କୃଷି କମ୍ପାନୀ ବନାମ କ୍ଷୁଦ୍ର ଚାଷୀ!

ମାର୍ଚ୍ଚ ୮,୨୦୨୧ ଦିନ ସକାଳୁ ସକାଳୁ ବିଶିଷ୍ଟ ଜୈବଚାଷୀ ଶ୍ରୀ ନଟବର ଷଡ଼ଙ୍ଗୀଙ୍କର ଫୋନଟିଏ ଆସିଲା । ପଚାରୁଥିଲେ ସେଦିନର ଇଂରାଜୀ ଖବର କାଗଜ ‘ଟାଇମ୍ସ ଅଫ ଇଣ୍ଡିଆ’ ମୁଁ ପଢ଼ିଛି କି ନାହିଁ! ବୟସ ଦୃଷ୍ଟିରୁ ଆମମାନଙ୍କଠାରୁ ସେ ଯେତେ ଆଗରେ, ତାଜା ଏବଂ ଉପାଦେୟ ଖବର ରଖିବା କ୍ଷେତ୍ରରେ ମଧ୍ୟ ଆମଠୁ ବେଶ୍ ଅଧିକ ଆଗରେ । ଖବରକାଗଜଗୁଡ଼ିକୁ ମୁଁ ନିଜେ ବିଜ୍ଞାପନ କାଗଜ ହିସାବରେ ଦେଖୁଥିବା ଦୃଷ୍ଟିରୁ ଯଦି ନିୟମିତ କେହି ପାଠକବନ୍ଧୁ ବା ଶୁଭେଛୁ କୌଣସି ଉପାଦେୟ ଖବର ବା ପ୍ରବନ୍ଧ ସମ୍ପର୍କରେ ଆମକୁ ଅବଗତ କରାନ୍ତି, ସେ ସବୁ ନିଶ୍ଚିତ ଭାବେ ପଢ଼ିଥାଏ । ମାର୍ଚ୍ଚ ୮, ୨୦୨୧ର ଉପରୋକ୍ତ ଖବରକାଗଜରେ ପ୍ରକାଶିତ ଏକ ଲେଖା ନଟବର ବାବୁଙ୍କର ଧ୍ୟାନ ଆକର୍ଷଣ କରିଥିଲା । ଲେଖାଟିର ଶିରୋନାମା ଥିଲା କେମିତି ଆମେରିକାରେ ବଡ଼ (କମ୍ପାନୀ) ଚାଷ ଛୋଟ ଚାଷକୁ ଗିଳି ସାରିଛି (How ‘Big Ag’ ate up America’s Small Farm, TOI, March 8, 2021) । ଲେଖାଟିକୁ ଲେଖିଥିଲେ ବେଦବ୍ରତ ପାଇନ୍ ଯିଏକି ଏବେ ଆମେରିକାର ଲସ୍ଆଞ୍ଜେଲସ୍ ସହରରେ ରୁହନ୍ତି । ପଶ୍ଚିମବଙ୍ଗର ମୂଳ ବାସିନ୍ଦା ବେଦବ୍ରତ ଭାରତରେ ଆଇ.ଆଇ.ଟିରୁ ଶିକ୍ଷାଲାଭ ପରେ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାରେ ଅଠରବର୍ଷ କାଳ ବୈଜ୍ଞାନିକ ଭାବେ କାମ କରିବା ପରେ, ସେଥିରୁ ଅବ୍ୟାହତ ନେଇ ଚଳଚ୍ଚିତ୍ର ନିର୍ମାଣରେ ନିଜର ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସେଥିପାଇଁ ମଧ୍ୟ ସେ ଜାତୀୟ ପୁରସ୍କାର ପାଇଛନ୍ତି । ରାଜ୍ୟସଭା ଟିଭିରେ ସେ ଦେଇଥିବା ଏକ ସାକ୍ଷାତକାରରେ ବେଦବ୍ରତଙ୍କର କଳାକ୍ଷେତ୍ରର ଆଗ୍ରହକୁ ସ୍ପଷ୍ଟଭାବେ ବାହାରକୁ ଆଣିଛି । ଏହି ସାକ୍ଷାତକାରଟି ଇଣ୍ଟରନେଟରେ ଆପଣମାନେ ଏବେ ବି ଦେଖିପାରିବେ । ବେଦବ୍ରତ ଆମେରିକାର ଚାଷୀମାନଙ୍କର କାହାଣୀ ସଂଗ୍ରହ କରିବା ପାଇଁ ୧୦ହଜାର କିଲୋମିଟର ସଡ଼କପଥ ଅତିକ୍ରମ କରି ଅତି ଉପାଦେୟ ଏବଂ ଏବେ ଭାରତୀୟଙ୍କ ପାଇଁ ଅତି ପ୍ରାସଙ୍ଗିକ ତଥ୍ୟ ଓ ଅନୁଭୂତି ସଂଗ୍ରହ କରିଥିଲେ । ଏଠି ସ୍ମରଣ କରାଯାଇପାରେ ଯେ, କିଛିବର୍ଷ ତଳେ ଯେତେବେଳେ ଦୈନିକ ଇଂରାଜୀ ଖବରକାଗଜ ‘ଦ ହିନ୍ଦୁ’ ସତରେ ଏକ ଖବରକାଗଜ ଭଳି ଥିଲା, ସେତେବେଳେ ଏହାର ସାମାଜିକ ସମସ୍ୟା ସମ୍ପର୍କିତ ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ ପି. ସାଇନାଥ ନିୟମିତ ଭାବେ ଭାରତର ବିଭିନ୍ନ ପ୍ରାନ୍ତ ଭ୍ରମଣକରି କୃଷି ଓ କୃଷକର ଖବର ପ୍ରକାଶ କରୁଥିଲେ । ତେବେ ଏଠି ବେଦବ୍ରତଙ୍କର ଲେଖାଟି ଅଧିକ ପ୍ରାସଙ୍ଗିକ ମନେହୁଏ ଏଇଥି ପାଇଁ ଯେ, ଆମେରିକୀୟ ଢାଞ୍ଚାରେ ହିଁ ମୋଦୀ ସରକାର ତିନୋଟି ‘କଳା’ କୃଷି ଆଇନ ଆଣିଛନ୍ତି ଯାହାର ବିରୋଧରେ ଗତ କିଛି ମାସ ଧରି ଏକ ଅଭୂତପୂର୍ବ କୃଷକ ଆନ୍ଦୋଳନ ଆମ ଦେଶରେ ମୁଣ୍ଡ ଟେକିଛି । ତେବେ ବେଦବ୍ରତ କ’ଣ କହିଛନ୍ତି ଏଠି ସଂକ୍ଷେପରେ ଆଲୋଚନା କରାଯାଇପାରେ ।

ତିନୋଟି ପର୍ଯ୍ୟାୟରେ ଆମେରିକୀୟ କୃଷି ନୀତିରେ ପରିବର୍ତ୍ତନ ଅଣାଯାଇଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧବେଳେ ଆମେରିକା ସମେତ ବିଶ୍ୱରେ ଆର୍ଥିକ ମାନ୍ଦା ଅବସ୍ଥା ବଢ଼ି ଯାଇଥିଲା, ନିଜ ଦେଶରେ ଅର୍ଥନୀତିକୁ ବାଟକୁ ଆଣିବାପାଇଁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡ଼ି ରୁଜଭେଲ୍ଟ (୧୯୩୩-୪୫)କିଛି କୃଷିକ୍ଷେତ୍ର ପାଇଁ ନୀତି ଆଣିଥିଲେ । ସେ ଭିତରେ ଥିଲା କୃଷକମାନଙ୍କୁ ରିହାତି, ଯାହା ଫଳରେ ସେମାନେ ଆଉ ମାତ୍ରାଧିକ ଉତ୍ପାଦନ କରିବେନି ଏବଂ ଖାଦ୍ୟ ଦ୍ରବ୍ୟ ମୂଲ୍ୟକୁ ନିୟନ୍ତ୍ରଣରେ ରଖାଯାଇପାରିବ । ସେମାନଙ୍କୁ ଋଣ ଯୋଗାଇ ଦିଆଗଲା ଏବଂ ଯେପରି ନିଜ ଜମିରୁ ବିସ୍ଥାପିତ ନ ହେବେ, ସେଭଳି ସୁରକ୍ଷା ଯୋଗାଇ ଦିଆଗଲା । ଉତ୍ପାଦନ ମୂଲ୍ୟ, ଜୀବନ ଧାରଣର ମୂଲ୍ୟ ଓ ମୁଦ୍ରାସ୍ଫୀତି ଭିତରେ ସନ୍ତୁଳନ ଆଣିବା ପାଇଁ ନୀତି ପ୍ରଣୟନ କରାଗଲା । ଆମେରିକୀୟ ସରକାର ମଧ୍ୟ କୃଷି ଭିତ୍ତିଭୂମି କ୍ଷେତ୍ରରେ ଯଥା ଜଳସେଚନ, ପରିବହନ ଏବଂ ବିଦ୍ୟୁତକରଣରେ ଅଧିକ ଖର୍ଚ୍ଚକଲେ । ବେଦବ୍ରତଙ୍କ ମତରେ ୧୯୮୦ଦଶକରେ ଯେତେବେଳେ ରୋନାଲ୍ଡ ରେଗାନ୍ ଆମେରିକାର ରାଷ୍ଟ୍ରପତି ହେଲେ, ସେ ରୁଜଭେଲ୍ଟଙ୍କ ଅମଳରୁ ଆସିଥିବା କୃଷି ନୀତିଟିକୁ ପ୍ରତ୍ୟାହାର କରିନେଲେ । କୃଷକମାନଙ୍କୁ ମିଳୁଥିବା ରିହାତି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତ୍ୟାହାର କରି ନିଆହେଲା । ବିଶ୍ୱରେ ଆମେରିକୀୟ କୃଷିକୁ ପ୍ରତିଯୋଗିତାମୂଳକ କରିବା ପାଇଁ ଋଣ ବି ବନ୍ଦ କରିଦିଆଗଲା । କିନ୍ତୁ ପରେ ପରେ କୃଷି ସଂକଟ ଉପୁଜିବା ହେତୁ ରିହାତି ଏବଂ ଋଣ ଆକାରରେ ସହଯୋଗ ପ୍ରଚଳନ କରାଗଲା; ତେବେ ତାହା କେବଳ ବଡ଼ ବଡ଼ କୃଷି