୯୩ତମ ଲବଣ ସତ୍ୟାଗ୍ରହ: ସେ ଦିନର ଲୁଣ ଓ ଆଜିର ପ୍ରଦୂଷଣ

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati604 Views
20 Min Read

୬୧ବର୍ଷ ବୟସ୍କ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସାବରମତୀରୁ ଲବଣ ସତ୍ୟାଗ୍ରହ ଆରମ୍ଭ ହେବାର ୧୩ଦିନ ଅତିକ୍ରାନ୍ତ ହୋଇସାରିଥିଲା । ୨୪୦ ମାଇଲ ଦୀର୍ଘ ଏକ ପଦଯାତ୍ରାରେ ଯାଇ ଦାଣ୍ଡୀରେ ପହଞ୍ଚିବାର ନିଷ୍ପତ୍ତି ନେଇ ଗାନ୍ଧିଜୀ ଆଇନ ଅମାନ୍ୟର ଏହି କାର୍ଯ୍ୟରେ ସାରାଦେଶକୁ ସଂପୃକ୍ତ କରିଦେଇଥିଲେ ।

ମାର୍ଚ୍ଚ ୨୫ତାରିଖର ସକାଳେ ସତ୍ୟାଗ୍ରହୀମାନେ (ହଜାର ହଜାର ସ୍ୱେଚ୍ଛାସେବୀ) ସାମନି ଗାଁରୁ ତ୍ରାଲସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତ୍ରାଲସା ଯିବା ବାଟରେ ଗାନ୍ଧିଜୀ ଏବଂ ତାଙ୍କର ସହଯାତ୍ରୀମାନେ ପାଣି ଓ ଗଭୀର କାଦୁଅ ମଧ୍ୟଦେଇ ଯାତ୍ରା କରିଥିଲେ । ତ୍ରାଲସାରେ ସେମାନଙ୍କୁ ବେଶ୍ ଉତ୍ସାହର ସହ ସ୍ୱାଗତ କରାଗଲା । ତାଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ଏବଂ କାକାସାହେବ କାଲେକର ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ସେଠାକୁ ଆସିଥିଲେ । ଲବଣ ସତ୍ୟାଗ୍ରହ ଅଧିକ ପ୍ରଭାବଶାଳୀ ହେଉଥିଲା । ଏହାର ପୂର୍ବ ରାତିରେ, ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ, ସାମନି ଗାଁରେ ଗାନ୍ଧିଜୀ ଲବଣ ଆଇନ ଅମାନ୍ୟ କରିବା ଏବଂ ଖଦୀ ବୁଣିବା ଓ ପିନ୍ଧିବାର ଗୁରୁତ୍ୱ ସମ୍ପର୍କରେ ବଖାଣିଥିଲେ ।

ଦାଣ୍ଡୀ ଯାତ୍ରା ଏବଂ ସ୍ୱେଚ୍ଛାକୃତ ସେବା

ସ୍ୱେଚ୍ଛାକୃତ ସେବା ଏବଂ ଅହିଂସ ପ୍ରତିବାଦର ଭାବଧାରା ହେଉଛି ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଗାନ୍ଧୀଙ୍କର ଯୁଗରେ ଲବଣ ସତ୍ୟାଗ୍ରହବେଳେ ପୂର୍ଣ୍ଣ ଗାରିମାର ସହ ଏହା ପ୍ରତିପାଦିତ ହୋଇଛି । ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନ ପାଇଁ ଅହିଂସ ଆନ୍ଦୋଳନ ମାଧ୍ୟମରେ ପ୍ରୟାସ ଦ୍ୱାରା ଏହା ଅହିଂସା ଆନ୍ଦୋଳନର ଶକ୍ତି ପ୍ରଦର୍ଶନ କରିଥିଲା । ଇଂରେଜ ଅଧିକାରୀମାନଙ୍କ ମାତ୍ରାତିରିକ୍ତ ନୃଶଂସତା ସତ୍ତ୍ୱେ ସତ୍ୟାଗ୍ରହୀମାନେ ଅହିଂସା ଉପାୟରେ ହିଁ ସେମାନଙ୍କର ପ୍ରତିବାଦ ଜାରି ରଖିଥିଲେ ।

ଏହି ଆନ୍ଦୋଳନର ଏକ ଆଖିଦୃଶିଆ ଦିଗ ଥିଲା ସ୍ୱେଚ୍ଛାସେବୀମାନଙ୍କର ଅଂଶଗ୍ରହଣ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭକରି କୃଷକ, ଶ୍ରମିକ ଏବଂ ମହିଳାମାନେ ଗିରଫଦାରୀ, ଜେଲଦଣ୍ଡ ଏବଂ ଇଂରେଜମାନଙ୍କର ହିଂସ୍ର ଆଚରଣର ଭୟ ସତ୍ତ୍ୱେ ସ୍ୱଇଚ୍ଛାରେ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ । ସ୍ୱେଚ୍ଛାସେବାର ଏହି ଗାନ୍ଧୀବାଦୀ ବିଚାରଧାରା ସ୍ୱାର୍ଥରହିତ କାର୍ଯ୍ୟ ବା ସେବା ଉପରେ ଆଧାରିତ ଯେଉଁଥିରେ ଜଣେ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ କୌଣସି ପ୍ରତିଦାନର ଆଶା ନରଖି ସମୟ, ଦକ୍ଷତା ଏବଂ ସମ୍ବଳ ବିନିଯୋଗ କରେ । ଏହି ଆନ୍ଦୋଳନ ଅନେକଗୁଡ଼ିଏ ପ୍ରତିବାଦ ଏବଂ ଆଇନ ଅମାନ୍ୟ ଆନ୍ଦୋଳନକୁ ଜନ୍ମ ଦେଲା, ଯାହାର ଫଳସ୍ୱରୂପ ହଜାର ହଜାର ରାଜନୈତିକ ବନ୍ଦୀ ମୁକ୍ତ ହେଲେ । ଏହି ସ୍ୱେଚ୍ଛାସେବୀମାନେ କେବଳ ଆନ୍ଦୋଳନର ସଫଳତାକୁ ସୁନିଶ୍ଚିତ କଲେ ନାହିଁ, ଏହା ସଙ୍ଗେ ସଙ୍ଗେ ସେମାନେ ପାଣ୍ଠି ସଂଗ୍ରହରେ ସହାୟତା କଲେ, ଏବଂ ପଦଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଏବଂ ରହିବାର ବନ୍ଦୋବସ୍ତ କଲେ । ସ୍ୱେଚ୍ଛାସେବୀମାନେ ପ୍ରତିବାଦବେଳେ ଆହତ ହୋଇଥିବା ସତ୍ୟାଗ୍ରହୀମାନଙ୍କୁ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦେଉଥିଲେ ।

ପ୍ରତିବାଦ ବା ବିରୋଧ କରିବା ବ୍ୟତୀତ ସ୍ୱେଚ୍ଛାସେବୀମାନେ କୁଟୀର ଶିଳ୍ପ ଆଧାରିତ ଏକ ଦୀର୍ଘକାଳସ୍ଥାୟୀ ଅର୍ଥନୀତି ଗଢ଼ି ତୋଳିବା କାର୍ଯ୍ୟକୁ ବଳବତ୍ତର ରଖିଲେ । ସେମାନେ ମଧ୍ୟ ମହାତ୍ମାଗାନ୍ଧୀ ବାରମ୍ବାର ଗୁରୁତ୍ୱ ପ୍ରଦାନ କରୁଥିବା ଖଦୀ ବସ୍ତ୍ରର ପ୍ରସାର କରୁଥିଲେ ।

ଗାନ୍ଧିଜୀ ଦେଶର ମନୋଭାବକୁ ଭଲଭାବରେ ଜାଣିଥିଲେ । ସେ ଜାଣିଥିଲେ ଯେ ଲୋକେ ହଠାତ୍ ଭାବପ୍ରବଣ କିମ୍ବା ଉତ୍ତେଜିତ ହୋଇପାରନ୍ତି । ତେଣୁ, ସେ ଏ ସମ୍ପର୍କରେ ସତର୍କ ମଧ୍ୟ ଥିଲେ । ମାର୍ଚ୍ଚ ୨୮ ତାରିଖ ଦିନ ରାମ୍ୟାଠାରେ ପହଁଚିବା ପରେ ମହାତ୍ମା ଗାନ୍ଧୀ କହିଥିଲେ, “ମୋ ବିଚାରରେ ଗୁଜୁରାଟର କୌଣସି ଜିଲ୍ଲାକୁ ବାଦ୍ଦେବା କଷ୍ଟକର । ପ୍ରତ୍ୟେକ ଜିଲ୍ଲାରେ ଅବସ୍ଥାନ କରିବାକୁ ଏବଂ ସେଠାରେ ଲୁଣ ଉତ୍ପାଦନ ଆରମ୍ଭ କରିବାକୁ ମୋର ଇଚ୍ଛା ହେଉଛି । କିନ୍ତୁ ଆମମାନଙ୍କର ଇଚ୍ଛା ମୁତାବକ ଆମେ ସବୁକିଛି କରିପାରିବା ନାହିଁ । ଆମେ କେବଳ ଯାହା କିଛି କରାଯିବା ଉଚିତ୍ ତାହା ହିଁ କରିବା । ତେଣୁ, ଆମେ ଦାଣ୍ଡୀରେ ପହଁଚିବା ଉଚିତ୍ ।”

ଭାରତ ଏବଂ ବିଶ୍ୱ ଉପରେ ଏହାର ପ୍ରଭାବ

ଲବଣ ସତ୍ୟାଗ୍ରହରେ ସ୍ୱେଚ୍ଛାସେବାର ଭାବଧାରା ସମଗ୍ର ବିଶ୍ୱର ଲୋକମାନଙ୍କ ପାଇଁ ଏକ ପ୍ରେରଣା ଏବଂ ଏକ ସର୍ବସାଧାରଣ ଲକ୍ଷ୍ୟ ହାସଲ ସକାଶେ ସାମୂହିକ ଉଦ୍ୟମର ଗୁରୁତ୍ୱ ପ୍ରତି ଏହା ଦୃଷ୍ଟି ଆକର୍ଷଣ କରୁଛି । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସମର୍ଥିତ ଅହିଂସ ଆନ୍ଦୋଳନର ନୀତିଗୁଡ଼ିକ ଏବେ ମଧ୍ୟ ବିଶ୍ୱବ୍ୟାପୀ ବିଭିନ୍ନ ଆନ୍ଦୋଳନରେ ବ୍ୟବହୃତ ହୋଇଆସୁଛି । ଯୁକ୍ତରାଷ୍ଟ୍ର ଆମେରିକାରେ ନାଗରିକ ଅଧିକାର ଆନ୍ଦୋଳନଠାରୁ ଆରମ୍ଭ କରି ମିଆଁମାରର ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନରେ ଅହିଂସା ଆନ୍ଦୋଳନର ନୀତିଗୁଡ଼ିକୁ ପ୍ରୟୋଗ କରାଯାଇଛି ।

ଗାନ୍ଧୀବାଦୀ ନେତୃବୃନ୍ଦଙ୍କ ପ୍ରେରଣାରେ ଆରମ୍ଭ ହୋଇଥିବା ସ୍ୱେଚ୍ଛାସେବାର ଆନ୍ଦୋଳନ ଭାରତରେ ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ଅହିଂସା, ଆତ୍ମ-ନିର୍ଭରଶୀଳତା ଏବଂ ଅନ୍ୟମାନଙ୍କର ସେବା କରିବାର ଗାନ୍ଧୀ ଦର୍ଶନ ଏକ ଉନ୍ନତତର ସମାଜ ଗଠନପାଇଁ ଭାରତୀୟମାନଙ୍କର ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସିଛି । ଆତ୍ମନିର୍ଭରଶୀଳତା ଏବଂ ଅନ୍ୟମାନଙ୍କର ସେବା କରିବା ଉପରେ ଗାନ୍ଧିଜୀଙ୍କର ଗୁରୁତ୍ୱ ଭାରତରେ ସ୍ୱେଚ୍ଛାସେବୀ ଆନ୍ଦୋଳନକୁ ପ୍ରେରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ନାଗରିକଙ୍କର ସମାଜ ପ୍ରତି ଦାୟିତ୍ୱ ରହିଛି ଏବଂ ସେହି ଦାୟିତ୍ୱ ନିର୍ବାହନ ପାଇଁ ସ୍ୱେଚ୍ଛାକୃତ କାର୍ଯ୍ୟକରିବା ଗୋଟିଏ ମାଧ୍ୟମ ।

ଭାରତର ବିଭିନ୍ନ କ୍ଷେତ୍ରରେ ସ୍ୱେଚ୍ଛାସେବୀ ଆନ୍ଦୋଳନ ଉପରେ ଗାନ୍ଧିଜୀଙ୍କ ପ୍ରଭାବକୁ ଦେଖାଯାଇ ପାରିବ । ବହୁ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ଗାନ୍ଧିଜୀଙ୍କର ସେବାର ଦର୍ଶନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ସ୍ୱେଚ୍ଛାସେବା ମାଧ୍ୟମରେ ସେମାନେ ଏକ ଉନ୍ନତତର ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିଛନ୍ତି ।

ସ୍ୱେଚ୍ଛାସେବା ଆନ୍ଦୋଳନ ର ସଫଳତମ ଦୃଷ୍ଟାନ୍ତଗୁଡ଼ିକ ମଧ୍ୟରେ ଚିପ୍କୋ ଆନ୍ଦୋଳନ ଅନ୍ୟତମ, ଯାହାକି ଗାନ୍ଧିଜୀଙ୍କର ଅହିଂସା ଏବଂ ପରିବେଶ ସଂରକ୍ଷଣର ଦର୍ଶନରୁ ପ୍ରେରଣା ପାଇଥିଲା । ୧୯୭୦ ଦଶକରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ର ଉଦ୍ଦେଶ୍ୟ ଥିଲା ଜଙ୍ଗଲର ସୁରକ୍ଷା କରିବା ଏବଂ ଦୀର୍ଘକାଳ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା । ଚିପ୍କୋ ଆନ୍ଦୋଳନ ଭାରତରେ ତଥା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଅନୁରୂପ ଆନ୍ଦୋଳନ ଗୁଡ଼ିକୁ ଜନ୍ମଦେଲା । କାରଣ ଏହା ପରିବେଶ ସଂରକ୍ଷଣର ଗୁରୁତ୍ୱ ଏବଂ ସ୍ୱେଚ୍ଛାସେବାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କଲା ।

ଆଉ ଏକ ଦୃଷ୍ଟାନ୍ତ ହେଲା, ବେୟାରଫୁଟ୍ କଲେଜ । ଏହି ସ୍ୱେଚ୍ଛାସେବୀ ସଙ୍ଗଠନଟି ୧୯୭୨ ମସିହାରେ ବଙ୍କର ରାୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଗ୍ରାମୀଣ ଗୋଷ୍ଠୀ, ବିଶେଷ କରି ମହିଳାମାନଙ୍କୁ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରିବାରେ ଏହା ବେଶ୍ ସଫଳ ହୋଇଥିଲା । ଅନୁରୂପ ଭାବେ ତାମିଲନାଡୁର ମଦୁରାଇସ୍ଥିତ ଅରବିନ୍ଦ ଆଇ କେୟାର ସିଷ୍ଟମ ହେଉଛି ଆଉ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଯାହାକି ଲକ୍ଷ ଲକ୍ଷ ଲୋକଙ୍କୁ ଉଚ୍ଚମାନର ଚକ୍ଷୁସେବା ଯୋଗାଇ ଦେବାରେ ସଫଳ ହୋଇଛି ।

ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ଅନେକ ଦୁର୍ବଳତାମାନ ରହିଛି ଏବଂ ସେମାନଙ୍କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱତାରେ ଅଭାବ ସଙ୍ଗେ ସଙ୍ଗେ ସେମାନେ ଦୀର୍ଘକାଳ ପର୍ଯ୍ୟନ୍ତ କାର୍ଯ୍ୟକରିବା କ୍ଷେତ୍ରରେ ସମସ୍ୟା ରହିଥିବାରୁ ଭାରତର ବହୁ ସଙ୍ଗଠନ ସମାଲୋଚିତ ହୁଅନ୍ତି । କିନ୍ତୁ ଏହା ସତ୍ତ୍ୱେ ଭାରତରେ ତଥା ସମଗ୍ର ବିଶ୍ୱରେ ଏକ ଅହିଂସ ବୈଶ୍ୱିକ ବ୍ୟବସ୍ଥା ସୃଷ୍ଟି କରିବା ସକାଶେ ଅନ୍ୟମାନଙ୍କର ସେବା ଏବଂ ସାମୂହିକ ଉଦ୍ୟମ ଉପରେ ଆଧାରିତ ଏକ ସ୍ୱେଚ୍ଛାସେବା ଆନ୍ଦୋଳନର ପ୍ରାସଙ୍ଗିକତାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ବୈଶ୍ୱିକ ଦୃଷ୍ଟିଭଙ୍ଗୀରେ ବିବେଚନା କଲେ ଶାନ୍ତିପୂର୍ଣ୍ଣ ଏବଂ ଦୀର୍ଘକାଳ ସ୍ଥାୟୀ ସାମାଜିକ ପରିବର୍ତ୍ତନ ସକାଶେ ସ୍ୱେଚ୍ଛାସେବା ଆନ୍ଦୋଳନ ବେଶ ଗୁରୁତ୍ୱପୂର୍ଣ୍ଣ । ଏପରି ଏକ ଦୃଷ୍ଟାନ୍ତ ହେଲା ଯୁକ୍ତରାଷ୍ଟ୍ର ଆମେରିକାର ବ୍ଲାକ୍ ଲାଇଫ ମ୍ୟାଟର୍ସ ମୁଭମେଣ୍ଟ (କୃଷ୍ଣକାୟମାନଙ୍କର ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ), ଯାହାକି ଗାନ୍ଧୀବାଦୀ ବିଚାରଧାରାରୁ ଏହାର ପ୍ରେରଣା ପାଇଥିଲା । ବହୁ ଆକ୍ଟିଭିଷ୍ଟ ଅହିଂସା ଏବଂ ଜନସାଧାରଣଙ୍କୁ ସେବା କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଅହିଂସା, ଆତ୍ମନିର୍ଭରଶୀଳତା ଏବଂ ଅନ୍ୟମାନଙ୍କର ସେବା କରିବା ସମ୍ପର୍କରେ ଗାନ୍ଧିଜୀଙ୍କ ଦର୍ଶନ ଭାରତୀୟ ଏବଂ ବିଶ୍ୱବାସୀଙ୍କର ଅନେକ ପିଢ଼ିକୁ ସ୍ୱେଚ୍ଛାସେବା ମାଧ୍ୟମରେ ଏକ ଉନ୍ନତତର ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି । ସମସ୍ତଙ୍କ ପାଇଁ ସମାନ ଏକ ଲକ୍ଷ୍ୟର ହାସଲପାଇଁ ସାମୂହିକ କାର୍ଯ୍ୟ ଯେ କେତେ ଶକ୍ତିଶାଳୀ ତାହା ଏଥିରୁ ପ୍ରମାଣିତ ହେଉଛି ।

ଦୀର୍ଘ ୨୪ଦିନ କାଳ ଚାଲିଥିବା ଲବଣ ସତ୍ୟାଗ୍ରହର ୯୩ତମ ବାର୍ଷିକୀ ଭାରତର ଧର୍ମ, ଜାତି, ଭାଷା, ସଂସ୍କୃତି, ଶାସକୀୟ ବ୍ୟବସ୍ଥା, ଆଦର୍ଶ ଇତ୍ୟାଦିର ବହୁବିଧତାର ପ୍ରଶଂସା କରିବା ସକାଶେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ମହାତ୍ମା ଗାନ୍ଧୀଙ୍କ ସହ ଏହି ଲମ୍ବା ପଦଯାତ୍ରାରେ ଚାଲିଥିବା ୭୮ଜଣ ବିଶ୍ୱସ୍ତ ସ୍ୱେଚ୍ଛାସେବୀ ବିଭିନ୍ନ ପୃଷ୍ଠଭୂମିରୁ ଏବଂ ବିଭିନ୍ନ ସାଂସ୍କୃତିକ ଭାବଧାରାରୁ ଆସିଥିଲେ । ଯାତ୍ରା ଆଗକୁ ବଢ଼ିବା ସଙ୍ଗେ ସଙ୍ଗେ ଏହି ଦଳରେ ବହୁସଂଖ୍ୟକ ବ୍ୟକ୍ତି ଯୋଗଦେଲେ । ୧୯୩୦ ମସିହାରେ ଯେତେବେଳେ ଗାନ୍ଧିଜୀ ବ୍ରିଟିଶ ସରକାରଙ୍କର ଲବଣ ଆଇନ ଭଙ୍ଗ କଲେ, ସେତେବେଳେ ତାହା ସାରା ଭାରତରେ ଲକ୍ଷ ଲକ୍ଷ ଲୋକଙ୍କର ସମ୍ମିଳିତ କାର୍ଯ୍ୟରେ ପରିଣତ ହୋଇଗଲା । ଭାରତୀୟ ସମ୍ବିଧାନର ଦୃଷ୍ଟିଭଙ୍ଗୀରେ ଦାଣ୍ଡୀଯାତ୍ରା ଜାତୀୟ ସ୍ତରରେ ଏକ ସୁଯୋଗ ସୃଷ୍ଟି କଲା ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପ୍ରତି ସମଗ୍ର ବିଶ୍ୱବାସୀଙ୍କର ଧ୍ୟାନ ଆକର୍ଷଣ କଲା । ଭାରତର ସମ୍ବିଧାନ ବିଭିନ୍ନ ପ୍ରକାରର ପ୍ରତ୍ୟକ୍ଷ ଏବଂ ନିର୍ଦ୍ଦିଷ୍ଟ ଉପାୟରେ ବିବିଧତା ଏବଂ ବହୁଳବାଦ ପ୍ରସଙ୍ଗକୁ ଆକାର ଦେଇଛି- ୧) ଭାରତୀୟ ସମ୍ବିଧାନର ପ୍ରାକକଥନ ବା ପ୍ରିଏମ୍ବଲ ମାଧ୍ୟମରେ, ୨) ସଂଘୀୟ ଢ଼ାଞ୍ଚା ପାଇଁ ବିସ୍ତୃତ ବ୍ୟବସ୍ଥା କରିବା (ଧାରା ୨୪୫ରୁ ଧାରା ୨୬୩) ଏବଂ ବହୁଭାଷାବାଦ (ଧାରା ୩୪୩ ରୁ ୩୫୧ ପର୍ଯ୍ୟନ୍ତ) ପାଇଁ ବ୍ୟବସ୍ଥା ରଖିବା ମାଧ୍ୟମରେ, ୩) ବିଭିନ୍ନ ମୌଳିକ ଅଧିକାରଗୁଡ଼ିକ ମାଧ୍ୟମରେ, ୪) ରାଷ୍ଟ୍ରନୀତିର ନିର୍ଦେଶକ ସିଦ୍ଧାନ୍ତ ମାଧ୍ୟମରେ, ଯେଉଁଥିରେ ଏହି ନୀତି ମଧ୍ୟ ଅନ୍ତର୍ଭୁକ୍ତ ଯାହା ଏକଥା କହେ, “ବିଶେଷ କରି ରାଷ୍ଟ୍ର ରୋଜଗାର କ୍ଷେତ୍ରରେ ରହିଥିବା ଅସମାନତାକୁ ହ୍ରାସ କରିବାପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିବ ଏବଂ ସ୍ଥିତି, ସୁବିଧା ଓ ସୁଯୋଗ କ୍ଷେତ୍ରରେ ରହିଥିବା ଅସମାନତାକୁ ଦୂର କରିବା ପାଇଁ ପ୍ରୟାସ କରିବ ଯାହାକି କେବଳ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା କିମ୍ବା ବିଭିନ୍ନ ବୃତ୍ତିରେ ନିୟୋଜିତ ଗୋଷ୍ଠୀମାନଙ୍କ ମଧ୍ୟରେ ରହିଥିବା ତାରତମ୍ୟ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । (ଧାରା ୩୮(୨)) । ୫) ଭାରତର ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ମାଧ୍ୟମରେ, ଯଥା ଧର୍ମ, ଭାଷା ଏବଂ ଆଞ୍ଚଳିକ ବା କ୍ଷେତ୍ରୀୟ ଭେଦଭାବରୁ ଊଦ୍ଧ୍ୱର୍କୁ ଯାଇ ସଦ୍ଭାବ ଏବଂ ସାର୍ବଜନୀନ ଭ୍ରାତୃତ୍ୱକୁ ପ୍ରୋତ୍ସାହିତ କରିବା; ମହିଳାମାନଙ୍କର ଗାରିମା ପ୍ରତି ଆଞ୍ଚ ଆଣୁଥିବା ସମସ୍ତ ପ୍ରକାରର ପ୍ରଥା/ଅଭ୍ୟାସକୁ ପରିତ୍ୟାଗ କରିବା ଏବଂ ଆମର ସମୃଦ୍ଧ ସହବନ୍ଧିତ ସଂସ୍କୃତିର ଗୌରବମୟ ଐତିହ୍ୟକୁ ଉପଯୁକ୍ତ ସ୍ଥାନ ପ୍ରଦାନ କରିବା ଏବଂ ତାହାର ସଂରକ୍ଷଣ କରିବା (ଧାରା ୫୧-କ(ଙ) ଏବଂ (ଚ)) । ୬) ସଂକ୍ଷେପରେ କହିବାକୁ ଗଲେ ଭାରତୀୟ ସମ୍ବିଧାନର ଅନ୍ତତଃ ତିନୋଟି (ଅଧିକ ମଧ୍ୟ ହୋଇପାରେ) ସମ୍ପୂର୍ଣ୍ଣ ରୂପେ ପୃଥକ ରୂପରେ ବିବିଧତା ଏବଂ ବହୁବିଧତାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୭) ରାଷ୍ଟ୍ରର ପରିଚୟ ସହ ସମ୍ପୃକ୍ତ ବିଭବ ଏବଂ ମୂଲ୍ୟବୋଧମାନ, ଯେଉଁଥିରେ ଗଣତନ୍ତ୍ର, ଧର୍ମ-ନିରପେକ୍ଷତା, ଜନରାଜ୍ୟବାଦ, ସଂଘବାଦ ଏବଂ ବହୁଭାଷାବାଦ ଇତ୍ୟାଦି ଅନ୍ତର୍ଭୁକ୍ତ । ୮) ମୁଖ୍ୟତଃ ବ୍ୟକ୍ତିବିଶେଷକଙ୍କ ସଂପର୍କିତ ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ, ୯) ପରିଚୟଭିତ୍ତିକ ଗୋଷ୍ଠୀଗୁଡ଼ିକ ସହ ସଂପୃକ୍ତ ରାଜନୈତିକ ଏବଂ ସାଂସ୍କୃତିକ ଅଧିକାର ।

