ଅତି ବଡ଼ କୋଟିପତିଙ୍କ ପାଇଁ ବଜେଟ୍

ପଞ୍ଚାନନ କାନୁନଗୋ
ପଞ୍ଚାନନ କାନୁନଗୋ145 Views
11 Min Read

କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏଥିରେ ଯେଉଁମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବେ ସେମାନେ ମୁଖ୍ୟତଃ ଉଚ୍ଚ ମଧ୍ୟମ, ନିମ୍ନ ମଧ୍ୟମ ବର୍ଗ ଆୟକାରୀ ଓ ନିମ୍ନ ଆୟକାରୀ ବର୍ଗର ଲୋକ ହିଁ ହେବେ । ଭାରତୀୟ ସର୍ବେକ୍ଷଣ ସଂସ୍ଥା (N.S.S.O) ର ସର୍ବଶେଷ ଆକଳନ ୨୦୧୮ ଅନୁଯାୟୀ ଭାରତରେ ଏମାନଙ୍କ ସଂଖ୍ୟା ମୋଟରେ ୮୦%ରୁ ଉର୍ଦ୍ଧ ହେବ । ଆକଳନର ସରଳ ଉପାୟଟି ହେଲା ବ୍ୟକ୍ତି ଆୟର ଖାଦ୍ୟପାଇଁ କରୁଥିବା ଖର୍ଚ୍ଚର ଶତାଂଶ ହିସାବକୁ ନେଇ କରାଯାଇଥାଏ । ଅର୍ଥାତ୍ ଯେଉଁ ବ୍ୟକ୍ତି ଆୟର ୮୦%ରୁ ଅଧିକ କେବଳ ଖାଦ୍ୟପାଇଁ ଖର୍ଚ୍ଚ କରେ, ତାକୁ ହିଁ ନିମ୍ନ ଆୟକାରୀ ବା ଦରିଦ୍ର ଶ୍ରେଣୀଭୁକ୍ତ ବୋଲି ଧରାଯାଏ । ଯାହାଙ୍କ ଆୟର ୨୦%, ୪୦% ଓ ୬୦%ରୁ କମ୍ ଖାଦ୍ୟ ବାବଦରେ ଖର୍ଚ୍ଚ ହୁଏ, ସେସବୁ ଆୟକାରୀ ବର୍ଗ ଉଚ୍ଚ ମଧ୍ୟବିତ୍ତ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ବୋଲି ଧରାଯାଇଥାଏ । ଏହି ମାନଙ୍କର ବଳକା ଆୟ ହିଁ ଦେଶ ଓ ବଜାର ଅର୍ଥନୀତିକୁ ସୁଦୃଢ଼ କରିଥାଏ । ଆର୍ଥିକ ସ୍ୱଚ୍ଛଳତା ଓ ହାତରେ ବଳୁଥିବା ଅର୍ଥ ବଜାରକୁ ଯାଏ । ଅତି ପରିତାପର ବିଷୟ ଗତ କିଛିବର୍ଷ ଧରି ଦେଶରେ ଶାସନ କରୁଥିବା ଭାଜପା ସରକାର ଏ ଦିଗଟି ପ୍ରତି ଦୃଷ୍ଟି ଦେଇନାହାନ୍ତି । କେବଳ କିଛି ଧନପତି, ଶିଳ୍ପପତିକୁ ଦୃଷ୍ଟିରେ ରଖି ଅର୍ଥନୀତି ସଜାଡ଼ିବାରେ ଲାଗିଛନ୍ତି । ଫଳରେ ଦେଶର ଆର୍ଥିକ ଦୁର୍ଗତି ବଢ଼ିବାରେ ଲାଗିଛି । ଚଳିତବର୍ଷ ୨୦୨୧-୨୨ ବର୍ଷପାଇଁ ପ୍ରସ୍ତୁତ ବଜେଟ୍ କଥିତବର୍ଗଙ୍କର ଆର୍ଥିକ ଦୁର୍ଗତି ଅଧିକମାତ୍ରାରେ ବଢ଼ାଇ ଦେଇଛି । ବଜେଟଟିକୁ ଅଧ୍ୟୟନ କଲେ ଏହା ସ୍ପଷ୍ଟ ଜାଣି ହେବ ।

