କେଉଁ ଏକ ପ୍ରବାସରେ ସେମାନଙ୍କ ପରିଚୟ ହୁଏ । ପରିଚୟରୁ ପ୍ରେମ ଓ ଲକଡ଼ାଉନ୍ ସମୟରେ ବାହା ହୁଅନ୍ତି । ଦାଦନ ଜୀବନ; ବିବାହର ଦୁଇମାସ ପରେ ପୁଣି ଦାଦନ ଯା’ନ୍ତି । ଏଥର ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଦଲାଲ ନିକଟରୁ ଅଗ୍ରୀମ ନିଅନ୍ତି । ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଜିଲ୍ଲାର ଗୁରୁଡୁପେଟା ଗାଁ ନିକଟସ୍ଥ ଗୋଟିଏ ଇଟାଭାଟିରେ କାମ କଲେ । ସାଙ୍ଗରେ ଛତିଶଗଡ଼ ରାଜ୍ୟର କେତୋଟି ପରିବାର ଏବଂ ଓଡ଼ିଶାର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍କୁଲଯିବା ବୟସର ପିଲାଛୁଆଙ୍କ ସହ ୧୫୦ ଜଣ ଦାଦନ ଖଟୁଥିଲେ । ମୋଟ ୧୮୦ ପାଖାପାଖି ଦାଦନ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଥିଲେ ।
ନଭେମ୍ବର-୨୦୨୦ରୁ ଏଲ୍ ଏନ୍ ସି ଇଟାଭାଟିରେ ଦାଦନ ଖଟୁଥିବା ଏହି ଶ୍ରମିକମାନେ ନିର୍ଯାତିତ ହେଉଥିବା ଅଭିଯୋଗ କରନ୍ତି । ଘଟଣାକ୍ରମରେ ପୋକଲିନ-୧୧୦ ଗାଡ଼ି ଯାହା ମାଟି କାଢୁଥିବାବେଳେ ନିକଟରେ ଖେଳୁଥିବା ଦୁଇଜଣ ଶିଶୁଙ୍କ ଦେହରେ ମାଟି ଅତଡ଼ା ଖସିଗଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଯିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲା ।
ଏତେବଡ଼ ଦୁର୍ଘଟଣା ବିଷୟରେ କୌଣସି ଆନୁଷଙ୍ଗିକ ପଦକ୍ଷେପ ନେବା ବ୍ୟତୀତ ଇଟାଭାଟି ମାଲିକ ଭାସ୍କର ରେଡ୍ଡୀ ଶ୍ରମିକମାନଙ୍କୁ ଡରେଇଲେ ଯେ ଏହି ଘଟଣା ବିଷୟରେ କାହାକୁ କିଛି କହିବେ ନାହିଁ । ସେପଟେ ଆହତ ଓ ମୃତ ପରିବାରକୁ ଡାକ୍ତରଖାନା ନେଉଛୁ କହି ଭାସ୍କରର ଲୋକେ ଇଟାଭାଟିରୁ ନେଇଗଲେ । ଉକ୍ତ ଦୁଇ ଶିଶୁଙ୍କ ପରିବାର ଆଉ ଭାଟିକୁ ଫେରିଲେ ନାହିଁ । ଇଟାଭାଟିରେ କାମ କିପରି ସାମାନ୍ୟଭାବେ ଚାଲିବ, ସେ ଚେଷ୍ଟାରେ ଭାଟିମାଲିକ ରହିଲେ । କିନ୍ତୁ ଶ୍ରମିକମାନେ କାମ ନ କରି ଅନଶନ କଲେ ଯେ ମୃତ ଓ ଆହତ ଶିଶୁଙ୍କ ପରିବାର କୁଆଡ଼େ ଗଲେ? ତାଙ୍କୁ ଏଠାକୁ ଅଣାଯାଉ ଏବଂ ତାଙ୍କର ଉପଯୁକ୍ତ ବ୍ୟବସ୍ଥା କରାଯାଉ । ନହେଲେ ଆମେ କାମ କରିବୁ ନାହିଁ ।
ଦାଦନମାନଙ୍କ ଏହି ଆନ୍ଦୋଳନକୁ ଭାଟିମାଲିକର ଲୋକ ମାଡ଼ ଓ ନିର୍ଯାତନା ଦେଇ ବନ୍ଦ କରେଇଦେଇଥିବା ଅଭିଯୋଗ କରନ୍ତି । ଏ ସମୟରେ ଦାଦନ ଶ୍ରମିକମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା କଥା ଦାଦନ ଶ୍ରମିକମାନେ କହନ୍ତି । ଆନ୍ଦୋଳନକୁ ଦମନ କରିବା ବେଳେ ମହିଳା, କି ପୁରୁଷ, କି ଛୁଆପିଲାଙ୍କୁ ଦେଖୁ ନ ଥିଲେ । ହାତରେ ଯାହା ପାଇଲେ ସେଥିରେ ବାଡ଼େଇଲେ । ଏପରିକି ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଗଧାଡ଼ିର କେତେକ ପରିବାରକୁ ମାଲିକଙ୍କ କାର୍ଯ୍ୟାଳୟକୁ ନେଇ ନିସ୍ତୁକ ମାଡ଼ ମରାଯାଇଥିଲା ବୋଲି ଅଭିଯୋଗ ହୋଇଛି ।
ଏହି ଦୁର୍ଘଟଣାର ପାଖାପାଖି ମାସେ ପରେ ଜାନୁୟାରୀ ୨୩, ୨୦୨୧ ଦିନ ସଦ୍ୟ ବାହା ହୋଇଥିବା ଉପରୋକ୍ତ ପ୍ରେମୀ ଯୁଗଳଙ୍କ ଉପରେ ବିପଦ ପଡ଼ିଲା । ଏହିଦିନ ଭାଟିମାଲିକ ଏବଂ ତାର ଅନ୍ୟ ବନ୍ଧୁ ଚାରିଜଣ ଏପରି ପାଂଚଜଣ ଉପରୋକ୍ତ ମହିଳା(୨୧)ଙ୍କୁ ଗଣଦୁଷ୍କର୍ମ କରିଥିଲେ । କୌଣସି ଏକ ନିଭୃତ ସ୍ଥାନରେ ଉଭୟ ପତିପତ୍ନୀଙ୍କୁ ରଖି ଆଠଦିନ ପର୍ଯ୍ୟନ୍ତ ନିର୍ଯାତନା ଦେବାପରେ ସେମାନେ କାମ କରିବା ପାଇଁ ଛାଡ଼ି ଦେଇଥିଲେ ।
କାର୍ଯ୍ୟସ୍ଥଳୀକୁ ଆସିବା ପରେ ମହିଳା ଜଣକ ନିଜର ସହକର୍ମୀମାନଙ୍କୁ ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହିଲେ । ଅନ୍ୟ ଦାଦନଙ୍କ ନିକଟରେ ଆଶ୍ୱାସନା ବ୍ୟତୀତ କିଛି ନ ଥିଲା । ପୀଡ଼ିତା ମହିଳାଜଣକ କଷ୍ଟରେ ଶୋଇଥିବାବେଳେ ମାଲିକର ଲୋକ ଆସି କାମ ନ କରି ଶୋଇଛୁ ବୋଲି ମାଡ଼ ମାରିଥିବା ବିଷୟ ବି ପୀଡ଼ିତାଙ୍କ ସହକର୍ମୀ କହନ୍ତି ।
ଅତ୍ୟାଚାର ସୀମାତୀତ ହେବାପରେ ଲୁଚି କରି ସେମାନେ ପଳେଇ ଆସୁଥିଲେ । ଭାଟିମାଲିକର ଲୋକ ଯାଇ ସେମାନଙ୍କୁ ଆଣି ମାଡ଼ମାରି ଗୋଟିଏ ଘରେ ବନ୍ଦ କରି ରଖିଲେ । ଇଟାଭାଟିର କଥା କୌଣସି ପ୍ରକାରେ ବାହାରକୁ ଗଲା । କେତେଜଣ ସାମାଜିକ କର୍ମୀଙ୍କ ସହାୟତାରେ ଘଟଣାଟି ସାମ୍ନାକୁ ଆସିଲା ଏବଂ ସ୍ଥାନୀୟ ପୋଲିସ ଆସି ମହିଳାଜଣକୁ ଡାକ୍ତରୀମାଇନା ପାଇଁ ନେଲେ ।
ପୀଡ଼ିତା ଏବଂ ତାର ସ୍ୱାମୀ ସହ ୧୨ଜଣ ଦାଦନଙ୍କୁ ଗୋଟିଏ ଗାଡ଼ିରେ ଓଡ଼ିଶା ପଠେଇଦେଲେ ।
ଓଡ଼ିଶା ଆସିବା ପରେ ଉପରୋକ୍ତ ଘଟଣା ଭିନ୍ନ ଥିଲା । ପୀଡ଼ିତା ମହିଳାଜଣକ କହିଲେ ସେଠାରେ ଇଟାଭାଟି ମାଲିକ ଅତ୍ୟାଚାର କରୁଥିଲେ, ଅର୍ଥାତ ମାଡ଼ ଦେଉଥିଲେ । ତାଙ୍କ ଅତ୍ୟାଚାରରେ ଅତିଷ୍ଠ ଏହି ଦୁଇଜଣ କିପରି ଗାଁକୁ ଫେରିବେ, ସେହି ଯୋଜନା କଲେ । ଏବଂ ନିଜ ପ୍ରତି ଦୁଷ୍କର୍ମ ହୋଇଥିବା ଭଳି ମିଥ୍ୟା କହି ସେମାନେ ଗାଁକୁ ଆସିବା ପାଇଁ ସମର୍ଥ ହେଲେ ।
ଘଟଣାର ଅଭିଯୋଗ ଇ-ମେଲ୍ ଯୋଗେ ବଲାଙ୍ଗିର ଜିଲ୍ଲା ଏସ୍ପି ଏବଂ ଜିଲ୍ଲାପାଳ ତଥା ଅନ୍ୟ ବିଭାଗକୁ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ କଥିତ ପୀଡ଼ିତା ତଥା ଅନ୍ୟ ସମସ୍ତଙ୍କ ବୟାନ ଏକାପରି ହୋଇଗଲା ।
ପୂର୍ବ ଘଟଣାମାନଙ୍କୁ ଦେଖିଲେ କେବଳ ଘରକୁ ଫେରିବା ପାଇଁ ଇଟାଭାଟି ମାଲିକଙ୍କ ପ୍ରତି ଏତେବଡ଼ ଗୁରୁତର ଅଭିଯୋଗ ଅଣାଗଲା । ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ସନ୍ଦେହ ଘେରକୁ ଆଣିଥାଏ । ଦାଦନପ୍ରବଣ ଅଞ୍ଚଳର ପୋଲିସ କୋଭିଡ଼୍-୧୯ ମହାମାରୀ ପରେ ମଧ୍ୟ ଦାଦନ ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିବା ଉଦାହରଣମାନ ମଧ୍ୟ ରହିଅଛି । ଦାଦନ ଯାଉଥିବା ଲୋକଙ୍କ ପାଇଁ ଆଇନ ରହିଅଛି । କିନ୍ତୁ ଉଦ୍ଧାର ପରି ଘଟଣା ଗୋଟିଏ କଥା ସ୍ପଷ୍ଟ କରେ ଯେ ଦାଦନ ଶ୍ରମିକମାନଙ୍କୁ ଆଇନ ଆଢୁଆଳରେ ସର୍ଦ୍ଦାରମାନେ ନେଇଥାନ୍ତି । ଏହା ଅବଧାରିତ । ଦାଦନ ଯାଆନ୍ତି ବ୍ୟବସାୟିକ ଦୃଷ୍ଟିରୁ ସରକାରୀ ଝନ୍ଟବାହାରେ ନିଜର ବ୍ୟବସ୍ଥା ଓ ଦାୟିତ୍ୱରେ ଦାଦନଙ୍କୁ ନେଇଥାନ୍ତି ।
