ସାଧାରଣ ବଜେଟ ଏବଂ ଅସମାନତାର ମହାମାରୀ

7 Min Read

ଗତ ଫେବୃଆରୀ ୧ ତାରିଖରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନ କଲେ । ବଜେଟରେ ସରକାରୀ ନୀତି, ରାଜସ୍ୱର ଉତ୍ସ ଏବଂ ଆଗାମୀ ଆର୍ଥିକ ବର୍ଷପାଇଁ ଖର୍ଚ୍ଚ କରାଯିବାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । କରୋନା ମହାମାରୀ ଏବଂ ଲକଡାଉନ୍ ପରେ ଏହି ବଜେଟର ଗୁରୁତ୍ୱ ରହିଛି ।

ଭାରତର ଆର୍ଥିକ ଅଭିବୃଦ୍ଧିକୁ ବିଶ୍ଲେଷଣ କରିବାର ସର୍ବୋତ୍ତମ ଉପାୟ ହେଉଛି ପ୍ରତିବର୍ଷ ଆମର ସାଧାରଣ ବଜେଟ । ଏହାର ଉଦ୍ଦେଶ୍ୟ ସନ୍ତୁଳିତ ବିକାଶ ମାଧ୍ୟମରେ ମୂଲ୍ୟକୁ ନିୟନ୍ତ୍ରଣ କରି ଆର୍ଥିକ ଅସମାନତା ହ୍ରାସ କରିବା । ପ୍ରଭାବଶାଳୀ ନୀତି ମାଧ୍ୟମରେ ସମସ୍ତ ବର୍ଗକୁ ସମ୍ବଳର ଉପଯୁକ୍ତ ଆବଣ୍ଟନ କରି ଅଧିକରୁ ଅଧିକ ଲୋକଙ୍କୁ ଲାଭାନ୍ୱିତ କରିବା । ଯେତେବେଳେ ବଜେଟ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ, ଆଗାମୀ ସମୟରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ଦେଶରେ ବଢ଼ୁଥିବା ଆର୍ଥିକ ଅସମାନତା ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି! ଏହା ଏକ ‘ଛାୟା ମହାମାରୀ’ ହୋଇଯାଇଛି! କରୋନା ଭୂତାଣୁକୁ ଆରମ୍ଭରେ ସମାନତା ବୋଲି ବିବେଚନା କରାଯାଇଥିଲା, କିନ୍ତୁ ଲକଡ଼ାଉନ୍ ଲାଗିବା ପରେ ଏହା ସମାଜରେ ଅସମାନତା ଆହୁରି ବୃଦ୍ଧି କଲା । ଧନୀ ଏବଂ ଗରିବଙ୍କ ମଧ୍ୟରେ ଅର୍ଥନୈତିକ ବ୍ୟବଧାନ କରୋନା ପରି ମାରାତ୍ମକ ହୋଇଯାଉଛି ।

ଏହି ବଜେଟରେ ଦେଶରେ ଆର୍ଥିକ ଅସମାନତାର ବୃଦ୍ଧିକୁ ଦୂର କରିବା ଦିଗରେ ଆବଶ୍ୟକ ପାଣ୍ଠିର ଯୋଗାଡ଼ ପାଇଁ ଅତି ଧନୀକ ଶ୍ରେଣୀ, କର୍ପୋରେଟ ଓ ପୁଞ୍ଜିପତିଙ୍କ ଉପରେ ଆବଶ୍ୟକ ଟିକସ ଧାର୍ଯ୍ୟ କରିବା ପାଇଁ ଏକ ସୁଯୋଗ ଥିଲା । କିନ୍ତୁ ସରକାର ସେମିତି କିଛି ଆଖିଦୃଶିଆ ପ୍ରୟାସ ୟେ ଦିଗରେ କରିନାହାନ୍ତି!

