ଚାଷୀ କେବେ ମାଗିଥିଲେ କି?

22 Min Read

୨୦୨୦ ସେପ୍ଟେମ୍ବର ମାସରୁ କୃଷକ ବିରୋଧୀ ୩ଟି ଆଇନ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରଣୟନ ହେବା ପରଠାରୁ ପଞ୍ଜାବରୁ କୃଷକ ବିଦ୍ରୋହ ସୂତ୍ରପାତ ହୋଇ ହରିୟାନା, ଉତ୍ତର ପ୍ରଦେଶ, ରାଜସ୍ଥାନ ମହାପଞ୍ଚାୟତ ଜରିଆରେ ବିଦ୍ରୋହର ବ୍ୟାପକତା ବଢ଼ିବାରେ ଲଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ସମେତ ଓଡ଼ିଶା-ଛତିଶଗଡ଼ରେ ଚାଷୀ ଜାଗରଣ ଦେଖାଦେଇଛି । ନଭେମ୍ବର ୨୫ରୁ ଆଜିଯାଏ ଦିଲ୍ଲୀର ଚାରି ସୀମାରେ ଶୀତ, କାକର, ବର୍ଷାକୁ ସାମ୍ନା କରି ଖୋଲା ଆକାଶତଳେ ଜୀବନକୁ ବାଜି ଲଗାଇ ଲକ୍ଷ ଲକ୍ଷ ·ଷୀଙ୍କ ଅହୋରାତ୍ର ସତ୍ୟାଗ୍ରହ ଏକ ଐତିହାସିକ ଆନ୍ଦୋଳନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ଯଦିଚ ଆମ କୃଷକମାନଙ୍କ ଦ୍ୱାରା ନିର୍ବାଚିତ କେନ୍ଦ୍ରସରକାର ନିଜ ସାମ୍ବିଧାନିକ ଦାୟିତ୍ୱ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଅହିଂସ ଆନ୍ଦୋଳନକାରୀ କୃଷକମାନଙ୍କ ଉପରେ ଯୁଦ୍ଧ ଘୋଷଣା କରିଦେଇଛି । ଗୋଟିଏ ପକ୍ଷରେ ଯୁଦ୍ଧଦେହିଂ ଡାକରା ଦେଇଥିବା ଶାସନର ସେନାପତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିଏ କି ଫାସିବାଦୀ ହିଟଲରର କେତେକ ଚରିତ୍ର ଓ ଆଚରଣକୁ ଆପଣାଇ ତାନାସାହି ଶାସକର ଔଦ୍ଧତ୍ୟକୁ ଜାହିର କରି ଚାଲିଛନ୍ତି । ଗୋବେଲ ସ୍ଥାନରେ କର୍ପୋରେଟ ନିୟନ୍ତ୍ରିତ ତଥା ଶାସକୀୟ ହୁକୁମ ଆଗରେ ଆତ୍ମସମର୍ପିତ ଗଣମାଧ୍ୟମ ରହିଛି; ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ ରୂପେ ପ୍ରତିପାଦିତ କରିଚାଲିଛି । ପୋଲିସ ବାହିନୀ, ଏନଫୋର୍ସମେଂଟ୍ ଡିପାର୍ଟମେଂଟ୍, ଦେଶଦ୍ରୋହ ଅଭିଯୋଗ ସମେତ ଉପା ଆଇନକୁ ବିରୋଧୀ ଓ ଭିନ୍ନ ମତଦାତା ଓ ସମାଲୋଚକମାନଙ୍କ ବିରୋଧରେ ପ୍ରୟୋଗ କରାଯାଉଛି । ଏପରି ଅମାନବୀୟ, ଅଗଣତାନ୍ତ୍ରିକ କ୍ଷମତାର ଅପବ୍ୟବହାରକୁ ନ୍ୟାୟିକ ସୁରକ୍ଷା ଦେବାପାଇଁ ବିଚାରାଳୟର ପକ୍ଷପାତିତା ସେନାପତିଙ୍କ ଅମୋଘ ଅସ୍ତ୍ର ରୂପେ ବ୍ୟବହୃତ ହେଉଛି । ତାରି ସାମ୍ନା କରୁଥିବା ସ୍ୱାଧୀନ ରାଷ୍ଟ୍ରର ମାଟିର ମଣିଷ ଚାଷୀ-କୃଷି-ଶ୍ରମିକ ସଂପୂର୍ଣ୍ଣ ଅହିଂସା ଗଣତାନ୍ତ୍ରିକ ସତ୍ୟାଗ୍ରହର ନିରସ୍ତ୍ର ସୈନିକ ରୂପେ ଅନ୍ୟାୟ, ଅନୀତି, ଅବିଚାର ଓ ଶୋଷଣରୁ ମୁକ୍ତିପାଇଁ ନ୍ୟାୟ, ହକ୍ ଏବଂ ଖାଦ୍ୟ ସାର୍ବଭୌମ ସହ କୃଷକ ହାତରେ କୃଷିର ସୁରକ୍ଷା ପାଇ ପ୍ରତିବଦ୍ଧତା ଓ ସ୍ୱାଭିମାନ ସହ ସଂଗ୍ରାମରତ ।

କେବଳ ପଂଜାବ- ହରିୟାନା ଚାଷୀଙ୍କ ଆନେ୍ଦାଳନ ନୁହଁ; ପଶ୍ଚିମ ଉତ୍ତରପ୍ରଦେଶର ପ୍ରତ୍ୟେକ ଚାଷୀ ପରିବାର ଏହି ଆନ୍ଦୋଳନରେ ସଂପୃକ୍ତ ହୋଇସାରିଥିବାବେଳେ ଅନ୍ୟ ଅଂଚଳରେ ଚାଷୀ ଜାଗରଣ ଦେଖାଦେଇଛି । ମହାରାଷ୍ଟ୍ରରୁ ଏକହଜାର କାର, ଟେମ୍ପୋ, ବସରେ ହଜାର ହଜାର କୃଷକ- ଶ୍ରମିକ ପହଂଚିଥିଲେ ଦିଲ୍ଲୀ ସୀମାନ୍ତରେ । ଡିସେମ୍ବର ୨୬ରୁ ୩୧ ପର୍ଯ୍ୟନ୍ତ କର୍ଣ୍ଣାଟକର ଚାଷୀ ସଙ୍ଗଠନଗୁଡିକ ବିଭିନ୍ନ ସ୍ଥାନରେ ଧର୍ମଘଟ ଚାଲୁରଖିଥିଲେ ଦିଲ୍ଲୀ କିସାନ ସଂଘର୍ଷ ସମର୍ଥନରେ । ୨୩ ଡିସେମ୍ବର କିସାନ ଦିବସରେ ସଂଯୁକ୍ତ କିସାନ ମୋର୍ଚ୍ଚାର ଆହ୍ୱାନରେ ଦେଶର ବିଭିନ୍ନ ସ୍ଥାନରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଚାଷୀ ଓ ସଂଗ୍ରାମୀ ଉପବାସ ରଖିଥିଲେ । ଏପରିକି ଦିଲ୍ଲୀ, ଚେନ୍ନାଇର ମହିଳା ଆଡଭୋକେଟ ସମେତ ବହୁ ଆଇନଜୀବୀ ଉପବାସ ରଖିଥିଲେ । ଆଦାନୀ ଓ ଅମ୍ବାନୀ କମ୍ପାନୀହାତରେ ଖାଦ୍ୟଶସ୍ୟ ବ୍ୟବସାୟ ଟେକିଦେବା ପାଇଁ ଏହି ୩ ଆଇନର ଉଦେ୍ଶ୍ୟ ଥିବାରୁ ଅମ୍ବାନୀ ଆଦାନୀ ଉତ୍ପାଦିତ ପଦାର୍ଥକୁ ବର୍ଜନ କରିବା ପଇଁ ଗତ ଡିସେମ୍ବର ୨୬-୨୭ଦିନ ଦିଆଯାଇଥିଲା । କୋଟି କୋଟି ଗ୍ରାହକ ଜିଓ ମୋବାଇଲ ସେବା ପରିତ୍ୟାଗ କରିଛନ୍ତି।

