ଭଗବତ ଚର୍ଚ୍ଚା

ଭଗବତ୍ ପ୍ରସାଦଙ୍କ ସ୍ମରଣରେ...ତାଙ୍କ ଲେଖା ଓ ବାର୍ତ୍ତା ଅତ୍ୟନ୍ତ ଚେତନାଧର୍ମୀ ଥିଲା ଯାହା ଭିତରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ ଭରି ହୋଇଥିଲା

ସ୍ଵୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ465 Views
6 Min Read

ପ୍ରଫେସର ଭଗବତ ପ୍ରସାଦ କିଏ?

“ପୃଥିବୀର ସର୍ବଶ୍ରେଷ୍ଠ କମ୍ପ୍ୟୁଟର ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ବିବର୍ତ୍ତନର ଏକ ନିର୍ଦ୍ଦିଷ୍ଟ ଗତି ରହିଛି । ପ୍ରକୃତିର ଯୋଜନାରେ ନାରୀର ଯୌନ ସ୍ୱାଧୀନତା ଓ ସମାଜରେ ଭଲ ଲୋକଙ୍କ ସର୍ବଦା ସମ୍ମାନ ଏ ଦୁଇଟି ଉନ୍ନତ ସଭ୍ୟତାର ମୁଖ୍ୟ ଉପାଦନ । ପିତୃ (ଯୋଦ୍ଧା) ଆଧିପତ୍ୟ ସମାଜରେ ଅସହନୀୟ ସାମାଜିକ ଓ ଆର୍ଥନୀତିକ ବିଷମତା ଅତିରିକ୍ତ ଭୋଗଲିପ୍ସା ପୃଥିବୀରେ ପ୍ରଳୟ ଦିବସକୁ ଡାକିଆଣୁଛି । ମଣିଷ ବଞ୍ଚିରହିବାର ଗୋଟିଏ ରାସ୍ତା ହେଉଛି ସର୍ବଜୀବ ମୈତ୍ରୀ ଚେତନା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ । ପାଶ୍ଚାତ୍ୟ ଓ ପ୍ରାଚ୍ୟ ଉଭୟ ଗୋଷ୍ଠୀର ଚିନ୍ତନକୁ ନିର୍ମମ ସମାଲୋଚନାର ସମ୍ମୁଖୀନ କରାଇବାକୁ ପଡ଼ିବ । ଭାରତର ପୃଥିବୀକୁ ଶ୍ରେଷ୍ଠ ଅବଦାନ ହେଉଛି ଅନ୍ୱୀକ୍ଷିକ – ଯୋଗ ସାଂଖ୍ୟ ଓ ଲୋକାୟତ (ଅର୍ଥଶାସ୍ତ୍ର – କୌଟଲ୍ୟ) ଦର୍ଶନ । ପୃଥିବୀର ସବୁଠୁ ବଡ଼ ଅଭିଶାପ ପରିବାର, ବ୍ୟକ୍ତିଗତ ସମ୍ପତ୍ତି ଓ ରାଷ୍ଟ୍ରର ସୃଷ୍ଟି (ମାର୍କ୍ସ) ଏବଂ ପ୍ରତି ସମାଜର ପରଭକ୍ଷୀ ଗୋଷ୍ଠୀମାନେ । ମହାଭାରତର ସଭାପର୍ବରେ ବର୍ଣ୍ଣନାରେ ରହିଛି ଏକ ସୁଖୀ, ସୁସ୍ଥ ଓ ଉନ୍ନତ ସମାଜର । ସେଠାରେ ଏକମାତ୍ର ସଂସ୍କୃତି ହେଉଛି ଆନ୍ୱୀକ୍ଷିକୀ ସଂସ୍କୃତି ଏବଂ ସେ ସମାଜରେ କୌଣସି ରକମର ପରଭକ୍ଷୀ ସମାଜ ନାହିଁ । ଏହି ବିଷୟ ଉପରେ ସକ୍ରିୟ ଥିବା ଗବେଷକ ଓ ସାଧକମାନଙ୍କୁ ଏକାଠି କରାଯିବା ଦରକାର ।” – ଭଗବତ ପ୍ରସାଦ

