ଆତ୍ମନିର୍ଭର ଭାରତରେ ଶିଶୁ ବିକ୍ରି ଓ ଅନାହାର ମୃତ୍ୟୁ ଖବର ପଢ଼ିବାକୁ ମିଳୁଛି । ଆମ ରାଜ୍ୟ ଓଡ଼ିଶାରେ ୬ମାସରୁ ୫ବର୍ଷ ମଧ୍ୟରେ ୪୦.୭ ପ୍ରତିଶତ ଶିଶୁ ନିମ୍ନ ପୋଷଣର ଶିକାର । ବୟସ ଓ ଉଚ୍ଚତା ଅନୁସାରେ ଓଜନ ନାହିଁ । ଗେଡ଼ା, ରୋଗିଣା ଓ ରକ୍ତହୀନତା ଶିଶୁ ବିକାଶରେ ବାଧକ ହେଉଛି ।୧୫ ରୁ ୫୯ବର୍ଷ ମଧ୍ୟରେ ହାରାହାରି ୩୫.୬% ମହିଳା ନିମ୍ନ ପୋଷଣର ଶିକାର ହେଉଛନ୍ତି । ଅଙ୍ଗନବାଡ଼ି, ପ୍ରାଥମିକ ବିଦ୍ୟାଳୟ ଓ ଗର୍ଭବତୀ ମହିଳାଙ୍କୁ ତ ମଧ୍ୟାହ୍ନ ଭୋଜନ ଦିଆଗଲା । ତଥାପି କୁପୋଷଣ କାରଣ ଖୋଜାହେଲା । ଚାଉଳରେ ପୋଷଣତତ୍ତ୍ୱ ଅଭାବ । ଏହାର କାରଣ କୁହାଯାଉଛି । ସମାଜ ୩୦ ଏପ୍ରିଲ ୨୦୨୩ରେ ପ୍ରକାଶ ପାଇଲା “ପିଲାଙ୍କୁ ମିଳିବ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ” । ଷ୍ଟେଟସମ୍ୟାନ ୨୯ଏପ୍ରିଲ ୨୦୨୩ରେ ଖବର ପ୍ରକାଶ କରେ “Odisha to introduce diet diversification in school meal” । କମ୍ପାନୀ ତିଆରି ଫର୍ଟିଫ୍ରାଏଡ ରାଇସ ବା ଆର୍ଟିଫିସିଆଲ ନ୍ୟୁଟ୍ରିସନ ରାଇସ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଗଲାଣି ତଥାପି ଖବର ଆସୁଛି ଓଡିଶା ଉଚ୍ଚନ୍ୟାୟଳୟ ଯାଜପୁର କଲେକ୍ଟରଙ୍କଠାରୁ କୁପୋଷଣଜନିତ ମୃତ୍ୟୁ ରିପୋର୍ଟ ମଗାଇଛନ୍ତି(ଦି ଇଣ୍ଡିଆନ ଏକ୍ସପ୍ରେସ ତା ୦୩.୦୫.୨୦୨୨) ।
ପୃଥିବୀରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବରଗଛ ଭଳି କାୟାବିସ୍ତାର କଲାଣି । କମ୍ପାନୀ ବେପାର ବଢ଼ାଇବାପାଇଁ ମୋଟା ଦରମାରେ ଦଲାଲ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଚାଉଳରେ ପୋଷଣତତ୍ତ୍ୱ ନାହିଁ ଏହି ଦଲାଲ (ଲ ବିଷ୍ଟ)ମାନଙ୍କର ଭିଆଣ । ଅନ୍ନ ବିହୁନେ ହଁସ ହାନି