ତେଲ ପାଇଁ ଆମଦାନୀ ନିର୍ଭରଶୀଳ କେତେ ଅପରିହାର୍ଯ୍ୟ

ସରଳ କୁମାର ଦାସ
ସରଳ କୁମାର ଦାସ199 Views
13 Min Read

ଦେଶରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ଆକ୍ରୋଶ ପ୍ରତ୍ୟହ ବଢ଼ିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି କର ବ୍ୟବସ୍ଥା ବାହାରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟଧିକ ଏକ୍ସାଇଜ୍ ଓ ସେସ୍ ଆଦାୟ ହେବା ସହ ରାଜ୍ୟମାନଙ୍କ ଦ୍ୱାରା ଭାଟ୍ ଆଦାୟ ହେଉଥିବାରୁ ଭାରତରେ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇ ପଡ଼ୋଶୀ ଦେଶ ନେପାଳ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ତୁଳନାରେ ଯଥେଷ୍ଟ ଅଧିକ ହୋଇଛି । ତେବେ ଆନ୍ତର୍ଜାତିକ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମଦାନୀ ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଭାରତରେ ତେଲ ଦର ବଢ଼ିବାର ମୁଖ୍ୟ କାରଣ ବୋଲି ସରକାରଙ୍କ ତରଫରୁ କୁହାଯାଉଛି, ଯାହା ଆଂଶିକ ସତ ହେଲେ ବି ସମ୍ପୂର୍ଣ୍ଣ ନୁହେଁ । ଏହି ପ୍ରସଙ୍ଗରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି, ‘ଭାରତର ଶକ୍ତି ଆବଶ୍ୟକତାର ପରିପୂରଣ ପାଇଁ ବିଦେଶରୁ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ପୂର୍ବର ସରକାରମାନେ ଧ୍ୟାନ କେନ୍ଦ୍ରିତ କରିଥିଲେ ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ପଡ଼ିନଥାନ୍ତା’, ପ୍ରଣିଧାନଯୋଗ୍ୟ । ଏହା ଭାରତର ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ଓ ତାହା ହ୍ରାସ କରିବା ପାଇଁ ପୂର୍ବର ଏବଂ ଏବର ସରକାରଙ୍କ ପ୍ରୟାସ ଓ ତା’ର ଫଳାଫଳକୁ ତର୍ଜମା କରିବାର ଅବକାଶ ସୃଷ୍ଟି କରିଛି ।

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଭାରତରେ ପେଟ୍ରୋଲର ଦରବୃଦ୍ଧିକୁ କଟାକ୍ଷ କରି ୨୦୨୧ ଫେବୃଆରୀ ୨ରେ ଟୁଇଟ୍ କରିଥିଲେ, “ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା, ସୀତାଙ୍କ ନେପାଳରେ ୫୩ ଟଙ୍କା, ରାବଣର ଲଙ୍କାରେ ୫୧ ଟଙ୍କା” । ଅଧିକନ୍ତୁ, ବିଦେଶରୁ ଅଶୋଧିତ ତେଲ ଆଣି ଭାରତରେ ତାକୁ ବିଶୋଧନ କରି ଭାରତ ହିଁ ନେପାଳକୁ ପେଟ୍ରୋଲ ଓ ଡିଜେଲ ଯୋଗାଇଥାଏ । ତଥାପି ସେଠାରେ ପେଟ୍ରୋଲ ଦର ଭାରତ ଅପେକ୍ଷା ଲିଟର ପିଛା ୨୦-୨୫ଟଙ୍କା ଶସ୍ତାଥିବାରୁ ନେପାଳ-ଭାରତ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ତା’ର ବ୍ୟାପକ ଚୋରାକାରବାର ଚାଲିଛି । ଏଥିରୁ ସ୍ପଷ୍ଟ ଯେ କେବଳ ବିଦେଶରୁ ଆମଦାନୀ ହେବା ବା ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଅଧିକ ଥିବାରୁ ଭାରତରେ ତେଲ ଦର ବଢ଼ୁ ନାହିଁ । ତାହା ହୋଇଥିଲେ ନେପାଳରେ ବି ପେଟ୍ରୋଲ ଦର ଆଶାତୀତ ଭାବେ ବଢ଼ି ଥାଆନ୍ତା । ବିଶ୍ୱର ୧୧୭ଟି ଦେଶ ସେମାନଙ୍କ ତେଲ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମଦାନୀ ଉପରେ ନିର୍ଭର କରୁଥିଲେ ମଧ୍ୟ ଭାରତ ଭଳି କୌଣସି ଦେଶରେ ତେଲର ଏପରି ମୂଲ୍ୟ ବୃଦ୍ଧି ଘଟି ଗ୍ରାହକ ଅତିଷ୍ଠ ହୋଇ ପଡ଼ିନାହାନ୍ତି ।

‘ଇଣ୍ଡିଆ ଏନର୍ଜି ଆଉଟଲୁକ’ର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବୃହତ୍ ଶକ୍ତିର ବ୍ୟବହାରକାରୀ ଦେଶ । ଲୋକଙ୍କ ଆୟରେ ବୃଦ୍ଧି ଓ ଜୀବନ ଧାରଣର ମାନରେ ଉନ୍ନତି ଯୋଗୁ ୨୦୦୦ ମସିହାରୁ ମାତ୍ର ୨୦ ବର୍ଷ ଭିତରେ ଶକ୍ତିର ବ୍ୟବହାର ପ୍ରାୟ ଦୁଇ ଗୁଣ ବଢ଼ିଛି ଓ ଆଗାମୀ ଦିନରେ ଏହା ଆହୁରି ଅଧିକ ବଢ଼ିବାକୁ ଯାଉଛି । ଏବେ ଭାରତରେ ଦୈନିକ ୪୭ ଲକ୍ଷ ବ୍ୟାରେଲ ତୈଳ ଉପଯୋଗ ହେଉଥିବା ବେଳେ ୨୦୪୦ ମସିହା ବେଳକୁ ତାହା ୮୭ ଲକ୍ଷ ବ୍ୟାରେଲରେ ପହଞ୍ଚôବ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ୨୦୧୬ ମସିହାରେ ଦେଶ ଭିତରେ ଅଶୋଧିତ ତୈଳ ଉତ୍ପାଦନ ଦୈନିକ ୧୦ଲକ୍ଷ ବ୍ୟାରେଲ ଥିବା ବେଳେ ତାହା କ୍ରମାଗତ ଭାବେ ହ୍ରାସ ପାଇ ୨୦୨୦ରେ ୭.୫ଲକ୍ଷ ବ୍ୟାରେଲରେ ପହଞ୍ଚିଲାଣି । ୨୦୧୫ ମାର୍ଚ୍ଚରେ ‘ଊର୍ଜା ସଙ୍ଗମ’ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୩-୧୪ରେ ବିଦେଶରୁ ଆମଦାନୀ ତୈଳ ଉପରେ ଥିବା ୭୭ପ୍ରତିଶତ ନିର୍ଭରଶୀଳତାକୁ ୨୦୨୨ ସୁଦ୍ଧା ୧୦ ପ୍ରତିଶତ କମ୍ କରି ୬୭ପ୍ରତିଶତରେ ପହଞ୍ଚାଇବାକୁ ହେବ । ତେବେ ବିଗତ ୬ ବର୍ଷ ମଧ୍ୟରେ ସେହି ନିର୍ଭରଶୀଳତା କମ୍ ହେବା ପରିବର୍ତ୍ତେ ବୃଦ୍ଧି ପାଇ ପ୍ରାୟ ୮୫ପ୍ରତିଶତରେ ପଞ୍ଚିସାରିଲାଣି । ଆସନ୍ତା ଦୁଇଦଶକ ମଧ୍ୟରେ ଅଶୋଧିତ ତୈଳର ଆମଦାନୀ ପାଇଁ ତିନି ଗୁଣ ଅର୍ଥର ଆବଶ୍ୟକତା ଉପୁଜିବା ଓ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ୯୦ ପ୍ରତିଶତରୁ ବି ଅଧିକ ହେବ । ଫଳରେ ଭାରତକୁ ଅତ୍ୟଧିକ ତୈଳ ଦର ବୃଦ୍ଧି ଓ ତୈଳ ଯୋଗାଣରେ ବ୍ୟାହତଜନିତ ସମସ୍ୟାର ବାରମ୍ବାର ସମ୍ମୁଖୀନ ହେବାକୁ ହୋଇପାରେ, ଯାହାର ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଇପାରେ ।

ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମ୍ ହେଲେ ରାଜସ୍ୱ ସଞ୍ଚୟ ସହ ବିତ୍ତୀୟ ନିଅଣ୍ଟ ହ୍ରାସ କରିବାରେ ମଧ୍ୟ ତାହା ସହାୟକ ହୋଇଥାଏ । ଟଙ୍କାର ବିନିମୟ ମୂଲ୍ୟରେ ଅସ୍ଥିରତା କମ୍ ହୋଇ ଡଲାର ତୁଳନାରେ ଟଙ୍କା ସ୍ଥିର, ସୁଦୃଢ଼ ହୋଇଥାଏ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମ୍ ହେଲେ ଦେଶର ତୈଳ ଆମଦାନୀଜନିତ ବ୍ୟୟ ବୃଦ୍ଧି ପାଇଥାଏ ଓ ଦେଶରେ ତେଲର ଦର ବୃଦ୍ଧି ପାଇଥାଏ । ଏନ୍ଡ଼ିଏ ସରକାର ଶାସନକୁ ଆସିଲାବେଳକୁ ୨୦୧୪ ମସିହା ମେ ୨୯ରେ ଏକ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୫୯ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୭୨ ଟଙ୍କା ଟପି ସାରିଲାଣି । ବସ୍ତୁତଃ ଡଲାର ତୁଳନାରେ ଟଙ୍କାର ଏହି ଅବମୂଲ୍ୟାୟନ ଦେଶରେ ବର୍ତ୍ତମାନ ତୈଳ ଦରବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ତେଣୁ ତୈଳ ଆମଦାନୀ ଉପରେ ନିର୍ଭରଶୀଳତାକୁ କମ୍ କରିବା ପାଇଁ ବିଭିନ୍ନ ସମୟରେ ସରକାରମାନେ ପ୍ରୟାସ କରି ଆସିଛନ୍ତି । ୟୁପିଏ ସରକାର ଅମଳରେ ଏଥିପାଇଁ ଡଃ ବିଜୟ କେଲକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା, ଯାହା ୨୦୧୩ ଓ ୨୦୧୪ମସିହାରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ । ତଦନୁଯାୟୀ ଦେଶରେ କିଛି ପଦକ୍ଷେପ ନିଆଯାଇଥିଲା ମଧ୍ୟ । ଏନ୍ଡ଼ିଏ ସରକାର ଶାସନଦାୟିତ୍ୱ ଗ୍ରହଣ କଲାପରେ ଅନିଲ କାକୋଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ତୈଳ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବା ସହ ଏକ ପାଂଚସୂତ୍ରୀ କୌଶଳକୁ ଅନୁସରଣ କରିବା ପରାମର୍ଶ ଦେଇଥିଲେ । ସେଥିରେ (୧) ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା, (୨) ଶକ୍ତି ଦକ୍ଷତାକୁ ବୃଦ୍ଧି କରିବା ସହ ଶକ୍ତି ସଂରକ୍ଷଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା, (୩) ଚାହିଦାର ବିକଳ୍ପ ଉପରେ ଗୁରୁତ୍ୱ ଦେବା, (୪) ପ୍ରୟୋଗକୁ ଆସି ନଥିବା ବିଭିନ୍ନପ୍ରକାର ଜୈବ ଇନ୍ଧନ, ବିକଳ୍ପ ତଥା ଅକ୍ଷୟ ଇନ୍ଧନର ପ୍ରୟୋଗର ସମ୍ଭାବନା ଉପରେ ଗୁରୁତ୍ୱଦେବା, (୫) ତୈଳ ବିଶୋଧନାଗାର (ରିଫାଇନେରି) ଗୁଡ଼ିକର ବିଶୋଧନ ପ୍ରକ୍ରିୟାରେ ସୁଧାର ଆଣିବା, ଆଦି ପରାମର୍ଶ ରହିଛି ।

ଘରୋଇ ତୈଳ ଉତ୍ପାଦନ ବଢ଼ାଇବାକୁ ହେଲେ ନୂଆ ନୂଆ ତୈଳ କ୍ଷେତ୍ର ଆବିଷ୍କାର ହେବା ନିହାତି ଆବଶ୍ୟକ । ଓଏନଜିସି ଦ୍ୱାରା ଦେଶର ତୈଳ ଉତ୍ପାଦନର ୬୩ପ୍ରତିଶତ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନର ୭୫ପ୍ରତିଶତ ହୋଇଥାଏ । ନୂଆ ତୈଳକ୍ଷେତ୍ରର ଅନୁସନ୍ଧାନ ପାଇଁ ମଧ୍ୟ ଓଏନଜିସି ପ୍ରୟାସ କରିଥାଏ । ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣା ଜିଲ୍ଲାର ଅଶୋକନଗରରେ ୨୦୧୮ମସିହାରେ ଏକ ନୂଆ ତୈଳକ୍ଷେତ୍ର ଆବିଷ୍କୃତ ହେଲା ପରେ ଓଏନଜିସିର ଅନୁସନ୍ଧାନ ଉଦ୍ୟମ ଅନେକଟା ଧିମେଇ ଯାଇଛି । ଏହାର ଏକ ମୁଖ୍ୟ କାରଣ ହେଉଛି ଓଏନଜିସିର ନଗଦ ପାଣ୍ଠି (କ୍ୟାସ ରିଜର୍ଭ) ଯାହା ୨୦୧୩-୧୪ରେ ୧୦୭୯୯ କୋଟି ଟଙ୍କା ଥିଲାବେଳେ ତାହା ହ୍ରାସ ପାଇ ୨୦୧୯-୨୦ରେ ୯୬୮କୋଟି ଟଙ୍କାରେ ପହଞ୍ଚିଲାଣି । ଏଚପିସିଏଲ୍ ଓ ଗୁଜୁରାଟ ଷ୍ଟେଟ ପେଟ୍ରୋଲିୟମ୍ କର୍ପୋରେସନ୍ (ଜିଏସପିସି)ର ଅଂଶଧନକୁ ଏକ ପ୍ରକାର ବାଧ୍ୟ ହୋଇ କିଣିବା ଓଏନ୍ଜିସିର ଏହି ଆର୍ଥିକ ଦୁଃସ୍ଥିତିର କାରଣ ବୋଲି କୁହାଯାଏ । ୨୦୧୪ରୁ ୨୦୨୦ ମଧ୍ୟରେ ଓଏନଜିସିର ଅନୁସନ୍ଧାନମୂଳକ କୂପ ଖନନ ବାବଦକୁ ହେଉଥିବା ଖର୍ଚ୍ଚ ପ୍ରତିବର୍ଷ ହାରାହାରି ୧୩ପ୍ରତିଶତ କମ୍ ହେଉଥିବାରୁ ଘରୋଇ ତୈଳ ଉତ୍ପାଦନ ବୃଦ୍ଧିରେ ତାର ପ୍ରତିକୂଳ ପ୍ରଭାବ ଅନୁଭୂତ ହେଉଛି ।

ତୈଳ ଆମଦାନୀକୁ କମାଇବାକୁ ହେଲେ ଦେଶରେ ଅନ୍ୟ ବିକଳ୍ପ ଇନ୍ଧନର ବ୍ୟବହାରକୁ ବଢ଼ାଇ ତୈଳର ବ୍ୟବହାରକୁ କମ୍ କରିବାକୁ ହେବ । ୨୦୨୨ସୁଦ୍ଧା ଦେଶରେ ୧୦୦ ଗିଗାୱାଟ ସୌର ଶକ୍ତି, ୬୦ ଗିଗାୱାଟ ପବନ ଶକ୍ତି, ୧୦ ଗିଗାୱାଟ ବାୟୋ ଶକ୍ତି ଓ ୫ ଗିଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଦେଶ ସେହି ଲକ୍ଷ୍ୟ ହାସଲର ନିକଟତର ହୋଇ ପାରିନାହିଁ । ଅଧିକନ୍ତୁ ୨୦୩୦ ସୁଦ୍ଧା ଦେଶରେ ୪୫୦ ଗିଗାୱାଟର ବିଦୁ୍ୟତ ଅକ୍ଷୟ ଶକ୍ତିମାଧ୍ୟମରେ ଉତ୍ପାଦନ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯାହା ସମୁଦାୟ ଶକ୍ତି ଉତ୍ପାଦନର ୪୦ପ୍ରତିଶତ ହେବ । ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାରକୁ ବୃଦ୍ଧି କରି ଏହାକୁ ଶକ୍ତି ବ୍ୟୟର ୧୫ପ୍ରତିଶତ କରିବାକୁ ସ୍ଥିର ହୋଇଛି । ଅବଶ୍ୟ ଏବେ ଦେଶରେ ବ୍ୟବହୃତ ପ୍ରାକୃତିକ ଗ୍ୟାସର ୫୦ପ୍ରତିଶତରୁ ଊଦ୍ଧ୍ୱର୍ ବିଦେଶରୁ ଆମଦାନୀ ହେଉଛି । ୨୦୩୦ ସୁଦ୍ଧା ଦେଶରେ ସମୁଦାୟ ଯାନର ୩୦ ପ୍ରତିଶତ ବିଦ୍ୟୁତ ଯାନ ହେବାର ଲକ୍ଷ୍ୟ ଥିଲେ ବି ଏବେ ତାହା ୧ ପ୍ରତିଶତରୁ ବି କମ୍ । କାଉନସିଲ ଅଫ୍ ଏନର୍ଜି, ଏନଭାଇନମେଣ୍ଟ ଆଣ୍ଡ୍ ୱାଟର (ସିଇଡବଲୁ୍ୟ)ର ୨୦୧୯ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ବିକ୍ରି ହେଉଥିବା ନୂଆ ଯାନ ମଧ୍ୟରୁ ୩୦ପ୍ରତିଶତ ବିଦ୍ୟୁତ ଯାନ ହୋଇଥିଲେ କେବଳ ସେହିବର୍ଷ ଦେଶ ୫ କୋଟି ବ୍ୟାରେଲ ଅଶୋଧିତ ତେଲ ସଞ୍ଚୟ କରି ପାରିଥାଆନ୍ତା ।

ପେଟ୍ରୋଲ ଦ୍ରବ୍ୟର ଆମଦାନୀକୁ କମ୍ କରିବା ଲାଗି ଚିନିକଳ ଓ ଡିଷ୍ଟିଲେରିଗୁଡ଼ିକରୁ ବାହାରୁଥିବା ଇଥାନଲକୁ ପେଟ୍ରୋଲରେ ୫ ପ୍ରତିଶତ ମିଶାଇ ବିକିବା ଲାଗି ଦେଶରେ ୨୦୦୩ ମସିହାରୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ୨୦୦୬ ମସିହାରେ ଏହି କାର୍ଯ୍ୟକ୍ରମ ୨୦ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଥିବାବେଳେ ୨୦୧୯ରୁ ତାହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଓ ଲାକ୍ଷାଦ୍ୱୀକୁ ବାଦ୍ ଦେଇ ଦେଶର ଅନ୍ୟ ସର୍ବତ୍ର କାର୍ଯ୍ୟକାରୀ ହେଉଛି । ଏବେ ପେଟ୍ରୋଲରେ ୧୦ପ୍ରତିଶତ ଯାଏଁ ଇଥାନଲ ମିଶାଇ ବିକ୍ରି କରିବାକୁ ତୈଳ ବିପଣନ କମ୍ପାନୀ (ଓଏମସି) ଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି । ୨୦୨୨ ସୁଦ୍ଧା ୧୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରର ମୂଲ୍ୟ ରଖା ଯାଇଥିବାବେଳେ ୨୦୩୦ ସୁଦ୍ଧା ତାହା ୨୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସ୍ଥିର କରାଯାଇଛି । ତେଣୁ ପେଟ୍ରୋଲରେ ଇଥାନଲ ମିଶ୍ରଣ (ଇବିପି) ଏବେକାର ନୁହେଁ ବରଂ ଏକ ବହୁ ଦିନର କାର୍ଯ୍ୟକ୍ରମ । ୨୦୧୩-୧୪ବର୍ଷରେ ଏଥିପାଇଁ ଚିନିକଳ ଓ ଡିଷ୍ଟିଲେରି ଗୁଡ଼ିକ ଓଏମସିଗୁଡ଼ିକୁ ୩୮ଲକ୍ଷ କୋଟି ଲିଟର ଇଥାନଲ ଯୋଗାଇଥିଲେ । ଅବଶ୍ୟ ଏହି କାର୍ଯ୍ୟକ୍ରମ ଲାଗି ଏବର ସରକାର ପ୍ରୋତ୍ସାହନ ଫଳରେ ଏହା ୨୦୧୯-୨୦ରେ ୧୯୫ କୋଟି ଲିଟରରେ ପହଞ୍ଚିବାବେଳେ ୨୦୨୦-୨୧ରେ ତାହା ୩୧୦କୋଟି ଲିଟରରେ ପହଞ୍ଚିବାକୁ ଯାଉଛି । ଇଥାନଲ ଉତ୍ପାଦନ ଓ ଯୋଗାଣରେ ବୃଦ୍ଧି ଘଟିଥିଲେ ବି ଓଏମସିମାନେ ଇବିପି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେପରି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉ ନାହିଁ । ଏହାର ଅନ୍ୟତମ କାରଣ ହେଉଛି ଦେଶବ୍ୟାପୀ ପେଟ୍ରୋଲ ସହ ଇଥାନଲ ମିଶ୍ରଣ ପାଇଁ ଟ୍ୟାଙ୍କ କ୍ଷମତାର ଅଭାବ । ଅଧିକାଂଶ ଚିନିକଳ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଥିବାରୁ ସେସବୁ ସ୍ଥାନରୁ ଦୂରଦୂରାନ୍ତରେ ଅବସ୍ଥିତ ଓଏମସି ଗୁଡ଼ିକର ରିଫାଇନେରିରେ ପହଞ୍ଚାଇବା ବି ବ୍ୟୟବହୁଳ ହେଉଛି । ଏତଦ୍ଭିନ୍ନ ଇଥାନଲର ହାରାହାରି ମୂଲ୍ୟ ଲିଟର ପିଛା ପ୍ରାୟ ୬୨ଟଙ୍କା ପଡ଼ି ଯାଉଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଶସ୍ତାଥିଲେ ଓଏମସିମାନେ ଇଥାନଲ କିଣି ମିଶାଇବା ପାଇଁ ଆଗ୍ରହ ନ ଦେଖାଇବା ସ୍ୱାଭାବିକ । ଫଳରେ ଇବିପି କାର୍ଯ୍ୟକ୍ରମର କ୍ରିୟାନ୍ୱୟନରେ ଅସ୍ଥିରତା ଦେଖା ଦେଇପାରେ ।

ଅଶୋଧିତ ତୈଳ ବ୍ୟତୀତ ସେଲ ଗ୍ୟାସ, କୋଲ ବେଡ଼ ମିଥେନ (ସିବିଏମ୍) କୋଲ ମାଇନ ମିଥେନ (ସିଏମଏମ) ଓ ଟାଇଟ ଗ୍ୟାସର ଭଣ୍ଡାରରୁ ମଧ୍ୟ ପ୍ରାକୃତିକ ଗ୍ୟାସ ଉପଲବ୍ଧ ହୋଇ ଶକ୍ତିର ଆବଶ୍ୟକତାକୁ ପୂରଣ କରିଥାଏ । ସାଧାରଣତଃ ସେଲ ଗ୍ୟାସ ପୃଥିବୀପୃଷ୍ଠରୁ ୨ରୁ ୫କିଲୋମିଟର ତଳେ ସେଲ ପଥର ଦ୍ୱାରା ଆବଦ୍ଧ ହୋଇରହିଥାଏ । ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁ ଏଣିକି ଏହି ସେଲ ଗ୍ୟାସକୁ ଅପେକ୍ଷାକୃତ କମ ଖର୍ଚ୍ଚରେ ବ୍ୟବସାୟିକ ଭିତ୍ତିରେ କରାଯାଇ ପାରୁଛି ଓ ଏହି ଗ୍ୟାସ୍ର ସଫଳ ଉତ୍ତୋଳନ କରି ଆମେରିକା ନିଜ ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସ୍ୱାବଲମ୍ବୀ ହୋଇପାରିଛି । ଆମେରିକାର ଇଆଇଏ ୨୦୧୫ ରିପୋର୍ଟ ଅନୁଯାୟୀ ଭାରତ ସମେତ ୧୧ଟି ଦେଶରେ ବୈଷୟିକ ଭାବେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସର ଭଣ୍ଡାର ଥିଲେ ବି କେବଳ ଆମେରିକା, କାନାଡ଼ା ଓ ଚୀନ ବ୍ୟବସାୟିକଭିତ୍ତିରେ ଏହାର ଉତ୍ପାଦନ କରୁଛନ୍ତି । ଭାରତରେ କାମ୍ବୋ, କ୍ରିଷ୍ଣା-ଗୋଦାବରୀ, କାବେରୀ, ଦାମୋଦର ଉପତ୍ୟକା, ଉପର ଆସାମ, ରାଜସ୍ଥାନ ଓ ବିନ୍ଧ୍ୟ ବେସିନରେ ପ୍ରାୟ ୯୬ ଲକ୍ଷ କୋଟି ଘନ ଫୁଟର ବୈଷୟିକ ଭାବେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ ଗଚ୍ଛିତ ରହିଛି । ଓଏନ୍ଜିସି ଦ୍ୱାରା ୨୦୧୧ ମସିହାରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁର ନିକଟରେ ଦେଶର ପ୍ରଥମ ସେଲ ଗ୍ୟାସ ଭଣ୍ଡାରର ଆବିଷ୍କାର ହୋଇଥିଲାବେଳେ ୨୦୧୩ ମସିହାରେ ଗୁଜରାଟର ବରୋଦା ନିକଟସ୍ଥ ଜମ୍ବୁସାରରେ ଦେଶର ପ୍ରଥମ ସେଲ ଗ୍ୟାସ କୂପ ଖନନ ହୋଇଥିଲା । ସେଲ ଗ୍ୟାସର ଅନୁସନ୍ଧାନରେ ଦୀର୍ଘ ୫ ବର୍ଷ ଓ ଶହ ଶହ କୋଟି ଟଙ୍କା ବ୍ୟୟ କଲା ପରେ ଓଏନଜିସି ଭାରତରେ ବ୍ୟବସାୟିକ ଭିତ୍ତିରେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ ଭଣ୍ଡାରର ଆକାର ଯଥେଷ୍ଟ ନଥିବା ଦର୍ଶାଇ ଏହାର ଅନୁସନ୍ଧାନକୁ ୨୦୧୯ ମସିହାରେ ବନ୍ଦ କରିଦେବା ବାସ୍ତବିକ ପରିତାପର ବିଷୟ । ଫଳରେ ଭାରତରେ ସେଲ ଗ୍ୟାସ ଉତ୍ପାଦନର ସ୍ୱପ୍ନ ଉପରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେହିପରି ଦେଶରେ ପ୍ରାୟ ୯.୯ଲକ୍ଷ କୋଟି ଘନ ଫୁଟ କୋଇଲା ଶଯ୍ୟା ମିଥେନ (ସିବିଏମ) ଥିବାର ଆକଳନ କରାଯାଇଛି । ଏହା ସାଧାରଣତଃ ଉତଖନନ ପୂର୍ବରୁ କୋଇଲା ବ୍ଲକ୍ ମାନଙ୍କରୁ ମିଳିଥାଏ । ଏବେ ଦେଶରେ ଝାଡ଼ଖଣ୍ଡର ଝରିଆ, ପଶ୍ଚିମବଙ୍ଗର ରାଣୀଗଞ୍ଜ ଓ ମଧ୍ୟପ୍ରଦେଶର ସୋହାଗପୁରର ଚାରିଟି କୋଇଲା ବ୍ଲକରୁ ସିବିଏମ୍ ଉତ୍ପାଦନ ହେଉଛି । କୋଲମାଇନ ମିଥେନ (ସିଏମଏମ) ଆବଦ୍ଧ ଭାବେ ରହୁ ନ ଥିବାରୁ ତାହା ପବନରେ ମିଳାଇ ଯାଇଥାଏ । ତେଣୁ ତାକୁ ଅମଳ କରି ହେଉ ନାହିଁ । ଗୁଜରାଟର କାମ୍ବେ ଓ ପୂର୍ବୋତ୍ତର ଭାରତର କିଛି ସ୍ଥାନରେ ଟାଇଟ ଗ୍ୟାସର ଭଣ୍ଡାର ମିଳିଥିଲେ ବି ତାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇନାହିଁ । କହିବା ବାହୁଲ୍ୟ ଏହି ସମସ୍ତ ଉତ୍ସରୁ ଶକ୍ତି ସଂଗ୍ରହ କରିବାର ପ୍ରୟାସ ଏନ୍ଡ଼ିଏ ସରକାର ଆସିବା ଆଗରୁ ଆରମ୍ଭ ହୋଇଥିବାରୁ ପୂର୍ବ ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଇ ନଥିଲେ ବୋଲି କହିବା ତ୍ରୁଟିପୂର୍ଣ୍ଣ ହୋଇପାରେ । ବରଂ ଇତିମଧ୍ୟରେ ଏହି ସବୁ ପ୍ରୟାସରେ ଆଶାନୁରୂପ ଅଗ୍ରଗତି ପରିଲକ୍ଷିତ ହୋଇ ନାହିଁ । ନିକଟ ଭବିଷ୍ୟତରେ ଆନ୍ତର୍ଜାତିକ ବଜାରରେ ତେଲମୂଲ୍ୟ ହ୍ରାସ ପାଇବାର ବା ତେଲ ପାଇଁ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା କମ୍ ହେବାର ସମ୍ଭାବନା କ୍ଷୀଣ । ତେବେ ସିଙ୍ଗାପୁର ଭଳି ଦେଶ ଯଦି ଏକ ନିର୍ଦ୍ଦିଷ୍ଟ କୌଶଳକୁ ଅବଲମ୍ବନ କରି ତା’ର ତୈଳ ଆମଦାନୀ ଓ ବ୍ୟବହାରର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ହାସଲ କରିବା ଦିଗରେ ଅଗ୍ରସର ହୋଇପାରୁଛି, ତେବେ ଭାରତ ତାହା କାହିଁକି ବା ନ କରିପାରିବ? ତୈଳ ଆମଦାନୀକୁ କମ୍ କରିବା ଲାଗି ବିକଳ୍ପ ଇନ୍ଧନର ଉପଲବ୍ଧତାକୁ ବଢ଼ାଇବା ସହିତ ଅନ୍ୟ ସମସ୍ତ ବିକଳ୍ପ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଆନ୍ତରିକତା ଆବଶ୍ୟକ । ତେବେ କ’ଣ ପ୍ରଧାନମନ୍ତ୍ରୀଙ୍କ ଉକ୍ତିରୁ ଏଇଆ ବୁଝିବାକୁ ହେବ ଯେ ତେଲ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ନ ପାଇବା ଯାଏଁ ମଧ୍ୟବିତ୍ତ ଶ୍ରେଣୀ ଉପରେ ପେଟ୍ରୋଲ ଦ୍ରବ୍ୟର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ପଡ଼ୁଥିବା ବୋଝରୁ ତାର ନିଷ୍କୃତି ନାହିଁ? ଏହି ଦରବୃଦ୍ଧି ଯୋଗୁ କେବଳ ମଧ୍ୟବିତ୍ତ ଶ୍ରେଣୀର ଲୋକଟିଏ ନୁହେଁ; ବରଂ ସାଧାରଣ ଖାଉଟିଟିଏ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ପ୍ରଭାବିତ ହୋଇ ତା’ ଉପରେ ବି ବୋଝ ବଢ଼ି ବଢ଼ିଚାଲିଛି । ତୈଳ ଆମଦାନୀକୁ କମ୍ କରି ପେଟ୍ରୋ-ଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ଭିତରେ ରଖିବା ଏକ ଦୀର୍ଘମିଆଦୀ କୌଶଳ ହୋଇଥିବାରୁ ଖାଉଟିଟିଏ ତାର ତାକ୍ରାଳିକ ଲାଭ ପାଇପାରିବ ନାହିଁ । ତେଣୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଆଉ ଆମଦାନୀ ନିର୍ଭରଶୀଳତା ଓ ଆନ୍ତର୍ଜାତିକ ବଜାରରେ ତେଲଦର ବୃଦ୍ଧି ଆଦିର ଦ୍ୱାହି ନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଅତ୍ୟଧିକ କରକୁ ହ୍ରାସ କରି ତାର ବୋଝକୁ ଲାଘବ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।

Comments

0 comments

Share This Article