ଇସରତ୍ ଜାହାନ ମାମଲା ଓ ଆମ ବିଚାର ବ୍ୟବସ୍ଥା

ଉଚ୍ଚତମ ନ୍ୟାୟାଳୟରେ ଅତିଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକରେ ଅନ୍ୟାୟର ଶିକାର ହେଉଥିବା ଲୋକମାନଙ୍କ ତରଫରୁ ଲଢ଼ୁଥିବା ବିଶିଷ୍ଟ ଓକିଲ ବ୍ରିନ୍ଦା ଗ୍ରୋଭର ମାର୍ଚ୍ଚ ୩୧,୨୦୨୧ ଦିନ ଓଡ଼ିଶାରେ ଥିଲେ । ତାଙ୍କ ସହ ଆଲୋଚନା ଚାଲିଥିଲାବେଳେ ହଠାତ୍ ତାଙ୍କ ପାଖକୁ ଏକ ଖବର ଆସି ପହଞ୍ଚିଲା । ଇସ୍ରତ୍ ଜାହାନ୍ ମାମଲାରେ ସି.ବି.ଆଇ ଅଦାଲତ ମିଥ୍ୟା ଏନକାଉଣ୍ଟର ମାମଲାରେ ଅଭିଯୁକ୍ତ ଥିବା ତିନିଜଣ ଗୁଜରାଟ ପୋଲିସର ଅଧିକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ତା’ପରେ ଦିଲ୍ଲୀସ୍ଥିତ କିଛି ଗଣମାଧ୍ୟମର ବନ୍ଧୁ ପ୍ରତିକ୍ରିୟାପାଇଁ ତାଙ୍କ ନିକଟକୁ ତୁହାକୁ ତୁହା ଫୋନ କରୁଥିଲେ । ଶେଷରେ ଆସିଲା ଦୁଇଟି ଫୋନ୍ । ଗୋଟିଏ ଥିଲା ଇସ୍ରତ୍ ଜାହାନ୍ ଭାଇଙ୍କ ଫୋନ୍ ଏବଂ ଅନ୍ୟଟି ତାଙ୍କ ମା’ଙ୍କର । ଶେଷ ଦୁଇଜଣ ଭାଙ୍ଗି ପଡ଼ିଥିଲେ । ବିଶ୍ୱାସ କରୁନଥିଲେ ଯେ ଅଦାଲତ ଏଭଳି ଏକ ରାୟ ଦେବେ । ଆଉ କ’ଣ ଆମେ କରିବା, ସେ ବିଷୟରେ ସେମାନେ ବ୍ରିନ୍ଦାଙ୍କ ପରାମର୍ଶ ମାଗୁଥିଲେ । ବ୍ରିନ୍ଦା ଙ୍କର ପ୍ରତିକ୍ରିୟା ଥିଲା ଯେ, ଏହି ସରକାର କେନ୍ଦ୍ରରେ ଥିବା ଯାଏଁ ଅଦାଲତମାନେ ପ୍ରଭାବମୁକ୍ତ ହେଇପାରିବେ ନାହିଁ । ଉଚ୍ଚତମ ନ୍ୟାୟାଳୟକୁ ଗଲେ ବି ହୁଏତ ଏକାପ୍ରକାର ରାୟ ମିଳିବ । ତାପରେ ଆମ ଭିତରେ କଥାବାର୍ତ୍ତା ହେଲାବେଳେ ସେ କ୍ଷୋଭର ସହିତ କହୁଥିଲେ ଯେ ଭାରତର ପ୍ରତିଟି ସାମ୍ବିଧାନିକ ସଂସ୍ଥା ନିଜକୁ କେମିତି ପ୍ରଭାବମୁକ୍ତ କରିପାରୁ ନାହାନ୍ତି ।

ଜୁନ୍ ୧୫,୨୦୦୪ ଦିନ ଯେତେବେଳେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଟୁ୍ୟସନ କରି ପରିବାର ଚଳାଉଥିବା ନୀରିହ ଝିଅ ଇସ୍ରତ୍ ଜାହାନ୍କୁ ଅନ୍ୟ ତିନିଜଣଙ୍କ ସମେତ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଅହମ୍ମଦାବାଦ ଅପରାଧ ଶାଖାର ପୋଲିସ ଏବଂ ସେହି ସରକାରଙ୍କର ଗୁଇନ୍ଦା ସଂସ୍ଥାର ଅଧିକାରୀମାନଙ୍କୁ ମିଛ ମୁକାବିଲା