ଯେଉଁମାନେ ଋକବେଦକୁ ଗଭୀର ଭାବେ ଅନୁଶୀଳନ କରିଛନ୍ତି ସେମାନେ ଆମକୁ କହନ୍ତି ଯେ ଋକବେଦୀ ମନ୍ତ୍ରଦ୍ରଷ୍ଟା ଋଷିମାନେ ଏ ସଂସାର ଅଳୀକ, ମିଥ୍ୟା, ମାୟା ଜୀବନ ଦୁଃଖମୟ ବା ଜୀବନ ପାଣିଫୋଟକା ପରି ଏଭଳି ଭାବି ନାହାନ୍ତି । ସେମାନେ ଖାଲି ବଞ୍ଚିବାକୁ ଚାହିଁ ନାହାନ୍ତି, ବରଂ ଭଲଭାବେ ବଂଚିବା, ଶହେ ବର୍ଷ ବଂଚିବା ଓ ବିନା ଦୁଃଖ ଦାରିଦ୍ର୍ୟରେ ବଂଚିବାକୁ ଚାହିଁଛନ୍ତି । ସେମାନେ ଅର୍ଥ, ସମ୍ପତ୍ତି ଓ ସୁନା ଓ କନ୍ୟା ସନ୍ତାନ ପରିବର୍ତ୍ତେ ପୁତ୍ର ସନ୍ତାନ ଚାହିଁଛନ୍ତି । ଶତ୍ରୁର ପରାଜୟ ନିଜର ବିଜୟ, ଗୋଧନ- ଏସବୁ ଚାହିଁଛନ୍ତି । ସୁଖ ସମୃଦ୍ଧି ପାଇଁ ବୈଦିକ ଋଷିମାନେ ପ୍ରାର୍ଥନା କରିଛନ୍ତି । ଭଲ ବର୍ଷା ହେଉ, ଫସଲ ଭଲ ହେଉ, ଗାଈଗୋରୁଙ୍କ ସଂଖ୍ୟା ବଢ଼ୁ, ଗାଈମାନେ ଅଧିକ ଦୁଗ୍ଧବତା ହୁଅନ୍ତୁ – ଏସବୁ କାମନା କରିଛନ୍ତି । ଏ ସବୁ ତ ବର୍ତ୍ତମାନ ମଣିଷର ମଧ୍ୟ କାମନା । “ଧନ ଲୋଡ଼ା ନାହିଁ’ରେ ସେମାନଙ୍କର ବିଶ୍ୱାସ ନଥିଲା ।
ବେଦର ଯେଉଁ ଅଂଶରେ ବିସ୍ତୃତ କର୍ମକାଣ୍ଡର ବ୍ୟବସ୍ଥା ରହିଲା, ସେଥିରେ ବ୍ରାହ୍ମଣମାନଙ୍କର ପାର୍ଥିବ ଇଚ୍ଛା ପୂରଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଲା, କିନ୍ତୁ ଅନ୍ୟସମ୍ପତ୍ତିରେ ଲୋଭର ନିନ୍ଦା କରାଗଲା, ତଥା ଯେତିକି ଆବଶ୍ୟକ ସେତିକିରେ ଚଳିବା ପାଇଁ ପରାମର୍ଶ ଦିଆଗଲା । ବ୍ରାହ୍ମଣମାନେ ଅଧ୍ୟୟନ, ଅଧ୍ୟାପନ କରିବେ, ଦାନ ଗ୍ରହଣ କରିବେ ଓ ଦାନ ମଧ୍ୟ ଦେବେ । କିନ୍ତୁ ଋକବେଦର ଦାନସ୍ତୁତିରେ ଆମେଜଣେ ଅତି ଲୋଭା ବ୍ରାହ୍ମଣଙ୍କର ପାର୍ଥିବ ଲୋଭ ବିଷୟରେ ଉଦାହରଣ ପାଇବା । ଜଣେ ରାଜା କିପରି ନିଜର ବଡ଼େଇ ବଢ଼େଇବା ପାଇଁ, ନିଜର