ଏହିଭଳି ଏକ ଚିନ୍ତନ ଓ ଦର୍ଶନକୁ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ତୋଳି ଧରିଥିଲେ ଓଡ଼ିଶାର ଜଣେ ଅନନ୍ୟ ଗାନ୍ଧୀ, ଲୋହିଆ, ମାର୍କ୍ସବାଦ ଓ ବାମାବାଦରେ ବିଶ୍ଵାସ କରୁଥିବା ଚିନ୍ତା ନାୟକ ଭଗବତ ପ୍ରସାଦ । ସେ ଜଣେ କଲେଜ ଅଧ୍ୟାପକ ଥିଲେ କିନ୍ତୁ ତାଙ୍କର ଜ୍ଞାନ, କାର୍ଯ୍ୟ ଓ ଦର୍ଶନ ତାଙ୍କୁ ଏକ ଭିନ୍ନ ସ୍ଥାନ ପ୍ରଦାନ କରିଥିଲା । ତାଙ୍କର ଲେଖାଗୁଡ଼ିକ ଆଜିର ପରିସ୍ଥିତିରେ ପୁଣିଥରେ ଚର୍ଚ୍ଚା କରିବା ଉଦେଶ୍ୟରେ ଏହି ଉପସ୍ଥାପନା ।

ତାଙ୍କର ଜନ୍ମ ଓଡ଼ିଶାର ଗଞ୍ଜାମ ଜିଲ୍ଲାର କୋଦଳା ତହସିଲର ଲାଠୁଳି, ରଘୁନାଥପୁରରେ । ସେହି ଗ୍ରାମରେ ୧୯୩୨ ମସିହା ଡିସେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭଗବତ ପ୍ରସାଦ ରଥ । ରାୟଗଡ଼ାରେ ରଥସାର୍ ଭାବରେ ସେ ଜଣେ ଅତି ପରିଚିତ ବ୍ୟକ୍ତିତ୍ୱ । ପିଲାଟି ଦିନରୁ ଭଗବତ ବାବୁଙ୍କର ଉପନ୍ୟାସ ପଢ଼ା ପ୍ରତି ଥିଲା ଅଧିକ ଆଗ୍ରହ । ୭ମ ଶ୍ରେଣୀରେ ଲେଖକ ରାମଶଙ୍କର ପ୍ରସାଦ ସିଂହଙ୍କର ‘ପୁଜାର ବଳୀ’ ଉପନ୍ୟାସଟିକୁ ପ୍ରଥମେ ପଢ଼ି ବସିଲେ । ପରେ ପରେ ସେ ପଢ଼ିଲେ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ଲକ୍ଷ୍ମୀଧର ନାୟକ, ନିତ୍ୟାନନ୍ଦ ମହାପାତ୍ର ପ୍ରଭୃତିଙ୍କ ଲେଖାମାନ ଏବଂ ସେହି ସବୁ ପୁସ୍ତକ ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା । ପାରଳାଖେମୁଣ୍ଡି କଲେଜରେ ପଢ଼ିଲା ବେଳେ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ସେ ପଢ଼ିଥିଲେ । ସେମିତି ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦ, ଜୈନେନ୍ଦ୍ର କୁମାର, ଦିନକର ଭଗବତୀ ଚରଣ ପ୍ରଭୃତିଙ୍କ ବହି ତାଙ୍କର ସାହିତ୍ୟ ପ୍ରେମକୁ ଆହୁରି ଆଗେଇ ନେଇଥିଲା । କେବଳ ସେତିକି ନୁହେଁ ବଙ୍ଗଳାରେ ରବୀନ୍ଦ୍ରନାଥ, ଶରତଚନ୍ଦ୍ର, ବଙ୍କିମ ଚନ୍ଦ୍ର, ଅନୁରୁପା ଦେବୀ, ବିଭୂତି ବନ୍ଦୋପାଧ୍ୟାୟ ପ୍ରମୁଖଙ୍କ ଲେଖା ତାଙ୍କ ସାହିତ୍ୟିକ ଚିନ୍ତନକୁ ବହୁଭାବେ ପ୍ରଭାବିତ କରିଥିଲା ।

ଓଡ଼ିଶାରେ ପୁସ୍ତକ ପଢ଼ିବାର ଏକ ବାତାବରଣ ସୃଷ୍ଟି କରିବା କ୍ଷେତ୍ରରେ ଭଗବତ ପ୍ରସାଦ ଥିଲେ ଅନନ୍ୟ। ସେ ଜଣେ ସୁଲେଖକ ଓ ସମାଲୋଚକ ମଧ୍ୟ ଥିଲେ । ରାୟଗଡ଼ାରେ ସାହିତ୍ୟ ଚର୍ଚ୍ଚା ଅବିରତ ଚାଲୁଥିଲା । ସେତେବେଳେ ‘‘ଗ୍ରୀନରୁମ୍’’ ନାମକ ଏକ ସମାଲୋଚନା ମୂଳକ ଛୋଟ ପତ୍ରିକା ଭଗବତ୍ ପ୍ରସାଦ ବାହାର କଲେ ।

