ଗତ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ଗବ ବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥନୀତି ମାନ୍ଦାବସ୍ଥା ଓ ମନ୍ଥର ଅଭିବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିଲା । କିନ୍ତୁ ବର୍ତ୍ତମାନ କରୋନା ମହାମାରୀର କୁପ୍ରଭାବ ଓ ତଦଜନିତର ସେସନ ଦ୍ୱାରା ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ ହୋଇଛି । ବହୁ ଅର୍ଥନୀତିଜ୍ଞ ବୁଦ୍ଧିଜୀବୀଙ୍କ ସମେତ ସରକାର ବଜେଟ୍ ୨୦୨୧-୨୨କୁ ଅଭିବୃଦ୍ଧି- ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି । କେତେକ ଏହାକୁ ଏକ “ଦୂରଦୃଷ୍ଟିହୀନ ବଜେଟ୍” ବୋଲି କହିବା ସହିତ ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଶକ୍ତିଶାଳୀ କରିବ, ଭାରତକୁ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଆଗାମୀ ଦଶନ୍ଧି ପାଇଁ ପ୍ରଗତିର ଭିତ୍ତିପ୍ରସ୍ତର ସ୍ଥାପନ କରିବ ବୋଲି କହିଛନ୍ତି ।
ଏପରିକି ଏହା ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ବୋଲି ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି କହିଛି । ଅପରପକ୍ଷେ ଅର୍ଥନୀତିଜ୍ଞ, ବୁଦ୍ଧିଜୀବୀ, ବିରୋଧୀ ଦଳର ନେତା ଏହାକୁ ପ୍ରୋ-କର୍ପୋରେଟ୍, ନକଲି, ଦୂରଦୃଷ୍ଟିହୀନ; ଭାରତ ବିକ୍ରି ପାଇଁ ଅଭିପ୍ରେତ, ଲୋକବିରୋଧୀ, ଜନତାଙ୍କ ପ୍ରତି ବିଶ୍ୱାସଘାତକତା ବୋଲି କହିଛନ୍ତି । ବଜେଟ ନୈରାଶ୍ୟଜନକ ହୋଇଛି, ଅର୍ଥନୀତି ଭୁଶୁଡ଼ି ଗଲାଣି ବୋଲି ଅର୍ଥମନ୍ତ୍ରୀ ଭୁଲିଯାଇଛନ୍ତି । ଜାତୀୟ ସମ୍ପତ୍ତିକୁ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଉଛି ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ହେୟ ଜ୍ଞାନ କରାଯାଇଛି ବୋଲି ବିରୋଧୀ ଦଳ ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇଛି । ବଜେଟକୁ ସବିଶେଷ ସମୀକ୍ଷା କଲେ ଏହାର ପ୍ରକୃତ ରୂପ ଜଣାପଡ଼ିବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବଜେଟରେ ଅର୍ଥନୀତି ତଥା ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଏକ ବଡ଼ ପ୍ରଭାବ ରହିଛି । କିନ୍ତୁ ଯଦି ଅଭିବୃଦ୍ଧି ସୁନିଶ୍ଚିତ କରିବାପାଇଁ ବଜେଟର ଏକ ଉପସ୍ଥାପନା ଯଥେଷ୍ଟ, ତେବେ କୌଣସି ଦେଶରେ ଅଭିବୃଦ୍ଧି ହ୍ରାସ ଘଟନ୍ତା ନାହିଁ କି ଆର୍ଥିକ ମାନ୍ଦାଅବସ୍ଥା, ରିସେସନ୍ ଦେଖାଯାଆନ୍ତା ନାହିଁ । ଏକ ଦେଶର, ଆର୍ଥିକସ୍ଥିତି ଆଭ୍ୟନ୍ତରୀଣ, ବାହ୍ୟ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରିଥାଏ । ପୁନଶ୍ଚ ୨୦୧୪ ମସିହାରୁ ନରେନ୍ଦ୍ର ମୋଦୀ ସରକାର ବଜେଟ୍ ଉପସ୍ଥାପନ କରୁଛନ୍ତି, କିନ୍ତୁ ତାହା ସତ୍ତ୍ୱେ ଅଭିବୃଦ୍ଧି କିପରି କ୍ରମାଗତ ହ୍ରାସପାଇଲା । ୨୦୧୬-୧୭ରୁ ବାର୍ଷିକ ଅଭିବୃଦ୍ଧି କ୍ରମଶଃ ହ୍ରାସ ପାଇ ଚାଲିଛି, ଯାହାକୁ ସ୍ଲୋ-ଡାଉନ ବା ମନ୍ଥର ଅଭିବୃଦ୍ଧି ହାର କୁହାଯାଏ । ମହାମାରୀ ଯୋଗୁଁ ଏହା ରିସେସନ୍ ରୂପ ନେଇଛି । ଅଭିବୃଦ୍ଧି ୨୦୧୬-୧୭ରେ ୮.୩% ଥିଲା, ଏହା କ୍ରମଶଃ ହ୍ରାସ ପାଇଁ, ୨୦୧୭-୧୮ରେ ୬.୮% ୨୦୧୮-୧୯ରେ ୬.୫% ହୋଇଥିଲା । ୨୦୧୯-୨୦ରେ ୭% ଧାର୍ଯ୍ୟ କରାଯାଇଥିଲା ବେଳେ ବାସ୍ତବରେ ମାତ୍ର ୪% ହୋଇଛି । ସେତେବେଳେ କଣ ବଜେଟ ଦ୍ୱାରା ଅଭିବୃଦ୍ଧି ହେବ ବୋଲି କୁହାଯାଇନଥିଲା । ସରକାର ସର୍ବଦା ଭବିଷ୍ୟତରେ ଭଲ ହେବ, ଅଭିବୃଦ୍ଧି ଘଟିବ କହି ଲୋକଙ୍କୁ ଭୁତାଉଛନ୍ତି । କାରଣ ଆସନ୍ତାକାଲି କେହି ଦେଖିନାହିଁ ଏବଂ ଭବିଷ୍ୟତରେ ସମସ୍ତେ ମୃତ । ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖାଇ ବର୍ତ୍ତମାନର ବିଫଳତା ଘୋଡ଼ାଉଛନ୍ତି ।
ଏ କଥା କେହି ଅସ୍ୱୀକାର କରିବେ ନାହିଁ ଯେ ଅର୍ଥନୀତି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଭୟଙ୍କର ଆର୍ଥିକ ସଂକଟ ଦେଖାଦେଇଛି । କିନ୍ତୁ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କଲା ସମୟରେ ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ବିଜୟ ଉଦାହରଣ ଦେଲା ବେଳେ, ରବୀନ୍ଦ୍ରନାଥ ଟାଗୋରଙ୍କ ପଦ୍ୟ ଉଦ୍ଧୃତ କଲାବେଳେ, ବ୍ୟୟ ଅଟକଳ କଲାବେଳେ, ଅର୍ଥନୀତି ଭୟାନକ ସଂକଟ ଦେଇ ଗତି କରୁଛି, କୋଟି କୋଟି ଜୀବିକା ହରାଇଛନ୍ତି, ମହାମାରୀରେ ଳକ୍ଷାଧିକ ମୃତ୍ୟୁବରଣ କରିବା କଥା ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ବୋଲି ଆମର ମନେହୁଏ । ଏକ ବଜେଟକୁ ଭଲ କୁହାଯିବ ଯଦି ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ସହିତ ସରକାର ପୁଞ୍ଜିପତି, ଶିଳ୍ପପତି ତଥା ଧନୀକ ଶ୍ରେଣୀଠାରୁ ଅଧିକ ହାରରେ ଟିକସ ଆଦାୟ କରି ବିଭିନ୍ନ କ୍ଷେତ୍ରରେ ଆହୁରି ଅଧିକ ବ୍ୟୟ କରନ୍ତି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗୃହନିର୍ମାଣ ଆଦି ସାମାଜିକ କ୍ଷେତ୍ରରେ ଏବଂ ବିଭିନ୍ନ ଜନହିତକରଣ କ୍ଷେତ୍ରରେ ଅଧିକ ବ୍ୟୟ କରିବା ସହିତ ନିଯୁକ୍ତି ବୃଦ୍ଧି ଓ ଦାରିଦ୍ର୍ୟ, ବେକାରୀ, କ୍ଷୁଧା, ବାସହୀନତା ଓ ବୈଷମ୍ୟ ହ୍ରାସକରିବା ସହିତ ସାମ୍ପ୍ରତିକ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟ କରିଥାନ୍ତି ଏବଂ ସର୍ବୋପରି ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ସହିତ ପ୍ରୟାସ କରିଥାନ୍ତି । ଏଥିରୁ ସରକାର କିଛି ପୂରଣ କରିଲା ବେଳେ କିଛି ବିଫଳ ହୋଇଛନ୍ତି ।
ଏଣୁ ୨୦୨୦-୨୧ରେ ବଜେଟ ବ୍ୟୟ ଆକଳନ କଲାବେଳେ ନାମାଙ୍କନ ଅଭିବୃଦ୍ଧି ୧୦% (ବାସ୍ତବ ଅଭିବୃଦ୍ଧି + ମୁଦ୍ରାସ୍ଫୀତି) ଆର୍ଥିକ ଅଭିବୃଦ୍ଧି (ନାମାଙ୍କନ ଅଭିବୃଦ୍ଧି-ମୁଦ୍ରାସ୍ଫୀତି) ଯେଉଁ ୬ ରୁ ୬.୫% ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ବିଯୁକ୍ତାତ୍ମକ -୭.୬% ହେବା ବିଶ୍ୱବ୍ୟାଙ୍କ ତଥ୍ୟ ନେଲେ ଏହା – ୯.୬% ହ୍ରାସ ପାଇବ । ଏକ ବଜେଟରେ ବ୍ୟୟ ବୃଦ୍ଧି ଘଟିଛି ବୋଲି କୁହାଯିବ ଯଦି ଏହା ନାମାଙ୍କନ ବୃଦ୍ଧି ସହିତ ତାଳ ଦେଇ ବୃଦ୍ଧିପାଏ ବା ମୋଟ ଜିଡ଼ିପି ଅନୁସାରେ ବୃଦ୍ଧିପାଏ । ୨୦୧୮-୧୯ ବଜେଟରେ ମୋଟ ବ୍ୟୟ ଜିଡ଼ିପିର ୧୨.୨୪% ଥିଲା । ଏହା ୨୦୨୦-୨୧ରେ ୧୭.୬୯%କୁ ବୃଦ୍ଧି ପାଇଛି । ଏହା ସ୍ୱାଗତଯୋଗ୍ୟ । କିନ୍ତୁ ୨୦୨୧-୨୨ରେ ଏହା ୧୫.୬୩%କୁ ହ୍ରାସ ପାଇବ । କିନ୍ତୁ, ଚିନ୍ତାର ବିଷୟ ହେଉଛି, ଯେଉଁ ବ୍ୟୟବୃଦ୍ଧି ହୋଇଛି, ତାହା ରାଜସ୍ୱ ବୃଦ୍ଧି ହେତୁ ନୁହେଁ ବରଂ ଋଣ ବୃଦ୍ଧି ହେତୁ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦-୨୧ ବଜେଟରେ ମୋଟ ବ୍ୟୟ ବରାଦ ୩୦,୪୨,୨୩୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇ ଥିବାବେଳେ ସଂଶୋଧିତ ଅଟକଳରେ ମହାମାରୀ ପ୍ୟାକେଜ ଯୋଗୁଁ ଏହା ୩୪,୫୦,୩୦୫କୋଟି ଟଙ୍କାକୁ ବୃଦ୍ଧି ପାଇଛି । ପୁନଶ୍ଚ ୨୦୨୧-୨୨ରେ ୩୪,୮୩,୨୩୬ କୋଟି ଟଙ୍କାକୁ ବୃଦ୍ଧିପାଇଛି । କିନ୍ତୁ ଯଦି ୨୦୨୦-୨୧ର ସଂଶୋଧିତ ଅଟକଳ ଉପରେ ବାସ୍ତବ ବୃଦ୍ଧି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ବିଯୁକ୍ତାତ୍ମକ ହେବ । ବିଭିନ୍ନ କ୍ଷେତ୍ରରେ ନାମାଙ୍କନ ମୂଲ୍ୟରେ କିଛି ବ୍ୟୟ ବୃଦ୍ଧି ପାଇଲାବେଳେ କିଛି କ୍ଷେତ୍ରରେ ବ୍ୟୟ ହ୍ରାସ ପାଇଛି ।
