ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି । ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ କରିଦେଲା । ସେଠାରେ ରହୁଥିବା ଭୁଞ୍ଜିଆ, ଗଣ, ଡମ, ଗଉଡ଼, ପହରିଆ ଆଦି ଜାତି ନିଜ ଅଜାଣତରେ ଦୁଇଭାଗ ହୋଇଗଲେ ।
ଏହି ବିସ୍ତୀର୍ଣ୍ଣ ଗୁଡ଼ାରାଇଜର ପୂର୍ବ ଦିଗକୁ ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅଞ୍ଚଳ । ବୋଡ଼େନ ବ୍ଲକର ଉଏଁଷାଦାନୀ ଗ୍ରାମ ପଞ୍ଚାୟତ, ୩୪୦୦ ଫୁଟ ଉଚ୍ଚ ପାଟଧରା ବା ଅଏଁଲାଗିରି ଉପରେ ଅନେକ ଛୋଟବଡ଼ ଗାଁ ଓ ପାହାଡ଼ ତଳ ଗାଁମାନଙ୍କୁ ନେଇ ଗଠିତ ।
ପାହାଡ଼ ଉପରେ ରହୁଥିବା ଗାଁମାନ ଖୁବ୍ ସ୍ୱାଭିମାନୀ । ସେମାନେ ମାଓବାଦୀ ଦେଖିଛନ୍ତି, ପୋଲିସ ଦେଖିଛନ୍ତି ହେଲେ ସରକାର ନାମକ ଜନ୍ତୁଟିକୁ ଦେଖିପାରି ନାହାନ୍ତି । ସେଥିପାଇଁ ସେମାନେ ଭୋଟଦେଇ ନାହାଁନ୍ତି । ତାଙ୍କର କେତେ ଦଫା ଦାବୀ ଅଛି, ତାହା ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଭୋଟ କରିବେ ନାହିଁ ।
ଗତ ନିର୍ବାଚନରେ ସରକାର ହେଲିକେପ୍ଟରରେ ବୁଥମାନଙ୍କୁ କର୍ମ·ରୀ ପଠାଇଲେ । ନିଜର ପ୍ରଚାର ବି କଲେ । ଯେମିତି ସ୍ୱାଧିନତା ପାଇବା ପରେ ସେମାନେ ପ୍ରଥମ ଭୋଟ କରୁଛନ୍ତି ।
ଗୋଟିଏ ଅଣଓସାରିଆ ଘାଟିରାସ୍ତାରେ ଦଶ କିଲୋମିଟର ସାତଟି ପାହାଡ଼ ଚଢ଼ିଲେ ଆସେ ଧୋବଘାଟ ଗାଁ । ତା’ପରେ ଗାଁକୁ ଗାଁ ବିସ୍ତରି ଯାଇଛି ସାରା ଗୁଡ଼ାରାଇଜ ।
ସେଠାରେ ଅନେକ କଥା ଅନେକ କାହାଣୀ । ଅଣ ଓସାରିଆ ରାସ୍ତାକୁ ନେଇ ଏକ ପ୍ରବାଦ ଅଛି । ଭଏଁଷାଦାନୀରୁ ପାଟଧରାକୁ ସଂଯୋଗ କରିବା କଥା ସରକାର ଚିନ୍ତାକଲେ । ଠିକାଦାର ରାସ୍ତା ତିଆରି କରିବାକୁ ସଜ ହୁଅନ୍ତେ, ମାଓବାଦୀ ଠିକାଦାରକୁ ମନାକଲେ । ଉପର ରାଇଜର ସମସ୍ତେ ଖୁସି ହେଲେ ଯେ ସେମାନେ ଆଦିମ ଯୁଗରୁ ଆଜି ପ୍ରଥମେ ଦେଖିବେ ସରକାର ତିଆରିବା ରାସ୍ତା ।
ସରକାର ଓ ମାଓବାଦୀଙ୍କ ଲଢ଼େଇ, ସେ ଲଢ଼େଇ ଭିତରେ ସାଧାରଣ ଲୋକଙ୍କ ଦୋଷ କ’ଣ? ଲୋକଙ୍କ ଦାବୀ ରାସ୍ତା ହେବ ହିଁ ହେବ । ସଭା ହେଲା । ସଭାରେ ନିର୍ଣ୍ଣୟ ହେଲା ରାସ୍ତା ସଂକୀର୍ଣ୍ଣ ହେବ । ଦୁଇଟି ଗାଡ଼ି ଘାଟି ରାସ୍ତାରେ ପରସ୍ପର ବାଟ ଦେଇ ପାରିବେ ନାହିଁ । ଘାଟିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ବି କାମ ହୋଇସାରିଛି ।
ପୋଲିସ ଅନେକ ଥର କୁମ୍ବିଂ ଅପରେସନ କଲାଣି । ଅନେକ କଥା ଅକୁହା ରହିଯାଇଛି । ପୋଲିସର ଫ୍ଲାଗ୍ମାର୍ଚ୍ଚର ଗୋଟିଏ କାର୍ଯ୍ୟକ୍ରମ ·ଲିଥାଏ । ସାବଧାନ ବିଶ୍ରାମ ଆଦି ବୀର ରସର ସ୍ଲୋଗାନମାନ ଜଣେ ନୀରିହ ଲୋକକୁ ଭାବୋତ୍ତେଜକ ସ୍ଥିତିକୁ ଆଣିଦେଲା । ସେ ସ୍ଲୋଗାନ ସହ ତାଳ ମିଶେଇ ଲାଲ ସଲାମ କହିଦେଲା ଜଣେ ଗ୍ରାମବାସୀ । ତାକୁ ପୋଲିସ ଗିରଫ କରିନେଲା । କିଛି ଦିନ ପରେ ଲୋକଟିକୁ ଛାଡ଼ିଦେଲେ ।
ଅନେକ କାହାଣୀ । ରୋଚକି ବି ଦୁଃଖଦ ବି । ଧୋବଘାଟ ନଦୀରେ ଯେତେ ପାଣି ଆସୁ ଆଙ୍ଗନୱାଡ଼ି ଦିଦି ଶାନ୍ତିଲତା ମାଝୀ ଓ ଶିକ୍ଷକ ମୋହନ ପ୍ରସାଦ ଚିନ୍ଦାଙ୍କ ଦ୍ୱାରା ସରକାରୀ ଯୋଜନା ପହଞ୍ଚେ । ସେଠାକାର ଅନେକ ଦନ୍ତକଥା ଗୋଟିଏ କଥା ସ୍ପଷ୍ଟ କରେ ଅନେକ ଜଳସ୍ରୋତ ଓ ପ୍ରପାତ(ଧସ)ମାନ ସୃଷ୍ଟି କରିବା ସହ ପାହାଡ଼ ଗର୍ଭରେ ଶିରାପ୍ରଶିରା ପରି ଅନେକ ଜଳସ୍ରୋତ ରଖିଛି । ହେଲେ ପିଇବା ପାଣି ଅନେକଙ୍କୁ ରୋଗିଣା କରି ରଖିଛି । ପ୍ରତିଦିନ ଶହ ଶହ ଟନ ବନ ଉପଜର ବହିଃଗମନ ହୁଏ । ଏଠାକାର ଲୋକେ ବି ଦାଦନ ଯାଆନ୍ତି । ଫ୍ଲୁରୋସିସ ରୋଗରେ ଲକ୍ଷଣ ବି ଅନେକଙ୍କ ନିକଟରେ ସରକାର ପହଞ୍ଚô ପାରନ୍ତି ନାହିଁ ଉପରକୁ । ତାଙ୍କର ହଜାର ଯୋଜନା ଭିତରେ କାଣି·ଏ ବି ଲୋକେ ପାଇପାରନ୍ତି ନାହିଁ । ଏମିତି ଅଞ୍ଚଳରେ ଶ୍ରୀଯୁକ୍ତ ରିକିରାମ ସୌରୀ ଲୋକଙ୍କ ଜୀବନରେ ଗୋଟିଏ ସ୍ଥିରତା ଆଣିଛନ୍ତି ।