କୋଭିଡ଼-୧୯ ସଙ୍କଟ ସମୟରେ ସବୁଠାରୁ ଧନୀ ବ୍ୟକ୍ତି ଏବଂ ବଡ଼ କର୍ପୋରେଟ ଉପରେ ଟିକସ ଧାର୍ଯ୍ୟ କରିବାର ଆବଶ୍ୟକତା ଅଛି । ଏହାର କାରଣ ହେଉଛି ବର୍ତ୍ତମାନର ଟିକସ ରାଜସ୍ୱର ୫୦ପ୍ରତିଶତ ପରୋକ୍ଷ ଟିକସରୁ ଆସିଛି, ଯାହା ସମଗ୍ର ଜନସାଧାରଣଙ୍କ ଦ୍ୱାରା ଯୋଗଦାନ କରାଯାଏ । ଗୋଟିଏ ଆକଳନ ଦର୍ଶାଉଛି ଯେ ମହାମାରୀ ସମୟରେ ଯଦି ଭାରତର ଶ୍ରେଷ୍ଠ ୧୧ ଆରବପତିଙ୍କ ଉପରେ ମାତ୍ର ଏକ ପ୍ରତିଶତ ଟିକସ କରାଯାଏ, ତେବେ ସରକାର ପାଞ୍ଚବର୍ଷ ପାଇଁ ଦେଶର ନଅ ଲକ୍ଷ ଆଶାକର୍ମୀଙ୍କ ମଜୁରୀ ପ୍ରଦାନ କରିପାରିବେ । ଆଶା କର୍ମୀମାନେ ଦିନରେ ୧୪ଘଣ୍ଟା କାମ କରିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ପ୍ରତି ମାସରେ ମାତ୍ର ୧୦୦୦ ଟଙ୍କା ଦିଆଯାଉଛି । ଅଙ୍ଗନୱାଡ଼ି ଏବଂ ଆଶାକର୍ମୀମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଏବଂ ବୀମା ସୁନିଶ୍ଚିତ କରିବା ପାଇଁ ବଜେଟ ପାଣ୍ଠି ଆବଣ୍ଟନ କରିବାରେ ବିଫଳ ହୋଇଛି ।

ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ଦୁର୍ବଳ ବର୍ଗକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ଖର୍ଚ୍ଚ ହ୍ରାସ କରିବା ଉଚିତ୍ ନୁହେଁ । ଉଦାହରଣସ୍ୱରୂପ ଦେଶରେ ବେକାରି ସମସ୍ୟା ଭୟଙ୍କର ରୂପ ଧାରଣ କରିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (ମନରେଗା)ପାଇଁ ବଜେଟରେ ଅର୍ଥକାଟ୍ କରାଯାଇଛି । ବିଶେଷକରି ମହଙ୍ଗା ଦରକୁ ନେଇ ଗ୍ରାମାଞ୍ଚଳରେ ଲୋକମାନେ ଦୁର୍ଦ୍ଦିନ ଦେଇ ଗତି କରୁଥିବାବେଳେ ସେମାନଙ୍କ ପାଇଁ ରୋଜଗାର ଓ ଆୟର ପ୍ରମୁଖ ସୂତ୍ର ସାଜିଥିବା ମନରେଗାକୁ ଅର୍ଥବଣ୍ଟନରେ ୯୫୦୦ କୋଟି ଟଙ୍କା କମ୍ କରାଯାଇଛି । ଗତ ଆର୍ଥିକବର୍ଷରେ ଏହି ସ୍କିମ୍ ପାଇଁ ୭୧ ହଜାର ଶହେ କୋଟି ଟଙ୍କାର ରେକର୍ଡ଼ ପରିମାଣର ଅର୍ଥ ବରାଦ କରାଯାଇଥିଲା । କିନ୍ତୁ ଏଥର ଏହି ପରିମାଣ ୬୧ହଜାର ୬୦୦ କୋଟିକୁ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ଦର୍ଶାଉଛି ଯେ ଆମ ଦେଶର ଆର୍ଥିକ ଅବସ୍ଥା କେତେ ଖରାପ । ଉତ୍ପାଦନ କମିଛି, ଲୋକ ନିଯୁକ୍ତି ହରାଇଛନ୍ତି, ବେକାରୀ ବଢ଼ି ଚାଲିଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ ଓ ମଧ୍ୟବିତ୍ତ । ଦରଦାମ ବୃଦ୍ଧିଯୋଗୁଁ ଗ୍ରାମାଞ୍ଚଳରେ ଲୋକେ ଖାଇବା ଉପରେ ଖର୍ଚ୍ଚ କମାଇ ଦେଇଛନ୍ତି । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜବୁତ କରିବାକୁ ହେଲେ ନିଯୁକ୍ତି କାର୍ଯ୍ୟକ୍ରମରେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ସହରୀ ଅଂଚଳରେ ମଧ୍ୟ ଏପରି ଯୋଜନାର ଆବଶ୍ୟକତା ଅଛି । ତଥ୍ୟ ଦର୍ଶାଉଛି ଯେ ସହରୀ ଅଞ୍ଚଳରେ ବସ୍ତିରେ ରହୁଥିବା ଲୋକମାନେ ଗ୍ରାମାଞ୍ଚଳ ଲୋକମାନଙ୍କ ଅପେକ୍ଷା ଅଧିକ କଷ୍ଟରେ ଅଛନ୍ତି । ତେବେ ପ୍ରବାସୀଶ୍ରମିକ ଏବଂ ଜିଆଇଜି ଶ୍ରମିକମାନଙ୍କ ପାଇଁ ଇଏସଆଇସି ମାଧ୍ୟମରେ ସାମାଜିକ ସୁରକ୍ଷା ସହିତ ସ୍ୱାସ୍ଥ୍ୟ, ଆବାସ, ଦକ୍ଷତା ଏବଂ ବୀମାକୁ ଟ୍ରାକ୍ କରିବା ପାଇଁ ଏକ ପୋର୍ଟାଲ ବିକଶିତ କରାଯିବ ଯାହା ସାରା ଭାରତରେ ୧୫ କୋଟି ଶ୍ରମିକଙ୍କୁ ଲାଭାନ୍ୱିତ କରିବ । ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ନୀତି ମଧ୍ୟ ଏକ ଭଲ ପ୍ରୟାସ । ଏହା ଶ୍ରମିକମାନଙ୍କ ଶୋଷଣ ବନ୍ଦ କରିବ ବୋଲି ଆଶା କରାଯାଏ ।

ଚଳିତବର୍ଷ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଁ ଆବଣ୍ଟିତ ମୋଟ ବଜେଟ ୨,୮୬୯.୯୩ କୋଟି ଟଙ୍କା ଥିଲା ଯାହା ଗତବର୍ଷ ଏହା ୩,୧୦୦ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି ଯେ ଅନେକ ପରିବେଶ ସୁରକ୍ଷାଜନିତ ପଦକ୍ଷେପକୁ ଧୀର କରିବ କିମ୍ବା ବନ୍ଦ କରିଦେବ! ପୂର୍ବ ବଜେଟରେ ସରକାର ସ୍ୱଚ୍ଛ ବାୟୁ ପାଇଁ ୪,୪୦୦ କୋଟି ଟଙ୍କା ଘୋଷଣା କରିଥିଲେ, କିନ୍ତୁଏହି ପାଣ୍ଠି କିପରି ବ୍ୟବହାର କରାଯାଇଥିଲା, ସେ ବିଷୟରେ ସାର୍ବଜନୀନ ପ୍ଲାଟଫର୍ମ ଉପରେ କୌଣସି ସୂଚନା ନାହିଁ । ଏଥର ବଜେଟରେ ଅଭିବୃଦ୍ଧି ପାଇଁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୫ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । କିନ୍ତୁ ଏହାର ଲାଭ ମିଳିବା ହେବ ସମୟସାପେକ୍ଷ । ଓଡ଼ିଶା ଭଳି ରାଜ୍ୟରେ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ତୁରନ୍ତ ରୋଜଗାର ଆବଶ୍ୟକ । କୃଷକ, ପ୍ରବାସୀ ଓ ଶ୍ରମିକଙ୍କ ପକେଟକୁ ସିଧାସଳଖ ଟଙ୍କା ଯିବା ଆବଶ୍ୟକ ।

