ନବକୃଷ୍ଣ ଚୌଧୁରୀ କ’ଣ ଦୁରାଚାରୀ?

ଦୈନିକ ଖବରକାଗଜ ସମାଜରେ ପ୍ରକାଶିତ (୧୯/୫/୨୦୦୯) ମୂଳଲେଖା ଓ ଏହା ଉପରେ ସମ୍ପାଦକଙ୍କୁ ପ୍ରକାଶିତ ଦୁଇଟି ପତ୍ର (୧/୬/୨୦୦୯ ଓ ୧୬/୬/୨୦୦୯)ଏହି ପ୍ରବନ୍ଧଟି ଲେଖିବା ପାଇଁ ଲେଖକକୁ ବାଧ୍ୟ କରିଛି । ମୂଳଲେଖାଟିର ଶିରୋନାମା ‘ତେସ୍ତରୀ ବର୍ଷର ସ୍ୱତନ୍ତ୍ର ଓଡ଼ିଶା: କଷଣ ସରିନାହିଁ’ର ଲେଖକ ହେଉଛନ୍ତି ଅଭୟ ସିଂହ । ଏହି ଲେଖାଟିରେ ଅଭୟବାବୁ ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତି ବିରୋଧ ଉପରେ ମନ୍ତବ୍ୟଦେବାକୁ ଯାଇ ଲେଖିଛନ୍ତି, ‘ଏ ଦୁଇ ନେତାଙ୍କ ସର୍ବଭାରତୀୟ ସ୍ତରରେ ଖ୍ୟାତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସହ ଏମାନଙ୍କର ଘନିଷ୍ଠ ସମ୍ପର୍କ ଦେଖି କ୍ଷମତା ଦଖଲ କରିବାକୁ ପ୍ରମତ୍ତ ହୋଇ ଉଠିଥିବା ନେତାଗଣ ଏ ଦୁହିଁଙ୍କୁ ଜୀବିତାବସ୍ଥାରେ ତ ବିରୋଧ କରୁଥିଲେ, କୁଶପତ୍ତଳିକା ଦାହ କରୁଥିଲେ ଏବଂ ‘ଉତ୍କଳ ସମ୍ମିଳନୀ’ର ସଭାମଞ୍ଚ ଭାଙ୍ଗି ଦେଉଥିଲେ; ଏମାନଙ୍କ ମୃତ୍ୟୁପରେ ଏହାଙ୍କ ଐକାନ୍ତିକ ତ୍ୟାଗ ଓ ସଂଘର୍ଷରେ ପ୍ରାପ୍ତ ‘ସ୍ୱତନ୍ତ୍ର ଓଡ଼ିଶା’ର ଜନ୍ମଦିନକୁ କେହି ଆଉ ପାଳନ କଲେନାହିଁ; କାରଣ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଉ ତାହା ଏମାନେ ଚାହୁଁ ନଥିଲେ, ଯଦିଓ ପରବର୍ତ୍ତୀକାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ପଦ ଏମାନେ ଦଖଲ କରିଛନ୍ତି,ଏହିଭଳି ଏକ ‘ଐତିହାସିକ’ ସୂଚନା ପାଇ ନିତ୍ୟାନନ୍ଦ ଦାସ ନାମକ ଜଣେ ବ୍ୟକ୍ତି ସମାଜ ସମ୍ପାଦକଙ୍କୁ ଏକ ପତ୍ର ୧/୬/୦୯ରେ ଲେଖି ଅଭୟ ସିଂହଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ସେମାନଙ୍କର ନାମ ଯେଉଁମାନେ ‘ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣର ଦୁଇ ମହାରଥୀ ମଧୁବାବୁ ଓ ଗୋପବନ୍ଧୁଙ୍କ ଜୀବିତାବସ୍ଥାରେ ବିରୋଧ କରି ସେମାନଙ୍କର କୁଶ ପୁତ୍ତଳିକା ଦାହ କରୁଥିବା, ଉତ୍କଳ ସମ୍ମିଳନୀ ସଭା ଭାଙ୍ଗି ଦେଉଥିବା ଦୁରାଚାରୀମାନଙ୍କ ନାମ ପ୍ରକାଶ କରିନଥିବାରୁ ଓ ଏହି କରୁଣ ଇତିହାସକୁ ନ ଭୁଲିବାକୁ ଏ ଜାତିକୁ ଆହ୍ୱାନ ଦେଇଥିବାରୁ ସେହି ବିରୋଧୀମାନଙ୍କ ନାମ ପ୍ରକାଶ ନିତାନ୍ତ ଆବଶ୍ୟକ । ସେ ସମ୍ପର୍କରେ ଶ୍ରୀ ସିଂହ ‘ସମାଜ’ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇ ଜିଜ୍ଞାସୁ ଓଡ଼ିଆମାନଙ୍କୁ ବାଧିତ କରିବା ହେବେ ।’

ସମାଜ ପୃଷ୍ଠାରେ ଅଭୟ ସିଂହ ଏହାର ଉତ୍ତରରେ ତା୧୬/୬/୨୦୦୯ରିଖରେ ଲେଖନ୍ତି, ‘ଏହି ‘ଦୁରାଚାରୀ’ ମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ତତ୍କାଳୀନ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ତିନିଜଣ ଛାତ୍ର । ଏଥିମଧ୍ୟରୁ ଜଣଙ୍କର ନାମ ମା’ ରମାଦେବୀ ତାଙ୍କର ଆତ୍ମଜୀବନୀ ‘ଜୀବନ ପଥେ’ରେ ସବିଶେଷ ଉଲ୍ଲେଖ କରିଛନ୍ତି ଏବଂ ଘଟଣାକ୍ରମେ ସେ ଥିଲେ ରମାଦେବୀଙ୍କ ଦିଅର ଓ ପରେ ପାଲଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଅନ୍ୟଜଣେ ଅଗ୍ରଣୀ ‘ଦୁରାଚାରୀ’ ହୋଇଛନ୍ତି ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ ଏବଂ ଏମାନଙ୍କ ଚେଲାଚାମୁଣ୍ଡାମାନେ ଏଯାଏ ଓଡ଼ିଶାକୁ ଶାସନ କରିଚାଲିଛନ୍ତି ଯାହାଙ୍କ ସ୍ପର୍ଶରେ ଓଡ଼ିଶା ଭଳି ଏକ ରତ୍ନଗର୍ଭା ପ୍ରଦେଶ ଲୁଣ୍ଠିତ, ଋଣଗ୍ରସ୍ତ, ଅନଗ୍ରସର ଓ ଉପେକ୍ଷିତ ହୋଇ ପଡ଼ି ରହିଛି ।

ତୃତୀୟ ଦୁରାଚାରୀଙ୍କ ନାମ ସ୍ୱୟଂ ମଧୁବାବୁ କହିଛନ୍ତି ଉତ୍କଳ ସମ୍ମିଳନୀର ସଭାମଞ୍ଚ ସୁରକ୍ଷା ପାଇଁ ସତ୍ୟବାଦୀ ବନବିଦ୍ୟାଳୟରୁ ସେ ଯେତେବେଳେ ଛାତ୍ରଙ୍କୁ ମଗାଇଲେ ଏବଂ ୬୦ଜଣ ସ୍ୱେଚ୍ଛାସେବୀ ଛାତ୍ର ଧରି ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଟ୍ରେନ୍ ଯୋଗେ କଟକ ରେଳଷ୍ଟେସନରେ ପହଞ୍ଚିଲେ, ସେମାନଙ୍କୁ ପାଛୋଟି ଆଣିବାକୁ ଘୋଡ଼ାଗାଡ଼ି ନେଇ ଷ୍ଟେସନରେ ପହଞ୍ଚିଥିବା ମଧୁବାବୁ ଅତ୍ୟନ୍ତ ବିହ୍ୱଳିତ ସ୍ୱରରେ କହିଉଠିଲେ-‘ଆସ, ଆସ ନାଳନ୍ଦାର ଗୁରୁ । ମୁଁ ଏବେ ଦେଖିବି ମଙ୍ଗରାଜ ଆଉ କେତେ ମଙ୍ଗ ମୋଡ଼ିବ ।’ ଏହି ମଙ୍ଗରାଜ ଓ ଅନ୍ୟ ଦୁଇ ‘ଦୁରାଚାରୀ’ ବ୍ୟକ୍ତି କିଏ ତାହା ପାଠକମାନେ ଅନୁଧ୍ୟାନ କରନ୍ତୁ ।’ ଅଭୟ ସିଂହଙ୍କ ଏହି ପତ୍ରରେ ଦୁରାଚାରୀ ଶବ୍ଦର ବାରମ୍ବାର ପ୍ରୟୋଗ ଦେଖି ମନେହୁଏ ଯେପରି ମୂଳଲେଖାରେ ଏହି ଶବ୍ଦର ପ୍ରୟୋଗକୁ ପାଶୋର ହୋଇଯାଇଥିବା ଅଭୟ ବାବୁଙ୍କୁ ପତ୍ରଲେଖକ ନିତ୍ୟାନନ୍ଦବାବୁ ଉପଯୁକ୍ତ ଶବ୍ଦଟିଏ ଯୋଗାଇ ଦେଇଛନ୍ତି ।

