ପ୍ର : ଆପଣ ଜଣେ ଶିକ୍ଷକ ଭାବରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ନେଇ କ’ଣ ଚିନ୍ତା କରୁଛନ୍ତି?
ଉ – ପ୍ରାଥମିକ ମାଧ୍ୟମିକ ଶିକ୍ଷା ଉପରେ କହିବାକୁ ଗଲେ ବର୍ତ୍ତମାନ ଯେଉଁ ଶିକ୍ଷା ବ୍ୟବସ୍ଥା ସର୍ବଶିକ୍ଷା ଅଭିଯାନ ନାଁରେ ଚାଲିଛି ତାକୁ ସର୍ବମୁର୍ଖ ଅଭିଯାନ କହିଲେ ଅତ୍ୟୁକ୍ତି ହେବନାହିଁ । କଥାଟା ଏମିତି ଯେ, ଯାହା ଶିକ୍ଷା ଦିଆଯାଉଛି ବୋଲି ସରକାରୀ ଭାବରେ ଘୋଷଣା କରାଯାଉଛି ସେ କଥା କାର୍ଯ୍ୟକ୍ଷେତ୍ରରେ ଶିକ୍ଷକମାନେ ତାଙ୍କର କାମରେ କରୁନାହାନ୍ତି ଏବଂ ଯେଉଁ ପୁସ୍ତକଗୁଡ଼ିକ ଦିଆଯାଉଛି, ସର୍ବଶିକ୍ଷା ଅଭିଯାନ ଦ୍ୱାରା ସଂସ୍କରଣ କରାଯାଉଛି, ମାଧ୍ୟମିକ ଶିକ୍ଷାବୋର୍ଡ଼ ଦ୍ୱାରା ସଂସ୍କରଣ କରାଯାଉଛି, ସେଥିରେ ଛାତ୍ରମାନଙ୍କ ପାଇଁ ମଧ୍ୟ ଶିକ୍ଷଣୀୟ ଉପାଦାନ ପୂର୍ବଭଳି ନାହିଁ ଏବଂ ବିଶେଷକରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଛାତ୍ରମାନଙ୍କର ସୃଜନଶକ୍ତି ବଢ଼ାଇବା ପାଇଁ ନିଜର ଚିନ୍ତା, କଳ୍ପନା ବଢ଼ାଇବା ପାଇଁ ସେଥିରେ କିଛି ନାହିଁ । କେବଳ ସେଗୁଡ଼ିକ ସୁଆଭଳିଆ ସେମାନେ ଘୋଷିବେ ସେଇଠି ବହିରେ ସେ ଲେଖିଦେବେ ଏବଂ ସେ ଉତ୍ତର ଯେକୌଣସି ପିଲା ଲେଖିଦେଇ ପାରିବ । ଛାତ୍ରର ବୌଦ୍ଧିକ ଚେତନା ଆଣିବା ପାଇଁ ପିଲାମାନଙ୍କର ସୃଜନଶକ୍ତି ବଢ଼ିବା ପାଇଁ ଏବଂ ସିଏ ବଡ଼ ହୋଇ ଶିକ୍ଷାର ମୌଳିକ ଅର୍ଥ ଯାହା ମଣିଷ ତିଆରି କରିବା, ଚରିତ୍ର ଗଠନ କରିବା, ନିର୍ଭିକତା, ସାହସକିତା ଏଭଳି ଗୁଣସବୁ ଆହରଣ କରିବ, ସେସବୁ ବିଷୟରେ ସେ ଶିକ୍ଷାରେ କିଛି ନାହିଁ ।
ପ୍ର : ଏହିଭଳି ଏକ ଶିକ୍ଷା ବ୍ୟବସ୍ଥା ବେଶୀ କାହା କାମରେ ଲାଗୁଛି ବୋଲି ଆପଣ ଭାବୁଛନ୍ତି?
ଉ : ଏହାର ଗୋଟିଏ ଭିତିରି ଉଦ୍ଦେଶ୍ୟ ଅଛି ଯାହା ସାଧାରଣ ଭାବରେ ଶିକ୍ଷକମାନେ ବା ଅଭିଭାବକମାନେ ଜାଣିନାହାନ୍ତି ସେଇଟା ହେଉଛି ଏ ଶିକ୍ଷା ଓଡ଼ିଶାରେ ଅନ୍ତତଃ ଯାହା ଆମେ ଜାଣିବାକୁ ପାଇଛୁ ଏଇଟା ଡି.ଏଫ୍.ଆଇ.ଡି. ଦ୍ୱାରା ପ୍ରୋତ୍ସାହିତ କରାଯାଉଛି ଏବଂ ଏହାର ଆଭିମୁଖ୍ୟ ହେଉଛି ଯେ, ଶିକ୍ଷା ବ୍ୟବସ୍ଥାକୁ ପୁରାପୁରି ଭାଙ୍ଗିଦେବା ଏବଂ ସରକାରୀ ଭାବରେ ଯାହା ଅଛି ଦେଶର ଯେଉଁ ଦାୟିତ୍ୱ ଅଛି ତାକୁ ଭାଙ୍ଗିଦେଇ ଘରୋଇ ଶିକ୍ଷା ବ୍ୟବସ୍ଥାଟାକୁ ଅଧିକ ଦୃଢ଼ିଭୂତ କରିବା ଏବଂ ସେ ଦିଗରେ ଅଭିଭାବକମାନଙ୍କୁ ଉତ୍ସାହିତ କରିବା । ଯେହେତୁ ସରକାରୀ ସ୍କୁଲମାନଙ୍କରେ ଶିକ୍ଷା ଦିଆଯାଉନାହିଁ ଅଭିଭାବକମାନଙ୍କ ପାଖରେ ବିକଳ୍ପ ହେଉଛି ଯେ, ବାହାରେ ଯେଉଁ ସ୍କୁଲ ହେଇଛି ସେଇ ସ୍କୁଲରେ ତାଙ୍କ ପିଲାମାନଙ୍କୁ ସେମାନେ ପଢ଼ଉଛନ୍ତି ଏବଂ ସେଇ ଅବସ୍ଥାରେ କେବଳ ସେହି ଅଭିଭାବକମାନେ ପଠେଇ ପାରୁଛନ୍ତି ଯେଉଁମାନଙ୍କର ପଇସା ବେଶୀ ଅଛି । ସରସ୍ୱତୀ ହେଉ, ଗଣେଶ ହେଉ ବା ଆଉ କିଛି ଦେବୀଦେବତା ହେଉ ଏମିତି ସବୁ ପବ୍ଲିକ ସ୍କୁଲମାନଙ୍କୁ ସେମାନେ ପଠାଉଛନ୍ତି କାରଣ ତାଙ୍କ ପାଖରେ ଅଧିକ ପଇସା ଅଛି । ସରକାରୀ ସ୍କୁଲ ଗୁଡ଼ିକରେ ମଧ୍ୟ ଛାତ୍ରସଂଖ୍ୟା ଅସମ୍ଭବ ଭାବରେ କମିଗଲାଣି । ଏପରିକି ଗୋଟିଏ ଗୋଟିଏ ପ୍ରାଥମିକ ସ୍କୁଲରେ ଯେଉଁଠି ଚାରିପାଞ୍ଚ ଜଣ ଶିକ୍ଷକ ଅଛନ୍ତି ସେଠି ତିରିଶ ଚାଳିଶ ପିଲା ବି ନାହାନ୍ତି । ପୁଣି ଏବେ ବାହାରିଛି ଯେଉଁଠି ଶହେ ଦେଢ଼ଶହ ପିଲା ଅଛନ୍ତି ସେଠି ଗୋଟିଏ ଶିକ୍ଷକ । ଏଭଳି ଭାବରେ ଏକ ଦୟନୀୟ ଅବସ୍ଥାରେ ପ୍ରାଥମିକ ଶିକ୍ଷାଟା ଅଛି ଏବଂ ମାଧ୍ୟମିକ ଶିକ୍ଷା ପୁରାପୁରି ଗୋଟେ ପ୍ରକାର ଦୂରାବସ୍ଥାରେ ଚାଲିଛି, ଯେଉଁମାନଙ୍କର ପଇସା ଅଛି ସେମାନେ ତ’ ଘରୋଇ ସ୍କୁଲ, ପବ୍ଲିକ ସ୍କୁଲରେ ପଢ଼ଉଛନ୍ତି ଯେଉଁମାନେ ସରକାରୀ ସ୍କୁଲରେ ବି ପଢ଼ଉଛନ୍ତି ସେଠି ସ୍କୁଲକୁ ପିଲାମାନେ ଯାଉଛନ୍ତି କାହିଁକି ନା ସେକେଣ୍ଡାରୀ ବୋର୍ଡ଼ ଅଧିନରୁ ସାର୍ଟିଫିକେଟଟା ପାଇବା ପାଇଁକି ସେଠି ସୁଯୋଗ ଅଛି । ତା’ ନହେଲେ ପ୍ରତି ଅଞ୍ଚଳରେ କୋଚିଂ ଫେକ୍ଟେରୀ ସବୁ ହୋଇଛି ।
ଆପଣମାନେ ଯେଉଁଟାକୁ କୋଚିଂ ସେଣ୍ଟର କହୁଛନ୍ତି ମୁଁ ତାକୁ ୨୦ବର୍ଷ ହେଲା କହୁଛି କୋଚିଂ ଫେକ୍ଟେରୀ । ସେହି ସ୍କୁଲର ଶିକ୍ଷକ, ସରକାରୀ ଚାକିରୀ କରୁଥିବା ଶିକ୍ଷକମାନେ ମଧ୍ୟ ସେହି ସେଣ୍ଟରରେ ରହି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଏବଂ କେବଳ ପରୀକ୍ଷା ପାଇଁ ସେମାନଙ୍କୁ ପ୍ରସ୍ତୁତ କରୁଛନ୍ତି । ଫାଷ୍ଟ କ୍ଲାସ, ସେକେଣ୍ଡ କ୍ଲାସ ଏହି ଯେଉଁ ସାର୍ଟିଫିକେଟଟିଏ ପାଇଁ ତାଙ୍କୁ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଚାରିତ୍ରିକ ବା ବୌଦ୍ଧିକ ଉନ୍ନତି ପାଇଁ କୌଣସି କ୍ଷେତ୍ରରେ କୌଣସି କଥା ନାହିଁ । ଯେଉଁ ପବ୍ଲିକ ସ୍କୁଲକୁ ଯାଉଛନ୍ତି ସେଠି ମଧ୍ୟ ସେ କଥାନାହିଁ । ସରସ୍ୱତୀ ସ୍କୁଲକୁ ଯାଉଛନ୍ତି ସେଠି କେବଳ ହିନ୍ଦୁ କଥା ପଢ଼ାଯାଉଛି । ଶାସ୍ତ୍ର କଥା ପଢ଼ାଯାଉଛି, ବେଦ କଥା ପଢ଼ାଯାଉଛି, ଧର୍ମ କଥା ପଢ଼ାଯାଉଛି ଏବଂ ମୁସଲମାନମାନଙ୍କୁ, ଖ୍ରୀଷ୍ଟିଆନମାନଙ୍କୁ କିଭଳି ଘୃଣା କରିବାକୁ ହେବ ସେମାନଙ୍କ ବିଷୟରେ ଦିନକୁ ୫,୧୦ଥର କୁହାଯାଉଛି । ସେଠି ମଧ୍ୟ ଯେଉଁମାନେ ପାଠ ପଢ଼ୁଛନ୍ତି ତାଙ୍କର ଅଭିଭାବକମାନେ ଭାରି ସନ୍ତୁଷ୍ଟ ଯେ, ସେ ଭଲ ପଢ଼ୁଛି ବୋଲି । ସମ୍ବାଦପତ୍ରରେ ବହୁତ ସମୟରେ ମଧ୍ୟ ବାହାରୁଛି ଯେ ସରସ୍ୱତୀ ଶିଶୁ ମନ୍ଦିରର ପିଲା ଫାଷ୍ଟକ୍ଲାସ ଫାଷ୍ଟ ପାଇଛି । କିନ୍ତୁ ସେଇ ଯେଉଁ ପାଠ ସିଏ ପଢ଼ିଛି ସେଇଟା ମଧ୍ୟ ସାର୍ଟିଫିକେଟ ମଧ୍ୟରେ ସୀମାବଦ୍ଧ । କେହି ତାକୁ ଆଉ ଅନ୍ୱେଷଣ କରିନାହାନ୍ତି ଯେ, ତା’ପରେ ସେ କେତେବାଟ କୁଆଡ଼େ ଯାଉଛି । ଯେଉଁ କାରଖାନା ଭଳି ଶିକ୍ଷା ହେଉଛି ମାଟ୍ରିକ ପାଶ୍ କରି କୌଣସି ଜାଗାରେ +୨ପଢ଼ିବ ପଇସା ଖର୍ଚ୍ଚ କରି ସିଏ ଇଞ୍ଜିନିୟରିଂ ପଢ଼ିବ ବା ମେଡ଼ିକାଲ ପଢ଼ିବ ।
ବର୍ତ୍ତମାନ କେବଳ ପିଲାମାନେ ପାଠ ପଢ଼ୁଛନ୍ତି ବା ତାଙ୍କ ଅଭିଭାବକମାନେ ପାଠପଢ଼ଉଛନ୍ତି କେବଳ ଚାକିରୀ ଉଦ୍ଦେଶ୍ୟରେ । ଯେଉଁମାନଙ୍କ ପାଖରେ ପଇସା ନାହିଁ ଶିକ୍ଷା ବ୍ୟବସ୍ଥାଟା ଏଭଳି ଭାବରେ କରାଯାଉଛି ଯେ, ସେ ପିଲା ଆଉ ପାଠ ପଢ଼ିପାରିବେ ନାହିଁ । ସେ ମୁର୍ଖ ହେବେ ଏବଂ ଗାଁରେ ରହିବେ । ଥରେ ଯଦି ପାଠପଢ଼ି ମେଟ୍ରିକ ଯାଏଁ ଟପିଯିବେ କାଳେ ସେମାନେ କୌଣସି ରାଜନୈତିକ ପ୍ରତିଯୋଗିତା ଭିତରେ ସରକାରଙ୍କୁ ପ୍ରଶ୍ନ କରିବେ ବା ବେକାରୀ ସମସ୍ୟା କଥା କହିବେ ବା ତାଙ୍କର ଅଧିକାର ବାବଦରେ ସଚେତନତା ଆସିବ, ସେଥିପାଇଁ ଏହାକୁ ଗୋଟିଏ ଯୋଜନାବଦ୍ଧ ଭାବରେ ବଶ୍ୱବ୍ୟାଙ୍କ ଏବଂ ତାଙ୍କର ଅନ୍ୟାନ୍ୟ ସହଯୋଗୀ ସଂସ୍ଥାମାନଙ୍କ ଦ୍ୱାରା ଏପରି କରାଯାଉଛି, ଯେପରିକି ସେମାନେ ‘ଶିକ୍ଷିତ’ ପଦବାଚ୍ୟ ହେବେନାହିଁ । ଏହିଭଳି ଶିକ୍ଷାକୁ ପୁରାପୁରି ହତ୍ୟା କରାଯାଉଛି ।
ପ୍ର : ଏଭଳି ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତ କ’ଣ ହେବ ବୋଲି ଆପଣ ଭାବୁଛନ୍ତି?
ଉ : ଏ ବ୍ୟବସ୍ଥା ଯଦି ଚାଲୁ ରହେ ଭବିଷ୍ୟତକୁ ସ୍କୁଲଗୁଡ଼ିକ ରହିବନି । ବହୁତ ସ୍କୁଲ ବନ୍ଦ ହୋଇଗଲାଣି । ଏଇ ଭୁବନେଶ୍ୱରରେ ତ’ ଆପଣ ଜାଣୁଥିବେ ଯେ ଗୋଟିଏ ଗୋଟିଏ ପ୍ରାଥମିକ ସ୍କୁଲରେ ଯେଉଁଠି ସାତ, ଆଠ ଜଣ ଶିକ୍ଷକ ଅଛନ୍ତି ସେଠି ଚଉଦ, ପନ୍ଦର ପିଲା ପଢ଼ୁଛନ୍ତି । ଅନ୍ୟ ପିଲାମାନେ ଯାଆନ୍ତି ଅଲଗା ସ୍କୁଲକୁ । ପ୍ରାଇଭେଟ ଏବଂ ପବ୍ଲିକ ସ୍କୁଲରେ ସେମାନେ ପଢ଼ନ୍ତି । ଏ ସ୍କୁଲ ଗୁଡ଼ା ପୁରାପୁରି ବନ୍ଦ କରିଦେବେ ଏବଂ ସ୍କୁଲଗୁଡ଼ା ବନ୍ଦ ହୋଇଗଲେ ପରବର୍ତ୍ତୀ ସମୟରେ ସରକାରୀ ବା ସରକାରୀ ସାହାଯ୍ୟ ପ୍ରାପ୍ତ କଲେଜ ଗୁଡ଼ା ବନ୍ଦ ହୋଇଯିବ । ଆଜି କଲେଜରେ ମଧ୍ୟ ପିଲା ନାହାନ୍ତି । ପି.ଜି.କ୍ଲାସରେ ତ’ ବହୁତ ବିଭାଗ ଖାଲି ପଡ଼ିଛି ଯେଭଳି ରାଜନୀତି ବିଜ୍ଞାନ, ଅର୍ଥନୀତି ଇତ୍ୟାଦି । କୁହାଯାଉଛି ସେଥିରେ ଚାକିରି ମିଳିବନି । ଆମେ ଯେତେବେଳେ ସମୁଦାୟ ଦେଶକଥା କହିବା ଆମେ ଯେଉଁମାନେ ଗରିବ ଲୋକ ଦେଶର ସାଧାରଣ ଲୋକ ତାଙ୍କ ବିଷୟରେ କହିବା । ତାଙ୍କରି ବିଷୟକୁ ଯେତେବେଳେ ଚିନ୍ତା କରାଯାଉଛି, ସେତେବେଳେ ଦେଖାଯିବ ଆସନ୍ତା ଦିନରେ ଦେଶର ସତକଡ଼ା ୭୦ଭାଗ ଲୋକ ବା ପିଲାମାନେ କେବଳ ମୁର୍ଖ ହେବେ । ଗାଁରେ ରହିବେ ।
ଅଧାପାଠୁଆ ହୋଇ ସ୍କୁଲ ଛାଡ଼ିକରି ରହିବେ ଏବଂ ବର୍ତ୍ତମାନ ଯେଉଁ ଶିକ୍ଷିତ ପରିମାଣ ଦେଖାଯାଉଛି ବହୁତ ବଢ଼େଇକରି କୁହାଯାଉଛି ଯେ ୭୦ଭାଗ ୮୦ଭାଗ ଶିକ୍ଷିତ ହେଲେଣି ସେମାନେ କେବଳ ନାଁ ଲେଖି ପାରୁଥିବେ । ଗୋଟେ ସମୟରେ ଥିଲା ଶିକ୍ଷିତ କହିଲେ ପ୍ରାଥମିକ ଶିକ୍ଷା ଶେଷ କଲେ ତାକୁ ଶିକ୍ଷିତ କୁହାଯାଉଥିଲା । ଏବେ ୩୦- ୪୦ ବର୍ଷ ତଳେ ଯିଏ ଗୋଟେ ପ୍ରାଥମିକ ଶିକ୍ଷା ପଢ଼ିଥିଲା ବା ତୃତୀୟ ଶ୍ରେଣୀରେ ପାଶ କରିଥିଲା ତା’ର ଯେଉଁ ସାହିତ୍ୟର ଜ୍ଞାନ, ତା’ର ଯେଉଁ ଗଣିତର ଜ୍ଞାନ, ତା’ର ଯେଉଁ ରଚନାର ଜ୍ଞାନ ତାହା ମଧ୍ୟ ଆଜି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପିଲାର ନାହିଁ ।
ସେତେବେଳେ ତାକୁ ଶିକ୍ଷିତ ବୋଲି କୁହାଯାଉଥିଲା । ବର୍ତ୍ତମାନ ଯଦି ଶିକ୍ଷିତ ବୋଲି କୁହାଯିବ ତା’ହେଲେ କମସେ କମ୍ ମେଟ୍ରିକୁଲେଟ୍ ହେବା ଦରକାର । ସେ ହିସାବକୁ ନେଲେ ଓଡ଼ିଶାରେ ମୋଟେ ୧୦ଭାଗ ଲୋକ କିମ୍ବା ୧୫ଭାଗ ଲୋକ ଏବଂ ଭାରତରେ ୧୫ରୁ ୨୦ଭାଗ ଲୋକ ଶିକ୍ଷିତ ଅଟନ୍ତି ।
ପ୍ର : ଆପଣ ଜଣେ ଶିକ୍ଷକ ଭାବରେ ଯାହା ପଢ଼ଉଥିଲେ ତାକୁ ନିର୍ଦ୍ଧାରଣ କରିବାରେ ଆପଣଙ୍କର ଭୂମିକା କ’ଣ ଥିଲା?
ଉ : ହଁ, ଠିକ କହିଲେ । ଏଇଟା ଗୋଟେ ବଡ଼ ପ୍ରଶ୍ନ । ଆମେ ବା ଆମ ଉପରେ ସେ କୋର୍ସ ବହିର କଟକଣା ନଥିଲା । ଆମେ ଆମର ନିଜର ଭାବନା ଭିତରେ ନିଜର ବୁଝାମଣା ଭିତରେ ପିଲାର ଯେଉଁଟା ଅଧିକ ଦରକାର ସେଥିପାଇଁ ଆମେ ପଢ଼େଇ ପାରୁଥିଲୁ ଏବଂ ସେହି ୪୦ମିନିଟ୍ ଭିତରେ ମୁଁ ଯେତେବେଳେ ପଢ଼ାଏ ମୁଁ ୨୫ମିନିଟ ସେହି ପାଠ ପଢ଼ାଏ, ସେହି ପାଠରେ କ’ଣ ଭୁଲ ଅଛି ଆଉ ୧୫ମିନିଟ ମଧ୍ୟ ସେଇଠି କହେ । ପ୍ରକୃତ କଥାଟା କ’ଣ ପିଲାମାନଙ୍କୁ ଆମେ ସୂଚେଇ ଦେଇଥାଉ । ସେଇଟା ସମସ୍ତେ କରିପାରନ୍ତି ନାହିଁ । ସେମିତି କରିବା ପାଇଁ ସାହସ ଦରକାର, କେତେବେଳେ ହେଡ଼ମାଷ୍ଟ୍ରେ, କେତେବେଳେ ଇନିସପେକ୍ଟର ଆସିବେ । ପଚାରିବେ ଆପଣ ଇଏ କ’ଣ ପଢ଼ଉଛନ୍ତି? ପଚାରିଛନ୍ତି ମୋତେ କେତେଥର? ଅନେକ କଥା ପାଠ ଭିତରେ ଲୁଚିକରି ରହିଛି ଯେଉଁଟାକି ପିଲାମାନଙ୍କୁ ପରେ କୌଣସି ସାହାଯ୍ୟ କରିବନି ଏବଂ ପିଲାଙ୍କୁ ଭୁଲ ବାଟରେ ନେବ । ତେଣୁ ସେଇଟା ଯେତେବେଳେ ଆମେ ଜାଣୁଛେ ଆମେ ସେଇଟା କହିଲୁ ।
ବହି ଭିତରେ ଯାହା ଅଛି ଖାତାରେ ଲେଖିବା ପାଇଁ ପାଶ୍ କରିବା ପାଇଁ ଅଛି । ଆମ ବହିରେ ଅଛି ପ୍ରାର୍ଥନା, ଭଗବାନଙ୍କ ବିଷୟରେ କୁହାଯାଇଛି । ପିଲାଙ୍କୁ ସେ ବାବଦରେ ନିଜେ ବୁଝିଲାଭଳି ଜ୍ଞାନ ନାହିଁ ସେ ତେଣୁ କିଛି ମନେ ରଖୁନାହିଁ । ପିଲାଙ୍କୁ ଆମେ ନିର୍ଭିକ ଭାବରେ କହିବା ତମ ବୁଝାମଣାରେ ଯାହା ବୁଝୁଛ ସେହିଭଳି ତମେ ସ୍ୱାଧୀନ ଚିନ୍ତା କର ଏଭଳି ଭାବନାଟା ଦେବାରେ ଅସୁବିଧା କ’ଣ? ଇତିହାସରେ ଆମ ବେଳେ ଖାଲି ଯୁଦ୍ଧ କଥା ଥାଏ । କାହିଁକି ଯୁଦ୍ଧଟା ଖାଲି ପଢ଼ିବେ ଆଉ କ’ଣ ଯୁଦ୍ଧ ଛଡ଼ା ଶାନ୍ତି କଥା ନଥିଲା, ଅନ୍ୟକଥା କିଛି ନଥିଲା?
ଆମକୁ ଯେତିକି ଜଣାଥାଏ ଆମେ ସେ କଥା ବି କହୁ । କିନ୍ତୁ ଏବେ ସେ ରୂପଟାକୁ ବଦଳେଇଛନ୍ତି । ଯେଉଁ ସମୟରେ ଯେଉଁ ସରକାର ଆସିଛନ୍ତି ନିଜର କାର୍ଯ୍ୟକ୍ରମଗୁଡ଼ିକୁ ସେ ଭିତରେ ପୁରେଇ ଦେଇଛନ୍ତି । ତାକୁ କିମ୍ଭୁତ କିମ୍ଭାକାର କରିଦେଇଛନ୍ତି । ଯେମିତିକି ଆଜି ସେମାନେ କରିଛନ୍ତି ଭଗତ ସିଂ ଜଣେ ସନ୍ତ୍ରାସବାଦୀ ଥିଲେ । କେଉଁଠି କେଉଁଠି ସୁବାସ ବୋଷ ଜଣେ ସନ୍ତ୍ରାସବାଦୀ ଥିଲେ । ଏଇଟା ଯଦିବି ଭୂଲରେ ଲେଖାଯାଉଛି ସେହି ଗୋଟାକ ବି ଶିକ୍ଷକ ମାନେ ପଢ଼ଉଛନ୍ତି । ପ୍ରଶ୍ନ ବି ସେମିତି ପଡ଼ୁଛି । ଶିକ୍ଷକ ନିର୍ଭିକ ଭାବରେ ସେଠି କହିପାରୁ ନାହାଁନ୍ତି ନାଁ ଏଇଟା ଭୂଲ । ଭଗତ ସିଂ ଜଣେ ଦେଶପ୍ରେମୀ ଥିଲେ ଜଣେ ବିପ୍ଳବୀ ନେତା ଥିଲେ । ସେ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଦୂତ ଥିଲେ । ଏକଥା କହିବାରେ ଆମର ଅପରାଧ କ’ଣ? ଏଭଳି କଥା ନିର୍ଭିକ ଭାବରେ କେହି କହିପାରନ୍ତି ନାହିଁ । କିନ୍ତୁ ମୁଁ ଏକଥା କହିଛି ।
ପ୍ର : ବର୍ତ୍ତମାନ ସମୟରେ କେଉଁଭଳି ଶିକ୍ଷା ଦରକାର ବୋଲି ଆପଣ ଭାବୁଛନ୍ତି?
ଉ : ବର୍ତ୍ତମାନ ଅଭିଭାବକମାନେ ବେଶି ବଜାରରେ ଚାହିଦା ଥିବା ଶିକ୍ଷା ଆଡ଼କୁ ଆଗ୍ରହୀ । ୨ବର୍ଷ ୨୧/୨ ବର୍ଷର ପିଲାକୁ ସ୍କୁଲକୁ ଛାଡ଼ିଦେଉଛନ୍ତି । କିନ୍ତୁ ମୋର ଭାବନା ହେଉଛି ଯେ, ଯେକୌଣସି ପରିବାରର ସେ ଧନିକ ପରିବାରର ହେଉ ବା ଗରିବ ଶ୍ରେଣୀର ପରିବାରର ହେଉ ତା ପିଲା ପାଞ୍ଚବର୍ଷ ପର୍ଯ୍ୟନ୍ତ କୌଣସି ସ୍କୁଲକୁ ଯିବାକଥା ନୁହେଁ । ସେ ପରିବାରରୁ ପାଠ ପଢ଼ିବ । ଆମେ ସେମିତି ବଢ଼ିଥିଲେ ଆମ ପିଲା ବି ସେମିତି ପାଞ୍ଚବର୍ଷ ଯାଏଁ ପରିବାରରେ ପଢ଼ିଥିଲେ । ଆମ ପିଲା ତ ଏମିତି କାହିଁକି ମୁର୍ଖ ହେଇନାହାନ୍ତି? ଆମର ସେହି ସମୟରେ ଯେଉଁ ପିଲାସବୁ ୫ବର୍ଷ ୬ବର୍ଷରେ ସ୍କୁଲକୁ ଯାଉଥିଲେ ସେ ତ’ ଏମିତି କେଉଁଠି ସମାଜରେ ପଛେଇଯାଇ ନାହାନ୍ତି । ତେଣୁ ଶିକ୍ଷାଟାକୁ ଗୋଟେ ବ୍ୟବସାୟରେ ପକେଇଦେବା ସକାଶେ ସମସ୍ତେ କେବଳ ଦୋକାନ ଖୋଲିବା ଭଳି ବିଭିନ୍ନ ଶିକ୍ଷା ସଂସ୍ଥା କରିଛନ୍ତି ଏବଂ ସେ ଦୋକାନକୁ ଯିଏ ଯିବ ସଉଦା କରିବ ପଇସା ଦେବ । ୫ବର୍ଷ ପର୍ଯ୍ୟନ୍ତ ପିଲା ସ୍କୁଲକୁ ଯିବା ଉଚିତ ନୁହେଁ । ସରକାର ଯେଉଁ ପ୍ରକାରରେ ଶିଶୁ ଶ୍ରେଣୀଟାକୁ ଉଠେଇ ଦେଇଛନ୍ତି ଇଏ ଗୋଟେ ମାରାତ୍ମକ କଥା । ମୁଁ ତ’ କହିବି ଯେ ଶିଶୁଶ୍ରେଣୀଟା ପୁଣିଥରେ ଆରମ୍ଭ ହେବାକଥା । ୫ବର୍ଷର ପିଲା ଯାଇ ୫ବର୍ଷରୁ ୬ବର୍ଷ ସେ ଶିଶୁ ଶ୍ରେଣୀରେ ପଢ଼ିବ । ତେଣିକି ପ୍ରଥମ, ଦ୍ୱିତୀୟ ପଢ଼ିବ ଏବଂ ସେହି ପାଠରେ ଶିକ୍ଷକମାନଙ୍କୁ ଏହିଭଳି ପ୍ରଶିକ୍ଷଣ ଦିଆଯାଉ ଯେପରିକି ପିଲାମାନଙ୍କୁ ସେ ବହିରୁ କିଛି ପଢ଼େଇବା ସହିତ ପିଲାମାନଙ୍କର ସନ୍ଦେହ ଧର୍ଯ୍ୟର ସହିତ ଦୂର କରିବା ପାଇଁ ଚେଷ୍ଟା କରିବେ ।
