସାୟନିକ ସାର ଓ ବିଷ ବ୍ୟବହାର କରି ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ, ପନିପରିବା, ଡ଼ାଲି ଓ ଖାଇବା ତେଲ ସେଥିପାଇଁ କେତେ ଦାୟୀ, ଆମେ ସେ ବାବଦରେ ଗମ୍ଭୀରତାର ସହ ବିଚାର କରୁଛୁ କି? ସୁଆଦିଆ ଓ ଦାମିକା ଖାଇବାର ପରମ୍ପରାରେ ପଡ଼ି ଆମେ ଆମ ଖାଦ୍ୟଥାଳୀରୁ ଜରୁରୀ ଖାଦ୍ୟଶସ୍ୟ, ପନିପରିବା ଓ କନ୍ଦମୂଳ ଜାତୀୟ ଖାଦ୍ୟକୁ ଉପେକ୍ଷା କରୁନାହୁଁ ତ? ଫାଷ୍ଟଫୁଡ଼ର ଏକ ଅପସଂସ୍କୃତି ଗାଁ ଓ ସହରକୁ କବଳିତ କରିସାରିଛି । ଏକକ ଫସଲ ଚାଷରୁ ଜନ୍ମିତ ସଂସ୍କୃତି କାରଣରୁ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅନେକ ଖାଦ୍ୟକୁ ଆମେ ଖାଦ୍ୟଥାଳୀରୁ ବାଦ୍ ଦେଇ ଦେଇ ନାହୁଁ ତ? ଆଂଚଳିକ ଖାଦ୍ୟ ବ୍ୟବସ୍ଥାର ଅଧୋଗତି, ପରିବର୍ତ୍ତତ ଖାଦ୍ୟ ଅଭ୍ୟାସ ଏବଂ ସେ ଫସଲ ସହ ଜଡ଼ିତ ଜ୍ଞାନର ଅଭାବଗୁଡ଼ିକୁ ଅନେକ ଚମକ୍ରାର ଖାଦ୍ୟଶସ୍ୟର ଅଣଦେଖା କ’ଣ ଏହା ପଛର କାରଣ? ଆମେ ଭୁଲି ଯାଉଛୁ ଯେ ଖାଦ୍ୟ ନିଜେ ଏକରକମ ଔଷଧ । କଥାରେ ଅଛି ପଥିରେ ରହିଲେ ରୋଗ ପାଖ ମାଡ଼ିବ ନାହିଁ । ଆମେ ସଭିଏଁ ପାଠରେ ପଢିଛୁ ସନ୍ତୁଳିତ ଖାଦ୍ୟ ଖାଇବା କଥା । ଅନ୍ୟଟି ହେଲା ବିବିଧ ଖାଦ୍ୟ ଖାଇବା । ଆମେ ଆମର ଜୀବନଚର୍ଯ୍ୟାରେ ଏକଥାକୁ ମାନୁଛୁ କି? ଆମ ସଭିଙ୍କ ଲାଗି ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଜରୁରୀ ।

ଅସଲରେ ଆମ ଆଖପାଖରେ ଏଇମିତି ଫସଲ ଅଛି, ଏଇମିତି ପନିପରିବା, ଡ଼ାଲି, ତୈଳବୀଜ, କନ୍ଦ ଓ ଫଳ ଜାତୀୟ ଫସଲ ଅଛି ଯାହାର ସନ୍ତୁଳିତ ବ୍ୟବହାର କେଲ ଆମେ ସୁସ୍ଥ ଓ ନିରୋଗ ରହିପାରିବା । ଆମକୁ ଏଇମିତି ଖାଦ୍ୟ ଆବଶ୍ୟକ, ଯାହା ଆମର ରୋଗପ୍ରତିରୋଧକ ଶକ୍ତିକୁ ବଢ଼େଇବ, ସେଥିରେ ପ୍ରଚୁର ମାତ୍ରାରେ ବିଭିନ୍ନ ରକମର ଭିଟାମିନ୍ ଥିବ, ପ୍ରୋଟିନ୍ ଥିବ, ଫାଇବର ବା ତନ୍ତୁଜାତୀୟ ଗୁଣ ଥିବ, ଆଂଟିଅକ୍ସିିଡ଼େଂଟ ଗୁଣ ଥିବ । ରକ୍ତରୁ ଶକର୍ରା ଅଂଶକୁ କମ କରୁଥିବ, ହୃଦୟ, ଲିଭର ଓ କିଡ଼ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବ । କକର୍ଟ ହେବାର ସମ୍ଭାବନାକୁ କମ କରୁଥିବ । ଚର୍ମ, ମାଂସପେଶୀ ଓ ଟିସୁକୁ ସୁସ୍ଥ ରଖୁଥିବ । ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବାରେ ସାହାଯ୍ୟ କରୁଥିବ । ରକ୍ତରେ ଚର୍ବି ଜମିବାକୁ ଦେଉନଥିବ । ଦେହରେ ଥିବା ବିଷାକ୍ତ ରସାୟନକୁ ଦେହରୁ ନିଷ୍କାସିତ କରିବାରେ ସାହାଯ୍ୟ କରୁଥିବ । ମସ୍ତିଷ୍କକୁ ସତେଜ ରଖୁଥିବ । ଏସିଡ଼ ବା ଅମ୍ଳ ଓ ଗ୍ୟାସ ଜନିତ ସମସ୍ୟାରୁ ରକ୍ଷା କରୁଥିବ । ଶିଶୁ ଓ ମହିଳାଙ୍କ ରକ୍ତହୀନତା ଓ ପୁଷ୍ଟିହୀନତାକୁ ଦୂର କରୁଥିବ । ଆଖିକୁ ଔଜଲ୍ୟ ଦେଉଥିବ । ଓଜନ ହ୍ରାସ କରିବାରେ ସାହାଯ୍ୟ କରୁଥିବ । ପାଚନ ପ୍ରଣାଳୀକୁ ସ୍ୱାଭାବିକ ରଖିବାରେ ସହାୟକ ହେଉଥିବ । ଏଇମିତି ଖାଦ୍ୟ ଓ ଜୀବନଚର୍ଯ୍ୟା ହେବ ଯାହା ବୟସ ବୃଦ୍ଧିର ପ୍ରକ୍ରିୟାକୁ ମନ୍ଥର କରୁଥିବ । ଆମେ ସେଇମିତି କିଛି ଶସ୍ୟ, ପନିପରିବା, ଶାଗ, କନ୍ଦ ଓ ଫଳ ଜାତୀୟ ଫସଲର ଚର୍ଚ୍ଚା କରିପାରିବା ।

ପୋଷକତତ୍ତ୍ୱରେ ଭରପୁର କିଛି କ୍ଷୁଦ୍ରଶସ୍ୟ ସେ ଭିତରୁ କିଛି ଶସ୍ୟ ଅଛି ସେ ହେଲା କ୍ଷୁଦ୍ରଶସ୍ୟଜାତୀୟ ଫସଲ ଯେମିତି ମାଣ୍ଡିଆ, କୁଦୋ, ଗୁର୍ଜୀ, ସୁଆଁ, କାଂଗୁ ଆଦି । ଏସବୁ ଫସଲର ଏକ ଭଲ ଗୁଣ ହେଲା ଏହା ଅନୁର୍ବର ଢିପ ବା ଆଟ ଜମିରେ ବି ବିନା ଜଳସେଚନରେ ହେଇପାରିବ । ମାତ୍ରାଧିକ ପାଣି ଆବଶ୍ୟକ କରୁଥିବା ଧାନ, ଗହମ ଓ ଆଖୁ ଫସଲର ଏହା ବିପରୀତ । ଅତି କମ ପାଣିରେ ଏହା ହେଇପାରେ । ଅନ୍ୟ ଏକ ଦିଗ ହେଲା ଏଇଥିରେ ରୋଗପୋକ କମ ଲୋଗ । ରାସାୟନିକ ସାର ଓ କୀଟନାଶକ ବ୍ୟବହାର ବିନା ଏ ଶସ୍ୟର ଉତ୍ପାଦନ ସମ୍ଭବ । ତେଣୁ ଏ ଫସଲ ସବୁର ଉତ୍ପାଦନ ଖର୍ଚ୍ଚ ଖୁବ୍ କମ । ତେଣୁ ଆମ ଦେଶର ଛୋଟ ଚାଷୀର କୃଷି ଅଥର୍ନୀତି ପାଇଁ ଏହା ଅନୁକୂଳ । କୃଷି ଉପେର ଜଳବାୟୁ ପରିବତର୍ନର ପଡ଼ୁଥିବା କୁପ୍ରଭାବ ପରେିପ୍ରକ୍ଷେୀର ଏ ଫସଲ ସବୁକୁ ଭବିଷ୍ୟତର ଫସଲ କୁହାଯାଉଛି । ତାଛଡ଼ା ଆମ ଦେଶର ବର୍ଷାନିଭର୍ରଶୀଳ, ଅଣଜଳେସଚିତ, ଆଦିବାସୀ ଓ ପାହାଡ଼ି ଅଂଚଳ ପାଇଁ ଏହା ଅତି ଅନୁକୂଳ । ଏସବୁ ଶସ୍ୟକୁ ଗୁରୁତ୍ୱ ଦେବା ମାନେ ସବୁଜ ବିପ୍ଳବରେ ଯେଉଁ ଅଂଚଳ ଓ ଯେଉଁ କୃଷକମାନେ ଅବହେଳିତ ହେଇ ରହିଥିଲେ, ସେମାନଙ୍କୁ ଗୁରୁତ୍ୱ ଦେବା । ନୀତିଗତ ରୂପେ ଏ କାମ ହେଲେ ଏଇ ଅବେହଳିତ ଅଂଚଳର କୃଷି ଓ କୃଷକର ଅଥର୍ନୀତି ସମୃଦ୍ଧ ହେଇପାରିବ । ଯେଉଁ ଫସଲକୁ ଦିନେ ଆଦିବାସୀ ଓ ମୁରୁଖ ଲୋକଙ୍କ ଖାଦ୍ୟ ବୋଲି ବିଚାର କରାଯାଉଥିଲା, ସେ ଆଜି ସୁପର ଫୁଡ଼ର ପର୍ଯ୍ୟାୟରେ ସାମିଲ ହେଇଛି ।

ଏଇସବୁ ଫସଲକୁ ନେଇ ଏ ବର୍ଷ ପାଳିତ ହେଉଛି ଆନ୍ତର୍ଜାତୀୟ ମିଲେଟ୍ସ ବର୍ଷ । ଏବେ ସେସବୁ ମଧ୍ୟବିତ୍ତଓ ଧନୀକବର୍ଗଙ୍କ ଖାଦ୍ୟଥାଳୀରେ ପରଶିବା ଆରମ୍ଭ ହେଇଛି । ଖୁସିର କଥାଯେ ଓଡ଼ିଶା ସରକାର ‘ମିଲେଟ୍ସ ମିଶନ୍’ ନାମକ ପ୍ରକଳ୍ପରେ ଏହାର ଉତ୍ପାଦନ ସହ ଏହାର ବଜାର ପ୍ରତିଷ୍ଠା ଦିଗରେ ଉଦ୍ୟମ କରୁଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରି ମଣ୍ଡି ମାଧ୍ୟମରେ କିଣାହେଉଛି । ଏହାର ପୁଷ୍ଟିଗୁଣ ଉପରେ ରାଜ୍ୟସାରା ପ୍ରଚାର ଚାଲିଛି । ଏପରିକି କିଛି ଜିଲ୍ଲାରେ ପିଡ଼ିଏସ୍ରେ ଏହାକୁ ସାମିଲ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ମଧ୍ୟ ଏହା ପରଶିବା ଆରମ୍ଭ ହେଇଛି । ରାଜ୍ୟ ସରକାର ବିକେନ୍ଦ୍ରିତ ପ୍ରକ୍ରିୟାକରଣର ବ୍ୟବସ୍ଥା କରି ମାଣ୍ଡିଆ ସହ କୁଦୋ, ଗୁର୍ଜୀ, ସୁଆଁ ଓ କାଙ୍ଗୁକୁ ମଧ୍ୟ ଏ ପ୍ରକ୍ରିୟାରେ ସାମିଲ କଲେ ମିଲେଟ୍ସ ଫସଲର ବିବିଧତା ବଂଚିବ ଓ ଖାଉଟିଙ୍କ ଥାଳୀରେ ଶସ୍ୟର ବିବିଧତା ବଢ଼ିବ । ଏଇ ଶସ୍ୟଗୁଡ଼ିକ ମଧୁମେହ, ରକ୍ତଚାପ, ହୃଦରୋଗ, ମୋଟାପଣ, ରକ୍ତହୀନତା, କ୍ୟାଲସିୟମ ଓ ଲୌହର ଅଭାବ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଭାରତ ଓ ଓଡ଼ିଶାର ମହିଳା ଓ ଶିଶୁମାନେ ଭୋଗୁଥିବା ପୁଷ୍ଟିହୀନତା ଓ ରକ୍ତହୀନତାକୁ ଦୂର କରିବାରେ ସହାୟକ ହେବ । ଖୁସିର କଥା ଯେ ଆଜି ଓଡ଼ିଶା, କର୍ଣ୍ଣାଟକ ସହ କିଛି ଦକ୍ଷିଣ ଭାରତୀୟ ରାଜ୍ୟରେ ଚାଷୀ, ସ୍ୱୟଂସହାୟକ ଦଳ ଓ ଚାଷୀ ଉତ୍ପାଦକ ଦଳଙ୍କ ଉଦ୍ୟମ ସଫଳ ହେବାରେ ଲାଗିଛି । ସେମାନେ ମିଲେଟ୍ସରୁ ତିଆରି ଅନେକ ରକମର ସ୍ୱାଦିଷ୍ଟ ଖାଦ୍ୟ ତିଆରିବା ସହ ମୁଖ୍ୟଧାରାର ବଜାରରେ ନିଜ ଉପସ୍ଥିତି ଜାହିର କରିବାକୁ ଉଦ୍ୟମରତ । ଆଜି ବଜାରରେ ମିଲେଟ୍ସ ଅଟା, ମିଲେଟ୍ସ ଛତୁଆ, ମାଣ୍ଡିଆ ଗୁଣ୍ଡ, କୁଦୋ ଚାଉଳ, ମିଲେଟ୍ସ ବିସ୍କୁଟ ଓ କେକ୍ ମିଳୁଛି ।

ଖାଉଟି ଭାବେ ଆମେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏସବୁ ଉତ୍ପାଦନ କରୁଥିବା ମହିଳା ଓ ଚାଷୀ ଦଳଙ୍କୁ ସରକାର ସଂରକ୍ଷଣ ଦେବା ଜରୁରୀ । ସେଇଥି ଲାଗି ସେପରି ଦଳଙ୍କୁ ସରଳ ସୁଧରେ ଋଣ, ବିକେନ୍ଦ୍ରିତ ଭାବେ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ସେମାନଙ୍କ ଉତ୍ପାଦକୁ ଜିଏସ୍ଟିରୁ ମୁକ୍ତ ରଖିବା ତଥା ତାଙ୍କ ଲାଗି ସମୁନ୍ନତ ବଜାରର ବ୍ୟବସ୍ଥା ପ୍ରତିଷ୍ଠାକୁ ଗୁରୁତ୍ୱ ଦେବା ସରକାରଙ୍କ ଦାୟିତ୍ୱ । ଏଇ ସମାନ ରକମର ପ୍ରକ୍ରିୟାରେ ଆମେ ପୋଷକତତ୍ତ୍ୱଭରା ସ୍ୱାଦିଷ୍ଟ ଦେଶୀ ମୁଗ, କୋଳଥ, ବିରି ଓ ରାଶି ଚାଷକୁ ମଧ୍ୟ ପ୍ରୋତ୍ସାହିତ କରିବା ଜରୁରୀ । ନୀତିଗତ, ଢାଂଚାଗତ ଓ ପୁଞ୍ଜିଗତ ପ୍ରୋତ୍ସାହନ ବିନା ଏସବୁର ପ୍ରଚାର ପ୍ରସାର ସହଜ ନୁହେଁ । ଏଥିଲାଗି ଗୁଣାତ୍ମକ ଦେଶୀ ବିହନର ସଂରକ୍ଷଣ, ସମ୍ବର୍ଦ୍ଧନ ଓ ଉତ୍ପାଦନ ସହ ଚାଷୀଙ୍କୁ ସହଜଲବ୍ଧ କରେଇବାକୁ ହେବ । ଉଦାହରଣ ଦୃଷ୍ଟିରୁ ବରଗଡ଼ ଜିଲ୍ଲାରେ ଉପଲବ୍ଧ ଦେଶୀ ଚିକ୍ନୀକାଲୀ, ଖେର୍ସଲୀ ମୁଗ, ନୟାଗଡ଼ରେ ଉପଲବ୍ଧ ଦେଶୀ ମୁଗ ଓ ବିରି, ଦେଶୀ କଳା ଓ ଧଳା ରାଶି, କଳା କୋଳଥ ପରି ବିହନକୁ ଲୋକପ୍ରିୟ କରେଇବା । ଦେଶୀ ଡାଲି ବିହନରେ କମ୍ ରୋଗପୋକ ଲାଗିଥାଏ । ଏସବୁ ଫସଲ ମଧ୍ୟ ବହୁତ କମ ପାଣି ଦରକାର କରିଥାଏ ଯାହା ଆଜି ଜଳବାୟୁ ପରିବର୍ତ୍ତନର ଯୁଗରେ ଉପାଦେୟ ହେବ ।

ଅନ୍ୟ ଦିଗରେ ଅଭାବ କାରଣରୁ ହେଉକି ନିଜର ଖାଦ୍ୟ ସଂସ୍କୃତି କାରଣରୁ ହେଉ ଯେଉଁମାନେ ଶାକାହାରୀ ସେମାନଙ୍କ ଲାଗି ଏହାର ଉପାଦେୟତା ଆହୁରି ଅଧିକ । ଏପରିକି ଅନେକ ଦେଶୀ ଚାଉଳ ଅଛି ଯାହା ପୋଷକତତ୍ତ୍ୱରେ ସମୃଦ୍ଧ । ସେଇପରି କିଛି ଦେଶୀଧାନର ଗୁଣ ଉପରେ ଗବେଷଣା ସହ ତାକୁ ଚାଷୀ ଓ ଖାଉଟୀଙ୍କ ଭିତରେ ଲୋକପ୍ରିୟ କରାଯାଇପାରିବ । ସେ ନେଇ ଗବେଷଣାରେ ମଧ୍ୟ ପୁଞ୍ଜିନିବେଶ ବଢ଼େଇବାକୁ ହେବ । କେବଳ କୃଷି ବିଶ୍ୱବିଦ୍ୟାଳୟରେ ଗବେଷଣା ନ ହେଇ ଗବେଷକମାନେ ଚାଷୀଙ୍କ ସହ ମିଶି ଚାଷୀଙ୍କ କ୍ଷେତରେ ପରୀକ୍ଷାନିରୀକ୍ଷା କରିବା ଉଚିତ । ଆମ ସମୟରେ ଚାଷୀଙ୍କ ସହ ମିଶି କାମ କରିବା ଲାଗି କିଛି ଲୋକ-ବୈଜ୍ଞାନିକଙ୍କ ଆବଶ୍ୟକତା ରହିଛି । ଏଥି ସହିତ ରାସାୟନିକ ସାର ଓ ବିଷ ବିନା କିଚେନ୍ ଗାଡ଼େର୍ନରେ ହେଇପାରୁଥିବା ଦେଶୀ କଦଳୀ, ଅମୃତଭଣ୍ଡା, ସଜନା ବା ମୁନୁଗା ଛୁଇଁକୁ ଗୁରୁତ୍ୱ ଦେବାକୁ ହେବ । ତା’ସହ କିଛି ପୁଷ୍ଟିଯୁକ୍ତ ଶାଗ, ପନିପରିବା ଓ କନ୍ଦ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ । ଓଡ଼ିଶାରେ ବିବିଧ ରକମର ଭାଜି ଶାଗ ଚାଷର ଓ ଖାଇବାର ଏକ ସଂସ୍କୃତି ରହିଛି । ତା ସହ ଅନେକ ଅଂଚଳରେ ଦେଶୀ କାଙ୍କଡ଼ ଓ ଶିମ୍ବ ଚାଷ ହେଉଛି । ତା’ସହ ଅତି ଅଳ୍ପଜମିରେ ବିଭିନ୍ନ ରକମର ପୁଷ୍ଟିତତ୍ତ୍ୱରେ ଭରା କନ୍ଦବି ଚାଷ ହେଇପାରିବ । ଏତିକି ତ ପ୍ରତି ଘର ସାମ୍ନା ଓ ପଛପଟରେ ଥିବା ଅଳ୍ପ ଜମିରେ ମହିଳାଙ୍କ ନେତୃତ୍ୱରେ ଓ ପୁରୁଷଙ୍କ ସହଭାଗିତାରେ ସମ୍ଭବ ହେବ । ଅନ୍ୟଦିଗରେ ଅନେକ ସ୍କୁଲ ଓ ମହାବିଦ୍ୟାଳୟ ଯେଉଁଠି ଛାତ୍ରାବାସ ରହିଛି ସେଠି ଏଇସବୁ ପୁଷ୍ଟିଯୁକ୍ତ ଫସଲର ଚାଷ କରାଯାଇ ସେସବୁକୁ ଛାତ୍ରଙ୍କ ଖାଦ୍ୟ ଶୃଙ୍ଖଳରେ ସାମିଲ କରାଯାଇପାରିବ । ସେଥିଲାଗି ଉଭୟ ନୀତି ଓ ପୁଞ୍ଜିଗତ ବ୍ୟବସ୍ଥା ସରକାର କରିପାରିବେ ଯାହା ଭାରତର କିଛି ରାଜ୍ୟରେ ଆରମ୍ଭ ହେଇସାରିଛି । ଆଉ କିଛି ପନିପରିବା ରହିଛି ଯେମିତି ପ୍ଳାଂଟ ଇନସୁଲିନ ଥିବା କଲରା, ବର୍ଷସାରା ହେଉଥିବା ଭେଣ୍ଡି ଯାହା କୋଲୋଷ୍ଟ୍ରଲକୁ ହାସ କରି ହୃଦରୋଗ ସମ୍ଭାବନାକୁ ହ୍ରାସ କରେ, ମୋଟାପଣ ହ୍ରାସ, ଯକୃତକୁ ସୁରକ୍ଷା, ମସ୍ତିଷ୍କକୁ ସତେଜ କରୁଥିବା କାଙ୍କଡ଼ ସହ ଅନ୍ୟ ସବୁଜ ପନିପରିବା ଯାହା ବଜାରରେ ସହଜଲବ୍ଧ ତାର ବ୍ୟବହାର ହେଉ ।

ତା’ସହ କିଛି ପାରମ୍ପରିକ ଫଳ ଯେମିତି ଭାରତୀୟ ଅଁଳା ଯାହା ଭିଟାମିନ୍ ସି ଓ ଆଂଟିଅକ୍ସିଡ଼େଣ୍ଟ ଗୁଣଯୁକ୍ତ, ଔଷଧୀୟ ଗୁଣ ଓ ଭିଟାମିନ୍ୟୁକ୍ତ ପଣସ, ମଧୁମେହ ରୋଗୀ ଓ ହୃଦୟର ସୁସ୍ଥତା ଲାଗି ଉପାଦେୟ ଜାମୁକୋଳି, ଅନେକ ପୋଷକତତ୍ତ୍ୱ ଓ ତନ୍ତୁଗୁଣ ଥିବା ଦେଶୀ ପିଜୁଳି ଆଦିକୁ ଆମେ ଗୁରୁତ୍ୱର ସହ ଚାଷ ବ୍ୟବସ୍ଥାରେ ଓ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବା କଥା । ବର୍ତ୍ତମାନ ଭାରତର କିଛି ରାଜ୍ୟରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉପାଦେୟ ପ୍ରମାଣିତ ହେଉଥିବା ପଣସରୁ ତିଆରି ଅଟାର ବ୍ୟବହାର ଆରମ୍ଭ ହେଇଛି । ଏସବୁ ପାରମ୍ପରିକ ଫଳଚାଷ ନେଇ ଯଦିଓ ଉଦ୍ୟମ ଆରମ୍ଭ ହେଇଛି ସେ ଯୋଜନାଗୁଡ଼ିକୁ ଗମ୍ଭୀରତାର ସହ କାର୍ଯ୍ୟକାରୀ କରିବା ଆବଶ୍ୟକ । ତା ସହ କିଛି ଜଙ୍ଗଲରୁ ଉପଲବ୍ଧ ଫଳ, ମୂଳ ଓ ଶାଗକୁ ମଧ୍ୟ ଖାଦ୍ୟ ଶୃଙ୍ଖଳକୁ ଅଣାଯାଇ ପାରିବ ।

