ଧନୀ ବିଦ୍ୟାଳୟରେ ଗରିବପିଲାଙ୍କ ସମାନ ଅଧିକାର

ତାରାପଦ ସିଂହ
ତାରାପଦ ସିଂହ378 Views
9 Min Read

ତାରାପଦ ସିଂହ

ସନ୍ତୋଷ ମାଝି ସହର ଉପକଣ୍ଠରେ ରାଜମିସ୍ତ୍ରୀ କାମ କରି ପେଟ ପୋଷନ୍ତି । ଭୁବନେଶ୍ୱର ନୀଳାଦ୍ରିବିହାର ଅନ୍ତର୍ଗତ ଈଶାନେଶ୍ୱର ବସ୍ତି । ପ୍ରାୟ ଗତ ୧୫ବର୍ଷ ଧରି ସେ ସେଠାକାର ବାସିନ୍ଦା । ପରିବାର କହିଲେ ସ୍ତ୍ରୀ ଊମା ଓ ଚାରିଗୋଟି ଛୁଆ । ବଡ଼ ପୁଅ ଶୁଭମ୍ ୧୭ବର୍ଷର ମଂଚେଶ୍ୱର ଆଇ.ଟି.ଆଇରେ ପଢୁଛି । ମଝିଆ ପୁଅ ଆକାଶ ୧୪ବର୍ଷର, ନବମ ଶ୍ରେଣୀରେ ସୀତାନାଥ ସରକାରୀ ବିଦ୍ୟାଳୟ ପଢୁଛି । ତୃତୀୟଟି ଝିଅ ଲକ୍ଷ୍ମୀ, ୯ବର୍ଷ ସେ ଚତୁର୍ଥ ଶ୍ରେଣୀରେ ନୀଳାଦ୍ରିବିହାର ସରକାରୀ ବିଦ୍ୟାଳୟରେ ପଢ଼େ । ସାନ ଝିଅ ପୂଜାର ବୟସ ୭ବର୍ଷ । ସ୍ତ୍ରୀ ଊମା ମାଝି ଜଣେ ଗୃହିଣୀ ଓ ପିଲାମାନଙ୍କର ଦେଖାଶୁଣା କରନ୍ତି ।

ସନ୍ତୋଷ ଏବଂ ତାଙ୍କ ସ୍ତ୍ରୀଙ୍କର ଦୀର୍ଘ ଦିନର ଆଶା, ତାଙ୍କର ପିଲାମାନେ କିପରି ଭଲ ପାଠପଢ଼ି ଦୁନିଆରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ସେଥିପାଇଁ ତ ସେମାନେ ନିଜେ ବହୁତ ଦୁଃଖଯନ୍ତ୍ରଣା ସହ୍ୟ କରି ଏ ରାଜଧାନୀର ଏକ ଛୋଟିଆ ବସ୍ତିରେ ରହି ଆସୁଛନ୍ତି । ସନ୍ତୋଷ ନିଜେ ଅଙ୍ଗେ ନିଭାଇଛନ୍ତି, ଗୋଟିଏ ଅଶିକ୍ଷିତ/ବେକାରୀ ଯୁବକର ବର୍ତ୍ତମାନ ସମୟରେ କୌଣସି ସ୍ଥାନ ନାହିଁ । ବର୍ତ୍ତମାନର ଏହି ବ୍ୟୟବହୁଳ ସମୟରେ ଏବଂ ଭୁବନେଶ୍ୱରର ପରି ସହରରେ ନିଜର ପିଲାମାନଙ୍କୁ ଟିକେ ଭଲ ଶିକ୍ଷା ଦେବାକୁ ଭାବିବାଟା ହେଉଛି ଦିବାସ୍ୱପ୍ନ ଦେଖିବା ସହ ସମାନ । ସେଥିପାଇଁ ସନ୍ତୋଷ ସ୍ୱପ୍ନ ଦେଖେ,“ତା ପିଲାମାନେ କିପରି ଭଲ ପାଠ ପଢିବେ ଓ ତା’ପରି ଦିନମଜୁରିଆ ହେବେ ନାହିଁ” ।