ପୂର୍ବରୁ ଦାଦନ ସଂଖ୍ୟା ଲକ୍ଷାଧିକ ବୋଲି କହୁଥିବାବେଳେ ଏହାକୁ ସବୁବେଳେ ପ୍ରଶାସନ ଖଣ୍ଡନ କରି ଆସୁଥିଲେ । କିନ୍ତୁ କୋଭିଡ଼୍-୧୯ ମହାମାରୀ ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ଆସିବା ପାଇଁ ନାମ ପଞ୍ଜିକରଣ କରିବାର ଯେଉଁ ନିୟମ ରଖାଗଲା, ସେ ଅନୁସାରେ ଲକ୍ଷାଧିକ ଦାଦନ ନିଜର ନାମ ପଞ୍ଜିକୃତ କଲେ । ସୁତରାଂ ଏହା ଏକ ଲାଭଦାୟକ ବ୍ୟବସାୟ ବୋଲି ପ୍ରମାଣ ହୋଇଗଲା ।
ଦାଦନ ଚୋରାଚାଲାଣର ଅନେକ ପ୍ରକ୍ରିୟା ରହିଅଛି । ଲୋକଙ୍କୁ କାମ ଦରକାର; ସର୍ଦ୍ଦାରଙ୍କୁ ଲାଭ । ଏହି ଦୁଇପ୍ରକ୍ରିୟା ଭିତରେ ତମାମ ପ୍ରଶାସନିକ ବ୍ୟବସ୍ଥା ପାଖାପାଖି ଗୋଟିଏ ସହଯୋଗୀର କାମ କରିଥାଏ । ଏକଦା ଜଣେ ଦାଦନ ଦଲାଲ ଗଣମାଧ୍ୟମକୁ କହିଥିଲା ଯେ ଇଟାଭାଟି ପର୍ଯ୍ୟନ୍ତ ଶ୍ରମିକ ପରିବାରମାନଙ୍କୁ ପହଞ୍ଚାଇବା ଏକ ପ୍ରକ୍ରିୟା ରହିଥାଏ । ଏହି ପ୍ରକ୍ରିୟାରେ ଦାଦନ ଶ୍ରମିକମାନଙ୍କ ଘରକୁ ଯାଇ ସେମାନଙ୍କୁ ଦାଦନ ଯିବାକୁ ଠିକ୍ କରିବା । ଅଗ୍ରୀମ ଦେବା ଏବଂ ପ୍ରବାସ ସମୟରେ ଗାଁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଆଣିବା । ଏହା ପର ଟ୍ରେନ ଚଢ଼େଇ ତାଙ୍କୁ ଗନ୍ତବ୍ୟ ପର୍ଯ୍ୟନ୍ତ ନେବା । ଏହି ଅନ୍ତରାଳରେ ଯିଏ ବି ଆସେ, ତାହାକୁ ପାରିତୋଷିକ ଦେଇ ନିଜ କାମ ହାସିଲ କରିବା ।
ଟଙ୍କାର ଏକ ବଡ଼ ସ୍ରୋତ ଦାଦନ ଚାଲାନ ସମୟରେ ଦକ୍ଷିଣ ରାଜ୍ୟରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୋହିଥାଏ । ଏହି ସ୍ରୋତ ନିକଟରେ ଆଇନକାନୁନ ଆଦିର ବାହାନାରେ ପ୍ରାୟ ସମସ୍ତ ଲୋକ ଲାଭପଟକୁ ହିଁ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥାନ୍ତି । ଫଳତଃ ଅନେକ ଘଟଣା ଅମାନୁଷିକ ସ୍ତରକୁ ଗଲେ ବି ପ୍ରତିବାଦବିହିନ ଲୋକମାନେ କିଛି କରି ପାରିବେ ନାହିଁ; ଏହି ଆଶ୍ୱାସନା ଉଭୟ ସର୍ଦ୍ଦାର, ଭାଟିମାଲିକ ଓ ପ୍ରଶାସନ ନିକଟରେ ଥାଏ ।
ଦୁଇଜଣ ଶିଶୁ ଦୁର୍ଘଟଣା ହୋଇ ଜଣେ ମରିଯିବାର ଦୁଇମାସ ହେଲା; ଉଭୟ ବଲାଙ୍ଗିର ଓ ନୂଆପଡ଼ା ପ୍ରଶାସନ ନିକଟରେ ଏହାର ଖବର ନାହିଁ । ଦୀର୍ଘଦିନ ହେଲା ଯଦିବା ଦୁଷ୍କର୍ମ ଘଟଣା ଏକ ପ୍ରାୟୋଜିତ ନାଟକର ଏକ ଅଂଶ; ତଥାପି ବି ପ୍ରଶାସନ ନିକଟରେ ଅଭିଯୋଗ କରୁଥିବା ମାଲିକର ମାଡ଼ ଓ ଅତ୍ୟାଚାର ବିଷୟରେ ପ୍ରଶାସନ ଜାଣିପାରିଲା ନାହିଁ? ଏହା ହିଁ ପ୍ରଶ୍ନ ତମାମ ଦାଦନ ପ୍ରକରଣର ।
ଦାଦନ ବିଷୟକ ସମସ୍ତ ଅନୁକ୍ରିୟା ଏକ ବ୍ୟବସ୍ଥିତ ଧାରାରେ ହୋଇଥାଏ ।
