ସମ୍ପାଦକୀୟ
ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏଯାବତ୍ ଜୁନ୍ ୨୫,୧୯୭୫ରେ ସମ୍ବିଧାନ ୩୫୨ ଧାରା ମୁତାବକ ଇନ୍ଦିରା ଗାନ୍ଧୀ ସରକାର ଘୋଷିତ କରିଥିବା ଜରୁରୀକାଳୀନ ଅବସ୍ଥା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯାଇଥିଲା । ଜରୁରୀକାଳୀନ ଅବସ୍ଥା ଜାରି କରିବା ପାଇଁ ସେ ସମୟରେ ସମ୍ବିଧାନର ୩୫୨ ଧାରାକୁ ପ୍ରୟୋଗ କରାଯାଇଥିଲା । ତେବେ ନିଜର ରାଜନୈତିକ ସ୍ୱାର୍ଥର ସୁରକ୍ଷା କରିବା ପାଇଁ ପ୍ରତିବାଦ ତଥା ଭିନ୍ନମତର ସ୍ୱରକୁ ଚପାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ସମ୍ବିଧାନର ଏଭଳି ଏକ ଧାରାକୁ ପ୍ରୟୋଗ କରିଥିବା ଦୃଷ୍ଟିରୁ ନିନ୍ଦିତ ହୋଇ ରହିଗଲେ । ଏବେ ଦେଶରେ ଯେଉଁ ଅବସ୍ଥା କିଛିବର୍ଷ ବିଶେଷ କରି କିଛିମାସ ଧରି ଜାରିରହିଛି; ତାହା ଇନ୍ଦିରାଙ୍କ ଜରୁରୀକାଳୀନ ପରିସ୍ଥିତିଠାରୁ ଢେର ଗୁଣ ଭୟଙ୍କର ବୋଲି ଅନେକ ମତପୋଷଣ କରିନ୍ତି । ମୋଦୀ ଏକୁଟିଆ ସରକାରଙ୍କର ମୁହଁ ହିସାବରେ ସାମ୍ନାକୁ ଆସୁଥିଲେ ବି ତାଙ୍କ ପଛରେ ଅଛି ଏକ ବିଶାଳ ସଂଘ ପରିବାର ସଙ୍ଗଠନ । ଏହି ସଙ୍ଗଠନର ଯେତେ ଶାଖାପ୍ରଶାଖା ସମାଜର ବିଭିନ୍ନ ସ୍ତରରେ ସକ୍ରିୟ ରହି ଜନମତକୁ ବିଭ୍ରାନ୍ତ କରିବା ପାଇଁ ନିୟମିତ ଓ ନିରନ୍ତର କାମ କରୁଛନ୍ତି, ଭାରତରେ ଅନ୍ୟକୌଣସି ବିରୋଧି ରାଜନୈତିକ ବ୍ୟକ୍ତିତ୍ୱ ବା ଦଳ ପଛରେ ସେହିଭଳି ବହୁରୂପୀ ଏବଂ ସର୍ବବ୍ୟାପୀ ସଙ୍ଗଠନ ନାହିଁ । ସେଥିପାଇଁ ହୁଏତ ଭାରତରେ ଗଣତନ୍ତ୍ର ଏକ ଭୟଙ୍କର ସଂକଟର ମୁକାବିଲା ଅତି ଅସହାୟ ଭାବେ କରୁଛି, ଯଦିଓ ଦିନକୁ ଦିନ ବଳିଷ୍ଠ ହୋଇ ଚାଲୁଥିବା କୃଷକ ଆନ୍ଦୋଳନ କିଛି ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରୁଛି ।
