ବାଘ @ ୫୦

୨୦୩୦ ମସିହା ବେଳକୁ ଭାରତରେ ବାଘମାନଙ୍କର ସଂଖ୍ୟା ୫୦୦୦ ଛୁଇଁବ ବୋଲି ଆଶା କରାଯାଉଛି

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati463 Views
17 Min Read

ଏବେ ପ୍ରୋଜେକ୍ଟ ଟାଇଗର ଅର୍ଥାତ୍ ବାଘ ସଂରକ୍ଷଣ ପ୍ରକଳ୍ପକୁ ୫୦ବର୍ଷ ପୂରିଛି ଏବଂ ଯାବତୀୟ ଯାତନା ସତ୍ତ୍ୱେ ବାଘମାନଙ୍କର ସଂଖ୍ୟାବୃଦ୍ଧି ଘଟୁଛି ବୋଲି ଘୋଷଣା ହୋଇଛି! ଏହାର ପ୍ରେକ୍ଷାପଟରେ ଥିବା ପ୍ରୋଜେକ୍ଟ ଟାଇଗରର ଉଦ୍ଦେଶ୍ୟ ହେଲା ସମଗ୍ର ଜଙ୍ଗଲ ପରିସଂସ୍ଥାନର ସଂରକ୍ଷଣ । ଏହା ହେଉଛି ସହାବସ୍ଥାନର ଆଭିମୁଖ୍ୟ ଯେଉଁଥିରେ ସଂସ୍କୃତି, ଅର୍ଥନୀତି, ଜୀବିକା ଏବଂ ସଂରକ୍ଷଣକୁ ଏକତ୍ର ବିବେଚନା କରାଯାଏ ।

ବିଷମ ବାଘ ବଣ୍ଟନ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ବାଘଗଣନାର ଫଳାଫଳ ଘୋଷଣା କରିଛନ୍ତି । ଏହି ବାଘ ଗଣନା ପ୍ରତ୍ୟେକ ଚାରିବର୍ଷରେ ଥରେ ହୋଇଥାଏ । ୨୦୨୨ର ବାଘ ଗଣନା ଏଥର ଭଲ ଖବର ଆଣିଛି । କାରଣ ୨୦୧୮ ମସିହାର ଗଣନା ଅନୁଯାୟୀ ଦେଶର ବାଘ ସଂଖ୍ୟା ୨,୯୬୭ ଥିବାବେଳେ ସେମାନଙ୍କ ସଂଖ୍ୟା ୨୦୦ ବୃଦ୍ଧି ପାଇ ୨୦୨୨ ରେ ୩,୧୬୯ରେ ପହଞ୍ଚିଛି । ଏଥିପାଇଁ ଖୁସି ହେବାର ସ୍ୱତନ୍ତ୍ର ଅବସର ମଧ୍ୟ ରହିଛି – ଚଳିତବର୍ଷ ହେଉଛି ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ତମ ବାର୍ଷିକୀ । ବିଶ୍ୱରେ ଥିବା ସମସ୍ତ ବାଘଙ୍କର ୭୫% ଏବେ ଭାରତରେ ହିଁ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ କ୍ୟାଟସ୍ ଆଲାଏନ୍ସର ଆରମ୍ଭ କରି ଏକ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି । ଏହି ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟସ୍ ଆଲାଏନ୍ସ ହେଉଛି ବାଘ, କଲରାପତରିଆ ବାଘ, ଜାଗୁଆର, ସିଂହ, ତୁଷାର କଲରାପତରିଆ, ଚିତା ଓ ପୁ୍ୟମା ପରି ସାତଟି ପ୍ରଜାତିର ପଶୁମାନଙ୍କର ସଂରକ୍ଷଣ ପାଇଁ ଏକ ବହୁଦେଶୀୟ ଯୋଜନା ।

ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ବାଘସଂଖ୍ୟା ହ୍ରାସ ପାଇଛି । ଏହାର ଜୈବବିବିଧତା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ପଶ୍ଚିମଘାଟ ଅଞ୍ଚଳରେ ମଧ୍ୟ ବାଘସଂଖ୍ୟା ହ୍ରାସ ପାଇଛି ବୋଲି ବିବେଚନା କରାଯାଉଛି । ବାଘସଂଖ୍ୟା ବୃଦ୍ଧିର ଅଧିକାଂଶ ଶ୍ରେୟ ଶିୱାଲିକ ପର୍ବତମାଳା ଏବଂ ଗାଙ୍ଗେୟ ସମତଳ ଅଞ୍ଚଳକୁ ଯାଉଛି । ଏକ ବ୍ୟାପକ ସଂରକ୍ଷଣ ପ୍ରକଳ୍ପରେ ପ୍ରଜାତିଗୁଡ଼ିକର ସଂଖ୍ୟା ସଙ୍ଗେସଙ୍ଗେ ସେମାନଙ୍କର ପରିବ୍ୟାପ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୫୦ବର୍ଷ ତଳର ବାଘ ମାନଚିତ୍ର ଠାରୁ ଏବର ବାଘ ମାନଚିତ୍ର ଅନେକ ଭିନ୍ନ ।

ପୂର୍ବ, କେନ୍ଦ୍ର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ବାଘମାନଙ୍କ ପ୍ରତି ବିପଦ ରହିଥିବାବେଳେ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ମଧ୍ୟ ସେମାନଙ୍କ ସଂଖ୍ୟାକୁ ନେଇ ଚିନ୍ତାପ୍ରକଟ କରାଯାଉଛି । ଆଗାମୀ ବର୍ଷମାନଙ୍କରେ ବାଘ ସଂଖ୍ୟାର ବିସମ ବଣ୍ଟନ ସମସ୍ୟାର ନିରାକରଣ ଫଳପ୍ରଦ ଭାବେ କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ଅଞ୍ଚଳରେ ପ୍ରଜାତିଗୁଡ଼ିକ ଠୁଳ ହୋଇ ରହିଲେ ତାହା ଗୁଣସୂତ୍ର ସାଦୃଶ୍ୟତା ସୃଷ୍ଟି କରେ ଏବଂ ଏହା ଫଳରେ ନିର୍ଦ୍ଦିଷ୍ଟ ପ୍ରଜାତିଗୁଡ଼ିକୁ ସଂକ୍ରମଣ ବ୍ୟାପିବାର ବିପଦ ପ୍ରବଣତାର ସମ୍ମୁଖୀନ ହେବାକୁ ପଡ଼େ । ଏବେ ଜଙ୍ଗଲ ଜଙ୍ଗଲ ମଧ୍ୟରେ ବାଘ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀମାନଙ୍କର ଯାତାୟାତ ଖୁବ୍ କମ୍ ହେଉଛି, କାରଣ ଜବରଦଖଲ ଏବଂ ଅନ୍ୟାନ୍ୟ କାରଣଗୁଡ଼ିକ ଯୋଗୁଁ ଜଙ୍ଗଲ କ୍ଷୟପାଉଛି । ଜଙ୍ଗଲର ଗୁଣାତ୍ମକ ମାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଶିକାର ଆଧାର ସଂକୁଚିତ ହୋଇଯିବା ଫଳରେ ଗୁଣସୂତ୍ର ଦୃଷ୍ଟିରୁ ଅନନ୍ୟ ଓଡ଼ିଶାର ଶିମିଳିପାଳ ବାଘ ପ୍ରତି ବିପଦ ସୃଷ୍ଟି ହୋଇଛି । କେବଳ ଗୋଟିଏ ଭଲସ୍ୱାସ୍ଥ୍ୟରେ ଥିବା ଅକୃତ୍ରିମ ଜଙ୍ଗଲ ପରିସଂସ୍ଥାନ ଯାହାର ବନ୍ୟପ୍ରାଣୀ ତଥା ଗଛବୃଚ୍ଛ ସନ୍ତୁଳିତ, ସଂରକ୍ଷଣର ଆବଶ୍ୟକତାକୁ ସବୁଠାରୁ ଭଲଭାବରେ ତୁଲାଇ ପାରିବ ।

