ମହାମାରୀ ଯେ ଗଲା ଶହେ ବର୍ଷ ମଧ୍ୟରେ ହୋଇଥିବା ଦୁଇ ବିଶ୍ୱଯୁଦ୍ଧଠାରୁ ଯେ ଅଧିକ ସାଂଘାତିକ ଥିଲା, ଏକଥା ଅନେକ ଥର ଆଲୋଚନା ହୋଇସାରିଛି । କରୋନା ମହାମାରୀ ପୃଥିବୀବ୍ୟାପୀ ଏକ ସଙ୍କଟ ପାଲଟିଲା କାରଣ ଏହାର ମୁକାବିଲା ଦିଗରେ ସମସ୍ତ ରାଷ୍ଟ୍ରଅଧ୍ୟକ୍ଷ ଅସମର୍ଥ ହେଲେ । ଏ କଥାକୁ ଆସନ୍ତା ପିଢ଼ି ଅନେକ ଦଶନ୍ଧି ଧରି ମନେରଖିବ । କିନ୍ତୁ କରୋନା ବିପକ୍ଷର “ଯୁଦ୍ଧ” ଅପେକ୍ଷା କେନ୍ଦ୍ର ସରକାର ନିଜର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ଦିଗରେ ଏହାକୁ ଯେ ଏକ ସୁଯୋଗ ଭାବରେ ନେବେ, ସେ କଥା କାହାରି ଅନୁମାନ ନଥିଲା । କରୋନା ସମୟରେ ବୃହତ୍ କମ୍ପାନୀମାନଙ୍କୁ ଅଧିକ ସୁଯୋଗ ଦେବା, ରାଜ୍ୟମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା, ମାନବିକ ଅଧିକାର କର୍ମୀଙ୍କୁ ଜେଲ୍ ପଠାଇବା ଓ ସମ୍ପ୍ରଦାୟିକତାକୁ ଆହୁରି ବଢ଼ାଇବା ଇତ୍ୟାଦି ଘଟଣାଗୁଡ଼ିକ ବିଷୟରେ ବହୁତ କମ୍ ଆଲୋଚନା ହେଉଛି ।
କରୋନା ଲକଡ଼ାଉନ୍ ମାର୍ଚ୍ଚ ୨୪ରେ (୨୦୨୦) ଆରମ୍ଭ ହେଲା ଓ ଏଥିରେ ସମସ୍ତ ପ୍ରକାରର ଦୋକାନ ବଜାର ଓ ଯାତାୟାତକୁ ବନ୍ଦ କରି ଦିଆଯାଇଥିଲା । ଖବରକାଗଜରୁ ଜଣାପଡ଼ୁଛି ଯେ, ଆମାଜନ୍, ଫ୍ଲିପକାର୍ଟ, ରିଲାଏନ୍ସ, ଟାଟା, ଆଦିତ୍ୟ ବିରଳା ଭଳି ଅନଲାଇନ୍ ବ୍ୟବସାୟ କରୁଥିବା କମ୍ପାନୀମାନେ ମାର୍ଚ୍ଚ ୩୦ତାରିଖରୁ ୧୦ ଏପ୍ରିଲ ତାରିଖ ମଧ୍ୟରେ ୧୦୦ କୋଟିରୁ ୧୫୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍କୁ ଦେଇଛନ୍ତି । ପିଏମ୍କେୟାର୍ସ ଫଣ୍ଡ୍ର ସ୍ୱଚ୍ଛତାକୁ ନେଇ ବିବାଦ ଯେଉଁ ସମୟରେ ଉଠୁଛି ସେହି ସମୟରେ କମ୍ପାନୀମାନେ ଦାନ ଦେଉଛନ୍ତି ଓ ଏହାର ଦଶ ଦିନ ଭିତରେ ଲକଡାଉନ୍ ପ୍ରତିବନ୍ଧ ଇ-କମର୍ସ ଉପରୁ ଉଠାଇ ଦିଆଯାଇଛି । ଅନ୍ଲାଇନ୍ରେ ଯେକୌଣସି ଦ୍ରବ୍ୟ ଚାହେଁ ଜରୁରୀ ଥାଉ ଅଥବା ଜରୁରୀ ନୁହେଁ, ଯାହା ଆମ ପାଖ ଦୋକାନରେ ମଧ୍ୟ ଉପଲବ୍ଧ, ତାହାକୁ ଅନ୍ଲାଇନ୍ରେ ମଗାଇବାର