ଇବ୍ ଉପତ୍ୟକାର ଶେଷ ଖବର

ଭବିଷ୍ୟତର କଳ୍ପନାରେ ଏକ ଭୟଙ୍କର ସ୍ୱପ୍ନ

ସୁରେଶ ତ୍ରିପାଠୀ
ସୁରେଶ ତ୍ରିପାଠୀ458 Views
6 Min Read

ସକାଳୁ ନିଦ ଭାଙ୍ଗିଲା ପରେ ସବୁଦିନ ପରି ସେ ଦିନ ସେଦିନ ବି ମୁଁ ବଗିଚା କାମ କରିବା ପାଇଁ ବଗିଚାରେ ଥାଏ । ସକାଳୁ ସକାଳୁ ଅଭ୍ୟାସଗତ ଭାବେ ବିବିସିର ପୂର୍ବଦିନର “ଦିନଭର ଦେଶ ଦୁନିଆଁ” କାର୍ଯ୍ୟକ୍ରମ ୟୁଟ୍ୟୁବ୍‌ରେ ଶୁଣୁଥାଏ । ଫୋନଟିଏ ଆସିଲା ; ବାୟୁପୁର ଗାଁ’ରେ ସମସ୍ତେ ଅଚେତ ହୋଇଯାଇଛନ୍ତି । ଫୋନଟି କଟିଗଲା । ଅନେକ ଥର କଲ୍ କଲାପରେ ଅପର ପକ୍ଷରୁ ସେଇ ଗୋଟିଏ ଉତ୍ତର, ମୋବାଇଲଟି ନେଟୱ।ର୍କ ଏରିଆ ବାହାରେ ଅଥବା ସ୍ଵିଚ୍ ଅଫ୍ । ମୁଁ ଚିନ୍ତାରେ ପଡିଗଲି । କେହି ମୋ ସହିତ ମଜାକ୍ କରି ନାହାନ୍ତି ତ ?
ଠିକ୍ ସେତିକିବେଳେ ଅନେକ ବର୍ଷ ତଳେ ବାୟୁପୁର ଗାଁକୁ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ସମୟର ଇବ୍ ଉପତ୍ୟାକାର ଦୃଶ୍ୟଟି ମୋର ଆଖି ଆଗରେ ନାଚି ଉଠୁଥାଏ | ପରିତ୍ୟକ୍ତ କାରଖାନା , ଘର , କୋଇଲାଖଣିର ବୃହତ ଗାତ , ବିଶାକ୍ତ ପାଉଁଶ ପାହାଡ଼ , ତା ମଧ୍ୟରେ ଶହ ଶହ କିଲୋମିଟର ସରୁ ରାସ୍ତା । ଶାଳ ଜଙ୍ଗଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଇବ୍ ଉପତ୍ୟକାରେ କୌଣସି ସ୍ଥାନରେ ଗଛଟିଏ ବି ନଥିଲା ।

ସମଗ୍ର ଉପତ୍ୟକାରେ ଗୋଟିଏ ମାତ୍ର ଗାଁ ରହିଥିଲା ବାୟୁପୁର । ବାୟୁପୁରବାସୀ ଜିଲ୍ଲା ପ୍ରଶାସନର ନିବେଦନ ସତ୍ତ୍ଵେ ଗାଁ ଛାଡ଼ି ନଥିଲେ । ସେମାନେ ଏକ ସୁନ୍ଦର ଉପତ୍ୟକାର ସ୍ଵପ୍ନ ଦେଖୁଥିଲେ । ସେ ସ୍ଵପ୍ନରେ ଥିଲା ଇନ୍ଦ୍ରଧନୁଷର ସପ୍ତରଙ୍ଗ । ସେ ସପ୍ତରଙ୍ଗି ସ୍ୱପ୍ନର ବର୍ଣ୍ଣନା ମତେ ସେଦିନ ଅବିଭୂତ କରିଥିଲା । ମଣିଷ ସମାଜ ପ୍ରକୃତିରେ ଘଟୁଥିବା ସମସ୍ତ ବିପର୍ଯ୍ୟୟକୁ ମୁକାବିଳା କରି ତିଷ୍ଟି ରହିଥିବାର ଗୁଢ଼ ରହସ୍ୟଟିକୁ ମୁଁ ହୃଦୟଙ୍ଗମ କରିଥିଲି । ଡାଇନୋସର ଲୋପ ପାଇଲା ପରି ମଣିଷ ସମାଜ ସହଜରେ ଲୋପ ହେବନି , ଏ କଥାଟିକୁ ମୁଁ ସେ ଦିନ ଅନୁଭବ କରି, ମଣିଷଜାତିର ଉଜ୍ଵଳ ଭବିଷ୍ୟତକୁ ନେଇ ଖୁବ୍ ଆସ୍ଥାବାନ ହୋଇ ପଡ଼ିଥିଲି ।

