ଲୋକତନ୍ତ୍ରର ସୁରକ୍ଷା ପାଇଁ ଐତିହାସିକ କୃଷକ ସତ୍ୟାଗ୍ରହ

12 Min Read

ନଭେମ୍ବର ୪ର୍ଥ ସପ୍ତାହରୁ ପଞ୍ଜାବ-ହରିଆନାରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେଲା, କେନ୍ଦ୍ର ସରକାର ଦିଲ୍ଲୀ ପୋଲିସକୁ ବ୍ୟବହାର କରି ପ୍ରତିରୋଧ କରିବାକୁ ଯାଇ ଶୀତର ପ୍ରକୋପରେ ଚାଷୀଚାଲୁ ଥିବାବେଳେ ଥଣ୍ଡା ପାଣିଛାଟିକା ମାରିବା ସହ ହାଇୱେକୁ ଖୋଳି ପକାଇଲା । ଆମର ଅନୁଭୂତି ଅଛି ଆନ୍ଦୋଳନକାରୀମାନେ ବନ୍ଧୁକଧାରୀ ପୋଲିସର ପ୍ରବେଶକୁ ଅଟକାଇବା ପାଇଁ ରାସ୍ତା ଖୋଳି ଦେଇଥାନ୍ତି । କିନ୍ତୁ କୃଷକମାନଙ୍କ ଶାନ୍ତିପୂର୍ଣ୍ଣ ଅହିଂସ ଯାତ୍ରାକୁ ଦିଲ୍ଲୀ ସମାବେଶ ସ୍ଥାନକୁ ଯିବାକୁ ନ ଦେବା ପାଇଁ ହାଇୱେ ରାସ୍ତା ଖୋଳି ଦିଆଗଲା ହରିଆନା ସରକାର ଦ୍ୱାରା । ଫଳରେ ଦିଲ୍ଲୀକୁ ଯାଇ ନପାରି ପଞ୍ଜାବ ଚାଷୀ ଅଟକି ରହିଲେ ସିଂଘୁ ବୋର୍ଡ଼ର ରାଜପଥରେ ନଭେମ୍ବର ୨୫ ତାରିଖରୁ । ସେହିପରି ଟିକର ସୀମାନ୍ତରେ । କେନ୍ଦ୍ର ସରକାରର ପୋଲିସ ଶେଷରେ ଅନୁମତି ଦେଲା ଦିଲ୍ଲୀ ବାହାର ଏକ ଖୋଲାପଡ଼ିଆରେ ସମାବେଶ ପାଇଁ ଯଦିଓ ଅନୁମତି ମଗାଯାଇଥିଲା ଯନ୍ତରମନ୍ତର କିମ୍ବା ରାମଲୀଳା ମଇଦାନରେ । କିନ୍ତୁ କ୍ରୋଧିତ କୃଷକମାନେ ସିଂଘୁ ଓ ଟିକିରୀର ଦୁଇ ରାଜପଥରୁ ହଟିବାକୁ ଚାହିଁଲେ ନାହିଁ । କଥାରେ ଅଛି ଯିଏ ଅନ୍ୟର ଦୁର୍ଗତିପାଇଁ ଗାତ ଖୋଳିଥାଏ, ସମୟରେ ପୁଣି ସେ ହିଁ ସେହି ଗାତରେ ଗଳି ପଡ଼ିଥାଏ । ଏହି ଦୁଇସ୍ଥାନ ସମେତ ଦିଲ୍ଲୀର ଚାରି ସୀମାକୁ ଲାଗିଥିବା ୫ଟି ରାଜପଥକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ହରିଆନା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀମାନେ ସତ୍ୟାଗ୍ରହ ସ୍ଥଳରେ ପରିଣତ କରିଦେଇଛନ୍ତି । ଏ ମଧ୍ୟରେ ଲକ୍ଷ ଲକ୍ଷ ଚାଷୀ ପ୍ରବଳ ଶୀତ କାକର ସତ୍ତ୍ୱେ ପରିବାରର ଆବାଳବୃଦ୍ଧବନିତା ସହ ଏଥିରେ ସାମିଲ ହେଉଛନ୍ତି । ଯେତେବେଳେ ଏହି ଲେଖକ କୃଷକ ଆନ୍ଦୋଳନର ଏକ ସହଯୋଗୀ ସଂଗ୍ରାମୀ ସାଥି ରୂପେ ସିଂଘୁ ଓ ଟିକିରି ସୀମାର ସତ୍ୟାଗ୍ରହ ସ୍ଥଳ ପରିଦର୍ଶନ କରି ଦଳେ ଦଳେ ଚାଷୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛି । ସେ ଦେଖିପାରିଛି ୯୦ବର୍ଷର ବୃଦ୍ଧା ମା’ ଓ ୧୦୨ବର୍ଷର ବୃଦ୍ଧ ଚାଷୀଙ୍କ ସକ୍ରିୟ ଯୋଗଦାନ । ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ପରିବାର ସହ ରହିଛନ୍ତି । ଆମେରିକାରୁ ପାଠସାରି ଫେରିଥିବା ଝିଅଟିଏ ଟିଭିକୁ ସାକ୍ଷାତକାରରେ କହୁଛି “ପ୍ରଥମେ ମୁଁ ଜଣେ ଚାଷୀର ଝିଅ । ଚାଷୀଙ୍କୁ ନ୍ୟାୟ ପାଇଁ ଏହି ସଂଘର୍ଷରେ ମୁଁ ବି ସାମିଲ ହୋଇଛି ।’ ପୁଣି ସ୍ପଷ୍ଟଭାବେ ସେ କହୁଛି “ଅଗଣତାନ୍ତ୍ରିକ ଭାବେ ସଂଖ୍ୟାବଳରେ ବିନା ବିମର୍ଶ ଆଲୋଚନା ଓ କୃଷକମାନଙ୍କ ସହ ପରାମର୍ଶ ବିନା ଜବରଦସ୍ତ ଗୃହୀତ ହୋଇଥିବା ତିନୋଟି କୃଷି ସଂସ୍କାର ଆଇନ କୃଷକ ଓ କୃଷକ ହାତରେ ଥିବା ଚାଷକୁ ଖତମ କରିବ ।’ ଏହି ଆଇନ ପାଇଁ କୃଷକ କେବେ ବି ଦାବୀ କରି ନ ଥିଲା କିମ୍ବା କୌଣସି ରାଜନୈତିକ ଦଳ ଏପରିକି କେନ୍ଦ୍ରର ଶାସକଦଳ ମଧ୍ୟ କେବେ କୃଷକଙ୍କ ସମ୍ମୁଖରେ କିମ୍ବା ସରକାର ପାଖରେ ଏପରି ଘାତକ ଆଇନପାଇଁ ପ୍ରସ୍ତାବ ଦେଇ ନଥିଲା । ବରଂ ୨୦୧୪ ନିର୍ବାଚନ ବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ନିର୍ବାଚନ ଇସ୍ତାହାରର ପ୍ରମୁଖ ପ୍ରସଙ୍ଗ ରୂପେ ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ ଫସଲର ଦାମ (MSP) ଖର୍ଚ୍ଚର ଦେଢ଼ଗୁଣା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ । ପୁଣି ୨୦୧୯ ନିର୍ବାଚନରେ ବିଜେପିର ନିର୍ବାଚନ ଇସ୍ତାହାରରେ କୁହାଯାଇଛି କୃଷକମାନଙ୍କୁ ଉଚିତ ଦାମ ଉପଲବ୍ଧ କରାଇବା ପାଇଁ ଦେଶରେ ଅଧିକ ୧୦ହଜାର ସମବାୟ ମଣ୍ଡି ସୃଷ୍ଟି କରାଯିବା ସହ ଗ୍ରାମସ୍ତରରେ ଗ୍ରାମ ଶସ୍ୟଭଣ୍ଡାର ନିର୍ମାଣ ହେବ । ପୁଣି କ୍ଷମତା ହାସଲ କରିବା ପରେ ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ହଟାଇବା ପାଇଁ ଚାଷୀଙ୍କ ହାତରୁ ଚାଷ ଓ ଚାଷ ଜମିକୁ କର୍ପୋରେଟ ନିୟନ୍ତ୍ରଣକୁ ଠେଲି ଦେବାପାଇଁ ଆଦାନୀ ଓ ଅମ୍ବାନୀ ପରି କମ୍ପାନୀର ସ୍ୱାର୍ଥପାଇଁ ଚକ୍ରାନ୍ତମୂଳକ ତିନୋଟି ଆଇନ କରାଯାଇଛି ।

