ବିଶ୍ୱର ଆର୍ଥିକ ବିକାଶ ଉପରେ ଚର୍ଚ୍ଚା କରିବାକୁ ପ୍ରତିବର୍ଷ ଜାନୁଆରୀ ଶେଷ ସପ୍ତାହରେ ସ୍ୱିଜରଲାଣ୍ଡର ଡାଭୋସଠାରେ ‘ବିଶ୍ୱ ଅର୍ଥନୈତିକ ମଞ୍ଚ’ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥାଏ । ଦୀର୍ଘ ଚାରଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଅଧିବେଶନରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ କିମ୍ବା ପ୍ରତିନିଧିମାନଙ୍କ ସମେତ କର୍ପୋରେଟ୍ ଦୁନିଆର ବଡ଼ ବଡ଼ ହସ୍ତୀମାନେ ଯୋଗଦେଇ ବିଶ୍ୱର ଆର୍ଥିକ ବିକାଶନେଇ ମତ ବିନିମୟ କରିଥାନ୍ତି । ପ୍ରତିବର୍ଷ ଏହି ସମାବେଶର ଠିକ୍ ପୂର୍ବରୁ ଏଥିରେ ଯୋଗ ଦେଉଥିବା ବିଶ୍ୱର ବିଭିନ୍ନ ଦେଶର ଏହି ନୀତି ନିର୍ମାତାମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘ଅକ୍ସଫାମ’ ପକ୍ଷରୁ ବିଶ୍ୱର ଆର୍ଥିକ ପରିସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥାଏ । ଗତ କିଛିବର୍ଷ ଧରି ବିଶ୍ୱରେ ଆୟର ଅସମାନତା ସମ୍ପର୍କରେ ପ୍ରକାଶ ପାଉଥିବା ଏହି ରିପୋର୍ଟ ସବୁ ଚହଳ ସୃଷ୍ଟିକରିବା ସହିତ ବିଭିନ୍ନ ଦେଶ ଆର୍ଥିକ ବିକାଶ ସମ୍ପର୍କରେ ରହିଥିବା ଗୋଲାପୀ ଚିତ୍ରକୁ ଏକରକମ ଉଜାଗର କରୁଥିବା ଜଣାପଡ଼ିଛି ।
‘ଅକ୍ସଫାମ’ ରିପୋର୍ଟ
ଚଳିତବର୍ଷ ମଧ୍ୟ ‘ଅକ୍ସଫାମ’ ଡାଭୋସ୍ ଅଧିବେଶନର ଠିକ୍ ପୂର୍ବରୁ ତାର ରିପୋର୍ଟ, ‘ସର୍ଭାଇଭଲ୍ ଅଫ୍ ଦ ରିଚେଷ୍ଟ୍ : ଦି ଇଣ୍ଡିଆ ଷ୍ଟୋରୀ’କୁ ପ୍ରକାଶ କରିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉବଲବ୍ଧ ତଥ୍ୟର ଆଧାରରେ ପ୍ରସ୍ତୁତ ‘ଅକ୍ସଫାମ୍’ର ଏହି ରିପୋର୍ଟରେ ବିଶ୍ୱର ବିଶେଷ କରି ଭାରତର ଆର୍ଥିକ ଅସମାନତାର ଏକ ଭୟାନକ ଚିତ୍ର ଦେଖିବାକୁ ମିଳିଛି । ଏଥିରେ ଆର୍ଥିକ ଅସମାନତାର ଏକ ବଡ଼ ସୂଚକଭାବେ ଲୋକଙ୍କ ଆୟରେ ରହିଥିବା ବୈଷମ୍ୟକୁ ଦର୍ଶାଯାଇଛି । ସମାଜର ଏକ କ୍ଷୁଦ୍ରଗୋଷ୍ଠୀ ହାତରେ ଅଧିକରୁ ଅଧିକ ଆୟ ଓ ସମ୍ପତ୍ତି ଠୁଳୀଭୂତ ହେବା ସହ କୋଭିଡ଼ ମହାମାରୀ ସମୟରେ ସେଥିରେ ବ୍ୟାପକ ବୃଦ୍ଧି ଘଟିଥିବା କଥା, ରିପୋର୍ଟରୁ ସ୍ପଷ୍ଟ ଉଜାଗର ହେଉଛି । ମହାମାରୀ ସମୟରେ ଦେଶର ଅମୀର ଲୋକଙ୍କ ସମ୍ପତ୍ତି ରେ ଦୈନିକ୧୨୧% ବୃଦ୍ଧି (୩୬୦୮କୋଟି ଟଙ୍କା ଯୋଡ଼ି ହୋଇଛି) ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ମହାମାରୀ ଯୋଗୁଁ ସମାଜର ୫୦% ଲୋକଙ୍କ ଆୟରେ ଭୟଙ୍କର