ଯୋଗ ସାଧିବି କାହା ଘେନି । ପୃଥିବୀରେ ୪୦୦ କୋଟିରୁ ଅଧିକ ଲୋକଙ୍କର ଏହି ଅନ୍ନ ବା ଭାତ ମୁଖ୍ୟ ଖାଦ୍ୟ । ୧୧୩ଟି ଦେଶରେ ଧାନଚାଷ ହୁଏ । ସମୁଦ୍ର ପତନଠାରୁ ୨୬୦୦ ମିଟର ଉଚ୍ଚ ଏବଂ କେରଲରେ ସମୁଦ୍ର ପତନ ଠାରୁ ୪ ମିଟର ତଳେ (ଆଦ୍ର ଭୂମିରେ) ଧାନ ଚାଷ ହୋଇଥାଏ । ପୃଥିବୀରେ ଉତ୍ପାଦିତ ମୋଟ ଚାଉଳର ୬୦% ଭାରତ, ଚୀନ ଓ ଇଣ୍ଡୋନେସିଆରେ ଖାଇଥାନ୍ତି । ଦକ୍ଷିଣ ଭାରତ, କେରଳ, ପୂର୍ବୋତ୍ତର ରାଜ୍ୟ,ବିହାର ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାତ ଉପରେ ମାଡ଼ । ଚାଉଳରୁ ତିଆରି ପିଠାପଣା, ଚୁଡ଼ା ମୁଢ଼ି ଖଇ ବା ଉଖୁଡ଼ା ଆମ ପ୍ରିୟଖାଦ୍ୟ । ଢିଙ୍କିକୁଟା ଆକାଣ୍ଡିଆ ଦେଶୀ ଚାଉଳରେ ଅମାପ ବଳ । ଏହି ଅକାଣ୍ଡିଆ ଚାଉଳ ଭାତଖାଇ ଓଡ଼ିଆ ପୁଅ କୋଣାର୍କ, ପୁରୀ ଦେଉଳକୁ ବିରାଟକାୟ ପଥର ଉଠାଉଥିଲା । ଖୋର୍ଦ୍ଧାରେ ପାଇକମାନେ ଫିରିଙ୍ଗି ସୈନ୍ୟଙ୍କୁ ଆଣ୍ଠେଇ ପକାଇଥିଲେ । ଶିଶୁ ଓ ମହିଳା ମାନଙ୍କର ନିମ୍ନପୋଷଣର ପ୍ରତିକାର ପାଇଁ ଆକାଣ୍ଡିଆ ଦେଶୀ ଚାଉଳର ବିକଳ୍ପ ନାହିଁ । ୧୯୪୦ -୪୫ ମସିହା କଥା । ମା ମାନେ ମୟୂର କଣ୍ଠିଆ ବା ରତ୍ନଚୁଡି ଧାନର ହଳଦିଆ ଚାଉଳ, ଭଜା ମୁଗ, କିଛି କଟା ପରିବା ପକାଇ ଘଡ଼ି ଭାତ ରାନ୍ଧୁଥିଲେ । ଆମେ ପିଲାମାନେ ଘଡ଼ିଭାତ ଖାଇ ସ୍କୁଲରେ ବୋହୂଚୋରୀ, କିତିକିତି, ବାଗୁଡି ଓ କିଆକିଆ ଢୋଲ ଖେଳ ଖେଳୁ । ଖୁବ ଦୌଡା ଦୌଡି କରୁ ଡଉଲ ଡାଉଲ,ବଲିଳା ଭଳି ଦେହ । ଆଜିକା ପିଲାଙ୍କ ଭଳି ଗେଟେମା, ଗୁଡୁମପେଟା ଛେତା (ରକ୍ତହୀନ), ହାଡ ମାଳ ଚେହେରା ପିଲା ନଥିଲେ । ଘଡ଼ି ଭାତରେ ଶ୍ୱେତସାର, ପୁଷ୍ଟିସାର, ଧାତବ ଲବଣ, ଭିଟାମିନ-ଇ ଓ ଭିଟାମିନ-ବି ମିଳୁଥିଲା ।