କିନ୍ତୁ ପରିବାରର ଭରଣପୋଷଣ କରିବାପାଇଁ ତାଙ୍କୁ ସବୁଦିନ କାମ କରିବାକୁ ଯିବାକୁ ପଡିଥାଏ । କିନ୍ତୁ ସ୍ୱଳ୍ପ ଆୟରେ ସେ ଚାରିଟି ପିଲାକୁ ବଡ଼ ସ୍କୁଲରେ ପଢ଼େଇବାକୁ ସକ୍ଷମ ହୋଇପାରୁନଥିଲା । ଦୁଇଟି ପିଲାକୁ ସରକାରୀ ସ୍କୁଲରେ ପାଠ ପଢ଼ାଉଥିଲା । ସେ ଅଙ୍ଗନବାଡ଼ିରେ ଶୁଣିବାକୁ ପାଇଲା ଯେ ସରକାର ଏକ ଯୋଜନା କରିଛନ୍ତି ଯେଉଁଥିରେ ପିଲାମାନଙ୍କର ବେସରକାରୀ ସ୍କୁଲମାନଙ୍କରେ ବିନାମୂଲ୍ୟରେ ନାମଲେଖା ହେଉଛି । ଗୋଟିଏ ଦିନ ବସ୍ତିର ସଭାପତି କହିଲେ ଯେଉଁମାନେ ପିଲାର ଆର.ଟି.ଇ ପାରଦର୍ଶୀରେ ଆଡମିସନ କରିବାକୁ ଚାହୁଁଛନ୍ତି, ସେମାନେ ସେଦିନ ସବୁ ଦସ୍ତାବିଜ ବା ପ୍ରମାଣ ପତ୍ର ସାଙ୍ଗରେ ଧରି ଆସିବାକୁ । ଏଥିପାଇଁ ଗୋଟେ ଦିନ ବାହାରୁ ସାର ଓ ମାଡାମ ଆସିଥିଲେ ଓ ସେମାନେ କହିଲେ ଦୁଇଟି ପିଲାର ବୟସ ଅଧିକ ହୋଇଯାଇଛି, ସାନ ଝିଅର ହୋଇପାରିବ । ସନ୍ତୋଷ L.K.G. ଶ୍ରେଣୀ ପାଇଁ ଦୁଇଟି ସ୍କୁଲରେ ଆବେଦନ କରିଲେ । ସରସ୍ୱତୀ ଶିଶୁ ମନ୍ଦିର, ନୀଳାଦ୍ରିବିହାର ଓ DAV Public School , ଚନ୍ଦ୍ରଶେଖରପୁର, ୨୦ ଜୁନ ୨୦୨୧ ମସିହାରେ ବାହାରୁ ଆସିଥିବା ସାରଙ୍କ ପାଖରେ ଯାଇ ଆବେଦନ କରିଥିଲେ । ସାର ଓ ମ୍ୟାଡାମଙ୍କ ଦ୍ୱାରା ଦିଆଯାଇଥିବା ପଞ୍ଜିକରଣ ନମ୍ବରକୁ ନେଇ ଜେରକ୍ସ ଦୋକାନ ଆବେଦନ ଫର୍ମ ବାହାର କରି ବ୍ଲକ ଶିକ୍ଷା କାର୍ଯ୍ୟଳୟରେ(BEO) ଜମା କରିଥିଲେ । ସାଙ୍ଗରେ ପିଲାର ଫୋଟ ୨ଟି, ଜନ୍ମ ପ୍ରମାଣ, ଆଧାର କାର୍ଡ, ମାତାପିତାର ଆଧାର କାର୍ଡ, ରାସନ କାର୍ଡ ୨କପି ଜମା କରିବାକୁ ପଡିଥିଲା । ଏହା ପରେ ଲଟେରୀ ମାଧ୍ୟମରେ ସରସ୍ୱତୀ ଶିଶୁ ମନ୍ଦିର, ନୀଳାଦ୍ରି ବିହାର, ଭୁବନେଶ୍ୱର ସ୍କୁଲରେ ନାମ ଲେଖାଇବା ପାଇଁ ସାନ ଝିଅ ପୂଜା ମାଝିର ନାମ ଆସିଥିଲା । ଜୁଲାଇ ୨୦ତାରିଖ ଦିନ ସରସ୍ୱତୀ ଶିଶୁ ମନ୍ଦିରରୁ ଫୋନ ଆସିଥିଲା ଝିଅର ନାମ ଲେଖାଇବା ପାଇଁ । ମୁଁ ଝିଅକୁ ଧରି ସ୍କୁଲ ଯାଇଥିଲି ଏବଂ ଆଡମିସନ କରିଥିଲି । ସେଥି ପାଇଁ କୋଣସି ଟଙ୍କା ଦେବାକୁ ପଡିଲା ନାହିଁ । ସ୍କୁଲ ତରଫରୁ ବହି, ଖାତା, ପେନ ମିଳିଥିଲା । ଏହାର ମଧ୍ୟ କୌଣସି ଟଙ୍କା ଦେବାକୁ ପଡିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେବି ମୋପରି ଗରିବ ପରିବାରର ପିଲାମାନେ ବଡ ସ୍କୁଲରେ ପଢିପାରୁଛି ।

