ଗତ ୧୨ ଫେବୃଆରୀ ୨୦୨୩ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି କାଉନସିଲ ଭବନରେ ‘ଭାରତର ସମ୍ବିଧାନ ଓ ନୂତନ ଶିକ୍ଷାନୀତି’ ଶୀର୍ଷକ ଏକ ଆଲୋଚନା ‘ସିଟିଜେନ୍ସ ଫୋରମ’ ବା ନାଗରିକ ମଞ୍ଚ ତରଫରୁ ଆୟୋଜନ କରାଯାଇଥିଲା । ଏଥିରେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଡ଼ଃ ସୁରଜିତ୍ ମଜୁମଦାର ବକ୍ତା ହିସାବରେ ଯୋଗ ଦେଇଥିଲେ । ସୁରଜିତ୍ କେବଳ ଭାରତର ସମ୍ବିଧାନ ଏବଂ ସରକାର ଆଣିଥିବା ନୂତନ ଶିକ୍ଷାନୀତି ସମ୍ପର୍କରେ ଆଲୋଚନାଟି ଆରମ୍ଭ କରିଥିଲେ ମାତ୍ର । ଠିକ୍ ସେତିକିବେଳେ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦର କିଛି ଅଣଛାତ୍ର ଆଲୋଚନାରେ ବିଭ୍ରାଟ ସୃଷ୍ଟି କରିଥିଲେ । ଅଭିଯୋଗ ଆସିଛି ଯେ ସେମାନେ ଆଲୋଚନାଟି ଭଂଡୁର କରିବାପାଇଁ ପୂର୍ବରୁ ଯୋଜନାଟିଏ ପ୍ରସ୍ତୁତ କରି ସେଠାକୁ ଆସିଥିଲେ । ଅଚାନକ ସେମାନେ ସୁରଜିତ୍ ଙ୍କ ବକ୍ତବ୍ୟଟିକୁ ବନ୍ଦ କରିବା ପାଇଁ ଦାବି କରିଥିଲେ ଏବଂ ବାହାରେ ପ୍ରସ୍ତୁତ ହୋଇ ରହିଥିବା ଆଉକିଛି ଅଣଛାତ୍ରଙ୍କୁ ଡ଼କାଇ ଦେଇଥିଲେ । ଏହାପରେ ଉଦ୍ୟୋକ୍ତା ଏବଂ ଉପସ୍ଥିତ ବରିଷ୍ଠ ଅଧ୍ୟାପକମାନଙ୍କ ଉପରେ ସେମାନଙ୍କର ଆକ୍ରମଣ ଆରମ୍ଭ ହୋଇଯାଇଥିଲା । ଆଲୋଚନାରେ ଭାଗ ନେଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏବଂ ନିଜେ ପ୍ରଫେସର ସୁରଜିତ୍ ମଜୁମଦାରଙ୍କର ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେଠି ଦେଶବିରୋଧି ବା ସମ୍ବିଧାନ -ବିରୋଧି କୌଣସି ବକ୍ତବ୍ୟ ରଖାଯାଇନଥିଲା । ବରଂ ସମ୍ବିଧାନର ମୂଳ ଢାଞ୍ଚାର ସୁରକ୍ଷା କେମିତି କରାଯାଇପାରିବ, ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା କଲାବେଳେ ଉଦବେଗ ପ୍ରକାଶ ପାଇଥିଲା ।