ଗାଁରେ ଚାଷୀମାନେ ଗଣ୍ଡେ ଖାଆନ୍ତି । ବିଲେଇ ଡେଇଁବନି ନାଲିଭାତ ଥାଳିଏ, ମୁଗ ଡାଲି, ବେଲାଏ ମାଛ, ପାଣିପରିବା ତରକାରୀ ଦିପହର ଖୋରାକି । ଭୋରଭୋରରୁ ଧାନ କାଟିଯିବେ । ଜଣକେ ୫୦-୬୦ ଡେସିମିଲି କଚଡା ପକାଇ କଁଅଳ ଗାଢୁଆ ବେଳକୁ ଫେରିବ । ଚୁଡ଼ା ଗୁଡ଼ ଛେନା, ନଡ଼ିଆ, ପାଚିଲା କଦଳୀ ଚକଡ଼ି କଂସେ ଦାବିଦେବେ । ଖାଇ ମରଦ ନା ନଖାଇ । ଅଗକଟାକୁ ଯିବେ । ୫୦୦/୬୦୦ ମିଟର ହର ଗହିର ବିଲରୁ ଖେପାକେ ୧୦/୧୨ଟା ଅଗକଟା ହଳା ମୁଣ୍ଡାଇ ଖଳାରେ ପକାଇବେ । ମୂଲିଆମାନେ କଂସାଏଲେଖା ପଖାଳ ଖାଇ ୧୫/୨୦ ହଳା ଭାରକରି ଆଣିବେ ୫/୬ଥର ହଳାବୁହା ଚାଲିବ । ଗୋଟିଏ ଗୋଟିଏ ହଳା ୩କିଲୋ ହେବ । ବୋଝଟା ୩୦କିଲୋ, ଭାରଟା ୫୦କିଲୋ ଓଜନ । ଆଜିକା ୨୦/୨୫ ବର୍ଷର ଯୁବକ ୪ଟା ହଳା ମୁଣ୍ଡରେ ଆଣନ୍ତୁ ତ ! ସକାଳୁ ମୂଲିଆ ହଳକୁ ଯିବେ କଂସାଏ ପଖାଳ, ଟିକେ ଶୁଖୁଆ ଚଟଣି ବା ଗୋଟେ ବାଇଗଣ ପୋଡା ଖାଇ ହଳ ଯୋଚିବେ । ୭/୮ ଘଣ୍ଟା ହଳକରି ୫୦/୬୦ ଡେସିମିଲି ଜମି ଚଷିଦେବେ । ପଖାଳ ଭାତ କଂସାରେ ଏତେ ବଳ! ଦେଶୀ ଅକାଣ୍ଡିଆ ଚାଉଳ ପୋଷଣତତ୍ତ୍ୱ ଖୁନ୍ଦି ହୋଇଥାଏ । ୨୦/୨୫ ମିନିଟରେ ହଳ । ଅମାପ ଶକ୍ତି ଆଜିକା ଚାଉଳରେ କଂସାଏ ଭାତ ଖାଇ ୩/୪ଘଣ୍ଟା ଖଟିଲେ ହାଁ ହାଁ ।
୧୯୫୦ପର୍ଯ୍ୟନ୍ତ ଢିଙ୍କିରେ ଧାନକୁଟା । ଘରେ ଘରେ ଢିଙ୍କି । ଅସହାୟ, ସ୍ୱାମୀ ପରିତ୍ୟକ୍ତା, ବିଧବା ସ୍ତ୍ରୀ ଲୋକମାନେ ସକାଳୁ ସକାଳୁ ଗାଁ କୁ ଧାଡି ଲଗାଇବେ । ଉସୁନା ବା ଅରୁଆ ଚାଉଳ କୁଟିଲେ । ମଜୁରି ଚାଉଳ ନେଲେ । ଗାଁ ଲୋକଙ୍କୁ ତ ସହରିଆମାନେ ମଧ୍ୟ କୁହନ୍ତି । କିନ୍ତୁ ସେଇ ମଫମାନେ ଜାଣିଥିଲେ ଚାଉଳ ବୋରରେ କେତେ ବଳ କୁତଟୁଣୀମାନଙ୍କୁ ଅକାଣ୍ଡିଆ ଚାଉଳ କୁଟିବାକୁ ତାଗିଦ କରିଥାନ୍ତି । ଲକ୍ଷ ଲକ୍ଷ ଗରିବ ସ୍ତ୍ରୀ ଲୋକମାନଙ୍କୁ ଢିଙ୍କି କର୍ମନିଯୁକ୍ତି ଯୋଗଉଥିଲା । ଦେଶ ସ୍ୱାଧୀନ ହେଲା । ଏଣିକି କଳକବ୍ଜା ଯୁଗ ଆରମ୍ଭ ହେଲା, ଢିଙ୍କିକୁ ମାରଗୁଲି କଳରେ ଧାନକୁଟା । ଆରେ ଢିଙ୍କିରେ ଧାନ କୁଟିବାକୁ ଘଣ୍ଟେ, ଦି ଘଣ୍ଟା ନିକିମା । କଳରେ ୧୦/୧୫ ମିନିଟର କାରବାର । ଢିଙ୍କି ମାନେ ଚୂଲିକୁ ଗଲେ । ଧାନକଳ ଚାଉଳର ବୋରକୁ ଚାଁଛି ଦେଲା । ଧୋବ ଫର ଫର ଚାଉଳ । ମଲ୍ଲି ଫୁଲିଆ ପରି ଭାତ । ଦେଖା ସୁନ୍ଦର କଖାରୁ ବଡ଼ି । ଚାଉଳର ବଳ କୁଣ୍ଡାକୁ ଗଲା । ନଈରେ ହଜେଇ ପୋଖରୀରେ ଖୋଜିଲେ ଆଉ ନାହିଁରେ ବାପ । ଅକାଣ୍ଡିଆ ନାଲିଚାଉଳ ଯୁଗ ଶେଷ । ଆପେ ଅର୍ଜିବା କର୍ମମାନ, ବେଳୁ ହୋଇବା ସାବଧାନ।
ଅକାଣ୍ଡିଆ ଚାଉଳରେ ଥିବା ପୋଷାକ ତତ୍ତ୍ୱ :
ସାବଧାନତା ସହିତ ଧାନର ଉପର ଆବରଣଟି କାଢ଼ିଦେଲେ ଆମେ ଧୂସର ରଙ୍ଗର ଚାଉଳଟିଏ ପାଇବା । ଏହି ଚାଉଳକୁ ନାଲିଚାଉଳ ବା ରେଡ ରାଇସ୍ କୁହାଯାଏ । ଏହା ନାଲି, ଧୂସର, ହଳଦିଆ ବା କଳା ହୋଇପାରେ । ନାଲି ଚାଉଳ ଉପରେ ଗୋଟିଏ ଆବରଣ ଥାଏ । ଏହାକୁ ବୋର ବା ରାଇସ୍ ପଲିସ କୁହାଯାଏ । ନାଲି ଚାଉଳର ଗୋଟିଏ ମୁଣ୍ଡକୁ ଭ୍ରୂଣ (ଜର୍ମ)ଥାଏ । ବୋରଟି ଧାନକଳରେ ଚାଁଛି ହୋଇଗଲେ ଯେଉଁ ଚାଉଳଟି ମିଳିବ, ତାହାକୁ ଧଳା ଚାଉଳ ବା ହ୍ୱାଇଟ ରାଇସ କୁହାଯାଏ । ଧାନରେ ଚଷୁ (ହସ୍କ)୨୦%, ବୋର ୮%, ଭ୍ରୂଣ(ଜର୍ମ)୨ % ଏବଂ ଧଳା ଚାଉଳ (ଏଣ୍ଡୋସ୍ପର୍ମ)୭୦% ଥାଏ । କେବଳ ବୋର ଓ ଭ୍ରୂଣରେ ୬୦ରୁ ୭୦ପ୍ରତିଶତ ପୋଷଣତତ୍ତ୍ୱ ଥାଏ । ଏଥିରୁ ଜାଣିହେଉଛି ଯେ ଧଳା ଚାଉଳରେ ପୋଷଣ ତତ୍ତ୍ୱ ବହୁତ କମ । ପ୍ରକୃତି ଚାଉଳରେ ଅମାପ ଓ ଅପର୍ଯ୍ୟାପ୍ତ ପୋଷଣ ତତ୍ୱ ରହିଛି । ନିର୍ବୋଧ ମଣିଷ ଧାନ କଳରେ ଚାଉଳ ତିଆରି କରି ଚାଉଳକୁ ପୁଷ୍ଟିହୀନ କୃତ୍ରିମ ପୋଷଣଯୁକ୍ତ ଚାଉଳରେ ମାତିଛି । ଆପଣା ହାତେ ଜିହ୍ୱା ଛେଦୀ, କି ତାର ଅଛି ପ୍ରତିବାଦୀ ।
ଦେଶୀ ଧାନ ଓ ଦେଶୀ ଚାଉଳ କଣ?