ବର୍ତ୍ତମାନ ରାଜସ୍ଥାନ, ହରିୟାନା, ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଚାଷୀଙ୍କ ମେଳରେ ମହାପଂଚାୟତରେ ଦାବୀ ହେଉଛି କୃଷକ ବିରୋଧୀ ଆଇନକୁ ହଟାଇ ନୁ୍ନ୍ୟତମ ସହାୟକ ମୂଲ୍ୟରେ ଗ୍ୟାରେଣ୍ଟି ଦେବାକୁ ନୂଆ ଆଇନ କରାଯାଉ । ମଧ୍ୟପ୍ରଦେଶର ମନେ୍ଦାସରରୁ ୨୦୧୮ରେ କୃଷକଉପରେ ଗୁଳିକାଣ୍ଡରୁ ଦେଶବ୍ୟାପି କୃଷକ ଅଭିଯାନ ଆରମ୍ଭ ହୋଇଥିଲା । ଆଜି ସେଠାରେ କୃଷକ ପ୍ରତାରିତ । ତେଣୁ ଏହି ଆଇନ ବିରୋଧରେ ପ୍ରବଳ ପ୍ରତିବାଦ ହେଉଛି । ଛତିଶଗଡ, ଓଡିଶା- ପଶ୍ଚିମବଙ୍ଗରେ କୃଷକ ସଂଗଠନଗୁଡିକର ମିଳିତ କାର୍ଯ୍ୟକ୍ରମ ବ୍ୟାପକ ହେଉଛି କେନ୍ଦ୍ରର ଆଇନ ବିରୋଧରେ । ଓଡିଶା ସରକାର ରାଜ୍ୟର କୃଷକମାନଙ୍କୁ ପ୍ରତାରିତ କରି ଘରୋଇ ମଣ୍ଡି ପାଇଁ ତିନି ତିନି ଥର ଅଧ୍ୟାଦେଶ ଜାରି କରିଛି । ତିନୋଟି ଆଇନକୁ ସମର୍ଥନ ଦେଇନାହାନ୍ତି ବୋଲି କହୁଥିବା ନବୀନ ସରକାର ସରକାରୀ ମଣ୍ଡି ବ୍ୟବସ୍ଥାକୁ ଗୌଣ କରିଦେବା ପାଇଁ ଘରୋଇ ମଣ୍ଡି ପାଇଁ ଆଇନ କରିବା ପଛରେ ନବୀନଙ୍କ ସମର୍ଥନ ଓ ସହଯୋଗ ରହିଛି କର୍ପୋରେଟ ନିୟନ୍ତ୍ରିତ କୃଷି ପାଇଁ ।

ଖୋଦ ପ୍ରଧାନମନ୍ତ୍ରୀ କହୁଛନ୍ତି କୃଷକଙ୍କ ସ୍ୱାର୍ଥରେ ତିନି ଆଇନ ଉପହାରସ୍ୱରୂପ ଦେଇଛନ୍ତି । କୃଷକମାନେ ପଚାରୁଛନ୍ତି ଆମେ କେବେ ମାଗିଥିଲୁ କି? ବର୍ତ୍ତମାନ ନୁ୍ୟନତମ ସହାୟକ ଦର ପାଇଁ ସରକାର ଉପରେ ନିର୍ଭରଶୀଳ ଚାଷୀମାନେ ଏଣିକି ଘରୋଇ ବେପାରୀ ତଥା କଂପାନୀମାନଙ୍କ ଅନିୟନ୍ତ୍ରିତ ଖୋଲା ବଜାରରେ ଚାଷୀ ଅଧିକ ଦରରେ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇଯିବେ । ସରକାରୀ ଭାଟ ଗଣମାଧ୍ୟମ ରଡ଼ି ରଡ଼ି ପ୍ରଚାର କରୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର କୃଷକ ଆୟ ଦୁଇଗୁଣ ହୋଇଯିବ । ଏବେ ସରକାରୀ ମଣ୍ଡି ଥାଇ ବି (ଯଦିଚ ଯଥେଷ୍ଟ ନୁହଁ) ଅଧିକାଂଶ ଚାଷୀଙ୍କୁ (ପଞ୍ଜାବ ଓ ହରିଆଣା ବ୍ୟତୀତ) ସହାୟକ ଦରରେ ଧାନ-ଗହମ ବିକ୍ରି କରିବାକୁ ସୁଯୋଗ ମିଳୁନାହିଁ । କେନ୍ଦ୍ର ସରକାରର ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ମାତ୍ର ୬ ପ୍ରତିଶତ ଖାଦ୍ୟଶସ୍ୟ ହିଁ ସହାୟକ ଦରରେ ସଂଗ୍ରହ କରିପାରୁଛି । ଓଡ଼ିଶାରେ ୨୦ ପ୍ରତିଶତ ଧାନ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ସଂଗ୍ରହ ସମ୍ଭବପର ହେଉଛି । ଆଉ ବାକି ବେସରକାରୀ ତଥା ଖୋଲା ବଜାରରେ ବେପାରୀମାନଙ୍କୁ କ୍ୱିଣ୍ଟାଲ ପ୍ରତି ୪୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ସହାୟକ ଦରଠାରୁ କମ୍ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସ୍ତରରେ ଦେଖିବାକୁ ଗଲେ ଏହି ବିକ୍ରି ଉପରେ ଆଗରୁ କେଉଁଠି କଟକଣା ନଥିଲା । ଏପରିକି ବିହାରରେ ସରକାରୀ ମଣ୍ଡି ବ୍ୟବସ୍ଥା ୨୦୦୬ରୁ ନାହିଁ । ସେଠାରେ ଚାଷୀ ୯୦୦-୧୦୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛି ଅର୍ଥାତ୍ ସରକାରୀ ଦରର ଅଧା । ଓଡ଼ିଶାରେ ଭାଗ ଚାଷୀଙ୍କଠାରୁ କମ ଧାନ କିଣାଯାଉଛି ସରକାରୀ ମଣ୍ଡି ବ୍ୟବସ୍ଥାରେ । ବରଂ ପ୍ରଥମେ ଜମି ମାଲିକମାନଙ୍କ ଧାନ ସଂଗୃହୀତ ହୋଇଯାଉଛି । ଭାଗ ଚାଷୀମାନଙ୍କ ମାନ୍ୟତା ଓ ସୁରକ୍ଷା ପାଇଁ ଆବଶ୍ୟକ ଏକ ଆଇନ ପ୍ରଣୟନ ହୋଇପାରୁନାହିଁ । ଏତିକିବେଳେ ଏହି ତିନୋଟି ଆଇନ ଖଣ୍ଡାସ୍ୱରୂପ ଚାଷୀଙ୍କ ଜୀବିକାର ମୁଣ୍ଡ କାଟିବ । ସାଧାରଣ ଜ୍ଞାନ କହୁଛି ଯଦି ବିକ୍ରେତା କମ ରହିବେ ଓ କ୍ରେତା ଅଧିକ ରହିବେ, ଦାମ ଅଧିକ ହୋଇପାରିବ । କିନ୍ତୁ କୃଷକ (ବିକ୍ରେତା) ଓ କଂପାନୀ (କ୍ରେତା) ଏଠାରେ ଓଲଟା । ତେଣୁ ଅତ୍ୟଧିକ ଚାଷୀ କେଉଁ ବଜାରକୁ ନେଇ ଧାନ-ଗହମ ଏପରିକି ପରିବା ଅଧିକ ଦାମରେ ବିକି ପାରିବ? ବରଂ ବଜାରରେ ଶୋଷଣର ଶିକାର ହେବ କଂପାନୀ ଦଲାଲମାନଙ୍କ ଜାଲରେ ।

ବଜାର ଅର୍ଥନୀତି ବିଶେଷଜ୍ଞମାନେ କହିଆସୁଛନ୍ତି କୃଷି କ୍ଷେତ୍ରରୁ ଶ୍ରମିକମାନଙ୍କ ସ୍ଥାନାନ୍ତର ପ୍ରଗତିର ସୂଚନା । କୃଷିକ୍ଷେତ୍ରରୁ ହଟାଇ କୃଷକ ଓ କୃଷି-ଶ୍ରମିକମାନଙ୍କ ପାଇଁ କେଉଁ ଶିଳ୍ପ-କାରଖାନାରେ ସ୍ଥାନ ସଂରକ୍ଷିତ ରହିଛି? ପୁଞ୍ଜିବାଦ ଅର୍ଥ ବ୍ୟବସ୍ଥା ଊନବିଂଶ ଶତାବ୍ଦୀରେ ଶିଳ୍ପାୟନର ପ୍ରସାର କରିଛି । ଚାଷଜମି ଅଣଚାଷରେ ପରିଣତ ହୋଇଛି । କିନ୍ତୁ ବିଶ୍ୱରେ ଧନୀ-ଗରିବ ଦେଶ ସବୁଠି ଚାଷୀର ବିକାଶ ନିମ୍ନଗାମୀ ହୋଇଛି । ୟୁରୋପରେ ଶିଳ୍ପବିପ୍ଲବ କୃଷକମାନଙ୍କରୁ ବା କୃଷି ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇଛି ବୋଲି କୁହାଯାଇପାରିବ ନାହିଁ । ୟୁରୋପରେ ଶିଳ୍ପରେ ନିଯକ୍ତି ପାଇନଥିବା ଅନେକ କୃଷିଶ୍ରମିକମାନଙ୍କୁ ଔପନିବେଶକ ଶାସନଦ୍ୱାରା ଆମେରିକାରେ ଚାଷରେ ନିୟୋଜିତ କରାଗଲା । ଉଦାରବାଦୀ ଅର୍ଥବ୍ୟବସ୍ଥାରେ ଔପନିବେଶିକ ଶାସନ ଜରିଆରେ ବ୍ରିଟିଶ ସରକାର ଆମଦେଶ ପରି ଅନେକ ଦେଶରେ ସାମ୍ରାଜ୍ୟ ବିସ୍ତାର କରି ପରାଧୀନ କରି ରଖିଥିଲା । ସେହି ଦେଶମାନଙ୍କ ପ୍ରାକୃତିକ ସଂପଦର ଦୋହନ ପାଇଁ ନିଜ ଦେଶରୁ ଶ୍ରମିକ ଚାଲାଣ କରି ନିୟୋଜିତ କରାଗଲା ଓ ମୁନାଫା ମଧ୍ୟ ସଂଗ୍ରହ ହୋଇପାରିଲା । କିନ୍ତୁ ଆମଦେଶର ଚାଷୀ ଓ କୃଷକ ଶ୍ରମିକ ଦାଦନ ଶ୍ରମିକ ହୋଇ ଯିବେ କେଉଁ ଦେଶକୁ? ଆମ ଦେଶର ସହରମାନଙ୍କରେ ଶ୍ରମ ବଜାରରେ ଶସ୍ତା ମାଲ ହୋଇ ପେଟକୁ ଦାନାପାଇଁ ଧାଡି ଲଗାଇ ଠିଆ ହେବେ । ଯାହାର ପାଳି ଆସିଲା ସେ ମାଲିକର ଦୟାରେ ପାରିଶ୍ରମିକ ପାଇବ ୧୨ ଘଣ୍ଟା ଖଟିବା ପରେ । ଆଉ ବାକି ବିନା ଆୟରେ ଦିନ କାଟିବେ । ଏପରି ଏକ ଅଭାବନୀୟ ସ୍ଥିତିକୁ ନବଉଦାରବାଦ, ଘରୋଇକରଣ ଓ ଉଦାରୀକରଣ ଅର୍ଥବ୍ୟବସ୍ଥା ଦ୍ୱାରା ଠିଆ କରି ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ସାମ୍ରାଜ୍ୟବାଦୀ ବିକଶିତ ରାଷ୍ଟ୍ରଶକ୍ତିମାନେ ଭାରତକୁ ଏକ ବଡ଼ ସାମର୍ଥ୍ୟଥିବା ବଜାର ରୂପେ ବ୍ୟବହାର କରିବାକୁ ବିଶ୍ୱବାଣିଜ୍ୟ ସଂଗଠନ କୁ ବ୍ୟବହାର କରୁଛି । ପୁଂଜିବାଦୀ ଅର୍ଥବ୍ୟବସ୍ଥା ଚାଷୀ ହାତରେ ଥିବା ଚାଷକୁ କମ୍ପାନୀ କରଣ କରିବା ପାଇଁ ବାହ୍ୟ ଶକ୍ତିକୁ ବ୍ୟବହାର କରାଯାଇଥାଏ । ସର୍ବସାଧାରଣଙ୍କ ପାଇଁ କୃଷି ଜୀବନର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ଗୃହ ପୂରଣ କରିଥାଏ, କିନ୍ତୁ କମ୍ପାନୀମାନଙ୍କ ପାଇଁ ଏହା ପଣ୍ୟଯାଗ୍ୟ ଉତ୍ପାଦନ ଯାହାର ବ୍ୟବହାର ମୂଲ୍ୟସହ ଅଦଳ ବଦଳ ମୂଲ୍ୟ ବି ରହିଥିବ । ଯେତେବେଳେ ରାଷ୍ଟ୍ରର ଦାୟିତ୍ୱ କୃଷି କ୍ଷେତ୍ରରୁ ହଟିଯିବ, ସେତେବେଳେ ଜମି କାରବାର ବିସ୍ଥାରିତ ହେବ । କମ୍ପାନୀମାନଙ୍କୁ ଜମି ହସ୍ତାନ୍ତରିତ ହେବ ବ୍ୟବସାୟିକ ମାଧ୍ୟମରେ ବିଶ୍ୱବଜାରର ନିଦେ୍ର୍ଶରେ । ଶସ୍ୟ କିସମ ମଧ୍ୟ ବଦଳିଯିବ । ରତ୍ପାନିଭିତ୍ତିକ ଉତ୍ପାଦନ କରାଯିବ ଯାହାକି ଖାଦ୍ୟ ଶସ୍ୟ, କ୍ଷେତ ଅନ୍ୟପ୍ରକାର ଶସ୍ୟକୁ ରୁପାନ୍ତରିତ ହୋଇଯିବ । ଶେଷରେ କୃଷକ ବଜାରରେ ଦୟାରେ ରହିବାକୁ ବାଧ୍ୟ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ଦେଶ-ବିଦେଶର ବହୁରାଷ୍ଟ୍ରୀୟ କଂପାନୀମାନଙ୍କ ହାତରେ ଆମଦେଶର ସମଗ୍ର ଉତ୍ପାଦନ କ୍ଷେତ୍ର ଓ ପ୍ରାକୃତିକ ସମ୍ପଦକୁ ଟେକି ଦେଇ ସେମାନଙ୍କ ମୁନାଫା କେନ୍ଦ୍ରିତ ବ୍ୟବସାୟିକ ବିକାଶ ପରିଧିରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାର ଛଳନା କରୁଛନ୍ତି । ଏହି ଆତ୍ମନିର୍ଭରତା ମୁଖଟା ଭିତରେ ପରାଧୀନତା ଓ ପରଜୀବୀ ନିର୍ଭରତା ଲୁଚିକରି ଅଛି । ମହାତ୍ମାଗାନ୍ଧୀ ହିନ୍ଦସ୍ଵରାଜ ଲେଖିବାର ଆରମ୍ଭଠାରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପଶ୍ଚିମର ବିକାଶ ଢାଞ୍ଚା ଓ ଔପନିବେଶକ ଶାସନ ଭିତ୍ତିଭୂମି ଉପରେ ଆରମ୍ଭ ହୋଇଥିବା ଶିଳ୍ପବିପ୍ଲବର ଧ୍ୱଂସକାରୀ ଦିଗ ପ୍ରତି ସତର୍କ କରାଇ କହିଥିଲେ ଯେ ଆମର ବିକାଶ, କର୍ମନିଯୁକ୍ତିର ଭିତ୍ତିଭୂମି ଗ୍ରାମ୍ୟ ଅର୍ଥବ୍ୟବସ୍ଥାର ବିକାଶ ହେବା ଏକାନ୍ତ ଜରୁରୀ । ସ୍ୱାଧୀନତା ପରେ ଗାନ୍ଧିଜୀଙ୍କ ବିଚାର ଓ ଦର୍ଶନକୁ ସମ୍ପୂର୍ଣ୍ଣ ଗ୍ରହଣ କରାଯାଇ ନ ଥିଲେ ବି ସାମ୍ବିଧାନିକ ନିଦେର୍ଶାବଳୀରେ ଓ ଯୋଜନା ମାଧ୍ୟମରେ ରାଷ୍ଟ୍ରାୟତ୍ତ ଶିଳ୍ପ କାରଖାନା ସହ କୃଷିକ୍ଷେତ୍ର ପ୍ରତି ଅଗ୍ରାଧିକାର ଦିଆଯାଇଥିଲା । ଯାହାଦ୍ୱାରା ଦେଶରେ କୃଷକ ୧୯୭୦ରୁ ୧୯୯୦ ମଧ୍ୟରେ କୃଷି ଉତ୍ପାଦନ ଚାରିଗୁଣ ବୃଦ୍ଧି କରି ଦେଶକୁ ଖାଦ୍ୟରେ ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି । କିନ୍ତୁ ବିଂଶ ଶତାବ୍ଦୀର ଷାଠିଏ ଦଶକରେ ଦେଶର ଘରୋଇ ଉତ୍ପାଦନରେ କୃଷିର ଅବଦାନ ୬୦ପ୍ରତିଶତ ଥିଲାବେଳେ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ କୃଷି ଉତ୍ପାଦନ ୪ଗୁଣ ବୃଦ୍ଧି ହୋଇଥିଲେ ବି ଏହାର ରାଷ୍ଟ୍ରୀୟ ଉତ୍ପାଦନ (ଜି.ଡି.ପି.)ର ମାତ୍ରା ୧୪% ବୋଲି ହିସାବ କରାଯାଉଛି । ଏହାସତ୍ତ୍ୱେ ଦେଶର ନିଯୁକ୍ତି ତଥା ଜୀବିକାର ୬୦ ପ୍ରତିଶତ ଜନତା କୃଷିକ୍ଷେତ୍ରରେ ହିଁ ନିର୍ଭରଶୀଳ । ଏହା ସହ ଶତପ୍ରତିଶତ ଜନତାଙ୍କ ଅନ୍ନଦାତା । କୃଷି ଓ କୃଷକ ମଧ୍ୟରେ କିପରି ନିକଟତା ବଢ଼ିବ ଓ କୃଷକର ପୁଅ-ଝିଅ କହିବେ ଯେ ସେମାନେ ବି କୃଷକ ହେବାକୁ ଚାହାନ୍ତି ସେପରି ସ୍ତରକୁ ନେଇ ପାଇଁ କୃଷିର ବିକାଶ ଏକକ ଭାବେ ଜରୁରୀ । କିନ୍ତୁ କୃଷିର ସଂସ୍କାର ନାମରେ କୃଷିଠାରୁ କୃଷକଙ୍କୁ ଅଲଗା କରାଯିବ ସେଥିପାଇଁ ସରକାର, ନୀତି ନିର୍ଦ୍ଧାରକ ଓ କର୍ପୋରେଟ ଆଡ଼ଭୋକେଟମାନେ ନୂଆ ନୂଆ ଆଇନ ତିଆର କରୁଛନ୍ତି ।

