ନଭେମ୍ବର ସାତ । ରୁଷ ବିପ୍ଳବର ଦିନ । ମେହନତି ମଣିଷମାନଙ୍କ ପାଇଁ ସ୍ମରଣୀୟ ଦିନ । ତେଣୁ ରୁଷ ବିପ୍ଳବ ଓ ସୋଭିୟେତ୍ ରୁଷିଆର ପତନ ସମ୍ପର୍କରେ ଆଲୋଚନା ପାଇଁ ନଭେମ୍ବର ସାତ ଅପରାହ୍ନରେ ଏକ ସଭାର ଆୟୋଜନ ସମଦୃଷ୍ଟି କାର୍ଯ୍ୟାଳୟରେ ହୋଇଥିଲା । ମୁଁ ସେହି ସଭାରେ ଯୋଗ ଦେବା ପାଇଁ ଯାଉଥିବା ବେଳେ କିଛି ସମୟ ପୂର୍ବେ ଅବନୀ ବରାଳଙ୍କ ଅନ୍ତ ହୋଇଥିବା କଥା ସମଦୃଷ୍ଟି ର ସମ୍ପାଦକ ଶ୍ରୀ ସୁଧୀର ପଟ୍ଟନାୟକ ଫୋନ୍ ଜରିଆରେ ଜଣେଇ ଥିଲେ । ମୁଁ ପହଞ୍ଚିବା ପରେ ପରିସ୍ଥିତି ଦୃଷ୍ଟିରୁ ଆଉ କେଉଁ ଦିନ ଏହି ଆଲୋଚନା କରିବା କଥା ସ୍ଥିର କରି ସଭା ସ୍ଥଗିତ ରଖାଯିବା କଥା ସମସ୍ତଙ୍କୁ ଜଣେଇ ଦେଲୁ ଓ ଶେଷ ଦର୍ଶନ ପାଇଁ ଭଗବତୀ ଭବନରେ ପହଞ୍ଚିଲୁ । ସ୍ୱଳ୍ପ ସମୟ ମଧ୍ୟରେ ଖବରଟି ·ରିଆଡ଼େ ବ୍ୟାପି ଯାଇଥିଲା । ତେଣୁ ଶେଷ ଦର୍ଶନ ପାଇଁ ଭଗବତୀ ଭବନରେ ଭିଡ଼ ଜମି ଯାଇଥିଲା । ଶିକ୍ଷକମାନଙ୍କ ଭିଡ଼ ହେବା ତ ସ୍ୱାଭାବିକ କଥା । କିନ୍ତୁ ସେଠାରେ ନେତା ସାମ୍ବାଦିକମାନଙ୍କଠୁଁ ଆରମ୍ଭ କରି ସମାଜର ବିଭିନ୍ନ ଗୋଷ୍ଠୀର ଲୋକେ ରୁଣ୍ଡ ହୋଇଥିଲେ । ସେଥିରୁ ଅବନୀ ବାବୁଙ୍କ ଜନପ୍ରିୟତାର ସୂଚନା ମିଳେ ।
ଅବନୀ ବାବୁ କମ୍ୟୁନିଷ୍ଟ ଥିଲେ । ଅବସରଗ୍ରହଣ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସମ୍ପାଦକ ବି ଥିଲେ । ସୋଭିୟେତ୍ ୟୁନିଅନ୍ ସେ ଯାଇଥିଲେ । ସୋଭିୟେତ୍ ୟୁନିଅନ୍ କଥା ବି କହୁଥିଲେ । ଶେଷରେ ନଭେମ୍ବର ସାତ ସହ ତାଙ୍କ ଜୀବନୀ ଜଡ଼ିତ ହୋଇଗଲା ।
ଓଡ଼ିଶାର ଶିକ୍ଷକ ଆନ୍ଦୋଳନର ଇତିହାସ ସୃଷ୍ଟି କରିଥିଲା ଅଧ୍ୟାପକ ଅବନୀ କୁମାର ବରାଳଙ୍କୁ । ତେଣୁ ଅଧ୍ୟାପକ ବରାଳଙ୍କ ସମ୍ପର୍କରେ ଲେଖିବାକୁ ହେଲେ ଓଡ଼ିଶାର ଶିକ୍ଷକ ଆନ୍ଦୋଳନର ଇତିହାସକୁ ମଧ୍ୟ ବଖାଣିବାକୁ ହେବ । କିନ୍ତୁ ସେହି ଇତିହାସ ସହିତ ଅନେକ ସୁଖଦ ଘଟଣା ସହ କେତେକ ଦୁଃଖଦ ଘଟଣା ମଧ୍ୟ ଜଡ଼ିତ । ଦୁଃଖଦ ଘଟଣା ଦୁଃଖ ଦେବ ବୋଲି ନ ଲେଖିଲେ, ଲେଖାଟି ପୂର୍ଣ୍ଣାଙ୍ଗ ହେବନି । ପୂର୍ଣ୍ଣାଙ୍ଗ ହେବ ବୋଲି