ଜଙ୍ଗଲନାମା

ରାଜୀବ ଶଗରିଆ
ରାଜୀବ ଶଗରିଆ187 Views
7 Min Read

ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର । ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ । ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା । ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା । ପାହାଡ଼ ଧସିଗଲାରୁ ସେମାନେ ତଳକୁ ଆସି ସିଆଲମାଲ ଗାଁ ବସେଇଲେ । ପୋଲିସ ଓ ଜଙ୍ଗଲ ବିଭାଗର ଫୌଜ ଆସି ଗାଁ ଲୋକଙ୍କୁ ଘେରିଗଲେ । ୧୭ ଜଣଙ୍କୁ ଗିରଫ କରି ନେଇଗଲେ । ଭାନୁ ମାଝୀଙ୍କ ସମେତ ୧୭ଜଣ ଗାଁ ଲୋକ ମାସେ ଦୁଇଦିନ ଜେଲରେ ରହିଲେ ।

ଘଟଣା ଏତେ ସରଳ ନ ଥିଲା । ଗୋଟିଏ ମୌଖିକ ରାଜିନାମା ପରେ ଜଙ୍ଗଲ ବିଭାଗ ଜଙ୍ଗଲ ଭିତରେ ସାଗୁଆନ ଗଛ ଲଗେଇଲେ । ଲୋକଙ୍କ ଘର କାନ୍ଥ ଲାଗି ଗଛ ଲଗାଇବା ପାଇଁ ଖାଲ କଲେ । ତାର ପ୍ରତୁ୍ୟତ୍ତରରେ ପ୍ରତି ଘରୁ ଦୁଇଜଣ ମହିଳା ବାହାରି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ପ୍ରତିରୋଧ କଲେ । ପ୍ରତିରୋଧ ଖଣ୍ଡଯୁଦ୍ଧ ହୋଇଗଲା । ବିଭାଗର ଲୋକ ମୌଖିକ ହୁଲେର ଜାରି କଲେ ଯେ ଭାନୁ ମାଝୀକୁ ବନ୍ଧୁକରେ ଲାଛିଦେବେ । ଭୟରେ ଭାନୁ ମାଝୀ ଜଙ୍ଗଲରେ ଚାରିଦିନ ଲୁଚିଲେ । ଅସୁରଗଡ଼ ବୀର କମଳ କ୍ଷେତ୍ରର ସଭାପତି ଶ୍ରୀ ଦୁର୍ଯୋଧନ ମାଝୀଙ୍କ ମଧ୍ୟସ୍ଥତାରେ ଭାନୁ ମାଝୀ ଆତ୍ମସମର୍ପଣ କଲେ । ଜଙ୍ଗଲ ଗାଁ ଟି କୁରମେଲ ଗ୍ରା.ପ, ନର୍ଲା ବ୍ଲକ କଳାହାଣ୍ଡି ଜିଲ୍ଲା ଅଧିନରେ ଆସେ ।

ପରିଣାମ ଏହା ହେଲା ଯେ ବିଭାଗ ୬୨ ଜଣଙ୍କ ନାମରେ ଗିରଫ ପରୱାନା ଜାରି କଲେ । ପ୍ରତି ଅଭିଯୋଗ ହେବାପରେ ଆପୋଷ ସମାଧାନ ହୋଇଗଲା ।

ସେହିପରି ଏହି ବ୍ଲକର ବାଲିସିଂଘା ଗ୍ରା.ପ ଅନ୍ତର୍ଗତ ଟେର୍ଲୋ ମୁନିଗୁଡ଼ା ଗାଁର କଥା । ୬୬ ପରିବାର ତିନୋଟି ପଡ଼ା କରି ରହନ୍ତି । ଏହି ଗାଁରେ ମଧ୍ୟ ସଂଘର୍ଷ ହେଲା ପୂର୍ବପରି । ଲୋକେ ନିଜର ଦାବୀରେ ଅଟଳ ରହିବା ପରେ ବିଭାଗ ତରଫରୁ ଚାରି ଚାରି ଡେସିମିଲ୍ର ଘରବାରି ପଟ୍ଟା ଦେଲେ । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପୁଷ୍ଟିକଲେ ଯେ ଏହି ପଟ୍ଟା ନକଲି ଅଟେ । ଯାହାର କୌଣସି ରାଜସ୍ୱ ବିଭାଗର ସ୍ୱୀକୃତି ନାହିଁ ।