ହ୍ରାସ ଦେଖାଯାଇଛି । ମହାମାରୀ ଯୋଗୁଁ ୨୦୨୦ ମସିହାରେ ମୋଟ ଜାତୀୟ ଆୟରେ ସେମାନଙ୍କ ଅଂଶଟି ୧୩%କୁ ହ୍ରାସ ପାଇଥିବାବେଳେ ମୋଟ ଜାତୀୟ ସମ୍ପଦରେ ସେମାନଙ୍କ ଭାଗ ୩%କୁ ହ୍ରାସ ପାଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ସମାଜର ତଳର ୫୦% ଲୋକଙ୍କ ଉଭୟ ଆୟ ଓ ସମ୍ପତ୍ତିକୁ ମହାମାରୀ ସଙ୍କୁଚିତ କରିଦେଇଛି ।
ଗତ ଦଶବର୍ଷ ମଧ୍ୟରେ ୪୦.୬% ସମ୍ପତ୍ତି କେବଳ ଉପର ୧% ଧନୀ ଲୋକଙ୍କ ପାଖକୁ ୫୦% ଲୋକଙ୍କ ପାଖକୁ ମାତ୍ର ୩% ସମ୍ପତ୍ତି ଯାଇଛି
ଗତ ଦଶବର୍ଷ ମଧ୍ୟରେ ଦେଶରେ ଯେତିକି ସମ୍ପତ୍ତି ସୃଷ୍ଟି ହୋଇଛି ତା’ର ୪୦.୬% କେବଳ ଉପର ୧% ଧନୀ ଲୋକଙ୍କ ପାଖକୁ ଯାଇଥିବା ବେଳେ ତଳର ୫୦% ଲୋକଙ୍କ ପାଖକୁ ମାତ୍ର ୩% ସମ୍ପତ୍ତି ଯାଇଥିବା ଜଣାପଡ଼ିଛି । ଭାରତର ୨୧ଜଣ ଅମୀରଙ୍କ ପାଖରେ ୭୦କୋଟି ଭାରତୀୟଙ୍କ ମୋଟ ସମ୍ପତ୍ତି ଠାରୁ ବି ଅଧିକ ସମ୍ପତ୍ତି ରହିଛି । ସେହିପରି ୩୦% ଲୋକଙ୍କ ହାତରେ ଦେଶର ମୋଟ ଆୟର ୯୦% ସମ୍ପତ୍ତି ରହିଥିବାବେଳେ ଉପର ୧୦% ଲୋକଙ୍କ ପାଖରେ ୭୨% ସମ୍ପତ୍ତି ଏବଂ ଉପର ୫% ଲୋକଙ୍କ ପାଖରେ ୬୨% ସମ୍ପତ୍ତି ରହିଥିବା କୁହାଯାଇଛି । ମହାମାରୀ ପୂର୍ବ ବର୍ଷମାନଙ୍କ ରହିଥିବା ଅସମାନତା ତୁଳନାରେ ଏହି ହାର ଯଥେଷ୍ଟ ଅଧିକ । ଏଥିରୁ ଗୋଟିଏ କଥା ପ୍ରମାଣିତ ଯେ ମହାମାରୀ ସମୟରେ ଦେଶର ଧନୀମାନେ ପୂର୍ବାପେକ୍ଷା ଆହୁରି ଧନୀ ହୋଇଥିବାବେଳେ ଅଧିକାଂଶ ଦେଶବାସୀ ପୂର୍ବାପେକ୍ଷା ଅଧିକ ଗରିବ ହୋଇଛନ୍ତି । ଦେଶରେ ଗରିବୀ ବଢ଼ିବା ସହିତ ଶହେ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ମାଲିକ (ବିଲିଅନିୟର)ଙ୍କ ସଂଖ୍ୟା ୨୦୨୦ରେ ୧୦୨ ଥିବାବେଳେ ୨୦୨୧ରେ ଏହା ୧୪୨ ଏବଂ ୨୦୨୨ରେ ତାହା ୧୬୬କୁ ବୃଦ୍ଧି ପାଇଛି । ଉପରୋକ୍ତ ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ଦେଶର ଅର୍ଥବ୍ୟବସ୍ଥାରେ ଯେଉଁ ବିକାଶ ହେଉଛି ତା’ର ପୁରା ଲାଭ ସମାଜର ୧% ଅମୀର ଶ୍ରେଣୀକୁ ହିଁ ହେଉଛି ।
ସ୍ୱାଧୀନତା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ମୋଟ ୨୦% ସମ୍ପତ୍ତି ରହିଥିବାବେଳେ ତାହା ଧିରେ ଧିରେ ବୃଦ୍ଧି ପାଇଁ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି
ଭାରତରେ ଆର୍ଥିକ ବୈଷମ୍ୟର ଏହି ଚିତ୍ରଟି ନୂଆ ନୁହେଁ । ସ୍ୱାଧୀନ ହେବା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ମୋଟ ଦେଶର ମୋଟ ୨୦% ସମ୍ପତ୍ତି ରହିଥିବାବେଳେ ତାହା ଧିରେ ଧିରେ ବୃଦ୍ଧି ପାଇଁ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି । ବିଶେଷ କରି ୧୯୯୧ରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ହେବାପରେ ଧନୀ ଅଧିକ ଧନୀ ଓ ଗରିବ ଅଧିକ ଗରିବ ହେବାର ଫଳସ୍ୱରୂପ ସମାଜରେ ଆର୍ଥିକ ଅସମାନତା ଦୃତଗତିରେ ବଢ଼ିବାରେ ଲାଗିଛି । ତେବେ ଆମର ଶାସକମାନେ ଆପଣେଇଥିବା ନବ-ଉଦାର ଆର୍ଥିକ ନୀତି ହିଁ ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ ଭାବେ ଦେଖାଦେଇଛି । ଏହାବ୍ୟତୀତ ଦେଶରେ ଧନୀ ଓ ଗରିବଙ୍କ ଆୟ ତଥା ସମ୍ପତ୍ତିରେ ଏଭଳି ଦୃତ ବୈଷମ୍ୟ ପଛରେ ସାଧାରଣତଃ କିଛି କାରଣକୁ ଚିହ୍ନିତ କରାଯାଇଥାଏ । ତାରି ମଧ୍ୟରେ, ଦେଶରେ ସମ୍ବଳର ଅସମାନ ବଣ୍ଟନ ବା ମାଲିକାନା, କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ସଙ୍କଟ ପରିପ୍ରେକ୍ଷୀରେ କୃଷକଙ୍କ ଆୟହ୍ରାସ, ଦେଶରେ ରହିଥିବା କର୍ପୋରେଟ୍-ସପକ୍ଷବାଦୀ ପ୍ରତିଗାମୀ ଟିକସ ବ୍ୟବସ୍ଥା, ମୁଦ୍ରାସ୍ଫୀତିରେ ଲଗାତାର ବୃଦ୍ଧି, ଶିକ୍ଷା ଓ ଚିକିତ୍ସାର ସୁବିଧାର ସଙ୍କୋଚନ ଓ ମଜୁରୀ ବି ଅସମାନତା ବୃଦ୍ଧିର ଅନ୍ୟତମ କାରଣ ହୋଇଥାଏ ।
କୃଷି ସଙ୍କଟ ବଢ଼ିଛି
ଦେଶର ଜନସଂଖ୍ୟାର ବଡ଼ ଭାଗଟି କୃଷିଉପରେ ନିର୍ଭରଶୀଳ ହୋଇଥିବାରୁ ସେମାନଙ୍କ ଆୟ ଓ ସମୃଦ୍ଧି କୃଷିର ବିକାଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥାଏ । କିନ୍ତୁ ଗତ କିଛି ଦଶକହେଲା କୃଷି ଭିତ୍ତିଭୂମିର ଅଭାବ, ବିହନ, ସାର, କୀଟନାଶକ, ବିଜୁଳି ଓ ପେଟ୍ରୋଲ ଆଦି କୃଷିର ଲାଗୁତି ତଥା ଟ୍ରାକ୍ଟର, ପାୱାର ଟିଲର୍, ମୋଟର ଓ ଥ୍ରେସର ପରି କୃଷି ଯନ୍ତ୍ରପାତିର ଦରରେ ଲଗାତାର ବୃଦ୍ଧି ଏବଂ ସର୍ବୋପରି ବଜାରରେ ଚାଷୀର ଉତ୍ପାଦିତ ଫସଲର ଉପଯୁକ୍ତ ଦର ନମିଳିବା ଫଳରେ ଦେଶରେ କୃଷି ସଙ୍କଟ ବଢ଼ିବା ସହିତ କୃଷକଙ୍କ ଆୟ କମିବାରେ ଲାଗିଛି । ବିଶେଷ କରି କୃଷକଙ୍କ ବର୍ଦ୍ଧିତ ଋଣଭାର ଓ କୃଷିରେ ସରକାରଙ୍କ ବ୍ୟୟବରାଦ କମିବା ଫଳରେ କୃଷି ସଙ୍କଟ ଘନୀଭୂତ ହୋଇ ହଜାର ହଜାର ସଂଖ୍ୟାରେ କୃଷକ ଆତ୍ମହତ୍ୟା କରିବା ଦେଖିବାକୁ ମିଳିଛି । ଅତଏବ କୃଷି କ୍ଷେତ୍ରରେ ସଙ୍କଟର ସମାଧାନ କରି କୃଷକଙ୍କ ଆୟବୃଦ୍ଧି କରିବା ବିନାଦେଶରେ ଆର୍ଥିକ ଅସମାନତାକୁ ଦୂର କରାଯାଇ ନପାରେ ।
ଦେଶରେ ଆର୍ଥିକ ଅସମାନତାର ଅନ୍ୟ ଏକ କାରଣ ରୂପେ ପ୍ରଚଳିତ ଟିକସ ବ୍ୟବସ୍ଥାକୁ ଚିହ୍ନଟ କରାଯାଇଛି । ସରକାରଙ୍କ ବର୍ତ୍ତମାନର ଟିକସ ବ୍ୟବସ୍ଥାଟି ଗରିବବିରୋଧୀ ତଥା ଧନୀ ସପକ୍ଷବାଦୀ । ପୃଥିବୀର ଅନ୍ୟ ଉନ୍ନତ ଦେଶମାନଙ୍କରେ ପ୍ରତ୍ୟକ୍ଷ ଟିକସର ହାର ଅଧିକ ହୋଇଥିବାବେଳେ ଅପ୍ରତ୍ୟକ୍ଷ ଟିକସର ହାରଟି ବହୁତ କମ୍ ରହିଥାଏ । ଆମ ଦେଶରେ ଚିତ୍ରଟି କିନ୍ତୁ ତାର ସମ୍ପୂର୍ଣ୍ଣ ଓଲଟା । ସରକାର ଦେଶର ଧନାଢ଼୍ୟ ଶ୍ରେଣୀ ଉପରେ ପ୍ରତ୍ୟକ୍ଷ ଟିକସର ପରିମାଣକୁ ବଢ଼ାଇ ଗରିବମାନଙ୍କ ଉପରେ ଥିବା ଅପ୍ରତ୍ୟକ୍ଷ ଟିକସକୁ କମାଇବାକୁ ପଦକ୍ଷେପ ନେଇଥିଲେ ସମାଜରେ ଆର୍ଥିକ ଅସମାନତା ଅନେକ ପରିମାଣରେ କମିଯାଇ ପାରନ୍ତା । କିନ୍ତୁ ଏହାର ବିପରୀତ ଧନୀ ଏବଂ କର୍ପୋରେଟ୍ମାନଙ୍କ ଟିକସକୁ ଲଗାତାର କମାଯାଉଥିବା ବେଳେ ଗରିବ ଲୋକଙ୍କଉପରେ ଅଯଥା ଟିକସ ବୋଝକୁ ଲଦିବା ଦେଖାଯାଇଛି ।
ମହାମାରୀର ପୂର୍ବ ବର୍ଷ ହିଁ ସରକାର ଦେଶରେ କର୍ପୋରେଟ୍ ଟିକସର ହାରକୁ ୩୦%ରୁ ୨୨% ହ୍ରାସ କରିଥିଲେ । ନୂଆକରି ବ୍ୟବସାୟ ଆରମ୍ଭ କ୍ଷେତ୍ରରେ ଏହି ହାର ୧୫%କୁ ହ୍ରାସ କରାଯାଇଛି । କର୍ପୋରେଟ୍ ସପକ୍ଷବାଦୀ ଏହି ନିଷ୍ପତ୍ତି ଫଳରେ ସରକାର ମୋଟ ୧.୮୪ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଅନ୍ୟପକ୍ଷରେ କର୍ପୋରେଟ୍କୁ ଦିଆଯାଇଥିବା ଏହି ବିପୁଳ ରିହାତିଜନିତ କ୍ଷତିକୁ ଭରଣା କରିବା ପାଇଁ ସରକାର ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଲଗାତାର ଟିକସର ହାରକୁ ବୃଦ୍ଧି କରିଛିନ୍ତି ଯାହାକି ସିଧାସଳଖ ଭାବେ ଦେଶର ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝକୁ ବଢ଼ାଇଛି । ବିଶେଷ କରି ଜି.ଏସ୍.ଟି ବ୍ୟବସ୍ଥା ଲାଗୁ ହେବା ପରେ ଦେଶରେ ଗରିବଲୋକଙ୍କ ଉପରେ ଟିକସର ଭାର ବଢ଼ିଛି । ସ୍ୱାଧୀନତା ପରେ ପ୍ରଥମଥର ପାଇଁ ସରକାର ଅଟା, ଚୂଡ଼ା, ଚଣା ଆଦି ଖାଦ୍ୟ ପଦାର୍ଥ ଉପରେ ସରକାର ଟିକସ ଧାର୍ଯ୍ୟ କରି ସେସବୁକୁ ଜି.ଏସ୍.ଟି ଭୁକ୍ତ କରିଛନ୍ତି । ସବୁଠାରୁ ବଡ଼କଥା ହେଲା, ଦେଶର ଜନସଂଖ୍ୟାର ସବୁଠାରୁ ଗରିବ ୫୦% ଲୋକ ମୋଟ ଜି.ଏସ୍.ଟି ର ୬୪% ଦେଉଥିବାବେଳେ ୧୦% ସବୁଠାରୁ ଧନୀ ଲୋକମାନେ ମାତ୍ର ୩% ଟିକସ ଦେଉଛନ୍ତି ।
ଦେଶରେ ଆର୍ଥିକ ଅସମାନତାକୁ ରୋକିବା ପାଇଁ ଅକ୍ସଫାମ୍ ପକ୍ଷରୁ ଧନୀକ ଶ୍ରେଣୀ ଉପରେ ଟିକସର ବୋଝକୁ ଲଦିବାକୁ ପରାମର୍ଶ ଦିଆଯାଇଛି