ତେବେ ଯେଉଁ ବ୍ୟକ୍ତିମାନଙ୍କ ପ୍ରତି ଅଭୟ ବାବୁ ତାଙ୍କ ପତ୍ରରେ ଇଙ୍ଗିତ କରିଛନ୍ତି-ସେମାନେ କିଏ ତାହା ପଦ୍ମଚରଣ ନାୟକଙ୍କ ରଚିତ ନବକୃଷ୍ଣ ଚୌଧୁରୀଙ୍କର ଜୀବନୀ ‘ଅନିର୍ବାଣ’ରୁ ସ୍ପଷ୍ଟ ଜଣାପଡ଼େ । ପଦ୍ମଚରଣ ବାବୁ ଏହି ପୁସ୍ତକ (ପ୍ରଥମ ସଂସ୍କରଣ ୧୯୯୬, ଜୁନ୍ ୨୩)ରେ ପୃଷ୍ଠା ୩୯-୪୦ରେ ଲେଖନ୍ତି ‘ଅସହଯୋଗ ଆନ୍ଦୋଳନ ପୂର୍ବରୁ ବି ରେଭେନ୍ସା କଲେଜରେ କେତେକ ଛାତ୍ର ଦେଶ ମିଶ୍ରଣକୁ ସଂକୀର୍ଣ୍ଣ ପ୍ରାଦେଶିକତା ବୋଲି ବିଚାରୁଥାନ୍ତି ।

ସେମାନେ ମଧୁସୂଦନ ଦାସଙ୍କର ଦୃଷ୍ଟିଭଙ୍ଗୀକୁ ବିରୋଧ କରୁଥାନ୍ତି । ସେହିଗୋଷ୍ଠୀର ମୁଖ୍ୟ ଥିଲେ ଯଦୁମଣି ମଙ୍ଗରାଜ ଏବଂ ତାଙ୍କର ଏ ଦିଗରେ ମୁଖ୍ୟ ସହକର୍ମୀ ଥିଲେ ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀ । ୧୯୧୯ରେ ଏହି ଗୋଷ୍ଠୀ ତରଫରୁ ହରେକୃଷ୍ଣ ମହତାବ ଜଣେ ଦର୍ଶକଭାବରେ ଯାଇଥିଲେ କଲିକତାର କଂଗ୍ରେସ ଅଧିବେଶନକୁ ଏବଂ ୧୯୨୦ ମସିହା ନାଗପୁର କଂଗ୍ରେସ ଅଧିବେଶନକୁ ମହତାବଙ୍କ ଛଡ଼ା ଯଦୁମଣି ମଙ୍ଗରାଜ ଯାଇଥିଲେ ।

ସେଠାରୁ ଫେରିଲା ବେଳେ ଚକ୍ରଧରପୁରଠାରେ ଏମାନେ ଉତ୍କଳ ସମ୍ମିଳନୀରେ ଯୋଗଦେଲେ ଏବଂ ଦେଶମିଶ୍ରଣ ବଦଳରେ ଦେଶର ସ୍ୱାଧୀନତା ସମ୍ମିଳନୀର ଲକ୍ଷ୍ୟ ବୋଲି ପ୍ରସ୍ତାବ ପାସ କରାଇଲେ । ଏହା ଥିଲା ମଧୁସୂଦନ ଦାସଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ । ସେତିକିରେ ସେମାନେ ସନ୍ତୁଷ୍ଟ ହୋଇନଥିଲେ । ସେମାନେ କଟକ ଫେରିଲାବେଳକୁ ମଧୁସୂଦନ ଦାସ ବିହାର-ଓଡ଼ିଶା ସରକାରଙ୍କର ମନ୍ତ୍ରୀଭାବେ ମନୋନୀତ ହୋଇସାରିଥିଲେ । ତାଙ୍କ ସମ୍ମାନାର୍ଥେ କଟକ ଟାଉନ୍ ହଲରେ ଏକ ସଭାର ଆୟୋଜନ ହୋଇଥିଲା। ସେହି ସଭା ଭଣ୍ଡୁର କରିବାର ନେତୃତ୍ୱ ନେଇଥିଲେ ହରେକୃଷ୍ଣ ମହତାବ ଓ ସହଯୋଗୀ ଥିଲେ ଯଦୁମଣି ମଙ୍ଗରାଜ ଓ ନବକୃଷ୍ଣ ଚୌଧୁରୀ ଆଦି ।

XXX ମଧୁସୂଦନ ଦାସଙ୍କ ସମ୍ବର୍ଦ୍ଧନା ସଭା ଭାଙ୍ଗିବା ଅଭିଯୋଗରେ ରେଭେନ୍ସା କଲେଜର ପ୍ରିନ୍ସିପାଲ ଲେମ୍ବାର୍ଟ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଓ ଯଦୁମଣି ମଙ୍ଗରାଜ, ଗୋକୁଳାନନ୍ଦ ମହାନ୍ତି ଆଦି ଗଣ୍ଡଗୋଳକାରୀଙ୍କ ଅଭିଭାବକମାନଙ୍କୁ ତାଗିଦ କରି ଲେଖିଥିଲେ ଯେ ସେମାନଙ୍କ ପିଲାମାନେ ସେମାନଙ୍କର ଆଚରଣ ସଂଶୋଧନ ନକଲେ ସେମାନଙ୍କ ନାମ କଟିଯିବ । ସେତେବେଳକୁ ଭାଇ ଗୋପବନ୍ଧୁ ଚୌଧୁରୀ ଥାନ୍ତି ଅଭିଭାବକ । ସେ ନବବାବୁଙ୍କ ମନୋଭାବ ଜାଣି ପ୍ରିନ୍ସିପାଲଙ୍କୁ କିଛି ଜଣାଇଲେ ନାହିଁ । ଗାନ୍ଧୀଙ୍କ ଆହ୍ୱାନରେ ଅନ୍ୟମାନେ ସ୍କୁଲ୍‌, କଲେଜ ଓ କଚେରୀ ବର୍ଜନ କରିବା ପୂର୍ବରୁ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ନିତ୍ୟାନନ୍ଦ କାନୁନ୍‌ଗୋ ଆଦି କଲେଜ ଛାଡ଼ିଥିଲେ ।’

ପଦ୍ମଚରଣବାବୁ ଏହା ଲେଖିବା ପୂର୍ବରୁ ମା’ ରମାଦେବୀ ‘ଜୀବନପଥେ’ ପୁସ୍ତକର(ପ୍ରଥମ ସଂସ୍କରଣ ୧୯୮୪, ଏପ୍ରିଲ)ପୃ୪୫ରୁ ୪୮ରେ ଲେଖିଛନ୍ତି ‘ଦାସେ ଆପଣେ (ଗୋପବନ୍ଧୁ ଦାସ)ନାଗପୁର କଂଗ୍ରେସ ଗଲେ। ସେ କଂଗ୍ରେସରୁ ଫେରି କ’ଣ କହିବେ ଓ କରିବେ ତାହାରି ପ୍ରତୀକ୍ଷାରେ ମୋରି ପରି କେତେ କେଉଁଠି ଥିବେ । ସେତେବେଳକୁ ନବବାବୁଙ୍କର କଲେଜ ଛାଡ଼ିବାକୁ ଟିକିଏ ଟିକିଏ ମନ ହେଲାଣି । ଦାସେ ଆପଣେ କଂଗ୍ରେସରୁ ଫେରିଲେ । ସେତେବେଳେ କାଠଯୋଡ଼ି ନଈବାଲି ଥିଲା ପ୍ରଧାନ ସ୍ଥାନ ସାଧାରଣ ସଭା ପାଇଁ । ନଈବାଲିରେ ଏକ ବଡ଼ ସଭା ହେଲା ।