ବାଘ ସଂରକ୍ଷଣ ପ୍ରତି ଆବାସସ୍ଥଳୀର ଜବରଦଖଲ, ପଶୁ ଶିକାର, ମଣିଷମାନଙ୍କ ସହ ବିବାଦ, ଖଣି ଓ ଶିଳ୍ପ କାର୍ଯ୍ୟକଳାପ, ଶିକାର ଆଧାର କ୍ଷୟ ପାଇବା ଏବଂ ଜଳବାୟୁ ପରିବର୍ତ୍ତନ ଇତ୍ୟାଦିର ବିପଦମାନ ରହିଛି । ପ୍ରତ୍ୟେକ ବାଘ ସଂରକ୍ଷଣ ପ୍ରକଳ୍ପ ଏହି ବିପଦଗୁଡ଼ିକ ମଧ୍ୟରୁ କେତେକ ବା ସମସ୍ତର ସମ୍ମୁଖୀନ ହୋଇପାରନ୍ତି । ତେଣୁ, ପ୍ରତ୍ୟେକ ବାଘ ପ୍ରକଳ୍ପ ସକାଶେ ସଂରକ୍ଷଣ ରଣକୌଶଳ ଭିନ୍ନ ଭିନ୍ନ ହେବା ଆବଶ୍ୟକ । ୨୦୩୦ ମସିହା ବେଳକୁ ଭାରତରେ ବାଘମାନଙ୍କର ସଂଖ୍ୟା ୫୦୦୦ ଛୁଇଁବ ବୋଲି ଆଶା କରାଯାଉଛି । ତେଣୁ ମଣିଷ-ବାଘ ବିବାଦ ସୃଷ୍ଟି ନକରି ବାଘ ପ୍ରକଳ୍ପଗୁଡ଼ିକ ସେମାନଙ୍କୁ ଆବାସସ୍ଥଳୀ ଯୋଗାଇ ପାରିବା ଉଚିତ । ସଂରକ୍ଷଣର ·ହିଦା ଏବଂ ବନବାସୀମାନଙ୍କର ଜୀବିକା ତଥା ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବାଘ ସଂରକ୍ଷଣର ଉଦ୍ୟମ ସକାଶେ ବନବାସୀମାନଙ୍କର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବାଘମାନଙ୍କ ପାଇଁ ଅଧିକ ଦୃଢ଼ ପଦକ୍ଷେପ ଲୋଡ଼ା

୧୯୭୩ ମସିହାରେ ଯେତେବେଳେ ବାଘ ପ୍ରକଳ୍ପ ଘୋଷଣା କରାଗଲା ସେତେବେଳେ ଭାରତରେ ବାଘ ପ୍ରାୟତଃ ବିଲୁପ୍ତ ହେବାକୁ ବସିଥିଲା । ସମ୍ପ୍ରତି ଭାରତରେ ବାଘଙ୍କର ସଂଖ୍ୟା ୩୦୦୦, ଯାହାକି ସମଗ୍ର ବିଶ୍ୱରେ ଜଙ୍ଗଲରେ ଥିବା ବାଘସଂଖ୍ୟାର ପ୍ରାୟ ୭୦% । ଏବେ ଯାହା ସୂଚନା ମିଳୁଛି ଭାରତରେ ବାଘମାନଙ୍କର ସଂଖ୍ୟା କ୍ରମାଗତଭାବେ ବଢ଼ିବ । ଏହି କାର୍ଯ୍ୟକ୍ରମର ସଫଳତାକୁ ଏପରି ମପାଯାଇ ପାରିବ ଯେ ବିଗତ ୧୨ବର୍ଷ ମଧ୍ୟରେ ଭାରତରେ ବାଘମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବାଘ ସଂରକ୍ଷଣ ପାଇଁ ସେଣ୍ଟ ପିଟର୍ସବର୍ଗ ରାଜିନାମାରେ ଘୋଷଣା କରାଯାଇଥିବା ସମୟସୀମା ୨୦୨୨ର ଚାରିବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଭାରତ ହାସଲ କରିସାରିଛି । ବାଘ ଥିବା ୧୮ଟି ରାଜ୍ୟରେ ବାଘ ଅଭୟାରଣ୍ୟ ସଂଖ୍ୟା ୯ରୁ ୫୪କୁ ବୃଦ୍ଧି ପାଇଛି । ଏହି ପ୍ରକଳ୍ପ ଆରମ୍ଭ ହେବାବେଳକୁ ୯ଟି ରାଜ୍ୟରେ ୧୮,୨୭୮ବର୍ଗ କିଲୋମିଟର ବ୍ୟାଘ ସଂରକ୍ଷିତ ଅଞ୍ଚଳ ଥିବାବେଳେ ସଂପ୍ରତି ଏହି ସଂରକ୍ଷିତ ଅଞ୍ଚଳ ୭୫,୦୦୦ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି । ଏହା ଭାରତର ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ଏବଂ ଏହାର ଜାତୀୟ ଐତିହ୍ୟକୁ ସାଇତି ରଖିବା ପାଇଁ ପ୍ରତିଜ୍ଞାକୁ ଦର୍ଶାଉଛି ।