ଲେଖିଲେ ବିପଦ । ସେହି ବିପଦକୁ ଆଡ଼େଇ ଦେବାକୁ ଯାଇ, ଓଡ଼ିଶାର ଶିକ୍ଷକ ଆନ୍ଦୋଳନର ଇତିହାସକୁ ଆଡ଼େଇ ଦେଉଛି, ଅର୍ଥାତ୍ ଓଡ଼ିଶାର ଶିକ୍ଷକ ଆନ୍ଦୋଳନର ଇତିହାସ କିପରି ଭାବେ ଅଧ୍ୟାପକ ଅବନୀ କୁମାର ବରାଳଙ୍କୁ ସୃଷ୍ଟି କରିଥିଲା ସେହି ବିଷୟରେ ମୁଁ କିଛି ବି ଲେଖିବାକୁ ଯାଉନି । — କେବଳ ତାଙ୍କ ସହ କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ ସମ୍ପର୍କରେ ଲେଖିବାକୁ ଯାଉଛି ।
ଭୁବନେଶ୍ୱରରେ ଶିକ୍ଷକ ମହାସଂଘର ପଞ୍ଚବିଂଶ ସମ୍ମିଳନୀ ହେବାର ଥିଲା । ମୁଁ ଜାଣିବାରେ ସେତେବେଳକୁ ଶିକ୍ଷକ ମହାସଂଘର ପାଣ୍ଠିରେ ଗୋଟିଏ ବି ଟଙ୍କା ନଥିଲା କହିଲେ ଚଳେ । ଅଥଚ ସମ୍ମିଳନୀ ତଥା ପ୍ରତିନିଧିମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ବାବଦକୁ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ଅବନୀ ବରାଳ ପାଖାପାଖି ଚାରି ଲକ୍ଷ ଟଙ୍କାର ଅଟକଳ କରି ବସିଲେ । ମୁଁ ଚକିତ ହୋଇଗଲି । ତାର ପ୍ରତିଷ୍ଠା ଦିନ ଠାରୁ ପ୍ରତି ବର୍ଷ ଶିକ୍ଷକ ମହାସଂଘ ଏଇ ଭଳିଆ ସମ୍ମିଳନୀ କରି ଆସିଛି । ତେଣୁ ବିଭିନ୍ନ ମହଲରେ ତାର ନିଜସ୍ୱ ଏକ ମର୍ଯ୍ୟାଦା ବଜାୟ ରଖିଥାଏ । ସେହି ମର୍ଯ୍ୟାଦା ବଳରେ ଯାହାକୁ ଯାହା କରିବାକୁ କୁହାଗଲା, ସିଏ ତାହା କରି ଚାଲିଲା ଯୁଦ୍ଧ ରୀତିରେ, ବିଲ୍ ପରେ ହେବ, ଟଙ୍କାପଇସା ପରେ ମିଳିବ । ଇଏ ତ ମଣିଷ ବନ୍ଧା ପଡ଼ିଯିବା କଥା! ବୁଡ଼ିବା କଥା! କିନ୍ତୁ ଅବନୀ ବାବୁଙ୍କ ମନରେ ସେହି ବିଷୟ ନେଇ ଟିକିଏ ବି ଭୟ ନଥିଲା । ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସେ କହୁଥାନ୍ତି — ଶିକ୍ଷକମାନଙ୍କ ଉପରୁ ମୋର ଭରସା ତୁଟି ନାହିଁ । ସେମାନେ ସମ୍ମିଳନୀରେ ପହଞ୍ଚି ଯାଆନ୍ତୁ, ସବୁ ଠିକ୍ ହୋଇଯିବ । ସତକୁ ସତ ଶିକ୍ଷକମାନଙ୍କ ଉପରୁ ଅବନୀ ବାବୁଙ୍କ ଭରସା ତୁଟି ନଥିଲା କି ଅବନୀ ବାବୁଙ୍କ ଉପରୁ ଶିକ୍ଷକମାନଙ୍କ ଭରସା ତୁଟି ନଥିଲା । ସେମାନେ ବହୁ ସଂଖ୍ୟାରେ ସମ୍ମିଳନୀରେ ଯୋଗ ଦେଲେ । ସେମାନେ ସେମାନଙ୍କର ଚାନ୍ଦା ଆକାରରେ ଯାହା ଦେଲେ, ସମ୍ମିଳନୀର ସମସ୍ତ ଖର୍ଚ୍ଚ ପ୍ରାୟ ଉଠିଗଲା । ମାତ୍ର କେତୋଟି ହଜାର ନିଅଣ୍ଟ ପଡ଼ିଲା । ବଳକା ହୋଇଥାନ୍ତା । କିନ୍ତୁ ଠିକ୍ ସେତିକି ବେଳକୁ ବୋଧହୁଏ କେନ୍ଦ୍ରୀୟ ମୂଲ୍ୟାୟନ ଆରମ୍ଭ ହୋଇଗଲା । ଅଗତ୍ୟା ଅନେକ ଶିକ୍ଷକ ସମ୍ମିଳନୀକୁ ଆସି ପାରିଲେନି । ଅବନୀ ବାବୁଙ୍କ ସାହସ ଓ ଭରସାକୁ ବାହାବା ନଦେଇ ରହିପାରି ନଥିଲି ।
ଅବନୀ ବାବୁ ଜଣେ ବିଶ୍ୱସ୍ତରୀୟ ଶିକ୍ଷକ ନେତା । ସାଂଗଠନିକ କାର୍ଯ୍ୟରେ ହେଉ ଅବା ନିମନ୍ତ୍ରିତ ହୋଇ ବିଭିନ୍ନ ସଭା ସମିତିରେ ଯୋଗ ଦେବା ପାଇଁ ଓଡ଼ିଶାର କୋଣ ଅନୁକୋଣକୁ ଗସ୍ତ କଲା ବେଳେ ସେ ସେହି ସେହି ଅଞ୍ଚଳର ନେତା ଓ ଶିକ୍ଷକମାନଙ୍କ ସହ ପରିଚୟ କରାଇବା ଉଦ୍ଧେଶ୍ୟ ରେ ସଂଘର ଅନ୍ୟ ନେତାମାନଙ୍କୁ ସଙ୍ଗରେ ଧରି ଯାଇଥାନ୍ତି । ସେହି ସୁଯୋଗ ମୁଁ ମଧ୍ୟ କେତେ ଥର ପାଇଛି । ସଭା ସମିତିରେ ଭଲ ଦୁଇ ପଦ କଥା କହି ସେ ନିଜେ ସାଙ୍ଗରେ ନେଇଥିବା ନେତାଙ୍କର ପରିଚୟ ପ୍ରଦାନ କରନ୍ତି । କେବଳ ସେତିକି ନୁହେଁ, ଯିବା ଠୁଁ ଫେରିବା ପର୍ଯ୍ୟନ୍ତ ସହଯାତ୍ରୀମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟର ଯତ୍ନ ମଧ୍ୟ ନିଅନ୍ତି । ଅବନୀ ବାବୁଙ୍କ ସଙ୍ଗରେ ଯାଇ କୌଣସି ପ୍ରକାର ଅସୁବିଧାର ସମ୍ମୂଖୀନ ଅନ୍ତତଃ ପକ୍ଷେ ମୁଁ ହୋଇନି ।
ଅବନୀ ବାବୁଙ୍କ ସହ ଯାତ୍ରାର ଆଉ ଏକ ଅତ୍ୟନ୍ତ ସୁଖପ୍ରଦ ଦିଗ ରହିଛି । ବିଶ୍ୱ ଶିକ୍ଷକ ନେତା ହିସାବରେ ସେ ତ ବିଶ୍ୱର ବିଭିନ୍ନ ଦେଶ ବୁଲିଛନ୍ତି । ଭାରତ ସାରା ଦେଖିଛନ୍ତି । ଓଡ଼ିଶାର କୋଣ ଅନୁକୋଣକୁ ଯାଇଛନ୍ତି । ଯାତ୍ରା ସମୟରେ ସେ ତାଙ୍କର ବହୁ ଅନୁଭୁତିରୁ କିଛି କିଛି କହନ୍ତି ।
ଜନତା ରଙ୍ଗମଞ୍ଚ ସହ ତାଙ୍କର ସମ୍ପୃକ୍ତି କଥା ବେଳେ ବେଳେ କହନ୍ତି । କେତେକ ଦୃଶ୍ୟର ବର୍ଣ୍ଣନା ମଧ୍ୟ କରନ୍ତି । ବର୍ଣ୍ଣନା ଶୈଳୀ ନାଟକୀୟ ହୋଇଥାଏ । ବେଳେ ବେଳେ ବିଭିନ୍ନ ନାଟକର ଗୀତ ମଧ୍ୟ ଗାଇଥାନ୍ତି । ବେଶ୍ ଉପଭୋଗ୍ୟ ।