ପଞ୍ଚବିଧ ବୟକଟ୍ କଥା ସେ ସଭାରେ କହିଲେ-୧) ସରକାରୀ ଉପାଧି, ୨) ସରକାରୀ ସ୍କୁଲ ଓ କଲେଜ, ୩) ପ୍ରାଦେଶିକ କାଉନ୍ସିଲ ଓ କେନ୍ଦ୍ର ଆସେମ୍ବ୍ଲି, ୪) ଓକିଲାତି ଓ ସରକାରୀ ଚାକିରି, ୫) ବିଲାତି ଲୁଗା । ସେ ବକ୍ତୃତା ଲୋକଙ୍କ ମନକୁ ଚହଲାଇ ଦେଲା । xxx ସେ ସଭାରେ ଲୋକେ ଯେତେ ଆଗ୍ରହରେ ମନଦେଇ ବକ୍ତୃତା ଶୁଣୁଥାନ୍ତି ସେପରି ମନଦେଇ ଭାଷଣ ଶୁଣିବାର ଆଗ୍ରହ ମୁଁ କେବେ ଦେଖିନାହିଁ । ଦାସେ ଆପଣେଙ୍କ ବକ୍ତୃତା ଶୁଣି ସ୍କୁଲ କଲେଜ ପିଲାମାନେ ପଢ଼ା ଛାଡ଼ିବା ପାଇଁ ତିଆର ହୋଇଗଲେ । ପୁରୀରେ ଜଗବନ୍ଧୁ ସିଂହ ଓ କଟକର ଭାଗୀରଥି ମହାପାତ୍ର ଓକିଲାତି ଓ ବାଲେଶ୍ୱରରେ ମୁକୁନ୍ଦ ପ୍ରସାଦ ଦାସ ମୁକ୍ତିଆରୀ ଛାଡ଼ିଲେ । କବି ବୀରକିଶୋର ଦାସ ଚାକିରି ଛାଡ଼ିଲେ ।

xxx ସେତିକିବେଳେ ଉତ୍କଳଗୌରବ ମଧୁସୂଦନ ଦାସ ବିହାର-ଓଡ଼ିଶାର ମନ୍ତ୍ରୀପଦ ଗ୍ରହଣ କରିଥାନ୍ତି । ସେତେବେଳେ ବିହାର-ଓଡ଼ିଶା ଗୋଟିଏ ପ୍ରଦେଶ ଥିଲା, ତାହାର ରାଜଧାନୀ ପାଟନା ଥିଲା । ତେଣୁ ସେକ୍ରେଟେରିଏଟ ବିହାରରେ ଥିଲା । ପ୍ରାଦେଶିକ କାଉନ୍ସିଲ ପାଟନାରେ ଥିଲା । ତେଣୁ ମନ୍ତ୍ରୀମାନେ ପାଟନାରେ ରହୁଥିଲେ । ନାଗପୁର କଂଗ୍ରେସର ପ୍ରସ୍ତାବରେ ସରକାରଙ୍କ ସଙ୍ଗେ ଅସହଯୋଗ କରିବାକୁ ସ୍ଥିର କରାଯାଇଥିଲା ।

xxx ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାର ବର୍ଷେ, ଦୁଇବର୍ଷ ପୂର୍ବରୁ ନବବାବୁ, ନିକୁଞ୍ଜ ବାବୁ(ନିକୁଞ୍ଜକିଶୋର ଦାସ, ମାମୁଁ ରାଜକିଶୋର ଦାସଙ୍କ ପୁଅ), ନିତ୍ୟାନନ୍ଦ କାନୁନ୍‌ଗୋ, ପ୍ରହ୍ଲାଦ ସାହୁ, ବଶିର ସାହେବ, ଭାଗୀରଥୀ ମହାପାତ୍ର ପ୍ରଭୃତି ମିଶି ଗୋଟିଏ ପାଠାଗାର କରିଥାନ୍ତି । ଦୁଇ ତିନୋଟି ଆଲମିରାରେ ବହିଥାଏ । ପାଠାଗାରର ନାମ ଭାରତୀ ମନ୍ଦିର । ସନ୍ଧ୍ୟାବେଳେ ସେଠି ଏକାଠି ହୋଇ ପଢ଼ାପଢ଼ି ଓ ଚର୍ଚ୍ଚା-ଆଲୋଚନା ଚାଲେ । ଦେଶର ଏ ଉତ୍ତେଜନାପୂର୍ଣ୍ଣ ବାୟୁମଣ୍ଡଳ ଭିତରେ ମଧୁସୂଦନ ଦାସ ମନ୍ତ୍ରୀତ୍ୱ ଗ୍ରହଣ କରିବାକଥାକୁ ଭାରତୀ ମନ୍ଦିରର ସଭ୍ୟମାନେ ନାପସନ୍ଦ କଲେ । ଏହି ନାପସନ୍ଦକୁ କିପରି ପ୍ରମାଣ କରିବେ, ସେ ବିଷୟରେ ଆଲୋଚନା କରି ସ୍ଥିରକଲେ ଯେ କୁଟାରେ ମଧୁବାବୁଙ୍କର ପ୍ରତିମୂର୍ତ୍ତି ତିଆରି କରି ନଇବାଲିରେ ସଭାକରି ତାକୁ ପୋଡ଼ିବେ ।

‘ଏଣେ ମଧୁବାବୁ ମନ୍ତ୍ରୀତ୍ୱ ଗ୍ରହଣ କରିବା ପରେ କଟକ ଆସିଲେ-ସେ ବୋଧହୁଏ ଆଶା କରୁଥିଲେ କଟକ ସହରବାସୀ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇବେ । କିନ୍ତୁ କଟକ ଷ୍ଟେସନରେ ପହଞ୍ଚି ଦେଖିଲେ ସମ୍ବର୍ଦ୍ଧନା କରିବାକୁ କେହି ଲୋକନାହାନ୍ତି । ସେ ମନ୍ତ୍ରୀପଦ ନେଇ ଆସିଛନ୍ତି ବୋଲି ସାଧାରଣଙ୍କଠାରୁ ଯେଉଁ ସମ୍ମାନ ଆଶା କରୁଥିଲେ, ତାହାର ଲେଶସୁଦ୍ଧା ନାହିଁ । ସେ ସଙ୍ଗେସଙ୍ଗେ ବୁଝିପାରିଲେ-ଏ ହେଲା ଅସହଯୋଗ ଆନ୍ଦୋଳନର ବାତାବରଣର ଗୁଣ । ସେ କୁଆଡ଼େ କାହା ଆଗରେ କହିଲେ-‘ମୁଁ ମନ୍ତ୍ରୀ ହୋଇ ଏମିତି କ’ଣ ଅପରାଧ କଲି ଯେ ମୋତେ ମେହନ୍ତର ସୁଦ୍ଧା ସଲାମ କଲା ନାହିଁ?’

xxx ମଧୁବାବୁଙ୍କର ସ୍ତାବକମାନଙ୍କ ମନରେ ଦୁଃଖ ଯେ ସେ ମନ୍ତ୍ରୀ ହେଲେ ତାଙ୍କୁ ଉଚିତ ସମ୍ମାନ ଦିଆଗଲା ନାହିଁ । xxx ମଧୁବାବୁଙ୍କ ପ୍ରତିମୂର୍ତ୍ତି ନଡ଼ାରେ ତିଆରି ହୋଇ ସାଧାରଣ ସଭାରେ ପୋଡ଼ା ହେବା ସିଦ୍ଧାନ୍ତ ସବୁ ମୁଁ ଶୁଣୁଥାଏ । ମୋହରି ଭାଇ, ଭଣଜା, ଦିଅର ତ ସେମାନଙ୍କ ଭିତରେ ଅଛନ୍ତି; ଯେ ଯାହା କରୁ, ଜଣେ ଲୋକର ପ୍ରତିମୂର୍ତ୍ତି ତିଆରି କରି ପୋଡ଼ିବା କଥାଟା ମୋତେ ଆଦୌ ଭଲ ଲାଗୁନଥାଏ । xxx ମୋ ମନରେ ଖାଲି ପ୍ରଶ୍ନ ଉଠୁଥାଏ-ସାମାନ୍ୟ ଲୋକଟିଏ ହେଉପଛେ ତାହାର ପ୍ରତିମୂର୍ତ୍ତି ତିଆରି କରି ପୋଡ଼ିବା ଭଲ ସଂସ୍କୃତିର ଲକ୍ଷଣ ନୁହେଁ- ଏ ତ ଗୋଟାଏ ଚଳନ ହୋଇଯିବ ।

xxx ସେତେବେଳେ ପ୍ରଧାନ ଆଲୋଚ୍ୟ ବିଷୟ ଥାଏ ଅସହଯୋଗ ଆନ୍ଦୋଳନର କଥା । ମନରେ ଯେ ଅସହଯୋଗ ଆନ୍ଦୋଳନର ବାତାବରଣ ଗୋଟିଏ ଭାବ ସୃଷ୍ଟି କରିଦେଇଛି-ଏକଥା ପ୍ରତ୍ୟେକେ ଅନୁଭବ କରୁଥାନ୍ତି । ମଧୁବାବୁ ଏପରି ସମୟରେ ମନ୍ତ୍ରୀ ହେବା କଥାଟା ମଧ୍ୟ କଟକ ସହରରେ ଆଲୋଚନାର ବିଷୟବସ୍ତୁ ହୋଇଥାଏ । ଓଡ଼ିଶାର ଲୋକ ଜଣେ ମନ୍ତ୍ରୀହେଲେ, ଏ କଥାରେ ବୟସ୍କ ଲୋକମାନେ ଗୌରବବୋଧ କରୁଥାନ୍ତି । ମାତ୍ର ସେ ଗୌରବକୁ ଯେଉଁଭାବରେ ସେମାନେ ପ୍ରକାଶ କରିବାକୁ ଚାହୁଁଥାନ୍ତି, ଆନ୍ଦୋଳନର ହାଉଆ ତାହା କରାଇ ଦେଉନଥାଏ ।

