‘ଦାଦନ’ରେ ଆଉ କେବିକେ ସୀମିତ ନାହିଁ

କହିବାର ତାତ୍ପର୍ଯ୍ୟ ହେଉଛି ଯେ କ୍ଷୁଧା, ଅନାହାର ଓ ଦାଦନର ସମସ୍ୟା ଗତ ୨୫ବର୍ଷ ଭିତରେ ସମଗ୍ର ଓଡ଼ିଶାକୁ କବଳିତ କରି ରଖିଛି ।

ବିଘ୍ନେଶ୍ୱର ସାହୁ
ବିଘ୍ନେଶ୍ୱର ସାହୁ143 Views
9 Min Read

‘ଦାଦନ’ କହିଲେ କେବଳ ପଶ୍ଚିମ ଓଡ଼ିଶାର ଏକ ବିରାଟ ସମସ୍ୟାକୁ ଆମେ ଏ ଯାଏଁ ବୁଝିଆସିଛେ । ଅନେକ ବହି ‘ଦାଦନ’ ସମସ୍ୟା ଉପରେ ଲେଖାଯାଇ ସାରିଛି । ଏହି ସମସ୍ୟା ଦିନେ ଏତେ ଜଟିଳ ରୂପ ନେଇଥିଲା ଯେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଅନାହାରର କାହାଣୀ ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଥିଲା । ଦୁଇ ଦୁଇଟି ପ୍ରଧାନମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଜନ୍ମକଲା ଛୁଆମାନଙ୍କୁ ମା’ ବାପାମାନେ ମାତ୍ର କେତୋଟି ଟଙ୍କାରେ ବିକ୍ରି କରିଦେଉଥିଲେ କିଛି ଦିନ ବଞ୍ଚିଯିବା ଆଶାରେ । ଏହି ମାମଲାର ଗମ୍ଭୀରତା ଅନୁଧ୍ୟାନ କରି ପୂର୍ବତନ ଲୋକସଭା ସାଂସଦ ତଥା ବିଶିଷ୍ଟ ସମାଜବାଦୀ କିଶନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ପାଖକୁ ଚିଠି ଲେଖିଥିଲେ । ଉଚ୍ଚତମ ନ୍ୟାୟାଳୟ କିଶନ ବାବୁଙ୍କ ଚିଠିଟିକୁ ଏକ ପିଟିସନ ହିସାବରେ ଗ୍ରହଣକରି ଶୁଣାଣି ଆରମ୍ଭ କରିଥିଲେ । ଏହି ପକ୍ରିୟାରେ ବିଶିଷ୍ଟ ବିପ୍ଳବୀ ଚିନ୍ତାନାୟକ ନାଗଭୂଷଣ ପଟ୍ଟନାୟକ ମଧ୍ୟ ଉଚ୍ଚତମ ନ୍ୟାୟାଳୟରେ ଆବେଦନ ପତ୍ର ଦାଖଲ କରିଥିଲେ