କିନ୍ତୁ, ବାଘ ସଂରକ୍ଷଣର ଏହି ଯାତ୍ରା ଆଦୌ ନିର୍ବିଘ୍ନ ନଥିଲା ଏବଂ କେତେକ ସମସ୍ୟା, ବିଶେଷକରି ଶିକାର ଯୋଗୁଁ ପାନ୍ନା, ସାରିସ୍କା, ବାଲ୍ମିକୀ, ଏବଂ ନାଗାର୍ଜ୍ଜୁନ ସାଗର (ଇତି ମଧ୍ୟରେ ବ୍ୟାଘ୍ର ଜନସଂଖ୍ୟାର ପୁନର୍ବାହଲ ହୋଇସାରିଲାଣି । ବାଘମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ତଥା ଅନ୍ୟାନ୍ୟ ଅନୁକୂଳ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି । ତେବେ ମିଜୋରାମର ଡାମ୍ପା, ପଶ୍ଚିମବଙ୍ଗର ବକ୍ସା ଏବଂ ବିହାରର ପାଲାମୁ ଏବେ ମଧ୍ୟ ବାଘ ସଂଖ୍ୟା ପୁନର୍ବାହାଲ ଆହ୍ୱାନର ମୁକାବିଲା କରୁଛନ୍ତି) ବାଘମାନେ ବିଲୁପ୍ତ ହୋଇଯିବା ପରି ସ୍ଥିତି ଉପୁଜିଥିଲା ଏବଂ ଏବେ ମଧ୍ୟ ବାଘ ସଂରକ୍ଷଣକୁ ପ୍ରତିହତ କରୁଛନ୍ତି । ଜଙ୍ଗଲ ଅଧିକାର ଆଇନ, ୨୦୦୬ ହେଉଛି ବିବାଦର ଆଉ ଏକ କାରଣ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସହ ଚିରକାଳରୁ ଲାଗିରହିଥିବା ଆବାସସ୍ଥଳୀ ଅଧିକାର ବିବାଦ ଯୋଗୁଁ ୧୦୦୦ରୁ ଅଧିକା ଘଟଣା ଘଟିଛି ଯେଉଁ କ୍ଷେତ୍ରରେ ବାଘ ବା ମଣିଷମାନେ ଆହତ ଅଥବା ମୃତ ହୋଇଛନ୍ତି ।

ବାଘ ସଂରକ୍ଷଣ ଅଞ୍ଚଳ ବାହାରେ ବାଘର ସୁରକ୍ଷା ହେଉଛି ଆଉ ଏକ ବଡ଼ ଆହ୍ୱାନ । କାରଣ ଭାରତର ମୋଟ ବାଘମାନଙ୍କ ମଧ୍ୟରୁ ୨୯% ବାଘ ସଂରକ୍ଷିତ ଅଞ୍ଚଳ ବାହାରେ ଅଛନ୍ତି । ପ୍ରସ୍ତାବିତ ଭୂ-ଦୃଶ୍ୟ (landscape) ଏବଂ ବନ୍ୟପ୍ରାଣୀଙ୍କ ଅଳିନ୍ଦ (corridor)ପରିଚାଳନା ଆଭିମୁଖ୍ୟ ଉପରୋକ୍ତ ସମସ୍ୟାଗୁଡ଼ିକର ନିରାକରଣ ପାଇଁ ଦୀର୍ଘକାଳୀନ ଭିତ୍ତିରେ ସହାୟକ ହେବ । ବାଘମାନଙ୍କର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବାରୁ ବନ୍ୟପ୍ରାଣୀ ପରି·ଳକମାନେ ମଧ୍ୟ ସଂରକ୍ଷଣ କ୍ଷେତ୍ରରେ କ୍ରମାଗତଭାବେ ଅଧିକରୁ ଅଧିକ ଆହ୍ୱାନର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏକ ବିଧିସମ୍ମତ ବହୁପକ୍ଷଧାରୀଙ୍କ ବିଚାର ବିମର୍ଶ ମାଧ୍ୟମରେ ଯୋଜନା ପ୍ରସ୍ତୁତିର ରଣକୌଶଳ ନିର୍ଦ୍ଧାରଣ କରାଯିବା ସମସ୍ୟାଗୁଡ଼ିକର ନିରାକରଣରେ ଯଥେଷ୍ଟ ସହାୟକ ହେବ । ବାଘ ବିଚରଣ କରୁଥିବା ଅଞ୍ଚଳରେ ତଥା ଏହି ଅଞ୍ଚଳର ଆଖପାଖରେ ଅନିୟବିତ ପର୍ଯ୍ୟଟନ ହେଉଛି ଆଉ ଏକ ମୁଖ୍ୟ ସମସ୍ୟା ଯାହାକୁ ଫଳପ୍ରଦ ଭାବେ ନିୟମିତ କରାଯିବା ଆବଶ୍ୟକ ।

ଦୀର୍ଘସ୍ଥାୟୀ ଭାବରେ ବାଘ ପରିଚାଳନା ସକାଶେ ଏକ ପରିବେଶ, ସାମାଜିକ ଏବଂ ଶାସକୀୟ ଆଭିମୁଖ୍ୟ ଆପଣେଇବା ଉଚିତ୍ ହେବ । ପାରିବେଶିକ ଦିଗ ସମ୍ପର୍କରେ କହିବାକୁ ଗଲେ ଅଧିକାଂଶ ବାଘ ସଂରକ୍ଷଣ ଅଞ୍ଚଳରେ ଜୈବବିବିଧତା ସୂଚକାଙ୍କ ବୃଦ୍ଧି ପାଇଥିଲେ ମଧ୍ୟ କେତେକ ଅନ୍ତର୍ନିହିତ ପରିସଂସ୍ଥାନୀୟ ସମସ୍ୟାଗୁଡ଼ିକ ସକାଶେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । ଉଦାହରଣସ୍ୱରୂପ ଆକ୍ରାମକ ଭାବେ ବିସ୍ତାରିତ ହେଉଥିବା ବିଦେଶୀ ପ୍ରଜାତି (ଯେପରି କି ପୁଟୁସ୍ ବା ଲାଣ୍ଟାନା ଓ ପାର୍ଥେନିୟମ (ଗାଜରଘାସ) ଏବଂ ଶାଗୁଆନ, ଇଉକାଲିପଟାସ ଓ ଆକାଶିଆ ପରି ଏକପ୍ରଜାତିର ବୃକ୍ଷରୋପଣ) ଇତ୍ୟାଦିକୁ ସଫା କରି ଅତ୍ୟନ୍ତ ଆବଶ୍ୟକ ଘାସ, ବାଉଁଶ ଏବଂ ଅନ୍ୟାନ୍ୟ ଗୋଖାଦ୍ୟ ଗଛଗୁଡ଼ିକ ପାଇଁ ସ୍ଥାନ ସୃଷ୍ଟିକରିବା ଏବଂ ଜଙ୍ଗଲରେ ଅଗ୍ନିଭୟକୁ ହ୍ରାସ କରିବା ହେଉଛି ଏପରି ଯୋଜନାର ଉଦାହରଣ ଯାହା ବାଘ ସଂରକ୍ଷଣ ଅଞ୍ଚଳ ପ୍ରତି ଦୁଇଟି ପ୍ରମୁଖ ବିପଦ ।