ଗତ ଏକବର୍ଷ ଧରି କରୋନା ମହାମାରୀ ସମସ୍ତଙ୍କୁ ପ୍ରଭାବିତ କରିଛି, କିନ୍ତୁ ଏହା ଗରିବମାନଙ୍କୁ ସବୁଠାରୁ ଅଧିକ ଆଘାତ ଦେଇଛି । ଏହି ମହାମାରୀ ହେଉଛି କାହା ପାଇଁ ଏକ ବିପର୍ଯ୍ୟୟ ଓ କାହାପାଇଁ ଅର୍ଥ ଆୟ କରିବାର ସମୟ ଓ ସୁଯୋଗ । ଅକ୍ସଫାମ୍ ସଂସ୍ଥାଙ୍କ ନୂତନ ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ଧନୀ ଆରବପତିଙ୍କ ଧନ ୩୫ ପ୍ରତିଶତ ବୃଦ୍ଧି ପାଇଛି । ଧନୀ ଦେଶମାନଙ୍କ ମଧ୍ୟରେ ଆମେରିକା, ଚୀନ, ଜର୍ମାନୀ, ରୁଷ ଏବଂ ଫ୍ରାନ୍ସରେ ଭାରତର ସ୍ଥାନ ବିଶ୍ୱରେ ଷଷ୍ଠ । ମାର୍ଚ୍ଚ ୨୦୨୦ ଅବଧି ମଧ୍ୟରେ ଭାରତରେ ୧୦୦ ଆରବପତିଙ୍କ ଧନ ୧୨୯୭୮୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ବିଡ଼ମ୍ବନା ଯେ ଗତ ଏପ୍ରିଲମାସ ୨୦୨୦ରେ ପ୍ରତି ଘଣ୍ଟାରେ ୧,୭୦,୦୦୦ ଲୋକ ନିଯୁକ୍ତି ହରାଉଥିଲେ । ନିଯୁକ୍ତି କ୍ଷତି ଏବଂ ଆୟ ହ୍ରାସ ଯୋଗୁଁ ଭୋକ ଏବଂ ଆର୍ଥିକ ସଙ୍କଟ କାରଣରୁ ମାର୍ଚ୍ଚରୁ ଜୁଲାଇ ୨୦୨୦ ମଧ୍ୟରେ ପ୍ରାୟ ୧୬୭ଜଣ ଲୋକ ଆତ୍ମହତ୍ୟା କରିଥିଲେ । ଧନୀ ଏବଂ ଗରିବଙ୍କ ମଧ୍ୟରେ ବିପଜ୍ଜନକ ବିଭାଜନକୁ ଅଣାଦେଖା କରିବାର ମୂଲ୍ୟ ସାଙ୍ଘାତିକ, କାରଣ ଏହା ସାମାଜିକ ଅସ୍ଥିରତାକୁ ବୃଦ୍ଧି କରିବ ।