ଖ୍ୟାତି ଓ ମହିମାର ପ୍ରଚାର ପ୍ରସାର ପାଇଁ ଯଜ୍ଞ କଲେ ଓ କିପରି ଯଜ୍ଞର ଜଣେ ପୁରୋହିତ ତାଙ୍କଠାରୁ ହଜାର ସଂଖ୍ୟାରେ ଗାଈ/ଗୋରୁ ସ୍ୱର୍ଣ୍ଣମୁଦ୍ରା, ଘୋଡ଼ାମାନଙ୍କ ସହ ଦଶଟି ରଥରେ ଭର୍ତ୍ତି ଦାସୀ କନ୍ୟା ମଧ୍ୟ ପାଇପାରିଲେ, ତା’ର ଉଲ୍ଲେଖ ରହିଛି ।
କିନ୍ତୁ ଦାନସ୍ତୁତିରେ ତ ଜଣେ ବ୍ରାହ୍ମଣଙ୍କର ନିଚ୍ଛକ ଲୋଭର ଉଦାହରଣ ରହିଛି । ଆଉ କେତେକ ଶ୍ଲୋକ ରହିଛି ସେସବୁ ବର୍ତ୍ତମାନର ଯୌନକ୍ଷେତ୍ରରେ ଏକ ପ୍ରକାର ମୁକ୍ତ ବାତାବରଣରେ ମଧ୍ୟ ଅତି ଅଶ୍ଲୀଳ ଜଣାପଡ଼ିବ । ଖବରକାଜରେ ଛାପିପାରିବା ଭଳି ମାତ୍ର ଦୁଇଟି ଉଦାହରଣ ଦିଆଯାଉଛି । ୧- ଯେପରି ବଙ୍କା ଶିଂଘ ବାଲା ଷଣ୍ଢ ମସ୍ତ ହୋଇ ହୁଙ୍କାର କରି ରମଣ କରେ, ସେହିପରି ମୋ ସହ ସମ୍ଭୋଗ କର । (ଋକ ୧୦.୮୬/୮୫), ୨-ହେ ସୋମ, ମୁଁ ତୁମକୁ ସେହି ପ୍ରକାରେ ଗ୍ରହଣ କରିବାକୁ ଚାହୁଛି ଯେପରି ସ୍ତ୍ରୀ ନିଜର ଜାର… ପୁରୁଷକୁ ଗ୍ରହଣ କରେ । (ଋକ ୦୯/୩୧/୫) ଏକଥା ସତ ଯେ ଋକବେଦର ମନ୍ତ୍ରଦ୍ରଷ୍ଟା ଋଷିଗଣ ଜୀବନକୁ ଭୋଗ କରିବା ପାଇଁ ଚାହିଛନ୍ତି, କିନ୍ତୁ ଦାନସ୍ତୁତିଟିକୁ ପରବର୍ତ୍ତୀ ସମୟରେ କେହି ଖଞ୍ଜି ଦେଇଥିବାର ଜଣାଯାଏ । ସେହିପରି ଅତିମାତ୍ରାରେ ଅଶ୍ଳୀଳ ଶ୍ଳୋକଗୁଡ଼ିକୁ ତନ୍ତ୍ରଯୁଗର ପ୍ରାଧାନ୍ୟ ସମୟରେ ଋକବେଦରେ ଅପମିଶ୍ରତ ହୋଇଥିବା ଅନୁମାନ କରାଯାଇପାରେ । ସେସବୁ ଶ୍ଲୋକର ସଫେଇ ଆବଶ୍ୟକ । ଅବଶ୍ୟ ଏଠାରେ ପ୍ରଣିଧାନଯୋଗ୍ୟ ଯେ ବୈଦିକ ସଂସ୍କୃତ ଲୌକିକ ସଂସ୍କୃତଠାରୁ ଭିନ୍ନ ବୋଲି କୁହାଯାଏ ଓ ଗୋଟିଏ ଶ୍ଲୋକର ଏକାଧିକ ଅର୍ଥ ବାହାର କରାଯାଇପାରେ । ହେଲେ ମଧ୍ୟ ବେଦରେ ଏଭଳି ଅଶ୍ଲୀଳ ଅର୍ଥ ବାହାରି ପାରୁଥିବା ଶ୍ଲୋକ ରଚନା ଗ୍ରହଣଯୋଗ୍ୟ କି?
