ଧର୍ମର ମିଛ ମୁଖା

ଡ଼ଃ ବିଧୁପ୍ରଭା ରଥ
ଡ଼ଃ ବିଧୁପ୍ରଭା ରଥ213 Views
7 Min Read

ମଣିଷ ସମାଜକୁ ଅନେକଗୁଡ଼ିଏ ମିଛ ବିଚାରଧାରା, ଅଯୌକ୍ତିକ ବ୍ୟବସ୍ଥା ଆକ୍ରାନ୍ତ କରି ରଖିଛି । ଯଦିଓ ଆମେ ଏହାକୁ ଧର୍ମାନ୍ଧତା, ରୁଢ଼ିବାଦିତା, ଦାର୍ଶନିକତା କିମ୍ବା ବୈଜ୍ଞାନିକ ଆଦର୍ଶଧାରା ବୋଲି କହିପାରୁ । କିନ୍ତୁ ଯେକୌଣସି ସଚେତନ ଶିକ୍ଷିତ ବ୍ୟକ୍ତି ଧର୍ମ ଯେ ଏକ ଘାତକ ଭଳି ମଣିଷ ସମାଜକୁ କବଳିତ କରୁଛି, ଏହା ନିଶ୍ଚୟ ସ୍ୱୀକାର କରିବ । ଆମେ ଧର୍ମ, ମଜହବ୍ କିମ୍ବା ରିଲିଜିଅନ୍ (Religion) ଉପରେ ନିଜ ନିଜର ବ୍ୟାପକ ବ୍ୟାଖ୍ୟା କରିଥାଉ ଏବଂ ଏହିସବୁ ବିସ୍ତୃତ ଆଲୋଚନାର ଫଳସ୍ୱରୂପ ଜନସାଧାରଣ ସର୍ବଦା ଅଜ୍ଞାନ ଅନ୍ଧକାର ମଧ୍ୟରେ ରହିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଯଦି କୌଣସି ବ୍ୟକ୍ତି ତାଙ୍କର ଆଖି, ମସ୍ତିଷ୍କ ଓ ହୃଦୟ ଦ୍ୱାରା ଧର୍ମର ପ୍ରକୃତ ଅର୍ଥକୁ ବୁଝିବାକୁ ଚେଷ୍ଟା କରନ୍ତି ତେବେ ଧର୍ମର ଅଫିମ ତାଙ୍କୁ ଶୁଙ୍ଘାଇ ବେହୋସ୍ କରିବା ସମ୍ଭବପର ନୁହେଁ । ବାସ୍ତବରେ ଧର୍ମର ଅର୍ଥ ଧାରଣା କରିବା, ମଜହବ୍ର ତୁର୍କି ଅର୍ଥ ଗୋଷ୍ଠୀ, ଇଂରାଜୀରେ ରିଲିଜିଅନର ଅର୍ଥନୈତିକ ନିୟମରେ ବାନ୍ଧିବା ଇତ୍ୟାଦି ହୋଇପାରେ । କିନ୍ତୁ ଏହାର ବ୍ୟାବହାରିକ ଫଳ ଗତ ଶହେ ବର୍ଷ ମଧ୍ୟରେ ଯାହା ପ୍ରତିପାଦିତ କରିଛି, ତାହା ଅନ୍ୟ ଏକ ଢାଞ୍ଚା ପ୍ରସ୍ତୁତ କରିଛି ।

