କାରଖାନା ସ୍କୁଲରୁ ମୋହଭଙ୍ଗର ସମୟ

ସରଳ କୁମାର ଦାସ
ସରଳ କୁମାର ଦାସ199 Views
16 Min Read

ଓଡ଼ିଶାରେ ୨୦୨୩ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ୱ ନୃତାତ୍ତ୍ୱିକ କଂଗ୍ରେସ’ (ୱାକ)ର ଅନ୍ୟତମ ଆମନ୍ତ୍ରକ (ହୋଷ୍ଟ) ଭାବେ ଭୁବନେଶ୍ୱରସ୍ଥିତ ଏକ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ମନୋନୀତ ହୋଇଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଉର୍ଦ୍ଧ ଆଦିବାସୀ ସଂଗଠନ ଓ ନେତାଙ୍କ ପ୍ରବଳ ବିରୋଧପରେ ଆୟୋଜକ ଇଣ୍ଟରନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ୍ ଏଥନୋଲୋଜିକାଲ ଷ୍ଟଡ଼ିଜ ତାକୁ ଆମନ୍ତ୍ରକଙ୍କ ତାଲିକାରୁ ବାଦ୍ ଦେବାକୁ ବାଧ୍ୟ ହେଲେ । ଏହି ବିରୋଧର ମୁଖ୍ୟ କାରଣ ଥିଲା ସେହି ଅନୁଷ୍ଠାନର କାରଖାନା ସ୍କୁଲ (ଫ୍ୟାକ୍ଟରି ସ୍କୁଲ) ବ୍ୟବସ୍ଥା ।

ବିଶ୍ୱରେ ସପ୍ତଦଶ ଶତାବ୍ଦୀରେ ପ୍ରଥମେ ଖ୍ରୀଷ୍ଟିୟାନ୍ ମିଶନାରୀଙ୍କ ଦ୍ୱାରା ଆମେରିକାରେ କାରଖାନା ସ୍କୁଲ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଶିଳ୍ପ ବିପ୍ଲବ କାଳରେ ଏହା କାନାଡ଼ା, ଅଷ୍ଟ୍ରେଲିଆ, ଆମେରିକା ସମେତ ଉର୍ଦ୍ଦେଶ୍ୟ ଥିଲା । ଶିଳ୍ପପତିମାନେ ଖ୍ରୀଷ୍ଟଧର୍ମର ପରୋପକାର ଭାବନାରେ ଉଦ୍ବୁଦ୍ଧ ହୋଇ ନିଜ ମନକୁ ବୁଝାଇବା ପାଇଁ ମୌଳିକ ଶିକ୍ଷା ମାଧ୍ୟମରେ ଶ୍ରମିକଙ୍କ କଲ୍ୟାଣ ପାଇଁ କିଛି କିଛି ଅର୍ଥ ପ୍ରଦାନ କରିବାକୁ ଆଗ୍ରହ ଦେଖାଉଥିଲେ । ସରକାରୀ ଭାବେ ଏହି କାରଖାନା ସ୍କୁଲ ବ୍ୟବସ୍ଥା ପ୍ରଥମେ ଊନବିଂଶ ଶତାବ୍ଦୀରେ ପ୍ରସିଆରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଔପନିବେଶକଙ୍କ ମଧ୍ୟରେ ଆଦୃତି ଲାଭ କରି ଲାଙ୍କାଶାୟାର ବ୍ୟବସ୍ଥା, ମାଡ଼୍ରାସ ବ୍ୟବସ୍ଥା, ଗ୍ଲାସୱୀଜୀୟ ବ୍ୟବସ୍ଥା ଆଦି ମାଧ୍ୟମରେ ବିଭିନ୍ନ ଉପନିବେଶରେ କାୟା ବିସ୍ତାର କରିଥିଲେ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉର୍ଦ୍ଦେଶ୍ୟ ରେ କାରଖାନା ସ୍କୁଲବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇଛି । ଅନେକ ଦେଶରେ ଧର୍ମାନ୍ତରଣ ଏହାର ଉର୍ଦ୍ଦେଶ୍ୟ ହୋଇଥିବାବେଳେ କେତେକ ସ୍ଥାନରେ ଜଙ୍ଗଲ ଓ ଖଣିଜ ସମ୍ପଦକୁ ହାତେଇବା ଏହାର ଉର୍ଦ୍ଦେଶ୍ୟ ହୋଇଛି । ଇଣ୍ଡୋନେସିଆ ସରକାର ତ ପଶ୍ଚିମ ପପୁଆରେ ଜାତୀୟବାଦୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ସେଠାରେ ଏହି ସ୍କୁଲ ବ୍ୟବସ୍ଥାର ପ୍ରଚଳନ କରିଥିଲେ । କ୍ରମେ ଏହି ବ୍ୟବସ୍ଥାର କୁପରିଣାମ ସାମ୍ନାକୁ ଆସିଲା । ବିଶେଷ କରି ଏଥିଯୋଗୁଁ କାନାଡ଼ା, ଅଷ୍ଟ୍ରେଲିଆର ସ୍ଥାନୀୟ ଅଧିବାସୀ ଓ ଆଦିବାସୀଙ୍କର ପ୍ରଭୂତ କ୍ଷତି ସାଧିତ ହୋଇଥିବାର ଜଣାପଡ଼ିବା ପରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବକୁ ଲାଗିଲା । ବର୍ତ୍ତମାନ ସାରା ବିଶ୍ୱରେ ଏହା ହ୍ରାସପାଇ ପ୍ରାୟ ୨୦ଲକ୍ଷ ଆଦିବାସୀ ପିଲା କାରଖାନା ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିବାବେଳେ ଭାରତରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ଧରଣର ନୂଆ ନୂଆ ସ୍କୁଲ ତିଆରି ହୋଇ ସଂଖ୍ୟା ବଢ଼ି ପ୍ରାୟ ଦଶ ଲକ୍ଷରେ ପହଞ୍ଚିଲାଣି । ଭାରତୀୟ ଆଦିବାସୀ ପିଲାଙ୍କ ପାଇଁ ପ୍ରଚଳିତ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାକୁ କାରଖାନା ସ୍କୁଲ ବ୍ୟବସ୍ଥା କହି ହେବ ନାହିଁ ବୋଲି କେହି ଯୁକ୍ତି ବାଢ଼ୁଥିବାରୁ କାରଖାନା ସ୍କୁଲ ବ୍ୟବସ୍ଥାର ଚରିତ୍ରକୁ ବୁଝିବାର ଆବଶ୍ୟକତା ରହିଛି ।

ପ୍ରଖ୍ୟାତ ଆମେରିକୀୟ ଲେଖକ ଅଲୱିନ ଟଫଲରଙ୍କ ବହୁଚର୍ଚ୍ଚିତ ‘ଫୁ୍ୟଚର ସକ୍’ ପୁସ୍ତକ (୧୯୭୦)ରେ କାରଖାନା ସ୍କୁଲକୁ ପରିଭାଷିତ କରି ଯାହା ଲେଖାହୋଇଛି ତା’ର ଓଡ଼ିଆ ଅନୁବାଦ କିଛିଟା ଏପରି – ‘ଛାତ୍ରସମୂହ ରୂପକ କଞ୍ଚାମାଲ ସଦୃଶ ସମ୍ପଦକୁ ଏକ କେନ୍ଦ୍ରସ୍ଥଳୀରେ ସ୍ଥାନିତ ସ୍କୁଲରୂପକ କାରଖାନାକୁ ଆଣି ସେମାନଙ୍କୁ ଶିକ୍ଷକରୂପୀ ଶ୍ରମିକମାନଙ୍କ ଦ୍ୱାରା ପ୍ରକ୍ରିୟାକରଣ କରିବାର ସମଗ୍ର ପରିକଳ୍ପନାଟି କେବଳ ଶିଳ୍ପ ପ୍ରତିଭାମାନଙ୍କ କଳ୍ପନାପ୍ରସୂତ ହୋଇପାରେ ।” ପରବର୍ତ୍ତୀ ସମୟରେ କାରଖାନା ସ୍କୁଲରୁ ବାହାରୁଥିବା ଛାତ୍ର ଶିଳ୍ପରେ ନିୟୋଜିତ ହେଉଥିବାରୁ ଶିଳ୍ପର ସମସ୍ତ ଶୃଙ୍ଖଳ-ଯେପରି ସମୟାନୁବର୍ତ୍ତିତା, ନିରଳସ ଭାବ, ବାରମ୍ବାର ଏକ ପୁନରାବୃତ୍ତିମୂଳକ କାମକୁ ବୀତସ୍ପୃହ ନହୋଇ କରି ଚାଲିବା ଇତ୍ୟାଦିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଏହାଦ୍ୱାରା ସେମାନେ ନିଜ କଳ୍ପନାର ଡେଣାକୁ ମେଲାଇବାର ଆକାଂକ୍ଷା ଓ କ୍ଷମତା ହରାଇ ଶିଳ୍ପ ଚାହୁଁଥିବା ମୁତାବକ ଆଦର୍ଶ ଶ୍ରମିକରେ ପରିଣତ ହୋଇପାରନ୍ତି । ଶିଳ୍ପଜଗତର ଏହି ଆବଶ୍ୟକତାକୁ ପରିପୂରଣ କରିବା କାରଖାନା ସ୍କୁଲଗୁଡ଼ିକର ମୁଖ୍ୟ ଉର୍ଦ୍ଦେଶ୍ୟ ହୋଇଥିବାରୁ କ୍ରମେ ନିଯୁକ୍ତି ଯୋଗ୍ୟତା ସୃଷ୍ଟି ହିଁ ମୁଖ୍ୟସ୍ରୋତ ଶିକ୍ଷାବ୍ୟବସ୍ଥାର ଉର୍ଦ୍ଦେଶ୍ୟ ପାଲଟିଗଲା । କାରଖାନା ସ୍କୁଲଗୁଡ଼ିକ ଆଦିବାସୀ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଆଣି ସେମାନଙ୍କୁ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରିଥାଆନ୍ତି ବୋଲି ଦାବି କରୁଥିଲେ ବି ଅନେକ କ୍ଷେତ୍ରରେ ବାସ୍ତବତା ସମ୍ପୂର୍ଣ୍ଣ ବିପରୀତ ହୋଇ ଭୟାବହ କୁପରିଣାମମାନ ଦେଖିବାକୁ ମିଳିଥାଏ । ବୃତ୍ତିଗତ ସ୍ତରରେ ମୁଷ୍ଟିମେୟ ଛାତ୍ର ସଫଳତା ହାସଲ କରୁଥିଲେ ବି ପରବର୍ତ୍ତୀ ସମୟରେ ନିଜ ସମାଜ ସହ ସେମାନଙ୍କ ସମ୍ପର୍କ ଶିଥିଳ ହୋଇଯାଉଛି ଓ ସେମାନଙ୍କ ସଫଳତା ସମାଜର ସାମଗ୍ରିକ ବିକାଶରେ କାମରେ ଲାଗୁ ନାହିଁ । ଘରଠାରୁ ଦୂରରେ ଏଭଳି ଆବାସିକ ବିଦ୍ୟାଳୟରେ ପଢ଼ିବା ଦ୍ୱାରା ପିଲାମାନେ ସମାଜର ଲୋକଙ୍କଠାରେ ଥିବା ପାରମ୍ପରିକ ଜ୍ଞାନ, କୌଶଳ ଓ ପରିବେଶଗତ ଜ୍ଞାନ ଆହରଣ କରିବାରୁ ବଞ୍ଚିତ ହୋଇଥାଆନ୍ତି । କୁହାଯାଏ ବଣ୍ଡା ଘାଟିରେ ସାନ ପିଲାଟିଏ ପାହାଡ଼ ଉପରୁ ପଥରଟିଏ ଗଡ଼ାଇ ବା ଚକଟିଏ ଗଡ଼ାଇ ତାକୁ ଲକ୍ଷ୍ୟ କରି ଶର ବିନ୍ଧିଥାଏ । ତାକୁ କେହି ହାତ ଧରି ଏ କାମଟିକୁ କରିବାକୁ ଶିଖାଇ ନଥାଏ । ତା’ ପରିବେଶରେ ସେ ଅନ୍ୟମାନଙ୍କୁ ଦେଖି ଏଇଟିକୁ ଶିଖିଥାଏ, ଯାହା ପରବର୍ତ୍ତୀ ସମୟରେ ତାକୁ କୁଶଳୀ ଶିକାରୀରେ ପରିଣତ କରିଥାଏ । କିନ୍ତୁ ଦୂର ଆବାସିକ ବିଦ୍ୟାଳୟରେ ପଢ଼ି ସେ ଉପରୋକ୍ତ ଦକ୍ଷତା ହାସଲରୁ ବଞ୍ଚିତ ରହେ । ବିଶ୍ୱର ପ୍ରାୟ ୪୦ପ୍ରତିଶତ ଶିଶୁଙ୍କୁ ସେମାନଙ୍କ ମାତୃଭାଷା ବା ସେମାନେ ବୁଝୁଥିବା ଭାଷାରେ ଶିକ୍ଷା ପ୍ରଦାନ କରାନଯାଇ ଅନ୍ୟ ଭାଷାରେ ଶିକ୍ଷା ଏକ ପ୍ରକାର ଲଦି ଦିଆଯାଇଥାଏ । ନିଜ ପରିବେଶରୁ ବିଚ୍ଛିନ୍ନ ହୋଇ ଆବାସିକ ବିଦ୍ୟାଳୟରେ ମାତୃଭାଷା ଭିନ୍ନ ଅନ୍ୟଭାଷାରେ ଶିକ୍ଷାଗ୍ରହଣ କରୁଥିବାରୁ ଆଦିବାସୀ ଶିଶୁମାନେ ହିଁ ଏହି ଅନ୍ୟାୟର ସବୁଠାରୁ ବେଶି ଶିକାର ହୋଇଥାଆନ୍ତି । ଉନ୍ନତ ଶିକ୍ଷାଦାନ ଆଳରେ ଆଦିବାସୀ ପିଲାଙ୍କୁ ତାଙ୍କ ମାତୃଭାଷାରେ ଶିକ୍ଷା ପାଇବାରୁ ବଞ୍ଚିତ କରିବା ଅର୍ଥ ସେମାନଙ୍କ ସ୍ୱାଭାବିକ ବିକାଶ ପଥରେ ବାଧକ ସାଜି ଆଦିବାସୀଙ୍କ ସମଗ୍ର ସାମାଜିକ, ସାଂସ୍କୃତିକ ପରିବେଶକୁ କ୍ଷତି ପହଞ୍ଚାଇବା । କାରଖାନା ସ୍କୁଲରେ ମାତୃଭାଷା ଭିନ୍ନ ଅନ୍ୟ ଭାଷାରେ ଶିକ୍ଷା ପ୍ରଦାନ ଭାଷା-ସ୍ୱରାଜ ସିଦ୍ଧାନ୍ତର ପରିପନ୍ଥୀ ହୋଇଥିଲା ବେଳେ ଏଥିରେ ପିଲାଙ୍କ ଭାଷାଗତ ମାନବାଧିକାରର ହନନ ହୋଇଥାଏ । ଏହା ନେହେରୁଙ୍କ ଦ୍ୱାରା ୧୯୫୨ରେ ଘୋଷିତ “ଆଦିବାସୀ ପଞ୍ଚଶୀଳ’ ବୋଲାଉଥିବା ଦେଶର ପାଞ୍ଚଟି ଆଦିବାସୀ ନୀତିର ବିରୁଦ୍ଧାଚରଣ କରୁଛି, ଯେଉଁଥିରେ ଆଦିବାସୀଙ୍କ ଉପରେ କିଛି ଲଦି ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତୃଭାଷାରେ ଶିକ୍ଷାଦାନ ତ ଦୂରର କଥା ସେଠାରେ ଥିବା ଆଦିବାସୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ । ଇଂରାଜୀ ମିଡ଼ିଅମ ସ୍କୁଲରେ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତାର କରିବାକୁ ବାରଣ କରାଯାଉଥିବା ଭଳି କାରଖାନା ସ୍କୁଲଗୁଡ଼ିକରେ ବି ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥାଏ । ଆଦିବାସୀଙ୍କ ଧର୍ମୀୟ ବିଶ୍ୱାସ, ଚାଲିଚଳଣ ନିକୃଷ୍ଟ ବୋଲି ପିଲାଙ୍କଠାରେ ଏପରି ଏକ ପ୍ରତ୍ୟୟ ସୃଷ୍ଟି କରିବାକୁ ଉଦ୍ୟମ ହୋଇଥାଏ ଯଦ୍ୱାରା ସେମାନେ ନିଜ ସମାଜ ଓ ସଂସ୍କୃତିକୁ ନେଇ ସେହିପରି ଗର୍ବ ଅନୁଭବ କରିପାରିନଥାନ୍ତି । ଏଭଳି ସ୍କୁଲରେ ପ୍ରମୁଖ ଧର୍ମର ପର୍ବପର୍ବାଣୀମାନ ପାଳନ କରାଯାଉଥିଲେ ବି ଆଦିବାସୀମାନଙ୍କ ପର୍ବପର୍ବାଣୀ ପାଳନ କରାଯାଇ ନଥାଏ । ଏପରି କି ସେଥିପାଇଁ ପିଲାମାନଙ୍କୁ ଘରକୁ ଛଡ଼ା ଯାଇ ନଥାଏ । ଫଳରେ ପରିବେଶଗତ ଜ୍ଞାନ, କୌଶଳ ଓ ଭାଷା ଜ୍ଞାନର ଅଭାବ ଯୋଗୁ ସେମାନଙ୍କ ଅଣଆଦିବାସୀକରଣ ପ୍ରକ୍ରିୟାଟି ତ୍ୱରାନ୍ୱିତ ହୋଇଥାଏ । ଏହା ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ମୁଖ୍ୟସ୍ରୋତରେ ସାମିଲ ହେବା ପ୍ରକ୍ରିୟାରେ ନିଜ ନୃତାତ୍ତ୍ୱିକ ସ୍ୱାତନ୍ତ୍ର୍ୟ ଟିକକ ହରାଇଥାଆନ୍ତି । ତଦ୍ଜନିତ କ୍ଷତିର ସୁଦୂର ପ୍ରସାରୀ ପ୍ରଭାବ କେବଳ ସେମାନଙ୍କ ପର୍ଯ୍ୟନ୍ତ ସୀମିତ ନ ରହି ସମଗ୍ର ସମାଜକୁ ଗ୍ରାସ କରିଥାଏ । ସେମାନଙ୍କ ସ୍ୱତନ୍ତ୍ର ଭାବେ ତିଷ୍ଠି ରହିବା ଉପରେ ପ୍ରଶ୍ନ ସୃଷ୍ଟି ହେବାସହ କେତେକଙ୍କ ଭାଷା ବିଲୁପ୍ତିର ଦ୍ୱାର ଦେଶକୁ ଚାଲିଯାଇଥାଏ ।

ଘରୋଇଭାବେ ପରିଚାଳିତ ଅଧିକାଂଶ କାରଖାନା ସ୍କୁଲର ପ୍ରମୁଖ ପୃଷ୍ଠପୋଷକ ହେଉଛନ୍ତି ବଡ଼ ବଡ଼ କର୍ପୋରେଟ ହାଉସ, ବିଶେଷ କରି ଖଣିଜସମ୍ପଦ ଉତ୍ତୋଳନକାରୀ କମ୍ପାନୀ । ଆଦିବାସୀ ସମାଜରେ ସେମାନଙ୍କ ଛବି ଆଦିବାସୀ ବିରୋଧୀ ହୋଇଥିବାରୁ ସେମାନେ ସିଧାସଳଖ କୌଣସି ଜନମଙ୍ଗଳକାରୀ କାର୍ଯ୍ୟ କଲେ ତାହା ସନ୍ଦେହ ଜନକ ଚକ୍ଷୁରେ ଦେଖାଯାଇପାରେ । ସେଥିପାଇଁ ସେମାନେ ଆଦିବାସୀ ସମାଜରେ ନିଜ ବିଶ୍ୱସନୀୟତା ଓ ଗ୍ରହଣୀୟତାକୁ ବଢ଼ାଇବା ପାଇଁ କାରଖାନା ସ୍କୁଲର ସହଜ ରାସ୍ତାଟିକୁ ବାଛି ଥାଆନ୍ତି । ସ୍ଥଳବିଶେଷରେ ବଣଜଙ୍ଗଲର ମାଟି ତଳେ ଥିବା ଖଣିଜ ସମ୍ପଦ ଉପରେ ଆଖି ଥିବା କମ୍ପାନୀମାନଙ୍କର ଦୀର୍ଘମିଆଦୀ ଯୋଜନାର ଏହା ଅଂଶବିଶେଷ ହୋଇଥାଏ । ଶିକ୍ଷା ଆଳରେ ଆଦିବାସୀ ପିଲାମାନଙ୍କୁ ନିଜ ଅଞ୍ଚଳରୁ ଦୂରେଇ ରଖାଯାଇପାରିଲେ ଜଙ୍ଗଲ ପ୍ରତି ସେମାନଙ୍କ ମୋହ କ୍ରମଶଃ ଭାଙ୍ଗି ଯିବ । ଆଦିବାସୀ ଜୀବନ ଜଙ୍ଗଲ-ନିର୍ଭର ହୋଇଥିବାରୁ ବର୍ତ୍ତମାନ ପିଢ଼ିର ଆଦିବାସୀଙ୍କୁ ଜଙ୍ଗଲଚ୍ୟୁତ କରିବା ସହଜ ହେଉ ନଥିବାବେଳେ ଆଗାମୀ ପିଢ଼ିର କାରଖାନା ସ୍କୁଲ ଫେରନ୍ତା ଆଦିବାସୀଟିର ଜଙ୍ଗଲ ନିର୍ଭରଶୀଳତା ହ୍ରାସପାଇ ତା’ପ୍ରତି ଆଉ ସେହି ମମତା ଓ ଆକର୍ଷଣ ନ ଥିବାରୁ ସେ ହୁଏତ ସହଜରେ ଅନ୍ୟତ୍ର ଯିବାକୁ ସାଲିସ କରି ଦେଇପାରିବ । ତେଣୁ କାରଖାନା ସ୍କୁଲକୁ ପାଣ୍ଠି ପ୍ରଦାନ ଧରଣର କମ୍ପାନୀଙ୍କ ପାଇଁ ଏକପ୍ରକାର ଦୀର୍ଘମିଆଦୀ ବିନିଯୋଗ ହୋଇଥାଏ । ସେଥିପାଇଁ ଅଧିକାଂଶ ସ୍କୁଲ ମଧ୍ୟ ପିଲାମାନଙ୍କୁ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ଜଙ୍ଗଲ ଅଧିକାର ଭଳି ଆଇନ ସମ୍ପର୍କରେ ସଚେତନ କରିବାକୁ ଉଚିତ ମଣି ନ ଥାଆନ୍ତି । ଅନ୍ୟ ପକ୍ଷରେ ପିଲାଟିର ପାଠପଢ଼ାରୁ ଆରମ୍ଭ କରି ସବୁ କିଛି ମାଗଣା ହୋଇଥିବାରୁ ସେ ନିଜକୁ ଏତେ ବେଶି ଅନୁଗୃହୀତ ବୋଲି ମନେ କରେ ଯେ ଏ ଭଳି ବିଦ୍ୟାଳୟ ବ୍ୟବସ୍ଥା ତା’ମନରେ ଭାବାନ୍ତର ସୃଷ୍ଟି କଲେ ସୁଦ୍ଧା ସେ ପ୍ରତିବାଦ କରିବାକୁ ସାହସ କରି ନଥାଏ । କ୍ରମଶଃ କୌଣସି ଅନ୍ୟାୟ ପ୍ରତିବାଦ କରିବାର କ୍ଷମତା ବି ତା’ଠାରୁ ଲୋପ ପାଇଥାଏ, ଯାହା ପରବର୍ତ୍ତୀ ସମୟରେ ତା’ ବ୍ୟକ୍ତିତ୍ୱରେ ବି ପ୍ରତିଫଳିତ ହୋଇଥାଏ । ତା’ର ପରିବର୍ତ୍ତନ ସେହିପରି ଶିଳ୍ପସଂସ୍ଥାଙ୍କ ସ୍ୱାର୍ଥ ଅନୁକୂଳ ହୋଇଥାଏ ।

