ଦଳିତ ସାହିତ୍ୟ କଥା ଉଚ୍ଚାରଣ ମାତ୍ରକେ ଏକ ବିବାଦ ଆସି ଛିଡ଼ାହୁଏ । ସେ ହେଲା କାହାକୁ ଦଳିତ ସାହିତ୍ୟ କହିବା? ପ୍ରଥମେ ଦଳିତ ଶବ୍ଦର ବ୍ୟାଖ୍ୟା ଜରୁରୀ ମନେ ହୁଏ । ବ୍ରାହ୍ମଣବାଦୀ ହିନ୍ଦୁ ଧର୍ମରେ ପ୍ରଚଳିତ ଜାତିପ୍ରଥାର ସବା ତଳ ପାହାଚରେ ଥିବା ଶୂଦ୍ରମାନଙ୍କୁ ହିଁ ଦଳିତ କୁହାଯିବ । ଏହା ମୂଳତଃ ଏକ ସାମାଜିକ ସାଂସ୍କୃତିକ ଅସ୍ମିତାକୁ ବୁଝାଏ । ଯଦିଓ ଭାରତରେ ଏଇ ଶୂଦ୍ର ସମାଜ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଗରିବ କିନ୍ତୁ ଅଣଦଳିତ ବି ଗରିବ ଅଛନ୍ତି ତେଣୁ ଶୂଦ୍ରର ପରିଚିତି ଏକ ସାମାଜିକ ପରିଚିତି ।
ଦଳିତ କିଏ?
ସେଇମାନେ ହିଁ ଦଳିତ ଯେଉଁମାନେ ଜାତିପ୍ରଥାର ଶିକାର । ଯେଉଁମାନଙ୍କ ସହ ବାକି ହିନ୍ଦୁ ଅର୍ଥ ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟ ରୋଟିବେଟିର ସମ୍ପର୍କ ରଖନ୍ତି ନାହିଁ । ତାଙ୍କ ହାତରୁ ଖାଦ୍ୟ ଓ ପାଣି ଛୁଅଁନ୍ତି ନାହିଁ । ମୋଟାମୋଟି କହିଲେ ଯେଉଁମାନଙ୍କୁ ବ୍ରାହ୍ମଣବାଦୀ ହିନ୍ଦୁ ସମାଜ ଅସ୍ପୃଶ୍ୟ କରି ରଖିଛି । ଦଳିତର ଏଇ ବ୍ୟାଖ୍ୟା ଅନୁସାରେ ଆର୍ଥିକ ଦୃଷ୍ଟିରୁ ଦରିଦ୍ର ଶ୍ରେଣୀକୁ ଦଳିତ କୁହାଯିବ ନାହିଁ । ଠିକ୍ ସେମିତି ଆଦିବାସୀମାନଙ୍କ ସହ ତଥାକଥିତ ସବର୍ଣ୍ଣମାନେ ରୋଟି ବେଟିର ସମ୍ପର୍କ ରଖନ୍ତି ନାହିଁ କି ତାଙ୍କ ହାତରୁ ପାଣି ଓ ଖାଦ୍ୟ ଛୁଅନ୍ତି ନାହିଁ । ସେମାନଙ୍କର ନିଜସ୍ୱ ଏକ ସ୍ୱତନ୍ତ୍ର ପରିଚିତି ରହିଛି । ମୂଳଭୁତଃ ଭାବରେ ବିଚାର କଲେ ସେମାନେ ହିନ୍ଦୁ ଧର୍ମର ଅଂଶବିଶେଷ ନୁହଁନ୍ତି । ସେମାନେ ଜାତିପ୍ରଥାର ଚାରି ପାହାଚି ବ୍ୟବସ୍ଥାରେ ନାହାଁନ୍ତି । ଏକଥା ସତ ଯେ ଆଜିର ଦିନରେ ଅଧିକାଂଶ ଆଦିବାସୀଙ୍କର ହିନ୍ଦୁକରଣ ହେଇସାରିଛି । କେବଳ ଓଡ଼ିଶାରେ ୬୨ରୁ ଅଧିକ ସମୁଦାୟର ଆଦିବାସୀ ଅଛନ୍ତି । ସଭିଙ୍କର ନିଜସ୍ୱ ସ୍ୱତନ୍ତ୍ର ସଂସ୍କୃତି ରହିଛି । ସେମାନଙ୍କର ନିଜସ୍ୱ ଦେବାଦେବୀ ଅଛନ୍ତି । ମୂଳତଃ ସେମାନେ ପ୍ରକୃତି ପୂଜକ । ଠିକ୍ ସେଇମିତି ଆଦିବାସୀ ଓ ଦଳିତଙ୍କ ଭିତରେ ବି ରୋଟି ବେଟିର ସମ୍ପର୍କ ନାହିଁ ।
