ଏ ଜନରାଜ୍ୟ କାହାର!

ଜାନୁଆରୀ ୨୬,୨୦୨୧ ଦିନ ରାଜଧାନୀ ଦିଲ୍ଲୀରେ ସ୍ୱାଧୀନତା ପରବର୍ତ୍ତୀ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଭୂତପୂର୍ବ କୃଷକ ଯାତ୍ରା ଦେଖିବାକୁ ମିଳିଥିଲା । ଏଥିରେ ଉତ୍ତରଭାରତ ଚାଷୀମାନଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରାରେ ଦେଶର ହଜାର ହଜାର କୃଷକ ହାତରେ ଜାତୀୟ ପତାକା ଧରି ଭାଗ ନେଇଥିଲେ । ଏମିତିକି ଗୋଟିଏ ଜାତୀୟ ପତାକାର ଲମ୍ବ ୫ହଜାର ମିଟର ଥିଲା । ମୁଖ୍ୟତଃ ଦିଲ୍ଲୀ ସହରକୁ ସେମାନେ ଏହାର ସୀମାନ୍ତରେ ଦୁଇମାସରୁ ଉର୍ଦ୍ଧକାଳ ଧରି ଥିବା ସିଂଘୁ, ଟିକ୍ରି ଓ ଘାଜିପୁର ପ୍ରତିବାଦ ଶିବିରଗୁଡ଼ିକରୁ ପ୍ରବେଶ କରିଥିଲେ । ସମଗ୍ର ଟ୍ରାକ୍ଟର ଶୋଭାଯାତ୍ରାଟି ଶାନ୍ତିପୂର୍ଣ୍ଣ ଥିଲା । ଯାତ୍ରାଗୁଡ଼ିକ ଯେଉଁ ପଥ ଦେଇ ଆସୁଥିଲା, ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ଥାନୀୟ ଲୋକମାନେ ସମ୍ବର୍ଦ୍ଧନା ମଧ୍ୟ ଦେଉଥିଲେ । ଆମର ଜାତୀୟ ଗଣମାଧ୍ୟମ ଏହି କିଶାନ ଯାତ୍ରାର ବିଶେଷତ୍ୱ ଓ ତାତ୍ପର୍ଯ୍ୟକୁ ମୂଳରୁ ହିଁ ନ୍ୟୁନ କରିବା ପାଇଁ ପ୍ରଚେଷ୍ଟାଟି ଆରମ୍ଭ କରିଦେଇଥିଲା । ଦିଲ୍ଲୀ ସୀମାରେ ଦୁଇମାସରୁ ଉର୍ଦ୍ଧକାଳଧରି ଚାଲିଥିବା ତିନୋଟି କଳା କୃଷି ଆଇନ ବିରୁଦ୍ଧରେ ଐତିହାସିକ କିଶାନ ଆନେ୍ଦାଳନ ପ୍ରତି ଜାତୀୟ ଗଣମାଧ୍ୟମ ଅଧିକାଂଶରେ ଉଦାସୀନ ରହିଆସିଛନ୍ତି । ପ୍ରାୟ ପ୍ରତିଦିନ ଶୀତ କାକରକୁ ସାମ୍ନା କରି ପ୍ରତିବାଦ କରୁଥିବା ଚାଷୀମାନଙ୍କ ଭିତରୁ ଦୈନିକ ହାରାହାରି ୨ଜଣ ଚାଷୀ ମୃତ୍ୟୁବରଣ କରୁଥିବା ଖବର ସମସ୍ତଙ୍କ ପାଖରେ ଥିଲେ ମଧ୍ୟ ଘଟଣାଟି କାହାର ବିବେକକୁ ଦୋହଲାଇ ପାରିନଥିଲା । ଏଭଳି ମୃତ୍ୟୁକୁ ଏକପ୍ରକାର ରକ୍ତପାତବିହୀନ ସରକାରୀ ହିଂସାର ପରିଣାମ ହିସାବରେ ଦେଖିବା ପାଇଁ ଗଣମାଧ୍ୟମ ପ୍ରସ୍ତୁତ ନଥିଲା । କିନ୍ତୁ ଜାନୁଆରୀ ୨୬, ୨୦୨୧ର ଐତିହାସିକ ତଥା ଶାନ୍ତିପୂର୍ଣ୍ଣ କୃଷକ, ଟ୍ରାକ୍ଟର ଯାତ୍ରାବେଳେ ସେ ଭିତରୁ ଏକ ଅତିକ୍ଷୁଦ୍ର କୃଷକ ଗୋଷ୍ଠୀ ବାଟ ଭାଙ୍ଗି ଶକ୍ତିଶାଳୀ ନିରାପତ୍ତା ବଳୟ ଭିତରେ ଥିବା ଲାଲକିଲ୍ଲା ଦୁର୍ଗରେ ଉଡୁଥିବା ଜାତୀୟ ପତାକା ସ୍ତମ୍ଭରେ ଅନ୍ୟ କିଛି ପତାକା ଲଗାଇ ଦେଇଥିଲେ । ସେହି ଦୃଶ୍ୟଟି ତୁହାକୁ ତୁହା ବୈଦ୍ୟୁତିକ ଗଣମାଧ୍ୟରେ ଦେଖାଇ ଅବଶିଷ୍ଟ ଭାରତୀୟଙ୍କୁ କିଶାନମାନଙ୍କ ବିରୁଦ୍ଧରେ ଉସୁକାଇବା କାମଟି କରାଯାଇଥିଲା । ପୋଲିସ ଓ ଆନ୍ଦୋଳନରତ କୃଷକମାନଙ୍କ ଭିତରେ ସଂଘର୍ଷ ଉପୁଜି ଉଭୟ ପକ୍ଷରୁ କ୍ଷତବିକ୍ଷତ ହେବା ଏବଂ ଟ୍ରାକ୍ଟର ଚଲାଉଥିବା ଜଣେ ଚାଷୀଙ୍କ ମୃତ୍ୟୁ ଘଟିବା ଘଟଣାଟିକୁ ନେଇ ଗଣମାଧ୍ୟମରେ ୨୪ଘଣ୍ଟିଆ ଚର୍ଚ୍ଚା ବି ଚାଲିଲା । ସେହି ଘଟଣାଟିକୁ ନେଇ ନିରୀହ କୃଷକମାନଙ୍କୁ ଗିରଫ କରିବାର ପର୍ବ ଏବେ ଚାଲିଛି । ଘଟଣାଟିକୁ ସ୍ୱାଧିନଭାବେ ଚର୍ଚ୍ଚା କରୁଥିବା କିଛି ଲୋକ କୁହନ୍ତି ଯେ, ଏଭଳି ଏକ ଐତିହାସିକ ଶାନ୍ତିପୂର୍ଣ୍ଣ କିଶାନ ଶୋଭାଯାତ୍ରାକୁ ନିନ୍ଦିତ କରିବାପାଇଁ ଏହା ଏକ ସୁଚିନ୍ତିତ ପ୍ରାୟୋଜିତ ଷଡ଼ଯନ୍ତ୍ର ଥିଲା । ଆଉ କେହି କେହି ଭାବନ୍ତି ଯେ, ଭାଜପା ଭିତରର ଆଭ୍ୟନ୍ତରୀଣ ପ୍ରତିଦ୍ୱନ୍ଦ୍ୱିତାରେ ପରସ୍ପର ସମ୍ନାରେ ଥିବା ଯୋଗୀ ଆଦିତ୍ୟନାଥ ଓ ଅମିତ ଶାହାଙ୍କ ପରସ୍ପରକୁ ଶିକ୍ଷା ଦେବାର ପ୍ରୟାସ ଭିତରେ ଏଇ ଷଡ଼ଯନ୍ତ୍ରଟି ଏକ ଅଂଶବିଶେଷ ଥିଲା । ପୂର୍ବରୁ ଉତ୍ତର ଦିଲ୍ଲୀରେ ଯେଉଁ ମୁସଲମାନ ବିରୋଧି ହିଂସା ଘଟିଥିଲା, ସେଥିରେ ଆଦିତ୍ୟନାଥଙ୍କ ଏକ ବଡ଼ ଧରଣର ପ୍ରଚ୍ଛଦପଟ ଭୂମିକା ଥିଲା ବୋଲି ପୂର୍ବରୁ ଅଭିଯୋଗ ହୋଇଆସିଥିଲା । ସୁତରାଂ ଜାନୁଆରୀ ୨୬, ୨୦୨୧ ଘଟଣାରେ ଆଦିତ୍ୟନାଥଙ୍କ ଭୂମିକା ଥାଇପାରେ, ଆଶଙ୍କା ପ୍ରକାଶ ହେବା ସ୍ୱାଭାବିକ । ପଞ୍ଜାବର କଳାକାର ତଥା ରାଜନୈତିକ ନେତା ଦୀପ୍ ସିନ୍ଧୁଙ୍କ ନାଁ ଏବଂ ତାଙ୍କର ବିଭିନ୍ନ ଫଟୋ, ଯେଉଁଥିରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ଏକାଠି ଥିବାର ଦେଖାଯାଉଥିଲା ଏବଂ ପରେ ଲାଲକିଲ୍ଲାରେ ଜାତୀୟ ପତାକା ସ୍ତମ୍ବରେ ଅନ୍ୟ ଏକ ପତାକା ଉତ୍ତୋଳନ କରିବାର ଚିତ୍ର ମଧ୍ୟ ଥିଲା, ତାହା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାରିତ ହେବାର ଦେଖାଗଲା । ଅନେକ ଷଡ଼ଯନ୍ତ୍ର ଓ ସଫେଇର ଟିପ୍ପଣୀ ଓ ବିବରଣୀ ଆଜିଯାଏଁ ଆମେ ଶୁଣିବାକୁ ପାଉଛୁ ।

ତେବେ ଏହି ସବୁର ଉର୍ଦ୍ଧକୁ ଯାଇ ଯଦି ବିଚାର କରାଯାଏ, ତେବେ ଦେଖାଯିବ ଯେ କୃଷକମାନଙ୍କର ଗତ ଆଠମାସ ଧରି ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି । ପ୍ରଥମରୁ ହିଁ ସ୍ଥାନୀୟ ଭାବେ କୃଷକ ସଂଗଠନମାନେ ତିନୋଟି କୃଷି ଆଇନକୁ ବିରୋଧକରି ଏବଂ ତାକୁ କଳାଆଇନ କହି ନିଜର ପ୍ରତିବାଦ ଜାରି ରଖିଛନ୍ତି । ସର୍ବନିମ୍ନ ସହାୟକ ଦର ସୁନିଶ୍ଚିତ କରିବା ପାଇଁ ବରଂ ଏକ ଏମ୍.ଏସ୍.ପି ଆଇନ ଆଣିବା ନିମନ୍ତେ ସେମାନେ ଓଲଟା ଦାବୀ କରିଆସିଛନ୍ତି । ସେମାନଙ୍କର ବିଚାରରେ ଏହି କଳା ଆଇନଗୁଡ଼ିକ କୃଷି ଓ କୃଷକକୁ ବିପନ୍ନ କରି ଚାଷ ଓ ଚାଷୀକୁ କମ୍ପାନୀମାନଙ୍କର ନିୟନ୍ତ୍ରଣକୁ ଠେଲିଦେବ । ତେବେ ଦୁଇମାସରୁ ଉର୍ଦ୍ଧର୍କାଳ ସ୍ଥାନୀୟ ଭାବେ ପ୍ରତିବାଦ କରିବା ପରେ କୌଣସି ସୁଫଳ ନ ମିଳିବା ଯୋଗୁଁ ଏବଂ କେନ୍ଦ୍ର ସରକାର ଭୟଙ୍କର ଭାବେ ଉଦାସୀନ ରହିବା ହେତୁ ପଞ୍ଜାବ ଓ ହରିୟାନାର ଚାଷୀମାନେ ‘ଦିଲ୍ଲୀ ଚାଲୋ’ ଡାକରା ଦେଇଥିଲେ । ହଜାର ହଜାର ଚାଷୀ ଯେତେବେଳେ ହରିୟାନା ବାଟଦେଇ ଦିଲ୍ଲୀ ଆଡ଼କୁ ଆସିବା ଆରମ୍ଭ କଲେ, ସେତେବେଳେ ସେମାନଙ୍କ ଉପରେ ପାଣିମାଡ଼ କରାଗଲା ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ ଓ ଲାଠିଚାର୍ଜ କରି ସେମାନଙ୍କର ପଥରୋଧ କରିବା ପାଇଁ ପ୍ରୟାସ କରାଗଲା । ସମସ୍ତ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ମାନେ ଏହି କୃଷକମାନଙ୍କର ସପକ୍ଷରେ ନଭେମ୍ବର ୨୬, ୨୦୨୦ରେ ଏକ ଜାତୀୟ ଧର୍ମଘଟର ଡାକରା ଦେଇଥିଲେ ଯେଉଁଥିରେ ପ୍ରାୟ ୨୫କୋଟି ଲୋକ ଭାଗ ନେଇଥିଲେ ବୋଲି କୁହାଯାଉଛି । କୃଷକମାନଙ୍କର ପ୍ରତିବାଦକୁ ସମର୍ଥନ ଜଣାଇ ପ୍ରାୟ ୧କୋଟି ୪୦ଲକ୍ଷ ମାଲ ପରିବହନ କରୁଥିବା ଟ୍ରକ ଡ୍ରାଇଭର ମଧ୍ୟ ଯୋଗ ଦେଇଛନ୍ତି । ଯେଉଁସବୁ ରାଜ୍ୟଗୁଡ଼ିକରେ କୃଷକ ଆନ୍ଦୋଳନ ପଞ୍ଜାବ, ହରିୟାନା ଓ ଉତ୍ତରପ୍ରଦେଶ ଭଳି ବଳିଷ୍ଠ ନୁହଁ, ସେ ସବୁ ରାଜ୍ୟଗୁଡ଼ିକରେ ଚାଷୀ ମାନଙ୍କୁ ସଙ୍ଗଠିତ କରିବା କାମଟି ଭଲଭାବେ ଚାଲିଛି ବୋଲି ଖବର ମଧ୍ୟ ଆସୁଛି । ପଞ୍ଜାବ, କେରଳ ଓ ପଶ୍ଚିମବଙ୍ଗ ବିଧାନସଭା ଗୁଡ଼ିକ ମଧ୍ୟ ଏହି ବିରୋଧରେ ପରୋକ୍ଷ ଭାବେ ସାମିଲ ହୋଇ ତିନୋଟି କଳା କୃଷି ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ କରିସାରିଲେଣି । ଭାଜପାର ସବୁ ଅସମୟରେ ସାଥି ଦେଇ ଆସିଥିବା ଓଡ଼ିଶାର ବିଜେଡ଼ି ସରକାର କିନ୍ତୁ ଏଯାବତ୍ ମୋଦୀ ସରକାରଙ୍କୁ ନିରାଶ କଲାଭଳି କୌଣସି ପଦକ୍ଷପ ନେଇନାହାଁନ୍ତି ।

ମୋଦୀ ସରକାରଙ୍କର କୃଷି ଆଇନ ସମ୍ପର୍କିତ ଗଣନା ତଥା କୃଷକମାନଙ୍କର ଶକ୍ତିର କଳନା କରିବା କାମଟି ବିଫଳ ହେଉଥିବାର ହୃଦବୋଧ ହେବାପରେ, ଏକ ବର୍ତ୍ତାଳାପର ନାଟକ ଆରମ୍ଭ ହେଲା । ୧୪ ଅକ୍ଟୋବର ୨୦୨୦ରୁ ୨୨ଜାନୁଆରୀ ୨୦୨୧ ଭିତରେ ପ୍ରାୟ ୧୧ଥର ସଂଯୁକ୍ତ କୃଷକ ମୋର୍ଚ୍ଚାର କୃଷକ ସଂଗଠନମାନଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିଥିଲେ । ପ୍ରତିଟି ଆଲୋଚନା ବିଫଳ ହୋଇଥିଲା । ଡିସେମ୍ବର ୪,୨୦୨୦ ଦିନ ବାର୍ତ୍ତାଳାପ ସମୟରେ ତିନୋଟି କଳା କୃଷି ଆଇନ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ଦାବିରେ ଅଟଳ ଥିବା କୃଷକମାନଙ୍କ ପ୍ରତି ସରକାର ଉଦାସୀନ ରହିବା ଯୋଗୁଁ କୃଷକମାନେ ଡ଼ିସେମ୍ବର ୮, ୨୦୨୦ରେ ପୁଣି ଥରେ ସର୍ବଭାରତୀୟ ପ୍ରତିବାଦର ଡାକରା ଦେଇଥିଲେ । ଶେଷରେ ସରକାରଙ୍କୁ ସହଯୋଗ କରିବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଚାରିଜଣ ବିବାଦୀୟ ବ୍ୟକ୍ତିଙ୍କୁ ନେଇ ଗୋଟିଏ କମିଟି ଗଠନ କରିଥିଲେ ଏବଂ ସେମାନେ ସମାଧାନର ଉପାୟ ବାହାର କରିବାଯାଏଁ ଏହି ଆଇନଗୁଡ଼ିକୁ ସ୍ଥଗିତ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଠିକ୍ ପରେ ପରେ ଅର୍ଥାତ୍ ଜାନୁଆରୀ ୨୧,୨୦୨୧ ଦିନ ଏହି ଆଇନ ଗୁଡ଼ିକୁ ୧୮ମାସ ପାଇଁ ସ୍ଥଗିତ ରଖିବା ପାଇଁ ମୋଦୀ ସରକାର ପ୍ରସ୍ତୁତ ଅଛନ୍ତି ଘୋଷଣା କରାଯାଇଥିଲା । କିନ୍ତୁ ଆନ୍ଦୋଳନରତ କୃଷକମାନେ ଉଚ୍ଚତମ ନ୍ୟାୟାଳୟଙ୍କ ପରାମର୍ଶ ଓ କେନ୍ଦ୍ର ସରକାରଙ୍କ ପଦକ୍ଷପ ପଛରେ ଥିବା ଉର୍ଦ୍ଦେଶ ଗୁଡ଼ିକୁ ହୁଏତ ଠିକ୍ ଭାବେ ବୁଝିପାରୁଥିଲେ, ସେଥିପାଇଁ ସେମାନେ ସେ ସବୁକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ପ୍ରତିଟିଥର ବାର୍ତ୍ତାଳାପ ବେଳେ କୃଷକ ସଂଗଠନମାନେ କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହିଁ ଏକମାତ୍ର ବିକଳ୍ପ ବୋଲି ଦୃଢ଼ଭାବେ ଦୋହରାଉଥିବା ବେଳେ, ବର୍ତ୍ତାଳାପ ପରେ ପରେ ସରକାରଙ୍କର ମନ୍ତ୍ରୀ ଆଇନକୁ ପ୍ରତ୍ୟାହାର କରାଯିବନି ବୋଲି ଦୃଢ଼ଭାବେ ଗଣମାଧ୍ୟମ ଆଗରେ ଉପସ୍ଥାପନା କରୁଥିଲେ । ସରକାର ପ୍ରଥମରୁ ହିଁ ସେହି ଏକାପ୍ରକାର ପକ୍ଷ ରଖୁଥିବା ବେଳେ ପୁଣି ଥରେ ସଙ୍କଳ୍ପବଦ୍ଧ କୃଷକମାନଙ୍କୁ ଆଲୋଚନା ପାଇଁ ଡାକିବାର ଆବଶ୍ୟକତା କିଛି ବି ନଥିଲା । ସବୁଆଡ଼ୁ ନିରାଶ ହେବା ପରେ ଗୋଟିଏ ସଂଖ୍ୟା ଗର୍ବରେ ନିଜକୁ ଅଧିକ ଔଦ୍ଧତ୍ୟପୂର୍ଣ୍ଣ କରିଚାଲିଥିବା ସରକାରକୁ ଚେତେଇ ଦେବାପାଇଁ ହୁଏତ କୃଷକମାନଙ୍କର ଟ୍ରାକ୍ଟରରେ ‘ଦିଲ୍ଲୀ ଚାଲୋ’ ଅଭିଯାନର ପରିକଳ୍ପନା କରାଯାଇଥିଲା । ଆରମ୍ଭରୁ, ଦିଲ୍ଲୀ ଟ୍ରାକ୍ଟର ଯାତ୍ରା ଯାଏଁ କେବେ ବି ଏ କୃଷକ ଆନ୍ଦୋଳନ କୌଣସି ପ୍ରକାର ହିଂସା ସୃଷ୍ଟି କରିନାହିଁ । ବରଂ ବହୁବାର ଆନ୍ଦୋଳନରତ କୃଷକମାନେ ହିଂସାର ସମ୍ନା କରିଛନ୍ତି ଏବଂ ଶିକାର ମଧ୍ୟ ହୋଇଛନ୍ତି । ଅନେକ କୃଷକଙ୍କର ଅବେଳରେ ମୃତ୍ୟୁ ଘଟିଛି । ଏତେ ବଡ଼ ବଳିଦାନ ଦେଇ ଆଗେଇ ଚାଲିଥିବା ଏବଂ ଦିନକୁ ଦିନ ଅଧିକ ଶକ୍ତି ସଂଗ୍ରହ କରୁଥିବା ଏହି କୃଷକ ଆନ୍ଦୋଳନକୁ ନିନ୍ଦିତ କରିବା ପାଇଁ ଜାନୁଆରୀ ୨୬, ୨୦୨୧ରେ ଏକ ଷଡ଼ଯନ୍ତ୍ର ଯେ ହେଇନଥିବ, ଏ କଥାକୁ ଅସ୍ୱୀକାର କରିବ କିଏ! କୃଷକ ଆନ୍ଦୋଳନକୁ ପ୍ରତିହତ କରିବା କ୍ଷେତ୍ରରେ ବିଫଳ ହେଇଥିବା ଗୋଟିଏ ସରକାର ଅନୈତିକ ଉପାୟ ଅବଲମ୍ବନ କରିବା ଅନେକଙ୍କୁ ଚକିତ କରିପାରେ । କିନ୍ତୁ ଶ୍ରୀଯୁକ୍ତ ମୋଦୀ ଓ ସେ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳର ଇତିହାସଟିକୁ ପରଖିଲେ ଆମେ ବରଂ ଚକିତ ନ ହୋଇ ଘଟୁଥିବା ଘଟଣାଗୁଡ଼ିକୁ ଅତି ସ୍ୱାଭାବିକ ମନେକରିବା । ଏଠି ବିଡ଼ମ୍ବନାର କଥା ଯେ ପ୍ରତିଷ୍ଠିତ ଓ ସମ୍ମାନାଷ୍ପଦ ସାମ୍ବିଧାନିକ ସଂସ୍ଥାମାନେ ସରକାରଙ୍କର ହାତବାରିସୀ ଭଳି କାମ କରୁଛନ୍ତି । ଭାରତର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସେଥିରୁ ବାଦ ପଡ଼ିଲା ଭଳି ମନେ ହେଉନାହିଁ । ଭାରତର ଗଣମାଧ୍ୟମ ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମ, ନିଜେ ସରକାରଙ୍କର କିଭଳି ଏକ ବିଶ୍ୱସ୍ତ ଚାଟୁକାର ସମୁଦାୟ ହେଇସାରିଛନ୍ତି, ତାହାର ପ୍ରମାଣ ପୁଣି ଥରେ ଦେଇଛନ୍ତି । ଏମିତିକି ପ୍ରଗତିଶୀଳ ଓ ବୁଦ୍ଧିଜୀବୀ ସମୁଦାୟ ଭିନ୍ନଭାବେ ଦେଖୁଥିବା ଏନ୍.ଡ଼ି. ଟି.ଭି ଇଂରାଜୀ ନ୍ୟୁଜ ଚ୍ୟାନେଲ ମଧ୍ୟ ଜାନୁଆରୀ୨୬, ୨୦୨୧ ଘଟଣାରେ ନିଜର ସନ୍ତୁଳନ ରକ୍ଷା କରିବାରେ ସକ୍ଷମ ହୋଇନଥିଲା । ସାମାଜିକ ଗଣମାଧ୍ୟମ ଓ କେତେକ ଅନଲାଇନ ଚ୍ୟାନେଲମାନଙ୍କ ଯୋଗୁଁ ଭାରତର ଜନଗଣ ଘଟଣା ଗୁଡ଼ିକୁ ଠିକ୍ ଭାବେ ବୁଝିବାର ସୁଯୋଗ ପାଇଥିଲେ ।

ସଂଯୁକ୍ତ କୃଷକମୋର୍ଚ୍ଚା, ଦିଲ୍ଲୀକୁ ଠିକ୍ ଭାବେ ବୁଝିବାରେ ଅସଫଳ ହେଇଥିଲେ । ଦିଲ୍ଲୀ ହେଉଛି ପୁଞ୍ଜି ସାମ୍ରାଜ୍ୟର କେନ୍ଦ୍ର । ଏଠି ସବୁକିଛି ସରକାରଙ୍କର ନିୟନ୍ତ୍ରଣରେ ଏବଂ ସରକାର ବାହାରେ ଯେଉଁ ତଥାକଥିତ ସଭ୍ୟସମାଜ ରହିଲା, ସେମାନେ ଅଧିକାଂଶରେ ଭୟାଳୁ ଏବଂ ସେଥିପାଇଁ ସରକାରଙ୍କର ସାଥିରେ ରହିବାପାଇଁ ବାଧ୍ୟ । କୃଷକ ଏବଂ କୃଷି ଠାରୁ ଏମାନେ ହଜାର ହଜାର ମାଇଲ୍ ଦୂରରେ । ସମ୍ବେଦନଶୀଳତା କ’ଣ ଏମାନେ ଅନେକ ଦିନରୁ ଭୁଲି ସାରିଛନ୍ତି । ବଡ଼ ବଡ଼ ସହରର ଜନସଂଖ୍ୟାରେ କୃଷି ଓ କୃଷକକୁ ଠିକ୍ ଭାବେ ବୁଝି ପାରୁଥିବା ଲୋକମାନଙ୍କ ସଂଖ୍ୟା ହାତରେ ଗଣି ହେଇଯାଏ । ଏଭଳି ଏକ ପରିବେଶରେ କୃଷକମାନଙ୍କର ଦାବୀ ଗୁଡ଼ିକୁ ହୃଦୟର ସହିତ ବୁଝିବ କିଏ? ସହରର ବଡ଼ ବଡ଼ ସପିଂମଲ୍ ମାନଙ୍କରେ ଚାଉଳ, ଅଟା, ଡାଲି ଏବଂ ଅନ୍ୟାନ୍ୟ ଖାଦ୍ୟଶସ୍ୟ ବିନା ମୂଲଚାଲରେ ପ୍ଲାଷ୍ଟିକ କାର୍ଡ଼ ଦେଇ କିଣୁଥିବା ଲୋକମାନେ, ଝାଳ ରକ୍ତ ଦେଇ ଏ ସବୁକୁ ଉତ୍ପାଦନ କରୁଥିବା ଲୋକଟିର ଚେହେରା ଦେଖିବା ପାଇଁ ଆଗ୍ରହ ନଥାଏ । ସେମାନଙ୍କୁ ଦେଖାଯାଏ ବିଗବଜାର, ୱାଲମାର୍ଟ ଇତ୍ୟାଦିର ମାଲିକମାନଙ୍କର ଚେହେରା । ବରଂ ସେମାନେ ଖୁସିହେବେ ଗୋଟିଏ ସାଧାରଣ କୃଷକ ପରିବର୍ତ୍ତେ ଏହି କମ୍ପାନୀମାନେ ନିଜେ ଯେମିତି ଚାଷ ଜମି ହାତକୁ ନେଇ ଖାଦ୍ୟଶସ୍ୟ ଉତ୍ପାଦନ ନିଜେ କରିବେ । ସବୁ କାମ କରିବା ପାଇଁ ତ ଗୋଟିଏ ମଧ୍ୟସ୍ଥି ଶ୍ରେଣୀ ସୃଷ୍ଟି କରାଯାଇଛି । କୃଷି କାରବାରରେ ବି ଏମ୍.