ଲବଣ ସତ୍ୟାଗ୍ରହ ଏବଂ ଅହିଂସ ପ୍ରତିବାଦ ଓ ଅସହମତି, ଲୋକକୈନ୍ଦି୍ରକ ଅର୍ଥନୀତି, ପାରିବେଶିକ ସଂରକ୍ଷଣ ତଥା ମୂଲ୍ୟବୋଧଭିତ୍ତିକ ନୀତିର ପାଳନ କରିବା ପରି ଗାନ୍ଧୀବାଦୀ ଆଭିମୁଖ୍ୟ ଆମମାନଙ୍କୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଥାଆନ୍ତି । ନିକଟରେ କରାଯାଇଥିବା ଅଧ୍ୟୟନ ଗୁଡ଼ିକରେ ଗାନ୍ଧୀବାଦୀ ମାର୍ଗ ଏବଂ ବିକଳ୍ପଗୁଡ଼ିକ ସମ୍ପର୍କରେ ପୁନଃ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦିଆଯାଇଛି । ସମଗ୍ର ବିଶ୍ୱ ଗାନ୍ଧୀ ବିଚାରଧାରାର ପ୍ରାସଙ୍ଗିକତାକୁ ସ୍ୱୀକାର କରୁଥିବାବେଳେ ଭାରତ ଗାନ୍ଧୀଙ୍କର ସାରକଥାକୁ ହରାଇ ବସୁଛି ।

ଏହାର ନାଗରିକମାନଙ୍କୁ ଶିକ୍ଷିତ କରିବା, ସଜାଡ଼ିବା ଏବଂ ସେମାନଙ୍କର ପରିପାଳନ କରିବାପାଇଁ ସମାଜ ଏବଂ ରାଜନୈତିକ ବ୍ୟବସ୍ଥାର ଅଙ୍ଗୀକାରବଦ୍ଧତା ରାଜନେତାମାନଙ୍କର ଜନସାଧାରଣଙ୍କ ଅଂଶଗ୍ରହଣ, ବ୍ୟକ୍ତିଗତସ୍ତରରେ ଉତ୍ତରଦାୟୀ ହେବାର ମାନ ଏବଂ ସାମ୍ବିଧାନିକ ଆଦର୍ଶକୁ ମାନି ଚଳିବା ପ୍ରତି ଥିବା ଆଭିମୁଖ୍ୟ ଦ୍ୱାରା ପରିପ୍ରକାଶିତ ହୋଇଥାଏ । ଗାନ୍ଧୀବାଦୀ ବିଚାରଧାରା ଆମ ଦେଶକୁ ସକାରାତ୍ମକ ଭାବେ ଗଢ଼ିତୋଳିବା ସକାଶେ ଏପରି ମାର୍ଗ ଦେଖାଇଥାଏ ।

ଲବଣ ସତ୍ୟାଗ୍ରହର ୯୩ ବର୍ଷ ପରେ

ମହାସାଗରୀୟ ପରିସଂସ୍ଥାନଗୁଡ଼ିକ ସକାଶେ ପ୍ଲାଷ୍ଟିକ ପ୍ରଦୂଷଣ ବଡ଼ ଚିନ୍ତାର କାରଣ । ଯଦିଓ ନିର୍ଦ୍ଦିଷ୍ଟ ଭାବେ କେତେ ପରିମାଣର ପ୍ଲାଷ୍ଟିକ ସମୁଦ୍ରକୁ ଯାଉଛି ସେକଥା ମାପିବା ସହଜ ନୁହେଁ, ତଥାପି ଆକଳନ କରାଯାଇଛି ଯେ ପ୍ରତ୍ୟେକ ବର୍ଷ ଅନୁ୍ୟନ ୧୪୦ ଲକ୍ଷ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ରକୁ ଯାଇଥାଏ । ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦୁଇଦଶନ୍ଧି ମଧ୍ୟରେ ସମୁଦ୍ରକୁ ନିଷ୍କାସିତ ହେଉଥିବା ପ୍ଲାଷ୍ଟିକର ପରିମାଣ କ୍ରମାଗତଭାବେ ବୃଦ୍ଧି ପାଇ ଚାଲିବ ବୋଲି ପୂର୍ବାନୁମାନ କରାଯାଇଛି ।

ସାମୁଦ୍ରିକ ବାତାବରଣରେ ପ୍ଲାଷ୍ଟିକ ପ୍ରଦୂଷଣ ଏତେ ବ୍ୟାପକ ହୋଇଯାଇଛି ଯେ, ଏଇ କେତେବର୍ଷ ହେଲା ଏହା ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ମାଛ, ଶାମୁକା ଜାତୀୟ ପ୍ରାଣୀ, ସନ୍ଧିପଦ ପ୍ରାଣୀଙ୍କ ପରି ବିଭିନ୍ନ ସାମୁଦ୍ରିକ ପ୍ରାଣୀମାନଙ୍କ ଶରୀରରେ ଅଣୁ ପ୍ଲାଷ୍ଟିକ (୫ ମିଲିମିଟରରୁ କମ୍ ଆକାରର ପ୍ଲାଷ୍ଟିକ ଖଣ୍ଡ)ର ଉପସ୍ଥିତି ଜଣାପଡ଼ିବା ପରଠାରୁ ଏଥିପ୍ରତି ଧ୍ୟାନ କେନ୍ଦ୍ରୀତ ହୋଇଛି । ଏବେ, ବିଭିନ୍ନ ଗବେଷଣାରୁ ଭାରତୀୟ ଲୁଣରେ ମଧ୍ୟ ଅଣୁପ୍ଲାଷ୍ଟିକର ଉପସ୍ଥିତି ଜଣାପଡ଼ିଛି । ଏହା ଆମ ପୃଥିବୀରେ ସର୍ବବ୍ୟାପୀ ପ୍ଲାଷ୍ଟିକର ଉପସ୍ଥିତି ସମ୍ପର୍କିତ ଆଲୋଚନାରେ ଆଉ ଏକ ପରସ୍ତ ଯୋଡ଼ିଛି ।