ଏବେ ବ୍ୟାସକୃତ ଶ୍ରୀମଦ୍ ଭାଗବତକୁ ଆସିବା । ଅନ୍ୟମାନେ ପୁରାଣ, ଶ୍ରୀମଦ୍ ଭାଗବଦ କିନ୍ତୁ ମହାପୁରାଣ । ଅନ୍ୟମାନେ ଶାସ୍ତ୍ର, ଇଏ ପରମ ଶାସ୍ତ୍ର । ‘ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ’ । ମୂଳ ସଂସ୍କୃତଗ୍ରନ୍ଥର ସରଳ ଓଡ଼ିଆ ଅନୁବାଦ କରି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀରେ ଭାଗବତକୁ ଅତି ପରିଚିତ କରିଦେଲେ । ଗାଁମାନଙ୍କରେ ଭାଗବତ ଟୁଙ୍ଗା ହୋଇଗଲା ଓ ଦୈନିକ ଭାଗବତ ପାଠ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ କରାଗଲା । ଅନେକ ଭାଗବତ ବାଣୀ ଯଥା : ପ୍ରାଣୀଙ୍କ ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି । ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତା’ର ପ୍ରତିବାଦୀ । ସକଳ ଦେହେ ନାରାୟଣ, ବସନ୍ତି ଅନାଦି କାରଣ । ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଘୋର ତପ ଯେ ଆଚରନ୍ତି, ଦେବେ ତାଙ୍କର ମନ୍ଦ ଚିନ୍ତି । ମର୍ତ୍ତ ମଣ୍ଡଳେ ଦେହ ବହି, ଦେବତା ହୋଇଗଲେ ମରଇ ଇତ୍ୟାଦି ଓଡ଼ିଆଙ୍କର ଅସ୍ଥି ମଜ୍ଜାଗତ ହୋଇଗଲା ।
କୁହାଯାଏ ଯେ ସମସ୍ତ ବେଦ, ଉପନିଷଦ ଓ ଶାସ୍ତ୍ରୀମାନଙ୍କର ସାର କଥା ବ୍ୟାସଦେବ ଶ୍ରୀମଦ୍ ଭାଗବତରେ ରଖିଦେଲେ । ସକଳ ଶାସ୍ତ୍ରର ନିର୍ଯ୍ୟାସ ବା ଲହୁଣି ହେଲା ଭାଗବତ । କୃଷ୍ଣ କୀର୍ତ୍ତି ଗାଥା ବ୍ୟତୀତ ଭାଗବତକୁ ଘନୀଭୂତ ଭାଗବତ ସଭା ବୋଲି କେତେକ ମତ ଦିଅନ୍ତି । ସାରକଥା ହେଲା ନିଜ ଆତ୍ମାରେ ସର୍ବସାର ଦର୍ଶନ ବା ସକଳ ପ୍ରାଣୀଙ୍କ ମଧ୍ୟରେ ନିଜର ଆତ୍ମାର ଉପଲବ୍ଧି । ଯୀଶୁଖ୍ରୀଷ୍ଟ ଯେତେବେଳେ କହିଲେ ପଡ଼ୋଶୀଙ୍କୁ ନିଜ ପରି ମନେ କରି ଭଲ ପାଅ, ସେ ଏହି କଥା ହିଁ ଅନ୍ୟ ଭାବରେ କହିଥିଲେ । ଅଧିକନ୍ତୁ ଭାଗବତର ମର୍ମ ହେଲା ସାରା ବିଶ୍ୱ ବ୍ରାହ୍ମଣ୍ଡର ସ୍ଥାବର ଜଙ୍ଗମ ସବୁ ଗୋଟିଏ ସୂତାରେ ଗୁନ୍ଥା ।