ପୂଜା ଭଳି ଓଡ଼ିଶାରେ ଦୁଇବର୍ଷ ଭିତରେ ପ୍ରାୟ ୨୮୦୦୦ ହଜାର ଗରିବ ପିଲା ବେସରକାରୀ ବିଦ୍ୟାଳୟରେ ନାମଲେଖାଇ ପାରିଛନ୍ତି । ଏଥି ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରି ୨୦୨୧ରେ ଅନଲାଇନ ପୋର୍ଟାଲ ଆରମ୍ଭ କରିଥିବାଦ୍ୱାରା ଲୋକମାନେ ଜାଣିବାକୁ ପାଇଲେ ଯେ ବେସରକାରୀ ବିଦ୍ୟାଳୟମାନଙ୍କରେ ବିନାମୂଲ୍ୟରେ ନାମ ଲେଖାଇ ପାରିବେ । ଏହା ପୂର୍ବରୁ ଲୋକମାନେ ଜାଣିପାରୁ ନଥିଲେ । ତେବେ ସରକାର ଏହାକୁ ଲାଗୁ କରିବା ସହିତ ଖବରକାଗଜ ଓ ଟିଭି ମାଧ୍ୟମରେ ସୂଚନା ପ୍ରସାର କରିଥିଲେ । ଏହାକୁ ଲୋକମାନେ ଦେଖିବା ପରେ ସବୁ ଲୋକ ନାମଲେଖା ପାଇଁ କେଉଁ ପ୍ରମାଣ ପତ୍ର ଦରକାର ଅଛି ଜାଣିପାରି ଥିଲେ । ଆବେଦନ କରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଅନଲାଇନ ୱେବସାଇଟ www.rteparadarshi.odisha.gov.in ମାଧ୍ୟମରେ ଲୋକେ ଆବେଦନ କରିଥିଲେ । ଅନଲାଇନରେ ଯେଉଁ ସ୍କୁଲମାନେ ପଞ୍ଜିକରଣ କରିଥିଲେ ସେହି ସ୍କୁଲଗୁଡିକ ପୋର୍ଟାଲ ମାଧ୍ୟମରେ ଦେଖା ଯାଉଥିଲା ଓ ଘରଠାରୁ ୦ରୁ ୩କିଲୋମିଟର, ୩ରୁ ୬ କିଲୋମିଟର ଭିତରେ ଥିବା ସ୍କୁଲଗୁଡିକରେ ଆବେଦନ କରିପାରୁଥିଲେ । Nursery, L.K.G., , Class-1 ଶ୍ରେଣୀଗୁଡିକରେ ପିଲାମାନଙ୍କର ନାମଲେଖାଇବା ପାଇଁ ପ୍ରାବଧାନ ରହିଥିଲା ।