କେହି କେହି କହୁଥାନ୍ତି ମଧୁବାବୁ ଯଦି ମନ୍ତ୍ରୀପଦ ଛାଡ଼ିଦିଅନ୍ତି ତେବେ ଅସହଯୋଗ ଆନ୍ଦୋଳନର ତୁଙ୍ଗନେତା ସେ ହୋଇଯାନ୍ତେ । ମିଷ୍ଟର ଦାସ ନିଜେ ମଧ୍ୟ ଆନ୍ଦୋଳନର ବାତାବରଣଦେଖି ବିସ୍ମିତ ହେଉଥାନ୍ତି । ଲୋକଙ୍କର ଏପ୍ରକାର ଜାଗରଣ ଉତ୍ସୃଙ୍ଖଳତା ବୋଲି ତାଙ୍କର ଧାରଣା ହେଲା । ପୁଣି ଏ ଆନ୍ଦୋଳନ ହେଲା ସର୍ବଭାରତୀୟ, ସେଥିରେ ଖାସ୍ ଓଡ଼ିଶାର କଥା କିଛି ନଥିଲା । ତେଣୁ ଆନ୍ଦୋଳନରେ ଯୋଗଦେବାର ଆବଶ୍ୟକତା ସେ ଅନୁଭବ କରୁନଥିଲେ।’

ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ଓ ଆନ୍ଦୋଳନ -କାରୀଙ୍କ ସମ୍ପର୍କରେ କେଉଁପ୍ରକାର ମତ ମଧୁବାବୁ ପୋଷଣ କରୁଥିଲେ, ତାହା ସ୍ୱାୟତ୍ତବିଭାଗର ମନ୍ତ୍ରୀ ଭାବେ ପ୍ରାଦେଶିକ କାଉନ୍ସିଲରେ ୧୯ମାର୍ଚ୍ଚ ୧୯୨୧ଦିନ ଦେଇଥିବା ବକ୍ତବ୍ୟରୁ ସ୍ପଷ୍ଟହୁଏ । (ଦ୍ରଷ୍ଟବ୍ୟ Madhusudan Das: The Legislator (his speeches), editor: Dr. N.K. Sahu and Dr. P.K. Mishra, published by Pragati Utkal Sangha, Rourkela-3, 1980 PP.340-344) । ସେ ପ୍ରାଦେଶିକ କାଉନ୍ସିଲର ସଭ୍ୟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘କ’ଣ ଏହି ଅସହଯୋଗ? କେଉଁମାନେ ଏହାର ଅନୁଯାୟୀ? କେବେ ପ୍ରଥମଥର ପାଇଁ କାଉନ୍ସିଲ ଏମାନଙ୍କ ସମ୍ପର୍କରେ ଆସିଲା? ଏମାନଙ୍କର କାର୍ଯ୍ୟକଳାପ ଓ ଶକ୍ତି ପ୍ରୟୋଗର ପ୍ରଥମ ପ୍ରଦର୍ଶନଗୁଡ଼ିକ କ’ଣ?

ଆପଣମାନେ କ’ଣ ଅବଗତ ନୁହନ୍ତି ଯେ ନିର୍ବାଚନ ସମୟରେ ଏମାନେ ବୁଲି ବୁଲି ଆପଣମାନଙ୍କୁ ପ୍ରାଦେଶିକ କାଉନ୍ସିଲର ସଭ୍ୟ ନହେବା ପାଇଁ କହୁଥିଲେ । କାରଣ ପ୍ରାଦେଶିକ କାଉନ୍ସିଲ ସେମାନଙ୍କ ଦୃଷ୍ଟିରେ ଗୋଲାମୀ ମାନସିକତାର ପୀଠ ଯାହାର ସଇତାନ ହେଉଛି ପୀଠାଧିଶ । ତା’ସତ୍ତ୍ୱେ ଆମେ ଆଜି ଏଠି ବସିଛୁ । ଏହି ଅସହଯୋଗ ଆନ୍ଦୋଳନକାରୀଙ୍କ ଦୃଷ୍ଟିରେ ଆମେ ସବୁ ସଇତାନର ଏହି କାରଖାନାରେ ଏକାଠି ହୋଇଛୁ ଦେଶକୁ ଧ୍ୱଂସ କରିବା ପାଇଁ ।

xxx ଏହିଭଳି ବର୍ଣ୍ଣନାକୁ ବିରୋଧ ନକରି କ’ଣ ଆମେ ଛାଡ଼ିଦେବା? ଏହି କାଉନ୍ସିଲ କ’ଣ ସେହି ସ୍ଥାନ ନୁହେଁ ଯେଉଁଠାରେ ପ୍ରଥମ ଓ ସର୍ବଶ୍ରେଷ୍ଠ ରାଜନୀତିଜ୍ଞ ଦାଦାଭାଇ ନାରୋଜୀ କହିଥିଲେ ଭାରତ ପାଇଁ ଲଢ଼େଇ ଚାଲିବା ଉଚିତ? ଏହା କ’ଣ ସେହି ସ୍ଥାନ ନୁହେଁ ଯେଉଁଠାରେ ସମ୍ମାନଷ୍ପଦ ସ୍ମରଣୀୟ ଗୋଖଲେ କହିଥିଲେ ଆମେ ଆମର ଭୂମିକା ନିର୍ବାହ କରିବା ଉଚିତ ଓ ଭାରତର ସ୍ୱାଧୀନତା ପାଇଁ ସମସ୍ତ ଉଦ୍ୟମ କରିବା ଉଚିତ? ଏହା କ’ଣ ସେହି ସ୍ଥାନ ନୁହେଁ ଯେଉଁଠାରେ ଆମେ ଆମ ଦେଶପାଇଁ ଲଢ଼େଇ କରିବା? କାଉନ୍ସିଲ ସହିତ ୩୦ବର୍ଷ ଧରି ସମ୍ପୃକ୍ତି ପରେ ମୁଁ କ’ଣ ନୀରବରେ ଏହିସବୁ ଆରୋପ ଶୁଣିବି ଯେ ମୁଁ ମୋ ନିଜ ଦେଶର ଧ୍ୱଂସ କରିବା ପାଇଁ ଏହି କାଉନସିଲରେ ଅଛି?

‘What is non-co-operation? Who are the followers of it? When did this council first come in contact with them? What were the manifestations, the initial manifestations of their activities and energies? Are you not aware that during the election period people went about preaching that you must not go to the council, that it is a place where there is a slavish mentality and where satan himself sits as the president of a workshop where they forge the chains which bind all human intellect. Was not this the description that was given of this council chamber to candidates for election and yet here we are? If we are to be interpreted by the non co-operationwallahs by what name will they call us, they call us people who have assembled in satan’s workshop to work out the destruction, the ruination of their own country. xxx And is this the state of description which we should allow to go unchallenged? Is not the council chamber the place where the first and greatest politicians in India, Dadabhoy Naroji said that the battle of India should be fought? Is not the council chamber the place where men like Gokhole of revered memory, said that we must play our part and make every effort to obtain the freedom of India? Is not the place where we should fight out the battle for this country? Am, I, after having been associated with this council work for over 30years, to stand still and be the silent target of all these assaults and be accused of working out the destruction of my own country in this chamber ?’

ତେଣୁ ମଧୁବାବୁ ସ୍ୱାୟତ୍ତ ବିଭାଗ ଅଧିନରେ ଥିବା ମ୍ୟୁନିସିପାଲଟି ଓ ଜିଲ୍ଲା ବୋର୍ଡ଼ ପ୍ରଶାସନ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ଅସହଯୋଗ ଆନ୍ଦୋଳନକାରୀଙ୍କ ସଭାରେ ଉପସ୍ଥିତ ନରହିବା ସପକ୍ଷରେ ଯୁକ୍ତି କରି କହିଥିଲେ, ‘ଯେ ଯେଉଁମାନଙ୍କର ମ୍ୟୁନିସିପାଲଟି ଓ ଜିଲ୍ଲା ବୋର୍ଡ଼ର ପ୍ରଶାସନ ସହିତ ସମ୍ପର୍କ ଅଛି, ସେମାନଙ୍କର ଆନ୍ଦୋଳନକାରୀଙ୍କ ସଭାରେ ଯେଉଁଠାରେ ଅଜ୍ଞ ଲୋକମାନେ ହିଁ ଯୋଗ ଦେଇଥାନ୍ତି; ଉପସ୍ଥିତି ମାତ୍ର ଏହି ଧାରଣା ସୃଷ୍ଟି କରିବ ଯେ ଏମାନଙ୍କର ଅସହଯୋଗ ଆନ୍ଦୋଳନର ଲକ୍ଷ୍ୟପ୍ରତି ସହାନୁଭୂତି ରହିଛି ।

The mere presence of persons who have a share, however small in the administration of municipalities and district boards at meetings mean to advance the cause of non co-operation is likely to be consumed into sympathy with the object of the movement as these meetings are attended by ignorant masses.

