ଆସ ଲଗାଇବା ତାଳ ଗଛ!

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati239 Views
9 Min Read

ସ୍ୱତନ୍ତ୍ର ରିଲିଫ କମିଶନର ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ବର୍ତ୍ତମାନ ରାଜ୍ୟରେ ବ୍ୟାପକ ତାଳଗଛ ଲଗାଇବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଘୋଷଣା କରି କହିଛନ୍ତି, ” ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୭.୫୯ କୋଟି ତାଙ୍କ ବିନିଯୋଗ କରି ପ୍ରାୟ ୧୯ଲକ୍ଷ ତାଳଗଛ ଲଗାଯିବାର ଯୋଜନା କରାଯାଇଛି’ । ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ‘ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାରିଣୀ ବୈଠକରେ ଖୋଦ ମୁଖ୍ୟ ଶାସନସଚିବ ପ୍ରଦୀପ ଜେନା ରାଜ୍ୟରେ ବିପଦପ୍ରବଣ ବଜ୍ରପାତ ମୁକାବିଲା କରିବାକୁ ତାଳଗଛ ଲଗାଇବାକୁ ଗୁରୁତ୍ୱ ଦେବା ସହିତ ଅଗ୍ରାଧିକାର ଦେଇ ଜଙ୍ଗଲ ଓ ଚାଷ ଜମି ନିକଟରେ ତାଳ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆହ୍ୱାନ ଜଣାଇ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ଜଙ୍ଗଲ ଓ କୃଷିବିଭାଗକୁ ବହୁସଂଖ୍ୟାରେ ତାଳଗଛ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ମୁଖ୍ୟ ଶାସନସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନସଚିବଙ୍କ ବହୁ ଆଗରୁ ନିଜସ୍ୱ ପ୍ରଚେଷ୍ଟାରେ ନିଧିକୁମାର ରାଉତରାଏ ନାମକ ଜଣେ ଅବସରପ୍ରାପ୍ତ ପଦାଧିକାରୀ ଆମ ଦୃଷ୍ଟିର ଆଢୁଆଳରେ ଏହି କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରି ୩୧ହଜାର ତାଳ ଗଛ ଦୁଇବର୍ଷ ମଧ୍ୟରେ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି । ଆମେ ସମସ୍ତେ ସାଧାରଣ ଭାବେ ଜାଣିଛୁ ତାଳଗଛ ବଜ୍ରପାତକୁ ପ୍ରତିହତ କରିଥାଏ । ମାତ୍ର ଏହାକୁ ବାଦ୍ ଦେଇ ତାଳଗଛର ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ ଆମ ସମାଜପାଇଁ ରହିଛି ଯାହାକୁ ସାଧାରଣତଃ ଆମେ ଜାଣି ନଥାଉ ।

୨୦୨୨ ମସିହା ଜୁଲାଇ ମାସ ୩୧ ତାରିଖ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ନିଧିକୁମାର ରାଉତରାଏ ଅବସର ଗ୍ରହଣ କରିଲେ । ପ୍ରକୃତି ସୁରକ୍ଷା ପାଇଁ ନିଜର ଅବସର ପରେ କିଛି କରିବାକୁ ନିଧି ବାବୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଏବଂ ଏଠାରେ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ବିଶେଷ ବୃଦ୍ଧି ପାଉନାହିଁ । ଏସବୁକୁ ଧ୍ୟାନଦେଇ ନିଧିବାବୁ ନିଜ ଗାଁ ସମେତ ନିକଟସ୍ଥ ଉପକୂଳ ଓଡ଼ିଶାରେ ତାଳଗଛ ଲଗାଇବା ପ୍ରତି ମନୋନିବେଶ କରିଥିଲେ । ନିଜର ନିଷ୍ଠାପରତା ପାଇଁ ଆଜି ନିଧିବାବୁ ପୁରୀରୁ ନେଇ ପାରାଦୀପ ଉପକୂଳ ଅଂଚଳରେ ଦୁଇବର୍ଷ ମଧ୍ୟରେ ପ୍ରାୟ ୩୧ହଜାର ତାଳ ଗଛ ଲଗାଇବାରେ ସଫଳ ହୋଇଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ନିଧିବାବୁ ନିରାକାରପୁର ଅଂଚଳର ନିଜ ଗାଁ ‘ବେଣାଗାଁ’ ସମେତ ବକୁ ଓ ଲେଣ୍ଡୁ ପ୍ରଭୃତି ନିକଟସ୍ଥ ଗାଁ ଗଣ୍ଡାରୁ କେତେକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ସର୍ବ ପ୍ରଥମେ ୨୨ ହଜାର ତାଳ ଗୋଟୋମା (ତାଳ ମଞ୍ଜି) ସଂଗ୍ରହ କରିଥିଲେ । ସେମାନଙ୍କୁ ମେଳିକରି ତାଳଗଛ ଲଗାଇବାର ମହତ୍ୱ ଓ ପ୍ରଣାଳୀ ଉପରେ ଆଲୋଚନା କରିବା ସହିତ ତାଳମଞ୍ଜି ସଂରକ୍ଷଣ ଓ ସୁରକ୍ଷା ତାଲିମ ପ୍ରଦାନ କରିଲେ । ଗ୍ରାମବାସୀମାନଙ୍କୁ ତାଳ ମଞ୍ଜି ସଂଗ୍ରହ କରିବାକୁ ଉତ୍ସାହିତ କରି ପ୍ରତି ତାଳ ଗୋଟୋମା ପିଛା ୧ଟଙ୍କା ପ୍ରଦାନ କରିଥିଲେ ।