ଅଧିକନ୍ତୁ, ଏକକ ପ୍ରଜାତିର ବୃକ୍ଷରୋପଣ ମଧ୍ୟ ମଣିଷ-ବନ୍ୟପ୍ରାଣୀ ବିବାଦକୁ ଯଥେଷ୍ଟ ଖୋରାକ ଯୋଗାଇଥାଏ କାରଣ ଏପରି ବୃକ୍ଷରୋପଣ ଯୋଗୁଁ ବାଧ୍ୟ ହୋଇ ପଶୁମାନଙ୍କୁ ଖାଦ୍ୟ ଓ ଆଶ୍ରୟର ସନ୍ଧାନରେ ବାହାରକୁ ଯିବାକୁ ପଡ଼ିଥାଏ । ଆନୁମାନିକ ଆକଳନରୁ ଜଣାପଡ଼ିଛି ଯେ, ବାଘ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ ଅଞ୍ଚଳଗୁଡ଼ିକର ପ୍ରାୟ ୩୦% ଏହିପରି ଏକକ ପ୍ରଜାତିର ବୃକ୍ଷରୋପଣ ଦ୍ୱାରା ଆଚ୍ଛାଦିତ ହୋଇଛି ।

ବାଘ ପରିଚାଳନାର ସାମାଜିକ ଦିଗଟି ହେଲା ବାଘ ବନାମ ଆଦିବାସୀଙ୍କ ବିବାଦ । ଯେଉଁମାନେ ସଂରକ୍ଷିତ ଅଞ୍ଚଳରେ କେବଳ ବ୍ୟାଘମାନେ ରହିବେ ବୋଲି ଦାବୀ କରୁଛନ୍ତି, ସେମାନଙ୍କୁ ସେମାନଙ୍କର ଅତ୍ୟଧିକ ଉତ୍ସାହ ପାଇଁ କ୍ଷମା କରିଦିଆଯିବା ଉଚିତ୍ । ତେବେ, ନୀତି ନିର୍ଦ୍ଧାରକମାନେ ସହାବସ୍ଥାନ ଆଭିମୁଖ୍ୟର ଗୁରୁତ୍ୱ ହୃଦୟଙ୍ଗମ କରିସାରିଲେଣି ଯେଉଁଥିରେ ସଂସ୍କୃତି, ଅର୍ଥନୀତି, ଜୀବିକା ଏବଂ ସଂରକ୍ଷଣ ପରସ୍ପର ବ୍ୟତିରେକ ନୁହେଁ, ପରସ୍ପର ପରିପୂରକ ରୂପେ ପରିଚାଳିତ ହେବା ଉଚିତ । ସଂରକ୍ଷଣର ବହୁ ସଫଳ କାହାଣୀରେ ଏହା ପ୍ରମାଣିତ ହୋଇସାରିଛି, ଯେପରିକି ଅରୁଣାଚଳର ଆଦିବାସୀମାନେ ବାଘକୁ ସେମାନଙ୍କର ବଡ଼ଭାଇ ବୋଲି ବିବେଚନା କରନ୍ତି । ସେହିପରି ସୁନ୍ଦରବନରେ ବାଘକୁ ଭୟ କରାଯାଏ କିନ୍ତୁ ତାହା ସଙ୍ଗେ ସଙ୍ଗେ ସମ୍ମାନ ମଧ୍ୟ କରାଯାଏ ।

ଖୁସିର କଥା ଯେ ଇକୋ-ଟୁରିଜିମ୍ ବାଘ ସଂରକ୍ଷଣରେ ସ୍ଥାନୀୟ ଅଧିବାସୀ ଓ ଆଦିବାସୀମାନଙ୍କର ସ୍ୱାର୍ଥ ଓ ଲାଭକୁ ଯୋଡ଼ିଛି । କିନ୍ତୁ ଏହା ସମ୍ପୂର୍ଣ୍ଣରୂପେ ଗୋଷ୍ଠୀ ଆଧାରିତ ହେବା ଉଚିତ୍ ଏବଂ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ଦୃଢ଼ଭାବେ ନିୟମିତ କରାଯିବା ଆବଶ୍ୟକ । ଇକୋ-ଟୁରିଜିମ୍ର ଶାସକୀୟ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିବା ଆବଶ୍ୟକ । ବହୁ ସମୟରେ ଆଗଧାଡ଼ିରେ କାମ କରୁଥିବା କର୍ମଚାରୀମାନଙ୍କୁ ଦରମା ଦିଆଯିବାରେ ବିଳମ୍ବ ହୁଏ, ଯାହାକି ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ ଏବଂ ସେମାନଙ୍କର କାର୍ଯ୍ୟକରିବାର ଉତ୍ସାହ ମଧ୍ୟ ରହେନାହିଁ । ଏହା ବ୍ୟତୀତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ, ଅସ୍ତ୍ରଶସ୍ତ୍ରର ବ୍ୟବହାର ତଥା ଯୋଗାଣ, ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିଗତ ଉପକରଣ, ସନ୍ଦେହଘେରରେ ଥିବା ବାଘ ମୃତ୍ୟୁ ଗୁଡ଼ିକର ଉପଯୁକ୍ତ ଅନୁସନ୍ଧାନ କରିବା କ୍ଷେତ୍ରରେ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଏପରି ଭାବରେ ଶାସକୀୟକ୍ଷେତ୍ରରେ କେତେକ ହସ୍ତକ୍ଷେପ କରାଯିବା ଏକାନ୍ତ ଜରୁରୀ ।

ବିଶ୍ୱର ବାଘ ସଂରକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ଭାରତ ଏକ ସକ୍ରିୟ ଅଂଶଗ୍ରହଣକାରୀ । ଏହି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଟାଇଗର ଇନିସିଏଟିଭ୍ (ବୈଶ୍ୱିକ ବାଘ ଉଦ୍ୟମ) ଏବଂ ଗ୍ଲୋବାଲ ଟାଇଗର ଫୋରମ୍ର କାର୍ଯ୍ୟକ୍ରମମାନ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମଗୁଡ଼ିକ ବାଘ ସଂରକ୍ଷଣ ପାଇଁ ଆଖିଦୃଶିଆ ଆର୍ଥିକ ସହଯୋଗ କରିଥାଆନ୍ତି । ଏହି ସହଯୋଗ ୫୦୦ ଲକ୍ଷ ଡଲାର ପାଖାପାଖି । ବାଘ ସଂରକ୍ଷଣ ଉଦ୍ୟମଗୁଡ଼ିକ ମଧ୍ୟରେ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ମଧ୍ୟ ଅନ୍ତର୍ଭୁକ୍ତ । ଏହି ଆନ୍ତର୍ଜାତିକ ସହଯୋଗକୁ ଆହୁରି ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି ।

