ବିତର୍କିତ ୩ କୃଷି ଆଇନ ୨୦୨୦ ସନ୍ଦର୍ଭରେ ଅତ୍ୟାବଶ୍ୟକ ସାମଗ୍ରୀ ନିୟନ୍ତ୍ରଣ ଆଇନ ଓ ନବକୃଷ୍ଣ ଚୌଧୁରୀ

ଭୂମିକା

ଗତ କିଛିମାସ ହେବ କୃଷକ ଆନ୍ଦୋଳନ ଚାଲିଛି । ଦିଲ୍ଳୀ ଭିତରେ ବିକ୍ଷୋଭ କରିବାକୁ କୃଷକଙ୍କୁ ବାରଣ କରାଯିବାରୁ ସେମାନେ ଦିଲ୍ଳୀର ସୀମାରେ ଏକାଠି ହୋଇଛନ୍ତି । ପଞ୍ଜାବ, ହରିୟାନା, ଉତ୍ତରପ୍ରଦେଶର କୃଷକମାନେ ଅଧିକ ସଂଖ୍ୟାରେ ଏକାଠି ହୋଇଥିବାବେଳେ, ଏହି ମାନଙ୍କ ସହିତ ଭାରତର ଅନ୍ୟାନ୍ୟ ପ୍ରଦେଶର କୃଷକମାନେ ମଧ୍ୟ ଏହି ସ୍ଥାନକୁ ଆସିଛନ୍ତି ବୋଲି ସମ୍ବାଦ ପତ୍ରରୁ ଜଣାଯାଏ ୧ । କିନ୍ତୁ ଆନ୍ଦୋଳନକାରୀ କୃଷକ ଯେପରି ଦିଲ୍ଲୀ ଭିତରକୁ ପଶି ନ ଆସନ୍ତି, ସେଥିପାଇଁ ଏହି ସୀମାରେ କାନ୍ଥ ଉଠାଇବା, କଣ୍ଟାବାଡ ଲଗାଇବା, ରାସ୍ତାକୁ ଖୋଳି ଦେବା ୨ ଦର୍ଶାଏ ଯେ ଏହି କୃଷକ ଆନ୍ଦୋଳନ ବେଶ୍ ତୀବ୍ର ହୋଇଛି ଯାହା ସରକାରଙ୍କୁ ବେଶ୍ ବିବ୍ରତ କରିଛି ଓ କରୁଛି । ଏହିପରି ବନ୍ଧବାଡ଼ର ବ୍ୟବସ୍ଥା କରାହେବା ପୂର୍ବରୁ ଗଣତନ୍ତ୍ର ଦିବସଦିନ କୃଷକ ଆନ୍ଦୋଳନକୁ ସଂଚାଳିତ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଦିଲ୍ଲୀ ଭିତରେ ପ୍ରଶାସନ ଅନୁମତି ଦେଇଥିବା ରାସ୍ତାମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବରେ ଟ୍ରାକ୍ଟର ର୍ୟାଲି କରିଥିଲା ଓ ଦିଲ୍ଲୀ ଅଧିବାସୀମାନେ ଏହି ରାଲୀକୁ ବହୁସ୍ଥାନରେ ଫୁଲମାଳ ଓ ମିଷ୍ଟାନ୍ନ ଦେଇ ସ୍ୱାଗତ କରିଥିବା ଦେଖାଯାଇଥିଲା ୩ । କିନ୍ତୁ ଏହି ସୁଯୋଗରେ ସଂଯୁକ୍ତ କିଷାନମୋର୍ଚ୍ଚାରେ ସାମିଲ ନଥିବା କୌଣସି ସଙ୍ଗଠନ ପ୍ରଶାସନ ଦ୍ୱାରା ଅନୁମତିପ୍ରାପ୍ତ ରାସ୍ତାରୁ ବିଚ୍ୟୁତ ହୋଇ ଯାଇ ଲାଲକିଲ୍ଲା ନିକଟରେ ପହଂଚିଥିଲା ୪ ଓ ଶିଖ ସମ୍ପ୍ରଦାୟର ଧ୍ୱଜ ‘ନିସାନ ସାହିବ’ ଲାଲକିଲ୍ଲା ଠାରେ ଉଡ଼ାଇଥିଲା, ଯଦିଓ ସବାଉପରେ ଭାରତୀୟ ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡୁଥିଲା ୫ । ଏପରି ଆଚରଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନାପସନ୍ଦ କରିଥିଲା ୬ । କିପରି ପ୍ରତିବନ୍ଧିତ ରାସ୍ତାରେ ଏହି ଗୋଷ୍ଠୀ ପ୍ରବେଶ କଲେ ଏବଂ ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇପାରିଲେ, ତାହା ପୁଣି ଗଣତନ୍ତ୍ର ଦିବସରେ, ଯେତେବେଳେ ଲାଲକିଲ୍ଲା ଚାରିପଟେଥାଏ ଅଭେଦ୍ୟ ସୁରକ୍ଷାର ବଳୟ, ତାହା ଅନୁସନ୍ଧାନର ବିଷୟ ୭ । କିନ୍ତୁ ଏହା ଯେ କୃଷକ ଆନ୍ଦୋଳନ ବିରୋଧୀ ଗୋଷ୍ଠୀକୁ ସମୁଦାୟ କୃଷକ ଆନ୍ଦୋଳନକୁ ନିନ୍ଦିତ କରିବାର ଏକ ପ୍ରତୀକ୍ଷିତ ଅବସର ଯୋଗାଇ ଦେଲା, ଏଥିରେ ସନ୍ଦେହ ନାହିଁ । ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଭାବରେ ସଂଯୁକ୍ତ କିଷାନମୋର୍ଚ୍ଚାର ନେତୃତ୍ୱରେ ହୋଇଥିବା ରାଲିର ପ୍ରଚାର ଦବିଗଲା, ଲାଲକିଲ୍ଲାଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃତ୍ୱ ଭିତରେ ନଥିବା କେତେକ ସଂଗଠନ ଦ୍ୱାରା ସଂଘଟିତ ବିଶୃଙ୍ଖଳା ବିଶେଷ ପ୍ରଚାରିତ ହେଲା । ବିଡ଼ମ୍ବନା ଯେ ଏଥିପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃବୃନ୍ଦଙ୍କୁ, ପୋଲିସ ପ୍ରଶାସନ ତରଫରୁ କୈଫିୟତ ତଲବ କରାଗଲା, ଲୁକ ଆଉଟ ନୋଟିସ ଜାରି କରାଗଲା । ପ୍ରଶାସନ ତରଫରୁ ଅଭିଯୋଗ ହେଲା ଯେ ପ୍ରଶାସନ ସହିତ ରାଜିନାମାର ଖିଲାଫ ଏହି ନେତୃବର୍ଗ କରିଛନ୍ତି ୮ ଅପରପକ୍ଷରେ କୃଷକ ସଙ୍ଗଠନମାନେ ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ୨୬ଜାନୁଆରୀ ଘଟଣା ଉପରେ ୯ ତେବେ କୃଷକ ନେତୃତ୍ୱ ଯେ ହତୋତ୍ସାହିତ ହୋଇନାହିଁ ବା ତାର ନେତୃତ୍ୱରେ ଆନ୍ଦୋଳନ ଥମିଯାଇ ନାହିଁ, ବରଂ ବୃଦ୍ଧି ପାଇଛି ତାହା ଦର୍ଶାଉଛି, ଯେ କୃଷକଙ୍କର ଅସନ୍ତୋଷ ତୃଣମୂଳ ସ୍ତରକୁ ଯାଉଛି । ଦିଲ୍ଲୀ ସୀମାରେ ବ୍ୟାରିକେଡ ନିର୍ମାଣ, କଣ୍ଟାତାରବାଡ଼ ଦ୍ୱାରା ଘେରୀକରଣର ଦୃଶ୍ୟକୁ ତୁଳନା କରାଯାଉଛି ପ୍ରତିବେଶୀ ଦେଶମାନଙ୍କର ସୀମା ମଧ୍ୟରେ ଦେଖାଯାଉଥିବା ଆୟୋଜନ ସହିତ ଯାହା ଅବୈଧ ଅତିକ୍ରମଣକୁ ବାଧା ଦେବା ପାଇଁ କରାଯାଇଥାଏ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତ ଆମେରିକା-ମେକ୍ସିକୋ ସୀମାରେ କାନ୍ଥ ଉଠାଇବାର ପ୍ରସ୍ତାବ ରଖିଥିଲେ, ମେକ୍ସିକୋର ଅବୈଧ ଅତିକ୍ରମଣକୁ ଅଟକାଇବା ପାଇଁ୧୦!