ତେଣୁ ଧର୍ମ, ମଜହବ୍ ବା ରିଲିଜିଅନ୍ ଇତ୍ୟାଦି ଶବ୍ଦର ଗୋଟିଏ ଅର୍ଥ ହେଉଛି ଏହା ମଣିଷର ଏକ ନିଶା ସଦୃଶ । ମଣିଷକୁ ପାଗଳ କରିଦେବାର ଏକ ନିଶା ବଟିକା ଭଳି । ଧର୍ମକୁ ମାନୁଥିବା ଲୋକମାନେ ଛୋଟ ଶିଶୁମାନଙ୍କଠାରୁ ବି ଆହୁରି ଅଧିକ ବୁଦ୍ଧିହୀନ; କାରଣ ସେଥିପାଇଁ ଏହି ସଂସାରରେ ଧର୍ମର କୌଣସି ପ୍ରକାର ଉପଯୋଗ ହୁଏ ନାହିଁ । ଯୀଶୁଖ୍ରୀଷ୍ଟ ଏକ ସମୟରେ କହିଥିଲେ, “ତୁମେ ଗଳିରେ ଛିଡ଼ା ହୋଇଥିବା ପିଲାମାନଙ୍କ ଭଳି ଯେଉଁଠାରେ ସେ କହେ ମୁଁ ବଂଶୀ ବଜାଉଛି ତୁମେ ନାଚ ନାହିଁ ତା’ପରେ ସେ ଅଭିମାନ କରି ବସିଯାଉ ।” ଠିକ୍ ସେହିପରି ଆମେ ଏସବୁ ଦେଖି ଆସୁଛୁ । ସିୟା -ସୁନ୍ନି ଭିତରେ ପ୍ରବଳ ବିରୋଧ, ବାହ୍ୱାଇ-ଅଣ ବାହ୍ୱାଇଙ୍କ ଭିତରେ ଟଣାଓଟରା, କାଦରିମାନଙ୍କୁ ପଥରରେ ମାରିବା, ମାଡ୍ରାସ (ଚେନ୍ନାଇ)ରେ ରୋମାନ୍ କ୍ୟାଥଲିକ୍ ଖ୍ରୀଷ୍ଟିୟାନ ଓ ମୁସଲମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଗ୍ଲାସ୍ଗୋ ସହରରେ କ୍ୟାଥଲିକ୍ ଓ ପ୍ରୋଟେଷ୍ଟାଣ୍ଟଙ୍କ ଭିତରେ ବିଭେଦ, ଭାରତରେ ହିନ୍ଦୁ-ମୁସଲମାନ ମଧ୍ୟରେ ରକ୍ତପାତ ପ୍ରଭୃତି ଯେତେସବୁ ଘଟଣା; ସବୁଗୁଡ଼ିକ ଧର୍ମ ନାମରେ ଇତିହାସର ପୃଷ୍ଠାକୁ କଳଙ୍କିତ କରି ଆସିଛି । ଦିଗମ୍ବର, ଶ୍ୱେତାମ୍ବର, ଆର୍ଯ୍ୟ, ସନାତନଧର୍ମୀ ତଥା ପଞ୍ଚଦେବତାଙ୍କର ଉପାସକମାନେ ନିଜ ନିଜ ମଧ୍ୟରେ ସର୍ବଦା କଳିଝଗଡ଼ା କରି ଆସୁଛନ୍ତି । ସେମାନେ ନିଜର ମତବାଦମାନଙ୍କର ଜୟଗାନ କରିବା ଛଡ଼ା ଆଉ କିଛି ଅଧିକା କରୁନାହାନ୍ତି । ଯେତେବେଳେ ଆମେ ଏହି କଳିତକରାଳର ଗଭୀରକୁ ଯାଇ ଅନୁଧ୍ୟାନ କରୁ ସେତେବେଳେ ଜଣାପଡ଼େ ଯେ, କେବଳ ବାଲ୍ୟସୁଲଭ ଲଢୁଆ ପାଗଳପଣ ବ୍ୟତୀତ ଏଗୁଡ଼ିକ କିଛି ନୁହେଁ । ଯେକୌଣସି ବୁଦ୍ଧିମାନ ବ୍ୟକ୍ତି ଏହି ଧାର୍ମିକ ମତ ବିରୋଧକୁ ଦେଖି ନ ହସି ରହିପାରିବ ନାହିଁ । କାରଣ ଏହି ବିରୋଧର କିଛି ହେଲେ ଅସ୍ତିତ୍ୱ ନାହିଁ ।