ଯେହେତୁ ଏମାନେ ଜାତି ପାହାଚରେ ଅନ୍ତର୍ଭୁକ୍ତ ନୁହଁନ୍ତି, ତେଣୁ ଏମାନଙ୍କୁ ଠିକ୍ ଶୂଦ୍ରଙ୍କ ପରି ଜାତିପ୍ରଥା ସମ୍ପର୍କିତ ପୀଡ଼ା ଓ ଅପମାନ ସହିବାକୁ ପଡ଼େ ନାହିଁ । ଅନ୍ୟଦୃଷ୍ଟିରୁ ଦେଖିଲେ ଆଦିବାସୀଙ୍କ ହିନ୍ଦୁକରଣ ସତ୍ତ୍ୱେ ସେମାନଙ୍କୁ ହିନ୍ଦୁ ସମାଜ କେଉଁ ପାହାଚରେ ରଖିବ ଏବଂ କିଭଳି ବ୍ୟବହାର ଦେବ, ତାହା ଏଯାଏଁ ସ୍ଥିରୀକୃତ ହେଇପାରି ନାହିଁ । ସେ ଯା’ହେଉ ଏମାନଙ୍କୁ ହିନ୍ଦୁସମାଜ ଜାତିପ୍ରଥାର ଉପର ତିନିପାହାଚ ଭିତରେ ଗଣୁ ନଥିବାଟା ସ୍ପଷ୍ଟ । ଏସବୁ କାରଣରୁ ଏମାନଙ୍କୁ ଆମେ ଦଳିତ ବୋଲି କହିପାରିବା କି? ଯଦି ନା, ତେବେ ଏମାନଙ୍କୁ ଆମେ ଦଳିତ କହିପାରିବା ନାହିଁ । ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ଦଳିତ କୁହାଯାଇପାରିବ ନାହିଁ ଯଦିଓ ତାଙ୍କ ଭିତରୁ ସିଂହଭାଗ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ । ଏବେ କଥାଟି ସ୍ପଷ୍ଟ ଯେ ଜାତିପାହାଚର ସବାତଳେ ଥିବା ଶୂଦ୍ରମାନେ ହିଁ ଦଳିତ । ଗୋଟିଏ କଥା ସ୍ପଷ୍ଟଯେ ଜନ୍ମ ଦୃଷ୍ଟିରୁ ଅଣଦଳିତ, ଆଦିବାସୀ ସେ ହିନ୍ଦୁ ହେଉ କି ଖ୍ରୀଷ୍ଟିଆନ ଓ ମୁସଲମାନ ଲେଖକ ତଥା କବିଙ୍କ ସାହିତ୍ୟକୁ ‘ଦଳିତ ସାହିତ୍ୟ’ କୁହଯାଇପାରିବ ନାହିଁ ।
କେବଳ ଜନ୍ମ ଦୃଷ୍ଟିରୁ ଜଣେ ଦଳିତ ହେଇ ଯଦି ଦଳିତ ଚେତନା ସମ୍ବଳିତ ସାହିତ୍ୟ ଲେଖେ, ତାକୁ ‘ଦଳିତ ସାହିତ୍ୟ’ କୁହାଯାଇପାରିବ । ଯେତେ ଦଳିତ କଥା ଲେଖିଥିଲେ ବି ଭୀମ ଭୋଇ, ଜ୍ୟୋତିବା ଫୁଲେ, ପେରିଆର, ପ୍ରେମଚାନ୍ଦ, ଫକୀରମୋହନ, ଗୋପୀନାଥ ମହାନ୍ତି, କୁମାର ହସନ୍ ଓ ଆଶୁତୋଷ ପରିଡ଼ାଙ୍କ ରଚିତ ସାହିତ୍ୟକୁ ଦଳିତ ସାହିତ୍ୟ କୁହାଯିବ ନାହିଁ । ବରଂ କୁହାଯିବ ଅଣଦଳିତଙ୍କ ଦ୍ୱାରା ଲିଖିତ ଦଳିତ ସମ୍ବନ୍ଧିତ ସାହିତ୍ୟ ।
ଦଳିତ ସାହିତ୍ୟ ଓ ତା’ର ପରିସର
ଏକଥା ମନେ ରଖିବା ଜରୁରୀ ଯେ ଜଣେ ଜନ୍ମ ଦୃଷ୍ଟିରୁ ଦଳିତ, ଯାହା ଲେଖିଦେବ ସେ ଦଳିତ ସାହିତ୍ୟ ହେଇଯିବ ନାହିଁ । ବେଶି ହେଲେ କୁହାଯିବ ଜଣେ ଦଳିତ ଦ୍ୱାରା ଲିଖିତ ସାହିତ୍ୟ । ଦଳିତ ଚେତନା ସମ୍ବଳିତ ସାହିତ୍ୟ ଓ ଜଣେ ଦଳିତ ଦ୍ୱାରା ଲିଖିତ ସାହିତ୍ୟ ଭିତରେ ଥିବା ଫରକକୁ ବୁଝିବା ଜରୁରୀ । ଜଣେ ଦଳିତ ହେଇ ବ୍ରାହ୍ମଣବାଦୀ ସାହିତ୍ୟ ଲେଖିପାରେ । ସମୟ ଥିଲା ଦଳିତ ହେଇ ବାଲ୍ମିକୀ ଓ ବ୍ୟାସ ବ୍ରାହ୍ମଣବାଦୀ ସାହିତ୍ୟ ରଚନା କରିଥିଲେ । ବାବା ସାହେବଙ୍କ ଦ୍ୱାରା ମରାଠୀରେ ଲିଖିତ ତିନିଟି ପଂକ୍ତି ଅବତାରଣା କରାଯାଇପାରେ । “ହିନ୍ଦୁଓଁ କୋ ଚାହିୟେ ଥେ ବେଦ/ଇସଲିୟେ ଉହ୍ନୋନେ ବ୍ୟାସ କୋ ବୁଲାୟା ଜୋ ସବର୍ଣ୍ଣ ନହିଁ ଥେ / ହିନ୍ଦୁଓଁ କୋ ଚାହିୟେ ଥେ ଏକ ମହାକାବ୍ୟ / ଇସଲିୟେ ଉହ୍ନୋନେ ବାଲ୍ମିକୀ କୋ ବୁଲାୟା , ଯୋ ଖୁଦ୍ ଅଛୁତ ଥେ / ହିନ୍ଦୁଓଁ କୋ ଚାହିୟେ ଥା ଏକ ସମ୍ବିଧାନ ୱୋର ଉହ୍ନୋନେ ମୁଝେ ବୁଲା ଭେଜା ।’ ଏଠି କହିରଖିବା ଯେ ସମ୍ବିଧାନଟି ବ୍ରାହ୍ମଣବାଦୀ ଏଇଥି ପାଇଁ ହେଲା ନାହିଁ ଯେ ଆମ୍ବେଦକର ଓ ସମ୍ବିଧାନ ଲେଖାରେ ଥିବା ଅନେକ ଲୋକ ବ୍ରାହ୍ମଣବାଦୀ ନଥିଲେ । ଆଗରୁ କହିଛି ଦଳିତଙ୍କ ଦ୍ୱାରା ‘ଦଳିତ ଚେତନା’ ସମ୍ବଳିତ ସାହିତ୍ୟ ହିଁ ‘ଦଳିତ ସାହିତ୍ୟ’ କୁହାଯିବ । ଦଳିତ ସାହିତ୍ୟ ସମାନତା, ନ୍ୟାୟ, ଅସ୍ମିତା ଓ ଗାରିମାର ସଂଘର୍ଷ ଗାଥା । ଏଠି ଦଳିତ ସାହିତ୍ୟ ଏକ ସାମାଜିକ ଆବଶ୍ୟକତା । ବିସମତା ଓ ଅନ୍ୟାୟର ପ୍ରତିବାଦ । ନିଜ ଜୀବନ, ଆତ୍ମପରିଚୟ, ଭାଷା, ସଂସ୍କୃତିର ଅନ୍ୱେଷା ।
ନିଜକୁ ଠିକ୍ ଅନ୍ୟମାନଙ୍କ ପରି ଏକ ମଣିଷ ବୋଲି ପ୍ରତିଷ୍ଠିତ କରିବାର ପ୍ରତିବଦ୍ଧତା । ନିଜର ସାମାଜିକ, ଆର୍ଥିକ, ସାଂସ୍କୃତିକ ସ୍ଥିତି ଓ ପରିବେଶ ସହ ଆତ୍ମସାକ୍ଷାତକାର । ନିଜ ପୀଡ଼ା,ଅପମାନ ଓ ଜୀବନ ସଂଘର୍ଷର ଆତ୍ମବୟାନ (ସେ ଦୃଷ୍ଟିରୁ ଅନେକ ଦଳିତ ସାହିତ୍ୟିକଙ୍କ ଆତ୍ମଜୀବନୀ ହିଁ ଦଳିତ ସାହିତ୍ୟ ରୂପେ ଚର୍ଚ୍ଚା ହୁଏ) । ସେଥିରେ କ୍ରୋଧ ଅଛି, ବିଦ୍ରୋହ ଅଛି,ଆମ ସମାଜ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଅଛି, ପ୍ରଚଳିତ ଅମାନବୀୟ ପରମ୍ପରା ଓ ସଂସ୍କୃତି ପ୍ରତି ବିଷେଦଗାର ଅଛି । ଅତୀତରେ ମୁଖ୍ୟଧାରା ସଂସ୍କୃତି ବାହାରେ ଏକ ତାର୍କିକ, ନ୍ୟାୟସଙ୍ଗତ ଓ ମାନବୀୟ ସଂସ୍କୃତିର ଇତିହାସ ଖୋଜା, ତାର ଅବଶେଷର ଭିତ୍ତିରେ ଏକ ଭବିଷ୍ୟତ ନିର୍ମାଣର ସ୍ୱପ୍ନ ଅଛି । ଏକ ମାନବୀୟ ଅସ୍ମିତା ଓ ଅସ୍ତିତ୍ୱର ଅନ୍ୱେଷଣ ଓ ନିର୍ମାଣ ।
ଦଳିତ ସାହିତ୍ୟକୁ ମୋଟାମୋଟି ଦି ଭାଗ କରି ଆଲୋଚନା କରାଯାଇପାରିବ । ଆଦ୍ୟ ଭାଗଟି ସଂସ୍କାରମୂଳକ ଯିଏ ବ୍ୟବସ୍ଥା ଅପରିବର୍ତ୍ତିତ ଥାଇ ସେ ଭିତରେ ନିଜ ଲାଗି ଜାଗାଟିଏ ଲାଗି ଚେଷ୍ଟା କରୁଥାଏ ଓ ଅନ୍ୟଟି ବିଦ୍ରୋହମୂଳକ ଯାହା ପୁରୁଣା ବ୍ୟବସ୍ଥାକୁ ଭାଙ୍ଗି ଏକ ନୂଆ ବ୍ୟବସ୍ଥା ଲାଗି ସଂଘର୍ଷକୁ ଗୁରୁତ୍ୱ ଦିଏ । ଏକଥା ପର୍ଯ୍ୟାୟକ୍ରମେ ଘଟିଥାଏ । ମଣିଷ ମୂଳରୁ ବିଦ୍ରୋହ, ପ୍ରତିରୋଧର କାମ କି ସାହିତ୍ୟ ଆରମ୍ଭ କରେ ନାହିଁ । ଦଳିତସାହିତ୍ୟ ପ୍ରଥମେ ନିଜ ସ୍ଥିତି ବର୍ଣ୍ଣନରୁ, ବ୍ୟବସ୍ଥାରେ ସଂସ୍କାରର ଆଗ୍ରହରୁ ସମୟ ଓ ପର୍ଯ୍ୟାୟକ୍ରମେ ପ୍ରତିବାଦ, ପ୍ରତିରୋଧ ଓ ବିଦ୍ରୋହ ଆଡ଼କୁ ଯାଇଛି । ଅନ୍ୟ ଅର୍ଥରେ କୁହାଯାଇପାରେ ଦଳିତ ଆନେ୍ଦାଳନ ଓ ଦଳିତ ସାହିତ୍ୟ ସମପର୍ଯ୍ୟାୟବାଚୀ ବା ସମାନ୍ତରାଳ ଭାବେ ଆଗକୁ ବଢ଼ିଛି । ଏଠି ଏକ ପ୍ରଶ୍ନ ଆସିବ ଦଳିତ ସାହିତ୍ୟର ପରିସରଟି କେତେ ସୀମିତ ବା କେତେ ବ୍ୟାପକ? କେବଳ କଣ ଜାତିବାଦୀ ବ୍ୟବସ୍ଥାର ଶୋଷଣକୁ ଏହା ଉପଜୀବ୍ୟ କରିବ? ନା ସେ ନିଶ୍ଚୟ ଜାତିଗତ ଶୋଷଣ ସହ ଶ୍ରେଣୀ ଶୋଷଣର କଥା ବି ଲେଖିବ ।