ପିଲା କେଉଁ ବାବଦରେ ପ୍ରଶ୍ନ ପଚାରୁଛନ୍ତି ବା କ’ଣ ସେମାନେ ଜାଣିବାକୁ ଚାହୁଁଛନ୍ତି – ଏ ସୁଯୋଗ ସେମାନଙ୍କୁ ଦେବା ଦରକାର । ବହୁତ ଶିକ୍ଷକ ଭାରି ବିରକ୍ତ ହୋଇଯାଆନ୍ତି ଯେ କ’ଣ ପିଲାଟା ପଚାରୁଛି । ବସ କାହିଁକି ତତେ କହିବି ବସ – ଏମିତି କହନ୍ତି । ଏହି ପ୍ରକାର ଶିକ୍ଷା ବର୍ତ୍ତମାନ ବି ଚାଲିଛି । ଛାତ୍ରର ମୌଳିକତାଟା ମୂଳରୁ ସେଠି ମାରିଦିଆଯାଉଛି । ଫୁଲଟା ଫୁଟିବା ବେଳକୁ ଦଳିଦେଇ ଚକଟି ଦେବା ଯାହା ପିଲାଟାକୁ ଏହିଭଳି ଭାବରେ ବ୍ୟବହାର କରିବା ସମାନ କଥା । ସେଇଠି ସେ ଭୟ କରିଯାଉଛି । ମାଷ୍ଟରଙ୍କୁ ସେ ଭୟ କରିଯାଉଛି ଶିକ୍ଷାକୁ ଭୟ କରିଯାଉଛି । ସେଇଥି ପାଇଁ ଶିକ୍ଷକମାନଙ୍କଠାରୁ ତ’ ଏକଥା ଆଶା କରାଯିବ ନାହିଁ । ସେମାନଙ୍କର ତ’ ସରକାରୀ ଚାକିରୀ ନିୟନ୍ତ୍ରଣ ଭିତରେ ଅଛି ଏବଂ ଯେଉଁ ସରସ୍ୱତୀ ସ୍କୁଲ କଥା ମୁଁ କହୁଛି ସେମାନେ ତ’ ପୁରାପୁରି ଅଲଗା । ସରସ୍ୱତୀକୁ ଯେଉଁ ପିଲାଟି ଯାଉଛି ସେ ସକାଳୁ ଘରୁ ଗଲାବେଳେ ବାଟଯାକ ମୁଣ୍ଡିଆ ମାରିକି ଯାଉଛି । ସିଏ ବି ଗୋଟେ ମେସିନ୍ ଭଳି ତିଆରି ହେଇଯାଉଛି । ମାଦ୍ରାସା ସ୍କୁଲରେ ବି ସେଇଆ ହେଉଥିବ, ଖ୍ରୀଷ୍ଟିଆନ ସ୍କୁଲରେ ମଧ୍ୟ ସେଇଆ ହେଉଥିବ । ତେଣୁ ଧର୍ମ କଥା ଶିକ୍ଷା ଦେବା ସ୍କୁଲରେ ପୁରାପୁରି ଖୋଲା ରହିବା ଦରକାର, ଛାତ୍ରର ବିଚାର ଭିତରେ ସେଇଟା ରହିବା ଦରକାର । ସେ ଚାହିଁଲେ କରିପାରେ ନ ଚାହିଁଲେ ନ କରିପାରେ, ତା’ ପାଇଁ କୌଣସି ବାଧ୍ୟ ବାଧ୍ୟକତା ରହିବ ନାହିଁ ।
ସାହିତ୍ୟ ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି ସେଥିରେ କୌଣସି ପିଲା ମେଟ୍ରିକ୍ ପାଶ କଲା ପରେ ମଧ୍ୟ ଦୁଇଧାଡ଼ି ଲେଖିପାରୁନି । ଗୋଟେ ଚିଠି ଲେଖିପାରୁନି । ସେ ସୁଯୋଗ ମଧ୍ୟ ପ୍ରାଥମିକ ଶ୍ରେଣୀରୁ ନାହିଁ । ଦ୍ୱିତୀୟ, ତୃତୀୟଠୁ ପିଲା ଗପ ଲେଖୁଥିଲା । କୁଆ କଥା ଲେଖୁଥିଲା । ଶବ୍ଦଗୁଡ଼ିକ ଗୋଳମାଳିଆ କରି ଦିଆଯାଉଥିଲା କୁହାଯାଉଥିଲା ସଜେଇକି ଲେଖ । ଏବେ କିଛି ନାହିଁ । ପିଲା ରଚନା ଲେଖିବ ନାହିଁ । ପିଲା ସରଳାର୍ଥ ଲେଖିବ ନାହିଁ, ଏସବୁ କଥା ପାଇଁ ତା’ର ସୁଯୋଗ ବି ନାହିଁ । ତେଣୁ ତା’ର ସାହିତ୍ୟର ଭାବନା କେଉଁଠୁ ଆସିବ? ଗଣିତ ବହି ଗୋଟେ ଅଛି ସରକାରଙ୍କର ଯାହାକି ଏପର୍ଯ୍ୟନ୍ତ ଚାଲିଛି । ପ୍ରଶ୍ନ ହେଉଛି ପିଲାକୁ – ଗାଈର ଚିତ୍ର ଦିଆଯାଇଛି ୫ଟି ବାଛୁରି ଗୋଟିଏ ଗୋଟିଏ ତା ପାଖରେ ଦିଆଯାଇଛି । ସେଥିରେ ଅଛି ଗାଈର ଦାମ୪୦୦, ବାଛୁରିର ଦାମ୨୦୦, ଗାଈର ଦାମ ୮୦୦, ବାଛୁରିର ଦାମ ୧୦୦ । ଏହିଭଳି ଭାବରେ ଦିଆଯାଇଛି ଏବଂ ତା’ପରେ ପ୍ରଶ୍ନ ଅଛି ଜଣେ ଦୁଇଟି ଗାଈ କିଣିଲା ଗୋଟିଏ ବାଛୁରି କିଣିଲା ସେ କେତେ ପଇସା ଦେବ?
ମୁଁ ତ’ ଗୋଟିଏ ଚିଠି ଲେଖିଥିଲି ଏଥିପାଇଁ ଖବରକାଗଜରେ ବାହାରିଥିଲା ସେଇଟା ଯେ ଭାରତବର୍ଷରେ କି ପୃଥିବୀରେ କେଉଁଠି ଗାଈ ବାଛୁରି ଅଲଗା ମୂଲ୍ୟ ହୁଅନ୍ତି ଏଭଳି କଥା ତ ନାହିଁ । ଯିଏ ପ୍ରଶ୍ନ କରିଛନ୍ତି ବହି ତିଆରି କରିଛନ୍ତି ତାଙ୍କର ଗାଈ ବାଛୁରି ବାବଦରେ ସର୍ବନିମ୍ନ ଜ୍ଞାନ ନାହିଁ । ଏହିଭଳି ବହୁ ଅବାସ୍ତବ ପ୍ରଶ୍ନ ସେମାନେ କରିଛନ୍ତି । ସବୁ ସରକାରିଆ ହେଇଯାଇଛି । ଯିଏ ଲେଖୁଛନ୍ତି ତାଙ୍କର ବାସ୍ତବ ଜ୍ଞାନ କିଛି ନାହିଁ । ଯେଉଁ ବହିଗୁଡ଼ିକ ଦିଆଯାଉଛି ସେଗୁଡ଼ିକ କୌଣସି ସମୟରେ ଛାତ୍ରମାନଙ୍କ ପାଇଁ ଉପଯୋଗୀ ନୁହେଁ । ପ୍ରାଥମିକ ଶିକ୍ଷା ପାଇଁ ଏଇଟା ଗୋଟେ ବଡ଼ କଥା । ମାଧ୍ୟମିକରେ ଗୋଟେ ବହୁତ ବଡ଼ ଅସୁବିଧା ଆସିଛି ଗଲାବର୍ଷଠାରୁ । ଆଗରୁ ସମସ୍ତେ ଗଣିତ, ବିଜ୍ଞାନ ଏକାଠି ପଢ଼ୁଥିଲେ, ସେଥିରୁ ଯେଉଁମାନେ ନମ୍ବର ରଖୁଥିଲେ +୨ରେ ନାମ ଲେଖାଉଥିଲେ । କିଏ ଗୋଟେ ଭଲ ନମ୍ବର ରଖି ସେହିଭିତରୁ ବିଜ୍ଞାନ ପାଠ ପଢ଼ୁଥିଲା । ଏବେ ଗୋଟେ ଚାଲାଖି କରିଦେଲେ କ’ଣ ନା ଏତେ ଲୋକ ବିଜ୍ଞାନ ପଢ଼ିବା ଦରକାର ନାହିଁ । ପାଶ୍ କଲେ ଚାକିରୀ ଖୋଜିବେ । ତେଣୁ ଗଣିତ ସ୍ୱେଚ୍ଛାକୃତ କରିଦେଲେ । ତା’ ସାଥିରେ ଅନ୍ୟ ସ୍ୱେଚ୍ଛାକୃତ ପାଠ୍ୟକ୍ରମରେ ଦେଇଛନ୍ତି ସଂସ୍କୃତ, ହିନ୍ଦି, କୃଷିବିଜ୍ଞାନ । ଏଭଳି ପାଠ୍ୟକ୍ରମ ଦେଇଛନ୍ତି । ତେଣୁ ପିଲା ଯେଉଁମାନେ ଟିକେ ଅଙ୍କରେ କମ୍ ଅଛି । କମ୍ ତ ଦୂରର କଥା ବାପା କହୁଛି ନମ୍ବର କେଉଁଥିରେ ଅଧିକ ରଖିବ । ଅଙ୍କ ପଢ଼ିଲେ ୭୦ ରଖିବ, ସଂସ୍କୃତ ପଢ଼ିଲେ ୯୦ରଖିବ । ଫାଷ୍ଟ ଡିଭିଜନରେ ପାଶ୍ କରିବ । ଏ ପ୍ରକାରରେ ଉପରକୁ ପିଲା ଯିବାପାଇଁ କି ବିଜ୍ଞାନ ବିଭାଗରେ ପଢ଼ିବା ପାଇଁ ପିଲା ତଳୁ ବଛା ହୋଇଗଲେ ଏବଂ ସମୁଦାୟ ଚେଷ୍ଟା ପ୍ରଚେଷ୍ଟାଟା ହେଉଛି ଯେ, ଗ୍ରାମାଞ୍ଚଳର ପିଲା ଅଧିକ ପଢ଼ିବେ ନାହିଁ । ତାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେପ୍ରକାର କୌଶଳ ଥାଇପାରେ ତାକୁ କରାଯାଉଛି । ଗୋଟେ କୃଷିବିଜ୍ଞାନ ବୋଲି ପାଠ ଅଛି । କୃଷି ବିଜ୍ଞାନର ବହି ନାହିଁ ଶିକ୍ଷକ ନାହାନ୍ତି । ଶିକ୍ଷକ ସବୁଥିରେ ରଖିପାରୁ ନାହାନ୍ତି ପଇସାପତ୍ର ନାହିଁ । ସେ ଗୋଟେ କଥା ଅନ୍ତତଃ ଶିକ୍ଷକଙ୍କୁ କୃଷି ବାବଦରେ ପ୍ରଶିକ୍ଷଣ ତ’ ଦିଆଯାଇ ପାରିବ । ମାସେ ଦୁଇମାସ ଲେଖାଏଁ ଟ୍ରେନିଂ ଦେଇହେବ । ସେସବୁ ନାହିଁ । ସେସବୁ ନଥିବା ଭିତରେ କୃଷି ବିଜ୍ଞାନ ପଢ଼ାଯାଉଛି । ସ୍କୁଲରେ ବଗିଚାପାଇଁ ଯାଗା ନାହିଁ ।