। କପିଳ ନାରାୟଣ ତିୱାରୀଙ୍କ ଗୋଟିଏ କଥା ଯାହା ସେ ଅଦାଲତଙ୍କୁ କହିଥିଲେ, ତାହା ଯେକୌଣସି ମଣିଷର ସମ୍ବେଦନଶୀଳତାକୁ ଦୋହଲାଇ ଦେବ । ସେ କହିଥିଲେ ‘ଯଦି ପ୍ରଶାସନ ଲୋକଙ୍କୁ ଖାଦ୍ୟ ଯୋଗାଇ ପାରିବ ନାହିଁ ତେବେ ଅନ୍ତତଃ ସମ୍ମାନର ସହ ସେମାନଙ୍କର ଶବଦାହ କରୁ’ । ୧୯୯୬ ଡିସେମ୍ବର ୧୫ ତାରିଖ ଦିନ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଦାରିଦ୍ର୍ୟକୁ ନେଇ ଇଣ୍ଡିଆ ଟୁଡ଼େ ପତ୍ରିକାର ସ୍ୱତନ୍ତ୍ର ଆଲେଖ ଅନ୍ତହୀନ କ୍ଷୁଧା (Endless Hunger)ଯାହାକି ଅନେକ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଥିଲା । ସେହିବର୍ଷ ବିଶିଷ୍ଟ ସମ୍ବାଦିକ ପି.ସାଇନାଥଙ୍କର ବହୁ ଆଲୋଚିତ ପୁସ୍ତକ ‘ଏଭ୍ରିବଡ଼ି ଲଭ୍ସ୍ ଏ ଗୁଡ଼୍ ଡ଼୍ରାଉଟ -(Everbody Loves a Good Drought: Stories from India’s Poorest Districts) ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଦାରିଦ୍ର୍ୟ, କ୍ଷୁଧା ଓ ଦାଦନର କାହାଣୀଗୁଡ଼ିକୁ ସ୍ଥାନ ଦେଇଥିଲେ । ୧୯୯୯ ମସିହାରେ ସମ୍ବାଦିକ ଆଲୋକ ତୋମାରଙ୍କ ଦ୍ୱାରା ହିନ୍ଦୀରେ ଏହି ସବୁ ସମସ୍ୟା ଉପରେ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା ଯାହାର ନାଁ ଥିଲା ‘ଏକ୍ ହରାଭରା ଅକାଲ୍’ ।

ଏହି ପୁସ୍ତକ ପ୍ରକାଶନ ୨୦ବର୍ଷ ପରେ ବିଶିଷ୍ଟ ପ୍ରଶାସକ ଡଃ ତାରା ଦତ୍ତଙ୍କ ଲିଖିତ ‘ହାଇଲ୍ୟାଣ୍ଡରସ୍ ପ୍ଲେନ୍ସ୍ପିକ୍’(Highlaner’s Plainspeak)ପୁସ୍ତକରେ ଅବିଭକ୍ତ କୋରାପୁଟ କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ଦାରିଦ୍ର୍ୟ ଏବଂ ଦାଦନ ସମ୍ପର୍କିତ ଏକ ବାସ୍ତବ ଚିତ୍ରପଟ ପ୍ରଦାନ କରାଯାଇଥିଲା । ଉଚ୍ଚତମ ନ୍ୟାୟାଳୟ ଓ ଜାତୀୟ ମାନବ ଅଧିକାର କମିଶନଙ୍କ ହସ୍ତକ୍ଷେପ ଏବଂ ଭାରତ ସରକାରଙ୍କର କେବିକେ ଯୋଜନା ଅନ୍ତର୍ଗତ ବ୍ୟାପକ ବ୍ୟୟବରାଦ ସତ୍ତ୍ୱେ କେବିକେର ସ୍ଥିତିରେ ସେହିଭଳି ମୌଳିକ ପରିବର୍ତ୍ତନ କିଛି ଆସିନାହିଁ, ଏହା ଅନ୍ତତଃ ତାରା ଦତ୍ତଙ୍କ ପୁସ୍ତକରୁ ଜଣାପଡ଼ୁଛି । ନିକଟରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡ଼େମୀଠାରେ ଲୋକାର୍ପଣ ହୋଇଥିବା ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଓକିଲ ସଞ୍ଜୟ ପାରିଖ୍ ଙ୍କ ଦ୍ୱାରା ରଚିତ ଅଦାଲତ ଓ କ୍ଷୁଧା (Courts and Hunger) ଦୀର୍ଘବର୍ଷ ଧରି କେବିକେର କ୍ଷୁଧା ଓ ଦାଦନର ସମସ୍ୟାକୁ ନେଇ ଚାଲିଥିବା ଅଦାଲତି ସଂର୍ଘଷର ଏକ ସ୍ପଷ୍ଟଚିତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ କୋଭିଡ଼ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ମାର୍ଚ୍ଚ୨୪,୨୦୨୦ରେ ଯେଉଁ ଅପ୍ରତ୍ୟାଶିତ ଏବଂ ଅଚାନକ ଦେଶବ୍ୟାପି ତାଲାବନ୍ଦ ଘୋଷଣା କଲେ, ସେତେବେଳେ ଓଡ଼ିଶାର ଦାଦନ ମାନଚିତ୍ରଟି କେବଳ କେବିକେରେ ସୀମିତ ନଥିଲା ଏବଂ ଆମ ଅଜାଣତରେ ପ୍ରାୟତଃ ଓଡ଼ିଶାର ସବୁ ଜିଲ୍ଲାକୁ ସ୍ପର୍ଶ କରିଯାଇଥିଲା: ତାହାର ଏକ ଆଭାସ ମିଳିଥିଲା ।

