‘ଭିଟାମାଟି ସୁରକ୍ଷା: ବାଲିଆପାଳ-ଭୋଗରାଇ ସଂଗ୍ରାମ’

“ସେଥିପାଇଁ ସମୁଦ୍ର କୂଳର ଏକ ଅଂଶକୁ ଲୋକେ ଆଜି ବି ଗାନ୍ଧୀଚତର ବୋଲି କୁହନ୍ତି ।” ଓ “ବନ୍ୟା ନିୟନ୍ତ୍ରଣ ନାମରେ ସରକାର ଏକ ଯୋଜନା ପ୍ରସ୍ତୁତ କଲେ ଓ ନଦୀ ଖୋଳିଲେ, ଯାହା ଜନବିରୋଧୀ ଏକ କାର୍ଯ୍ୟକ୍ରମ ଥିଲା ।”

ଏହି ମାତ୍ର ନିକଟ ଅତୀତରେ (ଜାନୁଆରୀ ୨୦୨୧), ୭୦ ପୃଷ୍ଠାର ଏକ କ୍ଷୁଦ୍ରକାୟ ପୁସ୍ତକ ପ୍ରକାଶ ପାଇଛି, “ଭିଟାମାଟି ସୁରକ୍ଷା: ବାଲିଆପାଳ-ଭୋଗରାଇ ସଂଗ୍ରାମ” ଶିରୋନାମାରେ, ଯାହା ଭିତରେ କିନ୍ତୁ ରହିଛି ବାଲିଆପାଳ ଆନ୍ଦୋଳନ ନାମରେ ପ୍ରଚାରିତ, ପ୍ରାୟ ୪ଦଶନ୍ଧି ପୂର୍ବେ ବାଲେଶ୍ୱର ଜିଲ୍ଲାରେ ସଂଗଠିତ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନ ସମ୍ପର୍କରେ ସୂଚନାର ବହୁଳତା ।

“ବାଲିଆପାଳ-ଭୋଗରାଇ ସଂଗ୍ରାମ”

ଲେଖକ ଶ୍ରୀ ଗୁରୁ ମହାନ୍ତି ବାଲିଆପାଳ ଆନ୍ଦୋଳନ ନାଁ ରେ ପ୍ରଚାରିତ ଓ ଜନସୃତି ରେ ସ୍ଥାପିତ ଏହି ଆନ୍ଦୋଳନକୁ “ବାଲିଆପାଳ-ଭୋଗରାଇ ସଂଗ୍ରାମ”ବୋଲି ଅଭିହିତ କରିଛନ୍ତି ଓ ଏତଦ୍ୱାରା ଏହି ଆନ୍ଦୋଳନରେ ଭୋଗରାଇର ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣ ମଧ୍ୟ ଆନ୍ଦୋଳନର ନାମକରଣରେ ପ୍ରତିଫଳିତ ହେଉ ଓ ଜନସ୍ମୃତିରେ ରହୁ, ତାହା ପ୍ରତି ସେ ଇଙ୍ଗିତ କରିଛନ୍ତି । ଏପରି ନାମକରଣ ଦ୍ୱାରା ସେ ଯେପରି ଏକ ସରକାରୀ ଷଡ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି ଯାହା ତାଙ୍କ ଭାଷାରେ, “..ଘାଟି ପ୍ରତିଷ୍ଠା ଭିତରେ କେବଳ ବାଲିଆପାଳ ଅଂଚଳ ନୁହେଁ ତାହା ସହିତ ଜଡ଼ିତ ସମ୍ପୂର୍ଣ୍ଣ ଭୋଗରାଇ ଅଂଚଳ ମଧ୍ୟ ସାମିଲ କରାଯିବାର ପ୍ରସ୍ତାବ ଥାଇ ମଧ୍ୟ ତାକୁ ଲୋକଲୋଚନକୁ ନଆଣି ଅଗୋଚରରେ ସତର୍କତାର ସହ ଉଦେଶ୍ୟପୂର୍ଣ୍ଣ ଭାବରେ ଭୋଗରାଇ ଅଂଚଳଟିକୁ ବିନା ଅଧିଗ୍ରହଣରେ ଓ ବିନା ଅର୍ଥବ୍ୟୟରେ ଲୋକଙ୍କୁ ବିତାଡ଼ିତ କରାଯାଇଥାନ୍ତା ଓ ସେତେବେଳେକୁ ଭୋଗରାଇ ଅଂଚଳବାସୀଙ୍କ ବିନା ଆପତ୍ତି ଓ ଅଭିଯୋଗରେ ସେ ଅଂଚଳ ତାଙ୍କ ହାତରୁ ଛଡ଼ାଇ ନିଆଯାଇଥାନ୍ତା ।”(ପୃ୬-୭) ତେଣୁ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନକୁ ‘ବାଲିଆପାଳ-ଭୋଗରାଇ ସଂଗ୍ରାମ’ ବୋଲି କୁହାଯିବା ଅଧିକ ସଠିକ ଓ ଏହା ଏହି ପୁସ୍ତକର ଏକ ଉଲ୍ଲେଖନୀୟ ଦିଗ ।