ତେଣୁ କିପରି ଏହି ଅସହଯୋଗ ଆନ୍ଦୋଳନରେ ମ୍ୟୁନିସିପାଲିଟି ଓ ଜିଲ୍ଲାବୋର୍ଡ଼ ପ୍ରଶାସନ ସହିତ ସାମାନ୍ୟତମ ସମ୍ପର୍କଥିବା ବ୍ୟକ୍ତିମାନେ ଅଂଶଗ୍ରହଣ ନକରନ୍ତି, ସେଥିପାଇଁ ବିହିତ ବ୍ୟବସ୍ଥା କରିବା ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ । ମଧୁବାବୁ ଯେ ଅସହଯୋଗ ଆନ୍ଦୋଳନକୁ ବ୍ରିଟିଶ ସରକାରଙ୍କର ସଂସ୍କାର ପ୍ରକ୍ରିୟା ପଥରେ ଏକ ବିରାଟ ପ୍ରତିବନ୍ଧକ ବୋଲି ଭାବୁଥିଲେ ଓ ଅସହଯୋଗ ଆନ୍ଦୋଳନକାରୀମାନେ ବିଭ୍ରାନ୍ତିକର ପ୍ରଚାରରେ ଲିପ୍ତ ଅଛନ୍ତି ବୋଲି ବିଶ୍ୱାସ କରୁଥିଲେ । ଏହା ସେ ଅବୈତନିକ ମନ୍ତ୍ରୀଭାବେ କାର୍ଯ୍ୟ କରିବା ପାଇଁ ବିହାର-ଓଡ଼ିଶା ଗଭର୍ଣ୍ଣରଙ୍କ ପାଖକୁ ଦେଇଥିବା ପ୍ରସ୍ତାବ (୭-୮ଫେବୃୟାରୀ ୧୯୨୩ରେ ଲିଖିତ ପତ୍ର)ରେ ଉଲ୍ଲେଖ ମଧ୍ୟ କରିଥିଲେ।

ଉପରୋକ୍ତ ଉଦ୍ଧୃତିଗୁଡ଼ିକରୁ ସ୍ପଷ୍ଟ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ଯେଉଁ ପଞ୍ଚବିଧ ବୟକଟ୍‌ର ଆହ୍ୱାନ ନାଗପୁର କଂଗ୍ରେସରୁ ଫେରି (୧୯୨୦ମସିହାରେ) କଟକବାସୀଙ୍କୁ ଦେଲେ, ତାହାଭିତରେ ଥିଲା ପ୍ରାଦେଶିକ କାଉନ୍ସିଲ, କେନ୍ଦ୍ର ଆସେମ୍ବ୍ଲି ତଥା ସରକାରୀ ଉପାଧିକୁ ବୟକଟ୍ । କିନ୍ତୁ ମଧୁବାବୁ ପ୍ରାଦେଶିକ କାଉନ୍ସିଲର ସଭ୍ୟପଦରୁ ଇସ୍ତଫା ତ ଦୂରର କଥା, ସେ ୬.୧.୧୯୨୧ଦିନ ମନ୍ତ୍ରୀପଦ ଗ୍ରହଣ କଲେ । ଯେଉଁମାନେ ଗୋପବନ୍ଧୁଙ୍କର ଆହ୍ୱାନ ସହ ଏକମତ ଥିଲେ ବା ଉଦ୍‌ବୁଦ୍ଧ ହେଲେ, ସ୍ୱାଭାବିକଭାବେ ସେମାନେ ମଧୁବାବୁଙ୍କୁ ବିରୋଧ କରିଥିବେ ଓ ମଧୁବାବୁଙ୍କ ନେତୃତ୍ୱରେ ଥିବା ଉତ୍କଳ ସମ୍ମିଳନୀ ମଧ୍ୟ ଏହି ବିରୋଧର ଶିକାର ହୋଇଥିବ ।

ତେଣୁ ଅଭୟ ସିଂହ ମହୋଦୟଙ୍କୁ ଗୋଟିଏ ବନ୍ଧନୀ ମଧ୍ୟରେ ରଖି ଲେଖିବା ଯେ ‘ଏ ଦୁଇ ନେତାଙ୍କ ସର୍ବଭାରତୀୟ ସ୍ତରରେ ଖ୍ୟାତି ଓ ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଏମାନଙ୍କ ସହ ଘନିଷ୍ଠ ସମ୍ପର୍କ ଦେଖି କ୍ଷମତା ଦଖଲ କରିବାକୁ ପ୍ରମତ୍ତ ହୋଇ ଉଠିଥିବା ନେତାଗଣ ଏ ଦୁହିଁଙ୍କ ଜୀବିତାବସ୍ଥାରେ ତ ବିରୋଧ କରୁଥିଲେ, କୁଶ ପୁତ୍ତଳିକା ଦାହ କରୁଥିଲେ ଏବଂ ‘ଉତ୍କଳ ସମ୍ମିଳନୀ’ର ସଭାମଞ୍ଚ ଭାଙ୍ଗି ଦେଇଥିଲେ’-ଯେ ଏକ ଅର୍ଦ୍ଧସତ୍ୟ ତାହା ପାଠକେ ବୁଝିପାରୁଥିବେ । କିନ୍ତୁ ଏଭଳି ଅର୍ଦ୍ଧସତ୍ୟ ଯେ ପ୍ରକୃତ ଇତିହାସ ସହ ପରିଚିତ ନଥିବା ଓଡ଼ିଆ ମନକୁ ଦୁଶ୍ଚିନ୍ତା ଗ୍ରସ୍ତ କରାଇ ଦେଇପାରେ ଏବଂ ଅପଶବ୍ଦ ବ୍ୟବହାର କରିବାର ପ୍ରବଣତା ସୃଷ୍ଟି କରିପାରେ, ନିତ୍ୟାନନ୍ଦ ଦାସଙ୍କ ପ୍ରତିକ୍ରିୟା ଏହାର ଉଦାହରଣ ।

ମଧୁବାବୁ ସ୍ୱାଧୀନ ଭାରତ ପାଇଁ ଡାକରା ଦିଆ ଯାଇଥିବା ଅସହଯୋଗ ଆନ୍ଦୋଳନର ଯେ ଘୋର ବିରୋଧୀଥିଲେ- ତାହା ଏକ ଐତିହାସିକ ସତ୍ୟ । ତାଙ୍କର ବିଶ୍ୱାସ ଥିଲା ଯେ ପ୍ରାଦେଶିକ କାଉନ୍ସିଲ ସଭ୍ୟ ଥାଇ ଅର୍ଥାତ୍ ବ୍ରିଟିଶ୍ ଶାସନ ସହ ସହଯୋଗ କରି-ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରାଯାଇପାରିବ । ତେଣୁ ସେ ଦାଦାଭାଇ ନାରୋଜୀ ଓ ଗୋପାଳକୃଷ୍ଣ ଗୋଖଲେଙ୍କର ଉଦାହରଣ ଦେଇଥିଲେ । କିନ୍ତୁ ମଧୁବାବୁଙ୍କର ଏ’ଭଳି ବିଶ୍ୱାସକୁ ଉଦ୍ଭଟ ବୋଲି ଯେଉଁମାନେ ବିଚାର କରୁଥିଲେ ଓ ସହଯୋଗ ଭିତରେ ସ୍ୱାଧୀନତାର ଲକ୍ଷ୍ୟ ସମ୍ଭବ ନୁହେଁ ବୋଲି ପ୍ରାୟଃ ନିଶ୍ଚିତ ଥିଲେ-ସେମାନେ ଗାନ୍ଧୀ, ଗୋପବନ୍ଧୁଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ ।