୧୯୯୧ ପରେ ଦେଶରେ ଘରୋଇକରଣର ପ୍ରଭାବ ଚାଲିବା ପରେ ରାଷ୍ଟ୍ରର ଆର୍ଥିକ ନୀତିରେ ଯେଉଁ ପରିବର୍ତ୍ତନ କରାଗଲା , ତାହାଦ୍ୱାରା ପ୍ରାଥମିକ ଆର୍ଥିକ କ୍ଷେତ୍ର କୃଷି ଓ କ୍ଷୁଦ୍ର ଶିଳ୍ପରେ ବିଶେଷ କୁପ୍ରଭାବ ପଡ଼ିଲା । ବିଶ୍ୱ ଆର୍ଥିକ ସଂସ୍ଥାଗୁଡ଼ିକର ଚାପରେ ଭାରତ ସରକାର ତିନୋଟି ସର୍ତ୍ତ ଗ୍ରହଣ କରିନେଇ ବିକଶିତ ଦେଶ -ମାନଙ୍କର ବଡ଼ ବଡ଼ କୃଷି ବ୍ୟବସାୟ କର୍ପୋରେଟ୍ ଆମ କୃଷି କ୍ଷେତ୍ରରେ ପ୍ରବେଶ ପାଇଁ ଅନୁମତି ଦେଲେ! ଏହା ସହ କ୍ରମଶଃ କୃଷିରେ ଦିଆଯାଉଥିବା ରିହାତିଗୁଡ଼ିକୁ ହ୍ରାସ କରାଯାଉଛି । ତୃତୀୟଟି କୃଷିକ୍ଷେତ୍ରରେ ଆମଦାନୀ ପାଇଁ କଟକଣା ଉଠାଇ ଦିଆଗଲା । ଏହାର ପରିଣାମରେ କୃଷିରେ ସରକାର ଦ୍ୱାରା ପୁଞ୍ଜିନିବେଶ କମି କମି ଗଲା; ସାର, ବିଦୁ୍ୟତ, ଜଳସେଚନରେ ଦିଆଯାଉଥିବା ରିହାତି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ ଦିଆଯାଉଥିବା କୃଷି ଋଣରେ ରିହାତିକୁ ଅତିମାତ୍ରାରେ ହ୍ରାସ କରାଯାଉଛି । ବିଦେଶର ରିହାତି ପ୍ରଦତ୍ତ କୃଷିଜାତ ପଦାର୍ଥକୁ ଆମଦେଶର ବଜାରକୁ ଆଣିବା ଅନୁମତି ଦିଆଗଲା ଯାହା ଦ୍ୱାରା ଆମ ଦେଶର କୃଷିଜାତ ଜିନିଷଠାରୁ ବିଦେଶୀ ଜିନିଷ ଶସ୍ତାରେ ମିଳିବାରୁ ଆମ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଲା । ଜାତୀୟ ସର୍ବେକ୍ଷଣ ସଂଗଠନ ଦ୍ୱାରା ୨୦୧-୧୩ରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ଦେଶର ୫୨ପ୍ରତିଶତ କୃଷକ ପରିବାର ଋଣ ଦ୍ୱାରା ଭାରାକ୍ରାନ୍ତ । ସେତେବେଳେ ତାର ହାରହାରି ବାର୍ଷିକ ଆୟ ୩୬୯୭୨ଟଙ୍କା ଥିବାବେଳେ ହାରାହାରି ଋଣ ଥିଲା ୪୭,୦୦୦ଟଙ୍କା । ପୁଣି କୃଷି ଉପକରଣ ଦାମ ବୃଦ୍ଧି ହେଉଥିବା ବେଳେ ନିଜ ଉତ୍ପାଦନର ଉଚିତ୍ ମୂଲ୍ୟ ପାଉନଥିବା ଯୋଗୁଁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ୧୯୯୫ର ୨୦୦୪ ମଧ୍ୟରେ ପ୍ରାୟ ତିନି ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି । ଗତ ୬ବର୍ଷ ବିଜେପି ଶାସନକୁ ଆସିବା ପରଠାରୁ ଚାଷୀ ହତାଶ ହୋଇଛି । ଯେହେତୁ ନିର୍ବାଚନ ପ୍ରତିଶ୍ରୁତି ସ୍ୱାମୀନାଥନ କମିଟିର ସୁପାରିଶ ଚାଷ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟରେ ଫସଲ କିଣିବାକୁ ମୋଦୀ ସରକାର ପ୍ରସ୍ତୁତ ନୁହଁ । ୨୦୧୪-୧୬ ମଧ୍ୟରେ କୃଷକ ଆତ୍ମହତ୍ୟା ପହଂଚିଲା ୨୪,୦୦୦ରେ । କିନ୍ତୁ ତା’ପରଠାରୁ ପରିସଂଖ୍ୟାନ ପ୍ରକାଶ କରାଯାଉ ନାହିଁ । ଏ ମଧ୍ୟରେ କୃଷି ଉତ୍ପାଦନ ୩.୭ରୁ ୩.୨କୁ ଖସିଥିଲା । ଏପରିକି କୋଭିଡ଼-ଲକଡ଼ାଉନ୍ରେ ଶିଳ୍ପ ଓ ସେଭିସି ସେକ୍ଟରର ଅଭିବୃଦ୍ଧି ୨ ପ୍ରତିଶତରେ ରହିଥିଲା ଯେହେତୁ କୃଷକ ସର୍ବଦା ପରିଶ୍ରମରତ । କୃଷିକ୍ଷେତ୍ରରେ ନିଯୁକ୍ତି ହ୍ରାସ (୨୦୧୭-୧୮) ଆସିଗଲା ୧୯୮୩ ସ୍ତରକୁ ।