ଏହି ଆଇନଗୁଡ଼ିକରେ ସୀମାହୀନ ପରିମାଣ ଖାଦ୍ୟଶସ୍ୟ ମହଜୁଦ ରଖିବାକୁ ଅନୁମତି ଦିଆଯାଇ ସରକାରକୁ ଦରଦାମ ନିୟନ୍ତ୍ରଣରୁ ମୁକ୍ତ ରଖାଯାଇଛି ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀଗୁଡ଼ିକୁ ଅତ୍ୟାବଶ୍ୟକ ପଦାର୍ଥ ତାଲିକାରୁ ହଟାଇ ଦିଆଯାଇଛି । ସରକାରୀ ମଣ୍ଡିରେ କ୍ରୟ ଉପରେ ଟିକସ ଲାଗୁ କରାଯାଇ ଥିବାବେଳେ ଘରୋଇବଜାରରେ ଟିକସମୁକ୍ତ ରଖାଯାଇଛି । ଏହାଫଳରେ କୌଣସି ବ୍ୟବସାୟୀ ସରକାରୀ ବା ସମବାୟ ମଣ୍ଡିରୁ କିଣିବାକୁ ଆସିବେ ନାହିଁ । କ୍ରମଶଃ ସରକାରୀ ମଣ୍ଡି ସମାପ୍ତ ହୋଇଯିବ । କେବଳ ଖୋଲାବଜାରରେ ବଡ଼ ବଡ଼ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ କିଣା ବିକା ହେବ । ଏବେ ସରକାରୀ ମଣ୍ଡି ବ୍ୟବସ୍ଥାରେ ଧାନ କ୍ୱିଣ୍ଟାଲ ପ୍ରତି ୧୮୬୮ଟଙ୍କା ମିଳୁଥିବାବେଳେ ବେପାରୀକୁ ବିକିବାକୁ ବାଧ୍ୟ ହେଉଥିବା ଚାଷୀ ପାଉଛି ମାତ୍ର ୧୨୦୦ରୁ ୧୪୦୦ ଟଙ୍କା । ଯେବେ ସରକାରୀ ମଣ୍ଡି ହଟିଯିବ, ସେତେବେଳେ ସମସ୍ତ ଚାଷୀ ବାଧ୍ୟହେବେ ଖୋଲାବଜାରର ବଡ଼ ବଡ଼ କଂପାନୀମାନଙ୍କ ନିର୍ଦ୍ଧାରିତ ଶସ୍ତାଦରରେ ବିକିବାକୁ । କାରଣ ଆଇନରେ କେଉଁଠି ମଧ୍ୟ ନୁ୍ୟନତମ ସହାୟକ ମୂଲ୍ୟ ଉଲ୍ଲେଖ ନାହିଁ । ପୁଣି ଠିକାଚାଷ ଆଇନରେ କଂପାନୀ ଓ ଚାଷୀ ମଧ୍ୟରେ ଚୁକ୍ତିର ଖିଲାପହେଲେ କୋର୍ଟକୁ ଯାଇପାରିବ ନାହିଁ । ପ୍ରଶାସନ ସ୍ତରରେ ବିଚାର ହେବ । ଅଫିସରମାନେ କଂପାନୀ ଅପେକ୍ଷା ଚାଷୀଙ୍କ ପକ୍ଷରେ ରାୟ ଦେବେ, ଏହା ବିଶ୍ୱାସଯୋଗ୍ୟ କି? ଯଦି କୃଷକର ଜମି ଥରେ କମ୍ପାନୀ ହାତକୁ ଚାଷପାଇଁ ଚାଲିଯାଏ, କୃଷକ କେବଳ କ୍ଷେତ ମୂଲିଆ ହୋଇ ରହିଯିବ । ଠିକା ଚାଷ ଆଇନର ଧାରା-୭ ଅନୁଯାୟୀ ତା’ ଜମିରେ ଯଦି କୌଣସି ନିର୍ମାଣ କାର୍ଯ୍ୟ ହୁଏ, ତାକୁ ଚାଷୀ ଚାହିଁଲେ ବି ଭାଙ୍ଗିପାରିବ ନାହିଁ । ଧାରା ୯ରେ ରହିଛି କମ୍ପାନୀ ଲିଜ୍ରେ ନେଇଥିବା ଚାଷୀର ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିପାରିବ । ଋଣବୋଝରୁ ମୁକ୍ତ ନ ହେବା ଯାଏ ଜମି ଫେରି ପାରିବ ନାହିଁ । ଏପରି ଅନେକ ଅନ୍ଧ ପ୍ରାବଧାନ ଆଇନରେ ରହିଛି । ବର୍ତ୍ତମାନ କେନ୍ଦ୍ର ସରକାରର ପୂର୍ବତନ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା କୌଶିକ ବସୁ ଓ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନିର୍ବିର୍କାର ସିଂହ ମିଳିତ ଭାବେ କହିଛନ୍ତି ଯେ ଏହି ୩ଟି ଆଇନ ମଧ୍ୟମ ଓ ଛୋଟଚାଷୀଙ୍କ ସର୍ବନାଶ କରିବ । ଏପରି ଅନେକ ଜନବାଦୀ ଅର୍ଥନୀତି ବିଶେଷଜ୍ଞ ଚାଷୀଙ୍କ ହାତରୁ କୃଷିକୁ ଛଡ଼ାଇନେଇ ବଡ଼ ବଡ଼ କର୍ପୋରେଟମାନଙ୍କ ଦ୍ୱାରା ଖାଦ୍ୟଶସ୍ୟ ଭଣ୍ଡାର ଓ ବଜାର ନିୟନ୍ତ୍ରଣ କରିବା ଲକ୍ଷ୍ୟ ରହିଛି ବୋଲି ମତ ଦେଇଛନ୍ତି । ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରତିଦିନ ମିଛ କହୁଛନ୍ତି-ଆଇନ ଚାଷୀଙ୍କୁ ଧନୀ କରାଇଦେବ । ପୁଣି ସତ୍ୟକୁ ଅସତ୍ୟ ରୂପ ଦେଉଛନ୍ତି । ସତ୍ୟଟି ହେଲା: ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଦେଶର ବିଭିନ୍ନ ରାଜ୍ୟର ଚାଷୀ ସଂଗଠନଗୁଡ଼ିକ ମିଳିତ ବ୍ୟାନରତଳେ ଏକାଠି ହୋଇ ରାଷ୍ଟ୍ରୀୟ ସ୍ତରରେ ରାଜନୈତିକ ଦଳମାନଙ୍କର ବିନା ସାହାଯ୍ୟରେ ଏକ ନିରନ୍ତର ସଶକ୍ତ ସଂଗ୍ରାମ ଠିଆ କରିପାରିଛନ୍ତି ଅହିଂସା ଓ ସତ୍ୟାଗ୍ରହ ରାସ୍ତାରେ । ସେଥିପାଇଁ ୬୦ଜଣ ବୃଦ୍ଧଚାଷୀ ଜୀବନ ହରାଇ ସାରିଲେଣି । ନିର୍ଭୀକତା, ପ୍ରତିବଦ୍ଧତା, ସମର୍ପଣ ଓ ଅନୁଶାସନ ପ୍ରଦର୍ଶନ ସହ ଅନ୍ୟାୟ, ବିସମତା, କଂପାନୀକରଣ ଓ ଘରୋଇକରଣର ଲୁଟ୍ ବିରୋଧରେ ମିଳିତ ସ୍ୱର ଜାତି, ଧର୍ମ, ଦଳ ନିର୍ବିଶେଷରେ କୃଷକ ଏକତା ସୃଷ୍ଟି କରିପାରିଛି ଏକ ସାଲିସହୀନ ସଂଗ୍ରାମ ପାଇଁ ।

ବୈଶିଷ୍ଟ୍ୟ :

କାହାରି ଏକକ ନେତୃତ୍ୱ ନାହିଁ କିମ୍ବା କେଉଁ ଏକ ବ୍ୟକ୍ତିର ଗାରିମା, ନିଷ୍ପତ୍ତି ବା ସଙ୍ଗଠନର ପ୍ରଭୁତ୍ୱ ନାହିଁ । ଅନେକ ରାଜ୍ୟସ୍ତରୀୟ ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପରି ଜାତୀୟ ସମନ୍ୱୟଗୁଡ଼ିକର ସମନ୍ୱୟରେ ଗଠିତ ହୋଇଛି “ସଂଯୁକ୍ତ କିଷାନ ମୋର୍ଚ୍ଚା’ ଆନ୍ଦୋଳନକୁ ପରିଚାଳିତ କରିବାପାଇଁ । ସାମୂହିକ ନେତୃତ୍ୱର ପ୍ରତିଷ୍ଠା ଏକ ବଡ଼ ଉପଲବ୍ଧ । ସରକାର ଆଇନର ପାରଦର୍ଶିତା ଉପରେ ପ୍ରଶ୍ନ କରିବାକୁ ଦେଉ ନଥିଲାବେଳେ ସାତ/ଆଠଥର ଆଲୋଚନା କରି କୃଷକ ପ୍ରତିନିଧିଙ୍କ ସମ୍ମୁଖରେ କେତକ ଦୋଷ ଦୁର୍ବଳତାକୁ ସ୍ୱୀକାର କରିଛନ୍ତି । ତେଣୁ ଆଇନରେ ସଂଶୋଧନ ପାଇଁ ସୂଚନା ଦେଉଥିବାବେଳେ ଆଇନକୁ ହଟାଇ ଦେବାକୁ ପ୍ରସ୍ତୁତ ହେଉନାହାନ୍ତି । ବରଂ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସ୍ୱାଧୀନ ଚେତନା, ରାଜନୈତିକ ଦଳର ପ୍ରଭାବମୁକ୍ତ ମିଳିତ ନେତୃତ୍ୱ ଓ ସ୍ୱାଭିମାନଙ୍କୁ ସ୍ୱୀକାର ନକରି କଂଗ୍ରେସ ସମେତ ବିରୋଧୀଦଳଗୁଡ଼ିକୁ ଚାଷୀ ଆନ୍ଦୋଳନ ପାଇଁ ଦାୟୀ କରୁଛନ୍ତି । ଯାହାକି ସତ୍ୟର ଅପଳାପ । ଏହି ଐତିହାସିକ କୃଷକ ଆନ୍ଦୋଳନ ଶକ୍ତିକୁ ଅଣଦେଖା କରିବାକୁ ହୀନଉଦ୍ୟମ କରିବା ଗଣତନ୍ତ୍ର ପ୍ରତି ଅସମ୍ମାନ ।

ଅସତ୍ୟଟି ହେଲା : ବିରୋଧୀ ଦଳ ପ୍ରାୟୋଜିତ ଆନ୍ଦୋଳନ, ଟୁକୁଡ଼ା-ଟୁକୁଡ଼ା ଗ୍ୟାଙ୍ଗ, ଖଲିସ୍ଥାନୀ, ମାଓବାଦୀ କିମ୍ବା ପାକିସ୍ଥାନୀ ଆତଙ୍କୀଙ୍କ ଉପସ୍ଥିତି । ଏ ସବୁର ଉପସ୍ଥିତି ଏକ ମିଥ୍ୟା ଅଭିଯୋଗ । ‘ଗୋଦି ମିଡ଼ିଆ’ ଜରିଆରେ ଅପପ୍ରଚାର ଦ୍ୱାରା ଆନ୍ଦୋଳନର ଶକ୍ତି, ମାହାତ୍ମ୍ୟ ଓ ଆହ୍ୱାନକୁ ଚାପି ଦେବାର ଏକ ଘୃଣ୍ୟ ଉଦ୍ୟମ ।

ଆନ୍ଦୋଳନସ୍ଥଳ ସଂଗ୍ରାମୀମାନଙ୍କ ପାଇଁ ତୀର୍ଥସ୍ଥାନ ରୂପେ ଏହି ଲେଖକ ଅନୁଭବ କରିଛି । ନେତୃମଣ୍ଡଳୀ ଭିତରେ ବ୍ୟକ୍ତିଗତ ଆକାଂକ୍ଷା କାହାର ରହିପାରେ ସାଧାରଣ ଜୀବନରେ । କିନ୍ତୁ ମିଳିତ ନେତୃତ୍ୱରେ ସଂଗ୍ରାମର ଲକ୍ଷ୍ୟ, ସାଧନ ଓ ସାଧନା ଏକ ସଭ୍ୟ ଜନବାଦୀ ସାଂସ୍କୃତିକ ଓ ସାମାଜିକ ପରିବେଶ ସୃଷ୍ଟି କରିଛି, ଯେଉଁଠି ଆତ୍ମୀୟତା, ମାନବିକତା, କରୁଣା, ଭାଇ-ଭଉଣୀ ଚାରା ତଥା ବନ୍ଧୁତ୍ୱର ସୁଗନ୍ଧି ଭରିରହିଛି । ଏସବୁ ମଧ୍ୟରେ ସଂଗ୍ରାମୀଙ୍କ ପକ୍ଷରେ ଶୀତ, ଖୋଲା ଆକାଶ, ଅବେଳ ବର୍ଷା, ପରିବାରଠାରୁ ଦୂରତା ସହ ନିଜର ଜମିର ଉତ୍ପାଦନକୁ ତାଲା ପକାଇବା ଯୋଗୁଁ ହୋଇଥିବା ଶାରୀରିକ ଓ ମାନସିକ ଯନ୍ତ୍ରଣା ଗୌଣ ହୋଇଯାଇଛି । ସଂଗ୍ରାମର ସଫଳତାର କାମନାର ହିଁ ଦୃଢ଼ ଶକ୍ତି ସଞ୍ଚାର କରୁଛି । ପଞ୍ଜାବ, ହରିଆନା