ଉତ୍ପାଦନ ପ୍ରଣାଳୀଟି ଜୈବିକ ବା ପ୍ରାକୃତିକ ହେବା ଏକ ଜରୁରୀ ସର୍ତ୍ତ ଏଇ ସବୁ ଶସ୍ୟ ଓ ପନିପରିବାଗୁଡ଼ିକ ଖାଉଟି, ଚାଷୀ ଓ ଆମ ପରିବେଶ ପାଇଁ ସେତେବେଳେ ହିଁ ଉପାଦେୟସିଦ୍ଧ ହେବ ଯେତେବେଳେ ଉତ୍ପାଦନ ବ୍ୟବସ୍ଥାଟି ବିଷମୁକ୍ତ ହେଇଥିବ । ଉତ୍ପାଦନ ବ୍ୟବସ୍ଥାକୁ ରାସାୟନିକ ସାର, କୀଟନାଶକ ଓ ତୃଣନାଶକରୁ ମୁକ୍ତ ରଖିବାକୁ ହେବ । ଏ ନେଇ ଏକ ସୁଚିନ୍ତିତ ଯୋଜନା ଓ ରଣନୀତି ସହ ସାରାଦେଶ ଓ ପ୍ରତିଟି ରାଜ୍ୟକୁ ସମୟକ୍ରମେ ଆଗକୁ ବଢ଼ିହେବ । ଏହାର ମୂଳରେ ଦେଶର ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ଉଭୟକୁ ରଖିବାକୁ ହେବ । ମୂଳ ଲକ୍ଷ୍ୟ ହେବ ସୁସ୍ଥ ଖାଉଟି ଓ ସମୃଦ୍ଧ ଚାଷୀ । ଏଥରକ ବର୍ଷାନିଭର୍ରଶୀଳ ଅଂଚଳ, ଆଦିବାସୀ ଅଂଚଳ ଓ ଆଟ ଜମିର ଚାଷକୁ ଅଗ୍ରାଧିକାର ଦେବାକୁ ହେବ । ପରିବେଶ ଓ ମାନବୀୟ ସ୍ୱାସ୍ଥ୍ୟ ଅନୁକୂଳ ଉତ୍ପାଦନ ବ୍ୟବସ୍ଥା ସହ ପୁଷ୍ଟିଯୁକ୍ତ ଶସ୍ୟ ଓ ପନିପରିବାକୁ ଯୋଡ଼ିବା ତଥା ନ୍ୟାୟୋଚ୍ଚିତ ମୂଲ୍ୟ ସହ ଏକ ବ୍ୟବସ୍ଥିତ ବଜାର ପାଇଁ ନୀତି, ଭିତ୍ତିଭୂମି, ଢାଂଚା, ପୁଞ୍ଜି, ପ୍ରକ୍ରିୟାକରଣ ଦିଗରେ ଅନେକ କାମ କରିବାକୁ ହେବ । ବିକେନ୍ଦ୍ରିତ ଭାବେ ସ୍ଥାନୀୟ ଜୈବିକ ଉତ୍ପାଦନ, ସ୍ଥାନୀୟ ଚାହିଦା ସୃଷ୍ଟି ସହ ସ୍ଥାନୀୟ ବଜାରକୁ ଅଗ୍ରାଧିକାର ଦେବାକୁ ହେବ ।

ରନ୍ଧନ କଳା, ସଂସ୍କୃତି ଓ ଖାଦ୍ୟ ଅଭ୍ୟାସର ପରିବର୍ତ୍ତନ ଲୋଡ଼ା

ଏକକ ଫସଲର ସଂସ୍କୃତି କାରଣରୁ ଆମ ଖାଦ୍ୟ ସଂସ୍କୃତିରୁ ବିବିଧତା ଉଭେଇ ଯାଇଛି । ସେ ଦୃଷ୍ଟିରୁ ପୁଷ୍ଟିଯୁକ୍ତ ଶସ୍ୟ, ପନିପରିବା, ଶାଗ, କନ୍ଦ ଓ ପାରମ୍ପରିକ ଫଳକୁ ନେଇ ସ୍ୱାଦିଷ୍ଟ ଅଥଚ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ତିଆରି ଓ ବ୍ୟବହାରକୁ ନେଇ ଦେଶବ୍ୟାପୀ ଅଭିଯାନ ଚଳେଇବାକୁ ହେବ । ଆମର ଏକକ ଫସଲ ଓ ଫାଷ୍ଟଫୁଡ଼କେନ୍ଦ୍ରିକ ଖାଦ୍ୟ ଓ ରନ୍ଧନ ସଂସ୍କୃତି ଆମକୁ ଦେଇଥିବା ଅଭ୍ୟାସକୁ ବଦଳେଇବାକୁ ହେବ । ମାତ୍ରାଧିକ ତେଲ ଓ ମସଲା ସହ ମାତ୍ରାଧିକ ଶିଝା ତଥା ଛଣା ବିନା ଯେ ଖାଦ୍ୟ ସ୍ୱାସ୍ଥ୍ୟପ୍ରଦ ହେବା ସହ ସ୍ୱାଦିଷ୍ଟ ମଧ୍ୟ ହେଇପାରିବ ସେ ନେଇ ଲୋକଙ୍କ ସାମ୍ନାରେ ଅନେକ ନମୂନା ଥୋଇବାକୁ ହେବ । ରନ୍ଧନକଳାର ଏକ ନୂଆଁ ସଂସ୍କୃତି ତିଆରି ଲାଗି ବିଶେଷ ଅଭିଯାନ ହାତକୁ ନେଇ ତାକୁ ଲୋକପ୍ରିୟ କରିବାକୁ ହେବ । ଏ ଦିଗରେ ଖାଦ୍ୟ ଓ ପୁଷ୍ଟି ବିଶେଷଜ୍ଞମାନଙ୍କ ଏକ ବଡ଼ ଭୂମିକା ରହିବ । ସେ ସଂସ୍କୃତି ବଦଳିଲେ ହିଁ ଜୈବିକ ଉପାୟରେ ଉତ୍ପାଦିତ ପୁଷ୍ଟିଯୁକ୍ତ ଶସ୍ୟ ଓ ପନିପରିବାର ଚାହିଦା ବଢ଼ିବ ଓ ଲୋକେ ଚାଷୀକୁ ନ୍ୟାୟୋଚ୍ଚିତ ମୂଲ୍ୟ ଦେବାକୁ ପ୍ରସ୍ତୁତ ହେବେ । ଖାଉଟି ବୁଝିଯିବେ ଯେ ନୀତିବିହୀନ ଲାଭଖୋର ଚିକିତ୍ସକ, କମ୍ପାନୀ ଓ ଔଷଧ ବେପାରୀଙ୍କ ଦ୍ୱାରା ଶୋଷିତ ହେବା ବଦଳରେ ଜୈବିକ ଉପାୟରେ ପୁଷ୍ଟିଯୁକ୍ତ ଶସ୍ୟ ଓ ପନିପରିବା ଉତ୍ପାଦନ କରୁଥିବା ଚାଷୀଙ୍କୁ ନ୍ୟାୟୋଚ୍ଚିତ ମୂଲ୍ୟ ଦେବା ବୁଦ୍ଧିମାନୀ ହେବ । ଏସବୁ ପ୍ରକ୍ରିୟାରେ ଗୋଟିଏ କଥା ଉପରେ ଧ୍ୟାନ ଦେବାକୁ ହେବ ଯେ ଚାଷୀ ନିଜେ ଜଣେ ଖାଉଟି । ସେ ନିଜେ ଜୈବିକ ପଦ୍ଧତେିର ଉତ୍ପାଦନ କରୁଥିବା ପୁଷ୍ଟିଯୁକ୍ତ ଶସ୍ୟ ଓ ପନିପରିବା ଖାଇବାକୁ ନ ଭୁଲୁ । କେବଳ ଅତିରିକ୍ତ ଉତ୍ପାଦନର ବିକ୍ରି ଲାଗି ବଜାରକୁ ଯାଉ । ଅନେକ ସମୟରେ ଆମେ ଦେଖୁଯେ କଂଚା ପଇସା ମିଳୁଥିବା କାରଣରୁ ଛୋଟ ଓ ନାମମାତ୍ର ଚାଷୀ ନିଜର ସମସ୍ତ ଉତ୍ପାଦକୁ ନିଜେ ନ ଖାଇ ବିକି ଦେଇଥାଏ । ପୁଷ୍ଟିଯୁକ୍ତ ଶସ୍ୟ ଓ ପନିପରିବା ଉତ୍ପାଦନ ଓ ବଜାର ବ୍ୟବସ୍ଥା ପରିପ୍ରେକ୍ଷୀରେ ‘କେଉଁଟ ଧରେ ମାଛ, ଖାଏ କେରାଣ୍ଡି’ ପରି ଘଟଣା ନଘଟୁ ।

Comments

0 comments

Share This Article