ଭାରତରେ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖି ଗାନ୍ଧିଜୀଙ୍କ ସହଯୋଗୀ ଠକ୍କରବାପା ଆଶ୍ରମ ସ୍କୁଲମାନ ପ୍ରତିଷ୍ଠା କରିଥିଲେ । ଏହି କ୍ରମରେ ଖ୍ରୀଷ୍ଟିଆନ ମିଶନାରୀ ସଙ୍ଗଠନଙ୍କଠାରୁ ଆରମ୍ଭ କରି ବନବାସୀ କଲ୍ୟାଣ ପରିଷଦ ଭଳି ଅନେକ ସଙ୍ଗଠନ ଏହି ଆବାସିକ ବିଦ୍ୟାଳୟ ମାର୍ଗଟିକୁ ବାଛିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ୨୦୧୮ ମସିହା ସୁଦ୍ଧା ବିଭିନ୍ନ ରାଜ୍ୟରେ ଥିବା ୨୮୪ଟି ଏକଲବ୍ୟ ମଡ଼େଲ ରେସିଡ଼େନ୍ସିଆଲ ସ୍କୁଲ ଓ ୧୨୦୫ଟି ଆଶ୍ରମ ସ୍କୁଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ଥିଲା । ଆବସିକ ବିଦ୍ୟାଳୟଗୁଡ଼ିକରେ ଆଦିବାସୀ ପିଲାମାନେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହେଉଥିବାର ଖବରମାନ ଶୁଣିବାକୁ ମିଳିଥାଏ । ଏକ ଆକଳନ ଅନୁସାରେ ୨୦୦୧ରୁ ୨୦୧୬ ମଧ୍ୟରେ କେବଳ ମହାରାଷ୍ଟ୍ର ରାଜ୍ୟର ଆବାସିକ ବିଦ୍ୟାଳୟ ଗୁଡ଼ିକରେ ୧୪୬୩ ଜଣ ଆଦିବାସୀ ଛାତ୍ର ମୃତୁ୍ୟବରଣ କରିଥିଲେ ଓ ତନ୍ମମଧ୍ୟରୁ ୩୦ ଜଣ ଆତ୍ମହତ୍ୟା କରିଥିବା ବାସ୍ତିବକ ଉଦବେଗଜନକ । ଓଡ଼ିଶାର ଆଦିବାସୀ ପିଲାଙ୍କ ମଧ୍ୟରୁ ୧୬ ପ୍ରତିଶତ ହୋଇଥାଏ ।…… ରାଜ୍ୟରେ ୨୦୦୬ ମସିହାରୁ ସର୍ବଶିକ୍ଷା ଅଭିଯାନ ବହୁଭାଷୀ ଶିକ୍ଷା (ଏମଏଲଇ)ରେ ସାନ୍ତାଳୀ, ସଉରା, ମୁଣ୍ଡା, କୋୟା, କୁଇ ଭଳି ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ ଲାଗି ନିଷ୍ପତ୍ତି ନିଆସରିଛି । ତଦନୁଯାୟୀ ୨୦୧୬ ସୁଦ୍ଧା ରାଜ୍ୟରେ ୨୩୦୦ ସ୍କୁଲରେ ୨୧ଟି ଭାଷାରେ ପ୍ରାୟ ୧.୪୩ ଲକ୍ଷ ଆଦିବାସୀ ଛାତ୍ର ସେମାନଙ୍କ ମାତୃଭାଷାରେ ଶିକ୍ଷା ଗ୍ରହଣ କରି ପାରୁଥିଲେ ଆଦିବାସୀ ଶିକ୍ଷାର ବିକାଶ ଲାଗି ଏଭଳି ଅନୁକୂଳ ପରିବେଶରେ କାରଖାନା ସ୍କୁଲ ବ୍ୟବସ୍ଥା ତିଷ୍ଠି ପାରିବା କଥା ନୁହେଁ । ଏହା ସତ୍ତ୍ୱେ ସାରା ବିଶ୍ୱରେ ଓଡ଼ିଶା କାରଖାନା ସ୍କୁଲର ଏକ ପ୍ରମୁଖ ସ୍ଥଳୀ ପାଲଟିବା ବାସ୍ତବିକ ସରକାରଙ୍କ ଆଦିବାସୀ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି ।

ଶିକ୍ଷା ବ୍ୟବସ୍ଥାରେ ଯୌକ୍ତିକତାକୁ ଆଧାର କରି କମ ସଂଖ୍ୟକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବା ଲାଗି ଓଡ଼ିଶା ସମତେ ଅନ୍ୟ କେତେକ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜନସଂଖ୍ୟା ସାନ୍ଧ୍ରତା କମ ଥିବା ଆଦିବାସୀ ଅଞ୍ଚଳକୁଡ଼ିକରେ ୧୫ରୁ କମ ଛାତ୍ର ଥିଲେ ସ୍କୁଲକୁ ବନ୍ଦ କରି ଦିଆଯିବ । ତେବେ ସେହି ଅଞ୍ଚଳର ସ୍କୁଲଗୁଡ଼ିକରେ ଛାତ୍ର ସଂଖ୍ୟା ହ୍ରାସ ପାଉଥିବାର ଅନ୍ୟାନ୍ୟ ଅନେକ କାରଣ ଭିତରୁ ଗୋଟିଏ କାରଣ ହେଉଛି କାରଖାନା ସ୍କୁଲ ବ୍ୟବସ୍ଥା । ଶିଳ୍ପୋଦ୍ୟୋଗ ଓ କେତେକ କମ୍ପାନୀ ସେମାନଙ୍କ ସିଏସଆର କାର୍ଯ୍ୟକ୍ରମ ଅଧୀନରେ କିଛି ଆଦିବାସୀ ପିଲାଙ୍କୁ ଏହି ଭଳି ସ୍କୁଲକୁ ପଠାଇ ସେମାନଙ୍କ ପଢ଼ା ବାବଦ ଖର୍ଚ୍ଚକୁ ବହନ କରି ଥାଆନ୍ତି । ସ୍ଥଳ ବିଶେଷରେ ଏହା ସେଠାକାର ସ୍କୁଲର ଛାତ୍ର ସଂଖ୍ୟା ହ୍ରାସ କରି ପରୋକ୍ଷରେ ସ୍କୁଲର ବନ୍ଦର କାରଣ ବି ପାଲଟିଥାଏ । ଉଦାହରଣ ସ୍ୱରୂପ ୧୯ ଜଣ ପିଲା ପଢ଼ୁଥିବା ଅଞ୍ଚଳରୁ ଯଦି ୫ ଜଣକୁ କୌଣସି କମ୍ପାନୀ ସିଏସଆରରେ ଏହି ଭଳି କାରଖାନା ସ୍କୁଲକୁ ପଠାଇ ଦିଆଯାଏ ତେବେ ସେଠାକାର ସ୍କୁଲର ସଂଖ୍ୟା ୧୪କୁ ହ୍ରାସ ପାଇ ସ୍କୁଲ ବନ୍ଦ କରିବାର ଆବଶ୍ୟକତା ଉପୁଜିପାରେ । କାରଖାନା ସ୍କୁଲରେ ପଢ଼ୁଥିବା ୫ ଜଣ ଛାତ୍ରଙ୍କ ଭବିଷ୍ୟତ ନେଇ ନିଶ୍ଚିତ ଭାବେ କିଛି କହି ହେଉ ନ ଥିଲା ବେଳେ ସ୍କୁଲ ଅଭାବରୁ ଅବଶିଷ୍ଟ ୧୪ ଜଣ ଛାତ୍ରଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇପାରେ । ତେଣୁ ଅନ୍ତତଃ ପ୍ରାଥମିକ ସ୍କୁଲ ସ୍ତର ପର୍ଯ୍ୟନ୍ତ ଆଦିବାସୀ ଆଞ୍ଚଳରୁ କମ୍ପାନୀଙ୍କ ଦ୍ୱାରା ସିଏସଆର ମାଧ୍ୟମରେ କାରଖାନା ସ୍କୁଲକୁ ହେଉ ବା ଅନ୍ୟ ଭାବେ ହେଉ ଅନ୍ୟତ୍ର ଛାତ୍ର ପ୍ରେରଣ ବ୍ୟବସ୍ଥା ଉପରେ ରୋକ ଲାଗିବା ଉଚିତ । ବିଶେଷ କରି ଯେଉଁ ସବୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅଧିକ ସଂଖ୍ୟକ ସ୍କୁଲ ବନ୍ଦର ନିଷ୍ପତ୍ତି ନିଆ ଯାଉଛି ସେଠାରେ ଏହି ରୋକକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ । ଅପହଞ୍ଚ ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଆବଶ୍ୟକତା ସ୍ୱତନ୍ତ୍ର ହୋଇଥିବାରୁ ସେମାନେଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ସେଥିପାଇଁ ଆଦିବାସୀ ପିଲାଙ୍କୁ ତାଙ୍କ ନିଜ ପରିବେଶରେ ଅନ୍ତତଃ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ ପାଇଁ ଆମେରିକାର ‘ହୋମ ସ୍କୁଲିଂ’ ବ୍ୟବସ୍ଥା ଭଳି ଶିକ୍ଷା ଦାନର ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରାଯାଇପାରେ । ଏ ପ୍ରସଙ୍ଗରେ ‘ତୃତୀୟ ମଞ୍ଚ’ରପ୍ରବର୍ତ୍ତକ ପ୍ରତ୍ୟାଖ ନାଟକାର ବାଦଳ ସରକାର ‘ଅନ୍ତତଃ ଜଣେ ଦର୍ଶକ ଜଣେ କଳାକାରରେ ନାଟକ ସମ୍ଭବ’ ଉକ୍ତିଟିରୁ ଖିଅ ନେଇ ଆବଶ୍ୟକ ସ୍ଥଳେ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳଗୁଡ଼ିକରେ ‘ଅନ୍ତତଃ ଜଣେ ଛାତ୍ର ଲାଗି ଶିକ୍ଷାଦାନ ହୋଇପାରିବ’ ସିଦ୍ଧାନ୍ତକୁ ଗହଣ କରି ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ । ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସ୍ଥାନୀୟ ପିଲାଙ୍କୁ ସାମାନ୍ୟ ପ୍ରଶିକ୍ଷଣ ପ୍ରଦାନ କରି ସେହି ଅଞ୍ଚଳର ପିଳାଙ୍କୁ ପଢ଼ାଇବାରେ ନିୟୋଜିତ କରିବା କଥା ବିଚାର କରିପାରେ ଓ ସେମାନେ ମାତୃଭାଷାରେ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ାଇ ପାରନ୍ତେ । ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇ ପାରିଲେ ସ୍କୁଲର ଯୌକ୍ତିକତା ପ୍ରସଙ୍ଗ ହେବ ନାହିଁ କି ସ୍କୁଲ ଅଭାବରୁ କୌଣସି ଠାରେ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ ।