କିନ୍ତୁ କ’ଣ ପାଇଁ ଏହି ଆନ୍ଦୋଳନ ଚାଲିଛି-ହାଡ଼ଫଟା ଶୀତରେ ମୁକ୍ତ ଆକାଶ ତଳେ, ରାସ୍ତା ଉପରେ, କୃଷକ ପରିବାରର ଆବାଳ ବୃଦ୍ଧ ବନିତା ପଡିଛି, ଗ୍ରୀଷ୍ମକାଳର ରୌଦ୍ରକୁ ମଧ୍ୟ ସମ୍ଭାଳି ନେବ ବୋଲି ଦୃଢ଼ୋକ୍ତି କରୁଛି? ଦାବି କରୁଛି ସରକାର ପ୍ରଣୟନ କରିଥିବା ତିନୋଟି ‘କଳା ଆଇନ’ ଫେରାଇ ନିଅନ୍ତୁ ଓ କୃଷିଜାତ ଦ୍ରବ୍ୟ ପାଇଁ ସରକାର ସର୍ବନିମ୍ନ ଦର ((Minimum Support Price (MSP))) ବିଷୟରେ ଏକ ଆଇନ କରନ୍ତୁ ।

କ’ଣ ଏହି ତିନୋଟି ଆଇନ?

୧.କୃଷକଙ୍କ ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁଗମୀକରଣ) ଆଇନ-୨୦୨୦ ((The Farmers’ Produce Trade and Commerce (Promotion & Facilitation) Act, 2020))

୨. କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ଆଶ୍ୱାସନା ରାଜିନାମା ଓ କୃଷି ସେବା ଆଇନ ୨୦୨୦ (The Farmers (Empowerment and Protection) Agreement on Price Assurance and Farm Services Act, 2020)

୩. ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ The Essential Commodities (Amendment) Act, 2020

ଯଦିଓ ଏହି ତିନୋଟି ଆଇନ ୨୪ରୁ ୨୬ ସେପ୍ଟେମ୍ବର ୨୦୨୦ ମଧ୍ୟରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା, କିନ୍ତୁ ଏହାର ପ୍ରାୟ ୩ମାସ ପୂର୍ବରୁ, ଏହି ତିନୋଟି ଆଇନ ହେବା ପୂର୍ବରୁ , ଅଧ୍ୟାଦେଶ ଭାବେ ୫ ଜୁନ ୨୦୨୦ ଦିନ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ହୋଇଥିଲା । କରୋନା ମହାମାରୀ ସମୟରେ ଭାରତୀୟ କୃଷି ଓ କୃଷକଙ୍କ କ୍ଷେତ୍ରରେ କଣ ଏପରି ଜରୁରୀ ପରିସ୍ଥିତି ଉପୁଜିଲା ଯେ ଏହି ତିନୋଟି ଅଧ୍ୟାଦେଶ ସରକାରଙ୍କୁ ଆଣିବାକୁ ପଡ଼ିଲା? ଏହା ଏକ ପ୍ରଶ୍ନ ଯାହା ସରକାରଙ୍କର ଉଦେ୍ଶ୍ୟ ଉନ୍ମୋଚିତ କରିବା ପାଇଁ ଉତ୍ଥାପିତ କରାଯାଇପାରେ । ପରବର୍ତ୍ତୀ କାଳରେ ଯେପରି ଏହି ତିନୋଟି ଆଇନକୁ ବିରୋଧ ଦେଖାଯାଉଛି, ତାହାର ପୃଷ୍ଠଭୂମିରେ କୁହାଯାଇପାରେ ଯେ ଯେଉଁମାନେ ଭାବୁଥିଲେ ଯେ କରୋନା କାଳରେ ଏହାର ଘୋଷଣା ହେଲେ, ବିରୋଧ ସଡ଼କ ଉପରକୁ ଆସିପାରିବ ନାହିଁ, ଅର୍ଥାତ୍ ବିରୋଧ ସଂଗଠିତ ହୋଇପାରିବ ନାହିଁ, ବିରୋଧୀ କୃଷକମାନେ ରାସ୍ତା ଉପରକୁ ଆସିପାରିବେ ନାହିଁ, କରୋନାର ଭୟ ଓ ଆଇନର କଟକଣା, ବିରୋଧୀଙ୍କୁ ଏକାଠି ହେବା ପାଇଁ ବାଧା ଦେବ, ସେମାନେ ଭୁଲ ପ୍ରମାଣିତ ହୋଇଛନ୍ତି । ସେପ୍ଟେମ୍ବର ଶେଷ ସପ୍ତାହରେ ଆଇନ ହୋଇଯିବାପରେ କୃଷକମାନେ ମହାମାରୀ ଆଇନକୁ ବେଖାତିର କରି ଯେପରି ଏକାଠି ହୋଇ ବିରୋଧକୁ ଦିଲ୍ଲୀର ସୀମାନ୍ତକୁ ନେଇ ଆସି ପ୍ରଦର୍ଶନ ଆରମ୍ଭ କଲେ, ତାହା ଆଜି କେଉଁ ଆକାର ନେଇଛି ତାହା ସାରା ବିଶ୍ୱ ଦେଖୁଛି । ଆଇନରେ ପରିଣତ କରିବା ପାଇଁ ତିନୋଟି ଅଧ୍ୟାଦେଶକୁ ବିଧେୟକ ବା ବିଲ ଆକାରରେ ଯେତେବେଳେ ସଂସଦରେ ଉପସ୍ଥାପିତ କରାଗଲା, ସେତେବେଳେ ଏହାକୁ ବିରୋଧୀ ରାଜନୈତିକ ଦଳଗୁଡିକ ବିରୋଧ କରିଥିଲେ । ଲୋକସଭାରେ ଶାସକଦଳର ସଂଖ୍ୟାଗରିଷ୍ଠତା ଯୋଗୁଁ ଏହି ବିଲ୍ଗୁଡ଼ିକ ପାରିତ ହୋଇଯାଇଥିଲା । କିନ୍ତୁ ରାଜ୍ୟସଭାରେ ଯେପରି ଏହାକୁ ପାରିତ କରାଇ ନିଆଗଲା, ତାହାର ପ୍ରତିକ୍ରିୟାରେ ବିରୋଧୀଦଳର କେତେକ ସାଂସଦ ଅନଶନରେ ବସିଲେ ଓ ଅତ୍ୟନ୍ତ ଅଗଣତାନ୍ତ୍ରିକ ଉପାୟରେ ଏହି ତିନୋଟି ବିଲକୁ ଆଇନ କରି ଦିଆଗଲା ବୋଲି ଅଭିଯୋଗ ମୁଖର ହେଲା । କହିବା ବାହୁଲ୍ୟ ଯେ ଶାସକଦଳ ପାଇଁ ଏହି ତିନୋଟି ଆଇନ ନିହାତି ଜରୁରୀ ଥିଲା । କିନ୍ତୁ କାହିଁକି? ଏହା ନିଶ୍ଚିତ ବିଶେଷ ଗବେଷଣା-ସାପେକ୍ଷ ।

ଉଲ୍ଲିଖିତ ତିନୋଟି ଆଇନର ଉପରୋକ୍ତ ତାଲିକାରେ ପ୍ରଥମ ଦୁଇଟି ଆଇନ ସମ୍ପୂର୍ଣ୍ଣ ନୂଆ ଆଇନ । କିନ୍ତୁ ତୃତୀୟଟି ହେଉଛି ପୂର୍ବ ପ୍ରଚଳିତ ଆଇନର ସଂଶୋଧନ । ଏହି ସଂଶୋଧିତ ଆଇନ ଉପରେ ଆଲୋଚନା ହିଁ ଏହି ନିବନ୍ଧର ଉଦେ୍ଶ୍ୟ । ଏହି ତୃତୀୟ ଆଇନଟିର ଶିରୋନାମାରୁ ହିଁ ସ୍ପଷ୍ଟ ଯେ ଏହି ଆଇନଟି ହେଉଛି ଆବଶ୍ୟକୀୟ ସାମଗ୍ରୀ ଉପରେ ନିୟନ୍ତ୍ରଣ ସମ୍ପର୍କିତ ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫(Essential Commodities Act, 1955)