ତାଙ୍କ ପାଖକୁ ଯିଏ ଯାହା ଅସୁବିଧା ନେଇ ଆସୁ ସେ ତାର ଅସୁବିଧାକୁ ଦୂର କରନ୍ତି । ତାଙ୍କ ମାଁ କୌଶଲ୍ୟା ପାହାଡ଼ ଗାଁମାନଙ୍କରେ ଅନେକ ପ୍ରସୂତୀଙ୍କ ଜୀବନ ରକ୍ଷା କରିଛନ୍ତି । ରିକିରାମଙ୍କ ଭାଷାରେ ଯେଉଁ ଦିନୁ ମାଁଙ୍କ ଦେହାନ୍ତ ହେଲା ସେ ବର୍ଷରୁ ପ୍ରସୂତୀଙ୍କ ଅସୁବିଧା ହେଲେ ତଳକୁ ଓହ୍ଲାଇଛନ୍ତି । ଅର୍ଥାତ୍ ଡାକ୍ତରଖାନା ନେଉଛନ୍ତି । ଜନନୀ ସୁରକ୍ଷା ଯୋଜନା ବି ଗୋଟିଏ କାରଣ : ରିକିରାମଙ୍କ ବାପା ଜଳନ୍ଧର ଜଣେ ବୈଦ୍ୟ ଥିଲେ । ଗୁଣିଆ କାମ ବି କରୁଥିଲେ । ତା ସହିତ ୧୮/୧୯ ଜଣ ପିଲାଙ୍କୁ ନିଜ ଘରେ ରଖି ପାଠ ପଢ଼ଉଥିଲେ । ପାହାଡ଼ ରାଜ୍ୟରେ ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସମ୍ପନ୍ନ ହୋଇ ଚଲିବାପାଇଁ ତାଙ୍କର ଜମିବାଡ଼ି ଅଛି । ପାଠପଢ଼ାର ପାରିଶ୍ରମିକ ଅବଶ୍ୟ ଛାତ୍ରମାନେ ଦେଉଥିଲେ, କିନ୍ତୁ ଚିକିତ୍ସା ଓ ଗୁଣିଆ କାମରେ ସେ ଟଙ୍କା ଦାବୀ କରୁ ନଥିଲେ । ଜଳନ୍ଧର ତାଙ୍କ ବାପା ବୁଢ଼ାମାଝୀଙ୍କ ନିକଟରୁ ବିଦ୍ୟା ଶିଖିଥିଲେ । ବଂଶାନୁକ୍ରମରେ ଗୁଣି କର୍ମ, ପାରମ୍ପରିକ ଚିକିତ୍ସା ଆଦି କରି ଆସୁଛନ୍ତି ।
ରିକିରାମଙ୍କ ଜୀବନୀ ଜାଣିବା ପୂର୍ବରୁ ପ୍ରାଚୀନ ସଭ୍ୟତା ଉପରେ ସାମାନ୍ୟ ପରିଚୟ ହେବା ଆବଶ୍ୟକ । ରବିରାମ ଗଣ୍ଡ ଜାତିର ଅଟନ୍ତି । ଭାରତୀୟ ଆଦିବାସୀଙ୍କ ମଧ୍ୟରେ ସର୍ବପ୍ରାଚୀନ ଜାତି ଗଣ୍ଡ ଜାତି । ସ୍ଥାନୀୟ ଭାଷାରେ ସେମାନେ ଗଁଡ଼ ।
ହଜାର ହଜାର ବର୍ଷର ଅନୁଧ୍ୟାନ ତାଙ୍କୁ ପ୍ରକୃତି ସହ ଅତି ନିବିଡ଼ କରିରଖିଛି । ପ୍ରକୃତିକୁ ଅଧ୍ୟୟନ କରି ସେମାନେ ଅନେକ ରହସ୍ୟର ଜ୍ଞାତା ହୋଇ ପାରିଥିଲେ । ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପଞ୍ଚଭୂତର ବ୍ୟାଖ୍ୟା, ପରିଚୟ ଓ ରହସ୍ୟକୁ ଠିକ ବୁଝିଥିଲେ । ତାଙ୍କର ଦର୍ଶନ ପକ୍ଷୀ, ପଶୁ ଓ ଉଦ୍ଭିଦ ପର୍ଯ୍ୟବସିତ ତିନି ଭାଗରେ ବିଭକ୍ତ । ଏହି ଦର୍ଶନର ଅନୁସରଣରେ ସେମାନେ ମାନବୀୟ ଜୀବନକୁ ଉଚ୍ଚତର କରି ପାରିଥିଲେ ।
ସେହି ଆଦିମ ବିଦ୍ୟାର ସବାଶେଷ ଜ୍ଞାତା ହେଉଛନ୍ତି ରିକିରାମ । ଯିଏ ଲୋକଙ୍କ ଚିକିତ୍ସା କରନ୍ତି । ଓଡ଼ିଶାର ସୁନାବେଡ଼ା ଓ ଛତିଶଗଡ଼ ଉଦନ୍ତି ଅଭୟାରଣ୍ୟ ଅଞ୍ଚଳରୁ ଦୂର୍ଲଭ ବନୌଷଧି ସଂଗ୍ରହ କରି ଲୋକଙ୍କୁ ରୋଗ ବଇରାଗରୁ ରକ୍ଷା କରନ୍ତି । ଚିକିତ୍ସା ପାଇଁ ସେ କୌଣସି ମୂଲ୍ୟ ନିଅନ୍ତି ନାହିଁ । ରୋଗୀ ରୋଗମୁକ୍ତହେଲେ ଖୁସିରେ ଯିଏ ଯାହାଦିଏ । ବଜାରରୁ ଯଦି କୌଣସି ଔଷଧ ତେଲ ଅବା ଘିଅ ଆଦି କିଣିବାକୁ ହୁଏ, ତା ହେଲେ ସେ ପଇସା ରୋଗୀ ନିକଟରୁ ନେଇଥାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ୧୯୯୫ ମସିହାରେ ଆମ ଦେଶର ପ୍ରତି ଲୋକ ପ୍ରାୟ ୧୨୦୦ ଟଙ୍କା ଖର୍ଚ୍ଚ କରୁଥିଲେ ୨୦୧୩ ମସିହାରେ ଏହି ଖର୍ଚ୍ଚ ପ୍ରାୟ ୪୮୦୦ ଟଙ୍କା ଯାହା ୨୦୧୭ ମସିହାବେଳକୁ ୪୨୦୦ ଟଙ୍କା ବୋଲି କୁହାଯାଇଛି ।
ଏହି ସମୟାନ୍ତରରେ ଦେଶ ନିଜ ଜିଡ଼ିପି ଆୟରୁ ୧୯୯୫ ମସିହାରେ ୪.୦୬ ପ୍ରତିଶତ, ୨୦୧୩ ମସିହାରେ ୩.୯୭ ପ୍ରତିଶତ ଓ ୨୦୧୭ ମସିହାରେ ୧.୧୫ ପ୍ରତିଶତ ଟଙ୍କାର ପ୍ରାବଧାନ କରିଥିଲେ । ପ୍ରତିବ୍ୟକ୍ତିର କ୍ରମବର୍ଦ୍ଧିଷ୍ଣୁ ଖର୍ଚ୍ଚ ଓ ଦେଶର ଆୟ ତୁଳନାରେ ପ୍ରତିଥର କ୍ରମକ୍ଷୟ ଖର୍ଚ୍ଚ ହିସାବକୁ ନେଲେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱ ଘରୋଇ ମାଲିକାନା ଦାୟିତ୍ୱକୁ ଚାଲିଯାଉଛି ।
ଏହିପରି ସମୟରେ ପ୍ରାଚୀନ ସ୍ୱାସ୍ଥ୍ୟ ବିଜ୍ଞାନରେ ବିଶେଷଜ୍ଞ ରିକିରାମଙ୍କ ସ୍ଥାନ କେଉଁଠି?