ଜାନୁୟାରୀ ୨୦୨୦, ୨୭ ତାରିଖ ଦିନରୁ ଆଠଦିନ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୁନାବେଡ଼ା ଅଭୟାରଣ୍ୟ ଓ ତତସଂଲଗ୍ନ ଗାଁମାନଙ୍କରୁ ହଜାର ହଜାର ବନବାସୀ ପୁରୁଷ ମହିଳା ସମସ୍ତେ ଆସି ନିଜର ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରି ବସିଲେ । ଆଠଦିନର ଧାରଣା ପରେ ଜିଲ୍ଲାପାଳ କ୍ରମାନ୍ୱୟରେ ଜମି ଅଧିକାର ଦେବାର ପ୍ରତିଶୃତି ଦେଲେ । ପ୍ରତିଶୃତି ପରେ ପରେ କୋଭିଡ଼-୧୯ ମହାମାରୀର ସମୟ ଆସିଲା । ପ୍ରତିଶୃତି ପାଳନ ପାଇଁ କୌଣସି ସୁଯୋଗ ଜିଲ୍ଲାପାଳ ପାଇଲେ ନାହିଁ କି ପୁନଃ ଆନ୍ଦୋଳନ ପାଇଁ ଲୋକ ଭୟ କଲେ ।

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଶଗଡ଼ା ଗ୍ରା.ପର ମଖାଗୁଡ଼ା ପାହାଡ଼ ଉପରେ ଥିବା ଏକ ରାଜସ୍ୱ ଗାଁ । ଏହି ଗାଁର ତିନିଜଣଙ୍କ ନାମରେ ଜମି ପଟ୍ଟା ରହିଅଛି । ବର୍ଷାଯୋଗୁଁ ପାହାଡ଼ ଧସିଲା । ଚାଷଜମି ନଷ୍ଟ ହୋଇଗଲା । ଲାଗ ଲାଗ ଦୁଇବର୍ଷ ପାହାଡ଼ ସ୍ଖଳନ ଫଳରେ ଲୋକେ ପାହାଡ଼ରୁ ଓହ୍ଲାଇ ରାଜେଶତୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗାଁ କରି ରହୁଥିଲେ । ଏପ୍ରିଲ ୨୪, ୨୦୨୦ କୋଭିଡ଼୍-୧୯ ଲକଡ଼ାଉନ ସମୟରେ ପୋଲିସ ଓ ଜଙ୍ଗଲ ବିଭାଗ ଲୋକେ ତିଆରିଥିବା କୁଡ଼ିଆମାନଙ୍କୁ ଭାଙ୍ଗିଦେଇ ସମସ୍ତଙ୍କୁ ବାସ୍ ହରା କରିଦେଲେ । ଏ ବିଷୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବାଦ ହେବାପରେ ମଧ୍ୟ ସମସ୍ତେ ଗୋଟିଏ ଅମୀମାଂସିତ ସ୍ଥିତିରେ ରହିଅଛନ୍ତି ।

ବର୍ଷା ଆସିଲା । ନୂଆପଡ଼ା ଜିଲ୍ଲା, ବୋଡ଼େନ ଓ ସିନାପାଲି ବ୍ଲକ ଅଞ୍ଚଳ ହୋଇ ହାତୀ ପାଟଧରା ଦେଇ ସୁନାବେଡ଼ାକୁ ଆସିଲେ । ଫସଲ ନଷ୍ଟକଲେ, ପୂର୍ବବର୍ଷମାନଙ୍କ ପରି । କିଛି ଲୋକ କ୍ଷତିପୂରଣ ପାଇଲେ କିନ୍ତୁ ଅନେକ ଲୋକ ପାଇଲେ ନାହିଁ, ଯେଉଁମାନେ ଜଙ୍ଗଲ ଜମିରେ ଚାଷ କରିଥିଲେ । ପାଟଧରା ଓ ସୁନାବେଡ଼ା ପାର୍ବତ୍ୟାଂଚଳରେ କିଏ ଜଣେ ପ୍ରଚାର କଲେ ଯେ ଗଣେଶ ପୂଜା କଲେ ହାତୀ ଆସନ୍ତି ନାହିଁ । ଲୋକେ ନିଷ୍ଠାର ସହ ସମବେତ ହୋଇ ପାହାଡ଼ି ଗାଁ ମାନଙ୍କରେ ଗଣେଶ ପୂଜା କଲେ, କିନ୍ତୁ ହାତୀ ଆସିବା ବନ୍ଦ ହେଲା ନାହିଁ ।

କଳାହାଣ୍ଡି ଜିଲ୍ଲା ଜଙ୍ଗଲ ଗାଁ ଟେର୍ଲୋରୁ ସିଆଲମାଲ ଗଲାବେଳେ ଜଙ୍ଗଲ ଭିତରେ ଗୋଟିଏ ଦେବୀ ମନ୍ଦିର ଦେଖିଲୁ । ଯେଉଁ ଦେବୀ ଆଦିବାସୀଙ୍କ ଦୈବୀ ପଙକ୍ତିରେ ଆସନ୍ତି ନାହିଁ ।