୧୯୬୭ ପର୍ଯ୍ୟନ୍ତ ଭାରତରେ ୧ ଲକ୍ଷରୁ ଉର୍ଦ୍ଧ କିସମର ଧାନ ଚାଷ ହେଉଥିଲା । ଆମ ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ୩୦ହଜାର ଥିଲା ଭୁତିଆ, ରାଜବଲ୍ଲଭ, ମାଛକଣ୍ଟା, ନାଲି ଚାଉଳ ଗରମ ବା ପଖାଳ ଭାତ ପାଇଁ ଡାକୁ, ବାଲାମୀ, ପଦ୍ମକେଶରୀ, ସାଳଫୁଲ, ସାରୁ ଲମ୍ବାଚାଉଳ ଖେଚୁଡି, ପଲ୍ଲଉ, ଭୋଜିଭାତ, ବନ୍ଧୁ ବାନ୍ଧବଙ୍କ ପାଇଁ ଚାଉଳ । କଳାଜିରା, ପିମ୍ପୁଡିବାସ, ତୁଲସୀ ଫୁଲ ଆଦି ବାସନା ଧାନ କିସମମାନ ଚାଷ ହେଉଥିଲା । ୧୯୬୯ରେ ସବୁଜ ବିପ୍ଳବର ଜନ୍ମ । ଆସିଗଲା କମ୍ପାନୀତିଆରି ଅଧିକ ଅମଳକ୍ଷମ ବିହନ । ଚାଷରେ ଆକାଶଛୁଆଁ ଖର୍ଚ୍ଚ । ଫଳିଲା ଟିକେ ଅଧିକ । ଭାତରେ ବିଷ, ମାଟିରେ ବିଷ, ପାଣିରେ ବିଷ, ଆମ ରକ୍ତରେ ବିଷ ଚରିଗଲା । ଘରେ ଘରେ କ୍ୟାନସର । ଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା । ତଥାପି ଚାଷୀ ନୂଆ ବିହନ ମାୟା ନ ଛାଡନ୍ତି । ଦେଶୀ ଧାନ ବିହନମାନେ ହଜିଗଲେ । କଳାପାହାଡ଼ ବଡ଼ଦେଉଳ ଆକ୍ରମଣ ଭୟରେ ପଣ୍ଡାମାନେ ଜଗନ୍ନାଥଙ୍କୁ ଲୁଚାଇଥିଲା ଭଳି କିଛି ଅନୁଭବୀ ବୁଢ଼ା ବୁଢ଼ୀ ଚାଷୀ କାଁଭାଁ ପୁରୁଣା ବିହନ ଏବେ ବି ଚାଷ କରୁଛନ୍ତି । ଦେଶୀ ଚାଉଳ ମିଠା ଯିଏ ଚାଖିଛି, ସେ ଜାଣିଛି ଦେଶୀଚାଉଳରେ ନୂଆ ଚାଉଳଠାରୁ ୨ ଗୁଣ ପୋଷଣତତ୍ତ୍ୱ । ଅରୁଆ ଚାଉଳଠାରୁ ଉସୁନା ଚାଉଳ ଅଧିକ ପୁଷ୍ଟିକାରକ । କାରଣ ଧାନକୁ ସିଝାଇବାଦ୍ୱାରା ବୋର ଚାଉଳରେ ଲାଗି ରୁହେ । ବୋରରେ ଥିବା ଆର୍ସେନିକ ଓ ଫ୍ଲୋରାଇଡ ସ୍ୱାସ୍ଥ୍ୟପ୍ରତି ହାନିକାରକ । ଧାନ ଉଂସେଇବା ଦ୍ୱାରା ଆର୍ସେନିକ ଓ ଫ୍ଲୋରାଇଡ ପାଣିରେ ମିଳାଇଯାନ୍ତି । ଆଜିକାଲି ସହରରେ ପାଠୁଆଲୋକ ନାଲିଚାଉଳର ମହିମା ଜାଣିଲେଣି । ନାଲି ଚାଉଳ ପାଇଁ ବଜାର ଆଗ୍ରହ ହେଲାଣି । ୨୦୧୭ରେ ପଶ୍ଚିମବଙ୍ଗ କୃଷି ଅଧିକାରୀ ଡାଃ ଅନୁପମ ପାଲ ନାଲିଚାଉଳ (ବ୍ରାଉନ ରାଇସ) ଓ ଧଳା ଚାଉଳ (ହ୍ୱାଇଟ ରାଇସ)ରେ ଥିବା ପୋଷକତତ୍ତ୍ୱ ବିଜ୍ଞାନାଗାରରେ ପରୀକ୍ଷା କରିଥିଲେ । ନିମ୍ନରେ ଫଳାଫଳ ଦର୍ଶାଯାଇଛି । (ସାରଣୀ ଦ୍ରଷ୍ଟବ୍ୟ)
ସାରଣୀ ଟିକୁ ଅନୁଶୀଳନ କଲେ ସ୍ପଷ୍ଟ ହେଉଛି ଯେ ଧଳା ଚାଉଳରେ ନାଲି ଚାଉଳଠାରୁ ପୁଷ୍ଟିତତ୍ତ୍ୱ ୬୦-୭୦% କମ୍ ରହିଛି ।
