ଦେଶ ସ୍ୱାଧୀନ ହେବା ୬୦ବର୍ଷ ହୋଇଗଲା । କିନ୍ତୁ ଦେଶର ଜନସାଧାରଣ ବିଶେଷ କରି ଦେଶର ଅଗଣିତ କୃଷକ, କ୍ଷେତ ମଜଦୁର, ଶ୍ରମିକ, ଆଦିବାସୀ, ହରିଜନ, ଦଳିତ ଆଦି ମେହନତୀ ଜନସାଧାରଣ ଯେଉଁ ସୁନେଲି ସ୍ୱପ୍ନ ଦେଖୁଥିଲେ ତାହା ସ୍ୱପ୍ନରେ ହିଁ ରହିଗଲା । ସ୍ୱାଧୀନତା ପରେ ଦେଶର ଶିଳ୍ପରେ ଯେଉଁ ବିକାଶ ଘଟିଛି ସେଥିରେ ସାଧାରଣ ଶ୍ରମିକ ଶ୍ରେଣୀ କିମ୍ବା କଞ୍ଚା ମାଲ ଉତ୍ପାଦନ କରି ଶିଳ୍ପକୁ ସମୃଦ୍ଧ କରୁଥିବା କୃଷକଶ୍ରେଣୀ ଉପକୃତ ହୋଇନାହାନ୍ତି । ଶ୍ରମିକ ଓ କୃଷକ ଶ୍ରେଣୀର ଝାଳବୁହା ମେହନତୀ ଫଳରେ ଦେଶର କେତେଜଣ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଅଗାଧ ସମ୍ପତ୍ତି ବହୁଗୁଣ ବୃଦ୍ଧି ପାଇଛି ମାତ୍ର । ସେଥିରେ ପୁଣି କଂଗ୍ରେସ ଓ ନିପଟ ସାମ୍ପ୍ରଦାୟିକବାଦୀ ବି.ଜେ.ପି ନେତୃତ୍ୱରେ ଏନ୍.ଡି.ଏ. ସରକାରଙ୍କ ଶାସନରେ ବିଦେଶୀ ପୁଞ୍ଜିପତି ବା ବହୁଜାତିକ ପୁଞ୍ଜିପତିଙ୍କ ଅବାଧ ବାଣିଜ୍ୟ କାରବାର ଫଳରେ ପଣ୍ଡିତ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରୁ ଯେଉଁ ସବୁ କଟକଣାମାନ ଥିଲା, ତାହା ଉଠାଇନେଇ ଆମ ଦେଶରେ ବାଣିଜ୍ୟ କାରବାର ପାଇଁ ଦ୍ୱାର ଉନ୍ମୁକ୍ତ କରିଦେବାରୁ କୃଷକ ଓ କୃଷି ଶ୍ରମଜୀବୀମାନେ ଅଧିକମାତ୍ରାରେ ଶୋଷିତ ହେବାରେ ଲାଗିଛନ୍ତି । ଅନ୍ୟ ଦିଗରେ ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବାଣିଜ୍ୟ ସଙ୍ଗଠନର ନିର୍ଦ୍ଦେଶରେ ଆମ ଦେଶର କୃଷି ନୀତି, ଶିଳ୍ପ, ଶିକ୍ଷା ପ୍ରଭୃତି ସ୍ଥିର କରିବା ଫଳରେ ଦେଶର ଆର୍ଥିକ ସ୍ଥିତି ପାଶ୍ଚାତ୍ୟଗାମୀ ଓ ସ୍ଥାଣୁ ପାଲଟି ଯାଇଛି । ସାମ୍ରାଜ୍ୟବାଦୀଙ୍କ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ଅର୍ଥନୀତି ଆମ ଦେଶର ବିକାଶଶୀଳ ଅର୍ଥନୀତିକୁ ସୁଦୃଢ଼ କରିବା ପରିବର୍ତ୍ତେ ଦୁର୍ବଳ କରିବାରେ ଲାଗିଛି, ଯାହା ଫଳରେ ଦେଶରେ ଦାରିଦ୍ର୍ୟ, ବେକାରୀ ଓ ଦରଦାମ୍ ବୃଦ୍ଧି, ବଞ୍ଚିବାର ମାନ ହ୍ରାସ, ଆତ୍ମହତ୍ୟା ଆଦି ଦିନକୁ ଦିନ ବଢ଼ିବାରେ ଲାଗିଛି । କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଉତ୍କଟର ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ମାନେ କେତେ ବାହାସ୍ଫୋଟ ମାରି କୃଷି ସମସ୍ୟା ସମାଧାନ କରିଥିବା କହୁଥିଲେ ମଧ୍ୟ ତାହା ବାସ୍ତବରେ ଦିନକୁ ଦିନ ଜଟିଳ ହେଉଥିବା ଦେଖାଯାଉଛି ।
ଦେଶର ଶତକଡ଼ା ୮୦ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷକମାନେ ବର୍ଷସାରା ପରିଶ୍ରମ କରି ଯାହା ଉତ୍ପାଦନ କରନ୍ତି ସେଥିର ଲାଭଜନକ ଦର ପାଆନ୍ତି ନାହିଁ । ଏପରିକି ସରକାର ଧାର୍ଯ୍ୟକରିଥିବା ସର୍ବନିମ୍ନ ସହାୟକ ଦରମଧ୍ୟ ଚାଷୀମାନେ ପାଆନ୍ତି ନାହିଁ । ଧାନ, ଗହମ, ଆଖୁ, ଝୋଟ, କପା, ତୈଳବୀଜ ପ୍ରଭୃତି କୃଷି ଉତ୍ପନ୍ନ ଜିନିଷ ସଦାସର୍ବଦା ଅଭାବୀ ଦରରେ ବିକ୍ରୀ କରିବାକୁ ବାଧ୍ୟ ହୁଅନ୍ତି । ଅନ୍ୟ ଦିଗରେ କିଣିଖିଆମାନେ ଅଧିକ ଦାମ୍ ଦେଇ କୃଷିଉତ୍ପନ୍ନ ଜିନିଷ କିଣୁଛନ୍ତି । ଏଣୁ ପୁଞ୍ଜିବାଦୀ ବଜାରରେ ମଧ୍ୟସ୍ଥ ବେପାରୀ, କମିଶନ୍ ଏଜେଣ୍ଟ, ମହଜୁଦକାରୀ ଓ ଦଲାଲ୍ ଆଦି ଗୋଟିଏ ଦିଗରେ ଚାଷୀଙ୍କୁ ଓ ଅନ୍ୟ ଦିଗରେ ଖାଉଟିମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ମହଜୁଦକାରୀ ମାନେ ଖାଦ୍ୟ ଉତ୍ପାଦନ ସମୟରେ କୃଷକଙ୍କ ଠାରୁ କମ୍ ଦାମରେ ଜିନିଷ କିଣି ମହଜୁଦ୍ କରି ଗୋଦାମରେ ଗଚ୍ଛିତ କରିଥାଆନ୍ତି ଏବଂ ତିରୋଟ ସମୟରେ ଅତ୍ୟଧିକ ମୂଲ୍ୟରେ ବିକ୍ରିବଟା କରନ୍ତି । ଏ ସମସ୍ତ କାରଣରୁ କୃଷି ଅର୍ଥନୀତି ସଂକଟଗ୍ରସ୍ତ ହୁଏ । କୃଷକମାନଙ୍କୁ ଦେବାଳିଆ ଅବସ୍ଥାରେ ଛଟପଟ ହେବାକୁ ପଡ଼େ ।
ଗତ ମଇ ୨୦୦୫ରେ ପ୍ରକାଶିତ (୨୦୦୩ ସାଲ୍ର ରିପୋର୍ଟ) ଜାତୀୟ ପରିସଂଖ୍ୟାନ ରିପୋର୍ଟରୁ ଜଣାଯାଏ ଯେ, ୪୦ ପ୍ରତିଶତ କୃଷକ ଚାଷ କାମ ତ୍ୟାଗକରି ଅନ୍ୟ ଧନ୍ଦାପାଇଁ ଆଗ୍ରହୀ । ଚାଷ କାମରେ ସମ୍ପୃକ୍ତ ୪୮.୦୬ ପ୍ରତିଶତ ଚାଷୀ ଋଣଗ୍ରସ୍ତ । ଶହେରୁ ୬୬ କୃଷି ପରିବାରଙ୍କ ପାଖରେ କେବଳ ୧ ହେକ୍ଟର ବା ସାଢ଼େ ୨ଏକର ଜମିରୁ କମ୍ ଜମି ରହିଛି ଏବଂ ସେମାନଙ୍କ ମଧ୍ୟରୁ ୪୫ପ୍ରତିଶତ ଋଣ ଯନ୍ତାରେ ପଡ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଦେଶର ଉନ୍ନତ କୃଷି କରୁଥିବା ରାଜ୍ୟ ପଞ୍ଜାବ, ହରିଆନା, କେରଳ, ଆନ୍ଧ୍ର, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ଋଣଗ୍ରସ୍ତ କୃଷକଙ୍କ ସଂଖ୍ୟା ସର୍ବାଧିକ ଥିବା ଜଣାଯାଏ । ଜାତୀୟ ପରିସଂଖ୍ୟାନ ସଂସ୍ଥା ଦେଇଥିବା ଗତ ୩ଟି ପଞ୍ଚବାର୍ଷିକ ଯୋଜନା ରିପୋର୍ଟ ବିଶ୍ଲେଷଣରୁ ଆହୁରି ଜଣାଯାଏ ଯେ, କୃଷି ଦିଗରେ ବ୍ୟୟଭାର ସ୍ଥାଣୁ କରାଯାଇଛି ଏବଂ ଜାତୀୟ ଆୟର କେବଳ ୧.୦୩ ପ୍ରତିଶତ କୃଷି ଦିଗରେ ବ୍ୟୟ କରାଯାଇଛି, ଯଦିଓ କୃଷିରୁ ୨୬ପ୍ରତିଶତ ଆୟ ଆସୁଛି । ଗତ ୨୦୦୧ ଜନଗଣନାରୁ ଜଣାଯାଏ ଯେ ଗ୍ରାମ ମାନଙ୍କରେ ବାସ କରୁଥିବା ଜନସଂଖ୍ୟା ୭୧କୋଟି ୪୭ଲକ୍ଷ ଏବଂ ସେମାନଙ୍କ ମଧ୍ୟରୁ ୧୧କୋଟି ୫୦ ଲକ୍ଷ ୬୦ହଜାର ଲୋକଙ୍କ ପାଖରେ କିଛି ନା କିଛି ଜମି ରହିଛି । ଆହୁରି ଜଣାଯାଏ ଯେ, ଏହା ୧୯୬୦-୬୧ ସାଲ୍ ଓ ୧୯୯୫-୯୬କୁ ତୁଳନା କଲେ ସ୍ପଷ୍ଟ ରୂପେ ଜଣାଯାଏ ଯେ, ହାରାହାରି ଜମି ପରିମାଣ ୨.