ପ୍ଲାଷ୍ଟିକ୍କୁ ବସ୍ତୁତଃ ନଷ୍ଟ ହେଉ ନଥିବା ସାମଗ୍ରୀ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ଅତିବାଇଗଣୀ ରଶ୍ମୀ ବିକିରଣ ଏବଂ ଭୌତିକ ଏବଂ ଜୈବିକ ଅବକ୍ଷୟ ଯୋଗୁଁ ପରିବେଶରେ ପ୍ଲାଷ୍ଟିକ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଥାଏ । ଯାହାଫଳରେ ଖୁବ୍ ଛୋଟ ପ୍ଲାଷ୍ଟିକ କଣିକାମାନ ସୃଷ୍ଟି ହୋଇଥାଏ । ଏହି କଣିକାଗୁଡ଼ିକର ଆକାର ଅନୁଯାୟୀ ଏଗୁଡ଼ିକୁ ବଡ଼, ମଧ୍ୟମ ଏବଂ ଅଣୁ ପ୍ଲାଷ୍ଟିକ୍ ବୋଲି କୁହାଯାଇଥାଏ ।

ବିଭିନ୍ନ ଗବେଷକ ଦଳମାନଙ୍କ ଦ୍ୱାରା ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ମିଳୁଥିବା ଲୁଣର ନମୁନାରେ ଅଣୁ ପ୍ଲାଷ୍ଟିକର ଉପସ୍ଥିତି ସମ୍ପର୍କରେ ଯାଞ୍ଚ କରାଯାଇଛି । ଏହି ଗବେଷଣାଗୁଡ଼ିକ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ୟାର ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ସଙ୍ଗେ ସଙ୍ଗେ ସମୁଦ୍ରରୁ ମିଳୁଥିବା ସାମଗ୍ରୀକୁ ନିୟନ୍ତ୍ରଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଭାରତୀୟ ସାମୁଦ୍ରିକ ଲୁଣରେ ଅଣୁପ୍ଲାଷ୍ଟିକ

୨୦୧୮ ମସିହାରେ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇ.ଆଇ.ଟି) ମୁମ୍ବାଇର ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ରର ଦୁଇଜଣ ବୈଜ୍ଞାନିକ ଚନ୍ଦନକ୍ରିଷ୍ଣା ସେଠ ଏବଂ ଅମି୍ରତାଂଶୁ ଶ୍ରୀବାସ୍ତବଙ୍କ ଏକ ଗବେଷଣା ନିବନ୍ଧ ପ୍ରକାଶ କରିଥିଲେ । ଏହା ପୂର୍ବରୁ ଭାରତରେ କେବେହେଲେ ଏପରି ନିବନ୍ଧ ପ୍ରକାଶିତ ହୋଇନଥିଲା । ଏଥିରେ ବଜାରରେ ବିକି୍ର କରାଯାଉଥିବା ଭାରତୀୟ ଲୁଣ ନମୁନାଗୁଡ଼ିକରେ ଅଣୁ ପ୍ଲାଷ୍ଟିକ କଣିକାର ଚିହ୍ନଟ ଓ ମୂଲ୍ୟାଙ୍କନ କରାଯାଇଥିଲା ।

ଏହି ଗବେଷକ ଦୁଇଜଣ ମୁମ୍ବାଇ ବଜାରରୁ ସଂଗ୍ରହ କରାଯାଇଥିବା ଆଠଟି ନମୁନାର ବିଶ୍ଲେଷଣ କରିଥିଲେ । ନମୁନା ପାଇଁ ଲୁଣ ପ୍ୟାକେଟ୍ଗୁଡ଼ିକ କେବଳ ବ୍ରାଣ୍ଡ/କମ୍ପାନୀ ଆଧାରରେ ନୁହେଁ, ଆମ ଦେଶରେ ସେଗୁଡ଼ିକର ଲୋକପ୍ରିୟତା ଆଧାରରେ ମଧ୍ୟ ଚୟନ କରାଯାଇଥିଲା । ଏହି ଲୁଣସବୁ ଗୁଜୁରାଟ, କେରଳ ଓ ମହାରାଷ୍ଟ୍ରରେ ଉତ୍ପାଦିତ ହୋଇଥିଲା ।

ସେଠ୍ ଓ ଶ୍ରୀବାସ୍ତବଙ୍କୁ ସମସ୍ତ ଆଠଟିଯାକ ନମୁନାରେ ଅଣୁ ପ୍ଲାଷ୍ଟିକ ମିଳିଥିଲା । ଏହି ନମୂନାଗୁଡ଼ିକରେ ପ୍ରତ୍ୟେକ କିଲୋଗ୍ରାମ ଲୁଣ ପିଛା ୫୬ରୁ ୧୦୭ଟି ପର୍ଯ୍ୟନ୍ତ ପ୍ଲାଷ୍ଟିକ କଣିକା ମିଳିଥିଲା । ପରୀକ୍ଷା କରାଯାଇଥିବା ନମୂନାରେ ଉଭୟ ତନ୍ତୁ ଏବଂ ଖଣ୍ଡବିଶେଷ ମିଳିଲା, ଯଦିଓ ଚିହ୍ନଟ କରାଯାଇଥିବା ଅଣୁପ୍ଲାଷ୍ଟିକ ମଧ୍ୟରେ ଖଣ୍ଡ ବିଶେଷର ପ୍ରାଧାନ୍ୟ ଅଧିକ ଥିଲା । ଏହି ଗବେଷକ ଦଳ ଅଣୁପ୍ଲାଷ୍ଟିକର ସଂରଚନାର ଅଧ୍ୟୟନ ମଧ୍ୟ କରିଥିଲେ ଏବଂ ସେମାନେ ପ୍ରମାଣିତ କରିଥିଲେ ଯେ ଲୁଣରେ ପଲିଷ୍ଟର (ପଲି-ଇଥାଇଲିନ-ଟେରେପଥାଲେଟ୍ ବା ପି.ଇ.ଟି) ଓ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ । ପଲିଷ୍ଟାଇରିନ୍, ପଲିଏମାଇଡ଼ ଏବଂ ପଲିଇଥାଇଲିନ ଇତ୍ୟାଦିର ଉପସ୍ଥିତି ରହିଛି ।

ନମୂନାଗୁଡ଼ିକରୁ ସଂଗ୍ରହ କରାଯାଇଥିବା କଣିକାଗୁଡ଼ିକୁ ସେମାନଙ୍କର ରଙ୍ଗ ପାଇଁ ମଧ୍ୟ ପରୀକ୍ଷା କରାଯାଇଥିଲା । ଧୂସର, ପାଉଁଶିଆ କଳା ଠାରୁ ଆରମ୍ଭ କରି ବାଇଗଣୀ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗର କଣିକାମାନ ନମୂନାରୁ ମିଳିଥିଲା, ଯାହାକି ସମ୍ଭବତଃ ପ୍ରଦୂଷଣର ବିଭିନ୍ନ ଉତ୍ସ ସମ୍ପର୍କରେ ସୂଚନା ଦେଇଥାଏ । ଅଧ୍ୟୟନରେ ଲେଖକମାନେ ଏକଥା ଦର୍ଶାଇଛନ୍ତି ଯେ ଲୁଣ ନମୂନାରେ ମିଳିଥିବା ପି.ଇ.ଟି.ର ବିବିଧ ପ୍ରକାରର ପ୍ରୟୋଗ ହୋଇଥାଏ, ଯେପରିକି ପ୍ୟାକେଜିଂ ସାମଗ୍ରୀ, ବୋତଲ ଉତ୍ପାଦନ ଏବଂ ବୟନ ଶିଳ୍ପ ଇତ୍ୟାଦି ।