ଉତ୍କଳମଣି ଗୋପବନ୍ଧୁ ଦାସ ଯେତେବେଳେ ଅସହଯୋଗର ବାର୍ତ୍ତା ଓଡ଼ିଶାକୁ ଆଣିଲେ, ସେତେବେଳକୁ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖୁଥିବା ସଚେତନ ତରୁଣ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଯଦୁମଣି ମଙ୍ଗରାଜ ଅସହଯୋଗକୁ ବ୍ୟାପକ ଓ ପ୍ରଭାବୀ କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ମଧୁବାବୁଙ୍କ ପରି ଜଣେ ବିରାଟ ବ୍ୟକ୍ତିତ୍ୱ ଦେଶବ୍ୟାପୀ ଆରମ୍ଭ ହୋଇଯାଇଥିବା ଅସହଯୋଗ ଆନ୍ଦୋଳନର ପ୍ରତିପକ୍ଷ ହୋଇଯିବେ ଏହା ଏହି ତରୁଣମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ବରଂ ଏହି ତରୁଣମାନଙ୍କର ଭାବନାରେ ନିହିତ ଥିଲା ଏକ ବିରାଟ ଆଶା ଯାହା ରମାଦେବୀଙ୍କ ଭାଷାରେ, ‘ମଧୁବାବୁ ଯଦି ମନ୍ତ୍ରୀପଦ ଛାଡ଼ିଦିଅନ୍ତି ତେବେ ଅସହଯୋଗ ଆନ୍ଦୋଳନର ସେ ତୁଙ୍ଗନେତା ହୋଇଯାନ୍ତେ ।’

ଅବଶ୍ୟ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଦୁଇବର୍ଷ ପରେ,୯.୩.୧୯୨୩ଦିନ । କିନ୍ତୁ ଅସହଯୋଗ ଆନ୍ଦୋଳନର ଡାକରାରେ ନୁହେଁ । ସ୍ୱାୟତ୍ତ ଶାସନ ବିଭାଗର ଅବୈତନିକ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିବାପାଇଁ ସେ ଯେଉଁ ସର୍ତ୍ତମୂଳକ ପ୍ରସ୍ତାବ ଦେଇଥିଲେ, ତାହା ଗୃହୀତ ନହେବା ଫଳରେ ସେ ଇସ୍ତଫା ଦେଲେ । ତାଙ୍କର ସର୍ତ୍ତଥିଲା ଯେ ତାଙ୍କୁ ଓକିଲ ଭାବେ ବୃତ୍ତିକରିବା ପାଇଁ ଅନୁମତି ଦେଲେ ସେ ଅବୈତନିକ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିବେ । ଅବୈତନିକ ମନ୍ତ୍ରୀହେବା ପଛରେ ତାଙ୍କର ଯୁକ୍ତିଥିଲା ଯେ ଏହାଦ୍ୱାରା ଜଣେ ତ୍ୟାଗର ଏକ ଉଦାହରଣ ହୋଇପାରିବ ।

ଗାନ୍ଧୀ ଓ ଦେଶବନ୍ଧୁ ଚିତ୍ତରଞ୍ଜନ ବ୍ୟକ୍ତିଗତ ତ୍ୟାଗ ଦ୍ୱାରା ଯେ ଲୋକମାନଙ୍କ ଉପରେ ଏତେ ପ୍ରଭାବ ପକାଇ ପାରିଥିଲେ-ତାହା ମଧୁବାବୁ ବୁଝିଥିଲେ । ତେଣୁ ଏମାନଙ୍କ ଦ୍ୱାରା ଅସହଯୋଗ ଆନ୍ଦୋଳନର ଡାକରାକୁ ମୁକାବିଲା କରିବାକୁ ହେଲେ ବ୍ରିଟିଶ ଶାସନ ସହ ସହଯୋଗ କରୁଥିବା ପ୍ରାଦେଶିକ ମନ୍ତ୍ରୀମାନଙ୍କୁ ମଧ୍ୟ ତ୍ୟାଗର ପ୍ରତୀକ ହେବାକୁ ପଡ଼ିବ ଯାହା ମଧୁବାବୁଙ୍କ ବିବେଚନାରେ ଅବୈତନିକ ଦାୟିତ୍ୱ ନିର୍ବାହ କଲେ ସମ୍ଭବ । ସେ ଭାବୁଥିଲେ ଯେ ଏହିଭଳି ତ୍ୟାଗର ନିଦର୍ଶନ ଦେଖାଇଲେ ସାଧାରଣ ଲୋକେ ପ୍ରଭାବିତ ହେବେ ଓ ଅସହଯୋଗ ଆନ୍ଦୋଳନରୁ ବାହାରି ଆସିବେ । କହିବା ବାହୁଲ୍ୟ ଯେ ଅସହଯୋଗ ଆନ୍ଦୋଳନକୁ ଦୁର୍ବଳକରିବାର ମୂଳଉଦ୍ଦେଶ୍ୟ ହିଁ ତାଙ୍କର ଅବୈତନିକ ଦାୟିତ୍ୱ ନିର୍ବାହ ପ୍ରସ୍ତାବ ପଛରେ ଥିଲା । ତାଙ୍କରି ଭାଷାରେ ‘ଅସହଯୋଗ ଆନ୍ଦୋଳନ ସଂସ୍କାରର ପ୍ରସାରପଥରେ ଏକ ବିରାଟ ପ୍ରତିବନ୍ଧକ ।

ଅସହଯୋଗ ଆନ୍ଦୋଳନକାରୀମାନେ ବିଭ୍ରାନ୍ତିକର ପ୍ରଚାରରେ ବେଶ୍ ସଫଳ ହୋଇଛନ୍ତି । ଗାନ୍ଧୀ, ସି.ଆର.ଦାସଙ୍କ ଭଳି ବ୍ୟକ୍ତିମାନଙ୍କର ନିଜସ୍ୱ ପ୍ରଭାବ ସେମାନଙ୍କର ତ୍ୟାଗ ଯୋଗୁଁ ଆମକୁ ଏହି ବିରୋଧୀଶକ୍ତିର ମୁକାବିଲା କରିବାକୁ ହେବ । ଜଣେ ବେତନଭୋଗୀ ସ୍ୱାୟତ୍ତ ବିଭାଗର ମନ୍ତ୍ରୀର ଏହି ମୁକାବିଲାରେ କୌଣସି ସ୍ଥାନ ନାହିଁ । ଦେଶପ୍ରେମରେ ଉଦ୍‌ବୁଦ୍ଧ ବ୍ୟକ୍ତି ଆମର ଦରକାର । ଲୋକାଲ ବୋର୍ଡ଼ ଇତ୍ୟାଦିରେ ଥିବା ଆମର ଅବୈତନିକ କର୍ମୀ (ଅସହଯୋଗ ଆନ୍ଦୋଳନରେ) ବିରୋଧୀ ଶକ୍ତିଭାବେ ଖୁବ୍ ଉପଯୋଗୀ ।’

‘The non co-operation movement is a great impediment to the advancement of the reforms. The non co-operation succeeded in spreading a network of mischievous propaganda. The personal influence of a few men like Gandhi, C.R.Das is due to their sacrifice. We have to combat with this opposing force, a salaried Minister of local self Government has no chance in this struggle. We must have men who are inspired by patriotic feelings; our honorary workers in this local bodies are a valuable counter force, but a salaried minister destroys the harmony and symmetry of this whole organisation.’

(ଦ୍ରଷ୍ଟବ୍ୟ-୭-୮ଫେବୃୟାରୀ ୧୯୨୩ରେ ବିହାର-ଓଡ଼ିଶା ପ୍ରଦେଶ ଗଭର୍ଣ୍ଣରଙ୍କୁ ଲିଖିତପତ୍ର)ଅର୍ଥାତ ତାଙ୍କ ଅଧିନରେ ଥିବା ଲୋକାଲ ବୋର୍ଡ଼ର ଅବୈତନିକ କର୍ମୀଙ୍କୁ ନେଇ ସେ ଅସହଯୋଗ ଆନ୍ଦୋଳନ ବିରୁଦ୍ଧରେ ଏକ ବାହିନୀ ଗଢ଼ାଯିବାର ସମ୍ଭାବନା ଦେଖୁଥିଲେ । ଗାନ୍ଧୀ, ଗୋପବନ୍ଧୁଙ୍କ ଡାକରାରେ ଚାଲିଥିବା ଅସହଯୋଗ ଆନ୍ଦୋଳନର ଘୋର ବିରୋଧୀ ଥିଲେ ଏବଂ ଏହାକୁ ପ୍ରତିରୋଧ କରିବାକୁ ତାଙ୍କର ଯେ ଏକ କର୍ତ୍ତବ୍ୟ ବୋଲି ବିଚାର କରୁଥିଲେ, ତାହାର ନିର୍ବିବାଦ୍ୟ ପ୍ରମାଣ ଉପରୋକ୍ତ ଉଦ୍ଧୃତି ବହନ କରେ ।