ମେ,୨୦୧୪ ସାଧାରଣ ନିର୍ବାଚନରେ ଶାସନରେ ଥିବା କଂଗ୍ରେସକୁ ବହୁ ପଛରେ ପକାଇ ଏକ ବିରୋଧି ଦଳ ହିସାବରେ ବିପୁଳ ଅର୍ଥ ବ୍ୟୟ କରି ନିର୍ବାଚନ ଲଢ଼ିବାର ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା ଭାଜପା ଯେବେ ଏକାକୀ ୨୮୨ଟି ଲୋକସଭା ଆସନରେ ବିଜୟୀ ହେଲେ ଏବଂ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ୩୩୬ଟି ଆସନ ଅକ୍ତିଆର କଲା, ସେତେବେଳେ ଗଣମାଧ୍ୟମରେ କୁହାଯାଇଥିଲା ଯେ ‘ନରେନ୍ଦ୍ର ମୋଦୀଙ୍କ ଭାରତ ବିଜୟ’ (ନରେନ୍ଦ୍ର ମୋଦୀ ୱିନ୍ସ ଇଣ୍ଡିଆ, ୧୯ ମେ ୨୦୧୪- ଏନ୍.ଡି.ଟିଭି) । ତେବେ ନରେନ୍ଦ୍ର ମୋଦୀ କେଉଁ ଶତ୍ରୁକୁ ପରାସ୍ତ କରି ଭାରତକୁ ବିଜୟ କଲେ, ସେ ସମ୍ପର୍କରେ କିଛି କୁହାଯାଇନଥିଲା । ୨୦୧୪ରୁ ୨୦୧୯ ମଧ୍ୟରେ ଯେତେସବୁ ଜନବିରୋଧୀ ନିଷ୍ପତ୍ତି ମୋଦୀ ସରକାର ନେଇଛନ୍ତି, ବିଶେଷ କରି ବହୁସଂଖ୍ୟାରେ ଗଣମାଧ୍ୟମ ହିଁ ସେସବୁକୁ ସମର୍ଥନ ଜଣାଇ ଚାଲିଥିଲାବେଳେ ଅପରପକ୍ଷରେ ଜନଅସନ୍ତୋଷ କିନ୍ତୁ ବଢ଼ି ଚାଲିଥିଲା । ରାଜନୈତିକ ପଣ୍ଡିତମାନଙ୍କର ଗଣନା ଥିଲା ଯେ ନରେନ୍ଦ୍ର ମୋଦୀ ୨୦୧୯ ସାଧାରଣ ନିର୍ବାଚନରେ ନିଜର ନେତୃତ୍ୱ ଓ ଶାସନ ବଜାୟ ରଖିବା କଷ୍ଟକର ହେବ । ତେବେ ଫେବୃଆରୀ ୧୪,୨୦୧୯ରେ ଜାମ୍ମୁ ଓ କାଶ୍ମୀର ମଧ୍ୟରେ ସଂଯୋଗ ହେଉଥିବା ଜାତୀୟ ରାଜପଥର ପୁଲ୍ୱାମାଠାରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୪୦ଜଣ ସି.ଆର.ପି.ଏଫ ଜବାନଙ୍କ ମୃତୁ୍ୟ ଘଟିଥିଲା । ଏହି ଘଟଣା ପାଇଁ ଭାରତର ଗୁଇନ୍ଦା ସଙ୍ଗଠନମାନେ ଆତଙ୍କବଦୀ ଜୈସ୍-ଇ-ମହମ୍ମଦ୍ ଗୋଷ୍ଠୀଙ୍କୁ ଦାୟୀ କରିଥିଲେ ।
ଏହାର ପ୍ରତିବଦଳରେ ପାକିସ୍ତାନକୁ ଠିକାଣା ଜବାବ ଦେବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ବାଲାକୋଟ ଉପରେ ବିମାନ ଆକ୍ରମଣ କରାଯାଇଥିଲା । ଏହି ଦୁଇଟି ଘଟଣା ସମସ୍ତ ଜନଅସନ୍ତୋଷକୁ ପଛକୁ ଠେଲି ଦେଇ ଦେଶବ୍ୟାପି ଏକ ‘ଦେଶପ୍ରେମ’ ଏବଂ ‘ଜାତୀୟତାବାଦ’ର ସ୍ରୋତ ସର୍ବବ୍ୟାପୀ କରାଇବା ପାଇଁ ସୁଯୋଗଟିଏ ସୃଷ୍ଟି କଲା । ଗଣମାଧ୍ୟମ ଏହି କାମରେ ସର୍ବାଧିକ ସକ୍ରିୟ ରହିଲା । ସମଗ୍ର ପ୍ରକ୍ରିୟାଟି ମୋଦୀ ଶାସନ ସପକ୍ଷରେ ଗଲା ଏବଂ ସେ ଅତି ସହଜରେ ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାର (ନିଜ ଦଳର ୩୦୩ ଓ ଅଂଶିଦାରମାନଙ୍କ ମିଶି ୩୫୩) ଲୋକସଭା ଆସନରେ ବିଜୟୀ ହେଲା । ଏଭଳି ବିଜୟକୁ ନିଜର ଅଘୋଷିତ, ଘୋଷିତ, ଲୁକ୍କାୟିତ ଭାବେ ଇଙ୍ଗିତ ସମସ୍ତ ନିତିପ୍ରତି ଏକ ଜାତୀୟ ଜନମତ ହିସାବରେ ନିଜଆଡ଼ୁ ବିଚାର କରି ପୁଣି ଥରେ ଜନବିରୋଧି ନୀତି ସବୁ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଲେ । କାଶ୍ମୀର ରାଜ୍ୟକୁ ଭାଗ ଭାଗ କରିବା ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ରୁପାନ୍ତରିତ କରିବା ତଥା ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଏବଂ ପରେ ପରେ ନାଗରିକ ସଂଶୋଧନ ଆଇନର ଘୋଷଣା କରିବା ଇତ୍ୟାଦି ଗୋଟିଏ ପରେ ଗୋଟିଏ ରାଜନୈତିକ ଅସ୍ତ୍ର ପ୍ରୟୋଗ କରାଚାଲିଥିଲା । ଏଭଳି ନିଷ୍ପତ୍ତି ବିରୋଧରେ ଦେଶବ୍ୟାପୀ ଯୁବଛାତ୍ର ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକି ଚାଲିଥିଲା । ଦିଲ୍ଲୀରୁ ଆରମ୍ଭ ହୋଇଥିବା ସାହିନବାଗ୍ ପ୍ରତିବାଦ ପ୍ରାୟ ଅଧିକାଂଶ ରାଜ୍ୟରେ ନୂଆନୂଆ ‘ସାହିନବାଗ୍’ ପ୍ରତିଷ୍ଠା କରିଚାଲିଥିଲେ । ଉତ୍ତର-ପୂର୍ବ ଦିଲ୍ଲୀରେ ମୁସଲମାନ ବିରୋଧି ହିଂସା ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରଙ୍କ ପତନ ଆଣିବା ପରେ ସରକାର ହଠାତ୍ କରୋନା ମହାମାରୀକୁ ଦେଖିପାରିଲେ ଏବଂ ୨୦୨୦ ମାର୍ଚ୍ଚ ୨୪ତାରିଖରେ ଏକ ଦେଶବ୍ୟାପି ତାଲାବନ୍ଦୀ ଅଚାନକ ଘୋଷଣ କରି ସମଗ୍ର ଦେଶଟିକୁ ‘ଜରୁରୀକାଳୀନ’ ଅବସ୍ଥା ଭିତରକୁ ଠେଲିଦେଲେ । ସବୁଠାରୁ ଅଧିକ ମାନବିକ ଅଧିକାର ଉଲ୍ଲଂଘନ ଏହି ତାଲାବନ୍ଦୀ ସମୟରେ ହିଁ ଘଟିଲା ।