କମ୍ପାନୀମାନଙ୍କ ହିତରେ ହିଁ ପ୍ରଦାନ କରାଗଲା । ତାପରେ ଯେତେବେଳେ ବିଲ୍ କ୍ଲିଂଟନ ଆମେରିକାର ରାଷ୍ଟ୍ରପତି ହେଲେ, ସେ ପୁଣି ଥରେ ଆଉ ଏକ କୃଷି ନୀତି ଆଣିଲେ ଯାହାର ନାଁ ଥିଲା ଚାଷ କରିବା ପାଇଁ ସ୍ୱାଧିନତା ଆଇନ-୧୯୯୬, ଯାହାକୁ ଆମେରିକାର ଚାଷୀ- ‘କୃଷକଙ୍କୁ ବିଫଳ କରାଇବା ଆଇନ’ ବୋଲି କୁହନ୍ତି । କ୍ଲିଣ୍ଟନଙ୍କର ଲକ୍ଷ୍ୟଥିଲା କୃଷକମାନଙ୍କୁ ମିଳୁଥିବା ସବୁ ସହାୟତା ଓ ରିହାତି ପ୍ରତ୍ୟାହାର କରିନେଇ କୃଷିକୁ ଅଧିକ ବଜାର ଅଭିମୁଖୀ କରାଇବା । କିନ୍ତୁ ପରେ ପରେ ଆମେରିକାରେ ଏକ କୃଷି ସଙ୍କଟ ଦେଖାଦେଲା ଏବଂ କ୍ଲିଣ୍ଟନ ପ୍ରଶାସନକୁ ୫ହଜାର ୫ଶହକୋଟି ଡଲାରର ଜରୁରୀକାଳୀନ ସହାୟତା ଯୋଗାଇବାକୁ ପଡ଼ିଲା । ଏଠି ଅନୁମାନ କରାଯାଇପାରେ ଯେ ଏଥିରୁ ଏକ ସିଂହଭାଗ ଆମେରିକାର ବଡ଼ ବଡ଼ କୃଷି କମ୍ପାନୀମାନଙ୍କ ପକେଟକୁ ଗଲା ।

ଭାରତରେ ସବୁଜ ବିପ୍ଳବ ବେଳେ ବଡ଼ ବଡ଼ କୃଷି କମ୍ପାନୀମାନଙ୍କର ପ୍ରବେଶ ବଢ଼ିଥିଲା । ଉଦାରୀକରଣ ଯୁଗ ଆରମ୍ଭ ହେବା ପରେ (୧୯୯୦ ପରେ) ଭାରତରେ ଏହି କୃଷି କମ୍ପାନୀମାନଙ୍କର ଦଖଲ ବଢ଼ିଲା । ଏଠି ସ୍ମରଣ କରାଯାଇପାରେ ଯେ ଆମେରିକୀୟ କୃଷି କମ୍ପାନୀମାନଙ୍କର ଭାରତର କୃଷି କ୍ଷେତ୍ରକୁ ଦଖଲ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜଜ୍ ବୁଶ୍(ଜୁନିଅର୍) ଙ୍କର ଭାରତ ଗସ୍ତବେଳେ (୨୦୦୫) ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯାଇ ଥିଲା ଯାହାର ନାମଥିଲା କୃଷି କ୍ଷେତ୍ରରେ ଜ୍ଞାନର ପ୍ରୟୋଗ ପାଇଁ ଉଦ୍ୟମ (Knowledge Initiative on Agriculture) । ତେବେ ମୋଟାମୋଟି ଭାବେ ଆମେରିକା ହେଉ କି ଭାରତ; ଯେଉଁଠି ବଜାର ଅଭିମୁଖୀ କୃଷି ନୀତି ପ୍ରଣୟନ କରାଯାଇଛି ତାହା କେବେ ବି କ୍ଷୁଦ୍ର ଚାଷୀଙ୍କର ଉପକାରରେ ଆସିନାହିଁ, ଯେଉଁମାନଙ୍କର ସଂଖ୍ୟା ସର୍ବାଧିକ ।

ତେବେ ୧୦ହଜାର କିଲୋମିଟର ଅତିକ୍ରମ କରି ବେଦବ୍ରତ ଆମେରିକାର ଯେଉଁ ଗ୍ରାମାଞ୍ଚଳ ଅତିକ୍ରମ କରି କ୍ଷୁଦ୍ର ଚାଷୀ ଏବଂ କୃଷକମାନଙ୍କର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ, ସେମାନେ କେଉଁଭଳି ବିଭିନ୍ନ ସମୟରେ ବଜାର ଅଭିମୁଖୀ କୃଷି ନୀତିର ଶିକାର ହୋଇଛନ୍ତି; ସେ ସମ୍ପର୍କିତ ତଥ୍ୟ ଓ କାହାଣୀ ସଂଗ୍ରହ କରିଥିଲେ । ସେ ଭିତରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା ଯେ, ଆମେରିକାରେ କ୍ଷୁଦ୍ର ଚାଷୀ ସଂଖ୍ୟା ହ୍ରାସ ହୋଇଚାଲିଛି । ଆମେରିକାରେ ଯାହାକୁ କ୍ଷୁଦ୍ରଚାଷୀ କୁହାଯାଉଛି ତାଙ୍କର ମାନାଙ୍କ ଅନୁସାରେ ସେମାନେ ବାର୍ଷିକ ୧ହଜାର ଡଲାରରୁ କମ୍ ମୂଲ୍ୟର ଖାଦ୍ୟ ଶସ୍ୟ ବିକ୍ରି କରିଥାନ୍ତି । ଏମାନଙ୍କର କୃଷି ଜମିର ପରିମାଣ ହେଉଛି ସମୁଦାୟ କୃଷି କ୍ଷେତ୍ରର ୬.