ଗତଥର କଲିକତାରେ ହୋଇଥିବା ଭୀଷଣ ଦଙ୍ଗାର କାରଣ ଖୋଜିଲାବେଳେ ଜଣାପଡ଼ିଥିଲା ହିନ୍ଦୁମାନେ ତାଙ୍କର ଏକ ଧାର୍ମିକ ସଭା ୨୦୦/୨୫୦ ଲୋକଙ୍କୁ ନେଇ କରୁଥିଲେ । ସେମାନେ ଢୋଲକ, ତୂରୀ ବାଜା ବଜାଇ ସଙ୍ଗୀତ ଗାନ କରୁଥିଲେ । ପୋଲିସ୍ ଆସି ବାଜା ବନ୍ଦ କରିବାକୁ କହିଲା । ବାଜା ବନ୍ଦ ହୋଇଗଲା । ଏହି ସମୟରେ ଜଣେ ମୁସଲମାନ ଆସି ସେହି ଢୋଲକୁ ବଜାଇଲା ଓ କ’ଣ କହିଲା । ଏତିକିରୁ ତ ଆରମ୍ଭ ହୋଇଗଲା ଯୁଦ୍ଧକାଳୀନ ପରିସ୍ଥିତି । ମସ୍ଜିତ୍ରୁ କାଠ, ଇଟା, ପଥର, କାଚ ଦ୍ୱାରା ସମବେତ ଲୋକଙ୍କ ଉପରେ ଆକ୍ରମଣ ହୋଇଗଲା । କଥାହେଲା ମୁସଲମାନଙ୍କର ଆଲ୍ଲା କୌଣସି କାରଣରୁ ହଠାତ୍ ରାଗିଗଲେ । ଠିକ୍ ସେମିତି ମାଡ୍ରାସ୍ (ଚେନ୍ନାଇ)ରେ ଖ୍ରୀଷ୍ଟିଆନ୍ ମାନଙ୍କର ଶୋଭାଯାତ୍ରା ବାହାରିଲା ବୋଲି ମୁସଲମାନଙ୍କର ଆଲ୍ଲା ରାଗିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଯେତେବେଳେ ଖୁଦା ଦଙ୍ଗା କରାଉଛନ୍ତି, ସେତେବେଳେ ସରକାର ତାକୁ ବନ୍ଦ କରିବା ପାଇଁ ଖଣ୍ଡା, ବନ୍ଧୁକ ମୁନରେ ବନ୍ଦ କରୁଛନ୍ତି । ଈଶ୍ୱରଙ୍କର ଇଚ୍ଛାକୁ ପୂରଣ କରିବାକୁ ଦେଉନାହାନ୍ତି । ଯାହାଫଳରେ ସରକାର ଯେ ଶକ୍ତିିମାନ, ସର୍ବବ୍ୟାପୀ ବୋଲି ଆମେ ନିଶ୍ଚୟ ସ୍ୱୀକାର କରିବା ।