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ (Essential Commodities Act, 1955) (ମୂଳ ଆଇନ-୧୯୫୫ ବୋଲି ଉଲ୍ଲେଖ କରାଯାଇପାରେ)କୁ ଉପରୋକ୍ତ ତୃତୀୟ ଆଇନ ସଂଶୋଧିତ କରେ । କିପରି? ମୋଟ ୧୬ଟି ଧାରା ବିଶିଷ୍ଟ ଏହି ମୂଳ ଆଇନ-୧୯୫୫ର ଧାରା ୩ର ଉପଧାରା ୧ ହିଁ କେବଳ ସଂଶୋଧିତ ହୁଏ । ମୂଳ ଆଇନର ଧାରା ୩ର ଉପଧାରା ୧ରେ କୁହାଯାଇଥିଲା “କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣକୁ କାଏମ ରଖିବା ବା ସେଥିରେ ବୃଦ୍ଧି କରିବା, ବା ସେ ସାମଗ୍ରୀର ନ୍ୟାୟସଙ୍ଗତ ବିତରଣ ଏବଂ ଉଚିତ ମୂଲ୍ୟରେ ଉପଲବ୍ଧ ହେବାକୁ ସୁରକ୍ଷିତ କରିବା, ବା ଭାରତର ପ୍ରତିରକ୍ଷା ପାଇଁ ବା ଦକ୍ଷତାର ସହ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପଦକ୍ଷେପ ଆବଶ୍ୟକ ବା ବାସ୍ତବ ଦୃଷ୍ଟିରୁ ବାଂଛନୀୟ ବୋଲି ଯଦି କେନ୍ଦ୍ର ସରକାର ଭାବନ୍ତି, ତାହାହେଲେ ଏକ ନିର୍ଦ୍ଧେଶନାମା ଜାରିକରି କେନ୍ଦ୍ର ସରକାର ଉତ୍ପାଦନ, ଯୋଗାଣ ଏବଂ ବିତରଣ ଏବଂ ତାହାର ବେପାର ବଣିଜକୁ ନିୟନ୍ତ୍ରଣ ବା ନିଷେଧ କରିବାର ବ୍ୟବସ୍ଥା କରିପାରିବେ ।”: ଏହି ମୂଳ ଆଇନର ଧାରା ୨(ଏ), ଅନୁସାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାର ଏକ ଅନୁସୂଚୀ (Schedule) ଦିଆଯାଇଥିଲା ଯେଉଁଥିରେ ଉଲ୍ଲେଖ ହୋଇଥିଲା ଖାଦ୍ୟୋପଯୋଗୀ ତୈଳବୀଜ ଓ ତେଲ ସମେତ ଖାଦ୍ୟସାମଗ୍ରୀ ଆଦି । ଏହି ଧାରା ୨(ଏ)ରେ ସ୍ପଷ୍ଟ କୁହାଯାଇଥିଲା ଯେ ଏହି ଅନୁସୂଚୀରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି, ନୂଆ ସାମଗ୍ରୀକୁ ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ ବା ଅନ୍ତର୍ଭୁକ୍ତ କୌଣସି ସାମଗ୍ରୀକୁ ତାଲିକାରୁ ବାଦ୍ ଦେଇପାରିବେ ।

ସଂଶୋଧନ

ଏବେ ସଂଶୋଧନଦ୍ୱାରା ଉପରୋକ୍ତ ପରିଚ୍ଛେଦରେ ସଂଲଗ୍ନ କରାଗଲା: “ଉପଧାରା ୧ରେ ଯାହା ଥାଉନା କାହିଁକି (କ) ସେହି ଖାଦ୍ୟ ସାମଗ୍ରୀର, ଯାହା ଭିତରେ ଶସ୍ୟ, ଡାଲି ଜାତୀୟ ଉତ୍ପାଦ, ଆଳୁ, ପିଆଜ, ଖାଦ୍ୟଉପଯୋଗୀ ତୈଳ ବୀଜ ଓ ତେଲ ଅନ୍ତର୍ଭୁକ୍ତ, ବା ଯାହା କେନ୍ଦ୍ର ସରକାର ବିଶେଷ ଭାବରେ ଉଲ୍ଲେଖ କରିବେ, ତାହାର ଯୋଗାଣକୁ ଏକ ସରକାରୀ ଗେଜେଟ ବିଜ୍ଞପ୍ତି ଦ୍ୱାରା କେବଳ ଅସାଧାରଣ ପରିସ୍ଥିତରେ, ଯେପରି ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି, ଏବଂ ଗମ୍ଭୀର ପ୍ରାକୃତିକ ବିପତ୍ତି କାଳରେ, ନିୟନ୍ତ୍ରଣ କରା ଯାଇପାରିବ; (ଖ) ମହଜୁଦ ପରିମାଣ ଉପରେ କୌଣସି ସୀମା ଜାରି କରିବାର ନିଷ୍ପତ୍ତି କେବଳ ମୂଲ୍ୟବୃଦ୍ଧି ଉପରେ ହିଁ ଆଧାରିତ ହେବ ଏବଂ ଯେକୌଣସି କୃଷିଜାତ ଦ୍ରବ୍ୟର ମହଜୁଦ ପରିମାଣର ସୀମା ନିୟନ୍ତ୍ରଣ, ଏହି ଆଇନ ଅନୁସାରେ, ଏକ ଆଦେଶନାମା ଜରିଆରେ କରାଯାଇପାରିବ, କେବଳ ଯଦି-ପୂର୍ବ ୧୨ମାସରେ ପ୍ରଚଳିତ ଦର ବା ପୂର୍ବ ୫ ବର୍ଷରେ ହାରାହାରି ଦର ମଧ୍ୟରେ ଯାହା କମ ସେହି ଦର ତୁଳନାରେ (୧) ଉଦ୍ୟାନ ଜାତୀୟ ଉତ୍ପାଦନର, ଯେପରି ପନିପରିବା, ଫଳ ଇତ୍ୟାଦିର ଖୁଚୁରା ଦରରେ ୧୦୦ ପ୍ରତିଶତ ବୃଦ୍ଧି ହୁଏ, (ଖ) ନଷ୍ଟ ହୋଇଯାଉ ନଥିବା କୃଷିଜାତ ଉତ୍ପାଦର ଖୁଚୁରା ଦରରେ ୫୦ପ୍ରତିଶତ ବୃଦ୍ଧି ହୁଏ ।

ମହଜୁଦ ପରିମାଣର ଏହି ସୀମା ନିୟନ୍ତ୍ରଣ ଆଦେଶ କୌଣସି କୃଷିଉତ୍ପାଦନର ପ୍ରକ୍ରିୟାକରଣରେ ସମ୍ପୃକ୍ତ ପ୍ରତିଷ୍ଠାନ ବା ବ୍ୟକ୍ତି (processor) ବା ତାହାର ମୂଲ୍ୟ ଶୃଙ୍ଖଳାରେ ଅଂଶଗ୍ରହଣକାରୀ ବ୍ୟକ୍ତିଙ୍କ (value chain participant)ଉପରେ ଲାଗୁ ହେବନାହିଁ, ଯେତେବେଳ ଯାଏ ପ୍ରକ୍ରିୟାକରଣ ପାଇଁ ସ୍ଥାପିତ କ୍ଷମତାର ଅଧିକତମ ସୀମା (ceiling of installed capacity) ଠାରୁ ବା ରପ୍ତାନୀ କରିବା ପାଇଁ ଆବଶ୍ୟକୀୟ ଚାହିଦାର ପରିମାଣଠାରୁ ମହଜୁଦ ପରିମାଣ ଅଧିକ ନହୁଏ ।

ପୁନଶ୍ଚ ଏହି ଉପଧାରା ସେ ଆଦେଶ ପ୍ରତି ଲାଗୁ ହେବ ନାହିଁ ଯେଉଁ ଆଦେଶ ସାର୍ବଜନୀନ ବିତରଣ ବ୍ୟବସ୍ଥା (Public Distribution System) ବା ଲକ୍ଷିତ ସାର୍ବଜନୀନ ବିତରଣ ବ୍ୟବସ୍ଥା (Targeted Public Distribution System) ପାଇଁ, ସରକାର ଏହି ଆଇନ ଭିତରେ ବା ଯେକୌଣସି ବଲବତ୍ତର ଥିବା ଆଇନ ଅନୁସାରେ କରିଥିବେ ।”

ଏପରି ସଂଶୋଧନ ଦ୍ୱାରା ହେଲା କଣ?

(୧) ମୂଳ ଆଇନରେ ଖାଦ୍ୟଉପଯୋଗୀ ତୈଳବୀଜ ଓ ତେଲକୁ ନେଇ ଖାଦ୍ୟସାମଗ୍ରୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ଥିଲା । ଏହି ସଂଶୋଧନ ଦ୍ୱାରା ସେହି ତାଲିକାରୁ ଶସ୍ୟ, ଡାଲିଜାତୀୟ ଉତ୍ପାଦ, ଆଳୁ, ପିଆଜ, ଖାଦ୍ୟ-ଉପଯୋଗୀ ତୈଳ ବୀଜ ଓ ତେଲ ଆଦିକୁ ବାଦ୍ ଦିଆଗଲା ।

(୨) କେନ୍ଦ୍ର ସରକାରଙ୍କର ଯେଉଁ ମୁକ୍ତ ଅଧିକାର ଥିଲା,ପରିସ୍ଥିତିକୁ ବିଚାର କରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଓ ବିତରଣକୁ ନିୟନ୍ତ୍ରଣ କରିବାପାଇଁ ନିର୍ଦ୍ଧେଶନାମା ଜାରି କରିବେ, ତାହା ଉପରେ ଅଙ୍କୁଶ ଲଗାଇ ଦିଆଗଲା । କୁହାଗଲା ଯେ ଏପରି ସେ କେବଳ ଯୁଦ୍ଧ, ଦୁର୍ଭିକ୍ଷ ବା ପ୍ରାକୃତିକ ବିପତ୍ତି ଭଳି ଅସାଧାରଣ ପରିସ୍ଥିତିରେ ହିଁ କରିପାରିବେ । ବିଡ଼ମ୍ବନା ଯେ ଏପରି ସଂଶୋଧନ ହେଉଛି ଯେତେବେଳେ ଭାରତ କରୋନା ମାହାମାରୀର ବିପତ୍ତି ଦେଇ ଗତି କରୁଛି ।