ଶ୍ରୀବାସ୍ତବ କହିଛନ୍ତି ଯେ ତାଙ୍କପାଇଁ ଏପରି ଫଳାଫଳ ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା । “ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଏବଂ ଅନ୍ୟାନ୍ୟ ବହୁସ୍ଥାନରେ କରାଯାଇଥିବା ଗବେଷଣାଦ୍ୱାରା ଲୁଣରେ ଅଣୁପ୍ଲାଷ୍ଟିକର ଉପସ୍ଥିତି ପ୍ରମାଣିତ ହୋଇସାରିଛି । ଭାରତ ହେଉଛି ଲୁଣର ଏକ ପ୍ରମୁଖ ଉତ୍ପାଦନକାରୀ ତଥା ବ୍ୟବହାରକାରୀ । ଅଥଚ ଆମମାନଙ୍କ ନିକଟରେ ଏ ସଂପର୍କିତ କୌଣସି ପ୍ରାଥମିକ ତଥ୍ୟ ନଥିଲା । ସେଇଥିପାଇଁ ଆମେ ଅନୁଭବ କଲୁ ଯେ ଏପରି ଏକ ଗବେଷଣା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ”ବୋଲି ସେ କହିଛନ୍ତି ।

ସେହି ଏକା ବର୍ଷ ଗ୍ରୀନ୍ପିସ୍ ପୂର୍ବ ଏସିଆ ଏକ ରିପୋର୍ଟ ପ୍ରକାଶ କଲା ଯେଉଁଥିରେ ଏକଥା ଉଲ୍ଲେଖ କରାଯାଇଥିଲା ଯେ ସମଗ୍ର ବିଶ୍ୱରେ ଖାଦ୍ୟରେ ବ୍ୟବହାର କରାଯାଉଥିବା ଲୁଣ ମଧ୍ୟରୁ ପ୍ରାୟ ୯୦%ରେ ଅଣୁପ୍ଲାଷ୍ଟିକ କଣିକାମାନ ରହିଛି । ଇଣ୍ଡୋନେସିଆରୁ ସଂଗ୍ରହ କରାଯାଇଥିବା ଏକ ନମୂନା ସବୁଠାରୁ ଅଧିକ ପ୍ରଦୂଷିତ ଥିଲା । ଏହି ଦେଶର ବୈଶ୍ୱିକ ସ୍ତରରେ ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ କ୍ଷେତ୍ରରେ ଦ୍ୱିତୀୟ ସର୍ବାଧିକ ଅବଦାନ ରହିଛି । ବିଶ୍ଲେଷଣ କରାଯାଇଥିବା ୩୯ଟି ନମୂନା ମଧ୍ୟରୁ କେବଳ ତିନୋଟି ନମୂନାରେ ଅଣୁପ୍ଲାଷ୍ଟିକ ନଥିବା ଜଣାପଡ଼ିଥିଲା, ଯାହାକି ଏହି ସମସ୍ୟା ଯେ କେତେ ବ୍ୟାପକ ସେକଥା ଦର୍ଶାଉଛି । ଏହି ଅଧ୍ୟୟନରେ ଆକଳନ କରାଯାଇଥିଲା ଯେ ହାରାହାରିଭାବେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ବାର୍ଷିକ ପ୍ରାୟ ୨୦୦୦ଖଣ୍ଡ ଅଣୁ ପ୍ଲାଷ୍ଟିକ ଗିଳି ପାରନ୍ତି ।

ଲୁଣ ପ୍ରସଙ୍ଗର ସାରକଥା

ବୈଶ୍ୱିକ ସ୍ତରରେ ଲୁଣ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ୨୦୨୨ ମସିହାରେ ଆମ ଦେଶର ଲୁଣ ଉତ୍ପାଦନ ଥିଲା ୪୫୦ଲକ୍ଷ ମେଟ୍ରିକ ଟନ୍, ଯାହାକି ଚୀନର ମୋଟ ଉତ୍ପାଦନ ୬୪୦ ଲକ୍ଷ ଟନ୍ ପଛକୁ ଦ୍ୱିତୀୟ ସର୍ବାଧିକ ଉତ୍ପାଦନ । ଭାରତୀୟ ଉପାôଦନକାରୀମାନଙ୍କ ସକାଶେ ସମୁଦ୍ର ହେଉଛି ଲୁଣର ଏକ ପ୍ରମୁଖ ଉତ୍ସ । ଆଇ.ଆଇ.ଟି. ମୁମ୍ବାଇ ଦ୍ୱାରା କରାଯାଇଥିବା ଅଧ୍ୟୟନ କେବଳ ଭାରତୀୟ ସାମୁଦ୍ରିକ ଲୁଣରେ ପ୍ଲାଷ୍ଟିକ ପ୍ରଦୂଷଣର ଚିହ୍ନଟୀକରଣ ଦ୍ୱାରା ଏହି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିନାହିଁ, ବରଂ ଏ ସମ୍ପର୍କରେ ଆହୁରି ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକତା ପ୍ରତି ମଧ୍ୟ ଗୁରୁତ୍ୱ ଆରୋପ କରିଛି ।

ଭାରତରେ ସର୍ବାଧିକ ଲୁଣ ଉତ୍ପାଦନ କରୁଥିବା ରାଜ୍ୟ ହେଉଛି ଗୁଜୁରାଟ । ଏହା ପଛକୁ ରହିଛି ତାମିଲନାଡୁ, ଯେଉଁଠାରେ ଥୁଥୁକୋଡ଼ି ବନ୍ଦର ଏହାର ଲୁଣ କିଆରୀଗୁଡ଼ିକ ପାଇଁ ପ୍ରସିଦ୍ଧ । ଥୁଥୁକୋଡ଼ିସ୍ଥିତ ସୁଗନ୍ଥୀ ଦେବଦାସନ ସାମୁଦ୍ରିକ ଗବେଷଣା ପ୍ରତିଷ୍ଠାନର ଗବେଷକମାନେ ସାମୁଦ୍ରିକ ଲୁଣର ସାତୋଟି ନମୂନାର ଏବଂ ନଳକୂଅର ପାଣିରୁ ପ୍ରସ୍ତୁତ ଲୁଣର ୭ଟି ନମୂନାର ବିଶ୍ଲେଷଣ କରି ଅଣୁପ୍ଲାଷ୍ଟିକ ଦ୍ୱାରା ହେଉଥିବା ପ୍ରଦୂଷଣର ସ୍ତରକୁ ବୁଝିବାର ପ୍ରୟାସ କରିଥିଲେ । ଏହି ଗବେଷଣାର ଫଳାଫଳ ୨୦୨୦ ମସିହାରେ ପ୍ରକାଶିତ ହୋଇଥିଲା ।

ଆଇ.ଆଇ.ଟି. ମୁମ୍ବାଇଦ୍ୱାରା ୨୦୧୮ ମସିହାରେ କରାଯାଇଥିବା ଗବେଷଣାର ଅନୁରୂପ, ଥୁଥୁକୋଡ଼ିର ଗବେଷକମାନେ ସମସ୍ତ ନମୂନାରୁ ଅଣୁ ପ୍ଲାଷ୍ଟିକ ପାଇଥିଲେ । ସାମୁଦି୍ରକ ଲୁଣର ନମୂନାରେ କିଲୋଗ୍ରାମ ପିଛା ୩୫-୭୨ଟି ପର୍ଯ୍ୟନ୍ତ କଣିକା ରହିଥିବାବେଳେ ନଳକୂଅର ପାଣିରେ ପ୍ରସ୍ତୁତ ଲୁଣରେ ଯଥେଷ୍ଟ କମ୍ ପରିମାଣର ଅଣୁପ୍ଲାଷ୍ଟିକ ଖଣ୍ଡମାନ ମିଳିଥିଲା । ଏଥିରେ କିଲୋଗ୍ରାମ ପିଛା ୨ରୁ ୧୯ଖଣ୍ଡ ପର୍ଯ୍ୟନ୍ତ ଅଣୁ ପ୍ଲାଷ୍ଟିକ ମିଳିଥିଲା । ସାମୁଦ୍ରିକ ଜଳରେ ମାତ୍ରାଧିକ ପରିମାଣର ପ୍ଲାଷ୍ଟିକ ପ୍ରଦୂଷଣର ଧାରଣାକୁ ଏହା ବଳବତ୍ତର କରିଥିଲା ।

