ଧର୍ମ ନିରପେକ୍ଷତା ବନାମ ଧର୍ମୀୟ ଐକ୍ୟ

ଧନେଶ୍ୱର ସାହୁ
ଧନେଶ୍ୱର ସାହୁ177 Views
23 Min Read

ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ, ଇସଲାମ ଧର୍ମ ଇତ୍ୟାଦି କହିଲା ବେଳେ ଧର୍ମର ଯେଉଁ ଭାବନାଟି ଆସେ ସେହି ଅର୍ଥରେ ଏହି ପ୍ରବନ୍ଧରେ ଧର୍ମ ସମ୍ବନ୍ଧରେ ଆଲୋଚନା କରାଯିବ । କେତେକ ଗୌଣ ଧର୍ମକୁ ବାଦ୍ ଦେଲେ ପୃଥିବୀରେ ଆଠଟି ମୁଖ୍ୟ ଧର୍ମ ଥିବା ଜଣାଯାଏ । ସେଗୁଡ଼ିକ ହେଲା ଖ୍ରୀଷ୍ଟଧର୍ମ, ମୁସଲମାନ ଧର୍ମ, ହିନ୍ଦୁ ଧର୍ମ, ପାର୍ଶି ଧର୍ମ, ଇହୁଦୀ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଓ ଶିଖ୍ ଧର୍ମ । ଏହି ପ୍ରତ୍ୟେକଟି ଧର୍ମ ବହୁ ଅତୀତରେ ବିଭିନ୍ନ ଭୌଗୋଳିକ ପରିସରରେ ଏକ ସାଂସ୍କୃତିକ ଜାଗରଣ ଭାବେ ଉଦ୍‌ଭବ ହୋଇଥିଲା । କାଳକ୍ରମେ ପ୍ରତ୍ୟେକ ଧର୍ମ ବ୍ୟାପକ ଅଞ୍ଚଳକୁ ପ୍ରସାରିତ ହୋଇ ଏକ ବୃହତ୍ତର ଜନଗୋଷ୍ଠୀ ଭିତରେ ଏକ ସାଂସ୍କୃତିକ ସଂହତି ପ୍ରତିଷ୍ଠା କଲା । ପ୍ରତ୍ୟେକ ଧର୍ମ ବଡ଼ ଭୂଖଣ୍ଡର ସାଂସ୍କୃତିକ ଜୀବନଧାରାର ଅବିଚ୍ଛେଦ୍ୟ ଅଙ୍ଗ ହେଲା । ଧର୍ମକୁ ଆଧାର କରି ସାହିତ୍ୟ, ଦର୍ଶନ, କଳା, ଭାସ୍କର୍ଯ୍ୟ, ସାମାଜିକ ପରମ୍ପରା, ନୈତିକ ମୂଲ୍ୟବୋଧ ଇତ୍ୟାଦି ବିକଶିତ ହେଲା । ସଭ୍ୟତାର ବିକାଶ ପ୍ରକ୍ରିୟାରେ ଧର୍ମ ଜନଜୀବନର ଏକ ପ୍ରମୁଖ ସାଂସ୍କୃତିକ ଆଧାର ହେଲା ।

ପ୍ରାଚୀନ ସଭ୍ୟତାମାନଙ୍କର ଆଲୋଚନା ପୃଷ୍ଠଭୂମିରେ ସେହି ଭୂଖଣ୍ଡର ଜନଗଣଙ୍କର ଧାର୍ମିକ ବିଶ୍ୱାସ, ସାମାଜିକ କ୍ରିୟାପଦ୍ଧତି, କର୍ମକାଣ୍ଡ, ସାମାଜିକ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ପରିପ୍ରେକ୍ଷୀରେ ଧର୍ମ ଏକ ମୁଖ୍ୟ ଭୂମିକା ପାଇଥାଏ । ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଧର୍ମ ଏକ ଭୌଗୋଳିକ ଭୂଖଣ୍ଡର ସାଂସ୍କୃତିକ ପ୍ରବାହର ଅଭିନ୍ନ ଅଙ୍ଗହେବା ମନେହୁଏ । ପ୍ରତ୍ୟେକ ଧର୍ମ ଏକ ସାମାଜିକ ଗୋଷ୍ଠୀ ସହ ସଂପୃକ୍ତ ଥିବାରୁ ଊନବିଂଶ ଶତାବ୍ଦୀରେ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସମାଜ-ବିଜ୍ଞାନର ଅଧ୍ୟୟନ ପରିପ୍ରେକ୍ଷୀରେ ‘ଧର୍ମ’ ବି ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟୟନର ବିଷୟ ହେଲା । ଧର୍ମ ଏକ ସାମାଜିକ ଅନୁଷ୍ଠାନର ରୂପ ନେଇଥିବା ହେତୁ ପ୍ରତ୍ୟେକ ଧର୍ମର ଐତିହାସିକ, ସାଂସ୍କୃତିକ, ଦାର୍ଶନିକ ଓ ନୈତିକ ଦିଗ ଉପରେ ଆଲୋଚନା କରାଗଲା । ପ୍ରତ୍ୟେକ ଧର୍ମର ଉତ୍ପତ୍ତି, ବ୍ୟାପ୍ତି, ବିକାଶ, ସାହିତ୍ୟିକ କୃତି, କଳା, ଭାସ୍କର୍ଯ୍ୟ ଇତ୍ୟାଦି ସଂପର୍କରେ ଐତିହାସିକ ଚିତ୍ରଟି ସ୍ପଷ୍ଟ ହେଲା । ସେହିପରି ପ୍ରତ୍ୟେକ ଧର୍ମର ତାତ୍ତ୍ୱିକ ସିଦ୍ଧାନ୍ତ, ବିଶ୍ୱାସ, ପାରଲୌକିକ କଳ୍ପନା, ଜୀବନର ଅନ୍ତିମ ଲକ୍ଷ୍ୟ ନେଇ ରହିଥିବା ଭାବନା ମଧ୍ୟ ପ୍ରକାଶ ପାଇଲା । ଗୋଟିଏ ଧର୍ମକୁ ଆଧାର କରି ରହିଥିବା ସାହିତ୍ୟ କୃତି ମଧ୍ୟରେ ନୀତି, ନୈତିକତା, ମାନବିକ ମୂଲ୍ୟବୋଧ, ଜୀବନର ଶ୍ରେୟ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ଆଲୋଚିତ ହେଲା । ଶହ ଶହ ବର୍ଷର କ୍ରମବିକାଶ ପ୍ରକ୍ରିୟାରେ ଧର୍ମକୁ ଆଧାର କରି ଗଢ଼ିଉଠିଥିବା ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀମାନ ମଧ୍ୟ ଜଣାପଡ଼ିଲା । ଏହା ସହିତ ଧର୍ମଭିତ୍ତିକ କର୍ମକାଣ୍ଡ, ପୂଜା, ଆରାଧନା ଇତ୍ୟାଦି ବି ଲୋକଲୋଚନକୁ ଆସିଲା ମୋଟ ଉପରେ ପ୍ରତ୍ୟେକ ଧର୍ମ ସହ ଏହାର ଉତ୍ପତ୍ତି ଓ ଐତିହାସିକ ବିକାଶ, ତାତ୍ତ୍ୱିକ ସିଦ୍ଧାନ୍ତ, ନୀତିବୋଧ, କର୍ମକାଣ୍ଡ, ମୁଖ୍ୟ ସଂପ୍ରଦାୟ, ପ୍ରଧାନ ଗ୍ରନ୍ଥ ଓ ନାନା କାହାଣୀ ଏବଂ କିମ୍ବଦନ୍ତୀକୁ ନେଇ ଏହାର ପ୍ରତ୍ୟୟଗତ ପରିସରଟି ସ୍ପଷ୍ଟ ରୂପ ନେଲା । ଧର୍ମମାନଙ୍କର ତୁଳନାତ୍ମକ ଅନୁଶୀଳନରୁ ଧର୍ମମାନଙ୍କ ଭିତରେ ରହିଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ବିଷୟଟି ମଧ୍ୟ ସ୍ପଷ୍ଟ ହେଲା ।

ଧର୍ମର ପରିସରଟି ବିସ୍ତୃତ ହୋଇଥିବା ପରିପ୍ରେକ୍ଷୀରେ ଏହାର ଯେକୌଣସି ଦିଗ ଉପରେ ବ୍ୟାପକ ଆଲୋଚନା କରାଯାଇପାରେ । ତେବେ ଶଂସିତ ପ୍ରବନ୍ଧରେ ଦୁଇଟି ପ୍ରସଙ୍ଗରେ ଆଲୋଚନାକୁ ସୀମିତ ରଖାଯାବ । ସେହି ପ୍ରସଙ୍ଗମାନ ହେଲା -(୧) ସମସ୍ତ ଧର୍ମମାନଙ୍କର ମୌଳିକ ଆଭିମୁଖ୍ୟ ସମାନ ଓ ସେମାନେ ସ୍ୱରୂପରେ ସତ୍ୟ, (୨) ଧର୍ମମାନଙ୍କର ପନ୍ଥା ଭିନ୍ନ ହୋଇପାରେ କିନ୍ତୁ ସେମାନଙ୍କର ଲକ୍ଷ୍ୟ ଏକ । ଏହା ହିଁ ଏକ ସାଧାରଣ ବିଶ୍ୱାସ ଓ ସମାଜରେ ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଏହି ମତ ଦେଇଥାନ୍ତି । ପରନ୍ତୁ ଏହି ମତ ଦୁଇଟି କିପରି ତଥ୍ୟ ସମର୍ଥିତ ନୁହେଁ; ତାହା ଦର୍ଶାଇବା ଏହି ପ୍ରବନ୍ଧର ଆଭିମୁଖ୍ୟ ।