(୩)କୃଷିଜାତ ଦ୍ରବ୍ୟର ମହଜୁଦ ପରିମାଣକୁ ସେତେବେଳ ଯାଏ ନିୟନ୍ତ୍ରଣ କରାଯିବ ନାହିଁ ଯେତେବେଳେ ଯାଏ ବଜାରରେ ଖୁଚୁରା ବିକ୍ରିର ଦର ଏକ ନିଶ୍ଚିତ ସ୍ତର ଯାଏ ନ ପହଂଚିଛି । ଉଦ୍ୟାନଜାତୀୟ ଉତ୍ପାଦ, ଅର୍ଥାତ୍ ପନି ପରିବା, ଫଳ ଆଦିର ମୂଲ୍ୟରେ ୧୦୦ ପ୍ରତିଶତ ଓ ନଷ୍ଟ ହେଉ ନଥିବା ଦ୍ରବ୍ୟ (ଯେପରି ଶସ୍ୟ ଓ ଡାଲି ଜାତୀୟ)ର ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି ନ ହୋଇଛି । ଏହି ବୃଦ୍ଧି କେଉଁ ଦର ଉପରେ ହିସାବ ହେବ? ହିସାବ ହେବ, ପୂର୍ବ ୧୨ ମାସର ବଜାରରେ ଖୁଚୁରା ଦର ବା ପୂର୍ବ ୫ ବର୍ଷରେ ହାରାହାରି ଖୁଚୁରା ଦର ମଧ୍ୟରେ ଯେଉଁ ଦର କମ୍, ତାହାରି ଉପରେ । ଏହା ଦ୍ୱାରା ଖୁଚୁରା ବଜାରରେ ଦ୍ରବ୍ୟର ଏକ ପ୍ରକାର Maximum Retail Price (MRP) ନିର୍ଦ୍ଧାରିତ କରାଗଲା କି?

(୪)କିନ୍ତୁ ଯେଉଁମାନେ ପ୍ରକ୍ରିୟାକରଣ ଶିଳ୍ପରେ ଥିବେ, ସେମାନଙ୍କ ପାଇଁ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ, ଅର୍ଥାତ୍ ସେମାନେ ମହଜୁଦ କରିପାରିବେ ତାଙ୍କ ଶିଳ୍ପର ସ୍ଥାପିତ ଦକ୍ଷତାର ସୀମା ଯାଏ, ଅର୍ଥାତ୍ ଯେତେବେଳ ଯାଏ ଶିଳ୍ପ କେତେ ସର୍ବାଧିକ ପରିମାଣର ପ୍ରକ୍ରିୟାକରଣ କରିବ,ତାହାର ସୀମା ନ ଟପିଛି ।

(୫)ଯେଉଁମାନେ କୃଷିଜାତ ଦ୍ରବ୍ୟର ରପ୍ତାନୀ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ, ଅର୍ଥାତ୍ ସେମାନେ ରପ୍ତାନୀ ପାଇଁ ଚାହିଦାର ପରିମାଣ ଯାଏ ଦ୍ରବ୍ୟ ମହଜୁଦ କରିପାରିବେ ।

ସମ୍ଭାବ୍ୟ ଦୃଶ୍ୟ

(୧)କୃଷିଜାତ ଦ୍ରବ୍ୟ ମହଜୁଦ କରିବାର ଅନୁମୋଦିତ ସର୍ବୋଚ୍ଚ ସୀମା (ceiling)କୁ ବିଚାରକୁ ନେଲେ ଦେଖାଯାଏ ଯେ ପାଇକାରୀ ବିକ୍ରେତା (wholesaler), ପ୍ରକ୍ରିୟାକରଣ ଶିଳ୍ପ ଓ ରପ୍ତାନୀରେ ନିୟୋଜିତ ବ୍ୟବସାୟୀମାନଙ୍କୁ ଭିନ୍ନ ଭିନ୍ନ ପାହାଚରେ ରଖାଯାଇଛି ।(୨) ପୂର୍ବବର୍ଷ ବା ପାଂଚବର୍ଷର ହାରାହରି ଦର ମଧ୍ୟରୁ ସବୁଠାରୁ କମଦରରେ ବିକା ଯାଇଥିବା ଦ୍ରବ୍ୟକୁ ଦୁଇଗୁଣ ବା ଦେଢ଼ଗୁଣ ଦରରେ ବିକିବାର ବା ତା’ଠାରୁ ସାମାନ୍ୟ କମଦରରେ ବେପାରୀ ଖୁଚୁରା ବଜାରରେ ବିକି ପାରିବେ । ଅର୍ଥାତ୍ ଖାଉଟି ପୂର୍ବ ଅପେକ୍ଷା ଅଧିକ ଦରରେ ଦ୍ରବ୍ୟ କିଣିବ ।

(୩) ଏପରି ଏକ ପରିସ୍ଥିତି ବଜାରରେ ଦେଖାଯାଇପାରେ ଯେତେବେଳେ କୌଣସି ଏକ ଖାଦ୍ୟସାମଗ୍ରୀର ପରିମାଣ ପ୍ରକ୍ରିୟାକରଣ ଶିଳ୍ପର ସ୍ଥାପିତ କ୍ଷମତା ଓ ରପ୍ତାନୀ ପାଇଁ ଚାହିଦାର ପରିମାଣଠାରୁ କମ୍ ହୋଇ ଯାଇପାରେ ଓ ଏହି ଉତ୍ପାଦ ସମ୍ପୂର୍ଣ୍ଣ ଭାବରେ ପ୍ରକ୍ରିୟାକରଣ ଶିଳ୍ପ ଓ ରପ୍ତାନୀର ମହଜୁଦ ଭିତରକୁ ଆସିଯାଇପାରେ ଓ ଖାଉଟିକୁ ଏହି ଖାଦ୍ୟସାମଗ୍ରୀ ଉପଲବ୍ଧ ନ ହୋଇପାରେ ।

(୪)ପନି ପରିବା, ଫଳ ଇତ୍ୟାଦି ଉଦ୍ୟାନ ଜାତ ଦ୍ରବ୍ୟର ମୂଲ୍ୟରେ ୧୦୦ ପ୍ରତିଶତ ବୃଦ୍ଧି ବା ଶସ୍ୟ, ଡାଲି ଜାତୀୟ ନଷ୍ଟ ନ ହେଉଥିବା ଦ୍ରବ୍ୟରେ ୫୦ପ୍ରତିଶତ ବୃଦ୍ଧି ପରେ ଯୋଗାଣ ଓ ବିତରଣ ଉପରେ ନିୟନ୍ତ୍ରଣ କରାଯିବା ଅର୍ଥ ସରକାର ବିଶ୍ୱାସ କରନ୍ତି ଯେ ଖାଉଟି ଏହି ବୃଦ୍ଧିକୁ ସହ୍ୟ କରିପାରିବେ । ଯେଉଁମାନେ ନ କରି ପାରିବେ, ସେମାନେ ଏହାର ଆହରଣ କମାଇ ଦେବେ ବା ଆଦୌ ଖାଇବେ ନାହିଁ । ଏହା ଦ୍ୱାରା ଏହି ବଳକା ଖାଦ୍ୟ ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପକୁ ଯିବ ବା ରପ୍ତାନୀପାଇଁ ଉପଲବ୍ଧ ହେବ । ଖାଉଟିଙ୍କୁ ବଂଚିତ କରି ପ୍ରକ୍ରିୟାକରଣ ଶିଳ୍ପକୁ ସମୃଦ୍ଧ କରିବା, ରପ୍ତାନୀ ବୃଦ୍ଧି କରିବାର ଯୋଜନା ଭାବେ ଏହାକୁ ଦେଖାଯାଇ ପାରେ କି? ଆଉ ଏକ ଦୃଶ୍ୟ ହେଉଛି ଯେ କମ୍ ଦରରେ କିଣି ଗୋଦାମରେ ଗଚ୍ଛିତ କରାଯାଇପାରେ ଓ ପ୍ରକ୍ରିୟାକରଣ ପରେ ପ୍ରଚୁର ଲାଭ ରଖି ଯଥେଷ୍ଟ ଅଧିକ ଦରରେ ବିକ୍ରି କରାଯାଇପାରେ । ଏହି ଲାଭର ଅଂଶ ଉପରେ ଉତ୍ପାଦନରେ ଲାଗିଥିବା କୃଷକ ତାର ଦାବି ଭବିଷ୍ୟତରେ ଉତ୍ଥାପନ କରିପାରେ କି?

ଅତ୍ୟାବଶ୍ୟକୀୟ ସାମଗ୍ରୀ ନିୟନ୍ତ୍ରଣ ଆଇନର ଇତିହାସ

ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା (୧୯୩୯), ସେତେବଳେ ଭାରତବର୍ଷ ବ୍ରିଟିଶ ଶାସନାଧୀନ ଥିଲା ଓ ଭାରତ ସରକାର ଆଇନ ୧୯୩୫ (Government of India Act 1935)ଦ୍ୱାରା ଶାସିତ ହେଉଥିଲା । ଭାରତ ସରକାର ଆଇନ ୧୯୩୫ର ଧାରା ୧୦୨ ଅନୁସାରେ ବିଶ୍ୱଯୁଦ୍ଧର ସ୍ଥିତିକୁ ଏକ ଆପାତକାଳୀନ ସ୍ଥିତିବୋଲି ଘୋଷଣା କରାଯାଇ, ଏପରି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରତିରକ୍ଷା ଆଇନ ୧୯୩୯ (Defence of India Act 1939)ର ପ୍ରଣୟନ କରାଗଲା । ଏହି ନୂତନ ଆଇନର ଧାରା-୨, ଉପଧାରା-୧ରେ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଗଲା, ଯେ ସେ “ଜନସାଧରଣଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଓ ସେବା” “for maintaining supplies and services essential to the life of the community”). ସମ୍ପର୍କିତ ନିୟମାବଳୀ କରିପାରିବେ । ଏହି ନିୟମାବଳୀକୁ ଭାରତ ପ୍ରତିରକ୍ଷା ନିୟମାବଳୀ (Defence of India Rules) କୁହାଗଲା । ଏହି ନିୟମାବଳୀର ନିୟମ ୮୧(୨) ଅନୁସାରେ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର ଅଧିକାର ପାଇଲେ ଯେ ସେମାନେ ଆବଶ୍ୟକୀୟ ସାମଗ୍ରୀର ଉତ୍ପାଦନ, ତାହାର ସଂରକ୍ଷଣ, ବିତରଣ, ବିକ୍ରୟ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ଇତ୍ୟାଦିକୁ ନିୟନ୍ତ୍ରଣ କରିପାରିବେ, ପ୍ରତିବନ୍ଧିତ କରିପାରିବେ । ସେପ୍ଟେମ୍ବର ୮, ୧୯୩୯ଦିନ ପ୍ରଦେଶମାନଙ୍କୁ ଅଧିକାର ଦିଆଗଲା ଯେ ସେମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରି ଔଷଧ ଯୋଗାଣ, ଖାଦ୍ୟ ସାମଗ୍ରୀ, ଲୁଣ, କିରାସିନି, କପାସୁତାର ଶସ୍ତା କପଡ଼ାର ଦରଦାମକୁ ନିୟନ୍ତ୍ରଣ କରିପାରିବେ । ୧୯୪୧-୪୨ବେଳକୁ ଅନେକ ନିୟନ୍ତ୍ରଣ ନିର୍ଦ୍ଧେଶନାମା ଜାରି ହୋଇଥିଲା ଓ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ସରକାରୀ ଅଫିସରଙ୍କୁ ନିୟନ୍ତ୍ରକଭାବେ ନିଯୁକ୍ତି ଦିଆ ଯାଇଥିଲା । ଉଦାହରଣସ୍ୱରୂପ ୧୯୪୨ରେ ଜାରି ହୋଇଥିଲା ଗହମ ନିୟନ୍ତ୍ରଣ ନିର୍ଦ୍ଧେଶ ୧୯୪୨ (The Wheat Control Order,1942) ଓ ଏହାକୁ କାର୍ଯ୍ୟକାରୀ କରିବାପାଇଁ ନିଯୁକ୍ତ ହୋଇଥିଲେ ଗହମ କମିଶନର (Wheat Commissioner) ।

ଏହିଭଳି ଆରମ୍ଭ ହେଲା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବାକୁ ନିୟନ୍ତ୍ରଣ କରିବାର ସରକାରୀ ପ୍ରକ୍ରିୟା । ଯଦିଓ ଏହା ଯୁଦ୍ଧଭଳି ଏକ ଆପାତକାଳୀନ ସ୍ଥିତିରେ ହିଁ ଆରମ୍ଭ ହୋଇଥିଲା, କିନ୍ତୁ ଯୁଦ୍ଧ ସରିବା ପରେ (୧୯୪୫ ମସିହା) ମଧ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ ବ୍ୟବସ୍ଥା କାଏମ ରହିଲା । ୧୯ ନଭେମ୍ବର ୧୯୪୬ ଦିନ ଏକ ଆଇନ Essential Supplies (Temporary Powers)Act, 1946 ତକ୍ରାଳୀନ ଗଭର୍ନର ଜେନେରାଲଙ୍କ ସ୍ୱୀକୃତି ପାଇ ପ୍ରଚଳନରେ ଆସିଲା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିଲା (ଧାରା ୨(ଏ)) ଖାଦ୍ୟ ସାମଗ୍ରୀ, କପା ଓ ଊଲ୍ କପଡ଼ା, କାଗଜ, ପେଟ୍ରୋଲ ଓ ପେଟ୍ରୋଲୀୟ ଉତ୍ପାଦ, କୋଇଲା, ଲୁହା ଓ ଇସ୍ପାତ, ଯନ୍ତ୍ରଚାଳିତ ଯାନବାହନର ସ୍ପେୟାର ପାର୍ଟ, ମାଇକା ଇତ୍ୟାଦି । ଉଲ୍ଲେଖଯୋଗ୍ୟ ଯେ ଏହି ଆଇନର ପ୍ରଣୟନ ନେହେରୁଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ହିଁ ହୋଇଥିଲା ଯଦିଓ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଆଉ କିଛି ମାସ ବାକି ଥିଲା । ତେବେ ଏହି ସମୟରେ ପ୍ରଚଳିତ ଏହି ଆଇନର ଧାରା ୩, ଉପଧାରା ୧ର ପ୍ରାୟ ସବୁ ଧାଡିର ପୁନରାବୃତ୍ତି ହୋଇଛି । ସ୍ୱାଧୀନ ଭାରତର ୧୯୫୫ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ଧାରା ୩ ଉପଧାରା ୧ ରେ, କେବଳ ଭାରତର ପ୍ରତିରକ୍ଷା ଓ ଦକ୍ଷ ସାମରିକ ପ୍ରକ୍ରିୟା ପ୍ରସଙ୍ଗର ଅତିରିକ୍ତ ଉଲ୍ଲେଖ ହୋଇଛି ଯାହା ୧୯୬୭ ମସିହାରେ (୩୦/୧୨/୧୯୬୭) ଯୋଡ଼ା ଯାଇଥିଲା । ତେବେ ୧୯୪୬ରୁ ୧୯୫୫ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ବିଷୟରେ ଏକ ଆଇନ The Orissa Essential Articles Control and Requisitioning (Temporary Powers) Act , 1947 , ୧୯୪୭ , ୨୮ଫେବୃଆରୀ ୧୯୪୭ ଦିନ ତକ୍ରାଳୀନ ଗଭର୍ନର ଜେନେରାଲଙ୍କର ସ୍ୱୀକୃତି ଲାଭ କରିଥିଲା । କେନ୍ଦ୍ରୀୟ ଆଇନ ୧୯୪୬ ହେଉ ବା ପ୍ରାଦେଶିକ ଆଇନ ୧୯୪୭ ହେଉ, ଉଭୟର ଶିରୋନାମାରୁ ସ୍ପଷ୍ଟ ଯେ ଏଗୁଡିକ ସ୍ୱଳ୍ପକାଳ (୨ ବର୍ଷ) ପାଇଁ ଉଦ୍ଦିଷ୍ଟ ଥିଲା ଓ ଉଭୟ ଆଇନର ଧାରା ୩ ଓ ଉପଧାରା ୧ର କଥନ ସମ୍ପୂର୍ଣ୍ଣ ସମାନ ଥିଲା, କେବଳ କେନ୍ଦ୍ର ସରକାର ସ୍ଥାନରେ ପ୍ରଦେଶିକ ସରକାର ଲେଖା ଯାଇଥିଲା । ଏହି ଆଇନର କାର୍ଯ୍ୟକାଳ ସରିବା ପରେ ଏହାକୁ ପୁନର୍ବାର ବଢ଼ାଇ ଦିଆଗଲା, ନୂତନ ଶିରୋନାମା ହେଲା The Orissa Essential Articles Control and Requisitioning (Temporary Powers) Act , 1950, ୧୯୫୦ ଓ ଏହା ୨୬ ଜାନୁଆରୀ ୧୯୫୫ ଯାଏ କାଏମ ରହିଲା । ୨୬ ଜାନୁଆରୀ ୧୯୫୫ଦିନ କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧ୍ୟାଦେଶ,୧୯୫୫ କେନ୍ଦ୍ର ସରକାର ଜାରି କଲେ ଯାହା ୧ ଏପ୍ରିଲ ୧୯୫୫ ଦିନ ଆଇନରେ ପରିଣତ ହେଲା । ଏହି ଆଇନର ହିଁ ସଂଶୋଧନ ହୋଇଛି ୨୦୨୦ମସିହାରେ ଯାହାର ତୀବ୍ର ବିରୋଧ ଚାଲିଛି ।

ନବକୃଷ୍ଣ ଚୌଧୁରୀଙ୍କ ବକ୍ତବ୍ୟ

ଯୁଦ୍ଧସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ନିୟନ୍ତ୍ରଣ ସରକାର ହାତକୁ ନେବାର ଉପରୋକ୍ତ ଇତିହାସର ପୃଷ୍ଠଭୂମିରେ, ୨୦୨୦ର ସଂଶୋଧନରେ ଉଲ୍ଲେଖ ହେବା ଯେ ଖାଦ୍ୟ ସାମଗ୍ରୀର, ଯାହା ଭିତରେ ଶସ୍ୟ, ଡାଲି ଜାତୀୟ ଉତ୍ପାଦ, ଆଳୁ, ପିଆଜ, ଖାଦ୍ୟଉପଯୋଗୀ ତୈଳବୀଜ ଓ ତେଲ ଅନ୍ତର୍ଭୁକ୍ତ, ତାହାର ଯୋଗାଣକୁ ଏକ ସରକାରୀ ଗେଜେଟ ବିଜ୍ଞପ୍ତି ଦ୍ୱାରା “କେବଳ ଅସାଧାରଣ ପରିସ୍ଥିତରେ, ଯେପରି ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି, ଏବଂ ଗମ୍ଭୀର ପ୍ରାକୃତିକ ବିପତ୍ତି କାଳରେ, ନିୟନ୍ତ୍ରଣ କରାଯାଇପାରିବ”, ଦର୍ଶାଏ ଯେପରି ଇତିହାସର ପୁନରାବୃତ୍ତି ହେଉଛି । କିନ୍ତୁ ଯାହା ଲକ୍ଷ୍ୟ କରିବାର କଥା ତାହା ହେଉଛି ଏହି ନିୟନ୍ତ୍ରଣ ସମ୍ପର୍କରେ ଯେତେ ଆଇନ ହୋଇଛି, ନିୟମ ହୋଇଛି ୧୯୩୯ମସିହା ପରଠାରୁ ୧୯୫୫ମସିହା ପର୍ଯ୍ୟନ୍ତ, ସେ ନିୟମଗୁଡ଼ିକରେ ଏପରି ସର୍ତ୍ତର ଖୋଲାଖୋଲି ଉଲ୍ଲେଖ ହୋଇ ନଥିଲା । ବରଂ କେନ୍ଦ୍ର ବା ପ୍ରାଦେଶିକ ସରକାରଙ୍କ ବିଚାର ଉପରେ ଏହାକୁ ଛାଡ଼ି ଦିଆଯାଇ ଥିଲା । ଯୁଦ୍ଧସମୟ ଯେତେବେଳେ ନାହିଁ ସେତେବେଳେ, ଏହିପରି ନିୟନ୍ତ୍ରଣର କଣ ବା ଆବଶ୍ୟକତା ଅଛି, ଏହି ପ୍ରଶ୍ନ ଉଠିଥିଲା ଯେତେବେଳେ ଓଡ଼ିଶା ବିଧାନସଭାରେ ଏହି ସମ୍ପର୍କିତ ଏକ ବିଧେୟକ The Orissa Essential Articles(Control and Requisitioning) Bill , 1947, ର ଆଲୋଚନା ହେଉଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତକ୍ରାଳୀନ ରାଜସ୍ୱ, ଜଙ୍ଗଲ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ, ୧୩ ଫେବୃଆରୀ ୧୯୪୭ ଦିନ କହୁଥିଲେ, “..ମାନ୍ୟବର ସଭ୍ୟ ଯାହା କହିଲେ ଯେ ଯୁଦ୍ଧ ଚାଲିଗଲା ପରେ ଏପରି କୌଣସି ଆବଶ୍ୟକତା ବର୍ତ୍ତମାନ ନାହିଁ ଏବଂ ପଡ଼ିଥିଲେ ମଧ୍ୟ ତାକୁ ଏପରି ଭାବରେ ତରତର ହୋଇ କରି ଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ଦୁଃଖର ସହିତ କହୁଛି ଯେ, ସେ କଥା ଠିକ ନୁହେଁ । ଆମ୍ଭମାନେ ଆମର ଅଭିଜ୍ଞତାରୁ ଜାଣୁଛୁ ଯେ ଶତ ଚେଷ୍ଟା ସତ୍ତ୍ୱେ ଯୁଦ୍ଧ ସମୟରେ ମଧ୍ୟ ଯେଉଁ ଜିନିଷ ମିଳୁଥିଲା, ଏବଂ ଯେତେ ପରିମାଣରେ ମିଳୁଥିଲା ତାହା ଏବେ ଦୁଃଷ୍ପ୍ରାପ୍ୟ । …ଏ ଯେ ଅବସ୍ଥା ହେଉଛି, ତା’ର କାରଣ ଯେ ଯୁଦ୍ଧ ପରେ ସବୁ ଦେଶରେ ଗୋଟିଏ ସାମାଜିକ ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ, ଏବଂ ଆମ ଦେଶରେ ସେ କାରଣରୁ ଏବଂ କେତେକ ବିଶେଷ ରାଜନୀତିକ କାରଣରୁ ସେ ଅବ୍ୟବସ୍ଥା ଅନ୍ୟଦେଶଠାରୁ ବେଶୀ ମାତ୍ରାରେ ଦେଖାଗଲାଣି । ସମସ୍ତେ ଲକ୍ଷ୍ୟ କରିଥିବେ ଯେ ବର୍ତ୍ତମାନ ଭାରତବର୍ଷର ଚାରିଆଡ଼େ ଧର୍ମଘଟର ଢେଉ ବା ଜୁଆର ଆସିଛି । ଧର୍ମଘଟ କରିବା ପାଇଁ ଯେ ଶ୍ରମିକଙ୍କର କୌଣସି ନ୍ୟାଯ୍ୟ କାରଣ ନାହିଁ ମୁଁ ତାହା କହୁ ନାହିଁ । କିନ୍ତୁ ଯେଉଁପରି ଭାବରେ ଏ ଧର୍ମଘଟ କରାଯାଉଛି ଏବଂ ହେଉଛି ସେ ଯେ କେବଳ ଅର୍ଥନୈତିକ କାରଣରୁ ହେଉଛି ତାହା ମଧ୍ୟ ନୁହେଁ । କଥା ସ୍ପଷ୍ଟ ଜଣାପଡୁଛି । ସେ ଯାହା ହେଉ, ଭାରତବର୍ଷରେ ଆମ୍ଭମାନେ ବର୍ତ୍ତମାନ ଏପରି ଏକ ଅନଟନ ଅବସ୍ଥା ଭିତରେ ଯାଉଛୁ ଯେ ଯେଉଁଥିରେ କି ଏପରି ଆଇନ ବିନା ବିଶେଷ କରି ଓଡ଼ିଶା ଭଳିଆ ଦରିଦ୍ର ପ୍ରଦେଶ ଦିନେ ସୁଦ୍ଧା ଚଳିବା ଅସମ୍ଭବ । ଆଜି ଯଦି ସମଗ୍ର ଭାରତବର୍ଷରୁ Control ଉଠାଇ ଦିଆଯାଏ ତାହାହେଲେ ମୁଁ ଜାଣେ କଲିକତା, ବମ୍ବେ ପ୍ରଭୃତି ଧନୀ ଅଂଚଳମାନେ ଖୁବ ଖୁସୀ ହେବେ । କାହିଁକି ନା ସେମାନଙ୍କ ପାଖରେ ଏତେ ପଇସା ଅଛି ଯେ, ଯେତେ ଇଚ୍ଛା ସେତେ ପଇସା ଦେଇକରି ସେମାନେ କିଣିପାରିବେ । ଏବଂ ସେମାନେ ବେଶୀ ପଇସା ଦେବାକୁ ପ୍ରସ୍ତୁତ ଥିବାରୁ ସବୁ ଜିନିଷ ତାଙ୍କ ପାଖରେ ହାଜର ହେବ । ଆମ ଭଳିଆ ଗରିବ ପ୍ରଦେଶ, ଯେଉଁଠି କି ଲୋକଙ୍କର କିଣିବା ଶକ୍ତି ବହୁତ କମ୍, ସେଠି କୌଣସି ପ୍ରକାର ଜିନିଷ ମିଳିବ ନାହିଁ । ଆମେ ଜାଣୁ ଯେ, ଇତି ମଧ୍ୟରେ ଭାରତ ସରକାର କେତେଗୁଡିଏ ଜିନିଷକୁ Control ବାହାରକୁ ନେଇ ଯିବା ଫଳରେ ସେ ସବୁ ଜିନିଷ ଆମ ପ୍ରଦେଶରେ ସୁଃଷ୍ପ୍ରାପ୍ୟ ହୋଇଗଲାଣି ।” ଉପରୋକ୍ତ ବକ୍ତବ୍ୟ ପୂର୍ବରୁ, ୨୬ ସେପ୍ଟେମ୍ବର ୧୯୪୬ ଦିନ ବିଧାନ ସଭାରେ, ଅତ୍ୟାବଶ୍ୟକୀୟ ସାମଗ୍ରୀର ନିୟନ୍ତ୍ରଣ ସମ୍ପର୍କରେ କହିଥିଲେ, “ବର୍ତ୍ତମାନ ଯେ ସବୁ ଜିନିଷ ଉପରେ କଟକଣା ରହିଛି, ତାହା କେବଳ ଲୋକଙ୍କ ସୁବିଧା ପାଇଁ କରାଯାଇଛି । ଲୋକଙ୍କ ଭିତରେ ବାଣ୍ଟିକୁଟି ନ ଦେଲେ ବ୍ୟବସାୟୀମାନେ ଯେଉଁମାନେ ନିଜର ସ୍ୱାର୍ଥ ପ୍ରତି ନଜର ଦିଅନ୍ତି ସେମାନେ ଲୋକଙ୍କୁ ମୋଟେ କିଛି ଦେବେ ନାହିଁ । Control ନକଲେ ଅନେକ ସମୟରେ ଦେଖାଯାଇଛି ଯେ ବ୍ୟବସାୟୀମାନେ ଜିନିଷ ଲୁଚାଇ ଦିଅନ୍ତି । ଲୁଚାଇବାର କାରଣ ହେଉଛି ଯେ ଲୁଚାଇ ରଖିଲେ ଲୋକେ ବେଶୀ ପଇସା ଯାଚିଲେ ସେମାନେ ଦେବେ, ନଚେତ ଦେବେ ନାହିଁ । ବଂଗଳାରେ ଏତେ ବଡ଼ famine ହେଲା କାହିଁକି ନା ବହୁତ ବେପାରୀଙ୍କ ଘରେ ବହୁତ ଜିନିଷ ଲୁଚି ରହିଥିଲା ଏବଂ ସେଥିରୁ ଅନେକେ ପଛେ ସଢି ପଚିଗଲା, କିନ୍ତୁ ସେ ବେପାରୀମାନେ ତାକୁ ବଜାରରେ ବିକ୍ରିକଲେ ନାହିଁ । ଏ ବେପାରୀମାନଙ୍କ ଯୋଗୁଁ ହିଁ control ପ୍ରଥମେ ଆରମ୍ଭ ହେଲା । ଅବଶ୍ୟ ସେତେବେଳେ ଯୁଦ୍ଧ ଥିଲା । କିନ୍ତୁ ବର୍ତ୍ତମାନ ଯୁଦ୍ଧ ନ ଥିଲେ ବି ସେ ଅବସ୍ଥା ବହୁ ପରିମାଣରେ ରହିଛି ।”