ଏଭଳି ମହାନ୍ ବାର୍ତ୍ତା ଦେଉଥିବା ଗ୍ରନ୍ଥରେ ଆମେ କିପରି ପାଇବା ସ୍ୱଭାବେ ସ୍ତ୍ରୀ ଜନ୍ମ ହୋଇ, ଭଲ ମନ୍ଦରେ ନ ଜାଣଇ ବା ସ୍ୱଭାବେ ସ୍ତ୍ରୀ ଜନ୍ମ ହୋନ୍ତି-ବେଦ ପୁରାଣ ନ ଜାଣନ୍ତି । ପୁଣି ପୁରୁରବା ଊର୍ବଶୀ ଉପାଖ୍ୟାନରେ ଊର୍ବଶୀ, ଅର୍ଥାତ୍ ଜଣେ ନାରୀ ମୁଖରେ କୁହାଗଲା : ସ୍ତ୍ରୀଙ୍କ ଦେହେ ଯେତେ ଗୁଣ, ରାଜନ ସାବଧାନେ ଶୁଣ । ନିର୍ଦ୍ଦୟ, କପଟ, କଠିନ, ସାହସ ଆଦି ଚାରିଗୁଣା । ଅଳ୍ପ କ୍ରୋଧେ ପ୍ରାଣ ନ୍ୟନ୍ତି, ନିତ୍ୟେ ବା‚ନ୍ତି କାମ ଭୋକ ଚିତ୍ତେ । ସ୍ୱଭାବେ ହୋନ୍ତି ନିତ୍ୟକାମୀ, ଇଚ୍ଛନ୍ତି ନବ ନବ ସ୍ୱାମୀ । ନାରୀଙ୍କ ସ୍ୱଭାବ ଏମନ୍ତ କିମ୍ପା ତୁ କରୁ ଦୁଃଖ ଚିତ୍ତ । (ନବମ ସ୍କନ୍ଧ, ଚତୁର୍ଦ୍ଦଶ ଅଧ୍ୟାୟ (୧୩୫-୧୪୧) । ପୁଣି କୁହାଗଲା ସକଳ ଭୂତେ ବାସ ମୋର, ମୁଁ ଆତ୍ମା ସୁହୃତ ଈଶ୍ୱର । ଏକାଦଶ ଅଧ୍ୟାୟ (୨୬) ।
ଏ ସବୁରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଭାଗବତର ବିଚାର ମୂଳ, ଦର୍ଶନ ସହ ନାରୀ ଜାତି ବିଷୟରେ ଯାହା କୁହାଯାଉଛି ତାହା ଖାପ ଖାଉନି ଓ ଏହା ନାରୀବିଦ୍ୱେଷୀଙ୍କ ଦ୍ୱାରା ଅପମିଶ୍ରିତ ହୋଇଛି । ଭାଗବତର ସମୁଦାୟ ଦ୍ୱାଦଶ ସ୍କନ୍ଧଟି ପରେ ଯୋଡ଼ାଯାଇଛି ବୋଲି କୁହାଯାଏ । ନିମ୍ନରେ ଦିଆଯାଇଥିବା କେତୋଟି ପଦରୁ ତାହା ସ୍ପଷ୍ଟ ହୋଇ ଯାଉଛି ‘କୂଳଧର୍ମକୁ ନ ରଖିବେ, ବର୍ଣ୍ଣଭେଦକୁ ସେ ଛାଡ଼ିବେ । ବେଦରେ ଜାତିଭେଦ ନାହିଁ, ସମସ୍ତେ ଏକାକାର ହୋଇ । ଜାତିଧର୍ମକୁ ନ ବିଚାରି, ବଚନେ ଉପ୍ରୋଧ ନ କରି । ଜାତି ଭେଦକୁ ଭୟ ନାହିଁ ଦୀପେ ପତଙ୍ଗ ପ୍ରାୟ ହୋଇ । (ଦ୍ୱାଦଶ ସ୍କନ୍ଧ ୨୪, ୫୧, ୧୨୮, ୨୭୬) ମାନବ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ବା ସକଳ ଦେହେ ନାରାୟଣ, ବସନ୍ତି ଅନାଦି କାରଣ । ଏହି ଉକ୍ତିଗୁଡ଼ିକ ଯାହା ଭାଗବତର ନିର୍ଯ୍ୟାସର ଅଂଶ , ତା’ ସହ ଉପରୋକ୍ତ ଦ୍ୱାଦଶ ସ୍କନ୍ଧର ଉକ୍ତିଗୁଡ଼ିକ କିପରି ଖାପ ଖାଉଛି? ଏ ଉକ୍ତିଗୁଡ଼ିକ ଅପ୍ରାସଙ୍ଗିକ ନୁହେ କି? ଜାତିବିଦ୍ୱେଷୀମାନଙ୍କ ଦ୍ୱାରା ଏହି ଉକ୍ତିଗୁଡ଼ିକ ପରେ ଯୋଡ଼ି ଦେଇଥିବା ସ୍ପଷ୍ଟ ଜଣାଯାଉଛି ।
ପୁରପଲ୍ଲୀରେ ଭାଗବତ ପଢ଼ା ହେଉଥିବା ଓ ଭାଗବତ ଗ୍ରନ୍ଥ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଓ ସମ୍ମାନର ସୁଯୋଗ ନେଇ ଜନମାନସକୁ ପ୍ରଭାବିତ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି । ସଫେଇ କର୍ମୀମାନେ ଏଭଳି ଖାପଛଡ଼ା ଅପ୍ରାସଙ୍ଗିକ ଉକ୍ତିଗୁଡ଼ିକୁ ଠାବ କରି ଭାଗବତ ଭଳି ମହାନ୍ ଗ୍ରନ୍ଥରୁ ବାଦ୍ ଦେବା ଆବଶ୍ୟକ ।
ଏବେ ସ୍ମୃତି ଶାସ୍ତ୍ରମାନଙ୍କୁ ଆସିବା । ଯେପରି ନିର୍ବାଚନ ହେବା ସମୟରେ ସେଥିରେ ଭାଗ ନେଉଥିବା ବ୍ୟକ୍ତିମାନେ କେତେକ ମୌଳିକ କଥା ମାନି ଚଳିବା ଦରକାର ଭାବି ସେମାନଙ୍କ ପାଇଁ ଆଚାର ସଂହିତା ପ୍ରଣୟନ କରାଯାଇଛି ଓ ସେଥିରେ ମଝିରେ ମଝିରେ ସଂଶୋଧନ କରାଯାଉଛି, ସେହିଭଳି ଅତୀତରେ ସମାଜକୁ ଠିକ୍ ଭାବେ ପରିଚାଳିତ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଋଷିମାନେ ଜନସାଧାରଣଙ୍କ ପାଇଁ ଓ ବିଭିନ୍ନ ବର୍ଗପାଇଁ ଆଚାର ସଂହିତାମାନ ପ୍ରଣୟନ କରିଥିଲେ । ପରାଶର ସଂହିତା, ଯାଜ୍ଞାବଳ୍କ୍ୟ ସଂହିତା, ନାରଦ ସଂହିତା, ବୃହସ୍ପତି ସଂହିତାମାନଙ୍କରେ ସମାଜର ଚଳଣିଗୁଡ଼ିକୁ ସଜାଡ଼ିବା ପାଇଁ ନିୟମମାନ କରାଯାଇଛି । କିନ୍ତୁ ଏ ସମସ୍ତଙ୍କ ଭିତରେ ମନୁ ସଂହିତାର ପ୍ରଭାବ ବେଶି ଥିବା ଜଣାଯାଏ । ସେଥିପାଇଁ ବିଭିନ୍ନ ସମୟରେ ମନୁ ସଂହିତାକୁ ପୋଡ଼ିବାଠୁ ଆରମ୍ଭ କରି ତାଙ୍କୁ ନିଷିଦ୍ଧ କରିବା ପାଇଁ ଆହ୍ୱାନ ଦିଆଯାଉଛି । କାହିଁକି ଏଭଳି ଡାକରା ଦିଆଯାଉଛି ଦେଖିବ ।
ମନୁ ସଂହିତାକୁ ମାନବ ଧର୍ମଶାସ୍ତ୍ର ବୋଲି ମଧ୍ୟ କହନ୍ତି । ଗୋଟିଏ ମତ ହେଲା ବେଦକୁ ଆଧାର କରି ମଣିଷ ସମାଜର ପରିଚାଳନା ତଥା କର୍ତ୍ତବ୍ୟ ବିଷୟରେ ମନୁ ପ୍ରବଚନ ଦେଇଥିଲେ ଓ ତାଙ୍କର ଶିଷ୍ୟବର୍ଗ ସେଗୁଡ଼ିକୁ ସଂକଳନ କରି ମନୁ ସଂହିତା ଭାବେ ପ୍ରଚଳନ କଲେ । ତେବେ ମନୁ ସଂହିତାର ଉତ୍ପତ୍ତି ଯେଭଳି ହୋଇଥାଉ, ଏହାର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ?