ପ୍ରତ୍ୟେକ ଧର୍ମ ସହିତ କିଛି ମୌଳିକ ଧର୍ମଗ୍ରନ୍ଥ ସଂଶ୍ଲିଷ୍ଟ । ପ୍ରତ୍ୟେକ ଧର୍ମର ମୁଖ୍ୟ ସିଦ୍ଧାନ୍ତମାନ ସେହି ଧର୍ମଗ୍ରନ୍ଥରେ ବ୍ୟକ୍ତ ହୋଇଥିବା ଗ୍ରହଣ କରାଯାଏ । ଏକ ଧର୍ମଗୋଷ୍ଠୀର ବ୍ୟକ୍ତିମାନେ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ଧର୍ମଗ୍ରନ୍ଥରେ ସିଦ୍ଧାନ୍ତମାନ ସତ୍ୟ ଓ ସେଥିରେ ଦିଆଯାଇଥିବା ଅନୁଜ୍ଞା ଓ ନିର୍ଦ୍ଦେଶମାନ କରଣୀୟ । ଧର୍ମଗ୍ରନ୍ଥର ସମସ୍ତ ଭାବନା ଧୃବ ସତ୍ୟ ଓ ପ୍ରାୟତଃ ଚିରନ୍ତନ । ତେବେ ଯେତେବେଳେ ଦୁଇଟି ଧର୍ମ ମଧ୍ୟରେ ଛଳନା କରାଯାଏ, ସେମାନେ କିପରି ପରସ୍ପର-ବିରୋଧୀ ଏହା ସ୍ପଷ୍ଟ ହୋଇଥାଏ । ଧର୍ମର ମୌଳିକ ସିଦ୍ଧାନ୍ତମାନଙ୍କ ମଧ୍ୟରେ କିପରି ବିରୋଧ ରହିଛି । ତାହାର ସାମାନ୍ୟ ସୂଚନା ଏଠାର ଦିଆଯାଇପାରେ । ‘ଈଶ୍ୱର’ ପ୍ରତ୍ୟୟଟିକୁ ନିଆଯାଉ । ଏହା ଅନେକାଂଶରେ ଏକ ସାର୍ବିକ ବିଶ୍ୱାସ ଯେ ଧର୍ମର ମୌଳିକ ଭାବନା ହେଉଛି ‘ଈଶ୍ୱର’ । ଈଶ୍ୱର ସର୍ବଜ୍ଞ, ସର୍ବଶକ୍ତିମାନ ଓ କରୁଣାମୟ ବୋଲି ବିଭିନ୍ନ ଧର୍ମରେ ବିଶ୍ୱାସ କରାଯାଏ । ଖ୍ରୀଷ୍ଟ ଧର୍ମ, ଇସଲାମ ଧର୍ମ, ପାର୍ଶି ଧର୍ମ ଓ ଇହୁଦୀ ଧର୍ମରେ ଏକେଶ୍ୱରବାଦୀ ଭାବନା ରହିଛି । ଏହି ଚାରିଟି ଧର୍ମକୁ ‘ପ୍ରଫେଟିକ୍‌’ ଧର୍ମ ବୋଲି କେତେକ କହିଥାନ୍ତି । ଏହି ପ୍ରଫେଟିକ୍ ଧର୍ମମାନଙ୍କରେ ଈଶ୍ୱର ଏକ ଏକକ ସତ୍ତା ବୋଲି ବିଶ୍ୱାସ କରାଯାଏ ।

ଈଶ୍ୱର ଏକ, ସେ ସବୁର ସ୍ରଷ୍ଟା, ସେ ସର୍ବଜ୍ଞ ଓ ସର୍ବଶକ୍ତିମାନ । ଭାରତ ଭୂଖଣ୍ଡରେ ପ୍ରଚାରିତ ଚାରିଟି ଧର୍ମ ହେଲା ବୌଦ୍ଧଧର୍ମ, ଜୈନଧର୍ମ, ହିନ୍ଦୁଧର୍ମ ଓ ଶିଖଧର୍ମ । ଏହି ଧର୍ମମାନଙ୍କ ମଧ୍ୟରେ ଶିଖ ଧର୍ମ ବି ଏକ ଏକେଶ୍ୱରବାଦୀ ଧର୍ମ । ପ୍ରଫେଟିକ୍ ଧର୍ମମାନଙ୍କ ଈଶ୍ୱର ଭାବନା ସହ ଶିଖଧର୍ମର ଈଶ୍ୱର ଭାବନାର ଅନେକ ସାମଞ୍ଜସ୍ୟ ରହିଥିବା ପରିଲକ୍ଷିତ ହୁଏ । ତେବେ ବୌଦ୍ଧଧର୍ମ ଓ ଜୈନଧର୍ମରେ କୌଣସି ଈଶ୍ୱରବିଶ୍ୱାସ ନାହିଁ । ଏପରିକି କେତେକ ବୌଦ୍ଧ ଓ ଜୈନ ଦାର୍ଶନିକମାନେ ଈଶ୍ୱରଙ୍କ ଅସ୍ତିତ୍ୱ ବିପକ୍ଷରେ ଯୁକ୍ତିମାନ ଅବତାରଣା କରିଛନ୍ତି । ହିନ୍ଦୁଧର୍ମରେ ଈଶ୍ୱର ଭାବନା ବେଶ୍ ଜଟିଳ । ହିନ୍ଦୁଧର୍ମରେ ଏକେଶ୍ୱରବାଦ, ବହୁଦେବବାଦ, ଏକତତ୍ତ୍ୱବାଦ ଓ ଏପରିକି ନିରୀଶ୍ୱରବାଦରୁ ପରିକଳ୍ପନା ରହିଛି । ଦୁଇଟି ଦାର୍ଶନିକ ଧାରା ଯଥା ସାଂଖ୍ୟ ଓ ମୀମାଂସା ଦର୍ଶନରେ ନିରୀଶ୍ୱରବାଦର ପରିକଳ୍ପନା ରହିଛି । ଶଙ୍କରଙ୍କ ଅଦ୍ୱୈତ ବେଦାନ୍ତ କ୍ଷେତ୍ରରେ ଈଶ୍ୱର ଭାବନାକୁ ଅସତ୍ୟ ବୋଲି ନିଆଯାଇଛି, କେବଳ ନିର୍ଗୁଣ ବ୍ରହ୍ମକୁ ପରମ ତତ୍ତ୍ୱ ଭାବରେ ଗ୍ରହଣ କରାଯାଇଛି । ହିନ୍ଦୁମାନଙ୍କର ସାମାଜିକ ଜୀବନ ପ୍ରବାହରେ ବହୁ ଦେବାଦେବୀ ପୂଜାର ପରମ୍ପରା ରହିଛି । ସୁତରାଂ ଈଶ୍ୱର ଭାବନା ଧର୍ମ କ୍ଷେତ୍ରରେ ଏକ ମୌଳିକ ଭାବନା ନୁହେଁ ।

ଯେଉଁ ଧର୍ମମାନଙ୍କରେ ଈଶ୍ୱର ଭାବନା ରହିଛି, ସେମାନେ ସମସ୍ତେ ଏକକ ବିଚାର ଦେଉନାହାନ୍ତି । ପାର୍ଶିଧର୍ମରେ ଈଶ୍ୱରଙ୍କୁ ‘ଅହୁର ମଜଦା’ କୁହାଯାଏ । ତେବେ ପାର୍ଶିଧର୍ମରେ ଦ୍ୱିସତ୍ତାବାଦ ତତ୍ତ୍ୱ ରହିଛି । ଗୋଟିଏ ଶକ୍ତି, ମଙ୍ଗଳପ୍ରଦ, ସେ ହେଉଛନ୍ତି ଅହୁର ମଜଦା । ଅନ୍ୟ ଶକ୍ତିଟି ମନ୍ଦ ଓ ତାର ନାମ ଅହ୍ରିମନ । ଦୁଇ ଶକ୍ତି ମଧ୍ୟରେ ସର୍ବଦା ଦ୍ୱନ୍ଦ୍ୱ ରହିଛି, ଗୋଟିଏ ଆଲୋକର ପ୍ରତୀକ ଓ ଅନ୍ୟଟି ଅନ୍ଧକାରର ପ୍ରତୀକ । ଆଲୋକ ହେଉଛି ଦେବତ୍ୱ, ଅନ୍ଧକାର ହେଉଛି ସଇତାନ ବା ସତାନ । ଶେଷରେ ଅହ୍ରିମାନ ବା ସତାନ ଅହୁର ମଜଦା ଦ୍ୱାରା ବିନିଷ୍ଟ ହେବ । ଖ୍ରୀଷ୍ଟଧର୍ମରେ ଈଶ୍ୱର ସବୁର ସ୍ରଷ୍ଟା, ସର୍ବଜ୍ଞ ସର୍ବଶକ୍ତିମାନ ଓ କରୁଣାମୟ । ତେବେ ଖ୍ରୀଷ୍ଟଧର୍ମରେ ଏକ ତ୍ରିତତ୍ତ୍ୱ ଭାବନା ରହିଛି । ଯଥା ଈଶ୍ୱର, ଈଶ୍ୱରପୁତ୍ର ଓ ପବିତ୍ର ଆତ୍ମା ବା ହୋଲି ଘୋଷ୍ଟ, ଈଶ୍ୱର ପୁତ୍ର ଓ ପବିତ୍ର ଆତ୍ମା ଈଶ୍ୱରଙ୍କ ସହ ସଂଯୁକ୍ତ । ପୁନଶ୍ଚ ହିନ୍ଦୁଧର୍ମରେ ଅବତାରବାଦର ପରିକଳ୍ପନା ରହିଛି । ଯେତେବେଳେ ସଂସାରରେ ଅନ୍ୟାୟ, ଅଧର୍ମ ବ୍ୟାପକ ହୁଏ; ଈଶ୍ୱର ମନୁଷ୍ୟ ରୂପରେ ଜନ୍ମ ନେଇ ଧର୍ମ ପ୍ରତିଷ୍ଠା କରନ୍ତି । ପୃଥିବୀରୁ ପାପର ବିଲୋପ କରି ସତ୍ୟ, ନ୍ୟାୟ, ଧର୍ମ ପ୍ରତିଷ୍ଠା କରିବାକୁ ଈଶ୍ୱର ବହୁବାର ମର୍ତ୍ତ୍ୟରେ ନରରୂପ ଧାରଣ କରିଛନ୍ତି । କିନ୍ତୁ ପାର୍ଶିଧର୍ମ, ଇହୁହୀଧର୍ମ ଓ ଇସଲାମ ଧର୍ମ ଅବତାରବାଦକୁ ପ୍ରତ୍ୟାଖ୍ୟାନ କରନ୍ତି ଓ ଏହାକୁ ଅପବିତ୍ର ମନେ କରନ୍ତି । ଭାରତୀୟ ଧର୍ମମାନଙ୍କରେ ‘ପ୍ରଫେଟ’ର ଭାବନା ନାହିଁ ଯାହାକୁ ପାର୍ଶିଧର୍ମ, ଇହୁଦୀଧର୍ମ, ଖ୍ରୀଷ୍ଟଧର୍ମ ଓ ଇସଲାମଧର୍ମ ଗ୍ରହଣ କରନ୍ତି । ବସ୍ତୁତଃ ଈଶ୍ୱର ପ୍ରତୀତୀ ସବୁ ଧର୍ମର ମୌଳିକ ସିଦ୍ଧାନ୍ତ ନୁହେଁ ବା ଯେଉ ଧର୍ମମାନଙ୍କରେ ଈଶ୍ୱର ଭାବନା ରହିଛି, ସେ ସବୁ ଭାବନାମାନ ଏକା ପ୍ରକାରର ବିଚାର ଅବତାରଣା କରନ୍ତି ନାହିଁ ।