ଏହିଭଳି ଏକ ଗଣ୍ଡଗୋଳ ଭିଆଇବାର କାରଣ କ’ଣ ଏହା କିପରି ସମ୍ଭବହେଲା, ସେଠାକୁ ପରେ ଯାଇ ରିପୋର୍ଟ କରୁଥିବା କୌଣସି ଓଡ଼ିଆଟିଭି ଚ୍ୟାନେଲ୍ ଜାଣିବା ପାଇଁ ଉଦ୍ୟମ କରିନଥିଲେ । ବରଂ ସେମାନେ ଆକ୍ରମଣକାରୀ ଯୁବକମାନଙ୍କର ମିଛ ମନ୍ତବ୍ୟଗୁଡ଼ିକୁ ତୁହାକୁ ତୁହା ପ୍ରଚାର କରି ଜନମାନସରେ ଏକ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଜାଣିକି ହେଉ ବା ନିଜ ଅଜାଣତରେ ଉଦ୍ୟମଟିଏ କରିଥିଲେ, ଯାହା ଆକ୍ରମଣଟିକୁ ଯଥାର୍ଥ ପ୍ରମାଣିତ କରୁଥିଲା । ପରେ ଅବଶ୍ୟ ସେମାନଙ୍କ ଭିତରୁ କିଛି ପ୍ରସାରଣରେ ସୁଧାର ଆଣିଥିଲେ । ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପରିଚୟଟି ସାମ୍ନାକୁ ଆସିଲେ ବିନା ଚିନ୍ତା ଏବଂ ବିଚାରରେ ପ୍ରଥମେ ଏକ ଦେଶବିରୋଧି ରଙ୍ଗ ଦେବା ପାଇଁ ୨୦୧୬ ମସିହାରୁ ଯେଉଁ ଉଦ୍ୟମଟି ମୋଦୀ ସରକାରଙ୍କ ସୌଜନ୍ୟରୁ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା, ତାହା ଯେମିତି ଓଡ଼ିଶାଯାଏଁ ଏବେ ବି ବଳବତ୍ତର ରହିଛି ।
ସବୁଠାରୁ ବିଡ଼ମ୍ବନାର କଥାଯେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବୌଦ୍ଧିକ ପରିସର ବୋଲି ଆଉ କିଛି ନାହିଁ । ମୁକ୍ତଭାବେ କୌଣସି ପ୍ରସଙ୍ଗରେ ଚର୍ଚ୍ଚା ବା ବିତର୍କ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । ପ୍ରଗତିଶୀଳ ଛାତ୍ର ସଂଗଠନମାନଙ୍କର ବିଲୟ ଏବଂ ଏ.ବି.ଭି.ପି ଭଳି ସାମ୍ପ୍ରଦାୟିକ ଛାତ୍ର ସଙ୍ଗଠନମାନଙ୍କର ଅଭୂତପୂର୍ବ ଅଭ୍ୟୁଦୟ ବିଶ୍ୱବିଦ୍ୟାଳୟ ପରିସରଗୁଡ଼ିକରେ ବୌଦ୍ଧିକ ପରିସରକୁ ଯେ ବିପନ୍ନ କରିଦେଇଛି ତାହା ନୁହଁ, ବରଂ ଏକ ନକାରାତ୍ମକ ପରିବେଶ ସୃଷ୍ଟିକରିଛି । ଏହାର ମଧ୍ୟ ଏକ ଐତିହାସିକ ପୃଷ୍ଠଭୂମି ଅଛି । ୧୯୭୭ରେ ଦେଶରେ ପ୍ରଥମ ଥରପାଇଁ ଏକ ମିଳିତ ବିରୋଧି ଦଳର ମଞ୍ଚ ‘ଜନତା ଦଳ’ ନାମରେ ଦେଶରେ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାଚୁ୍ୟତ କରି ଶାସନକୁ ଆସିଲା । ଅନ୍ୟ ଦଳମାନେ ସାମୟିକ ଭାବେ ନିଜର