ଦେଶରେ ଆର୍ଥିକ ଅସମାନତାକୁ ରୋକିବା ପାଇଁ ଅକ୍ସଫାମ୍ ପକ୍ଷରୁ ଧନୀକ ଶ୍ରେଣୀ ଉପରେ ଟିକସର ବୋଝକୁ ଲଦିବାକୁ ପରାମର୍ଶ ଦିଆଯାଇଛି । ଯଦି ଦେଶର ବିଲିୟନିଅରମାନଙ୍କଠାରୁ ମାତ୍ର ୧% ସମ୍ପତ୍ତି ଟିକସ ସଂଗ୍ରହ କରାଯିବ ସେଥିରେ ଆସନ୍ତା ତିନିବର୍ଷ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ବାର୍ଷିକ ୨୬,୯୬୦ କୋଟି ଟଙ୍କା) ପାଇଁ ଆବଶ୍ୟକ ଅର୍ଥକୁ ସଂଗ୍ରହ କରିହେବ । ଯଦି ଦେଶର ସବୁଠାରୁ ଧନୀ ଦଶ ଜଣ ବିଲିୟନିୟରମାନଙ୍କ ଉପରେ ୫% ଟିକସ ପକାଯିବ ତାହେଲେ ସେହି ଅର୍ଥରେ ଆସନ୍ତା ୫ବର୍ଷ ପାଇଁ ଦେଶର ଆଦିବାସୀ ଅଞ୍ଚଳରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇହେବ । ଯଦି ଭାରତର ସବୁ ବିଲିୟନିୟରମାନଙ୍କ ଉପରେ ୨% ଟିକସ ଧାର୍ଯ୍ୟ କରାଯିବ ତାହେଲେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଦେଶର ସମସ୍ତ ପୁଷ୍ଟିହୀନତାର ଶିକାର ଲୋକଙ୍କ ପୁଷ୍ଟିହୀନତାକୁ ଦୂର କରିହେବ । ସେହିପରି ଦେଶର ସବୁଠାରୁ ଧନୀ ଶହେ ଜଣଙ୍କ ଉପରେ ମାତ୍ର ୨.୫% ଟିକସ ବସାଯିବ ତାହେଲେ ଦେଶର ଶିକ୍ଷାରୁ ବଂଚିତ ସମସ୍ତ ପିଲାଙ୍କୁ ଉଚ୍ଚମାନର ଶିକ୍ଷା ପାଇଁ ଆବଶ୍ୟକ ୧.୪ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରାଯାଇପାରିବ ଏବଂ ମାତ୍ର ୨% ଟିକସରେ ଦେଶର ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇହେବ ।
ଉପରୋକ୍ତ ହିସାବର ଆଧାରରେ ଅକ୍ସଫାମ୍ କହିବାକୁ ଚାହିଁଛି ଯେ ଦେଶର ସୁପର ଧନୀମାନଙ୍କ ଉପରେ ସାମାନ୍ୟ ମାତ୍ର ଟିକସ ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଅର୍ଥ ଯୋଗାଇହେବ ।ଆର୍ଥିକ ବିକାଶ କେବେ ଜାତି ଓ ଲିଙ୍ଗ ଦେଖିନଥାଏ ବୋଲି ଯେଉଁ ଧାରଣା ରହିଛି, ତାକୁ ରିପୋର୍ଟ ଭୂଲ ପ୍ରମାଣିତ କରିଛି । ଦେଶରେ ଆର୍ଥିକ ଅସମାନତା ସହିତ ଲିଙ୍ଗଗତ, ଜାତିଗତ ଅସମାନତା ବି ସ୍ପଷ୍ଟଭାବେ ରହିଥିବା ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପୁରୁଷର ଆୟ ୧ ଟଙ୍କା ତୁଳନାରେ ମହିଳାଟିଏ ମାତ୍ର ୬୩ ପଇସା ହିଁ ଆୟ କରୁଛି । ଦେଶର ସବୁଠାରୁ ଧନୀ ୧୦୦ ଜଣଙ୍କ ମଧ୍ୟରେ ମାତ୍ର ୭ଜଣ ହିଁ ମହିଳା ଅଛନ୍ତି । ଏପରିକି ଉପରୋକ୍ତ ୭ଜଣ ମଧ୍ୟରୁ ଦୁଇଜଣ ନିଜର ପରିବାରଠାରୁ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ଆହରଣ କରିଥିବା ଜଣାପଡ଼ିଛି । ସେହିପରି ଜଣେ ସବର୍ଣ୍ଣ ଲୋକର ଆୟ ଏକ ଟଙ୍କା ଥିବାବେଳେ ଦଳିତ ଲୋକଟିଏ ମାତ୍ର ୫୫ପଇସା ହିଁ ଆୟ କରୁଛି । ସେହିପରି ଦେଶର ସହରାଂଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକଙ୍କ ଆୟ ଅର୍ଦ୍ଧେକ ରହିଥିବା ଜଣାପଡ଼ିଛି । ଅତଏବ ସମାଜରେ ରହିଥିବା ଅସମାନତାକୁ କେବଳ ଆର୍ଥିକ ଆଧାରରେ ହିଁ ଦେଖାଯାଇ ନପାରେ । ଅସମାନତାକୁ ଦୂର କରିବାକୁ ନୀତି ତିଆରି କଲାବେଳେ ଆମକୁ ଜାତି, ଧର୍ମ, ଲିଙ୍ଗ ଆଦି ଭିତ୍ତିରେ ରହିଥିବା ଅସମାନତାକୁ ବି ସମ୍ବୋଧନ କରିବାକୁ ହେବ ।
ଦେଶରେ ଅସମାନତା ବୃଦ୍ଧି ପଛରେ ଜିନିଷପତ୍ରର ଦରବୃଦ୍ଧି ସହିତ ଶ୍ରମିକଙ୍କ ମଜୁରୀରେ ଲଗାତାର ହ୍ରାସ ବି ଅନ୍ୟତମ କାରଣ ବୋଲି ଜଣାପଡ଼ିଛି
ଦେଶରେ ଅସମାନତା ବୃଦ୍ଧି ପଛରେ ଜିନିଷପତ୍ରର ଦରବୃଦ୍ଧି ସହିତ ଶ୍ରମିକଙ୍କ ମଜୁରୀରେ ଲଗାତାର ହ୍ରାସ ବି ଅନ୍ୟତମ କାରଣ ବୋଲି ଜଣାପଡ଼ିଛି । ଗତ ଶତାବ୍ଦୀର ୩୦ଦଶକରେ ବିଶ୍ୱର ଅର୍ଥନୀତିର ମାନ୍ଦାବସ୍ଥା ସମୟରେ ସରକାରମାନେ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଶ୍ରମିକ ଶ୍ରେଣୀର ମଜୁରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ । କାରଣ ବଜାରରୁ କମ୍ପାନୀଙ୍କ ଶିଳ୍ପଜାତ ଦ୍ରବ୍ୟର ବିକ୍ରୀକୁ ବଢ଼ାଇବାକୁହେଲେ ଲୋକଙ୍କ କ୍ରୟଶକ୍ତିରେ ବୃଦ୍ଧିର ଆବଶ୍ୟକତା ଥିଲା । ଏହିକ୍ରମରେ ବିଭିନ୍ନ ଦେଶରେ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଆଇନ ପ୍ରଣୟନ ହୋଇଥିଲା । କିନ୍ତୁ ଜଗତୀକରଣ ପରେ ଭାରତ ସମେତ ଅନେକ ବିକାଶଶୀଳ ଦେଶରେ ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ନାଁରେ ସରକାର ଜାଣିଶୁଣି ମଜୁରୀକୁ ନ ବଢ଼ାଇ ସ୍ଥିର ରଖିଲେ । ପରିଣାମସ୍ୱରୂପ ସମାଜର ଶ୍ରମଜୀବୀ ଜନତାଙ୍କ ଆୟ କମିବା ସହିତ ସେମାନେ ଅଧିକରୁ ଅଧିକ ଦାରିଦ୍ର୍ୟ ଭିତରକୁ ଠେଲି ହେବାରେ ଲାଗିଲେ । ବର୍ତ୍ତମାନ ଭାରତ ସରକାର ଶ୍ରମକୋଡ଼୍ ନାଁରେ ସର୍ବନିମ୍ନ ମଜୁରୀ ଆଇନ ଓ ଅନ୍ୟ ଶ୍ରମ ଅଧିକାରକୁ ସମାପ୍ତ କରିବାକୁ ଯେଉଁ ଉଦ୍ୟମ କରିଛନ୍ତି, ତାରି ଫଳରେ ଶ୍ରମିକମାନଙ୍କ ଆୟହ୍ରାସ ହେବ ।