ଧର୍ମମାନଙ୍କ ପରିପ୍ରେକ୍ଷୀରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଉଛି, ଆତ୍ମାର ସ୍ଥିତି ଓ ମୃତ୍ୟୁପର ଜୀବନ । ଏହି ପ୍ରସଙ୍ଗ କ୍ଷେତ୍ରରେ ମଧ୍ୟ ଧର୍ମମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ ନାହିଁ ଓ ସେମାନଙ୍କ ଭିତରେ ବହୁ ମତପାର୍ଥକ୍ୟ ରହିଛି । ମୃତ୍ୟୁପରେ କୌଣସି ଆତ୍ମା ରହେ କି ଓ ଆତ୍ମାର ପୁନର୍ଜନ୍ମ ରହିଛି କି? ପାର୍ଶି ଧର୍ମ, ଇହୁଦୀ ଧର୍ମ, ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମ ପୁନର୍ଜନ୍ମବାଦକୁ ସ୍ୱୀକାର କରନ୍ତି ନାହିଁ । ସେମାନେ ଆତ୍ମାର ଅସ୍ତିତ୍ୱରେ ବିଶ୍ୱାସ କରୁଥିଲେ ମଧ୍ୟ ଜନ୍ମ-ମୃତ୍ୟୁ ଚକ୍ର, ବନ୍ଧନ ଓ ମୁକ୍ତି, ମୋକ୍ଷରେ ବିଶ୍ୱାସ କରନ୍ତି ନାହିଁ । ଏହି ଧର୍ମମାନ ପୁନରୁତ୍‌ଥାନ, ବିଚାର ଦିବସ, ସ୍ୱର୍ଗ ନରକ ଭାବନାରେ ବିଶ୍ୱାସ କରନ୍ତି । ସୃଷ୍ଟିର ଅନ୍ତିମ ଦିବସରେ ସମସ୍ତ ମୃତ ବ୍ୟକ୍ତି ସଶରୀରରେ ଈଶ୍ୱରଙ୍କ ପାଖରେ ଉପସ୍ଥିତ ହେବେ । ଭଲ ଆତ୍ମାମାନଙ୍କୁ ଈଶ୍ୱର ଅନନ୍ତ କାଳ ପାଇଁ ସ୍ୱର୍ଗକୁ ପଠାଇବେ ଓ ମନ୍ଦ ଆତ୍ମାମାନଙ୍କୁ ସବୁ ଦି ପାଇଁ ନରକକୁ ପଠାଇବେ । ଭାରତ ଭୂଖଣ୍ଡରେ ଉଦ୍‌ଭବ ହୋଇଥିବା ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଜୈନଧର୍ମ ଓ ଶିଖଧର୍ମରେ ଜନ୍ମାନ୍ତରବାଦର ଭାବନା ରହିଛି । ପ୍ରତ୍ୟେକ ବ୍ୟକ୍ତି ତାର କର୍ମଦ୍ୱାରା ବନ୍ଧନରେ ପଡ଼େ ଓ ମୁକ୍ତି ବା ମୋକ୍ଷ ପାଇବା ପର୍ଯ୍ୟନ୍ତ ଜନ୍ମ-ମୃତ୍ୟୁ ଚକ୍ରରେ ଘୂରି ବୁଲୁଥାଏ । ତେବେ ହିନ୍ଦୁଧର୍ମରେ ଜନ୍ମ-ମୃତ୍ୟୁ ଚକ୍ର ଭାବନା ସହିତ ସ୍ୱର୍ଗ ଓ ନରକର ଭାବନା ମଧ୍ୟ ରହିଛି । ବିଭିନ୍ନ ହିନ୍ଦୁ ପୁରାଣମାନଙ୍କରେ ସ୍ୱର୍ଗ, ନରକ, ଯମରାଜ ଓ ଚିତ୍ରଗୁପ୍ତର ଭାବନା ରହିଛି । ଚିତ୍ରଗୁପ୍ତ ପ୍ରତ୍ୟେକ ବ୍ୟକ୍ତିର କାର୍ଯ୍ୟର ଭଲ ମନ୍ଦ ଲିପିବଦ୍ଧ କରିରଖିନ୍ତି ।

ବ୍ୟକ୍ତିର ମୃତ୍ୟୁପରେ ମୃତ୍ୟୁର ଦେବତା ଯମରାଜଙ୍କ ପାଖରେ ବ୍ୟକ୍ତିର ଆତ୍ମାକୁ ଯମଦୂତମାନେ ଉପସ୍ଥାନ କରାନ୍ତି । ଚିତ୍ରଗୁପ୍ତ ତାଙ୍କ କାର୍ଯ୍ୟର ଭଲମନ୍ଦ ଯମରାଜଙ୍କୁ ପ୍ରଦାନ କରନ୍ତି । ଯମରାଜ ତାହା ବିଚାର କରି ତାଙ୍କୁ ସ୍ୱର୍ଗ ବା ନରକକୁ ପଠାନ୍ତି । ଏହାନୁଯାୟୀ ବ୍ୟକ୍ତିର ମୃତ୍ୟୁ ପରେ ପରେ ତାଙ୍କର ଯମରାଜଙ୍କ ପାଖରେ ବିଚାର ହୋଇଯାଏ । କିନ୍ତୁ ପୁନରୁତ୍ଥାନବାଦ ଓ ବିଚାର ଦିବସ ଭାବନା ହିନ୍ଦୁଧର୍ମରେ ନାହିଁ । ବା ପୁନର୍ଜନ୍ମବାଦ ପ୍ରତୀତି ପ୍ରଫେଟିକ୍ ଧର୍ମମାନଙ୍କରେ ନାହିଁ । ତେବେ ପ୍ରଫେଟିକ୍ ଧର୍ମମାନଙ୍କର ବିଚାରମାନଙ୍କ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ପାର୍ଶିଧର୍ମର ବିଚାର ଅନୁଯାୟୀ ମନ୍ଦାତ୍ମାମାନଙ୍କର ନରକ-ଯନ୍ତ୍ରଣା ଚିରନ୍ତନ ନୁହେଁ । ସେମାନେ ନରକରେ କିଛିଦିନ ରହିବା ପରେ ଏକ ପୁନରୁଦ୍ଧାର ଦିବସ ଆସିବ, ଯେତେବେଳେ ଆହୁରି ମାଜଦା (ଈଶ୍ୱର) ଦୁଷ୍ଟାତ୍ମାମାନଙ୍କୁ ସଂସ୍କାରିତ କରି ତାଙ୍କ ସ୍ୱର୍ଗ ରାଜ୍ୟରେ ରହିବାକୁ ଅନୁମତି ଦେବେ । ତେବେ ଅହୁର ମଜଦା ଅତି ପାପାତ୍ମା, ଅହ୍ରିମାନ ଓ ତାର ସାଙ୍ଗମାନଙ୍କୁ ସମୂଳେ ବିନା କରିଦେବେ । ଖ୍ରୀଷ୍ଟଧର୍ମ, ଇହୁଦୀଧର୍ମ ବା ଇସଲାମ ଧର୍ମରେ ଏହିପରି କିଛି ସଂସ୍କାରର ଭାବନା ନାହିଁ ।

ଭାରତ ଭୂଖଣ୍ଡରେ ଉଦ୍‌ଭବ ହୋଇଥିବା ଚାରିଟି ଧର୍ମ ଯଥା ବୌଦ୍ଧ ଧର୍ମ, ଜୈନ ଧର୍ମ, ହିନ୍ଦୁ ଧର୍ମ ଓ ଶିଖ ଧର୍ମରେ ଜନ୍ମାନ୍ତରବାଦର ପରିକଳ୍ପନା ରହିଛି । ଆତ୍ମାର ମୁକ୍ତି, ମୋକ୍ଷ ବା ନିର୍ବାଣ ପର୍ଯ୍ୟନ୍ତ ଜନ୍ମ-ମୃତ୍ୟୁର ଚକ୍ରରେ ଆତ୍ମା ଘରୁଥାଏ । ଜନ୍ମ, ଜନ୍ମ ପରେ ମୃତ୍ୟୁ ପରେ ଜନ୍ମ ଏହି ଧାରା ଅବ୍ୟାହତ ରହିଥାଏ । ତେବେ ଏହି ଧର୍ମମାନଙ୍କର ତୁଳନାତ୍ମକ ଅନୁଶୀଳନରୁ ସେ ସବୁ କିପରି ପରସ୍ପରବିରୋଧୀ, ତାହା ପ୍ରତୀତ ହୋଇଥାଏ । ବୌଦ୍ଧଧର୍ମରେ ଆତ୍ମା ବା ଈଶ୍ୱର ଭାବନା ନାହିଁ । ଆତ୍ମା ଓ ଈଶ୍ୱର ଭାବନା ବ୍ୟତୀତ ଏହା ବନ୍ଧନ ଓ ପୁନର୍ଜନ୍ମକୁ ବ୍ୟାଖ୍ୟା କରିଥାଏ । ଜୈନ ଧର୍ମରେ ଈଶ୍ୱର ଭାବନା ନାହିଁ କିନ୍ତୁ ଆତ୍ମାର ବିଶ୍ୱାସ ରହିଛି । କର୍ମର ପ୍ରଭାବରୁ ଆତ୍ମା ବନ୍ଧନରେ ପଡ଼େ । ମୋକ୍ଷ ପାଇଲେ ଆତ୍ମା ତାର ସ୍ୱରୂପ ପ୍ରାପ୍ତ ହୁଏ । ମୁକ୍ତ ବା ମୋକ୍ଷ ପ୍ରାପ୍ତ ଆତ୍ମା ଅନନ୍ତ ସମୟ ପାଇଁ ଅସୀମ ଜ୍ଞାନ ଓ ଅସୀମ ଆନନ୍ଦ ଲାଭ କରିଥାଏ । ଶିଖଧର୍ମରେ ଆତ୍ମା ଓ ଈଶ୍ୱର ଭାବନା ରହିଛି । ମୋକ୍ଷପରେ ଆତ୍ମାର ସ୍ୱତନ୍ତ୍ର ଅସ୍ତିତ୍ୱ ରହିପାରେ କିମ୍ବା ଏହା ବ୍ରହ୍ମଙ୍କ ପାଖରେ ଲୀନ ହୋଇପାରେ । ହିନ୍ଦୁ ଦର୍ଶନ ଅଦ୍ୱୈତ ବେଦାନ୍ତରେ ନିର୍ଗୁଣ ବ୍ରହ୍ମଙ୍କ ପରମତତ୍ତ୍ୱ ବା ସତ୍ତା ଭାବରେ ସ୍ୱୀକାର କରାଯାଏ । ଏହାନୁଯାୟୀ ଆତ୍ମା ହିଁ ବ୍ରହ୍ମା ଯେତେବେଳେ ବ୍ରହ୍ମ ସହିତ ଏହାର ଅଭିନ୍ନତା ଜାଣିପାରେ ସେ ମୁକ୍ତି ପାଇଥାଏ । ବିଶିଷ୍ଟାଦ୍ୱୈତ ବେଦାନ୍ତରେ ଈଶ୍ୱରଙ୍କର ବ୍ୟକ୍ତି-ସତ୍ତା ଥିବା ଗ୍ରହଣ କରାଯାଏ । ଆତ୍ମା ବ୍ରହ୍ମ ସହ ଅଭିନ୍ନ ନୁହେଁ, କିନ୍ତୁ ଅଂଶବିଶେଷ ବୋଲି ବିଶିଷ୍ଟାଦ୍ୱୈତ ମତ ଦିଏ । ମୁକ୍ତିପ୍ରାପ୍ତ ଆତ୍ମା ପୂର୍ଣ୍ଣତା ଲାଭକରି ବୈକୁଣ୍ଠରେ ବାସ କରିଥାଏ । ଏହା ବୈକୁଣ୍ଠରେ ଈଶ୍ୱରଙ୍କ ସାନ୍ନିଧ୍ୟରେ ରହିଥାଏ । ନିରୀଶ୍ୱରବାଦୀ ସାଂଖ୍ୟ ଈଶ୍ୱର ପରିବର୍ତ୍ତେ ମୁକ୍ତିର ଭାବନାକୁ ଜୈନଧର୍ମର ଭାବନାନୁଯାୟୀ ବ୍ୟାଖ୍ୟା କରିଥାଏ ସୁତରାଂ ଭାରତରେ ବିକଶିତ ହୋଇଥିବା ବିଭିନ୍ନ ଧର୍ମ ଓ ହିନ୍ଦୁଧର୍ମର ବିଭିନ୍ନ ଦାର୍ଶନିକ ଧାରାରେ ଆତ୍ମାର ସ୍ୱରୂପ, ମୋକ୍ଷ ବା ମୁକ୍ତିନେଇ ରହିଥିବା ବିଶ୍ୱାସମାନଙ୍କ ଭିତରେ ନାନା ବିରୋଧାଭାସ ପରିଲକ୍ଷିତ ହୁଏ ।

ପାର୍ଶି ଧର୍ମ, ଇହୁଦୀ ଧର୍ମ, ଖ୍ରୀଷ୍ଟ ଧର୍ମ ଓ ଇସଲାମ ଧର୍ମ ହେଉଛନ୍ତି ପ୍ରଫେଟିକ୍ ଧର୍ମ । ଏହି ଧର୍ମମାନ ପ୍ରଫେଟ ଓ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି । ସେମାନେ ସ୍ୱର୍ଗ, ନରକ, ବିଚାର ଦିବସ ଓ ଆତ୍ମାର ଅସ୍ତିତ୍ୱ ଉପରେ ଆସ୍ଥା ପୋଷଣ କରନ୍ତି ଯଦିବା ଜନ୍ମାନ୍ତରବାଦକୁ ଗ୍ରହଣ କରନ୍ତି ନାହିଁ । ସେମାନଙ୍କ ମଧ୍ୟରେ ରହିଥିବା କେତେକ ସାମଞ୍ଜସ୍ୟ ସତ୍ତ୍ୱେ ସେମାନଙ୍କ ମଧ୍ୟରେ ବୈଚାରିକ ପାର୍ଥକ୍ୟ ମଧ୍ୟ ରହିଛି । ପାର୍ଶିମାନେ ଜୋରାଷ୍ଟରଙ୍କୁ ପ୍ରଫେଟ୍ ଭାବେ ଗ୍ରହଣ କରି ସେ ସଂସାରରେ ଈଶ୍ୱରଙ୍କର ବାଣୀ ପ୍ରସାର କରିଛନ୍ତି ବୋଲି ବିଶ୍ୱାସ କରନ୍ତି । ସକଳ ଧର୍ମ ପ୍ରସଙ୍ଗ ଉପରେ ସେମାନଙ୍କ ଧର୍ମଗ୍ରନ୍ଥ ଜେନ୍ଦାଭେସ୍ତାରେ ଯାହା ଅଭିବ୍ୟକ୍ତ ହୋଇଛି ତାହା ଶାଶ୍ୱତ ବୋଲି ସେମାନଙ୍କର ବିଶ୍ୱାସ । ଇହୁଦୀ ଧର୍ମାବଲମ୍ବୀ ଯିଉମାନେ ମୋଜେସଙ୍କୁ ପ୍ରଫେଟ୍ ଭାବେ ଗ୍ରହଣ କରି ‘ବାଇବେଲର ଓଲଡ଼ ଟେଷ୍ଟାମେଣ୍ଟ’କୁ ଈଶ୍ୱର-ଦତ୍ତ ଜ୍ଞାନର ଗ୍ରନ୍ଥବୋଲି ଗ୍ରହଣ କରିଥାନ୍ତି । ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସେମାନଙ୍କ ବିଶ୍ୱାସରେ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପ୍ରଫେଟ୍ ଭାବେ ନେଇ “ବାଇବେଲର ନୂଆ ଟେଷ୍ଟାମେଣ୍ଟ”କୁ ପବିତ୍ର ଗ୍ରନ୍ଥର ମର୍ଯ୍ୟାଦା ପ୍ରଦାନ କରନ୍ତି । ଖ୍ରୀଷ୍ଟିଆନମାନେ ଯୀଶୁଙ୍କୁ ପ୍ରାଣକର୍ତ୍ତା ବୋଲି ନେଇଥାନ୍ତି କିନ୍ତୁ ଯିଉମାନେ ତାହା ସ୍ୱୀକାର କରନ୍ତି ନାହିଁ ।