ଜନଆନେ୍ଦାଳନ ସମ୍ପର୍କରେ ହାତଗଣତି ସଙ୍କଳନ

ଏହା ପୂର୍ବରୁ ଓଡ଼ିଶାର ଜନଆନେ୍ଦାଳନ ସମ୍ପର୍କରେ ଯେଉଁ ହାତଗଣତି ସଙ୍କଳନ ବା ରଚିତ ପୁସ୍ତକମାନ ପ୍ରକାଶ ପାଇଛି ଓ ସେଗୁଡ଼ିକରେ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନ ସମ୍ପର୍କରେ ଯେଉଁ ବିବରଣୀ ବା ସୂଚନା ରହିଛି, ସେଥିରେ ସେ ସୂଚନାଗୁଡିକ ଆମେ ପାଉନା, ଯାହା ଶ୍ରୀ ମହାନ୍ତି ତାଙ୍କ ରଚିତ ପୁସ୍ତକରେ ଦେଇଛନ୍ତି । ପୂର୍ବ ସଙ୍କଳନ ଓ ପୁସ୍ତକରେ ଆମେ ସେ ଆନ୍ଦୋଳନ ସହ ସମ୍ପୃକ୍ତ ଥିବା ସକ୍ରିୟ କର୍ମୀ ବା ପ୍ରଭାବିତ ବ୍ୟକ୍ତିମାନଙ୍କର ଅଭିଜ୍ଞତାର ବିବରଣୀ ପାଉ । ଅର୍ଥାତ୍ ଏହି ବର୍ଣ୍ଣନାଗୁଡ଼ିକରେ ସ୍ଥାନୀୟ ସୂଚନା ହିଁ ଗୁରୁତ୍ୱ ପାଇଥାଏ । କିନ୍ତୁ ଗୁରୁବାବୁଙ୍କ ରଚିତ ପୁସ୍ତକରେ ଏପରି ଅନେକ ସୂଚନା ରହିଛି ଯାହା ସ୍ଥାନୀୟ ଭୂଗୋଳ ଅତିକ୍ରମ କରି କ୍ଷେପଣାସ୍ତ୍ର ଘାଟି ବିରୋଧରେ ଉଠିଥିବା ସ୍ୱରକୁ ପ୍ରତିଧ୍ୱନିତ କରୁଛି । ଯେପରି ୧୯୮୬ ମସିହା ଡିସେମ୍ବର ୯ତାରିଖ ଦିନ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ଏକ ସେମିନାର ହେବା, ଏହା ପରେ ଏକ ସାଧାରଣ ସଭାହେବା ଓ ଏ ସମସ୍ତ ପୂର୍ବରୁ ବିଭିନ୍ନ ପ୍ରତିଷ୍ଠିତ ସମ୍ବାଦପତ୍ର, Indian Express, Ennadu, Andhra Bhumi, Decan Chronicle, Udayam, The Hindu ଆଦିର ସାମ୍ବାଦିକମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କରାଯିବା (ପୃ-୬୧), ବା କଲିକତା ବିଶ୍ୱବିଦ୍ୟାଳୟରେ ୩୦ ଜୁଲାଇ ୧୯୮୭ ଦିନ ‘ମିଜାଇଲ ବେସ୍ ନା ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା’ ବିଷୟକୁ ନେଇ ଏକ ସମ୍ମିଳନୀ ହେବା (ପୃ ୬୩), ବା କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗର ବହୁ ବିଶିଷ୍ଟ ବ୍ୟକ୍ତି, ଯେଉଁଥିରେ ଥିଲେ ତକ୍ରାଳୀନ ସରକାରରେ ଥିବା କେତେକ ମନ୍ତ୍ରୀ, ପ୍ରତିଷ୍ଠିତ ଲେଖିକା ମହାଶ୍ୱେତା ଦେବୀ, ଓ ବିଭିନ୍ନ କ୍ଷେତ୍ରରେ ସୁପରିଚିତ ସାମାଜିକ କର୍ମୀ ଆଦି, ସେମାନଙ୍କୁ ନେଇ ଏକ କମିଟି ଗଠିତ ହେବା ଓ ସେମାନଙ୍କ ଆହ୍ୱାନକ୍ରମେ ଏକ ଜାତୀୟ କନଭେନସନ୍ ଆୟୋଜନର ପ୍ରସ୍ତାବ ରଖାଯିବା (ପୃ ୩୯) ଇତ୍ୟାଦି ।

ଏହା ସଚେତନ ଭାବେ ଶ୍ରୀ ମହାନ୍ତି କରିଛନ୍ତି କାରଣ ଏହା ଦ୍ୱାରା ‘ଆନ୍ଧ୍ରବାସୀ, ବଂଗବାସୀ ଓ ବିଶେଷ କରି କଲିକତାର କେତେକ ଅନୁଷ୍ଠାନ’ ଆନ୍ଦୋଳନରେ ସାମିଲ ହେଲେ ଓ ଏହା ଘାଟି ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ଓ ‘ଭିଟାମାଟିକୁ ସୁରକ୍ଷା ପ୍ରଦାନ’ କରିବାରେ ବେଶ୍ ସାହାଯ୍ୟ କଲା ।(ପୃ ୬) କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନରେ ତ ଜାତୀୟ ସ୍ତରର ଅନେକ ନେତା/ନେତ୍ରୀ ଯେପରି ପ୍ରଫେସର ମଧୁ ଦଣ୍ଡବତେ, ପ୍ରମିଳା ଦଣ୍ଡବତେ, କୁଲଦୀପ ନାୟାର, ଗୀତା ମୁଖାର୍ଜୀ, ସତ୍ୟପ୍ରକାଶ ମାଲବ୍ୟ, ମାଧବ ରେଡି, ମେନକା ଗାନ୍ଧୀ ଆଦି ନିଜକୁ ଯୋଡ଼ି ଦେଇଥିଲେ, ଏହି ପୁସ୍ତକରୁ ଜାଣୁ । ଏହି ପୁସ୍ତକରୁ ମଧ୍ୟ ଆମେ ଜାଣୁ ଯେ ପ୍ରଖ୍ୟାତ କଥାକାର ଶ୍ରୀ ମନୋଜ ଦାସ ଓ ‘ବହ୍ନିମାନ’ ଶ୍ରୀମତୀ ମାଳତୀ ଚୌଧୁରୀ କିପରି ଏହି ଆନ୍ଦୋଳନ ବିରୋଧରେ ନିଜର ସ୍ୱର ଉତ୍ଥାପିତ କରିଥିଲେ ।(ପୃ ୩୬-୭) । ଏହି ପୁସ୍ତକ ମଧ୍ୟ ଉପଲବ୍ଧ କରାଏ ଦେଶ ବିଦେଶର ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିବା କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ ସମ୍ପର୍କରେ ସମ୍ବାଦ, ନିବନ୍ଧ, ଚିଠିପତ୍ର, ମତାମତ ଆଦିର ଏକ କ୍ରମିକ ତାଲିକା । (ପୃ ୪୪-୪୯) । ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶିତ କେତୋଟି ଶିରୋନାମାର ଏକ ତାଲିକା ମଧ୍ୟ ଏହି ପୁସ୍ତକରେ ପାଉ ।(ପୃ୫୯) ଏକାଠି ଦେଖୁ, ଏହି ପୁସ୍ତକରେ, କେଉଁ ସ୍ଲୋଗାନମାନ ଦିଆଯାଉଥିଲା ବାଲିଆପାଳ-ଭୋଗରାଇ ସଂଗ୍ରାମ କାଳରେ ଓ କେଉଁ ସଂଗଠନମାନେ ସକ୍ରିୟ ଥିଲେ ଏହି ସଂଗ୍ରାମରେ । (ପୃ: ୬୫-୬୬)

ପୁସ୍ତକ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନ ଉପରେ ଗବେଷଣା କରିବା ପାଇଁ ଉପାଦେୟ