ମନୁ ସ୍ମୃତିରେ ଅହିଂସା କଥା କୁହାଯାଇଛି । ଯଥା ନିଜର ସୁଖ କାମନା କରି ଯେ ଅହିଂସକ ଜୀବମାନଙ୍କୁ ହତ୍ୟା କରେ, ସେ ଜୀବନ କାଳରେ ଓ ମୃତ୍ୟୁ ପରେ କେଉଁଠାରେ ହେଲେ ସୁଖ ପାଏ ନାହିଁ । ସେହିପରି ପ୍ରାଣୀମାନଙ୍କୁ ପୀଡ଼ା ଦେବାକୁ ଯେ ଇଚ୍ଛା କରେ ନାହିଁ, ସେ ସମସ୍ତଙ୍କର ହିତାକାଂକ୍ଷୀ ହୋଇ ଅତ୍ୟନ୍ତ ସୁଖ ଲାଭ କରେ, (୭(୫୫), ୮(୪୬) ଜୀବ ହିଂସା ନ କଲେ ମାଂସ ପାଇହୁଏନି ଓ ଜୀବହତ୍ୟା କେବେ ହେଲେ ସୁଖ ଦିଏନି । ତେଣୁ ମାଂସ ଭକ୍ଷଣ ସର୍ବଦା ବର୍ଜନୀୟ (୧୦.୪୮) । କେବଳ ସେତିକି ନୁହେଁ ପୁଣି କୁହାଯାଇଛି ଜୀବହତ୍ୟା ପାଇଁ କହିଥିବା ବ୍ୟକ୍ତି, ମାଂସ ବିକ୍ରି କରୁଥିବା ବ୍ୟକ୍ତି, ହତ୍ୟାକାରୀ, ପରିବେଷଣକାରୀ ଓ ମାଂସାହାରୀ ଏ ସମସ୍ତଙ୍କୁ ଘାତକ କୁହାଯିବ ୧୨ (୫୧) । ଅଥଚ ସେଇ ମନୁ ସ୍ମୃତିରେ କୁହାଗଲା ଯେ କୁକର ଦ୍ୱାରା ହତ ପଶୁ, ପକ୍ଷୀ ମାଂସ, ବାଘ, ଚିଲ, ଚଣ୍ଡାଳ ଦସ୍ୟୁ ଦ୍ୱାରା ହତ ଜୀବର ମାଂସ ପବିତ୍ର । ପୁଣି ମଧୁପର୍ବ, ଯଜ୍ଞ, ଶ୍ରାଦ୍ଧ ଓ ଦେବ କାର୍ଯ୍ୟରେ ପଶୁବଧ କରିବ । ଏହି ସମୟରେ ବେଦଜ୍ଞ ବ୍ରାହ୍ମଣ ପଶୁ ହିଂସା କରି ଆପଣାର ଓ ନିହତ ପ୍ରାଣୀର ସଦଗତି ସମ୍ପାଦନ କରନ୍ତି । (୫୫-୪୨), ୫(୪୪) । ଏଥି ସହ ଶ୍ରାଦ୍ଧରେ କେଉଁ ପଶୁପକ୍ଷୀ, ମାଛ ଇତ୍ୟାଦି ଭୋଜନ ଦେଲେ ମୃତ ଆତ୍ମା କେତେ ବର୍ଷ ସ୍ୱର୍ଗରେ ବାସ କରିବେ, ତା’ର ତାଲିକା ଦିଆଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ହିଂସା ଓ ମାଂସଭକ୍ଷଣ ପାଇଁ ଲିଖିତ ଶ୍ଲୋକଗୁଡ଼ିକ ମାଛ, ମାଂସ ଭୋଜନରେ ଆଗ୍ରହୀ ପଣ୍ଡିତମାନଙ୍କ ଦ୍ୱାରା ପ୍ରକ୍ଷେପ ବା ଅପମିଶ୍ରଣ କରାଯାଇଛି ।
