କେଉଁ ରାଜ୍ୟ ଦେଶର ଦରିଦ୍ରତମ, କେଉଁ ପ୍ରଦେଶ ମାନବ ବିକାଶ ସୂଚକାଙ୍କରେ କେଉଁଠି, କେଉଁସହର ଦେଶର ସର୍ବଶ୍ରେଷ୍ଠ ବାସୋପଯୋଗୀ ସହର ସେ ନେଇ ଜାତୀୟସ୍ତରରେ ମୂଲ୍ୟାୟନ ହେଉଛି । ତା’ର ଫଳାଫଳ ମଧ୍ୟ ସମସ୍ତଙ୍କ ପାଇଁ ଆଗ୍ରହର ପ୍ରସଙ୍ଗ ପାଲଟୁଛି । କିନ୍ତୁ ପୂଜ୍ୟପୂଜାରେ କେଉଁ ଜାତି, ଭାଷା, କେଉଁ ପ୍ରଦେଶ ଆଗରେ ଏବଂକିଏ ପଛରେ ଯଦି ସେନେଇ କୌଣସି ଜାତୀୟସ୍ତରୀୟ ପ୍ରତିଯୋଗିତା ହୁଅନ୍ତା, ତେବେ ସାରାଦେଶରେ ଓଡ଼ିଆଙ୍କର ସ୍ଥାନ କେଉଁଠି; ତା’ର ଫଳାଫଳ ନିଶ୍ଚିତ ରୂପେ ସମସ୍ତଙ୍କୁ ଚକିତ କରିଦିଅନ୍ତା । ଏଭଳି ପ୍ରତିଯୋଗିତା ବାସ୍ତବରେ ସମ୍ଭବପର ନୁହେଁ, କି ହେବା ବି ଅନୁଚିତ । କାରଣ ଏହାର ଫଳାଫଳ ଆମର ମୁଖ ଦର୍ପଣ, ଚରିତ୍ର ଚିତ୍ରଣର ପ୍ରତିଫଳନ ହେବ ଯାହାକି ଅନେକଙ୍କ ପାଇଁ ସ୍ପୃହଣୀୟ କି ଗ୍ରହଣୀୟ ହେବ ନାହିଁ ।
ଆମେ ପୂଜ୍ୟପୂଜା କରିବାରେ କେତେ ଅଗ୍ରଣୀ, ତାହା ଆମର ଦୈନନ୍ଦିନ ଆଚାର ବ୍ୟବହାର, ଚାଲିଚଳଣ, ଅତିଥିଚର୍ଚ୍ଚାରୁ ଅନେକାଂଶରେ ପ୍ରତିଫଳିତ ହୋଇଥାଏ । ଆମ ଘରେ ହେଉ କି ସଭାସମିତିରେ; ଆମେ ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଅତିଥିଙ୍କୁ କିପରି ବରଣ କରିଥାଉ? ଯଦି ଅତିଥିଜଣକ ରାଜନେତା, ପ୍ରଭାବଶାଳୀ ପ୍ରଶାସକ କି କ୍ଷମତା ଅଳିନ୍ଦ ସହିତ ଜଡ଼ିତ ନଥାନ୍ତି, ସେହିଭଳି ଅତିଥିଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ ସଠିକ୍ ଢଙ୍ଗରେ ଉପସ୍ଥାପିତ କରିବାରେ ଆମେ କୃପଣ ନୁହେଁ କି? ଯଦି କୌଣସି ସଭାସମିତିରେ ଜଣେ ବରେଣ୍ୟ ସାହିତ୍ୟିକ, ଜଣେ ମନ୍ତ୍ରୀ, ଜଣେ ବରିଷ୍ଠ ପ୍ରଶାସକ ଥାଆନ୍ତି ତେବେ କାହାରିକୁ ଆମେ କିପରି ଉପସ୍ଥାପିତ କରୁ? ଆମ ସାମାଜିକ ଜୀବନରେ ଯଦି ଆମେ ସାଧାରଣ ବର୍ଗର ହୋଇଥାଉ, ତେବେ ଆଦିବାସୀ କି ଦଳିତବର୍ଗର ପଡ଼ୋଶୀଙ୍କ ସହିତ କିପରି ଆଚରଣ ପ୍ରଦର୍ଶନ କରୁ? ସେମାନଙ୍କ ସହିତ ଆମର ସାମାଜିକ ବନ୍ଧନ କେତେ ସୁଦୃଢ଼?
ଏହି ପୃଷ୍ଠଭୂମିରେ ଆମ ମହାପୁରୁଷଙ୍କ ପ୍ରତି ଆମର ସମ୍ମାନ, ଶ୍ରଦ୍ଧାସଂପର୍କିତ କିଛି ପ୍ରସଙ୍ଗ ଉପରେ ଦୁଇପଦ ଆଲୋଚନା କରିବାକୁ ଚାହିଁବି । ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉ ବା ତାଙ୍କ ଉଦ୍ଦେଶ୍ୟ ରେ କୌଣସି ସମ୍ମାନ, ପୁରସ୍କାର, ଚେୟାର ପ୍ରତିଷ୍ଠା ବା କୌଣସି ରାଜରାସ୍ତା/ଅନୁଷ୍ଠାନର ନାମକରଣ ଆଦି କାର୍ଯ୍ୟକଳାପ ଯୋଗୁଁ ସେହି ଅମର ଆତ୍ମାଙ୍କର ଗାରିମା, ପ୍ରତିଷ୍ଠା ଆହୁରି ବୃଦ୍ଧି ପାଏ ନାହିଁ । ବରଂ ତାଙ୍କୁ ସମ୍ମାନ କଲେ ଆମେ ତାଙ୍କର ଉପଯୁକ୍ତ ଦାୟାଦ ବୋଲାଇଥାଉ । ଯଦି ତାଙ୍କୁ ଆମେ ପ୍ରକୃତରେ ସମ୍ମାନ କରୁ, ତାହା ଆମର ପରିଚୟକୁ ଆହୁରି ସୁଦୃଢ଼ କରିଥାଏ । ଆମ ପିଢ଼ି ବା ପରବର୍ତ୍ତୀ ପିଢ଼ି ଅର୍ଥାତ ବର୍ତ୍ତମାନର ଯୁବକ-ଯୁବତୀମାନଙ୍କ ଆଗରେ ସେହି ମହାପୁରୁଷଙ୍କର ନୀତି, ଆଦର୍ଶ ଆହୁରି ପ୍ରତିଭାତ ହୋଇଥାଏ । ତାହା ସେହି ପିଢ଼ିର ଯୁବମାନସକୁ ଅନୁପ୍ରେରିତ କରିଥାନ୍ତି । ଗୋଟିଏ ଉତ୍ତମ ପୁସ୍ତକ ପାଠକଲେ ତାହା ଯେପରି ଆମର ମନକୁ କିଛି ନୂଆ ଆହରଣ ଶକ୍ତିବୃଦ୍ଧି କରିବାରେ ସହାୟକ ହୋଇଥାଏ, ସେହିପରି ଯୋଗଜନ୍ମାମାନଙ୍କୁ ସମ୍ମାନ ପ୍ରଦର୍ଶନ ମାଧ୍ୟମରେ ମନରେ ଆଦର୍ଶ, ନୂଆ କିଛି କରିବାର ଶିହରଣ ସୃଷ୍ଟି ହେବା ସ୍ୱାଭାବିକ ।
ସମ୍ପ୍ରତି ସାରାଭାରତର ବିଭିନ୍ନ ରାଜ୍ୟରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠାର ପ୍ରତିଯୋଗିତା ଏକ ରୋଚକସ୍ଥିତିରେ ପହଞ୍ଚିଛି । ଏହି ପ୍ରତିଯୋଗିତାରେ ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ଯେତିକି ଆଗ୍ରହ ଓ ଶ୍ରଦ୍ଧା ପ୍ରକାଶ ପାଉନାହିଁ, ତା’ଠାରୁ ପ୍ରତିମୂର୍ତ୍ତିର ନିମ୍ନଭାଗରେ ଫଳକଟିଏ ସ୍ଥାପନ କରି ସେଥିରେ ଅବସ୍ଥାପିତ ବରପୁତ୍ରଙ୍କ ଅବଦାନ ଅପେକ୍ଷା ସ୍ଥାପନକାରୀ ଅତିଥିଙ୍କ ବିସ୍ତୃତ ପରିଚୟ ପ୍ରଦାନ କରାଯିବାର ବ୍ୟବସ୍ଥା ଅତ୍ୟନ୍ତ ହାସ୍ୟାସ୍ପଦ ମନେ ହେଉଛି । ଏହି ପରିପ୍ରେକ୍ଷୀରେ କିଛି ନେତୃସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ଏଭଳି