ଲକଡ଼ାଉନ୍ବେଳେ ଦେଶରେ ଆର୍ଥିକ ଦୁର୍ଗତିର ପ୍ରତିକାର ପାଇଁ ବହୁଜନଙ୍କ ଜୀବିକାର ସୁରକ୍ଷା ପାଇଁ ସାର୍ବଜନିକ ବ୍ୟବହୃତ ଜିନିଷର ଉତ୍ପାଦନ ଓ ବଣ୍ଟନ ପ୍ରତି ଅଧିକ ଧ୍ୟାନ ନଦେଇ ସରକାରୀ ପୁଂଜିନିବେଶ ବଦଳରେ କୃଷିପରି ସବୁଠାରୁ ଅଧିକ ଜୀବିକା ଦେଉଥିବା ଆର୍ଥିକ କ୍ଷେତ୍ରକୁ ଅସଲରେ ଚାଷୀଙ୍କଠାରୁ ଛଡ଼ାଇ କଂପାନୀ ହାତରେ ଟେକି ଦେବା ପାଇଁ ଉଦ୍ୟମ ଅତ୍ୟନ୍ତ ଜନବିରୋଧୀ ରାଜନୀତିର ପଶାପାଲି ଖେଳ ପରି ମନେ ହେଉଛି । କୃଷି ହେଉଥିବା ଜମିଉପରେ ଏବେ କର୍ପୋରେଟମାନଙ୍କ ଲୋଲୁପ ଦୃଷ୍ଟି ଯାହାକି ତିନି କୃଷି ଆଇନର ପ୍ରକୃତ ଲକ୍ଷ୍ୟ । ଏହି ଆଇନ ଯେ କେବଳ ସରକାରୀ ଗଣ୍ଡି ବ୍ୟବସ୍ଥା ଖତମ କରି ନୁ୍ୟନତମ ସହାୟକ ମୂଲ୍ୟ ପାଇବା ବ୍ୟବସ୍ଥାରୁ ଚାଷୀ ବଞ୍ଚôତ ହେବେ ତାହା ନୁହଁ ବରଂ ଆଂଚଳିକ ରୁଚି ଓ ଚାହିଦା ଅନୁଯାୟୀ ଖାଦ୍ୟଶସ୍ୟର ବିବିଧତା ଓ ପୁଷ୍ଟିକରଣର ଅନ୍ତହେବ । ମୋଦୀ ସରକାରର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପ୍ରଫେସର କୌଶିକ ବସୁ କୃଷିସଂସ୍କାରକୁ ସମର୍ଥନ କରୁଥିଲେ ବି ଏହି ୩ଟି ଆଇନ ବାତିଲ ପାଇଁ ମତ ଦେଇଛନ୍ତି । ଏହାସହ ଅନେକ ଜନବାଦୀ ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ଭାରତପରି ଛୋଟ ଚାଷୀ ଓ ଜମିହୀନ କୃଷି ଶ୍ରମିକଙ୍କ ଜୀବିକା ଓ ଖାଦ୍ୟ ସୁରକ୍ଷାପାଇଁ ଚାଷୀ ହାତରେ ଚାଷ ଅପରିହାର୍ଯ୍ୟ । ଚାଷର ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଆବଶ୍ୟକ ନୂଆ କୃଷିନୀତି ସହ ପ୍ରଥମେ ଚାଷୀଙ୍କୁ ନ୍ୟାୟୋଚ୍ଚିତ ଦାମ ଦେବାପାଇଁ ଆଇନଗତ ବ୍ୟବସ୍ଥା ସହ କୃଷିକୁ ଏକ ସମ୍ମାନଜନକ ବୃତ୍ତିରୂପେ ମାନ୍ୟତା ଓ ସ୍ୱୀକୃତି ଦେବାପାଇଁ ଉଦ୍ୟମ ଏକାନ୍ତ ଜରୁରୀ ।

ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ପରି ସମୃଦ୍ଧ ଦେଶମାନଙ୍କର କୃଷିର ବିବିଧତା ଖତମ ହୋଇଯାଇଛି । କର୍ପୋରେଟ ନିୟନ୍ତ୍ରିତ ଚାଷ ଓ ମାଲିକାନାରେ ଥିବା ଚାଷ ଜମିରେ । ସେଠାରେ ଶୀତଳ ଜଳବାୟୁ । ଆମ ଦେଶ ପରି ଦକ୍ଷିଣ ପୂର୍ବ ଏସିଆରେ ଗ୍ରୀଷ୍ମମଣ୍ଡଳୀୟ କୃଷି କରାଯାଏ ଯାହାକି ଶୀତଳ ଦେଶମାନଙ୍କରେ ସମ୍ଭବପର ନୁହଁ । ବର୍ତ୍ତମାନ ସମୃଦ୍ଧ ଦେଶଗୁଡ଼ିକରେ ଏକକ କିସମର ଫସଲ ଉତ୍ପାଦନ ହେଉଛି । ସେମାନଙ୍କର ଶିଳ୍ପଜାତ ଦ୍ରବ୍ୟର ବଜାର ମଧ୍ୟ ଶେଷ ବିନ୍ଦୁରେ ପହଞ୍ଚôଲାଣି । ତେଣୁ ମୁନାଫା ଭୋକିଲା ବହୁରାଷ୍ଟ୍ରୀୟ କଂପାନୀ ମାଲିକମାନେ ଚାହାନ୍ତି ଏସିଆ ମହାଦେଶର ଗ୍ରୀଷ୍ମ ବାୟୁମଣ୍ଡଳୀୟ କୃଷି ଜରିଆରେ ସେମାନଙ୍କ ଦେଶରେ ଜୈବିକ ସାର-ଉତ୍ପାଦିତ ଖାଦ୍ୟ ଚାହିଦା ପୂରଣ କରିବେ ଓ ସେମାନଙ୍କ ବ୍ୟବସାୟିକ ରତ୍ପାନୀ ଉପଯୋଗୀ ଫସଲ ପାଇଁ ଆମ କୃଷି କ୍ଷେତ୍ର ବ୍ୟବହାର କରି ପ୍ରଚୁର ମୁନାଫା ଅର୍ଜନ କରିବେ । ସେହି ସ୍ଥିତିରେ ପହଞ୍ଚିବା ପାଇଁ ପ୍ରଥମ ଦଶବର୍ଷ ମଧ୍ୟରେ ଭାରତର କୃଷି ଉପରେ କର୍ପୋରେଟ କବ୍ଜା ଅପରିହାର୍ଯ୍ୟ । ଏହା ପରେ ଦେଶୀ ବିଦେଶୀ କଂପାନୀମାନଙ୍କ ହାତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ବିହନ, ଜମି, ଫସଲ, ଉତ୍ପାଦନ, ବଣ୍ଟନ ଓ ତାର ଦରଧାର୍ଯ୍ୟ । ହୁଏତ ଆଜିର ମୋଟାଚାଉଳ କିଲୋ ୩୦ରୁ ଏକଶତ ଟଙ୍କାକୁ ବଢ଼ିଯିବ । ସରକାର ଖାଦ୍ୟ ସୁରକ୍ଷାରୁ ନିବୃତ୍ତ ରହିବେ । ଆଜି ପ୍ରତ୍ୟେକ ଗରିବ ପରିବାର ପାଖରେ ଚାଉଳ, ଗହମ ଶସ୍ତାରେ ପହଞ୍ଚାଇବା ପାଇଁ ରାଷ୍ଟ୍ରର ଦାୟିତ୍ୱ ରହିଛି ସେଇଥିପାଇଁ ସହାୟକ ମୂଲ୍ୟରେ ସରକାର ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏହି ୩ଟି ଆଇନ ଯଦି ପ୍ରତ୍ୟାହୃତ ନ ହୁଏ, ତାହା ହେଲେ ସରକାର ଖାଦ୍ୟଶସ୍ୟ ସଂଗ୍ରହ କରିବେ ନାହିଁ କି ଗରିବଙ୍କୁ ରାସନ ଦେବେ ନାହିଁ । ହୁଏତ ଭୋଟ ପାଇବା ପାଇଁ କିଛିଟଙ୍କା ଧରାଇ ଦେବେ । କିନ୍ତୁ ସରକାର ଯେତିକି ଅର୍ଥଦେବେ ତାର ତିନିଗୁଣା ଦରରେ ଲୋକେ ଖାଦ୍ୟ କିଣିବେ । ଏକ ଭୟଙ୍କର ସମୟ ଆସିବ ଗରିବ ଓ ନିମ୍ନମଧ୍ୟବିତ୍ତ ପରିବାର ଭୋକିଲା ଓ ଅର୍ଦ୍ଧଭୋଜନରେ ରହିବାକୁ ବାଧ୍ୟ ହେବେ । ତେଣୁ ଏକ ଭୟଙ୍କର ଅକାଳ, ଖାଦ୍ୟଦଙ୍ଗା ତଥା କ୍ଷୁଧାର ମହାମାରୀରୁ ରକ୍ଷା ପାଇବା ପାଇଁ ତଥା ଆଜିର କୃଷି କ୍ଷେତ୍ରକୁ ଚାଷୀଙ୍କୁ ହାତରେ ଅଧିକ ଊର୍ବର ଓ ଫଳପ୍ରସୂ କରାଇବା ପାଇଁ ତଥା ଖାଦ୍ୟ ସୁରକ୍ଷା ଓ ସାର୍ବଭୌମର ସ୍ଥାୟିତ୍ୱ ଓ ସଂରକ୍ଷଣ ପାଇଁ ଆଜିର ଦିଲ୍ଲୀଚାରି ପାଖରେ ଚାଲିଥିବା ଐତିହାସିକ କୃଷକ ସଂଘର୍ଷ ସତ୍ୟାଗ୍ରହ ଅତି ଯଥାର୍ଥ; ଯାହାକି ସମଗ୍ରବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି ଗଣତାନ୍ତ୍ରିକ ଅହିଂସା ଓ ନିରନ୍ତର ପ୍ରତିବାଦରେ ଲକ୍ଷ ଲକ୍ଷ ଚାଷୀଙ୍କ ଯୋଗଦାନ । ଆମ ଗଣତନ୍ତ୍ରକୁ ଶ୍ରୀହୀନ ତଥା ପଙ୍ଗୁ କରି ଦେବା ପାଇଁ ନରେନ୍ଦ୍ର ମୋଦୀ ସରକାର ଅହରହ କାମ କରିଚାଲିଛି । ଚାଷୀଙ୍କ ସ୍ୱରକୁ ଶୁଣିପାରୁ ନ ଥିବା ସରକାର ଆନ୍ଦୋଳନରତ ଚାଷୀଙ୍କୁ ଶତୃ ରୂପେ ବ୍ୟବହାର କରୁଛି । ରାଜରାସ୍ତାକୁ ଖୋଳିଦେବା, କଣ୍ଟାବାଡ଼ ସହ ଚାଲିଯାଇ ନ ପାରିବାକୁ ରୋଡ଼ରେ ଲୁହାକଣ୍ଟା ପୋତିବା କାମ କରୁଛି ସରକାର । ଏହା କେବଳ ଦମନ ନୁହେଁ, ବରଂ ଅମାନୁଷିକ ଓ ବର୍ବର ବ୍ୟବହାର । ଏକ ସଭ୍ୟ ଦେଶର ଗରିମାକୁ ଚୁରମାର କରାଯାଉଛି । ହିଟଲରୀ ଚରିତ୍ରକୁ ଶାସନରେ ପ୍ରତିଫଳିତ କରାଯାଉଛି ।