ନବବାବୁଙ୍କର ଉପରୋକ୍ତ ବକ୍ତବ୍ୟ ପ୍ରାୟ ସାଢ଼େ ସାତ ଦଶନ୍ଧି ବା ୭୫ବର୍ଷ ତଳର, ଯାହାର ମର୍ମ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କଣ୍ଟ୍ରୋଲ ଉଠିଯିବାର ପରିଣତି ହେଉଛି ଯେ ଏହି ସାମଗ୍ରୀଗୁଡିକ ଗରିବଙ୍କ ପାଇଁ ଦୁଃଷ୍ପ୍ରାପ୍ୟ ହେଇଯିବ, ଧନୀ ଅଂଚଳମାନଙ୍କୁ ସେହି ସାମଗ୍ରୀ ଗୁଡିକ ଚାଲିଯିବ ଅର୍ଥାତ୍ ଧନୀ ବର୍ଗଙ୍କ ପାଇଁ ସୁଖକର ହେବ ଓ ଲାଭଖୋର ବ୍ୟବସାୟୀଙ୍କ ପାଇଁ ବିରାଟ ସୁଯୋଗ ଯୋଗାଇଦେବ । ତେଣୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ନିୟନ୍ତ୍ରଣ ଉଠାଇବା ଗରିବବିରୋଧୀ ଓ ଧନୀ ସପକ୍ଷବାଦୀ ନିଷ୍ପତ୍ତି ବୋଲି ନବବାବୁଙ୍କର ଉପରୋକ୍ତ ବକ୍ତବ୍ୟ ଇଙ୍ଗିତ କରେ ନାହିଁ କି? ନବବାବୁଙ୍କର ଏହି ଚିନ୍ତାର ପ୍ରତିଫଳନ ଦେଖିବାକୁ ମିଳେ ଚାରିବର୍ଷ ପରେ, ୧୯୫୧ରେ ପ୍ରକାଶିତ ଯୋଜନା କମିଶନ ରିପୋର୍ଟରେ୧୧, ଯେଉଁଠି ଅତ୍ୟାବଶ୍ୟକୀୟ ସାମଗ୍ରୀର ନିୟନ୍ତ୍ରଣ ଯୁଦ୍ଧତ୍ତୋର ଶାନ୍ତିକାଳରେ ମଧ୍ୟ ପ୍ରାସଙ୍ଗିକ ବୋଲି ଗୁରୁତ୍ୱ ଦିଆଯାଇ ଯେତେବେଳେ କୁହାଯାଏ ଯେ ଏପରି ନିୟନ୍ତ୍ରଣ, “ଗରିବଶ୍ରେଣୀର ଆହାରର ସର୍ବନିମ୍ନ ମାନକୁ (Minimum consumption standards) ସୁରକ୍ଷା ଦେବ ଓ ସମ୍ପନ୍ନ ଲୋକଙ୍କ ବହୁଳମାତ୍ରାରେ ଆହରଣ ବା ଆଡମ୍ବରମୟ ଆହରଣକୁ ବାଧା ଦେବା.”

ଉପସଂହାର

୭୫ବର୍ଷ ତଳେ ଉତ୍ଥାପିତ ନବବାବୁଙ୍କ ଆଶଙ୍କାର ପୃଷ୍ଠଭୂମିରେ ଆଜି ଯେତେବେଳେ ଶସ୍ୟ (ଅର୍ଥାତ୍ ଧାନ, ଗହମ ଆଦି), ଡାଲି ଜାତୀୟ ଉତ୍ପାଦ (ଅର୍ଥାତ୍ ହରଡ, ବିରି, ମୁଗ ଆଦି), ଆଳୁ, ପିଆଜ, ଖାଦ୍ୟୋପଯୋଗୀ ତୈଳବୀଜ, ତେଲ ଇତ୍ୟାଦି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଯାହା ସାଧାରଣ ଲୋକର ମୂଳ ଖାଦ୍ୟସାମଗ୍ରୀ ତାଲିକାରେ ନିହାତି ଥାଏ, ସେଗୁଡିକୁ ଅତ୍ୟାବଶ୍ୟକୀୟ ତାଲିକାରୁ କାଢ଼ି ନିଆଯାଉଛି ଓ ଏହାକୁ ନିୟନ୍ତ୍ରଣମୁକ୍ତ କରି ଦିଆଯାଉଛି ସେତେବେଳେ ଭାରତର ଗରିବ ଜନସାଧାରଣଙ୍କୁ ତାହା ଉପଲବ୍ଧ ହେବା ବେଶ୍ ଦୁରୁହ ହୋଇଯିବ ନାହିଁ କି? ବରଂ ଯେତେବେଳେ ଗରିବ ଜନସାଧାରଣଙ୍କ ସଂଖ୍ୟାରେ ବୃଦ୍ଧି, ବିଶେଷତଃ କରୋନା ମହାମାରୀ କାଳରେ, ଗଣମାଧ୍ୟମରେ ପ୍ରମୁଖତା ପାଉଛି, ଖାଦ୍ୟସାମଗ୍ରୀର ମୂଲ୍ୟବୃଦ୍ଧି ଗରିବ ଲୋକଙ୍କ ପାଇଁ ଅସହ୍ୟ ହେବା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି, ସେତେବେଳେ ଏକ ଦାୟିତ୍ୱସମ୍ପନ୍ନ ସମ୍ବେଦନଶୀଳ ସରକାରଙ୍କଠାରୁ ଆଶା କରାଯାଏ ଯେ ଏହି ନିୟନ୍ତ୍ରଣକୁ ଆହୁରି କଡ଼ାକଡ଼ି କରାଯିବା । କିନ୍ତୁ ଏହା ନ ହୋଇ ନିୟନ୍ତ୍ରଣ ଉଠାଇଦେବାକୁ ଅବିମୃଶ୍ୟକାରୀ ଓ ସମ୍ବେଦନହୀନ ନିଷ୍ପତ୍ତି ବ୍ୟତୀତ ଆଉ କଣ କୁହାଯାଇପାରେ? ଏହି ସଂଶୋଧନ ହେବାର ପ୍ରାୟ ବର୍ଷକ ପୂର୍ବରୁ ସମ୍ବାଦ ପ୍ରକାଶ ପାଏ (10 April 2019) ଯେ ଦାରିଦ୍ର୍ୟର ଗର୍ତ୍ତ ଭିତରକୁ କିପରି ଅଧିକରୁ ଅଧିକ ଲୋକ ପଡ଼ିପାରନ୍ତି ଓ ଏଥିରୁ ଖସିବାର ବାଟ ନାହିଁ୧୨ । ସମ୍ବାଦ ହୋଇଛି (03 Dec 2019) ଯେ ଗ୍ରାମୀଣ ଦାରିଦ୍ର୍ୟ କିପରି ବଢ଼ିବାରେ ଲାଗିଛି ଓ ବିହାର, ଝାଡ଼ଖଣ୍ଡ ତଥା ଓଡ଼ିଶାରେ ଏହି ବୃଦ୍ଧି ତୀବ୍ରହାରରେ ହେଉଛି୧୩ । ପରିସଂଖ୍ୟାନରୁ ଜଣାଯାଏ ଯେ ବିହାରରେ ୩୩.୭୪ ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେଥିବା ବେଳେ, ଝାଡ଼ଖଣ୍ଡରେ ଏହି ସଂଖ୍ୟା ୩୬. ୯୬ ପ୍ରତିଶତ ଓ ଓଡ଼ିଶାରେ ଏହାହେଉଛି ୩୬.୮୯ ପ୍ରତିଶତ୧୪ । କରୋନା ମହାମାରୀ କାଳରେ ତ କୋଟି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଯାଇଛନ୍ତି ଯାହା ଗଣମାଧ୍ୟମର ଶିରୋନାମା ହୋଇଛି୧୫ ଯେତେବେଳେ ଭାରତରେ ଦାରିଦ୍ର୍ୟର ଏହିପରି ଦୃଶ୍ୟ ସେତେବେଳେ ଖାଦ୍ୟସାମଗ୍ରୀର ମୂଲ୍ୟ ବୃଦ୍ଧି ଉଦବେଗଜନକ ହେଉଥିଲା । ଗଣମାଧ୍ୟମରେ ସମ୍ବାଦ ହେଉଥିଲା ଯେ ଖାଦ୍ୟସାମଗ୍ରୀର ମୂଲ୍ୟ ବୃଦ୍ଧି ଗରିବଙ୍କ ପାଇଁ ପୀଡ଼ାଦାୟକ ହେଉଛି ଓ ଏହି ପୀଡ଼ା କାଏମ ରହିବ୧୬; ସମ୍ବାଦ ହେଉଥିଲା ଯେ ୧୫୦ଟଙ୍କା ମଧ୍ୟ ଯଥେଷ୍ଟ ନୁହେଁ ଯେ ଭାରତର ଗରିବ ଲୋକ କିଲେ ଆଳୁ ଓ କିଲେ ପିଆଜ କିଣି ପାରିବ୧୭ ।