ଧାରଣା ହୋଇଛି ଯେ ଯିଏ ଯେତେ ପ୍ରତିମୂର୍ତ୍ତି ସ୍ଥାପନ କରିବ, ସିଏ ସେତେ ପ୍ରଭାବଶାଳୀ ରୂପରେ ପରିଗଣିତ ହୋଇପାରିବ । ପୁଣି ପ୍ରତିମୂର୍ତ୍ତିର ନିମ୍ନରେ ଥିବା ଫଳକରେ ସେହି ବରପୁତ୍ରଙ୍କର ନାମଟି ବ୍ୟତୀତ ତାଙ୍କର କାର୍ଯ୍ୟଧାରା ଓ ମହନୀୟତାର ସୂଚନା ରହୁନାହିଁ । ବରଂ ସେହିସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିବା ମନ୍ତ୍ରୀ, ନେତା ଓ ପଦସ୍ଥ କର୍ମଚାରୀଙ୍କ ନାମ ବଡ଼ବଡ଼ ଅକ୍ଷରରେ ଲେଖାଯାଇ ସେମାନଙ୍କର ପ୍ରତିଷ୍ଠା ଓ ପଦ ପଦବୀର ଗାରିମା ବର୍ଣ୍ଣନା କରାଯାଉଛି । ଏହିମୂର୍ତ୍ତି ସ୍ଥାପନର ପରମ୍ପରାକୁ ଦେଖି ଜନସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏଭଳି ମୂର୍ତ୍ତିସ୍ଥାପନ କରିବାରେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତିଭାବ ପ୍ରକଟିତ ହେଉଛି ନା ନିଜ ଅହଂକାରର ଛବି ଉକୁଟି ଉଠୁଛି ।
ସାଧାରଣତଃ ଦେଶ ବା ରାଜ୍ୟର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତି୍ୟକ, ସମାଜସେବୀ ଭଳି ମହାପୁରୁଷଙ୍କ ସ୍ମୃତିରକ୍ଷା, ଦେଶ, ଜାତି ପାଇଁ ସେମାନଙ୍କର ଅମର ଅବଦାନର ଗାଥାର ସ୍ମରଣ ତଥା କାଳଜୟୀ କୃତି ନିମନ୍ତେ ସେମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥାଏ । ସରକାରୀ ତଥ୍ୟ ଅନୁସାରେ ରାଜଧାନୀ ଭୁବନେଶ୍ୱରରେ କେବଳ ୫୧ଜଣ ସହିତ ରାଜ୍ୟର ବିଭିନ୍ନସ୍ଥାନରେ ୭୩ଜଣ ମହାପୁରୁଷ/ବରପୁତ୍ରଙ୍କ ପ୍ରତିମୂର୍ତ୍ତିସ୍ଥାପନ କରାଯାଇଛି । ଆହୁରି ୮ଜଣ ମହାପୁରୁଷଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୋଜନା କରିଥିଲେ ସରକାର । ଇତିମଧ୍ୟରେ ସେମାନଙ୍କର ପାଇଁ ପ୍ରତିମୂର୍ତ୍ତି ନିର୍ମାଣ ଶେଷହେବା କଥା । କେବଳ ପ୍ରତିମୂର୍ତ୍ତି ସ୍ଥାପନ ନୁହେଁ, ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ରାଜ୍ୟର ୫୫ଜଣ ବରପୁତ୍ରମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧତ୍ସବ ପାଳନ କରାଯାଉଛି ।