ନାରୀମାନଙ୍କ ବିଷୟରେ ମନୁ ସ୍ମୃତିର ବାର୍ତ୍ତା ଖୁବ୍ ଚମକ୍ରାର ହୋଇଛି । କେତୋଟି ଉଦାହରଣ ହେଲା ଯେଉଁ ଘରେ ନାରୀମାନଙ୍କର ପୂଜା ବା ସତ୍କାର ହୁଏ, ସେଠାରେ ଦିବ୍ୟ ସନ୍ତାନ ହୁଅନ୍ତି ଓ ଯେଉଁ ଘରେ ନାରୀମାନଙ୍କର ଆଦର ନ ଥାଏ, ସେଠାରେ ସବୁ କର୍ମ ନିଷ୍ଫଳ ହୁଏ । ୩୨ (୫୬) । ଯେଉଁଠି ପତିଙ୍କ ବ୍ୟବହାରରେ ସ୍ତ୍ରୀ ଲୁହ ଗଡ଼ାଏ, ସେ ଘର ଶୀଘ୍ର ନାଶ ହୁଏ ଓ ଯେଉଁଠି ନାରୀମାନଙ୍କର ଦୁଃଖ ଶୋକ ନ ଥାଏ, ସେଠାରେ ସମୃଦ୍ଧି ଥାଏ । (୩୩-୫୭) । ଐଶ୍ୱର୍ଯ୍ୟ ଚାହୁଁଥିବା ପୁରୁଷମାନେ ସ୍ତ୍ରୀମାନଙ୍କୁ ଭୂଷଣ, ବସ୍ତ୍ର ଓ ଖାଦ୍ୟପେୟ ଦ୍ୱାରା ପ୍ରସନ୍ନ ରଖିବେ । (୩୫-୫୯) । ଏହିଭଳି ଅନେକ ଶ୍ଲୋକ ରହିଛି ।
ଅଥଚ ସେହି ମନୁ ସ୍ମୃତିରେ କୁହାଗଲା- ଯେଉଁ ଯଜ୍ଞରେ ସ୍ତ୍ରୀ ଓ ଶୂଦ୍ର ଘୃତାହୁତି ଦିଅନ୍ତି । ତାହା ସାଧୁମାନଙ୍କ ପାଇଁ ଅହିତକର ଓ ଦେବତାମାନଙ୍କ ପାଇଁ ପ୍ରତିକୂଳ । ତେଣୁ ତାହା ତ୍ୟାଜ୍ୟ । ୪(୨୦୬) । ପୁଣି ସ୍ତ୍ରୀମାନେ ରୂପ ଓ ବୟସ ନିର୍ବିଶେଷରେ ପୁରୁଷ ପାଇଲେ ସମ୍ଭୋଗ ଇଚ୍ଛା କରନ୍ତି । …. ଏମାନେ ପତିଙ୍କ ଦ୍ୱାରା ସୁରକ୍ଷିତ ରହିଲେ ସୁଦ୍ଧା ତାଙ୍କର ବିରୁଦ୍ଧାଚରଣ କରନ୍ତି । … କାମ, କ୍ରୋଧ, କୁଟିଳତା, ଦ୍ରୋହ ଓ କୁତ୍ସତାଚାର – ଏସବୁ ମନୁ ସ୍ତ୍ରୀଙ୍କ ପାଇଁ ଗଢ଼ିଛନ୍ତି, (୯.୧୬) ଏହିପରି ଅନେକ ଶ୍ଲୋକ ମୂଳ ବିଚାରର ପରିପନ୍ଥୀ ଓ ଅପମିଶ୍ରଣ ମାତ୍ର ।
Photo Credit- https://bit.ly/3NNz0zV
Comments
0 comments