ଜାତିର ପିତା, ମହାମାନବ, ମହାପୁରୁଷ ବାପୁ କହିଲେ ଆମ ଆଖି ଆଗରେ ଭାସିଉଠେ ଜଣେ ଆଂଠୁ ଲୁଚୁନଥିବା ଧୋତିପିନ୍ଧା ଓ କାନ୍ଧରେ ଗାମୁଛା ଖଣ୍ଡେ ପକେଇଥିବା ସାଧାରଣ ମଣିଷର ଛବି, ଯାହାଙ୍କୁ ଆମେ ଗାନ୍ଧିଜୀ ବୋଲି ଚିହ୍ନୁ, ଜାଣୁ ଓ ସମ୍ମାନ କରୁ । କାରଣ ସେ ଥିଲେ ସତ୍ୟ, ଅହିଂସାର ପୂଜାରୀ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀର ସେନାପତି । ସମଗ୍ର ଭାରତବର୍ଷରେ ସ୍ୱାଧୀନତା ସଂଗ୍ରାମର ଖବର ପହଂଚାଇବା ଓ ସାଧାରଣ ଲୋକଙ୍କୁ ସେଥିପ୍ରତି ସଚେତନ କରାଇ ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉଠେଇବା ଥିଲା ଗାନ୍ଧିଜୀଙ୍କ ପ୍ରଥମ କାମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ ସେ ସାରା ଭାରତ ବୁଲୁଥିଲେ, ସଭାସମିତି କରୁଥିଲେ, ଭାଷଣ ପ୍ରସଙ୍ଗରେ ପରାଧୀନତାର ଦୁଃଖ ବଖାଣି ସ୍ୱାଧୀନତା ପାଇଁ ଲଢ଼ିବାକୁ ପ୍ରେରଣା ଦେଉଥିଲେ । ଏହି କ୍ରମରେ ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ବୁଧବାର ଦିନ ଓଡ଼ିଶାକୁ ଆସିଥିଲେ । ମାର୍ଚ୍ଚ ୨୩ ତାରିଖ ହେଉଛି ତାଙ୍କର ଓଡ଼ିଶା ଆଗମନର ଶତବାର୍ଷିକୀ ଯାହା ସମଗ୍ର ଓଡ଼ିଶାରେ ଉତ୍ସବ ରୂପେ ପାଳନ କରାଯାଇଛି ।
ସେଦିନ ଥିଲା ଦୋଳପୂର୍ଣ୍ଣିମା । ଗାନ୍ଧିଜୀ କଲିକତାରୁ ରେଳଯୋଗେ କଟକ ଷ୍ଟେସନରେ ଆସି ପହଂଚିଥିଲେ । ସେତେବେଳର ବିଖଣ୍ଡିତ ଓଡ଼ିଶା ସଂପର୍କରେ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସ ଗାନ୍ଧିଜୀଙ୍କୁ ଅବଗତ କରାଇଥିଲେ ଓ ଓଡ଼ିଶା ଆସିବାକୁ ଅନୁରୋଧ କରିଥିଲେ । ଓଡ଼ିଶା ସଂପର୍କରେ ଗାନ୍ଧିଜୀ ତାଙ୍କର ମର୍ମବେଦନା ଉଲ୍ଲେଖ କରି ଲେଖିଛନ୍ତି “ସମଗ୍ର ଭାରତବର୍ଷରେ ଓଡ଼ିଶା ମୋର ପ୍ରିୟତମ ସ୍ଥାନ । ଓଡ଼ିଶାର କିଛି ସେବା କରିପାରିଲେ ଭାରତର ସେବା କରିପାରିବି ବୋଲି ମୁଁ ଉପଲବ୍ଧି କରିଛି । ତେଣୁ ଓଡ଼ିଶା ମୋ ପାଇଁ ଏକ ତୀର୍ଥଭୂମି ।’ କଟକ ଆସିବା ପରେ ସରକାରୀ କଟକଣା ଥିବାରୁ ସେ କାଠଯୋଡ଼ି ନଈ ବାଲିପଠାରେ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଗାନ୍ଧିଜୀ ପ୍ରଶଂସା କରିବା ସହ ଓଡ଼ିଆମାନଙ୍କୁ ଏକଜୁଟ୍ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଡାକରାରେ ଓଡ଼ିଶାବାସୀ ବେଶ୍ ଅନୁପ୍ରାଣିତ ହୋଇଥିଲେ ଓ ଭାରତୀୟ ଜାତୀୟ ସ୍ୱାଭିମାନ ରକ୍ଷା କରିବା ପାଇଁ ବହୁ ସଂଗ୍ରାମୀ ଆଗେଇଆସିଲେ । ଗାନ୍ଧିଜୀ ମହିଳାମାନଙ୍କୁ ଖୁବ୍ ସମ୍ମାନ ଦେଉଥିଲେ । ସେ କଟକର ମହିଳାମାନଙ୍କୁ ଭେଟି ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ ଏବଂ ପରେ ପୁରୀ, ଭଦ୍ରକ, ବ୍ରହ୍ନପୁରରେ ସାଧାରଣ ସଭାମାନଙ୍କରେ ସ୍ୱାଧୀନତା କିପରି ଗୋଟିଏ ଜାତିର ଜନ୍ମଗତ ଅଧିକାର, ତାହା ବୁଝାଇ କହିଥିଲେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକତାବଦ୍ଧ ହୋଇ ପରାଧୀନତା ବିରୁଦ୍ଧରେ ସ୍ୱର ଉଠାଇବାକୁ ସେ ପ୍ରତି ସଭାରେ ଉଦବୋଧନ ଦେଉଥିଲେ । ଏହାପରେ ଗାନ୍ଧିଜୀ ଓଡ଼ିଶାକୁ ଅନେକବାର ଆସିଛନ୍ତି । ୧୯୨୫ ଅଗଷ୍ଟ ୧୯, ୧୯୨୭ ଡିସେମ୍ବର ୩, ୧୯୨୮ ଡିସେମ୍ବର ୨୧, ୧୯୩୪ ମଇ ୫ ଓ ୨୧, ୧୯୩୮ ମାର୍ଚ୍ଚ ୨୫ ଏବଂ ୧୯୩୯ ମାର୍ଚ୍ଚ ୨୦ ତାରିଖ ମାନଙ୍କରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ । କଟକର ସ୍ୱରାଜ ଆଶ୍ରମରେ ରହିଥିଲେ ତଥା ସେଠାକାର ଅନ୍ତେବାସୀମାନଙ୍କୁ ସ୍ୱାଧୀନତାର ପାଠ ପଢ଼େଇଥିଲେ । ୧୯୨୧ ମାର୍ଚ୍ଚ ୨୬ ତାରିଖରେ ଗାନ୍ଧିଜୀ ଓ କସ୍ତୁରବା ମିଶି ପୁରୀ ଯାଇଥିଲେ । ତାଙ୍କୁ ସ୍ୱାଗତ କରିବାକୁ ପୁରୀ ଗଜପତି ହାତୀ ଛତିର ବ୍ୟବସ୍ଥା କରିଥିଲେ । ବିପୁଳ ଜନସମାବେଶ ମଧ୍ୟରେ ବାପୁ ଓ ବା’ ମିଶି ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିଥିଲେ । ଗାନ୍ଧିଜୀଙ୍କର ଏହି ଐତିହାସିକ ପୁରୀ ଗସ୍ତ ଓଡ଼ିଶା ପାଇଁ ଥିଲା ବେଶ୍ ଉଲ୍ଲେଖନୀୟ ଓ ପ୍ରେରଣାପ୍ରଦ । କାରଣ ଗାନ୍ଧିଜୀ ପୁରୀରେ ହୋଇଥିବା ଜନସମାବେଶରେ ସ୍ୱାଧୀନତା ସଂଗ୍ରାମର ରୂପରେଖ ଓ ଅସହଯୋଗ ଆନ୍ଦୋଳନ ସଂପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଗାନ୍ଧିଜୀଙ୍କ ଡାକରାରେ ଓଡିଶାର କୋଣ-ଅନୁକୋଣରେ ସ୍ୱାଧୀନତା ସଂଗ୍ରାମର ବିଚାର ଓ ବିପ୍ଳବ ବେଶ୍ ଜୋର୍ ଧରିଥିଲା ।
୧୯୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ଗାନ୍ଧିଜୀ ବ୍ରହ୍ମପୁର ଗସ୍ତ କରିଥିଲେ । ବ୍ରହ୍ମପୁର ସହରରେ ସଭା ସମିତି କରିବା ସହ ଗାନ୍ଧିଜୀ ମଧୁ ମନ୍ଦିରରେ ଦୁଇଦିନ ଅବସ୍ଥାନ କରିଥିଲେ । ଏହି ରହଣି ସମୟରେ ସେ ଖଲିକୋଟ ପାଲେସ୍ ବୁଲି ଦେଖିଥିଲେ ବୋଲି ଅନେକେ କହନ୍ତି ।
ସେହିପରି ଗାନ୍ଧିଜୀ ୧୯୨୭ ମସିହା ଡିସେମ୍ବର ୧୭ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ତିହିଡ଼ି ନିକଟବର୍ତ୍ତୀ ଚାରବାଟିଆ ଗାଁକୁ ଯିବା ପାଇଁ ଭଦ୍ରକ ଷ୍ଟେସନରେ ଓହ୍ଲେଇ ୩ କିଲୋମିଟର ବାଟ ଚାଲିଚାଲି ଯାଇଥିଲେ ।
୧୯୩୪ମସିହା ମଇ ମାସ ୮ ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସି ପୁରୀ ସିଂହଦ୍ୱାର ନିକଟରେ ଉକ୍ରଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ମଇ ୯ ତାରିଖରେ ସେଇ ପୁରୀ ସିଂହଦ୍ୱାରଠାରୁ ନିଜର ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ପଦଯାତ୍ରାରେ ଯାଇ ବୀରହରେକୃଷ୍ଣପୁରଠାରେ ଗାନ୍ଧିଜୀ ଜଳଖିଆ କରିଥିଲେ ଓ ଚନ୍ଦନପୁରରେ ସେହିଦିନ ରାତ୍ରିଯାପନ କରିଥିଲେ । ଏଥିପୂର୍ବରୁ ଗାନ୍ଧିଜୀ ମଇ ୪ ତାରିଖରେ ସମ୍ବଲପୁରର ଝାରସୁଗୁଡା ଷ୍ଟେସନରେ ଓହ୍ଲାଇଥିଲେ । ସେଦିନ ସଭାରେ ଉଦବୋଧନ ଦେବା ସହ ସେଠାରେ ଏକ ହରିଜନ ଛାତ୍ରାବାସର ଉଦଘାଟନ କରିଥିଲେ ।
୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ ଯାଏଁ ପୁରୀ ଜିଲ୍ଲା ଡେଲାଙ୍ଗ ଠାରେ ଗାନ୍ଧୀ ସେବାସଂଘର ଚତୁର୍ଥ ବାର୍ଷିକ ଅଧିବେଶନରେ ଗାନ୍ଧିଜୀ ସପରିବାର ଯୋଗ ଦେଇଥିଲେ । ଏହି ସମୟରେ ବେରବୋଇଠାରେ ଗାନ୍ଧିଜୀ ଏକ ଖଦୀ-ଗ୍ରାମଦ୍ୟୋଗ ଓ କୁଟୀରଶିଳ୍ପର ପ୍ରଦର୍ଶନୀ ଉଦଘାଟନ କରି ଭାଷଣ ଦେଇଥିଲେ । ସ୍ୱଦେଶୀ ଜିନିଷର ବ୍ୟବହାର କରିବାକୁ ଓ କୁଟୀରଶିଳ୍ପ ଉତ୍ପାଦନକୁ ଉତ୍ସାହିତ କରିବା ସହ ସ୍ୱାବଲମ୍ବୀ ହେବାକୁ ଗାନ୍ଧିଜୀ ଏହି ସଭାରେ ଉଦବୋଧନ ଦେଇଥିଲେ । ଗାନ୍ଧୀଙ୍କ ଏହି ସାତଦିନିଆ ରହଣିବେଳେ ତାଙ୍କୁ ଦେଖିବାକୁ ଆଖପାଖ ତଥା ଦୂରଦୂରାନ୍ତରୁ ଲୋକେ ଚାଲିଚାଲି ବା ଶଗଡ଼ ଗାଡ଼ିରେ ଆସୁଥିଲେ । ଏପରିକି ଆସିବା ବାଟରେ ରାନ୍ଧି ଖାଇ ଆସୁଥିଲେ । ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଥିଲା ସେହିଭଳି ଆକର୍ଷଣୀୟ । ତାଙ୍କ କଥା ଆଉ କାମରେ ଫରକ ନଥିଲା । ସେ ସଂପୂର୍ଣ୍ଣ ଭାବରେ ଦେଶପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଦେଶରେ ଗରିବୀ, ବେକାରୀ, ଅନ୍ଧବିଶ୍ୱାସ, କୁସଂସ୍କାର ଆଦିର ମୂଳୋତ୍ପାଟନ ପାଇଁ ସେ ବହୁବିଧ ଉପାୟ ଓ ଯୋଜନା ପ୍ରସ୍ତୁତ କରୁଥିଲେ । ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡିଶା ପାଇଁ ଗାନ୍ଧିଜୀଙ୍କ ହୃଦୟ ବିକଳ ଓ ବିଚଳିତ ହୋଇ ପଡୁଥିଲା । ସେଥିପାଇଁ ସେ ଏହାର ନିରାକରଣ ପାଇଁ ପ୍ରାଣପଣେ ଉଦ୍ୟମ କରୁଥିଲେ । ଓଡ଼ିଶାବାସୀଙ୍କୁ ଏକତାସୂତ୍ରରେ ଏକଜୁଟ୍ ହେବାକୁ ପ୍ରବର୍ତ୍ତାଇବା ସହ ସୂତାକଟା, ଲୁଗାବୁଣା ପାଇଁ ପ୍ରେରଣା ଦେଉଥିଲେ । ଓଡ଼ିଶାର କଳା, କଳାକାର, ସଂସ୍କୃତି ଓ ପରମ୍ପରାକୁ ଗାନ୍ଧିଜୀ ବେଶ୍ ଭଲ ପାଉଥିଲେ । ତେଣୁ ଓଡ଼ିଶା ପ୍ରତି ଗାନ୍ଧିଜୀଙ୍କ ହୃଦୟରେ ସ୍ୱତନ୍ତ୍ର ସମ୍ମାନବୋଧ ରହିଥିଲା । ଅପରପକ୍ଷେ ଓଡ଼ିଶାର ଲୋକେ ଗାନ୍ଧିଜୀଙ୍କୁ ମଧ୍ୟ ଖୁବ୍ ଭଲ ପାଉଥିଲେ ଓ ତାଙ୍କ ପ୍ରଦର୍ଶିତ ପଥରେ ଚାଲିବାକୁ, ଆନ୍ଦୋଳନ କରିବାକୁ, ସ୍ୱାଧୀନତା ସଂଗ୍ରାମରେ ଝାସଦେବାକୁ ଆଗଭର ହୋଇ ନିଜ ଦେଶାତ୍ମବୋଧର ପରିଚୟ ଓ ପରାକାଷ୍ଠା ପ୍ରଦର୍ଶନ କରୁଥିଲେ ।
ନିଜ ଜୀବନକାଳ ମଧ୍ୟରେ ଗାନ୍ଧିଜୀ ସାତଥର ଓଡିଶା ଆସିଥିଲେ । ଖୁସିର କଥା ଯେ ତାଙ୍କର ପ୍ରଥମ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବା ଅବସରରେ ଓଡିଶା ସରକାର ଓଡ଼ିଶାର ୩୦ଟି ଜିଲ୍ଲାରେ ମାର୍ଚ୍ଚ୨୩ତାରିଖ ରାତିରେ ଗାନ୍ଧୀ ଜୀବନ ସମ୍ବଳିତ ନାଟକ “ଗାନ୍ଧୀଙ୍କ ଓଡିଶା’ (ରଚନା-ଶଙ୍କର ତ୍ରିପାଠୀ) ପ୍ରଦର୍ଶନ କରାଯାଇଛି । ଓଡିଶା ସଂଗୀତ ନାଟକ ଏକାଡେମୀ ଏହାର ଦାୟିତ୍ୱ ନେଇ ଏହାକୁ ସଫଳ କରିଛନ୍ତି । ଗାନ୍ଧିଜୀ ସମାଜ ସଂସ୍କାରମୂଳକ ନାଟକ ପ୍ରଦର୍ଶନକୁ ଗୁରୁତ୍ୱ ଦେଉଥିଲେ । ତେଣୁ ନାଟକ ପ୍ରଦର୍ଶନ କରି ତାଙ୍କ ସ୍ମୃତି ପ୍ରତି ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଗାନ୍ଧିଜୀ ଥିଲେ ତ୍ୟାଗ, ସମର୍ପଣ, ସତ୍ୟ ଓ ଅହିଂସାର ମୂର୍ତ୍ତିମନ୍ତ ପ୍ରତୀକ । ଇଂରେଜୀ ଶାସନ ହଟାଇ ଦେଶମାତୃକାକୁ ଶୃଙ୍ଖଳମୁକ୍ତ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ଏଥିପାଇଁ ସେ ଇଂରେଜ ଶାସକମାନଙ୍କ ଠାରୁ ଗାଳି, ମାଡ, ଅପମାନ, ଅବହେଳା ପାଇଥିଲେ ମଧ୍ୟ ଅହିଂସ ଉପାୟରେ ସ୍ୱାଧୀନତା ହାସଲ କରିବାରେ ସମର୍ଥ ହୋଇଥିଲେ । ଅହିଂସାକୁ ଦୃଢ଼ ଅସ୍ତ୍ର ଭାବରେ ସେ ବ୍ୟବହାର କରି ସମଗ୍ର ପୃଥିବୀରେ ଏକ ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ବିନା ହିଂସା ଓ ବିନା ରକ୍ତପାତରେ ଇଂରେଜମାନଙ୍କ ପରି ଦୁର୍ଦ୍ଧର୍ଷ ଜାତିକୁ ପରାହତ କରିବା କିଛି ସହଜ କାମ ନଥିଲା । କିନ୍ତୁ ଆଇନ ଅମାନ୍ୟ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ସତ୍ୟାଗ୍ରହ, ଅନଶନ ଧର୍ମଘଟ, ପଦଯାତ୍ରା, ମୌନବ୍ରତ, ବିଦେଶୀ ବର୍ଜନ-ସ୍ୱଦେଶୀ ଗ୍ରହଣ ଭଳି ଅହିଂସକ ଉପାୟରେ ସେ ଭାରତର କୋଟିକୋଟି ଲୋକଙ୍କ ହୃଦୟ ଜିଣିଥିଲେ ଓ ସେମାନଙ୍କୁ ନିଜ ଆଦର୍ଶରେ ଅନୁପ୍ରାଣିତ କରି ଏକତା ବଜାୟ ରଖି ସ୍ୱାଧୀନତାର ଯୁଦ୍ଧ ଲଢ଼ିଥିଲେ ଓ ଶେଷରେ ବିଜୟ ପ୍ରାପ୍ତ ହୋଇଥିଲେ । ଗାନ୍ଧିଜୀଙ୍କ ନିଷ୍ଠା, ଦୃଢ଼ତା ଓ ନ୍ୟାଯ୍ୟ ହାସଲ ପାଇଁ ସଂଗ୍ରାମ ଫଳବତୀ ହୋଇଥିଲା । ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ଆଶ୍ରମ, ସ୍ୱରାଜ ଆଶ୍ରମ, ଗାନ୍ଧୀ ସ୍ମାରକନିଧି, ସର୍ବୋଦୟ ମଣ୍ଡଳ ଭଳି ଅନେକ ଅନୁଷ୍ଠାନ ଗାନ୍ଧୀଙ୍କ ସ୍ମୃତି ବହନ କରି କାର୍ଯ୍ୟ କରୁଛି ।
ଗାନ୍ଧିଜୀ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଜୀବନ୍ତ ଅନୁଷ୍ଠାନ । ଏକ ଅମ୍ଳାନ ଆଦର୍ଶ । ଏହି ଯୁଗପୁରୁଷଙ୍କ ପାଇଁ ଆଜି ସମଗ୍ର ଦେଶ ସ୍ୱାଧୀନତାର ସ୍ୱାଦ ପାଇଛି । ସ୍ୱାଭିମାନ ସହ ମୁଣ୍ଡଟେକି ବିଶ୍ୱରେ ନିଜର ପରିଚୟ ଓ ପ୍ରତିଷ୍ଠାକୁ ପ୍ରତିପାଦନ କରିଛି । ଜାତିର ପିତା ଭାବରେ ତାଙ୍କୁ ମିଳିଛି ସାର୍ବଜନୀନ ଶ୍ରଦ୍ଧା ଓ ସମ୍ମାନ । ଗାନ୍ଧୀବାଦ ପାଲଟିଛି ଏକ ଅବିସ୍ମରଣୀୟ ଆଦର୍ଶ ଓ ପରଂପରା ଯାହା ଏ ଜାତିକୁ ଅନନ୍ତକାଳ ପାଇଁ ଅନୁପ୍ରେରିତ କରୁଥିବ । ବିଶେଷ କରି ଗାନ୍ଧୀ ଜୀବନଧାରାରେ ବଂଚୁଥିବା ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ଆଗମନର ଶତବାର୍ଷିକୀ ଏକ ଅବିସ୍ମରଣୀୟ ପୁଲକ ଆଣିଦେଇଛି । ମହାତ୍ମାଗାନ୍ଧୀ ଓଡ଼ିଆ ଜନମାନସରେ ଏକ ଆଦର୍ଶର ଦୀପଶିଖା ରୂପେ ଅନନ୍ତକାଳ ଯାଏ ଆଲୋକ ପ୍ରଦାନ କରୁଥିବେ, ଏଥିରେ ସନ୍ଦେହ ନାହିଁ । ସେହି ସଦା ସ୍ମରଣୀୟ ମହାପୁରୁଷଙ୍କୁ ବିନମ୍ର ପ୍ରଣାମ ।
ଡମ୍ବରୁଧର ପଟ୍ଟନାୟକ – 1-15 ଏପ୍ରିଲ 2021
Comments
0 comments