ଅଗ୍ରୀମନେଇ ଇଟାଭାଟିର ମାଲିକମାନଙ୍କ ପାଖରେ ବନ୍ଧା ପଡ଼ିଥିବା ଶ୍ରମିକ ମାନେ କେମିତି ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହେଉଥିଲେ ଏବଂ ସେମାନଙ୍କ ପାଇଁ ଫେରିବାଟା ଯେମିତି ଗୋଟିଏ ଦୁଃସ୍ୱପ୍ନ ହୋଇଯାଇଥିଲା, ତାହା କୋଭିଡ଼ ସମୟର ଦୁଃସ୍ଥାବସ୍ଥା ଅନୁଧ୍ୟାନ କରୁଥିବା ଏବଂ ସହଯୋଗ ଯୋଗାଉଥିବା ଲୋକମାନେ ସ୍ପଷ୍ଟ ଭାବେ ଜାଣି ପାରୁଥିଲେ । ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ପ୍ରବାସୀ ଶ୍ରମିକପାଇଁ ରିଲିଫ ଶିବିର ପ୍ରତିଷ୍ଠା କରାଯାଇଥିଲା ଏବଂ ସେମାନଙ୍କ ଭିତରୁ ଅନେକ ଦାଦନର ଯନ୍ତ୍ରଣା ଭୋଗି ଫେରିଥିଲେ ।

କହିବାର ତାତ୍ପର୍ଯ୍ୟ ହେଉଛି ଯେ କ୍ଷୁଧା, ଅନାହାର ଓ ଦାଦନର ସମସ୍ୟା ଗତ ୨୫ବର୍ଷ ଭିତରେ ସମଗ୍ର ଓଡ଼ିଶାକୁ କବଳିତ କରି ରଖିଛି । ତାହାବି ଅନେକ କେନ୍ଦ୍ରୀୟ ଏବଂ ରାଜ୍ୟ ଯୋଜନାର ପ୍ରବଳ ପ୍ରଚାର ସତ୍ତ୍ୱେ । ଗଣମାଧ୍ୟମ ସୌଜନ୍ୟରୁ ଅନେକ ସମୟରେ ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାର ଦାଦନଜନିତ କାହାଣୀରୁ କିଛି ଆମ ନଜରକୁ ଆସିଥାଏ । ନିକଟରେ ଏଭଳି ଏକ କରୁଣ କାହାଣୀ ସାମ୍ନାକୁ ଆସିଥିଲା । ଓଡ଼ିଶାର ଶିଳ୍ପୀକରଣ ମାନଚିତ୍ରରେ ଆଗଧାଡ଼ିରେ ଥିବା ଅନୁଗୁଳ ଜିଲ୍ଲାର ବନ୍ତଳରୁ ଦଳିତ ବର୍ଗର ୧୧ଜଣ ଯୁବକ ଚେନାଇ ଆଡ଼କୁ ଯାଇଥିଲେ । ଚେନ୍ନାଇରେ ପହଞ୍ଚôବା ପୂର୍ବରୁ ସେମାନଙ୍କ ଭିତରୁ ଜଣଙ୍କର ସ୍ୱାସ୍ଥ୍ୟର ଅବନ୍ନତି ଘଟିଥିଲା । ଚେନାଇରେ ପହଞ୍ଚିବା ପରେ ସେଠାକାର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଗଲା ।