ପ୍ରଥମତଃ ଲକ୍ଷଲକ୍ଷ ଲୋକଙ୍କୁ ଏକ ସମୟରେ ଛଅରୁ ଆଠମାସ ନିରନ୍ତର କାମ ଯୋଗାଇ ଦିଆଯାଏ । ଦକ୍ଷିଣ ରାଜ୍ୟର ଏତେବଡ଼ କର୍ମ ନିୟୋଜନ ଶ୍ରମଆଇନ ଥିବାସତ୍ତ୍ୱେ ଘରୋଇ ତଥା ବ୍ୟକ୍ତିଗତ ସଂସ୍ଥା ଶ୍ରମଶକ୍ତି ପୁରା କରିବା ଦାୟିତ୍ୱ ନେଇଥାନ୍ତି । ସମସ୍ତ କାମ ମଧ୍ୟସ୍ଥି ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ସର୍ଦ୍ଦାର ଶ୍ରମିକ ଠିକ କରିବ, ସେମାନଙ୍କୁ ବିଭିନ୍ନ ଗାଁରୁ ଆଣି ରେଳ ଯୋଗେ ଗନ୍ତବ୍ୟକୁ ପଠାଇବ । ସେଠାରେ ସମସ୍ତ ଶ୍ରମିକ କାମ କରିବେ ଏବଂ ତାଙ୍କ ପାରିଶ୍ରମିକର ଉଚିତ ହିସାବ କରି ପୁଣି ନିଜ ନିଜ ଗାଁକୁ ଫେରିବେ । ଏକ ସୀମିତ ସମୟରେ ଲକ୍ଷାଧିକ ଲୋକ ଦକ୍ଷିଣରାଜ୍ୟକୁ ଯିବେ । ସେଠାରୁ ଫେରିଲାବେଳେ ମଇ-ଜୁନ୍ ମାସରେ ଏକାସଙ୍ଗେ ଗାଁକୁ ଫେରିବେ । ଏହି ଯିବା ଆସିବା ପାଇଁ କୌଣସି ସୁବିଧା ନାହିଁ । ଯେତେସଂଖ୍ୟକ ରେଳଗାଡ଼ି ଚାଲୁଛି, ସେହି ସାଧନରେ ହିଁ ସମସ୍ତ ଦାଦନ ଯିବା ଆସିବା କରିଥାନ୍ତି । ଓଡ଼ିଶା ଦାଦନ ପ୍ରବଣ ଜିଲ୍ଲାମାନଙ୍କରୁ ଯାଉଥିବା ଦାଦନ ଯୋଗୁଁ ହିଁ ଏହି ଯିବା ଆସିବା ସମୟମାନଙ୍କରେ ରେଳ ଟିକେଟ ବିକ୍ରି ବହୁତ ବଢ଼ିଯାଇଥାଏ । ଦୀର୍ଘ ଦଶନ୍ଧି ଧରି ଏହି ପ୍ରକ୍ରିୟା ଚାଲୁଥିଲେ ମଧ୍ୟ ରେଳବିଭାଗ ସ୍ୱତନ୍ତ୍ର ରେଳଗାଡ଼ି ପାଇଁ କେବେ ବି ପ୍ରୟାସ କରିନାହାନ୍ତି । ଅପରନ୍ତୁ ସଂପୃକ୍ତ ଅଞ୍ଚଳର ପୋଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିଜର ସାମର୍ଥ୍ୟ ବୃଦ୍ଧି କରିଥାଏ ।
ଶ୍ରମ ଆଇନରେ ଗମନାଗମନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପ୍ରାବଧାନ ଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ । ଦାଦନ ସର୍ଦ୍ଦାର ନିକଟରେ ଲୋକଙ୍କ ହିସାବ ରହେ, କିନ୍ତୁ ସରକାରୀ ବିଭାଗ ନିକଟରେ ଏପରି କୌଣସି ହିସାବ ରଖିବା କଥା କେହି କେବେ ଜାଣି ନାହାନ୍ତି । ଯେଉଁ ହିସାବ ଦିଆଯାଏ, ତାହା ଧର୍ମକୁ ଆଖିଠାର ମାତ୍ର ହୋଇଥାଏ । ଦକ୍ଷିଣ ରାଜ୍ୟକୁ ମୁଖ୍ୟତଃ ଇଟାଭାଟିକୁ କାମ କରିଗଲାବେଳେ ସର୍ଦ୍ଦାର ନିକଟରୁ ଅଗ୍ରୀମ ନେଇଥାନ୍ତି । ତେଣୁ ଏମାନେ ଦାଦନ । ଏହାକୁ ମାନବ ଚାଲାଣ ବୋଲି କହିଥାନ୍ତି । କିନ୍ତୁ ଦେଖାଯାଇଛି ଶ୍ରମିକ ନିଜେ କାମ କରିବା ମୂଲଚାଲ କରିଥାଏ । ଏହା ତେଣୁ ମାନବ ଚାଲାଣ ଅଭିଯୋଗ ପରିସରଭୁକ୍ତ ହୋଇପାରେ ନାହିଁ । କିନ୍ତୁ କୌଣସି ପୀଡ଼ିତ ଦାଦନ ସମୁଦାୟକୁ ଉଦ୍ଧାର କଲାବେଳେ ଅନେକ ଉଦାହରଣ ରହିଅଛି ଯେ ଗୋତି ଶ୍ରମିକ ପ୍ରମାଣପତ୍ର ସଂପୃକ୍ତ ଅଞ୍ଚଳର ସରକାର ଦେଇଥାନ୍ତି । ଏହି ଦୁଇ ବିରୋଧାଭାଷ ଧାରାରେ ଦାଦନ ଏକ ପ୍ରଶ୍ନବାଚୀ ହୋଇଯାଏ ଯେମିତି ।
ଲୋକଙ୍କ ନିକଟରେ କାମ ନାହିଁ । ଲୋକେ ନିଜର ପେଟ ପୁରାଇବା ପାଇଁ କାମ କରିଯାଆନ୍ତି । ଏହାହେଲା ସରଳଭାଷାରେ ଦାଦନ । କାମ କରିଯିବା ପାଇଁ ତାଙ୍କୁ ସମ୍ବିଧାନ ମଧ୍ୟ ସ୍ୱୀକୃତି ଦେଇଥାଏ । ଏଥିପାଇଁ ଶ୍ରମ ଆଇନ ରହିଅଛି । ସୁତରାଂ ସମସ୍ତ ପ୍ରକ୍ରିୟା ଏକ ବ୍ୟବସ୍ଥିତ ଢଙ୍ଗରେ ହେବା ପାଇଁ କୌଣସି ଅସୁବିଧା ନାହିଁ । ତଥାପି ବି ଦାଦନଙ୍କୁ ନେଇ ଅମାନୁଷିକ ଉଦାହରଣମାନ ଯୋଡ଼ିହୁଏ କାହିଁକି?
ଶ୍ରମଶକ୍ତିର ଆପୂର୍ତ୍ତି ହୋଇଯାଏ । ପ୍ରଶାସନ କିଛି ଖଜଣାନେଇ ଜଣକୁ ଶ୍ରମିକ ନେବାର ଅନୁମତି ମଧ୍ୟ ଦିଏ । କିନ୍ତୁ ଏହି ଅନୁମତି ପତ୍ରରେ ଦର୍ଶାଯାଇଥିବା ସଂଖ୍ୟା ସ୍ୱଳ୍ପ ଏବଂ ମିଛ ଥାଏ । କାରଣ ଜଣେ ଶହେ ଜଣ ଶ୍ରମିକର ଅନୁମତିପତ୍ର ନେଇ ହଜାରେ ଶ୍ରମିକ ଅନାୟାସରେ ନେଇ ପାରେ । ଏହା ହିଁ ବ୍ୟବସାୟ । କାରଣ ଅନୁମତି ସଂଖ୍ୟା ବାହାରେ ଥିବା ଶ୍ରମିକମାନଙ୍କୁ ନେଇ ଖେଳ ହୁଏ । ବ୍ୟବସ୍ଥିତ ଖେଳ । ଖାସ ଏଥିଯୋଗୁଁ ହିଁ ଶ୍ରମ ଅଧିକାରୀ ଏବଂ ଉଚ୍ଚ ଶ୍ରମ ଅଧିକାରୀ ଟଙ୍କା ନେବା ସମୟରେ ଧରା ପଡ଼ନ୍ତି । କେବଳ ସେମାନେ ନୁହନ୍ତି; ଶାସନ ଓ ପ୍ରଶାସନ ସହ ଜଡ଼ିତ ଗୋଟିଏ ବଡ଼ସମୂହ ଏଥିରୁ ଲାଭ ପାଇଥାନ୍ତି । ଏହି ଲାଭପାଇବା କ୍ରମେ ଏକ ଦାବୀତୁଲ୍ୟ ପାଉଣା ହୋଇ ସାରିଲାଣି । ଏଥିରେ ଅପରାଧବୋଧର ପ୍ରଶ୍ନ ହିଁ ନାହିଁ । ତେଣୁ କୌଣସି ଘଟଣାକୁ ଇଟାଭାଟି ମାଲିକର ବୟାନ ସହ ସମାନ ସମସ୍ତଙ୍କ ବୟାନ ହୋଇଥାଏ ।
ଯେମିତି ସମ୍ପୃକ୍ତ ମହିଳାଜଣକ ନିଜ ପ୍ରତି ହୋଇଥିବା ଅତ୍ୟାଚାରର ଅଭିଯୋଗ ହଠାତ ଏକ ପ୍ରାୟୋଜିତ ନାଟକର ଅଂଶ ହୋଇଯାଏ । ଶିଶୁଙ୍କ ମୃତ୍ୟୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା ଏକ ଘଟଣା ହୋଇ ରହିଯାଏ । ଯେଉଁମାନେ ଏହାର ଦାୟିତ୍ୱ ନେବାକଥା , ସେମାନେ ଏହାକୁ ଭୁଲିବାକୁ ଚାହାନ୍ତି । କାରଣ କେତେ ଅଭିଯୋଗ ଏପରି ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଥିବ?