୬୯ ହେକ୍ଟରରୁ କ୍ରମାନ୍ୱୟରେ କମି ଆସିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ୩୦ବର୍ଷ ଶାସନରେ କୃଷି ପ୍ରତି ଯଥେଷ୍ଟ ପରିମାଣରେ ଅବହେଳା କରାଯାଇଛି । ସରକାରଙ୍କ ମତ ଥିଲା ଯେ କୃଷିରେ ବ୍ୟକ୍ତିଗତ ପୁଞ୍ଜି ବିଶେଷ ପରିମାଣରେ ବିନିଯୋଗ କଲେ କୃଷି ଉତ୍ପାଦନ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇବ ଏବଂ କୃଷକ ଶ୍ରେଣୀ ବିଶେଷ ଲାଭବାନ ହେବେ । କିନ୍ତୁ କାର୍ଯ୍ୟତଃ ତାହା ଓଲଟା ହେଲା । କୃଷି ଉତ୍ପାଦନ କେବଳ ସ୍ଥାଣୁ ଅବସ୍ଥାକୁ ଆସିଲା । ଏହାର ମୁଖ୍ୟ କାରଣ ହେଲା ସରକାର କୃଷକ ବିରୋଧୀ ନୀତି ଗ୍ରହଣ କରିବା ଫଳରେ କୃଷି ଉତ୍ପାଦନ କେବଳ ସ୍ଥାଣୁ ଅବସ୍ଥାକୁ ଆସିଲା ନାହିଁ ବରଂ ତାହା ବିପରୀତ ଦିଗରେ ଗତି କଲା, ଯାହା ଫଳରେ କୃଷକ ମାନେ ହତାଶଗ୍ରସ୍ତ ହୋଇପଡ଼ିଲେ ।
ଦେଶରେ ବିଜେପି ନେତୃତ୍ୱରେ ଏନ୍.ଡି.ଏ. ସରକାର ଥିବାବେଳେ ପଣ୍ୟ କାରବାର ପ୍ରଥା ପ୍ରଚଳନ କରି ଆବଶ୍ୟକୀୟ ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ନୀତିକୁ ପ୍ରତ୍ୟାହାର କରିଦେଲେ । ଯାହାଫଳରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟହାର ଅତ୍ୟଧିକ ବୃଦ୍ଧି ପାଇଲା । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଫଳରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଏହା ତତ୍କାଳୀନ ବାଜପେୟୀ ସରକାରରେ ଖାଦ୍ୟ ମନ୍ତ୍ରୀ ଥିବା ଶରଦ ଯାଦବ ନିଜେ ରାଜ୍ୟସଭାରେ ଗତ ଜୁଲାଇ ୨୫ରେ ସ୍ପଷ୍ଟ ଭାବେ ସ୍ୱୀକାର କରିଛନ୍ତି ଓ କ୍ଷମାପ୍ରାର୍ଥନା କରିଥିଲେ । ସେ ଭାବିଥିଲେ ଯେ ଆବଶ୍ୟକୀୟ ଖାଦ୍ୟ ଦ୍ରବ୍ୟ ଗଚ୍ଛିତ ନ ରଖି ଖାଦ୍ୟ ସାମଗ୍ରୀ ଦେଣନେଣ ପ୍ରଥା ପ୍ରଚଳନ କଲେ କୃଷକମାନେ ଉପକୃତ ହେବେ । କିନ୍ତୁ ପରିଣତି ହେଲା ଓଲଟା । ଦେଶର ନିଅଣ୍ଟିଆ ସମୟରେ ବିଦେଶରୁ ଅତ୍ୟଧିକ ମୂଲ୍ୟ ଦେଇ ଖାଦ୍ୟ ଦ୍ରବ୍ୟ କିଣିବାକୁ ପଡ଼ୁଛି । ଫଳତଃ ଏହାର କୁପ୍ରଭାବ କୃଷକ ଓ ଖାଉଟି ମାନଙ୍କ ଉପରେ ଶୋଚନୀୟ ଭାବେ ଉପଲବ୍ଧ ହେଉଛି ।
ଉପା’ ସରକାର ଏହା ଜାଣି ମଧ୍ୟ ବିଶ୍ୱବ୍ୟାଙ୍କର ଚାପରେ ଏହି ଆଇନର ପରିବର୍ତ୍ତନ କରୁନାହାନ୍ତି । ଏଣୁ ତଥାକଥିତ ଅର୍ଥନୈତିକ ସଂସ୍କାର ଫଳରେ କୃଷିକ୍ଷେତ୍ରରେ ଅଗ୍ରଗତି ନହୋଇ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି । କୃଷିରେ ଅଧିକ ପୁଞ୍ଜି ସୃଷ୍ଟି ନହେବାରୁ କୃଷି ଉତ୍ପାଦନ କମିବାରେ ଲାଗିଛି । ସରକାରଙ୍କର ବିଚାର ଥିଲାଯେ କୃଷିରେ ବ୍ୟକ୍ତିଗତ ପୁଞ୍ଜି ବିନିଯୋଗ କଲେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଓ କୃଷକ ମାନଙ୍କର ବିଶେଷ ଉନ୍ନତି ଘଟିବ । କିନ୍ତୁ କାର୍ଯ୍ୟତଃ କୃଷି ଉତ୍ପାଦନ ବୃଦ୍ଧି ନହୋଇ ହ୍ରାସ ପାଇବାରେ ଲାଗିଲା । ଏଣୁ ଦେଶରେ କୃଷି ପକ୍ଷପାତୀ ଓ ଉତ୍ପାଦନ ବୃଦ୍ଧି ଏକ ସମ୍ମିଳିତ ନୀତି ନହେବାରୁ ବର୍ତ୍ତମାନ ବିଶ୍ୱବ୍ୟାଙ୍କର ଚାପରେ କୃଷି ସାମଗ୍ରୀ ବିଦେଶରୁ ଅବାଧ ଆମଦାନୀ ପାଇଁ ଉନ୍ମୁକ୍ତ ହୋଇଗଲା । ଫଳରେ ଆମ ଦେଶ ଯେଉଁ କେତେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଓ ଖାଦ୍ୟଦ୍ରବ୍ୟରେ ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲା ତାହା ହରାଇଲା । ଏହା ଫଳରେ ଦେଶର ଶକ୍ତିଶାଳୀ ଅମଲାତନ୍ତ୍ର ଏବଂ ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତାମାନେ ମିଳିତ ହୋଇ ବହୁଜାତିକ ପୁଞ୍ଜିପତିଙ୍କ ଏହି ନୀତି କାର୍ଯ୍ୟକାରୀ କରିବା ଦିଗରେ ଅତ୍ୟନ୍ତ ପ୍ରୟାସୀ ହୋଇ ପଡ଼ିଛନ୍ତି, ଯାହାକି ଦେଶପକ୍ଷରେ ଏବଂ ଆମ ଖାଦ୍ୟ ନିରାପତ୍ତା ଲାଗି ଅଧିକ ବିପଦ ଆଣି ଦେଇଛି ।
ବର୍ତ୍ତମାନ ଦେଶରେ ଖାଦ୍ୟ ପଦାର୍ଥ ସଂଗ୍ରହରେ ଅଭାବ ଦେଖାଦେବାରୁ ୫୦ଲକ୍ଷ ଟନ ଗହମ ବିଦେଶରୁ ଆମଦାନୀ କରିବା ପାଇଁ ଆଦେଶ ଦେଇଛନ୍ତି । ଗହମ ଉତ୍ପାଦନ ସମୟରେ କୃଷକମାନେ ପ୍ରଚଳିତ ଦର ଟ. ୬୫୦ରୁ ଅଧିକ ୨୦୦ ଟଙ୍କା ଦେବା ପାଇଁ ଦାବୀ ଜଣାଇଥିଲେ । ଅର୍ଥାତ୍ ଗହମ କ୍ୱିଣ୍ଟାଲ୍ ଟ. ୮୫୦ ଦର ଧାର୍ଯ୍ୟ ପାଇଁ ଦାବୀ କରିଥିଲେ । କିନ୍ତୁ କେନ୍ଦ୍ର ସରକାର କେବଳ ୫୦ଟଙ୍କା ବୃଦ୍ଧି କରି ତାହା ୭୦୦ଟଙ୍କାରେ ସୀମିତ କଲେ । ତାହାପରେ କୃଷକଙ୍କ ନିକଟରୁ ବ୍ୟବସାୟୀ ଗୋଷ୍ଠୀ କିଣିସାରିବା ପରେ ଗତ ମଇ ମାସରେ ସେତେବେଳକୁ ଆମ ଦେଶର ଏକଚାଟିଆ ପୁଞ୍ଜିପତି ଓ ବହୁଜାତିକ ପୁଞ୍ଜିପତି ଓ ତାଙ୍କର ଏଜେଣ୍ଟମାନେ ଚାଷୀଙ୍କ ଠାରୁ କମ୍ ଦରରେ ପ୍ରାୟ ୬୦ଲକ୍ଷ ଟନ୍ ଗହମ ଖୋଲା ବଜାରରୁ କ୍ରୟ କରିସାରିଥିଲେ । ବର୍ତ୍ତମାନ ଭାରତ ସରକାର ଅଷ୍ଟ୍ରେଲିଆରୁ ଗହମ କ୍ୱିଣ୍ଟାଲ୍ ପ୍ରତି ୧୧୦୦ ଟଙ୍କା ଲେଖାଏଁ ଚୁକ୍ତିକରି ୯ଲକ୍ଷ ଟନ୍ ଗହମ ଆମଦାନୀ କରୁଛନ୍ତି । ଫଳରେ କୃଷକ ଗହମର ଉଚିତ ଦର ନପାଇ କିମ୍ବା ଖାଉଟିମାନେ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ନ ପାଇ ହଟହଟା ହେଉଛନ୍ତି । ସରକାରୀ ହିସାବରୁ ଜଣାଯାଏ ଯେ ୨୦୦୧-୦୨ ମସିହାରେ ଦେଶର ମୋଟ ଖାଦ୍ୟ ଉତ୍ପାଦନ ୨୧.୩ କୋଟି ଟନ୍ ଥିଲା । କିନ୍ତୁ ୨୦୦୫-୦୬ ମସିହାରେ ଗହମ ଉତ୍ପାଦନ ୭କୋଟି ୩୦ଲକ୍ଷ ଟନ୍ ହେଲା । ଯଦିଓ ପୂର୍ବାପେକ୍ଷା ୪ଲକ୍ଷ ହେକ୍ଟର ଚାଷ ଜମି ବୃଦ୍ଧି ପାଇଥିଲା । ୨୦୦୧-୦୨ ବର୍ଷରେ ଧାନ ଉତ୍ପାଦନ ୯କୋଟି ୩୦ଲକ୍ଷ ମିଲିଅନ୍ ଟନ୍ ହେଲା କିନ୍ତୁ ୨୦୦୩-୨୦୦୫ ମଧ୍ୟରେ ଏହା ଯଥେଷ୍ଟ ହ୍ରାସ ପାଇଲା । ଏହା ଫଳରେ ଦଶମ ପଞ୍ଚବାର୍ଷିକ ଯୋଜନା ମଧ୍ୟରେ ଧାର୍ଯ୍ୟ ହୋଇଥିବା ୨୩କୋଟି ଟନ୍ ପୂରଣହେବା କଷ୍ଟକର ହୋଇପଡ଼ିବ । ଆଶା କରାଯାଉଛି ଯେ ଯୋଜନାର ଶେଷକାଳ ଅର୍ଥାତ୍ ୨୦୧୦ ସୁଧା ଉତ୍ପାଦନ ୨୫ କୋଟି ଟନ୍ରେ ମଧ୍ୟ ପହଞ୍ଚିପାରିବ ନାହିଁ । ସେହିପରି ଡ଼ାଲିଜାତୀୟ ଶସ୍ୟ ଉତ୍ପାଦନରେ ମଧ୍ୟ ସ୍ଥାଣୁତା ଦେଖାଦେଇଛି । ଆମର ୧କୋଟି ୭୫ଲକ୍ଷ ଟନ୍ ଡ଼ାଲି ଜାତୀୟ ଶସ୍ୟ ଆବଶ୍ୟକତା ଥିବାବେଳେ ବାର୍ଷିକ ପ୍ରାୟ ୩୦ରୁ ୪୦ଲକ୍ଷ ଟନ୍ କମ୍ ଉତ୍ପାଦନ ହେଉଛି । ଏଣୁ ଏଥିପାଇଁ ବାହାର ଦେଶ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଜମି ଜମା ସମସ୍ୟାର ସମାଧାନ ଓ ଉତ୍ପାଦନ ବୃଦ୍ଧିର ମୂଳଆଧାର ଭୂ-ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ଓ ସାମନ୍ତବାଦୀ ଶୋଷଣକୁ ଲୋପକରି ଚାଷୀ ହାତକୁ ଜମି ଦେବା ପାଇଁ ଅଖିଳ ଭାରତ କୃଷକ ସଭା ଭୂ-ସଂସ୍କାରର ଦାବି ଉଠାଇଥିଲା । କିନ୍ତୁ ଦେଶ ସ୍ୱାଧୀନ ହେବାର ୬୦ବର୍ଷ ମଧ୍ୟରେ କେବଳ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଶାସିତ ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରା ରାଜ୍ୟମାନଙ୍କରେ ଏହା ସମ୍ଭବ ହୋଇଥିବା ବେଳେ ଅନ୍ୟରାଜ୍ୟ ମାନଙ୍କରେ ଭୂ-ସଂସ୍କାର କେବଳ ରାଜନୈତିକ ପ୍ରତାରଣାରେ ପରିଣତ ହୋଇଛି ଏବଂ ଓଡ଼ିଶା ପରି କେତେକ ରାଜ୍ୟରେ ତାହା ଅଧପନ୍ତରିଆ ହୋଇ ରହିଛି । ଉଭୟ ଏନ୍.ଡି.ଏ. ସରକାର ଓ କଂଗ୍ରେସ ନେତୃତ୍ୱ ଉପା ସରକାର ଏହି କାର୍ଯ୍ୟକ୍ରମକୁ ଶୀତଳ ଭଣ୍ଡାରରେ ପକାଇ ଦେଇଛନ୍ତି । ବହୁରାଜ୍ୟରେ ଜମି ସଂକ୍ରାନ୍ତୀୟ ମକଦ୍ଦମା ବର୍ଷ ବର୍ଷ ଧରି କୋର୍ଟ କଚେରୀରେ ପଡ଼ିରହିବା ଫଳରେ ବିବାଦୀୟ ଜମି ପଡ଼ିଆ ରହୁଛି । ଏହା ବ୍ୟତୀତ ଖୋଦ୍ ସରକାରଙ୍କ ଅଧିନରେ ପ୍ରାୟ ୩କୋଟି ୭୦ଲକ୍ଷ ହେକ୍ଟର ଚାଷ ଉପଯୋଗୀ ଅନାବାଦୀ ଜମି ପଡ଼ିରହିଛି । ଗତ ୨୪.୦୬. ୨୦୦୬ ରିଖ ଦିନ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ୱାରା ଆହୂତ ଏକ ଆଲୋଚନା ଚକ୍ରରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପାଲ୍ ଆୟାର ସୂଚାଇଛନ୍ତି ଯେ ଦେଶରେ ଜମିଦାର, ମହାଜନ, ବ୍ୟବସାୟୀ ଗୋଷ୍ଠୀ ଓ ଗୁଣ୍ଡାମାନଙ୍କ ଦ୍ୱାରା ସଂଗଠିତ ଷଡ଼ଯନ୍ତ୍ରରେ ୮୦ଲକ୍ଷ ଗରିବ ଓ ଆଦିବାସୀ ନିଜ ଜମିରୁ ଉତଖାତ ହୋଇଛନ୍ତି । ବର୍ଷ ବର୍ଷ ଧରି କୋର୍ଟ କଚେରୀରେ ମକଦ୍ଦମା ପଡ଼ିରହିଥିବା ଫଳରେ ପ୍ରାୟ ୧୯ଲକ୍ଷ ଏକର ଜମି ବର୍ତ୍ତମାନ ସୁଦ୍ଧା ଗରିବ ଚାଷୀ ଓ କୃଷିଶ୍ରମିକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ପାରିନାହିଁ । ବର୍ତ୍ତମାନ ସୁଦ୍ଧା ୨୧ଲକ୍ଷ ୭୫ ହଜାର ଭୂ-ଦାନ ଜମି ବଣ୍ଟନ ହୋଇଥିବା ବେଳେ ଆଉ କୋଡ଼ିଏଲକ୍ଷ ଏକର ଜମି ବଣ୍ଟନ ହୋଇପାରି ନାହିଁ । ସେଥିରୁ ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ କେବଳ ୧୪ଲକ୍ଷ ଏକର ଜମି ଅନ୍ତର୍ଭୁକ୍ତ । ଦେଶର ବିଭିନ୍ନ ସ୍ଥାନରେ ସହରୀକରଣ ପାଇଁ ଶସ୍ୟଶ୍ୟାମଳା ଓ ଉର୍ବର ଚାଷ ଜମିକୁ କଣ୍ଟ୍ରାକ୍ଟର, ବିଲଡର୍ ଓ ସରକାରୀ କଳ ଅଧିଗ୍ରହଣ କରି ଅଟ୍ଟାଳିକା ନିର୍ମାଣ କରୁଛନ୍ତି । ସରକାରୀ କଳର ସହାୟତାରେ ବିଭିନ୍ନ କମ୍ପାନୀ ଓ ସରକାରୀ ଅଫିସରମାନେ କୃଷକମାନଙ୍କ ଠାରୁ କମ୍ ମୂଲ୍ୟରେ ଜମି କ୍ରୟ କରି ଅଧିକ ଦରରେ ବିକ୍ରି କରୁଥିବା ଦେଖାଯାଉଛି । ଶିଳ୍ପୀକରଣ ନାଁରେ ପୁରୁଷ ପୁରୁଷ ଧରି ଚାଷ କରି ଆସୁଥିବା ଜମିରୁ କୃଷକମାନଙ୍କୁ ଉତଖାତ କରି ଦିଆଯାଉଛି ଫଳରେ ବେକାର ସଂଖ୍ୟା ବୃଦ୍ଧି ପାଉଛି । ଜମିର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରିବା, କୃଷକମାନଙ୍କୁ ଉଚିତ କ୍ଷତିପୂରଣ ଦେବା ଏବଂ ସେମାନଙ୍କୁ ଥଇଥାନ କରିବା ପାଇଁ କୌଣସି ସଠିକ୍ ନୀତି ନଥିବାରୁ ଶିଳ୍ପ ବିକାଶ ନାଁରେ ଦେଶୀ ଓ ବିଦେଶୀ ଶିଳ୍ପପତିମାନେ ମନଇଚ୍ଛା ଜମି ଅଧିଗ୍ରହଣ କରିବା ବ୍ୟବସ୍ଥାକୁ ମଧ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏକ ହିସାବରୁ ଜଣାଯାଏ ଯେ, ପଞ୍ଜାବ, ହରିଆଣା, ଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଗତ ୩-୪ ବର୍ଷ ମଧ୍ୟରେ ଏକଲକ୍ଷ ହେକ୍ଟରରୁ ଅଧକ ପରିମାଣର ଚାଷ ଜମି ଅଧିଗ୍ରହଣ କରିଛନ୍ତି । ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରିବା ନାଁରେ ବଡ଼ ବଡ଼ ନଗର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ହଜାର ହଜାର ଏକର ଅତି ମୂଲ୍ୟବାନ ଚାଷ ଜମି ଅଧିଗ୍ରହଣ କରି ତାହା ବଡ଼ ବଡ଼ କର୍ପୋରେଟ ଓ ପୁଞ୍ଜିପତି ମାନଙ୍କୁ ଅତି କମ୍ ଦାମରେ ବିକ୍ରି କରୁଛନ୍ତି ଯାହାକି ପରବର୍ତ୍ତୀ କାଳରେ ସେମାନେ ଉକ୍ତ ଜମିକୁ ବିକ୍ରିକରି ମୁନାଫା ଉଠାଇ ଚାଲିଛନ୍ତି । ଏହି ସବୁ ପ୍ରକ୍ରିୟା ଦ୍ୱାରା ଗୋଟିଏ ପଟେ ଚାଷ ଉପଯୋଗୀ ଜମିର ପରିମାଣ ହ୍ରାସ ପାଇବା ସାଙ୍ଗକୁ କୃଷି ଉତ୍ପାଦନ କମିଯାଇ ଦେଶରେ ଖାଦ୍ୟ ସଂକଟ ଦେଖାଦେଉଛି । ସେହିପରି ଆମ ଓଡ଼ିଶାରେ ଶିଳ୍ପ ନାଁରେ ୧୨ଟି ଶିଳ୍ପପତିଙ୍କ ପାଇଁ ପ୍ରାୟ ଏକ ଲକ୍ଷ ଏକର ଜମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ଚୁକ୍ତି ବଦ୍ଧ ହୋଇଥିବା ଜଣାଯାଇଛି । ଏଣୁ କୃଷକସଭା ଦୃଢ଼ଦାବୀ କରିଆସୁଛି ଯେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଣ କୃଷି ଜମି ବା ପଡ଼ିଆ ଜମି ଅଧିଗ୍ରହଣ କରାଗଲେ ଉତ୍ପାଦନ ବୃଦ୍ଧିରେ ବାଧକ ହେବନାହିଁ ଏବଂ କୃଷିର ବିକାଶରେ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ହୋଇପାରିବ । ଏଣୁ କୃଷକର ସମୂହ ସ୍ୱାର୍ଥ ପାଇଁ ଅଣକୃଷି ଜମି ଅଧିଗ୍ରହଣ, ଉପଯୁକ୍ତ କ୍ଷତପୂରଣ ପ୍ରଦାନ, ଥଇଥାନ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା ଭଳି ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି କୃଷି ନୀତି ସ୍ଥିର କରିବା ପାଇଁ ଦୃଢ଼ ଦାବୀ କରୁଛି ।
