ସାମ୍ପ୍ରଦାୟିକ ଶକ୍ତିଙ୍କ ପରୀକ୍ଷାଗାର ‘ସମ୍ବଲପୁର’

ପ୍ରଶ୍ନଉଠେ ଏଭଳି ହିଂସାକାଣ୍ଡ ସମ୍ବଲପୁରରେ ଚଳିତବର୍ଷ ପ୍ରଥମ ଥର ପାଇଁ ହୋଇଛି କି? ନା ପ୍ରତିବର୍ଷ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଚଳିତବର୍ଷ ଏଭଳି ଅବସ୍ଥାକୁ ଆସିଲା?

ଗାର୍ଗୀ ଶତପଥି
ଗାର୍ଗୀ ଶତପଥି780 Views
24 Min Read

୨୦୨୩ ମସିହା, ଏପ୍ରିଲ ୧୨ ତାରିଖରୁ ସମ୍ବଲପୁରରେ ହୋଇଥିବା ହିଂସା ଆପାତତଃ ନିୟନ୍ତ୍ରିତ ହୋଇଛି । କିନ୍ତୁ ଏହି ସମୁଦାୟ ଘଟଣାରେ ସାମ୍ପ୍ରଦାୟିକ ଶକ୍ତିମାନେ ଉତଫୁଲ୍ଲିତ ହୋଇ ପଡ଼ିଛନ୍ତି । ହିନ୍ଦୁ ଭୋଟ ହରାଇବା ଭୟରେ ବିଜେଡି, କଂଗ୍ରେସ ଚୁପ୍ ବସିଛନ୍ତି ତ ଏହାର ଫାୟଦା ଉଠାଇବା ପାଇଁ ବିଜେପି ଦଳ ସବୁପ୍ରକାର କସରତ କରୁଛି । ଏପରିକି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ସମ୍ବଲପୁରର ସ୍ଥିତିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କନିର୍ଦ୍ଦେଶରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଏଠିକୁ ଆସି ଯଥାସମ୍ଭବ ଘୃଣା ବାନ୍ତି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେବଳ ନିଜକଥା କହି ସାମ୍ବାଦିକଙ୍କ ଗୋଟିଏ ମଧ୍ୟ ପ୍ରଶ୍ନର ଉତ୍ତରଦେବାକୁ ଉଚିତ ମଣିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ସମ୍ବଲପୁର ଘଟଣାକୁ ବିଜେପି ସହଜରେ ଛାଡ଼ିବ ନାହିଁ, ଘୃଣା ରାଜନୀତିର ବାତାବରଣ ସୃଷ୍ଟି ପାଇଁ ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରିବ । ଅନ୍ୟଦିଗରେ ୧୨ ତାରିଖର ଘଟଣା ପରଠାରୁ ଉଭୟ ସମୁଦାୟ ବିଶେଷକରି ସଂଖ୍ୟାଲଘୁ ସମୁଦାୟର ଗରିବ ଛୋଟ ଦୋକାନୀ, କର୍ମଚାରୀମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ଏହି ଘଟଣା ସମୁଦାୟ ରାଜ୍ୟପାଇଁ ବିପଦଘଣ୍ଟି । ରାଜ୍ୟ ସରକାର ବେଳୁ ହୁଁ ଏଥିପ୍ରତି ସାବଧାନ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ହିଂସାକାଣ୍ଡ କିମ୍ବା ଆହୁରି ଗୁରୁତର ଆକାର ଧାରଣ କରିବ।

ପ୍ରଶ୍ନଉଠେ ଏଭଳି ହିଂସାକାଣ୍ଡ ସମ୍ବଲପୁରରେ ଚଳିତବର୍ଷ ପ୍ରଥମ ଥର ପାଇଁ ହୋଇଛି କି? ନା ପ୍ରତିବର୍ଷ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଚଳିତବର୍ଷ ଏଭଳି ଅବସ୍ଥାକୁ ଆସିଲା? ହନୁମାନ ଜୟନ୍ତୀ ରାଲି ଉପରେ ପଥରମାଡ଼ ଦେଇଥିବା ସାମ୍ପ୍ରଦାୟିକ ମୁସଲମାନ ସମୁଦାୟର ଅସାମାଜିକ ଯୁବକ ଦାୟୀ ନା ହିନ୍ଦୁ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ମଧ୍ୟ ଭୂମିକା ରହିଛି? କିଛିବର୍ଷ ଧରି ସମ୍ବଲପୁର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ଏସପି ବି.ଗଙ୍ଗାଧରଙ୍କ ଦକ୍ଷତା, ଦୂରଦର୍ଶିତା, ଗମ୍ଭୀରତାର ଅଭାବ କେବଳ ସମ୍ବଲପୁର ନୁହେଁ, ସମଗ୍ର ରାଜ୍ୟକୁ ଅଭାବନୀୟ ପରିସ୍ଥିତିର ସାମ୍ନା କରିବାକୁ ବାଧ୍ୟ କରୁନାହିଁ କି? ଏହି ସମୁଦାୟ ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମ୍ବଲପୁରରେ ନିରପେକ୍ଷ ଏବଂ ସମସ୍ତଙ୍କୁ ପ୍ରଭାବିତ କରିବାଭଳି ରାଜନୈତିକ ନେତୃତ୍ୱ ଏବଂ ନାଗରିକ ସମାଜର ସଙ୍କଟ ରହିଛି । ତେଣୁ ଚ୍ୟାଲେଞ୍ଜ ବଡ଼ ଅଟେ । କିନ୍ତୁ ସକାରାତ୍ମକ ଦିଗ ହେଲା, ଆଜିବି ସମ୍ବଲପୁରକୁ ସାମ୍ପ୍ରଦାୟିକ ଘୃଣା କବଳିତ କରିପାରି ନାହିଁ । ପୁରୁଣା ସହର ହୋଇଥିବାରୁ ସମସ୍ତ ପରସ୍ପର ମଧ୍ୟରେ ସମ୍ପର୍କ ରହିଛି । ସର୍ବୋପରି କୌଣସି ପ୍ରକାର ହିଂସାକାଣ୍ଡ ସମୁଦାୟ ଅଞ୍ଚଳ ପ୍ରତି କେତେ କ୍ଷତିକାରକ, ତାହା ସମସ୍ତେ ଅବଗତ ଅଛନ୍ତି । ଶାନ୍ତି ଏବଂ ସଦଭାବନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଗରିକସମାଜ ସହିତ ଆଲୋଚନା ଜାରି ରହିଛି ।

ସାମ୍ପ୍ରଦାୟିକ ସଦଭାବନାର ସହର ସମ୍ବଲପୁର । ଯେଉଁଠି ମୁଦିପଡ଼ା ହିନ୍ଦୁ ପରିବାରର ୩୫୦ବର୍ଷର ମହରମ ଆୟୋଜନର ଇତିହାସ ରହିଛି । ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀଟକିଜ ଛକ, ଦଲେଇପଡ଼ା, ବୁଢ଼ାରଜା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା କମିଟିରେ ଅନେକ ମୁସଲମାନ କର୍ମକର୍ତ୍ତା ଥାଆନ୍ତି । ଯେଉଁମାନେ ହିନ୍ଦୁ ଧର୍ମର ପୂଜାରେ ସକ୍ରିୟ ଅଂଶଗ୍ରହଣ କରନ୍ତି । ଶୀତଳଷଷ୍ଠୀ ଯାତ୍ରା ତ ସମସ୍ତେ ମିଳିତ ଭାବରେ ଉପଭୋଗ ମଧ୍ୟ କରନ୍ତି । ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ଜଳଦାନ କରନ୍ତି । ନୂଆଁଖାଇ ଯାହା ପଶ୍ଚିମଓଡ଼ିଶାର ଆତ୍ମାର ପର୍ବ, ଅନେକ ମୁସଲମାନ ପରିବାରରେ ଏହାର ସ୍ୱତନ୍ତ୍ରତା ରହିଛି । ଇଦ ଅବସରରେ ଅନେକ ମୁସଲମାନ ପରିବାର ନିଜ ହିନ୍ଦୁ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରନ୍ତି । ଇଦରେ ମିଳୁଥିବା ଲଚ୍ଛାତ ସମସ୍ତଙ୍କ ପ୍ରିୟ । ପ୍ରଶ୍ନ ଉଠେ ସମ୍ବଲପୁର ସାମ୍ପ୍ରଦାୟିକ ସଦଭାବନାକୁ କିଏ କଳଙ୍କିତ କଲା?

ଇତିହାସ: ପବିତ୍ର ଧାର୍ମିକ ପୁସ୍ତକ ରାମାୟଣରେ ହନୁମାନ ନିଷ୍ପାପ ଏବଂ ନିରୀହ ଚରିତ୍ର । ଅପହୃତ ହୋଇଥିବା ଏଭଳି ଜଣେ ମହିଳାଙ୍କ ଉଦ୍ଧାର ପାଇଁ ଜୀବନ ବାଜି ଲଗାଇଥିଲେ ଯାହାଙ୍କ ସହିତ ତାଙ୍କର କୌଣସି ପରିଚୟ ବି ନଥିଲା । ହିନ୍ଦୁ ଧର୍ମାଲମ୍ବୀଙ୍କ ପାଇଁ ତ ସେ ଭଗବାନ, ମଲ୍ଲଯୋଦ୍ଧା ମାନଙ୍କ ପାଇଁ ଆରାଧ୍ୟ । ଶିଶୁମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ସର୍ବାଧିକ । କିନ୍ତୁ ବିଜେପି ବିଶେଷକରି ବଜରଙ୍ଗଦଳର ଯେଉଁ ହନୁମାନ ନିଜର ପ୍ରତୀକ ଭାବରେ ଗ୍ରହଣ କରିଛି ରାମାୟଣର ହନୁମାନ ଚରିତ୍ରଠାରୁ ଭିନ୍ନ ଜଣେ ଉଗ୍ର ଚରିତ୍ର । (ଆପଣ ଏହାକୁ ନେଇ ଏନଡିଟିଭିରେ ପ୍ରସାରିତ କମାଲ ଖାଁଙ୍କ ରିପୋର୍ଟ ଦେଖିଥିବେ) । ତାଙ୍କ ଜୟନ୍ତୀ ଉତ୍ସବକୁ ବିଜେପିର ଛାମୁଆ ସାମାଜିକ ସଙ୍ଗଠନ ଅନ୍ୟ ଧର୍ମକୁ ଭୟଭୀତ କରିବାଭଳି ନିଜ ସାମ୍ପ୍ରଦାୟିକ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ମାଧ୍ୟମ ଭାବରେ ବ୍ୟବହାର କରନ୍ତି । ସମ୍ବଲପୁରରେ ଯେହେତୁ ଆରଏସ୍ଏସ୍, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗଦଳର ଦୃଢ଼ ସଙ୍ଗଠନ ରହିଛି ଏବଂ ଏଠାରେ ସ୍ଥାନୀୟ ଲୋକଙ୍କ ଅପେକ୍ଷା ଗୁଜରାଟୀ, ମାରୱାଡି ଏବଂ ରାଜ୍ୟ ବାହାରଲୋକଙ୍କ ରାଜନୀତି ଏବଂ ସାମାଜିକ ଜୀବନରେ ବିଶେଷ ପ୍ରଭାବ ରହିଛି ତେଣୁ ଏଠାରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟିପାଇଁ ହନୁମାନଙ୍କୁ ମାଧ୍ୟମ କରିବା ସୁବିଧାଜନକ ହୁଏ ।

ସମ୍ବଲପୁରରେ ପ୍ରତି ପଡ଼ା ବା ସାହିରେ ବ୍ୟାୟାମଶାଳା, ମଲ୍ଲଯୋଦ୍ଧାମାନେ ଅଛନ୍ତି ତେଣୁ ଏଠାରେ କାହିଁ କେତେବର୍ଷ ହେଲା ହନୁମାନ ଜୟନ୍ତୀ ଧୂମଧାମରେ ପାଳିତ ହୋଇଆସୁଛି । ପଡ଼ାସ୍ତରରେ ବ୍ୟାୟାମ -ଶାଳାଗୁଡ଼ିକ କମିଟି ଗଠନ କରି ଜୟନ୍ତୀ ଉତ୍ସବ ପାଳନ କରନ୍ତି । ସେମାନେ ବ୍ୟବହାର କରୁଥିବା ଉପକରଣର ଖେଳ ପ୍ରଦର୍ଶନ କରନ୍ତି । ଯାହା ଏହି ଉତ୍ସବର ମଜା ବଢ଼ାଇ ଦିଏ । ପୂର୍ବରୁ ଏହା ପଡ଼ାସ୍ତରରେ ହେଉଥିଲା । ୧୯୮୬ ମସିହା ଚୈତ୍ର ମାସରେ ପ୍ରଥମ କରି ଜଣେ ଅସାମାଜିକ ମୁସଲମାନ ବ୍ୟକ୍ତି ଗଣ୍ଡଗୋଳ କରିଥିଲେ । ଏହାର ପ୍ରତିବାଦରେ ସହରର ସବୁ ହନୁମାନ ଜୟନ୍ତୀ ମିଳିତ ଭାବରେ ପରିକ୍ରମା କରିଥିଲେ । କିନ୍ତୁ ଏହା ସେତେବେଳେ ହିନ୍ଦୁ ବନାମ ମୁସଲମାନ ଲଢ଼େଇ ନଥିଲା । ବରଂ ଜଣେ ଅସାମାଜିକ ଏବଂ ଗୁଣ୍ଡାବ୍ୟକ୍ତିଙ୍କ ବିରୋଧରେ ସହରର ସବୁ ବ୍ୟକ୍ତି ଏକାଠି ହୋଇ ଥିଲେ । ୧୯୯୭ ମସିହାରେ ପ୍ରଥମକରି ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଗଠନ ହେଲା । ସମିତି ପକ୍ଷରୁ ହନୁମାନଜୟନ୍ତୀ ପାଳନ ହେଲା । ସେତେବେଳେ ମଧ୍ୟ ସାମ୍ପ୍ରଦାୟିକ ଶକ୍ତି ପରିପୁଷ୍ଟ ହୋଇନଥିଲେ । ୨୦୦୬ ମସିହା ପରଠାରୁ ସ୍ଥିତି ପରିବର୍ତ୍ତନ ହେଲା । ସେତେବେଳକୁ ଓଡ଼ିଶା ଶାସନ ଗାଦିରେ ବିଜେଡି ସହିତ ବିଜେପି ଥାଏ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପରିବହନ ମନ୍ତ୍ରୀ ଥାଆନ୍ତି । ସମ୍ବଲପୁରରେ ବିଜେପି ମଜବୁତ ରାଜନୈତିକ ଦଳ ଥାଏ ତ କଂଗ୍ରେସ ଦୁର୍ବଳ ଏବଂ ବିଜେଡିର ବିଶେଷ ସତ୍ତା ନଥାଏ । ବିଜେପି ଏବଂ ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ହନୁମାନ ଜୟନ୍ତୀ ଆୟୋଜନରେ କିଛି ଅସୁବିଧା ନାହିଁ । କିନ୍ତୁ ସମସ୍ୟା ହେଲା ଏହି ଧାର୍ମିକ ଉତ୍ସବରେ ବିଜେପି ଏବଂ ଆରଏସ୍ଏସ୍ ନିଜ ରାଜନୈତିକ ପ୍ରସଙ୍ଗକୁ ପଶାଇ ଏହାର ଜୋରଦାର ପ୍ରଚାର କରୁଥାଆନ୍ତି । ବେଆଇନ ଅନୁପ୍ରବେଶ, ଗୋ ହତ୍ୟା, ଧର୍ମାନ୍ତରୀକରଣ, ବସ୍ତି ଜବରଦଖଲ, ବେଆଇନ ଚର୍ଚ୍ଚ ନିର୍ମାଣ ଏବଂ ମାଓବାଦୀ ଆଦି ପ୍ରସଙ୍ଗ ଭାବରେ ଗ୍ରହଣ କରାଯାଇଥିଲା । ୨୦୦୬ ମସିହାରେ ମୁସଲମାନବହୁଳ ପୀରବାବା ଛକ ଦେଇ ଗଲାବେଳକୁ ‘ଗୋ ହତ୍ୟାକାରୀ କୋ ନହିଁ ଛୋଡ଼େଙ୍ଗେ’ ସ୍ଲୋଗାନ ଦିଆଯାଇ ଶୋଭାଯାତ୍ରାର ଆୟୋଜନ ହୋଇଥିଲା ।