ପ୍ରକାରାନ୍ତେ ଆମେ ଆଦିମରୁ ସଭ୍ୟ ହୋଇ ସାରିଲୁଣି । ସଭ୍ୟ ହେବାପରେ ଆଧୁନିକ ଓ ଏବେ ଅତ୍ୟାଧୁନିକ ସମାଜର ଲୋକ ବୋଲି ଗର୍ବ କରୁଛୁ । ଏହି ଅହମିକା ଭିତରେ ରିକିରାମଙ୍କ ସମୂହକୁ ଆମେ ଅନ୍ଧବିଶ୍ୱାସର ପରିଧି ଭିତରକୁ ନେଇ ସାରିଛୁ । ବାପା ଜଳନ୍ଧର ପିଲାଙ୍କୁ ପାଠ ପଢ଼ଉଥିଲେ ଯେତେବେଳେ ପାଟଧରା ଅଞ୍ଚଳରେ ବିଦ୍ୟାଳୟ ନ ଥିଲା । ରିକିରାମ ପାଠ ପଢ଼ି ପାରିଲେ ନାହିଁ । ବୟସ କଥା ସେ ଜାଣନ୍ତି ନାହିଁ । ତାଙ୍କ ବୟସ ପ·ରିଲେ କହନ୍ତି ସେତେବେଳେ କୌଣସି ବିଦ୍ୟାଳୟ ନ ଥିଲା । ୧୯୬୭ ମସିହାରେ ପାଟଧରାରେ ପ୍ରଥମ କରି ବିଦ୍ୟାଳୟ ସ୍ଥାପିତ ହେଲେ । ତାଙ୍କ ସମୟରେ ମାଟିର ମୁଦ୍ରା ଚଲୁଥିଲା । ଭଏଁଷାଦାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଉପରେ କୁପଟିଆମ ନିକଟରେ ତାଙ୍କ ଗାଁ । ବହୁତ ପୁରୁଣା ଗାଁ ହେବା ସତ୍ତ୍ୱେ ରାଜସ୍ୱ ଗ୍ରାମର ମାନ୍ୟତା ପାଉନାହିଁ ।
ପାଠ ପଢ଼ିଲେ ନାହିଁ କିନ୍ତୁ ବାପା ଜେଜେଙ୍କ ସହ ଔଷଧ ସଂଗ୍ରହରେ ଯାଇ ଔଷଧୀୟ ଉଦ୍ଭିଦଙ୍କୁ ଚିହ୍ନିଲେ । ତାର ଚରିତ୍ର ଓ ରୋଗ ନିବାରଣ ଶକ୍ତି ବିଷୟରେ ଜାଣିଲେ । ପୁରାଣ ଶାସ୍ତ୍ରମାନ ଶୁଣନ୍ତି । ସମୟ ଓ ଯୁଗକୁ ନିନ୍ଦା କରି ଅନେକ କାହାଣୀ ଶୁଣନ୍ତି । ନିଜର ପାରିପାଶ୍ୱିର୍କ ଅବସ୍ଥା ଦେଖନ୍ତି । ଲୋକଙ୍କ କଷ୍ଟ ବି ଦେଖନ୍ତି । ତାର ସାମାନ୍ୟ ନିରାକରଣ ଶକ୍ତି ତାଙ୍କ ପାଖରେ ଅଛି । ସେ ନିଜେ ନିଜେ ଗୋଟିଏ ନିର୍ଣ୍ଣୟରେ ପହଞ୍ଚନ୍ତି ଯୁଗ ବା ସମୟ କେବେ ବି ଖରାପ ନୁହେଁ । ନିଜେ ଠିକ ରହି ନିଜର ପରିବେଶକୁ ଠିକ୍ ରଖିଲେ ସବୁ ଯୁଗ ଠିକ ନ ହେଲେ ସବୁ ଯୁଗ ଖରାପ ।
ଏହାପରେ ତାଙ୍କର ଗବେଷଣା ଆରମ୍ଭ ହୁଏ ବୃକ୍ଷଲତା ଆଦିର ଔଷଧୀୟ ଗୁଣ ଉପରେ । ସେ ନିଜ ଆଖିରେ ଦେଖନ୍ତି ଉଦ୍ଭିଦର ଜୀବନ ଚକ୍ରର ଚରିତ୍ରକୁ । ଲୋକଙ୍କ ରୋଗ ବଇରାଗ ଦୂର କରନ୍ତି । ଜଣେ ବୈଦ୍ୟ ଭାବରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ଅନେକ ଲୋକ । ମୁଖ୍ୟତଃ ଗୁଡ଼ାରାଇଜ ଓ ତାର ସମିପ ଲୋକ ।
ତାଙ୍କର ଜୀବନଚର୍ଯ୍ୟା ଗୋଟିଏ ଯୋଗୀତୁଲ୍ୟ । ସେ ବାହା ହୁଅନ୍ତି ଯଜ୍ଞଦେଇଙ୍କୁ । ପୁଅ ସୁରେଶ ଜନ୍ମ ହୁଏ ତଥାପି ବି ସେ ନିଜର ସାଧନାକୁ ଯଥାବତ ରଖି ପାରିଛନ୍ତି ।
ଭୋରରୁ ଉଠି ସ୍ନାନ କରନ୍ତି । ଲୋକଙ୍କ ସେବା କାମ କରନ୍ତି । ଦିନବେଳା ସାମାନ୍ୟ ଫଳାହାର କରନ୍ତି । ସନ୍ଧ୍ୟାରେ ଗାଧୋଇ ନିଜର ଆରାଧନା କରି ଭୋଜନ କରନ୍ତି । ଦୁଇଖଣ୍ଡ କପଡ଼ା ହିଁ ତାଙ୍କର ପରିଧାନ । କେବେ କେବେ ୩ ଡିଗ୍ରୀ ତଳକୁ ତାପମାତ୍ର ଖସି ଆସେ । ତାଲ ଓ ଗଛପତ୍ରରେ ବରଫ ଜମିଯାଏ (ଖରେଲ) କିନ୍ତୁ ତାଙ୍କର ପରିଧାନ ବଦଳେ ନାହିଁ ।
ତାଙ୍କର ପୈତୃକ ଜମି ଅଛି । ତାଙ୍କ ଭାଷାରେ ସେ ରୋଜଗାର କରି ସାଧୁ ହୋଇଛନ୍ତି । କୌଣସି ସରକାରୀ ଅନୁକମ୍ପାରେ ପ୍ରତ୍ୟାଶା ତାଙ୍କ ନିକଟରେ ନାହିଁ । ଏତେ ଖବର ପାଇଁ ତାଙ୍କ ନିକଟରେ ସମୟ ଅଥବା ଆବଶ୍ୟକତା ନାହିଁ ।
ରୋଗୀ ସୁସ୍ଥହେବା ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ରହେ । ଆବଶ୍ୟକ ସ୍ଥଳେ ରୋଗୀକୁ ନିଜ ଘରେ ରଖି ଚିକିତ୍ସା କରନ୍ତି । ତାଙ୍କ ଧର୍ମପତ୍ନୀ ଯଜ୍ଞଦେଇ ରୋଗୀଙ୍କ ପାଇଁ ବି ଭୋଜନ ପ୍ରସ୍ତୁତ କରନ୍ତି । ରୋଗମୁକ୍ତ ହୋଇ ରୋଗୀ ଫେରିଲା ବେଳେ ବ୍ୟକ୍ତିମତେ ତିନି ଚାରି ଶହ ଟଙ୍କା ଦିଏ । ସାତ ଆଠ ଦିନ ମଧ୍ୟ ରୋଗୀ ଖାଇ ପିଇ ରହେ । କିଛି ବ୍ୟବସାୟିକ ଦୃଷ୍ଟିରୁ ଚିକିତ୍ସାକୁ କେବେ ନେଇ ନାହାନ୍ତି ରିକିରାମ ।