ସେହିପରି ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କିଛିକ୍ଷେତ୍ରରେ ବାସ୍ତବ ବ୍ୟୟବୃଦ୍ଧି ପାଇଲା ବେଳେ କିଛିକ୍ଷେତ୍ରରେ ବାସ୍ତବ ବ୍ୟୟହ୍ରାସ ପାଇଛି । ୨୦୧୯-୨୦ରେ ମୋଟ ବ୍ୟୟ ୨୭,୮୬,୩୯୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ସଂଶୋଧିତ ଆକଳନରେ ଏହା ହ୍ରାସ ପାଇ ୨୬,୮୬,୩୩୦ କୋଟି ଟଙ୍କା ହୋଇଛି ବୋଲି ଜଣାପଡ଼ିଛି । କିନ୍ତୁ ୨୦୨୦-୨୧ ମୋଟ ବ୍ୟୟ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ୩୪,୫୦,୩୦୫ କୋଟି ଟଙ୍କା ବୃଦ୍ଧି ପାଇଛି । ଏହାର ଅର୍ଥ ସରକାର ୨୭ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ୟାକେଜ (ଜିଡ଼ିପିର ୧୩%) ଦେଇଛନ୍ତି ବୋଲି ପ୍ରଚାର କଲେ ମଧ୍ୟ ବାସ୍ତବରେ ସରକାର ମାତ୍ର ୪୦,୮,୦୭୫ କୋଟି ଟଙ୍କା ଅଧିକ ବ୍ୟୟ କରିଛନ୍ତି । ପୁନଶ୍ଚ ଏଥିରେ ବଜେଟ ବାହାର ଋଣ ସୁଝିବାରେ ୨ଲକ୍ଷ କୋଟି ଟଙ୍କା ପାଖାପାଖି ରହିଛି । ଏଣୁ ମହାମାରୀ ବାବଦରେ ସରକାରୀ ପ୍ରାୟ ୨ଲକ୍ଷ କୋଟି ଟଙ୍କା ବା ଜିଡ଼ିପିର ୧% ବ୍ୟୟ କରିଛନ୍ତି । ଯଦି କରୋନା ମହାମାରୀ ପାଇଁ କିଛି ଅଧିକ ବ୍ୟୟ କରିଥାନ୍ତି, ତେବେ ଅନ୍ୟ ଖର୍ଚ୍ଚ ହ୍ରାସ କରି ସେ ତାହା କରିଛନ୍ତି । ବଜେଟରେ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବାରେ ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୨୧-୨୨ରେ ବଜେଟରେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ୬.୮% ଧାର୍ଯ୍ୟ କରାଯାଇଛି । ମହାମାରୀ ଏବଂ ତଦଜନିତ ରିସେସନ ଯୋଗୁଁ ୨୦୨୦-୨୧ରେ ବଜେଟରେ ସମ୍ବଳ ଅଭାବ ଘଟି ବିତ୍ତୀୟ ନିଅଣ୍ଟ ବୃଦ୍ଧି ଘଟିବା ସ୍ୱାଭାବିକ । କିନ୍ତୁ ଆର୍ଥିକ ବିପର୍ଯ୍ୟୟ ଦେଖାଦେବା, ସମ୍ବଳ ଅଭାବ ଘଟିବା ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବା, ବଜେଟରେ ଧାର୍ଯ୍ୟ ଆୟ ବ୍ୟୟ ଆର୍ଥିକ ବର୍ଷ ଶେଷ ହେଲାପରେ ଚୂଡ଼ାନ୍ତ ଅଟକଳରେ ହ୍ରାସ ପାଇବା ଆଦି ସମସ୍ୟା ଗତ କିଛିବର୍ଷ ଦେଖାଦେଇଛି । ୨୦୨୦-୨୧ରେ ମୋଟ ରାଜସ୍ୱ (ଋଣକୁ ବାଦ୍ ଦେଇ) ୨୦,୨୦,୯୧୬ କୋଟି ଟଙ୍କା ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା ବେଳେ, ୨୦୨୧-୨୨ରେ ଏହାକୁ ଆହୁରି କମ୍ ଅର୍ଥାତ୍ ୧୭,୮୮,୪୨୪କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ସରକାର ସମ୍ବଳ ସଂଗ୍ରହ କରିବା ସମ୍ପୂର୍ଣ୍ଣ ବିଫଳ । ସମ୍ବଳ ଅଭାବ ଅର୍ଥ ବିକାଶ ଅସମ୍ଭବ । ବିତ୍ତୀୟ ବିପର୍ଯ୍ୟୟ ଆଡ଼କୁ ଅର୍ଥନୀତି ମୁହାଇଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଏହାକୁ ଏହି ବଜେଟରେ ଅଣଦେଖା କରିଛନ୍ତି । ବଜେଟରେ ଆର୍ଥôକ ସଂକଟ ଦୃଷ୍ଟିଗୋଚର ହୋଇଛି । ମହାମାରୀ ପୂର୍ବରୁ ମଧ୍ୟ ସରକାର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ସୀମା ମଧ୍ୟରେ ରଖିବା ବିଫଳ ହୋଇଛନ୍ତି । ୨୦୧୯-୨୦ ବିତ୍ତୀୟ ନିଅଣ୍ଟ ଜିଡ଼ିପିର ଯାହା ୩.୩% ଧାର୍ଯ୍ୟ କରାଯାଇଥିଲା, ତାହା ୪.୬% ହୋଇଥିଲା । ୨୦୨୦-୨୧ରେ ଏହା ୩.୫% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ୯.୫%କୁ ବୃଦ୍ଧିପାଇବ । ୨୦୨୦-୨୧ରେ ବିତ୍ତୀୟ ନିଅଣ୍ଟ ପରିମାଣ ୭,୯୬,୩୩୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏହା ବାସ୍ତବରେ ୧୮,୪୮,୬୫୫ କୋଟି ଟଙ୍କା ହେବ । ବଜେଟ ବାହାର ବିତ୍ତୀୟ ନିଅଣ୍ଟ ମିଶାଇଲେ ଏହା ବହୁ ଅଧିକ ହେବ । ଯାହାଫଳରେ ଋଣ-ଜିଡ଼ିପି ଅନୁପାତ ୨୦୧୯-୨୦ରେ ୭୨.୨% ଥିଲାବେଳେ, ତାହା ୯୦%କୁ ବୃଦ୍ଧି ପାଇବା ସବୁଠାରୁ ଚିନ୍ତାର ବିଷୟ ହୋଇଛି । ଆପାତତଃ ଟିକସ ରାଜସ୍ୱ ୫୨.୪% କେବଳ ସୁଧ ବାବଦରେ ବ୍ୟୟ ହେବ । ୨୦୨୧-୨୨ରେ ୧୫.୫ ଲକ୍ଷ କୋଟି ଟଙ୍କା ରାଜସ୍ୱ ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲାବେଳେ ସୁଧ ବାବଦରେ ୮.୧ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । କିନ୍ତୁ ବିତ୍ତୀୟ ନିଅଣ୍ଟ ବୃଦ୍ଧିର କାରଣ ବ୍ୟୟ ବୃଦ୍ଧି ବୋଲି ଯାହା କୁହାଯାଇଛି, ତାହା ଭୁଲ । ସମ୍ବଳ ଅଭାବ ଘଟିବା ଯୋଗୁଁ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଅବଶ୍ୟ ଆମ ଦେଶରେ ସମ୍ବଳର ଅଭାବର କାରଣ ହେଲା ଧନୀକ ଶ୍ରେଣୀଙ୍କଠାରୁ ଟିକସ ଆଦାୟ କରିବାରେ ସବୁ ସରକାର ବିଫଳ ହେବା ବା ଧନୀ ଶ୍ରେଣୀ ବିଭିନ୍ନ ଉପାୟରେ ଟିକସ ନ ଦେବା ବା ଫାଙ୍କିବା ଅଥବା ତାଙ୍କୁ ସୁହାଇଲା ପରି ଆଇନ ପ୍ରଣୟନ କରାଯିବା, ଯାହା ଫଳରେ ଭାରତରେ ଜିଡ଼ିପି ଅନୁସାରେ ଟିକସ ଯେତିକି ଆଦାୟ ହେବା କଥା ତାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍ ।