ଏପରିକି ନିଜେ ମନ୍ତ୍ରୀ ଜୟନାରାୟଣ ମିଶ୍ର ‘ଗୋହତ୍ୟାକାରୀଙ୍କୁ ହତ୍ୟାକର’ ଶୀର୍ଷକ ବକ୍ତବ୍ୟ ଦେଇଥିଲେ । ଯାହା ସେହିବର୍ଷ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ମହରମବେଳେ ହେଉଥିବା ନିଆଁଖେଳ ପ୍ରଦର୍ଶନକୁ ବନ୍ଦ କରାଇ ଯେଉଁ ଗୋଷ୍ଠୀ ପ୍ରଶଂସିତ ହୋଇଥିଲେ । ସେହି ଗୋଷ୍ଠୀ ହନୁମାନ ଜୟନ୍ତୀରେ ନିଆଁଖେଳ ପ୍ରଦର୍ଶନ କରାନ୍ତି । ବୀର ବଜରଙ୍ଗବାଲିଙ୍କ ନାଁରେ ବ୍ୟାପକ ଭାବରେ ଘୃଣା ସୃଷ୍ଟିକାରୀ ବକ୍ତବ୍ୟ, ସ୍ଲୋଗାନ ଭିତରେ ହନୁମାନ ଜୟନ୍ତୀର ପାଳନ ହୋଇଥିଲା । ୨୦୦୬ ମସିହା ଏପ୍ରିଲ ୧୪ତାରିଖ ଏବଂ ପରବର୍ତ୍ତୀ ଦିନ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ପୁଲିସ ତତ୍ପରତା ଯୋଗୁଁ ସ୍ଥିତିକୁ ସାମାନ୍ୟ କରି ଦିଆଯାଇଥିଲା । ଘୃଣାସୃଷ୍ଟିକାରୀ ବକ୍ତବ୍ୟ, ଘୃଣା ବାର୍ତ୍ତା ଦେଇ ହନୁମାନ ଜୟନ୍ତୀ ପାଳନର ସେ ବର୍ଷ କେବଳ ଆରମ୍ଭ ମାତ୍ର ଥିଲା । ସେହିଦିନଠାରୁ ପ୍ରତିବର୍ଷ ଏଭଳି ଢଙ୍ଗରେ ଉତ୍ସବ ଆୟୋଜିତ ହେଲା । ହନୁମାନ ଜୟନ୍ତୀ ଆୟୋଜନର ଏକରୁ ଦେଢ଼ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ପ୍ରତି ପ୍ରସ୍ତୁଟି ବୈଠକରେ ହନୁମାନଙ୍କ ଜୀବନ, ଆଦର୍ଶ ଏବଂ କାର୍ଯ୍ୟକଳାପକୁ ଲୋକଙ୍କୁ ନିକଟକୁ ପହଞ୍ଚାଇବା ନେଇ ଆଲୋଚନା ହୁଏ ନାହିଁ ବରଂ ସଂଖ୍ୟାଲଘୁଙ୍କ ପ୍ରତି ଘୃଣାବାର୍ତ୍ତା ଦିଆଯାଏ । ଏଥିରେ ଅନେକ ବାର୍ତ୍ତା ଏଠାରେ ଲେଖା ଯାଇପାରୁ ନାହିଁ । ତାହା ପୁଣି ବନ୍ଦ କୋଠରୀରେ ନୁହେଁ ସର୍ବସମ୍ମୁଖରେ ଏଭଳି ବକ୍ତବ୍ୟ ଦିଆଯାଏ । ରାଜନୈତିକ ଦଳଭାବରେ ବିଜେପି ବିଭିନ୍ନ ଭାବରେ ଲାଭାନ୍ୱିତ ହୁଏ ।

ପ୍ରତି ପଡ଼ାର ଯୁବକମାନେ ତା’ସହିତ ଯୋଡ଼ି ହୁଅନ୍ତି । ଏପ୍ରିଲ ୧୪ ତାରିଖ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ରାଲି ଯାଏ ପ୍ରତିବର୍ଷ ସଂଖ୍ୟାଲଘୁଙ୍କ ଉଦେ୍ଦଶ୍ୟରେ ସେମାନଙ୍କ ଆରାଧ୍ୟଙ୍କ ଉଦେ୍ଦଶ୍ୟରେ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ଦିଅନ୍ତି । ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ହନୁମାନ ଜୟନ୍ତୀର କିଛି ଦିନ ପୂର୍ବରୁ ଏବଂ କିଛିଦିନ ପରେ ପର୍ଯ୍ୟନ୍ତ ସମ୍ବଲପୁରରେ ଉତ୍ତେଜନା ପରିବେଶ ଥାଏ । ଏଥିପାଇଁ କେତେବେଳେ ଖଣ୍ଡା ବୁଲାଇ ତ କେତେବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇ ବିଧାୟକ ଜୟନାରାୟଣ ମିଶ୍ର ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଏପରିକି ଥରେ ଗିରଫ ମଧ୍ୟ ହୋଇଥିଲେ । ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହନୁମାନ ଜୟନ୍ତୀ ପାଳନର ପୁରୁଣା ରିପୋର୍ଟ ଦେଖିଲେ ଏହା ସ୍ପଷ୍ଟ ହୁଏ । ବ୍ୟକ୍ତିଗତ ଭାବରେ କହିବାକୁ ଚାହେଁ ରାଜସ୍ତାନ, ଗୁଜରାଟରୁ ଆସି ସମ୍ବଲପୁରରେ କୌଣସି ବ୍ୟକ୍ତି ବ୍ୟବସାୟ କରି ସଫଳହେବାରେ ବ୍ୟକ୍ତିଗତ ଭାବରେ ଅସୂୟା ନାହିଁ କିମ୍ବା ଅସୂୟା ହେବା ମଧ୍ୟ ଉଚିତ ନୁହେଁ । ଭାରତୀୟ ନାଗରିକ ଭାବରେ ଯିଏ ଯେଉଁଠିକୁ ଯାଇ ରୋଜଗାର କରି ସ୍ଥାୟୀଭାବରେ ରହିପାରିବ, ଏଥିରେ ଅସୁବିଧା ନାହିଁ । ସମଗ୍ର ବିଶ୍ୱରେ ତ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ । କିନ୍ତୁ ନିଜେ ରାଜସ୍ଥାନ, ଗୁଜରାଟ, ବାଂଲାଦେଶରୁ ଆସିଥିବା ଲୋକମାନେ ସମ୍ବଲପୁରର ସ୍ଥାନୀୟଲୋକଙ୍କୁ ବାହାରିଆ କହି ଆକ୍ଷେପ କରିବା ନିଶ୍ଚିତଭାବରେ ବରଦାସ୍ତ ଯୋଗ୍ୟନୁହେଁ ।

ଚଳିତବର୍ଷର ଘଟଣା- ପ୍ରତିବର୍ଷ ହନୁମାନ ଜୟନ୍ତୀରେ ଉତ୍ତେଜନାମୂଳକ ସ୍ଥିତି ହୁଏ, କିନ୍ତୁ କେବେ ମଧ୍ୟ ଘଟଣା ଏହିସ୍ତର ପର୍ଯ୍ୟନ୍ତ ପହଞ୍ଚିନଥିଲା । ଚଳିତବର୍ଷ ଏଭଳି ସ୍ଥିତି ଉତ୍ପନ୍ନର ବଡ଼ କାରଣ ଏସ୍ପିଙ୍କ ଅଦୂରଦର୍ଶିତା । ପୂର୍ବବର୍ଷମାନଙ୍କରେ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବ୍ୟାପକ ପୁଲିସ ଫୋର୍ସ ସହିତ ଏସ୍ପି ନିଜେ ବି ଉପସ୍ଥିତ ଥାଆନ୍ତି । ଏପରିକି ବଲୱନ୍ତ ସିଂ ଜିଲ୍ଲାପାଳ ଥିବା ସମୟରେ ସେ ନିଜେ ବି ଉପସ୍ଥିତ ରହୁଥିଲେ । ଜଣେ ଜିଲ୍ଲାପାଳ ଯିଏ ସର୍ବଦା ଲୋକଙ୍କ ସହିତ ବରାବର ସମ୍ପର୍କରେ ଥାଆନ୍ତି ତାଙ୍କ ଉପସ୍ଥିତି ସକାରାତ୍ମକ ପ୍ରଭାବ ପକାଏ । ଚଳିତବର୍ଷ ୧୨ ତାରିଖ ହନୁମାନ ଜୟନ୍ତୀର ୧୫୦୦ ଲୋକ ଥିବା ବାଇକର ବଡ଼ ରାଲି ମୁସଲମାନ ପ୍ରଭାବିତ ମୋତିଝରଣ ଏବଂ ସୁନାପାଲି ଅଞ୍ଚଳ ଏବଂ ମସଜିଦ ଦେଇ ଯାଇଛି, କିନ୍ତୁ ମସଜିଦ ସମ୍ମୁଖରେ ଉପସ୍ଥିତ ଥିଲେ ମାତ୍ର ଗୋଟିଏ ସେକ୍ସନ ଅର୍ଥାତ ୧୩ଜଣ ପୁଲିସ । ଘଟଣାସ୍ଥଳରେ ଉପସ୍ଥିତ ବ୍ୟକ୍ତିମାନଙ୍କ ଅନୁସାରେ, ୧୨ତାରିଖ ବଡ଼ ରାଲି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସଂଖ୍ୟାଲଘୁ ପ୍ରଭାବିତ ଅଞ୍ଚଳ ଦେଇ ଆଗେଇ ଚାଲିଛି । ରାଲି ମଧ୍ୟ ଏକାସହିତ ଯାଉନାହିଁ । ଗୋଟିଏ ବଡ଼ରାଲି ଆଗରେ ଏବଂ କିଛି ବ୍ୟବଧାନରେ ଛୋଟ ରାଲି ଆସୁଛି । ମସଜିଦ ସମ୍ମୁଖରେ ରାଲି ଅଟକି ରହୁଛି । ବିଭିନ୍ନ ପ୍ରକାର ସ୍ଲୋଗାନ ଦେଉଛି ଏପରିକି ପଛପଟର ରାଲି ଆସି ବାଣ ବୋମା ଫୁଟାଉଛନ୍ତି କିନ୍ତୁ ପୁଲିସ ନିରବଦଷ୍ଟା ରହୁଛି ।