ଅସହଯୋଗ ଆନ୍ଦୋଳନର ବିରୋଧୀ ମଧୁସୂଦନଙ୍କ ଦେଶପ୍ରେମଙ୍କୁ କିନ୍ତୁ ପ୍ରଶ୍ନ କରାଯାଇନପାରେ । ଦାଦାଭାଇ ନାରୋଜୀ, ଗୋପାଳକୃଷ୍ଣ ଗୋଖଲେ ଯେଉଁ ସ୍ତରର ଦେଶପ୍ରେମୀ ଥିଲେ-ସେହି ସ୍ତରର ଦେଶପ୍ରେମୀ ଥିଲେ ମଧୁସୂଦନ । ତା’ହେଲେ ସେ କାହିଁକି କହିଥାନ୍ତେ, ‘କାଉନସିଲରେ ଆମର ସ୍ଥିତି କ’ଣ? ଏହା କ’ଣ ସ୍ଥାନ ନୁହଁ, ଯେଉଁଠାରେ ଆମେ ଭାରତବର୍ଷର ମୁକ୍ତି ପାଇଁ କାର୍ଯ୍ୟ କରିବା ।’

ଅପରପକ୍ଷରେ ଯେଉଁମାନେ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ ସରକାରର ନିୟନ୍ତ୍ରଣରେ ଏହି ଦେଶପ୍ରେମ ସ୍ୱାଧୀନ ଭାରତକୁ ଜନ୍ମ ଦେବନାହିଁ- ବରଂ ବ୍ରିଟିଶ ସରକାର ସହ ଅସହଯୋଗରେ ହିଁ ରହିଛି ମୁକ୍ତିର ବୀଜ-ସେମାନଙ୍କର ମଧୁବାବୁଙ୍କ ପ୍ରତି ବିରୋଧ ଅସ୍ୱାଭାବିକ ନୁହେଁ । ବରଂ ମଧୁବାବୁଙ୍କ ଭଳି ଓଡ଼ିଆ ଜାତିର ଜଣେ ଗର୍ବଗୌରବ ବ୍ରିଟିଶ ସାମ୍ରାଜ୍ୟର ଅନୁଗତ ହେବା ତତ୍କାଳୀନ ସ୍ୱାଧୀନଚେତା ବ୍ରିଟିଶ୍ ଶାସନବିରୋଧୀ ଯୁବସମାଜ ଭିତରେ କ୍ଷୋଭ ଓ ଅସନ୍ତୋଷ ସୃଷ୍ଟି କରିବା ସ୍ୱାଭାବିକ । ଏହିଭଳି ଦୁଇଟି ପରସ୍ପରବିରୋଧୀ ବିଶ୍ୱାସ ଭିତରେ ସଂଘର୍ଷର ପରିଣତି ହେଉଛି ମଧୁବାବୁଙ୍କର କୁଶ ପୁତ୍ତଳିକା ଦାହ କରିବାର ଯୋଜନା ବା ସ୍ୱାଧୀନତା ସମ୍ମିଳନୀର ମୂଳଲକ୍ଷ୍ୟ ବୋଲି ଉତ୍କଳ ସମ୍ମିଳନୀର ସାଧାରଣ ସଭାରେ ପ୍ରସ୍ତାବ ଗୃହୀତ କରାଇନେବା ।

ତେଣୁ ଯେଉଁମାନେ ମଧୁବାବୁଙ୍କୁ ବିରୋଧ କରୁଥିଲେ, ସେମାନେ ‘କ୍ଷମତା ଦଖଲ କରିବାକୁ ପ୍ରମତ୍ତ ହୋଇ’ (ଯାହା ଅଭୟସିଂହ ତାଙ୍କ ମୂଳ ଲେଖାରେ ଲେଖିଛନ୍ତି) ବିରୋଧ କରୁନଥିଲେ । ବରଂ ବ୍ରିଟିଶ୍ ଶାସନାଧୀନ ମନ୍ତ୍ରୀ କ୍ଷମତାରୁ ମଧୁବାବୁ ଓହରି ଆସନ୍ତୁ-ଏହାହିଁ ତାଙ୍କର ମଧୁବାବୁଙ୍କୁ ବିରୋଧ ପଛରେଥିଲା-ଯାହା ଗାନ୍ଧୀ ଗୋପବନ୍ଧୁଙ୍କ ଆହ୍ୱାନର ପ୍ରତିଧ୍ୱନି ।

ଏହିଭଳି ଐତିହାସିକ ପୃଷ୍ଠଭୂମିରେ ମଧୁବାବୁଙ୍କୁ ବିରୋଧ କରୁଥିବା ଯୁବକମାନଙ୍କୁ ଦୁରାଚାରୀ ବୋଲି ସମ୍ବୋଧନ କରିବା ଏକ ନିରପେକ୍ଷ ଅନୁଶୀଳନ କରିବାର ଅସାମର୍ଥ୍ୟକୁ ହିଁ ସୂଚିତ କରେ । ତାହା ପୁଣି ଯେତେବେଳେ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ ଓ ଯଦୁମଣି ମଙ୍ଗରାଜଙ୍କ କ୍ଷେତ୍ରରେ ପ୍ରୟୋଗ ହୁଏ-ଏହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସନ୍ଦେହ ସୃଷ୍ଟି କରେ । ଯେଉଁମାନେ ଓଡ଼ିଆଭାଷାର ସୁରକ୍ଷା ପ୍ରତି ସଚେତନ ଓ ଏହା ଏଯାବତ୍ ସରକାରୀ ଭାଷା ରୂପେ ଗୃହୀତ ହୋଇପାରିଲା ନାହିଁ ବୋଲି କ୍ଷୋଭୋକ୍ତି କରୁଛନ୍ତି ସେମାନେ ଜାଣିଲେ ନିଶ୍ଚିତ ଆଶ୍ୱସ୍ତ ହେବେ ଯେ ୧୯୫୧ମସିହା ଫେବୃୟାରୀ ୨୧ତାରିଖ ଦିନ ନବକୃଷ୍ଣ ଚୌଧୁରୀ ଓଡ଼ିଆରେ ଲେଖା ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଥିଲେ ଓ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ଚଳାଇବା ଦିଗରେ କେତେକ ଠୋସ ପଦକ୍ଷେପ ମଧ୍ୟ ନେଇଥିଲେ । (ଦ୍ରଷ୍ଟବ୍ୟ-ଅନିର୍ବାଣ, ଲେ: ପଦ୍ମଚରଣ ନାୟକ, ପୃ-୧୭୧ ଓ ପୃ-୨୧୫, ପ୍ରଥମ ସଂସ୍କରଣ ୧୯୯୬, ଜୁନ୍‌୨୩) ।

ଗଡ଼ଜାତ ଗୁଡ଼ିକୁ ମୋଗଲବନ୍ଦୀ ଓଡ଼ିଶାରେ ମିଶାଇ ଏକ ବୃହତ୍ତର ଓଡ଼ିଶା ଗଠନ କରିବାରେ ହରେକୃଷ୍ଣ ମହତାବଙ୍କର ଭୂମିକା ତ’ ଅବିସ୍ମରଣୀୟ । ଭାରତବର୍ଷରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେତେବେଳେ ରାଜା ମହାରାଜାଙ୍କର ଶାସିକ ଅଞ୍ଚଳଗୁଡ଼ିକୁ ଭାରବର୍ଷରେ ମିଶାଇବାର ଯୋଜନା କଲେ-ତାହା ପ୍ରଥମେ କାର୍ଯ୍ୟକାରୀ ହେଲା ଓଡ଼ିଶାର ନୀଳଗିରିରେ, ହରେକୃଷ୍ଣ ମହତାବଙ୍କର ବଳିଷ୍ଠ ସହଯୋଗରେ । ସେହିଭଳି ବାଗ୍ମୀ ଯଦୁମଣି ମଙ୍ଗରାଜଙ୍କର ଓଡ଼ିଆ ରକ୍ତକୁ ଟକମକ କରିଦେବାର ବାକ୍‌ଚାତୁରୀ ଓ ଆହ୍ୱାନ ପାଶୋର ହେବାର ନୁହେଁ । ଏମାନେ ଓଡ଼ିଆ ବା ଓଡ଼ିଶାର ବିରୋଧୀ ବୋଲି କହିବା ଓ ଏମାନଙ୍କୁ ଦୁରାଚାରି ବୋଲି ସମ୍ବୋଧନ କରିବା ଏକ ପକ୍ଷପାତ ମାନସିକତା ଓ ଅଜ୍ଞତାର ଅଭିବ୍ୟକ୍ତି ।

ଯେତେବେଳେ ଅଭୟବାବୁ ଲେଖିଛନ୍ତି ଯେ, ‘ଓଡ଼ିଶାର ଭାଷା ଭୂଗୋଳ ଜାଣିନଥିବା ଲୋକେ ଏବେ ଶାସନଗାଦିରେ ସର୍ବୋଚ୍ଚ ଶିଖରରେ ବସି ପାରୁଛନ୍ତି ଓ ଆମେ ତାଙ୍କୁ କେବଳ ସହ୍ୟ କରୁନାହୁଁ, ନିର୍ଲ୍ଲଜ ପରି ଓଡ଼ିଆ ପୁସ୍ତକ ଓ ପତ୍ରିକା ଉନ୍ମୋଚନ ଉତ୍ସବରେ ମୁଖ୍ୟପୁରୋଧା କରୁଛୁ । ତାଙ୍କର ସ୍ତବ ଗାଉଛୁ ଓ ନେତୃତ୍ୱ ନେବାପାଇଁ ବାଟକଢ଼ାଇ ଚାଲିଛୁ’ – ସେତେବେଳେ ସେ ବୋଧେ ପାଶୋରି ଯାଇଛନ୍ତି ଯେ ଯେଉଁ ପ୍ରସଙ୍ଗରେ ସେ ଏହି ମନ୍ତବ୍ୟ ଦେଉଛନ୍ତି, ସେ ପ୍ରସଙ୍ଗର ନାୟକ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାଣି ମଧ୍ୟ ଓଡ଼ିଆଙ୍କ ସହ ପ୍ରାୟ ବଙ୍ଗଳାରେ ହିଁ କଥାବାର୍ତ୍ତା ହେଉଥିଲେ ।

ମଧୁବାବୁଙ୍କ ଝିଆରୀ ପୂଜ୍ୟା ରାମାଦେବୀଙ୍କ ଭାଷାରେ ‘ବଡ଼ବାପା ତ’ ଓଡ଼ିଆଙ୍କ ସାଙ୍ଗରେ ଅନେକ ସମୟରେ ବଙ୍ଗଳାରେ କଥାବାର୍ତ୍ତା ହେଉଥିଲେ । ତେଣୁ ମିସ୍ ଦାସଙ୍କ ସଙ୍ଗେ ବଙ୍ଗଳା କହିବା ସ୍ୱାଭାବିକ’ (ଜୀବନପଥେ, ପୃ-୪) କୁହାଯାଇପାରେ ଯେ ମଧୁବାବୁ ଭାଷାଗତ ସଂକୀର୍ଣ୍ଣତାର ବହୁ ଊର୍ଦ୍ଧ୍ୱରେ ଥିଲେ । ଏହା ତାଙ୍କର ଓଡ଼ିଆ ପ୍ରୀତି ଓ ଓଡ଼ିଆତ୍ୱ ସମ୍ମୁଖରେ ପ୍ରଶ୍ନ ହୋଇ କଦାପି ଠିଆ ହୋଇନାହିଁ । ସେହିଭଳି ବିଜୁବାବୁଙ୍କର ଓଡ଼ିଆପ୍ରୀତିକୁ ମଧ୍ୟ କେହି ପ୍ରଶ୍ନ କରେନାହିଁ-ଯଦିଓ ବିଜୁବାବୁଙ୍କର ମା ହେଉଛନ୍ତି ବଙ୍ଗାଳୀ, ପତ୍ନୀ ପଞ୍ଜାବୀ ଓ ସନ୍ତାନସନ୍ତତି କେହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ିନାହାନ୍ତି ।

ଏହାର ଅର୍ଥ ନୁହେଁ ଯେ ଯେଉଁମାନେ ଜନମାନସରେ ଓଡ଼ିଆ ସ୍ୱାଭିମାନର ସର୍ବୋଚ୍ଚ ପ୍ରତୀକ ଭାବେ ସ୍ଥାନିତ, ସେମାନେ ରାଜନୈତିକ ଓ ଆଦର୍ଶଗତ ଦୃଷ୍ଟିରୁ ବିରୋଧର ସମ୍ମୁଖୀନ ହେବେ ନାହିଁ ଓ ସେମାନଙ୍କୁ ରାଜନୈତିକ ବା ଆଦର୍ଶଗତ ଦୃଷ୍ଟିରୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଓଡ଼ିଆଜାତିର ବିରୋଧୀ ବୋଲି ଅଭିହିତ କରାଯିବ ।

ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅବଦାନ ଅନସ୍ୱୀକାର୍ଯ୍ୟ । ସେ ଓଡ଼ିଆ ସ୍ୱାଭିମାନର ସର୍ବୋଚ୍ଚ ନିଦର୍ଶନ ଭାବେ ଓଡ଼ିଆ ମାନସିକତାକୁ ଯେ ଅଦ୍ୟାବଧି ଜାତିପ୍ରେମରେ ଉଦ୍‌ବୁଦ୍ଧ କରୁଛନ୍ତି, ତା’ର ସଦ୍ୟତମ ଉଦାହରଣର ସୂଚନା ଅଭୟ ସିଂହଙ୍କ ୧୬/୬/୦୯ପତ୍ରରୁ ମିଳେ ଯେତେବେଳେ ସେ ପାଠକଙ୍କୁ ଜଣାନ୍ତି ଯେ ମଧୁବାବୁଙ୍କ ରଚିତ ଛ’ଟି ଦେଶାତ୍ମବୋଧ ଗୀତିକାକୁ ନେଇ ଅଶିହଜାର ଟଙ୍କା ବ୍ୟୟରେ ଏକ କ୍ୟାସେଟ ପ୍ରସ୍ତୁତିର ଉଦ୍ୟମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ତାଙ୍କ ହାତକୁ ଅର୍ଦ୍ଧେକ ଅର୍ଥ ଆସିଗଲାଣି । ଏହା ଏକ ଅଭିନନ୍ଦନୀୟ ଉଦ୍ୟମ ଯାହାର ଏକ ଭଲ ବଜାର ଜାତିପ୍ରେମୀ ଓଡ଼ିଆଙ୍କ ମଧ୍ୟରେ ରହିଛି ବୋଲି ଆଶା କରାଯାଇପାରେ।

କିନ୍ତୁ ମଧୁବାବୁଙ୍କ ପ୍ରତି ଆନୁଗତ୍ୟର ଆତିଶଯ୍ୟରେ ନବକୃଷ୍ଣ, ହରେକୃଷ୍ଣ ଓ ଯଦୁମଣିଙ୍କର ଓଡ଼ିଆ ପ୍ରୀତି, ସେମାନଙ୍କର ଓଡ଼ିଆ ଭାଷା, ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଜାତି ସଙ୍ଗଠନରେ ଭୂମିକାକୁ ଅଣଦେଖା କରାନଯାଉ । ଇତିହାସର ସଠିକ ଅବତାରଣା ହେଉ । ସେମାନଙ୍କୁ ‘ଦୁରାଚାରୀ’ ବୋଲି ସମ୍ବୋଧନ କରି ଇତିହାସକୁ କଦର୍ଥ କରାନଯାଉ । ହୋଇପାରେ ଯେ ବ୍ରିଟିଶ ଶାସନ ସହ ସହଯୋଗ କରି ସ୍ୱାଧୀନତା ହାସଲ ସମ୍ଭବବୋଲି ଯୁକ୍ତିକୁ ଯେପରି ଅସହଯୋଗ ଆନ୍ଦୋଳନକାରୀମାନେ ଉଦ୍ଭଟ ବୋଲି ମନେ କରୁଥିଲେ, ସେହିପରି ମଧୁବାବୁ ଓ ତାଙ୍କର ଅନୁଯାୟୀମାନେ ଭାରତ ସ୍ୱାଧୀନ ହେଲେ ଓଡ଼ିଆ ସ୍ୱତନ୍ତ୍ର ପ୍ରଦେଶ ହୋଇଯିବାର ଯୁକ୍ତିକୁ ଉଦ୍ଭଟ ବୋଲି ମନେ କରୁଥିବେ । କିନ୍ତୁ ଏଥିପାଇଁ ଯେପରି ମଧୁବାବୁଙ୍କର ଦେଶପ୍ରେମକୁ ପ୍ରଶ୍ନ କରାଯାଇପାରେ ନା, ସେହିଭଳି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକାରୀ ନବକୃଷ୍ଣ, ହରେକୃଷ୍ଣ, ଯଦୁମଣି ପ୍ରଭୃତିଙ୍କର ଓଡ଼ିଆ ଜାତିପ୍ରେମକୁ ପ୍ରଶ୍ନ କରାଯାଇପାରେ ନା । ତେଣୁ ଏମାନଙ୍କୁ ‘ଦୁରାଚାରୀ’ କହି ସମ୍ବୋଧନ କରିବା ଅର୍ଥ ମଧୁବାବୁଙ୍କ ଦେଶପ୍ରେମକୁ ପ୍ରଶ୍ନ କରିବା ପାଇଁ ଉସ୍‌କାଇବା । କହିବା ବାହୁଲ୍ୟ ଯେ ଉଭୟ ଓଡ଼ିଆ ଜାତିବୋଧ ଓ ଦେଶପ୍ରେମ ପାଇଁ ଶୁଭଙ୍କର ନୁହେଁ।

Photo credit-https://bit.ly/2ASX6tC

Comments

0 comments

Share This Article