ବର୍ଷ ବର୍ଷର ସାମାଜିକ, ଅର୍ଥନୈତିକ, ରାଜନୈତିକ ସ୍ଥିତିକୁ ଅନୁଶୀଳନ କଲାପରେ ଗୋଟିଏ କଥା ନିଶ୍ଚିତ ଭାବରେ ଜଣାପଡ଼ିଲା କୌଣସି ଏକ ଧର୍ମ, ମଜହବ୍, ଆସ୍ଥା କିମ୍ବା ବିଶ୍ୱାସ ମଣିଷର ଉନ୍ନତି ନିମନ୍ତେ ଉପଯୋଗୀ ନୁହନ୍ତି । କିଏ ହେଲେ ସେହି କପୋଳକଳ୍ପିତ ଈଶ୍ୱରଙ୍କୁ ସତଯୁଗରେ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି । ଯଦିଓ ବଡ଼ ଧର୍ମ ଧ୍ୱଜାଧାରୀ, ଆତ୍ମକଥିତ ବାବାମାତାମାନେ ଦେଖିଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ସଂସାରର ମଙ୍ଗଳ ଯଥାର୍ଥରେ ସେହି ଦିନ ହିଁ ହେବ ଯେଉଁଦିନ ଧାର୍ମିକ ବିଭାଗଗୁଡ଼ିକ ମଣିଷ ସମାଜ ଭିତରୁ ସବୁଦିନ ଲୋପ ପାଇବ । ଧାର୍ମିକ ଆସ୍ଥା ସାମ୍ରାଜ୍ୟବାଦର ମୂଳ ଭଳି ଅତ୍ୟନ୍ତ ବିପଦ୍ଜନକ । କାରଣ ଏ ପ୍ରକାର ସଂକୀର୍ଣ୍ଣ ବିଚାର ମନୋଭାବ ହିଁ ମଣିଷର ଅଧିକାରକୁ ପ୍ରତିହତ କରିବାପାଇଁ ରାସ୍ତା ଦେଖାଏ । ପଶୁମାନେ ଖାଦ୍ୟ ସକାଶେ ବଞ୍ଚିବା ପାଇଁ ହିଂସାତ୍ମକ ଆକ୍ରମଣ କରନ୍ତି । ଏହା ସେମାନଙ୍କ ପାଇଁ ପ୍ରକୃତିର ଏକ ସ୍ୱାଭାବିକ ଆଚରଣ । କିନ୍ତୁ ମିଛ ଧର୍ମର ମୁଖା ପିନ୍ଧାଇ ମିଛ ସଂସ୍କୃତିକୁ ତିଆରି କରିବାରେ ଯେଉଁମାନେ ସମସ୍ତ ମାନବଧର୍ମକୁ ଜଳାଞ୍ଜଳି ଦେଇଛନ୍ତି, ସେମାନଙ୍କୁ ତେବେ କେଉଁ ବର୍ଗରେ ଗ୍ରହଣ କରାଯିବ? ଉପରକୁ ସଭ୍ୟ, ସୌମ୍ୟ ଦେଖାଯାଉଛନ୍ତି ଅଥଚ ଭିତରଟା କାଳି ହିଂସାରେ ଭର୍ତ୍ତି ହୋଇଛି । ଭାତ ରୁଟି ପେଟ ପାଇଁ ସାଧାରଣ ଚୋରଟେ ପଡ଼ୋଶୀ ଧନୀଘରର ଜିନିଷପତ୍ର ଚୋରି କରେ, ଧରାପଡ଼ିଲେ ମାଡ଼ ଖାଏ, ଲହୁଲୁହାଣ ହୁଏ, ଜେଲ୍ ଯାଏ । କିନ୍ତୁ ଯଦି କୌଣସି ଧନୀବ୍ୟକ୍ତି ଜାତି ନାମରେ ଅନ୍ୟଜଣେ ଜାତିର ବ୍ୟକ୍ତିକୁ ଶାରୀରିକ ବଳର ପ୍ରୟୋଗ କରି, କ୍ଷମତାର ଭୟ ଦେଖାଇ ଆକ୍ରମଣ କରେ, ତାହା ପଶୁ ପ୍ରବୃତ୍ତି ହୁଏ ନାହିଁ । ପୁନଶ୍ଚ ସେହି ଜାତିବାଦର ଆଧାରକୁ ଈଶ୍ୱରଙ୍କର ଦାନ କହି ମଣିଷ ମଣିଷ ଭିତରେ ବିଭେଦର ପ୍ରାଚୀର ଛିଡ଼ା କରାଇଦିଏ । ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢ଼େଇକୁ ଉସୁକାଇ ଦିଏ । ତା’ହେଲେ ଏ ପ୍ରକାର ଅବାସ୍ତବ ଧାର୍ମିକ ପ୍ରତିକ୍ରିୟାକୁ କିପରି ଜନସାଧାରଣ ସ୍ୱାଭାବିକ ବୋଲି ଗ୍ରହଣ କରିବେ? ପ୍ରକୃତରେ ମଣିଷ ପଶୁମାନଙ୍କ ଠାରୁ ମଧ୍ୟ ଅତ୍ୟନ୍ତ ଅସଭ୍ୟ, ବର୍ବର, ନୀଚ ନୁହେଁ କି?

ଉଭୟ ଧର୍ମାବଲମ୍ବୀମାନେ ମନ୍ଦିର କି ମସଜିଦ୍ ଭାଙ୍ଗୁଛନ୍ତି, ଫଳରେ ଉଭୟ ସମ୍ପ୍ରଦାୟ ଜଣାଇ ଦିଅନ୍ତି ଯେ ସେମାନେ ଭାଙ୍ଗିବା କଳାରେ ଉକ୍ରୃଷ୍ଟ । କିନ୍ତୁ ଏହାଦ୍ୱାରା କାହାକୁ କି ପ୍ରକାର ଲାଭ ହେଉଛି, ତାହା ଜଣାପଡ଼େ ନାହିଁ । ପ୍ରଥମେ ଇଟା, ପଥର, ସିମେଣ୍ଟ, ଛଡ଼ କିଣି ଲକ୍ଷ ଲକ୍ଷ ଟଙ୍କା ସାରିଲେ, ପୁଣି ତିଆରି କଲାପରେ ଭାଙ୍ଗିଲେ, ପୁଣି ତିଆରି କଲେ । ଏପରି ଅସମ୍ଭବ ଅପ୍ରାକୃତିକ ପ୍ରକ୍ରିୟା ଚାଲୁରହିବା ବାସ୍ତବିକ ଅତ୍ୟନ୍ତ ହାସ୍ୟାସ୍ପଦ ଛଡ଼ା କିଛି ନୁହେଁ ।