ଏକଥା ସତ ଯେ ଆମ ଦେଶ ଭାରତର ଗାନ୍ଧୀ, ନେହେରୁ, ରବିନ୍ଦ୍ରନାଥ, ସୁଭାଷଙ୍କ ଭଳି ଆମ ରାଜ୍ୟ ଓଡ଼ିଶାର ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ମଧୁସୂଦନ ରାଓ, ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ମିଶ୍ର, ଗଙ୍ଗାଧର ମେହେର, ସୁରେନ୍ଦ୍ରସାଏ, ଲକ୍ଷ୍ମଣ ନାଏକ, ଲକ୍ଷ୍ମୀକାନ୍ତ ମହାପାତ୍ର, ବ୍ୟାସକବି ଫକୀର ମୋହନ ସେନାପତି, ଧରଣୀଧର ନାଏକ (ଭୂୟାଁ) ଓ ବିଜୁ ପଟ୍ଟନାୟକ ଆଦି ମହାନ ଦେଶସେବୀଙ୍କ ଦେଶପ୍ରେମ, ସେବା, କର୍ମପ୍ରବଣତା ଓ ଦେଶପ୍ରୀତିର ତୁଳନା ନାହିଁ । ସେମାନଙ୍କର ଆଦର୍ଶଗତ ଆଚରଣ ଦେଶର ଅଗଣିତ ଜନତାର ଧ୍ୟେୟ ଓ ପ୍ରେରଣା ଅଟେ । ସେମାନେ ଯେ କେବଳ ନିଜଗୁଣରେ ମହୀୟାନ ବା ଗରୀୟାନ ଥିଲେ ଏକଥା ନୁହେଁ, ଦେଶ ଗଠନ ଓ ପରିଚାଳନାରେ ସେମାନଙ୍କର ଭୂୟସୀ ଯୋଗଦାନ ଆମ ଦେଶ ଓ ରାଜ୍ୟକୁ ସମ୍ମାନାଷ୍ପଦ ଓ ମର୍ଯ୍ୟାଦାବନ୍ତ କରି ଗଢ଼ି ତୋଳିଛି ।
ଏହିକ୍ରମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ କଥା ବିଚାରକୁ ନିଆଯାଉ । ଗାନ୍ଧିଜୀଙ୍କ ଆଦର୍ଶ କେବଳ ଭାରତବର୍ଷ ନୁହେଁ, ସାରାବିଶ୍ୱରେ ଗ୍ରହଣୀୟ ଓ ସ୍ପୃହଣୀୟ ହୋଇପାରିଛି । ଶାନ୍ତି, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରଚାର କରିଥିବା ଗାନ୍ଧିଜୀ ବିଶ୍ୱ ମାନବସମାଜର ଆଦର୍ଶଭାବେ ପ୍ରତିଷ୍ଠା ଲାଭକରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ତାଙ୍କର ଜୀବନାଲେଖ୍ୟ କାଳର କପାଳରେ ଅକ୍ଷୟ ତିଳକ ରୂପରେ ପ୍ରତିଭାତ ଓ ତାଙ୍କର ଜନ୍ମ ବିଶ୍ୱ ମାନବସମାଜ ପାଇଁ ଏକ ଅବିସମ୍ବାଦିତ ଚମକ୍ରାରିତା କହିଲେ ଅତୁ୍ୟକ୍ତି ହେବ ନାହିଁ । ତେଣୁ ଗାନ୍ଧୀଭଳି ମହାମାନବଙ୍କର ପ୍ରତିମୂର୍ତ୍ତିସ୍ଥାପନ ବେଳେ ତାଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଉଦ୍ଦିଷ୍ଟ ଫଳକରେ ସର୍ବଶ୍ରେଷ୍ଠ ଧାଡ଼ିଟିଏ ଲେଖିବା ପ୍ରାସଙ୍ଗିକ ନୁହେଁ କି?
କିନ୍ତୁ ସଚରାଚରରେ ପରିଲକ୍ଷିତ ହେଉଛି ଯେ ରାଜ୍ୟରେ ନିର୍ମିତ ଅଧିକାଂଶ ପ୍ରତିମୂର୍ତ୍ତିରେ ସ୍ଥାପିତ ଫଳକରେ ସେହିବରପୁତ୍ରଙ୍କ ନାମ, ଆବିର୍ଭାବ ଓ ତିରୋଧାନ ସଂପର୍କିତ ବାର୍ତ୍ତାମାତ୍ର ଦୁଇତିନି ଧାଡ଼ି ଉଲ୍ଲେଖ କରାଯାଉଛି । କିନ୍ତୁ ସେହି ଫଳକରେ ଅନାବରଣ ଉତ୍ସବରେ ଯୋଗ ଦେଇଥିବା ବିଭିନ୍ନ ରାଜନେତା, ପ୍ରଶାସକମାନଙ୍କ ନାମ, ପରିଚୟ ସହିତ ସେମାନଙ୍କର ପଦପଦବୀ ସଂପର୍କିତ ସୂଚନାର ଅଧିକ ଉଲ୍ଲେଖ ରହୁଛି । ଏଗୁଡ଼ିକ କାହିଁକି ଲେଖାଯାଉଛି? ପ୍ରତିମୂର୍ତ୍ତି ଯେଉଁ ବରପୁତ୍ରଙ୍କର, ତାଙ୍କଠାରୁ କ’ଣ ପ୍ରତିମୂର୍ତ୍ତି ଅନାବରଣକାରୀ ନେତା, ପ୍ରଶାସକ ଏତେ ମହାନ୍? ସରକାରୀଖର୍ଚ୍ଚରେ ଜନସାଧାରଣଙ୍କୁ କି ବାର୍ତ୍ତା ଦିଆଯାଉଛି? ଏହା ଅନୁଚିତ ନୁହେଁ କି ପ୍ରତିମୂର୍ତ୍ତି ଯେଉଁ ବରପୁତ୍ରଙ୍କର ତାଙ୍କୁ ଜନସାଧାରଣ ସ୍ମରଣ କରିବା ସହିତ ପ୍ରତିମୂର୍ତ୍ତି ଉଦଘାଟନ କରିଥିବା ବ୍ୟକ୍ତିଙ୍କୁ ମନେ ରଖିବେ? ପୁଣି ସରକାରୀ କାର୍ଯ୍ୟସଂପାଦନ ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିବିଶେଷ, ଅଧିକାରୀମାନେ କାହିଁକି ଏଥିପାଇଁ ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ଉତ୍ସବ ପାଳନ କରୁଛନ୍ତି? ଏଭଳି ବ୍ୟୟବହୁଳ ଉତ୍ସବରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ନକରି ଖାଲି ପ୍ରତିମୂର୍ତ୍ତିଟିଏ ସ୍ଥାପନ କରି ତାଙ୍କର ମହତ୍ତ୍ୱ ସଂପର୍କରେ ଫଳକରେ ସୂଚାଇ ଦିଆଗଲେ ସେହି ବରପୁତ୍ରମାନଙ୍କର ମହନୀୟତା କମିଯିବ କି?