ଓ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାର ଚାଷୀମାନେ ନିଜ ନିଜ ଗାଁରୁ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି । କ୍ଷୀର, ଖିରି, ଝିଲାପି, ଭଜା, ଚିନାବାଦାମ ସମେତ ରୋଟି, ତରକାରୀ, ଭାତ, ଡାଲି ରନ୍ଧା ଚାଲିଛି । ବିଭିନ୍ନ ସ୍ଥାନରେ କିଏ କାହାକୁ ଖାଇବା ଦେଉଛି, ତାର କିଛି ହିସାବ ନାହିଁ । ଟ୍ରକ, ଟ୍ରଲି ଓ ଟ୍ରାକ୍ଟର ମାଇଲ ମାଇଲ ଧରି ଠିଆହୋଇଛି । ତମ୍ବୁ, ପଲିଥିନ ଓ ନଡ଼ାରେ ଶୋଇଯାଉଛନ୍ତି । ସ୍ୱେଚ୍ଛାସେବକମାନେ ସତ୍ୟାଗ୍ରହୀଙ୍କ ମଇଳା ଲୁଗା ସଫା କରି ଦେଉଛନ୍ତି । ଚିକିତ୍ସା ପାଇଁ ଡାକ୍ତର ମଧ୍ୟ ସ୍ୱେଚ୍ଛାକୃତ ସେବା ଦେଉଛନ୍ତି । ଥିଲା ଓ ନଥିଲା କୃଷକ-କୃଷିଶ୍ରମିକ ସଂଗ୍ରାମରେ ଏକାକାର ହୋଇ ଯାଇଛନ୍ତି । ବିଭିନ୍ନ ଗାଁ ସହରରୁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯଥା; ଟୁଥପେଷ୍ଟ, ଟାୱାଲ, ଚଦର, ରେଜେଇ, ଚପଲ ସହଯୋଗ ଆକାରରେ ଆସୁଛି । ତାକୁ ସଂଗଠିତ ଓ ଶୃଙ୍ଖଳିତ ପ୍ରକି୍ରୟାରେ ଆବଶ୍ୟକତା ଅନୁଯାୟୀ ବଣ୍ଟନ ହେଉଛି । ଖାଲସା ଏଇଡ ନାମରେ ଷ୍ଟୋର ରୁମ କରାଯାଇଛି । ଅସ୍ଥାୟୀ ପାଠାଗାର ବି ଖୋଲା ଯାଇଛି । ଏସବୁକୁ ଦେଖିଲେ ମନେ ହେଉଛି ଆମ ଦେଶର ସମସ୍ତ କୃଷକ ଏକ ପରିବାରରେ ଆବଦ୍ଧ ହୋଇଯାଇଛନ୍ତି । ହିନ୍ଦୁ-ମୁସଲମାନ- ଶିଖ୍ ଚାଷୀ ଏକାଠି ରହିବା ସହ ସଂଗ୍ରାମର ଧ୍ୱନିକୁ ଅଧିକ ପ୍ରତିଧ୍ୱନିତ କରିବା ପାଇଁ ସଚେତ ଓ ସଜାଗ ରହିବା ଏକ ନୂଆ ଭାରତ ନିର୍ମାଣର ଭିତ୍ତିଭୂମି ପରି ହୃଦ୍ବୋଧ ହୋଉଛି । ଏଠି ଧର୍ମର ଚର୍ଚ୍ଚା ହେଉନାହିଁ । ସମ୍ବିଧାନର ସୁରକ୍ଷା, ଜୀବନ ଜୀବିକାର ସୁରକ୍ଷା, ଖାଦ୍ୟ ସାର୍ବଭୌମର ସୁରକ୍ଷା ସହ ଲୋକତନ୍ତ୍ରର ସୁରକ୍ଷାପାଇଁ ସଚେତନ ସଂଗ୍ରାମୀ କୃଷକମାନେ ଆଲୋଚନାବେଳେ, ସାମାଜିକ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି । ହିନ୍ଦୁରାଷ୍ଟ୍ର ନାମରେ ଯେପରି ଘୃଣା ରାଜନୀତି ହେଉଛି ଏବଂ କେନ୍ଦ୍ର କ୍ଷମତାର ପ୍ରୋତ୍ସାହନରେ ବୃଦ୍ଧି ପାଉଥିବା କର୍ପୋରେଟ ଓ ସାଂପ୍ରଦାୟିକତାର ମିଳିତ ଫାସିବାଦକୁ ପ୍ରତିହତ କରି ପାରିବ ଆଜିର ଐତିହାସିକ କୃଷକ ସଂଗ୍ରାମ । ପ୍ରଥମଥର ପାଇଁ କର୍ପୋରେଟ ରାଜନୀତି ଓ ଧାର୍ମିକ ରାଜନୀତିର ମିଳିତ ସ୍ୱେଚ୍ଛାଚାରୀ ଶାସନକୁ ଚାଲେଞ୍ଜ କରିପାରିଛି ଚଳିତ କୃଷକ ସଂଗ୍ରାମ ଯେଉଁଥିରେ ଜାତି-ଧର୍ମ ନିର୍ବିଶେଷରେ ଦେଶର କୋଣକୋଣର ଚାଷୀ, ଆଦିବାସୀ ଓ ଶ୍ରମିକ ସାମିଲ ହେବାରେ ଲାଗିଛନ୍ତି । ଏହା କେବଳ କୃଷକର ଫସଲର ଦାମ ପାଇଁ ନୁହେଁ, ବରଂ ରାଷ୍ଟ୍ରର ପ୍ରାକୃତିକ ସଂପଦ ଓ ରାଷ୍ଟ୍ରାୟତ ସଂପତ୍ତି, ଗଣତନ୍ତ୍ରିକ-ସାମ୍ବିଧାନିକ ସଂସ୍ଥାମାନଙ୍କର ସ୍ୱାଧୀନତାର ସୁରକ୍ଷା ପାଇଁ ଏକ ସଫଳ ପଦକ୍ଷେପ । ଏପରି ଆନ୍ଦୋଳନର ହାର ଜିତ୍ ନ ଥାଏ । ପରିବର୍ତ୍ତନ ପାଇଁ ଜନଶକ୍ତି ନିର୍ମାଣ ହେଉଛି ଏକ ସଫଳତା ଯାହାକି ରାଷ୍ଟ୍ରୀୟ ଏକତାର ପ୍ରତୀକ ।

କେତେକ ମୌଳିକ ପ୍ରଶ୍ନ :

ସଂଘର୍ଷସ୍ଥଳର ଖାଦ୍ୟ ସାମଗ୍ରୀ, ଗଣଭୋଜନ ଏବଂ ପେଂଟ୍ କୋଟ ପୋଷାକକୁ ନେଇ ଆନ୍ଦୋଳନକାରୀଙ୍କୁ ଲକ୍ଷ୍ୟ କରି ଗୋଦିମିଡ଼ିଆରେ ବିଜେପି ନେତା ଓ ମନ୍ତ୍ରୀଙ୍କ ମନ୍ତବ୍ୟ ଏମାନେ କୃଷକ ନୁହନ୍ତି, କିଏ କହୁଛି ସମ୍ପନ୍ନ ଓ ଧନୀଚାଷୀଙ୍କ ଆନ୍ଦୋଳନ । ତାହାହେଲେ ସବୁବେଳେ ସମସ୍ତ ଚାଷୀ ଅର୍ଦ୍ଧନଗ୍ନ ଶରୀରରେ ରହିବେ? ଚାଷୀ କିମ୍ବା ଚାଷୀର ପୁଅଝିଅ କୋଟପେଂଟ୍ ପିନ୍ଧିବା ପାଇଁ ଯୋଗ୍ୟ ନୁହନ୍ତି? ସମ୍ପନ୍ନଚାଷୀର ଅଧିକାର ନାହିଁ ତାର ଫସଲର ଦାମ ପାଇବା ପାଇଁ କିମ୍ବା ତାର ସାମାଜିକ ସୁରକ୍ଷା ପାଇଁ? ଚାଷୀ କ’ଣ ବିରିଆନି ଖାଇବା ପାପ? ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାପାଇଁ କହୁଛନ୍ତି, କିପରି କରିବେ? ଆଜି କାହିଁକି ନୁହଁ? ଗୌତମ ଆଦାନୀଙ୍କ ପ୍ରତିଦିନ ୪୯୯କୋଟି ଟଙ୍କା ଓ ମୁକେଶ ଅମ୍ବାନୀଙ୍କ ୧୦୧୬ କୋଟି ଟଙ୍କାର ସଂପତ୍ତି ବୃଦ୍ଧି ହେଉଥିବା ବେଳେ ଫସଲର ଉଚିତ୍ ଦାମ, କୃଷି ଶ୍ରମିକ କିମ୍ବା ନିର୍ମାଣ ଶ୍ରମିକର ଦୈନିକ ମଜୁରୀ ଅତିକମ୍ରେ ୪୯୯ଟଙ୍କା ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ସରକାର କାହିଁକି ପ୍ରସ୍ତୁତ ନୁହଁନ୍ତି? ଶିଳ୍ପ ମାଲିକମାନେ ନିଜ ଉତ୍ପାଦନର