ଚାଲି ଆସିଥିବା ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତିବର୍ଷ କେନ୍ଦ୍ର ସରକାର ସେହି ବର୍ଷ ପାଇଁ (For the Year) ଓ ଆୟ (Receipts) ଓ ବ୍ୟୟ (Expenditure)କୁ ରଖି ଏକ ଆନୁମାନିକ ଅଟକଳ (Estimate) ପାରିତ କରିଥାନ୍ତି । ଅନୁମାନ ଯଦିଓ ସ୍ଥିର ନିଶ୍ଚିତ ଗଣିତ ନୁହେଁ ପୂର୍ବବର୍ଷର ଓ ସରୁଥିବା ବର୍ଷର ସ୍ଥିତିକୁ ଭିତ୍ତିକରି ଏହି ଆକଳନ କରାଯାଇଥିଲେ ସରକାର କାର୍ଯ୍ୟକ୍ରମ ସବୁ ସୁଚାର ରୂପେ ଓ ସମୟ ଅନୁସାରେ ଆଗେଇ ନେଇଥାନ୍ତି । ଅବଶ୍ୟ ଏଥିରେ ପୂର୍ବରୁ ଥିବା ପଞ୍ଚବାର୍ଷିକ ଯୋଜନାର ଖର୍ଚ୍ଚ ଯୋଡ଼ା ହେଉଥିଲା ଓ ଲକ୍ଷ୍ୟ ଧାର୍ଯ୍ୟ ନିମନ୍ତେ ପ୍ରତିବର୍ଷର ବଜେଟ୍ ଅନୁଦାନ ପ୍ରସ୍ତୁତ ହେଉଥିଲା । ଲକ୍ଷ୍ୟ ସୀମିତ ଥିଲା ତ, ଯୋଜନାରେ ନିହିତ ସ୍ୱପ୍ନ ବାସ୍ତବ ଥିଲା । ଏବେ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକ୍ରମ ହଟାଇ ଦିଆଯାଇଛି । ନିତି ଆୟୋଗ ଗଠନ ହୋଇଛି । ନିତି ଆୟୋଗ ଓ ସରକାରଙ୍କ ଲକ୍ଷ୍ୟଭିତରେ ତାଳମେଳ ରହିଲେ ବଜେଟ ଆକଳନ, କାଟ ଓ ଅଗ୍ରଗତିକୁ ସହଜରେ ତଉଲି ହୁଅନ୍ତା । ତା’ନଥିବାରୁ ବଜେଟର ଆକଳନ ବା ଆୟବ୍ୟୟ ଗଣିତ ସହିତ ଫଲାଫଳକୁ (Achivements) ତଉଲିବା କଷ୍ଟକର । କିନ୍ତୁ ‘ବହିଖାତା’ ଶୂନ୍ୟ ଡିଜିଟାଲ ବ୍ୟବସ୍ଥା ଭିତରେ ଅଙ୍କ ଓ ଗଣିତକୁ ସାଉଁଟି ଲାଭ କ୍ଷତି ନିର୍ଣ୍ଣୟ କରିବାକୁ ହେଉଛି ।

ବଜେଟ୍ ୨୦୨୧-୨୨ ର ଆୟବ୍ୟୟ ବିବରଣୀ ଦେଖି ଅର୍ଥଶାସ୍ତ୍ରୀ ରାଜନେତା ଓ ଚିନ୍ତକମାନେ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି । ଏଥିରେ “ଅମୃତ ବର୍ଷା’ ହେଉଛି ଏହା ଅତୀବ ଅସାଧାରଣ, ଏହା “ଏକ ଐତିହାସିକ’ ଓ କରୋନା ଆକ୍ରାନ୍ତ ଅର୍ଥନୀତିକୁ ସଜାଡ଼ିବାର ସର୍ବୋକୃଷ୍ଟ ଉପସ୍ଥାପନା ବୋଲି ମତ ଆସିଲା ବେଳେ ଭିନ୍ନ ମତ ଆସିଛି ଯେ ଏହା କେବଳ କର୍ପୋରେଟ୍ ବନ୍ଧୁ ଓ ଉତ୍ପାଦନ ବୃଦ୍ଧିକାରୀ ଖାଉଟୀ ବିରୋଧୀ ବଜେଟ୍ । ବଜେଟ୍ ଉପରେ ଥିବା ମନ୍ତବ୍ୟଗୁଡ଼ିକୁ ଅନୁଶୀଳନ କରିବା ସମୟରେ ପ୍ରଥମେ ଗୋଟିଏ କଥା ସ୍ପଷ୍ଟ ହୋଇଯିବା ଉଚିତ୍ ଯେ କରୋନା ମହାମାରୀ ହେତୁ ୨୦୨୦-୨୧ ବର୍ଷରେ ଆୟବ୍ୟୟରେ ବଡ଼ ଅସନ୍ତୁଳନ ଦେଖାଦେଇଥିଲା । କିନ୍ତୁ ଦେଶର ସମୃଦ୍ଧି କରୋନା ଅପେକ୍ଷା କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଅର୍ଥନୀତି ଦାୟୀ ବୋଲି ଅନେକ ଅର୍ଥଶାସ୍ତ୍ରୀ ଯୁକ୍ତି ଉପସ୍ଥାପନ କରିଥାନ୍ତି । ସେମାନଙ୍କ ମତରେ ସରକାରଙ୍କ ଭୁଲ୍ ଅର୍ଥନୀତି ହେତୁ ୨୦୧୬-୧୭ରୁ ଦେଶର ସାମଗ୍ରୀକ ସମୃଦ୍ଧି (G.D.P) ବାର୍ଷିକ ହାର ୮% ରୁ ୭%, ୬.୨%କୁ ଖସି କରୋନା ପୂର୍ବବର୍ଷ (୨୦୧୯-୨୦)ରେ ୪% ହୋଇଥିଲା । ବିତ୍ତୀୟ ଶୃଙ୍ଖଳା ପୂର୍ବରୁ ଭଙ୍ଗ ହୋଇଥିଲା । ବିତ୍ତୀୟ ନିଅଣ୍ଟ (Fiscal Deficit) ୨୦୧୯-୨୦ ନିର୍ଦ୍ଧାରିତ ୩.୫% ରୁ ବଢ଼ି ୪.୬%, ୨୦୨୦-୨୧ରେ ୭.୫% ଆକଳନ କରାଯାଇଛି । ମାତ୍ର ୨୦୨୦-୨୧ର ଆୟ ବ୍ୟୟ ଦେଖିଲେ ଏହା ୯%କୁ ଚାଲିଯିବାର ଆକଳନ କରାଯାଇଛି । ଆଗତ ବଜେଟରେ ଥିଲା ୫.୨% ରଖିବାକୁ ସ୍ଥିର କରାଯାଇଛି । ଦ୍ରବ୍ୟ ଓ ସେବାକର ବାବଦ ଆୟ ଆଶାନୁରୂପ ନଥିଲା । ବେରୋଜଗାରୀ ବହୁମାତ୍ରାରେ ବଢ଼ିଥିଲା । ମୁଦ୍ରାସ୍ଫୀତି ବଢ଼ିବା ସହିତ କ୍ରୟଶକ୍ତି ହ୍ରାସ ପାଇଥିଲା । କ୍ରେଡ଼ିଟ୍ ବିଦ୍ୟାର ଆକଳନ ଅନୁସାରେ ମାସିକ ୬୦ ହଜାର ଟଙ୍କା ପାଖାପାଖି ଆୟକାରୀଙ୍କର ୧୦%ଆୟ କମିଥିଲା । ସେହିପରି ମାସିକ ୨୦ହଜାର ଟଙ୍କା ଆୟ କରୁଥିବାବାଲାଙ୍କର ଆୟ ୩୭% କମିଥିଲା । ଦେଖା ଯାଉଥିଲା ଯେ ୮୦% ପରିବାରର ଆୟ କମିଥିଲା । ସମ୍ପତ୍ତି ଠୁଳରେ ତାରତମ୍ୟ ଓ ବ୍ୟାଙ୍କମାନଙ୍କର ଦୁର୍ଗତି ଚରମସୀମାରେ ପହଞ୍ଚି ସାରିଥିଲା । ଏହି ସମସ୍ତ ପାଇଁ କରୋନା