ଅବଶ୍ୟ ଯେତେବେଳେ ସେ ଶ୍ରେଣୀଶୋଷଣର କଥା କହିବ, ତାର ଭାଷା ଓ ଅବତାରଣା ଅଲଗା ହେବ । ଦଳିତ ଚେତନାସମ୍ବଳିତ ସାହିତ୍ୟ ହିଁ ଦଳିତ ସାହିତ୍ୟ କହିଲେ ବି ଦଳିତ ସାହିତ୍ୟର କାନଭାସ ସାନ ହେଇଯିବ ନାହିଁ । ଦଳିତ କ’ଣ କେବଳ ନିଜ ସ୍ଥିତି, ଦଶା, ନିଜେ ଜାତି ବ୍ୟବସ୍ଥା ଦୃଷ୍ଟିରୁ ସାମ୍ନା କରୁଥିବା ଦ୍ୱନ୍ଦ୍ୱ ସଂଘାତର କଥା କହିବ? ନିଜକୁ ନେଇ ରହିଥିବା ସ୍ୱପ୍ନ ଓ ସମ୍ଭାବନାର କଥା ଲେଖିବ? ଦଳିତ ବୃହତର ସମାଜରେ ଶୋଷିତ ଓ ଅପମାନିତ ନିଶ୍ଚେ କିନ୍ତୁ ସେ ସେଥିରୁ ବିଛିନ୍ନ ନୁହଁ । ତା’ର ଏକ ଅବହେଳିତ ଉପେକ୍ଷିତ ଅଂଶ । ସେ ବଂଚୁଥିବା ସମୟର ରାଜନୈତିକ ଅର୍ଥନୀତି ଓ ବିଶ୍ୱ ପରିସ୍ଥିତିରୁ ଅପ୍ରଭାବିତ ରହିପାରିବ ନାହିଁ ।
ଦଳିତ ସମସ୍ୟା ଭାରତୀୟ ସମାଜର ସମସ୍ୟା । ସମାଜ, ଦେଶ, ରାଜନୀତି, ଅର୍ଥନୀତି, ଦେଶରେ/ ବିଶ୍ୱରେ ଚାଲୁଥିବା ସାମାଜିକ, ସାଂସ୍କୃତିକ ଗତିବିଧି, ଘଟୁଥିବା ରାଜନୈତିକ-ଆର୍ଥିକ ପରିବର୍ତ୍ତନ, ପୁଂଜିବାଦୀ-ସାମ୍ରାଜ୍ୟବାଦୀ ଆକ୍ରମଣ, ଜଗତୀକରଣ,ଜୀବନ,ଜୀବିକା, ଜମି ଆନ୍ଦୋଳନ ଓ ପରିବେଶକୁ ନେଇ ଚାଲୁଥିବା ଜନ ଆନ୍ଦୋଳନ, ଲିଙ୍ଗଗତ ସମାନତାର ଆନ୍ଦୋଳନ, ଅତ୍ୟାଧୁନିକ ପ୍ରଯୁକ୍ତି ଓ ପ୍ରଚଳିତ ବିକାଶ ଓ ସେ ଜନିତ ପ୍ରଭାବ ପରିଣତି ଓ ଏସବୁ ପ୍ରକ୍ରିୟାରେ ସାଥୀ ମଣିଷ, ନାରୀ ଓ ପ୍ରକୃତି ସହ ତାର ସମ୍ପର୍କରେ ଆସୁଥିବା ପରିବର୍ତ୍ତନ ଓ ତା’ପ୍ରତି ତାର ଦୃଷ୍ଟିକୋଣ ମଧ୍ୟ ଦଳିତସାହିତ୍ୟର ପରିସର ଅନ୍ତର୍ଭୁକ୍ତ । ନିଜ ଦଳିତ ସମୁଦାୟ ଭିତରେ ଥିବା ସାଥୀମଣିଷ, ନର-ନାରୀ ସମ୍ପର୍କ, ସମ୍ପତିଗତ ସମୀକରଣକୁ ନେଇ ତାର ଦୃଷ୍ଟିକୋଣ ଏବଂ ନିଜ ସମୁଦାୟ ବାହାରେ ଥିବା ଅନ୍ୟ ଜାତି, ଧର୍ମ, ସମୁଦାୟ, ସଂଖ୍ୟାଲଘୁ ତଥା ନାରୀ ପ୍ରତି ତାର ବିଚାର, ଦୃଷ୍ଟି, ସେମାନଙ୍କ ସହ ସମ୍ପର୍କ, ସଂଳାପ ଓ ସମନ୍ୱୟର ଚରିତ୍ର ମଧ୍ୟ ଦଳିତ ସାହିତ୍ୟର ପରିସରଭୁକ୍ତ ।
ନିଜ କଳ୍ପିତ ବା ସମ୍ଭାବ୍ୟ ଉନ୍ନତ ସମାଜ, ଦେଶ ଓ ପୃଥିବୀରେ ନିଜ ଓ ଅନ୍ୟମାନଙ୍କର ସ୍ଥାନ ସମ୍ବନ୍ଧିତ ‘ଦୃଷ୍ଟି’ ଏପରିକି ମଣିଷ ଓ ପ୍ରକୃତିର ଅନ୍ତଃସମ୍ପର୍କ ନେଇ ବିଚାର ମଧ୍ୟ ଦଳିତ ସାହିତ୍ୟର ପରିସରଭୁକ୍ତ । ଠିକ୍ ସେମିତି ଆଗରୁ ଚାଲି ଆସିଥିବା ଓ ଏବେ ଚାଲୁଥିବା ଶ୍ରେଣୀ ସଂଘର୍ଷ ପ୍ରତି ତା’ର ଦୃଷ୍ଟିକୋଣ ମଧ୍ୟ ଦଳିତ ସାହିତ୍ୟର ପରିସରରେ ଯିବ । ଆଜିର ସମୟରେ ପରିବର୍ତ୍ତିତ ଜାତିବାଦୀ ଶୋଷଣ ଓ ଅପମାନର ସୂକ୍ଷ୍ମ ରୂପ ବି ଦଳିତ ସାହିତ୍ୟର ପରିସର । ଭାରତରେ ଦଳିତ ରାଜନୀତିର କ୍ରମବିକାଶର ଇତିହାସ ଓ ବର୍ତ୍ତମାନ ମଧ୍ୟ ଦଳିତ ସାହିତ୍ୟର ପରିସରଭୁକ୍ତ । ଦଳିତ ସର୍ବାଗ୍ରେ ଏକ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ମଣିଷ । ସେ ସର୍ବାଗ୍ରେ ମଣିଷ ହେଲେ ବି ବାକିମାନଙ୍କଠୁ ନିଆରା । ଆଜିର ଦଳିତ ଚତୁଃବର୍ଣ୍ଣ ବ୍ୟବସ୍ଥା ତାକୁ ଦେଇଥିବା କିଛି ନିର୍ଦ୍ଦିଷ୍ଟ ପେଶା ବାହାରେ ଥିବା ଅନେକ ପେଶାକୁ ଜୀବନ ଓ ଜୀବିକା କରିସାରିଛି ।
ସେ ଜନିତ ଅନୁଭବ ବି ଦଳିତ ସାହିତ୍ୟ ଭିତରକୁ ଆସିବ । ସେ କେବଳ ଉପର ତିନିବର୍ଗକୁ ସେବା ଯୋଗାଉଥିବା ଦାୟିତ୍ୱ ଭିତରେ ଆଜି ବନ୍ଧା ହେଇ ନାହିଁ । ସହରୀ ଦଳିତ ଓ ଗ୍ରାମୀଣ ଦଳିତ ଭିତରେ ବି ରହିଛି ଅନେକ ପ୍ରଭେଦ । ତେଣୁ ସେସବୁ ବା ସେଇ ବିଭିନ୍ନ ବର୍ଗରେ ଆସୁଥିବା ଦଳିତ ଯେତେବେଳେ ସ୍ୱଅନୁଭୂତି ଓ ବିଚାର ତଥା ଦୃଷ୍ଟିକୋଣକୁ ନେଇ କଲମ ଧରିବ ସେତେବେଳେ ଯେଉଁ ସାହିତ୍ୟ ସୃଷ୍ଟି ହେବ, ସେ ହେବ ଦଳିତ ସାହିତ୍ୟ । ଆଜି ଶିକ୍ଷିତ ଦଳିତବର୍ଗଟି ଭିତରୁ କିଛିଜଣ ଦଳିତ ଚେତନାକୁ ନେଇ ସାହିତ୍ୟ କରୁଛନ୍ତି । ସେମାନେ ନିଜ ଅନୁଭବ ସହ ଦଳିତ ସମୁଦାୟ ଭୋଗୁଥିବା ଜୀବନକୁ ନେଇ ଲେଖିବା ସହ ଏ ସମାଜ, ଦେଶ, ଦୁନିଆରେ ଘଟୁଥିବା ଘଟଣା ଓ ପ୍ରକ୍ରିୟାକୁ ନେଇ ନିଜର ବକ୍ତବ୍ୟ ରଖୁଛି ।
ଅଣଦଳିତର ଦଳିତ ସମ୍ବନ୍ଧିତ ସାହିତ୍ୟ
ଜଣେ ସାହିତି୍ୟକ ଏଠି ଜଣେ ପ୍ରଶ୍ନ କରିପାରେ ଜନ୍ମ ଦୃଷ୍ଟିରୁ ଅଣଦଳିତ ଜଣେ ଦଳିତ ଚେତନା ସମ୍ବଳିତ ସାହିତ୍ୟ ଲେଖେ ତାକୁ କ’ଣ କୁହାଯିବ? ଏଠି ଆମେ ଏହାକୁ ଦୁଇ ଭାଗ କରି ଦେଇପାରିବା । ଗୋଟିଏ ହେଲା ସ୍ୱଅନୁଭୂତିର ସାହିତ୍ୟ । ଦଳିତ ଦ୍ୱାରା ଲିଖିତ ଦଳିତ ଚେତନା ସମ୍ବଳିତ ସାହିତ୍ୟ । ମା ପେଟରୁ ବା ଜନ୍ମଗତ କାରଣରୁ ଅବାଂଛିତ ହେବାର ପୀଡ଼ା ଜଣେ ଅଣଦଳିତର ହେଇନପାରେ । ଅନ୍ୟଟି ହେଲା ସହାନୁଭବର ସାହିତ୍ୟ । ଅଣଦଳିତ ଯେତେବେଳେ ଦଳିତଜୀବନକୁ ନେଇ ଲେଖିବ ସେତେବେଳେ ଆମେ କହିବା ଅଣଦଳିତ ଦ୍ୱାରା ଲିଖିତ ଦଳିତ ସମ୍ବନ୍ଧିତ ସାହିତ୍ୟ । ସେ ବି ପ୍ରେମ ଆଧାରିତ ନା ଦୟା ଓ ସହାନୁଭୂତି ଆଧାରିତ ସେ ଏକ ବଡ଼ ପ୍ରଶ୍ନ । ତାପରେ ଆସିବ ପାଠକ ଓ ଆଲୋଚକମାନଙ୍କ ଭୂମିକା । ସେମାନେ ଏ ଦୁଇ ସାହିତ୍ୟ ଭିତରେ ଥିବା ସମାନତା, ପାର୍ଥକ୍ୟ ଓ ବୈଶିଷ୍ଟ୍ୟକୁ ପରଖିବେ । ସେ ଭିତରେ ଥିବା ସ୍ୱାତନ୍ତ୍ର୍ୟକୁ ଚାଖିବେ । ତାଙ୍କ ଭିତରେ ସୋନ୍ଦର୍ଯ୍ୟଶାସ୍ତ୍ର ଓ ନାନ୍ଦନିକତାକୁ ନେଇ ରହିଥିବା ପାର୍ଥକ୍ୟକୁ ଦେଖିବେ ।