ନବଉଦାର ଅର୍ଥନୀତିରେ ସରକାର ପୁଞ୍ଜିର ସ୍ୱାର୍ଥରେ ବିଭିନ୍ନ ସେବାର ଯେଉଁ ଘରୋଇକରଣ କଲେ ତାହା ବି ଆର୍ଥିକ ବିଷମତା ପାଇଁ ଅନେକ ପରିମାଣରେ ଦାୟୀ । ବିଶେଷ କରି ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସାର୍ବଜନିନ ସେବାମାନଙ୍କରେ ବ୍ୟୟବରାଦ ହ୍ରାସ କରିବା ଫଳରେ ସାଧାରଣ ଜନତାଙ୍କ ଖର୍ଚ୍ଚ ବଢ଼ିବା ସହିତ ସମାଜରେ ଦାରିଦ୍ର୍ୟ ଓ ଅସମାନତାକୁ ବଢ଼ାଉଛି । ମାର୍ଚ୍ଚ ୨୦୨୨ରେ ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟରେ ଭାରତର ୭୦% ପରିବାର ଚିକିତ୍ସା ପାଇଁ ଖର୍ଚ୍ଚ କରି ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛନ୍ତି । ଏହାର ପରିଣାମ ସମାଜରେ ହତାଶାରେ ବୃଦ୍ଧି ରୂପେ ଦେଖାଯାଇଛି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ୧୧୫ଜଣ ଶ୍ରମିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।
ଅକ୍ସଫାମର ରିପୋର୍ଟରେ ଭାରତରେ ବିଶ୍ୱର ସବୁଠାରୁ ବେଶୀ ଗରିବ ଲୋକ (୨୨.୭୯ କୋଟି) ରହୁଥିବା ଜଣାପଡ଼ିଛି । ଦେଶରେ ମୃତୁ୍ୟବରଣ କରୁଥିବା ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ୬୫% ଶିଶୁ କୁପୋଷଣର ଶିକାର ହୋଇଥିବା କଥା ଖୋଦ୍ କେନ୍ଦ୍ର ସରକାର ୨୦୨୨ରେ ସୁପ୍ରିମକୋର୍ଟ ସତ୍ୟପାଠ ଜରିଆରେ ଜଣାଇଛନ୍ତି । ଏହାର ଅର୍ଥହେଲା, ଦେଶର ବଡ଼ସଂଖ୍ୟକ ଲୋକ ଏତେ ଗରିବୀ ମଧ୍ୟରେ ରହିଛନ୍ତି ଯେ ସେମାନେ ନିଜର ପିଲାଙ୍କୁ ଆବଶ୍ୟକୀୟ ପୌଷ୍ଟିକ ଖାଦ୍ୟ ଦେବାକୁ ବି ସକ୍ଷମ ନୁହଁନ୍ତି । ଏସୀୟ ଉନ୍ନୟନ ବ୍ୟାଙ୍କ୍ର ଏକ ରିପୋର୍ଟ ଅନୁସାରେ ଭାରତ ପରି ବିକାଶଶୀଳ ଦେଶରେ ମୁଦ୍ରାସ୍ଫୀତିରେ ୧% ବୃଦ୍ଧି ଘଟିଲେ ସମାଜରେ କୁପୋଷଣର ମାତ୍ରାରେ ୦.୫% ବୃଦ୍ଧି ଘଟିଥାଏ ଏବଂ ଶିଶୁ ଓ ବାଳ ମୃତ୍ଯୁ ଦରରେ ବି ୦.୩% ବୃଦ୍ଧି ଘଟିଥାଏ ।
ଭାରତର ସବୁଠାରୁ ଗରିବ ୨୫% ଲୋକ ନିଜ ରୋଜଗାରର ୫୩% କେବଳ ଖାଦ୍ୟପେୟ ବାବଦରେ ହିଁ ଖର୍ଚ୍ଚ କରିଥାନ୍ତି
ଆୟ କମିଲେ ମଣିଷ ତା’ର ଆୟର ସବୁଠାରୁ ବେଶି ଭାଗ ଖାଦ୍ୟପେୟ ବାବଦରେ ହିଁ କରିବାକୁ ବାଧ୍ୟ ହୋଇଥାଏ । ଅତଏବ ଆୟ ସହିତ ମଣିଷର ଖାଦ୍ୟ ସୁରକ୍ଷାଟି ଅଙ୍ଗାଙ୍ଗୀଭାବେ ଜଡ଼ିତ । ବିଶ୍ୱବ୍ୟାଙ୍କ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତର ସବୁଠାରୁ ଗରିବ ୨୫% ଲୋକ ନିଜ ରୋଜଗାରର ୫୩% କେବଳ ଖାଦ୍ୟପେୟ ବାବଦରେ ହିଁ ଖର୍ଚ୍ଚ କରିଥାନ୍ତି । ଅନ୍ୟପଟେ ଉପରର ୨୫% ଲୋକ ନିଜ ଆୟର ମାତ୍ର ୧୨% ହିଁ ଖାଦ୍ୟପେୟ ବାବଦରେ ଖର୍ଚ୍ଚ କରିଥାନ୍ତି । ସରକାର କେବଳ ଖାଦ୍ୟ ସୁରକ୍ଷା ନାଁରେ ମାସିକ ମାତ୍ର ପାଞ୍ଚ କିଲୋ ଚାଉଳ ଦେଇ ନିଜର ଦାୟିତ୍ୱ ସମାପନ କରିପାରିବେ ନାହିଁ । ଦେଶରେ ଅସମାନତାକୁ ଦୂର କରିବାକୁ ହେଲେ ସରକାରଙ୍କୁ ଅନେକ ଗୁଡ଼ିଏ ନୀତିଗତ ପ୍ରସ୍ତାବ ନେବାକୁ ହେବ । କୋଭିଡ଼ ମହାମାରୀ ଏ ଦିଗରେ ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି ଥିଲା । ସରକାର ନିଜର ନୀତି ନେଇ ନୂତନ ଭାବେ ସମୀକ୍ଷା ଏବଂ ବିଚାର କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଲେନାହିଁ ।
ଏଭଳି ଅସମାନତା କୌଣସି ମତେ ଏକ ସୁସ୍ଥ ଏବଂ ସମ୍ପନ୍ନ ଅର୍ଥବ୍ୟବସ୍ଥାର ସୂଚକ ନୁହେଁ
ଦେଶରେ ଆର୍ଥିକ ଅସମାନତାରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଚିନ୍ତାଜନକ । ଆର୍ଥିକ ଅସମାନତାରେ ଅସ୍ୱାଭାବିକ ବୃଦ୍ଧି ସମାଜରେ କେବଳ ଅରାଜକତା ହିଁ ସୃଷ୍ଟି କରିବ । ତେବେ ଏଭଳି ଅସ୍ୱାଭାବିକ ବୃଦ୍ଧି ପାଇବା ଆମର ଆର୍ଥିକ ନୀତିର ବିଫଳତାକୁ ହିଁ ଦର୍ଶାଉଛି । କେବଳ ଦେଶର ଆର୍ଥିକ ବିକାଶ ହେବା ଶେଷ କଥା ନୁହେଁ । ବରଂ ବିକାଶ ସମୁଚିତ ହେବା ଜରୁରୀ । କାରଣ ବିକାଶର ଲାଭ ସମସ୍ତଙ୍କୁ ମିଳିବା ପରିବର୍ତ୍ତେ ମାତ୍ର କିଛି ହାତଗଣତି ଧନୀ ଲୋକ ହିଁ ତା’ର ସୁଫଳ ପାଇବାର ପରିଣାମ ଅତ୍ୟନ୍ତ ବିପଜ୍ଜନକ । ଏଭଳି ଅସମାନତା କୌଣସି ମତେ ଏକ ସୁସ୍ଥ ଏବଂ ସମ୍ପନ୍ନ ଅର୍ଥବ୍ୟବସ୍ଥାର ସୂଚକ ନୁହେଁ ବରଂ ଏକ ଦୁର୍ବଳ ଅର୍ଥବ୍ୟବସ୍ଥାର ଲକ୍ଷଣ ବୋଲି କୁହାଯାଇ ପାରେ । ସମାଜରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ଫସଲ ଉତ୍ପାଦନ କରନ୍ତି, ଭିତ୍ତିଭୂମିର ନିର୍ମାଣ କରୁଛନ୍ତି ଏବଂ କାରଖାନାରେ କାମ କରୁଛନ୍ତି ସେମାନେ ନିଜର ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ହେବେ ଏବଂ ଆଉ କିଛି ହାତଗଣତି ଲୋକଙ୍କ ସମ୍ପତ୍ତି ଓ ଆୟରେ ଆକାଶଛୁଆଁ ବୃଦ୍ଧି ହେବ, ଏହି ବ୍ୟବସ୍ଥା ଯେ ବେଶୀ ଦିନ ଚାଲିବ ନାହିଁ, ଅକ୍ସଫାମ ରିପୋର୍ଟ ଆମକୁ ଏହି ବାର୍ତ୍ତା ଦେଇଛି । ଏହା ସହିତ ସମାଜରେ ଧନୀମାନଙ୍କ ଆୟ ବଢ଼ିଲେ ତାହା ଆପେ ଆପେ ଗରିବ ଲୋକଙ୍କ ପାଖକୁ ବି ଆସିବ ବୋଲି ଆମର ଶାସକମାନେ ଯେଉଁ ତଳକୁ ଖସିବା ବା Trickle Down Theory ର ଅବତାରଣା କରିଥାନ୍ତି ତାହା ବି ଆଜି ଭୂଲ ପ୍ରମାଣିତ ହୋଇଛି । ଅତଏବ ସରକାର କେବଳ ଆର୍ଥିକ ଅସମାନତାକୁ ସ୍ୱୀକାର କଲେ ହେବନି ବରଂ କିପରି ଅସମାନତାକୁ ଦୂର କରିହେବ ସେ ନେଇ ଠୋସ୍ ନୀତି ଆପଣେଇବା ଦରକାର ।
Comments
0 comments