ମୂଲ୍ୟଧାର୍ଯ୍ୟ କରି ପାରୁଛନ୍ତି MSP ଦ୍ୱାରା । କୃଷକ ସରକାରୀ କଳର ଦୟାରେ MSP ମୂଲ୍ୟ ପାଇଁ ଗୁହାରି କରୁଥିବ କାହିଁକି? ତାର ପ୍ରତ୍ୟେକ ଉତ୍ପାଦ ପାଇଁ ନୁ୍ନ୍ୟତମ ମୂଲ୍ୟ ଧାର୍ଯ୍ୟ କରି ତାର କାର୍ଯ୍ୟକାରିତା ପାଇଁ ଆଇନ କରିବାକୁ ସରକାରର ପଛଘୁଞ୍ଚା କାହିଁକି? ଅତ୍ୟାବଶ୍ୟକ ପଦାର୍ଥର ଯୋଗାଣ ଓ ଭଣ୍ଡାର ପାଇଁ ଥିବା ଆଇନକୁ ହଟାଇବା ଦ୍ୱାରା ସରକାର କିମ୍ବା ଚାଷୀର କି ଉପକାର ହେଲା? ଏହା ମହଜୁଦ-ଖୋରୀମାନଙ୍କୁ ସୁରକ୍ଷା ଦେବାପାଇଁ ନୁହେଁ କି?

ସଂସଦରେ ବିରୋଧୀଦଳଗୁଡ଼ିକ ପ୍ରତିନିଧିମାନଙ୍କ ବିରୋଧ ସତ୍ତ୍ୱେ ଜବରଦସ୍ତ ବିଲ୍କୁ ଗୃହୀତ କରାଇ ଆଇନ କରାଇ ଦେଲା ପରେ କଂଗ୍ରେସ ସମେତ କୌଣସି ରାଜନୈତିକ ଦଳ ଚାଷୀ ଆନ୍ଦୋଳନ କରାଇ ପାରିଥିଲେ କି କିମ୍ବା ନିଜ ନିଜ ଦଳର ଆନ୍ଦୋଳନ ହୋଇଛି କି? ଏବେ କୃଷକମାନଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ଏକ କର୍ତ୍ତବ୍ୟଦୃଷ୍ଟିରୁ ବିରୋଧ ଦଳଗୁଡ଼ିକ ସମର୍ଥନ କରିଛନ୍ତି । ସରକାର କୃଷକ ଶକ୍ତିକୁ ଅବମୂଲ୍ୟାୟନ କରିବା ପାଇଁ ଶତୃ ରୂପେ ଦେଖୁଥିବା କଂଗ୍ରେସ ପାର୍ଟିକୁ ଏହାର ସମସ୍ତ ଶ୍ରେୟ ଦେଉଛି କାହିଁକି? ଦେଢ଼ ମାସର ଅଚଳ ଅବସ୍ଥା ପରେ ବି ୫୦ଜଣଙ୍କ ମୃତ୍ୟୁ ଓ ଶୀତ ବର୍ଷାର ଯନ୍ତ୍ରଣା ସତ୍ତ୍ୱେ କୃଷକ ନିଜ ସଂକଳ୍ପରେ ଅଟଳ ଓ ବିଦ୍ରୋହ ରାସ୍ତାରେ ଅବିଚଳିତ । ତିନୋଟି ଆଇନ ଚାଷୀଙ୍କ ବିରୋଧରେ କୃଷିକୁ କଂପାନୀକରଣ କରିବା ପାଇଁ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ପ୍ରତ୍ୟାହାର ବିନା ସଂଶୋଧନ କାହିଁକି? ଏବେ ଏହି ଘାତକ ତିନୋଟି ଆଇନ ପ୍ରତ୍ୟାହାର କରି ସମସ୍ତ ଚାଷୀଙ୍କୁ ନ୍ୟାୟ ଦେବାପାଇଁ ନୁ୍ୟନତମ ମୂଲ୍ୟର ଗ୍ୟାରେଣ୍ଟିକୁ ଆଇନଗତ ମାନ୍ୟତା ଦେବା ଏକାନ୍ତ ଜରୁରୀ । ସରକାର ଏଥିପାଇଁ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ନିଜେ କୃଷକର ନା କଂପାନୀର ନିଜ ଭିତରେ ଉତ୍ତର ଖୋଜିବା ଅପରିହାର୍ଯ୍ୟ ।

Photo Credit-https://bit.ly/3sfBRcD

Comments

0 comments

Share This Article