ଅଧିକାର (କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଚିଠି ନମ୍ବର ୪୦-୩/୨୦୨୦-ଊଗ-୧(ଇ) ତାରିଖ ୧୯ ଏପ୍ରିଲ ୨୦୨୦) ଦେଲେ ଯାହା ଭାରତୀୟ କମ୍ପାନୀ ଆମାଜନ ଓ ୱାଲମାର୍ଟ-ଫ୍ଲିପକାର୍ଟକୁ ସାହାଯ୍ୟ କରିଥିଲା । ଏହି ସମୟରେ କୋଟି କୋଟି ଖୁଚୁରା ବେପାରୀ ନା ନିଜ ଦୋକାନରେ ଥିବା ଜିନିଷର ଯତ୍ନ ନେଇପାରିଲେ, ନା ନିଜ ପାଇଁ ଖାଦ୍ୟଟିକେ ପାଇଲେ । ଇକୋନୋମିକ୍ ଟାଇମ୍ସ (୧୯ ଜୁଲାଇ ୨୦୨୦) ଲେଖେ ଭାରତୀୟ କ୍ଷୁଦ୍ର ବ୍ୟବସାୟୀମାନେ ୧୫.୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ଶେଷରେ ଅକ୍ସଫାମର ରିପୋର୍ଟ (ଜାନୁଆରୀ ୨୦୨୧) ଅନୁସାରେ ଲକଡ଼ାଉନ୍ ସମୟରେ ୧୨କୋଟି ଲୋକ ଚାକିରୀ ହରାଇଥିଲାବେଳେ ଭାରତୀୟ ଅରବପତିମାନେ ୩୫% ଧନ ଅଧିକ କମାଇଛନ୍ତି ।
କେନ୍ଦ୍ର ସରକାର ଗଲା ଏପ୍ରିଲ ମାସରେ ଜନଶୁଣାଣିକୁ ଉଠାଇ ଦେବା ଲାଗି ପରିବେଶ ସଂଶୋଧନ ଆଇନ-୨୦୨୦ ପ୍ରସ୍ତାବ ଆଣିଲେ । ଗଲା ମେ’ ମାସରେ ଶ୍ରମ ଆଇନ ସଂଶୋଧନ -୨୦୨୦, ଜୁଲାଇ ମାସରେ ନୂଆ ଶିକ୍ଷା ନୀତି-୨୦୨୦ ଓ ପରେ ଅଗଷ୍ଟ ମାସରେ ତିନୋଟି କୃଷି ଆଇନ-୨୦୨୦ ସରକାରଙ୍କ ଏହି ଏଜେଣ୍ଡାର ଅଂଶବିଶେଷ । ପୁଣି ନିକଟରେ କେନ୍ଦ୍ର ସରକାର ୫୦୦ ଖଣିଉପରେ (ବକ୍ସାଇଟ୍, କୋଇଲା, ଲୁହାପଥର ଓ କ୍ରୋମାଇଟ୍ ଇତ୍ୟାଦି) ଥିବା ବିଭିନ୍ନ ଆଇନଗତ ପ୍ରତିବନ୍ଧକୁ ଏକ ଅର୍ଡ଼ିନାନ୍ସ ବଳରେ ହଟାଇ ଦେଇଛନ୍ତି । ଏହା ଆଖିବୁଜି ଦେଇ କୁହାଯାଇପାରେ ଯେ ଏହି ସମସ୍ତ ଆଇନର ମୂଳ ଉଦେ୍ଦଶ୍ୟ ହେଲା (୧) ଦେଶର ବିଭିନ୍ନକ୍ଷେତ୍ରକୁ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଲାଗି ଅଧିକ ଖୋଲା କରିଦେବା (୨) ରାଜ୍ୟମାନଙ୍କ ହାତରେ ଥିବା ବିଭିନ୍ନ ବିଭାଗଗୁଡ଼ିକୁ କେନ୍ଦ୍ର ନିଜ ହାତକୁ ନେଇ ଭାରତୀୟ ଗଣତନ୍ତ୍ରରେ ରାଜ୍ୟ ସରକାରମାନଙ୍କ ସ୍ୱାଧିନତାକୁ କ୍ରମଶଃ ଗୌଣ କରିବା । ଏହା ଦୃଢ଼ ଭାବରେ କୁହାଯାଇପାରେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବ୍ୟାପୀ, “ବିରାଟ ସଂସ୍କାର” କାର୍ଯ୍ୟକ୍ରମ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଲାଗି ପୁଷ ମାସ ହେଲା । ଦେଶର ଚାଷୀ, ଶ୍ରମିକ, ଛାତ୍ରଛାତ୍ରୀ, ଦୋକାନୀ, କ୍ଷୁଦ୍ରଉଦ୍ୟୋଗୀ ଇତ୍ୟାଦିଙ୍କ ଲାଗି ସର୍ବନାଶ ।
କେନ୍ଦ୍ର ସରକାରଙ୍କ କୃଷି ନୀତି-୨୦୨୦ ବିପକ୍ଷରେ ଆନେ୍ଦାଳନ ଏବେ ବି ଚାଲିଛି । ଏହା ପୂର୍ବରୁ ଏ ଦେଶର ଲକ୍ଷ ଲକ୍ଷ ଶ୍ରମିକ ‘ଭାରତ ବନ୍ଦ’ଡାକରା ଏଥିଲାଗି ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ଶ୍ରମ ସଂଶୋଧନ ଆଇନ-୨୦୨୦ ପାସ୍ ହୋଇଯିବା ଦ୍ୱାରା ଶ୍ରମିକ ହାତରୁ ଆଠ ଘଣ୍ଟାର କାର୍ଯ୍ୟ ଦିବସର ଅଧିକାର ଚାଲିଯାଇ ୧୨ ଘଣ୍ଟାର କାର୍ଯ୍ୟଦିବସ ଲାଗି ବାଧ୍ୟ କରାଯିବା, ୟୁନିୟନ ଗଠନର ଅଧିକାରକୁ କାଢ଼ିନିଆଯିବା ଇତ୍ୟାଦି । ଜାତୀୟ ଶିକ୍ଷା ନୀତି-୨୦୨୦ ମାଧ୍ୟମରେ ସରକାରୀ ସ୍କୁଲ ବ୍ୟବସ୍ଥାକୁ ଉଚ୍ଛେଦ କରି ପିପିପି ମୋଡ଼ରେ ପ୍ରାଇଭେଟ ସ୍କୁଲକୁ ଗୁରୁତ୍ୱ ଦିଆଯିବା ଦ୍ୱାରା ଲୋକଙ୍କ ଲାଗି ଶିକ୍ଷା ବ୍ୟୟବହୁଳ ହେବ । ଏହାର ପ୍ରତିବାଦରେ ଛାତ୍ରସମାଜ ରାସ୍ତାକୁ ଆସିଥିଲେ । କୃଷି ନୀତି-୨୦୨୦ ବିପକ୍ଷରେ ଆଜିର କୃଷକ ଆନେ୍ଦାଳନ କୃଷକଙ୍କ ଲାଗି ଅଧିକ କିଛି ଅଧିକାର ପାଇବା ପାଇଁ ହେଉନାହିଁ । ବରଂ ଅତୀତରେ ନିଜର ଲଢ଼େଇହେତୁ ପାଇଥିବା ସର୍ବନିମ୍ନ ମୂଲ୍ୟ ପାଇବାର ଅଧିକାର, ସରକାରୀ ମଣ୍ଡିରେ ବିକିବାର ଅଧିକାର, ଚୁକ୍ତିଭିତ୍ତିକ ଚାଷରେ ନିଜ ଜମିକୁ କମ୍ପାନୀମାନେ ନେଇଯିବାର ଭୟର ବିପକ୍ଷରେ ଏହା ଥିଲା ଏକ ସୁରକ୍ଷାର ଆନେ୍ଦାଳନ । ଏଭଳି କୋଭିଡ଼ ଓ ଲକଡାଉନ୍ ସମୟରେ କୃଷକ, ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ରାସ୍ତା ଉପରକୁ ଆସିବା ଲାଗି ବାଧ୍ୟ ହେବା ପଛରେ ଏକମାତ୍ର କାରଣହେଲା କେନ୍ଦ୍ର ସରକାର ସେମାନଙ୍କ ପୂର୍ବର ଅଧିକାରକୁ କାଢ଼ି ନେଉଛନ୍ତି । ଏହାକୁ କ’ଣ କୁହାଯିବ ଗଣତନ୍ତ୍ର?