କହିବା ବାହୁଲ୍ୟ ଯେ ଆଜିକା ସମୟରେ ଯେତେବେଳେ ଗରିବଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି, ଖାଦ୍ୟସାମଗ୍ରୀର ଦରରେ ବୃଦ୍ଧି ଏପରି ହୋଇଛି ଯେ ଗରିବ ଜନସାଧାରଣର ଆହାରରେ ଖାଦ୍ୟସାମଗ୍ରୀର ପରିମାଣ ହ୍ରାସ ପାଇଛି, ବିଶେଷତଃ କରୋନା କାଳରେ୧୮, ଓ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ବିଶ୍ୱରେ ତଳକୁ ଖସିଛି୧୯, ୧୦୭ ଦେଶଙ୍କ ମଧ୍ୟରେ ୯୪ତମ ସ୍ଥାନରେ ପହଂଚିଛି, ଗ୍ରାମୀଣ ଭାରତରେ ୪ ଜଣ ମଧ୍ୟରୁ ୩ ଜଣଙ୍କ ପାଖରେ ସାମର୍ଥ୍ୟ ନାହିଁ ସୁଷମ ଖାଦ୍ୟ ପାଇଁ ସେତେବେଳେ ଖାଦ୍ୟ ଦ୍ରବ୍ୟକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବାଦ ଦେଇ ଆଇନ ହେଉଛି ।

ନବକୃଷ୍ଣ ଚୌଧୁରୀ ଆଜି ବଂଚିଥିଲେ, ଏପରି ବିପରୀତ ଗତି ଦେଖି କପାଳରେ ହାତ ମାରୁଥାନ୍ତେ କି?

ବ୍ୟବହୃତ ଉପାଦାନ ସୂଚୀ

1.Beyond Punjab-Haryana: Meet farmers protesting against new farm laws across ,Aarefa Johari

Jan 11, 2021 · 09:00 am ,Scroll – Beyond PunjabHaryana: Meet farmers protesting against new farm laws across India https://scroll.in/article/print/9835611

2.Farmers’ stir: Cops erect walls at border, plant spikes to stall protest ,TNN | Feb 2, 2021, 10.07 AM IS ,Farmers’ stir: Cops erect walls at border, plant spikes to stall protest – Times of India https://timesofindia.indiatimes.com/india/farmers-protest-cops-erect-walls-at-border-plant-spikes-to-st…1 of 3 2/25/2021 11

3.Locals perch on rooftops, balconies to witness unprecedented farmers’ tractor parade – The Economic Times, https://economictimes.indiatimes.com/news/politics-and-nation/locals-perch-on-rooftops-balconies-to

4.Tractor rally: Protesters deviate from agreed routes, reach Red Fort , 26 Jan 2021, https://www.livemint.com/#box_11611647713818 2 of 3 2/25/2021 1

5.Fact-Check: Flags Hoisted at Red Fort Neither Replaced Tricolour, Nor Promoted Khalistan ,Pooja Chaudhuri and Priyanka Jha , 26/Jan/2021 ,https://thewire.in/communalism/fact-check-red-fort-flag-tricolour-khalistan-nishan-sahib

6.Samyukta Kisan Morcha disassociates from violent protesters, blames ‘anti-social elements’ ,PTI 26 January, 2021,https://theprint.in/india/samyukta-kisan-morcha-disassociates-from-violent-protesters-blames-anti-social-elements/592518

7.Why Was the Red Fort Left Unguarded When Delhi Was on ‘High Alert’? ,N.D. Jayaprakash 04/Feb/2021 ,https://thewire.in/government/farmers-protest-red-fort-delhi-police-high-alertû

8.Delhi Police summons 6 farmer leaders in Republic Day violence case, rioters charged under UAPA ,Ankita Bhandari ,Updated:Jan 29, 2021, 09:13 AM IS ,https://zeenews.india.com/india/delhi-police-summon s-6-farmers-leaders-in-republic-day-violence-ch

9.High-level judicial inquiry should be ordered into Jan 26 violence and cases against farmers: Farmer unions

PTI | Feb 13, 2021, 06.47 PM IS ,https://timesofindia.indiatimes.com/india/high-level-judicial-inquiry-should-be-ordered-into-jan-26-vi……

10..Trump wall: How much has he actually built? By Lucy Rodgers and Dominic Bailey,BBC News , Published, 31 October 2020;https://www.bbc.com/news/world-us-canada-46824649;Trump wall ,https://en.wikipedia.org/wiki/Trump_wall

11.Quoted from Report on the First Five-Year Plan, published by Planning Commission, New Delhi, 1951, at p.90, A People’s Constitution, Rohit De

12.Many more may fall into poverty trap and several may not escape it , By Richard Mahapatra Pulished: Wednesday 10 April 2019 , https://www.downtoearth.org.in/blog/general-elections-2019/many-more-may-fall-into-poverty-trap-and-several-may-not-esca

13..India’s rural poverty has shot up, By Pramit Bhattacharya, Srih arsha Devulapalli , 03 Dec 2019, https://www.livemint.com/news/india/rural-poverty-has-shot-up-nso-data-shows-11575352445478.ht

14.List of Indian states and union territories by poverty rate – Wikipedia https://en.wikipedia.org/wiki/List_of_Indian_states _and_union_territories_by_poverty_rate

15…Coronavirus impact: Over 100 million Indians could fall below poverty line , Sai Manish | New Delhi Last Updated at April 17, 2020. https://www.business-standard.com/article/economy-policy/coronavirus-impact-over-100-million-indians-could-fall-below-poverty;

16..High food prices hurting India’s poor, pain to persist, By Rajendra Jadhav, Aftab Ahmed , November 13, 2020 , https://www.reuters.com/article/india-economy-inflation/high-food-prices-hurting-indias-poor-pain-to-persist-idUSKBN27T20U?ed

17..’Even Rs 150 not enough’: India’s poor cannot afford aloo, pyaz ,PTI, New Delhi, NOV 01 2020, 11:53 IST UPDATED: NOV 01 2020, Deccan Herald https://www.deccanherald.com/national/even-rs-150-not-enough-indias-poor-cannot-afford-aloo-pyaz.

18..Hunger Index Among Poor in 11 States Continues to Be Dire Post-Lockdown: Survey ,The Wire Staff ,3/Dec/2020 ,https://thewire.in/rights/hunger-watch-survey-lockdown

19..India Slips Down Global Hunger Index – Even Without Factoring in COVID-19 , Parul Malik, Prabhu Dutta Shaw and Arathi P. Rao , 02/Nov/2020 , https://thewire.in/rights/india-global-hunger-index-covid-19

Photo Credit-https://bit.ly/3wz1Op4

Comments

0 comments

Share This Article