ଯେ କୌଣସି ଛାତ୍ରର ଉଚ୍ଚମାନର ଶିକ୍ଷା ହାସଲ କରିବା ଅଧିକାର ଥିବାରୁ କାରଖାନ ସ୍କୁଲରେ ତାର ସେହି ଆବଶ୍ୟକତା ପୂରଣକୁ ବିରୋଧ କରି ହେବ ନାହିଁ । ତେବେ ଆଦିବାସୀ ପିଲାମାନେ ସେହି ସବୁ ସ୍କୁଲରେ ମଣିଷ ହୋଇ ବାହାରୁଛନ୍ତି ବୋଲି କେହି କେହି ଥାଆନ୍ତି । କାରଖାନା ସ୍କୁଲରୁ ପଢ଼ି ବାହାରିଥିବା ପିଲାମାନଙ୍କର ଏକ ୱେବ ପୋର୍ଟାଲ ତିଆରି କରାଯାଇ ସେଠାରେ ତଥ୍ୟ ଉପଲବ୍ଧ ହୋଇ ପାରିଲେ ସେମାନଙ୍କ ଭିତରୁ ପ୍ରକୃତରେ କେତେ ଜଣ ମଣିଷ ହୋଇଛନ୍ତି ବା କି ଭଳି ସଫଳତା ହାସଲ କରିଛନ୍ତି ଓ ସେମାନଙ୍କ ସମ୍ପ୍ରଦାୟର ବିକାଶରେ କି ଭଳି ଯୋଗଦାନ କରୁଛନ୍ତି ତାହା ଜଣାପଡ଼ନ୍ତା । ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ଆଦିବାସୀଟିଏ ଶିକ୍ଷାର ଉଚ୍ଚତର ମାନ ପାଇଁ ନୁହେଁ ବରଂ ପିଲାମାନଙ୍କ ଭରଣପୋଷର ଦାୟିତ୍ୱରୁ ଅବ୍ୟାହତି ପାଇବା ପାଇଁ ପିଲାମାନଙ୍କୁ ନିଜ ପାଖରୁ ଦୂରେଇ ଦେଇ ଏହି ଭଳି ସ୍କୁଲକୁ ପଠାଇବାକୁ ପଛାଇ ନ ଥାଏ । ତା’ର ଏହି ଅସହାୟତା ବେଳେ ତା’ ଘର ପାଖ ସ୍କୁଲଟିକୁ ବନ୍ଦ କରିବା ନଷ୍ପତ୍ତି ନେଇ ସରକାର ତାକୁ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ଅଧିକ ଅସହାୟ କରି ଦେଉ ନାହାନ୍ତି କି?

ବାଘ ନ ଦେଖିଲେ ବିରାଡ଼ି ଦେଖ ନ୍ୟାୟରେ ଆଦିବାସୀ ପିଲାଙ୍କୁ ତାଙ୍କ ନିଜ ପରିବେଶରେ ଦେଖିବାକୁ ସମୟ ଓ ସୁଯୋଗ ପାଉ ନ ଥିବା କିଛି ଦେଶୀ ଓ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତି ମଝିରେ ମଝିରେ ଏ ଭଳି ଅନୁଷ୍ଠାନକୁ ପରିଦର୍ଶନରେ ଆସିଥାଆନ୍ତି । ଅନୁଷ୍ଠାନ ତରଫରୁ ନିୟମିତ ଅନ୍ତରାଳରେ ଆୟୋଜିତ ହେଉଥିବା ଏ ଭଳି ପରିଦର୍ଶନ ସମୟରେ ପିଲାମାନଙ୍କୁ ଚିଡ଼ଇଆଖାନାର ଜୀବ ସଦୃଶ ପ୍ରସ୍ତୁତ କରାଯାଇଥାଏ । ପରିଦର୍ଶକଙ୍କୁ ଗେଣ୍ଡୁ ମାଳ ପିନ୍ଧାଇ, ସିନ୍ଦୂର, ଲଗାଇ, ପୁଷ୍ପ ବୃଷ୍ଟି କରି ଏପରି ଭବ୍ୟ ସ୍ୱାଗତ କରା ଯାଇଥାଏ ଯେ ସେମାନେ କଳ୍ପନାତୀତ ଭାବେ ନିଜକୁ ହଜାର ହଜାର ପିଲାଙ୍କ ସମ୍ମୁଖରେ ମୁଖ୍ୟ ଆକର୍ଷଣ ଭାବେ ପାଇ ଗଦ ଗଦ ହୋଇ ଯାଇଥାଆନ୍ତି । ଏ ଭଳି ଆୟୋଜନ କର୍ତ୍ତୃପକ୍ଷଙ୍କୁ ଅନୁଷ୍ଠାନର ପରିଚାଳନାଗତ ଦକ୍ଷତା ଲାଗି ପ୍ରଶଂସା ସାଉଁଟିବା ସହ ଅନୁଷ୍ଠାନର ଛବି ଉଜ୍ଜ୍ୱଳ କରିବା ଲାଗି ସୁଯୋଗ ସୃଷ୍ଟି କରିଥାଏ । ସେଥିରେ କୌଣସି ଅସୁବିଧା ନାହିଁ । ତେବେ ଏ ଭଳି ପରିଦର୍ଶନ ସମୟରେ ପିଲାମାନଙ୍କ ସହ ମନଖୋଲା ଭାବେ ଆଲୋଚନା କରି ସେମାନଙ୍କ ମୌଳିକ ସମସ୍ୟା ବୁଝିବାର ଅବକାଶ ନ ଥାଏ । ପରବର୍ଣ୍ଟୀ ସମୟରେ ଏ ଭଳି ପରିଦର୍ଶକମାନଙ୍କ ମଧ୍ୟରୁ କିଛି ପରୋକ୍ଷରେ ସେହି ଅନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡ଼ର ସାଜି କାରଖାନା ସ୍କୁଲ ବ୍ୟବସ୍ଥାର ପ୍ରଶଂସାରେ ଶତମୁଖ ହୋଇ ଥାଆନ୍ତି, ଯାହା ଏହି ବ୍ୟବସ୍ଥାର ପରିସମାପ୍ତି ପରିବର୍ଣ୍ଟେ ତାହାର ଉଣ୍ଟରୋଣ୍ଟର ବିକାଶ ସାଧନରେ ସହାୟକ ହୋଇଥାଏ ।