ଥୁଥୁକୋଡ଼ି ଗବେଷଣା ରିପୋର୍ଟର ମୁଖ୍ୟ ଲେଖକ ନର୍ମଥା ସଥିଶ୍ ଏବଂ ଶ୍ରୀବାସ୍ତବ କହିଛନ୍ତି ଯେ ସଂଖ୍ୟା ଖୁବ୍ ବେଶି ନ’ହେଲେ ମଧ୍ୟ ଅଣୁ ପ୍ଲାଷ୍ଟିକ ଖଣ୍ଡଗୁଡ଼ିକର ଉପସ୍ଥିତି ଏକ ଖୁବ୍ ବଡ଼ ସମସ୍ୟା ସମ୍ପର୍କରେ ସୂଚାଇ ଦେଉଛି । ଉପକୂଳ ପ୍ରଦୂଷଣ ସମ୍ପର୍କରେ ନିଜର ଗବେଷଣା କେନ୍ଦ୍ରୀତ କରିଥିବା ସୁଶ୍ରୀ ସଥିଶ୍ ଏହା ପୂର୍ବରୁ ବଡ଼ ସିପ୍ (Donax Cuneatus), ମେସୋପେଲାଜିକ ମାଛ ଏବଂ ତାମିଲନାଡୁର ସମଗ୍ର ଉପକୂଳ ଅଞ୍ଚଳର ଅବକ୍ଷେପରେ ଅଣୁପ୍ଲାଷ୍ଟିକ ସମ୍ପର୍କରେ ଅନୁଧ୍ୟାନ କରି ଏହା ଉପସ୍ଥିତ ଥିବା ଜଣାଇଥିଲେ । “ଉପକୂଳର ପରିସଂସ୍ଥାନରେ ଅଣୁ ପ୍ଲାଷ୍ଟିକ ଏତେ ବ୍ୟାପକ ଭାବେ ଉପସ୍ଥିତ ଥିବା ବିଷୟରେ ଅବଗତ ହେବାପରେ ଆମେ ଜାଣିଲୁ ଯେ ଏହାପରେ ଆମକୁ ଲୁଣର ନମୂନା ପରୀକ୍ଷା କରିବାକୁ ପଡ଼ିବ” ବୋଲି ସେ କହିଛନ୍ତି ।

ସଥିଶ୍ ଏବଂ ତାଙ୍କ ଗବେଷକ ଦଳ ସେମାନଙ୍କର ଅଧ୍ୟୟନରେ ଏକଥା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଅଣୁପ୍ଲାଷ୍ଟିକଗୁଡ଼ିକ ଜଳବାୟୁ ସହ ସଂଶ୍ଲିଷ୍ଟ ତତ୍ତ୍ୱଗୁଡ଼ିକ ଦ୍ୱାରା ଆହୁରି ଅଧିକ କ୍ଷୟ ପାଇବା ଫଳରେ ସେମାନଙ୍କର ଧୃବୀୟତା (Polarity), ସଂରନ୍ଧ୍ରତା (Porosity) ଏବଂ ରୁକ୍ଷତା ବୃଦ୍ଧି ପାଇପାରେ ଏବଂ ସେଗୁଡ଼ିକ ସାମୁଦ୍ରିକ ପରିବେଶରେ ଅଣ ଜୈବିକ ପ୍ରଦୂଷକଗୁଡ଼ିକ ପାଇଁ ସାଧନ ସାବ୍ୟସ୍ତ ହୋଇପାରନ୍ତି । ବିଶ୍ଲେଷଣ କରାଯାଇ ଥିବା ଅଣୁପ୍ଲାଷ୍ଟିକରେ ସେମାନେ ଲୌହ, ନିକେଲ ଓ ଆର୍ସେନିକ ପରି ପ୍ରଦୂଷକଗୁଡ଼ିକ ଉପସ୍ଥିତ ଥିବା ଜାଣିପାରିଥିଲେ ।

କଳକାରଖାନା ଏବଂ ଘରୋଇ ବର୍ଜ୍ୟଜଳ, ପେଟ୍ରୋଲ ସମ୍ପର୍କିତ କାର୍ଯ୍ୟକଳାପ ଏବଂ ଟୁଟିକୋରିନ୍ ତାପଜ ବିଦୁ୍ୟତ କେନ୍ଦ୍ରରୁ ନିର୍ଗତ ଉଡ଼ନ୍ତା ପାଉଁଶ ଦ୍ୱାରା ହେଉଥିବା ପାରିବେଶିକ ପ୍ରଦୂଷଣର ରିପୋର୍ଟଗୁଡ଼ିକ ସହ ଅଣୁପ୍ଲାଷ୍ଟିକର ନମୁନା ପରୀକ୍ଷା ମେଳ ଖାଇଥିଲା ।

୨୦୨୧ ମସିହାରେ ଏ. ବିଦ୍ୟାସାକାର ଓ ତାଙ୍କ ଦଳଦ୍ୱାରା କରାଯାଇ ଥିବା ଅନ୍ୟ ଏକ ଅଧ୍ୟୟନରେ ଗୁଜୁରାଟ ଏବଂ ତାମିଲନାଡୁର ଉଭୟ ଗୋଟା ଲୁଣ ଏବଂ ଗୁଣ୍ଡଲୁଣର ନମୂନାଗୁଡ଼ିକର ବିଶ୍ଲେଷଣ କରାଯାଇଥିଲା । ଏଥିରେ ଗବେଷକମାନେ ଗୁଜୁରାଟ ଲୁଣରେ ପ୍ରତ୍ୟେକ ୨୦୦ ଗ୍ରାମ ପାଇଁ ୪୬ ରୁ ୧୧୫ ପର୍ଯ୍ୟନ୍ତ ପ୍ଲାଷ୍ଟିକ କଣିକା ପାଇଥିବା ବେଳେ ତାମିଲନାଡୁ ଲୁଣରେ ପ୍ରତ୍ୟେକ ୨୦୦ଗ୍ରାମ ଲୁଣରେ ୨୩ ରୁ ୧୦୧ଟି ପର୍ଯ୍ୟନ୍ତ ପ୍ଲାଷ୍ଟିକ କଣିକା ପାଇଥିଲେ । ସେମାନଙ୍କ ପୂର୍ବର ଗବେଷକମାନଙ୍କ ପରି ବିଦ୍ୟାସାକାରଙ୍କ ଗବେଷକ ଦଳ ଲୁଣରେ ପଲିଇଥାଇଲିନ୍ ଏବଂ ପଲିଷ୍ଟର ପରି ପ୍ଲାଷ୍ଟିକର ଅଂଶବିଶେଷ ପାଇବା ସଙ୍ଗେସଙ୍ଗେ ଅତିରିକ୍ତଭାବେ ପଲିଭିନାଇଲ କ୍ଲୋରାଇଡ୍ ମଧ୍ୟ ପାଇଥିଲେ ।

ମଣିଷମାନଙ୍କ ଉପରେ ଏହାର ପ୍ରଭାବ କ’ଣ?