ରାୟଗଡ଼ାରେ ପୂର୍ବରୁ ଘରଟିଏ ତିଆରି କରିଥିଲେ ଓ ସେହି ଘରକୁ ଲାଗି ଏକ ସୁନ୍ଦର ପାଠାଗାର କରିଥିଲେ । ତାଙ୍କ ପାଠାଗାରରେ ଛଅଟି ଭାଷାର ବହି ରଖାଯାଇଥିଲା ଓ ଏହି ପାଠାଗାରଟି ରାୟଗଡ଼ାର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଥିଲା । ସେ ଶେଷ ଜୀବନ ପର୍ଯ୍ୟନ୍ତ ରାୟଗଡ଼ାରେ ରହି ପଢ଼ାପଢ଼ି ଓ ଲେଖାଲେଖି କରୁଥିଲେ । ମନମୋହନ ଚୌଧୁରୀ, କିଶନ ପଟ୍ଟନାୟକ ଏବଂ ପାନାଲାଲ ଦାସଗୁପ୍ତ (କଲିକତା) ତାଙ୍କର ଗୁରୁ ସ୍ଥାନରେ ରହିଆସିଥିଲେ । ମନମୋହନ ଚୌଧୁରୀଙ୍କ ଅନୁରୋଧ ଯୋଗୁଁ ସେ ଓଡ଼ିଆ ପତ୍ରିକା ‘ସର୍ବୋଦୟ’ର ସହଯୋଗୀ ସଂପାଦକ ରହିଥିଲେ । ପରେ ପରେ ଆନ୍ତର୍ଜାତିକ ସ୍ତରର ଗାନ୍ଧୀବାଦୀ ପତ୍ରିକା ‘ଭିଜିଲ୍’ର ମୁଖ୍ୟ ସଂପାଦକ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ ।

ଭଗବତ୍ ପ୍ରସାଦ ପାରଳାଖେମୁଣ୍ଡିରେ ପଢ଼ୁଥିବା ବେଳେ ସାମ୍ୟବାଦ ଓ ଗାନ୍ଧୀବିଚାର ଉଭୟଟିର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ରେଭେନ୍ସା ମହାବିଦ୍ୟାଳୟରେ ସାମ୍ୟବାଦର ପ୍ରଭାବ ତାଙ୍କ ଉପରେ ବେଶୀ ପଡ଼ିଲା । ମାର୍କ୍ସଙ୍କ ଲେଖା ପଢ଼ିଲେ ଓ ସ୍ଥିର କଲେ ଚାକିରୀ ନ କରି କମ୍ୟୁନିଷ୍ଟ ଭାବରେ ଜୀବନ କଟାଇବେ । ଯେତେବେଳେ ସେ ମନମୋହନ ଚୌଧୁରୀଙ୍କ ସମ୍ପର୍କରେ ଆସିଲେ, ତା’ପରେ ଗାନ୍ଧୀ ବିଚାର ପ୍ରତି ଆକୃଷ୍ଟ ହେବା ଆରମ୍ଭ ହେଲା । ଅନେକ ଗୁଡ଼ିଏ କାରଣ ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ସେ ଅନୁଭବ କଲେ ଭାରତବର୍ଷରେ ଗାନ୍ଧୀବାଦୀ ଚିନ୍ତାଧାରାରେ ବିକାଶ ଏବଂ ଉନ୍ନତି ଅଧିକ ବିଜ୍ଞାନସମ୍ମତ ଓ ଲୋକମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହୋଇପାରିବ । ଗାନ୍ଧୀବାଦୀ ବିଚାର ଓ ଲୋହିଆଙ୍କ ବିଚାର ଓ କାର୍ଯ୍ୟ ତାଙ୍କୁ ସେତେବେଳେ ପ୍ରଭାବିତ କରିଥିଲା । ଜୀବନର ଶେଷ ପର୍ଯ୍ୟାୟରେ ସେ ଯେତେବେଳେ ଆଲୋଚନା କରୁଥିଲେ ଓ ଲେଖୁଥିଲେ ସେତେବେଳେ ସେ ବାମାବାଦ ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ସବୁବେଳେ କହୁଥିଲେ ଓ ଯାହା ତାଙ୍କର କିଛି ଲେଖା ଭିତରେ ପ୍ରକାଶିତ ମଧ୍ୟ ହୋଇଥିଲା ।