ଶବ ସତ୍କାର କରିବାପାଇଁ ବା ଗାଁକୁ ଫେରାଇ ଆଣିବା ପାଇଁ ସେମାନଙ୍କ ପାଖରେ ଅର୍ଥ ନଥିଲା । ସେମାନଙ୍କ କାହାଣୀରୁ ଜଣାପଡ଼ୁଥିଲା ଯେ ଗାଁରେ ବା ନିଜ ଅଞ୍ଚଳରେ ସେମାନଙ୍କ ପାଇଁ କିଛି କାମ ନାହିଁ । ଏହି କଥାଟି ଅବଶ୍ୟ ଶିଳ୍ପ ଆସିଲେ ରୋଜଗାର ମିଳିଯିବ ବୋଲି ଯେଉଁ ପଣ୍ଡିତମାନେ ଯୁକ୍ତି ରଖିଥାନ୍ତି ସେମାନଙ୍କ ନଜରକୁ ଆସିବ ନାହିଁ । ସେମାନଙ୍କ କାହାଣୀରୁ ଜଣାପଡ଼ୁଥିଲା ଯେ ତାଙ୍କଭଳି ଅନେକ ଯୁବକ ଯୁବତୀ କାମ ନପାଇ ଯେକୌଣସି ସର୍ତ୍ତରେ ଏବଂ ଯେକୌଣସି ପରିସ୍ଥିତିରେ ଦାଦନ ଖଟିବା ପାଇଁ ବା ଦୁଇ ପଇସା ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛିନ୍ତି । ଏପଟେ ସରକାରଙ୍କର ଯୋଜନାମାନଙ୍କର ପ୍ରଚାର ପାଇଁ ଯେତିକି ଖର୍ଚ୍ଚ ହେଉଛି ସେତିକି ଅର୍ଥରେ ରାଜ୍ୟ ଭିତରେ ଅଧିକ କିଛି କର୍ମ ଯୋଗାଣ କରାଯାଇ ପାରିଥାନ୍ତା । କେତେକ ଅଧ୍ୟୟନରୁ ଜଣାପଡ଼ୁଛି ଯେ ଭୂମିହୀନଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ନିଯୁକ୍ତି ପାଇପାରୁ ନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ୧୫ରୁ ୨୯ ବୟସ ସୀମା ଭିତରେ ଥିବା ଯୁବ ବର୍ଗରେ ପ୍ରତି ୧୦୦ଜଣଙ୍କ ମଧ୍ୟରେ ୩୨ଜଣ ନିଯୁକ୍ତି ନପାଇ ଅଛନ୍ତି । ଓଡ଼ିଶାରେ ଏହି ସଂଖ୍ୟାଟି ବହୁତ ଅଧିକ ବୋଲି କୁହାଯାଉଛି । ଓଡ଼ିଶା ସରକାରର ୨୦୨୨ର ଅର୍ଥନୈତିକ ସର୍ବକ୍ଷେଣ ରିପୋର୍ଟରେ ମଧ୍ୟ ସ୍ୱୀକାର କରାଯାଇଛି ଯେ ଓଡ଼ିଶାରେ ବେରୋଜଗାର ହାର ୬.୨ପ୍ରତିଶତ ଅଛି ଯାହାକି ଜାତୀୟ ହାରାହାରି ହାରଠାରୁ ଅଧିକ । ଅବଶ୍ୟ କୋଭିଡ୍ର ମହାମାରୀ ପ୍ରକୋପରୁ ଓଡ଼ିଶାରେ ବେରୋଜଗାରୀ ବଢ଼ିବା ଏକ କାରଣ ହୋଇପାରେ ବୋଲି କୁହାଯାଉଛି । କିନ୍ତୁ ଅନ୍ୟପଟେ ଯେଉଁମାନେ ନିରନ୍ତର କିଛି ରୋଜଗାର କରୁଥିଲେ ଯେମିତିକି କୃଷକ ସମୁଦାୟ ସେମାନଙ୍କ ଭିତରେ ଦାରିଦ୍ର ସବୁଠାରୁ ଅଧିକ ଅଛି ବୋଲି ବିଭିନ୍ନ ସରକାରୀ ସର୍ବେକ୍ଷଣରୁ ଜଣାପଡ଼ୁଛି । ଏହି ପରିସ୍ଥିତି ଆସିଛି ଗୋଟିଏ ବାସ୍ତବତାକୁ ଭ୍ରୂକ୍ଷେପ ନକରି ଯାହା ହେଉଛି ଯେ ସରକାରମାନେ କୃଷକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କା ଆକାରରେ ସହଯୋଗ ପ୍ରଦାନ କରୁଛନ୍ତି । ଓଡ଼ିଶା ସରକାର କୃଷି ବଜେଟ୍ ବଢ଼ାଇ ଚାଲିଛନ୍ତି । ଯେଉଁ ନବୀନ ସରକାର ୨୦୧୨-୧୩ରେ କୃଷି କ୍ଷେତ୍ରପାଇଁ ୫୬୨୭ କୋଟି ଟଙ୍କା ବ୍ୟୟବରାଦ କରିଥିଲେ, ୧୦ବର୍ଷ ଭିତରେ ଅର୍ଥାତ୍ ୨୦୨୧-୨୨ବେଳକୁ କୃଷି କ୍ଷେତ୍ରର ବଜେଟ୍ ପରିମାଣ ବୃଦ୍ଧିକରି ୧୭୪୫୯ କୋଟିରେ ପହଞ୍ଚାଇଛନ୍ତି ।