୨୩ ମାର୍ଚ୍ଚ ୨୦୧୮ କରେଣ୍ଟ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଏ “specialty rice varieties of Keral are store house of Nutrition” । ୫ଜୁନ ୨୦୨୦ ରେ Journal of Tropical Agriculture ରୁ ଜଣାଯାଏ କେରଳର କାଲିକଟ ବିଶ୍ୱବିଦ୍ୟାଳୟ ଓ କେରଳ ଏଗ୍ରିକଲଚରାଲ ୟୁନିଭର୍ସିଟି ୧୧ଟି ଦେଶୀ ଧାନର ବାଇଓକେମିକାଲ ଏବଂ ମିନେରାଲ କମ୍ପୋଜିସନ ଉପରେ ଗବେଷଣା କରିଥିଲେ । ଗବେଷଣାର ଫଳାଫଳରୁ ଜଣାଯାଏ ଦେଶୀ ଧାନ ରକ୍ତଶାଳି ଆଭାଲକାନନ ଓ ଭେଲୁଆ ନଭେରାର ୧୦୦ ଗ୍ରାମ ଚାଉଳରେ ୧୧.୮ ଗ୍ରାମ ପ୍ରୋଟିନ ଅଛି । ଦେଶୀ ଚାଉଳରେ ଥିବା ପୃଷ୍ଟିସାର, ସ୍ନେହସାର, ଭିଟାମିନ, ଥିଆମିନ, ରିବୋଫ୍ଲାବିନ, ନିଆଶିନ ଓ ତନ୍ତୁ ଶରୀର ଗଠନରେ ସହାୟକ ହୋଇଥାଏ । ଥିଆମିନ ଓ ରିବୋଫ୍ଲାବିନ ଉପସ୍ଥିତି ଯୋଗୁଁ ଶିଶୁମାନଙ୍କୁ ବେରିବେରି ରୋଗର ଭୟ ନଥାଏ । ନାଲି ଚାଉଳରେ ଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ଫସଫରସ ଓ ସେଲେନିୟମ ହାଡ଼ ଶକ୍ତ କରେ ଅଷ୍ଟପୋରିସିସ ବା ହାଡ଼ ପାପେରାରୁ ସୁରକ୍ଷା ମିଳିଥାଏ । ଆକାଣ୍ଡିଆ ଚାଉଳରେ ଥିବା ଓରିଜାନାଲ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମାଇବା, ମହିଳାମାନଙ୍କର ଗର୍ଭପାତ ଭୟ କମାଇଥାଏ । ଗହମରେ ଗ୍ଳୁଟେନ ଥିବା ଯୋଗୁଁ କୋଲେନ କ୍ୟାନ୍ସର ହୋଇଥାଏ । ମାତ୍ର ଚାଉଳରେ ସେ ଭୟ ନଥାଏ ।
ସରକାରମାନେ ବାସ୍ତବତାକୁ ବୁଝନ୍ତୁ । ଢିଙ୍କିର ପୁନଃ ପ୍ରବର୍ତ୍ତନ କରାନ୍ତୁ । ପୁଷ୍ଟିକର ଚାଉଳ ମିଳିବ । ଲକ୍ଷଲକ୍ଷ ଗରିବ ସ୍ତ୍ରୀ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଖୋଲିଯିବ । ଅଧିକ ଅମଳକ୍ଷମ ଧାନ ପରିବର୍ତ୍ତେ ଦେଶୀ ଧାନ ଚାଷକୁ ପ୍ରୋତ୍ସାହନ ଦିଅନ୍ତୁ । ପ୍ରସ୍ତାବଗୁଡିକ ଅବାସ୍ତବ ମନେ ହେଲେ ମଧ୍ୟ ସରକାର ଚାହିଁଲେ ଏହାଦ୍ୱାରା ଶତପ୍ରତିଶତ କୁପୋଷଣ ଦୂର କରାଯାଇ ପାରିବ । ଫର୍ଟିଫ୍ରାଏଡ ରାଇସ ପାଇଁ ଦେଶୀ ବିଦେଶୀ କମ୍ପାନୀକୁ ପୋଷିବା ବନ୍ଦ କରାଯାଉ । ସରକାରୀ ଧାନ ରାଇସ ମିଲ୍ରେ କୁଟା ଯାଉଛି । ରାଇସ ମିଲ୍ ମାନେ ସେଲରରେ କୁଟି କେବଳ ଚଷୁ କାଢିଦେଲେ ନାଲି ଚାଉଳ ମିଳିପାରିବ । ଗାନ୍ଧୀଙ୍କ ଗ୍ରାମୀଣ ଅର୍ଥନୀତି ଅଜି ମଧ୍ୟ ପ୍ରାସଙ୍ଗିକ ।
Comments
0 comments