ପ୍ରତିବର୍ଷ ଯେତେବେଳେ ମସଜିଦ ସମ୍ମୁଖରେ ରାଲି ଅଟକିବାକୁ ଚେଷ୍ଟା କରେ, ପୁଲିସ ସେମାନଙ୍କୁ ଘୋଡ଼ାଇ ନିଏ । ଏଣେ ରାଲି ଗଲାବେଳକୁ ସଂଖ୍ୟାଲଘୁ ସମୁଦାୟର ହରକତ ଉପରେ ମଧ୍ୟ ପୁଲିସର କଡ଼ା ନଜର ଥାଏ । କିନ୍ତୁ ଚଳିତବର୍ଷ ତାହା ହେଲା ନାହିଁ । ଏହି ସୁଯୋଗର ଲାଭଉଠାଇ ମୌଳବାଦୀ ମୁସଲମାନମାନେ ମଧ୍ୟ ଗଣ୍ଡଗୋଳ ଆରମ୍ଭ କରିଦେଲେ । ତାପରେ ଆରମ୍ଭ ହେଲା ପଥରମାଡ଼ । ଯାହା ହୋଇନଥିଲା କିମ୍ବା କଳ୍ପନା ମଧ୍ୟ କରାଯାଇନଥିଲା ତାହା ହେଲା । ସମସ୍ତେ ଆତଙ୍କିତ ହୋଇପଡ଼ିଲେ । ଏଥିରେ ପୁଲିସମାନେ ହିଁ ଲହୁଲୁହାଣ ହୋଇଗଲେ । ଧନୁପାଲି ଥାନା ଅଧିକାରୀଙ୍କ ତ ଦାନ୍ତ ଭାଙ୍ଗି ଗଲା । ଏସଡିପିଓ ବାଦ୍ ପଡ଼ିଲେ ନାହିଁ । ଅନେକ ସଂଖ୍ୟାରେ ନିରୀହ ଆହତ ହେଲେ । ଯିଏ ଯେଉଁଠି ପାରିଲା ବାଇକ ଛାଡ଼ି ଇତସ୍ତତଃ ହୋଇ ଚାଲିଗଲା । ପଥରମାଡ଼ ପରେ ସ୍ଥିତି ଶାନ୍ତହେଲା ନାହିଁ, ବାଇକ ମଧ୍ୟ ଭାଙ୍ଗି ଦିଆଗଲା । ବିଜେପି ନେତା ଦାମୋଦର କର ଗୁରୁତର ଆହତ ହେଲେ । ତାଙ୍କୁ ସାମ୍ବାଦିକ ଯଜ୍ଞ ଜ୍ୟୋତିଷ ଉଦ୍ଧାର କଲେ । ଖୁସିର କଥା ଦାମୋଦର କର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେଣି । ରାଲିବେଳେ ପଥର ମାରୁଥିବା ବ୍ୟକ୍ତିମାନଙ୍କୁ ମୁକାବିଲା କରିବା ସମ୍ଭବ ନହେବାରୁ କିଛି ହିନ୍ଦୁ ମୌଳବାଦୀ ଉତ୍ତ୍ୟକ୍ତ ହୋଇ ଅନେକ ଛୋଟ ଦୋକାନ ପୋଡ଼ି ଦେଲେ । ସେଦିନ କିନ୍ତୁ ଏହି ବିବାଦ ଉପରେ ପୂର୍ଣ୍ଣଛେଦ ପଡ଼ିଲା ନାହିଁ । ପରବର୍ତ୍ତୀ ଦିନ ସହରର ବିଭିନ୍ନ ସ୍ଥାନରେ ସ୍ଥିତ ସଂଖ୍ୟାଲଘୁ ସମ୍ପ୍ରଦାୟର ଛୋଟ ଦୋକାନକୁ ଜାଳି ଦିଆଯାଇଥିଲା । ଯେଉଁମାନଙ୍କ ପୂର୍ବ ଶତୃତା ମଧ୍ୟ ଥିଲା ସେମାନେ ଏହି ସ୍ଥିତିର ଲାଭ ଉଠାଇଲେ । ଏପ୍ରିଲ ୧୪ତାରିଖ ହନୁମାନ ଜୟନ୍ତୀ ଅବସର ଥିଲା ମୌଳବାଦୀଙ୍କ ଶକ୍ତି ପ୍ରଦର୍ଶନର ଦିନ ଏବଂ ସାଧାରଣ ଜନତାଙ୍କ ଭୟର ଦିନ । ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ପଡ଼ାରେ ଲୋକେ ଅନିଶ୍ଚିତତା ଦେଇ ଗତି କରୁଥିଲେ । ସଂଖ୍ୟାଲଘୁ ସମୁଦାୟ ବସ୍ତିରେ ତ ଅନେକ ପରିବାର ଘର ଛାଡ଼ି ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ । ସର୍ବାଧିକ ଭୟଭୀତ ପ୍ରବାସୀ ଶ୍ରମିକମାନେ ଥିଲେ । ବିଭିନ୍ନ ସ୍ଥାନରେ ସେମାନଙ୍କୁ ଭଡ଼ା ଘର ଛାଡ଼ିବା ପାଇଁ କୁହାଯାଇଥିଲା । ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଯେତେ ସମ୍ଭବ ହୋଇ ପାରିବ ବଡ଼ଶୋଭାଯାତ୍ରାର ଆୟୋଜନ ହେଲା । ୧୪୪ ଧାରାକୁ ବିରୋଧ କରାଗଲା । ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ସତ୍ତ୍ୱେ ମଧ୍ୟ ପ୍ରଶାସନ ଜୟନ୍ତୀ ପାଳନ ଏବଂ ରାଲି ଆୟୋଜନ ପାଇଁ ଅନୁମତି ଦେଇଥିଲା । ସାଂସଦ ଏବଂ ବିଧାୟକମାନେ ସାମୂହିକ ସ୍ୱାର୍ଥ ଏବଂ ସାମ୍ପ୍ରଦାୟିକ ସଦଭାବନା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଯଥାସମ୍ଭବ ବଡ଼ ରାଲି ଆୟୋଜନ କରି ସ୍ଥିତିକୁ ଆହୁରି ଗଣ୍ଡଗୋଳିଆ କଲେ । ଏଣେ କିନ୍ତୁ ଦିନ ତମାମ ସହରର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସମୁଦାୟଙ୍କ କିଛିସଂଖ୍ୟକ ଛୋଟ ଦୋକାନଉପରେ ଆକ୍ରମଣ ହେଲା ।