କହିବା ବାହୁଲ୍ୟ ଯେ ଏହି ସୂଚନାଗୁଡ଼ିକ ଜନଆନ୍ଦୋଳନ, ବିଶେଷତଃ କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନ ଉପରେ ଗବେଷଣା କରିବା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ବେଶ୍ ଉପାଦେୟ, ଯେଉଁଗୁଡିକୁ ଗୋଟିଏ ସ୍ଥାନରେ ଏହି ପୁସ୍ତକ ଉପଲବ୍ଧ କରାଇଦିଏ । ଯାହା ଜନ-ଆନ୍ଦୋଳନ ସମ୍ପର୍କରେ ପୂର୍ବ ପ୍ରକାଶିତ ସଙ୍କଳନ ଓ ପୁସ୍ତକମାନଙ୍କରେ ପାଉନା, ତାହା ହେଉଛି ରାଜନୈତିକ ବ୍ୟକ୍ତିମାନଙ୍କର ଏହି ଆନ୍ଦୋଳନର ସମ୍ପୃକ୍ତି ଉପରେ ସବିଶେଷ ସୂଚନା । ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରବୀନ୍ଦ୍ରମୋହନ ଦାସ, ନୀଳମଣି ରାଉତରାୟ, ରବି ରାୟ, ବିଶ୍ୱନାଥ ପଣ୍ଡିତ, ସମରେନ୍ଦ୍ର କୁଣ୍ଡୁ, ହୃଦାନନ୍ଦ ମଲ୍ଲିକ, ଭାଗବତ ବେହେରା, ଶିବାଜୀ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବଳ, ଅରୁଣ ଦେ, ଗଦାଧର ଗିରିଙ୍କ ଭଳି ବହୁ ପ୍ରଚାରିତ ମୁଖ୍ୟଧାରାର ବିରୋଧୀ ଦଳର ରାଜନୈତିକ ବ୍ୟକ୍ତିମାନଙ୍କର ସମ୍ପୃକ୍ତିର ଉଲ୍ଲେଖ ଏହି ପୁସ୍ତକରେ ତ ହୋଇଛି, ସେମାନଙ୍କ ବକ୍ତବ୍ୟକୁ ଉଦ୍ଧାର କରାଯାଇଛି(ପୃ ୧୫, ୨୨, ୩୫-୩୮), କିନ୍ତୁ ଶାସକ ଦଳର ଜଣେ କର୍ମୀଙ୍କର ସମ୍ପୃକ୍ତି ଉଲ୍ଲେଖ ହେବା ଯେପରି “ପ୍ରତାପପୁରର କଂଗ୍ରେସ କର୍ମୀ ଭାସ୍କର ସାହୁଙ୍କ ଗଢ଼ା ‘କ୍ଷେପଣାସ୍ତ୍ର ଘାଟି ପ୍ରତିବାଦ ସମିତି’” ଗଢ଼ିଥିବା(ପୃ ୧୫), ଏକ ଚକ୍ଷୁଉନ୍ମେଷକାରୀ ସୂଚନା ହେବା ସ୍ୱାଭାବିକ । ଏତଦ୍ବ୍ୟତୀତ ଏହି ଆନ୍ଦୋଳନରେ ବିପ୍ଳବୀ ବାମପନ୍ଥୀ ନେତା ଗଣନାଥ ପାତ୍ରଙ୍କର ଭୂମିକା ଓ ତାଙ୍କ ବକ୍ତବ୍ୟର ମଧ୍ୟ ଏହି ପୁସ୍ତକରେ ସବିଶେଷ ଉଲ୍ଲେଖ ହୋଇଛି (ପୃ ୧୫-୨୧); ଆନ୍ଦୋଳନରେ ମହିଳା ମାନଙ୍କର ଭୂମିକାର ବିବରଣୀ ପାଇଁ ବିକଳ୍ପ ସନ୍ଧାନୀ ମଂଚ ଦ୍ୱାରା ପ୍ରକାଶିତ ଓଡିଆ ଓ ଓଡିଶା: ସମୀକ୍ଷା’୯୮ରେ ପ୍ରକାଶ ପାଇଥିବା ଭବାନୀ ଭୂୟାଁଙ୍କ ଲିଖିତ ପ୍ରବନ୍ଧ “ଶଂଖ ଶଂଖର ସମନ୍ୱୟ, ନାରୀ ଶକ୍ତିର ଅଭୁ୍ୟଦୟ” ପ୍ରତି ମଧ୍ୟ ଇଙ୍ଗିତ ହୋଇଛି (ପୃ ୪୩) । ଏହା ବ୍ୟତୀତ ଆନ୍ଦୋଳନରେ ସକ୍ରିୟ ବହୁ ପ୍ରାୟ ଅପ୍ରଚାରିତ ସ୍ଥାନୀୟ ବ୍ୟକ୍ତିଙ୍କର ଭୂମିକାର ମଧ୍ୟ ଉଲ୍ଲେଖ ହୋଇଛି ଏହି ପୁସ୍ତକରେ । ଏହାଦ୍ୱାରା ପାଠକ ପରିଚିତ ହୁଏ ବୃନ୍ଦାବନ ରାଜ, ଶଶଧର ପ୍ରଧାନ, ତପନ ଦତ୍ତ, ପୁରୁଷୋତ୍ତମ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରଂଗ ବେହେରା, ନବ ଜେନା, କୁଶ ଜେନା, ଜଗବନ୍ଧୁ ଘୋଷ, ଗୌରହରି ଦାସ, ଶାରଦା ଗିରି, ଗୌରୀ ବେହେରା ପ୍ରମୁଖଙ୍କ ସହ । (ପୃ ୧୫, ୨୩, ୨୧,୩୧, ୪୩, ୬୬) ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଇମସେ (IMSE), ଏହି ଆନ୍ଦୋଳନକୁ ସମର୍ଥନ ଦେବା ଓ ପ୍ରତିକ୍ରିୟାରେ ଏହାର କାର୍ଯ୍ୟାଳୟ ଉପରେ ପୁଲିସ ଚଢ଼ଉ ହେବାର ସୂଚନା ମଧ୍ୟ ରହିଛି ଏହି ପୁସ୍ତକରେ (ପୃ.୩୧-୩୪) । ଏହି ପୁସ୍ତକରେ ବିପ୍ଳବୀ କବି ମନମୋହନ ମିଶ୍ର ଓ କବି ବ୍ରଜନାଥ ରଥଙ୍କର ସମ୍ପୃକ୍ତି, ବୈଜ୍ଞାନିକ ଗୋକୁଳାନନ୍ଦ ମହାପାତ୍ର, ଅର୍ଥନୀତି ପ୍ରଫେସର ଜୟକୃଷ୍ଣ ମିଶ୍ରଙ୍କ ସମ୍ପୃକ୍ତିର ଉଲ୍ଲେଖ ରହିଛି (ପୃ ୨୨) । ଏହି ଆନ୍ଦୋଳନର ବିଭିନ୍ନ ଦିଗକୁ ଅଧ୍ୟୟନ ତିନୋଟି ମାନବ ଅଧିକାର ସଂଗଠନ, ପିୟୁସିଏଲ, ପିୟୁଡିଆର ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ କରିଥିବାର ସୂଚନା ରହିଛି । (ପୃ୨୯,୩୯)

କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ ଯୁବ-ଛାତ୍ର ସଂଗଠନ

କହିବା ବାହୁଲ୍ୟ ଯେ ଲେଖକ ଶ୍ରୀ ଗୁରୁ ମହାନ୍ତି ତାଙ୍କ ରଚିତ ଏହି ପୁସ୍ତକରେ ବାଲିଆପାଳ-ଭୋଗରାଇ ସଂଗ୍ରାମରେ ସମ୍ପୃକ୍ତ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଯେପରି ତାଙ୍କ ରଚନାରୁ ବାଦ୍ ନ ପଡ଼ିଯାଆନ୍ତି ତାହାର ସଚେତନ ଉଦ୍ୟମ କରିଛନ୍ତି, ଏପରିକି ପୁସ୍ତକ ଉପରେ ଅଭିମତ ସେ ନେଇଛନ୍ତି ଏକଦା କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନରେ ଯୁବ-ଛାତ୍ର ସଂଗଠନରେ ସକ୍ରିୟ ଶ୍ରୀ ଅରୁଣ ଜେନାଙ୍କଠାରୁ ଓ ବିଜୁବାବୁଙ୍କ ଆହ୍ୱାନ କ୍ରମେ ଯୁବଛାତ୍ର ଜନତା ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ । ଯାହା ଫଳରେ ପାଠକ ଏହି ପୁସ୍ତକଟିରେ ଆନ୍ଦୋଳନ ସହ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନଙ୍କ ସମ୍ପୃକ୍ତିର ଏକ ସାମଗ୍ରିକ ଚିତ୍ର ପାଏ ।