ଅସ୍ଥିତ୍ୱକୁ ଜନତା ଦଳ ଭିତରେ ବିଲୀନ କରିଥିଲେ । ସେ ଭିତରେ ଥିଲେ ସଂଘ ପରିବାରର ରାଜନୈତିକ ସଂଗଠନ ‘ଜନସଂଘ’ । ଏହି ପୂର୍ବତନ ଜନସଂଘର ସଦସ୍ୟମାନେ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବିଭାଗ ହାତେଇ ପାରିଥିଲେ । ସେମାନଙ୍କ ଭିତରେ ଡଃ ମୁରଲୀ ମନୋହର ଯୋଶୀଙ୍କ ଭାଗରେ ପଡ଼ିଥିଲା ଶିକ୍ଷାବିଭାଗ । ସେତେବେଳେ ସଂଘ ପରିବାରର ଶିକ୍ଷାପ୍ରସାର ସଂଗଠନ ବିଦ୍ୟାଭାରତୀ ସରକାରୀ ପ୍ରୋତ୍ସାହନରେ ନିଜର ଅଭିଯାନ ଆରମ୍ଭ କରିଥିଲା । ଓଡ଼ିଶାରେ ମଧ୍ୟ ଜନତା ଦଳ ସରକାର ଶାସନରେ ଥିବା ଦୃଷ୍ଟିରୁ ବିଦ୍ୟାଭାରତୀର ଓଡ଼ିଶା ଶାଖା ‘ଶିକ୍ଷା ବିକାଶ ସମିତି’ ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ସେଥିପାଇଁ ଏକ ସରକାରୀ ବାସଗୃହରେ ଓଡ଼ିଶାରେ ପ୍ରଥମ ସରସ୍ୱତୀ ଶିଶୁମନ୍ଦିର ଆରମ୍ଭ ହୋଇଥିଲା । ସେତେବେଳେ ଯେଉଁ ସଂଖ୍ୟାଟି ଗୋଟିଏ ଥିଲା ଏବଂ କେବଳ ରାଜଧାନୀରେ ସୀମିତ ଥିଲା ତାହା ଆଜି ସମଗ୍ର ରାଜ୍ୟରେ ବ୍ୟାପି ସାରିଛି ଏବଂ ସେମାନଙ୍କର ସଂଖ୍ୟାଟି ପାଖାପାଖି ୧୪୦୦ ହୋଇଯାଇଛି ।
୭ ସେପ୍ଟେମ୍ବର ୨୦୦୭ରେ ଦୈନିକ ଇଂରାଜୀ ଖବର କାଗଜ ‘ଡ଼େକାନ୍ ହେରାଲ୍ଡ’ରେ ଲେଖାଟିଏ ପ୍ରକାଶ କରି ବରିଷ୍ଠ ସମ୍ବାଦିକ ପ୍ରଫୁଲ୍ଲ ଦାସ ଏ ସମ୍ପର୍କରେ ବିଷଦଭାବେ ସୂଚନା ଦେଇଛନ୍ତି ଏବଂ ସଂଘ ପରିବାରର ବିଦ୍ୟାଳୟମାନଙ୍କର ଏଭଳି ଅଭିବୃଦ୍ଧି କିଭଳି ନବୀନ ବାବୁଙ୍କର ନିଦ୍ରାଭଙ୍ଗ କରିଛି ଏହି କଥା ମଧ୍ୟ କହିଛନ୍ତି । ସରସ୍ୱତୀ ଶିଶୁମନ୍ଦିର ଏବଂ ବିଦ୍ୟା ମନ୍ଦିରର ଆଶାତୀତ ବୃଦ୍ଧିଯୋଗୁଁ ସରକାରୀ ସ୍କୁଲ୍ ମାନଙ୍କରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବାବେଳେ ଏମାନଙ୍କର ଛାତ୍ରଛାତ୍ରୀ ସଂଖ୍ୟା ୧୪ରୁ ୧୫ଲକ୍ଷ ଭିତରେ ପହଞ୍ଚିଗଲାଣି । ସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ସ୍ଥାନ ଖାଲିପଡ଼ିଥିବା ବେଳେ ସଂଘ ପରିବାର