କରି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆସିଥିଲା । ଗୁଜରାଟ ପୋଲିସ ଯେଉଁ କାହାଣୀ ଲୋକଙ୍କୁ ଶୁଣାଇଥିଲା, ତାହା ଥିଲା ଯେ ଏହି ବାଳିକା ଇସ୍ରତ ଜାହାନ୍ ଅନ୍ୟ ତିନିଜଣ ଯଥା ଜାଭେଦ୍ ଗୁଲାମ ଶେଖ (ଯାହାର ପୂର୍ବନାମ ଥିଲା ପ୍ରାଣେସ ପିଲାଇ), ଅମ୍ଜାଦ୍ ଅଲ୍ଲି ରାଣା ଓ ଯେସନ୍ ଜୋହାରଙ୍କ ସହ ମିଶି ତକ୍ରାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । କେମିତି ଷଡ଼ଯନ୍ତ୍ର କରୁଥିଲେ ସେ ସମ୍ପର୍କରେ ପୋଲିସ କାହାଣୀରେ କିଛି ତଥ୍ୟ ବା ଦୃଷ୍ଟାନ୍ତ ନଥିଲା । କେବଳ ଏକ ଅପରୀକ୍ଷିତ ଘୋଷଣାଟିଏ ଥିଲାଯେ ଏମାନେ ସମସ୍ତେ ଆତଙ୍କବାଦୀ ସଂସ୍ଥା ଲସ୍କର-ଇ-ତୋଇବା ସହିତ ଜଡ଼ିତ ଥିଲେ । ଏହି କାହାଣୀଟିକୁ ଏକ ସୁପରିକଳ୍ପିତ ମନଗଢ଼ା କହାଣୀ ବୋଲି ଇସ୍ରତ୍ ଜାହାନଙ୍କ ମା ଏବଂ ମାନବ ଅଧିକାର ସଙ୍ଗଠନମାନେ କହି ଆସିଛନ୍ତି । ଠିକ୍ ଏହି ଢ଼ାଞ୍ଚାରେ ଗୁଜରାଟ ପୋଲିସ୍ ଦ୍ୱାରା ପରେ ଅନେକ ମିଥ୍ୟା ମୁକାବିଲା କରାଯିବାର ଅଭିଯୋଗ ହେଇଆସିଛି । ପ୍ରତିଟି ମିଥ୍ୟା ମୁକାବିଲା ହତ୍ୟାର କାହାଣୀ ଏକାପ୍ରକାର ରହିଆସିଛି ବୋଲି ମାନବ ଅଧିକାର କର୍ମୀ ଓ ମାମଲା ପରିଚାଳନା କରୁଥିବା ବି୍ରନ୍ଦା ଗ୍ରୋଭରଙ୍କ ଭଳି ବରିଷ୍ଠ ଓକିଲମାନେ କହି ଆସିଛନ୍ତି । ତେବେ ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିବାଯୋଗୁଁ, ତକ୍ରାଳୀନ ଗୁଜୁରାଟ ଉଚ୍ଚନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟଙ୍କର ହସ୍ତକ୍ଷେପ ସହଜ ଥିଲା । ସିବିଆଇ ଭଳି ସଂସ୍ଥା ମାନେ ଏହି ମାମଲାରେ ସକ୍ରିୟ ଥିଲେ । ୨୦୦୯ ମସିହାରେ ଅହମ୍ମଦାବାଦର ମେଟ୍ରୋପଲିଟାନ ଅଦାଲତ ଏହାକୁ ଏକ ପୂର୍ବକଳ୍ପିତ ହତ୍ୟାକାଣ୍ଡ ବୋଲି ରାୟ ଦେଇଥିଲେ । ନରେନ୍ଦ୍ର ମୋଦୀ ସରକାର ଏହି ରାୟ ବିରୁଦ୍ଧରେ ଗୁଜୁରାଟ ଉଚ୍ଚନ୍ୟାୟାଳୟକୁ ଯାଇଥିଲେ । ତେବେ ଏହି ଉଚ୍ଚନ୍ୟାୟାଳୟ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଦୁଇ ବର୍ଷର ଅନୁସନ୍ଧାନ ପରେ ଉଚ୍ଚନ୍ୟାୟାଳୟକୁ ଜଣାଇଥିଲେଯେ ଇସ୍ରତ୍ ଜାହାନ୍ ମୁକାବିଲା ଘଟଣାଟି ସତ୍ୟ ନଥିଲା । ଏବଂ ସେମାନେ କହିଥିଲେ ଯେ ଜୁନ୍ ୧୫ (୨୦୦୪) ପୂର୍ବରୁ ଅର୍ଥାତ୍ ମୁକାବିଲା ହେଇଥିବା ଦିନର ପୂର୍ବରୁ ଏମାନଙ୍କୁ ହତ୍ୟା କରାଯାଇଛି । ସେତେବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମତ ରଖି ଆସିଥିଲା ଯେ ଏହି ଘଟଣାଟି ଏକ ମିଥ୍ୟା ମୁକାବିଲା ଥିଲା । କିନ୍ତୁ ଯେହେତୁ ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା, ଏହା ବିଜେପି ବିରୁଦ୍ଧରେ କଂଗ୍ରେସର ଏକ ଷଡ଼ଯନ୍ତ୍ର ବୋଲି ବିଜେପିର ବରିଷ୍ଠ ନେତାମାନେ ଅଭିଯୋଗ କରୁଥିଲେ । ତେବେ ଯେଉଁମାନେ ଏହାକୁ ଏକ ମିଥ୍ୟା ମୁକାବିଲା କହିଆସିଥିଲେ ସେମାନେ ଇସ୍ରତ୍ ଜାହାନ୍ ଆତଙ୍କବାଦୀ ଥିଲେ କି ନାହିଁ ସ୍ପଷ୍ଟଭାବେ କହୁନଥିଲେ । ଫଳରେ ଆଗରୁ ଯାହା ଆଶଙ୍କା କରାଯାଉଥିଲା, ତାହା ସିବିଆଇ ଅଦାଲତ ରାୟରେ ସ୍ପଷ୍ଟ ହେଇଗଲା ।

ମାର୍ଚ୍ଚ ୩୧,୨୦୨୧ ଦିନ ସିବିଆଇ ଅଦାଲତ ତିନିଜଣ ଗୁଜରାଟ ପୋଲିସ୍ ଅଫିସର ଯଥା ଜି ଏଲ୍ ସିଂଘଲ୍, ତରୁଣ ଭାରତ ଏବଂ ଅନାଜୁ ଚଉଧୁରୀଙ୍କୁ ଦୋଷମୁକ୍ତ ଘୋଷଣା କଲାବେଳେ ଯାହା କହିଛନ୍ତି ତାହା ଅତି ଗୁରୁତ୍ୱପୂର୍ଣ୍ଣ । ବିଚାରପତି ଭି.ଆର.ରାଓଲ୍ ନିଜ ରାୟରେ କହିଥିଲେ ଯେ ଏହି ମୁକାବିଲାର ଶିକାର ହୋଇଥିବା ଲୋକମାନେ କେହି ‘ଆତଙ୍କବାଦୀ ନୁହଁନ୍ତି’ ବୋଲି କିଛି ପ୍ରମାଣ ନାହିଁ । ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ହୁଏତ ବିଚାରପତି ମହାଶୟ କହୁଛନ୍ତି ଯେ ଯେହେତୁ ସେମାନେ ‘ଆତଙ୍କବାଦୀ ନୁହଁନ୍ତି’ ବୋଲି ପ୍ରମାଣ ନାହିଁ ସେଥିପାଇଁ ତାଙ୍କୁ ମୁକାବିଲା କରି ହତ୍ୟା କରିବାଟା ଯଥାର୍ଥ, ଅର୍ଥାତ୍ ଅପରାଧ ନୁହଁ । ଏମାନଙ୍କୁ କିନ୍ତୁ ଆତଙ୍କବାଦୀ ବୋଲି ଏକମାତ୍ର ବ୍ୟକ୍ତି କହିଥିଲେ । ଡ଼ାଭିଡ୍ ହେଡଲି ନାମକ ଜଣେ ଅତି ବିବାଦୀୟ ଆମେରିକୀୟ ପାକିସ୍ଥାନୀ ଆତଙ୍କବାଦୀଙ୍କୁ ଭିଡ଼ିଓ କନ୍ଫେରେନ୍ସ ମାଧ୍ୟମରେ ଭାରତର ମୁମ୍ବାଇରୁ ଯେତେବେଳେ ପଚରାଯାଇ ଥିଲା (ଏହି ପଚାରିବା ପ୍ରକ୍ରିୟାଟି ଫେବୃଆରୀ ୭,୨୦୧୬ରୁ ଆରମ୍ଭ ହୋଇଥିଲା) ସେ ଇସ୍ରତ୍ ଜାହାନଙ୍କର ଆତଙ୍କବାଦୀ ସଂସ୍ଥା ଲସ୍କରି-ଇ-ତୋଇବା ସଙ୍ଗଠନ ସହ ସଂପୃକ୍ତି ଥିବା କଥା କହିଥିଲେ । ଏଇତକ କଥା ଶୁଣିବା ପାଇଁ ହୁଏତ ଆମେରିକାରେ ଥିବା ବ୍ୟକ୍ତିଙ୍କୁ ଭାରତରୁ ଭିଡ଼ିଓ କନ୍ଫେରେନ୍ସରେ ଅଣାଯାଇଥିଲା । ଏହି ବିବାଦୀୟ ଲୋକଟି ନାଁରେ ଯଦି କେହି ଇଣ୍ଟରନେଟ୍ରେ ସର୍ଚ୍ଚକରନ୍ତି, ତେବେ ଜାଣିହେବ ଯେ ସେ ଜଣେ ମଧ୍ୟ ଗୁପ୍ତଚର ଓ ବିଭିନ୍ନ ସରକାର ବା ସଂସ୍ଥାମାନଙ୍କ ପାଇଁ କାମ କରିଆସିଛନ୍ତି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କୁ ମଧ୍ୟ ଏକ ରାଜସାକ୍ଷୀ ହିସାବରେ ଭାରତ ସରକାର ଗ୍ରହଣ କରିଛନ୍ତି । ଅନ୍ୟ ଅର୍ଥରେ ସରକାର ଯାହା ଚାହୁଁଚନ୍ତି ସେ ଭଳି ବୟାନ ଏ ମହାଶୟ ଦେଇପାରିବେ । ଏବେ ଯେତେବେଳେ ଏହି ବିବାଦୀୟ ଓ ବିତର୍କିତ ଗୁପ୍ତଚରଙ୍କର ବୟାନକୁ ଏକ ମାତ୍ର ପ୍ରମାଣ ହିସାବରେ ଗ୍ରହଣକରି ଇସ୍ରତ୍ ଜାହାନ୍ ମାମଲାରେ ଅଭିଯୁକ୍ତ ଥିବା ପୋଲିସ ଅଧିକାରୀମାନଙ୍କୁ ସମ୍ମାନର ସହ ଦୋଷମୁକ୍ତ କରାଯାଉଛି ଏବଂ ଇସ୍ରତ୍ ଜାହାନ୍ ଜଣେ ‘ଆତଙ୍କବାଦୀ ନୁହଁନ୍ତି’ ବୋଲି କିଛି ପ୍ରମାଣ ନାହିଁ ଅଦାଲତ୍ କହୁଛନ୍ତି; ତେବେ ଯେଉଁମାନେ ଏହି ସରକାର ଅମଳରେ ଅଦାଲତମାନେ ଏଭଳି ରାୟ ଦେଇପାରନ୍ତି ବୋଲି ଆଶଙ୍କା କରୁଥିଲେ ତାହା ସତ୍ୟ ପ୍ରମାଣିତ ହେଇଛି । ଅନ୍ତତଃ ଆମ ସମ୍ବେଦନହୀନ ଗଣମାଧ୍ୟମ ଏବଂ ବୃହତ୍ତର ସମାଜ, ଯଦି କାହାକୁ ଆତଙ୍କବାଦୀ ବୋଲି କହି ହତ୍ୟାକରାଯାଏ, ତାକୁ ସେମାନେ ସହଜରେ ନେଇପାରିବେ । ଛାତ୍ର ବୟସରେ କଠିନ ପରିଶ୍ରମ କରି ପରିବାର ଚଳାଉଥିବା ଏକ ମାତ୍ର ଝିଅ ଇସ୍ରତ୍ର ମା’ଙ୍କର ଆଖିର ଲୁହ ଓ ଛାତିର କୋହକୁ କେହି ବୁଝି ପାରିବେ ନାହିଁ । ସବୁ ଘଟଣା ଓ ସେ ସବୁର ସତ୍ୟାସତ୍ୟକୁ ପରୀକ୍ଷା କରିଆସୁଥିବା ବିଶିଷ୍ଟ ଓକିଲ ବ୍ରିନ୍ଦା ଗ୍ରୋଭର ମର୍ମାହତ ହେବା ସ୍ୱାଭାବିକ । ଏହି ସରକାର ଆସିବା ଦିନଠୁ ଭିନ୍ନମତ ରଖି ଆସିଥିବା ବୁଦ୍ଧିଜୀବୀ, ଓକିଲ, ଅଧ୍ୟାପକ, ସାମ୍ବାଦିକ, ମାନବ ଅଧିକାର କର୍ମୀ ଏବଂ ଛାତ୍ରମାନଙ୍କୁ ମିଛ ମକଦ୍ଦମା କରି କାରାଗାରରେ ରଖିବାର ଏକ ଘୃଣ୍ୟ ପରମ୍ପରା ଜାରି ରହିଛି । ଭିମାକୋରେଗାଁଓ ମାମଲାରେ ଜେଲ୍ରେ ସଢ଼ୁଥିବା ତଥା ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପଡ଼ିଥିବା ବିଶିଷ୍ଟ ଲୋକମାନଙ୍କ କଥା ଆମେ ସମସ୍ତେ ଯାଣୁ । ଆମ ଅଦାଲତମାନେ ଯେ ସରକାରଙ୍କର ଏବଂ ବିଶେଷ କରି ପୋଲିସ୍ ତଥା ଗୋଇନ୍ଦାସଂସ୍ଥାମାନଙ୍କର ସମ୍ପ୍ରସାରିତ ଶାଖା ହିସାବରେ କାମ କରିବେ, ଏ କଥା ଏକ ଗଣତନ୍ତ୍ରରେ କିଏ କେବେ ଭାବି ନଥିଲେ । ତେବେ ଆମ ଗଣତନ୍ତ୍ରର ଅନୁଷ୍ଠାନଗୁଡ଼ିକ କ୍ଷମତାରେ ଥିବା ରାଜନୈତିକ ଶକ୍ତିମାନଙ୍କର ପ୍ରଭାବରେ ଦିଗହରା ହେଇଚାଲିଥିବା ବେଳେ ଭାରତର ଗଣମାନେ ଏବଂ ସେମାନଙ୍କୁଠୁ ବହୁଆଗରେ ଅଛନ୍ତି ବୋଲି ମନେ କରୁଥିବା ଶିକ୍ଷିତ ତଥା କୁହାଳିଆବର୍ଗ କ’ଣ କରୁଛନ୍ତି ଯଦି ପ୍ରଶ୍ନଟିଏ କରାଯାଏ, ତେବେ ଆମେ କେବଳ ଏହି ପ୍ରଶ୍ନର ପ୍ରତିଧ୍ୱନି ହିଁ ଶୁଣିପାରିବା ।

ବିରୋଧିବିହୀନ ଭାରତ

ଏବେ ଯେଉଁ ରାଜ୍ୟମାନଙ୍କରେ ବିଧାନସଭା ପାଇଁ ନିର୍ବାଚନ ଚାଲିଛି, ସବୁଠୁ ଅଧିକା ଚର୍ଚ୍ଚାରେ ରହିଆସିଛି ପଶ୍ଚିମବଙ୍ଗର ନିର୍ବାଚନ ପ୍ରଚାର ଅଭିଯାନ । ଦୀର୍ଘ ଦଶବର୍ଷ ଧରି ଶାସନରେ ଥିବା ତୃଣମୂଳ କଂଗ୍ରେସକୁ ମୁକାବିଲା କରୁଛି ଭାରତୀୟ ଜନତା ପାର୍ଟି । ଅନ୍ତତଃ କେନ୍ଦ୍ରରେ ଶାସନରେ ଥିବା ଦଳପ୍ରତି ଆନୁଗତ୍ୟ ରଖିଥିବା ଜାତୀୟ ଦୃଶ୍ୟ ଗଣମାଧ୍ୟମ ଗୁଡ଼ିକ ଏଭଳି ଏକ ବର୍ଣ୍ଣନା ଉପସ୍ଥାପନା କରି ଚାଲିଛନ୍ତି । ତୃଣମୂଳ କଂଗ୍ରେସ ଓ ଭାଜପାର ପ୍ରତିଦ୍ୱନ୍ଦ୍ୱିତାକୁ ଅତିରଞ୍ଜିତ କରି ଯେତେବେଳେ ୨୪ଘଣ୍ଟିଆ ଉପସ୍ଥାପନ କରାଯାଉଛି, ସେତିକିବେଳେ ସାମାଜିକ ଗଣମାଧ୍ୟମ ନଥିଲେ ହୁଏତ ଆଦୌ ଜଣାପଡ଼ନ୍ତା ନାହିଁଯେ ସେଠି ପ୍ରକୃତ ବିରୋଧିର ଭୂମିକାରେ ଥିବା ବାମପନ୍ଥୀମାନଙ୍କର ଉପସ୍ଥିତି ଓ ଆଦର କିଭଳି ରହିଛି । ବାମପନ୍ଥୀ ସାମୁଖ୍ୟର ପ୍ରାର୍ଥୀମାନେ ସରଳ ଓ ଜନପ୍ରିୟ ଥିବା ସତ୍ତ୍ୱେ ସେମାନଙ୍କର ଜାତୀୟ ଗଣମାଧ୍ୟମରେ କୌଣସି ସ୍ଥାନ ନାହିଁ । ସମଗ୍ର ଭାରତବର୍ଷରେ ବାମପନ୍ଥୀମାନଙ୍କୁ ନିଶ୍ଚିହ୍ନ କରିଦେବା ପାଇଁ ଗଣମାଧ୍ୟମ ଅନବରତ କାମ କରିଆସିଛି ବୋଲି ଯେଉଁ ମାନେ ଅଭିଯୋଗ କରୁଛନ୍ତି ତାକୁ ଅସ୍ୱୀକାର କରିବା ସହଜ ନୁହେଁ ।

ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ଭାଜପାର ଯେଉଁ ନିର୍ବାଚନ ପ୍ରଚାର ଚାଲିଛି; ସେଥିରେ ଅର୍ଥବଳ,ବାହୁବଳ ଏବଂ ସାମ୍ବିଧାନିକ ସଂସ୍ଥାମାନଙ୍କର ଦୁରୁପଯୋଗ ସମ୍ପର୍କିତ ଅନେକ ତଥ୍ୟ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଘୁରି ବୁଲୁଛି । ସେ ସବୁର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଉପାୟ କିଛି ନାହିଁ । ମମତା ବାନାର୍ଜୀଙ୍କ ନେତୃତ୍ୱରେ ଥିବା ତୃଣମୂଳ କଂଗ୍ରେସ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଭାଜପା ମଧ୍ୟ ଆଣିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସିଧାସଳଖ ଦୁର୍ନୀତିର ଅଭିଯୋଗ ନଥିଲେ ମଧ୍ୟ ତାଙ୍କର ସହକର୍ମୀମାନଙ୍କର ସମ୍ପୃକ୍ତି ବିଷୟ ଗଣମାଧ୍ୟମରେ ଉନ୍ମୋଚିତ ହେଇଛି । ତେବେ କୌତୁହଳର କଥାଯେ ମମତାଙ୍କର ଯେଉଁ ସବୁ ସହକର୍ମୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି,ସେମାନେ ସମସ୍ତେ ପ୍ରାୟ ଏବେ ଅଭିଯୋଗ ଆଣିଥିବା ଭାଜପା ଦଳ ଭିତରେ । କେହି କେହି ଏହି ଥର ନିର୍ବାଚନ ଲଢ଼ୁଛନ୍ତି । ଏମାନଙ୍କର ପ୍ରଚାର ପାଇଁ ଭାଜପାର ଦୁଇ ମୁଖିଆ ତଥା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତୁହାକୁ ତୁହା ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ନିର୍ବାଚନ ପ୍ରଚାର ଏତେ ନିମ୍ନ ସ୍ତରକୁ ଯାଇଛିଯେ ସେଠାକାର ଶିକ୍ଷିତ ଓ ସଚେତନ ବର୍ଗ ପଶ୍ଚିମବଙ୍ଗ ଭାବମୁର୍ତ୍ତୀ ଖରାପ ହେଇଚାଲିଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି । ନିର୍ବାଚନରେ ଉଚିତ୍ ବିଚାର କରି ମତଦାନ କରିବା ଭୋଟରମାନଙ୍କ ପାଇଁ ସମ୍ଭବ ହେଉ ନାହିଁ । ସବୁଠାରୁ ଅଧିକା ଚାପରେ ପଶ୍ଚିମବଙ୍ଗର ମତଦାତା ଅଛନ୍ତି ବୋଲି କେତୋଟି ସାମାଜିକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ୁଛି । ଏଭଳି ଏକ ସମୟରେ ‘କିଏ’ ସରକାର ଗଢ଼ିବେ ପଶ୍ଚିମବଙ୍ଗର ମତଦାତାଙ୍କ ପାଇଁ ଯେତିକି ପ୍ରସଙ୍ଗ ନୁହଁ; ‘କେବେ’ ନିର୍ବାଚନ ସରିବ ତାହା ସେମାନଙ୍କର ବଡ଼ ଚିନ୍ତା ହେଇଯାଇଛି । ଏଭଳି ଏକ କୋଳାହଳ ଓ ଅରାଜକତାର ପରିବେଶ ଭାଜପା ଓ ସେମାନଙ୍କର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପାଇଁ ଅତିସହାୟକ ହେଇଥାଏ ବୋଲି ଅତୀତର ଘଟଣାବଳୀଗୁଡ଼ିକୁ ପରଖିଲେ ଜଣାପଡେ । ଅମିତ ଶାହା ନିର୍ବାଚନ ପ୍ରଚାରର ଅନେକ ପୂର୍ବରୁ କହିସାରିଛନ୍ତି ଯେ ପଶ୍ଚିମବଙ୍ଗ ଦଖଲ କରିବା ପରେ ସେମାନେ ଓଡ଼ିଶା ଆଡ଼କୁ ଆସିବେ । କିଛି ଜଣାପଡ଼ୁନାହିଁ ଓଡ଼ିଶାରେ ଶାସକଦଳର ମୁଖ୍ୟ ଏ କଥାଟିକୁ କେତେ ଗୁରୁତ୍ୱର ସହ ନେଇଛନ୍ତି । ତୃଣମୂଳ କଂଗ୍ରେସ ଯେମିତି ଜଣେ ବ୍ୟକ୍ତିଙ୍କ ପରାକ୍ରମରେ ଚାଲିଛି ଓଡ଼ିଶାରେ ମଧ୍ୟ ସେହିଭଳି ବିଜୁପଟ୍ଟନାୟଙ୍କ ପୁତ୍ର ନବୀନ ବାବୁଙ୍କର ଏକଚାଟିଆ ନେତୃତ୍ୱରେ ଦଳ ଓ ସରକାର ଚାଲିଛି । ଏଭଳି ଜଣଙ୍କ ନେତୃତ୍ୱରେ ଚାଲିଥିବା ଏବଂ ଆଭ୍ୟନ୍ତରୀଣ ଗଣତନ୍ତ୍ର ନଥିବା ଦଳଗୁଡ଼ିକୁ କ୍ଷମତାଚୁ୍ୟତ କରିବା ଅର୍ଥବଳ ଓ ବାହୁବଳ ଠୁଳକରି ଚାଲିଥିବା ଭାଜପା ପାଇଁ ଏକ କଷ୍ଟକର ବ୍ୟାପାର ନୁହଁ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଥିବା ସେବେକାର ଭାଜପା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପା ଏକା ଆଦର୍ଶବାଦ ପୃଷ୍ଠଭୂମି ଥିଲେ ବି ସମାନ ନୁହଁନ୍ତି । ବାଜପେୟୀଙ୍କ ଅମଳରେ ପୁଞ୍ଜିର ପ୍ରଭାବ ଯାହାଥିଲା ତାହା ଏବେ କେତେଗୁଣ ବଢ଼ିଛି ଭାଜପାର ହିସାବଖାତା ଦେଖିଲେ ଜଣାପଡ଼ିବ । ଅଦୃଶ୍ୟ ଖର୍ଚ୍ଚର ତ ହିସାବ ନାହିଁ କିନ୍ତୁ ଯଦି ଅମିତ ଶାହାଙ୍କ ବାକ୍ୟ ସତ୍ୟହୁଏ, ତେବେ ପୂର୍ବଭାରତକୁ ନିଜ ନିୟନ୍ତ୍ରଣକୁ ଆଣିବା ଭାଜପା ପାଇଁ ସହଜ ହେଇଯିବ । ଯେଉଁମାନେ ଜନବାଦୀ ବିଚାରରେ ଓ ଆଦର୍ଶବାଦରେ ଭରସାରଖି ରାଜନୀତି କରିଆସିଛନ୍ତି ସେମାନଙ୍କର ଅସ୍ତିତ୍ୱ ରହିବା ପ୍ରଶ୍ନବାଚୀ ହେଇଯିବ । ତଥାପି ନିଜନିଜ ଭିତରେ ଥିବା ପରସ୍ପର ବିରୋଧି ବିଚାରକୁ ଅତିକ୍ରମ କରି ସମସ୍ତେ ମିଳିମିଶି ଏକ ରାଜନୈତିକ ସମୂହ ନିର୍ମାଣ କରିବା କଥା କେହିବି