ଭାରତୀୟ ଜଙ୍ଗଲରେ ବାଘର ବଂଶବୃଦ୍ଧି ନିଶ୍ଚିତ ଏକ ଶୁଭସଙ୍କେତ, କିନ୍ତୁ ଏହି ବଂଶବୃଦ୍ଧି ସହିତ ତାଳଦେଇ ବାଘ ପ୍ରଜାତିର ପ୍ରାଣୀମାନଙ୍କ ପାଇଁ ସେମାନଙ୍କର ଆବାସସ୍ଥଳୀ ସଂକୁଚିତ ହୋଇଯାଉଛି । ଏହା ଅତ୍ୟନ୍ତ ଚିନ୍ତାର ପ୍ରସଙ୍ଗ ଅଟେ ଏବଂ ଏଥିପାଇଁ କାର୍ଯ୍ୟକ୍ରମ ନିଷ୍ଠାର ସହ ପରିଚାଳାନା ହେବା ଏକାନ୍ତ ଜରୁରୀ । ଅନ୍ୟପଟରେ ସଂରକ୍ଷିତ ବାଘ ପ୍ରକଳ୍ପ ଅଞ୍ଚଳରେ ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହୋଇଯାଉଛି ବୋଲି କର୍ଣ୍ଣାଟକ ଭଳି ଏକାଧିକ ରାଜ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର କାମ୍ପା ଅର୍ଥକୁ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ଚିତା ଏବଂ ସିଂହ ସଂରକ୍ଷଣରେ ଖର୍ଚ୍ଚ କରୁଥିବାବେଳେ ଅନେକ ରାଜ୍ୟ ନିଜର ଏହି ପ୍ରାପ୍ୟ ପାଉନଥିବାରୁ ସେମାନେ ଏହାକୁ ନେଇ ଅଭିଯୋଗ ଆରୋପ କରୁଛନ୍ତି । ଏଭଳି ପରିସ୍ଥିତିରେ ବାଘର ଭବିଷ୍ୟତ ଦୋଛକିରେ ଛିଡ଼ା ହୋଇଛି । ଭାରତର ସମସ୍ତ ସଂରକ୍ଷିତ ବାଘ ଜଙ୍ଗଲରେ ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷ କ୍ରମାଗତ ବୃଦ୍ଧି ପାଉଛି । ସଂକୁଚିତ ବନ୍ୟପ୍ରାଣୀ ଆବାସସ୍ଥଳୀ ଓ ଜଙ୍ଗଲ ସଂଯୋଗ ସୀମାରେଖା ହ୍ରାସ ସାଙ୍ଗକୁ ଜଙ୍ଗଲର ଘଞ୍ଚତ୍ୱ କମିଯିବା କାରଣରୁ ବନ୍ୟ ଜୀବଙ୍କ ପାଇଁ ଆବଶ୍ୟକୀୟ ଶିକାର ଓ ପାଣି ଜଙ୍ଗଲରେ ମିଳୁପାରୁ ନାହିଁ । ଏଥିପାଇଁ ବନ୍ୟପ୍ରାଣୀ ମଣିଷ ସମାଜମୁହାଁ ହୋଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଘର ବଂଶବୃଦ୍ଧି ଖୁସି ଏକ ପ୍ରଶ୍ନ ସୃଷ୍ଟି କରୁଛି ।

ଅଗ୍ରଣୀ ଯୋଜନାର ୫୦ବର୍ଷ

୨୦୨୩ ମସିହା ପ୍ରୋଜେକ୍ଟ ଟାଇଗର (ବାଘ ପ୍ରକଳ୍ପ) ଆରମ୍ଭ ହେବାର ୫୦ତମ ବାର୍ଷିକୀ ପାଳନ କରିବ । ଦେଶର ଅଗ୍ରଣୀ ବନ୍ୟପ୍ରାଣୀମାନଙ୍କର ସୁରକ୍ଷାପାଇଁ ଭାରତର ଏହି ଅଗ୍ରଣୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ୫୦ବର୍ଷ ମଧ୍ୟରେ ପୋଲତଳେ ଅନେକ ପାଣି ବୋହିଯାଇଛି, ଏହା ସଙ୍ଗେସଙ୍ଗେ ସଭିଏଁ ଗୋଟିଏ ରିପୋର୍ଟ ସମ୍ପର୍କରେ ପ୍ରାୟତଃ ଭୁଲି ଯାଇଛନ୍ତି । ୨୦୦୫ ମସିହାରେ ସଂରକ୍ଷଣବିତ୍ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲା । ସାରିସ୍କା ବାଘ ଅଭୟାରଣ୍ୟରେ କ’ଣ ଭୁଲ ହୋଇଗଲା ଯେ ଏହାର ସମସ୍ତ ବାଘ ଲୋପ ପାଇଗଲେ ଏବଂ ଅନ୍ୟାନ୍ୟ ବାଘ ଅଭୟାରଣ୍ୟଗୁଡ଼ିକରେ ବାଘମାନଙ୍କର ସଂଖ୍ୟା କମି କମି ଯାଉଛି କାହିଁକି ସେ ସମ୍ପର୍କରେ ଏହି ରିପୋର୍ଟରେ ସମୀକ୍ଷା କରାଯାଇଥିଲା । ‘ବିନ୍ଦୁଗୁଡ଼ିକୁ ଯୋଡ଼ିବା’ ଶୀର୍ଷକ ଏହି ରିପୋର୍ଟରେ ବାଘ ସଂରକ୍ଷଣ ପାଇଁ ଏକ କାର୍ଯ୍ୟ ଯୋଜନା ଉପସ୍ଥାପନା କରାଯାଇଥିଲା । ମାତ୍ର ପରସ୍ପର ସହ ଘନିଷ୍ଠ ସମ୍ପର୍କ ଥିବା ‘ବାଘ’ ସଂରକ୍ଷଣବାଦୀମାନଙ୍କର ଗୋଷ୍ଠୀ ଏହି ରିପୋର୍ଟକୁ ଭଲଭାବରେ ଗ୍ରହଣ କରିନଥିଲା, କାରଣ ସେମାନଙ୍କର ଅଭିଯୋଗ ଥିଲା ଯେ ସଂରକ୍ଷଣବାଦୀ ହେବା ବଦଳରେ ଏହି ରିପୋର୍ଟ ମୁଖ୍ୟତଃ ମଣିଷକେନ୍ଦ୍ରିକ ଥିଲା ।