ଯିଉମାନଙ୍କ ମତରେ ପ୍ରାଣକର୍ତ୍ତା ଭବିଷ୍ୟତରେ ଆସିବେ ଓ ସଂସାରରେ ବିଶ୍ୱ ଶାନ୍ତିର ଯୁଗ ପ୍ରତିଷ୍ଠା କରିବେ । ଯିଉମାନେ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା, ଈଶ୍ୱରଙ୍କ ପୁତ୍ର ବା ପ୍ରଫେଟ ବୋଲି ସ୍ୱୀକାର କରନ୍ତି ନାହିଁ । ଖ୍ରୀଷ୍ଟିଆନଙ୍କ ମତରେ ଅତୀତର ଯେକୌଣସି ପ୍ରଫେଟ୍‌ଙ୍କ ତୁଳନାରେ ଯୀଶୁ ହେଉଛନ୍ତି ମହାନୀୟ କାରଣ ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର । ଇସଲାମ ଧର୍ମାବଲମ୍ବୀଙ୍କ ମତରେ ମହମ୍ମଦ ହେଉଛନ୍ତି ପ୍ରଫେଟ୍ ଓ କୋରାନ ହେଉଛି ଈଶ୍ୱର-ପ୍ରେରିତ ଜ୍ଞାନର ପବିତ୍ର ଗ୍ରନ୍ଥ । ଇସଲାମ ମତରେ ଯୀଶୁ ବି ପ୍ରଫେଟ୍ କିନ୍ତୁ ସେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି । ଖ୍ରୀଷ୍ଟିଆନମାନେ ମହମ୍ମଦଙ୍କୁ ପ୍ରଫେଟ୍ ବୋଲି ଗ୍ରହଣ କରନ୍ତି ନାହିଁ । ଖ୍ରୀଷ୍ଟଧର୍ମରେ ମୋଜେସଙ୍କୁ ପ୍ରଫେଟ୍ ଭାବେ ସ୍ୱୀକାର କରାଗଲେ ବି ଯୀଶୁ ଈଶ୍ୱରଙ୍କ ସନ୍ତାନ ଭାବରେ ସର୍ବଶ୍ରେଷ୍ଠ ପ୍ରଫେଟ୍ । ଇହୁଦୀ ଧର୍ମାବଲମ୍ବୀ ଯିଉମାନେ ଯୀଶୁଙ୍କୁ ପ୍ରଫେଟ୍ ବା ଈଶ୍ୱରଙ୍କ ସନ୍ତାନ ଭାବରେ ଗ୍ରହଣ କରନ୍ତି ନାହିଁ । ଇସଲାମ ଧର୍ମରେ ମୋଜେସ ଓ ଯୀଶୁଙ୍କୁ ପ୍ରଫେଟ୍ ଭାବରେ ଗ୍ରହଣ କରାଗଲେ ବି ମହମ୍ମଦଙ୍କୁ ସର୍ବଶ୍ରେଷ୍ଠ ପ୍ରଫେଟ ଭାବେ ସ୍ୱୀକାର କରାଯାଏ । ଇହୁଦୀ ଓ ଖ୍ରୀଷ୍ଟିଆନମାନେ ମହମ୍ମଦଙ୍କୁ ପ୍ରଫେଟ୍ ଭାବେ ନିଅନ୍ତି ନାହିଁ ।

ପ୍ରଫେଟିକ୍ ଧର୍ମମାନଙ୍କ ମଧ୍ୟରେ ବିଚାର ଦିବସ, ସ୍ୱର୍ଗ ଓ ନରକର ଭାବନା ରହିଛି । ଖ୍ରୀଷ୍ଟିଆନମାନଙ୍କର ବିଶ୍ୱାସ ଯେ ଯେଉଁମାନେ ଯୀଶୁଙ୍କୁ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରି ତାଙ୍କପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିବେ, ସେହିମାନେ ସ୍ୱର୍ଗକୁ ଯିବେ । ଯେଉଁମାନେ ଯୀଶୁଙ୍କୁ ଅବିଶ୍ୱାସ କରିବେ ସେମାନେ ନରକଗାମୀ ହେବେ । ଇସଲାମ ମତରେ ଯିଏ ଆଲ୍ଲାଙ୍କୁ ବିଶ୍ୱାସ କରି ତାଙ୍କ ପ୍ରତି ସମର୍ପିତ ରହିବେ, ସେ ହିଁ ସ୍ୱର୍ଗପ୍ରାପ୍ତ ହେବେ; ନଚେତ ନରକ ଭୋଗ କରିବେ । ଯେଉଁମାନେ ସ୍ୱର୍ଗ, ନରକରେ ବିଶ୍ୱାସ କରନ୍ତି ସେମାନେ ଧରି ନିଅନ୍ତି ଯେ ଯେଉଁମାନେ ତାଙ୍କ ଧର୍ମର ପ୍ରଫେଟ୍‌ଙ୍କୁ ସ୍ୱୀକାର କରିବେ ନାହିଁ, ସେମାନେ ସ୍ୱର୍ଗଲାଭ କରିପାରିବେ ନାହିଁ । ଧର୍ମମାନଙ୍କର ମୌଳିକ ସିଦ୍ଧାନ୍ତ ପୃଷ୍ଠଭୂମିରେ ଏହି ସବୁ ପାର୍ଥକ୍ୟମାନ ଧର୍ମମାନଙ୍କ କ୍ଷେତ୍ରରେ ରହିବା ଦେଖାଯାଏ । ପ୍ରତ୍ୟେକ ଧର୍ମର ଲୋକମାନେ ନିଜ ଧର୍ମଗ୍ରନ୍ଥକୁ ପବିତ୍ର, ଈଶ୍ୱରଦତ୍ତ ଜ୍ଞାନ ଓ ଶାଶ୍ୱତ ବୋଲି ଗ୍ରହଣ କରନ୍ତି । ତେବେ ଧର୍ମମାନଙ୍କର ତୁଳନାତ୍ମକ ଆଲୋଚନା ପରିପ୍ରେକ୍ଷୀରେ ସେମାନଙ୍କ ମଧ୍ୟରେ ରହିଥିବା ମୌଳିକ ପାର୍ଥକ୍ୟମାନ ଦୃଷ୍ଟିଗୋଚର ହୁଏ । ତର୍କଶାସ୍ତ୍ରର ଏକ ମୌଳିକ ନିୟମ ହେଉଛି ଯେ ଏକ ଭାବନା ସହିତ ଦୁଇଟି ପରସ୍ପର-ବିରୋଧୀ ଗୁଣ ଏକ ସମୟରେ ଏକା ଅର୍ଥରେ ସଂଯୁକ୍ତ ହୋଇପାରିବ ନାହିଁ । ‘କ’ ଏକ ସମୟରେ ‘ଖ’ ଓ ଅ-ଖ ହୋଇପାରିବ ନାହିଁ । ଏକ ଧର୍ମଗ୍ରନ୍ଥର ବିଶ୍ୱାସମାନ ସତ୍ୟ ହେଲେ ଅନ୍ୟ ଧର୍ମଗ୍ରନ୍ଥର ବିରୋଧୀ ବିଶ୍ୱାସମାନ ସତ୍ୟ ହୋଇପାରିବ ନାହିଁ । ଯେଉଁ ବିଶ୍ୱାସମାନଙ୍କୁ ଏକ ଧର୍ମରେ ଗ୍ରହଣ କରାଯାଏ, ଅନ୍ୟ ଧର୍ମରେ ସେହି ବିଶ୍ୱାସମାନଙ୍କୁ ସ୍ୱୀକାର କରାଯାଏ ନାହିଁ । ଧର୍ମୀୟ ତତ୍ତ୍ୱ ବା ସିଦ୍ଧାନ୍ତମାନ କିପରି ପରସ୍ପରବିରୋଧୀ, ତାହା ଧର୍ମମାନଙ୍କର ତୁଳାନତ୍ମକ ବ୍ୟାଖ୍ୟାନରୁ ଜଣାପଡ଼ିଥାଏ । ଏହି କାରଣରୁ ଧର୍ମମାନଙ୍କର ସମନ୍ୱୟ ଏକ ଅବାସ୍ତବ ସିଦ୍ଧାନ୍ତ ବୋଲି ପ୍ରତୀତ ହୋଇଥାଏ । “ଯୀଶୁ ହେଉଛନ୍ତି ତ୍ରାଣକର୍ତ୍ତା” ସମସ୍ତ ଖ୍ରୀଷ୍ଟିଆନଙ୍କ ପାଇଁ ସତ୍ୟ, କିନ୍ତୁ ଇହୁଦୀମାନଙ୍କ ପାଇଁ ମିଥ୍ୟା । କିମ୍ବା ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ଖ୍ରୀଷ୍ଟିଆନମାନେ ଏହାକୁ ସତ୍ୟବୋଲି ଗ୍ରହଣ କରନ୍ତି, କିନ୍ତୁ ଇହୁଦୀ ଓ ମୁସଲମାନମାନେ ଏହା ଅସତ୍ୟ ବୋଲି ବିବେଚନା କରନ୍ତି । ମହମ୍ମଦ ଆଲ୍ଲାଙ୍କର ଦୂତ ସମସ୍ତ ମୁସଲମାନମାନଙ୍କ ପାଇଁ ସତ୍ୟ, କିନ୍ତୁ ଯିଉ ଓ ଖ୍ରୀଷ୍ଟିଆନମାନଙ୍କ ପାଇଁ ମିଥ୍ୟା । ସେହିପରି ଏକ ଧର୍ମଗୋଷ୍ଠୀ ଭିତରେ ଯେଉଁ ବଚନମାନଙ୍କୁ ସତ୍ୟ ବୋଲି ସ୍ୱୀକାର କରାଯାଏ, ଅନ୍ୟ ଧର୍ମଗୋଷ୍ଠୀ ଭିତରେ ସେ ସବୁକୁ ଅସତ୍ୟ ବୋଲି ନିଆଯାଏ । ଏହି କାରଣରୁ ଧର୍ମମାନଙ୍କର ମୌଳିକ ସିଦ୍ଧାନ୍ତମାନଙ୍କ କ୍ଷେତ୍ରରେ ଧର୍ମମାନଙ୍କ ମଧ୍ୟରେ ସହମତ ନ ରହିବା ଏକ ସାଧାରଣ ଉପଲବ୍ôଧ । ବସ୍ତୁତଃ ଧର୍ମ ସମନ୍ୱୟ ଏହି କାରଣରୁ ଏକ ଅସମ୍ଭବ ବ୍ୟାପାର ବୋଲି ମନେହୁଏ ।

