ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ । ମୁନିଗୁଡ଼ା ବ୍ଲକ ବଜାରରୁ ଭୈରବଗଡ଼ ଓ କୁମଡ଼ାବାଲି ଗାଁ ଦେଇ ଯେଉଁ ରାସ୍ତା ଆଗକୁ ଲମ୍ବି ଯାଇଛି, ସେହି ରାସ୍ତାରେ ଜଗଦଲପୁର, କାଳିକୋଳଥ ରାସ୍ତାରୁ ବାଁ ହାତି ଭାଙ୍ଗିଗଲେ କୁଟ୍ରାଘାଟିକୁ ବାଟ । ମୁଖ୍ୟରାସ୍ତାର ଦୁଇ କଡ଼ରେ ନୀଳଗିରି ଗଛ ଜମାଟ ବାନ୍ଧିଛନ୍ତି । ନୀଳଗିରି ଗଛ କେବଳ ନୁହେଁ, କପା ବି ଖିଲି ଖିଲି ହସୁଛି । ଏକର ଏକର ଧରି ନୀଳଗିରି ଗଛର ଜମାଟ ସ୍ଥାନୀୟ ଅର୍ଥନୀତି ଅବା ଆଦିବାସୀ ଜନସମୁଦାୟର ଅର୍ଥନୀତିକୁ ମଜବୁତ୍ କରୁଛି କି ଧୂଳିସାତ୍ କରିଛି; ତା’ର ଚିତ୍ର ସକ୍ରିୟ ଓ ସ୍ପଷ୍ଟ ।
କୁଟ୍ରାଘାଟି ଗାଁର ଅବସ୍ଥିତି
ସିକେଇ ଡଙ୍ଗର ଓ ଗୁଡ଼ିଆକୁ ଲାଗିଛି କୁଟ୍ରାଘାଟି ଗାଁ । ବେଙ୍ଗେନାଳ । ନଈରୁ ଛୋଟ, ନାଳଠୁ ବଡ଼ । ଏତେ ବଡ଼ ଚେହେରା ବର୍ଷାଦିନରେ । ନିଜ ଦିହକୁ ଛୋଟବଡ଼ ପଥରରେ ଘଷି ଘଷି କେଡ଼େ ତୋରା କରିଦେଇଛି । କୁଆ ଆଖିପରି ପାଣି ବେଙ୍ଗେନାଳ ଝରଣାର । ବେଙ୍ଗେନାଳର କଣ୍ଠ ଖଣ୍ଡେ ଦୂରକୁ ଶୁଭୁଛି । କାନ ଓ ମନକୁ ପାତିଲେ ନିଜ ଦେହ ଓ ତା’ ଦେହ କତିକୁ କତିକୁ ଠିଆ ହୋଇଯାଆନ୍ତି । ବେଙ୍ଗେନାଳ । କୁଟ୍ରାଘାଟି ପଡ଼ା ଗାଁର ସୀମା ସନ୍ତକ । ଯୋଗାଯୋଗ ବିଚ୍ଛିନ୍ନର ବଳିଷ୍ଠ ଚିତ୍ର କାଳରୁ କାଳକୁ ଆଜି ପର୍ଯ୍ୟନ୍ତ । ଏହାକୁ ଆପଣାର ମଣି ଆଦିବାସୀ-ଗୋଷ୍ଠୀ ଜୀବନ ସିକେର ଡଙ୍ଗର ତଳେ କିପରି ଗାଁ ବସାଇଲା ତାକୁ ଠାବ କରିହୁଏ ନାହିଁ ବା ପଛକୁ ଅନାଇଲେ କିଛି ବାରି ହୁଏନାହିଁ । କୁଟ୍ରୁଘାଟି ଗାଁ । ମୁଖ୍ୟ ରାସ୍ତାରୁ ଗଡ଼ି ଆସି ୟେଜୁରୁପା ଗାଁ ନିକଟରେ ଅଟକିବାକୁ ପଡ଼େ । ୟେଜୁରୁପା ଗାଁ ଝରଣା ହେଉଛି ଝରିଆ ।
ରାସ୍ତା ଘାଟ
ପୁରୁଷ ପୁରୁଷ ଧରି ଏହି ଝରଣା ବଟ ଝରିଆ ବି ଯୋଗାଯୋଗ ବିଚ୍ଛିନ୍ନର ଏକ ସକ୍ରିୟ ପରାକାଷ୍ଠା ଦେଖାଇ ଆସିଛି । ଏବେ ଏବେ ବାଲି ଜମା ହେଲାଣି । ହୁଏତ ସବୁଦିନିଆ ରାସ୍ତାର ଏକ ପ୍ରତିଶ୍ରୁତି ମିଳିଯିବ ବଟ ଝରିଆ ଝରଣା ଉପରେ । ପାଣି ଲାଗି ଆଉ କେତେଟା ଦିନ ପରେ ହା’ ହା’କାର ପଡ଼ିଯିବ । ମଣିଷର ସଭ୍ୟତା ଏହାକୁ ଆଧାର କରି ନିଜ ଛାୟା ଦ୍ରୁମର ବୈଚିତ୍ର୍ୟ ଦେଖାଇ ଆସିଛି । ପ୍ରାକୃତିକ ଚିରସ୍ରୋତା ଏଇ ବଟ ଝରିଆ ଝରଣା ଆଉ ବେଙ୍ଗେନାଳ ଝରଣାର ସ୍ୱଚ୍ଛ ଅମୂଲ୍ୟ ଜଳରାଶିର ଉପଯୋଗକୁ ଜୀବନ ମନ ବଳାଇଲେ, ଆଦିବାସୀ ଭେଣ୍ଡିଆ ସୁଦୂର ଲକ୍ଷ୍ନୌ, କେରଳକୁ ଧାଇଁ ଯାଆନ୍ତା କିପରି । ଝରଣା ଦୁଇକୂଳରେ ଫଳ ଫୁଲର କେତେ କେତେ ବିଭବ ଫୁଟି ନ ଉଠନ୍ତା! ଖଜୁରୀ-ସଲପର ମାୟାରେ ମଣିଷ ଜୀବନ କାହିଁକି ବିସ୍ତାର ଆକାଶତଳେ ଏତେ ଧୈର୍ଯ୍ୟ ଓ ଦୁର୍ଦ୍ଦଶାର କବଳିତ? ଅମୃତଭଣ୍ଡା ଗଛରେ ପାଚିଲା ଭଣ୍ଡା ଖୁଳିଖାଳି ହୋଇ ଠିଆହୋଇଛି ନିରଞ୍ଜନ ବାସାରି ଘର ଆଗରେ । ମାତ୍ର ଆନମନା ମଣିଷ ଭୋକିଲା ମଣିଷର ହାତକୁ ଗିଲାସ ଗିଲାସ ବଢ଼ାଇ ଦେଉଛି ଖଜୁରୀ ରସ । ଆନମନା ମଣିଷର କବଳରେ ଭୋକିଲା ମଣିଷ ତା’ର ଭୋକ ଭୁଲି ଯାଇଛି । ତା’ ଭୁଆଷୁଣୀ, ତା’ ଘରଦୁଆରକୁ ଭୁଲିଯାଇଛି ।
ଲୁଦୁ ଧଙ୍ଗର ମଥା ଉପରୁ ପୁଷ ମାସର ଖରା ନିଭି ନିଭି ଆସୁଛି । ଆଉ କୁଟ୍ରାଘାଟି ଗାଁ, ଲୁଦୁ ଡଙ୍ଗର ତଳର କୁଟ୍ରାଘାଟି । ଅନ୍ଧାର ଭିତରେ ଥରି ଥରି ଅପେକ୍ଷା କରିବ ସିକେର ଡଙ୍ଗର ଉପରୁ ସଅଳ ସଅଳ ଝଟକି ଉଠୁଥିବା କଅଁଳ କଅଁଳ ଖରାକୁ । କୁଟ୍ରୁଘାଟି ଗାଁରେ ଗାଏମୋଟ ଦଶଘର; ମୁହାଁମୁହିଁ ହୋଇ ଠିଆ ହୋଇଛନ୍ତି ଖପରୁଲ ଘର । କେଉଁ ଜାନି ଅବା ନାଇକ ଅବା ଗୌନ୍ତିଆ କୁଟ୍ରୁଘାଟି ଗାଁ ବସାଇଥିଲା କେଜାଣି! ତା’ର ହିସାବ କାହା ପାଖରେ ନାହିଁ, ଅବା କେହି ରଖିନାହିଁ । ନିଜ ଭାଗ୍ୟାକାଶର ଛାଇ ତଳେ ଆଜି ପର୍ଯ୍ୟନ୍ତ ଠିଆହୋଇ ରହି ଆସିଛି କୁଟ୍ରୁଘାଟି । ସମ୍ବିଧାନର ପ୍ରତିଶ୍ରୁତି ଓ ଦେଶର ବିକାଶ ପ୍ରକ୍ରିୟାକୁ ଅନାଇ ଅନାଇ କୁଟ୍ରୁଘାଟି । କନ୍ଧ-କୁଇ ଆଦିବାସୀଙ୍କ ଗାଁ କୁଟ୍ରୁଘାଟି । ମୁନିଗୁଡ଼ାର ଜାମରାଗୁଡ଼ାରୁ ଝିଅ ଆସିଛି କୁଟ୍ରାଘାଟିକୁ, ଆଉ କୁଟ୍ରାଘାଟିରୁ ଝିଅ ଯାଇଛି ଡଙ୍ଗର ଡେଇଁ ସୋରିଷପଦରକୁ । କୁଟ୍ରୁଘାଟିର ଗାଁ ନାଇକ କେହି ନାହିଁ । ଗାଁ ଜାନି ଦନିଆ ସିକ୍କା । ଘର ଆଗରେ ଧର୍ନୀ ପେନୁ । ଗୋଟେ କଡ଼କୁ ରାସ୍ତା ଖାଇଗଲାଣି, ଡଙ୍ଗର ପାଣିର ଧୁ ଧୁ’ ଦାଉରେ । ଦନିଆ ସିକ୍କା ଧର୍ନୀ ପେନୁ ବସାଇଛି । ହେଇ ଖରାଆଡ଼େ ମୁହଁ କରି ଉପରକୁ ଧର୍ନୀ ପେନୁ ଅନାଇଛି । ଆଗକୁ କାନ୍ଦୁଲ ପରବ୍ ଆଉ ପୋଢ଼ ପରବ୍ । ଏବେ ପୋଢ଼ ପରବ୍ରେ ପୋଢ଼ ଆସୁନି । ଏଇ ମାଘ ମାସରେ ପୋଢ଼ ପୂଜା ହେବ । ଲୋକେ ଗଛ ଥୋପିବେ, “ସର୍ଗି ଗଛ ଥୋପିବୁ ।” ଏବେ ଯିଏ ପାଠ ପଢୁଛନ୍ ସେମାନେ ଖାଇବେ ନାଇଁ । ଆଗରୁ ବୁଢ଼ାମାନେ ଖାଉଥିଲେ । ଗାଁ ଜାନି ଦନିଆ ସିକ୍କା କହିଲେ ।
ଧାନ୍ମାଲି ସିକ୍କାଙ୍କ ଦୁଇଝିଅ ଛବି ଓ ପବି
ଧାନ୍ମାଲି ସିକ୍କାଙ୍କ ଦୁଇଝିଅ ଛବି ଓ ପବି । ପବି ବଡ଼ । ତୁଳସୀପଦରରେ ବିହା ହୋଇଛି । ସିକେର ଡଙ୍ଗର ଆରପାରିରେ ତୁଳସୀପଦର । ଛବି ଅଷ୍ଟମଶ୍ରେଣୀରେ ଅମ୍ବାଦଳାରେ ପଢୁଛି । ତା’ସାଙ୍ଗ କୁନି ସିକ୍କା । ସିଏ ବି ନବମ ଶ୍ରେଣୀରେ ପଢୁଛି । ଚାଟିକଣାରେ ଦୀପା ଅଷ୍ଟମ ଶ୍ରେଣୀରେ ପଢୁଛି । ପାଠ ଯେ ଘରର ଚଉହଦୀକୁ ବଦଳାଇ ଦିଏ, ସେକଥାର ପ୍ରମାଣ ଏହି ତିନିଝିଅଙ୍କ ଘରଦୁଆରକୁ ଦେଖିଲେ ବୁଝାପଡ଼ିବ । ବେଶ୍ ନିକ ହୋଇ ଲିପାପୋଛା ହୋଇଛି । ଗତ ଫଗୁଣ ମାସରୁ ପାଠପଢ଼ା