ଏହି ରିପୋର୍ଟର ଅନୁମୋଦନ ଅନୁଯାୟୀ ଅନୁଗାମୀ କାର୍ଯ୍ୟ ହିସାବରେ ଅନେକ କାର୍ଯ୍ୟ କରାଯାଇଛି । ପୂର୍ବେ ବାଘମାନଙ୍କର ପାହୁଣ୍ଡ ଚିହ୍ନ ଅନୁଯାୟୀ ବାଘ ଗଣନା କରାଯାଉଥିଲା । ସେଥିରେ ପରିବର୍ତ୍ତନ କରାଯାଇ ସ୍ୱୟଂକ୍ରିୟ କ୍ୟାମେରା ଲଗାଯାଇ ବିଜ୍ଞାନସମ୍ମତ ଉପାୟରେ ବାଘମାନଙ୍କର ଆକଳନ କରାଯାଉଛି । ବ୍ୟାଘ୍ର ପ୍ରାଧିକରଣ ଏବଂ ବନ୍ୟପ୍ରାଣୀ ଅପରାଧ ବ୍ୟୁରୋ ସ୍ଥାପନ କରାଯାଇଛି । ଏବଂ ଏହି ସଂସ୍ଥାଗୁଡ଼ିକ ସକାଶେ ଯଥେଷ୍ଟ ବଜେଟ୍ ବ୍ୟବସ୍ଥା କରାଯାଇଛି । ବାଘଙ୍କର ପରିଚାଳନା ଓ ସୁରକ୍ଷାପାଇଁ ନୂଆ ପ୍ରୋଟକଲ ପ୍ରସ୍ତୁତ କରାଯାଇଛି । ଏହା ସଙ୍ଗେସଙ୍ଗେ ବାଘ ସଂରକ୍ଷଣ ପାଇଁ ଗାଁଗୁଡ଼ିକୁ ଉଠାଇ ପୁଣି ଥରେ ଅନ୍ୟତ୍ର ବସାଇବା ପାଇଁ ମଧ୍ୟ ଅଧିକ ଅର୍ଥ ବ୍ୟୟ କରାଯାଉଛି ।

ଏହିସବୁ ପଦକ୍ଷେପଯୋଗୁଁ ସୁଫଳ ମିଳିଛି । ପ୍ରଥମତଃ ବାଘ ସଂଖ୍ୟା ହ୍ରାସପାଇବା ବଦଳରେ ପ୍ରଥମେ ସ୍ଥିରହେଲା ଏବଂ ଏବେ ଦେଶରେ ବାଘ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ଏହାସତ୍ତ୍ୱେ ବାଘ ପ୍ରକଳ୍ପ ଆରମ୍ଭ ହେବାର ୫୦ତମ ବର୍ଷରେ ଆମେମାନେ ଏକଥା ସ୍ୱୀକାର କରିବା କଥା ଯେ କରାଯିବାକୁ ଥିବା କାର୍ଯ୍ୟ ମଧ୍ୟରୁ ଅନେକଗୁଡ଼ିଏ କାର୍ଯ୍ୟକୁ ରୂପାୟିତ କରାଯିବାର ଆବଶ୍ୟକତା ରହିଛି । ଭାରତ ଏବେ ଦୁଇଟି ସ୍ତରରେ ଆହ୍ୱାନର ସମ୍ମୁଖୀନ ହେଉଛି, ପ୍ରଥମ ଜଙ୍ଗଲରେ ବାଘମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଦ୍ୱିତୀୟ, ନିର୍ଦ୍ଧାରିତ ସଂରକ୍ଷିତ ଅଞ୍ଚଳଗୁଡ଼ିକର ସହନୀୟ ସୀମା ବାହାରେ ବାଘମାନଙ୍କର ସଂଖ୍ୟା ବଢ଼ାଇବା ଏହିପାଇଁ ସହାବସ୍ଥାନର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବା ଯେଉଁଥିରେ ସ୍ଥାନୀୟ ଗୋଷ୍ଠୀମାନଙ୍କର ସହଯୋଗରେ ହିଁ ସଂରକ୍ଷଣ କାର୍ଯ୍ୟକୁ ଆଗକୁ ବଢ଼ାଯିବ । ଏହା ହିଁ ହେଉଛି ବାଘ ସଂରକ୍ଷଣର ଭବିଷ୍ୟତ ।

ଆମମାନଙ୍କ ନିକଟରେ ଖୁସି ହେବାର କାରଣ ରହିଛି । ୨୦୦୬ ମସିହାରେ କରାଯାଇଥିବା ସର୍ବଭାରତୀୟ ବାଘ, ଏହାସହ ଶିକାର କରୁଥିବା ଶିକାରୀ ଏବଂ ଶିକାରର ଆକଳନରୁ ଜଣାପଡ଼ିଥିଲା ଯେ ଦେଶରେ ମୋଟ ୧୪୧୧ ବାଘ ଅଛନ୍ତି । ୨୦୧୦ ମସିହାରେ ବାଘମାନଙ୍କର ସଂଖ୍ୟା ୧୭୦୪ ହେଲା ଏବଂ ୨୦୧୪ ମସିହାରେ ଏହା ୨୨୨୬ ହେଲା । ୨୦୧୮ ମସିହାରେ ସଂଘଟିତ ଚତୁର୍ଥ ପର୍ଯ୍ୟାୟର ଆକଳନରେ ଦେଶରେ ବାଘ ସଂଖ୍ୟା ୨୯୬୭ ହୋଇଥିବା ଜଣାପଡ଼ିଲା । ତେବେ, ୨୦୦୬ ମସିହାରେ ବାଘମାନେ ପ୍ରାୟ ୯୩,୦୦୦ବର୍ଗ କିଲୋମିଟର ଅଞ୍ଚଳରେ ବିଚରଣ କରୁଥିଲେ । କିନ୍ତୁ ୨୦୧୮ବେଳକୁ ବାଘମାନେ ବିଚରଣ କରୁଥିବା ଅଞ୍ଚଳର ଆକାର ୮୯,୦୦୦ବର୍ଗ କିଲୋମିଟରକୁ କମିଆସିଲା । ଏହାର ଅର୍ଥ ହେଉଛି ଯେ ଏବେ ଫଳପ୍ରଦ ବାଘ ଅଭୟାରଣ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ବାଘମାନଙ୍କୁ ଚିଡ଼ିଆଖାନାରେ ରଖିବାର ଘଟଣାମାନ ଘଟୁଛି । ଆହୁରି ମଧ୍ୟ ୨୦୧୮ର ଆକଳନରୁ ଜଣାପଡ଼ିଥିଲା ଯେ ବାଘମାନଙ୍କ ମଧ୍ୟରୁ ୬୫% ବା ୧୯୨୩ଟି ବାଘ ଅଭୟାରଣ୍ୟଗୁଡ଼ିକର ସୀମା ମଧ୍ୟରେ ମିଳୁଥିବାବେଳେ, ଅବଶିଷ୍ଟ ବାଘଗୁଡ଼ିକ ଅଭୟାରଣ୍ୟ ସୀମାକୁ ଲାଗି ରହିଥିବା ଜଙ୍ଗଲରେ ବିଚରଣ କରନ୍ତି, ଯାହାକି ଉଭୟ ମଣିଷ ଏବଂ ବାଘମାନଙ୍କର ଆବାସସ୍ଥଳୀ ।