ଜୁଲାଇ ଓ ଅଗଷ୍ଟ ମାସରେ ତାଳମଞ୍ଜି ସଂଗ୍ରହ ହୋଇଥାଏ ଏବଂ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହି ମଞ୍ଜି ଲଗାଯାଇଥାଏ । ସମୟ ମୁତାବକ ସଂଗୃହୀତ ହୋଇଥିବା ୨୨ହଜାର ତାଳମଞ୍ଜିକୁ ପ୍ରଥମେ ନିଧି ବାବୁଙ୍କ ସହିତ କେତେକ ଗ୍ରାମବାସୀ କୋଣାର୍କ, ବ୍ରହ୍ମଗିରି ଓ ଅସ୍ତରଙ୍ଗ ଉପକୂଳ ଅଂଚଳରେ ରୋପଣ କରିଥିଲେ । ଅଧିକାଂଶ ଅଂଚଳ ଗ୍ରାମ୍ୟ ଜଙ୍ଗଲ ସହିତ ଜଙ୍ଗଲ ଜମି ଥିବାରୁ ଜଙ୍ଗଲ ବିଭାଗ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିଥିଲେ । ୩ ଧାଡ଼ିରେ ୫ଫୁଟ ଅନ୍ତରରେ ଏହିସବୁ ତାଳ ଗଛ ଲଗାଯାଇ ଥିଲା ।

ପ୍ରଥମ ପର୍ଯ୍ୟାୟର ତାଳମଞ୍ଜି ଲଗାଯିବା ଏବଂ ଏହାର ଉପକାର ବୁଝି ପାରିବା ପରେ ନିଧିବାବୁଙ୍କ ଦ୍ୱାରା ତାଙ୍କର କେତେକ ସାଙ୍ଗ ସାଥି ଓ ପାରାଦୀପ ଅଂଚଳର ପରିଚିତ ଶୁଭେଛୁମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଚଳିତବର୍ଷ ଅକ୍ଟୋବର ମାସ ଶେଷବେଳକୁ ପ୍ରାୟ ୧୧ହଜାର ତାଳ ମଞ୍ଜି ପାରାଦୀପ, କୁଜଙ୍ଗ ଓ ଅସ୍ତରଙ୍ଗ ଅଂଚଳରେ ସଫଳତାର ସହ ଲଗାଯାଇଛି । ଏଥିପାଇଁ ପ୍ରାୟ ପାଞ୍ଚୋଟି ଗାଁ ଗଣ୍ଡାର “ଇକୋ ଡେଭେଲପମେଣ୍ଟ କମିଟି” ସମସ୍ତ ସାହାଯ୍ୟ ଯୋଗାଇ ଦେଇଥିଲା ।