ମହାମାରୀକୁ ଦାୟୀ କରିବାର କୌଣସି ଯୁକ୍ତି ନାହିଁ । ତେବେ ଚଳିତ ବଜେଟରେ ଆଶା କରାଯାଇଥିଲା ଯେ ଅନ୍ତତଃପକ୍ଷେ କରୋନା ମହାମାରୀର ପୂର୍ବ ସ୍ଥିତିକୁ ଆଣିବା ଭଳି ବଜେଟ୍ ଟିଏ ଆସିବ । ସ୍ୱାସ୍ଥ୍ୟଗତ ଅବସ୍ଥା ପ୍ରତି ଅଧିକ ଧ୍ୟାନ ଦେବା ତ ନିଶ୍ଚୟ ଦରକାର । ମାତ୍ର ଏହା ଯେ ସାମଗ୍ରିକ ଅଭିବୃଦ୍ଧିର ଉନ୍ନତିରେ ସାହାଯ୍ୟ କରିବ, ଏପରି ଭାବିବା ଉଚିତ ନୁହେଁ ।

ଏହି ବଜେଟର ଆୟ ବ୍ୟୟ ସହିତ ଲାଭକ୍ଷତିକୁ ମିଶାଇ ଦେଖିଲେ ବର୍ଷ ଶେଷକୁ ସ୍ଥିତିରେ କିଏ କେତେ ଲାଭ ପାଇବେ, ସେ ସମ୍ପର୍କରେ ଜାଣି ହେବ । ପ୍ରଥମେ ଦେଶ କଥା ବିଚାରକଲେ ଗୋଟିଏ ଧାଡ଼ିରେ ରଖିଲେ ସ୍ପଷ୍ଟ ହେବ ଯେ ବଜେଟଟି ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଭାବ ନେଇ ପ୍ରସ୍ତୁତ ହୋଇଛି । ଏପରିକି ସ୍ୱାସ୍ଥ୍ୟକ୍ଷେତ୍ରରେ ବୀମାକ୍ଷେତ୍ରକୁ ପ୍ରସାରିତ କରାଗଲାବେଳେ ସେଥିରେ ବିଦେଶୀ ପୁଞ୍ଜିର ଅଂଶ ୪୯%ରୁ ୭୪%କୁ ବୃଦ୍ଧି କରାଗଲା । ବୀମାକ୍ଷେତ୍ରର ଲାଭାଂଶ ସେମାନଙ୍କ ହାତକୁ ଯିବ । ଅଧିକ ବିଦେଶୀ ଋଣ ଉପରେ ନିର୍ଭରଶୀଳ ଓ ଅଧିକ ବିଦେଶୀ ପୁଞ୍ଜି ଦୁଆରେ ଛିଡ଼ା ହୋଇଛନ୍ତି କେନ୍ଦ୍ର ସରକାର । ନିଜର ଦୁଇଟି ବଡ଼ ବୁନିୟାଦି ପୁଞ୍ଜି ବ୍ୟବସ୍ଥା, ବ୍ୟାଙ୍କ ଓ ବୀମା କମ୍ପାନୀରେ ବିଦେଶୀ ପୁଞ୍ଜିଲଗାଣର ସୁଯୋଗ ୪୯%ରୁ ବଢ଼ାଇ ୭୪% କରିଛନ୍ତି । ଦେଶର ସଂପତ୍ତି ବିକ୍ରି ଉପରେ ବଜେଟ୍ ନିର୍ଭରଶୀଳ । ସେଥିପାଇଁ ଘୋଷଣା କରିଛନ୍ତି ସମ୍ପତ୍ତି ବଦଳରେ ଟଙ୍କା (Asset Monetization)ର କଥା କୁହାଯାଇଛି । ବହୁ କଷ୍ଟଅର୍ଜିତ ସମ୍ପତ୍ତି (P.S.U) ର ବିକ୍ରୀ (Disinvestment) କରି ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ଉଠାଇବାର ବ୍ୟବସ୍ଥା ହୋଇଛି । ଦେଶର ମୋଟ ଋଣ ବ୍ୟବସ୍ଥା ୨୦୨୧ ମାର୍ଚ୍ଚ ମାସରେ ୧୨୧ ଲକ୍ଷ କୋଟିରେ ରହିଥିବାବେଳେ ୨୦୨୨ ଶେଷ ସୁଦ୍ଧା ୧୩୭ ଲକ୍ଷ କୋଟି ଟଙ୍କା ରହିବ ବୋଲି କୁହାଯାଇଛି । ଅର୍ଥାତ୍ ଚଳିତବର୍ଷ ୧୫ଲକ୍ଷରୁ ଊଦ୍ଧ୍ୱର୍ ଋଣ ବ୍ୟବସ୍ଥା ରହିଛି । ଚଳିତବର୍ଷ ନୂଆ ଋଣ ୧୨ଲକ୍ଷ କୋଟି ଟଙ୍କା ହେବ ବୋଲି ସ୍ଥିର ହୋଇଛି । ଏହି ସବୁକୁ ଲକ୍ଷ୍ୟ କଲେ ନିର୍ଭରଶୀଳ ପୁଞ୍ଜି ଅସ୍ଥିର ଅଛି । ଏଣୁ ୨୦୨୧-୨୨ର ସମୃଦ୍ଧି ଉପରକୁ (Above the Base)୨%ରୁ ଅଧିକ ହେବାପରି ମନେ ହୁଏ ନାହିଁ । ୨୦୨୦-୨୧ ମସିହାରେ ବାସ୍ତବ ସମୃଦ୍ଧି ତଳମୁହାଁ (Below the base) ହୋଇ ରହିବ । ଅନେକ ଅର୍ଥଶାସ୍ତ୍ରୀଙ୍କ ମତରେ ଏହା ୯%ରୁ ଊଦ୍ଧ୍ୱର୍ ରହିବ । ବଜେଟର ରୂପରେଖ ଦେଖିଲେ ଜାଣିହୁଏ ଯେ ଦେଶର ହିତ ଅପେକ୍ଷା ଅହିତ ସାଧିତ କରିବ । ଅର୍ଥନୀତି ଅଧିକ ବିପର୍ଯ୍ୟସ୍ତ ହେବ ।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନେ ସବୁ କେନ୍ଦ୍ରୀୟ ବଜେଟକୁ ଚାହିଁ ବସିଥାନ୍ତି । ଅର୍ଥ କମିଶନଙ୍କ ବଣ୍ଟନ ପକ୍ରିୟା (Devolution) ବ୍ୟତୀତ ଅନୁଦାନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସମୂହର ଯୋଗଦାନ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ (Special Package) ସବୁକୁ ଚାହିଁଛନ୍ତି । ଏଥିରେ ଗୋଟିଏ ଭଟ୍ଟା ପଡ଼ିଛି । ସ୍ପଷ୍ଟଭାବେ କୁହାଯାଇ ପାରେ ଯେ ୨୦୧୩-୧୪ ମସିହା ବଜେଟରେ କେନ୍ଦ୍ରରୁ ରାଜ୍ୟମାନଙ୍କୁ ହସ୍ତାନ୍ତର ମୋଟ ବଜେଟ୍ର ୬୭% ଥିବାବେଳେ ଏହି ବଜେଟରେ ଏହାର ମାତ୍ରା ୬୦%ରୁ ଅଧିକ ହେବ ନାହିଁ । ଚତୁର୍ଦ୍ଦଶ ଅର୍ଥକମିଶନଙ୍କ ପ୍ରସ୍ତାବକୁ ୨୦୧୪-୧୫ରୁ ୨୦୧୯-୨୦ ପାଞ୍ଚବର୍ଷରେ ରାଜ୍ୟମାନଙ୍କୁ ୭ଲକ୍ଷ ୯୭ହଜାର ୫୪୯ କୋଟି କମ୍ ମିଳିଛି । ତିନୋଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାଟି ଦିଆଯାଇଛି ।