ତେବେ ଗତବର୍ଷ ଅର୍ଣ୍ଣବ ଗୋସ୍ୱାମୀ ଓ ପାର୍ଥ ଦାଶଗୁପ୍ତ ଙ୍କ ଭିତରେ ହ୍ୱାଟସଆପ୍ ମାଧ୍ୟମରେ ଚାଲିଥିବା କଥୋପକଥନର ଉନ୍ମୋଚନ ପୁଲାୱାମ୍ ବିସ୍ଫୋରଣ, ୪୦ଜଣ ଯବାନଙ୍କର ମୃତ୍ୟୁ, ବାଲାକୋଟ ବିମାନ ଆକ୍ରମଣ ଏବଂ ନିଜ ସେନାଙ୍କ ଦ୍ୱାରା ନିଜ ହେଲିକ୍ୟାପ୍ଟରକୁ ଖସାଇ ଦେବା ଘଟଣା ଏକ ନୂଆଧରଣର ସନ୍ଦେହ ଏବଂ ଅବିଶ୍ୱାସ ସୃଷ୍ଟି କରୁଥିଲା । ତେବେ ଏହାର ଲାଭନେଇ ଶାସନରେ ପ୍ରତିଷ୍ଠିତ ହେଇଥିବା ସରକାରଟି ବିରୋଧରେ ଜନଗଣଙ୍କ ଆସ୍ଥା କମିବା ଆଶଙ୍କା ଉପୁଜୁ ଥିଲା । ୱାସିଂଟନ ପୋଷ୍ଟରେ ପ୍ରକାଶିତ ହେବା ପରେ ଭୀମାକୋରେଗାଁଓଁ ଘଟଣାରେ ସମ୍ପୃକ୍ତ ଥିବା ଆରୋପରେ ଗିରଫ ହୋଇଥିବା ଜଣେ ସାମାଜିକ କର୍ମୀ ରୋନା ୱିଲସନଙ୍କର ଲ୍ୟାପଟପରେ କିଛି ‘ପ୍ରମାଣ’ ଭର୍ତ୍ତି କରା ଯାଇଥିବା କଥା ସାମ୍ନାକୁ ଆସିଥିଲା । ଯାହାକି ମୋଦୀ ସରକାରଙ୍କ ଅନୁସନ୍ଧାନ କରୁଥିବା ସଂସ୍ଥାମାନଙ୍କ ଉପରେ ଜନଅବିଶ୍ୱାସକୁ ଦ୍ୱିଗୁଣିତ କରିଥିଲା । ଜନ ଅସନ୍ତୋଷ ବଢ଼ୁଥିଲା ଏବଂ କିଷାନ ଆନ୍ଦୋଳନ ଅଧିକ ଶକ୍ତି ସଂଗ୍ରହ କରୁଥିଲା; ଏ କଥା ସରକାର ବୁଝିସାରିଥିଲେ, ତେଣୁ ସେ ନିଜର ସ୍ଥିତିକୁ ତୁରନ୍ତ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ନେଇଥିଲେ ଓ ଆଉଥରେ ଗଣତନ୍ତ୍ରକୁ ବିପଦ ମୁଖକୁ ଟାଣିନେବାର ପ୍ରୟାସ ଆରମ୍ଭ କରିଥିଲେ ।
ଭାରତର ଗଣତନ୍ତ୍ର ସଂକଟରେ ପଡ଼ିଥିବା କଥା ସ୍ପଷ୍ଟ ଦେଖାଯାଉଥିବା ବେଳେ ଏହାର ବିରୁଦ୍ଧରେ ସକ୍ରିୟ ଥିବା ଭିନ୍ନ ସ୍ୱର ଓ ଶକ୍ତିମାନଙ୍କୁ ଏକାଠି କରିବା ପାଇଁ କେଉଁମାନେ ସତରେ ଚିନ୍ତିତ; ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ । ଲାଗୁଛି ଯେ, ନରେନ୍ଦ୍ର ମୋଦୀଙ୍କ ୨୦୧୪ର ‘ଭାରତ ବିଜୟ’ ଭାରତରେ ଗଣତନ୍ତ୍ର ବିରୋଧରେ ହିଁ ଏକ ବିରାଟ ବିଜୟ ଥିଲା । ଗଣତନ୍ତ୍ରକୁ ପୁନଃପ୍ରତିଷ୍ଠିତ କରିବାକୁ ହେଲେ ଏକ ମିଳିତ ରାଜନୈତିକ ବିକଳ୍ପର ପରିକଳ୍ପନା ଅବଶ୍ୟମ୍ଭାବୀ ହୋଇପଡ଼ିଛି ।
Photo Credit- https://bit.ly/3MgfLih
Comments
0 comments