ସରକାର କେବଳ ପ୍ରାଇଭେଟମୁହାଁ ନୁହନ୍ତି , ସାମ୍ପ୍ରଦାୟିକ ମଧ୍ୟ ପାଲଟି ଯାଇଛନ୍ତି । ସବୁଠାରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଛନ୍ତି । ସେହି ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଗରିବ ମୁସଲମାନ, ଖ୍ରୀଷ୍ଟିୟାନ୍, ଦଳିତ, ଆଦିବାସୀ ଓ ଚାଷୀ ପରିବାରର ଯୁବାବର୍ଗ । କରୋନା ମହାମାରୀ ଓ ଲକଡାଉନ୍ ମଧ୍ୟରେ ବି ବିଜେପି ନିଜର ସାମ୍ପ୍ରଦାୟିକ ଏଜେଣ୍ଡାକୁ ଭୁଲି ନାହିଁ । ମଧ୍ୟପ୍ରଦେଶ ସରକାର ପାଞ୍ଚଟି ବିଭାଗର ମିଶ୍ରଣ କରି (ପଶୁପାଳନ, ଜଙ୍ଗଲ, କୃଷି, ରାଜସ୍ୱ ଓ ପଞ୍ଚାୟତ) ଗୋ-କ୍ୟାବିନେଟ୍ ଭାରତୀୟ ସଂସ୍କୃତି ଓ ଗୋସମ୍ପଦର ସୁରକ୍ଷା ନାମରେ ଗଠନ କରିବା ପରୋକ୍ଷରେ ଦଳିତ ଓ ମୁସଲମାନ ସଂପ୍ରଦାୟ ବିପକ୍ଷରେ ବଢ଼ୁଥିବା ଆକ୍ରୋଶକୁ ମଜଭୁତ କରିବା ଲାଗି ଉଦ୍ଦିଷ୍ଟ । ଉତ୍ତରପ୍ରଦେଶ ସରକାର ସାମ୍ପ୍ରଦାୟିକ ବିଭାଜନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇ “ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ପରିବର୍ତ୍ତନ ପ୍ରତିଷେଧ ଆଇନ-୨୦୨୦” ବା ଲଭ୍ ଜିହାଦ ଆଇନ ପାସ୍ କରିଛନ୍ତି । କୌଣସି ବି ସାବାଳକ ଭିନ୍ନ ଧର୍ମ ହୋଇଥିଲେ ଏଣିକି ନିଜ ଇଚ୍ଛାରେ ଆନୁଷ୍ଠାନିକ ବିବାହ କରିବା ବଦଳରେ ଦୁଇ ମାସ ଆଗରୁ ଜିଲ୍ଲା ମାଜିଷ୍ଟ୍ରେଟ୍କୁ ଲିଖିତ ଆକାରରେ ଜଣାଇବ । ଅନ୍ୟଥା ଉଭୟ ଜେଲ ଓ ଆର୍ଥିକ ଦଣ୍ଡ ଭୋଗିବ । ଏହି ଆଇନ ପାସ ହେବାର ପ୍ରଥମ ମାସରେ ୫୧ ଜଣ ଗିରଫ ହୋଇସାରିଲେଣି ।