ତେବେ ସରକାର ଯେଉଁ ଟଙ୍କା କୃଷି କ୍ଷେତ୍ର ପାଇଁ ଖର୍ଚ୍ଚ କରୁଛନ୍ତି ସେଥିରୁ କେତେଟଙ୍କା ପ୍ରକୃତରେ କୃଷିକ୍ଷେତ୍ରରେ କର୍ମରତ ଅସଲ କୃଷକମାନଙ୍କ ପାଖକୁ ଯାଉଛି ତାହା ଏକ ପ୍ରଶ୍ନ! ଓଡ଼ିଶାରେ ଅଧିକାଂଶ କୃଷକ ଭାଗଚାଷୀ ବା ନାମକୁ ମାତ୍ର ଚାଷୀ ବା ଭୂମିହୀନ କୃଷି ଶ୍ରମିକ । ସେମାନେ ସିଧାସଳଖ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ । ଯଦି ଭାଗଚାଷୀ ମାନଙ୍କ ପାଇଁ ସରକାର ୨୦୨୦ ମସିହାରୁ ଯେଉଁ ‘ବଳରାମ’ ଯୋଜନା ନାଁରେ ଋଣର ଘୋଷଣା କରିଛନ୍ତି ତାକୁ ସେମାନେ ପାଇବା ଏବଂ ପାଇଲା ପରେ ପରିଶୋଧ କରିବା କେତେ କଷ୍ଟକର, ସେକଥା ଭାଗଚାଷୀମାନଙ୍କୁ ପଚାରିଲେ ସ୍ପଷ୍ଟ ଜଣାପଡ଼ିବ । ଜଳବାୟୁ ପରିବର୍ତ୍ତନ ପ୍ରକୋପରୁ ଉପକୂଳ ଓଡ଼ିଶାର ଚାଷୀମାନଙ୍କର ଫସଲ ଉତ୍ପାଦନ କାମଟି ଭୟଙ୍କର ଭାବେ ପ୍ରଭାବିତ ହେଉଛି । ବିଡ଼ମ୍ବନାର କଥାଯେ ନା ସରକାର ନା ବେସରକାରୀ ଗବେଷଣା ସଂସ୍ଥା ଉପକୂଳ ଏବଂ ଉତ୍ତର ପଶ୍ଚିମଓଡ଼ିଶାର କୃଷି ସଙ୍କଟ କେଉଁ ରୂପ ନେଇଛି ଏବଂ ନାମକୁମାତ୍ର ଚାଷୀ, କ୍ଷୁଦ୍ରଚାଷୀ, ଭାଗଚାଷୀ ଏବଂ କୃଷି ଶ୍ରମିକମାନଙ୍କୁ କେଉଁଭଳି ଭାବରେ ପ୍ରଭାବିତ କରୁଛି ସେ ସମ୍ପର୍କରେ କୌଣସି ଅନୁଧ୍ୟାନ କରୁନାହାନ୍ତି । ଶିଳ୍ପ ଉନ୍ନତ ଜିଲ୍ଲାମାନଙ୍କରେ ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, ଯାଜପୁର ଏବଂ କଳାହାଣ୍ଡି ଭଳି ଜିଲ୍ଲାମାନଙ୍କରେ ଯେଉଁଠି ଦେଶୀ ବିଦେଶୀ କମ୍ପାନୀ ମାନଙ୍କର ଉପସ୍ଥିତି ବେଶଭଲଭାବେ ପ୍ରଚାରିତ ହୋଇଆସିଛି, ସେଠାକାର ସ୍ଥାନୀୟ ବାସିନ୍ଦାମାନଙ୍କୁ କାହିଁକି ରୋଜଗାର ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି ବା ଭିଟାମାଟି ଛାଡ଼ିବାକୁ ପଡ଼ୁଛି? ରାଜ୍ୟ ସରକାର ଲ୍ୟାଣ୍ଡବ୍ୟାଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ତିଆରି କରିପାରୁଛନ୍ତି । ସେହି ଲ୍ୟାଣ୍ଡବ୍ୟାଙ୍କରେ ଥିବା ଜମିଗୁଡ଼ିକ ଉପରୁ ଲୋକମାନଙ୍କୁ ଉଠାଇ ବାସଚୁତ୍ୟ କରି ଏବଂ ଜୀବିକାରୁ ନିର୍ବାସିତ କରି ଅଧିକ ବେରୋଜଗାର ତଥା ସମ୍ଭାବ୍ୟ ଦାଦନଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି । ଭୂମିହୀନମାନଙ୍କ ପାଇଁ ଲ୍ୟାଣ୍ଡବ୍ୟାଙ୍କ ବି କାମ କରିପାରିବ ଏବଂ ସହଯୋଗରେ ବା ସମବାୟଭିତ୍ତିକ କୃଷି ବା କୃଷିଭିତ୍ତିକ ଶିଳ୍ପର ପ୍ରତିଷ୍ଠା କରାଯାଇ ପାରିବ, ଏ କଥା ସରକାର ଚିନ୍ତା କରୁନାହାନ୍ତି କାହିଁକି! ଲୋକ ମାନଙ୍କ ପାଖରେ ଥିବା ସମ୍ବଳର ସହନଶୀଳ ବିକାଶ ନକରି, ସେ ସବୁ ସମ୍ବଳ ଉପରେ ସ୍ଥାନୀୟ ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ ଦୁଃସ୍ଥ ଅଧିବାସୀଙ୍କ ଅଧିକାରକୁ ସ୍ୱୀକୃତି ନଦେଇ, ଭୂମିହୀନଙ୍କ ପାଇଁ ସର୍ବନିମ୍ନ ଚାଷଜମିର ବ୍ୟବସ୍ଥା ଏବଂ ତାହାର ବିକାଶ ପାଇଁ ଲୋକଙ୍କୁ ସୁହାଇଲା ଭଳି ଯୋଜନା ନ କରି, ସେମାନେ ଉତ୍ପାଦନ କରୁଥିବା ଖାଦ୍ୟ ବା ଦ୍ରବ୍ୟର ଉପଯୁକ୍ତ ବିକ୍ରିବଟା ବନ୍ଦୋବସ୍ତ ନକରି ଆମେ ଲକ୍ଷଲକ୍ଷ କୋଟି ଟଙ୍କା ଖର୍ଚ୍ଚକରି ଯେତେ ଦୃତଶିଳ୍ପାୟନ ବା ଯେତେ ଭିକଦେଲା ଭଳି ଯୋଜନା ପ୍ରସ୍ତୁତ କଲେ ବି ନିରନ୍ତର ଦାରିଦ୍ର୍ୟର ସ୍ଥିତି ଜାରି ରହିବ ।