ସୁନୀତା ନାରାୟଣ କୁହନ୍ତି, “ଏହି କାରଣରୁ ମୁଁ ସହାବସ୍ଥାନ ସମ୍ପର୍କରେ ମୋର ମତକୁ ଆଉ ଥରେ ଦୋହରାଇବି । ବାଘ ଅଭୟାରଣ୍ୟର କୋର ଏରିଆ ବା ଆଭ୍ୟନ୍ତରୀଣ ଅଞ୍ଚଳ ବାହାରେଥିବା ଲୋକମାନଙ୍କ ସହ ମିଳିମିଶି କାମ କରିବା, ସହବନ୍ଧନ ସୃଷ୍ଟି କରିବା ଏବଂ ସେମାନଙ୍କୁ ଲାଭ ପହଞ୍ଚାଇବା କାର୍ଯ୍ୟକୁ ବାସ୍ତବରେ ରୂପାୟିତ କରିବାର ଆବଶ୍ୟକତା ରହିଛି । ଏଯାବତ ସଂରକ୍ଷଣବାଦୀମାନେ ଏହି ଗ୍ରାମଗୋଷ୍ଠୀମାନଙ୍କୁ କେବଳ ଶତ୍ରୁ ବୋଲି ବିବେଚନା କରି ଆସୁଥିଲେ । ଏଯାବତ ଆମ ନୀତିଗୁଡ଼ିକ କେବଳ ଏହିକଥା ହିଁ ସୁନିଶ୍ଚିତ କରିଛନ୍ତି ଯେ ସଂରକ୍ଷିତ ଅଞ୍ଚଳ ବାହାରେ ରହୁଥିବା ଗୋଷ୍ଠୀମାନେ ସୁରକ୍ଷା ସକାଶେ କିଛି ହେଲେ ଲାଭ ପାଆନ୍ତି ନାହିଁ । ବିଗତ ବର୍ଷମାନଙ୍କରେ ନାମକୁ ମାତ୍ର ପୁଞ୍ଜିନିବେଶ ଏବଂ ଗୋରୁଗାଈ ଓ ଛେଳିଙ୍କ ଉପସ୍ଥିତି ସତ୍ତ୍ୱେ କିପରି ଗଛ ଲଗାଇ ବଢ଼ାଯାଇପାରିବ, ସେ ସମ୍ପର୍କରେ ବୁଝାମଣାର ଅଭାବ ଯୋଗୁଁ ସଂରକ୍ଷିତ ଅଞ୍ଚଳ ବାହାରର ଜମିଗୁଡ଼ିକ ପ୍ରାୟତଃ ବୃକ୍ଷଶୂନ୍ୟ ହୋଇରହିଛି । ଲୋକମାନଙ୍କ ପାଇଁ ଅନ୍ୟକୌଣସି ବିକଳ୍ପ ନଥିବାରୁ ସେମାନେ ସେମାନଙ୍କ ଗୋରୁଗାଈଙ୍କୁ ଚରିବାକୁ ସଂରକ୍ଷିତ ଅଞ୍ଚଳକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଚରୁଥିବା ଗୃହପାଳିତ ପଶୁମାନେ ଜଙ୍ଗଲ ଭିତରେ ପଶିବା କାରଣରୁ ଜଙ୍ଗଲର ହରିଣ ଓ ଅନ୍ୟାନ୍ୟ ତୃଣଭୋଜୀମାନେ ଚରିବା ପାଇଁ ଜଙ୍ଗଲରୁ ବାହାରି ଆସି କୃଷକଙ୍କର କ୍ଷେତରେ ପଶୁଛନ୍ତି” ।

ଆମେମାନେ ଯଦି ବାଘମାନଙ୍କର ସୁରକ୍ଷାପାଇଁ ଅଧିକ ଜଙ୍ଗଲ ଜମି ଚାହୁଁଛୁ ତେବେ ଆମେ ଏହି ବାସ୍ତବତାରୁ ଶିକ୍ଷା ଲାଭ କରିବା ଉଚିତ୍ । ଏହି ସମସ୍ୟା ପାଇଁ ପ୍ରଥମ ଉତ୍ତର ହେଲା – ପ୍ରଥମତଃ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଫସଲ ନଷ୍ଟ ବା ଗୃହପାଳିତ ପଶୁର ମୃତ୍ୟୁ ବାବଦକୁ ତୁରନ୍ତ ଏବଂ ମୁକ୍ତହସ୍ତରେ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ । ଦ୍ୱିତୀୟତଃ-ଆମେ ଏକଥା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଏକ ବାଘ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ବିପୁଳ ପୁଞ୍ଜିନିବେଶ କରାଯାଇ ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ବିକାଶ ବାବଦକୁ ବିନିଯୋଗ କରାଯିବା ଆବଶ୍ୟକ । ବାଘ ଅଭୟାରଣ୍ୟର ବଫର ବା ପାରିପାଶ୍ୱର୍ ଅଞ୍ଚଳରେ ରହୁଥିବା ଲୋକେ ସେଠାରେ ରହିବା ଫଳରେ ଲାଭାନ୍ୱିତ ହେଉଥବା ଆବଶ୍ୟକ । ଏହାଫଳରେ ଲୋକମାନେ ସେମାନଙ୍କର ସ୍ୱାର୍ଥଦୃଷ୍ଟିରୁ ବାଘକୁ ସୁରକ୍ଷିତ ରଖିବାକୁ ଚାହିଁବେ । ତୃତୀୟତଃ ସଂରକ୍ଷଣ ଯୋଗୁଁ ଲୋକେ ପ୍ରତ୍ୟକ୍ଷଭାବେ ଲାଭ ପାଉଥିବା ଉଚିତ୍ । ସୁରକ୍ଷା ପାଇଁ ସୃଷ୍ଟି ହେଉଥିବା ଚାକିରିଗୁଡ଼ିକ କ୍ଷେତ୍ରରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ୍ । ବାଘଦ୍ୱାରା ସୃଷ୍ଟି ହେଉଥିବା ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଲୋକମାନେ ଅଂଶୀଦାର, ମାଲିକ ଏବଂ ପ୍ରକୃତପକ୍ଷେ ରୋଜଗାରକାରୀ ହେବା ଆବଶ୍ୟକ ।