ଓଡ଼ିଶାର ଇତିହାସ, ଭୂଗୋଳ ସହ, ବିଶେଷଃ କରି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସ ସହ, ସେ ବେଶ୍ ପରିଚିତ । ଯେଉଁ ଅଞ୍ଚଳକୁ ସେ ଯାଉଥିବେ ସେହି ଅଞ୍ଚଳର ଐତିହାସିକ ଓ ଭୌଗଳିକ ବିଶେଷତ୍ୱର ବର୍ଣ୍ଣନା କରୁଥିବେ । ସେହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ କିଏ, ସେ କିପରି ଲଢ଼େଇ କରିଥିଲେ, ତାଙ୍କର ଅନ୍ତିମ ପରିଣତି କଅଣ ହୋଇଥିଲା, ତାର ଏକ ନିଖୁଣ ଚିତ୍ର ଦେଉଥିବେ । ଏପରିକି ଥରେ ପଦ୍ମପୁର ଯିବା ରାସ୍ତାରେ ଗୋଟିଏ ବିରାଟ ଗଛକୁ ଦେଖେଇ କହିଥିଲେ ଯେ ସେହି ଅଞ୍ଚଳର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେହି ଗଛରେ ଫାଶୀ ଦିଆ ଯାଇଥିଲା । ଦୁଃଖର କଥା, ଏହି ଡ: ଜନସନ୍ ଙ୍କ ନିକଟରେ ତାଙ୍କ କଥା ଟିକିନିଖି ଟିପିବା ପାଇଁ ଆମେ କେହି ଜେମସ୍ ବସ୍ୱେଲ୍ ହେଇ ରହି ନଥିଲୁ ।
ସ୍ୱାଧୀନତା ସଂଗ୍ରାମ କାଳର ଗୀତ ସାଙ୍ଗକୁ ଓଡ଼ିଶାର କମୁ୍ୟନିଷ୍ଟ ଆନେ୍ଦାଳନର ଗୀତଗୁଡ଼ିକୁ ସେ ବେଶ୍ ଗାଇ ପାରୁଥିଲେ । ନଜରୁଲ୍ ଓ ରବୀନ୍ଦ୍ରନାଥ ଠାକୁରଙ୍କ ଗୀତ ମଧ୍ୟ ସେ ଆମକୁ ଶୁଣଉ ଥିଲେ । ଏହି ସବୁ ବିଷୟବସ୍ତୁ ଆମ ପାଇଁ ଶିକ୍ଷଣିୟ ଥିଲା ।
ଶିକ୍ଷକ ଆନ୍ଦୋଳନର ବହୁ ନେତାଙ୍କୁ ତ ଜାଣିଛି । କିନ୍ତୁ ସେମାନଙ୍କ ମଧ୍ୟରେ, ମୋ ବିଚାରରେ, ଅବନୀ ବାବୁ ଜଣେ ହିଁ ଅନନ୍ୟଚେତା । ସର୍ବଦା ତାଙ୍କର ଦୃଷ୍ଟି ରହିଥିଲା ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ । ଅବସର ଗ୍ରହଣ ପରେ ମଧ୍ୟ ନିରନ୍ତର ସେ ଏହି କାର୍ଯ୍ୟ କରି ଆସୁଥିଲେ । ଆହୁରି ଦୀର୍ଘ କାଳ ଧରି ସେ ଏହା କରି ·ଲନ୍ତୁ, ଏହା ହିଁ ଥିଲା କାମନା । ନଭେମ୍ବର ସାତ ଦିନ ସେହି କାମନା କାମନାରେ ହିଁ ରହିଗଲା ।
ତିନି ମହାରଥୀ — ବନମାଳୀ ବ୍ରହ୍ମଚାରୀ, କୈଳାସ ମହାପାତ୍ର ଓ ଅବନୀ ବରାଳ — ଓଡ଼ିଶାରେ ଶିକ୍ଷକ ଆନ୍ଦୋଳନର ମୂଳଦୁଆ ଥାପି ମାଧ୍ୟମିକ ଶିକ୍ଷକ ସଙ୍ଘ (ଓଷ୍ଟା), ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ (ଅଲୋଷ୍ଟା), ବେସରକାରୀ କଲେଜ ଶିକ୍ଷକ ସଙ୍ଘ (ଅଙ୍ଗୋଟା) ସାଙ୍ଗକୁ ଶିକ୍ଷକ ମହାସଙ୍ଘ ଭଳି ଲଢ଼ୁଆ ଅନୁଷ୍ଠାନ ଗଢ଼ି ଶିକ୍ଷକମାନଙ୍କୁ ସେମାନଙ୍କର ନ୍ୟାୟୋଚିତ ଦାବି ହାସଲ ଦିଗରେ ଆନେ୍ଦାଳନମୁଖୀ କରି ସଫଳତା ଦେଇଥିଲେ । ଦିନ ଥିଲା ଯେତେବେଳେ ଶିକ୍ଷକ ମହାସଙ୍ଘ କେବଳ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ନଥିଲା, ଓଡ଼ିଶାର ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ମଧ୍ୟ ଶିକ୍ଷକ ମହାସଙ୍ଘର ଆନ୍ଦୋଳନରୁ ପ୍ରେରଣା ପାଇ ନିଜ ନିଜର ଆନ୍ଦୋଳନକୁ ଦୃଢ଼, ଜୋରଦାର କରୁଥିଲେ । ବେଳେ ବେଳେ ଶିକ୍ଷକ ମହାସଙ୍ଘ ସହ ମିଳିତ ଆନ୍ଦୋଳନ ବି କରୁଥିଲେ । ଆଜି ଶିକ୍ଷକ ମହାସଙ୍ଘର ସେହି ସ୍ଥିତି ନାହିଁ । ସମୂହ ସ୍ୱାର୍ଥ ଛାଡ଼ି ନିଜ ନିଜର ସ୍ୱାର୍ଥରେ ଶିକ୍ଷକ ସମାଜ ଆଜି ବିଭାଜିତ । ସେମାନଙ୍କର ବିଭାଜିତ ଆନ୍ଦୋଳନ ବି ଆଜି ଦୁର୍ବଳ । ଏହାର ସୁଯୋଗରେ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣର ଚାପରେ ଶିକ୍ଷକମାନଙ୍କର ସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଏମିତି ମନେ ହେଉଛି ବନମାଳୀ ବ୍ରହ୍ମଚାରୀ, କୈଳାସ ମହାପାତ୍ର ଓ ଅବନୀ ବରାଳଙ୍କ ପିଢ଼ିର ଶିକ୍ଷକମାନେ ଯେଉଁ ସ୍ଥିତିରେ ସେମାନଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ ବର୍ତ୍ତମାନର ଶିକ୍ଷକମାନେ ତା ଠାରୁ ଖରାପ ସ୍ଥିତିରେ ରହିଛନ୍ତି । ସେମାନେ ଶିକ୍ଷକ ସମାଜ ପ୍ରତି ବନମାଳୀ ବ୍ରହ୍ମଚାରୀ, କୈଳାସ ମହାପାତ୍ର ଓ ଅବନୀ ବରାଳଙ୍କ ଅବଦାନକୁ ମନେ ପକାନ୍ତୁ । ପ୍ରେରଣା ପାଆନ୍ତୁ । ଏକ ହୁଅନ୍ତୁ । ଆନେ୍ଦାଳନକୁ ଦୃଢ଼ କରନ୍ତୁ । ସଫଳ ହେବେ ।
କିନ୍ତୁ ଆନ୍ଦୋଳନକୁ ସଫଳ କରିବାକୁ ହେଲେ ସେମାନଙ୍କୁ ସେମାନଙ୍କ ନିଜ ସ୍ୱାର୍ଥ ଛଡ଼ା ସାଧାରଣ ମଣିଷମାନଙ୍କର ସ୍ୱାର୍ଥ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ । ସାଧାରଣ ମଣିଷଙ୍କୁ ସେମାନଙ୍କ ସାଙ୍ଗରେ ନେବାକୁ ହେବ । ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ସାଧାରଣ ମଣିଷକୁ ତଳତଳାନ୍ତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ବି ତଳତଳାନ୍ତ କରୁଛି । ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣର ବଚସ୍କରମାନେ ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ ଦେଇ ସାଧାରଣ ଶିକ୍ଷାବ୍ୟବସ୍ଥାକୁ ଭୁଷୁଡ଼େଇବାରେ ଲାଗିଛନ୍ତି । ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ସ୍କୁଲକଲେଜ ତ ଖୋଲା ରଖିଛନ୍ତି, ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଦେଉ ନାହାଁନ୍ତି । ସାଧାରଣ ସ୍କୁଲ କଲେଜଗୁଡ଼ିକରେ ଭଲ ପାଠ ପଢ଼ା ହେଲେ ମଳିମୁଣ୍ଡିଆଙ୍କ ପୁଅଝିଅମାନେ ସେମାନଙ୍କ ପୁଅଝିଅଙ୍କ ସହ କାଳେ ତାଳ ଦେବେ ଭାବି ସାଧାରଣ ଶିକ୍ଷାବ୍ୟବସ୍ଥାର ଗୁଣାତ୍ମକ ବିକାଶ ଦିଗରେ ଧ୍ୟାନ ଦେବା ପରିବର୍ତ୍ତେ ତାକୁ ବିଶୃଙ୍ଖଳା ଭିତରକୁ ଠେଲି ଦେଉଛନ୍ତି । ଅନେକ ଶିକ୍ଷକ ସ୍କୁଲକୁ ନଯାଇ ହାତ ଗୁଞ୍ଜା ଦେଇ ମାସ ମାସ ଧରି ଦରମା ନେଉଥିବା କଥା ମଝିରେ ମଝିରେ ଖବରକାଗଜରେ ବାହାରୁଛି । ଏଥି ପ୍ରତି କାହାର ଧ୍ୟାନ ନାହିଁ । ଦରମା ନିଅନ୍ତୁ, ପାଠ ନ ପଢ଼ାନ୍ତୁ, ଭଲ! କିଛି ମଳିମୁଣ୍ଡିଆଙ୍କ ପୁଅଝିଅ ତ ମଳିମୁଣ୍ଡିଆ ହେଇ ବାହାରିବେ! ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ଯୁଗର ଏହି ମନୋବୃତ୍ତି ବିରୁଦ୍ଧରେ ନିଷ୍ଠାବାନ ଶିକ୍ଷକମାନଙ୍କୁ ସଂଗ୍ରାମ କରିବାକୁ ପଡ଼ିବ । ସେମାନଙ୍କର ନିଜ ସଂଗ୍ରାମର ସଫଳତା ଏହି ସଂଗ୍ରାମର ସଫଳତା ସହ ଜଡ଼ିତ । ତେଣୁ ସାଧାରଣ ଲୋକଙ୍କୁ ସଙ୍ଗରେ ନେବାକୁ ହେବ । ସେମାନଙ୍କ ପୁଅଝିଅଙ୍କୁ ଆନ୍ତରିକତା ସହ ପଢ଼େଇବାକୁ ହେବ । ମଳିମୁଣ୍ଡିଆଙ୍କ ପୁଅଝିଅଙ୍କୁ ଆଉ ମଳିମୁଣ୍ଡିଆ ହେବା ପାଇଁ ନ ଦେବା ହିଁ ହେବ ଅବନି ବରାଳଙ୍କ ପ୍ରତି ଶିକ୍ଷକମାନଙ୍କ ଆନ୍ତରିକ ଶ୍ରଦ୍ଧାଞ୍ଜଳି ।
ପ୍ଲଟ୍ ନ: ୩୭୧, ଇଡେନ୍ ଗାର୍ଡ଼େନ୍, ପାହାଳ, ଭୁବନେଶ୍ୱର
Comments
0 comments