ସେଇ ବାୟୁପୁର ଗାଁ ସମ୍ପର୍କରେ ଏ ଦୁଃଖଦ ଖବରଟି ମୋର ମନ ଓ ହୃଦୟକୁ ବିଚଳିତ କରିଦେଇଥିଲା । ମୁଁ ଜିଲ୍ଳାପାଳଙ୍କୁ ଫୋନ ଲଗାଇଲି । ମୁଁ କିଛି କହିବା ପୂର୍ବରୁ ତାଙ୍କ ତରଫରୁ ‘good morning’ କହି ପ୍ରଶ୍ନଟିଏ କଲେ ବିଶେଷ କିଛି ଖବର ଅଛି କି ତ୍ରିପାଠୀବାବୁ ? ହଁ ସାର, ବାୟୁପୁର ଗାଁ,ର ସମସ୍ତେ ଅଚେତ ହୋଇଥିବା ଫୋନଟିଏ ଆସିଥିଲା , ମୁଁ ଏପଟରୁ ଫୋନ କଲେ ନେଟ୍ ୱାର୍କ ଅଞ୍ଚଳ ବାହାରେ ଉତ୍ତର ଆସୁଛି । ଜିଲ୍ଲାପାଲଙ୍କର ମଧୁର ସ୍ଵର ଭାସି ଆସିଲା । ବ୍ୟବସାୟିକ ଦୃଷ୍ଟିକୋଣରୁ ବ୍ୟାପାକ କ୍ଷତି ହେଉଥିବା ଓ ସେ ଅଞ୍ଚଳରେ କୌଣସି କର୍ମଚାରୀ ରହିବାକୁ ରାଜି ନ ହେବାରୁ ଇବ୍ ଉପତ୍ୟକାର ସମସ୍ତ ୭୦ଟି ମୋବାଇଲ ଟାୱ୍ୱାର ୨ବର୍ଷ ତଳେ କଂପାନୀମାନେ ଆମର ସବୁ କଟକଣା ସତ୍ତ୍ଵେ ସ୍ଥାନ୍ତରଣ କରି ନେଲେଣି । ବାୟୁପୁର ଗାଁ’ରୁ ଫୋନ ଆସିବା ସମ୍ଭବ ନୁହେଁ । ଆପଣ କହିବେ ଇବ୍ ଉପତ୍ୟକାରେ ଗଛ ନ ଥିବାରୁ ଅମ୍ଳଜାନର ଅଭାବ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସମ୍ଭାବନା ରହିଛି । ଆଣ୍ଟାର୍ଟିକାରେ ତ ପୁଣି ଜୀବ ବଞ୍ଚି ରହିଛନ୍ତି ,ଅମ୍ଳଜାନ ରହିଛି ତେବେ ବାୟୁପୁର କେମିତି ଅମ୍ଳଜାନ ଶୂନ୍ୟ ହେବ ? ଇବ୍ ଉପତ୍ୟାକାକୁ ନେଇ ଆପଣଙ୍କ ରହିଥିବା ନୋଷ୍ଟାଲିଜିଆ ଆପଣଙ୍କ ସମ୍ବାଦମାନଙ୍କରେ ପ୍ରତିଫଳିତ ହୋଇଥାଏ । ମୁଁ ସାମ୍ନା କେଲେଣ୍ଡରକୁ ଦେଖୁଛି, ଆଜି ଏପ୍ରିଲ ୧ ତାରିଖ , ବୋଧହୁଏ ଆପଣଙ୍କୁ କେହି ବୋକା ବନାଇବାର ପ୍ରୟାସ କରିନାହାନ୍ତି ତ ? ବାୟୁପୁର ଯାଇ ଦେଖନ୍ତୁ ସମସ୍ତେ ଠିକ୍ ଠାକ୍ ଥିବେ, ଫେରି ମତେ ଫୋନ କରିବେ, ସେ ଗାଁକୁ ଶ୍ରୀଘ୍ର ବିସ୍ଥାପିତ କରି , ଇବ୍ ଉପତ୍ୟକାର ନିରନ୍ତର ବିକାଶ ପାଇଁ ଗୋଟିଏ ବହୁରାଷ୍ଟ୍ରିୟ କଂପାନୀକୁ ୧୦୦ ବର୍ଷ ପାଇଁ ଲିଜ୍‌ ଦିଆଯିବ କହି ଜିଲ୍ଲାପାଳ ଫୋନ ରଖିଦେଲେ। ମୁଁ ବୁଝିଗଲି ଯେ ମୋ କଥା କେହି ବିଶ୍ଵାସ କରିବେ ନାହିଁ ।

କିଛି ସମୟ ଚୁପ୍ ହୋଇ ବସିଲା ପରେ ମୋର ଜଣେ ଡାକ୍ତର ବନ୍ଧୁଙ୍କୁ ଫୋନ କଲି । ଏକଦା ମତେ ବାୟୁପୁର ଗାଁଙ୍କ କେତେ ଜଣା ରୋଗୀଙ୍କ କୋଷ ସଂରଚନାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା କଥା ସେ କହିଥିଲେ । ସେ ସବୁକଥା ଶୁଣିଲା ପରେ କହିଲେ ଠିକ ଅଛି, ଘଣ୍ଟାଏ ଭିତରେ ବାହାରି ଯିବା, ତୁମେ ପ୍ରସ୍ତୁତ ହୁଅ । ଘଣ୍ଟାଏ ପରେ ସେ ଆସି ପହଞ୍ଚିଲେ । ତାଙ୍କ କାରରେ ମୁଁ ବସିଲି । ପଛରେ ଗୋଟିଏ ଗାଡିରେ ଛୋଟ ବଡ଼ ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର, କିଛି ଔଷଧ ଓ ଜଣେ କର୍ମଚାରୀ ନେଇ ଆସିଥିଲେ । ଉପତ୍ୟକାରେ ପ୍ରବେଶ କଲାପରେ ଆମେ ଅକ୍ସିଜେନ ନେବା ବ୍ୟବସ୍ଥା କରିନେଲୁ ।