ରିକିରାମଙ୍କ ମତରେ ଅନେକ ବୃକ୍ଷ ଓ ଔଷଧୀୟ ଗୁଳ୍ମ କନ୍ଦା ଆଦିଭୌତିକ ଶକ୍ତି ଉପରେ ବି ନିଜର ପ୍ରଭାବ ଦେଖେଇଥାନ୍ତି । ଏଣୁ ସେ ଡେଉଁରିଆ ପ୍ରସ୍ତୁତ କରନ୍ତି । ଡେଉଁରିଆ ବାବଦକୁ ୧୦୮ ଟଙ୍କା କେବଳ ନିଅନ୍ତି । ଅନ୍ୟ ପକ୍ଷରେ ରୋଗୀ ନିକଟରୁ ନଡ଼ିଆ ଓ ଧୂପକାଠି ସେ ମାଗିଥାନ୍ତି । ଏହା ବାଦ୍ ତାଙ୍କର କୌଣସି ଦାବୀ ରହେ ନାହିଁ । ରୋଗୀ ରୋଗମୁକ୍ତ ହୋଇ ପରେ ସେ ଆନନ୍ଦ ପାଇଥାନ୍ତି । ଏକଦା ରୋଗୀ ଜଣକୁ ମୃତକ ଭାବି ମଶାଣୀ ନେବାକୁ ପ୍ରସ୍ତୁତ ହେଉଥିଲେ । ରିକିରାମଙ୍କ ଚିକିତ୍ସା ଜ୍ଞାନ ସ୍ୱୀକାର କଲାନି ଯେ ରୋଗୀ ମରିସାରିଛି । ସେ କହିଲେ ୟେ ମରିନାହାନ୍ତି । ଲୋକ ଉପହାସ ପ୍ରାୟ କଲେ । କିନ୍ତୁ ରିକିରାମ ସମ୍ମାନନୀୟ ବ୍ୟକ୍ତିତ୍ୱ ନିକଟରେ ବିଶେଷ ପ୍ରତିବାଦ କଲେ ନାହିଁ । ଦୀର୍ଘ ସମୟର କ୍ରିୟା ଓ ଚିକିତ୍ସାରେ ମୃତକ ମନେ କରୁଥିବା ରୋଗୀଜଣକ ଚେତା ପାଇଲେ । କିଛି ଦିନର ଚିକିତ୍ସା ପରେ ସୁସ୍ଥ ହେଲେ ।
ଆରାଧନାରେ ବସିଲା ସମୟରେ ରିକିରାମ ପ୍ରାର୍ଥନା କରନ୍ତି ସେ ଅବ୍ୟକ୍ତଙ୍କୁ । ଛପନକୋଟି ଜୀବ ବାବନକୋଟି ଭଣ୍ଡାରକୁ ସୁରକ୍ଷିତ ରଖ । ନଦୀନାଳ ସ୍ୱଚ୍ଛ ଜଳପ୍ରବାହ କରୁ । ସମସ୍ତଙ୍କ ଦୁଃଖ ଦୂର କର । ଧରା ଶାନ୍ତି ହେଉ । ତାଙ୍କର ଦୀର୍ଘ ପ୍ରାର୍ଥନାରେ ନବୀନ ପଟ୍ଟନାୟକ ଏକ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣ ପାଇଁ ବି କହନ୍ତି । କାରଣ ସେମାନେ ଦେଶର ପ୍ରମୁଖ ଅଟନ୍ତି । ଯିଏ ଶାସନକୁ ଆସିଲା ତାର କଲ୍ୟାଣ କାମନା କରନ୍ତି । ତାଙ୍କ ମତରେ ରାଜା ଯଦି ଶାନ୍ତିରେ ରହିଲେ ସେ ଦେଶକୁ ଶାନ୍ତିରେ ରଖି ପାରିବେ ।
ଦୁର୍ଗମ ପାହାଡ଼ ଭିତରକୁ ସର୍ବଶକ୍ତିମାନ ସରକାର ପହଞ୍ଚିପାରିବା କଠିନ କିନ୍ତୁ ସେ ପାହାଡ଼ର ଜଣେ ଆଦିବାସୀ ମତ ମତାନ୍ତରରୁ ଊଦ୍ଧ୍ୱର୍ରେ ରହି ନିଜର କର୍ତ୍ତବ୍ୟ କରି ·ଲିଛନ୍ତି । ଜନସେବା ହିଁ ତାଙ୍କର ଶେଷଧର୍ମ ।
ଏ ପତ୍ରକାରର ପ୍ରଶ୍ନ ଥିଲା, “ଆପଣ ଔଷଧ ଦେଉଛନ୍ତି, ରୋଗୀ ଠିକ କରୁଛନ୍ତି, ଏପରିକି ନିଜ ଘରେ ରଖି ଖାଇବା ପିଇବା ଦେଇ ବି ଚିକିତ୍ସା କରୁଛନ୍ତି । ବ୍ୟବସାୟ କରୁନାହାନ୍ତି । ଆପଣ ଖୋଜୁଛନ୍ତି କାହାକୁ?
ତାଙ୍କର ସରଳ ଉତ୍ତର ଥିଲା, ମୁଁ ଧର୍ମକୁ ଖୋଜୁଛି ।
ରିକିରାମ ସୌରୀ ଜଣେ ସନ୍ଥ; ପାହାଡ଼ର ସନ୍ଥ ଅଟନ୍ତି ।
ଶ୍ରୀଯୁକ୍ତ ରିକିରାମ ସୌରୀ; ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ । ପତ୍ରକାର ହେବା କାରଣରୁ ସେ ମଣିଷକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା ହେବା ସ୍ୱଭାବିକ । ବନ୍ଧୁ ବିଘ୍ନରାଜ ରାଉତ ଏବଂ ମୁଁ ବାହାରିଲୁ ଖୁରସିଗୁଭା ଗାଁକୁ ।
ସମଗ୍ର ଗୁଡ଼ା-ରାଇଜକୁ ବର୍ତ୍ତମାନ ତିନିଭାଗରେ ଭାଗରେ ଦେଖିହେବ । ଛତିଶଗଡ଼ ମୈନପୁର ଅଞ୍ଚଳ, ଓଡ଼ିଶା ସୁନାବେଡ଼ା ଓ ପାଟଧରା ଅଞ୍ଚଳ । ପାଟଧରା ଅଞ୍ଚଳର ଲୋକ ପାଣି ପାଇଁ ବିକଳ ହେଇ ଆସୁଛନ୍ତି କେଉଁ ଅନାଦି କାଳରୁ । ନୂଆପଡ଼ା ଜିଲ୍ଲା, ବୋଡ଼େନ ବ୍ଲକ ଭଏଁସାଦାନୀ ଗ୍ରା.ପ ଅଧିନରେ ଆସେ ପାଟଧରା ଅଞ୍ଚଳ । ଧୋବଘାଟ, ସାଇନିପରା, କୁପଟିଆମ, କାଠଫେର, ଭଏଁଷମୁଡ଼ି ଆଦି ଗାଁ ସମେତ ଅନେକ ହାମଲେଟ୍ ଆସିଥାଏ । ଅତିକମ୍ରେ ପାଟଧରା ଗୋଟିଏ ଗ୍ରାମ ପଞ୍ଚାୟତ ହେବା ଉଚିତ । ଭୌଗଳିକ ଦୃଷ୍ଟିକୋଣରୁ ଭଏଁସାଦାନୀ ଗ୍ରା.ପ ରୁ ୯କି.ମି ସାତଟି ପାହାଡ଼ ଚଢ଼ିଲେ ଆସେ ଧୋବଘାଟ ନଦୀ(ପାଟଧରା ନଦୀ) । ନଦୀ ଡେଇଁଲେ ଧୋବଘାଟ ଗାଁ । ଧୋବଘାଟ ଗାଁରୁ ରାସ୍ତା ଦୁଇଭାଗ ହୋଇ ପୂର୍ବକୁ କୁପଟିଆମ ଓ ଦକ୍ଷିଣକୁ ପାଟଧରା, ଭଏଁଷମୁଡ଼ି ଏବଂ ତା’ ପରକୁ ଛତିଶଗଡ଼ କୁକୁଡ଼ାର ଆଦି ଡ଼େଇଁ ପଡ଼େ ସୁନାବେଡ଼ା ।
ପାହାଡ଼ ଉପରର ଗାଁମାନ କିଛି ଋତୁଜନିତ ପାଣିଝର ଓ ଝରଣାମାନଙ୍କ ମିଶ୍ରଣରେ ହୋଇଥିବା ପାଟଧରା ନଦୀ । ଯାହା ପାହାଡ଼ ଉପରୁ ବହିଆସି ଲୋୟରଇନ୍ଦ୍ର ଜଳଭଣ୍ଡାରରେ ମିଶିଛି । ପାହାଡ଼ ଉପରେ ହିଁ ତାର ଅନେକ ନାମ । ନଦୀର ଖାଲୁଆ ଅଞ୍ଚଳ ଯେଉଁଠି ପାଣି ରହେ ତାହାର ବି ଭିନ୍ନ ଭିନ୍ନ ନାମ ଅଛି ସ୍ଥାନ ବିଶେଷରେ । ପିଇବା ପାଇଁ ଲୋକେ ଏହି ପ୍ରାକୃତିକ ସ୍ରୋତମାନଙ୍କ ଉପରେ ନିର୍ଭର କରନ୍ତି । କିଛି ନଳକୂଅ ହୋଇଛି । ସୌରଶକ୍ତି ଚାଳିତ ନଳକୂପମାନ ସ୍ୱାସ୍ଥ୍ୟ ଅନୁକୂଳ ପାଣି ଦିଏ, ଏହାର ଗ୍ୟାରେଣ୍ଟି ଜନସ୍ୱାସ୍ଥ୍ୟ ବିଭାଗ ଦେଇ ନାହାନ୍ତି । ଲୋକେ ଏହି ପାଣି ପିଉଛନ୍ତି । ଫ୍ଲୁରୋସିସ ପ୍ରଭାବରେ ଛୁଆମାନଙ୍କ ଦାନ୍ତ ବଗଡ଼ିଆ ହୋଇଯାଇଛି ।
ସାଧାରଣ ପାଣି ଉପରେ ଅବହେଳାକୁ ଦେଖିଲେ ଅନ୍ୟ ଅନେକ ସୁବିଧା ସେମାନେ ପାଉଥିବେ, ଏହା ନିଶ୍ଚୟ ଏକ ପ୍ରଶ୍ନ । ଅନେକ ବର୍ଷ ହେଲା ପାଟଧରାବାସୀ ଭୋଟ ବର୍ଜ୍ଜନ କରିଛନ୍ତି । ଯେହେତୁ ତାଙ୍କ ଭୋଟ କୌଣସି ହାରଜିତର ନିର୍ଣ୍ଣୟ କରେ ନାହିଁ; ସେଥିପାଇଁ ତାଙ୍କ ପ୍ରତିବାଦକୁ କେହି ଗୁରୁତ୍ୱ ଦେଇନାହାନ୍ତି ଆଜି ପର୍ଯ୍ୟନ୍ତ ।
ବୋଡ଼େନରୁ ଭଏଁଷାଦାନୀ ୧୨ କି.ମି., ଏଠାରୁ ଗୋଟିଏ କି.ମି.ପରେ ଆସେ ସୁରକ୍ଷାବଳର କ୍ୟାମ୍ପ, ତା’ପରେ ଆରମ୍ଭ ହୁଏ ପାଟଧରା ଘାଟି । ୯କି.ମି ସାତଟି ପାହାଡ଼ ଡେଇଁଲା ପରେ ପାଟଧରା/ଧୋବଘାଟ ନଦୀ ଓ ତା’ ପରେ ପରେ ଏକ ବିସ୍ତୀର୍ଣ୍ଣ ଭୂଗୋଳ ।
ପାଣି ବଢ଼ିଥିବା ଯୋଗୁଁ ଦୁଇଥର ପାଟଧରା ନଦୀ ପାଖରୁ ଫେରିଥିବା ଏହି ପତ୍ରକାର ତୃତୀୟ ଥର ଜଣେ ଡ୍ରାଇଭର ଭାଇର ସାହସଯୋଗୁଁ ଗାଁମାନଙ୍କୁ ପହଞ୍ଚି ପାରିଥିଲା । ସ୍ଥାନୀୟ ଯୁବକମାନଙ୍କ ପରାମର୍ଶ ୧୦୦ସିସି ବାଇକ ସବୁଠାରୁ ଉତ୍ତମ ଉପତ୍ୟକାର ଅନେକସ୍ଥାନକୁ ପହଞ୍ଚôବା ପାଇଁ । ଗତ ଜାନୁୟାରୀ ୨୦ ତାରିଖ ପାଟଧରା ନଦୀରେ ପାଣି ନ ଥିଲା । ଧୋବଘାଟରୁ ସାଇନିପରା ଯାଇ ସେଠାରୁ ପୁଣିଥରେ ପାଟଧରା ନଦୀକୁ ଡେଇଁବାକୁ ହେଲା । ଯେଉଁଠି କାଁ ଭାଁ ପାଣି । ଯେଉଁ ପାଣି ହିଁ ଖୁରସିଗୁଭା ଗାଁର ସର୍ବସ୍ୱ ।
କଦେଲଝରନ, ଗୁଡ଼ାରାଇଜର ଅନେକ ପ୍ରାଗୈତିହାସିକ ସ୍ଥଳୀ ମଧ୍ୟରୁ ଗୋଟିଏ । ଏହିଠାରୁ ଗୋଟିଏ ଝରଣା ଅନେକ ସ୍ରୋତ ହୋଇ ବାହାରିଛି । କିଛି ସ୍ରୋତ ଛତିଶଗଡ଼ ପଟକୁ ଯାଇଥିଲାବେଳେ କିଛିସ୍ରୋତ ପାଟଧରା ନଦୀ ତିଆରିଛନ୍ତି । ଝରଣା ଧାରମାନଙ୍କ ବଫୁ ହୁଏନାହିଁ ନଦୀକୁ ଚିରସ୍ରୋତା ରଖିବାକୁ । କାରଣ ସେମାନେ ଅସଙ୍ଗଠିତ ହୋଇ ନିଜ ନିଜ ଇଚ୍ଛାରେ ବହି ଯାଉଥାନ୍ତି । ଗାଁଲୋକ ନଦୀର ପାଣି ଅନୁସାରେ ନିଜ ଆବଶ୍ୟକତାକୁ ସନ୍ତୁଳିତ ରଖନ୍ତି ।
ମହୁଲ, ଚାଁର ଓ ଲାଖ ଗଛର ବହୁଳତା, ସାମାନ୍ୟ ବିସ୍ତୀର୍ଣ୍ଣ ଜମିର ମଝିରେ ମଝିରେ ରହିଅଛି । ତା’ପରକୁ ଘଂଚ ଜଙ୍ଗଲ । ଜଙ୍ଗଲ ଭିତରେ ବାଘଭାଲୁ । ଗାଁଲୋକ ଜାଣନ୍ତି କେଉଁ ବାଘ କେଉଁ ରାସ୍ତାରେ ଯାଏ! ଜୀବଜନ୍ତୁଙ୍କ ସହ ପଡ଼ୋଶୀତୁଲ୍ୟ ରହନ୍ତି । ପଶୁ ତାଙ୍କର ହିଂସ୍ରତା ନେଇ ଓ ମଣିଷ ତା’ର ଦୁଃଖସୁଖର ମାନବତା ନେଇ । ଲୋକେ ଅନାୟାସରେ ମହୁଲ, ଚାଁର, ଲାଖ, ବାଉଁଶ ଔଷଧୀୟ ଗଛଲତା ଆଦି ସଂଗ୍ରହ କରନ୍ତି ଏବଂ ବାଘ ତା’ର ନିଜର ଶିକାର । କେହି କେବେ ସାମ୍ନାସାମ୍ନି ହେଲେ ସଂଭ୍ରମତାର ସହ ବାଟ ଦିଆଦୁଇ ହୁଅନ୍ତି । ମଣିଷ ଓ ବାଘ ଯେମିତି ପରସ୍ପର ନିଜ ନିଜର ଭାଷା ବୁଝି ପାରନ୍ତି । କିନ୍ତୁ ହାତୀ ଅମାନିଆ ହୋଇଯାଏ । ତିରିଶରୁ ପଚାଶ ହାତୀ ଆସନ୍ତି ତାଙ୍କ ସମୟରେ । ଫସଲ ନଷ୍ଟ କରନ୍ତି । ହାତୀ ଆସିଲେ ଉପତ୍ୟକାକୁ ବିପଦ ଆସେ । ଧାନ ଫସଲ ଆଦି ନଷ୍ଟ କରିଦିଏ । ହାତୀକୁ ତ ଲୋକେ ଘଉଡ଼େଇ ପାରିବେ ନାହିଁ । ନେହୁରା ହୁଅନ୍ତି । ହାତୀକୁ ଭଗବାନ କହନ୍ତି । ନିଜନିଜ ଭାଷାରେ ହାତୀର ସ୍ତୁତି କରନ୍ତି ଏବଂ ହାତୀର କୋପ ଶାନ୍ତ କରିବା ପାଇଁ ହାତୀ ଜଣାଣ କରନ୍ତି । କିଏ ଜଣେ ବିଜ୍ଞ, ହାତୀଜନିତ ଦୁଃଖର କାହାଣୀ ଶୁଣିଲେ । ଉପଦେଶ ଦେଲେ ଗଣେଶ ପୂଜା କଲେ ହାତୀ ଆସି ଫସଲ ନଷ୍ଟ କରିବେ ନାହିଁ । ଲୋକେ ଗାଁ ଗାଁରେ ଗଣେଶ ପୂଜା କଲେ । ହାତୀଙ୍କ ପାଖକୁ ଖବର ଗଲା ନାହିଁ ଗଣେଶ ପୂଜାର । ଚଳିତବର୍ଷ ପୁଣି ଲୋକଙ୍କ ଫସଲ ନଷ୍ଟ କରେ; ଲୋକେ ଗଣେଶ ପୂଜା ବି କରନ୍ତି । ରିକିରାମ ସୌରୀ ତାଙ୍କ ଜମିରୁ ଯାହା ଆମଦାନୀ କରନ୍ତି ଚଳନ୍ତି ବର୍ଷ ବିହନ ପର୍ଯ୍ୟନ୍ତ ବି ଧାନ ପାଇଲେ ନାହିଁ ।
ହାତୀ ଫସଲ ନଷ୍ଟ କଲେ ଜଙ୍ଗଲ ବିଭାଗ କ୍ଷତିପୂରଣ ଦେବାକଥା । କିନ୍ତୁ ପାଟଧରା ସୁନାବେଡ଼ା ଉପତ୍ୟକା ତଥା ହାତୀ ଉପଦୃତ ଅଞ୍ଚଳର କାହାଣୀ ଅଲଗା । ଏଠାରେ ଜଙ୍ଗଲ ଜମି ଓ ନିଜର ସାମାନ୍ୟ ରୟତି ଜମିରେ ଲୋକ ଚାଷ କରନ୍ତି କେଉଁ ଅନାଦି କାଳରୁ । ସରକାରଙ୍କ ଖାତାରେ ସବୁ ଜମି ଜଙ୍ଗଲର । କିନ୍ତୁ ପୁରୁଷାନୁକ୍ରମେ ଚାଷ କରୁଥିବା ଜମିର ହିସାବକୁ ବି ବିଭାଗର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜାଣି ପାରି ନାହିଁ । ଜାଣିବାକୁ ଚେଷ୍ଟା କରିନାହିଁ । ତେଣୁ ହାତୀ ଯାହା ବି ଧାନ ଖାଏ କି ଫସଲ ନଷ୍ଟକରେ ବିଭାଗ କ୍ଷତିପୂରଣର ଦାୟ ରଖେ ନାହିଁ । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ମଧ୍ୟ ସମସ୍ତ ଲୋକ ନିଜ ନିଜର ଅଧିକାର ପାଇ ନାହାନ୍ତି । ହୁଏତ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ ପାଇଁ ଲୋକେ ନିଜ ନିଜର ଜମିରୁ ବିମୁଖ ହୁଅନ୍ତୁ; ଏହି ଉଦେ୍ଦଶ୍ୟ ରହିଥାଇପାରେ ସରକାରଙ୍କ ।
କିନ୍ତୁ ଶ୍ରୀ ରିକିରାମ ସୌରୀ ନିଜ ଫକିରୀରେ ମଗ୍ନ । ପରିବାର ଅଛି, ସ୍ତ୍ରୀ ଯଜ୍ଞଦେଈ ଓ ଚଉଦ ବର୍ଷର ପୁଅ ସୁରେଶ । ଯଜ୍ଞଦେଈ ଘର ସମ୍ଭାଳି ନିଅନ୍ତି ଏବଂ ରିକିରାମ ନିଜର ପୃଥିବୀ ।
ସକାଳୁ ଉଠି ଗାଧୋଇ ପଡ଼ନ୍ତି ଫି’ଦିନ । ଶୀତ ଦିନେ ଖରେଲ(ବରଫ) ପଡ଼ିଥିଲେ ବି ତାଙ୍କ ଦିନଚର୍ଯ୍ୟାରେ ବ୍ୟାଘାତ ହୁଏ ନାହିଁ । ଦୁଇଟି କପଡ଼ା ହିଁ ତାଙ୍କର ପରିଧାନ । ସେ ଆସି ଅଁତରା ପାଖରେ ବସନ୍ତି, ଭଜନ ଗାଆନ୍ତି । ଛପନ କୋଟି ଜୀବ, ବାବନ କୋଟି ଭଣ୍ଡାରର ସୁରକ୍ଷା କାମନା କରନ୍ତି । ନିଜର ପରିବାର ପଡ଼ୋଶୀ, ଗାଁ, ଜିଲ୍ଲା ଦେଶ ପୃଥିବୀର ସମସ୍ତ ଲୋକ, ସମସ୍ତ ଜୀବଜନ୍ତୁଙ୍କ ମଙ୍ଗଳ କାମନା କରନ୍ତି ତାଙ୍କ ନିଜସ୍ୱ ଶୈଳୀରେ ଗାଉଥିବା ଭଜନରେ । ଝୁମକା-ଠିକଡ଼ି ଧରି ତାଙ୍କ ଜଣାଣରେ ସରକାରଙ୍କ ମଧ୍ୟ ମଙ୍ଗଳ କାମନା କରନ୍ତି ।
ହାତୀ ପରି ସରକାର ମଧ୍ୟ ତାଙ୍କ ନିତ୍ୟ ଜଣାଣ ବିଷୟରେ ଅନଭିଜ୍ଞ ଅଟନ୍ତି । କୌଣସି କାରଣରୁ ସରକାର ତାଙ୍କୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କଲେ । ତାଙ୍କୁ ଗୋଟିଏ କାର୍ଯ୍ୟାଦେଶ ଦେଲାପରେ ଶ୍ରୀ ସୌରୀ ନିଜ ଘର ତିଆରି ଆରମ୍ଭ କଲେ । ଛଡ଼ କ୍ୱିଣ୍ଟାଲକୁ ପାଞ୍ଚ ହଜାର ଦରରେ ଚାରି କ୍ୱିଣ୍ଟାଲ ଛଡ; କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚରେ ନିହ; ଛଅ ହଜାର ଟଙ୍କା ବାଲି ଟି୍ରପ୍, ଗୋଟିଏ ଟ୍ରାକ୍ଟର ଇଟା, ମଜୁରୀ ଆଦି ମିଶି ପାଖାପାଖି ନବେ ହଜାର ଟଙ୍କା ଖର୍ଚ୍ଚ କଲାପରେ ଘର ତିନିଫୁଟ ଉଠିଛି । ସେ ବାରମ୍ବାର ଗଲେ ବ୍ଲକ୍ କାର୍ଯ୍ୟାଳୟ ବୋଡ଼େନକୁ । ସେଠାକାର କୌଣସି ବାବୁ କହିଲେ ତୁମ ଟଙ୍କା ବ୍ୟାଙ୍କରୁ ନିଅ । ସେ ବ୍ୟାଙ୍କକୁ ଗଲେ । ବ୍ୟାଙ୍କ, ବ୍ୟାଙ୍କମାନଙ୍କ ଉପଶାଖା କିଓସ୍କବ୍ୟାଙ୍କକୁ ଗଲେ । ଗୋଟିଏ ପରେ ଗୋଟିଏ ଶାଖା । ହେଲେ ତାଙ୍କ ଖାତାରେ ଟଙ୍କା ନାହିଁ । ବହୁତ ଦିନ ଚେଷ୍ଟା କଲାପରେ ସେ ଜାଣିଲେ ଯେ ତାଙ୍କ ଖାତାରେ ଚାଳିଶ ହଜାର ଟଙ୍କା ପଡ଼ିଛି । ସେ ଟଙ୍କା ନେଇ ଖର୍ଚ୍ଚ କଲେ । ପୁଣି ମନସ୍ତ କଲେ ଅଧା ଘରକୁ ପୁରା କରିବେ । ଟଙ୍କା ପାଇଁ ବ୍ୟାଙ୍କ, କିଓସ୍କ ବ୍ୟାଙ୍କ ଆଦି ଯାଇ ବିଫଳ ହେଲାପରେ ବୋଡ଼େନ ବ୍ଲକକୁ ଗଲେ । ସେଠାରେ ଜାଣିଲେ ଯେ ସେ ସବୁ ଟଙ୍କା ପାଇ ସାରିଛନ୍ତି । ଆଶ୍ଚର୍ଯ୍ୟ ହେଲେ କିନ୍ତୁ ପ୍ରତିବାଦ କରିବା ଉପାୟ ତାଙ୍କୁ ଜଣା ନ ଥାଏ । ତେଣୁ ସେ ଚୁପ୍ ରହନ୍ତି । ତାଙ୍କ ଭାଷାରେ ଯେଉଁଦିନ ଭଗବାନଙ୍କ କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିବ, ସେଦିନ ତାଙ୍କ ଘର ପୁରା ହେବ ।
କାହା ପ୍ରତି ଅଭିଯୋଗ ନାହିଁ କି ଆରୋପ ନାହିଁ । ଭଗବାନ ନ ଚାହିଁଲେ ଚରାଚରରେ କିଛି ହୁଏ ନାହିଁ । ତାଙ୍କ ଘର ବି ସେହି ନିୟନ୍ତାଙ୍କ ନିୟମ ଭିତରେ ଆସେ । ବାସ୍! ଭଗବାନଙ୍କ ଉପରେ ଘର ଚିନ୍ତା ଛାଡ଼ି ଦେଇ ସେ ପ୍ରତିଦିନ ସକାଳୁ ଗାଧୋଇ ସମସ୍ତ ଜଗତ, ଚରାଚରର ମଙ୍ଗଳ କାମନା କରି ପ୍ରାର୍ଥନା କରୁଥାନ୍ତି । ଏପରିକି ମୋଦୀ ସରକାରଙ୍କ ମଧ୍ୟ ମଙ୍ଗଳ କାମନା କରୁଥାନ୍ତି । ଗଣେଶ ପୂଜାର ଖବର ହାତୀ ନ ଜାଣିପାରିଲା ପରି ତାଙ୍କର ଅସୁବିଧା କି ଆବାସ ଟଙ୍କା ଚୋରି କଥା ସରକାର ଜାଣନ୍ତି ନାହିଁ । ଏହି ପତ୍ରକାର ସଂପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ପଚାରିଲା । ନିଜର ସୀମିତ ବୁଦ୍ଧିରେ ଯାହା ବୁଝିଲା; ଉତ୍ତର ବେଶ୍ ସୁନ୍ଦର ଥିଲା । ବୋଡ଼େନ ବ୍ଲକ କାର୍ଯ୍ୟାଳୟ ସରକାରୀ ନିୟମ ସମେତ ସମସ୍ତ ଦୈବୀ ନିୟମକୁ ଯେହେତୁ ପାଳନ କରିଥାଏ, ଏତାଦୃଶ ଘଟଣା ଅସମ୍ଭବ ଅଟେ । ଅବଶ୍ୟ ଜିଲ୍ଲାଧିକାରୀ ରିକିରାମଙ୍କ ଟଙ୍କାଚୋରି ଉପାଖ୍ୟାନର ସତ୍ୟତା ପାଇଁ ଧ୍ୟାନ ଦେବା କଥା । କାରଣ ବ୍ଲକ ବାବୁମାନଙ୍କ ବୁ୍ୟହଭେଦ ଜ୍ଞାନ ଆମ ପାଇଁ ଅସମ୍ଭବ ।
ରାତି ୯ଟା ସମୟ ହେବ; ଜଙ୍ଗଲରେ ଏହା ବହୁତ ରାତି । ଶ୍ରୀଯୁକ୍ତ ରିକିରାମ, ମୁଁ ଏବଂ ବନ୍ଧୁ ବିଘ୍ନରାଜ ଅଁତରା ପାଖରେ ବସି ଗପ କରୁଥାଉ । ଜଙ୍ଗଲ ଭିତରୁ କିଏ ଜଣେ ଟର୍ଚ୍ଚ ମାରି ଆସୁଥିଲେ । ବାବା କହିଲେ କାହାର କିଛି ଅସୁବିଧା ହୋଇଥିବ । ସତକଥା, ଜଣେ ଯୁବକ ଆସି ବାବାଙ୍କୁ ତାଙ୍କ ସ୍ତ୍ରୀ ଅସୁବିଧାରେ ଥିବା କଥା କହିଲେ । ରୋଗର ଚରିତ୍ର ବିଷୟ ବୁଝି ବାବା ତାଙ୍କୁ ଔଷଧ ପ୍ରସ୍ତୁତ କରିଦେଲେ ।
ପରଦିନ ସକାଳୁ ଉଠି ନିତ୍ୟକର୍ମ ସାରିଲା ବେଳକୁ ଦୂରରୁ ଗୋଟିଏ ସମ୍ବଲପୁରୀ ପୁରୁଣା ଗୀତ ବାଜୁଥିବାର ଶୁଣିଲୁ । କାହାର କୌଣସି ଉତ୍ସବ ଥିବ! କିନ୍ତୁ ପରେ ଜାଣିଲୁ ରାତିରେ ଯାହାପାଇଁ ଔଷଧ ନିଆ ଯାଇଥିଲା, ସେ ମହିଳାଜଣକ ସୁସ୍ଥ ହୋଇଛନ୍ତି ।
ଘଂଚ ଜଙ୍ଗଲ । ଯାହାକୁ ସରକାର ସୁନାବେଡ଼ା ବ୍ୟାଘ୍ର ପ୍ରକଳ୍ପ କରିବାକୁ ଇଚ୍ଛା କରିଛନ୍ତି । ଲୋକେ ଉଦବାସ୍ତୁ ହେବେ । ପୁରୁଷ ପୁରୁଷ ଧରି ରହୁଥିବା ଜମି ସରକାରୀ ଖାତାରେ ଲେଖା ହୋଇନାହିଁ ବୋଲି ସେ ଜଙ୍ଗଲ ଜମିରେ ମଣିଷ ନାହାନ୍ତି । ଏହି ଭ୍ରମ ତିଆରି କରେ ଆଇନ । ଲୋକେ କିନ୍ତୁ ଜଙ୍ଗଲରୁ ନିଜର ଜୀବିକା ବାଛି ନିଅନ୍ତି । ଚାଷ କରନ୍ତି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକି୍ର କରନ୍ତି କୁଚିଆ ମହାଜନକୁ । ସରକାରଙ୍କ ଧାର୍ଯ୍ୟମୂଲ୍ୟଠୁ ବହୁତ କମ୍ ଦରରେ । ପହରିଆ ଲୋକ ବାଉଁଶ ଆଣି ଗୃହୋପକରଣ ତିଆରି କରନ୍ତି । ଥରେ ହାତୀ ଆସିଲେ ବାଉଁଶକୁ ବହୁତ କ୍ଷତି କରେ । ଫଳରେ ବହୁ ଦୂରକୁ ଜଙ୍ଗଲ ଭିତରକୁ ଯିବାକୁ ହୁଏ । ସରକାର, ଆଇନ, ପୋଲିସ, ମାଓବାଦୀ, ମହାଜନ, ଜଙ୍ଗଲ ପାଣି ଓ ପେଟ; ଗୋଟିଏ ଅବୋଧ୍ୟ ଚକ୍ରବୁ୍ୟହ ତିଆରି କରନ୍ତି । ଏ ଭିତରେ ଜଙ୍ଗଲର ମଣିଷ ଜିଲ୍ଲାର ଅନ୍ୟ ଅଞ୍ଚଳ ପରି ଦାଦନ ଯାଆନ୍ତି । ଯେଉଁଠାକୁ ସରକାର ପହଞ୍ଚିବା ପାଇଁ ଏତେ ମଠ, ସେଠାରୁ ଦାଦନ ଦଲାଲ ଅନେକ ପରିବାରକୁ ନେଇ ଦକ୍ଷିଣ ରାଜ୍ୟରେ ସାମୟିକ ବିକି୍ର କରି ଦେଇପାରେ । ସେମାନେ ଫେରନ୍ତି; ବିଧି ଅନୁସାରେ ଶୁଦ୍ଧ ହେଲାପରେ ଗାଁକୁ ପଶନ୍ତି । ମୁଖ୍ୟତଃ ପହରିଆ ଜାତିର ଲୋକ ଦାଦନ ଯାଇଥାନ୍ତି । କାରଣ ସେମାନେ ଅନ୍ୟାନ୍ୟ ପଛୁଆ ବର୍ଗରେ ଆସିଥାନ୍ତି । ତାଙ୍କର ଦୁଃଖ କାହାଣୀ ଶୁଣିବାକୁ କେହି ନ ଥାନ୍ତି ।