ଶିକ୍ଷା ଅଧିକାର ନିୟମ ୨୦୧୦ ମସିହାରୁ କାର୍ଯ୍ୟକାରୀ କରାଯାଇଛି ହେଲେ ସଠିକ୍ ଭାବରେ ଲୋକମାନେ ଏହାର ଲାଭ ନେଇପାରୁନାହାନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଆର.ଟି.ଇ ପାରଦର୍ଶୀ ପୋର୍ଟାଲର ବିଜ୍ଞପ୍ତି ଜାରି ହୋଇଥିଲା । ବେସରକାରୀ ସ୍କୁଲମାନଙ୍କରେ ୨୫% ସିଟ ପାଇଁ ଆବେଦନ କରିବା ପାଇଁ ଗରିବ, ଦଳିତ, ଆଦିବାସୀ ଓ ଆର୍ଥôକ ଦୁର୍ବଳଶ୍ରେଣୀ ପରିବାରର ପିଲାମାନଙ୍କ ପାଇଁ ବିନାମୂଲ୍ୟରେ ଆଡମିସନ ବ୍ୟବସ୍ଥା ରହିଛି । ସେଠାରେ ରୂପାୟନ ଓ ଇଣ୍ଡସ ଏକସନ ନାମକ ଦୁଇ ସେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟରତ ଅଛନ୍ତି । ସେଠାରେ ମିଳିତ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଖକୁ ପହଞ୍ଚି ଏହାର ସୁବିଧା ବିଷୟରେ ଜାଣିଥିଲେ ଏବଂ ସେଠାରେ ଜାଣିବାକୁ ମିଳିଲା ଯେ ସେମାନଙ୍କ ପାଖରେ କେଚ୍ଚଣସି ସଠିକ ସୂଚନା ନାହିଁ । ଏଥିପାଇଁ ଆମ ଦଳ ସମସ୍ତ ବସ୍ତିମାନଙ୍କରେ ଥିବା ମହିଳା ଗୋଷ୍ଠୀ, ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ୱାର୍ଡ ମେମ୍ବର ଓ ସେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମିଳିତ ସହଯୋଗରେ ସଚେତନତା ଶିବିର କରଯାଇଥିଲା । ସେଠାରେ ପଞ୍ଜିକରଣ କରିବା ପାଇଁ ଦରକାରୀ ହେଉଥିବା ପ୍ରମାଣପତ୍ର ବିଷୟରେ ଜଣାଇଥିଲୁ । ଆବେଦନ କରିବାର ପ୍ରକ୍ରିୟା ଏବଂ କେଉଁ ସ୍କୁଲମାନଙ୍କରେ ଆବେଦନ କରିବା ସହିତ ବୟସ ଅନୁଯାଇ କେଉଁ ଶ୍ରେଣୀରେ ନାମ ଲେଖାଇବାପାଇଁ ଯୋଗ୍ୟ ହୋଇପାରିବେ, ସେହି ବିଷୟରେ ଅବଗତ କରାଇଥିଲା ।