ଯେହେତୁ ମଣିଷମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଣୁପ୍ଲାଷ୍ଟିକର ପ୍ରଭାବ ସଂପର୍କରେ ଭଲ ଭାବରେ ଜଣାନାହିଁ, ବର୍ତ୍ତମାନର ଅଧ୍ୟୟନଗୁଡ଼ିକରୁ କୌଣସି ପୂର୍ବାନୁମାନରେ ପହଞ୍ଚିବା ଅପରିପକ୍ୱ ହେବ । ଲୁଣର ନମୂନା ଗୁଡ଼ିକରେ ଅଣୁପ୍ଲାଷ୍ଟିକର ଘନତ୍ୱ ଭିନ୍ନ ଭିନ୍ନ ହୋଇଥିବାରୁ, ଗ୍ରୀନ୍ପିସ୍ ପୂର୍ବ ଏସିଆର ଅଧ୍ୟୟନ ମଧ୍ୟ ଏକଥା ଦର୍ଶାଇଛି ଯେ ଗୋଟିଏ ଅଞ୍ଚଳରେ ପ୍ଲାଷ୍ଟିକର ଉତ୍ସ୍ୱର୍ଜନ ସାମୁଦ୍ରିକ ପ୍ରାଣୀମାନଙ୍କ ମାଧ୍ୟମରେ ଲୋକଙ୍କ ଶରୀରରେ ପ୍ରବେଶ କରୁଥିବା ଅଣୁପ୍ଲାଷ୍ଟିକ ପରିମାଣକୁ ଦୃଢ଼ଭାବରେ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ ଗ୍ରୀନ୍ପିସ ଅଧ୍ୟୟନରେ ମଣିଷମାନେ ବାର୍ଷିକ ୨୦୦୦ କଣିକା ପର୍ଯ୍ୟନ୍ତ ଅଣୁପ୍ଲାଷ୍ଟିକ ଗିଳୁଛନ୍ତି ବୋଲି ଆକଳନ କରାଯାଇଥିବା ବେଳେ ସଥିଶ୍ ଏବଂ ତାଙ୍କ ଦଳର ଅଧ୍ୟୟନ ଏକଥା ଦର୍ଶାଇଛି ଯେ ଲୋକେ ସାମୁଦ୍ରିକ ଲୁଣ ମାଧ୍ୟମରେ ବାର୍ଷିକ ପ୍ରାୟ ୨୧୬ଖଣ୍ଡ ଅଣୁ ପ୍ଲାଷ୍ଟିକ ଭକ୍ଷଣ କରୁଥାଇ ପାରନ୍ତି ।

“ଆମେମାନେ ଏକଥା ମଧ୍ୟ ମନେ ରଖିବା ଉଚିତ୍ ଯେ ଆମ ଶରୀରରେ ପ୍ରବେଶ କରୁଥିବା ଅଣୁପ୍ଲାଷ୍ଟିକ ଯେଉଁସବୁ ମାଧ୍ୟମ ଦେଇ ପ୍ରବେଶ କରେ, ତା’ ମଧ୍ୟରୁ ସାମୁଦ୍ରିକ ଲୁଣ ହେଉଛି ଗୋଟିଏ ମାତ୍ର ମାଧ୍ୟମ” ବୋଲି ଶ୍ରୀବାସ୍ତବ କହିଛନ୍ତି । ସାମୁଦି୍ରକ ଖାଦ୍ୟରେ ଏହାର ଉପସ୍ଥିତି ବ୍ୟତୀତ, ଆମେମାନେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ପବନରେ, ଫଳରେ ଏବଂ ପନିପରିବାରେ ତଥା ଆମେ ପିଉଥିବା ପାଣିରେ ମଧ୍ୟ ଅଣୁପ୍ଲାଷ୍ଟିକର ଉପସ୍ଥିତି ରହିଛି ।

“ପ୍ରତ୍ୟକ୍ଷ ଲୁଣ ସେବନଦ୍ୱାରା ମଣିଷ ଶରୀରକୁ ଅଧିକ ପରିମାଣର ଅଣୁ ପ୍ଲାଷ୍ଟିକ ପ୍ରବେଶ କରି ନପାରେ, କିନ୍ତୁ ସମସ୍ତ ସମ୍ଭାବ୍ୟ ରାସ୍ତା ଦେଇ ଶରୀରକୁ ପ୍ରବେଶ କରୁଥିବା ଅଣୁପ୍ଲାଷ୍ଟିକକୁ ବିଚାର କରାଗଲେ ଜଣେ ମଣିଷର ଶରୀରରେ ଯଥେଷ୍ଟ ପରିମାଣରେ ଅଣୁପ୍ଲାଷ୍ଟିକ ମଧ୍ୟରେ ଗ୍ରହଣ କରୁଛି । ଆମ ଶରୀରକୁ ସମସ୍ତ ରାସ୍ତା ଦେଇ ପ୍ରବେଶ କରୁଥିବା ଅଣୁ ପ୍ଲାଷ୍ଟିକ ଏବଂ ଏହା ଫଳରେ ମୋଟ୍ କେତେ ପରିମାଣର ଅଣୁପ୍ଲାଷ୍ଟିକ ଶରୀର ଗ୍ରହଣ କରୁଛି ସେକଥା ବିଚାରକୁ ନ ନେଲେ, ଏହାର ପ୍ରଭାବ ଆକଳନ କରିବା କଷ୍ଟକର ହେବ” ବୋଲି ସେ କହିଛନ୍ତି ।

ଇତିମଧ୍ୟରେ ତାଙ୍କର ଗବେଷଣା ଏକଥା ଦର୍ଶାଇଛି ଯେ ସାମୁଦ୍ରିକ ଜଳକୁ ଫିଲଟର କରାଗଲେ ଏହି ସମସ୍ୟାର ପ୍ରତିକାର କରାଯାଇପାରିବ ଏବଂ ସମୁଦ୍ର ପାଣିରୁ ଲୁଣକୁ ଅଣୁପ୍ଲାଷ୍ଟିକର ସ୍ଥାନାନ୍ତରଣକୁ ହ୍ରାସ କରାଯାଇ ପାରିବ । ସଥୀଶ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ଦଳ ଖାଇବା ସାମୁଦ୍ରିକ ଲୁଣରୁ ଅଣୁପ୍ଲାଷ୍ଟିକ ଅଲଗା କରିବା ପାଇଁ ବା କମାଇବା ପାଇଁ ପ୍ରାକୃତିକ ଉପାୟମାନ ଖୋଜୁଛି ।

ଏନ୍ଭିରନମେଣ୍ଟ ସପୋର୍ଟ ଗ୍ରୁପ (ପରିବେଶ ସହଯୋଗ ଗୋଷ୍ଠୀ)ର ସଂଯୋଜକ ଲିଓ ଏଫ୍. ସାଲଡ଼ାନ୍ହା କହିଛନ୍ତି ଯେ ଅଣୁପ୍ଲାଷ୍ଟିକ ଏକ ସର୍ବବ୍ୟାପୀ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଖାଦ୍ୟ ପ୍ରଣାଳୀରେ ଏହାର ଉପସ୍ଥିତି ଏବଂ ଖାଦ୍ୟର ଦୂଷଣ ସମ୍ପର୍କରେ କୌଣସି ଆଇନ କାନୁନ୍ ନାହିଁ । ଶ୍ରୀବାସ୍ତବଙ୍କ ପରି ସାଲ୍ଡାନ୍ହା ମଧ୍ୟ ଅଧ୍ୟୟନର ନିର୍ଯ୍ୟାସ ଦେଖି ଆଦୌ ଆଶ୍ଚର୍ଯ୍ୟଚକିତ ହୋଇନଥିଲେ । “ଯେତେ ବ୍ୟାପକରୂପେ ପ୍ଲାଷ୍ଟିକ ବ୍ୟବହାର କରାଯାଉଛି ଏବଂ ଏହା ସହିତ ସଂପୃକ୍ତ ଆବର୍ଜନାର ଯେପରି କୁପରିଚାଳନା କରାଯାଉଛି, ଆମେ ଯେଉଁଠାରେ ଖୋଜିବା ସେଠାରେ ଅଣୁପ୍ଲାଷ୍ଟିକ ପାଇବା” ବୋଲି ସେ କହିଛନ୍ତି ।

ଯେପରି ବ୍ୟାପକ ରୂପେ ଆବର୍ଜନା ପୋଡ଼ାଯିବା ଏବଂ ଦାୟିତ୍ୱହୀନ ଭାବେ ଦେଶର ପ୍ରାୟ ସବୁଜାଗାରେ ପ୍ଲାଷ୍ଟିକ ଫିଙ୍ଗାଯାଉଛି; ଅଣୁପ୍ଲାଷ୍ଟିକର ସୃଷ୍ଟି କ୍ଷେତ୍ରରେ ତାହାର ଯଥେଷ୍ଟ ଅବଦାନ ରହିଛି ବୋଲି ସେ ବର୍ଣ୍ଣନା କରିଛନ୍ତି ।

Comments

0 comments

Share This Article