ଯାହା ବି ହେଉ ବଡ଼ଧରଣର ଅଘଟଣ ଘଟିଲା ନାହିଁ । ସବୁ ପ୍ରକାର ଅପ୍ରୀତିକର ସ୍ଥିତିର ଆଶଙ୍କା ସତ୍ତ୍ୱେ ଜୟନ୍ତୀ ଉତ୍ସବ ସୁରୁଖୁରୁରେ ସରିବାକୁ ବସୁଥିବାବେଳେ ରାତିରେ ରାଲିରେ ସାମିଲ ଆଦିବାସୀଯୁବକ ଚନ୍ଦ୍ରକାନ୍ତ ମିର୍ଧାଙ୍କୁ ହତ୍ୟା କରାଗଲା ଏବଂ ବିଶ୍ୱନାଥ ସିକମାଙ୍କ ଅବସ୍ଥା ଗୁରୁତର ରହିଲା । ହନୁମାନ ଜୟନ୍ତୀ ବିବାଦ ସହିତ ହତ୍ୟାର କୌଣସି ସମ୍ପର୍କ ନଥିବା ପୁଲିସ କହିଥିଲେ ମଧ୍ୟ ଅଭିଯୁକ୍ତ ଜଣେ ସଂଖ୍ୟାଲଘୁ ସମୁଦାୟର ହୋଇଥିବାରୁ ପରିସ୍ଥିତି ଆହୁରି ଗୋଳମାଳିଆ ହୋଇଯାଇଥିଲା । ପ୍ରଶାସନ କର୍ଫୁ୍ୟ ଲଗାଇବାକୁ ବାଧ୍ୟ ହେଲେ । ଆଦିବାସୀ ଯୁବକଙ୍କ ଏହି ହତ୍ୟା ଅଭିଯୁକ୍ତ ଏବଂ ତାଙ୍କ ପରିବାରର ଅପରାଧିକ ପୃଷ୍ଠଭୂମି ରହିଛି । ଏହି ହତ୍ୟାପରେ କିଛି ସମୟପାଇଁ ସ୍ଥିତି ଅସମ୍ଭାଳ ହେଲା । ପୁଲିସ ଉପସ୍ଥିତିରେ ବଡ଼ ଏବଂ ଛୋଟ ଦୋକାନ କେଉଁଠି ଜାଳି ଦିଆଯାଉଥିଲା ତ କେଉଁଠି ଆକ୍ରମଣ ହେଲା । ଏହା ସତ୍ତ୍ୱେ ଅନ୍ୟ ରାଜ୍ୟଭଳି ଘୃଣା ସମ୍ବଲପୁରରେ ନାହିଁ । ତେଣୁ ସବୁପ୍ରକାର ପ୍ରତିକୂଳ ବାତାବରଣ ସତ୍ତ୍ୱେ ମଧ୍ୟ ଦଙ୍ଗା ଭଳି ଅବସ୍ଥା ହେଲା ନାହିଁ । କିନ୍ତୁ ଅନେକ ସଂଖ୍ୟାରେ ଗରିବଦୋକାନୀ କ୍ଷତିଗ୍ରସ୍ତ ହେଲେ । ଗୋଷ୍ଠୀ ବିବାଦକୁ ରାଜନୈତିକ ଦଳ ଏବଂ ଗୋଷ୍ଠୀ ଦଙ୍ଗା ବୋଲି କହି ଅତିରଞ୍ଜିତ କଲେ । ୧୨ତାରିଖର ଏହି ପଥରମାଡ଼ର ପଛର କାରଣ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ହିନ୍ଦୁ ମୌଳବାଦୀଙ୍କ କ୍ରିୟାର ପ୍ରତିକ୍ରିୟା ଥିଲା ନା ମୁସଲମାନ ରୁଢ଼ିବାଦୀଙ୍କ ଷଡ଼ଯନ୍ତ୍ର ନା କୌଣସି ବଡ଼ ଅପରାଧିକ କିମ୍ବା ରାଜନୈତିକ ଗୋଷ୍ଠୀର ହାତ ରହିଛି । ତାହା ଆଜିପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏସ୍ପିଙ୍କ ଅନୁସାରେ ଏହା ସୁନିୟୋଜିତ ଷଡ଼ଯନ୍ତ୍ର । କିଛି ମୁସଲମାନ ସମୁଦାୟ ବ୍ୟକ୍ତିଙ୍କ ଅନୁସାରେ, ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଉନ୍ମାଦନାର ବାତାବରଣ ତିଆରି ହୁଏ । ୨୦୦୨ ଗୁଜରାଟ ଦଙ୍ଗା ଭଳି ସମ୍ବଲପୁରରେ ସ୍ଥିତି ଆଶଙ୍କାରେ ସ୍ଥିତିର ମୁକାବିଲା ପାଇଁ କିଛିବ୍ୟକ୍ତି ନିଜ ଘରେ ପଥର ରଖିଥାଆନ୍ତି । ଯାହାର ପ୍ରୟୋଗ ସେଦିନ ହେଲା । କିନ୍ତୁ ଏହା ସୁନିୟୋଜିତ ଷଡ଼ଯନ୍ତ୍ର ନୁହେଁ ବୋଲି ମୁସଲମାନ ସମୁଦାୟର କିଛି ବ୍ୟକ୍ତି କହୁଛନ୍ତି । କାରଣ ଯାହା ହେଲେବି ଚନ୍ଦ୍ରକାନ୍ତ ମିର୍ଧା ହତ୍ୟା ପାଇଁ ଅଭିଯୁକ୍ତ ସହିତ ସମ୍ବଲପୁର ପ୍ରଶାସନ ଏବଂ ବିଜେପି ସାଂସଦମାନେ ଦାୟୀ ନୁହଁନ୍ତି କି- ଏପ୍ରିଲ ୧୪ତାରିଖ ରାତିରେ ରାଲିରେ ସାମିଲ ହୋଇଥିବା ଆଦିବାସୀ ଯୁବକ ଚନ୍ଦ୍ରକାନ୍ତ ମିର୍ଧାଙ୍କୁ ହତ୍ୟା କରାଗଲା ।

ଏହାକୁ ନେଇ ବିଜେପି ବିଶେଷ କରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ଅନ୍ୟମାନେ ଜୋରଦାର ରାଜନୀତି କରୁଛନ୍ତି । ଏହି ହତ୍ୟାକାଣ୍ଡପାଇଁ ପରୋକ୍ଷରେ ସେ ନିଜେ ଦାୟୀ ନୁହଁନ୍ତି କି । କିଶନ ପଟ୍ଟନାୟକଙ୍କ ଅନୁଗାମୀ ବୋଲି ଗର୍ବ କରୁଥିବା ଶ୍ରୀ ପୂଜାରୀ ବର୍ତ୍ତମାନ ଘୃଣା ବକ୍ତବ୍ୟରେ ଜୟନାରାୟଣ ମିଶ୍ରଙ୍କୁ ଟପି ସାରିଲେଣି । ଅନ୍ୟଦିଗରେ ଏଥିରେ ଜିଲ୍ଲା ପ୍ରଶାସନର ଭୂମିକା ନେଇ ଅନେକ ପ୍ରଶ୍ନ ଉଠୁଛି । ଏପ୍ରିଲ ୧୨ ତାରିଖର ପଥରମାଡ଼ ପରେ ସମ୍ବଲପୁର ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଗଲା । ୧୩ ତାରିଖରେ ସର୍ବଦଳୀୟ ବୈଠକ ଡକାଗଲା । ଏହାକୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବର୍ଜନ କଲା ଏବଂ ୧୪୪ ଧାରା ନମାନି ଜୟନ୍ତୀ କାର୍ଯ୍ୟକ୍ରମ ସ୍ୱାଭାବିକ ଭାବରେ କରିବ ବୋଲି ଘୋଷଣା କଲା । ୧୨ତାରିଖର ପଥରମାଡ଼ ଏବଂ ପୋଡ଼ାଜଳା ପରେ ଏହା ସ୍ପଷ୍ଟ ଥିଲା ଯେ ୧୪ତାରିଖ ସ୍ଥିତି ଶାନ୍ତରହିବ ନାହିଁ । ନିଶ୍ଚିତ ବଡ଼ ଧରଣର ଅଘଟଣ ହେବ । ଆଜି ପର୍ଯ୍ୟନ୍ତ ଦେଶରେ ଯେଉଁଠି ଦଙ୍ଗା ହୋଇଛି ସର୍ବଦା ଗରିବ ଲୋକମାନେ ହିଁ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହା ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧି ଅବଗତ ଥିବାସତ୍ତ୍ୱେ ସ୍ୱାଭାବିକ ଭାବରେ ରାଲିର ଅନୁମତି ଦିଆଗଲା । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ଗୋଟିଏ ପ୍ରଶ୍ନ, ଜୟନ୍ତୀ ଅଟକାଇଲେ ଲୋକେ ଆହୁରି ଉତ୍ତ୍ୟକ୍ତ ହେବା ନେଇ ସେମାନେ ଯଦି ଆଶଙ୍କା କରୁଥିଲେ, ତାହେଲେ କାହିଁକି ଏତେ ଭବ୍ୟ ଏବଂ ବଡ଼ ରାଲି ପାଇଁ ଅନୁମତି ଦିଆଗଲା । କୋଭିଡ ଦୁଇବର୍ଷ ହନୁମାନ ଜୟନ୍ତୀ ବନ୍ଦ ରହିଲା । ସେତେବେଳେ ସ୍ୱାସ୍ଥ୍ୟ ପାଇଁ ଏତେ ବଡ଼ ପଦକ୍ଷେପ ନିଆଗଲା ତ ଶାନ୍ତି ପାଇଁ ନିଆଯାଇ ପାରିନଥାଆନ୍ତା କି । ଯେପରିକି ଶାନ୍ତିପାଇଁ ଇଦ୍ଗାରେ ପ୍ରାର୍ଥନା ଏବଂ ପୂଜା ବନ୍ଦ ରହିଲା, ସେହିଭଳି ହନୁମାନ ଜୟନ୍ତୀର ଭବ୍ୟ ରାଲି ବନ୍ଦ ହୋଇ ପାରିଥାଆନ୍ତା । ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ସହଯୋଗରେ ସବୁ ସମ୍ଭବ ହୋଇଥାଆନ୍ତା । କିନ୍ତୁ ତାହା ହେଲା ନାହିଁ ଏହି ସମୁଦାୟ ସ୍ଥିତି ଚନ୍ଦ୍ରକାନ୍ତ ମିର୍ଧାଙ୍କ ହତ୍ୟାକାରୀକୁ ସୁହାଇଲା ।