ବଜେଟର କଳେବର ମଧ୍ୟ ଗତବର୍ଷ ତୁଳନାରେ ବଡ଼ ନୁହେଁ । ୨୦୨୦-୨୧ ସଂଶୋଧିତ ଅଟକଳ ୩୪.୫୦ ଲକ୍ଷ କୋଟି ଥିବାବେଳେ ୨୦୨୧-୨୨ ରେ ୩୪.୮୩ ଲକ୍ଷ କୋଟି ହୋଇଛି । ମୁଦ୍ରାସ୍ଫୀତି ବୃଦ୍ଧି ହାରକୁ ଦେଖିଲେ ଗତ ବଜେଟ୍ ତୁଳନାରେ ଏହା ପୂର୍ବଠାରୁ କମ୍ ହେବ । ପୁନଶ୍ଚ ଏହି ବଜେଟର ମୁଖ୍ୟାଂଶ ନିର୍ବାଚନରେ ଥିବା ରାଜ୍ୟମାନଙ୍କୁ ଖୁସି କରିବା ଉଦେ୍ଶ୍ୟରେ ଦିଆଯାଇଛି । ଜାମ୍ମୁ-କାଶ୍ମିର ଓ ନୂଆକରି ଗଢ଼ା ଯାଇଥିବା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଓ ପ୍ରତିରକ୍ଷା ବାବଦରେ ରଖାଯାଇଛି । ବସ୍ତୁତଃ ରାଜ୍ୟମାନଙ୍କର ଲାଭନୁହେଁ, କ୍ଷତି ହେବ । ଓଡ଼ିଶା ପରି ରାଜ୍ୟର ଅଭିଯୋଗ ଯେ ରାଜ୍ୟ ବଜେଟରେ ନିଜର ଲାଭ ୧୨ରୁ ୧୪ ହଜାର କୋଟି ଟଙ୍କା ହରାଇଛି । ସମସ୍ତ ମଧ୍ୟବିତ୍ତ ବର୍ଗର ପ୍ରବଳ କ୍ଷତି ଘଟିବ । ଗତ ୭ବର୍ଷ ଧରି ଆୟକର ଉପରେ କୌଣସି ରିହାତି ନାହିଁ । ଯେଉଁ ଘୋଷଣା ୭୫ବର୍ଷରୁ ଉର୍ଦ୍ଧ ବରିଷ୍ଠମାନଙ୍କ ପାଇଁ ହୋଇଛି, ସେମାନଙ୍କ ସଂଖ୍ୟା ୦.୦୦୧%ରୁ କମ୍ ତାହା ପୁଣି ଲାଗୁ ହେବାପରେ ସ୍ପଷ୍ଟ ଜଣା ପଡ଼ିବ । ପେଟ୍ରୋଲ ଡିଜେଲ ଦର ବୃଦ୍ଧିହେତୁ ଦରଦାମ ବଢ଼ିବ ଓ ସେମାନଙ୍କର ଖର୍ଚ୍ଚ ଉପରେ ଚାପ ପଡ଼ିବା ନିଶ୍ଚିତ । ଦରବୃଦ୍ଧି ସହିତ ପେଟ୍ରୋଲ ଲିଟର ପିଛା ଟ୨.୭୦ ଓ ଡିଜେଲ ପିଛା ୪ଟଙ୍କା ସେସ୍ ବସିଛି । ମଧ୍ୟବିତ୍ତ ପରିବାରର ଅନେକ ବ୍ୟବହାର୍ଯ୍ୟ ପଦାର୍ଥର ଦର ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ସେମାନଙ୍କ ଗ୍ରାଚୁ୍ୟଇଟି ପ୍ରୋଭିଡେଣ୍ଡ୍ ଫଣ୍ଡ୍ ଉପରେ କଟକଣା ଲାଗିଛି । ତାହା ବଜେଟ ଶେଷ ହେବାପରେ ଜଣାପଡ଼ିବ ।