ମସଜିଦ୍ କି ମନ୍ଦିର ତିଆରି ଅପେକ୍ଷା ସେ ବଦଳରେ ଗରିବ ଲୋକମାନଙ୍କ ପାଇଁ ଶସ୍ତାରେ ଘର ହେଲେ ତିଆରି କରିଦିଅନ୍ତେ, ତାହାଲେ ସେମାନେ ଶୀତ କାକର, ଖରା, ବର୍ଷାରୁ ରକ୍ଷା ପାଇ ଯାଇଥାନ୍ତେ । ଝୁପଡ଼ିରେ କେଡ଼େ କଷ୍ଟରେ ରହୁଛନ୍ତି, ଶାନ୍ତିରେ ହେଲେ ରହିପାରନ୍ତେ ।

ଯେ କୌଣସି ଧର୍ମର ଯେକେହି ବି ହୁଅନ୍ତୁ ନାହ କାହିଁକି; ବୁଦ୍ଧି, ଆଚାର ବ୍ୟବହାର କେଉଁଥିରେ କାହାର ଟିକେ ହେଲେ ପରିବର୍ତ୍ତନ ହୁଏ ନାହିଁ । ଯେମିତି ଥିଲେ ଠିକ୍ ସେମିତି ଅଛନ୍ତି । କିନ୍ତୁ ଗୋଟିଏ କଥା ଅବଶ୍ୟ ଘଟିଛି ତାହା ହେଲା ଯିଏ ଆଜି ପର୍ଯ୍ୟନ୍ତ ଭାଙ୍ଗ ପିଇକରି ପାଗଳାମି କରୁଥିଲା ସିଏ କାଲିଠାରୁ ସ୍କଚ୍, ହୁଇସ୍କି ପିଇ ମହାପାଗଳ ହେବ । ମଣିଷ ସମାଜ ପାଇଁ ସବୁଠାରୁ ମଙ୍ଗଳକର ହେବ ଯେତେବେଳେ ସେମାନେ ଧର୍ମର ମଦ ପିଇବା ଛାଡ଼ିଦେଇ ସିଧା ସହଜ ସରଳ ମଣିଷଟିଏ ଭଳି ଜିଇଁବା ଶିଖିବେ । ଧର୍ମ ନାମରେ ଅଯଥା ରକ୍ତପାତ ସୃଷ୍ଟି କରି ମନୁଷ୍ୟତ୍ୱକୁ ଅନ୍ତତଃ କଳଙ୍କିତ କରିବାର କାରଣ ନ ହୁଅନ୍ତୁ ।

ଭାରତରେ ହିନ୍ଦୁ-ମୁସଲମାନ୍ -ଖ୍ରୀଷ୍ଟିୟାନ୍ ମାନଙ୍କ ମଧ୍ୟରେ ସବୁବେଳେ ହେଉଥିବା ଲଢ଼େଇରୁ ଗୋଟିଏ କଥା ସେମାନେ ଭଲ ଭାବରେ ଅଯଥା ଲଢ଼େଇ କରିବା ମାନସିକତାକୁ ଗ୍ରହଣ କରିନେଲେ । ହୁଏତ ଏମିତି ଏକ ଦିନ ଆସିବ ଯେତେବେଳେ ସମସ୍ତେ ମିଶିକରି ଧର୍ମଭୂତର ପଞ୍ଝାରୁ ମୁକୁଳି ଆସିବେ । ନିଜର ମାତୃଭୂମିକୁ ଆହୁରି ସ୍ୱତନ୍ତ୍ର, ଶକ୍ତିଶାଳୀ, ଧର୍ମନିରପେକ୍ଷ, ମାନବବାଦୀ ଉଦାର ଦେଶରେ ପରିଣତ କରିବେ ।

Photo Credit- https://bit.ly/3sF8CQN

Comments

0 comments

Share This Article