ପଥର ମାଡ଼ ଦେଇଥିବା ବ୍ୟକ୍ତି ନିଜ ସମୁଦାୟକୁ ସର୍ବାଧିକ କ୍ଷତିଗ୍ରସ୍ତ କରାଇଲେ-ଏପ୍ରିଲ ୧୨ତାରିଖରେ ହନୁମାନ ଜୟନ୍ତୀ ରାଲି ଉପରେ ପଥର ମାରିଥିବା ବ୍ୟକ୍ତିମାନେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଗୋଷ୍ଠୀ ଯେଉଁ ଘୃଣାର ପରିବେଶ ତିଆରି ପାଇଁ ଏତେ ବର୍ଷ ଧରି ଚେଷ୍ଟା କରୁଥିଲେ, ତାକୁ ସଫଳତାର ଦ୍ୱାରଦେଶରେ ପହଞ୍ଚାଇ ଦେଲେ । ସେ ବ୍ୟକ୍ତିମାନେ ନିଜ ସମୁଦାୟ ଲୋକଙ୍କୁ ଯେତେ କ୍ଷତିଗ୍ରସ୍ତ କଲେ ଆଉ କେହିବି କରି ନାହାନ୍ତି । ବରଂ ଗୋଟିଏ ସମୟରେ ଏଭଳି ଅନୁଭବ ହେଲା ଯେ ସମ୍ବଲପୁରକୁ ଘୃଣା ଏବଂ ବିଷ ବଳୟ ଠେଲି ଦେବା ଲକ୍ଷ୍ୟରେ ଉଭୟ ଧାର୍ମିକ ଋଢିବାଦୀ ଗୋଟିଏ ଟିମ ହୋଇ କାମ କରୁଥିଲେ । ଯେଉଁ ଧନୁପାଲି ଥାନା ଅଧିକାରୀଙ୍କ ସହିତ କିଛି ମାସ ପୂର୍ବରୁ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ବିବାଦ ହୋଇଥିଲା, ଉଭୟ ପରସ୍ପର ବିରୋଧରେ ଆକ୍ରମଣର ଅଭିଯୋଗ କରିଥିଲେ, ସେହି ଅଧିକାରୀ ହିଁ ପଥରମାଡ଼ରେ ସର୍ବାଧିକ ଆହତ ହେଲେ । ଏହି ସମୁଦାୟ ଅବସ୍ଥା ଯୋଗୁଁ କେବଳ ଗରିବ, ଭୂମିହୀନ ଏବଂ ବାସହୀନମାନେ କ୍ଷତିଗ୍ରସ୍ତ ହେଲେ ଏବଂ ଆଗାମୀ ଦିନରେ ହେବେ ମଧ୍ୟ ।

ସମ୍ବେଦନଶୀଳ ସମୟରେ ଗୋଟିଏ ଧର୍ମର ବ୍ୟକ୍ତି ଅନ୍ୟ ଧର୍ମର ବ୍ୟକ୍ତି ମଧ୍ୟରେ ଛୋଟରୁ ଛୋଟ ଗଣ୍ଡଗୋଳ କେଉଁ ରୂପ ନେଇପାରେ ତାହା ସମସ୍ତେ ଜାଣନ୍ତି । ଏମାନେ ତ ସିଧାସଳଖ ଆକ୍ରମଣ କଲେ । ସମସ୍ତେ ଜାଣନ୍ତି ହନୁମାନ ଜୟନ୍ତୀର ଏହି ଉନ୍ମାଦନା କ୍ଷଣିକ । କିଛି ସମୟ ପାଇଁ ତାହା ସହ୍ୟ କରାଯାଇ ପାରିଥାଆନ୍ତା । କିମ୍ବା ବିରୋଧ ଯଦିବି ହେଲା ଏହାକୁ ଶାଳୀନତା ଭାବରେ କରାଯାଇ ପାରିଥାଆନ୍ତା । ସ୍ଥିତି ଏଭଳି ମଧ୍ୟ କରି ଦିଆଯାଇପାରେ ସମ୍ବଲପୁରରେ ନିର୍ଦ୍ଦିଷ୍ଟ ଧର୍ମବିଶେଷର କୌଣସି ଛୋଟ ଭୁଲର ପରିଣାମ ହଜାର-ହଜାର ମାଇଲ ଦୂର ଆଉ ଗୋଟିଏ ରାଜ୍ୟର ଛୋଟ ଗାଁର ସେହି ଧର୍ମର ବ୍ୟକ୍ତି ଉପରେ ପଡ଼ିପାରେ । ବିଶେଷକରି କ୍ଷମତାରେ ଯେତେବେଳେ ଘୃଣା ସୃଷ୍ଟିକାରୀ ଉଗ୍ରମାନସିକତା ବିଚାରର ବ୍ୟକ୍ତି ଏବଂ ରାଜନୈତିକ ଦଳ ଅଛନ୍ତି ସେତେବେଳେ ପ୍ରତିଟି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ନିଆଯିବା ଉଚିତ । ଯାହା ସେଦିନ ପଥରମାଡ଼ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ଭୁଲିଗଲେ । ତାର ପରିଣାମ ସ୍ୱରୂପ ଏଭଳି ହେଲା ଯେ ହାତଗଣତି ୨୦-୨୫ ବ୍ୟକ୍ତିଙ୍କ ଭିଆଇଥିବା କାଣ୍ଡ ଜିଲ୍ଲାର ହଜାର-ହଜାର ମୁସଲମାନଙ୍କ ଭାବମୂର୍ତ୍ତିକୁ ଆଞ୍ଚ ଆଣିଲା । ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଧାର୍ମିକ ଉନ୍ମୋଦନାକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ପଥର ମାଡ଼ ପରେ ଉନ୍ମାଦନାକାରୀଙ୍କ ପାଇଁ ସମ୍ବେଦନଶୀଳ ହେଲେ । ଏପରିକି ସହରରେ ଅସ୍ଥାୟୀ ଭାବରେ ରହୁଥିବା ପ୍ରବାସୀ ମୁସଲମାନ ଶ୍ରମିକଙ୍କୁ ଘର ଛାଡ଼ିବାକୁ କୁହାଗଲା କିମ୍ବା ଅନେକ ସ୍ଥଳରେ ସେମାନଙ୍କ ଘର ମାଲିକଙ୍କୁ ବାଧ୍ୟ କରାଗଲା । ସାମାଜିକ ଗଣମାଧ୍ୟମରେ ମଧ୍ୟ କିଛି ମୌଳବାଦୀଙ୍କୁ ନିର୍ଦ୍ଦିଷ୍ଟ ଧର୍ମର ବ୍ୟକ୍ତିଙ୍କୁ ବୟକଟର ସ୍ଲୋଗାନ ଦେବାକୁ ସୁଯୋଗ ମିଳିଗଲା ।

ଏଭଳି ବ୍ୟକ୍ତିମାନେ ତାର ପରିମାଣ ଭୋଗିଲେ ଯେଉଁମାନେ ପଥରମାଡ଼ କଣ ଏବଂ କାହିଁକି ହୋଇଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଯେଉଁ ମୁସଲମାନ ନିଜେ ପଥରମାଡ଼କୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏକଘରିକିଆ ହୋଇଗଲେ । ସେଦିନ ସୁଯୋଗ ଭାବି ନିଜ ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ଯେକୌଣସି କାରଣ ପାଇଁ ରାଲିରେ ଭାଗ ନେଇଥିବା ଚନ୍ଦ୍ରକାନ୍ତ ମିର୍ଧାଙ୍କୁ ହତ୍ୟା କରିଥିବା ବ୍ୟକ୍ତିର ମାନସିକତାକୁ ଯେତେ ଘୃଣ୍ୟ ଏବଂ ଏହାକୁ ଯେତେ ସମାଲୋଚନା କଲେ ମଧ୍ୟ କମ ହେବ । ଏହି ଅଭିଯୁକ୍ତ ଏବଂ ତାଙ୍କ ପୁଅମାନେ ଜେଲରେ ଠିକା ପାଇଛନ୍ତି । ସେମାନେ ଗିରଫ ହେଲେ ମଧ୍ୟ ଜେଲ ଦେଣ୍ଡ କେତେ କଠୋର ହେବ, ଜଣା ନାହିଁ । କିନ୍ତୁ ଯେଉଁ ଗରିବ ସାଇକେଲ ଦୋକାନ, ମୋବାଇଲ ଦୋକାନ ଏବଂ ମାଂସଦୋକାନ ଭାଙ୍ଗି ଦିଆଗଲା, ଜାଳି ଦିଆଗଲା ସେମାନଙ୍କ ଅବସ୍ଥା କଣ ହେବ । ଉଭୟ ସମୁଦାୟର ଏହି ଋଢିବାଦୀ ଯୋଗୁଁ ବର୍ତ୍ତମାନ ଉଭୟ ଧର୍ମର ଗରିବମାନେ ଆମ୍ନା-ସାମ୍ନାରେ ଅଛନ୍ତି । ଏଭଳି ସ୍ଥିତିରେ ବାମପନ୍ଥୀ ସଙ୍ଗଠନ ଯେଉଁମାନେ ଶ୍ରମିକ, ଉଠାଦୋକାନୀ ଏବଂ ଛୋଟ ଦୋକାନୀ, ବସ୍ତି ଅଞ୍ଚଳବାସୀଙ୍କୁ ଏକାଠି କରିବାର କାର୍ଯ୍ୟ କରନ୍ତି; ସମ୍ବଲପୁରରେ ଏହାର ଅଭାବ ଅନୁଭବ ହେଉଛି । ସମ୍ବଲପୁରରେ ଶ୍ରମିକ ଏବଂ କୃଷକ ସଙ୍ଗଠନ ଏ ଦିଗରେ ପ୍ରୟାସ କରୁଛନ୍ତି ସତ କିନ୍ତୁ କେତେ ସଫଳ ହେବେ ତାହା ଜଣା ନାହିଁ ।