ବି.ଏ ପାଠ୍ୟକ୍ରମ ଅନେକ ଦିନରୁ ଆରମ୍ଭ ହେଇସାରିଛି । ମଳିମୁଣ୍ଡିଆ ମଧ୍ୟସ୍ଥିମାନଙ୍କ ସ୍ଥାନରେ ଧୋବ ଧାଉଳିଆ ମଧ୍ୟସ୍ଥି ଦେଖିବା ପାଇଁ ଭଲ ଲାଗେ । ଏମାନଙ୍କ ନାଁ ପଛରେ ଏକଂଜୁଟିଭ ବା ମ୍ୟାନେଜର ପଦଟିଏ ଲାଗି ମଧ୍ୟବିତ୍ତଙ୍କ ପାଇଁ କିଛିଟା ରୁଚି ସୃଷ୍ଟି କରିଥାଏ । ଆମ କୃଷକମାନେ ଏକ ସମ୍ବେଦନହୀନ ସମାଜକୁ ଖାଦ୍ୟ ଯୋଗାଉଥିବାବେଳେ ସେମାନେ ଏମାନଙ୍କ ପ୍ରତି କେତେ ଉଦାସୀନ, ସେହି କଥା ଠିକ୍ ଭାବେ ବୁଝିପାରନ୍ତି ନାହିଁ । ସବୁଜ ବିପ୍ଳବ ଯେ ପର୍ଯ୍ୟାୟକ୍ରମେ ଏମିତି ଏକ ସମୟରେ ଆସି ପହଞ୍ଚିବ, ଯେଉଁଠି କୃଷି ଓ କୃଷକର ସାଧନ ଚାଷ ଜମିଟି କମ୍ପାନୀମାନଙ୍କ ହାତକୁ ଚାଲିଯିବ, ଏ କଥା ଭାରତୀୟ କୃଷକ କେବେ ଭାବିନଥିଲା । ଆମେ ଠିକ୍ ସମୟରେ କମ୍ପାନୀମାନଙ୍କର ପ୍ରରୋଚନାରେ ହେଉଥିବା ସରକାରୀ ହସ୍ତକ୍ଷେପ ଗୁଡ଼ିକୁ ପୂର୍ବରୁ କେବେ ବିରୋଧ କରିନାହାନ୍ତି । ତାଲିକାଟି ବହୁତ ଲମ୍ବା ଏବଂ ସେ ସମ୍ପର୍କରେ ଆଲୋଚନା ଆଉ କେବେ କରାଯାଇ ପାରେ । ଏଠି କେବଳ ଏତିକି କହି ହେବ ଯେ, ଆମେ ନିଜ ଅଜାଣତରେ ନିଜ ଚାରିପଟେ ସୃଷ୍ଟି ହେଇଚାଲିଥିବା ଏକ ଉଦାସୀନତାର ବାତାବରଣକୁ ଅଚାନକ ସାମ୍ନା କରିବାକୁ ପଡ଼ୁଛି । ଯେତେବେଳେ ଜନଗଣଙ୍କ ପାଇଁ ହିଁ ଆଜି ଚାଷୀକୂଳ ତିନୋଟି କଳା ଆଇନ ବିରୋଧରେ ମାତିଛନ୍ତି, ନିଜେ ଜନଗଣ ସକ୍ରିୟ ଭାବେ ହେଉ ବା ନିରବତା ମାଧ୍ୟମରେ ଚାଷୀକୂଳ ବିରୋଧରେ ଛିଡ଼ା ହେଉଛନ୍ତି ।

ଦେଶବ୍ୟାପୀ ଆନ୍ଦୋଳନକୁ ଜାରୀ ରଖିଥିବା କୃଷକ ସଙ୍ଗଠନମାନଙ୍କୁ ଆମେ ଧନ୍ୟବାଦ ଦେବୁ ଯେ ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ଦୃଢ଼ଭାବେ ‘ଏ ଜନରାଜ୍ୟଟି ଆଉ କାହାର ନୁହଁ, କେବଳ ଜନଗଣଙ୍କର’ କଥାଟିକୁ ସାବ୍ୟସ୍ତ କରିବା ପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରୀ ରଖିଛନ୍ତି । ପ୍ରଥମ ଥର ପାଇଁ ଜଣାପଡ଼ୁଛି ଯେ ସଂସଦରେ ସରକାରଙ୍କର ସଂଖ୍ୟା ଯାହା ଥାଉନା କାହିଁକି, ସଡ଼କରେ ସଂଗଠିତ ହେଉଥିବା କୃଷକମାନଙ୍କର ସଂଖ୍ୟାଟିକୁ ସେମାନେ ହେୟ ମନେ କରିପାରିବେ ନାହିଁ । କୃଷକମାନଙ୍କର ରାଜନୈତିକ ଦଳମାନଙ୍କର ନିୟନ୍ତ୍ରଣର ବାହାରେ ରହି ନିଜକୁ ସଂଗଠିତ କରିବାର ଶକ୍ତି ଭାରତର ସମ୍ବିଧାନ ଅନୁମୋଦିତ ଗଣତନ୍ତ୍ରରେ ଗୋଟିଏ ନୂଆ ଦିଗ ଉନ୍ମୋଚନ କରୁଛି । ଯଦି ଜନଗଣ ( ଏ କ୍ଷେତ୍ରରେ କୃଷକମାନେ) ବା ‘We the People of India’ ନିଜେ ଆମ ଜନ ରାଜ୍ୟଟିକୁ ନିଜର ବୋଲି ଭାବିବେ; ତେବେ ଶାସକ ଯେତେ ନିଜକୁ ପରାକ୍ରମୀ ମଣୁଥିଲେ ବି ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହେବେ । ତେବେ ଏଭଳି ଏକ ସଚେତନତା ଆଣିବାକୁ ହେଲେ ରାଜ୍ୟ ରାଜଧାନୀ ବା ବିଭିନ୍ନ ସହରରେ ପ୍ରତୀକାତ୍ମକ ଆନେ୍ଦାଳନ ଜାରି ରଖିଥିବା ସଙ୍ଗଠନମାନଙ୍କୁ ଗାଁ ତଥା ପଞ୍ଚାୟତ ସ୍ତରକୁ ଯିବାକୁ ପଡ଼ିବ ଏବଂ ଉପଯୁକ୍ତ ଚର୍ଚ୍ଚା ମାଧ୍ୟମରେ ସଙ୍ଗଠନକୁ ଆଗକୁ ନେବାକୁ ପଡ଼ିବ । ଆମକୁ ମନେ ରଖିବାକୁ ହେବ ଯେ, କେନ୍ଦ୍ରରେ ଥିବା ସରକାରଟି ଦେଶର ସବୁକିଛି ବିକ୍ରି କରିବା ଯୋଜନାରେ ଅଛନ୍ତି । ଯଦି ଏଥିପାଇଁ କୌଣସି ଅନ୍ତଃରାଷ୍ଟ୍ରୀୟ ଅର୍ଥନୈତିକ ଚାପ ରହୁଛି, ତେବେ ସରକାର ଜନଗଣଙ୍କ ଆଗରେ ଖୋଲାଖୋଲି କହିଦେବା କଥା । କିନ୍ତୁ ସେଭଳି କିଛି କଥା ସରକାରଙ୍କ ଆଡ଼ୁ ଦେଖାଯାଉ ନାହିଁ । ଏପରି ଏକ ସମୟରେ ଭାରତର ସଂଖ୍ୟାଧିକ ଜନଗଣଙ୍କର ଜୀବନ ଜୀବିକାର ନିର୍ଭରଯୋଗ୍ୟ ଆଧାର କୃଷି ଯଦି ସେମାନଙ୍କ ହାତରୁ ଚାଲିଯିବ, ତେବେ ଏ ଜନରାଜ୍ୟଟି ନାମକୁ ମାତ୍ର ଜନଗଣଙ୍କର ହୋଇ ରହିବ । ସେଥିପାଇଁ କେବଳ କୃଷକ ନୁହଁ; ସମସ୍ତେ ଯେଉଁମାନେ ନିଜକୁ ଦେଶପ୍ରେମୀ ଭାବୁଛନ୍ତି, ଦେଶର ସାର୍ବଭୌମତା ଓ ସ୍ୱାବଲମ୍ବନଶୀଳତା କୃଷି କମ୍ପାନୀମାନଙ୍କ ହାତମୁଠାକୁ ଯେମିତି ନ ଚାଲିଯାଏ , ସେଥିପାଇଁ ନିଜ ଆଡ଼ୁ ପ୍ରତିବାଦ ଆନେ୍ଦାଳନ ଗୁଡ଼ିକରେ ସାମିଲ ହେଇ ପଥଭ୍ରଷ୍ଟ ଓ ପ୍ରଭାବିତ ଶାସକମାନଙ୍କୁ ଠିକ୍ ପଥରେ ରଖିବା ପାଇଁ ପ୍ରୟାସ କରିବାକୁ ହେବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.