ବନ୍ଦ ଅଛି । ପାଠପଢ଼ା ଝିଅର ହାତବାଜି ଘର କେତେ ନିକ ସତରେ । ଡଙ୍ଗର ତଳର ଗାଁ କୁଟ୍ରୁଘାଟି । ବେଙ୍ଗେନାଳ ଡେଇଁଗଲେ କୁଟ୍ରାଘାଟି ଗାଁ । କୁଟ୍ରାଘାଟି ଗାଁର ଜୀବିକା କହିଲେ ଡଙ୍ଗର ଚାଷ, ବେଉଷଣକୁ ବୁଝାଏ । ଡଙ୍ଗର ଗୁଡ଼ିଆ ଚାଷ ହିଁ ଏକା ଭରସା କୁଟ୍ରାଘାଟିକୁ । ଏ ବର୍ଷ ଚାଷ କିଛି ଭଲ ନାଇଁ କୁଟ୍ରୁଘାଟିକୁ ବରଷା ପାଇଁ । ମାଣ୍ଡିଆ ଟିକେ ଭଲ ହୋଇଛି । ରାଶି ନାଇଁ, ବିରି ନାଇଁ, କୋଳଥ ନାଇଁ । ଧନ୍ଶିରୀ ସିକ୍କା କହିଲେ, ଜମିବାଡ଼ି କିଛି ନାଇଁ । ଡଙ୍ଗର ଚାଷ କରି କମଉଛୁ । “ଇ ମାଣ୍ଡିଆଟା ବିକ୍ବୁ ନାଇଁ । କୋଶ୍ଲା ବିକ୍ବୁ ।” ମାଣ୍ଡିଆ ପେଜ୍ ବରଷ୍ୟାକର ଖାଦ୍ୟ ଆଦିବାସୀ ମଣିଷର । ସକାଳୁ କାମକୁ ବାହାରିଲେ ଆଦିବାସୀ ପେଟକୁ ନିଏ ମାଣ୍ଡିଆ ପେଜ୍ ଆଉ ରାତିରେ ତତଲା ବାତ୍, ଆରୁ କୁମୁଡ଼ା ଜାଉ, ବରଡ଼ା ଶାଗ, ପିତା କନ୍ଦା, ଲଙ୍ଗଳ କନ୍ଦା, ଗୁନ୍ଦୁରି ଶାଗ ଯେତେବେଳେ ଯାହା କିଛି ମିଳିଛି । କଟିଙ୍ଗ ଅବା ଝୁଡ଼ଙ୍ଗ ।
ଡମ୍ରୁ ଓ ମମିତା ଏବେ ବି ଅପେକ୍ଷାରେ ଅଛନ୍ତି
କୁଟ୍ରାଘାଟିରୁ ବେଙ୍ଗେନାଳ ଡେଇଁ ଭେଣ୍ଡିଆ ଆରୁତିଣ୍ଡା ଗଲେଣି କେରଳ ଆଉ ତିରୁପୁର । ମହାମାରୀ ଆସିବା ଉତ୍ତାରୁ କେତେ କେତେ ଭେଣ୍ଡିଆ, ଡିଣ୍ଡା ଫେରି ଆସିଲେ କୁଟ୍ରାଘାଟିକୁ । ଡମରୁ ବି ଫେରି ଆସିଲା । ମାତ୍ର କମ୍ଲି ରହିଗଲା ତିରୁପୁର୍ରେ । କମ୍ଲି ଡ୍ରେସ୍ ତିଆରିରେ ସୁଦକ୍ଷା ପାଲଟିଗଲାଣି । ଏବେ ଘରକୁ ପଇସା ପଠାଉଛି । ମାସକୁ ସାତ/ଆଠ ହଜାର । କମ୍ଲିର ଭାଇ ଦି’ଟା, ଭଉଣୀ ଗୋଟେ । କମ୍ଲି ସଭିଙ୍କଠାରୁ ବଡ଼ । ତିରୁପୁରରୁ ଫେରିବା ପରେ ଡମ୍ରୁ ମଞ୍ଜୁରି କୁପାର ମମିତାକୁ ମାଗି ଆଣିଗଲା । ମମିତା ଆରୁ ଡମ୍ରୁ କିଛି କିଛି ପାଠ୍ ପଢ଼ିଛନ୍ତି । ଡମ୍ରୁ ଓ ମମିତାର ଗୋଟେ ପୁଅ ତିନିମାସ ହେଲା ହେଲାଣି । ନାଆଁ ଦିଆଯାଇ ନାହିଁ । ଆଉ କିଛିମାସ ଗଲେ ତା’ପୁଅର ନାଆଁ ଦିଆଯିବ । କୁଇ ସମାଜରେ ନବଜାତକର ଏତେ ଶୀଘ୍ର ନାଆଁ ଦିଆଯାଏ ନାହିଁ । ତେଣୁ ଡମ୍ରୁ ଓ ମମିତା ଏବେ ବି ଅପେକ୍ଷାରେ ଅଛନ୍ତି ।
ଗାଈଗୋରୁ
କୁଟ୍ରାଘାଟିରେ ସମୁଦାୟ ୨୦ ଗାଈଗୋରୁ । ଦାନମାଲି, ଧନଶିରୀ ଓ ଦାସ ଘରେ ଏତକ ଗାଈଗୋରୁ । ତିରିଶ ପଟ ଖଣ୍ଡେ ଛେଳି ଅଛନ୍ତି । ଟପି, ହଁ ବୁଡ଼େଲି ବୋଲି ତିନିଟା କୁକୁର ଅଛନ୍ତି । ବାଉ ବିଲେଇ ବେଟି ନେଉଛି କୁକୁଡ଼ାଙ୍କୁ । ଡଙ୍ଗର ତଳେ ଖାଇଦେବ । କୁଟ୍ରାଘାଟିକୁ ଆଗରୁ ବାଲୁବାଗ ଏଇ ବାଡ଼କୁ ଆସୁଥିଲେ । ଦାସ ସିକ୍କା କହିଲେ, “ମୁଇଁ ଦେଖିଛି ଆଜ୍ଞା, ବାଲୁମାନେ କୁଣ୍ଡା ଖାଇ ଆସନ୍ତି । ତିନି/ଚାରି ବର୍ଷ ହେଲା ଆସୁ ନାହାନ୍ତି । ହାତୀ ବି ଆସୁଥିଲେ, ତେଲ୍ ସିକ୍କା କହିଲେ । ଟିଣ୍ ବଜାଇ ଘଉଡୁଥିନୁ ।
କୁଲି ଭୂତି କାମ କରିବାକୁ କୁଟ୍ରୁଘାଟି ଲୋକଙ୍କର ଅସୁବିଧାର ନିଶାନ ବାଜେ । ଅର୍ଥାତ୍ ଆଖପାଖ ଗାଁର ଲୋକେ ଏମାନଙ୍କୁ କାମକୁ ନେବାକୁ ମନ କରନ୍ତି ନାହିଁ କି ଧାର ଉଧାର ଦିଅନ୍ତି ନାହିଁ । ବିଶେଷ କରି ଓଦାମାସରେ ଏଇ ଦୁର୍ଦ୍ଦଶା ବଳିପଡ଼େ । କାରଣ ବଡ଼ ସିଧା । ବେଙ୍ଗେନାଳ ପରି ଅଙ୍କାବଙ୍କା ନୁହେଁ । ଅର୍ଥାତ୍ ଓଦା ବା ବର୍ଷା ମାସରେ ବେଙ୍ଗେନାଳରେ ଅକାତକାତ ପାଣି । ପାହାଡ଼ି ଲଳନା ବୟସ୍କା ସ୍ତ୍ରୀର ରୂପ ନିଏ । କୂଳଚୂଳ ଲଳନାର କଣ୍ଠ ଭୀମଭୟଙ୍କର ହୁଏ । ବେଙ୍ଗେନାଳ କୁଟ୍ରାଘାଟିକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଏ । କାମଧନ୍ଦା ଲାଗି ଲୋକେ ଯିବେ କୁଆଡ଼କୁ? ତେଣୁ ଓଦାମାସ ଅଭାବ ସମୟରେ କୁଟ୍ରାଘାଟି ଲୋକଙ୍କୁ ଉଧାର ଦେବ କିଏ?