ଆଦିବାସୀ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଏବେ ମୁଖ୍ୟତଃ ମୁଷ୍ଟିମେୟ କିଛି ରାଜନୈତିକ ଓ ଅନ୍ୟ ଉର୍ଦ୍ଦେଶ୍ୟ ସମ୍ପନ୍ନ ଲୋକଙ୍କ ନିୟନ୍ତ୍ରଣରେ ଅଛି, ଯେଉଁମାନେ ନିଜକୁ ଆଦିବାସୀ ସମାଜର ହିତୈଷୀ ଓ ତ୍ରାଣକର୍ଣ୍ଟା ବୋଲି ଉପସ୍ଥାପନ କରୁଥିଲେ ବି ଆଦିବାସୀ ସମାଜ ହିତର ପରିପନ୍ଥୀକାର୍ଯ୍ୟ କରିଥାଆନ୍ତି ବୋଲି ଅଭିଯୋଗ ହୋଇଥାଏ । କାରଖାନା ସ୍କୁଲ ବ୍ୟବସ୍ଥାର ପରିସମାପ୍ତି ପାଇଁ କ୍ରମଶଃ ବିଶ୍ୱବ୍ୟାପୀ ଏକ ଆନ୍ତୋଳନ ବି ମୁଣ୍ଡ ଟେକିବା ଆରମ୍ଭ କଲାଣି ଯେଉଁଥିରେ ‘ସରଭାଇଭାଲ ଇଣ୍ଟରନ୍ୟାସନାଲ’ ଭଳି ସଂଗଠନ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏ ଭଳି ସ୍ଥିତିରେ ସାରା ବିଶ୍ୱରେ କାରଖାନା ସ୍କୁଲ ମଡ଼େଲର ଏକ ପ୍ରମୁଖ ପରୀକ୍ଷାଗାର ଭାବେ ଓଡ଼ିଶା ଉଭା ହେବା ଓ ଏ ନେଇ ଶିକ୍ଷିତ ସମାଜ ଗର୍ବ ଅନୁଭବ କରିବା ଉଦବେଗଜନକ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାରଖାନା ସ୍କୁଲ ପ୍ରତି ଥିବା ଅହେତୁକ ମୋହ ମଧ୍ୟ ଭଙ୍ଗ ହେବା ଉଚିତ । ସରକାର ଏ ପରି କିଛି କରିବା ଅନୁଚିତ ଯାହା ଏହି କାରଖାନା ସ୍କୁଲ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରୋତ୍ସାହିତ କରିବା । ସରକାର ତୃଣମୂଳ ସ୍ତରରେ ଆଦିବାସୀ ଶିକ୍ଷା ବ୍ୟବସ୍ଥାରୁ ଓହରି ନ ଆସି ବରଂ ଅଧିକ ପୁଞ୍ଜି ବିନିଯୋଗପୂର୍ବକ ତାକୁ ବଳିଷ୍ଠ ଓ ଚଳଚଳଞ୍ଚଳ କରିବାର ଖୁବ ବେଶି ଆବଶ୍ୟକତା ଅନୁଭୂତ ହେଉଛି । ସରକାରଙ୍କ ସମେତ ଆଦିବାସୀ ସମାଜର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଖାଲି ମାଗଣା ଶିକ୍ଷା ମିଳୁଛି ବୋଲି ନୁହେଁ ବରଂ ସେମାନଙ୍କ ପିଲାମାନଙ୍କ ଶିକ୍ଷା ପାଇଁ କେୁଁଟି ଉପଯୁକ୍ତ ପଦ୍ଧତି ସେ ନେଇ ଗମ୍ଭୀରତାର ସହ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି କାରଣର ସେଥି ସହ େସେମାନଙ୍କ ଦୀର୍ଘ ମିଆଦି ସ୍ୱାର୍ଥ ବି ଜଡ଼ିତ । ଏଇ ଲେଖକର ସ୍ପଷ୍ଟ ମତ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବାକୁ ହେଲେ ଆଦିବାସୀ ପିଲାଙ୍କ ଶିକ୍ଷା ସେମାନଙ୍କ ନିଜ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ମାଟି, ଭାଷା ଓ ସଂସ୍କୃତି ଆଧାରିତ ହେବା ଦରକାର ସେମାନଙ୍କ ଶିକ୍ଷା ଯେଉଁଥିରେ ସେମାନଙ୍କୁ ଉଚିତ ଶିକ୍ଷା ମିଳିବା ସହ ନିଜ ସମାଜ, ଭାଷା ଓ ସଂସ୍କୃତି ପ୍ରତି ହୀନମାନ୍ୟତା ସୃଷ୍ଟି ନ କରି ସେମାନଙ୍କ ମନରେ ଗର୍ବ ଅନୁଭବ କରାଇ ପାରୁଥିବ । ଏମିତି ଶିକ୍ଷା ଯାହା ସେମାନଙ୍କୁ ସମାଜରୁ ବୃନ୍ତାଚୁ୍ୟତ ନ କରି ସମାଜ ସହ ଓତଃପ୍ରୋତ ଭାବେ ଯୋଡ଼ି ରଖି ପାରୁଥିବ । ଆଦିବାସୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ, କିନ୍ତୁ ସେମାନଙ୍କ ସାଂସ୍କୃତିକ ସ୍ୱାତନ୍ତ୍ର୍ୟ ଓ ଜନଜାତୀୟ ପରିଚିତର ସନ୍ତକଗୁଡ଼ିକୁ କ୍ଷୁଣ୍ଣ କରି ନୁହେଁ ।

Comments

0 comments

Share This Article