୬ ପ୍ରତିଶତ ଅର୍ଥାତ୍ ୫କୋଟି ୯୧ଲକ୍ଷ ୬୬ ହଜାର ୧୫୮ଏକର । ଆମେରିକାରେ ସମଗ୍ର କୃଷିକ୍ଷେତ୍ରର ପରିମାଣ ହେଉଛି ୯୦କୋଟି ୨ଲକ୍ଷ ୧୭ହଜାର ୫ଶହ ୭୬ଏକର । ଆମ ଦେଶରେ ଯାହାକୁ କ୍ଷୁଦ୍ର ଚାଷୀ କୁହାଯାଏ, ତାହା ଉତ୍ପାଦନର ବିକ୍ରୟ ଓ ପରିମାଣ ଉପରେ ଆଧାରିତ ନୁହଁ । ଆମ ଦେଶରେ ଯାହାପାଖରେ ୫ଏକରରୁ କମ୍ ଜମି ଅଛି, ସେ କ୍ଷୁଦ୍ର ଚାଷୀ । ସେମାନଙ୍କ ସଂଖ୍ୟା ସମଗ୍ର କୃଷକମାନଙ୍କର ସଂଖ୍ୟାରେ ଶତକଡ଼ା ୬୫ଭାଗ । ୨.୫ ଏକରରୁ କମ୍ ଜମିଥିବା ଚାଷୀଙ୍କୁ ଆମେ ନାମମାତ୍ର ଚାଷୀ କହୁଛୁ । ଆମେରିକାରେ କୃଷକ କହିଲେ କୃଷି କ୍ଷେତ୍ରକୁ ବୁଝାଏ ଏବଂ ବ୍ୟକ୍ତିକୁ ନୁହେଁ । ତଥାପି ବି ଯଦି ଆମେରିକାର କୃଷି ଜନଗଣନାକୁ ହିସାବକୁ ନିଆଯାଏ, ସେଠି ବଡ଼ କୃଷି କ୍ଷେତ୍ରଗୁଡ଼ିକ ବଢ଼ି ଚାଲିଛି (ଯାହାକି ମୁଖ୍ୟତଃ କମ୍ପାନୀମାନଙ୍କ ହାତରେ ଅଛି) ଏବଂ କ୍ଷୁଦ୍ର କୃଷି କ୍ଷେତ୍ରଗୁଡ଼ିକ କମି କମି ଯାଉଛି । ଗୋଟିଏ ପରିସଂଖ୍ୟାନକୁ ଦେଖିଲେ ଜଣାଯାଏ ଯେ ୨୦୧୮ରୁ ୨୦୧୯କୁ ଆସିବାବେଳେ ଆମେରିକାରେ ୫ହଜାର ୮ଶହ କ୍ଷୁଦ୍ର କୃଷିକ୍ଷେତ୍ର ବର୍ଷକ ଭିତରେ ହ୍ରାସ ପାଇଛି । କିନ୍ତୁ ଅନ୍ୟପଟେ କୃଷି କ୍ଷେତ୍ରର ଆକାର ୨୦୧୮ ତୁଳନାରେ ୨୦୧୯ ବେଳକୁ ବଢ଼ି ଚାଲିଛି (୧ଏକରରୁ ଆରମ୍ଭ କରି ୪୪୪ ଏକର ଯାଏଁ) । ଆମେ ଯଦି ବେଦବ୍ରତଙ୍କ ପାଖକୁ ଫେରିଯିବା, ବଜାର ଅଭିମୁଖୀ କୃଷି ନୀତି ହେତୁ ଆମେରିକାର ମଧ୍ୟବର୍ଗର କୃଷିକ୍ଷେତ୍ରଗୁଡ଼ିକ ଉତ୍ପାଦନ ମୂଲ୍ୟ ବୃଦ୍ଧି ଯୋଗୁଁ ଯାହାକି ଗତ ୨୦ବର୍ଷ ଭିତରେ ତିନୋଟି ପର୍ଯ୍ୟାୟରେ ଆସିଛି, ସେମାନଙ୍କର ଆୟକୁ ବିପରୀତ ଦିଗକୁ ନେଇ ଯାଉଛି । ଅର୍ଥାତ୍ ଲାଭ ନୁହଁ, କ୍ଷତି ହେଉଛି । ଖୁଚୁରା ମୂଲ୍ୟରେ ଆମେରିକା ଚାଷୀର ଭାଗ ୧୯୫୦ ବେଳେ ଯାହା ୫୦ପ୍ରତିଶତ ଥିଲା, ତାହା ଆଜିର ଦିନରେ ୧୫ ପ୍ରତିଶତକୁ ଖସିଆସିଛି । ଆମେରିକୀୟ ଚାଷୀଙ୍କ ଋଣ ଭାର ୪୨ହଜାର ୫ଶହକୋଟି ଡ଼ଲାରରେ ପହଞ୍ଚିଛି । କୃଷକମାନେ ଋଣ ପରିଶୋଧ କରିପାରୁ ନାହାନ୍ତି ଓ ସେମାନଙ୍କୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରୁଛନ୍ତି । ଆତ୍ମହତ୍ୟା ପ୍ରତିରୋଧ ଫୋନ ଲାଇନରେ ଅଧିକସଂଖ୍ୟକ ନିବେଦନ ଆସୁଛି । ଆମେରିକାରେ ଆତ୍ମହତ୍ୟାର ଘଟଣା ହାରାହାରି ଯାହା ରହୁଛି, ସେଥିରେ କୃଷକମାନଙ୍କର ଆତ୍ମହତ୍ୟା ହାର ୪ରୁ ୫ଗୁଣ ବଢ଼ିଯାଇଛି । ଏମିତିକି ଋଣ ଆଦାୟ ପାଇଁ ବ୍ୟାଙ୍କ ମ୍ୟାନେଜର ଉପରେ ଚାପ ପଡ଼ୁଥିବା ବେଳେ ସେମାନଙ୍କ ଭିତରେ ବି ଆତ୍ମହତ୍ୟା ଘଟଣା ବଢ଼ୁଛି । ଆମେରିକାର ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରଟି ବିପନ୍ନ ହେଉଥିବାଯୋଗୁଁ ସେଠାକାର ଜିଲ୍ଲାମାନଙ୍କରେ ଜନସଂଖ୍ୟା ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇଲାଣି । କୃଷି କ୍ଷେତ୍ର ବିପନ୍ନ ହେଉଥିବା ଦୃଷ୍ଟିରୁ ଯେଉଁମାନେ ବିହନ ବିକୁଥିଲେ, ଖାଦ୍ୟ ଶସ୍ୟ ମହଜୁଦ କରିବା ପାଇଁ ଏଲିଭେଟର ଯୋଗାଉଥିଲେ, ଯେଉଁମାନେ କୃଷି ଯନ୍ତ୍ରପାତି ମରାମତି ଦୋକାନ ବସେଇଥିଲେ ଏବଂ ଏମିତିକି ଯେଉଁ ହସ୍ପିଟାଲଗୁଡ଼ିକ ରୋଗୀ ସେବା ଯୋଗାଉଥିଲେ, ସେମାନେ ଆସ୍ତେ ଆସ୍ତେ ଅପସରି ଗଲେଣି । ଏମିତିକି ଆଜିର ଦିନରେ ଆମେରିକାର ଗ୍ରାମାଞ୍ଚଳଗୁଡ଼ିକରେ ବର୍ଷକୁ ପ୍ରାୟ ୧ହଜାର ବିଦ୍ୟାଳୟ ବନ୍ଦ ହେଉଛି । ୧୯୫୦ରେ ଆମେରିକାର କୃଷକମାନଙ୍କ ସଂଖ୍ୟା ଯାହା ୨କୋଟି ୩୦ ଲକ୍ଷ ଥିଲା, ତାହା ମାତ୍ର ଏବେ ୨୦ଲକ୍ଷରେ ଆସି ପହଞ୍ଚôଛି । ଏଥିରୁ ଆମକୁ ଯେଉଁ ଦୃଶ୍ୟ ପଟ ମିଳୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କୃଷିକ୍ଷେତ୍ରର କମ୍ପାନୀକରଣ ହେଲେ କେଉଁ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହେଉଛି ସେ ଆମେରିକା ହେଉ ବା ଭାରତ! ଆମେ ଯେତେବେଳେ ଆମେରିକାକୁ ଆମର ଆଦର୍ଶ ମାନି କୃଷି କ୍ଷେତ୍ରର ତଥାକଥିତ ବିକାଶ ଆଣିବା ପାଇଁ ନୀତି ପ୍ରଣୟନ କରୁଛନ୍ତି, ତେବେ ଭାରତରେ ବି ସଙ୍କଟ ଭିତରେ ଯାଉଥିବା କୃଷିକ୍ଷେତ୍ର କେଉଁ ପ୍ରକାର ବିପର୍ଯ୍ୟୟ ଆଡ଼କୁ ଠେଲି ହେଇଯିବ ଏବଂ କମ୍ପାନୀମାନଙ୍କ ହାତରେ ଖାଦ୍ୟ ଉତ୍ପାଦନ ରହିଲେ ଆମର ଖାଦ୍ୟ ସାର୍ବଭୌମତା କିପରି ବିପନ୍ନ ହେବ, ତାହା ଅନୁମାନ କରାଯାଇ ପାରେ ।

ଜଣେ ଆମେରିକୀୟ ପ୍ରଫେସର ଜନ୍ ଇର୍କଡ଼ ବେଦବ୍ରତଙ୍କୁ କୁହନ୍ତି ଯେ, ସେଠି ମଧ୍ୟ ଆମେରିକାର ଗ୍ରାମାଞ୍ଚଳରେ ଖାଦ୍ୟ ନିରାପତ୍ତା ଏବଂ ପ୍ରଗତି ଆଣିବା ପାଇଁ ଆଇନ ପ୍ରଣୟନ କରାଯାଇଛି ବୋଲି କୁହାଯାଇଛି । ସେ ମଧ୍ୟ ସେ ସବୁକୁ ବିଶ୍ୱାସ କରୁଥିଲେ । କିନ୍ତୁ ଗୋଟିଏ ଦଶନ୍ଧି ମଧ୍ୟରେ କୃଷି କ୍ଷେତ୍ରରେ ଯେଉଁ ନକାରାତ୍ମକ ପ୍ରଭାବ ଆସିଲା, ତାହା ସ୍ପଷ୍ଟ ହେଇଗଲା । ଜମିର ପ୍ରାକୃତିକ ଉତ୍ପାଦନ କ୍ଷମତା ନଷ୍ଟ ହେଲା, ମୃତ୍ତିକା କ୍ଷୟ ହେଲା, ଜଳସ୍ତର ହ୍ରାସ ପାଇଲା ଏବଂ ଶେଷରେ ଯେଉଁ କୃଷକର ହିତ ପାଇଁ ଆଇନ ଅଣାଯାଉଛି ବୋଲି କୁହାଯାଉଥିଲା, ସେଠି କ୍ଷୁଦ୍ରଚାଷୀମାନେ ଭିକାରୀ ହୋଇଗଲେ । ଠିକ୍ ସେତିକିବେଳେ ବଡ଼ ବଡ଼ କୃଷି କମ୍ପାନୀମାନଙ୍କୁ ଟିକସ ମାଫ୍ କରାଯାଉଥିଲା, ଋଣ ଗ୍ୟାରେଣ୍ଟି ଦିଆ ଯାଉଥିଲା । କୃଷି କ୍ଷେତ୍ରର ଲାଭଗୁଡ଼ିକ ଏହି କମ୍ପାନୀଗୁଡ଼ିକ ଉଦରସ୍ତ କରୁଥିଲେ ଏବଂ ବୋଝଟି ଟିକସଦାତାଙ୍କ ଉପରେ ପଡ଼ୁଥିଲା । ଏହିସବୁ ପାଇଁ ବଜାର ଅଭିମୁଖୀ କୃଷି ନୀତି ପ୍ରଥମେ ଆଣିଥିବା ଆମେରିକୀୟ ରାଷ୍ଟ୍ରପତି ରୋନାଲଡ଼୍ ରିଗନ (୧୯୮୧-୮୯)ଙ୍କୁ ମୁଖ୍ୟତଃ ଆମେରିକୀୟ କୃଷକମାନେ ଦାୟୀ କରୁଛନ୍ତି ।

ଭାରତରେ ଯଦିଓ ସବୁଜ ବିପ୍ଳବ (୧୯୬୦ ଦଶକ) ସମୟରୁ ଅନ୍ତଃରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ପ୍ରଭାବ ବଢ଼ିଚାଲିଛି ଏବଂ କୃଷକ ଏଥିପାଇଁ କୃଷିକ୍ଷେତ୍ରରୁ ବିସ୍ଥାପିତ ତଥା ବିପନ୍ନ ହୋଇଚାଲିଛି, କିନ୍ତୁ ଚାଷ ଜମି କୃଷି କମ୍ପାନୀମାନଙ୍କ ହାତକୁ ଯିବାର ବ୍ୟବସ୍ଥା କରିବାଟା ଏବେ ମୋଦୀ ସରକାର ଆଣିଥିବା କଳାକୃଷି ଆଇନରୁ ଆରମ୍ଭ ହେବାକୁ ଯାଉଛି । ନିଜର ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ଉପଯୁକ୍ତ ଦରରେ ବିକ୍ରି କରିବା କ୍ଷେତ୍ରରେ ଚାଷୀ ଏବଂ ଖାଉଟିମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ରାଷ୍ଟ୍ର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମଦୃଷ୍ଟି’ର, ୧-୧୫ ଓ ୧୬-୩୧ମାର୍ଚ୍ଚ ୨୦୨୧ ରେ ଉପସ୍ଥାପିତ ହେଇଥିବା ଡ଼ଃ ବୀରେନ୍ଦ୍ର ନାୟକଙ୍କ ପ୍ରବନ୍ଧରୁ ତଥା ସେ ଉଦ୍ଧାର କରିଥିବା ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୁଏ । ଆମ ମତରେ ଭାରତରେ ଏବଂ ଓଡ଼ିଶାରେ ମୁଣ୍ଡ ଟେକିଥିବା ତିନି କଳା ଆଇନ ବିରୋଧି କୃଷକ ଆନ୍ଦୋଳନକୁ ଆମେ ସମସ୍ତେ ଅଧିକ ନିଷ୍ଠାର ସହିତ ବୁଝି ସେମାନଙ୍କ ସହ ଛିଡ଼ାହେବା ଦରକାର । ଏହି କଳା ଆଇନ ଶାସକ ଭାଜପା ଭିତରେ ବି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରି ସାରିଲାଣି । ମେଘାଳୟର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ ପଶ୍ଚିମ ଉତ୍ତରପ୍ରଦେଶରେ ଭାଷଣ ଦେଲାବେଳେ ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଆବେଦନ କରି ଦଳ ଭିତରେ ଥିବା ବିରୋଧାଭାଷର ପ୍ରମାଣ ଦେଇଛନ୍ତି । ଆମେ ଆଶା କରୁଛୁ ଦେଶର ଖାଦ୍ୟ ସାର୍ବଭୌମତାକୁ ଅକ୍ଷୁଣ୍ଣ ରଖିବାପାଇଁ ଆମେ ସାଧାରଣ କୃଷକର ସ୍ଥିତି ଅଧିକ ସୁରକ୍ଷିତ ଓ ଶକ୍ତ କରିବା ନିମନ୍ତେ ଆଗକୁ ଆସିବା । ଓଡ଼ିଶା ଭିତରେ କୃଷକମାନଙ୍କର ସ୍ୱରକୁ ଅଧିକ ସ୍ପଷ୍ଟଭାବେ ଜନଗଣଙ୍କ ପାଖରେ ପହଞ୍ଚାଇବା ପାଇଁ ‘ସଂଯୁକ୍ତ କିଶାନ ମୋର୍ଚ୍ଚା’ର ଛତ୍ରତଳେ ଯେଉଁସବୁ ସଂଗଠନମାନେ ଏକାଠି ହେଇ କାମ କରିଆସିଛନ୍ତି, ଆମେ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ଆଶା କରୁଛୁ ଯେ ସେମାନେ ସମସ୍ତେ ନିଜ ଭିତରେ ଥିବା ଭିନ୍ନତାକୁ ଭୁଲିଯାଇ, ଏକାଠି ହୋଇ ଏକ ଦୀର୍ଘସ୍ଥାୟୀ ଲୋକାଭିମୁଖି ପରିବର୍ତ୍ତନ ଆଣିବାପାଇଁ ପ୍ରୟାସ କରିବେ । ଆମେ ଭାରତର କୃଷକଶ୍ରେଣୀ ସପକ୍ଷରେ ଦୃଢ଼ ଭାବେ ଛିଡ଼ା ହେବାର ଆବଶ୍ୟକତା ଅଛି ।

କୃଷକଙ୍କ ସମର୍ଥନରେ ଡାକ୍ତର ଓ ବୈଜ୍ଞାନିକ

ଦିଲ୍ଲୀର ବିଭିନ୍ନ ସୀମାରେ ପଞ୍ଜାବ,ହରିୟାନା, ଉତ୍ତର ପ୍ରଦେଶ, ରାଜସ୍ଥାନ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ଦୀର୍ଘ ୩ରୁ ୪ମାସ ଧରି ଡେରା ପକାଇଥିବା ଆନ୍ଦୋଳନରତ କୃଷକମାନଙ୍କୁ ନିରନ୍ତର ଡାକ୍ତରୀସେବା ଯୋଗାଇ ଆସିଥିବା ଦିଲ୍ଲୀର ପ୍ରଗତିଶୀଳ ଡାକ୍ତର ଓ ବୈଜ୍ଞାନିକ ମଂଚ (Progressive Medicos and Scientists Forum) କୃଷକ ମାନଙ୍କ ଭିତରେ ପ୍ରେରଣା ଏବଂ ଉତ୍ସାହ ସୃଷ୍ଟି କରିଛି । ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ‘ଏମ୍ସ’ଠାରୁ ଆରମ୍ଭ କରି ଦିଲ୍ଲୀର ଅନ୍ୟାନ୍ୟ ମେଡ଼ିକାଲ କଲେଜମାନଙ୍କରେ କାର୍ଯ୍ୟରତ ବା ଅଧ୍ୟୟନରତ ଛାତ୍ର ଛାତ୍ରୀମାନେ ଏହି ମଂଚ ତଳେ ଏକାଠି ହୋଇ ଆନ୍ଦୋଳନରତ କୃଷକମାନଙ୍କୁ ବିନାମୂଲ୍ୟରେ ଡାକ୍ତରୀ ସେବା ଯୋଗାଇ ଆସିଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବଜାରୀକରଣକୁ ତିନିଦଶନ୍ଧି ଧରି ବିରୋଧ କରି ଆସିଥିବା ଏହି ମଞ୍ଚଟି ସ୍ୱାଭାବିକ ଭାବେ କୃଷିକ୍ଷେତ୍ରର ବଜାରୀକରଣକୁ ସହଜରେ ଗ୍ରହଣ କରିପାରି ନାହିଁ । ସେଥିପାଇଁ ହୁଏତ ଏମାନେ କୃଷିକ୍ଷେତ୍ରର ବଜାରୀକରଣକୁ ବିରୋଧ କରୁଥିବା କୃଷକମାନଙ୍କର ସମର୍ଥନରେ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆନ୍ଦୋଳନରତ କୃଷକମାନେ ଉପକୃତ ହେଉଛନ୍ତି ନିଶ୍ଚେ କିନ୍ତୁ କେହି କେହି ମଧ୍ୟ ଚକିତ ହୋଇ ପ୍ରଶ୍ନ କରୁଛନ୍ତି, ‘ଡ଼ାକ୍ତର ସାହେବ, ଆମ ପାଇଁ ତ ଏଇଟା ଗୋଟିଏ ଜୀବନ ମୃତ୍ୟୁର ପ୍ରଶ୍ନ; କିନ୍ତୁ ଆପଣମାନେ ଆମସାଙ୍ଗରେ ରହି ଏତେ ହଇରାଣ ହେଉଛନ୍ତି କାହିଁକି’ ।

ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । କିନ୍ତୁ ଗତ ତିନିଦଶନ୍ଧି ଧରି ଜନଆନ୍ଦୋଳନର ରାଜ୍ୟ କୁହାଯାଉଥିବା ଓଡ଼ିଶାରେ ଡାକ୍ତରମାନଙ୍କର ଭୂମିକା ସାମାନ୍ୟତମ ବି ନାହିଁ । ସରକାରୀ ନିର୍ଯାତନାର ଶିକାର ହୋଇ ସବୁପ୍ରକାର ସୁବିଧାରୁ ବାସନ୍ଦ ହୋଇ ଏକଘରିଆ କରାଯାଇଥିବା ଓଡ଼ିଶାର ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନଗୁଡ଼ିକରେ ଅତି ଶୋଚନୀୟ ସ୍ୱାସ୍ଥ୍ୟଜନିତ ସ୍ଥିତି ଜାରୀ ରହିଥିଲା ବେଳେ, ସାମାଜିକ କର୍ମୀ ତଥା ଆନ୍ଦୋଳନକାରୀ ମାନଙ୍କର ନିବେଦନ ସତ୍ତ୍ୱେ ଓଡ଼ିଶାର ଡାକ୍ତରୀସମାଜ ପାଦ ଦେଇନାହାନ୍ତି । କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜଠାରୁ ମାତ୍ର ୧ଘଣ୍ଟାର ରାସ୍ତା କଳିଙ୍ଗନଗର । ୨ଜାନୁଆରୀ ୨୦୦୬ ମସିହାରୁ ୨୦୧୦ ଭିତରେ ଗୁଳିକାଣ୍ଡ ଠାରୁ ଆରମ୍ଭ କରି ରବର ବୁଲେଟ ମାଡ଼ ଏବଂ ପ୍ରଦୂଷଣ ଯୋଗୁଁ ବ୍ୟାପିଥିବା କୀଡୀନ ରୋଗରେ ଶିକାର ହୋଇ ବହୁତ ଲୋକ ମୃତ୍ୟୁବରଣ କଲେ । କେବଳ ଗାନ୍ଧୀବାଦୀ ଆୟୁର୍ବେଦିକ ଡ଼ାକ୍ତର ବିଶ୍ୱଜିତ୍ ରାୟ ଏକମାତ୍ର ଡ଼ାକ୍ତର ଯିଏକି ସେଠାରେ ଶିବିର ପକାଇ ଲୋକଙ୍କ ଦେହରେ ପଶିଥିବା ରବର ବୁଲେଟ ବାହାର କରି ସେମାନଙ୍କୁ ସେବା ଯୋଗାଇଥିଲେ । ଓଡ଼ିଶାର ଡ଼ାକ୍ତରମାନେ ସମ୍ପୂର୍ଣ୍ଣ ନୀରବ ରହିଥିବାବେଳେ, ବାହାର ରାଜ୍ୟରୁ ଡାକ୍ତରମାନେ ସେଠାକୁ ଆସି ସରକାରୀ ଓ କମ୍ପାନୀ ହିଂସା ତଥା ନିର୍ଯାତନାର ଶିକାର ହୋଇଥିବା ଲୋକମାନଙ୍କୁ କେବେ କେମିତି ସେବା ଯୋଗାଇଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ନିର୍ଯାତନା ଭୋଗୁଥିବା ୩୦ରୁ ଅଧିକ ଜନ ଆନ୍ଦୋଳନ / ପ୍ରତିରୋଧ ଏବେ ବି ଓଡ଼ିଶାର ପ୍ରଗତିଶୀଳ ଡ଼ାକ୍ତର ଓ ବୈଜ୍ଞାନିକମାନଙ୍କର ସେବା ଅପେକ୍ଷାରେ ।

Photo Credit- https://bit.ly/3lC9Ube

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.