“ତାଳଗଛ ସଙ୍ଗେସଙ୍ଗେ ଉପକାର ପ୍ରଦାନ କରିନଥାଏ । ମାତ୍ର ଦୀର୍ଘକାଳୀନ ଭିତ୍ତିରେ ଏହା ମଣିଷ ସମାଜପାଇଁ ଅତ୍ୟନ୍ତ ମୂଲ୍ୟବାନ ପାଲଟି ସେବା ଯୋଗାଇଥାଏ । ୨୦ବର୍ଷ ପରେ ତାଳଗଛ ଲଗାଯାଇଥିବା ଅଂଚଳରେ ବଜ୍ରପାତ, ବାତ୍ୟା, ବନ୍ୟା ଓ ସାମୁଦ୍ରିକ ଜୁଆରରୁ ଧନଜୀବନକୁ ସୁରକ୍ଷା ଯୋଗାଇବାରେ ନିଶ୍ଚିତ ସକ୍ଷମ ହେବ । ତାଳଗଛ ଗ୍ରାମ୍ୟ ଅର୍ଥନୀତି ଓ ଖାଦ୍ୟଶୃଙ୍ଖଳାକୁ ସୁରକ୍ଷିତ ଓ ସମୃଦ୍ଧ କରିଥାଏ । ତାଳପତ୍ର, ତାଳଗଛ ଗଣ୍ଡି, ତାଳରୁ ପ୍ରସ୍ତୁତ ତାଳଗୁଡ଼ ଓ ମିଶ୍ରି ପ୍ରଭୃତିର ଚାହିଦା ଆଜି ବିଶ୍ୱ ବଜାରରେ ଢେର ଅଧିକ/ ମାଟିର ସୁରକ୍ଷା ପାଇଁ ତାଳପତ୍ର ପ୍ୟାକିଂ ହେଉଛି ସବୁଠାରୁ ଉନ୍ନତ ପ୍ୟାକିଂ ବ୍ୟବସ୍ଥା ଏବଂ ପରିବେଶ ଉପଯୋଗୀ । ତାଳ ଗଛର ଅମୂଲ୍ୟ ଉପକାର ଓ ଅବଦାନ ଅବର୍ଣ୍ଣନୀୟ, ଯାହାକୁ ସାଧାରଣ ମଣିଷ ବୁଝି ପାରି ନଥାଏ’ ବୋଲି କୁହନ୍ତି ନିଧି ବାବୁ ।

ତାଳଗଛ ଆମ ମାଟି ଓ ଭୂତଳ ଜଳ ସଂରକ୍ଷଣ ସହିତ ପରିବେଶ ସୁରକ୍ଷାରେ ଗୁରୁଦାୟିତ୍ୱ ବହନ କରିବା ସହିତ ଆମର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇଥାଏ । ଗ୍ରାମ୍ୟ କୁଟୀର ଶିଳ୍ପକୁ ତାଳଗଛ ଅତ୍ୟନ୍ତ ସମୃଦ୍ଧ କରିପାରିବାରେ ସହାୟକ ହେବ ମାତ୍ର ଏହାକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ସାଧାରଣତଃ ଆଜିବି ଗୁରୁତ୍ୱ ଦିଆଯାଉ ନାହିଁ । ଏହାର ଏକମାତ୍ର କାରଣ ସଚେତନତାର ଘୋର ଅଭାବ ସାଙ୍ଗକୁ ଆମମାନଙ୍କ ଇଛାଶକ୍ତି ଓ ଆନ୍ତରିକତା ଏଦିଗରେ ଆଦୌ ନାହିଁ ।