ଭାରତ ଭୂଖଣ୍ଡରେ ସୃଷ୍ଟି ହୋଇଥିବା ଚାରିଟି ଧର୍ମ ହଲେ ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଜୈନଧର୍ମ ଓ ଶିଖଧର୍ମ । ଏହି ସବୁ ଧର୍ମରେ ବନ୍ଧନ ଓ ମୁକ୍ତିର ବିଷୟ କୁହାଯାଇଛି । ତେବେ ଈଶ୍ୱର, ଆତ୍ମା, ସାଂସାରିକ ବନ୍ଧନର କାରଣ, ମୁକ୍ତି ବା ମୋକ୍ଷର ପନ୍ଥା, ମୋକ୍ଷ ପ୍ରାପ୍ତିପରେ, ଆତ୍ମାର ସ୍ଥିତି ଇତ୍ୟାଦି ପ୍ରସଙ୍ଗମାନଙ୍କ ଉପରେ ଭାରତୀୟ ଧର୍ମମାନଙ୍କ ମଧ୍ୟରେ କୌଣସି ସହମତି ପ୍ରକାଶ ପାଏ ନାହିଁ । ବରଂ ଧର୍ମମାନେ ପରସ୍ପରବିରୋଧୀ ମତ ଗ୍ରହଣ କରନ୍ତି । ହିନ୍ଦୁମାନେ ବେଦର ବାଣୀକୁ ଶାଶ୍ୱତ ଓ ଚିରନ୍ତନ ବୋଲି ବିଶ୍ୱାସ କରନ୍ତି । ବେଦ ଓ ଗୀତାରେ ବର୍ଣ୍ଣିତ ବର୍ଣ୍ଣବ୍ୟବସ୍ଥା ହିନ୍ଦୁ ଧର୍ମରେ ଏକ ମୌଳିକ ଧାରଣା । କିନ୍ତୁ ବୌଦ୍ଧ ଓ ଜୈନମାନେ ବେଦର ଅଭ୍ରାନ୍ତତା ଓ ବର୍ଣ୍ଣବ୍ୟବସ୍ଥାକୁ ସ୍ୱୀକାର କରନ୍ତି ନାହିଁ । ବୌଦ୍ଧମାନେ ବୁଦ୍ଧଙ୍କର ବାଣୀକୁ ବହୁପ୍ରାଧାନ୍ୟ ଦିଅନ୍ତି ଓ ଧର୍ମଗ୍ରନ୍ଥ ତ୍ରିପିଟକର ସକଳ ଭାବଧାରାକୁ ସତ୍ୟ ମନେ କରନ୍ତି । ଜୈନମାନେ ତୀର୍ଥଙ୍କରମାନଙ୍କୁ ବିଶ୍ୱାସ କରନ୍ତି ଓ ମହାବୀର ଯେ ଶେଷ ତୀର୍ଥଙ୍କର ଓ ସେମାନଙ୍କର ଧର୍ମଗ୍ରନ୍ଥର ବାଣୀ ଯେ ସତ୍ୟ ଏହା ସ୍ୱୀକାର କରନ୍ତି । ଦଶମ ଗୁରୁ ଗୋବିନ୍ଦ ସିଂହଙ୍କୁ ବିଶ୍ୱାସ କରନ୍ତି । ଶିଖଧର୍ମ ଏକ ଗୁରୁକୈନ୍ଦ୍ରିକ ଧର୍ମ ଓ ପ୍ରଥମ ଧର୍ମଗୁରୁ ନାନକଙ୍କର ବାଣୀ ଓ ଧର୍ମଗ୍ରନ୍ଥ ଗ୍ରନ୍ଥସାହିବକୁ ପବିତ୍ର ମନେ କରନ୍ତି । ପ୍ରତ୍ୟେକ ଧର୍ମ ନିଜ ଧର୍ମର ପ୍ରତିଷ୍ଠାତା ବା ନିଜ ଧର୍ମଗ୍ରନ୍ଥର ବିଶ୍ୱାସକୁ ପବିତ୍ର ଓ ଅଲଙ୍ଘନୀୟ ବୋଲି ବିଶ୍ୱାସ କରନ୍ତି । ଗୋଟିଏ ଧର୍ମର ମୌଳିକ ସିଦ୍ଧାନ୍ତକୁ ଅନ୍ୟ ଧର୍ମାବଲମ୍ବୀମାନେ ଗ୍ରହଣ କରନ୍ତି ନାହିଁ । ପ୍ରତ୍ୟେକ ଧର୍ମର କେତେକ ମୌଳିକ ବିଶ୍ୱାସ ରହିବା ଦେଖାଯାଏ ଯାହା ଅନ୍ୟ ଧର୍ମରେ ଗୃହୀତ ହୁଏ ନାହିଁ । ଏହି ଦୃଷ୍ଟିରୁ ସମସ୍ତ ଧର୍ମମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ବା ସମସ୍ତ ଧର୍ମକୁ ସତ୍ୟ ବୋଲି ସ୍ୱୀକାର କରିବା ଏକ ବାସ୍ତବବାଦୀ ବିଚାର ମନେହୁଏ ନାହିଁ ।

ଏଠାରେ କୁହାଯାଇପାରେ ଯେ ଧର୍ମମାନଙ୍କର ବିଶ୍ୱାସ ବା ତାତ୍ତ୍ୱିକ ସିଦ୍ଧାନ୍ତ କ୍ଷେତ୍ରରେ ଭିନ୍ନତା ରହିପାରେ, କିନ୍ତୁ ସେ ସବୁ ଧର୍ମର ମୁଖ୍ୟ ପ୍ରସଙ୍ଗ ନୁହଁ । ବରଂ ପ୍ରତ୍ୟେକ ଧର୍ମର ମୂଳଭିତ୍ତି ହେଉଛି ନୈତିକତା । ଏକ ନୈତିକ ଜୀବନ ପ୍ରତ୍ୟେକ ଧର୍ମର ସାରତତ୍ତ୍ୱ ଓ ଏହି ଆଧାରରେ ଧର୍ମମାନଙ୍କ ମଧ୍ୟରେ ସମନ୍ୱୟ ସମ୍ଭବ । ଏହି ପ୍ରସଙ୍ଗରେ କୁହାଯାଇପାରେ ଯେ ପ୍ରତ୍ୟେକ ଧର୍ମର ନୈତିକ ଭାବନାମାନ ତାହାର ତାତ୍ତ୍ୱିକ ଭାବନା ସହ ଓତଃପ୍ରୋତ ଭାବେ ସଂପୃକ୍ତ । ପ୍ରତ୍ୟେକ ଧର୍ମର କେତେକ ନୈତିକ ଭାବନା ରହିଛି, ତେବେ ପ୍ରତ୍ୟେକ ଧର୍ମର ତାତ୍ତ୍ୱିକ ଭାବନାମାନେ ସେହି ଧର୍ମର ମୌଳିକ ପ୍ରସଙ୍ଗ । ସୁତରାଂ ଧର୍ମର ତାତ୍ତ୍ୱିକ ଭାବନାମାନ ଯେ ମୌଳିକ ନୁହେଁ, ଏହା କହିବା ଯଥାର୍ଥ ନୁହେଁ । କାରଣ ପ୍ରତ୍ୟେକ ଧର୍ମ କେତେକ ତତ୍ତ୍ୱ ଉପରେ ହିଁ ବିକଶିତ ହୋଇଥିବା ଦେଖାଯାଏ । ପ୍ରତ୍ୟେକ ଧର୍ମର ତାତ୍ତ୍ୱିକ ସିଦ୍ଧାନ୍ତ ପୃଷ୍ଠଭୂମିରେ ହିଁ ନୈତିକ ଭାବନାମାନ ବିକଶିତ ହେବା ଦେଖାଯାଏ । ସମସ୍ତ ପ୍ରଫେଟିକ୍ ଧର୍ମମାନଙ୍କ କ୍ଷେତ୍ରରେ ଈଶ୍ୱର, ବିଚାର ଦିବସ, ସ୍ୱର୍ଗ ନରକ ଭାବନାମାନଙ୍କ ସହ ନୈତିକ ବିଚାରମାନ ଘନିଷ୍ଠ ଭାବେ ସମ୍ବନ୍ଧିତ । ସେହିପରି ଭାରତୀୟ ଧର୍ମମାନଙ୍କ କ୍ଷେତ୍ରରେ ମୋକ୍ଷ, ମୁକ୍ତି, ନିର୍ବାଣ, ଜନ୍ମାନ୍ତରବାଦ ଭାବନାମାନଙ୍କ ସହ ନୈତିକ ପ୍ରସଙ୍ଗମାନ ନିବିଡ଼ ଭାବେ ସଂପୃକ୍ତ । ପ୍ରଫେଟିକ୍ ଧର୍ମମାନେ ହୁଅନ୍ତୁ ବା ଭାରତୀୟ ଧର୍ମମାନେ ହୁଅନ୍ତୁ ସମସ୍ତଙ୍କ କ୍ଷେତ୍ରରେ ନୈତିକ ପ୍ରସଙ୍ଗମାନ ଧର୍ମମାନଙ୍କର ମୌଳିକ ସିଦ୍ଧାନ୍ତମାନଙ୍କ ସହ ଗଭୀର ଭାବେ ଜଡ଼ିତ ।