ଏହିଭଳି ପରିସ୍ଥିତିରେ ନିଜେ ବଞ୍ଚିଯିବା ପାଇଁ ବା ନିଜ ପରିବାରକୁ ବଞ୍ଚାଇ ରଖିବା ପାଇଁ ଦାଦନ ଖଟିବା ଉଦ୍ଦେଶ୍ୟରେ ବାହାରକୁ ଯିବାପାଇଁ ଲୋକେ ବାଧ୍ୟ ହେବେ । ସରକାର ହଜାର ହଜାର ଏକର ଜମି ଲୋକଙ୍କଠାରୁ ବା ଲୋକଙ୍କ ଦଖଲରୁ ଛଡ଼ାଇ ନେଇ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ ଯୋଗାଇ ଆସିଛନ୍ତି । ଏହି ଶିଳ୍ପସଂସ୍ଥାମାନେ ନିଜ ଅଧିନରେ ଥିବା ବିରାଟ ଭାଗ ଜମିକୁ ବ୍ୟବହାର ନକରି ସେମିତି ପଡ଼ିଆ ପକାଇ ରଖିଛନ୍ତି । ନିକଟରେ ରାଉରକେଲା ଇସ୍ପାତ କାରଖାନା ପାଇଁ ସରକାର ଯେଉଁ ଜମି ୬୦ ଦଶକରେ ଲୋକଙ୍କଠାରୁ ଛଡ଼ାଇ ନେଇଥିଲେ ଏବଂ ତାକୁ ବ୍ୟବହାର ନକରି ସେମିତି ରଖିଛନ୍ତି, ରାଉରକେଲା ବିସ୍ଥାପିତ ମାନେ ସେସବୁ ଜମିକୁ ଫେରାଇ ଦେବାପାଇଁ ରାଜ୍ୟପାଳଙ୍କ ପାଖରେ ଆସି ଗୁହାରି କରିଛନ୍ତି । ଅନ୍ତତଃ ଯଦି ଆଦିବାସୀମାନେ ଚାଷ କରୁଥିବା ଜମିର ମାଲିକାନା ସେମାନଙ୍କୁ ଫେରାଇ ଦିଆଯାଇପାରନ୍ତା ଏବଂ ରାଜ୍ୟର ସମସ୍ତ ଭୂମିହୀନ, ଦଳିତ, ଆଦିବାସୀ ଏବଂ ଦରିଦ୍ରବର୍ଗର ଲୋକମାନଙ୍କୁ ଉତ୍ପାଦନକ୍ଷମ ଜମି ବ୍ୟକ୍ତିଗତ ଭାବେ ବା ଲୋକ ସମବାୟ ମାଧ୍ୟମରେ ଯୋଗାଇଦେଇ କୃଷି ଉତ୍ପାଦନ ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯାଇ ପାରନ୍ତା, ତେବେ ଭବିଷ୍ୟତରେ ଅଧିକ ଦାଦନ ସୃଷ୍ଟି ହେବାର ଆଶଙ୍କା ରୁହନ୍ତା ନାହିଁ । କିନ୍ତୁ ସମଗ୍ର ରାଜ୍ୟ ଗସ୍ତ କଲାବେଳେ ଜଣାପଡ଼ୁଛି ଯେ ସରକାର ଯେମିତି ଭବିଷ୍ୟତ କଥା ଆଦୌ ଚିନ୍ତା କରୁନାହାନ୍ତି । ସମାଜରେ ଏହି ସମସ୍ୟାକୁ ନେଇ କିଏ ଚିନ୍ତିତ, କିଏ କାର୍ଯ୍ୟରତ; ଏହି ପ୍ରଶ୍ନର ଉତ୍ତର ମିଳିବା ଆଶା ବି କମ୍ । ଯାହା ଲାଗୁଛି ରାଜ୍ୟରେ ଦାଦନ ସମସ୍ୟା ଆଗକୁ ଅଧିକ ଜଟିଳ ଏବଂ ଅଧିକ ବ୍ୟାପକ ହୋଇପାରେ ।

Comments

0 comments

Share This Article