ଲେଖକ ଗୁରୁବାବୁ ନିଜେ ଏହି ଆନ୍ଦୋଳନ ସହିତ ସମ୍ପୃକ୍ତ ଥିଲେ; ତାହାର ବହୁ ଦୃଷ୍ଟାନ୍ତ ଏହି ପୁସ୍ତକରେ ରହିଛି । ଯେପରି ୧୯୮୬ ମସିହା ନଭେମ୍ବର ୧୯ ତାରିଖ ଦିନ ପ୍ରସ୍ତାବିତ ବାଲେଶ୍ୱର ଜିଲ୍ଲାବନ୍ଦ ନିଷ୍ପତ୍ତିରେ ତାଙ୍କର ସମ୍ପୃକ୍ତି (ପୃ ୨୫) ବା ୧୯୮୭ ମସିହା ପ୍ରଥମାର୍ଦ୍ଧରେ ଲେଖିବା ‘ମରଣ ସ୍ମୃତି ସ୍ତମ୍ଭ ପାଇଁ ଯୋଜନା’ ଶିରୋନାମାରେ ନିଜ ପ୍ରତିକ୍ରୟା (ପୃ ୩୭) ବା ୧୯୮୮ ମସିହା ମେ ମାସରେ ଆହ୍ୱାନ ଦେବା ‘ବାଲିଆପାଳ ବଂଚାଅ’(ପୃ ୬୭) । ମାନବ ଅଧିକାର ଉପରେ ଆକ୍ରମଣ ବିରୋଧରେ ପିୟୁସିଏଲ୍ର ଓଡ଼ିଶା ସମ୍ପାଦକ ଭାବେ ନିରନ୍ତର ସ୍ୱର ଉତ୍ତୋଳନ କରୁଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟର ଅଧିବକ୍ତା ଶ୍ରୀ ଗୁରୁ ମହାନ୍ତି ପ୍ରସ୍ତାବିତ କ୍ଷେପଣାସ୍ତ୍ର ଘାଟି ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କର ଜୀବନ ଜୀବିକା ଓ ପରିବେଶ ବିପନ୍ନ ହେବାର ସମ୍ଭାବନା ବିରୋଧରେ ନୀରବ ବସି ନାହାନ୍ତି । ଘାଟିହେଲେ ବାଲିଆପାଳ-ଭୋଗରାଇ ଅଂଚଳର ଅଧିବାସୀ ସେମାନଙ୍କର ଜୀବନ ଜୀବିକା ହରାଇବେ ଏହା ତାଙ୍କୁ ଯେତେ ବିବ୍ରତ କରିଛି, ପ୍ରାୟ ସେତିକି ବିବ୍ରତ କରିଛି ଏହି ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯିବାର ସମ୍ଭାବନା । ତା ନହେଲେ ସେ କାହିଁକି ଏହି ପୁସ୍ତକରେ ଲେଖନ୍ତେ, “ସେ ଅଂଚଳର ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତ, ସଂଜ ତଥା ରାତିର ଅନ୍ଧକାର ଥିଲା ସେ ଅଂଚଳ ସହିତ ପରିଚିତ ନଥିବା ମଣିଷ ପାଇଁ ଭିନ୍ନ । ଦୀର୍ଘ ବର୍ଷର ବ୍ୟବଧାନ ଭିତରେ ସେ ସୌନ୍ଦର୍ଯ୍ୟମୟ ପରିବେଶକୁ ଆଜି ମୁଁ ବର୍ଣ୍ଣନା କରିବାକୁ ଭାଷା ପାଉ ନାହିଁ ।”(ପୃ ୨୭)

ଅଶୀତିପର ବୟସରେ ଏପରି ପୁସ୍ତକଟିଏ ରଚନା କରିବାର ଉଦେ୍ଦଶ୍ୟ କଣ? ଲେଖକ ଶ୍ରୀ ମହାନ୍ତି ଲେଖନ୍ତି, “ସେ ସମସ୍ତ ଐତିହାସିକ କାର୍ଯ୍ୟକୁ ଲିପିବଦ୍ଧ ଓ ସଂଯୁକ୍ତ ଏଠାରେ କରାଯାଇଛି ଭବିଷ୍ୟତ ବଂଶଧରଙ୍କ ପାଇଁ; ଯାହାକୁ ଆଶ୍ରା/ଅବଲମ୍ବନ କରି ଓଡ଼ିଶାବାସୀ ସେମାନଙ୍କ ନିରାପତ୍ତା ପ୍ରତି ସତର୍କତା ଅବଲମ୍ବନ କରିବେ ।” (ପୃ ୨୬)