ବିଚାର,ଦୃଷ୍ଟିକୋଣ,ଭାଷା ଓ ଅବତାରଣା ଶୈଳୀରେ ରହିଥିବା ସ୍ୱାତନ୍ତ୍ର୍ୟକୁ ପରଖିବେ । କେବଳ ଗୋଟିଏ କଥା ଆମେ ମନେରଖିବା ଯେ ଆମେ କଟ୍ଟରପନ୍ଥୀଙ୍କ ପରି ଅଗଣତାନ୍ତ୍ରିକ ଦାବୀ କରିବା ନାହିଁ ଯେ ଦଳିତମାନେ ହିଁ ଦଳିତମାନଙ୍କ ଜନଜୀବନ ବାବଦରେ ଲେଖିପାରିବେ । ବାକିମାନଙ୍କର ଲେଖିବାର ଅଧିକାର ନାହିଁ । ଏଭଳି ଦାବୀ କରୁଥିବା ଲୋକ ଉଭୟ ସାହିତ୍ୟ,ସମାଜ ଓ ବିଶେଷ ଭାବରେ ଦଳିତସାହିତ୍ୟର କ୍ଷତି ହିଁ କରିବ । ଦଳିତଟିଏର ଜୀବନ ଜିଜିବୀଷା ବାବଦରେ ଅନ୍ତରଙ୍ଗ ରୂପେ ଜାଣିବା ବୁଝିବା ଅନୁଭବିବା ଓ ତାକୁ ସାହିତି୍ୟକ ରୂପ ଦେବା ଲାଗି ଆମେ ଅଣଦଳିତଟିଏକୁ କାହିଁକି ମନା କରିବା । ଆମେ କ’ଣ ଦଳିତ ଅଣଦଳିତଙ୍କ ଭିତରେ ହେବାକୁ ଥିବା ସାହିତ୍ୟିକ ସମ୍ପର୍କ, ସଂଳାପ ଓ ସମନ୍ୱୟର ବାଟ ବା ସମ୍ଭାବନାର ପଥ ରୁନ୍ଧିଦେବା ଠିକ୍ ହେବ? ଆମେ କ’ଣ ଭାବୁଛୁ ଅଣଦଳିତ ଭିତରେ ଦଳିତ ଜୀବନକୁ ବୁଝିବା ଅନୁଭବିବା ମୋଟେ ସମ୍ଭବ ହେବନାହିଁ? ଏ ପ୍ରଶ୍ନର ଉତ୍ତରରେ ହଁ କହିଲେ ମାନବୀୟ ଉତ୍ତରଣର ସବୁ ସମ୍ଭାବନା ସଙ୍କୁଚିତ ହେଇଯିବ । ଅବଶ୍ୟ ଏକଥା କହିପାରିବା ଯେ ଅଣଦଳିତର ସାହିତ୍ୟ ଲିଖନ ବା ଦଳିତ ଜୀବନକୁ ବୁଝିବାର ଆଗ୍ରହ ପଛର ମୂଳ ପ୍ରେରଣାଟି ଦୟା ବଦଳରେ ପ୍ରେମ ହେବା ଜରୁରୀ ।
ଗୋଟିଏ କଥା ବାବଦରେ ସ୍ପଷ୍ଟ ହେବା ଜରୁରୀ, ସେ ହେଲା ଜାତି ଉନ୍ମୁଳନ ଓ ଜାତି ସମାନତା ଭିତରେ ରହିଥିବା ତଫାତ । ଆମେ କେବଳ ସାହିତ୍ୟ ପାଇଁ ସାହିତ୍ୟ କଥା ଭାବିବା ନାହିଁ । ସାହିତ୍ୟକୁ ସମାଜ ପରିବର୍ତ୍ତନ, ହୃଦୟ ପରିବର୍ତ୍ତନ ସହ, ବ୍ୟକ୍ତିର ପରିବର୍ତ୍ତନ ସହ ଯୋଡ଼ିବା । ସ୍ପୃଶ୍ୟ ଜାତି ହିନ୍ଦୁସମାଜ ଜାତି ବ୍ୟବସ୍ଥାର ପରିବର୍ତ୍ତନକୁ ନେଇ ଉଦାସୀନ ରହିବ ଓ ନିଜକୁ ବଦଳେଇବାକୁ ମନା କରିଦେବ, ତେବେ ଜାତିକୁ ନେଇ ଚାଲିଥିବା ବିସମତା ଓ ଅପରାଧମୂଳକ ଗତିବିଧି ଅତି ସୂକ୍ଷ୍ମ ରୂପରେ ତିଷ୍ଠି ରହିବ । ସ୍ପୃଶ୍ୟ ଜାତି ହିନ୍ଦୁସମାଜ ତା’ର ପୁରୁଣା ମୂଲ୍ୟବୋଧଗୁଡ଼ିକ ଜାବୁଡ଼ି ଧରି ରଖିବା ଆମ ଲାଗି ଶୁଭଙ୍କର ନୁହଁ ।