ରାଜ୍ୟର ଜଣାଶୁଣା ପରିବେଶବିତ୍ ଓ ନଦୀ ସୁରକ୍ଷା ଅଭିଯାନର ପୁରୋଧା ସଚ୍ଚିକାନ୍ତ ପ୍ରଧାନ କୁହନ୍ତି, “ରାଜ୍ୟରେ ବର୍ତ୍ତମାନ ତାଳଗଛ ସଂଖ୍ୟା ବ୍ୟାପକ ଭାବେ ଦିନକୁ ଦିନ କମିବାରେ ଲାଗିଛି । ଉଭୟ ଜଙ୍ଗଲ ଓ ଅଣ ଜଙ୍ଗଲରୁ ମୁଖ୍ୟତଃ ପୁରୀ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଢେଙ୍କାନାଳ ଓ ଅନୁଗୁଳ ଭଳି ଜିଲ୍ଲାରେ ଆଖିବୁଜା ତାଳ ଗଛ କଟାଯାଉଛି । ଗଞ୍ଜାମ ଅଂଚଳରୁ ତାଳଗଛ ପ୍ରାୟତଃ ହଜିଗଲାଣି । ହାତୀଙ୍କର ପ୍ରିୟ ଖାଦ୍ୟ ତାଳ ଅଟେ ଏବଂ ବର୍ଷାଦିନରେ ତାଳଖାଇବା ଉପରେ ହାତୀମାନେ ମୁଖ୍ୟତଃ ନିର୍ଭର କରନ୍ତି । ଏଭଳି ଅବାଧରେ ତାଳଗଛ କଟା ଚାଲିଲେ ଆଗାମୀ ଦିନରେ ହାତୀ-ମଣିଷ ସଂଘର୍ଷ ବର୍ଷାଦିନରେ ବୃଦ୍ଧି ପାଇବ । ଓଡିଶାରୁ ଆଖିବୁଜା ଭାବେ ତାଳ ଗଛ କଟାଯାଇ ଅବାଧରେ ଆନ୍ଧ୍ର, ତେଲେଙ୍ଗାନା, ଓ ତାମିଲନାଡୁ ଭଳି ଦକ୍ଷିଣଭାରତ ରାଜ୍ୟକୁ ଚୋରାଚାଲାଣ ହେଉଛି । ତାମିଲନାଡୁ ଭଳି ରାଜ୍ୟରେ ବର୍ତ୍ତମାନ ତାଳଗଛ କାଟିବା ଉପରେ ଦୃଢ଼ କଟକଣା ଲାଗିଛି, ତେଣୁ ଓଡ଼ିଶାରୁ ତାଳଗଛ କଟାଯାଇ ଉପରୋକ୍ତ ରାଜ୍ୟମାନଙ୍କୁ ଚାଲାଣ ହେଉଛି । ବିଭିନ୍ନ ନାମୀଦାମୀ ତାରକା ହୋଟେଲରେ ସୌଖିନ ଓ ବିଳାସପୂର୍ଣ୍ଣ କଟେଜ ନିର୍ମାଣ ହେବା ସହିତ ସେହିସବୁ ହୋଟେଲମାନଙ୍କର ଅଙ୍ଗ ସାଜସଜ୍ଜାରେ ତାଳ ଗଛର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ବ୍ୟବହାର ହେଉଛି । ଏହାସହିତ ସମୁଦ୍ର ଉପକୂଳରେ ତାଳଗଛ କୁଟୀର ନିର୍ମାଣ କମ ଖର୍ଚ୍ଚରେ ହେଉଛି ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଚାହିଦା ଓ ଆଦୃତ ବଢ଼ିବାରେ ଲାଗିଛି । ଏସବୁଥି ପାଇଁ ତାଳ ଗଛ କଟାଯାଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି” ।

“ତାଳ ଗଛ ନିୟମିତ ବର୍ଷା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାଏ । ଏହା ସହିତ ଓଡ଼ିଶାର ଜନ ଜୀବନ, କୃଷି କାର୍ଯ୍ୟ ଓ ସଂସ୍କୃତି ସହିତ ଅଙ୍ଗାଅଙ୍ଗି ଭାବେ ତାଳଗଛ ଜଡ଼ିତ । ଜଗନ୍ନାଥଙ୍କ ପାଖରେ ତାଳ ପିଠା ଭୋଗ ଲାଗି ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି । ଆମ ସଂସ୍କୃତିରେ ବହୁ ମୂଲ୍ୟବାନ ପ୍ରାଚୀନ ପୋଥି, ଜାତକ ଓ ପଟ୍ଟଚିତ୍ର କେବଳ ତାଳ ପତ୍ରରେ ରହିଛି । ଏପରପତ୍ର ବିଞ୍ଚଣା, ଚଟେଇ, ଝାମ୍ପି, ପାଖିଆ ଓ ଆସନ ପ୍ରଭୃତିର ବହୁଳ ବ୍ୟବହାର ରହି । ବନ ବିଭାଗ ତାଳ ଗଛ ଲଗାଇବା ଦିଗରେ ତଥା ପୁରୁଣା ତାଳଗଛର ସୁରକ୍ଷା, ସଂରକ୍ଷଣ ଓ ସଚେତନତା ଦିଗରେ ମଧ୍ୟ ଗୁରୁତ୍ୱ ନଦେବା ନିତାନ୍ତ ଦୁର୍ଭାଗ୍ୟଜନକ । ୨୦୧୯ ମସିହାରେ ତାଳ ଗଛ କଟାଯିବା ଓ ପରିବହନ ଉପରେ ରହିଥିବା ଆଇନକୁ କୋହଳ କରି ଦିଆଗଲା ।