କୃଷକମାନଙ୍କ ଆତ୍ମହତ୍ୟା
ସରକାରଙ୍କ ଚାଷୀ ବିରୋଧୀ ନୀତି ଫଳରେ କୃଷକ ଓ କୃଷି ଶ୍ରମଜୀବୀମାନେ ସନ୍ତୁଳି ହୋଇ ହତାଶଗ୍ରସ୍ତ ହୋଇପଡ଼ିଛନ୍ତି । ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିବା ଫଳରେ ସେମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ସରକାରଙ୍କ ପ୍ରଦତ୍ତ ହିସାବରୁ ଜଣାଯାଏ ଯେ ୧୯୯୫ଠାରୁ ୨୦୦୩ ମଧ୍ୟରେ ଦେଶରେ ୧ଲକ୍ଷ ୩୪ ହଜାର ୩୨୧ଜଣ କୃଷକ ଦାରିଦ୍ର୍ୟ କଷାଘାତରେ ଆତ୍ମହତ୍ୟା କରିଛନ୍ତି (ଲୋକ ସଭାରେ କୃଷି ମନ୍ତ୍ରୀ ଶରଦ୍ ପାୱାରଙ୍କ ବକ୍ତୃତା ମଇ ୧୬, ୨୦୦୬) । ଏହି ୯ବର୍ଷ ସମୟ ମଧ୍ୟରେ ପ୍ରତିବର୍ଷ ୧୦,୦୦୦ରୁ ୧୭,୦୦୦ କୃଷକ ଆତ୍ମହତ୍ୟା କରୁଥିବାର ଦେଖାଯାଏ । କେବଳ ଗତ ୨୦୦୪ରୁ ୨୦୦୫ ସାଲ ମଧ୍ୟରେ ୧୦,୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା କରିଥିବା ସରକାରୀ ରେକର୍ଡ଼ ଭୁକ୍ତ ହୋଇଥିବା ଜଣାଯାଇଛି । ଏପରିକି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳକୁ ନିକଟରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିବାଲାଗି ଗତ ଜୁଲାଇ ପ୍ରଥମ ସପ୍ତାହରେ ଗସ୍ତ କଲାପରେ ମଧ୍ୟ ହାରାହାରି ପ୍ରତିଦିନ ୪ଜଣ କୃଷକ ଆତ୍ମହତ୍ୟା କରୁଥିବା ପ୍ରକାଶ ପାଇଛି । ଏହି କୃଷକ ଆତ୍ମହତ୍ୟାର କାରଣ ଓ ତା’ର ପ୍ରତିକାର ବ୍ୟବସ୍ଥା ଅନୁସନ୍ଧାନ କରିବା ଲାଗି ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାମାନ ପ୍ରତିଷ୍ଠା ହୋଇଛି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରେ ବିରେଶ କମ୍ପାନୀ ଏବଂ ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ଟାଟା ଇନିଷ୍ଟିଚୁ୍ୟଟ୍ ଅଫ ସୋସିଆଲ୍ ସାଇନ୍ସ (ଟିସ୍) , ମହାରାଷ୍ଟ୍ରର ଇନ୍ଦିରା ଗାନ୍ଧୀ ଇନିଷ୍ଟିଚୁ୍ୟଟ୍ ଅଫ୍ ଡେଭଲପମେଣ୍ଟଙ୍କୁ ଏହାର କାରଣ ଅନୁସନ୍ଧାନ ପାଇଁ ନିଯୁକ୍ତ କରାଯାଇଛି ଏବଂ ସେ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।