ଏହାର କାରଣ ହେଉଛି ପ୍ରତ୍ୟେକ ଧର୍ମ ଜୀବନର ପୁରୁଷାର୍ଥ ବା ଅନ୍ତିମ ଲକ୍ଷ୍ୟ ନେଇ ନିଜର କେତେକ ମୌଳିକ ଭାବନା ପୋଷଣ କରିଛନ୍ତି ଓ ସେହି ଆଧାରରେ ନୈତିକ ବିଚାରମାନଙ୍କର ବ୍ୟାଖ୍ୟାନ ଦେଇଛନ୍ତି । ଭାରତୀୟ ଧର୍ମମାନେ କର୍ମ, କର୍ମଫଳ, ପୁନର୍ଜନ୍ମ, ମୁକ୍ତି, ମୋକ୍ଷ ଆଧାରରେ ନୈତିକତାକୁ ଗୁରୁତ୍ୱ ଦେଇଛନ୍ତି । ଜଣେ ନୀତିପୂର୍ଣ୍ଣ ଜୀବନ ଧାରଣଦ୍ୱାରା ପୁନର୍ଜନ୍ମ ପାଇବ ନାହିଁ ଓ ଦୁଃଖରୁ ମୁକ୍ତ ହେବ । ଏହା ହିଁ ଭାରତୀୟ ଧର୍ମମାନଙ୍କରେ ପୁରୁଷାର୍ଥର ମହତ୍ତ୍ୱ । କିନ୍ତୁ ପ୍ରଫେଟିକ୍ ଧର୍ମମାନଙ୍କରେ ପୁନର୍ଜନ୍ମବାଦ ଭାବନା ହିଁ ନାହିଁ । ସେହି ଧର୍ମମାନଙ୍କରେ ବ୍ୟକ୍ତିର ଥରେ ଜନ୍ମ ଓ ଥରେ ମରଣ ହୁଏ । ତେବେ ଏହି ଧର୍ମମାନେ ସ୍ୱର୍ଗପ୍ରାପ୍ତିକୁ ଜୀବନର ଅନ୍ତିମ ଲକ୍ଷ୍ୟଭାବେ ଗ୍ରହଣ କରନ୍ତି । ପ୍ରତ୍ୟେକ ଫ୍ରଫେଟିକ୍ ଧର୍ମର ବିଶ୍ୱାସ ହେଉଛି ଯେ ନିଜ ଧର୍ମର ପ୍ରଫେଟଙ୍କ ପ୍ରତି ସମର୍ପିତ ରହିଲେ, ନୈତିକ ଜୀବନ ପାଇଁ ପ୍ରେରଣା ମିଳିବ ଓ ଜଣେ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହୋଇପାରିବ । ଇହୁଦୀମାନଙ୍କର ବିଶ୍ୱାସ ମୋଜେସ ଯେଉଁ ନିୟମ ଦେଇଛନ୍ତି ସେ ପ୍ରତି ସମର୍ପିତ ରହି ତାହା ପାଳନ କଲେ ଜଣେ ସ୍ୱର୍ଗପ୍ରାପ୍ତ ହୋଇପାରିବ । ଖ୍ରୀଷ୍ଟିଆନମାନଙ୍କର ବିଶ୍ୱାସ ଯେ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ପ୍ରତି ସମର୍ପିତ ଭାବଦ୍ୱାରା ସ୍ୱର୍ଗଗାମୀ ହେବା ସମ୍ଭବ ହେବ । ମୁସଲମାନମାନଙ୍କର ବିଶ୍ୱାସନୁଯାୟୀ ଆଲ୍ଲାଙ୍କ ଦୂତ ମହମ୍ମଦଙ୍କର ନିର୍ଦ୍ଦେଶିତ ପନ୍ଥା ପାଳନ କଲେ ସ୍ୱର୍ଗକୁ ଯାଇପାରିବ ।

ଭାରତୀୟ ଧର୍ମମାନେ ଜଣେ ଜନ୍ମ-ମୃତ୍ୟୁ ଚକ୍ରରୁ ନିଷ୍କୃତି ପାଇ ମୋକ୍ଷ ପାଇବାକୁ ହେଲେ ବିଭିନ୍ନ ପନ୍ଥା ମଧ୍ୟ ଦର୍ଶାଇଛନ୍ତି । ଜୈନଧର୍ମାନୁଯାୟୀ ସମ୍ୟକ ଦର୍ଶନ, ସମ୍ୟକ ଜ୍ଞାନ ଓ ସମ୍ୟକ ଚାରିତ୍ର ଏହି ତ୍ରିରତ୍ନ ହିଁ ମୋକ୍ଷପ୍ରାପ୍ତିର ସାଧନ । ସମ୍ୟକ ନ ଅର୍ଥ ତୀର୍ଥଙ୍କରଙ୍କର ପ୍ରଦତ୍ତ ମାର୍ଗରେ ପୂର୍ଣ୍ଣ ଶ୍ରଦ୍ଧା ସ୍ଥାପନ କରିବା, ସମ୍ୟକ ଜ୍ଞାନ ଅର୍ଥ ତୀର୍ଥଙ୍କରଙ୍କର ସିଦ୍ଧାନ୍ତମାନଙ୍କୁ ଉତ୍ତମ ରୂପେ ବୁଝିବା ଓ ସମ୍ୟକ ଚାରିତ୍ର ଅର୍ଥ ପ୍ରବୃତ୍ତିମୂଳକ କର୍ମର ପରିହାର ଓ ନିବୃତ୍ତିମୂଳକ କାର୍ଯ୍ୟର ଆଚରଣ । ବୌଦ୍ଧର୍ମରେ ନିର୍ବାଣ ପାଇଁ ଅଷ୍ଟାଙ୍ଗିକ ମାର୍ଗ ପାଳନକୁ ପ୍ରାଧାନ୍ୟ ଦିଆଯାଇଛି । ଆଠଟି ପନ୍ଥାକୁ ଉପଯୁକ୍ତ ଭାବେ ପାଳନ କଲେ, ବ୍ୟକ୍ତିର ପ୍ରଜ୍ଞା ଉଦ୍ରେକ ହୋଇ ସେ ନିର୍ବାଣ ପାଇପାରିବ । ମୋକ୍ଷଲାଭ ପାଇଁ ହିନ୍ଦୁ ଧର୍ମରେ ବିଭିନ୍ନ ପନ୍ଥାର ଭାବନା ଦିଆଯାଇଛି । ଶଙ୍କରଙ୍କ ମତରେ ଜ୍ଞାନ ଦ୍ୱାରା, ରାମାନୁଜଙ୍କ ମତରେ ଭକ୍ତିଦ୍ୱାରା ଓ ଭଗବଦ ଗୀତା ମତରେ ଜ୍ଞାନ, ଭକ୍ତି ବା କର୍ମଦ୍ୱାରା ମୋକ୍ଷ ଲାଭ କରାଯାଇପାରିବ । ଶିଖଧର୍ମରେ ଜ୍ଞାନ ଓ ଭକ୍ତିର ସମନ୍ୱୟ ହେଲେ ମୋକ୍ଷପ୍ରାପ୍ତି ସମ୍ଭବ ବୋଲି ଦର୍ଶାଯାଇଛି । ବସ୍ତୁତଃ ବିଭିନ୍ନ ଧର୍ମ ନୈତିକ ପ୍ରସଙ୍ଗ ଉପରେ ବିଭିନ୍ନ ପନ୍ଥାର ଅବତାରଣା କରିଛନ୍ତି ଓ ନୈତିକ ଆଚରଣକୁ ପୁରୁଷାର୍ଥ ହାସଲ ପାଇଁ ସାଧନ ଭାବେ ନେଇଛନ୍ତି ।