ଏହି ଆନ୍ଦୋଳନରୁ ନିଷ୍କର୍ଷ

ଏହି ଅନେ୍ଦାଳନରୁ କେଉଁ ନିଷ୍କର୍ଷ ଗୁରୁବାବୁ ଭବିଷ୍ୟତ ବଂଶଧର ପାଇଁ ଲିପିବଦ୍ଧ କରନ୍ତି? ତାଙ୍କ ଭାଷାରେ, “ବାଲିଆପାଳ ଘାଟି ବିରୋଧୀ ଆନେ୍ଦାଳନ ପ୍ରମାଣ କରିଛି ଯେ ସେ ଅଂଚଳର ଶିକ୍ଷିତ ଓ ବିତ୍ତଶାଳୀ ନାଗରିକ ଗୋଷ୍ଠୀ ମଧ୍ୟ ସାଧାରଣ ମଣିଷର ସମସ୍ୟାସହିତ ଜଡ଼ିତ ହେବାକୁ କୁଣ୍ଠିତ ନଥିଲେ କାରଣ ଘାଟି ପ୍ରତିଷ୍ଠା ହୋଇଥିଲେ ତାଙ୍କୁ ଅଧିକ କ୍ଷତି ସହିତ ଉଦ୍ବାସ୍ତୁ ହେବାକୁ ପଡ଼ିଥାନ୍ତା । ଏହା ପୁଣି ପ୍ରମାଣ କରିଛି ଯେ ଲୋକମତକୁ ସରକାରୀ ସ୍ତରରେ କେବଳ ବେଖାତିର କରାଯାଇ ନାହିଁ, ସରକାରୀ ସ୍ତରୀୟ କାର୍ଯ୍ୟକ୍ରମକୁ ବିଚାର ବିଭାଗର ଅଫିସର ଶ୍ରେଣୀ କେତେ ପରିମାଣରେ ସହାୟତା ପ୍ରଦାନ କରିଛି । ଶାସନ ବିଭାଗକୁ ବିଚାର ବିଭାଗ ଭୀତତ୍ରସ୍ତ ଅବସ୍ଥାରେ, କି ଭାବରେ ସହାୟତା ପ୍ରଦାନ କରି ଲଜ୍ଜାକର ଅବସ୍ଥା ସୃଷ୍ଟି କରିଛି ଓ ବିଚାର ବିଭାଗର ନିରପେକ୍ଷତାକୁ ଜଳାଞ୍ଜଳି ଦେଇ ଶାସନ ବିଭାଗର ଏକ ପକ୍ଷ ସାଜି ରହିବାକୁ କୁଣ୍ଠା ପ୍ରକାଶ କରିନାହିଁ । ସାଧାରଣ ନାଗରିକର ବିଶ୍ୱାସକୁ କୁଠାରଘାତ କରି, ତାର ଦୃଢ଼ତା ଓ ଆଇନ ରକ୍ଷା କରିବା ପ୍ରତି ଚରମ ବିଶ୍ୱାସଘାତକତା କରିବାକୁ ସଙ୍କୋଚ କରିନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜଗବନ୍ଧୁ ଘୋଷଙ୍କ ପ୍ରତି ଅବିଚାର ।”(ପୃ ୩୦-୧) ଶାସକ ତରଫରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ନାଗରିକ ସବୁବେଳେ ଭରସା କରିଥାଏ ବିଚାର ବିଭାଗ ବା ନ୍ୟାୟାଳୟର ହସ୍ତକ୍ଷେପ ଓ ସେହିଠାରୁ ଆଶ୍ୱସ୍ତି । ବାଲିଆପାଳ ଆନ୍ଦୋଳନସମୟରେ ଏହା ନ ହେବା ଗୁରୁବାବୁଙ୍କୁ ନିରାଶ କରିଛି । କହିବା ବାହୁଲ୍ୟ ଯେ ଯେତେବେଳେ ଜନଆନ୍ଦୋଳନର ଅଧିକ ସଂଖ୍ୟାରେ ସାରା ଦେଶରେ ବୃଦ୍ଧି ପାଇଛି, ସେତେବେଳେ ଏହି ନୈରାଶ୍ୟ ବ୍ୟାପକ ହୋଇଛି ଓ ଅଧିକ ଗଭୀର ହୋଇଛି । ନ୍ୟାୟାଳୟ ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷାକୁ ପଛରେ ପକାଇ କାର୍ଯ୍ୟପାଳିକାର ନିଷ୍ପତ୍ତିକୁ ସମ୍ମତି ଦେଉଛି ବୋଲି ଅଭିଯୋଗ ମୁଖର ହେବାରେ ଲାଗିଛି । ଏହି ସ୍ଥିତିରେ ପରିବର୍ତ୍ତନ ଆସି ପାରିବ ତାହା ଭବିଷ୍ୟତ ବଂଶଧର ସମ୍ମୁଖରେ ଏକ ବିରାଟ ଆହ୍ୱାନ ।