ଚିନ୍ତା କରିପାରୁ ନାହାନ୍ତି । ମମତା ବାନାର୍ଜୀଙ୍କ ନିର୍ବାଚନୀ ପରାମର୍ଶଦାତା ପ୍ରଶାନ୍ତ କିଶୋର ମାର୍ଚ୍ଚ୨୧,୨୦୨୧ ଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ଭାରତ ଗୋଟିଏ ଦେଶ, ଗୋଟିଏ ଦଳ ଦ୍ୱାରା ପରିଚାଳିତ ରାଷ୍ଟ୍ର ହୋଇ ରହିବ କି ନାହିଁ ସେ ଦୃଷ୍ଟିରୁ ପଶ୍ଚିମବଙ୍ଗ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ’ । ପ୍ରଶାନ୍ତ କିଶୋରଙ୍କର ଏହି ବକ୍ତବ୍ୟକୁ ହାଲୁକା କରି ଦେଖିହେବ ନାହିଁ । ପଶ୍ଚିମବଙ୍ଗର ରାଜନୀତିରେ ପ୍ରଗତିଶୀଳ ଓ ବିପ୍ଳବୀ ମାନଙ୍କର ପ୍ରଭାବ ଦୀର୍ଘଦିନ ଧରି ରହିଆସିଥିଲା । କିଛି ଅସନ୍ତୋଷକୁ ପୁଞ୍ଜିକରି ଦୀର୍ଘଦିନ ଧରି ଶାସନରେ ଥିବା ବାମପନ୍ଥୀ ଶାସନର ଅନ୍ତ ଘଟିଥିଲା ଯେତେବେଳେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଶବର୍ଷ ତଳେ କ୍ଷମତାସୀନ ହେଲା । ବାମପନ୍ଥୀଙ୍କ ବିରୋଧରେ ମମତାଙ୍କ ଦଳ ଯେଉଁ ସବୁ ଅଭିଯୋଗ ଆଣୁଥିଲା , ଏବେ ଭାଜପା ମମତାଙ୍କ ବିରୋଧରେ ସେହିସବୁ ଅଭିଯୋଗ ଆଣିଚାଲିଛି । ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ ଭିତରେ ଯେଉଁ ଭୟଙ୍କର ତିକ୍ତତା ରହିଆସଛି ତାହା ସେମାନଙ୍କୁ ଏକାଠି କରାଇ ଦେଉନାହିଁ । ଯଦିଓ ଅନେକ ଜାଣିବା ଶୁଣିବା ଲୋକ ଭାବୁଛନ୍ତିଯେ ଏମାନେ ଏକାଠି ହେଇଥିଲେ ଘୃଣା ଭେଦଭାବ ସୃଷ୍ଟି କରୁଥିବା ଗୋଟିଏ ସାମ୍ପ୍ରଦାୟିକ ଦଳକୁ ସେମାନେ ଶାସନଠାରୁ ଦୂରରେ ରଖିପାରନ୍ତେ, ସେମାନେ ଏମାନଙ୍କର ପରସ୍ପରପ୍ରତି ରହିଆସିଥିବା ତିକ୍ତତାକୁ ପରଖିଲେ, ଅନ୍ତତଃ ଏକତାର ପରାମର୍ଶ ଦେବେନାହିଁ । କିନ୍ତୁ ଯେଉଁ ବାମପନ୍ଥୀମାନେ ସ୍ୱପ୍ନ ଦେଖୁଛନ୍ତିଯେ ଦିଦିଙ୍କୁ ହରାଇ ମୋଦୀ ଯଦି ପଶ୍ଚିମବଙ୍ଗର ଶାସନ କ୍ଷମତା ନିଜ ହାତକୁ ନିଅନ୍ତି, ତେବେ ବାମପନ୍ଥୀ ମାନଙ୍କର ଶାସନକୁ ଫେରିଆସିବାର ସମ୍ଭାବନା ସୃଷ୍ଟି ହେବ ତାହାର ବାସ୍ତବତା ସେମାନେ ସମୟ ଆସିଲେ ବୁଝିବେ ।

Photo credit- https://bit.ly/3tdjVjD

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.