ଓଡ଼ିଶା ତାଳଗଛର ତାମିଲନାଡୁକୁ ଚାଲିଛି ଚୋରାଚାଲାଣ/ ନିଦ୍ରାରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ/ ଅନ୍ୟପଟେ ମୁଖ୍ୟ ଶାସନସଚିବଙ୍କ ସମେତ ଜଙ୍ଗଲ ବିଭାଗ ସଚିବ ଓ ଅତିରିକ୍ତ ସଚିବମାନଙ୍କ ଲମ୍ବା ମିଟିଂ ଓ ଇଟିଂରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲକ୍ଷାଧିକ ତାଳଗଛ ଲଗାଇବାର ସ୍ୱପ୍ନରେ ଭାଷଣର ଘୋଷଣାମାନ କରାଯାଉଛି । କିନ୍ତୁ କାର୍ଯ୍ୟକ୍ରମ ପଦକ୍ଷେପ ଏପର୍ଯ୍ୟନ୍ତ ଟିକିଏ ବି ନେବାର ଦୃଷ୍ଟି ପଡୁନାହିଁ /ତାମିଲନାଡୁରେ ବର୍ତ୍ତମାନ ତାଳଗଛ କାଟିବା ଉପରେ ଦୃଢ଼ କଟକଣା କରାଯାଇ ଏହାର ଉଲଂଘନ କଲେ କଠୋର ଦଣ୍ଡବିଧାନ ଲାଗୁ କରାଯାଇଛି/ଏଭଳି ପରିପ୍ରେକ୍ଷୀରେ ଯେତେବେଳ ଅବାଧରେ ତାଳଗଛ କଟାଯାଇ ତାମିଲନାଡୁକୁ ଚୋରାଚାଲାଣ ହେଉଛି ଠିକ ସେତିକିବେଳେ ୨୦୧୯ ମସିହାର ତାଳଗଛ କଟାଯିବା ଓ ପରିବହନ ଆଇନକୁ ସମ୍ପୂର୍ଣ୍ଣ କୋହଳ କରିଦିଯାଇଛି /ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ ତଥା ବିଭାଗୀୟ ସଚିବ ଓ ମୁଖ୍ୟ ସଚିବ ସବୁ ଜାଣି ନଜାଣିଲା ପରି ଶୋଇ ରହିଛନ୍ତି ଏବଂ ବାସ୍ତବତାରୁ ବହୁଦୂରରେ ରହି ଭୁଆଁ ବୁଲାଇ ଲକ୍ଷାଧିକ ତାଳଗଛ ଲଗାଇବାର କେବଳ ଶସ୍ତା ରାଜନୈତିକ ଘୋଷଣା କରିଚାଲିଛନ୍ତି ।

ଆମେ ଏଠାରେ କହି ରଖିବାକୁ ଚାହୁଁ ତାଳଗଛ କେବଳ ଆମକୁ ବଜ୍ରପାତରୁ ସୁରକ୍ଷା ଦେଇନଥାଏ, ବରଂ ତାଳଗଛ ଆମକୁ ଏବଂ ଆମ ପ୍ରକୃତିକୁ ଅନେକ ସେବା ଓ ଅବଦାନ ଯୋଗାଇ ଦେଇଥାଏ; ଯାହାକୁ ସାଧାରଣତଃ ଆମ ମଧ୍ୟରୁ ଅନେକ ଜନସାଧାରଣ ତଥା ତାଳଗଛ ଲଗାଇବାକୁ ମିଟିଂ କରୁଥିବା ବିଜ୍ଞ ସଚିବମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ ନଚେତ ତାଳଗଛ ଖାଲି ଆମକୁ ବଜ୍ରପାତରୁ ରକ୍ଷା କରିବା ବୋଲି କହୁନଥାନ୍ତେ/କିନ୍ତୁ ଏହା ନିଶ୍ଚିତ ସଚିବମାନଙ୍କ ମିଟିଂ ମାଧ୍ୟମରେ ଅଗାମୀଦିନରେ ଯଦି ତାଳଗଛ ଲଗାଇବା କାର୍ଯ୍ୟକ୍ରମ ସଫଳ ରୂପାୟନ ନିଷ୍ଠାର ସହିତ କରାଯାଇପାରନ୍ତା ତେବେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଉପକୂଳ ଓଡ଼ିଶାରେ ଅନେକ ସୁଫଳ ମିଳିପାରନ୍ତା/ଏକଦା ୧୯୭୧ ମସିହାରୁ ନେଇ ପରବର୍ତ୍ତୀ ସମୟରେ ତାଳଗଛର ମହତ୍ୱକୁ ବୁଝିପାରି ତକ୍ରାଳୀନ ଢେଙ୍କାନାଳ ଲୋକସଭା ସାଂସଦ ଦେବେନ୍ଦ୍ର ଶତପଥି ନିଜ ନିଜ ଅଂଚଳରେ ତାଳଗଛ ଲଗାଇବାକୁ ଆହ୍ୱାନ ଦେଇ ଏହାକୁ ନେଇ ଏକ ଜନଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ଆବଶ୍ୟକତା ଓ ଗୁରୁତ୍ୱକୁ ସେତେବେଳେ ଅନେକ ପୋଖତ ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷ ବୁଝିବାକୁ ସକ୍ଷମ ହୋଇପାରି ନଥିଲେ, ସେଥିପାଇଁ ଏକ ଖବରକାଗଜରେ ସମାଲୋଚନା କରି ଲେଖା ଯାଇଥିଲା ଦେବେନ୍ଦ୍ର ବାବୁଙ୍କୁ ନେଇ ତାଳଗଛ ଉପରେ ବସାଇଡିଆ / ମାତ୍ର ପରିତାପର ପ୍ରସଙ୍ଗ ଓଡ଼ିଆ ଜାତି ଯଦି ସେଦିନ ଦେବେନ୍ଦ୍ର ଶତପଥିଙ୍କ ମହତ ଉଦେଶ୍ୟ ଓ ଦୂରଦୃଷ୍ଟିସମ୍ପନ୍ନ ଜ୍ଞାନକୁ ବୁଝି ପାରିଥାନ୍ତେ । ତେବେ ତାଳଗଛକୁ ନେଇ ଓଡିଶାର ଗ୍ରାମୀଣ ଅର୍ଥନୀତି, କୁଟୀରଶିଳ୍ପ, ପରିବେଶ, ପ୍ରାକୃତିକ ବିପର୍ଯ୍ୟରୁ ନିଶ୍ଚିତ ଏକ ବଡ଼ ଧରଣର ସୁଫଳ ଆଜି ପ୍ରତିଟି ଓଡ଼ିଆ ପାଇପାରିଥାନ୍ତେ / ତାଳଗଛ ପ୍ରକୃତିକୁ ଯୋଗାଇ ଦେଉଥିବା ଅବଦାନ ପାଇଁ ଉକ୍ରଳଗୌରବ ମଧୁସୂଦନ ଦାସ ଏକଦା ବିଦେଶରେ କହିଥିଲେ ଆମ ତାଳଗଛରେ ପକ୍ଷୀ ବାନ୍ଧୁଥିବା ବସା ଯେଉଁ ନିର୍ମାଣଶୈଳୀର ପରିଚୟ ଦିଏ, ଆପଣମାନଙ୍କ ବଡ଼ ବଡ଼ ଇଂଜିନିୟର ସବୁ ସେଭଳି ଘର ନିର୍ମାଣ କରିବା ପ୍ରାୟତଃ ସମ୍ଭବ ନୁହେଁ / ଏଠାରେ ଉଲ୍ଲେଖଯୋଗ୍ୟ ତାଳଗଛରେ ବାୟା (ବାଇ) ଚଢ଼େଇ ବସା ବୁଣିବାର ସୂକ୍ଷ୍ମ କାରୁକାର୍ଯ୍ୟ ଅତ୍ୟନ୍ତ ବିରଳ ଏବଂ ବାଆଁ ଚଢ଼େଇର ବସା ଆମକୁ କେଉଁ ଦିଗରୁ ମେଘ ଉଠାଇଲେ ବର୍ଷା ହେବ ତାର ନିଶ୍ଚିତ ସୂଚନା ପ୍ରଦାନ କରିଥାଏ । ଏହା ଆମ ସମାଜ ଓ ପରିବେଶ ପ୍ରତି ତାଳଗଛ ଯୋଗାଇ ଦେଉଥିବା ଉପକାରିତାର ନିଦର୍ଶନର ପ୍ରମାଣ କରି ଆଜିର ଦିନରେ ଆମମାନଙ୍କୁ ଆହ୍ୱାନ ଦିଏ ଦେବେନ୍ଦ୍ର ଶତପଥି ଓ ମଧୁ ବାବୁଙ୍କ କଥାକୁ ପାଳନକରି ନିଧି ରାଉତରାୟଙ୍କ ପରି ସମସ୍ତେ “ଆସ ଲଗାଇବା ତାଳଗଛ’ ।

Comments

0 comments

Share This Article