ଏହି ପୁସ୍ତକଟିକୁ ନିଶ୍ଚିତ ଭାବରେ ପୂର୍ବ ପ୍ରକାଶିତ ସଙ୍କଳନ ଓ ପୁସ୍ତକର ପରିପୂରକ ବୋଲି ବିଚାର କରାଯାଇପାରେ । ତେବେ ବିଷୟବସ୍ତୁର ଉପସ୍ଥାପନା ଆହୁରି ସଂଗଠିତ ଢଙ୍ଗରେ ହୋଇପାରିଥାନ୍ତା; କେତେକ ସ୍ଥାନରେ ପରିଲକ୍ଷିତ ଅସଂଲଗ୍ନତାକୁ ଦୂର କରାଯାଇପାରିଥାନ୍ତା । ଯେପରି ପୁସ୍ତକର ପୃଷ୍ଠା ୧୧ରେ “…ଏଠାରେ ମଧ୍ୟ ୩୦ଦଶକରେ ଲୁଣମରା ଏକ ଆନ୍ଦୋଳନରେ ପରିଣତ ହୋଇଥିଲା” ପରେ ପରେ ଉଲ୍ଲେଖ କରିବା “ସେଥିପାଇଁ ସମୁଦ୍ର କୂଳର ଏକ ଅଂଶକୁ ଲୋକେ ଆଜି ବି ଗାନ୍ଧୀଚତର ବୋଲି କୁହନ୍ତି ।” ଓ “ବନ୍ୟା ନିୟନ୍ତ୍ରଣ ନାମରେ ସରକାର ଏକ ଯୋଜନା ପ୍ରସ୍ତୁତ କଲେ ଓ ନଦୀ ଖୋଳିଲେ, ଯାହା ଜନବିରୋଧୀ ଏକ କାର୍ଯ୍ୟକ୍ରମ ଥିଲା ।” ପରେ ପରେ ଉଲ୍ଲେଖ କରିବା “ଏହା ଆମ୍ବଚୁଆ ଆନ୍ଦୋଳନ ନାମରେ ଆଜି ବି ପରିଚିତ” ତଥ୍ୟ ଦୃଷ୍ଟିରୁ ସଠିକ ହୋଇଥାନ୍ତା । ସେହିପରି ‘ବାଲିଆପାଳ ବଂଚାଅ’ ଶିରୋନାମାରେ ଦୈନିକ ସମାଜରେ ପ୍ରକାଶିତ ନିବନ୍ଧ ଯାହା ପୃଷ୍ଠା ୬୭ରୁ ୭୦ ମଧ୍ୟରେ ସ୍ଥାନିତ ହୋଇଛି, ତାହାର ଶେଷ ପାରାଗ୍ରାଫଟି (ପୃ୭୦) ନିଶ୍ଚିତ ଭାବରେ ମୂଳ ନିବନ୍ଧର ଅଂଶ ନୁହଁ । କାରଣ ମୂଳ ନିବନ୍ଧଟି ପ୍ରକାଶ ପାଇଛି ୩୦.୦୫.୧୯୮୮ରେ ଅଥଚ ଶେଷ ପାରାଗ୍ରାଫରେ ୨୦୧୩ ମସିହାରେ ବିଜୟ ଉପାଧ୍ୟାୟଙ୍କ ସମ୍ପାଦନାରେ ପ୍ରକାଶିତ ‘ଓଡ଼ିଶାର ଜନଆନ୍ଦୋଳନ’ ପୁସ୍ତକ ସମ୍ପର୍କରେ ଉଲ୍ଲେଖ ଅଛି । ମୂଳ ନିବନ୍ଧ ଓ ଉକ୍ତ ପାରାଗ୍ରାଫଟି ମଧ୍ୟରେ କୌଣସି ବିଭାଜନର ସଙ୍କେତ ଦିଆଯାଇ ପାରିଥାନ୍ତା ଓ ପାଠକ ମନରେ କୌଣସି ପ୍ରକାର ଭ୍ରାନ୍ତିର ଉପୁଜିବାର ଅବସର ନଥାନ୍ତା । ଏହି ସାଧାରଣ ତ୍ରୁଟି ଗୁଡିକ ଦୂର ହୋଇଯାଇଥାନ୍ତା ଯଦି ପୁସ୍ତକ ପ୍ରକାଶ ପୂର୍ବରୁ ସମ୍ପାଦନା ପ୍ରତି ଦୃଷ୍ଟି ଦିଆଯାଇଥାନ୍ତା । ଏ ସମୀକ୍ଷକ ଅବଶ୍ୟ ସଚେତନ ଯେ ଲେଖକ ଶ୍ରୀ ଗୁରୁ ମହାନ୍ତି ତାଙ୍କର ଅଶୀତିପର ବୟସରେ ଏପରି ତଥ୍ୟ ସମ୍ବଳିତ ପୁସ୍ତକଟିଏ ରଚନା କରିବାର ଏକ ପ୍ରଶଂସନୀୟ ଓ ସ୍ମରଣୀୟ ଉଦ୍ୟମ କରଛନ୍ତି, ଓ ଜନଆନ୍ଦୋଳନ ଉପରେ ଏଯାବତ୍ ଉପଲବ୍ଧ ସାହିତ୍ୟକୁ ତାଙ୍କ ରଚନା ଦ୍ୱାରା ସମୃଦ୍ଧ କରିଛନ୍ତି । ସେ ଯେପରି ଆଶା କରିଛନ୍ତି ଏହି ପୁସ୍ତକ ଭବିଷ୍ୟତ ବଂଶଧର ପାଇଁ ଉପାଦେୟ ହେବ ବୋଲି ଏ ସମୀକ୍ଷକର ବିଶ୍ୱାସ ।

Photo Credit- https://bit.ly/3sH1gMB

Comments

0 comments

Share This Article