ନବେଦଶକର ନରସିଂହ ରାଓ – ମନମୋହନ ସିଂଙ୍କ ଆର୍ଥିକ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଅଧୁରା ରହିଥିବା କାମକୁ ଏବେ ବିଜେପି ଦ୍ରୁତ ଗତିରେ ପୂରଣ କରୁଛି । କଂଗ୍ରେସ ସରକାର ଯେଉଁ ଘରୋଇକରଣ ପ୍ରକ୍ରିୟାକୁ ଛାଡ଼ି ଦେଇଯାଇଥିଲେ ତାହାକୁ ବିଜେପି ସରକାର ଦ୍ରୁତ ଗତିରେ କେବଳ ପୂରଣ କରୁଛନ୍ତି । ଅପରେସନ୍ ଗ୍ରୀନ୍ ହଣ୍ଟ ସମୟରେ ଆଦିବାସୀଙ୍କୁ ମିଥ୍ୟା ମାଓବାଦୀ ଅଭିଯୋଗରେ ଗିରଫ କରାଯାଉଥିବା ମାନବିକ ଅଧିକାରକର୍ମୀଙ୍କୁ ବିଜେପି ଶାସନ ସମୟରେ ୧୬ ଜଣ ମାନବିକ ଅଧିକାର କର୍ମୀଙ୍କୁ “ଭୀମାକୋରେଗାଁଓ ଦଙ୍ଗା” (ଜାନୁଆରୀ ୨୦୧୮) ଜନିତ ମିଥ୍ୟା ଆରୋପରେ ଦୁଇରୁ ଚାରି ବର୍ଷ ହେଲା ଜେଲରେ ରଖାଯାଇଛି । ‘ଦିଲ୍ଲୀ ହିଂସା’ରେ (ଡିସେମ୍ବର ୨୦୧୯) ସକ୍ରିୟ ଅଂଶଗ୍ରହଣ କରିଥିବା ‘ଅଭିଯୋଗ’ରେ ଶହ ଶହ ସାମ୍ପ୍ରଦାୟିକବିରୋଧୀ କର୍ମୀ ଲକଡାଉନ୍ ସମୟରେ ଗିରଫ ହୋଇଥିଲେ । ପୁଣି କୋଭିଡ଼୍ ମୁକାବିଲାରେ ସରକାରୀ ବିଫଳତାକୁ ଦର୍ଶାଇବା ହେତୁ ୫୫ରୁ ଊଦ୍ଧ୍ୱର୍ ସାମ୍ବାଦିକ ଦେଶ ମଧ୍ୟରେ ଗିରଫ ହୋଇଛନ୍ତି । ଉତ୍ତରପ୍ରଦେଶର ହାଥରାସ ଠାରେ ଦଳିତ ବାଳିକାର ଧର୍ଷଣ ଓ ହତ୍ୟା ସମ୍ପର୍କରେ ରିପୋର୍ଟିଂ କରିବାକୁ ଯାଇ କେରଳର ତିନି ଜଣ ସାମ୍ବାଦିକ ‘ଦେଶଦ୍ରୋହ’ ଅପରାଧରେ ଗିରଫ ହୋଇଥିଲେ । ଏହି ଗିରଫ ପ୍ରକ୍ରିୟା ଏବେ ବି ଚାଲିଛି । ଆଗକୁ ନାଗରିକ ସଂଶୋଧନ ପ୍ରକ୍ରିୟା ଆରମ୍ଭହେଲେ ପୁଣି ସରକାରୀ ଦମନ ବଢ଼ି ଯାଇପାରେ । ସରକାର ନିଜେ ଗଣତାନ୍ତ୍ରିକ ହେବା ଜରୁରୀ ।
Photo Credit- https://bit.ly/3lavNhQ
Comments
0 comments