ଗରିବ ଖଟିଖିଆ ଉପରେ ବଡ଼ ପ୍ରଭାବ ଅଛି । ମହାତ୍ମାଗାନ୍ଧୀନରେଗା ପାଇଁ ବଜେଟ ବ୍ୟବସ୍ଥା କମିଛି । ୨୦୧୯-୨୦ରେ ଏ ବାବଦରେ ୭୧ହଜାର କୋଟି ଟଙ୍କା ଥିବା ବେଳେ ୨୦୨୦-୨୧ର ସଂଶୋଧିତ ଅଟକଳ ୧ଲକ୍ଷ ୧୧ହଜାର କୋଟି ଟଙ୍କା ରଖାଯାଉଥିଲା । ୨୦୨୧-୨୨ ମସିହା ବଜେଟ୍ ଅଟକଳରେ ଏହା ମାତ୍ର ୭୨ହଜାର କୋଟି ଟଙ୍କା ରଖାଯାଇଛି । ଅନ୍ୟପକ୍ଷରେ ଦରଦାମ ବଢ଼ିବା ସହିତ ଯାତାୟାତ ଖର୍ଚ୍ଚ ବଢ଼ିଛି । ଏମାନଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ମିଳିବାର ସମ୍ଭାବନା ନାହିଁ । ଖୁବ୍ ଶୀଘ୍ର ଖାଦ୍ୟ ରିହାତି କମିବାର ସୂଚନା ମଧ୍ୟ ଏ ବଜେଟ ଓ ପୂର୍ବ ଅର୍ଥନୈତିକ ସର୍ବେକ୍ଷଣରୁ ସୂଚନା ମିଳିଛି ।

କୃଷି ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ସଂକୁଚିତ ହେବାର ଆଶଙ୍କା ରହିଛି । ଏମାନଙ୍କ ପାଇଁ ଗତବର୍ଷମାନଙ୍କ ପରି ବ୍ୟାଙ୍କ ନିର୍ଭରଶୀଳ ଋଣ ଆଶ୍ରିତ କରାଯାଇ ଗତବର୍ଷମାନଙ୍କରେ ଯେତେ ଘୋଷଣା କଲେ ମଧ୍ୟ ବ୍ୟାଙ୍କ ସମର୍ଥନ ନ ମିଳିବାରୁ ତାହା ସୁସ୍ଥ ହେବା ପରିବର୍ତ୍ତେ ଅଧିକ ରୁଗ୍ଣ ହେବାର ଦେଖାଯାଇଛି । ଖାଉଟୀ ହାତରେ ପର୍ଯ୍ୟାପ୍ତ ଅର୍ଥ ମିଳିବାର କୌଣସି ସଂକେତ ନାହିଁ । ଏଣୁ ବଜାର କାରବାର ଆଦୌ ବଢ଼ିବ ନାହିଁ – ଏହା ଯେ କରୋନା ହେତୁ ଘଟିଛି, ତା’ନୁହେଁ । ଭୁଲ୍ ଅର୍ଥନୀତି ହେତୁ ବଜାରରେ ଏହି ବର୍ଗର ଲୋକ ଯାହା କିଣିଥାନ୍ତି ସେସବୁକୁ ଗତିଶୀଳ ଦ୍ରବ୍ୟ (FMCG) କୁହାଯାଏ । ୨୦୧୮ ମସିହାରେ ଏ ବଜାର ଅଧିକ ମାନ୍ଦା ହେଲା । ନକାରାତ୍ମକ ଗତି (୦.୧%) ତଳମୁହାଁ ଥିଲା, ୨୦୧୯ରେ ୨.୧% ଓ ୨୦୨୦ ରେ ୪.୨% ଥିଲା । କରୋନାବର୍ଷରେ ସାବୁନ୍, ଔଷଧ, ସାନିଟାଇଜର, ବିସ୍କୁଟ, ତୁଥପେଷ୍ଟ ଆଦି (Personal Care) ପଦାର୍ଥ ବିକ୍ରୀ ପରିମାଣ ଖୁବ୍ ବଢ଼ିଥିଲା (୧୧.୭%) । ଯେଉଁଥିପାଇଁ ଅନ୍ୟ କ୍ଷେତ୍ରରେ କାରବାର ନଥିଲେ ମଧ୍ୟ ଏହାକୁ ମିଶାଇ ୪% ହେଲା । ୨୦୨୧-୨୨ ବର୍ଷରେ ଖାଉଟୀ ହାତ ବାନ୍ଧି ହୋଇଛି । କ୍ରୟ ହ୍ରାସ ପାଇବ । ତେବେ କ୍ଷୁଦ୍ର, ଅଣୁ ମଧ୍ୟମ ଶିଳ୍ପର ବୃଦ୍ଧି ନ ଘଟିଲେ ବେରୋଜଗାରୀ ବୃଦ୍ଧି ପାଇବ ।