ଫଳ
କୁଟ୍ରାଘାଟିରେ କୁମୁଡ଼ା ଭଲ ଫଳେ । ଜୁରା କୁମୁଡ଼ା (କଖାରୁ/ବୋଇତାଳ) ଏବେ ବି ଝୁଲୁଛି ଝଟା ବାଡ଼ରେ (ଶିମ୍ବ) । ଜୁରା କୁମୁଡ଼ା ଜାଉ ବହୁ ସମୟରେ ରାତିବେଳା ଆଦିବାସୀର ଭୋକ ମେଂଟାଏ । ଖାଦ୍ୟର ଭାବକୁ ବାନ୍ଧେ । ଅଭାବକୁ ପଛ କରି ଠିଆ ହୁଏ । ଡଙ୍ଗର ଉପରୁ ଖରା କମି କମି ଆସୁଛି । ଖରା ମାଡ଼ି ନାହିଁ । କାଜୁରିକା ମୁହଁ କାଢ଼ିଲାଣି (ଖଜୁରୀ ଗଛର ଚଅଁର) । ପଦରୁ ଡେଇଁ ଆସୁ ଆସୁ ଘେରାଏ ଖଜୁରୀ ଗଛ କୁଟ୍ରାଘାଟିକୁ ବେଢ଼େଇ ଠିଆ ହୋଇଛନ୍ତି ।
ରାତି ବଢ଼େ । କୁଆଁରୀ ସଞ୍ଜ ରାତି ହୁଏ । ଅନ୍ଧାର ବହଳ ହୁଏ । ପରସ୍ତ ପରସ୍ତ ଥଣ୍ଡା ଅଜାଡ଼ି ହୋଇପଡ଼େ କୁଟ୍ରାଘାଟି ଉପରେ । କେଉଁଦିନ ସଲପ ଗଛ ସେପଟରୁ ଦିତିଆ ଜହ୍ନ ମୁରୁକି ହସା ଦିଏ ତ ଆଉ କେଉଁଦିନ ସଞ୍ଜୁଆ ତାରା କୁଟ୍ରାଘାଟିକୁ ଆବୋରି ନିଏ । ରାତି ବଢ଼େ, ବେଙ୍ଗେନାଳର ଶବ୍ଦ କୁଟ୍ରାଘାଟିକୁ ଆହୁରି ନାଗି ଆସେ । ବରଷକ ବାରମାସ, ଛଅ ଋତୁ । ମାତ୍ର କୁଟ୍ରାଘାଟିକୁ ଗୋଟିଏ ଋତୁ-ବେଙ୍ଗେନାଳ, ଯାହାକୁ ଏ ଗାଁର ମଣିଷ ଲଂଘିପାରୁଛି ସିନା ମାତ୍ର ବ୍ୟବଧାନର ଦୂରତାକୁ ଖୁବ୍ ଆକୁଳତାରେ ଆଜି ପର୍ଯ୍ୟନ୍ତ ଧରି ରଖିଛି । ଡଙ୍ଗର ତଳର ଗାଁ କୁଟ୍ରୁଘାଟି, ବେଙ୍ଗେନାଳର ଗାଁ କୁଟ୍ରାଘାଟି । ମୁନିଗୁଡ଼ାର କୁଟ୍ରାଘାଟି ।
Photo Credit- https://bit.ly/38gPEZF
Comments
0 comments