ଗଣତନ୍ତ୍ରର ଆତ୍ମା ବ୍ୟକ୍ତି ସ୍ୱାଧୀନତା, ଆମ ସମ୍ବିଧାନରେ ଆତ୍ମା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ସମାନତା ପାଇଁ ନୀତି ଓ ତାର କାର୍ଯ୍ୟକାରିତା । କିନ୍ତୁ କେନ୍ଦ୍ର ସରକାର ତାର ପୋଲିସକୁ ବ୍ୟବହାର କରି ସତ୍ୟାଗ୍ରହୀମାନଙ୍କୁ ଦେଶଦ୍ରୋହୀ, ହିଂସ୍ରକ ଅପରାଧୀ ରୂପେ ମିଥ୍ୟା ମାମଲାରେ ଗିରଫ କରୁଛି, ଅନ୍ୟ ଦିଗରେ ଚାଷୀ ଅହିଂସ ଆନ୍ଦୋଳନ ଜାରି ରଖିଛନ୍ତି । ଆଇନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଧମକ ମଧ୍ୟ ଦିଆଯାଉଛି । ଯେଉଁ ସରକାର ତରବର ହୋଇ ବ୍ୟାପକ ଏବଂ ଗଣତାନ୍ତ୍ରିକ ଆଲୋଚନା ନ କରି ଜବରଦସ୍ତ ସଂଖ୍ୟା ବଳରେ ବିଲ୍ ପାସ କରାଇଥିଲା, ସେହି ସରକାର କହୁଛି ଆଇନରେ ଥିବା ଦୋଷତ୍ରୁଟିଗୁଡ଼ିକୁ ସଂଶୋଧନ କରିବ ଓ ଅଠର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବ । ଏପରି ବିଚାର ଆସିଲା କିପରି? ଯଦି ଭୁଲ ଅଛି, ତାହାହେଲେ ଆଇନକୁ ହଟାଇବାକୁ କୁଣ୍ଠିତ କାହିଁକି? ମାତ୍ର ୧୮ମାସ ସ୍ଥଗିତ କାହିଁକି? କାରଣ ସରକାର ଚାହୁଛନ୍ତି ଯେକୌଣସି ରାସ୍ତାରେ ଏହି ଗଣବିଦ୍ରୋହର ନିଆଁକୁ ଲିଭାଇ ଦେବ କିମ୍ବା ଗଣ ଆନ୍ଦୋଳନକୁ ମିଥ୍ୟା ପ୍ରଚାରଦ୍ୱାରା ନିନ୍ଦିତ କରିବ । ସେଥିପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଦୁଇ ଲକ୍ଷ ଟ୍ରାକ୍ଟର ରାଲିକୁ ପଥଚ୍ୟୁତ କରାଇବା ପାଇଁ ବିଜେପି ଭକ୍ତ ଦୀପ ସିଧୁଙ୍କୁ ନିୟୋଜିତ କରାଯାଇଥିଲା ଯାହାଙ୍କ ଦ୍ୱାରା ଅଶୋଭନୀୟ ଓ ଅବାଞ୍ଛାନିୟ କାର୍ଯ୍ୟ ଲାଲକିଲ୍ଲାରେ ଘଟିଲା । ସେଥିରେ କୃଷକ ଆନ୍ଦୋଳନର ସମ୍ପର୍କ ନାହିଁ । ବରଂ କୃଷକ ଆନ୍ଦୋଳନକୁ ଭାଙ୍ଗିବାପାଇଁ ଲାଲକିଲ୍ଲାରେ ଘଟିଥିବା ଷଡ଼ଯନ୍ତ୍ରମୂଳକ ପ୍ରାୟୋଜିତ ବିଶୃଙ୍ଖଳାକୁ କେନ୍ଦ୍ରକରି ଦିଲ୍ଲୀ ପୋଲିସ ଜରିଆରେ ଏହାକୁ ହିଂସାତ୍ମକ ସ୍ଥିତିରେ ପହଞ୍ଚାଇ ଦିଆଗଲା । ଜାନୁଆରୀ ୨୫ରାତ୍ର ପର୍ଯ୍ୟନ୍ତ ଦୀପ ସିଧୁ ଖୋଲାଖୋଲି ଭାବେ ସଂଯୁକ୍ତ କିସାନ ମୋର୍ଚ୍ଚା ନେତୃମଣ୍ଡଳୀର ଦିଲ୍ଲୀ ପୋଲିସ ସହ ହୋଇଥିବା ଟ୍ରାକ୍ଟର ରାଲିର ସର୍ତ୍ତାବଳୀକୁ ମାନିବେ ନାହିଁ ବୋଲି କହିଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ରାସ୍ତାରେ ଅଟକ ରଖି ପାରିଥାନ୍ତା; ଯେହେତୁ ସେ ନିର୍ଦ୍ଧାରିତ ସମୟରେ ବହୁପୂର୍ବରୁ ନିଜ ସମର୍ଥକମାନଙ୍କ ସହ ଟ୍ରାକ୍ଟର ରାଲି ଆରମ୍ଭ କରି ଦେଉଥିଲେ । ଏ କଥା ବି ପୋଲିସ ଖୁପିଆ ବିଭାଗ ଜାଣନ୍ତି ଯେ ଦୀପୁସିଧୁ ସଂଯୁକ୍ତ କିସାନ ମୋର୍ଚ୍ଚାର ଅଂଶିଦାର ନୁହଁ । ଏ ସବୁ ସତ୍ୟତା ସତ୍ତ୍ୱେ ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାର ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ବ୍ୟବହାର କରି ଦୁଇ ଲକ୍ଷ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲିକୁ ସଠିକ୍ ଉପସ୍ଥାପନ ନ କରି ପ୍ରାୟୋଜିତ ହିଂସାକୁ ହିଁ ଦେଖାଇ ଆନେ୍ଦାଳନ ବିରୋଧରେ ଭ୍ରାନ୍ତ ଧାରଣା ସୃଷ୍ଟି କରି ପାରିଲେ । ପୁଣି ତା’ପରଦିନ ସକାଳ ଖବର କାଗଜ ସମେତ ୨୪ ଘଣ୍ଟିଆ ଟିଭି ରଡ଼ି କୃଷକ ଆନ୍ଦୋଳନ ପ୍ରତି ଅସ୍ୱାଭାବିକ ମାନସିକତା ସୃଷ୍ଟି କରିଥିଲା ବୋଲି ପୋଲିସ ୨୭ତାରିଖ ସନ୍ଧ୍ୟାରୁ ପାଣି ଓ ବିଜୁଳି ଯୋଗାଣ ବନ୍ଦ କରିଦେଇଥିଲା ଧାରଣା ସ୍ଥଳ ଗୁଡ଼ିକରୁ ଲୋକଙ୍କୁ ଲାଠିମାଡ଼ରେ ହଟାଇବା ପ୍ରକ୍ରିୟା ଆରମ୍ଭ କରି ଏକ ଭୟଭୀତ ପରିବେଶ ସୃଷ୍ଟି କଲା । ଅସହାୟ ଚାଷୀ ଘରକୁ ଫେରିବାକୁ ବଳପ୍ରୟୋଗ କରାଗଲା । ଏଥିରେ ପୋଲିସ କିଛିମାତ୍ରାରେ ସଫଳ ହେଲା । କିନ୍ତୁ ଘାଜିପୁର ବୋର୍ଡ଼ରେ ଧାରଣାରେ ବସିଥିବା ଚାଷୀନେତା ରାକେଶ ଟିକାୟତ ପୋଲିସର ଦମନକୁ ସାମନା କରି ଅକେଲା ବି ସେ ବସି ରହିବ ମରିବା ପର୍ଯ୍ୟନ୍ତ । ନିଜ ଗାଁରୁ ଜଳ ନ ଆସିବା ପର୍ଯ୍ୟନ୍ତ କାହାର ବି ପାଣି ପିଇବେ ନାହିଁ ବୋଲି ଘୋଷଣା କରିବାବେଳେ କ୍ରୋଧାନ୍ୱିତ ଟିକାୟତ ନିଜ ଭିତରେ ଜଣେ ମଣିଷର ଦୁଃଖ ଓ ଯନ୍ତ୍ରଣାର ଭାବପ୍ରବଣତାକୁ ସମ୍ଭାଳି ନପାରି କାନ୍ଦି ପକାଇଲେ । ସେହି କ୍ରୋଧ ଓ ଯନ୍ତ୍ରଣାର ଲୁହ ଟୋପା ସାମାଜିକ ଗଣମାଧ୍ୟମରେ ହରିୟାନା-ଉତ୍ତରପ୍ରଦେଶର ଗାଁ ଗାଁର ଚାଷୀ ପରିବାରମାନଙ୍କ ପାଖରେ ପହଞ୍ଚିଲା ପରେ ରାତି ପାହିଲାବେଳକୁ ହଜାର ହଜାର ଲୋକ ଟ୍ରାକ୍ଟରରେ ପାଣିହାଣ୍ଡି ସହ ରାକେଶ ଟିକାୟତଙ୍କ ପାଖରେ ପହଞ୍ଚିଗଲେ । ରାତ୍ର ଗଳା ଫଟାଇ କୃଷକ ଆନ୍ଦୋଳନର ଅକାଳ ମୃତ୍ୟୁ ହୋଇଗଲା ବୋଲି ପ୍ରଚାର କରିଥିବା ମୁଖ୍ୟସ୍ରୋତର କର୍ପୋରେଟ ଓ ମୋଦୀଭକ୍ତ ଟିଭି ଚ୍ୟାନେଲଗୁଡ଼ିକରେ ହଡ଼କମ୍ପ ସୃଷ୍ଟି ହୋଇଗଲା ୨୮ ତାରିଖ ସୂର୍ଯ୍ୟୋଦୟ ବେଳକୁ । ପୋଲିସର ଲାଠି ଲୁଚିଗଲା, ପୁଣି ଗାଁ ଗାଁର ହଜାର ହଜାର ମହିଳାଙ୍କ ସମେତ ଆବାଳବୃଦ୍ଧ ଚାଷୀ ଦିଲ୍ଲୀ ଚାରିପାଖେ ହାଜର । ଶପଥର ସ୍ୱର ସରକାର ଯେତେ ଷଡ଼ଯନ୍ତ୍ର କରୁଥିଲେ ବି ଚାଷୀ ହକ ନେଇ ଘରକୁ ଫେରିବ । ସେଦିନ ୩ଟି ଆଇନକୁ ଫାଶୀ ଦିଆଯିବ ଓ ନୂଆ ଆଇନ ହେବ ନୁ୍ୟନତମ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ପାଇଁ ଏକଥା ଚାଷୀ ଦାବୀ କଲାବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ସଂସଦରେ ଆଇନ ପ୍ରତ୍ୟାହୃତ ହେବ ନାହିଁ । ପୁଣି କହୁଛନ୍ତି ଏହି ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକର ହତାଶର ପରିପ୍ରକାଶ । ଏପରି ମନ୍ତବ୍ୟ ସଂପୂର୍ଣ୍ଣ ଅସତ୍ୟ । ଯେଉଁ ଦିନ ସଂସଦରେ ବିଲ ଗୃହୀତ ହୋଇ ଆଇନର ସ୍ୱୀକୃତି ପାଇଁ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଲା, କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ ମିଳିତ ଭାବେ ବିଲ୍କୁ ଅଟକାଇବାରେ ବିଫଳ ହୋଇ ରାଷ୍ଟ୍ରପତିଙ୍କ ପାଖରେ ହାଜର ହେଲେ ଏହାକୁ ସ୍ୱୀକୃତି ନଦେବା ପାଇଁ । ତଥାପି ଆଇନ ସ୍ୱୀକୃତି ଲାଭକଲା । କିନ୍ତୁ ବିରୋଧୀଦଳମାନେ ଚାଷୀଙ୍କ ପାଖକୁ ଯାଇ ରାସ୍ତାକୁ ଆସିପାରିଲେ ନାହିଁ ବୋଲି ଚାଷୀ ଏକାଠି ହୋଇ ରାସ୍ତାକୁ ଆସିଲେ । ସରକାର ପାଇଁ ଚାଲେଞ୍ଜ ଚାଷୀ ପଞ୍ଜାବଠାରୁ ଆରମ୍ଭ କରି ଗୁଜୁରାଟ, ମହାରାଷ୍ଟ୍ର-କର୍ଣ୍ଣାଟକ-ଓଡ଼ିଶା ପର୍ଯ୍ୟନ୍ତ ସଂଯୁକ୍ତ କିସାନ ମୋର୍ଚ୍ଚାର କର ବା ମର ଡାକରାରେ ସାମିଲ ହୋଇଛନ୍ତି । ବିରୋଧୀ ଦଳଗୁଡ଼ିକ ନିଜ କର୍ତ୍ତବ୍ୟ ଦୃଷ୍ଟିରୁ ସରକାର ନିକଟରେ ଚାଷୀଙ୍କ ଦାବୀ ଗ୍ରହଣ କରିବାକୁ ସମାନ୍ୟ ପ୍ରତିବାଦ କରିବାକୁ ଆସୁଛନ୍ତି । କିନ୍ତୁ କୃଷକ ସଂର୍ଘଷ ମଂଚକୁ କୌଣସି ରାଜନେତାଙ୍କୁ ସ୍ଥାନ ଦିଆ ଯାଇନାହିଁ । କୃଷକ ସଂଘର୍ଷ ନେତୃମଣ୍ଡଳୀଙ୍କ ଆଗରେ ରହିଛି । ସରକାର ଆଇନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଆନ୍ଦୋଳନ ର ଭବିଷ୍ୟତକୁ ସୁନିଶ୍ଚିତ କରାଯିବା, ସେଇଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତି । ଏହି ଆନ୍ଦୋଳନ କୃଷି ଓ କୃଷକ ବିରୋଧୀ ଆଇନର ସମାପ୍ତି ପାଇଁ ଲଢ଼ିବା ସହ ସବୁଠାରୁ ବଡ଼ ଆହ୍ୱାନ ଦେଶର ଆତ୍ମା କୃଷି, କୃଷିକ ଓ କୃଷି ଶ୍ରମିକମାନଙ୍କ ସୁରକ୍ଷା ପାଇଁ କର୍ପୋରେଟ ଲୁଟ୍ ବିରୋଧରେ ପ୍ରତିବାଦ । କର୍ପୋରେଟମାନଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ଚାଲେଞ୍ଜ ଦେଉଛି କୃଷକ ଆନ୍ଦୋଳନ । ପ୍ରଥମ ଥରପାଇଁ ବ୍ୟାପକ ସ୍ତରରେ ଦେଶବାସୀଙ୍କୁ ଜାଗ୍ରତ କରାଇ ପାରିଛି କଂପାନୀରାଜ ପ୍ରତିବାଦରେ । ସରକାର ଯେତେ ଜିଦ୍ କଲେ ବି କୃଷକ ଆନ୍ଦୋଳନ ଦ୍ୱାରା ଭୟଭୀତ । ହତାଶର ସୂଚନା ମିଳିଛି ବିଶ୍ୱର ସବୁଜକନ୍ୟା ଏକ ସ୍କୁଲ ଝିଅ ଗ୍ରେଟା ଥନବର୍ଗଙ୍କ ସମର୍ଥନକୁ ବିଶ୍ୱ ଗୁରୁ ହେବାପାଇଁ ପ୍ରସ୍ତୁତ ମୋଦୀ ସରକାର ହଜମ କରି ପାରିଲା ନାହିଁ, ଗ୍ରେଟାଙ୍କୁ ସମର୍ଥନ କରିଥିବା ଆମ ଦେଶର ପରିବେଶ ସୁରକ୍ଷାକର୍ମୀ ୨୨ ବର୍ଷର ଝିଅ ଦିଶା ରବିଙ୍କ ଟୁଲକିଟ୍କୁ ଅଣୁବୋମା ରୂପେ ଦେଖି ଛାନିଆ ହୋଇଗଲା । ଟୁଲକିଟ୍ରେ କେବଳ ଥିଲା ଦୁଇଧାଡ଼ି ଲେଖା, ତାହା ହେଉଛି “ଆମେ ଭାରତର କୃଷକ ଆନ୍ଦୋଳନ ସହ ଅଛୁ ।’ ସରକାର ଯେତେ କଠୋରହେଲେ ବି ଏହି ସତ୍ୟାଗ୍ରହ ଏକ ନୂତନ ଭବିଷ୍ୟତ ନେଇଆସିବ ।