ପ୍ରଶାସନ କିଛି ନକଲେ କନ୍ଧମାଳ ଭଳି ସ୍ଥିତି ହେବ- ୨୦୨୩ ମସିହା ଏପ୍ରିଲ ୧୨ ତାରିଖ ପରଠାରୁ ହୋଇଥିବା ସ୍ଥିତି ରାତାରାତି ହୋଇ ନାହିଁ । ଗୋଟିଏ ରଣନୀତି ସହିତ ସାମ୍ପ୍ରଦାୟିକ ରାଜନୈତିକ ଦଳ ଏବଂ ସଙ୍ଗଠନ ଏଭଳି ଅବସ୍ଥା ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ନାହିଁ । ଏକୁଟିଆ ବିଜେଡି ଶାସନ କରୁଛି, ଏହା ସତ୍ତ୍ୱେ ନିର୍ଦ୍ଦିଷ୍ଟ ଦିନରେ ସାମ୍ପ୍ରଦାୟୀକରଣକୁ ଆଜି ପର୍ଯ୍ୟନ୍ତ କେବେ ରୋକାଯାଇ ନାହିଁ କି ରୋକିବାକୁ ଆଗ୍ରହ ପ୍ରକାଶ କରାଯାଇ ନାହିଁ । ଏପରିକି ଆଜିପର୍ଯ୍ୟନ୍ତ ଏହାକୁ ଆଇନଶୃଙ୍ଖଳା ମନେ କରାଯାଇଥିବାରୁ ଯେତେଦିନ ପର୍ଯ୍ୟନ୍ତ ଦକ୍ଷ ଅଧିକାରୀଙ୍କ ହାତରେ ସମ୍ବଲପୁର ପୁଲିସ ବିଭାଗ ଥିଲା, ସ୍ଥିତିକୁ ସମ୍ଭାଳି ନେଉଥିଲା । ଯେଉଁ ଦିନ ଦକ୍ଷତାର ଅଭାବ ହେଲା, ହିଂସାକାଣ୍ଡ ହେଲା । ଏଥିଯୋଗୁଁ ସାମ୍ପ୍ରଦାୟିକ ଶକ୍ତି ସମ୍ବଲପୁରକୁ ସାମ୍ପ୍ରଦାୟୀକରଣ କରିବାର ଗୋଟିଏ ପର୍ଯ୍ୟାୟରେ ସଫଳତା ହାସଲ କଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଉପରୁ କେବଳ ପେଚ ପକାଯାଇଥିଲେ ମଧ୍ୟ ଭିତରେ ଉଭୟ ସମୁଦାୟ ଲୋକ କୁହୁଳୁଛନ୍ତି । ଦୁଃଖର କଥା ହେଲା, ଉଭୟ ସମୁଦାୟ ଯେଉଁମାନଙ୍କ ମଧ୍ୟରେ କେବେ ବି ସାମ୍ପ୍ରଦାୟିକ ମାନସିକତା ସୃଷ୍ଟି ହୋଇନଥିଲା, ସେମାନେ ମଧ୍ୟ ଏଭଳି ଚିନ୍ତାକରିବା ଆରମ୍ଭ କଲେଣି ।

ଏହା ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ବିଳମ୍ବ ହୋଇନାହିଁ । ବର୍ତ୍ତମାନ ମଧ୍ୟ ରାଜ୍ୟ ସରକାର ଚାହିଁଲେ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ଆଣିପାରିବେ । କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏଭଳି ଅବସ୍ଥାର ମୁକାବିଲା କରାଯାଇ ପାରିବ ନାହିଁ । ଆହୁରି ଅନେକ ଅଧିକ ପଦକ୍ଷେପ ଏବଂ ରଣନୀତି ଦରକାର ତାହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ମନେରଖିବାକୁ ହେବ ଯେ ସମ୍ବଲପୁରରେ ସାମ୍ପ୍ରଦାୟିକ ଶକ୍ତିକୁ ବିଜେଡି ସରକାର ପରାହତ କଲେ ସେହି ରଣନୀତି ସମଗ୍ର ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରିପାରିବ । କାରଣ ଆଜି ପର୍ଯ୍ୟନ୍ତ ସମ୍ବଲପୁରରେ ହନୁମାନ ଜୟନ୍ତୀ ଯେଉଁ ବାତାବାରଣ ଏବଂ ଘୃଣାର ବକ୍ତବ୍ୟ ମଧ୍ୟରେ ପାଳିତ ହେଉଥିଲା, ଚଳିତବର୍ଷ ରାଜଧାନୀ ଏବଂ ଅନ୍ୟ ସ୍ଥାନରେ ରାମନବମୀ ମଧ୍ୟ ସେହିଭଳି ପରିବେଶରେ ପାଳିତ ହୋଇଛି । ସେମାନେ ରଣନୀତି ସହିତ ସମ୍ବଲପୁରକୁ ସାମ୍ପ୍ରଦାୟୀକରଣ କରିବାରେ ଲାଗିଛନ୍ତି ସେହି ରଣନୀତି ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ମଧ୍ୟ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି । ତେଣୁ ରାଜ୍ୟ ସରକାର ଏବଂ ସାମାଜିକ ସଙ୍ଗଠନଗୁଡ଼ିକ ଏବେ ଠାରୁ ରଣନୀତି ମୁକାବିଲା ପାଇଁ ବାଟ ନ ଖୋଜିଲେ କେତେବେଳେ କନ୍ଧମାଳ ଭଳି ସ୍ଥିତି ସମ୍ବଲପୁରରୁ ଭୁବନେଶ୍ୱର ଦେଇ ସମଗ୍ର ଓଡ଼ିଶାକୁ କବଳିତ କରିବ, ଜଣାପଡ଼ିବ ନାହିଁ ।

ସମ୍ବଲପୁର ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ମୁସଲମାନ ସମୁଦାୟର ଅଟନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋତିଝିରା, ସୁନାପାଲି, ଦଲେଇପଡ଼ା, ପୀରବାବା ଛକ ନିକଟରେ ରହନ୍ତି । ଏହି ସମୁଦାୟର କୁମାର ହସନ ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଏବଂ ସମ୍ବଲପୁରୀ ସାହିତ୍ୟ ଜଗତର ଜଣାଶୁଣା ନାଁ । ସମ୍ବଲପୁର ସ୍ୱାଧୀନତା ସଂଗ୍ରାମର ଇତିହାସ ସମେତ ଅନେକ ବହିର ସେ ରଚୟିତା । ହିନ୍ଦୁ-ମୁସଲମାନ ଏକତା ସଂସ୍କୃତିକୁ ନେଇ ତାଙ୍କର ଅନେକ ଲେଖା ରହିଛି । ଯାହା ପୂର୍ବରୁ ଦୈନିକ ସମ୍ବାଦପତ୍ର ସମାଜ, ଅନ୍ୱେଷାରେ ପ୍ରକାଶିତ ହୋଇଛି । କିଛିଦିନ ପୂର୍ବରୁ ହୀରାକୁଦ ବୁଡ଼ି ଅଞ୍ଚଳକୁ ନେଇ ଓଡ଼ିଆ, ସମ୍ବଲପୁରୀରେ ତାଙ୍କର ଏକ ବହି ପ୍ରକାଶିତ ହୋଇଛି । କିନ୍ତୁ ସେ ରହୁଥିବା ବସ୍ତିରେ ଖୁବ କମ ଲୋକ ଥିବେ ଯିଏ ତାଙ୍କୁ ଜାଣିଥିବେ । ପ୍ରଶାସନ ପକ୍ଷରୁ ଡକାଯାଇଥିବା ଯେକୌଣସି ପ୍ରକାର ସଦ୍ଭାବନା ବୈଠକରେ ସେ କେବେ ଆମନ୍ତ୍ରିତ ହୁଅନ୍ତି ନାହିଁ । ସମ୍ବଲପୁର ମୁସଲମାନ ସମୁଦାୟର ବଡ଼ ସମସ୍ୟା ହେଲା ଏଠାରେ କୁମାର ହସନଙ୍କ ଭଳି ବ୍ୟକ୍ତିଙ୍କ କୌଣସି ପ୍ରଭାବ ନାହିଁ । ସେ ସେମାନଙ୍କ ସ୍ୱାଭାବିକ ପ୍ରତିନିଧି ନୁହଁନ୍ତି । ଏଠାରେ ଋଢ଼ିବାଦୀମାନଙ୍କ ପ୍ରଭାବ ଅଧିକ ରହିଛି । ଯେକୌଣସି ଛୋଟ-ବଡ଼ କାରଣକୁ ନେଇ ଆଜିବି ଲୋକମାନଙ୍କୁ ବାସନ୍ଦ କରି ଦିଆଯାଏ । ତେଣୁ କିଛି ବ୍ୟକ୍ତି ସମ୍ପୂର୍ଣ୍ଣ ଏକଘରକିଆ ହୋଇ ରହିଯାଆନ୍ତି । ଦ୍ୱିତୀୟ ସମସ୍ୟା ହେଲା, ସମ୍ବଲପୁରରେ ରହୁଥିବା ଅଧିକାଂଶ ମୁସଲମାନ ବହୁତ ଗରିବ । ଯେହେତୁ ଧର୍ମ ଭିତ୍ତିରେ କେବେ ଆର୍ଥôକମାନର ସର୍ଭେ ହୁଏ ନାହିଁ, ଏମାନଙ୍କ ମଧ୍ୟରୁ କେତେ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ସେ ତଥ୍ୟ ନାହିଁ । ସହରର ଛୋଟରୁ ଛୋଟ ସାଇକେଲ ମରାମତି ଦୋକାନ, ରାସ୍ତାକଡ଼ର ମାଂସ ଦୋକାନ, ଇସ୍ତ୍ରି ଦୋକାନ କରି ସେମାନେ ଯେଉଁଭଳି ଜୀବିକା ନିର୍ବାହ କରନ୍ତି, ଏଥିରୁ ଅନେକ କଥା ଜଣାପଡ଼େ । ମୁସଲମାନ ପ୍ରଭାବିତ ବସ୍ତିକୁ ଗଲେ ସେମାନେ ରହୁଥିବା ଘର, ପିଲାଙ୍କୁ ଦେଖିଲେ ଆର୍ଥôକ ସ୍ଥିତିର ଅବସ୍ଥା କଥା କୁହେ । ଅଞ୍ଚଳରେ ଦଳିତ, ଆଦିବାସୀମାନଙ୍କ ପାଇଁ ଉଭୟ ସରକାର ଏବଂ ବିଭିନ୍ନ ସାମାଜିକ ସଙ୍ଗଠନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ସେମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବାପାଇଁ ଚେଷ୍ଟା କରାଯାଉଛି । ମାତ୍ର ମୁସଲମାନଙ୍କ କ୍ଷେତ୍ରରେ ତାହା ନାହିଁ ।

ଲଗାତାର ସେମାନଙ୍କ ଆର୍ଥôକ ଏବଂ ସାମାଜିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି । ଏଠାରେ ଅନେକ ପରିବାର ଅଛନ୍ତି ଯାହାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଚାଉଳ ଭରସା । ପିଲାଙ୍କ ଶିକ୍ଷାର ମାନ ଅତି ନିରାଶଜନକ । ଗତ କିଛିବର୍ଷ ହେଲା ବିଜେପି ସରକାର ହିନ୍ଦୁକେନ୍ଦ୍ରୀକ ରାଜନୀତିକ କରିଛି । କିନ୍ତୁ ଏଥିପୂର୍ବରୁ ସରକାରମାନେ ଧର୍ମନିରପେକ୍ଷତା ଆଳରେ ମୁସଲମାନ ଋଢ଼ିବାଦୀଙ୍କୁ ଖୁସି କରନ୍ତି କିନ୍ତୁ ପ୍ରକୃତ ମୁସଲମାନ ଗରିବମାନଙ୍କ ଉନ୍ନତି ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହୁଏ ନାହିଁ । ଅନେକ ଯୁବକଙ୍କୁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଜଡ଼ିତ କରାଯାଉଛି । ଅନେକ ବ୍ୟକ୍ତି ଜାଣିଶୁଣି ଅପରାଧିକ କାର୍ଯ୍ୟ କରି ଧନୀ ହେଉଛନ୍ତି । ସମ୍ବଲପୁର ମୁସଲମାନ ସମୁଦାୟରେ ଧନୀ ଏବଂ ଗରିବ ପରିବାରରେ ବ୍ୟବଧାନ ବହୁତ ଅଧିକ । କିଛି ବ୍ୟକ୍ତି ମାତ୍ରାଧିକ ଧନୀ ତ ଗୋଟିଏ ବଡ଼ସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ କୁପୋଷଣ ଏବଂ ଅଶିକ୍ଷା ଦେଇ ଗତି କରୁଛନ୍ତି । ଏହାର ଫାୟଦା ରାଜନେତା ଏବଂ ମାଫିଆମାନେ ଉଠାଉଛନ୍ତି । ଯାହା ସାମ୍ପ୍ରଦାୟିକ ରାଜନୀତି କରୁଥିବା ବିଜେପି ପାଇଁ ସୁବିଧା ହେଉଛି । ଆଶ୍ଚର୍ଯ୍ୟଜନକ ହେଲା ବର୍ତ୍ତମାନ ଯେଉଁ ବ୍ୟକ୍ତିମାନେ ରାଜନୀତି ହିନ୍ଦୁ ରାଜନୀତି କରୁଛନ୍ତି, ସେମାନେ ଯେଉଁ ଗୁଣ୍ଡାବାହିନୀ ରଖିଛନ୍ତି ସେଥିରେ ସଂଖ୍ୟାଲଘୁ ସମୁଦାୟର ଏହି ଯୁବକମାନେ ଅଛନ୍ତି । ଅନେକ କ୍ଷେତ୍ରରେ ଏହି ରାଜନେତା ସେହି ଅସାମାଜିକ ଯୁବକମାନଙ୍କୁ ନିଜ ସମୁଦାୟ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି ।

୨୦୨୩ର ଘଟଣା ଶେଷ ନୁହେଁ । ୨୦୨୪ରେ ନିର୍ବାଚନ । ବଡ଼ ବିପଦ ଆସୁଛି । ଶାନ୍ତ ସହରକୁ ଅଶାନ୍ତ କରିବା ପରେ ସେଥିରେ ଘୃଣାର ବୀଜ ବୁଣିବାରେ ରାଜନୈତିକ ଦଳମାନେ ସମ୍ପୂର୍ଣ୍ଣ ଲାଗି ପଡ଼ିଛନ୍ତି । ସତଚେଷ୍ଟା ସତ୍ତ୍ୱେ ସମ୍ବଲପୁର ବିଧାନସଭା ମଣ୍ଡଳୀ ବିଜେଡି ହାରିଯାଇଛି । ନିଜେ ବିଜେଡି ସରକାର ନରମ ଧାର୍ମିକ ରାଜନୀତି କରୁଥିବାରୁ ଭୋଟ ବ୍ୟାଙ୍କ ହରାଇବା ଭୟରେ ସମ୍ବଲପୁରରକୁ ସାମ୍ପ୍ରଦାୟିକ ଘୃଣା ଶକ୍ତିଙ୍କ କବଳରୁ ମୁକ୍ତପାଇଁ କୌଣସି ଚେଷ୍ଟା ମଧ୍ୟ କରୁ ନାହିଁ । କିନ୍ତୁ ମନେ ରଖିବାକୁ ହେବ ସମ୍ବଲପୁରରେ ଘୃଣା ମଞ୍ଜି ବରଗଛ ପାଲଟିଲେ ସେହି ରଣନୀତିରେ ସମଗ୍ର ଓଡ଼ିଶାକୁ କବଳିତ କରିବ । ଯାହା ମାନବିକତା ପାଇଁ ଭୟଙ୍କର ହେବ ।

Comments

0 comments

Share This Article