ଆମେ ଏବେ ଜାଣିଛୁ ଯେ ବନ୍ୟପ୍ରାଣୀ ପର୍ଯ୍ୟଟନ ବୃଦ୍ଧି ପାଉଛି । ଏହା ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ସେବା, ଅନନ୍ୟ ଏବଂ ଜଙ୍ଗଲରେ ସେମାନଙ୍କ ଆବାସସ୍ଥଳୀରେ ବନ୍ୟପ୍ରାଣୀ ଦେଖବାକୁ ଚାହୁଁଥିବା ମଧ୍ୟବିତ୍ତ ଶ୍ରେଣୀର ଆବଶ୍ୟକତା ଅନୁଯାୟୀ ହେବା ଉଚିତ୍ । ଏପରି ପର୍ଯ୍ୟଟନ ବୃଦ୍ଧି ପାଇବା ଉଚିତ୍, ମାତ୍ର ଏପରି ଉପାୟରେ ବଢ଼ିବା ଉଚିତ୍ ଯଦ୍ୱାରା ବାଘର ଆବାସସ୍ଥଳୀରେ ରହୁଥିବା ଲୋକମାନେ ଲାଭାନ୍ୱିତ ହେବେ । ମାତ୍ର ଏବର ବାସ୍ତବତା ହେଉଛି ଯେ, ଏବେ ମଧ୍ୟ ବାଘ ସଂରକ୍ଷଣ ଏପରି ଭାବରେ କରାଯାଉଛି ଯାହାଫଳରେ ବନ୍ୟପ୍ରାଣୀ ଓ ସ୍ଥାନୀୟ ଗ୍ରାମଗୋଷ୍ଠୀ ମଧ୍ୟରେ ବିବାଦ ତୀବ୍ରତର ହେଉଛି । ଏବେ, ବହୁ କ୍ଷେତ୍ରରେ ଅଭୟାରଣ୍ୟଗୁଡ଼ିକରୁ ଗାଁଗୁଡ଼ିକୁ ଉଚ୍ଛେଦ କରାଯାଇ ଅନ୍ୟତ୍ର ସ୍ଥାପନ କରାଯାଉଛି ଏବଂ ପୁରୁଣା ଗାଁ ଜମିକୁ ବସ୍ତୁତଃ ବିଳାସପୂର୍ଣ୍ଣ ପର୍ଯ୍ୟଟନ ହଡ଼ପ କରିନେଉଛି । ଏହା ଲୋକମାନଙ୍କର ବିମୁଖତା ଏବଂ ବିବାଦକୁ ଖୋରାକ ଯୋଗାଉଛି ।

୨୦୦୫ ମସିହାର ଟାଇଗର ଟାସ୍କଫୋର୍ସ ରିପୋର୍ଟରେ ବ୍ୟାଘ୍ର ଅଭୟାରଣ୍ୟ ନିକଟବର୍ତ୍ତୀ ହୋଟେଲଗୁଡ଼ିକ ଉପରେ ୩୦%ର ଅତିରିକ୍ତ କର ଲଗାଇବାକୁ ପରାମର୍ଶ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଏହି ଅର୍ଥକୁ ସ୍ଥାନୀୟ ଲୋକମାନଙ୍କ ପାଇଁ ତଥା ଅଭୟାରଣ୍ୟ ବାବଦକୁ ଖର୍ଚ୍ଚ କରାଯିବ । ଏକଥା ମଧ୍ୟ କୁହାଯାଇଥିଲା ଯେ ସ୍ଥାନୀୟ ଗ୍ରାମଗୋଷ୍ଠୀଙ୍କ ମାଲିକାନାରେ ଏବଂ ସେମାନଙ୍କ ଦ୍ୱାରା ଚଳାଯାଉଥିବା ଗୃହ ରହଣୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ଆବଶ୍ୟକ । ବାସ୍ତବରେ ଏପରି ପର୍ଯ୍ୟଟନକୁ ଆଗକୁ ବଢ଼ାଇବାପାଇଁ ଯଥେଷ୍ଟ ଚାପ ସୃଷ୍ଟି କରାଯିବା ଆବଶ୍ୟକ ଯାହାଫଳରେ ବାଘର ସୁରକ୍ଷା ସହ ଲୋକମାନଙ୍କ ସ୍ୱାର୍ଥ ଯୋଡ଼ି ହୋଇପାରିବ । ଅଭୟାରଣ୍ୟ ଅଞ୍ଚଳର ଗ୍ରାମବାସୀମାନଙ୍କର ବାଘ ଓ ତା’ର ଭବିଷ୍ୟତରେ ସମାନ ସ୍ୱାର୍ଥରହିବା ଆବଶ୍ୟକ । ଏହା ଘଟୁନାହିଁ, ମାତ୍ର ଏହା ନିଶ୍ଚିତ ରୂପେ ଘଟିବା ଆବଶ୍ୟକ ।

ସଂରକ୍ଷଣର ନୂତନ କାର୍ଯ୍ୟଯୋଜନା କେବଳ ବାଘ ଓ ଆଦିବାସୀମାନଙ୍କର ବିବାଦ ଚାରିପଟେ ଘୁରିବା ଉଚିତ୍ ନୁହେଁ । ବରଂ ଏହା ବାଘ ଓ ଲୋକମାନଙ୍କ ସମ୍ପର୍କରେ ହେବା ଉଚିତ୍ । ଏହି କାରଣରୁ ଆଗାମୀ ୫୦ବର୍ଷରେ ଆମେମାନେ ଭାରତୀୟ ମୂଲ୍ୟବୋଧରେ ସଂରକ୍ଷଣ କରିବା ଆବଶ୍ୟକ । ଆମମାନଙ୍କୁ ଲୋକମାନଙ୍କୁ ବାଦଦେବା ଏବଂ ଅଭୟାରଣ୍ୟର ସୁରକ୍ଷା ବଳୟକୁ ଦୃଢ଼ତର କରିବାର ପାଶ୍ଚାତ୍ୟ ବିଚାରଧାରା ଆଧାରିତ ଅଭ୍ୟାସକୁ ପରିତ୍ୟାଗ କରି ତା’ ସ୍ଥାନରେ ବାଘମାନଙ୍କ ସହ ସହାବସ୍ଥାନ କରୁଥିବା ଲୋକମାନଙ୍କର ସ୍ୱାର୍ଥ ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ୍ । ତାହାହେଲେ ଯାଇ ବାଘ ମୁକ୍ତଭାବରେ ବିଚରଣ କରିପାରିବ, ବେଶୀ ଅଞ୍ଚଳରେ ବୁଲିପାରିବ ଏବଂ ଅଧିକ ସ୍ୱାସ୍ଥ୍ୟବାନ ହୋଇପାରିବ ।

Comments

0 comments

Share This Article