ତେବେ ଲାଭ ଗୋଟିଏ ବର୍ଗର ନିଶ୍ଚିତ କରିଛି ୨୦୨୧-୨୨ର ବଜେଟ୍ । ସେମାନେ ହେଲେ ବିତ୍ତଶାଳୀ ଧନୀକ ଗୋଷ୍ଠୀ । ବିଦେଶୀ ପୁଞ୍ଜିଲଗାଣକାରୀ ସଂସ୍ଥା ସମୂହ ମଧ୍ୟ ଲାଭ ଉଠାଇବେ । ଏହାର ସୂଚନା ବଜେଟ୍ ପରର ସେୟାର ବଜାର ବୃଦ୍ଧିରୁ ମିଳିଥାଏ । ଅଟୋମୋବାଇଲ କ୍ଷେତ୍ରରେ ସ୍ଥାଣୁତା ଦେଖା ଦେଇଥିଲା । ପୁରୁଣା ଗାଡ଼ି ବିକ୍ରି ପାଇଁ ଗାଡ଼ି ଷ୍ଟାପିଂ ନୀତିଯୋଗୁଁ ଘୋଷଣା ହୁଏତ ସରକାର ଏକ ବଡ଼ କ୍ରେତା ଭାବରେ ଗାଡ଼ି ବେପାରୀଙ୍କ ପାଖରେ ଛିଡ଼ା ହେବେ । ସରକାରଙ୍କ ହେତୁ ଏହି ବଜାର ଚଳଚଞ୍ଚଳ ହେବ । ଆସେଟ୍ ମନିଟାଇଜେସନର ଫାଇଦା ବଡ଼ ବ୍ୟବସାୟୀ କୋଟିପତିମାନଙ୍କୁ ମିଳିବ । ରେଳବାଇର ଅନେକ ଆସେଟ୍ ଏମାନେ ହାତେଇବାର ସମ୍ଭାବନା ବଜେଟ୍ ଭାଷଣରେ ପ୍ରତିଫଳିତ ହୋଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ଦୀର୍ଘ ୨ ଘଣ୍ଟାରୁ ଅଧିକ ଥିଲା । ସେଥିରେ ସବୁକିଛି ସରିଛି ଭାବିବା ଠିକ୍ ନୁହେଁ । ଏହି ବଜେଟ୍ ଅଧିବେଶନ ଶେଷ ପୂର୍ବରୁ ସେ ଅନେକ ନୂଆ କଥା ଘୋଷଣା କରି ପାରନ୍ତି । ବଜେଟ ପରେ (Off Session)ରେ ସେ ଅନେକ ଘୋଷଣା ତାଙ୍କ ମନ୍ତ୍ରିତ୍ୱ କାଳରେ ଅତୀତରେ କରିଥିଲେ । ଚଳିତବର୍ଷ ଯେ ପୁନରାବୃତ୍ତି ନହେବ, ସେପରି କହି ହେଉନାହିଁ । ତେବେ ବର୍ଷଶେଷରେ ଆଜିର ଆଶା ଓ ଆଶଙ୍କାକୁ ନେଇ ସଠିକ୍ ନିର୍ଣ୍ଣୟ କରିହେବ । ଏତିକି ସ୍ପଷ୍ଟ କୁହାଯାଇପାରେ ଯେ ୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ ପୁଞ୍ଜି ଯୋଗାଡ଼ରେ ଅଧିକ ‘ନିର୍ଭରଶୀଳ’ ଓ ବ୍ୟୟ ବରାଦରେ ଆଦୌ ‘ବହୁଜନ ହିତାୟ’ ନୁହେଁ, “କେନ୍ଦ୍ରକୁ ଶକ୍ତିଶାଳୀ ଓ ରାଜ୍ୟମାନଙ୍କୁ ଦୁର୍ବଳ’ କରିବାରେ ଅଧିକ ପ୍ରୟାସୀ ।

Photo Credit- https://bit.ly/38rlNy2

Comments

0 comments

Share This Article