ଏସବୁ ଅତ୍ୟାଚାରମାନ ଦାଦନଙ୍କ ପାଇଁ ଏକ ଘଟଣା ମାତ୍ର । ବଞ୍ଚôବା ଭିତରେ ଏପରି ଅନେକ ଦୁଃଖ ଓ ଅତ୍ୟାଚାର ଦେଖିଛି ଏ ମଣିଷ; ଯେଉଁଦିନୁ ଶାସକ ବୋଲି ଜନ୍ତୁଟିଏ ନିଜକୁ ଭଗବାନ ବୋଲି ଶାସନ କରିବା ଆରମ୍ଭ କଲା, ସେହିଦିନୁ । ତାହା ରାଜତନ୍ତ୍ର ହେଉ ଅବା ଗଣତନ୍ତ୍ର; ସେହି ଏକା କଥା ।
ବଲାଙ୍ଗିର କିମ୍ବା ନୂଆପଡ଼ା ଜିଲ୍ଲା ପ୍ରଶାସନ ନିକଟରେ ଏପରି କୌଣସି ଖବର ନଥିଲା । ଫେବୃୟାରୀ ୧୨ତାରିଖ ଦିନ ଖବର ପାଇ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କଲାବେଳକୁ ପୀଡ଼ିତା ଓ ତାର ସ୍ୱାମୀ ସହ ଅନ୍ୟ ୧୨ଜଣ ଦାଦନ ବଲାଙ୍ଗିର ଫେରିଲେ । ଶ୍ରମ କାର୍ଯ୍ୟାଳୟକୁ ସମସ୍ତଙ୍କୁ ନିଆଗଲା କିନ୍ତୁ ପୀଡ଼ିତା ଓ ତାର ସ୍ୱାମୀକୁ ନିଜ ଘରକୁ ପଠେଇଦେଲେ । ଏପଟେ ପ୍ରଶାସନ ଗୋଟିଏ ସ୍ୱତନ୍ତ୍ର ଟିମ ତିଆରି କରି ପେଦାପଲ୍ଲୀ ପଠେଇବା ପ୍ରକ୍ରିୟା ଆରମ୍ଭ କଲାବେଳକୁ ସେପଟୁ ସମସ୍ତେ ଫେରି ଆସିଲେ ।
ପ୍ରଶାସନ କହିଲା ୧୫୦ ନୁହେଁ, କେବଳ ୧୨ଜଣ ଶ୍ରମିକ ଇଟାଭାଟିରେ କାମ କରୁଥିଲେ । ଶିଶୁଙ୍କ ଦୁର୍ଘଟଣାର କୌଣସି ସତ୍ୟତା ନାହିଁ । ସମସ୍ତଙ୍କୁ ସେଠାକାର ପ୍ରଶାସନ ଉଦ୍ଧାର କରି ନିଜ ଗାଁକୁ ପଠେଇଦେଲେ ।
ବାସ୍ ଆଉ ଏକ ଦୁର୍ଘଟଣାର ପ୍ରକରଣ ସରିଗଲା ।
କାହିଁକି ଦାଦନ ପ୍ରତି ଅତ୍ୟାଚାର ହୁଏ? ସମସ୍ତ ଆଇନ ଥିବା ସତ୍ତ୍ୱେ ଏହାର କାର୍ଯ୍ୟକାରିତା ନାହିଁ କାହିଁକି?
ଏହାର ସରଳ ଉତ୍ତର ଏହା ଯେ ଦାଦନ ଚାଲାଣରେ ବାର୍ଷିକ ଯେଉଁ ଆକାରରେ ଓ ଯେଉଁ ପ୍ରକ୍ରିୟାରେ ଟଙ୍କା କାରବାର ହୁଏ, ତାହା ଏକ ମନୋମୁଗ୍ଧକର ଓ ଆକର୍ଷଣୀୟ ପ୍ରକ୍ରିୟା । ଏହି ପ୍ରକ୍ରିୟା ହିଁ ସମୟ ସହ ଦାଦନ ବ୍ୟବସାୟକୁ ସୁରକ୍ଷିତ ରଖି ଆସିଅଛି ।
ଗୋଟିଏ ହଜାର ଇଟା ତିଆରି କରିବାକୁ ଗୋଟିଏ ପଥୁରିଆ (ତିନିଜଣ ଶ୍ରମିକ) ତିନିରୁ ଚାରିଘଣ୍ଟା ସମୟ ନିଅନ୍ତି । ଏତିକି ପରିଶ୍ରମ ପାଇଁ ତାଙ୍କୁ ମିଳେ ୨୬୦ଟଙ୍କା । ଇଟା ବିକି୍ର ହୁଏ ଦଶହଜାର ଟଙ୍କାରେ । ଏତେବଡ଼ ଅନ୍ତର ଲାଭର ପରିମାଣକୁ ଇଙ୍ଗିତ କରିଥାଏ । ଗୋଟିଏ ପଥୁରିଆ କାର୍ଯ୍ୟସ୍ଥଳୀକୁ ପହଞ୍ଚାଇବା ପାଇଁ ଅଗ୍ରୀମ ସହ ସର୍ଦ୍ଦାରକୁ ଦିଆହୁଏ ଅଶି ହଜାର ଟଙ୍କା । ଏହି ଟଙ୍କା ଅଗ୍ରୀମ ଓ ଗମନାଗମନରେ ଖର୍ଚ୍ଚ ହୁଏ । ଶ୍ରମିକମାନଙ୍କୁ ସୁଗମତାର ସହ କାର୍ଯ୍ୟସ୍ଥଳୀକୁ ପହଞ୍ଚାଇବା ପାଇଁ ଯେତେସବୁ ବିଭାଗ ଆସିଥାନ୍ତି, ସମସ୍ତଙ୍କ ପାଇଁ କିଛି ନା କିଛି ଉପହାରର ପ୍ରାବଧାନ ବି ରହିଥାଏ ।
ଏକ ସରଳ ଗଣିତ । କମ୍ ଟଙ୍କାରେ ନିରନ୍ତର କାମ କରୁଥିବା ଦାଦନଶ୍ରମିକ ଯୋଗୁଁ ଲାଭର ଏକ ଛୋଟଅଂଶ ଦେଇ ସମସ୍ତ ପ୍ରକରଣର ସୁଗମତା ତିଆରି କରାଯାଇପାରେ । ଏହା ହିଁ ଦାଦନ ବ୍ୟବସାୟର ସରଳ ଅର୍ଥନୀତି ।