ପିଲା କୌଣସି ଯାଗାରେ କୃଷିକାର୍ଯ୍ୟ ଦେଖିବା ଭଳିଆ ବ୍ୟବସ୍ଥା ବି ନାହିଁ । ସେଇଥିରେ ସେ ଯାହା କରିବ । ମାଷ୍ଟର ଯିଏ ମଧ୍ୟ ତାଙ୍କର କୃଷି ବାବଦରେ କୌଣସି ଧାରଣା ନାହିଁ । ସେଇଥିରେ ସେ କ’ଣ ପଢ଼ାଇବ, ପରୀକ୍ଷା ବି ଦେବ । ତା’ର ମଧ୍ୟ ବାହାରିଛି ଏମ୍.ବି.ଡ଼ି. । ଘୋଷିବ ଏମ୍.ବି.ଡ଼ି. ପ୍ରଶ୍ନ ବି ସେହି ଅନୁସାରେ ପଡ଼ୁଛି । ଏହିଭଳି ଯେଉଁ ଘଟଣା ହେଇଛି ତା’ର ମଧ୍ୟ ଅଭ୍ୟାସଗତ ଅଛି । ସେ କ’ଣ ଜାଣିଛନ୍ତି ପରୀକ୍ଷା କରିବେ? ସେ କ’ଣ ମୃତ୍ତିକା ପରୀକ୍ଷା ଜାଣିଛନ୍ତି, ନାଁ ମଞ୍ଜିରୁ କେମିତି ଗଜାଟିଏ ହୁଏ ସେ ବିଷୟରେ ପିଲା ଜାଣିଛନ୍ତି- ଯେଉଁ ବିଷୟଟି ରଖିଛନ୍ତି ଯଦି ଭଲରେ କରନ୍ତେ ତା’ହେଲେ ଫଳପ୍ରଦ ହୁଅନ୍ତା । ଯେତେବେଳେ କୃଷିକୁ କେହି ଯାଉନାହାନ୍ତି ବୋଲି ସବୁଆଡ଼େ ଶବ୍ଦ ଉଠୁଛି ପିଲା ପଢ଼ିବାକୁ ଆସୁଛନ୍ତି ଏଭଳି ପାଠକୁ ନିଶ୍ଚୟ କିଛି ଲୋକ ଆଦର କରନ୍ତେ । କିନ୍ତୁ ସେଇଟା ଗୋଟେ ଯୋଜନାବଦ୍ଧ ଭାବରେ ହେଇଛି ଯେ ଆମେ କୃଷିଟାକୁ ଦେଲୁ, ପରୀକ୍ଷା ବି କଲୁ ଏବଂ ଭିତର କଥା ହେଲା ପିଲା ନଶିଖୁ । ପିଲା ଯଦି ଶିଖିବେ କାଳେ କିଛି ଲୋକ କୃଷିରେ ରହିଯିବେ ପୁଣି କୃଷିପାଇଁ ଯେଉଁ ବ୍ୟବସ୍ଥା ହେଉଛି ସେଠି କୃଷି କମ୍ପାନୀମାନଙ୍କୁ ଦିଆଯାଉଛି । କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ଘରୋଇକରଣ କରାଯାଇ କମ୍ପାନୀ ମାନଙ୍କୁ ଦିଆଯିବ । ଗୁଡ଼ିଏ ପିଲା ଯଦି କୃଷି ଜାଣିଥିବେ କୃଷିରେ ରହିଯିବେ । ଚାକିରୀ ବାକିରୀତ ପାଉନାହାନ୍ତି । ଦେଖିଲେ ଜମି ଅଛି ବାପାର । ଦୁଷ୍ଟ ବୁଦ୍ଧି ପ୍ରୟୋଗ କରି ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସେମାନେ କମ୍ପାନୀମାନଙ୍କୁ ସାହାଯ୍ୟ କରିବା ପାଇଁ ୱାର୍ରଲ୍ଡ ବ୍ୟାଙ୍କ ଓ ଡ଼ିଏଫ୍ଆଇଡ଼ି ଭଳି ସଂସ୍ଥାର କଥାରେ ପରିଚାଳିତ ହୋଇ ଶିକ୍ଷାଟାକୁ ଧ୍ୱଂସ କରୁଛନ୍ତି । ଧ୍ୱଂସମୁଖୀ ଶିକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ପ୍ର : ମଣିଷର ଜୀବନ ଜୀବିକା ଏବଂ ଜୈବବିବିଧତା ଠାରୁ ଶିକ୍ଷାକୁ ଅଲଗା କରି ଦେଖିହେବ କି?
ଉ : ଜୀବନ ଜୀବିକା ଓ ଜୈବ ବିବିଧତା ଏହାଠାରୁ ଅଲଗା କରି ଶିକ୍ଷା କଥା ଚିନ୍ତା ହିଁ କରାଯାଇପାରିବ ନାହିଁ । ଶିକ୍ଷା କ୍ଷେତ୍ରରେ ଯାହାଭି ଜ୍ଞାନ ହେଉ ମଣିଷର ପ୍ରଥମ କଥା ଜୀବନ ଜୀବିକା । ଜୀବନ ଜୀବିକା ମାନେ ନୁହେଁ ଖାଲି ଚାକିରୀଟେ । ସମସ୍ତଙ୍କୁ ଚାକିରୀତ ମିଳି ପାରିବନି, ମିଳିବା ବି ଉଚିତ ନୁହେଁ । ଯେଉଁ ଜୀବନ ଜୀବିକା ଯେଉଁ ସ୍ତରରେ ଯେଉଁଠି ଅଛି ମଫସଲରେ ଥିଲେ ତା’ପାଖରେ କୃଷି ଅଛି, କୃଷିଜାତ ଛୋଟ ଛୋଟ ଶିଳ୍ପ କଥା ଅଛି । ସହରରେ ଥିଲେ ମଧ୍ୟ କିଛି ବ୍ୟବସାୟ ଅଛି । ସେ ଜୀବିକା ସ୍ୱାଧୀନ ଭାବରେ କରିପାରିବା ଦରକାର । ଜୀବନ ଜୀବିକା ତ ଗୋଟେ ବଡ଼ କଥା । ଜୈବବିବିଧତା ବା ପ୍ରକୃତିକୁ ଛାଡ଼ିକରି ସେ ଶିକ୍ଷା ହେବ ନା ରାଜନୀତି ହେବ ନା କିଛି ହେବ । ଜୈବବିବିଧତା ମାନେ ପ୍ରକୃତି । ପ୍ରକୃତିଟାକୁ କଳେବଳେ ଧ୍ୱଂସ କରି ଯେଉଁ ଶିକ୍ଷା କଥା କୁହାଯିବ ସେ ଶିକ୍ଷା କେବେ ଶିକ୍ଷା ହେବନାହିଁ । ୫୦ବର୍ଷ ତଳେ ଶିକ୍ଷା କଥା ଏତେ ବିସ୍ତୃତ ନଥିଲା ବୋଲି ସରକାରଙ୍କ ଧାରଣା । ସେତେବେଳେ ଚାହାଳି ଥିଲା, ଚାଟଶାଳି ଥିଲା କିନ୍ତୁ ସେତେବେଳେ ପ୍ରକୃତି ପର୍ଯ୍ୟବେକ୍ଷଣ ବୋଲି ଗୋଟିଏ ବିଷୟ ଥିଲା । ପିଲାମାନଙ୍କୁ କୁହାଯାଉଥିଲା, ‘କେତେ ପ୍ରକାର ପତ୍ର କେଉଁଠୁ ଆଣିଲ ଗଣ?’ ତା’ରି ଭିତରେ ପିଲା ଜାଣୁଥିଲା ଯେ ପ୍ରକୃତିରେ କେତେ ପ୍ରକାର ଗଛ ଅଛି । କେତେ ପ୍ରକାର ଜୀବ ଅଛନ୍ତି, କେତେ ପ୍ରକାର ପୋକ ଅଛନ୍ତି । କାହାର କ’ଣ ଉପକାରିତା ଶିକ୍ଷକ ତା’ଭିତରେ କହିଦେଉଥିଲେ ।
ଘରେ ବାପା ମା’ଙ୍କଠାରୁ ବି ସେ ଶୁଣୁଥିଲା ନିମ୍ବ ପତ୍ରର ଗୁଣ ଏଇଆ । ଆଜି ଜୈବ ବିବିଧତା ଧ୍ୱଂସ ହେଲାଣି । ସରକାରୀ ଭାବରେ, ଯୋଜନା ବଦ୍ଧ ଭାବରେ ଜୈବ ବିବିଧତାକୁ ଧ୍ୱଂସ କରାଗଲାଣି । ଯେଉଁ ଯେଉଁ ପ୍ରକୃତିର ଜିନିଷ ବହୁ ଉପାଦେୟ ମନେ ହେଉଛି ତାକୁ ପେଟେଣ୍ଟ ନାଁରେ ବିଭିନ୍ନ ଦେଶୀ ବିଦେଶୀ ଶକ୍ତିମାନେ ତା’ର ମାଲିକାନା ସ୍ୱତ୍ତ୍ୱ ନେଇଯାଉଛନ୍ତି । ଆମ ସରକାରଙ୍କ ଅନୁମୋଦନରେ ସରକାରଙ୍କର ଗୋଟିଏ ବିଭାଗ ଅଛି ଯେଉଁ ବିଭାଗର କାମ ହେଉଛି କେବଳ ବିଦେଶୀ ଶକ୍ତିମାନଙ୍କଠାରୁ ପଇସା ନେଇକରି ତାଙ୍କୁ ଲାଇସେନ୍ସ ଦେବା । ଏଠି କୋଟି କୋଟି ଟଙ୍କାର କାରବାର ହେଉଛି । ଜୈବ ବିବିଧତାଟାକୁ ଯଦି ପିଲା ଜାଣି ନପାରିଲା ସେ ଜୀବନ ଜୀବିକା ଆଣିବ କେଉଁଠୁ । ପ୍ରକୃତି ଭିତରେ ଖାଲି ଗଛପତ୍ର ନୁହେଁ ବହୁତ କଥା ଅଛି । ପ୍ରାଣିମାନଙ୍କ କଥା, ସିଏ ଯଦି ଜାଣିଲା ନାହିଁ ବଗଟିର କାମ କ’ଣ, ସିଏ ଯଦି ଜାଣିଲାନି କଙ୍କଡ଼ାର କାମ କ’ଣ, ଦେଖିବାକୁ ତ ପାଇଲେନି, କୀଟନାସକ ବ୍ୟବସ୍ଥା ଦ୍ୱାରା ସବୁ ମରିଗଲେଣି । ସେଗୁଡ଼ିକ ଯେ ଚାଷୀର ପ୍ରକୃତ ବନ୍ଧୁ । ସିଏ ଜିଆଟିଏ ବି ହେଉ ତାକୁ ଦେଖିବାକୁ ମିଳୁନାହିଁ । ବହିରେ ପଢ଼ାଯାଉଛି ଯେ ଜିଆ କୃଷକର ବନ୍ଧୁ । ଜିଆ କିନ୍ତୁ ପିଲା ତା ଜୀବନରେ ଦେଖି ପାରିବନି । ଜିଆ ତ ନାହିଁ । ଜିଆକୁ ମାରିଦିଆଯାଇଛି । ୫୦ବର୍ଷ ତଳେ ଆମ ପିଲାବେଳର କଥା କହୁଛି । ୫୦ରୁ ୬୦ପ୍ରକାରର ମାଛ ପିଲାବେଳେ ଆମେ ଧରୁଥିଲୁ ତା’ ଭିତରେ ଆମେ ଜୈବବିବିଧତାକୁ ଦେଖୁଥିଲେ । ଚିଙ୍ଗୁଡ଼ି ମାଛ ଥିଲା । ଲତା, ମାଗୁର, ସେଉଳ, ତୋଡ଼ି, ଗୁଆଚିପି କେତେ ପ୍ରକାରର ମାଛ ଥିଲା । ସେତେବେଳେ ମାଛ ଧରିବାବେଳେ ବାପା, ମା’ ଟିକେ ପାଟି କରନ୍ତି । କିନ୍ତୁ ତା ଭିତରେ ଆମେ ଯାଉଥିଲୁ ଆମେ ଶିଖୁଥିଲୁ ସେଇଟା ହିଁ ପାଠ । ଏବେ କ’ଣ ସେସବୁ ଅଛି?