ବିଜ୍ଞାପିତ ଅଞ୍ଚଳ(NAC ), ପୌରପାଳିକା (Municipality ) ଓ ପୌରାଞ୍ଚଳ ନିଗମ (NC)ରେ ଯେଉଁମାନେ କର୍ମଚାରୀ ରାସ୍ତାଘାଟରେ ସଫା କରନ୍ତି, ସ୍କୁଲ ସାମ୍ନାରେ ପଡିଥିବା ଅଳିଆ ସଫା କରୁଛନ୍ତି ଏବଂ ଘର ଘର ବୁଲି ସହରକୁ ଅଳିଆମୁକ୍ତ କରୁଥିବା ଲୋକଙ୍କ ପିଲାମାନଙ୍କୁ ଧନୀ ପରିବାରର ପିଲାମାନେ ଯେଉଁ ସ୍କୁଲମାନଙ୍କରେ ପଢୁଛନ୍ତି, ସେହି ସ୍କୁଲ ଏମାନଙ୍କ ପିଲାପାଇଁ ଗେଟ ଖାଲିପାରିବେ କି? ହଁ, କାରଣ RTE ୧୨.(୧)( ଗ) ଆଇନ ଅନୁଯାଇ ଗରିବ ଓ ସାମାଜିକ ପଛୁଆବର୍ଗ ପିଲାମାନଙ୍କ ପାଇଁ ଶିକ୍ଷା ଅଧିକାର ଆଇନ ସେମାନଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ିବା ପାଇଁ ଅଧିକାର ଦେଉଛି । ସ୍କୁଲମାନେ ଏହି ନିୟମକୁ ପାଳନ କରୁଛନ୍ତି କି ନାହିଁ, ସେଥିପାଇଁ ସରକାରଙ୍କ ଦ୍ୱାରା ଯେଉଁ ପ୍ରାବଧାନ ରଖିଛନ୍ତି, ସେଥିରେ ବେସରକାରୀ ବିଦ୍ୟାଳୟଗୁଡିକ ୨୫% ସିଟ୍ ସଂରକ୍ଷିତ ରଖିବାକୁ ପଡିବ । ଯେଉଁ ସ୍କୁଲମାନେ ଏହି ଆଇନର ଖିଲାପି କରିବେ ସେହି ସ୍କୁଲମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରାବଧାନ ଅନୁଯାଇ ଦଣ୍ଡିତ କରାଯାଇ ପାରିବ ଓ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରାବଧାନକୁ ସ୍କୁଲ କିମ୍ବା ସରକାରୀ ଅଫିସର ଖିଲାପି କରୁଥାନ୍ତି, ତେବେ ସେଠାରେ ସମ୍ବିଧାନ ପିଲାର ସଂରକ୍ଷଣକୁ ରକ୍ଷା କରିବା ପାଇଁ ପିତାମାତାମାନଙ୍କୁ ଅଧିକାର ଦେଉଛି ଯେ ସେମାନେ ପିଲାର ଅଧିକାର ପାଇଁ ଉଚ୍ଚ ନ୍ୟାୟାଳୟ ପାଖରେ ଆଇନର ସହାୟତା ନେଇପାରିବେ ।

ଓଡ଼ିଶା ସରକାର ଏବଂ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସମୟ ମଧ୍ୟରେ ରାଜ୍ୟର ସମସ୍ତ ବେସରକାରୀ ସ୍କୁଲ ପୋର୍ଟାଲରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱାରା ସ୍କୁଲମାନଙ୍କୁ ଯାଞ୍ଚ କରିବାର ପ୍ରକ୍ରିୟା ରହିଥିଲା । ଏହା ପରେ ପିଲାଙ୍କ ପାଇଁ ପୋର୍ଟାଲ ମାଧ୍ୟମରେ ପିଲାର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପ୍ରଥମ ପର୍ଯ୍ୟାୟପାଇଁ ଏକ ମାସର ସମୟସୀମା ରହିଥିଲା । ଯେଉଁ ବିଦ୍ୟାଳୟଗୁଡିକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବେ, ସେହି ବିଦ୍ୟାଳୟମାନଙ୍କରେ ପିଲାର ବୟସ ଅନୁଯାଇ ଦେଖାଯାଉଥିବା ବିଦ୍ୟାଳୟ ଗୁଡିକରେ ପିଲାମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ପିଲାମାନଙ୍କର ଆବେଦନ ପତ୍ର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦାଖଲ କରିବାପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯେଉଁ ପିଲାମାନେ ଯାଞ୍ଚରେ ଯୋଗ୍ୟ ବିବେଚିତ ହୋଇଥାନ୍ତି, ସେହି ପିଲାମାନଙ୍କୁ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ବିଦ୍ୟାଳୟରେ ଥିବା ସିଟ୍ଗୁଡିକ ଆବଣ୍ଟିତ ହୋଇଥାନ୍ତି । ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ବେସରକାରୀ ବିଦ୍ୟାଳୟଗୁଡିକରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ପିଲାଙ୍କ ନାମ ଓ ବିଦ୍ୟାଳୟ ଆବଣ୍ଟିତ କରାଯାଇଥାଏ । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ବ୍ଲକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଅବହେଳା କରୁଥିବା ଯୋଗୁଁ ଏଡମିଶନ ପାଇଁ ବିଦ୍ୟାଳୟ ଏବଂ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ହୋଇଥାନ୍ତି ।