ପ୍ରଶାସନର କୌଣସି ହସ୍ତକ୍ଷେପ ରହେ ନାହିଁ । ଯଦି କୌଣସି ଅଭିଯୋଗ ଆସିଲା ତାହା କାର୍ଯ୍ୟାନୁଷ୍ଠାନ ନିଆଯାଏ । ଫଳ ହୁଏ ଉପରୋକ୍ତ ଅତ୍ୟାଚାରିତମାନଙ୍କ ଅଭିଯୋଗର ଫଳାଫଳ ଭଳି । ଗୋଟିଏ ମୋଟାଅଙ୍କର ଟଙ୍କା କମ ସମୟ ମଧ୍ୟରେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ଆସିଥାଏ । ଏହି ପରିମାଣ ଟଙ୍କା ବଜାରକୁ ଚଞ୍ଚଳ ରଖେ । ମୁଖ୍ୟତଃ ସୁନାବଜାର ବେଶ୍ ଲାଭ ନିଏ । କାରଣ ଗରିବ ଲୋକଙ୍କ ଲାଗି ସଞ୍ଚୟର ଏକ ମୁଖ୍ୟ ମାଧ୍ୟମହେଲା ସୁନା । ସୁନା କିଣିବା ସହ ଦରକାର ବେଳେ ଏହି ସୁନାକୁ ମହାଜନ ପାଖରେ ବନ୍ଧକ ରଖି ନିଜର ଆନୁଷଙ୍ଗିକ କାମ ଦାଦନ ଶ୍ରମିକମାନେ ତୁଲାଇଥାନ୍ତି । ବିବାହାଦି ସାମାଜିକ ଉତ୍ସବ ମଧ୍ୟ ସୂଚାରୁ ରୂପେ ପାଳନ କରିପାରନ୍ତି । ଫଳତଃ ଦାଦନ ଶ୍ରମିକ ହୋଇ ଯିବାଲୋକଙ୍କୁ ଏକ ପ୍ରକାର ଆୟର ସରଳ ପନ୍ଥା ଦେଇଥାଏ ।
ଏତେ ଶ୍ରମଶକ୍ତି ଏକାସଙ୍ଗେ ଗୋଟିଏ ଅଞ୍ଚଳରୁ ଉଭାନ ହୋଇ ଯାଇଥାନ୍ତି । ଏମାନଙ୍କ ଅଭାବ ଲୋକେ ଜାଣିପାରନ୍ତି ନାହିଁ । ଦୁଇ ଦଶନ୍ଧି ପୂର୍ବରୁ ଶ୍ରମଶକ୍ତି ଅଭାବକୁ ଲୋକେ ଅନୁଭବ କରୁଥିଲେ, ମୁଖ୍ୟତଃ ଚାଷ ସମୟରେ । କିନ୍ତୁ ଟ୍ରାକ୍ଟର ଆଦି ଯନ୍ତ୍ରର ବହୁଳତା ହେବା ପରେ ଏହି ଅଭାବ ରହୁନାହିଁ । ଅନ୍ୟ ଏକ ଦାଦନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏମ ଜି ଏନ ଆର ଇ ଜି ଏ ; ନିଶ୍ଚିତ ଭାବେ ଏହା ସମୟପୋଯୋଗୀ କାର୍ଯ୍ୟକ୍ରମ । ଲୋକଙ୍କ ନିକଟକୁ ଟଙ୍କା ପହଞ୍ଚାଇ ତାଙ୍କର କ୍ରୟ କ୍ଷମତା ଓ ଖାଦ୍ୟ ସୁରକ୍ଷା ପାଇଁ ବେଶ୍ ସହାୟକ ହୋଇଥାଏ । କିନ୍ତୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା ପରେପରେ ଅତ୍ୟାଧୁନିକ ମେସିନ ସାହାଯ୍ୟରେ କାମ ନିଆ ଯାଉଛି । ଜେସିବି, ଟ୍ରାକ୍ଟର ଆଦି ଯନ୍ତ୍ର ମଣିଷର କାମ କରିଥାଏ । ତଥାପି ବି ଅନେକ ଏଥିରୁ ଉପକୃତ ହୋଇଥାନ୍ତି, ଏହା ନିଃସନେ୍ଦହ । ଦେଖାଯାଇଛି ଏମଜିଏନଆରଇଜିଏ କାମ ଆସିଲା ପରେ ଏହି ସମସ୍ତ ଯନ୍ତ୍ରଯାନର ଭିଡ଼ ବେଶି ଦେଖିବାକୁ ମିଳୁଛି । ମାନବୀୟ ଶ୍ରମ ଅପେକ୍ଷା ଯନ୍ତ୍ର ଦ୍ୱାରା ଅନେକ କାମ କରାଯାଉଛି । ତାହା ବି ମାନବୀୟ ଶ୍ରମ ନାମରେ ।
ଖାଦ୍ୟ ସୁରକ୍ଷା ଆଇନ ଗରିବ ଲୋକଙ୍କ ପାଇଁ ଏକ ବରଦାନ । ଏହା ଯେହେତୁ ଏକ ରାଷ୍ଟ୍ରୀୟ ଆଇନ ଓ ସରକାର ଏହାକୁ ବେଶ ସଜାଗ ହୋଇ ପରିଚାଳିତ କରିଥାନ୍ତି । ଏହି ଆଇନକୁ ପ୍ରବାସରେ ଦାଦନମାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇପାରନ୍ତା । ସରକାରୀ ଖାତାରେ ଦାଦନଶ୍ରମିକଙ୍କ ସଂଖ୍ୟା ଅଥବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମ୍ ଲେଖାଯାଏ । ଅନୁପସ୍ଥିତ ଦାଦନଙ୍କ ଚାଉଳ ଏକ ବଡ଼ବଜାର ତିଆରି କରେ । ଏପରିକି ରିସାଇକ୍ଲିଂ ସୁଯୋଗ ସୃଷ୍ଟି କରିଥାଏ । ଚାଷୀ ଯେତେବେଳେ ନିଜର ଧାନ ମଣ୍ଡିକୁ ନିଏ ତାହା ବିକି୍ର ନହୋଇ ପଡ଼ିରହେ । ସରକାର ଟୋକନ ବାଂଟନ୍ତି; ଭୁବନେଶ୍ୱରରୁ । କହନ୍ତି ଏହାଦ୍ୱାରା ଚାଷୀ ନିଜର ଧାନ ବିକି୍ର କରିବା ସୁଯୋଗ ପାଇବ ଏବଂ ଅଣ୍ଡରରେଟ ଆଦି ସମସ୍ୟାରୁ ନିସ୍ତାର ପାଇବ । କିନ୍ତୁ ଫଳ ସେତେ ଉତ୍ସାହିତ ହୋଇନଥାଏ । ମଣ୍ଡିରେ ଧାନ ପଡ଼ି ରହେ; ଚାଷୀ ବିଷ ପିଏ!