ବାଲିସିଂଘା ଆଦିବାସୀ ସଂଘ ସଭାପତି ଶ୍ରୀ ମଦନ ମାଝୀ କହନ୍ତି, ପାହାଡ଼ ଉପରେ ରହୁଥିବା କେତେକ ପରିବାର ଅସୁବିଧା କାରଣରୁ ସିଆଲମାଲରେ ଆସି ରହିଲେ । ଜଙ୍ଗଲ ବିଭାଗ ଏବଂ ଜନୈକ ଅଣଆଦିବାସୀ ସରପଞ୍ଚ ସିଆଲମାଲରେ ରହୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ଡେଙ୍ଗୁରା ଦେଲେ । ଏହି ଘଟଣାକୁ ସ୍ଥାନୀୟ ଲୋକ ସମେତ ଆଦିବାସୀ ସଙ୍ଗଠନ ବିରୋଧ କଲା । ଜଙ୍ଗଲବିଭାଗର ଦମନ କାରଣରୁ ଚାରିଦିନ ଜଙ୍ଗଲରେ ଲୁଚି ରହିଲେ । ପରେ ଗିରଫ ହୋଇ ସତର ଜଣ ଗ୍ରାମବାସୀ ମାସେ ଜେଲ ବି ଭୋଗିଲେ । ସେମାନେ ପାହାଡ଼ରୁ ତଳକୁ ଓହ୍ଲାଇଛନ୍ତି । ତାଙ୍କୁ ଜଙ୍ଗଲ ଭିତରେ ରହିବା ଅଧିକାର ଅଛି । ଆମେ ସିଆଲମାଲ, ଟେର୍ଲୋ ତଥା ଆଖପାଖ ସାତ/ଆଠ ଗାଁରେ ରହୁଥିବା ବନବାସୀଙ୍କ ଅଧିକାର ସପକ୍ଷରେ ରହିଅଛୁ ।

ଅସୁରଗଡ଼ ବୀର କମଲ ମୈଦାନ ସଭାପତି ଶ୍ରୀ ଦୁର୍ଯେ୍ୟାଧନ ମାଝୀ କହନ୍ତି, ଜଙ୍ଗଲ ବିଭାଗର ଆତଙ୍କରେ ଆତଙ୍କିତ ଭାନୁ ମାଝୀ ଚାରିଦିନ ଜଙ୍ଗଲରେ ରହିବା ପରେ ମୋ ପାଖକୁ ଲୋକ ପଠେଇଲେ । ମୁଁ ତାଙ୍କୁ ନେଇ ଥାନାକୁ ଗଲି, ସେ ଆତ୍ମସମର୍ପଣ କଲେ । ୬୨ଜଣ ଲୋକଙ୍କ ନାମରେ ଗିରଫ ପରୱାନା ଜାରି ହେଲା । ପ୍ରତି ଅଭିଯୋଗ ହେବାପରେ ବିଭାଗ ଗାଁ ଲୋକଙ୍କ ସହ ରାଜିନାମା କଲେ ।

ସଭାପତି ଶ୍ରୀ ଦୁର୍ଯେ୍ୟାଧନ ମାଝୀଙ୍କ କହିବା ଅନୁସାରେ ଝିଅବୋହୂଙ୍କ ପ୍ରତି ବି ଆକ୍ରମଣ ଓ ଅସଦାଚରଣର ଅନେକ ଉଦାହରଣ ରହିଅଛି ।

ଦମନର ଅନେକ ଚରିତ୍ର, କିନ୍ତୁ ଉଦେଶ୍ୟ ଗୋଟିଏ । କେମିତି ସମସ୍ତ ବନବାସୀଙ୍କୁ ଜଙ୍ଗଲରୁ ବେଦଖଲ କରିବା । ଏହି ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁ ଏହି ପତ୍ରକାର ଏହି ଗାଁସବୁକୁ ଗସ୍ତରେ ଯାଇଥିଲା । ପ୍ରଶାସନିକ ମନୋଭାବ ଗୋଟିଏ, କିନ୍ତୁ ଉଦାହରଣ ଓ କ୍ଷେତ୍ର ଭିନ୍ନ ଭିନ୍ନ ।