ଏହି ଆନ୍ଦୋଳନ ର ଭବିଷ୍ୟତ କହିବ ଦେଶରେ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଅଭିବ୍ୟକ୍ତିର ସ୍ୱାଧୀନତାର ସୁରକ୍ଷା ପାଇଁ କର୍ପୋରେଟ ଓ ସାମ୍ପ୍ରଦାୟିକ ଫାଶିବାଦର ଗତିରୋଧ ପାଇଁ ଏବଂ ଏକ ନିରପେକ୍ଷ ସମାଜବାଦୀ-ମାନବବାଦୀ ସମାଜ ତଥା ରାଷ୍ଟ୍ର ନିର୍ମାଣ ପାଇଁ ଐତିହାସିକ କୃଷକ ସଂଘର୍ଷ ଅପରିହାର୍ଯ୍ୟ ଓ ସମୟୋପଯୋଗୀ ଥିଲା । ଅନ୍ଧଭକ୍ତ, ଅନ୍ଧବିଚାର, ପୁଞ୍ଜିବାଦର ମିଥ୍ୟା ସ୍ୱପ୍ନ ଆଉ ଘୃଣା ଓ ହିଂସା ରାଜନୀତିରୁ ମୁକ୍ତ ହେବା ପାଇଁ ଆମ ଦେଶର ବିଭିନ୍ନ ଭାଷା-ଧର୍ମ-ସଂପ୍ରଦାୟର ଥିବା କୃଷକ, କୃଷି-ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ବିଷମତା ଓ ସାଂପ୍ରଦାୟିକତା ମୁକ୍ତ ଅର୍ଥନୀତି ଏକାନ୍ତ ଜରୁରୀ, ତାହା କେବଳ ବିକେନ୍ଦ୍ରିତ କୃଷି-ଜଙ୍ଗଲ ଅର୍ଥବ୍ୟବସ୍ଥା ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶରେ ସମ୍ଭବପର । ସେହି ବିକଳ୍ପ ଦିଗନ୍ତ ଆଡ଼କୁ ବର୍ତ୍ତମାନର କ୍ରୁଶବିଦ୍ଧ କୃଷକ ଆନ୍ଦୋଳନ ପ୍ରେରିତ କରୁବୋଲି ଆଶା କରିବା ଏକାନ୍ତ ପ୍ରୟୋଜନ । ଶେଷରେ କୃଷକମାନଙ୍କ ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଠାରୁ ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା କି? ପ୍ରଶ୍ନଟି ହେଲା : କୃଷକ ବିରୋଧ କରୁଛି ଆଇନର ଉଦେ୍ଶ୍ୟ ଓ ପରିଣାମକୁ । ପ୍ରଧାନମନ୍ତ୍ରୀ ବାରମ୍ବାର କହୁଛନ୍ତି କୃଷକ ପାଇଁ ହୋଇଛି ଆଇନ । କୃଷକ ପଚାରୁଛନ୍ତି “ଆମେ କେବେ କହିଥିଲୁ କି ଏପରି ଆଇନ ପାଇଁ? ଆମେ ତ କହି ନଥିଲୁ, ଏବେ କହୁଛୁ ତିନୋଟି ଆଇନକୁ ହଟାଇ ବଜାରରେ ନୁ୍ନ୍ୟତମ ସହାୟକ ମୂଲ୍ୟ (ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ) ନିଶ୍ଚିତ କରିବା ପାଇଁ ଏକ ଆଇନ ପ୍ରଣୟନ କରାଯାଉ ।’

Photo Credit- https://bit.ly/3wyoENu

Comments

0 comments

Share This Article