ସବୁଠାରୁ ଚିନ୍ତାର ବିଷୟ ହେଉଛି ଆଗରୁ ଜିଡ଼ିପି ଅନୁସାରେ ଯେଉଁ ହାରରେ ଟିକସ (ଟାକ୍ସ ବୁୟାନସି-tax buoyancy)ବୃଦ୍ଧି ପାଉଥିଲା , ତାହା ହ୍ରାସ ପାଉଛି । ସର୍ବଶେଷ ତଥ୍ୟ ଅନୁଯାୟୀ ଟିକସ- ଜିଡ଼ିପି ଅନୁପାତ ଫ୍ରାନ୍ସରେ ୪୬.୧%, ଓଇସିଡ଼ି ଦେଶରେ ହାରାହାରି ୩୩.୮%, ଆମେରିକାରେ ୨୪.୩%, ଗ୍ରେଟବି୍ରଟେନରେ ୩୩.୫%, ଜାପାନରେ ୩୧.୪%, ଜର୍ମାନୀରେ ୩୮.୨%, ଚୀନରେ ୧୭.୨% ରହିଲାବେଳେ ଭାରତରେ ୧୦% ପାଖାପାଖି ରହିଛି । ୨୦୧୭-୧୮ରେ ଏହି ଅନୁପାତ ୧୧.୨% ଥିଲା ବେଳେ, ୨୦୧୮-୧୯ରେ ହ୍ରାସ ପାଇ ୧୧%, ୨୦୧୯-୨୦ରେ ୯.୯୦% ଏବଂ ୨୦୨୦-୨୧ରେ ୯.୭୪%କୁ ହ୍ରାସ ପାଇଛି । ୨୦୨୧-୨୨ରେ ୯.୯୪% ହେବ ବୋଲି ଆକଳନ କରାଯାଇଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, ୨୦୨୧-୨୨ ବଜେଟ ଉପସ୍ଥାପନ କଲାବେଳେ ଧନୀକ ଶ୍ରେଣୀ ଉପରେ ଅଧିକ ହାରରେ ଟିକସ ଧାର୍ଯ୍ୟ କରିବା ସମ୍ପଦ କର ଧାର୍ଯ୍ୟ କରି ଅଧିକ ସମ୍ବଳ ଆଦାୟ କରି ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ସମ୍ଭବ ଥିଲାବେଳେ ତାହା ଅର୍ଥମନ୍ତ୍ରୀ କରିନାହାନ୍ତି ।
ପୁନଶ୍ଚ ଯଦି ସରକାର ଅଧିକ ଟିକସ ଆଦାୟ କରି ଜନହିତକର କ୍ଷେତ୍ରରେ ଅଧିକ ବ୍ୟୟ କରନ୍ତି, ତେବେ ପରୋକ୍ଷରେ ଲୋକଙ୍କ କ୍ରୟ ଶକ୍ତି ଚାହିଦା ବୃଦ୍ଧି ପାଇବ ଏବଂ ନିବେଶକ ଅଧିକ ନିବେଶ କରିବେ । ଯଦି ଲୋକ ଅଧିକ ଦ୍ରବ୍ୟ ଓ ସେବାକ୍ରୟ କରିବେ ନାହିଁ, ତେବେ ନିବେଶକ କ’ଣ ପାଇଁ ନିବେଶ କରିବେ । ଆମ ଦେଶରେ ଧନୀକ ଶ୍ରେଣୀଙ୍କ ପାଖରେ ଏତେ ଅର୍ଥ ଅଛି ଯେ ସେମାନେ କିଛି ସେଥିରୁ ଟିକସ ଆକାରରେ ଦେବେ, ଦେଶର ବିକାଶ ହେବ । ସମ୍ପ୍ରତି ଜାନୁଆରୀ ୨୦୨୧ରେ ପ୍ରକାଶିତ ଅକ୍ସଫାମର “ଅସମାନତା ଭାଇରସ୍ ରିପୋର୍ଟ” ଅନୁଯାୟୀ ଲକଡାଉନ୍ ତାଲାବନ୍ଦ ସମୟରେ ଭାରତ ବିଲିୟନେୟାରଙ୍କ ସମ୍ପଦ ୩୫% ଏବଂ ୨୦୦୯ ମସିହରୁ ୯୦% ବୃଦ୍ଧି ପାଇ ୪୪୨.୯ ବିଲିୟନ ଡଲାରରେ ପହଞ୍ଚିଛି, (ଅର୍ଥାତ୍ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ) ଏହି ଦୃଷ୍ଟିରୁ ଭାରତ ବିଶ୍ୱରେ ଆମେରିକା, ଚୀନ, ଜର୍ମାନୀ, ଋଷିଆ ଏବଂ ଫ୍ରାନ୍ସ ପରେ ଷଷ୍ଠ ସ୍ଥାନରେ ରହିଛି । ଏଥି ମଧ୍ୟରୁ ମାର୍ଚ୍ଚରେ ତାଲା ବନ୍ଦ ପରଠାରୁ ଶ୍ରେଷ୍ଠ ୧୦୦ ବିଲିୟନେୟାରଙ୍କ ସମ୍ପଦ ଯେତିକି ବୃଦ୍ଧି ପାଇଛି ତାହାକୁ ବାଣ୍ଟିଲେ ୧୩.୮ କୋଟି ଗରିବ ଭାରତୀୟ ଲୋକଙ୍କୁ ପ୍ରତ୍ୟକ ମୁଣ୍ଡ ପିଛା ୯୪,୦୪୫ ଟଙ୍କାର ଚେକ୍ ଦିଆଯାଇପାରିବ ।