କେତେକ ନୈତିକ ଓ ସାମାଜିକ ପ୍ରସଙ୍ଗ କ୍ଷେତ୍ରରେ ଧର୍ମମାନଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଆସିଛି । ଅହିଂସା ଏକ ନୈତିକ ଭାବନା । ବୌଦ୍ଧଧର୍ମ ଓ ଜୈନଧର୍ମରେ ଅହିଂସାକୁ ବହୁ ପ୍ରାଧାନ୍ୟ ଦିଆଯାଇଛି । ଜୈନମାନେ ବିଶ୍ୱାସ କରୁଥିଲେ ଯେ ସବୁ ପ୍ରାଣୀଙ୍କର ଆତ୍ମା ସମାନ । ଏକ ମଣିଷର ଆତ୍ମା ଓ ଏକ କୀଟର ଆତ୍ମା ମଧ୍ୟରେ ପାର୍ଥକ୍ୟ ନାହିଁ । ତେଣୁ ଏକ କୀଟକୁ ମାରିବାର ସପକ୍ଷରେ ମଧ୍ୟ ସେମାନେ ନୁହନ୍ତି । ହଳକରିବା ଦ୍ୱାରା କାଳେ କୀଟମାନେ ମୃତ୍ୟୁବରଣ କରିବେ, ତେଣୁ କଟ୍ଟରପନ୍ଥୀ ଜୈନମାନେ କୃଷିକାର୍ଯ୍ୟ ମଧ୍ୟ କରୁ ନଥିଲେ । କିନ୍ତୁ ଇସଲାମ ଧର୍ମ ଓ ଶିଖଧର୍ମରୁ ଖଲସା ପନ୍ଥାର ପ୍ରତିଷ୍ଠାତା ଦକ୍ଷ ଯୋଦ୍ଧା ରହିଥିଲେ । ହିନ୍ଦୁଧର୍ମରେ ବର୍ଣ୍ଣ ବ୍ୟବସ୍ଥା ଯାହା ସମାଜରେ ସ୍ତର ସ୍ତରର ଭେଦଭାବ ସୃଷ୍ଟି କରିଛି ତାହା ଅନ୍ୟ କୌଣସି ଧର୍ମରେ ନାହିଁ । ହିନ୍ଦୁ ସମାଜର ବର୍ଣ୍ଣଭେଦ ଓ ଜାତିଭେଦକୁ ବୌଦ୍ଧ, ଜୈନ ଓ ଶିଖ ଧର୍ମମାନଙ୍କରେ ପ୍ରତ୍ୟାଖାନ କରାଯାଇଛି । ପ୍ରତିମା ପୂଜା ହିନ୍ଦୁଧର୍ମରେ ପ୍ରାଧାନ୍ୟ ପାଇଛି । ହିନ୍ଦୁ ସମାଜରେ କେତେ କେତେ ଦିଅଁ ଦେବତାଙ୍କର ପ୍ରତିମା କରାଯାଇ ମୂର୍ତ୍ତିପୂଜା କରାଯାଉଛି । ବୌଦ୍ଧଧର୍ମରେ ବୁଦ୍ଧଙ୍କୁ ଓ ଜୈନଧର୍ମରେ ତୀର୍ଥଙ୍କରଙ୍କର ପ୍ରତିମୂର୍ତ୍ତିର ଆରାଧନା ଛଡ଼ା ଅନ୍ୟ କୌଣସି ମୂର୍ତ୍ତିପୂଜାର ପରମ୍ପରା ନାହିଁ । ଇସଲାମ ଧର୍ମ ମୂର୍ତ୍ତିପୂଜାକୁ ସଂପୂର୍ଣ୍ଣ ବିରୋଧ କରିଆସିଛି । ସୁତରାଂ ଧର୍ମମାନଙ୍କର ମୌଳିକ ଭାବନା କ୍ଷେତ୍ରରେ ଏହି ସବୁ ପାର୍ଥକ୍ୟମାନ ରହିଆସିଛି ।

ଧର୍ମମାନଙ୍କ ମଧ୍ୟରେ ସୈଦ୍ଧାନ୍ତିକ କ୍ଷେତ୍ରରେ ଓ ନୈତିକ ଆଦର୍ଶ କ୍ଷେତ୍ରରେ ଏହି ସବୁ ମୌଳିକ ପାର୍ଥକ୍ୟମାନେ ରହିଥିବା ହେତୁ ଧର୍ମମାନଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ସହଜ ବ୍ୟାପାର ନୁହେଁ । ଧର୍ମମାନଙ୍କର ସାରତତ୍ତ୍ୱ କେବେ ହେଲେ ସମାନ ନୁହନ୍ତି ବା ସବୁଧର୍ମ ସମାନ ବିଚାର ଅବତାରଣା କରନ୍ତି ନାହିଁ । ଧର୍ମମାନଙ୍କ ତୁଳନାତ୍ମକ ଅନୁଶୀଳନରୁ ଜଣାଯାଏ ଯେ ଦୁଇଟି ଧର୍ମ ମଧ୍ୟରେ କିଛି ସାମଞ୍ଜସ୍ୟ ରହିବା ସହିତ କେତେକ ପ୍ରସଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦମାନ ରହିିଛି । ଦୁଇଟି ସଭ୍ୟତା ବା ସଂସ୍କୃତି ମଧ୍ୟରେ ତୁଳନା କଲେ ଯେପରି କିଛି ସାମଞ୍ଜସ୍ୟ ଓ କିଛି ପ୍ରଭେଦ ରହିବା ସ୍ୱାଭାବିକ ମନେଭୁଏ, ସେହିପରି ଦୁଇଟି ଧର୍ମ ସେହିପରି ଦୁଇଟି ଧର୍ମ ମଧ୍ୟରେ ତୁଳନା କଲେ ସାମଞ୍ଜସ୍ୟ ଓ ପାର୍ଥକ୍ୟ ରହିବା ଜଣାପଡ଼େ ।

ଏକ ବହୁଧର୍ମୀୟ ସମାଜରେ ଧର୍ମଗତ ସହନଶୀଳତା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଅବଶ୍ୟମ୍ଭାବୀ ମନେ ହୁଏ । ଧର୍ମଗତ ଭେଦଭାବକୁ ସହାବସ୍ଥାନ ପାଇଁ ଅବଶ୍ୟମ୍ଭାବୀ ମନେ ହୁଏ । ଧର୍ମଗତ ଭେଦଭାବକୁ ନେଇ ସାମାଜିକ ବିଦ୍ୱେଷ ସୃଷ୍ଟିହେବା ସମାଜ ପାଇଁ ହିତକର ନୁହେଁ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ମଧ୍ୟ ନୁହେଁ । ବରଂ ଧର୍ମକୁ ବ୍ୟକ୍ତିଗତ ବିଶ୍ୱାସ ସ୍ତରରେ ରଖି ଅନ୍ୟର ବିଶ୍ୱାସ, ଧାର୍ମିକ, ପୂଜାସ୍ଥଳ ଓ ସାଂସ୍କୃତିକ ପରମ୍ପରାକୁ ସମ୍ମାନ କଲେ ସାମାଜିକ ସ୍ତରରେ ଶାନ୍ତି, ସଂହତି ଓ ଭ୍ରାତୃତ୍ୱଭାବ ରହିବା ସମ୍ଭବ ହେବ । ଧର୍ମୀୟ ସାମ୍ପ୍ରଦାୟିକତା ସଭ୍ୟ ଜୀବନବୋଧ ଓ ମାନବିକ ଦୃଷ୍ଟିଭଙ୍ଗୀର ପରିପନ୍ଥୀ । ସାମାଜିକ ବିଦ୍ୱେଷ, ବିଭାଜନ ଓ ଅସହିଷ୍ଣୁତା ସାଂପ୍ରଦାୟିକତାକୁ ଜନ୍ମ ଦେଇଥାଏ । ଏହି ପରିପ୍ରେକ୍ଷୀରେ ମାନବବାଦ ଏକ ମହତ୍ତର ଜୀବନବୋଧ । ମାନବବାଦ ମଣିଷ ମଣିଷ ଭିତରେ କିଛି ଭେଦଭାବ ସୃଷ୍ଟି କରେ ନାହିଁ ଓ ପ୍ରତ୍ୟେକ ବ୍ୟକ୍ତିର ସାମାଜିକ ମର୍ଯ୍ୟାଦାକୁ ସମ୍ମାନ କରିଥାଏ । ଏକ ବହୁଧର୍ମୀୟ ସମାଜରେ ଧର୍ମନିରପେକ୍ଷତା ଓ ମାନବବାଦୀ ଦୃଷ୍ଟିଭଙ୍ଗୀ ସର୍ବସ୍ୱୀକୃତି ମୂଲ୍ୟବୋଧ ହେଲେ ସାମାଜିକ ଉତ୍କର୍ଷ ସମ୍ଭବପର ହୋଇପାରିବ । ଧର୍ମମାନଙ୍କ ମଧ୍ୟରେ ପାର୍ଥକ୍ୟ ପୃଷ୍ଠଭୂମିରେ ଧର୍ମଗତ ଐକ୍ୟ ପରିବର୍ତ୍ତେ ଧର୍ମଗତ ସହନଶୀଳତା, ଉଦାର ମାନବବାଦ ଓ ଧର୍ମନିରପେକ୍ଷତା ଧର୍ମଗତ ସହନଶୀଳତା, ଉଦାର ମାନବବାଦ ଓ ଧର୍ମନିରପେକ୍ଷତା ସାମାଜିକ ଆଦର୍ଶ ହେବା ଯଥାର୍ଥ ମନେହୁଏ । ଧର୍ମନିରପେକ୍ଷତା ଏକ ସହିଷ୍ଣୁତାର ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିର ଆତ୍ମସମ୍ମାନ ଓ ମର୍ଯ୍ୟାଦାକୁ ସମ୍ମାନ ଦିଏ । ଧର୍ମମାନଙ୍କ ମଧ୍ୟରେ ସୈଦ୍ଧାନ୍ତିକ ଓ ଆବେଗିକ ପାର୍ଥକ୍ୟ ରହୁଥିବାରୁ ଧର୍ମମାନଙ୍କର ଐକ୍ୟ ଏକ ବାସ୍ତବବାଦୀ ବିଚାର ନୁହେଁ, ପରନ୍ତୁ ଧର୍ମୀୟ ସହନଶୀଳତା ଓ ଧର୍ମନିରପେକ୍ଷତା ଏକ ବିବଧତାପୂର୍ଣ୍ଣ ସମାଜ ପାଇଁ ଅବଶ୍ୟମ୍ଭାବୀ ଅଟେ । ଏହି ମାନସିକତା ସମାଜରୁ ସାଂପ୍ରଦାୟିକତା ଓ ମୌଳିକବାଦକୁ ଦୂର କରିବାରେ ସହାୟକ ହୋଇଥାଏ ।

Comments

0 comments

Share This Article