ଏ ଦୁନିଆରେ ନିଜର ସର୍ବସ୍ୱ ତ୍ୟାଗକରି ଯିଏ ବିଶ୍ୱଜନତାର କଲ୍ୟାଣକାମୀ ହେଲା, ଆର୍ତ୍ତଜନତାର ନିରନ୍ତର ସେବାରେ ଯିଏ ନିଜକୁ ବ୍ରତୀ କରିନେଲା, ସେ ହିଁ ଜନମାନସର ଏକ ଅଭୂଲା ସ୍ମୃତି ହୋଇରହେ । ପ୍ରତି ହୃଦୟକୁ ଗଭୀର ଭାବେ ରେଖାପାତ କରେ । ସେଥିପାଇଁ ଗାନ୍ଧୀ, ଗୋପବନ୍ଧୁ, ବିଜୁବାବୁ ଭଳି ମହାପୁରୁଷଗଣ ସମଗ୍ର ମାନବ ଜାତିର ହୃଦୟରେ ଅଲିଭା ଦାଗ ହୋଇରହିଛନ୍ତି । ସେମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ କୃତଜ୍ଞତା ଜଣାଇବା ନିମନ୍ତେ ମୂର୍ତ୍ତି ପ୍ରତିଷ୍ଠା କରିବା ବା ପୂଜାବିଧି ବ୍ୟବସ୍ଥା କରିବା ପାଇଁ ସେମାନେ କହିନାହାନ୍ତି । ବରଂ ଦେଶରେ ରହୁଥିବା ଅଗଣିତ ନିରନ୍ନ ଜନତାଙ୍କର ଆଖିରୁ ଲୁହ ପୋଛି ଏକ ସାର୍ବଜନୀନ ଆନନ୍ଦମୟ ସମାଜ ପ୍ରତିଷ୍ଠା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । ତେଣୁ ସେମାନଙ୍କ ଆଦର୍ଶର ପ୍ରଚାର ପ୍ରସାର ସହିତ ଅନୁପାଳନ ଏକାନ୍ତ ଆବଶ୍ୟକ । ସେମାନଙ୍କର ମୂର୍ତ୍ତି ପ୍ରତିଷ୍ଠା କରି କୋଟିକୋଟି ଟଙ୍କା ବ୍ୟୟ କରିଦେଲେ ସେମାନଙ୍କର ଅସଲ ପୂଜା ହୋଇପାରିବ ନାହିଁ । ଏହା ପୂଜ୍ୟପୂଜା ନୁହେଁ ବରଂ ଶାସନ, କ୍ଷମତା ତଥା ସାମାଜିକ ପ୍ରଭାବ ବିସ୍ତାରରେ ବଳୀୟାନ ବ୍ୟକ୍ତିମାନଙ୍କ ନିଜ ନିଜ ସଂର୍କୀଣ୍ଣତାର ପୂଜା ।
ଏହା ସ୍ପଷ୍ଟ ଯେ ପ୍ରତିମୂର୍ତ୍ତି ପ୍ରତିଷ୍ଠାହେଉ, ତାକୁ କେହି ବିରୋଧ କରୁନାହିଁ । ମୂର୍ତ୍ତିସ୍ଥାପନ ହେଲେ ଆମର ବରପୁତ୍ରମାନଙ୍କୁ ଆମେ ସ୍ମରଣ କରିପାରିବା ଓ ସମ୍ମାନ ଜଣାଇପାରିବା । ପରବର୍ତ୍ତୀ ପିଢ଼ିର ଜନତା ଏହି ଜନନାୟକଙ୍କ ପ୍ରତିମୂର୍ତ୍ତିଦେଖି ଅନୁପ୍ରାଣିତ ଓ ଉଦ୍ବୁଦ୍ଧହେବେ ଏବଂ ନିଜକୁ ସେହିଭଳି ଗଢ଼ିବାକୁ ସକ୍ଷମ ହୋଇପାରିବେ । କିନ୍ତୁ ଯେଉଁମାନେ ପ୍ରତିମୂର୍ତ୍ତି ସ୍ଥାପନ ଆଳରେ ନିଜ ପ୍ରତିଷ୍ଠାକୁ ପ୍ରଚାର ପ୍ରସାର କରାଇବାକୁ ପ୍ରୟାସ କରିଥାନ୍ତି ସେଭଳି ମୂର୍ତ୍ତି ପ୍ରତିଷ୍ଠାକୁ ତୁଚ୍ଛା ରାଜନୀତି ନୁହେଁ କି? ଅନେକ ବୁଦ୍ଧିଜୀବୀଙ୍କ ମତରେ ଏଭଳି ସଂକୀର୍ଣ୍ଣ ରାଜନୀତି ନିଜ ରାଜନୈତିକ ଦଳର ଉଚ୍ଚତା ଓ ପ୍ରତିଷ୍ଠା ଦେଖାଇବା ବ୍ୟତୀତ ଅନ୍ୟ କିଛି ନୁହେଁ । ଏଥିରେ ବରପୁତ୍ରଙ୍କ ପାଇଁ ଯେତିକି ଶ୍ରଦ୍ଧା, ଭକ୍ତି, ସମ୍ମାନ ନାହିଁ ସେତିକି ଅହଂକାର ଓ ଲୋକଦେଖାଣିଆ କାର୍ଯ୍ୟକ୍ରମ ରହିଛି । ଏଭଳି ପ୍ରତିମୂର୍ତ୍ତି ସ୍ଥାପନ ତଥା ମହାପୁରୁଷଙ୍କ ସମ୍ମାନ ପ୍ରଦାନ ଅବସରରେ କେତେକ ବ୍ୟକ୍ତିବିଶେଷଙ୍କୁ ବଡ଼କରି ଦେଖେଇବାର ପ୍ରୟାସ କ୍ରମଶଃ ବ୍ୟବସ୍ଥାରେ ପରିଣତ ହେଲାଣି । ଅବଶ୍ୟ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ମହାପୁରୁଷଙ୍କର ପ୍ରଭାବ ପ୍ରତିଷ୍ଠା କ୍ଷୁଣ୍ଣ ହୋଇପାରିବ ନାହିଁ । ଏଥିରୁ ଜନସାଧାରଣ ଯେତେ ଦୂରେଇ ରହିବେ ସେତେ ଜାତି, ଭାଷା ଓ ଭବିଷ୍ୟତ ପାଇଁ ଉତ୍ତମ । କାରଣ ପ୍ରକୃତ ପୂଜ୍ୟପୂଜା ନକଲେ ଆମ ଜାତି, ଭାଷା ଓ ରାଜ୍ୟ ଛୋଟ ହୋଇଯିବ । ପ୍ରତିମୂର୍ତ୍ତିକୁ ମର୍ଯ୍ୟାଦା ଜଣାଇବାକୁ ହେଲେ ଆମକୁ ତାଙ୍କର ସାମାଜିକ ସେବା, ଆଦର୍ଶ ସଂପର୍କରେ ଜଣାଇବାକୁ ପଡିବ । ଏଥିପାଇଁ ଏଣିକି ପ୍ରତିମୂର୍ତ୍ତି ସ୍ତମ୍ଭ ଓ ଫଳକରେ ସେହି ବରପୁତ୍ରଙ୍କ ସଂପର୍କରେ ସର୍ବଶ୍ରେଷ୍ଠ ଦୁଇ ଧାଡ଼ି ଲେଖିବାକୁ ହେବ ଯାହାଫଳରେ ଆମେ ଆହୁରି ଗୌରବର ଅଧିକାରୀ ହୋଇପାରିବା ତଥା ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ପ୍ରକୃତବାର୍ତ୍ତା ସଂରକ୍ଷିତ କରି ରଖିପାରିବା ।
Photo Credit- https://bit.ly/3M9xQhi
Comments
0 comments