ଭାରତ ନିର୍ମାଣ ଓ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା କୃଷିର ବିକାଶ ପାଇଁ ନିର୍ଦ୍ଦିଷ୍ଟ ଭାବେ କୃଷି ଋଣ ପରିମାଣ ବୃଦ୍ଧି ଲାଗି ଜଣାଇଛନ୍ତି । କିନ୍ତୁ ପ୍ରତି ଶସ୍ୟ ଲାଗି କୃଷିବୀମା କରିବା ନେଇ କୌଣସି ପରାମର୍ଶ ଦେଇନାହାନ୍ତି । କୃଷକକୁ ଜଳସେଚନ ଯୋଜନାରେ ଜଳ ଯୋଗାଇବା ଲାଗି ସ୍ୱଳ୍ପ ପରିମାଣ ଅର୍ଥ ବ୍ୟବସ୍ଥା କରାଯାଇଛି । ଏହା ସଙ୍ଗେ ସଙ୍ଗେ କୃଷି ଋଣ ଆଦାୟ ଅନ୍ତତଃ ୨ବର୍ଷ ଯାଏଁ ସ୍ଥଗିତ ରଖିବା ପାଇଁ କୃଷକସଭାର ଦାବୀ ପ୍ରତି କୌଣସି ଗୁରୁତ୍ୱ ଦେଇନାହାନ୍ତି କିମ୍ବା ଦୀର୍ଘଦିନ ଧରି କୃଷି ଋଣର ସୁଧହାର ୪ ପ୍ରତିଶତକୁ କମାଇବା ପାଇଁ କୃଷକ ସଭା ଚଳାଉଥିବା ଆନେ୍ଦାଳନ ପ୍ରତି ସରକାର କର୍ଣ୍ଣପାତ କରିନାହାନ୍ତି । କିନ୍ତୁ ତାହା ପୂର୍ବରୁ ଥିବା ୯ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରାଯାଇଛି ମାତ୍ର । ଅନ୍ୟଦିଗରେ କୃଷି ପାଇଁ ଆବଶ୍ୟକୀୟ ସରଞ୍ଜାମ ମୂଲ୍ୟ ଲଗାତର ଭାବେ ବୃଦ୍ଧି ପାଉଥିବା ବେଳେ ଏବଂ ଆବଶ୍ୟକୀୟ ବିହନ, ସାର, ଔଷଧ, ଜଳସେଚନ, ବିଦ୍ୟୁତ ଶୁଳ୍କ, ଶ୍ରମଶକ୍ତି ପ୍ରଭୃତି ୧୮ରୁ ୨୨ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲାବେଳେ କୃଷି କମିଶନର କୃଷି ଉତ୍ପାଦନ ସାମଗ୍ରୀର ସହାୟକ ଦର କ୍ୱିଣ୍ଟାଲ୍ ପ୍ରତି ମାତ୍ର ୧୦ଭାଗ ବୃଦ୍ଧି ପାଇଁ ମତାମତ ଦେଇଛନ୍ତି । ଏଣୁ ଦର ନିର୍ଦ୍ଧାରଣ କମିଶନର ପୂର୍ବ ନିର୍ଦ୍ଧାରିତ ପ୍ରଥା ଅନୁଯାୟୀ କୃଷି ଉତ୍ପନ୍ନ ଜିନିଷର ଦର ନିର୍ଦ୍ଧାରଣ ନକରି ଚଳନ୍ତି ବଜାର ଦରଦାମ ଅବସ୍ଥାକୁ ବିଚାରକୁ ନେଇ ସାଧାରଣ ସହାୟକ ଦର ଧାର୍ଯ୍ୟ କରିବା ପାଇଁ କୃଷକ ସଭା ଦାବୀ କରୁଛି । ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ୍ ପାୱାରଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀସ୍ତରୀୟ ବୈଠକରେ କୃଷି ଓ ବୃକ୍ଷରୋପଣ କାର୍ଯ୍ୟରେ ଶତ ପ୍ରତିଶତ ବୈଦେଶିକ ପୁଞ୍ଜି ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ଯଦି କାର୍ଯ୍ୟକାରୀ କରାଯାଏ ତା’ହେଲେ ବୈଦେଶିକ ପୁଞ୍ଜିପତିମାନେ ଗ୍ରାମ୍ୟ ଅର୍ଥନୀତିକୁ କବଳିତ କରି ବସିବେ । ଘରୋଇକରଣ ଓ ଠିକାଚାଷ (କଣ୍ଟ୍ରାକ୍ଟ) ଯୋଗୁଁ ବଡ଼ ବଡ଼ କର୍ପୋରେଟ ପୁଞ୍ଜିପତିଙ୍କ ହାତରେ ସମଗ୍ର କୃଷି ବ୍ୟବସ୍ଥାକୁ ସମର୍ପି ଦିଆଯିବ । ଫଳରେ ଅଗଣିତ ନାମମାତ୍ର ଓ ଗରିବ ଚାଷୀ ସର୍ବହରାରେ ପରିଣତ ହେବେ । ବେକାର ସଂଖ୍ୟା ବୃଦ୍ଧିପାଇ ଦେଶ ଅରାଜକତା ଆଡ଼କୁ ଠେଲି ହୋଇଯିବ । ଏଣୁ ଦେଶର କୃଷକ ଓ କୃଷି ସମସ୍ୟାର ସମାଧାନ ଲାଗି ଏକ ସୁଚିନ୍ତିତ ବିଜ୍ଞାନସମ୍ମତ କୃଷି ନୀତି କେନ୍ଦ୍ର ଓ ରାଜ୍ୟ ସରକାରମାନେ ତୁରନ୍ତ ଗ୍ରହଣ କରିବା ଦାବୀ ନେଇ ସମଗ୍ର କୃଷକ ଶ୍ରେଣୀ ଦେଶବ୍ୟାପୀ ସଂଗ୍ରାମ ଚଳାଇବାରେ ଆବଶ୍ୟକତା ଆଜି ବେଶ୍ ଅନୁଭୂତ ହେଉଛି ।
Photo Credit-https://bit.ly/3GwJz8h
Comments
0 comments