କରୋନା ମହାମାରୀ କେବଳ ଆୟର ଅସମାନତାକୁ ବୃଦ୍ଧି କରି ନାହିଁ, ବରଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଏକ ପ୍ରମୁଖ କ୍ଷେତ୍ରରେ ମଧ୍ୟ ଦୂରତା ବୃଦ୍ଧି କରିଛି । ଦେଶରେ ଅସମାନତା ଏବଂ ଅନଲାଇନ୍ ଶିକ୍ଷାଦାନ ଶ୍ରେଣୀରେ ଗରିବ ପରିବାର ଏବଂ ବିଶେଷ କରି ଅବହେଳିତ ସାମାଜିକ ଗୋଷ୍ଠୀମାନଙ୍କ ପିଲାମାନଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଇଛି । ସ୍ମାର୍ଟଫୋନ୍ ବା ଆଣ୍ଡ୍ରଏଡ଼୍ ଫୋନରେ ଇଣ୍ଟରନେଟ ବା ଡାଟା କନେକ୍ସନ ମାଧ୍ୟମରେ ଅନଲାଇନ୍ ପାଠପଢ଼ା ·ଲିଛି, କିନ୍ତୁ ଦେଶ ବା ଆମ ରାଜ୍ୟର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା କିମ୍ବା ୩-ଜି, ୪-ଜି, ସୁବିଧା ନାହିଁ କିମ୍ବା ପିଲାମାନଙ୍କର ଡାଟା ଖର୍ଚ୍ଚ ଦେବାପାଇଁ ସାମର୍ଥ୍ୟ ନାହିଁ । ଫଳସ୍ୱରୂପ ସେମାନେ ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଏଭଳି ପିଲାମାନେ ସ୍ମାର୍ଟଫୋନ୍ ଓ ଡାଟାବେସ୍ ଥିବା ପିଲାମାନଙ୍କ ପାଇଁ ହୀନମନ୍ୟତାର ଶିକାର ହୋଇ ଅଧ୍ୟୟନ କ୍ଷେତ୍ରରେ ପଛେଇ ଯାଉଛନ୍ତି । ସେମାନଙ୍କର ମାନସିକ ଚାପ ବା ହତାଶାଭାବ ବୃଦ୍ଧି ପାଇ ମେଧା ପ୍ରଭାବିତ ହେବାର ଆଶାଙ୍କା ରହିଛି । ପୁଣି ଏହାଦ୍ୱାରା ସାମାଜିକ ବୈଷମ୍ୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଞ୍ଚଟି ରାଜ୍ୟରେ ସର୍ବେକ୍ଷଣରେ କୁହାଯାଇଛି ଯେ ସରକାରୀ ବିଦ୍ୟାଳୟରେ ପ୍ରାୟ ୪୦ପ୍ରତିଶତ ଶିକ୍ଷକ ଉଦବେଗ ପ୍ରକାଶ କରୁଛନ୍ତି ଯେ ଏକ-ତୃତୀୟ ଭାଗ ଛାତ୍ରଛାତ୍ରୀ, ସ୍କୁଲକୁ ଫେରି ନ ପାରନ୍ତି କାରଣ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ଥିବାରୁ । ବିଶେଷଜ୍ଞମାନେ ଅନୁମାନ କରନ୍ତି ଯେ ବିଦ୍ୟାଳୟ ଡ୍ରପ୍ ହାର ଏକ ବର୍ଷ ମଧ୍ୟରେ ଦୁଇଗୁଣ ହୋଇପାରେ ।

ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠିର ଆବଶ୍ୟକ । ଏଭଳି ସ୍ଥିତିରେ ଅତି ଧନୀକ ଉପରେ କରୋନା ଟିକସ ଲାଗୁ କରିବା ଆବଶ୍ୟକ । ଭାରତରେ ଅନେକ ଧନୀ ଶ୍ରେଣୀର ଲୋକ ଏବଂ ପ୍ରତିଷ୍ଠିତ କମ୍ପାନୀମାନଙ୍କର ଦେଶର ଏଭଳି ଆପାତକାଳୀନ ସ୍ଥିତିରେ ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ଏହା ସହିତ କୋଭିଡ଼-୧୯ ମହାମାରୀ ବ୍ୟବସ୍ଥାଗତ ଅସମାନତାକୁ ସମାଧାନ କରିବ । ସାମାଜିକ ନ୍ୟାୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଆବଶ୍ୟକ ।

Photo credit-https://bit.ly/3LI8xTd

Comments

0 comments

Share This Article