ପ୍ର : ବର୍ତ୍ତମାନ ସମୟରେ ଜୀବିକା ଯେଉଁଭଳି ଭାବରେ ପ୍ରଭାବିତ ହେଉଛି ଶିକ୍ଷାକୁ ଜୀବିକାଠାରୁ ଅଲଗା କରି ଦେଖିହେବ କି?
ଉ : ସେ କଥାଟା ଖୁବ୍ ବଡ଼ କଥା । ଗାନ୍ଧୀଙ୍କର ଯେଉଁ ସ୍କୁଲ ଥିଲା ସେଥିରେ ଗୋଟେ କଥା ଚିନ୍ତା କରାଯାଇଥିଲା । ସେଥିରେ ଶିକ୍ଷା ସହିତ ଜୀବିକାଟା ଯୋଡ଼ିବା ପାଇଁ ଚେଷ୍ଟା କରାଯାଇଥିଲା । ଯାହାର କିଛି ନମୂନା ଏପର୍ଯ୍ୟନ୍ତ ଥିଲା, ଏବେ ସେ ସ୍କୁଲସବୁ ଭାଙ୍ଗିଗଲାଣି । ଶିକ୍ଷାଟାକୁ ଜୀବିକା ସହିତ ଯୋଡ଼ିକରି ଯଦି ଶିକ୍ଷା ଦିଆଯାଏ, ଶିକ୍ଷା ଦେବାଟା ଶିକ୍ଷକ ପକ୍ଷରେ ସହଜ ହୁଅନ୍ତା । ଜୀବିକାଟା ତ ହେଉଛି ବେଉଷା । କିନ୍ତୁ ଶିକ୍ଷାଟାକୁ ସେ ଉପଭୋଗ କରନ୍ତା । ବର୍ତ୍ତମାନ ସେଇ କଥାଟାକୁ ଦଣ୍ଡ ବୋଲି ସେ ଗ୍ରହଣ କରୁଛି । ସେ ସ୍କୁଲରେ ଯେଉଁ ଶିକ୍ଷା ପାଉଛି ତାକୁ ଗୋଟେ ଦଣ୍ଡ ଦିଆଯାଉଛି ବୋଲି ସେ ଭାବୁଛି ଏବଂ ସେଇଥି ପାଇଁ ଏହିଭଳି ସ୍କୁଲରୁ ଅନ୍ତତଃ ଯେଉଁ ପିଲାମାନେ ବାହାରୁଛନ୍ତି ଆପଣମାନେ ଯଦି ଲକ୍ଷ୍ୟ କରିବେ ଜାଣିବେ ସେ ପିଲାମାନେ ଅତ୍ୟନ୍ତ ଉଗ୍ର ହେଉଛନ୍ତି । ତାଙ୍କ ଭିତରେ ହିଂସାଭାବ ରହୁଛି, ନିଷ୍ଠୁରତା ରହୁଛି ଏବଂ ସମାଜର ମଣିଷ ପାଇଁ ଯେଉଁସବୁ ଉପକାରୀ ଗୁଣ ସେମାନଙ୍କ ପାଖରେ କମ୍ ଦେଖାଯାଉଛି । ସେମାନେ ସେହିଭଳି ଶିକ୍ଷା ପାଇବା ଦ୍ୱାରା ମଣିଷର ମୌଳିକ ଗୁଣ ଯାହା ମଣିଷ ହିସାବରେ ରହିବା କଥା ତାହାସବୁ ଜଳାଞ୍ଜଳୀ ଦିଆଯାଉଛି । ଶିକ୍ଷାଟାକୁ ଜୀବିକା ସହିତ ଯୋଡ଼ିବା ବିଷୟଟି ଯଦି କୌଣସି ସ୍ଥାନରେ ପରୀକ୍ଷା ମୂଳକ ଭାବରେ କରାଯାଏ ତା’ହେଲେ ତାହାହିଁ ବିକଳ୍ପ ଶିକ୍ଷା ହୋଇପାରିବ ଏବଂ ତାକୁ ହିଁ ପରବର୍ତ୍ତୀ ସମୟରେ ତଥାକଥିତ ଶିକ୍ଷାବିତ୍ମାନେ ଗ୍ରହଣ କରିପାରନ୍ତି ଏବଂ ତାକୁ ଅନୁକରଣ କରିପାରନ୍ତି ।
ପ୍ର: କୁହାଯାଏ ଯେ ରାଜନୈତିକ, ସାମାଜିକ ପରିବର୍ତ୍ତନ ବିନା ଶିକ୍ଷାରେ ପରିବର୍ତ୍ତନ ଆସିପାରିବ ନାହିଁ । ତେବେ ଏଭଳି ପରିବର୍ତ୍ତନ କିଏ ଆଣିବ?
ଉ : ରାଜନୈତିକ ପରିବର୍ତ୍ତନ ନଆସିଲେ ଶିକ୍ଷାରେ ପରିବର୍ତ୍ତନ କେମିତି ଆସିବ? ରାଜନୈତିକ ଦଳମାନେ ତାଙ୍କର ସୁବିଧା ପାଇଁ ଶିକ୍ଷାଟାକୁ ନୀୟନ୍ତ୍ରଣ କରୁଛନ୍ତି । ଯଦି ରାଜନୀତି ଲୋକଙ୍କର ରାଜନୀତି ହେବ ଯେଉଁଥିରେ ଲୋକଙ୍କର କଥା ଥିବ ସେତେବେଳେ ଯାଇ କିଛି ପରିବର୍ତ୍ତନ କଥା ଚିନ୍ତା କରାଯାଇପାରିବ । ଭାରତର ୭୦କୋଟି ଲୋକ ଯିଏ ଗାଁରେ ରୁହନ୍ତି, ସହରର ଝୁମ୍ପୁଡ଼ିରେ ରୁହନ୍ତି ସେଇମାନେ ହେଉଛନ୍ତି ଭାରତବର୍ଷର ପ୍ରକୃତ ଲୋକ । ତାଙ୍କର ବିଚାରରେ ତାଙ୍କର ଭାଗୀଦାରୀରେ, ତାଙ୍କର ମତାମତକୁ ନେଇକରି ଯଦି ସରକାର ଠିକ୍ ଭାବରେ ଗଢ଼ାଯାଇପାରିବ ସେ ସରକାର ଶିକ୍ଷାରେ ପରିବର୍ତ୍ତନ ଆଣିବ- କାହିଁକି ନା ସେ ଲୋକମାନଙ୍କ ଦ୍ୱାରା ଆସିଛି । ସେହି ସରକାରଟା ଲୋକଙ୍କର ସରକାର ବୋଲି ବୁଝାଯିବ । ଯେତେଦିନ ଯାଏ ସରକାର ଲୋକଙ୍କର ସରକାର ନୁହେଁ, ଯେପର୍ଯ୍ୟନ୍ତ କିଣାବିକାରେ ଭୋଟ ଚାଲିଛି ସେପର୍ଯ୍ୟନ୍ତ ଭାରତବର୍ଷରେ ଗୋଟେ ସରକାର ଅଛି ବୋଲି କୁହାଯାଇ ପାରିବ ନାହିଁ ।
ପ୍ର : ଯେଉଁ ରାଜନୈତିକ ଦଳମାନେ ସ୍ୱାଧୀନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି, ସେମାନଙ୍କର କର୍ମସୂଚୀରେ ଶିକ୍ଷା ସେଭଳି ଗୁରୁତ୍ୱ ପାଇନାହିଁ କାହିଁକି?
ଉ : ବର୍ତ୍ତମାନ ପର୍ଯ୍ୟନ୍ତ ଭାରତବର୍ଷରେ ଯେତେ ରାଜନୈତିକ ଦଳ ଅଛନ୍ତି ସେମାନଙ୍କର ଗୋଟିଏ ଏଜେଣ୍ଡା ଯେ ଯଦି ଆମେ ଏ ନିର୍ବାଚନରେ କ୍ଷମତାକୁ ଆସିଛୁ ଆସନ୍ତା ନିର୍ବାଚନକୁ କିପରି ଆସିବୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ତା’ରି ଉପରେ ଖଞ୍ଜା ଯାଇଛି ଏବଂ ସେମାନେ ଲୋକଙ୍କୁ ଗୌଣଭାବରେ ଦେଖିଛନ୍ତି । ଭାରତବର୍ଷର ରାଜନୈତିକ ନେତାମାନେ ଲୋକଙ୍କ ଉପରେ କେତେବେଳେ ଗୁରୁତ୍ୱ ଦେଇନାହାନ୍ତି । ଯଦି ଲୋକଙ୍କ ପାଇଁ ଗୁରୁତ୍ୱ ଦେଇଥାନ୍ତେ ତା’ହେଲେ ଭାରତବର୍ଷରେ ଏହି ଯେଉଁ ଶିକ୍ଷାରେ ପରିବର୍ତ୍ତନ ହେଲା ସେଠି କେତେଜଣ ଲୋକଙ୍କର ମତକୁ ପ୍ରାଧାନ୍ୟ ଦିଆଯାଇ ନଥାନ୍ତା । ସବୁ ଉପରଆଡ଼ୁ ହେଉଛି । କୌଣସି କଥା ତଳଆଡ଼ୁ ଯାଉନାହିଁ । ଲୋକ ରହିଲେ ତଳେ । ନଈରେ ପାଣି ଆସିଲେ ଲୋକ ପିଇବେ । ଲୋକ ପାଣି ପାଉଛନ୍ତି କି ନାହିଁ ନବୁଝି ଆମେ ଯଦି ଉପରଆଡ଼ୁ ବନ୍ଧବାନ୍ଧି ପାଣିକୁ ନେଇଗଲୁ ତା’ହେଲେ ଲୋକଙ୍କର କି ଉପକାର ହେଲା । ଏଯେଉଁ ଶିକ୍ଷା ବ୍ୟବସ୍ଥା ହେଉଛି ସେଥିରେ ଲୋକଙ୍କର କିଛି ମତାମତ ନାହିଁ । ଶିକ୍ଷା କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ପାଇଁ କୋଠାରୀ କମିଶନ ବସିଥିଲା । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ, ଜୀବନ ଜୀବିକା ସହିତ ଶିକ୍ଷା ଏବଂ ଶିକ୍ଷା ସହିତ ସାମାଜିକ ଜ୍ଞାନ, ଛାତ୍ର ଶିକ୍ଷକର ସମ୍ପର୍କ ଏବଂ ଶିକ୍ଷା କ୍ଷେତ୍ରରେ ଧର୍ମର ନିୟନ୍ତ୍ରଣ ଏହିଭଳି ଭାବରେ ଅନେକ କଥା ତାଙ୍କ ରିପୋର୍ଟରେ ଥିଲା । ଭାରତବର୍ଷରେ ଯେତେ କମିଶନ ବସେ ସେ ଖାଲି ବସିବା ପାଇଁ ବସେ । ସେଥିରୁ ଗୋଟିଏ କଥା କିଛି ଗ୍ରହଣ ହୁଏନାହିଁ । ତା’ପରେ ଯେଉଁ ଶିକ୍ଷା ବ୍ୟବସ୍ଥା ହେଲା ସେ ଶିକ୍ଷା ହେଲା କମ୍ପାନୀ ପାଇଁ । ସେଥିରେ ଲୋକଙ୍କର ଭାବନା ପ୍ରତିଫଳିତ ହୋଇନାହିଁ ଏବଂ ଲୋକଙ୍କୁ ଏ ଦେଶରେ ସବୁ ରାଜନୈତିକ ଦଳ ଗୌଣ ଭାବରେ ଦେଖିଛନ୍ତି । ଏପରିକି ବାମପନ୍ଥୀମାନେ ଯାହା କୁହନ୍ତି ଲୋକଙ୍କ ବାବଦରେ ଆଜି ସେଭଳି ଭାବରେ ସେମାନଙ୍କର ଲୋକଙ୍କ ପାଖରେ ଉପସ୍ଥିତି ନାହିଁ । ଯଦି କିଛି ଶିକ୍ଷା ପଦ୍ଧତିର ପରିବର୍ତ୍ତନ ହେଇପାରେ ତାହା ସେହି ବାମପନ୍ଥୀମାନଙ୍କ ଦ୍ୱାରା ହିଁ ସମ୍ଭବ । ବାମପନ୍ଥୀମାନେ ତାଙ୍କର ଧାରାଟାକୁ ବଦଳେଇ ପୁଣିଥରେ ଲୋକଙ୍କ ପାଖକୁ ଗଲେ କିଛିକଥା ଆମେ ଆଶାକରି ପାରିବା । କିନ୍ତୁ ତଥାକଥିତ ସରକାରୀ ଦଳ ବା ବିରୋଧି ଦଳଙ୍କଠାରୁ କୌଣସି ସମୟରେ କିଛି ଆଶା କରିବାଟା ହେଉଛି ନିର୍ବୋଧତା । ସେମାନେ କେତେବେଳେ କିଛି କରିନାହାନ୍ତି ।
ପ୍ର: ଆମ ଶିକ୍ଷା ବ୍ୟବସ୍ଥାରେ କେଉଁଠି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି? ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଉଚ୍ଚଶିକ୍ଷା ନା ମୁକ୍ତଶିକ୍ଷା ।
ଉ : ମୁକ୍ତ ଶିକ୍ଷା କହିଲେ ତ’ ସବୁକୁ ବୁଝାଇବ । ପ୍ରାଥମିକ, ମାଧ୍ୟମିକ, ବିଶ୍ୱବିଦ୍ୟାଳୟ ସବୁଠି ମୁକ୍ତ ଶିକ୍ଷା ହୋଇପାରିବ ଏବଂ ମୁକ୍ତ ଶିକ୍ଷାବି କେତେକ ଜାଗାରେ ହେଉଛି । କିନ୍ତୁ ପ୍ରଥମ କଥା ଗୁରୁତ୍ୱ ଦେବାକୁ ହେଲେ ପ୍ରାଥମିକ ଶିକ୍ଷା ଏବଂ ମାଧ୍ୟମିକ ଶିକ୍ଷାଟାର ଗୁରୁତ୍ୱ ଅଧିକ । କାରଣ ଏହାଦ୍ୱାରା ବେଶୀ ଲୋକ ଏବଂ ବେଶୀ ପିଲା ଉପକୃତ ହେବେ । ସର୍ବନିମ୍ନ ଶିକ୍ଷା ବୋଲି ମୁଁ ଯାହା ଆଗରୁ କହୁଥିଲି ମାଟ୍ରିକ ପାଶ୍ କଲେ ସାକ୍ଷର ବୋଲି ସେଇଠି ଧରାଯିବ । ତା’ ଆଗରୁ ଆମକୁ ଯେଉଁ ସରକାରୀ ହିସାବରେ ସାକ୍ଷର ବୋଲି କୁହାଯାଉଛି ସେମାନେ ମୋଟେ ସାକ୍ଷର ନୁହନ୍ତି । କିନ୍ତୁ ମୁକ୍ତ ଶିକ୍ଷା କଥା ଯେଉଁ କହିଲେ ମୁକ୍ତ ବିଦ୍ୟାଳୟଟା ଏଇଠି ମୋର ଜାପାନର କଥା ମନେପଡ଼ୁଛି । ଜାପାନର ଟୋଟୋଚାନ୍ ଗୋଟେ ଭଲ ପରୀକ୍ଷା ଥିଲା । ମୁକ୍ତ ବିଦ୍ୟାଳୟରେ ସାଧାରଣ ଭାବରେ କେତେକ ଧାରଣା ହେଉଥିବ ଯେ ସେଥିରେ କ’ଣ ଗୋଟେ କିଏ କହିବ । ମୁକ୍ତ ବିଦ୍ୟାଳୟର କାର୍ଯ୍ୟଟା ଯଦି ତ୍ୱରାନ୍ୱିତ କରାଯାଇ ପାରନ୍ତା ଯୋଜନାବଦ୍ଧ ଭାବରେ ଏବଂ ସରକାରୀ ସ୍ୱୀକୃତିରେ ତା’ହେଲେ ବହୁତ ଛାତ୍ର ଏହାଦ୍ୱାରା ଉପକୃତ ହୁଅନ୍ତେ ଏବଂ ଏଇ ଯେଉଁ ଶିକ୍ଷାର ସମସ୍ୟା କେଉଁଠି ସ୍କୁଲ ନାହିଁ, କେଉଁଠି ଘର ନାହିଁ, କେଉଁଠି ମାଷ୍ଟର ନାହିଁ ବିଭିନ୍ନ ପ୍ରକାର ପ୍ରାଇଭେଟ ସ୍କୁଲକୁ ପିଲା ଚାଲିଯାଉଛନ୍ତି ଗାଁ ସ୍କୁଲ ଭାଙ୍ଗିଯାଉଛି – ଇଏ ସବୁ ଭିତରୁ ଉଦ୍ଧାର ପାଇକରି ଯେଉଁମାନେ ପ୍ରକୃତରେ ଶିକ୍ଷା ସେବାଠାରୁ ବଞ୍ôଚତ ହେଉଛନ୍ତି ସେମାନେ ଏଇ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷା ପାଇବା ପାଇଁ ସକ୍ଷମ ହୋଇପାରନ୍ତେ । ଏଥିରେ ଦୁଇଟି କଥା ରହୁଛି ଗୋଟିଏ ଯେଉଁମାନେ ଶିକ୍ଷା ପାଇପାରୁ ନାହାନ୍ତି ଯେଉଁଥିରେ ବହୁ ପିଲା ଅଛନ୍ତି ପ୍ରାୟ ଶହେରେ ଅଶି ପିଲା ଯେଉଁମାନେ ତାଙ୍କର ଶିକ୍ଷଣୀୟ ବୟସରେ ନିଜ ଘରେ ବାଧ୍ୟବାଧକତାରେ ବାପା ମା’ଙ୍କୁ କାର୍ଯ୍ୟରେ ସାହାଯ୍ୟ କରନ୍ତି । ସେଇଥି ପାଇଁ ସେମାନେ ସ୍କୁଲକୁ ଯାଇପାରନ୍ତି ନାହିଁ ବା ଯଦି ଯାଆନ୍ତି ଅଧାରୁ ପାଠ ଛାଡ଼ନ୍ତି । ତାଙ୍କର ଆର୍ଥିକ ଅନାଟନ ଗୋଟିଏ କଥା ବା ତାଙ୍କର ଧ୍ୟାନ ଧାରଣା ନାହିଁ ଆଉ ଗୋଟିଏ କଥା କିନ୍ତୁ ନିଜର ଜୀବନ ଜୀବିକା ପାଇଁ ତାଙ୍କ ବାପା ମା’ଙ୍କୁ ସେ ସାହାଯ୍ୟ କରିବା ପାଇଁ ମଧ୍ୟ ଅଧାରୁ ପାଠ ଛାଡ଼ନ୍ତି । କିନ୍ତୁ ମୁକ୍ତ ବିଦ୍ୟାଳୟ ଭାବନାଟାକୁ ଯଦି କାର୍ଯ୍ୟକାରୀ କରାଯାଏ ତା’ହେଲେ ସେମାନେ ନିଜର ସୁବିଧା ସମୟରେ ମଧ୍ୟ କିଛି ପଢ଼ିପାରିବେ, ଲେଖିପାରିବେ, ବହୁତ ଯାଗାରେ ମଧ୍ୟ ଏଇଟା ଫଳବତୀ ହୋଇଛି । ସେ ଟୋଟୋଚାନ୍ ସ୍କୁଲରୁ ମୋର ମନେଅଛି ୪୫ଜଣ ପିଲାଙ୍କୁ ଦୁଇତିନିଜଣ ପଢ଼ାଉଥିଲେ । ପରମାଣୁ ବୋମା ପଡ଼ି ସେ ସ୍କୁଲ ଭାଙ୍ଗିଗଲା । ସେଠି ୪୫ଜଣ ପିଲା ପ୍ରାଥମିକରେ ପଢ଼ୁଥିଲେ ପରବର୍ତ୍ତୀ ସମୟରେ ସେମାନେ ଏକାଠୀ ହୋଇଛନ୍ତି । ଏକାଠୀ ହେବାପରେ ସେମାନେ ସମସ୍ତେ ଭଲ ଭଲ ଜୀବିକା ନେଇକରି ବଞ୍ଚିଛନ୍ତି । ଜଣେ ଫଟୋ ଉତ୍ତୋଳନକାରୀ ହୋଇଛି, ଜଣେ ସାମ୍ବାଦିକ ହୋଇଛି, ଜଣେ ବଗୀଚା କରିଛି । ସେମାନେ ସମସ୍ତେ କହିଛନ୍ତି ଆମେ ଟୋଟୋଚାନ୍ ସ୍କୁଲରେ ପଢ଼ିଥିଲୁ ଆମେ ସବୁ କାମ କରୁଛୁ । ଆମର କେତେକ ଲୋକଙ୍କର ବା ମୁଣ୍ଡ ଭିତରେ ଭୁତ ରହିଯାଇଛି ଯେ ମୁକ୍ତ ବିଦ୍ୟାଳୟ କ’ଣ ହେବ? ଅବଶ୍ୟ ଏବେ ଗୋଟେ ମୁକ୍ତ ବିଦ୍ୟାଳୟ କଥା ଓଡ଼ିଶା ସରକାର କହିଛନ୍ତି ଭାରତ ସରକାର ତ’କେତେଥର କହିଛନ୍ତି । ତାଙ୍କର ଆଭିମୁଖ୍ୟ କ’ଣ ଅଛି ମୁଁ ଜାଣିନାହିଁ । ସେ ଯେଉଁଭଳି ଭାବରେ କରିଛନ୍ତି ସେ କୌଣସି ପ୍ରକାରେ କାମ କରିବ ନାହିଁ । ଆମର ମାଧ୍ୟମିକ ଶିକ୍ଷା ପରିଷଦ ଆଗରୁ ଗୋଟେ କରିଥିଲା ଯେ, ଯେଉଁ ପିଲାମାନେ ଅଧାରୁ ପାଠ ଛାଡ଼ୁଛନ୍ତି, ପାଠ ପଢ଼ିପାରୁ ନାହାନ୍ତି ତାଙ୍କୁ ଆମେ ସିଧା ପରୀକ୍ଷା ଦେବାପାଇଁ ସୁଯୋଗ ଦେବୁ । ପ୍ରଥମେ ବର୍ଷେ ଦୁଇବର୍ଷ ତାଙ୍କଠାରୁ ପଇସା ନେଲେ ପାଠ୍ୟ ଉପକରଣ ସବୁ ଆସିଲା । ତା’ପରେ ଆଉ ସେ ପାଠ୍ୟ ଉପକରଣ ନାହିଁ ।
ଏବେ ତ’ ବହୁତ କଟକଣା କଲେଣି, ଜଣେ ପିଲା ପରୀକ୍ଷା ଦେଇପାରିବ ନାହିଁ । ତେଣୁ ମୁକ୍ତ ବିଦ୍ୟାଳୟ ସହିତ ଗୋଟେ କଥା ଆମର ବେଶୀ ଦରକାର ହେଉଛି ଏଇଟା ଯଦି ସମ୍ଭବ ହୋଇପାରିବ ବହୁତ ବଡ଼କଥା । ସାର୍ଟିଫିକେଟ ଧର୍ମୀ ପାଠଟାକୁ ସରକାରୀ ଭାବରେ ଉଚ୍ଛେଦ କରି ପିଲା ଜାଣିବାପାଇଁ ପାଠ ପଢ଼ୁ । ଯେଉଁଠି ଯେଉଁ ଜ୍ଞାନ ଦରକାର ତାକୁ ନେଇକରି ତୁମେ ଦେଖ ସେ ତୁମ ସହିତ ଉପଯୋଗୀ ହୋଇପାରୁଛି କି ନାହିଁ । ଯଦି ସାର୍ଟିଫିକେଟଟି ଉଠିଯିବ ତା’ହେଲେ ଯାଇ ମୁକ୍ତ ବିଦ୍ୟାଳୟର ପିଲାମାନେ ଉପକୃତ ହେବେ ସାଧାରଣ ପିଲାମାନେ ଯେଉଁମାନେ ଡରିକି ରହିଯାଉଛନ୍ତି, ଯେପରି ଜଣେ ସାହିତ୍ୟ ପଢ଼ାଇବା ପାଇଁ ଯିବ ତା’ର ଅଙ୍କ ଦରକାର ନାହିଁ । ଜଣେ ଇତିହାସ ଅଧ୍ୟାପକ ହେବ ତା’ର ଅଙ୍କ ଦରକାର ନାହିଁ । ସବୁଠାରୁ ବଡ଼ ଖରାପ ଇଂରାଜୀଟା । ପ୍ରଥମ ଶ୍ରେଣୀରୁ ଇଂରାଜୀରେ ପାଠପଢ଼ା ହେଲାଣି ଆମ ସରକାରୀ ସ୍କୁଲରେ । ପ୍ରାଇଭେଟ ସ୍କୁଲରେ ତ’ ମା ପେଟରୁ ଇଂରାଜୀ ପଢ଼ାଉଛନ୍ତି, ଜନ୍ମ ହେଲା ପିଲାକୁ ବି କୁହଯାଉଛି ଏ ଫର ଏପଲ୍, ବି ଫର ବଲ୍ । ଇଂରାଜୀଟା ଭଲ ନହେଲେ ଆନ୍ତର୍ଜାତିକ କ୍ଷେତ୍ରରେ ଆମେ ପ୍ରତିଯୋଗିତା କରିପାରିବୁ ନାହିଁ । ଏଇଟା ସମସ୍ତଙ୍କୁୁ ବୁଝାଇ ଦିଆଗଲାଣି । ଇଂରାଜୀ ଉପରେ ଯେଉଁ ଗୁରୁତ୍ୱ ଦିଆଯାଉଛି ଏଇଟା ଆମ ଶିକ୍ଷା ପଦ୍ଧତି ପାଇଁ ଏକ ବଡ଼ ବିପଦ । ଜର୍ଜବର୍ଣ୍ଣାଡ଼ ସଅ ଯେତେବେଳେ ତାଙ୍କୁ ନୋବେଲ ପ୍ରାଇଜ୍ ଦିଆଯାଇଥିଲା ତାଙ୍କର ନୋବେଲ ପ୍ରାଇଜଟାକୁ ଦେଇଦେଇଥିଲେ ସ୍କଟିସ ଭାଷାର ଉନ୍ନତି କରିବା ପାଇଁ । ଯେଉଁଠି ସେ କହିଥିଲେ ଜଣେ ଯେକୌଣସି ଲୋକ ତା’ର ମାତୃଭାଷାରେ ବେଶି ତା’ର ମନରଭାବ ପ୍ରକାଶ କରିପାରେ, ସେ ନିଜେ ବୁଝିପାରେ, ଲେଖିପାରେ, ନିଜେ ଜାଣିପାରେ । ବର୍ତ୍ତମାନ ଶିକ୍ଷାରେ ସବୁଠାରୁ ବେଶୀ ମାତୃଭାଷା ଉପରେ ଆକ୍ରମଣ ଏବଂ ମାତୃଭାଷା ବିଶେଷ କରି ଓଡ଼ିଶାରେ ଓଡ଼ିଆ ଜଣେ ଲେଖିଲା ମାନେ ଧରି ନିଆଯିବ ତା’ର ଶିକ୍ଷା କିଛି ନାହିଁ । ଓଡ଼ିଆରେ କ’ଣ କଥାକହିବ । ତେଣୁ ଏଇଟା ହେଉଛି ବର୍ତ୍ତମାନ ଶିକ୍ଷାର ସବୁଠାରୁ ବଡ଼ ବିପଦ । ଯେଉଁଦିନ ଭାଷା ଦିବସ ହେଉଛି ସବୁକଥା ବାହାରି ଯାଉଛି । ପୃଥିବୀରୁ କେତେ ହଜାର ଭାଷା ବୁଡ଼ିଗଲାଣି, ଏହାକୁ ଆକଳନ କରିଦେଲେ ଆମ ଓଡ଼ିଆ ଭାଷା ବଞ୍ôଚଗଲା । ଦେଖାଯାଉଛି ମାଧ୍ୟମିକ ସ୍ତରରେ ଯେତେବେଳେ ପରୀକ୍ଷାରେ ପାଶ୍ ଫେଲ କଥା ବାହାରୁଛି ଓଡ଼ିଆରେ କେବଳ ଶତକଡ଼ା ୬୦ ଫେଲ୍ ହେଉଛନ୍ତି । ଇଂରାଜୀରେ ଶତକଡ଼ା ୬୦ ପାଶ୍ । ଓଡ଼ିଆ ଗୋଟେ ସ୍କୁଲରେ ବି ପଢ଼ା ହେଉନାହିଁ । ପିଲାମାନେ ପଢ଼ୁନାହାନ୍ତି କି ଅଭିଭାବକମାନେ ବି ଜାଣୁନାହାନ୍ତି ।
ମୁଁ ମାଷ୍ଟର ଥିବା ବେଳେ ଗୋଟେ କଥା କହେ, ସବୁ ବିଷୟକୁ କାହିଁକି ସମାନ ଗୁରୁତ୍ୱ ଦିଆଯାଉନାହିଁ । ଏଇ ଶିକ୍ଷା ବ୍ୟବସ୍ଥାରେ ସବୁଠାରୁ ବଡ଼ ବିପଦ ଆମ ଓଡ଼ିଶା ପାଇଁ ହେଉଛି ଯେ, ଆମ ଭାଷା ଆଉ ସ୍କୁଲରେ ଶିକ୍ଷା ଦିଆଯିବ ନାହିଁ । ଏଭଳି ପିଲାମାନଙ୍କୁ ବିଷୟ ଭିତରେ ରଖିଦିଆ ଯାଉଛି ତାଙ୍କର ଯାହାସବୁ ନିଜର ପ୍ରତିଭା, ଗୁଣ ବା କଳା ଅଛି ତାହାର ବିକାଶ ହୋଇପାରୁନାହିଁ । ଏମିତି କୌଣସି ପିଲା ନାହିଁ ଯାହାର ପୃଥିବୀରେ ବଞ୍ôଚବା ପାଇଁ କିଛି ନା କିଛି ଗୁଣ ନାହିଁ । ସେଇଟା କେବଳ ଶିକ୍ଷକ କରିପାରନ୍ତେ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଭିତରେ ଶିକ୍ଷକଙ୍କର ସେ ସ୍ୱାଧୀନତା ନାହିଁ । ସତ କହିବାକୁ ଗଲେ ଶିକ୍ଷକର ମଧ୍ୟ ଆଗ୍ରହ ଆଉ ନାହିଁ । ଶିକ୍ଷକ କେବଳ ତାଙ୍କର ଦରମା ପାଇବା, ଦରମା ବଢ଼ିବା, ବିଧାନସଭା ଆଗରେ ବିକ୍ଷୋଭ କରିବା ମଧ୍ୟରେ ବ୍ୟସ୍ତ । ସେମାନେ ବି ବ୍ୟସ୍ତ ଏବଂ ସରକାରୀ କଳ ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ କେତେକ ଅଧିକ କାମ କରାଯାଇପାରେ ସରକାରୀ କାମ – ଭୋଟରେ ଲଗେଇବେ, ଜନଗଣନାରେ ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟରେ ଲଗାଇବେ । ଏହିଭଳି ଭାବରେ ତାଙ୍କୁ ବିନିଯୋଗ କରିବେ ।
Comments
0 comments