ଏହାର ଫାଇଦା କିଛି ଲୋକମାନେ ଆବେଦନ କରିଦେବା ବାହାନାରେ ଅଧିକ ଟଙ୍କା ନେବାର ଶୁଣିବାକୁ ମିଳୁଛି ଓ ଅଭିଭାବକମାନେ ଯେଉଁ ବିଦ୍ୟାଳୟ ଚାହୁଁଛନ୍ତି, ସେହି ବିଦ୍ୟାଳୟଗୁଡିକରେ ଏଡମିଶନ କରାଇଦେବେ କହି ଟଙ୍କା ନେଉଛନ୍ତି । ଲୋକମାନେ ଶିକ୍ଷା ଅଧିକାର ଆଇନ ବିଷୟରେ କିଛି ନଜାଣି ସେମାନଙ୍କ କଥାରେ ଭରସା କରୁଛନ୍ତି । ଯେତେବେଳେ ଏଥିରେ ସଫଳ ହେଉନାହାନ୍ତି ଲୋକମାନଙ୍କୁ ଏକାଠି କରି ଲୋକମାନକୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରାଯାଉଛି । ଓଡ଼ିଶାରେ ସବୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପିତାମାତାମାନେ ମନେ କରୁନାହାନ୍ତି । ସେମାନେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପଢ଼ାଇବାକୁ ମନେକରୁଛନ୍ତି । ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମିଳିବା ସହିତ ଘରପାଖରେ ଥିବାରୁ ଲୋକଙ୍କ ପ୍ରଥମ ପସନ୍ଦ ରହିଥାଏ । ଏଥିପାଇଁ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ସିଟ ଖାଲି ରହିବାର ଦେଖିବାକୁ ମିଳୁଛି । ସହରାଞ୍ଚଳରେ ଥିବା ବଡ଼ ବଡ଼ ବେସରକାରୀ ବିଦ୍ୟାଳୟ ଗୁଡିକରେ ଅଧିକ ମାତ୍ରାରେ ପିଲାମାନେ ଆବେଦନ କରିଥାନ୍ତି । ଗ୍ରାମାଞ୍ଚଳ ଗୁଡିକରେ ଥିବା ବେସରକାରୀ ବିଦ୍ୟାଳୟଗୁଡିକ ଘରଠାରୁ ଦୂରରେ ଥିବାରୁ ଲୋକମାନେ ଆବେଦନ କରିବାକୁ କୁଣ୍ଠାପ୍ରକାଶ କରିଥାନ୍ତି । ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଖକୁ ସଠିକ ଖବର ପହଞ୍ଚିପାରୁ ନାହିଁ । ତେଣୁ ସେମାନେ ଶିକ୍ଷା ଅଧିକାର ଆଇନର ସୁବିଧାରୁ ବଞ୍ଚିତ ହେଉଛନ୍ତି । ଆବେଦନ କରୁଥିବା ଲୋକମାନଙ୍କୁ ପ୍ରଥମେ ଶିକ୍ଷା ଅଧିକାର ଆଇନ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । କାରଣ ସେମାନେ କୋଣସି ଭୁଲ ଦସ୍ତାବିଜ ଦାଖଲ କରିଥିଲେ ଓ ଏଡମିଶନ ପରେ ମିଥ୍ୟା ବା ଜାଲିଆତି ବୋଲି ଜଣାପଡିଲେ ଶିକ୍ଷା ଅଧିକାର ଆଇନରେ ଯେଉଁ ଦଣ୍ଡ ରହିଛି, ସେହି ଲୋକମାନଙ୍କୁ କଡା ଦାଣ୍ଡରେ ଦଣ୍ଡିତ କରିବାର ପ୍ରବଧାନ ରହିଛି ।

ତାରାପଦ ସିଂହ

Comments

0 comments

Share This Article