ସରକାରଙ୍କ ଅପେକ୍ଷା ଗୋଟିଏ ସମୂହ ଅଞ୍ଚଳର ଅର୍ଥନୀତି ଓ ଶାସନକୁ ନିଜ ଅକ୍ତିଆରରେ ରଖି ପାରିଛନ୍ତି । ଏହି ଅଭ୍ୟାସର ମୂଳଦୁଆ ୧୯୬୫ ବଡ଼ମକାର ସମୟରୁ ରହି ଆସିଅଛି । ଏହି ଦୀର୍ଘ ଅଭ୍ୟାସ ଆଇନ ବାଦ ଏକ ସମାନ୍ତର ଶାସନ ଚଲାଇଥାଏ । କେବଳ ଦାଦନ ପ୍ରକ୍ରିୟାରେ ଏକ ହଜାର କୋଟି ଟଙ୍କା ଗୋଟିଏ ବଜାରକୁ ଆସେ । ଏହି ଟଙ୍କା ଯାଏ କୁଆଡ଼େ? ନିଶ୍ଚିତ ଲୋକଙ୍କ ସାଧାରଣ ଜୀବନରେ ସୁଗମତା ଆଣେ । ବଜାରକୁ ଚଞ୍ଚଳ ରଖେ । ଅଞ୍ଚଳର ବ୍ୟବସାୟକୁ ସନ୍ତୁଳିତ ରଖିଥାଏ । ଏହି ପ୍ରକ୍ରିୟା ଏତେ ପ୍ରଭାବୀ ଯେ ସରକାରୀ କାର୍ଯ୍ୟକ୍ରମ ମାନ ମଧ୍ୟ ଏମାନଙ୍କ ଧାରାରେ ପରିଚାଳିତ ହୋଇଥାଏ । କୌଣସି ବାଧ୍ୟବାଧକତା ନାହିଁ । ଦାଦନ ଯିବେ ଏହା ଅବଧାରିତ; ଏହି ପ୍ରକ୍ରିୟାରେ ଆପଣଙ୍କ ଲାଭ ଏତିକି! ଏହା ହିଁ ସୂତ୍ର ଗୋଟିଏ ସରକାରୀ କର୍ମଚାରୀ କି ତଥାକଥିତ ଜନ ପ୍ରତିନିଧି ଲାଗି । ଗୋଟିଏ ସର୍ତ୍ତ ଅଭିଯୋଗ ହେବ ନାହିଁ । ଯଦି ହେବ, ତାହାର କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ଅଭିଯୋଗମାନ କ୍ରମ ଦୁର୍ବଳ ହୋଇ ଯାଇଥାଏ । ଯେପରି ପେଦାପଲ୍ଲୀର ଘଟଣା । ଯାହା ବି କାର୍ଯ୍ୟାନୁଷ୍ଠାନ ହୁଏ, ତାହା ଅତି ସାମାନ୍ୟ । ଲୋକଙ୍କୁ ଦେଖାଯାଏ ନାହିଁ କି ଦେଖିବାର ସୁଯୋଗ ନାହିଁ ।
ଗୋଟିଏ ପଟେ ଟଙ୍କା ଓ ଅନ୍ୟପଟେ ଆଇନ । ପରିତାପର ବିଷୟ ଏହା ଯେ ସବୁବେଳେ ଆଇନ ଦୁର୍ବଳରହେ । ତେଣୁ ଦାଦନ ସମେତ ଅନ୍ୟସବୁ ବ୍ୟବସାୟ ନିଜର ସୁଗମତା ରଖିପାରେ ।
ଉଦାହରଣ ଉପରୋକ୍ତ ପୀଡ଼ିତାକୁ ନିଆଯାଉ । ସେ ଯଦି ସତ କହୁଛି, ତାହା ବି ଅନୁସନ୍ଧାନସାପେକ୍ଷ ଏବଂ ମିଛ ମଧ୍ୟ ଗୋଟିଏ ଧର୍ତ୍ତବ୍ୟ ଅଭିଯୋଗ । କିନ୍ତୁ ସତ ନ ହେଲା ନାହିଁ ଏହାକୁ ବାଦ୍ ଦିଆଯାଉ । ପଶ୍ନ ହେଲା ଭାଟି ମାଲିକର ଅତ୍ୟାଚାରରେ ଅତିଷ୍ଠ ଦମ୍ପତ୍ତି ଶୀଳ ହରଣ ପରି ଅଭିଯୋଗ ଆଣିଲେ । ସେ ଅତ୍ୟାଚାର କେଉଁ ଧରଣର ହୋଇଥିବ? ଏହା ଉପରେ ପ୍ରଶାସନ ଚୁପ୍ ରହେ ।
ଏହା ହିଁ ତମାମ ପ୍ରକରଣର ପୀଡ଼ାଦାୟକ ଉତ୍ତର । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ମଣିଷମାନଙ୍କ ଓ ଅଞ୍ଚଳର ଭାଗ୍ୟଲିପି ହିଁ ଏହି ନିଷ୍କର୍ଷ
Photo Credit- https://bit.ly/37XDbtQ
Comments
0 comments