ପ୍ରାୟେ ତିନି ଘଣ୍ଟା ଯାତ୍ରା ପରେ ଆମେ ବାୟୁପୁରରେ ପହଞ୍ଚିଲୁ । ବାୟୁପୁରରେ ପହଞ୍ଚିଲା ପରେ ଆମେ ଗାଁ ମୁଣ୍ଡରେ ଉହ୍ଲାଇଲୁ । ଯାହା ଦେଖିଲୁ ତାହା ଫୋନର ଖବର ଅନୁରୂପ ଥିଲା । ଗାଁ ଦାଣ୍ଡସାରା ଲୋକମାନେ ଆକାଶ ଆଡ଼କୁ ମୁହଁ କରି ପଡିଛନ୍ତି । ରାତିରେ ଶୀତଳ ଜହ୍ନ କିରଣ ସ୍ପର୍ଶ କରିଥିବା ବେଲେ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ମୁହଁ ସବୁ ଏବେ ଝଳସି ଉଠୁଥିଲା । ଡାକ୍ତର ବନ୍ଧୁ ଓ ତାଙ୍କ ଟିମ୍‌ ଜଣ ଜଣ କରି ପରୀକ୍ଷା କରି ଚାଲିଥାନ୍ତି। ପିନ୍ଧିଥିବା ଖଣ୍ଡେ ଲୁଗା ଓ ପୁଙ୍ଗଲା ଦେହ ସେମାନଙ୍କର ବିପର୍ଯ୍ୟସ୍ତ ଅର୍ଥନୀତୀର କଥା କହୁଥିଲା । ଘର ସାମ୍ମାନରେ ଛିଡ଼ା ହୋଇଥିବା ଦୀର୍ଘଦିନରୁ ଅବ୍ୟବହୃତ ଦାମୀ କାରସବୁ ଏ ଅଞ୍ଚଳର ଶିଳ୍ପସଂମୃଦ୍ଧିର ଶୀର୍ଷ ସମୟର କାହାଣୀକୁ ଇଙ୍ଗିତ କରୁଥିଲା । ଆମେ ଗାଁ ମୁଣ୍ଡରେ ପହଞ୍ଚିଲୁ । ଗାଁରୁ ଅନତୀ ଦୂରରେ ଏକ ମାତ୍ର ଜୀବିତ ଅଶ୍ଵତ୍ଥ ବୃକ୍ଷ ଉପରେ ଲୋକଟିଏ ଦେଖାଗଲା । ସେପଟକୁ ଚାଲିଲୁ । ହାତରେ ମୋବାଇଲ ଧରି ଗଛ ଉପରେ ଆଉଜେଇ ହୋଇ ରହିଛି ଜଣେ ଯୁବକ। ସମସ୍ତେ ପ୍ରୟାସ କରି ତାକୁ ତଳକୁ ଓହ୍ଲେଇଲୁ । ଡାକ୍ତର ବନ୍ଧୁ ଜଣକ ସବୁ ପ୍ରକାର ପରୀକ୍ଷା ନିରୀକ୍ଷାପରେ ମୋ ମୁହଁକୁ ଚାହିଁଲେ । ତାଙ୍କ ମୁହଁରେ ମୁଁ ଏକ ଅଦ୍ଭୁତପୂର୍ବ ଖୁସି ଦେଖିବାକୁ ପାଇଲି । ତାଙ୍କ ସହଯୋଗୀମାନଙ୍କୁ ସେ ଅକ୍ସିଜେନ ସିଲିଣ୍ଡରଟା ଲଗାଇବାକୁ ନିର୍ଦ୍ଦେଶ ଦେଲେ । ଷ୍ଟ୍ରେଚର ଆଣିବାକୁ ତାଙ୍କ ସାଥୀମାନଙ୍କୁ ଇଙ୍ଗିତ କଲେ । ଷ୍ଟ୍ରେଚରରେ ଯୁବକଟିକୁ ଉଠାଇ ଯନ୍ତର ସହ ରଖିଲୁ ।

ମୁଁ ଅଶ୍ଵତ୍ଥ ବୃକ୍ଷ ଅପର ପଟକୁ ଯାଇ ଛିଡା ହେଲି । ସମସ୍ତଙ୍କୁ ଷ୍ଟ୍ରେଚର ନିକଟରେ ଛିଡ଼ା ହେବା ପାଇଁ ଇଙ୍ଗିତ କଲି । ମୋ କ୍ୟାମେରାକୁ ଜୁମ୍ କରିବାକୁ ଚେଷ୍ଟାକଲି ବାୟୁପୁର ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଏକ ସ୍ପଷ୍ଟ ଚିତ୍ର ଯେମିତି ଆସିବ । ପରବର୍ତ୍ତୀ ଦିନ ସମସ୍ତ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା । ଫଟୋତଳେ ଧାଡିଟିଏ ,”ଇବ୍ ଉପତ୍ୟକାର ଶେଷ ଖବର” ।

Comments

0 comments

Share This Article