ଆମଦେଶରେ ଧନୀକ ଶ୍ରେଣୀଙ୍କ ପାଖରେ ଏତେ ଅର୍ଥ ଅଛି ଯେ ସେମାନେ କିଛି ସେଥିରୁ ଟିକସ ଆକାରରେ ଦେଲେ ଦେଶର ବିକାଶ ହେବ । ସମ୍ପ୍ରତି ଜାନୁଆରୀ ୨୦୨୧ରେ ପ୍ରକାଶିତ ଅକ୍ସଫାମର “ଅସମାନତା ଭାଇସ୍ ରିପୋର୍ଟ” ଅନୁଯାୟୀ ଲକ୍ଡ଼ାଉନ୍ ତାଲାବନ୍ଦ ସମୟେ ଭାରତୀୟ ବିଲିୟନେୟାରଙ୍କ ସମ୍ପଦ ୩୫% ଏବଂ ୨୦୦୯ ମସିହାର ୯୦% ବୃଦ୍ଧିପାଇ ୪୨୨.୯ ବିଲିୟନ ଡଲାରରେ ପହଞ୍ଚିଛି, (ଅର୍ଥାତ୍ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ) । ଏଥିମଧ୍ୟରୁ ମାର୍ଚ୍ଚରେ ତାଲାବନ୍ଦ ପରଠାରୁ ଶ୍ରେଷ୍ଠ ୧୦୦ । ବିଲିୟନେୟାରଙ୍କ ସମ୍ପଦ ଯେତିକି ବୃଦ୍ଧି ପାଇଛି ତାହାକୁ ବାଣ୍ଟିଲେ ୧୩.୮କୋଟି ଗରିବ ଭାରତୀୟ ଲୋକଙ୍କୁ, ପ୍ରତ୍ୟେକ ମୁଣ୍ଡ ପିଛା ୯୪,୦୪୫ ଟଙ୍କାର ଚେକ୍ ଦିଆଯାଇପାରିବ ।
ସେହିପରି ଅକ୍ସଫାମୟର ୨୦୨୦ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତୀୟ ଜନସଂଖ୍ୟାର ଶ୍ରେଷ୍ଠ ୧୦% ସମୁଦାୟ ଜାତୀୟ ସମ୍ପଦର ତିନି ଚତୁର୍ଥାଂଶର ମାଲିକ ଅଟନ୍ତି । ୧% ଧନୀ ସମାଜରେ ନିମ୍ନରେ ଥିବା ୯୫.୩ କୋଟି ବା ଦେଶର ଜନସଂଖ୍ୟାର ୭୦% ଲୋକଙ୍କ ସମ୍ପଦର ୪ଗୁଣରୁ ଅଧିକ ସମ୍ପଦର ମାଲିକ ଅଟନ୍ତି । ୬୩ଟି ଭାରତୀୟ ବିଲିୟନେୟାରଙ୍କ ମିଳିତ ସମ୍ପଦ ୨୦୧୮-୧୯ ଆର୍ଥିକବର୍ଷ ସମୁଦାୟ କେନ୍ଦ୍ର ବଜେଟର ମୋଟବ୍ୟୟ ଅଟକଳ ୨୪୪୨୨୦ କୋଟି ଟଙ୍କାଠାରୁ ଅଧିକା ଉଲ୍ଲେଖଯୋଗ୍ୟ ଯେ, ମହାମାରୀ ଯୋଗୁଁ ଏପ୍ରିଲରେ ପ୍ରାୟ ୧୨କୋଟି ଚାକିରି ହରାଇଥିଲେ । ଅନଲକ୍ ଅବଧିରେ ଏହି ସ୍ଥିତିରେ ଉନ୍ନତି ହୋଇଥିଲେ । କିନ୍ତୁ ବେକାରୀ ଆହୁରି ବୃଦ୍ଧି ପାଇଛି । ସେଣ୍ଟର ଫରମନିଟରିଂ ଇଣ୍ଡିଆନ୍ ଇକୋନୋମି (CMEI) ଅନୁଯାୟୀ, ଡ଼ିସେମ୍ବର ୨୦୨୦ରେ ବେରୋଜଗାର ସଂଖ୍ୟ ୩୮.୭ ମିଲିୟନକୁ ବୃଦ୍ଧିପାଇଛି । ନଭେମ୍ବରରେ ୨୭.୪ ନିୟୁତ ତୁଳନାରେ ୧୧.୩ ମିଲିୟନ ବୃଦ୍ଧି ଘଟିଛି । ୨୦୧୯-୨୦ରେ ବେରୋଜଗାରୀଙ୍କ ହାରାହାରି ସଂଖ୍ୟା ୩୩.୩ ମିଲିୟନ ଥିଲା । ମାର୍ଚ୍ଚ ୨୦୨୦ରେ ବର୍ଷର ସର୍ବାଧିକ ୩୭.୯ ମିଲିୟନ ଥିଲା କାମ ଖୋଜୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଡିସେମ୍ବର ୨୦୨୦ରେ ଭାରତର ବେକାରୀ ହାର ତୀବ୍ରଭାବେ ବୃଦ୍ଧି ପାଇଛି । କିନ୍ତୁ ସମସ୍ୟା ସମ୍ପର୍କରେ ବଜେଟ ନିରବ । କରୋନା କାଳରେ ଅଧିକ ପ୍ରଭାବିତ ହୋଇଛନ୍ତି ବେତନ ଭୋଗୀ । ଦରମା କାଟ ଏବଂ ଅତିରିକ୍ତ ଖର୍ଚ୍ଚ ସେମାନଙ୍କ ବୋଝକୁ ବଢ଼ାଇ ଦେଇଛି । ଏଭଳି କ୍ଷେତ୍ରରେ ବାର୍ଷିକ ଷ୍ଟାଣ୍ଡାର୍ଡ ଡିଡକ୍ସକୁ ଅର୍ଥମନ୍ତ୍ରୀ ୫୦,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କାକୁ ବଢ଼ାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ତାହା କରିନାହାନ୍ତି । ସେହିପରି ସଂଚୟଜନିତ ଟିକସ ରିହାତି ଧାରା ୮୦ ଅନୁସାରେ ଯେଉଁ ୧ ଲକ୍ଷ ୫୦ହଜାର ମୋଟ ଆୟରୁ ବିଯୁକ୍ତ କରାଯାଉଥିଲା ତାହା ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଥିଲା, ଯାହା ବେତନଭୋଗୀଙ୍କ ହାରରେ ନେଟ୍ ଆୟ ବୃଦ୍ଧି କରିଥାନ୍ତା ଏବଂ ସଂଚୟ ବୃଦ୍ଧିରେ ସହାୟକ ହୋଇଥାନ୍ତା, ତାଙ୍କ ବ୍ୟୟବୃଦ୍ଧି ଯୋଗୁଁ ଅର୍ଥନୀତି ଚଳଚଞ୍ଚଳ ହୋଇଥାନ୍ତା । ସଞ୍ଚୟଜନିତ ସୁଧ ଆୟ ଟିକସର ପରିସରଭୁକ୍ତ ହେବାଯୋଗୁଁ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ବାରମ୍ବାର କରିବାଯୋଗୁଁ ବାସ୍ତବ ଜମା ସୁଧହାର ବିଯୁକ୍ତାତ୍ମକ (ନାମାଙ୍କନ ସୁଧ ହାର-ମୁଦ୍ରାସ୍ଫୀତି) ହେବାଯୋଗୁଁ ସଚଂୟକାରୀ ଆଜି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ଅର୍ଥମନ୍ତ୍ରୀ ଏହାକୁ ଧ୍ୟାନ ଦେଇନାହାନ୍ତି । ବଜେଟରେ ଆତ୍ମନିର୍ଭର କଥା ପୁଣି କୁହାଯାଇଛି । କିନ୍ତୁ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ବିନିଯୋଗ ବହୁତ କମ୍ ଭିତ୍ତିଭୂମି ସ୍ୱାସ୍ଥ୍ୟରେ ବ୍ୟୟ ବୃଦ୍ଧି ସ୍ୱାଗତଯୋଗ୍ୟ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ତାହାର ଘରୋଇକରଣ ବୀମା ପରି ଲାଭଦାୟକ କ୍ଷେତ୍ରରେ ଏଫ୍ଡ଼ିଆଇ ସୀମା ବୃଦ୍ଧି କିପରି ଆତ୍ମନିର୍ଭର ଭାରତ ଗଠନରେ ସାହାଯ୍ୟ ଦେବ- ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁନଶ୍ଚ କିଛି ରାଜ୍ୟର ନିର୍ବାଚନକୁ ଆଗରେ ରଖି ସେହି ରାଜ୍ୟ ପାଇଁ ଅଧିକ ସୁବିଧା ଦେବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ, ଓଡ଼ିଶାର ସ୍ୱାର୍ଥକୁ ଧ୍ୟାନ ଦିଆଯାଇ ନାହିଁ । ବଜେଟରେ କିଛି ଭଲ ନାହିଁ ବୋଲି ଆମେ କହୁନାହୁଁ, କିନ୍ତୁ ଏହା ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବ । କ୍ରୟଶକ୍ତି, ଚାହିଦା ବୃଦ୍ଧିକରି ଅର୍ଥନୀତିକୁ ଚଳଚଞ୍ଚଳ କରିବାବୋଲି ଯାହା ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳିଲା ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର, ତାହା ଘରୋଇକରଣ, ବୀମା ପରି ଲାଭଦାୟୀ କ୍ଷେତ୍ରରେ ଏଫ୍ଡ଼ିଆଇ ସୀମା ବୃଦ୍ଧି କିପରି ଆତ୍ମନିର୍ଭର ଭାରତ ଗଠନରେ ସାହାଯ୍ୟ ହେବ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ବଜେଟରେ ନିଯୁକ୍ତି ବୃଦ୍ଧି, ବେକାରୀ ଓ ବୈଷମ୍ୟ ହ୍ରାସ ପାଇଁ କୌଣସି ପଦକ୍ଷେପ ନାହିଁ ।
Comments
0 comments