ସେ ଦୃଷ୍ଟିରୁ ଦଳିତ ସାହିତ୍ୟ, ସାହିତ୍ୟିକ ଓ ଆଲୋଚକ ତଥା ପରିବର୍ତ୍ତନକାମୀ ସାମାଜିକ-ରାଜନୈତିକ କର୍ମୀମାନେ ଦଳିତଙ୍କ ଭିତରେ ବ୍ୟବସ୍ଥା ବିରୋଧୀ ସଂଘର୍ଷ ଚେତନାକୁ ଯେତିକି ଶାଣ ଦେବା କଥା ଓ ବ୍ୟାପକ କରିବା ଦରକାର, ଅଣଦଳିତଙ୍କ ହୃଦୟ ପରିବର୍ତ୍ତନ ଲାଗି ମଧ୍ୟ ସେତିକ ତତ୍ପର ରହିବା ଆବଶ୍ୟକ । ଦଳିତଙ୍କ ପରିସ୍ଥିତିରେ ପରିବର୍ତ୍ତନ ସହ ଭାରତୀୟ ସମାଜର ଉନ୍ନତି ଓ ଅଗ୍ରଗତି ଅଙ୍ଗାଙ୍ଗୀ ରୂପେ ଜଡ଼ିତ, ଦଳିତଙ୍କ ମୁକ୍ତି ଭିତରେ ଅଣଦଳିତଙ୍କ ମୁକ୍ତି ନିହିତ; ଏ ଦୁଇଟି କଥା ଅଣଦଳିତମାନେ ମଧ୍ୟ ବୁଝିବା ଜରୁରୀ । ସେ ବୁଝିବା ପରିପ୍ରେକ୍ଷୀରେ ଓ ଦଳିତ ଏବଂ ଅଣଦଳିତ ଲେଖକଙ୍କ ଭିତରେ ସମ୍ପର୍କ, ସଂଳାପ ଓ ବିମର୍ଶ ଦୃଷ୍ଟିରୁ ଅଣଦଳିତ-ମାନଙ୍କ ଦଳିତ ସମ୍ବନ୍ଧିତ ପରିବର୍ତ୍ତନକାମୀ ସାହିତ୍ୟ ଲେଖାକୁ ସାଦରେ ଆଲଙ୍ଗି ନେବା ଓ ସେଥିରେ କ’ଣ ଦୋଷ, ଦୁର୍ବଳତା ଓ ବୈଶିଷ୍ଟ୍ୟ ଅଛି ତାର ଆଲୋଚନା କରିବା । ଲିଖନର କାମ ସମାଜ ଭିତରେ ସଂଳାପ ଓ ବିମର୍ଶ ତିଆରି କରେ । ପର ସହ ଭାବ ବିନିମୟ କରିବାର ପଥ ପରିହାର କରି ଦଳିତସମାଜ ଯଦି ଲଢୁଆ ଓ ଆକ୍ରାମକ ହୁଏ; ତେବେ ସ୍ପୃଶ୍ୟ ଜାତି ହିନ୍ଦୁସମାଜର ଚେତା ପଶିବ ଏ ଗୋଟିଏ ବାଟ । ଅନ୍ୟଟି ହେଲା ‘ପର’ ସହ ଭାବ ବିନିମୟର ଓ ସେ ବାଟ ଦେଇ ତା’ର ଜାତିବାଦୀ ମୂଲ୍ୟବୋଧରେ ପରିବର୍ତ୍ତନ ଆଣିବା । ଏ ପରିପ୍ରେକ୍ଷୀରେ ଆମକୁ ଏକା ସାଙ୍ଗରେ ଫୁଲେ, ପେରିଆର, ଆମ୍ବେଦକର,ମାର୍କ୍ସ ଓ ଗାନ୍ଧୀଙ୍କ ବିଚାର ଓ ରଣନୀତିକୁ କାମରେ ଲଗେଇବାକୁ ହେବ ।
ସ୍ୱଅନୁଭୂତି ଓ ସହାନୁଭବର ସାହିତ୍ୟ ଭିତରେ ଥିବା ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟକୁ ଅନୁଭବିବା, ପରଖିବା,ଚାଖିବା କାମଟି ପାଠକକୁ ଛାଡ଼ିଦେବା । ସେ କାମ ଆଲୋଚକ ଓ ସମାଲୋଚକଙ୍କୁ ଛାଡ଼ିଦେବା । ଏଠି କୋଉଟା ଉକ୍ରୃଷ୍ଟ କଥା ନ ଉଠେଇ ଆମେ ତା’ ଭିତରେ ଥିବା ସ୍ୱାତନ୍ତ୍ର୍ୟକୁ ଚାଖିବା ଠିକ୍ ହେବ ।
ତୁଳନାତ୍ମକ ଅଧ୍ୟୟନର ଆବଶ୍ୟକତା
ଆମେ ପ୍ରେମଚାନ୍ଦ ଓ ଫକୀରମୋହନଙ୍କ ଲେଖା ସହ ତାଙ୍କ ସମୟର ଓ ତାଙ୍କ ପରେ ଜନ୍ମ ଦୃଷ୍ଟିରୁ ଦଳିତ ଲେଖକଙ୍କ ଦ୍ୱାରା ସୃଷ୍ଟ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ କରିବା । ଆମେ ଓଡ଼ିଶାରେ ଆଶୁତୋଷ ପରିଡ଼ାଙ୍କ ଚାଣ୍ଡାଲ ଓ ଦଳିତ ଜୀବନକୁ ନେଇ ଲିଖିତ କବିତାଗୁଡ଼ିକ ସହ ବାସୁଦେବ ସୁନାନୀ, ପୀତାମ୍ବର ତରାଇ, ଅଖିଳ ନାୟକ, ସମୀର ରଂଜନ, ଜୟଦ୍ରଥ ସୁନାଙ୍କ କବିତା ଭିତରେ ତୁଳନାତ୍ମକ ଅଧ୍ୟୟନ କରିବା । ଆମେ ଗୋପୀ ମହାନ୍ତିଙ୍କ ହରିଜନ, କାହ୍ନୁଚରଣ ମହାନ୍ତିଙ୍କ ଶାସ୍ତି ସହ ଅଖିଳ ନାୟକଙ୍କ ଲିଖିତ ‘ଭେଦ’ ଉପନ୍ୟାସର ତୁଳନାତ୍ମକ ଅଧ୍ୟୟନ କରିପାରିବା । ଆମେ କୁମାର ହସନ୍ଙ୍କ ଦଳିତ ଜୀବନ ସମ୍ବନ୍ଧିତ ସାହିତ୍ୟ ସହ ବାସୁ ସୁନାନୀଙ୍କ କବିତାର ତୁଳନାତ୍ମକ ଅଧ୍ୟୟନ କରିପାରିବା । ଖଗେଶ୍ୱର ସେଠଙ୍କ ସାହିତ୍ୟ ସହ ଗଙ୍ଗାଧରଙ୍କ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ହେଇପାରେ ।