ଯୁବାବସ୍ଥାରୁ ଶେଷ ଜୀବନ ଯାଏ ସେ ସ୍ୱପ୍ନ ଦେଖୁଥିଲେ ; ଏକ ସମତାଭିତ୍ତିକ ସମାଜର, ଏକ ସୁନ୍ଦର ପୃଥିବୀର ଯେଉଁଠି ଶୋଷଣ ନ ଥିବ, ଭେଦଭାବ ନଥିବ, ଯନ୍ତ୍ରଣା ଓ ଯାତନା ନ ଥିବ, ପରସ୍ପର ସ୍ନେହ ଓ ପ୍ରେମରେ ବାନ୍ଧିହୋଇଥିବେ ସମଗ୍ର ଜୀବଜଗତ । ମଣିଷ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ ସମ୍ପର୍କରେ ସେ ମୃତ୍ୟୁଯାଏ ଗବେଷଣା ଜାରୀ ରଖିଥିଲେ।

ତାଙ୍କର ଲେଖା ଓ ବାର୍ତ୍ତା ଅତ୍ୟନ୍ତ ଚେତନାଧର୍ମୀ ଥିଲା ଯାହାଭିତରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ ଭରି ହୋଇଥିଲା । ବିଶେଷକରି ସମ୍ପ୍ରଦାୟିକତାବାଦର ପ୍ରଳୟଂକାରୀ ବାସ୍ତବତାକୁ ସେ ବାରମ୍ବାର ସତର୍କ କରାଇଥିଲେ ।

ଇତିହାସ- ସଜ କବିତାଟିଏ ଶୀର୍ଷକରେ ଏକ କବିତା ଲେଖିଥିଲେ ଭଗବତ ପ୍ରସାଦ ଯାହାକୁ ବର୍ତ୍ତମାନ ସମୟର ସତର୍କ ଘଣ୍ଟି କୁହାଯାଇପାରେ;

ଇତିହାସର ପୃଷ୍ଠାସବୁ ଫାଡ଼ିଦିଅ,
ସେଥିରେ ରହିଛି କେବଳ ବୀରମାନଙ୍କ ସୃଷ୍ଟ ରକ୍ତ ଓ ଯନ୍ତ୍ରଣା ।
ଦେବତାମାନଙ୍କୁ ଆର୍ତ୍ତନାଦଭରା ଜଳୁଥିବା ସହରରେ
ସେମାନଙ୍କ ଭକ୍ତମାନେ ଅଟ୍ଟହାସ କରୁଛନ୍ତି ।
ଈଶ୍ୱର, ଆଲ୍ଲା, ଖ୍ରୀଷ୍ଟ, ଗୁରୁଙ୍କ ‘ଜୟ’ ଭୟଙ୍କର ଗର୍ଜନ ଶୁଭୁଛି ।
ସବୁଦେଶର ସୀମା ସରହଦକୁ ଲିଭାଇ ଦିଅ ।
ଦେଶପ୍ରେମୀମାନେ ମାତି ଗଲେଣି ।
କୌଣସି ନାରୀର ଇଜ୍ଜତ ରକ୍ଷା ହେବନି ।
କୌଣସି ଶିଶୁ ମାତୃ ପିତୃହରା ନ ହୋଇ ରହିବନି ।
ଦୂର ଦିଗନ୍ତକୁ ଅନାଅ ।
ମୃତ୍ୟୁ ଆସୁଚି ତୋଫାନ୍‌, ମରୁଡି, ବିଷବିଞ୍ଚା ଡ୍ରେନ୍‌ରେ
ଏ ପୃଥିବୀ ଜୀବ ଶୂନ୍ୟ ହୋଇଯିବ ।
ବଞ୍ଚିବାକୁ ଚାହଁ?
ସବୁ ମଣିଷଙ୍କୁ ଶିଖାଅ ଅହିଂସା-ଅପରିଗ୍ରହର ଗୀତ

ସହାୟକ ଗ୍ରନ୍ଥ
1- ସମଦୃଷ୍ଟି ପାକ୍ଷିକ ପତ୍ରିକାରେ ଧାରାବାହିକ 2007 ରୁ 2015 ମସିହାଯାଏ ଭଗବତ ପ୍ରସାଦଙ୍କ ଆଲେଖ୍ୟ
2- ପରାଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ ପୁସ୍ତକ

Comments

0 comments

Share This Article
Ms Swayamprava Parhi is an artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She also happens to be a Documentary Filmmaker.