ପୃଷ୍ଠପୋଷକତାରେ ଚାଲିଥିବା ଏହି ବିଦ୍ୟାଳୟମାନଙ୍କରେ ଏବେ ୧୭ହଜାରରୁ ଅଧିକ ଶିକ୍ଷକ କାମ କରୁଛନ୍ତି । ପିଲାମାନଙ୍କର ଅଭିଭାବକ ମାନଙ୍କ ସଂଖ୍ୟା ଯଦି ହିସାବକୁ ନିଆଯିବ, ତାହା ୨୯ରୁ ୩୦ଲକ୍ଷ ହେବ । ନବୀନବାବୁଙ୍କ ୨୨ବର୍ଷ ଶାସନରେ (ପ୍ରଥମ ୮ବର୍ଷ ଭାଜପା ସହ) ଅନ୍ତତଃ ସଂଘ ପରିବାରର ଏଭଳି ବୌଦ୍ଧିକ ଅଭୁ୍ୟଦୟ ଅଭୁତପୂର୍ବ । ଏହି ପିଲାମାନେ ଯେତେବେଳେ ବିଶ୍ୱବିଦ୍ୟାଳୟରେ ପାଦଦେବେ, ସେମାନେ ଅନ୍ତତଃ ପ୍ରଗତିଶୀଳ ବା ମୁକ୍ତ ବୌଦ୍ଧିକ ଆଲୋଚନାପାଇଁ ପ୍ରସ୍ତୁତ ରହିବା କଷ୍ଟକର ହେବ । ଅନ୍ୟପଟେ ନୀତିଆୟୋଗ ଦ୍ୱାରା ନିଯୁକ୍ତ ‘ବୋଷ୍ଟନ୍ କନ୍ସଲଟାନ୍ସି ଗୃପ’ ନାମକ ଏକ ବ୍ୟବସାୟିକ ସଂସ୍ଥାର ପରାମର୍ଶରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ମାନଙ୍କୁ ଯେଉଁଭଳି ଭାବେ ବନ୍ଦ କରିଦିଆଯାଉଛି (ସଂଖ୍ୟାଟି ପ୍ରାୟ ୧୦ହଜାର ହେବ), ଶିକ୍ଷକମାନଙ୍କ ସ୍ଥାନ ପୂରଣ କରାଯାଉ ନାହିଁ, ଅଭିଭାବକମାନଙ୍କ ହାତରେ ବିକଳ୍ପ ହେଉଛି ଯେ ସେମାନେ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ ବିଦ୍ୟାମନ୍ଦିର ମାନଙ୍କରେ ପିଲାକୁ ପଢ଼ାଇବେ ବା ବ୍ୟବସାୟିକ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ ବ୍ୟୟବହୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ପଢ଼ାଇବେ । ଯେଉଁଠି ବି ପିଲାଟିଏ ପଢ଼ୁ , ଆଜିର ବଜାରୀକରଣ ଯୁଗରେ ବୌଦ୍ଧିକ ଚର୍ଚ୍ଚା ଅପେକ୍ଷା ବଜାରରେ ନିଜର ମୂଲ୍ୟବୃଦ୍ଧି କରିବା ପାଇଁ ଉପଯୁକ୍ତ ପେଷା ବା ବୃତ୍ତି ପାଇଁ ସେମାନେ ପ୍ରତିଯୋଗିତାରେ ଲାଗିପଡ଼ିବେ । ଅଲୋଡ଼ା ହୋଇ ରହିବେ ଗରିବ ଓ ବଞ୍ଚିତ ଶ୍ରେଣୀର ପିଲାମାନେ । ଦେଶରେ ବିଶ୍ୱବିଦ୍ୟାଳୟରୁ ସଚେତନଶୀଳ ଓ ଦାୟିତ୍ୱବାନ ଭବିଷ୍ୟତର ନାଗରିକ ବାହାରିବା ସବୁବେଳେ ଏକ ପ୍ରଶ୍ନବାଚୀ ଭିତରେ ରହିବ ।
Photo Credit- https://bit.ly/3Y77eTZ
Comments
0 comments