ଏପରିକି ଖଗେଶ୍ୱର ସେଠ ଓ ହଳଧର ନାଗଙ୍କ କବିତା ଭିତରେ ରହିଥିବା ବୈଚାରିକ ଫରକକୁ ନେଇ ଅଧ୍ୟୟନ କରିପାରିବା । ସଚ୍ଚି ରାଉତରାଙ୍କ ଗଳ୍ପ ସହ ସମୀର ରଂଜନଙ୍କ ଗପର,ଫକୀରମୋହନଙ୍କ ଗଦ୍ୟ ସହ ସଂଜୟ ବାଗଙ୍କ ଗଦ୍ୟର ତୁଳନାତ୍ମକ ଅଧ୍ୟୟନ କରିପାରିବା । ସତ୍ୟାନନ୍ଦ ଭୋଇ ଓ ହେମନ୍ତ ଦଳପତି ପରି କିଛି ଆଦିବାସୀ ଯୁବକ ଲେଖୁଥିବା କବିତା ସହ ବି ଦଳିତ କବିତାର ତୁଳନାତ୍ମକ ଅଧ୍ୟୟନ ହେଇପାରିବ । ଠିକ୍ ସେମିତି ଅନ୍ୟ ରାଜ୍ୟରେ ଲିଖିତ ଦଳିତ ସାହିତ୍ୟ ସହ ଆମ ରାଜ୍ୟରେ ରଚିତ ଦଳିତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ କରିପାରିବା ।
ପଂଚ ସଖା, ଭୀମ ଭୋଇଙ୍କ ସମୟ ଓ ସାହିତ୍ୟ ସହ ବର୍ତ୍ତମାନ ଓଡ଼ିଶାରେ ଲେଖା ଯାଉଥିବା ଉଭୟ ଦଳିତ ଓ ଅଣଦଳିତଙ୍କ ଦ୍ୱାରା ଲିଖିତ ‘ଦଳିତ ସମ୍ବନ୍ଧିତ ସାହିତ୍ୟ’କୁ ନେଇ ଗବେଷଣା କରିପାରିବା । ନାରୀକୁ ନେଇ ବିଚାର ଓ ତା’ପ୍ରତି ଦୃଷ୍ଟିକୋଣକୁ ନେଇ ନାରୀବାଦୀ ଲେଖାଗୁଡ଼ିକ ସହ ଦଳିତ ସାହିତ୍ୟରେ ନାରୀର ସ୍ଥିତିକୁ ନେଇ ତୁଳନାତ୍ମକ ଅଧ୍ୟୟନ କରିପାରିବା । ଦଳିତ ସାହିତ୍ୟ ଓ ବ୍ରାହ୍ମଣବାଦୀ ସାହିତ୍ୟ ଭିତରେ ରହିଥିବା ପାର୍ଥକ୍ୟକୁ ନେଇ ଅଧ୍ୟୟନ ହେବା ଦରକାର । ରେସଗତ ବିସମତାକୁ ନେଇ ଅନ୍ୟ ଦେଶରେ ଲିଖିତ କଳା ଲୋକଙ୍କ ସାହିତ୍ୟ ସହ ଭାରତୀୟ ଦଳିତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ହେବା ଜରୁରୀ । କେବଳ ଶ୍ରେଣୀ ଚେତନାକୁ ନେଇ ଲିଖିତ ମାର୍କ୍ସବାଦୀ ସାହିତ୍ୟ ସହ ଦଳିତ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ହେବା ଜରୁରୀ । ଏପରି ଏକ ସମୟଥିଲା ଜନ୍ମରେ ଦଳିତ ହେଇଥିବା କବି ବିଚିତ୍ରାନନ୍ଦ ନାୟକ ମାର୍କ୍ସବାଦୀ ଶ୍ରେଣୀ ଚେତନାର କବିତା ଲେଖିଛନ୍ତି । ପ୍ରତି ଲେଖକ ଓ କବିକୁ ତା ନିଜ ସମୟ ସହ ଯୋଡ଼ିକି ଦେଖିବା ଦରକାର । ଦୁର୍ଭାଗ୍ୟକୁ ଆମର ଅଧିକାଂଶ ସାହିତ୍ୟ ଆଲୋଚନା ନିନ୍ଦା ଓ ପ୍ରଶଂସା ଭିତରେ ସୀମିତ । ଗମ୍ଭୀର ଆଲୋଚନା ବା ତୁଳନାତ୍ମକ ଅଧ୍ୟୟନର ଅଧ୍ୟବସାୟୀ କାମ ବହୁତ କମ । ଆଗକୁ ସେ ରକମର ଗବେଷଣାମୂଳକ କାମର ଆଶା ରଖାଯାଉ।
Photo Credit- https://bit.ly/3lVkCKp
Comments
0 comments