ଜଙ୍ଗଲର ସଂକ୍ଷିପ୍ତ ଇତିହାସ ଏହିପରି । ୧୯୨୭ ମସିହାରେ ଜଙ୍ଗଲ ଓ ରାଜସ୍ୱ ବିଭାଗ ତିଆରି ହୁଏ । ଜଙ୍ଗଲ ଉପରେ କଟକଣା ବସେ । ଦେଶ ସ୍ୱାଧିନ ହୁଏ, ଆଇନରେ ପରିବର୍ତ୍ତନ ହୁଏ ନାହିଁ । ୧୯୨୭ ଜଙ୍ଗଲ ଆଇନ ଧାରା ୪ର ଗ୍ରାମସଭା ଅଧିନରେ ଥିବା ସମସ୍ତ ଜମି ଜଙ୍ଗଲ ବିଭାଗ ହାତକୁ ଯାଏ । ବନଜୀବୀ ଜଙ୍ଗଲ ଉପରୁ ନିଜର ଅଧିକାର ହରେଇ ବସନ୍ତି । ୧୯୭୦ ପରବର୍ତ୍ତୀ ସମୟରେ କ୍ରମାଗତ ଜଙ୍ଗଲ ଅଧିକାର ଉପରେ ଆନ୍ଦୋଳନ ହୁଏ । ଏହି ସମୟରେ ନବେ ଦଶକ ପରବର୍ତ୍ତୀ ସମୟ ଏନଜିଓ ଜଙ୍ଗଲ ଅଧିକାର ଆନ୍ଦୋଳନରେ ସାମିଲ ହୁଏ । ବିଭାଗ ସହ ମିଶି ଅନେକ ଜଙ୍ଗଲ ଗାଁ ତିଆରି କରନ୍ତି ଏବଂ ଜଙ୍ଗଲ ଅଧିକାର ଆନ୍ଦୋଳନରେ ନିଜର ଭାଗିଦାରୀ ସାବ୍ୟସ୍ତ କରନ୍ତି ।

୨୦୦୬ମସିହାରେ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରସ୍ତୁତ କଲାବେଳେ ସ୍ୱୀକାର କରନ୍ତି ଯେ ଆଦିବାସୀ ଓ ବନବାସୀଙ୍କ ପ୍ରତି ଐତିହାସିକ ଅନ୍ୟାୟ ହୋଇଛି । ଆଇନ ତିଆରି ହୁଏ । ଏନଜିଓ ଜଙ୍ଗଲ ଆନ୍ଦୋଳନରୁ ଓହରି ଯାଏ ଅଥବା ତାର ସୀମିତ କାମକୁ ପୁରା କରିଦିଏ । ତାର ତିଆରିଥିବା ଗାଁମାନଙ୍କ ଲୋକ ଅସହାୟ ହୋଇ ପଡ଼ନ୍ତି । ନିଜର ଅଧିକାର କିପରି ସାବ୍ୟସ୍ତ କରିବେ ସେ ବିଷୟରେ ଅନଭିଜ୍ଞ ବାରମ୍ବାର ସ୍ଥାନୀୟ ସାମନ୍ତ, ବିଭାଗ ଓ ପୋଲିସ ଜୁଲମର ଶିକାର ହୁଅନ୍ତି ।

୨୦୦୬ ଜଙ୍ଗଲ ଅଧିକାର ଆଇନ ସଂଶୋଧିତ ହୋଇ ୨୦୧୨ ଜଙ୍ଗଲ ଆଇନ ପ୍ରସ୍ତୁତ ହୁଏ । ଏଥିରେ ବ୍ୟକ୍ତିଗତ, ସାମୂହିକ ଅଧିକାରର କଥା କୁହାଯାଏ । ଆଇନ ତିଆରି ହେବାର ୧୪ବର୍ଷ ପରେ ମଧ୍ୟ ଜଙ୍ଗଲ ଅଧିକାର ଦିଆନ ଯାଇ ବନବାସୀଙ୍କ ଉପରେ ଆକ୍ରମଣର କ୍ରମ ଜାରି ରହିବା ଗୋଟିଏ ସରକାର ବିରୋଧି ସ୍ୱର ଜଙ୍ଗଲ ଭିତରେ ଶୁଣାଯାଏ ।

ଦୀର୍ଘ ସଂଘର୍ଷ ଓ ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ବନବାସୀଙ୍କ ଉତ୍ପୀଡ଼ନ କମ୍ ହୋଇ ନାହିଁ । ବିରୋଧ ସ୍ୱର ଶୁଭେ, କିନ୍ତୁ ସରକାରଙ୍କ ଆଇନ ଓ ବନବାସୀଙ୍କ ଅଧିକାର ଭିତରେ ଦୂରତା କମ୍ ହେବାର ନା ନିଏ ନାହିଁ ।

Photo Credit- https://bit.ly/3MhFWoH

Comments

0 comments

Share This Article