ସଙ୍କଟରେ ଖାଦ୍ୟ ନିରାପତ୍ତା!

ଖବରକାଗଜ ପୃଷ୍ଠାରୁ ଜଣାପଡ଼ୁଛି ଯେ, ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଭିତରେ ଯେଉଁ ଖାଦ୍ୟ ରିହାତି ଯୋଗାଇ ଦିଆଯାଉଥିଲା, ତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିତି ଆୟୋଗ ପ୍ରସ୍ତାବ ଦେଇଛନ୍ତି । ଗ୍ରାମାଞ୍ଚଳର ଯେଉଁ ଜନସଂଖ୍ୟାଟି ଖାଦ୍ୟ ନିରାପତ୍ତା ପାଉଥିଲା ସେମାନଙ୍କ ସଂଖ୍ୟା ୭୫ପ୍ରତିଶତ ଥିଲା । ନିତି ଆୟୋଗ ପରାମର୍ଶ ଦେଉଛନ୍ତି ଯେ, ଏହି ସଂଖ୍ୟାରେ ୧୫ପ୍ରତିଶତ ହ୍ରାସ କରି ୬୦ପ୍ରତିଶତକୁ ଆଣିବା ପାଇଁ । ସେହିଭଳି ସହରାଞ୍ଚଳର ଉପକୃତ ହେଉଥିବା ଜନସଂଖ୍ୟାକୁ ୫୦ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଛି । କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଅମଳରେ ଆଗତ ହୋଇଥିବା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ଯୋଗୁଁ ଆମ ସମଗ୍ର ଜନସଂଖ୍ୟାର ୬୭ ପ୍ରତିଶତ ଲୋକେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଭିତରେ ରହୁଥିଲେ । ଭାରତ ଭଳି ବିଷମତାପୂର୍ଣ୍ଣ ଦେଶରେ ସମାଜର ତଳସ୍ତରରେ ଥିବା ସଂଖ୍ୟାଧିକ ଲୋକଙ୍କ ପାଇଁ ରାଷ୍ଟ୍ର ଖାଦ୍ୟ ଯୋଗାଇବା ଏକ ମୌଳିକ ଦାୟିତ୍ୱ । ପୁଣି ଖାଦ୍ୟ ଶସ୍ୟ ଉପାôଦନ ମହଜୁଦ ରଖିବାରେ ଆମେ ଗର୍ବ ଅନୁଭବ କରିଆସିଛୁ । କରୋନା ମହାମାରୀଯୋଗୁଁ କେନ୍ଦ୍ର ସରକାର ଅପ୍ରତ୍ୟାଶିତ ତାଲାବନ୍ଦୀ ଘୋଷଣା କରିବା ପୂର୍ବରୁ ( ମାର୍ଚ୍ଚ ୨୪,୨୦୨୦) ଦେଶରେ ମହଜୁଦ ଥିବା ଖାଦ୍ୟର ପରିମାଣ ଥିଲା ୫୮.୪ନିୟୁତ ଟନ୍ । ତଥାପି ତାଲାବନ୍ଦୀ ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଖାଲିପେଟରେ ଶହଶହ ମାଇଲ ଚାଲିବାକୁ ପଡ଼ିଥିଲା । କିନ୍ତୁ ଖାଦ୍ୟ ମିଳିନଥିଲା । ଆମର ସାଧାରଣ ବଣ୍ଟନର ମୂଳ ଲକ୍ଷ୍ୟ ଥିଲା ଗୋଟିଏ କଥା ନିଶ୍ଚିତ କରିବା ପାଇଁ ଯେ, ଯେମିତି ସମସ୍ତେ ସମାନ ସୁଯୋଗ ପାଇପାରିବେ ଖାଦ୍ୟପାଇଁ । କ’ଣ ପାଇଁ ଗୋଟିଏ ମହାମାରୀ ସମୟରେ ସବୁଠାରୁ ନିଷ୍ପେଷିତ ତଥା ଅସହାୟ ଅବସ୍ଥାରେ ଥିବା ଭାରତୀୟମାନେ ଖାଦ୍ୟ ପାଇ ପାରିଲେ ନାହିଁ, ତାହା ଉପରେ ଅନୁସନ୍ଧାନ ହେବା କଥା । କିନ୍ତୁ ପ୍ରଶ୍ନଟିଏ ବି ଉଠୁନି । ଯେଉଁ ୬୭ପ୍ରତିଶତ ଲୋକ ଖାଦ୍ୟ ନିରାପତ୍ତା ଆଇନ ପରିସର ଭିତରେ ଅଛନ୍ତି ସେମାନଙ୍କ ଭିତରୁ କେତେ, କେଉଁ ପରିମାଣରେ ଏବଂ କିଭଳି ଖାଦ୍ୟ ପାଉଛନ୍ତି ତାହାର ମଧ୍ୟ ଅନୁସନ୍ଧାନ ହେବା ଦରକାର । ଯେଉଁ ଖାଦ୍ୟ ଶସ୍ୟ ନିଜ ପାଖରେ ମହଜୁଦ ଅଛି ବୋଲି ଦାବି କରାଯାଉଛି, ସେହି ଖାଦ୍ୟର ଗୁଣାତ୍ମକ ସ୍ଥିତି କ’ଣ ତଥା କେଉଁ ଅବସ୍ଥାରେ ଅଛି, ସେ କଥାର ମଧ୍ୟ ଅନୁଧ୍ୟାନ ହେବା କଥା । ଏସବୁ ନକରି ସିଧାସଳଖ ଉପକୃତ ହେଉଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକ ମାନଙ୍କର ସଂଖ୍ୟା ହ୍ରାସ କରାଇଲେ ହୁଏତ ସେମାନଙ୍କର ଖାଦ୍ୟ ନିରାପତ୍ତା ଅଧିକ ବିପନ୍ନ ହୋଇପଡ଼ିବ । କୁହାଯାଉଛି ଯେ, ବର୍ତ୍ତମାନ ଯେଉଁ ଜନସଂଖ୍ୟାଟି ଖାଦ୍ୟ ନିରାପତ୍ତାରେ ଉପକୃତ ହେଉଛନ୍ତି ସେମାନଙ୍କର ସଂଖ୍ୟା ହେଉଛି ୮୧କୋଟି ୩୫ଲକ୍ଷ । ଯଦି ନିତି ଆୟୋଗଙ୍କ ପ୍ରସ୍ତାବଟି କାର୍ଯ୍ୟକାରି କରାଯାଏ, ସେ ସଂଖ୍ୟାଟି ୭୧କୋଟି ୭୨ଲକ୍ଷକୁ ଖସିଆସିବ । ଅର୍ଥାତ ପାଖାପାଖି ୧୦କୋଟି ଲୋକଙ୍କୁ ଖାଦ୍ୟ ନିରାପତ୍ତା ବଳୟଭିତରୁ ବାହାର କରିଦିଆଯିବ ।

ଅଗଷ୍ଟ ୨୦୨୦ରେ କିଛି ଖବର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ବିଶ୍ୱର ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିର ସ୍ଥିତି ସମ୍ପର୍କରେ (State of Food Security and Nutrition in the World) ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ସେଥିରେ କୁହାଯାଇଥିଲା ଯେ, ଖାଦ୍ୟ ନିରାପତ୍ତା ବିପନ୍ନ ହୋଇଥିବା ଜନସଂଖ୍ୟାର ସର୍ବାଧିକ ଲୋକ ଭାରତରେ ରହୁଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ଏହି ଲୋକମାନଙ୍କର ସଂଖ୍ୟା ଭାରତରେ ୩.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଅର୍ଥତ୍ ୨୦୧୪ ତୁଳନାରେ ୨୦୧୯ବେଳକୁ ଅଧିକ ୬କୋଟି ୨୦ଲକ୍ଷ ଲୋକ ନିଜର ଖାଦ୍ୟ ନିରାପତ୍ତା ହରାଇ ବସିଛନ୍ତି । ସାଧାରଣ ଭାବେ ଏହି ରିପୋର୍ଟଟିକୁ ବିଶ୍ୱରେ କ୍ଷୁଧା ଓ ଖାଦ୍ୟ ନିରାପତ୍ତା ମୂଲ୍ୟାୟନ କ୍ଷେତ୍ରରେ ଶ୍ରେଷ୍ଠ ମାନ୍ୟତା ଦିଆଯାଇଥାଏ । ଏମାନେ ସାଧାରଣତଃ ଦୁଇଟି ଉପାୟରେ କ୍ଷୁଧା ଓ ଖାଦ୍ୟ ନିରାପତ୍ତା ମୂଲ୍ୟାୟନ କରିଥାନ୍ତି । ପ୍ରଥମଟି ହେଲା ଲୋକଙ୍କର ପୋଷଣଜନିତ ସ୍ଥିତି କ’ଣ ଅର୍ଥାତ କ୍ରମାଗତଭାବେ ସେମାନଙ୍କର ଖାଦ୍ୟରେ କ୍ୟାଲୋରୀର ଅଭାବ କେତେ ରହୁଛି । ଦ୍ୱିତୀୟଟି ହେଲା ସେମାନଙ୍କ ଭିତରେ ଖାଦ୍ୟକୁ ନେଇ କେଉଁଭଳି ଅସୁରକ୍ଷିତ ସ୍ଥିତି ରହିଛି: ଯେମିତିକି ସେମାନଙ୍କର ଅନୁଭୂତି ଭିତରେ ଖାଦ୍ୟ ଅଭାବ କିଭଳି ରହିଛି, କେତେଥର ଉପାସରେ ରହିଛନ୍ତି ଏବଂ ସମ୍ବଳ ନଥିବା ଯୋଗୁଁ କେଉଁଭଳି ଖାଦ୍ୟ ପରିବର୍ତ୍ତନ କରୁଛନ୍ତି । ୨୦୧୪ରୁ ୨୦୧୬ଭିତରେ ଭାରତର ଜନସଂଖ୍ୟାର ୨୭.୮ ପ୍ରତିଶତ ଲୋକ କମ୍ ରୁ ଅଧିକ ଉକôଟ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବାବେଳେ ୨୦୧୯ ବେଳକୁ ଏହି ସଂଖ୍ୟା ୩୧.୬ ପ୍ରତିଶତରେ ପହଞ୍ଚôଛି । ୨୦୧୯ ବେଳକୁ ଖାଦ୍ୟ ସୁରକ୍ଷା ବଳୟ ବାହାରେ ଥିବା ବିଶ୍ୱ ଜନସଂଖ୍ୟାର ସର୍ବାଧିକ ୨୨ପ୍ରତିଶତ ଲୋକ ଭାରତରେ ରହିଲେଣି । ମିଳିତ ଜାତିସଂଘର ସୂଚନା ମୁତାବକ ବିଶ୍ୱ କ୍ଷୁଧାଜନିତ ଅବସ୍ଥାର ପ୍ରାୟ ୨୫ପ୍ରତିଶତ ଦୃଶ୍ୟପଟ ଭାରତରେ ହିଁ ରହିଛି । ଭାରତରେ ଖାଦ୍ୟ ସଙ୍କଟ ଭିତରେ ଦେଖା ଯାଉଥିବା ଜନସଂଖ୍ୟା ବଢ଼ିଚାଲିଥିବା ବେଳେ ଖାଦ୍ୟ ନିରାପତ୍ତା ବଳୟଟିକୁ ଅଧିକ ସଂକୁଚିତ କରି ସେଥିରୁ ପାଖାପାଖି ୧୦କୋଟି ଲୋକଙ୍କୁ ଅନାହାର ଭିତରକୁ ଠେଲି ଦେବା ପାଇଁ ଭାରତ ସରକାରଙ୍କର ନିତି ଆୟୋଗ ଯେଉଁ ପରାମର୍ଶ ଦେଉଛନ୍ତି, ତାହାର ଉପଯୁକ୍ତ ସମୀକ୍ଷା କରି ପ୍ରତିବାଦ ହେବାକଥା । ସଂପ୍ରତ୍ତି କେନ୍ଦ୍ର ସରକାର ଆଣିଥିବା ତିନୋଟି କଳା କୃଷି ଆଇନ ସହ ଏହି ପରାମର୍ଶର ସମ୍ପର୍କ ଥିଲାଭଳି ସ୍ପଷ୍ଟ ହେଇଯାଉଛି । ଖାଦ୍ୟ ଶସ୍ୟ ସଂଗ୍ରହ କ୍ଷେତ୍ରରେ ମଣ୍ଡିକୁ ଉଚ୍ଛେଦ କରିବା ବା ଅପ୍ରାସଙ୍ଗିକ କରିଦେବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୁର୍ବଳ କରିଦେବା ପାଇଁ ଆଇନଗତ ବ୍ୟବସ୍ଥା ହେଉଥିବାବେଳେ, ଖାଦ୍ୟ ନିରାପତ୍ତା ଆଇନକୁ ଦୁର୍ବଳ କରିଦେବା ପାଇଁ ପ୍ରସ୍ତାବ ଆସିବା ଅତି ସ୍ୱାଭାବିକ ମନେହୁଏ । ପଞ୍ଜାବ ଓ ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ଦେଖା ଦେଇଥିବା କୃଷକ ଆନ୍ଦୋଳନ ଖାଦ୍ୟ ନିରାପତ୍ତା ବିପନ୍ନ ହେବା ପ୍ରସଙ୍ଗଟିକୁ ମଧ୍ୟ ପ୍ରାଥମିକତା ଦେବା ନିହାତି ଜରୁରୀ ।

Photo Credit- https://bit.ly/3a6Wl1d

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.