ସୁନାବେଡ଼ା ଅଞ୍ଚଳରେ ସିବିଡ଼ିଏ (ଚକୋଟିଆ ଭୁଞ୍ଜିଆ ଡେଭଲପମେଣ୍ଟ ଏଜେନ୍ସି) କେଳେଙ୍କାରୀ ଘଟଣା ବିଷୟରେ ଖବର ସଂଗ୍ରହ କରୁଥିବାବେଳେ ସେଠାକାର ଲୋକ କହିଲେ ଯଦି ସରକାର ନିଜର ମନମାନି ନ କରି ପାଣିର ବ୍ୟବସ୍ଥା କରନ୍ତା, ତା’ହେଲେ ଲୋକେ ସରକାର ଉପରେ ଭରସା ନକରି ଆତ୍ମନିର୍ଭର ହୋଇ ପାରନ୍ତେ । ତଦୃପ ଅବସ୍ଥା ପାଟଧରାର । କଦେଲଝରନର କିଛି ଝରଣାକୁ ବ୍ୟବସ୍ଥିତ କରି ପାଟଧରା ନଦୀରେ ପକାଯାଇପାରନ୍ତା । ସେହି ନଦୀର ଟିକିଏ ତଳକୁ ପଟୁଆପରଲି ନିକଟରେ ଗୋଟିଏ ଛୋଟ ବନ୍ଧ ତିଆରି କରିଦେଲେ ଛୋଟ କେନାଲ ଦ୍ୱାରା କୁପଟିଆମ, ଖରସିଗୁଭା, ସାଇନିପରା, ଧୋବଘାଟ, କୁଇମୁଡ଼ା, ଦରଲିପଡ଼ା, ପାଟଧରା, କୋଦୋଭଟା ଗାଁକୁ ଜଳସେଚିତ କରାଯାଇପାରନ୍ତା । କିଛି ଗାଁ ଦୁଇଥର ଚାଷ ହୋଇପାରନ୍ତା ।
ବଣ୍ୟ ସମ୍ପଦାରେ ଭରପୁର ପାଟଧରା ପ୍ଲାଟୁକୁ ସ୍ୱାସ୍ଥ୍ୟସେବା ପହଞ୍ଚିବା ଦୁଷ୍କର ହୋଇଯାଏ ସରକାରଙ୍କ ଲାଗି । ସେହି ଅରଣ୍ୟ ଭିତରେ ଶ୍ରୀଯୁକ୍ତ ରିକିରାମ ସୌରୀ ଜଣେ ମଣିଷ ଯିଏ ନିଜ ପାଇଁ କମ୍, ଲୋକଙ୍କ ପାଇଁ ଅଧିକ ବଞ୍ଚନ୍ତି । କୌଣସି ରୋଗ ବଇରାଗ ହେଉ କି ପ୍ରସୂତୀଙ୍କ ଦୁଃଖ ସେ ହିଁ ମୋଚନ କରିଥାନ୍ତି । ଗୁଡ଼ାରାଇଜରେ ତାଙ୍କର ସ୍ୱତନ୍ତ୍ର ସମ୍ମାନ ରହିଅଛି । ତାଙ୍କ ମାଁ କୌଶଲ୍ୟା ଦେବୀ, ପ୍ରସୂତୀଙ୍କ ପାଇଁ ଦେବୀତୁଲ୍ୟ ଥିଲେ । ଏପରିକି ପ୍ରସବ ହୋଇ ପାରୁ ନଥିବା ସମୟରେ ସେ ଅନାୟାସରେ ପ୍ରସବ କରେଇ ପାରୁଥିଲେ । ମାଁଙ୍କ ମୃତୁ୍ୟପରେ ହିଁ ପ୍ରସୂତୀଙ୍କୁ ବୋଡ଼େନ ଆଦି ଡାକ୍ତରଖାନା ନେଉଛନ୍ତି ।
ଚଳନ୍ତି ସମୟର ଜନନୀ ସୁରକ୍ଷା ଆଇନ ଆଧାରରେ ଟଙ୍କା ବି ପ୍ରସୂତୀଙ୍କୁ ମିଳେ । କିନ୍ତୁ ଜନନୀ ସୁରକ୍ଷା ଆମ୍ବୁଲାନ୍ସ ପାଟଧରାକୁ ପହଞ୍ଚେ ନାହିଁ କେବେ ବି । ଏକଦା ଧୋବଘାଟର ଲୋକେ ଆନେ୍ଦାଳନ କଲାପରେ ଥରେ ମାତ୍ର ଜନନୀସୁରକ୍ଷା ଗାଡ଼ି ପହଞ୍ଚିଛି । ତା’ପରେ ପାଟଧରା ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ବିଭାଗର ଗାଡ଼ି ଦେଖି ନାହାନ୍ତି । ପ୍ରସୂତୀଙ୍କୁ ଡାକ୍ତରଖାନା ନେବାକୁ ଘରୋଇ ଗାଡ଼ି ହିଁ ଭରସା । ଛଅ/ସାତ ହଜାର ଟଙ୍କା ଥରକୁ ଭଡ଼ା ଦେଇ ଲୋକେ ପ୍ରସବ ପାଇଁ ବୋଡ଼େନକୁ ଆସନ୍ତି ।
କଣ କଲେ ଆପଣ ଠିକରେ ନିଜ କାମ କରି ପାରନ୍ତେ?
ଉତ୍ତରରେ କହନ୍ତି ଆମ ଗାଁକୁ ଗୋଟିଏ ନଳକୂପ ଦରକାର । ମୋ ପାଇଁ ଗୋଟିଏ ମନ୍ଦିର ଦରକାର । ମନ୍ଦିର ଅର୍ଥ ଆଶ୍ରମ ଯେଉଁଠାରେ ମହାଦେବ ପୂଜା ପାଇବେ ଏବଂ ସେଠାରେ ରୋଗୀ ବି ରହିବେ । ଯାହାଙ୍କ ଚିକିତ୍ସା ସମୟରେ ରହିବା ପାଇଁ କୌଣସି ଅସୁବିଧା ହେବନାହିଁ ।
ସରକାରଙ୍କ ଅନେକ ଦାୟିତ୍ୱ ଶ୍ରୀଯୁକ୍ତ ରିକିରାମ ନିଜ ମୁଣ୍ଡକୁ ନେଇଛନ୍ତି । ଏକଥା ସରକାର ଜାଣେ ନାହିଁ; ଏଥିଲାଗି ହିଁ ତାଙ୍କ ଆବାସ ଟଙ୍କାକୁ ଖାଇବା ପାଇଁ କୌଣସି ପ୍ରକାରେ ସରକାରୀ ଲୋକ ଦ୍ୱିଧା କରନ୍ତି ନାହିଁ ।
ଅନେକ ଅସୁବିଧା ଭିତରେ ଶ୍ରୀଯୁକ୍ତ ରିକିରାମ ସୌରୀ ନିଜର ଚିକିତ୍ସାକର୍ମକୁ ବିନା ପ୍ରତିବଦଳରେ କରି ଆସୁଛନ୍ତି । ପ୍ରକୃତରେ ସେ ଜଣେ ଫକୀର, ପାହାଡ଼ର ସନ୍ଥ ।
Photo credit-https://bit.ly/3wfHIzV
Comments
0 comments